ଗଳ୍ପ

ମାମିନା

Maaminaa an odia story by Ramakant Mishra

ସେ କଣ ଭାବୁ ଥିଲେ ମୁଁ ଜାଣେ ନାହିଁ କିନ୍ତୁ ମୁଁ ମନେ ମନେ ଭାବୁ ଥିଲି ଆଉ ଏ ମାମିନା ଘରକୁ ଭବିଷ୍ୟତରେ ଆସିବି ନାହିଁ ।

ମାମିନା

ବହୁତ ଦିନ ହେଲା ଆମେ କୁଆଡେ ବୁଲି ଯାଇ ନ ଥିଲୁ । ଏ ଘର ତିଆରି ଧନ୍ଦାରେ ଆମର ସବୁ ସମୟ ଚାଲି ଯାଉ ଥିଲା । ଏମିତିରେ ଏକ ବର୍ଷ ରୁ ଉର୍ଦ୍ଧ କଟି ଗଲାଣି ଏଠି ଭୁବନେଶ୍ୱରରେ । ଏଠାକୁ ଆସିବା ପୂର୍ବରୁ ଆମେ ଭାବିଥିଲୁ ବହୁତ ବୁଲାବୁଲି କରିବୁ ବୋଲି କିନ୍ତୁ କାମ ଜଞ୍ଜାଳରେ ଆଉ କୁଆଡେ ଯାଇ ହେଉ ନ ଥାଏ ।

ମୁଁ ଗୀତାକୁ କହିଲି ଚାଲ ଯିବା ଆଜି ମାମିନା ଘରକୁ । ଗୀତା ଯିବାକୁ ରାଜି ହେଲେ ଆଉ ଆଗ ଫୋନ କରି ବୁଝିଲେ ସେ ଅଛି କି ନାହିଁ । ସେ ଘରେ ଥିଲା । ସେ ତାର ଚିରା ଚରିତ ଭଙ୍ଗୀରେ ଯେତେ ସବୁ ଦୁଃଖ କଷ୍ଟ ଭୋଗୁଛି ସବୁ ଏକ ନିଶ୍ୱାସରେ କହିଗଲା । ସେ ଭାବେ ସଂସାରରେ ଯେତେସବୁ ଦୁଃଖ କଷ୍ଟ ସବୁ ତାରି କପାଳରେ । ସେ ହିଁ ସଂସାରରେ ସବୁଠାରୁ ଦୁଖୀ । ଅନ୍ୟମାନେ ସମସ୍ତେ ଭଲରେ ଅଛନ୍ତି ।

