ଗଳ୍ପ

ମଧୁଛନ୍ଦାର ମଧୁରାତି

Matrudatta Mohanty's odia story Madhuchhandaara Madhurati

ତୁମ କଥା ମୋତେ କାହାଣୀ ପରି ଲାଗୁଛି । ସତରେ କ’ଣ ଏମିତି ହୋଇପାରେ, ଯାହା କାନ ଉଠିଲା ଦିନରୁ ଶୁଣିନି କେବେ ତାହା ଘଟିବାକୁ ଯାଉଛି?

ମଧୁଛନ୍ଦାର ମଧୁରାତି

ଘର କୋଣରେ ଦିକିଦିକି ହୋଇ ଜଳୁଛି ଦୀପ । ଘରଟା ସାରା ଗୋଟେ ଭିନ୍ନ ବାସ୍ନା । ବିଭିନ୍ନ ବାସ୍ନାର ଗୋଟେ ମିଶାମିଶି ବାସ୍ନା । ମିଠାମିଠା ବାସ୍ନା । ଭାରି ମିଠା । ମଧୁରାତିର ବାସ୍ନା ପରି । ସଜ ରଜନୀଗନ୍ଧାର ଲମ୍ବା ଲମ୍ବା ହାର ଲମ୍ବି ଆସିଛି ଖଟବାଡ଼ାରୁ ତଳକୁ । କୋଠରି ସାରା ରକ୍ତ ଗୋଲାପର କୋଳାହଳ । ଗୋଲାପ ସହିତ କଣ୍ଟା ଅଛି ଜାଣି ତଥାପି ତାକୁ ଆପଣେଇ ନେବାରେ କେବେ କୁଣ୍ଠା ପ୍ରକାଶ କରେନି ମଣିଷ । ସେଇଥିପାଇଁ ସୁଖରେ ଦୁଃଖରେ ସବୁଆଡ଼େ ଛାଇ ପରି ରହିଥାଏ ଗୋଲାପ । ଖଟ ସାମନାରେ ଥିବା ଡ୍ରେସିଙ୍ଗ୍ ଟେବୁଲର କାଚରେ ଦୀପଆଲୁଅର ପ୍ରତିବିମ୍ବ ଘରଟାର ଝାପ୍ସା ଅନ୍ଧାରୁଆ ଅଞ୍ଚଳକୁ ଆଲୋକିତ କରିବାରେ ସଫଳ ହେଉଥାଏ । ଟି-ପଏ ଉପରେ କାଚ ଗ୍ଲାସ୍ ଭର୍ତ୍ତି ପାଣି । ପାଖରେ ପୋଡ଼ା ନଡ଼ିଆ ଫାଳେ । କାଚ ପ୍ଲେଟ୍‌ରେ ଲବଙ୍ଗ ଦିଆ ଦୁଇଖଣ୍ଡ ପାନ । ଆଉ କିଛି ଗୁଜୁରାତି ମଞ୍ଜି । ଖଟ ଉପରେ ଠିକ୍ ମଝିଆ ମଝି ବସିଥାନ୍ତି ମଧୁଛନ୍ଦା । ଅପେକ୍ଷା କରିଥାନ୍ତି ଯିଏ କି ତାଙ୍କ କୁଆଁରୀ ଦେହରେ ଆପଣାର ସ୍ପର୍ଶ ଛାଡ଼ିଯିବା ପରେ ସେ ପାଷାଣୀରୁ ପାଲଟିଯିବେ ଅହଲ୍ୟା । ସେ ତାଙ୍କ ସ୍ୱପ୍ନର ପୁରୁଷ । ମନର ମଣିଷ । ତିନି ଦିନ ତଳେ ଅଗ୍ନିକୁ ସାକ୍ଷୀରଖି ଯାହାର ହାତ ଧରିଥିଲେ ସେ; ଯେ ସମାଜ ଆଗରେ ତାଙ୍କ ମଥାରେ ସିନ୍ଦୂର ପିନ୍ଧାଇଥିଲେ । ଗଳାରେ ମଙ୍ଗଳସୁତ୍ର ପିନ୍ଧାଇ ନିଜର କରି ନେଇଥିଲେ । ହଁ ତାଙ୍କୁ ହିଁ ଅପେକ୍ଷା କରିଥିଲେ ମଧୁଛନ୍ଦା । କାନ୍ଥରେ ଝୁଲୁଥିବା ଘଣ୍ଟାରେ ଏବେ ସମୟ ଦଶଟା ତିରିଶ । ମନରେ ବୋଝ ବୋଝ ଭୟ ପୁଣି ଅସରନ୍ତି ଉତ୍କଣ୍ଠା । ହୃଦୟର ସ୍ପନ୍ଦନ ବଢିବାରେ ଲାଗିଛି । ଆଉ କିଛି ସମୟ ପରର କଥା ଚିନ୍ତା କରି ମଧୁଛନ୍ଦାଙ୍କ ଦେହ ଝାଳେଇ ଯାଉଛି । ପୂର୍ବରୁ ସାଙ୍ଗସାଥୀ ଭାଉଜ ଭଉଣୀ ଶିଖାଇଥିବା ସବୁ ସୂତ୍ର ଓ ମନ୍ତ୍ର ପାସୋରି ପକାଇଛନ୍ତି ସେ । ଜଣେ ଅପରିଚିତ ମଣିଷ ପାଖରେ ନିସେଙ୍କାଚ ହୋଇ ନିଜକୁ ସମର୍ପି ଦେବାର କଳା କୌଶଳ ତାଙ୍କର କାହିଁ ମନେ ପଡୁନି । ସେ ପୁରୁଣା ପାଠର ଆଲୋଚନା ପାଇଁ ଏବେ ହୁଏତ ଆଉ ସମୟ ନାହିଁ । ଏବେ ସତ୍ୟକୁ ସାମନା କରିବାର ବେଳ । ଏବେ ନିଜକୁ ପରଖିବାର ବେଳ ନୁହେଁ ବରଂ ଏବେ ପରୀକ୍ଷାର ବେଳ । ନିରବରେ ଖଟ ଉପରେ ନିଜକୁ ସଜେଇ କବାଟ ଆଡେ କାନ ଡେରିଥାନ୍ତି ମଧୁଛନ୍ଦା । କେତେବେଳେ ସେହି ପ୍ରତୀକ୍ଷିତ ମଣିଷ ଜଣକ ତାଙ୍କ ଆପଣା ପୃଥିବୀରେ ପାଦ ଦେବେ ସେହି ମୁହୂର୍ତ୍ତକୁ ଚାହିଁ ରହିଥାନ୍ତି ସେ ।

ୟା ଭିତରେ ଘଣ୍ଟାର କଣ୍ଟା ଚୁପ୍‌ଚାପ୍ ଆଗକୁ ଆଗକୁ ଖସି ଚାଲିଥାଏ । ଘଣ୍ଟାରେ ଏବେ ଦଶଟା ପଇଁଚାଳିଶି । ବେଶ୍ କିଛି ସମୟ ଧରି ଗୋଟିଏ ଭଙ୍ଗିରେ ନିର୍ଜୀବ କଣ୍ଢେଇ ପରି ବସି ରହିବା ପରେ ନିର୍ଦ୍ଧିଷ୍ଟ ମୁଦ୍ରା ଭାଙ୍ଗି ହାତ ଗୋଡ ମୁକ୍ତ କରି ନେଲେ । ଖୁବ୍ କମ ସମୟର ବ୍ୟବଧାନ ପରେ ପୁଣିଥରେ ଫେରି ଆସିଲେ ପୂର୍ବ ଅବସ୍ଥାକୁ । ଅଇନାରେ ନିଜ ମୁହଁର ମେକଅପ୍ ଦେଖିବା ପାଇଁ ବି ଉଠି ପାରୁ ନଥିଲେ ସେ । ଏମିତି ସାମାନ୍ୟ ଅନ୍ୟମନସ୍କ ହୋଇ ପଡିଥିବା ବେଳେ କବାଟ ଖୋଲି ଭିତରକୁ ପଶି ଆସିଲେ ମହେଶ । ମୁହଁ ପୋତି ବସିରହିଥିଲେ ମଧୁଛନ୍ଦା । ନିଜକୁ ଆହୁରି ସଙ୍କୁଚିତ କରିନେଲେ ସେ । ୟା’ ପରେ କଣ ହେବ ଭାବି ସେ ବ୍ୟସ୍ତ ହୋଇ ପଡୁଥିଲେ । ଖଟ ଉପରେ ବସି ପଡ଼ିଲେ ମହେଶ । ପ୍ରଥମେ ଫୁଲମାନଙ୍କ ପ୍ରଶଂସା କରୁକରୁ ବେଶ୍ କିଛି କହିଗଲେ । ପରେ ନବବଧୂ ମଧୁଛନ୍ଦାର ହାତ ଉପରେ ହାତ ରଖି ମୁହଁରୁ ଓଢଣା କାଢିବା ପାଇଁ ଅନୁରୋଧ କଲେ । ମଧୁଛନ୍ଦା ବୁଝି ପାରୁ ନଥିଲେ ସେ କେମିତି ନିର୍ଲଜ ପରି ଏ ସବୁ କରିବେ ଯେ । ଯାହା ଜଣେ ପୁରୁଷ କରିବା ଦରକାର । ମହେଶ କ’ଣ ଏତିକି ବୁଝି ପାରୁ ନାହାନ୍ତି । ଏମିତି ଭାବନାରେ ଥିବାବେଳେ ନିରବତା ଭାଙ୍ଗି ମହେଶ କହିଲେ ଠିକ୍ ଅଛି । ତମ କାମ ମୁଁ କରିଦଉଛି ।

ନିଜ ଜୀବନସାଥୀର ମୁହଁ ଦେଖିବା ପାଇଁ ତାଙ୍କ ଭିତରେ ଖୁନ୍ଦି ହୋଇଥିଲା ସୀମାହୀନ ବ୍ୟଗ୍ରତା । ଧୀରେ ଧୀରେ ମଧୁଛନ୍ଦାଙ୍କ ମୁହଁରୁ ଲାଲ୍ ଓଢଣୀର କିଛି ଅଂଶ ଆଡେଇ ଦେଲେ ମହେଶ ।

ସତରେ କିଛି ସମୟ ପୂର୍ବରୁ ଭାଉଜ ଯାହା କହୁଥିଲେ ତାହା ସମ୍ପୂର୍ଣ୍ଣ ଠିକ୍ ।

ଭାଉଜ କ’ଣ କହୁଥିଲେ ବୋଲି ପଚାରିବାର ଅବକାଶ ନଥିଲା ମଧୁଛନ୍ଦାଙ୍କ ପାଇଁ । ମହେଶ ତାଙ୍କଆଡୁ ପ୍ରଶ୍ନ କଲେ ଜାଣିବାକୁ ଚାହିଁବନି ଭାଉଜ କ’ଣ କହୁଥିଲେ । ଭାଉଜ କହୁଥିଲେ ମଧୁ ଆଜି ବହୁତ ସୁନ୍ଦର ଦିଶୁଛି । ବିଲକୁଲ ପରୀଟିଏ ପରି । ସତରେ ମଧୁ ତମେ ଆଜି ବହୁତ ସୁନ୍ଦର ଦିଶୁଛ । ତମ ଘରେ ସେଦିନ ସନ୍ଧ୍ୟାରେ ଯେମିତି ଦେଖିଥିଲି, ତାଠାରୁ ଲକ୍ଷେଗୁଣ ଅଧିକ ସୁନ୍ଦର । ଏବେ ତ କିଛି କୁହ? ନିରବତା ଭାଙ୍ଗ ।

କ’ଣ କହିବି ଯେ ।

ମଧୁଛନ୍ଦାଙ୍କର ପଦିଏ କଥାରେ ଏକ କ୍ଷୀଣ ଅଥଚ ବକ୍ର ହସଟିଏ ଖେଳିଗଲା ମହେଶଙ୍କ ଓଠ କୋଣରେ ।

ବହୁତ କିଛି ଅଛି କହିବାକୁ । ଆଜି କହିବା ଆଉ ଶୁଣିବାର ରାତି । ଏ ହେଉଛି ସାରା ଜୀବନ ଚାଲିବା ପାଇଁ ଶପଥ କରିବାର ରାତି । କେତେ ମିଠା ଏଇ ରାତି । ସତରେ ଆଜି ରାତି ଏମିତି ଅଟକି ଯାଆନ୍ତାନି ତୁମ ମୋ ପାଖରେ । ଉଭୟଙ୍କ ମଝିରେ ଥିବା ଦୂରତାକୁ ମହେଶ ଅତିକ୍ରମ କରନ୍ତୁ ବୋଲି ଚାହୁଁଥିଲେ ମଧୁଛନ୍ଦା । କଥା କହୁ କହୁ ମହେଶ ଆଉ ଟିକେ ପାଖକୁ ଲାଗି ଆସିଲେ । ମଧୁଛନ୍ଦାଙ୍କର ଉଭୟ ହାତ ପାପୁଲିରେ ଚୁମାଟିଏ ଦେଇ ତାଙ୍କ ଓଠକୁ ଆଙ୍ଗୁଠିରେ ଟେକି ମୁହଁକୁ ନିରୀକ୍ଷଣ କଲେ । ଏଇ ମୋ ଆଡେ ଟିକେ ଚାହଁ । ଆଉ କେତେ ସମୟ ଏମିତି ନିରବରେ ବସି ରହିବ । କିଛି କହୁନା କାହିଁକି? ମହେଶଙ୍କ କଥା ମଝିରେ ତାଙ୍କ କାନ୍ଧ ଉପରକୁ ଆଉଜି ପଡିଲେ ମଧୁଛନ୍ଦା ।

ଚୁପ୍ ଚୁପ୍ କହିଲେ ମୁଁ କ’ଣ କହିବି, ଆଉ ତୁମେ କ’ଣ ଶୁଣିବ?

ଯାହା ଇଚ୍ଛା କୁହ । ଆଜି ମୁଁ ତୁମର ସବୁ କଥା ଶୁଣିବି ।

ହଉ, ଆଗ ବାକି ରହିଥିବା ପରମ୍ପରାକୁ ଶେଷ କର । ସେଠି ଟି-ପଏ ଉପରେ କେତେ କ’ଣ ରଖା ଯାଇଛି । ସିଆଡେ ଟିକେ ଚାହଁ ।

ମହେଶ ଖଟ ଉପରୁ ଉଠିଗଲେ । ପାଟିରେ ଚେନାଏ ପୋଡ଼ା ନଡ଼ିଆ ରଖି ଫେରି ଆସିଲେ । ନିଅ ଏଥିରୁ ତୁମେ ଟିକେ ନିଅ । ବାସ୍ ମନ ଖୁସି ତ । ମଧୁଛନ୍ଦାଙ୍କ ଭିତରେ ଜମାଟ ବାନ୍ଧିଥିବା ଭୟ ଏବେ ସାମାନ୍ୟ ତରଳିବା ଆରମ୍ଭ କରିଦେଇଥିଲା । ତାଙ୍କ ନାକ ଅଗରେ ବିନ୍ଦୁ ବିନ୍ଦୁ ଝାଳ ଜକେଇ ଆସି ବଡ ଅଡୁଆ କରି ପକାଉଥିଲା । ଧୀରେ ଧୀରେ ନିଶ୍ୱାସର ଗତି ବଢୁଥିଲା । ମଧୁଛନ୍ଦାଙ୍କର ଗୋରା ଗୋରା ହାତରେ ବିଛେଇ ହୋଇ ପଡ଼ିଥିବା ମେହେନ୍ଦିର ଫୁଲମାନେ ଗୋଲାପ ଓ ରଜନୀଗନ୍ଧାଙ୍କ ଭିଡ଼ରେ ନିଜ ରୂପ ରଙ୍ଗକୁ ବେଶ୍ ସ୍ପଷ୍ଟ ଭାବେ ପ୍ରମାଣ କରିବାରେ ସକ୍ଷମ ହେଉଥିଲେ । ଦେହରେ ଲଟକି ଥିବା ବୋଝ ବୋଝ ସୁନା ଗହଣା ମଧୁଛନ୍ଦାଙ୍କ ସୌନ୍ଦର୍ଯ୍ୟକୁ ସ୍ୱୀକୃତି ଦେଉଥିଲେ । ଆଖିପତା ଉଠାଇ ଚାହିଁଲେ ଅସରନ୍ତି ସ୍ୱପ୍ନମାନେ ଏଣେ ତେଣେ ବିଞ୍ଚି ହୋଇଯିବାର ଆଶଙ୍କା ତାଙ୍କୁ ଆଚ୍ଛନ୍ନ କରି ରଖିଥିଲା । ତଥାପି ଆଜି ନାରୀଧର୍ମ ପାଳନ କରିବାକୁ ହେବ । ସେହି ଅପରିଚିତଙ୍କ ପାଖରେ ଖୋଲି ଦେବାକୁ ହେବ ନିଜର ସବୁ ପରିଚୟ । ସମସ୍ତ ଗୁମର ।