ମାମିନା ର କଥା ଗୁଡାକ ଶୁଣିବାକୁ ଭଲ ଲାଗେ । ମାମିନା ହେଉଛି ମୋର ପିଲା ଦିନରୁ ପରିଚିତ ଅକ୍ଷୟ ମହାନ୍ତିର ସ୍ତ୍ରୀ । ଅକ୍ଷୟ କୁ ମୁଁ ପିଲା ଦିନରୁ ଜାଣେ । ସେ ମୋର ସାନ ଭାଇ ଭଳି । ତାର ବଡ଼ ଭାଇ ‘କ୍ଷୀର’ ମୋ ସାଙ୍ଗରେ ପଢୁଥିଲା । ତା ଉପର ଭାଇ ସନ୍ତୋଷ ମୋର ଭାଇନାଙ୍କ ସହିତ ପଢୁ ଥିଲେ । ସନ୍ତୋଷ ଭାଇ ଆଉ ଆମ ଭାଇନା ଶ୍ରୀକାନ୍ତଙ୍କ ଭିତରେ ସବୁବେଳେ ପ୍ରତିଯୋଗିତା ହେଉଥିଲା ଯେ କିଏ ଶ୍ରେଣୀରେ ପ୍ରଥମ ହେବ । ପିଲା ଦିନରେ ଆମେ ରହୁ ଥିଲୁ ଜାମସେଦପୁରରେ । ଆମ ନନାଙ୍କ ପରିବାର ଆଉ ଅକ୍ଷୟର ବାପାଙ୍କ ପରିବାର ପାଖାପାଖି ରହୁଥିଲୁ । ଅକ୍ଷୟର ବାପାଙ୍କ ନାମ ବନ ବିହାରୀ ମହାନ୍ତି ଆଉ ସେ ପ୍ରାୟ ଆମ ଘରକୁ ବୁଲି ଆସୁ ଥିଲେ । ଆମ ବୋଉକୁ ଭାଉଜ ବୋଉ ବୋଲି ଡାକୁ ଥିଲେ । ଅକ୍ଷୟର ସବୁଠାରୁ ବଡ଼ ଭଉଣୀଙ୍କ ନାମ ହେଲା ବିଦୁ ଲତା । ଆମେ ସବୁ ତାଙ୍କୁ ବିଦୁ ଅପା ବୋଲି ଡାକୁ ଥିଲୁ । ସତରେ ସେ ମଧ୍ୟ ଭାରି ବିଦୁଷୀ ଥିଲେ । ପଢ଼ାରେ ଯେମିତି, ଚରିତ୍ରରେ ସେମିତି । ସେ ଆମ ସମସ୍ତଙ୍କ ଆଦର୍ଶ ଥିଲେ । ଆଗେ ଆମ ନନା ମାନଙ୍କର ପରିବାର ସବୁ ବଡ଼ ବଡ଼ ହେଉଥିଲା । ଆମେ ଭାଇ ଭଉଣୀ ମିଶି ଥିଲୁ ୯ ଜଣ । ସେମିତି ଅକ୍ଷୟ ଘରର ଭାଇ ଭଉଣୀ ସବୁ ମିଶି ଥିଲେ ୮ ଜଣ । ଅକ୍ଷୟ ହେଉଛି ବୟସ କ୍ରମରେ ଚତୁର୍ଥ ସନ୍ତାନ । ତା ସ୍ତ୍ରୀ ନାଁ ହେଲା ମାମିନା । ସେ ମଧ୍ୟ ଗୋଟିଏ ସମ୍ଭ୍ରାନ୍ତ ଘରର ଝିଅ । ତାଙ୍କର ଭାଇ ଭଉଣୀ ସମସ୍ତେ ବଡ଼ ବଡ଼ ସରକାରୀ ଚାକିରିଆ । ମାମିନା ଆଗରୁ ଚାକିରୀ କରୁଥିଲା କିନ୍ତୁ ଏବେ ଏଠି ଭୁବନେଶ୍ୱରରେ ଆଉ ଚାକିରୀ କରୁ ନାହିଁ ।

ଆମେ ରହିଛୁ ଶୈଳଶ୍ରୀ ବିହାରରେ ଆଉ ମାମିନା ରହିଛି ଚନ୍ଦ୍ରଶେଖରପୁର ପେଟ୍ରୋଲ ପମ୍ପ ପାଖରେ ବି.ଡି.ଏ କଲୋନୀରେ । ଆମ ଘର ଠାରୁ ମାମିନା ଘର ବିଶେଷ ଦୂର ନୁହେଁ । ମୁଁ କହିଲି ଗାଡି ନେଇ ଯିବା କିନ୍ତୁ ଗୀତା ମନା କଲେ କହିଲେ ଚାଲି କରି ଯିବା । ମୁଁ ସର୍ଟକର୍ଟ ରେ ନୀଳାଦ୍ରି ବିହାର ଭିତର ଦେଇ ଯିବା ପାଇଁ ସ୍ଥିର କଲି । ଆମେ ଚାଲି ଚାଲି ସେହି ବାଟରେ ଗଲୁ । ଭୁବନେଶ୍ୱରର ଏ ରାସ୍ତା ସବୁ ଜମାରୁ ଠିକ ରହି ପାରୁ ନାହିଁ । ସବୁଲୋକ ଘର ତିଆରି କଲାବେଳକୁ ରାସ୍ତା କୁ ହିଁ ଆଗ ଖରାପ କରି ପକାଉ ଛନ୍ତି । ଗୀତା ନିଜେ ତ ଠିକ କରି ଚାଲି ପାରେ ନାହିଁ, ଦଶ ଥର ପଡି ହେଉଥିବ କିନ୍ତୁ ମତେ ଦଶ ଥର କରି ତାଗିଦ କରୁଥିବ – ଭଲକରି ରାସ୍ତା ଦେଖି ଚାଲ ବୋଲି କହୁଥିବ ।