ପ୍ରତିଟି ମଣିଷ ଜୀବନରେ କେବେ ନା କେବେ ଆସେ ଏ ରାତି । ଯାହା ପରଦିନ ସକାଳଠାରୁ ହିଁ ପାଲଟି ଯାଏ ଏକ ସୁନାରଙ୍ଗର ସୁନ୍ଦରୀ ସ୍ମୃତିଟିଏ । ତାକୁ ସୁନା ଫରୁଆରେ ସାଇତି ରଖିବାକୁ ହୁଏ । ଛାତି ଭିତରେ ଯେଉଁଠି ସବୁଠୁ ସୁରକ୍ଷିତ ଅଥଚ ସମ୍ବେଦନଶୀଳ ସ୍ଥାନ ବୋଲି ବିବେଚନା କରାଯାଏ, ସେଠି ହୀରା ଖଚିତ ସିଂହାସନରେ ବସେଇବାକୁ ହୁଏ । କାରଣ ଏଇ ମଧୁରସ୍ମୃତି ଟିକକ ହିଁ ତ ସାରା ଜୀବନ ଏକାଠି ଚାଲିବା ପାଇଁ ପ୍ରେରଣା ଯୋଗାଏ । ମଧୁଛନ୍ଦା ଗୋଲାପର ଗୋଟିଏ ପାଖୁଡାକୁ ଆଙ୍ଗୁଠି ମଝିରେ ରଖି ଏପାଖ ସେପାଖ କରିବାରେ ଲାଗି ଥାଆନ୍ତି । ମହେଶ ସେହି ଗୋଲାପ ପାଖୁଡାଟିକୁ ତାଙ୍କ ହାତରୁ ଛଡେଇ ନେଇ ଗୋଟେ ଗୋଲାପ କଢିଟିଏ ଧରେଇ ଦେଲେ ।

ଗୋଟେ ଗୋଲାପ ପାଇଁ ଏ ସୁନ୍ଦର ଗୋଲାପ କଢ଼ିଟିଏ । କ’ଣ ଭାବୁଛ ? କାହିଁକି ଅନ୍ୟମନସ୍କ ରହୁଛ ? କ’ଣ ମୋ ଉପରେ ରାଗିଛ ? ତେବେ କଥା କହୁନ କାହିଁକି ?

– ତମେ କୁହ । ମୁଁ ତ ଶୁଣୁଛି । ମଧୁଛନ୍ଦାଙ୍କ ମୁହଁରୁ ଏମିତି କିଛି ଅନାବନା ଅର୍ଥହୀନ କଥାକୁ ବି ଉପଭୋଗ କରୁଥିଲେ ମହେଶ । ମଧୁଛନ୍ଦାଙ୍କ କପାଳ ଉପରକୁ ଝୁଲି ପଡିଥିବା ଚୁଟି କେରାଏ ଆଙ୍ଗୁଠିରେ ସାଉଁଟି ନେଉ ନେଉ ମହେଶ ସେଠି ଚୁମାଟିଏ ଆଙ୍କିଦେଲେ । ପ୍ରତିବଦଳରେ ସେ ଆଶା କରୁଥିବା ଜିନିଷଟି କିନ୍ତୁ ପାଇଲେ ନାହିଁ । ମଧୁଛନ୍ଦା ମହେଶଙ୍କ ହାତ ପାପୁଲି ଉପରେ ନିଜ ପାପୁଲି ରଖି କହିଲେ- ମୋ ବିଷୟରେ କିଛି ଜାଣିବା ପାଇଁ ଚାହିଁବନି?

ତମ ବିଷୟରେ । ନା । ତମ ବିଷୟରେ ମୋର ଆଉ କିଛି ଜାଣିବାର ନାହିଁ । ବିଭାଘର ଆଗରୁ ତୁମ ପରିବାରଠାରୁ ତୁମ ବିଷୟରେ ଟିକିନିଖି ବୁଝିଛନ୍ତି ମୋର ପରିବାର ଲୋକେ । ଆଉ ଅଧିକ କ’ଣ ଜାଣିବାକୁ ଚାହିଁବି ଯେ ତୁମ ପରି ଜଣେ ଲକ୍ଷ୍ମୀପ୍ରତିମା ବିଷୟରେ ।

ମଧୁଛନ୍ଦା ଢଳି ପଡ଼ିଲେ ମହେଶଙ୍କ ଛାତି ଉପରକୁ । ସେ ତାଙ୍କୁ ଆଉଜେଇ ନେଲେ ନିଜ ଆଡକୁ ।

ସତରେ ମଧୁ ତୁମକୁ ପାଇ ମୁଁ ବହୁତ ଖୁସି । ଜୀବନସାଥୀ କରିବା ପାଇଁ ମୁଁ ମନେ ମନେ ଯେମିତି ଝିଅ ଖୋଜୁଥିଲି ତମେ ଠିକ୍ ସେମିତି; ବରଂ କହିବି ତମେ ତାଠାରୁ ଲକ୍ଷେଗୁଣରେ ଅଧିକ । ଆଖିରେ କେବେ ଉଙ୍କି ମାରିଥିବା ସ୍ୱପ୍ନରସୁନ୍ଦରୀ ହେଉଛ ତମେ । ତମ ପରି ଝିଅକୁ ପତ୍ନୀ ଭାବେ ପାଇବା ପରେ ଜୀବନର ସବୁ ଦୁଃଖକୁ ଅତିକ୍ରମ କରିବା ପୁଣି ସୁଖ ସବୁକୁ ସାଉଁଟି ନେବାରେ ସାମାନ୍ୟ ଅସୁବିଧା ହେବନି ।

ଧୀରେ ଧୀରେ ରାତି ବଢୁଥିଲା । ତା ସହିତ ତାଳ ଦେଇ ବଢି ଚାଲିଥିଲା ମଧୁଶଯ୍ୟାର ତାତି । ସଂଧ୍ୟାରୁ ଏହି ମୁହୂର୍ତ୍ତକୁ ଅପେକ୍ଷା କରି କରି ଥକି ପଡିଥିବା ରଜନୀଗନ୍ଧାର ଛାତିରେ ବେଳକୁ ବେଳ ବାସ୍ନା ସବୁ ଖୁନ୍ଦି ହେବାରେ ଲାଗିଥିଲେ । ଲାଲ ଗୋଲାପର ପାଖୁଡା ସବୁ ସତେଜ ହୋଇ ଉଠୁଥିଲେ । ଦେହ-ମନ-ପ୍ରାଣରେ ଏକାକାର ହୋଇ ଯିବାକୁ ଥିବା ଦୁଇ ଅପରିଚିତଙ୍କ ମିଳନ ମୁହୂର୍ତ୍ତ ପାଖେଇ ଆସୁଥିବାବେଳେ ଏହାର ପ୍ରଭାବ ବୋଧହୁଏ ଫୁଲମାନଙ୍କ ଉପରେ ପଡ଼ୁଥିଲା । ସେଇଥି ପାଇଁ ସାରା ଘରଟାରେ ଏକ ଭିନ୍ନ ସତେଜତା ଘୂରି ବୁଲୁଥିଲା । ସବୁକିଛି ସୁନ୍ଦର ଦିଶୁଥିଲା । ବିଲକୁଲ ସୁନ୍ଦରୀ ମଧୁଛନ୍ଦା ପରି । ମଧୁଛନ୍ଦାଙ୍କ କପାଳରେ ନିଜ ଆଙ୍ଗୁଠିକୁ ସାଉଁଳେଇବାରେ ଲାଗିଥିଲେ ମହେଶ । ହାତରେ ହାତଛନ୍ଦି ଉଭୟ ପଥରମୂର୍ତ୍ତି ପରି ସ୍ଥିର ପାଲଟି ଯାଇଥିଲେ । ମଧୁଛନ୍ଦାଙ୍କ ମାର୍ବଲ ପରି ଦେହକୁ ସ୍ପର୍ଶ କରିବା ପରେ ମହେଶଙ୍କ ଭିତରେ ଏକ ଭିନ୍ନ ଉନ୍ମାଦନା ଖେଳି ବୁଲୁଥିଲା । ତାଙ୍କ ଦେହର ବାସ୍ନାରେ ବିଭୋର ହୋଇ ଉଠୁଥିଲା ଅନ୍ଧାର ରାତିର ଗଭୀରତା । ଶୂନ୍ୟରୁ କେହି ଜଣେ ଆହ୍ୱାନ କରୁଥିଲା ସେହି ଧୋବ ଫରଫର ଦେହରେ ଲେଖିଦେବା ପାଇଁ କବିତାର ପଂକ୍ତି ସବୁ । ବେଳକୁ ବେଳ ମହେଶ ଅସହାୟ ହୋଇ ପଡୁଥିଲେ । ନିଜ ଉପରୁ ନିଜର ନିୟନ୍ତ୍ରଣ ହରାଉଥିଲେ ସେ । ଅତିକ୍ରାନ୍ତ ହେଉଥିଲା ଦୁଷ୍ଟ ସମୟ । ଅନ୍ୟମନସ୍କ ହୋଇ ପଡୁଥିଲେ ମହେଶ । ମଧୁଛନ୍ଦାଙ୍କ ନିରବତା ତାଙ୍କୁ ଇସରା ଦେଉଥିଲା ସେ ନିଶବ୍ଦ ଓଠରୁ ମଧୁ ସାଉଁଟି ନେବା ପାଇଁ ।

ନିଷ୍ଠୁର ନିରବତାର ମୁଠା ଭିତରୁ ମୁକୁଳି ଆସି ମଧୁଛନ୍ଦା ପ୍ରଶ୍ନ କଲେ କଣ ଚୁପ୍ ହୋଇ ପଡିଲ ଯେ । ଉଁ, କ’ଣ ଭାବୁଚ?

ନା, କିଛି ଭାବୁନି । ଭାବୁଛି ଏଇ ମୁହୂର୍ତ୍ତ କଥା । ଯାହା କାଲି ସକାଳକୁ ପାଲଟି ଯାଇଥିବ ସ୍ମୃତି । ଏବେ ଲାଇଟ୍ ଅଫ୍ କରିବା? ମହେଶଙ୍କ ପ୍ରଶ୍ନରେ ଅପ୍ରସ୍ତୁତ ହୋଇ ପଡିଲେ ମଧୁଛନ୍ଦା ।

ଉଁ ହୁଁ । ମୋତ ନିଦ ଆସୁନି । ତମ ସହିତ ମୋର ବହୁତ କିଛି କଥା ଅଛି ।

ମୁଁ କିନ୍ତୁ କିଛି ଶୁଣିବା ଅବସ୍ଥାରେ ନାହିଁ ମଧୁ । କେବଳ ଅପେକ୍ଷା କରିଛି ତୁମ ଇସରାକୁ ।

ଦେଖ ମହେଶ ଜୀବନରେ ବହୁତ ରାତି ଆସିବ ।

ଭୁଲ କହିଲ ଏ ରାତି କେବେ ଆସିବନି ।

କିନ୍ତୁ ଏ ରାତିକୁ ଉପଭୋଗ କରିବାର ପାଗଳାମିରେ ତୁମର ଅନ୍ୟ ରାତି ସବୁ ଯେମିତି ଚିର ଅନ୍ଧାର ପାଲଟି ନ ଯାଏ ମହେଶ ।

ମାନେ କ’ଣ କହୁଛ ତୁମେ ମୁଁ କିଛି ବୁଝି ପାରୁୂନି ।

ନିଜକୁ ମହେଶଙ୍କ ଛାତି ଉପରୁ ତୋଳି ନେଇ କାନ୍ଥ ଆଡକୁ ଆଉଜି ଗଲେ ମଧୁଛନ୍ଦା । ମୋର ତୁମକୁ କିଛି କହିବାର ଅଛି ମହେଶ । ଜାଣେନା ତୁମେ ୟା ପରେ ମୋ ବିଷୟରେ କଣ ନିଷ୍ପତ୍ତି ନେବ ।

ନିଜ ନବବଧୂ ମୁହଁରୁ ଏ ପରି ନିଷ୍ଠୁର ସତ୍ୟପାଠ ଶୁଣି ସାମାନ୍ୟ ବିଚଳିତ ହୋଇ ପଡିଲେ ମହେଶ । ତାଙ୍କ କପାଳରେ ବିନ୍ଦୁ ବିନ୍ଦୁ ଝାଳ ଜକେଇ ଆସି ମିଳେଇ ଗଲା । ସେ ସାହାସ ସଞ୍ଚୟ କଲେ । ନିଜକୁ ପ୍ରସ୍ତୁତ କଲେ କିଛି ଶୁଣିବା ପାଇଁ ।

ତୁମେ ଏ କ’ଣ କହୁଛ ମଧୁ । ମୋତେ ଏମିତି ଥଟ୍ଟା ଆଦୌ ଭଲ ଲାଗେନା । ତମେ ଏବେଠୁ ମୋ ସାଙ୍ଗରେ ଦୁଷ୍ଟାମି କରିବା ଆରମ୍ଭ କଲଣି ।

ନା, ମହେଶ ମୁଁ ଥଟ୍ଟା କରୁନି । ତୁମକୁ ମୁଁ କିଛି କହିବା ପାଇଁ ଚାହୁଁଛି । ମୋ ଭିତରେ ମୁହଁ ମାଡି ପଡିଥିବା ଅନେକ ରହସ୍ୟ ସବୁ ପଥର ପାଲଟିଯିବା ବଦଳରେ ଏବେ ଜ୍ୱାଳାମୁଖୀରେ ପରିଣତ ହୋଇଛନ୍ତି । ମୋ ଭିତରୁ ବାହାରି ଆସିବା ପାଇଁ ଖାଲି ଯାହା ବାଟ ଖୋଜୁଛନ୍ତି । ଯଦି ବାହାରି ଆସିଲେ ତେବେ ମୋର ଭବିଷ୍ୟତ କ’ଣ ହେବ ଜାଣେନା । ଆଉ ଯଦି ସେ ଉତ୍ତପ୍ତ ଲାଭା ମୋ ଭିତରେ ରହି ଫୁଟିବା ଆରମ୍ଭ କରେ ତେବେ ମୋ ମୃତ୍ୟୁ ନିଶ୍ଚିତ । ତୁମେ ହିଁ ମୋତେ ସେଥିରୁ ମୁକ୍ତି ଦେଇ ପାରିବ । ତୁମେ ହିଁ ମୋର ମୁକ୍ତିଦାତା ମହେଶ । ମଧୁଛନ୍ଦାଙ୍କ କଣ୍ଠରେ କୋହମାନଙ୍କ କୋଳାହଳ ବେଶ୍ ବାରି ହୋଇ ପଡୁଥିଲା । ତାଙ୍କ ଆଖିରେ ଏକ ଅଜଣା ଆତଙ୍କର ଛାଇ । ତଥାପି ସତ୍ୟର ସାମନା ତ କରିବାକୁ ହେବ । ଆଜି ନହେଲେ କାଲି । ତେବେ ଆଜ କାହିଁକି ନୁହେଁ ।

ଈଶ୍ୱରଙ୍କର ସର୍ବୋତ୍ତମ ଏବଂ ରହସ୍ୟମୟ ସୃଷ୍ଟି ହେଉଛି ନାରୀ । ନିଜ ଭିତରେ ସେ ସବୁ କିଛି ଲୁଚାଇ ରଖିପାରେ । ତା’ କୋଳାହଳରେ ଯେମିତି ଥାଏ କୁହୁକ ତା ନିରବତାରେ ସେମିତି ଲୁଚି ରହିଥାଏ ଅସଂଖ୍ୟ ପ୍ରଶ୍ନ । ନାରି ଅନିଚ୍ଛାରେ ତା’ ହୃଦୟର ପେଡ଼ିରୁ ପାଉଣାକର ଗୁମର କାଢିନେବା ଈଶ୍ୱରଙ୍କ ବି ସାଧ୍ୟ ବାହାରେ । ସେଇଥି ପାଇଁ ତ ନାରୀର ମନ ପୁଣି ତା ଦେହକୁ ବୁଝିବା ଏକବାର ଅସମ୍ଭବ । ହୁଏତ ଏଥିଲାଗି କେହି କେବେ ଉଦ୍ୟମ କରିଥିବ । କିନ୍ତୁ ସବୁ ଉଦ୍ୟମ ଓ ତପସ୍ୟା ଯେ ନିଷ୍ଫଳ ଯାଇଥିବ ଏହା ନିଃସନ୍ଦେହ । ଆଉ ସେହି ରହସ୍ୟକୁ ଅତିକ୍ରମ କରିବାରେ ଯେ ମହେଶ ସଫଳ ହେବେ ତାହା କଳ୍ପନାତୀତ ।

ମଳିନ ଦିଶୁଥିବା ମଧୁଛନ୍ଦାଙ୍କ ମୁହଁକୁ ବଲବଲ କରି ଚାହିଁଥିଲେ ମହେଶ । ଭାବୁଥିଲେ କିଛି କହିବା ପାଇଁ ସେ ତାଙ୍କ ପ୍ରାଣପ୍ରିୟା ପତ୍ନୀକୁ ଅନୁମତି ଦେବେ କି ନାହିଁ । କ’ଣ ସେ କହିବେ । ତାଙ୍କ କଥା ପରେ ସେ ନିଜେ କିଛି କହିବା ପାଇଁ ସାହସ ଓ ଧୈର୍ଯ୍ୟ ଏକତ୍ର କରି ପାରିବେ ତ । ଏମିତି ନାନା ଆଶଙ୍କା ଓ ପ୍ରଶ୍ନର ଜାଲରେ ଛନ୍ଦି ହୋଇ ପଡୁଥିଲେ ମହେଶ ।

ଠିକ୍ ଅଛି ମଧୁ ତୁମେ ଯଦି କିଛି କହିବା ପାଇଁ ଜିଦ୍ଧି କରୁଛ ତେବେ କୁହ । ମୁଁ ତୁମକୁ କାହିଁକି ବା ବାରଣ କରିବି । ମନର କଥା ପ୍ରକାଶ କରିବା ପରେ ହୁଏତ ତୁମେ ହାଲକା ଅନୁଭବ କରିବ । କୁହ କ’ଣ କହିବାକୁ ଚାହଁ ।