ଆମେ ଯାଇ ଠିକ ସନ୍ଧ୍ୟା ୭ ଟା ବେଳେ ମାମିନା ଘର ପାଖରେ ପହଞ୍ଚିଲୁ । ତାର ଘର ଯାଇ ତିନି ମହଲା ଉପରେ । ସେ ଘରେ କିଛି କାମ କରାଉ ଥିଲା । ଗୀତା ମତେ ଦଶ ଥର ତାଗିଦ କରୁଥିବ ବାଟ ଦେଖି ଚାଲିବା ପାଇଁ କିନ୍ତୁ ନିଜେ ଆଉ କିଛି ବି ଦେଖିବେ ନାହିଁ । ମାମିନା ର ଘର ଦୁଆରବନ୍ଧ ଟାକୁ ସଙ୍ଗେ ସଙ୍ଗେ ଜଣେ ମିସ୍ତ୍ରୀ କରିକି ଯାଇ ଥିଲା ବୋଧ ହୁଏ, ଗୀତା ତାକୁ ଦେଖି ପାରିଲେ ନାହିଁ ଆଉ ଠିକ ଦୁଆରବନ୍ଧ ଟାକୁ ମାଡି ପକାଇଲେ । ବାସ, ସରିଗଲା କଥା ! ମାମିନା ମୁହଁ ଟାକୁ ଏଡ଼େ ହାଣ୍ଡି ଭଳିଆ କରି ଦେଲା ଆଉ ବାର ବାର ଗୀତାଙ୍କୁ ଶୁଣାଇ ହେଲା ଆଜି ମିସ୍ତ୍ରୀ ଚାଲି ଗଲା ଆଉ ଆସିବ ନାହିଁ, କେଡେ କଷ୍ଟରେ ଏଠାରେ କାମ ପାଇଁ ଲୋକ ମିଳୁଛନ୍ତି ? ତା କଥା ଶୁଣି ଗୀତା ଛାନିଆ ହୋଇଗଲେ, ମତେ ବି ଭଲ ଲାଗିଲା ନାହିଁ । ଗୀତା କଥା ଟାକୁ ମାଠିବା ପାଇଁ – ନାଇଁ କିଛି ହୋଇ ନାହିଁ ବୋଲି କହି ହେଲେ । ମୁଁ ବାଧ୍ୟ ହୋଇ ବସି ପଡି ସେ କଞ୍ଚା ସିମେଣ୍ଟ ଯୋଡ଼େଇକୁ ହାତରେ ଠିକ କରିବା ପାଇଁ ଚେଷ୍ଟା କଲି ଆଉ ଯେତେ ଟା ହୋଇ ପାରିଲା ଠିକ କରି ଦେଲି । ଗୀତା ତା ଉପରେ ପାଣି ଢ଼ାଳୁ ଢ଼ାଳୁ ବାହାଦୁରି ଦେଖାଇ ଟିକିଏ ବେଶୀ ପାଣି ଢାଳି ଦେଲେ । ମୁଁ ଗୀତା ଉପରେ ବିରକ୍ତ ହେଲି, ମୁଁ ଏଠି ବୁଲି ଆସିଛି ନା ରାଜମିସ୍ତ୍ରୀ କାମ କରି ଆସିଛି ବୋଲି ପଚାରିଲି ।

ମାମୀନାର ମୁଖ ଭଙ୍ଗୀରେ କିଛିବି ପରିବର୍ତ୍ତନ ହେଲା ନାହିଁ । ସେ ଏମିତି ମୁହଁ କଲା ସତେ ଯେମିତି ଆମେ ତା ଘରକୁ ଯାଇ ଅପରାଧ କରିଛୁ ଆଉ ଏବେ ତାର ନୂଆ ତିଆରି ଏରୁଣ୍ଡିବନ୍ଧ ଭାଙ୍ଗି ଦେଇ ତା ପ୍ରତି ବହୁତ ଅନ୍ୟାୟ କରି ଦେଇଛୁ ।