ମହେଶଙ୍କ ପାଟିରୁ କଥା ନ ସରୁଣୁ ମଧୁଛନ୍ଦା ପାଖକୁ ଲାଗି ଆସି ସ୍ୱାମୀଙ୍କ ଦୁଇ ପାପୁଲିକୁ ନିଜ ହାତ ମୁଠା ଭିତରେ ଚିପି ଧରିଲେ । ତାଙ୍କ ମୁହଁରେ କେମିତି ଏକ ନିଷ୍ଠୁରତା ଖେଳି ବୁଲୁଥିଲା । ଈଶ୍ୱରଙ୍କ ସାମନାରେ ପାପ ସ୍ୱୀକାର କଲାବେଳେ ପାପୀ ମଣିଷର ଚେହେରା ଯେମିତି ନିର୍ଭୀକ ହୋଇ ପଡିଥାଏ ଠିକ୍ ସେମିତି ଅବସ୍ଥା ସୃଷ୍ଟି ହୋଇଥିଲା ମଧୁଛନ୍ଦାଙ୍କ ଚେହେରାରେ । ଆଖିରେ ସତ୍ୟକୁ ମୁହାଁ ମୁହିଁ ହେବାର ଶକ୍ତି । ଶବ୍ଦରେ ରୁକ୍ଷତା ।

ମୁଁ ଚାହେଁନା ମହେଶ ତମକୁ ଅନ୍ଧାର ଭିତରେ ରଖି ମୋ ବାକିତକ ଜୀବନ ଆଲୋକିତ କରିବା ପାଇଁ । ବେଦି ନିଅାଁକୁ ସାକ୍ଷୀ ରଖି ତୁମ ହାତ ଧରିବା ପରେ ତୁମେ ହେଉଛ ମୋ ଇହକାଳ ପରକାଳର ଦେବତା । ନିଜ ଦେବତାଙ୍କ ଆଗରେ କେହି କଣ କିଛି ଲୁଚାଇପାରେ । ବିଭାଘର ପୂର୍ବରୁ ତୁମ ଆଗରେ ଏ ସବୁ ପ୍ରକାଶ କରିଦେବା ଉଚିତ ଥିଲା । ତେବେ ମୋ ପରିବାରର ରକ୍ଷଣଶୀଳତା ଆଗରେ ସବୁ ଉଚିତ ଅନୁଚିତ ଯେମିତି ପାଣିଫୋଟକା ପରି ମିଳେଇ ଯାଇଥିଲା । ବିଭାଘର ସ୍ଥିର ହେବା ପରଠାରୁ ଆଜି ପର୍ଯ୍ୟନ୍ତ ଯେତିକି ଦିନ ତୁମକୁ ଅନ୍ଧାରରେ ରଖିଛି । ସେ ପାପର ବୋଝରୁ ମୋର ମୁକ୍ତି ଅଛି କି ନାହିଁ ଜାଣେନା । କିନ୍ତୁ ଏବେ ମୁଁ ଆଉ ପାରୁନି ମହେଶ । ଜାଣେନା ତୁମେ ମୋତେ କି ଶାସ୍ତି ଦେବ । ତୁମ ହାତରୁ ମୃତ୍ୟୁ ଦଣ୍ଡରେ ହିଁ ମୋର ପ୍ରାପ୍ୟ । ସେଥିରେ ମୋର ମୁକ୍ତି ଅଛି ।

ଦୀର୍ଘ ସମୟର ନିରବତା ପରେ ମହେଶ ନିଜ ହାତକୁ ମଧୁଛନ୍ଦାଙ୍କ ହାତ ଭିତରୁ ମୁକ୍ତ କରୁ କରୁ କହିଲେ ମୋ ଧୈର୍ଯ୍ୟର ପରୀକ୍ଷା ନିଅନା ମଧୁ । ଈଶ୍ୱର ଜାଣନ୍ତି ତୁମ ମନର କଥା । ତେବେ ମୋତେ କହିବା ପାଇଁ ଯେବେ ଭାବି ସାରିଛ ତେବେ ଆଉ ଡେରି କରନା । ଏଇ କିଛି ସମୟ ଭିତରେ ମୁଁ ବହୁଥର ମରି ସାରିଲିଣି ମୋ ମଧୁଶଯ୍ୟାରେ । ଆଉ ଏ ବିରଳ ମୃତ୍ୟୁ ଦିଅନା ମୋତେ । କୁହ । କଣ କହିବାକୁ ଚାହୁଁଚ ଶୀଘ୍ର କୁହ ମଧୁ !

ତଥାପି ଦିକିଦିକି ହୋଇ ଜଳୁଥିଲା ଦୀପ । ଘିଅ ସାଲୁବାଲୁ ଉଖୁରା ଖଣ୍ଡିକ ନିସ୍ତେଜ ହୋଇ ପଡି ରହିଥିଲା ମାଟି ଦୀପର ଛାତିରେ । ଯଦିଓ କୋଠରୀର ପରିବେଶରେ ଉଷ୍ମତା ଭରି ଯାଇଥିଲା, ତଥାପି ସଜ ଫୁଲ ବାସ୍ନାରେ ଭଟ୍ଟା ପଡି ନଥିଲା ମଧ୍ୟରାତି ଯାଏ । ନିଜ ଓଢଣୀକୁ ଖୋସା ଯାଏ ଖସେଇ ଆଣି ଗୋଲାପି ଓଠ ଉପରେ ପରସ୍ତେ ଜିଭ ବୁଲେଇ ଆଣିଲେ ମଧୁଛନ୍ଦା । ଶୁଣି ପାରିବ ତ । ତେବେ ଶୁଣ, ମୁଁ ମା ହେବାକୁ ଯାଉଛି । ମୋ ଜୀବନର ଏ ହେଉଛି ନିଷ୍ଠୁର ସତ୍ୟ କଥା । ମୋର ଏ ଭୁଲ ପାଇଁ ମୁଁ ମୋ ନିଜକୁ କେବେ କ୍ଷମା କରି ପାରିବିନି କିମ୍ବା ତୁମଠାରୁ କ୍ଷମା ପ୍ରାର୍ଥନା କରିବାର ସାହସ ବି ମୋର ନାହିଁ । ଏବେ ତୁମ ହାତରେ ମୋ ଭାଗ୍ୟ, ଭବିଷ୍ୟତ । ତୁମେ ଆଖି ବନ୍ଦ କରି ଯାହା ଆଦେଶ ଦେବ, ମୁଁ ପାଳନ କରିବାକୁ ପ୍ରସ୍ତୁତ ।

– ମୁଁ ମା ହେବାକୁ ଯାଉଛି ?

ଏହି ଶବ୍ଦ ଉଚ୍ଚାରଣ କରିବା ବେଳକୁ ମହେଶ ପଥର ପାଲଟି ଯାଇଥିଲେ । ତାଙ୍କ ସାରା ଶରୀର ଉତ୍ତେଜନାରେ ଥରିବାକୁ ଲାଗିଲା । ମଧୁଶଯ୍ୟାରେ ବିଛାଡି ହୋଇ ପଡିଥିବା ଗୋଲାପ ଗୁଡ଼ିକ ଛାତିରେ ସତେ ଯେମିତି ହଠାତ୍ କେହି ନିଅାଁ ଲଗେଇ ଦେଲା । ଫୁଲ ଶେଯରେ ହୁତୁହୁତୁ ହୋଇ ଜଳୁଥିଲା ଅବିଶ୍ୱାସର ନିଅାଁ । ତାଙ୍କ ସହିତ ଏତେବଡ ପ୍ରତାରଣା । ଯାହାର ହାତଧରି ନିଜ ଘରକୁ ଆଣିଥିଲେ ତା ଗର୍ଭରେ ବଢୁଛି ଆଉ କାହାର ପିଲା । ଏକଥା ବିଶ୍ୱାସ କରିପାରୁ ନଥିଲେ ମହେଶ । ତାଙ୍କୁ ସବୁଆଡ ଅନ୍ଧାର ଦିଶୁଥିଲା । ନିଜର ଅସହାୟତା ପ୍ରକାଶ କରିବା ପାଇଁ ତାଙ୍କ ପାଖରେ ଶବ୍ଦ ନଥିଲା । ଏବେ ସେ କଣ କରିବେ । କାହାକୁ କହିବେ ଏ କଥା? ନିଜର ଦୁର୍ଭାଗ୍ୟ ପାଇଁ କାହାକୁ ଦାୟୀ କରିବେ, ଗୋଲାପ ତୋଳିବାକୁ ଗଲେ ହାତରେ କଣ୍ଟା ଫୁଟିଯାଏ । ପଦ୍ମର ସୌନ୍ଦର୍ଯ୍ୟରେ ମୋହଗ୍ରସ୍ତ ହୋଇ ତାକୁ ଛୁଇଁବାକୁ ଗଲେ ଭଅଁରର ଦଂଶନ ସହିବାକୁ ହୁଏ । ଏକଥା ସେ ବହିରେ ପଢିଥିଲେ କିନ୍ତୁ ତାଙ୍କ ଜୀବନରେ ଯେ ଏମିତି ଘଟଣା ଘଟିବ ତାହା ଥିଲା ତାଙ୍କ ବିଶ୍ୱାସର ବାହାରେ । ସୁନ୍ଦରୀ ମଧୁଛନ୍ଦାର ଛାତି ଭିତରେ ଯେ ମହଣ ମହଣ ବିଷ ମହଜୁଦ ଅଛି ତାହା ଅବିଶ୍ୱସନୀୟ ମନେ ହେଉଥିଲା । ମଧୁଛନ୍ଦାଙ୍କ ଓଠକୁ ସ୍ପର୍ଶ ମାତ୍ରକେ ପୁରୁଷର ମୃତ୍ୟୁ ନିଶ୍ଚିତ କେହି ଯେମିତି ଏ ସବୁ କହି ଦେଉଥିଲା ମହେଶଙ୍କ କାନ ପାଖରେ ।

ସତ୍ୟ ସ୍ୱୀକାର କରିବା ପରେ ମଧୁଛନ୍ଦାଙ୍କ ଆଖିରୁ ଛୁଟି ଚାଲିଥିଲା ଧାରଧାର ଲୁହ । ସେହି ଲୁହର ସ୍ରୋତରେ ଭିଜୁଥିଲା ତାଙ୍କ ହାତରେ ଚିକ୍ ଚିକ୍ କରୁଥିବା ମେହେନ୍ଦୀ । କିନ୍ତୁ ସେ ଲୁହ ଧୋଇ ପାରୁ ନଥିଲା ତାଙ୍କ ଜୀବନର କାଗଜରେ ଲାଗିଥିବା କଳଙ୍କର ଦାଗକୁ । ତାଙ୍କୁ ଆଶ୍ୱାସନା ଦେବାପାଇଁ ଲମ୍ବି ଆସୁ ନଥିଲା କାହାର ହାତ । ତାଙ୍କୁ ଛାତି ଉପରକୁ ଆଉଜେଇ ନେବା ପାଇଁ କେହି ନଥିଲେ ଏତେ ବଡ଼ ଦୁନିଆରେ ।

ନିଜକୁ ସାମାନ୍ୟ ସଜାଡି ନେଇ ମହେଶ ପ୍ରଶ୍ନକଲେ- କିନ୍ତୁ ମଧୁ ବିଭାଘର ପୂର୍ବରୁ ତୁମେ ମୋତେ ଏ କଥା ଲୁଚାଇଲ କାହିଁକି ?

ଏ କଥା ଆମ ପରିବାରରେ ବି କେହି ଜାଣିନ୍ତି ନାହିଁ । ପ୍ରେମ କରିବା ଆଳରେ ମୋ ସହିତ ପ୍ରତାରଣା କରି ସେ ଫେରାର୍ ହୋଇଗଲା । ବାପାଙ୍କ କ୍ରୋଧ ଆଗରେ ମୋତେ ଚୁପ୍ ରହିବା ପାଇଁ ପଡିଲା । ମୁଁ ନିରବରେ ମୋ ଦୁଃଖର ଜହର ତକ ପିଇବାରେ ଲାଗିଥିଲି । ଏତକି ବେଳକୁ ବାପା ମୋ ବାହାଘର ଠିକ୍ କରିଦେଲେ ।

ଯଦି ତୁମେ ବିଭାଘର ଆଗରୁ ଏ ଘଟଣାକୁ ଲୁଚାଇବାରେ ସଫଳ ହେଲ, ତେବେ ଆଜି କାହିଁକି ପ୍ରକାଶ କଲ? ତୁମେ ଚାହିଁଥିଲେ ଏ ସବୁ ମୋତେ ଆଜି ବି ଲୁଚାଇ ପାରିଥାଆନ୍ତ । ଆଜି ରାତିରେ ଗୋଟିଏ ବିଛଣାରେ ଦେହ ମନ ପ୍ରାଣରେ ଏକାକାର ହୋଇଯିବା ପରେ ତୁମ ଗର୍ଭରେ ମୋ ପିଲା ବଢୁଥିବା ନେଇ କାହାର ସନ୍ଦେହ ରହି ନଥାନ୍ତା । ଏମିତିକି ମୋର ବି ନୁହେଁ । କିନ୍ତୁ ଏ ସବୁ ପ୍ରକାଶ କରି ତୁମେ ନିଜକୁ ବିପଦରେ କାହିଁକି ପକାଇଲ । ତାଛଡା ନିଜ ନବବିବାହିତା ପତ୍ନୀର ଗର୍ଭରେ ଅନ୍ୟଜଣେ ପୁରୁଷର ପାପ ବଢୁଥିବା ଜାଣିଲେ କୋଉ ପୁରୁଷ ଛାତିରେ ଦମ୍ ଅଛି ଯେ ସେ ସ୍ତ୍ରୀକୁ ଗ୍ରହଣ କରିବ । ଯେଉଁଠି ସତ୍ୟତା ନଥାଇ ସତୀ ସୀତାଙ୍କ ଚରିତ୍ରକୁ ସନ୍ଦେହ କରାଯାଇଥିଲା । ମର୍ଯ୍ୟାଦା ପୁରୁଷ ରାମଚନ୍ଦ୍ର ନିଜ ମର୍ଯ୍ୟାଦା ଭୁଲି ଯାଇ ଜଣେ ନାରୀକୁ ଅଗ୍ନିକୁଣ୍ଡରେ ଝାସ ଦେବା ପାଇଁ ବାଧ୍ୟ କଲେ ସେଠି ମୋଠାରୁ କିଛି ଭିନ୍ନ ଆଶା କରୁଛ ତୁମେ ।

ନା, ମହେଶ । ମୁଁ ତୁମଠାରୁ ଦୟା ଅଥବା ଉଦାରତା ଆଶା କରୁନି, ବରଂ ତୁମ ଆଗରେ ସତ ପ୍ରକାଶକରି ସାର ନାରୀ ଜାତିକୁ ସ୍ୱଚ୍ଛ କରି ପାରିଛି । ଆଜି ଯଦି ତୁମକୁ ମିଛ କହିଥାନ୍ତି, ତେବେ ହୁଏତ ନାରୀଜାତିକୁ ପୁରୁଷ ସମାଜ ଆଉ କେବେ ବିଶ୍ୱାସ କରି ନଥାନ୍ତା । ତା ଛଡା ମୁଁ ତୁମ ଆଗରେ ନିର୍ଭୟରେ ସତ ପ୍ରକାଶ କରିବାର କାରଣ କ’ଣ ଜାଣିବାକୁ ଚାହୁଁଚ? ନିଜ ପିଲାର ବାପା କିଏ ଏ କଥା ତା ମା’ ବ୍ୟତୀତ ଆଉ କେହି ଜାଣି ନଥାନ୍ତି । ସେଇଥି ପାଇଁ ତ ପିତା ହେଉଛି ବିଶ୍ୱାସ ଆଉ ମାତା ହେଉଛି ସତ୍ୟ । କିନ୍ତୁ ତୁମ ପରି ଜଣେ ଭଲ ମଣିଷକୁ ଠକିଲେ ମୋତେ ନରକରେ ବି ଜାଗା ମିଳିବନି । ଜୀବନରେ ଜଣକୁ ବିଶ୍ୱାସ କରି ଯେଉଁ ପାପ କରିଛି ସେଥିରୁ ମୋତେ ନିସ୍ତାର ନାହିଁ । ତା ଉପରେ ତୁମକୁ ସତ ଲୁଚାଇବାର ପାପ କରି ମୁଁ ବଞ୍ଚି ପାରିବି ତ । ବିଶ୍ୱାସଘାତକତାର ପରିଣାମ ଭୋଗିବା ପରେ ଆଉ କାହା ସହିତ ବିଶ୍ୱାସଘାତକତା କରିବା ପାଇଁ ମୋ ଆତ୍ମା ମୋତେ ଅନୁମତି ଦେଲା ନାହିଁ । ସେଥିପାଇଁ ଏ ସତ୍ୟ ଉପରୁ ପରଦା ଉଠାଇବାକୁ ମନସ୍ତ କଲି । ଏବେ ନିଷ୍ପତ୍ତି ତୁମ ହାତରେ । ସେ ସ୍ୱାଧୀନତା ମୁଁ ତୁମକୁ ଦେଉଛି । ତୁମର କୌଣସି ନିଷ୍ପତ୍ତିର ପ୍ରତିବାଦ ମଧୁଛନ୍ଦା କରିବ ନାହିଁ । ମୁଁ ନିଜକୁ ମାନସିକ ଭାବେ ପ୍ରସ୍ତୁତ କରି ସାରିଛି ମହେଶ । ମୋ ରୂପ ଯୌବନ ଯେ ଜଣେ ସଚ୍ଚା ପୁରୁଷକୁ ବାନ୍ଧି ରଖି ପାରିବନି ତାହା ମୋତ ଭଲ ଭାବେ ଜଣା । ମୋ ରାସ୍ତା ମୁଁ ବାଛି ନେଇଛି । ଅବଶିଷ୍ଟ ଜୀବନ ଅବସୋସରେ କଟିବ । ସେଥିପାଇଁ ମୋର ଦୁଃଖ ନାହିଁ । କାହିଁକି ଜାଣ । ଏବେ ମୁଁ ଆଉ ଦୋଷୀ ନୁହେଁ । ତୁମ ଆଗରେ ମୋ ପାପ ସ୍ୱୀକାର କରି ମୁଁ ଏବେ ବୋଝ ମୁକ୍ତ ।