ଆମେ ଯାଇ ଧୀରେ ସୁସ୍ତେ ତାର ଅସ୍ତ ବ୍ୟସ୍ତ ଘରେ ବସିଲୁ । ଏବେ କାମ ହେଉଛି ବୋଲି ତା ଘର ଅସ୍ତ ବ୍ୟସ୍ତ ଅଛି ସେ କଥା ନୁହେଁ । ତା ଘର ବର୍ଷ କୁ ବାର ମାସ ଆଉ ତିନି ଶହ ପଞ୍ଚସଠି ଦିନ ଏମିତି ଅପରିଷ୍କାର ରହେ । ମାମିନା ତ ମୋଟୀ ଟାଏ ତାକୁ ତା ନିଜ ଗଣ୍ଡି ବୋହି ବାକୁ ଫୁରସତ ନାହିଁ ସେ କାହୁଁ ଏ ଘର ସଫା କରିବ ? ଆଗେ ହେଲେ ସ୍କୁଲ ମାଷ୍ଟ୍ରାଣୀ ହୋଇ ପିଲା ମାନଙ୍କୁ ପଢ଼ାଇ ବାକୁ ଯାଉ ଥିଲା ଏବେ ତା ବି ନାହିଁ । ଆଗେ ତା ପୁପୁନ ପୁଅ ଆଉ ରୁପୁନ ଝିଅ ଘରେ ରହି ପଢୁ ଥିଲେ । ଏବେ ତ ସେମାନେ ବି ଆଉ ଘରେ ନାହାନ୍ତି । ପୁଅ କରୁଛି ଏମ.ବି.ଏ. ଆଉ ଝିଅ ପଢୁଛି ଇଂଜିନିୟରିଂ । ଅକ୍ଷୟ ତ ଦୀର୍ଘ ଆଠ ବର୍ଷ ହେଲାଣି ଖାଲି ବାହାରେ । ତାକୁ ବାଧ୍ୟତା ମୂଳକ ଚାକିରୀରୁ ବସାଇ ଦେବା ପରେ ସେ ତାର ଆଇ.ଏ.ଏସ. ଶଳାକୁ କହି ଦିଲ୍ଲୀ ଯାଇ ଚାରି ବର୍ଷ ଆଉ ଏବେ ଚାରି ବର୍ଷ ହେଲା ଅଛି ପାରାଦ୍ୱୀପରେ । ସେ ମାସକୁ ଥରେ ଦୁଇ ଥର ଆସେ କେବଳ ଘର ଖର୍ଚ୍ଚ ଟଙ୍କା ଦେବା ପାଇଁ ।

କିଛି ସମୟ ବସିବା ପରେ ମାମୀନାର ବଚନ ବାହାରିବା ଆରମ୍ଭ ହେଲା । ତାର ବିରକ୍ତି ଭାବି କଟି ଯାଇ ମୁହଁରେ ଟିକେ ଟିକେ ହସ ବାହାରିଲା ଆଉ ତା ଠାରୁ ଅନେକ ଖବର ମିଳିଲା ।

ଅକ୍ଷୟ ର ଏବେ କ୍ୟାଟ୍ରାକ୍ଟ ଅପରେସନ ହୋଇଛି କିନ୍ତୁ ମାମିନା ଘରେ ଧୂଳି ହୋଇଛି ବୋଲି ତାକୁ ପଠାଇ ଦେଇଛି ବିଦୁ ଅପାଙ୍କ ଘରକୁ । ତା ବିଦୁ ଅପାଙ୍କର ବି କିଛି ଭଲ ଖବର ନାହିଁ । ସକାଳେ ମର୍ନିଙ୍ଗ ୱାଲ୍କରେ ଗଲା ବେଳକୁ ପଡି ଯାଇ ଗୋଡ଼ ଭାଙ୍ଗି ଯାଇଛି ଆଉ ସେ ଏବେ ହାଇଦ୍ରାବାଦ ର କେଉଁ ନର୍ସିଙ୍ଗ ହୋମରେ ପଡିଛନ୍ତି । ଏ ପରିଣତ ବୟସରେ ହାଡ଼ ଭାଙ୍ଗିଲେ କେଡେ କଷ୍ଟ ସେ କଥା କହିବାର ଆବଶ୍ୟକତା ନାହିଁ ।

ମାମିନା ଠାରୁ ସବୁଠାରୁ ଦୁଃଖଦ କଥା ଶୁଣିବାକୁ ମିଳିଲା ଯେ ଅକ୍ଷୟ ର ଉପର ଭାଇ କ୍ଷୀର ଯେ ମୋ ସାଙ୍ଗରେ ପଢୁ ଥିଲା ଏଇ ମାସରେ ଏଇ ଭୁବନେଶ୍ୱରରେ ତାର ଦେହାନ୍ତ ହୋଇ ଗଲା । ତାର ସମସ୍ତ କ୍ରିୟା କର୍ମ କୁ ପୁରୀ ର ସ୍ୱର୍ଗ ଦ୍ୱାରରେ କରା ହେଲା । ପୁଣି ଭୁବନେଶ୍ୱରରେ ବାର ଭାତ କରା ହେଲା ଏଇ ଦୁଇ ଦିନ ତଳେ । ଏ କଥା ଶୁଣି ମତେ ବହୁତ ଖରାପ ଲାଗିଲା । କ୍ଷୀର କଥା ମାନେ ପଡିଲା କାରଣ ସେ ମୋର ପିଲା ଦିନର ସାଙ୍ଗ । କ୍ଷୀର ଟା ପିଲା ଦିନରୁ ଟିକିଏ ଅ।ଡ଼ବାୟା ଭଳି ଥିଲା, ଏତେ ଭଲ ବି ପଢୁ ନ ଥିଲା । ତାର ସନ୍ତୋଷ ଭାଇ ବହୁତ ଭଲ ପଢୁ ଥିଲେ । ଶୁଣିଲି ସେ ଏବେ ରିଟାୟାର କଲା ପରେ ଦିଲ୍ଲୀ ରେ ଅଛନ୍ତି ଆଉ ଆସିଥିଲେ ଭୁବନେଶ୍ୱରକୁ କ୍ଷୀର ର ଶୁଦ୍ଧି କାର୍ଯ୍ୟରେ ଯୋଗ ଦେବା ପାଇଁ ।