ରାତି ପାହିବାକୁ ଅଳ୍ପ ସମୟ ବାକି । ଆଉ ଘଡ଼ିଏ କି ଦି ଘଡ଼ି ପରେ ସକାଳର ନୂଆ ସୂର୍ଯ୍ୟ ପୃଥିବୀ ଉପରେ ବିଛାଡ଼ି ହୋଇ ପଡ଼ିବ । କିନ୍ତୁ ଏଣେ ମଧୁଛନ୍ଦାର ଜୀବନରେ ଘୋଟିବଯିବାକୁ ବସିଛି ଘନ ଅନ୍ଧାର । ଯେଉଁଥିରୁ ତାର ମୁକ୍ତି ନାହିଁ । ତା ମୁକ୍ତିର ମନ୍ତ୍ର ସାଙ୍ଗରେ ନେଇ ଆସିଥିବା ପ୍ରଭୁ ରାମଚନ୍ଦ୍ରଙ୍କ ସ୍ପର୍ଶରେ ପାଷାଣୀ ଆଉ ଅହଲ୍ୟାରେ ରୂପାନ୍ତରିତ ହେବାର ଅବକାଶ ନାହିଁ । ସାରା ଜୀବନ ଏମିତି ପଥରଟିଏ ପରି ରାସ୍ତାକଡରେ ପଡି ରହିବା ତାଙ୍କ ଭାଗ୍ୟ ବୋଲି ମଧୁଛନ୍ଦା ଜାଣି ସାରିଥିଲେ ।

ମହେଶ ବିଛଣାରୁ ଉଠି ଆସିଲେ । ପାଖରେ ଥିବା ଟି-ପଏ ଉପରୁ ପାଣି ଗ୍ଲାସ୍ ହାତରେ ଧରିଲେ । ପରିସ୍ଥିତି ଓ ପରିଣାମର ସ୍ପଷ୍ଟ ଚିତ୍ର ଆଙ୍କି ହୋଇଯିବା ପରେ ଏଠାରେ ସମୟ ନଷ୍ଟ କରିବାର ଆଉ ଆବଶ୍ୟକତା ନାହିଁ ବୋଲି ମନେ ମନେ ଭାବୁଥିଲେ ମଧୁଛନ୍ଦା ।

ସେ ବିଛଣାରୁ ଉଠି ଆସି ନିଜକୁ ସଜାଡ଼ି ନେଲେ । ଗାଲ ଉପରେ ଶୁଖି ଯାଇଥିବା ଲୁହ ଧାର ପୋଛି ସାରା କୋଠରିରେ ଆଖି ବୁଲାଇ ଆଣିଲେ । ବାହାଘର ଆଗରୁ ଶାଶୁଘରକୁ ଆସିଥିବା ତାଙ୍କର ଡ୍ରେସ୍‌ପିନ୍ଧା ‘ଟୋଟି କାଚଫ୍ରେମ୍ ଭିତରେ ଆବଦ୍ଧ ହୋଇ ଡ୍ରେସିଙ୍ଗ ଟେବୁଲ ଉପରେ ଥୁଆ ହୋଇଥିଲା । ପାଖରେ ଥିଲା ମହେଶଙ୍କ ହସହସ ‘ଟୋଟି । ଡ୍ରେସିଙ୍ଗ ଟେବୁଲ ସାମନାରେ ଛିଡ଼ା ହୋଇ ଶାଢୀରୁ କ୍ଲିପ୍ କାଢ଼ିବାକୁ ଲାଗିଲେ ମଧୁଛନ୍ଦା । ମହେଶଙ୍କ ଦୁନିଆରୁ ବହୁ ଦୂରକୁ ଚାଲିଯିବା ପାଇଁ ଆରମ୍ଭ ହୋଇଯାଇଥିଲା ପ୍ରସ୍ତୁତି ।

ଠିକ୍ ଅଛି ମହେଶ ! ସମୟ ହୋଇଗଲା । ଏବେ ମୋତେ ଅନୁମତି ଦିଅ । ରାତି ପାହିଯିବ । ମୋତେ ଯିବାକୁ ହେବ । ହଁ, ମୁଁ ଚିନ୍ତିତ ତୁମେ କେମିତ ଏତେ ବଡ଼ ଘଟଣାକୁ ତୁମ ପରିବାର ଆଗରେ କହିବ । ରାତିକ ପାଇଁ ହେଉ ପଛେ ଜଣେ ଦୁଶ୍ଚରିତ୍ରାକୁ ସ୍ତ୍ରୀର ମର୍ଯ୍ୟାଦା ଦେବାର ସାହସ କରିଥିବାରୁ ମୁଁ ତୁମ ପାଖରେ କୃତଜ୍ଞ ।

– ମଧୁ ତୁମେ ଯିବା ପାଇଁ ପ୍ରସ୍ତୁତ?

ହଁ । ମୋ ପାଖରେ ଆଉ କ’ଣ ବାଟ ଅଛି ଯେ ମହେଶ? ନାରୀର ସତୀତ୍ୱକୁ ତାର ଏକମାତ୍ର ସମ୍ପତ୍ତି ଭାବେ ବିବେଚନା କରୁଥିବା ଏ ସମାଜର ଦରବାରରେ ମୋ ପରି ଜଣେ କଳଙ୍କିନୀ ପାଇଁ ସଜା କ’ଣ ତାହା ମୋତେ ଅଛପା ନାହିଁ । କୋଳାହଳ କରି ମୋତେ ମୋ ଦଣ୍ଡ ଶୁଣାଯିବାର ଆବଶ୍ୟକତା ନାହିଁ । ମୁଁ ଆପଣାଛାଏଁ ଅପସରି ଯାଉଛି ତୁମ ଜୀବନରୁ ।

କହିଲ -ଏମ୍ଏ ରେ ତୁମର କ’ଣ ବିଷୟ ଥିଲା ?

ମହେଶଙ୍କ ଏ ପ୍ରଶ୍ନରେ ଚମକି ପଡିଲେ ମଧୁଛନ୍ଦା ।

– ଏ ପୁଣି ଗୋଟେ କି ପ୍ରଶ୍ନ?

କୁହ – ତୁମର ବିଷୟ କ’ଣ ଥିଲା?

ମୁଁ ତ ତୁମକୁ କହିଥିଲି ଆମ ଘରକୁ ମୋତେ ଯେବେ ଦେଖିବା ପାଇଁ ଯାଇଥିଲ ।

ମୁଁ ଭୁଲି ଯାଇଛି । ଆଉଥରେ କହିବାରେ କ’ଣ କିଛି ଆପତ୍ତି ଅଛି?

ମୋର ବିଷୟ ଥିଲା – ଓଡିଆ ।

ସେଇଥିପାଇଁ ସାହିତ୍ୟରେ ଭାରାକ୍ରାନ୍ତ ଏ ଶବ୍ଦ ସବୁ ବାହାରୁଛି ତୁମ ପାଟିରୁ । ଜାଣିଛ ମୋର କ’ଣ ବିଷୟ ଥିଲା ଏମ୍ଏରେ । ମୋ ବିଷୟ ଥିଲା ସୋସିଓଲଜି । ସମାଜ ବିଜ୍ଞାନ । ସମାଜର ଅଧ୍ୟୟନ । ମୋ ପାଠ ପଢିବା ସମୟରୁ ତୁମର ଏ ସମାଜଟା ମୋ ଆଗରେ ସବୁ ବେଳେ ଗୋଟେ ରହସ୍ୟ ହୋଇ ରହି ଆସିଛି । ବିଲକୁଲ ଗୋଟେ ମରୀଚିକା । ମୁଁ ଆଜିଯାଏ ବୁଝିପାରନି ତୁମ ସମାଜକୁ । ସମାଜର ନିତି ନିୟମ ପରମ୍ପରାକୁ । ମୁଁ ତ ଆଶ୍ଚର୍ଯ୍ୟ ହେଉଛି ଏଠି ଅପରାଧ କରିଥିବା ମଣିଷ ପାଇଁ ଦଣ୍ଡ ବିଧାନ କରେ ଆଉ ଜଣେ ଅଂହକାରୀ ଅଥଚ ଅପରାଧି ମଣିଷ ।