କ୍ଷୀର ଯଦିଓ ଭଲ ପଢୁ ନ ଥିଲା କିନ୍ତୁ ବନ ବିହାରୀ ମଉସା ଚେଷ୍ଟା ଯତ୍ନ କରି ତାକୁ ଟିସ୍କୋରେ ଚାକିରୀ କରାଇ ଦେଇ ଥିଲେ । ସେ ଜାମସେଦପୁରରେ ଘର ଖଣ୍ଡିଏ ମଧ୍ୟ ତୋଳି ଥିଲା । ତାର ଗୋଟିଏ ବୋଲି ଝିଅ ଥିଲା । ତା ସହିତ ମୋର ବହୁଦିନ ତଳେ ଦେଖା ହୋଇଥିଲା ଜାମସେଦପୁରରେ । ତା ସ୍ତ୍ରୀ ର ସ୍ୱାସ୍ଥ୍ୟ ମଧ୍ୟ ଭଲ ରହୁ ନ ଥିଲା । କ୍ଷୀରର ମଧ୍ୟ ହାର୍ଟ ପ୍ରୋବ୍ଲେମ ବାହାରି ଥିଲା ଆଉ ସେ ସ୍ପେସ ମେକର ଲଗାଇ ଥିଲା ।

ମାମିନା ଠାରୁ ଜଣ ପଡିଲା ଯେ କ୍ଷୀରର ସ୍ତ୍ରୀ ମଧ୍ୟ ଦଶ ମାସ ପୂର୍ବରୁ ମରି ଗଲାଣି ବୋଲି । କ୍ଷୀର ଆଉ କିଛି ଦିନ ବଞ୍ଚିଥାନ୍ତା, ଅସଲରେ ଏମାନେ କ୍ଷୀର ଜାମସେଦପୁରରେ ଏକା ହେଉଛି ବୋଲି ତାକୁ ତାକୁ ଏ ଭୁବନେଶ୍ୱର କୁ ଆଣି ରଖିଥିଲେ । ଏଠି ଖିରକୁ ଜମାରୁ ଭଲ ଲାଗିଲା ନାହିଁ । ସେ ଖାଲି ନିଜ ଘର ଆଉ ନିଜ ଝିଅ କୁ ଝୁରି ଝୁରି ମରିଗଲା ।

ମୁଁ ମାମିନା ଠାରୁ ଏ ସବୁ କଥା ଶୁଣିଲି ଆଉ ମତେ ଖରାପ ଲାଗିଲା । ଆଉ କିଛି ସମୟ କଥା ବାର୍ତ୍ତା କରି ମୁଁ ଆଉ ଗୀତା ବାହାରି ଆସିଲୁ । ଅନ୍ୟ ଦିନ ମାନଙ୍କରେ ମାମିନା ଆମ ମାନଙ୍କୁ ଟିକିଏ ବଳାଇ ଦେବାକୁ ଆସେ, ଆଜି କିନ୍ତୁ ଏରୁଣ୍ଡିବନ୍ଧ ପାଖରୁ କହିଲା “ଭାଇନା ଆଉ ନାନୀ ମୁଁ ଏଇଠି ରହିଲି” ବୋଲି କହି ସେ ରହିଗଲା । ଆମେଚୁପ କରି ଫେରୁ ଥିଲୁ । ଗୀତା ଚୁପ ଥିଲେ । ସେ କଣ ଭାବୁ ଥିଲେ ମୁଁ ଜାଣେ ନାହିଁ କିନ୍ତୁ ମୁଁ ମନେ ମନେ ଭାବୁ ଥିଲି ଆଉ ଏ ମାମିନା ଘରକୁ ଭବିଷ୍ୟତରେ ଆସିବି ନାହିଁ ।

ଲୋକପ୍ରିୟ ଲେଖା

To Top