ଅର୍ଥାତ୍ । ତୁମେ କ’ଣ କହୁଛ ମୁଁ କିଛି ବୁଝି ପାରୁନି ମହେଶ । ଥଟ୍ଟା କରିବାର ଏ ସମୟ ନୁହଁ କିମ୍ବା ଦାର୍ଶନିକ ପରି ଭାଷଣ ଦେବାର ।

ମୁଁ ଭାଷଣ ଦେଉନି । କିମ୍ବା ତୁମ ଅବସ୍ଥାକୁ ଦେଖି ଥଟ୍ଟା କରୁନି । ମୋ ଘରରଏରୁଣ୍ଡି ବନ୍ଧ ଡେଇଁ ଥରେ ଚାଲିଯିବା ପରେ ତୁମର ଅବସ୍ଥା କ’ଣ ହେବ ଭାବିଛ ? ବଦଳି ଯିବ ତୁମ ପରିଚୟ । ତୁମ ନା ପୂର୍ବରୁ ଏ ସମାଜ ଯୋଡି ଦେବ ଅସଂଖ୍ୟ ବିଶେଷଣ । ଶହ ଶହ ବର୍ଷ ଧରି ନାରୀ ପାଇଁ ସମାଜର ଛାତିରେ ସାଇତା ହୋଇଥିବା ନଷ୍ଟ ଶବ୍ଦ ତୁମ ନା ସହିତ ଯୋଡିବାରେ କେହିବି କୁଣ୍ଠାପ୍ରକାଶ କରିବେନି ।

ମହେଶଙ୍କ କଥା ଶୁଣି ଭୋ – ଭୋ ହୋଇ କାନ୍ଦିବାରେ ଲାଗିଲେ ମଧୁଛନ୍ଦା ।

ମହେଶ ତାଙ୍କୁ ନିଜ ଛାତି ଉପରକୁ ଆଉଜେଇ ନେଲେ ।

ତେବେ ମୁଁ କ’ଣ କରିବି କୁହ ମହେଶ – ମରି ପାରିବି ନା ବଞ୍ଚି ପାରିବି ।

ତୁମର ମରିବା ଦରକାର ନାହିଁ ମଧୁ । ତୁମେ ବଞ୍ଚିବ । ମୋ ସହିତ ବଞ୍ଚିବ । ତୁମ ଗର୍ଭରେ ବଢୁଥିବା ସେ ଭ୍ରୂଣ ପାପର ଭ୍ରୂଣ ନୁହେଁ । ବରଂ ପୂଣ୍ୟର ଭୃଣ । ଆମ ଭିତରେ ପ୍ରେମ ଭଲ ପାଇବା ଓ ବିଶ୍ୱାସକୁ ମଜବୁତ କରିଛି ସେ ନିରୀହ ଭୃଣଟି । ମୋ ଆଗରେ ସତ ପ୍ରକାଶ କରି ତୁମେ ମହାନ ହୋଇଯାଇଛ । ଚାହିଁଥିଲେ ଏ ସବୁକୁ ତୁମେ ମୋ ମୁଣ୍ଡରେ ଲଦି ଦେଇ ପାରିଥାଆନ୍ତ । କିନ୍ତୁ ତୁମ ଭିତରେ ବଞ୍ଚିଥିବା ସେ ନାରୀଟି ତାର ପ୍ରକୃତ କାମ କରି ପାରିଛି । ତୁମ ସହିତ ପ୍ରତାରଣା କରିଛି ଜଣେ ପଶୁ; କିନ୍ତୁ ତୁମକୁ ଆପଣେଇ ନେବ ଜଣେ ମଣିଷ ।

ମହେଶଙ୍କ ଏଇ କଥା କେଇପଦ ଯେ ମଧୁଛନ୍ଦାଙ୍କୁ ଅଗ୍ନିକୁଣ୍ଡରୁ ଉଦ୍ଧାର କରିବ ଏହା ନିଜେ ମଧୁଛନ୍ଦା ବି କଳ୍ପନା କରି ନଥିଲେ । ମୁଁ ବିଶ୍ୱାସ କରି ପାରୁନି ମହେଶ । ତୁମ କଥା ମୋତେ କାହାଣୀ ପରି ଲାଗୁଛି । ସତରେ କ’ଣ ଏମିତି ହୋଇପାରେ, ଯାହା କାନ ଉଠିଲା ଦିନରୁ ଶୁଣିନି କେବେ ତାହା ଘଟିବାକୁ ଯାଉଛି?

ହଁ, ମଧୁ । ଏବେ ବି ତୁମ ସମାଜରେ ମଣିଷ ଅଛନ୍ତି । ଯାହା ସମାଜ ବିଜ୍ଞାନ କହୁଛି । ଆଉ ମୋ ବିଜ୍ଞାନ କହୁଛି ମୁଁ ତୁମକୁ ଦୟା କରୁନି ବରଂ ତୁମ ଅଧିକାର ତୁମକୁ ଦେଉଛି । ତୁମେ ମୋ ଅର୍ଦ୍ଧାଙ୍ଗିନୀ । ଆମ ପାଖରେ ଥିବା ସବୁ ସମ୍ପତ୍ତି ଉପରେ ଆମ ଦୁଇଜଣଙ୍କର ସମାନ ଅଧିକାର ରହିଛି । ତେବେ ସେ ନିଷ୍ପାପ ଭୃଣ ସେଥିରୁ କାହିଁକି ବାଦ ପଡ଼ିବ । ତା ଛଡ଼ା ଏବେ ଯଦି ମୋର ସେମିତି ପିଲାଟିଏ ଥାଆନ୍ତା, ତାହାଲେ ତୁମେ କ’ଣ ମୋତେ ଛାଡ଼ି ଚାଲି ଯାଇଥାଆନ୍ତ ? ତେବେ ମୁଁ କାହିଁକି ତୁମ ପ୍ରତି ଏ ଅନ୍ୟାୟ କରିବି । ବିଭାଘର ବେଳେ ବାହ୍ଣଣ ଉଚ୍ଚାରଣ କରିଥିବା ମନ୍ତ୍ରରୁ ତୁମେ କଣ ବୁଝୁଥିଲ ମୁଁ ଜାଣେନା । କିନ୍ତୁ ମୁଁ ଏତିକି ବୁଝିଲି କେବଳ ଏ ଜନ୍ମ ନୁହେଁ ବରଂ ସହସ୍ର ଜନ୍ମ ପାଇଁ ତୁମକୁ ସହଯାତ୍ରୀ ଭାବେ ସାଙ୍ଗରେ ନେଇ ଚାଲିବାର ତାହା ଥିଲା ଶପଥପାଠ । ଥରେ ଶପଥ ନେଲା ପରେ ମୁଁ ମୋ ଶପଥ ଭାଙ୍ଗିବାକୁ ଚାହେଁନା । ଅତୀତକୁ ଭୁଲିଯାଅ ମଧୁ । ବର୍ତ୍ତମାନରେ ବଞ୍ଚା । ମୁଁ ହେଉଛି ତୁମ ବର୍ତ୍ତମାନ । ଆଉ ବର୍ତ୍ତମାନ ରାତି ପାହିବାକୁ ଯାଉଛି ।

ଆମ ମଧୁରାତିର ଏ ହେଉଛି ଶେଷ ପ୍ରହର । ଆସ ଶେଷ ନିଶ୍ୱାସ ଗଣୁଥିବା ସେ ରାତିକୁ ସ୍ମରଣୀୟ କରିବା । ମିଳନର ମନ୍ତୁରା ଜଳରେ ଧୋଇ ଦେବା ଦେହ ମନର ସବୁ ପାପକୁ । ମନରେ ବସା ବାନ୍ଧଥିବା ଯାବତୀୟ ଅବିଶ୍ୱାସକୁ । ମହେଶଙ୍କ ବାହୁ ବନ୍ଧନରେ ଛନ୍ଦି ହୋଇ ପଡିଥିଲେ ମଧୁଛନ୍ଦା । ତାଙ୍କ ମଧୁରାତି ପାଲଟି ଯାଇଥିଲା ବାସ୍ତବରେ ମଧୁଠାରୁ ଆହରି ମଧୁର । ତାଙ୍କ ଆଖିରୁ ବୋହି ଚାଲିଥିଲା ଲୁହଧାର । ଏଇ ରାତିକୁ ଆଲୋକିତ କରିବା ପାଇଁ ଜଳୁଥିବା ଦୀପଟିର ପେଟ ଖାଲି ହୋଇ ଆସୁଥିଲା । ମହେଶ ମଧୁଛନ୍ଦାଙ୍କୁ ନିଜ ଆଡୁକ ଭିଡି ନେଇ ତାଙ୍କ ଗୋଲାପି ଓଠରେ ଚୁମାଟିଏ ଦେଲା ବେଳେ କବାଟରେ ଶୁଭିଲା ଠକ୍ ଠକ୍ ଶବ୍ଦ ।

ଲୋକପ୍ରିୟ ଲେଖା

To Top