ଗଳ୍ପ

ମହାଭାରତୀୟ

Pradip Nayak's odia story Mahaabhaaratiya

ସରକାର ମଧ୍ୟ ପିଲାର ଚିକିତ୍ସା ପାଇଁ ଦି ଲକ୍ଷ ଟଙ୍କା ସାହାଯ୍ୟ ଘୋଷଣା କଲେ । ତା ପରେ କିଏ କୁଆଡେ ଗଲେ ଯେ ଗଲେ, କୁଆଡେ ଗଲା ସେ ପଇସା ।

ମହାଭାରତୀୟ

ହାଁ-ହାଁ,- ଟିକେ ନଇଁକି ଆସନ୍ତୁ ।

ରଞ୍ଜନ ମୋତେ ବନୱାରୀ ଘର ଭିତରକୁ ବାଟ କଢେଇ ନେଉଛି । ତାଳଚୁଆର ସ୍ଥାନୀୟ ଲୋକ । ତା ଇସାରାରେ ମୁଁ ନଇଁ ସେଇ ପିଞ୍ଚା ‚ ଛପର ନୂଆଣିଆ ଘରକୁ ପଶୁଚି । ମୋ ସମସ୍ତ ସାବଧାନତା ସତ୍ତ୍ୱେ ଥରେ ଦିଥର ବି ମୁଣ୍ଡ ବାଜିସାରିଚି ଘର ଚାଳରେ । ବାଟ ପାଖରେ ରୁଅ କବାଟ ଖଣ୍ଡକ ଗୋଟେ ପଟକୁ ଆଉଜି ପଡିଥିବାରୁ ଭିତରଟା ଅଳ୍ପ ଆଲୋକିତ । ଘର ଭିତର ଗୋଟେ ପଟ କାନ୍ଥରେ ଥିବା ଜଳାମୁହଁ ଦେଇ ଆହୁରି ସୋରାଏ ଆଲୁଅ ପଡିଚି । ସେଇ ଆଲୁଅରେ ଦିଶୁଚି ଭିତରର ଦୃଶ୍ୟ । ଛୋଟ ଆମର ପରି ଘର ମଝିରେ ଗମ୍ବୁଜ । ଆମର କାନ୍ଥରେ ଥାକ । ସେଇଠି ଥୁଆ ହେଇଚି ଯାବତ୍ୟ ଘରକରଣା, ଚାଳରୁ ଶିକାରେ ଝୁଲୁଚି ବେତୁଲି, ଗଣ୍ଠିଲିମାନ, ପିଆଜ, ରସୁଣ କେଣ୍ଡା ।

ଆମ ଆସିବା ଦେଖି ଭାତ ଥାଳି ପାଖରୁ ବନୱାରୀ ଉଠିବା ଉଠିବା । ମୋ ସାଂଗରେ ଥିବା ରଂଜନ ବାଧ୍ୟ କରିବାରୁ ସିଏ ଖାଇବା ସ୍ଥାନରେ ବସିରହିଚି ଯେ ହାତ ବନ୍ଦ । ମାଟି ଚଟାଣ ଉପରେ ଖଣ୍ଡେ ପ୍ଲାଷ୍ଟିକ୍ ଚଟ । ଭାତ ଥାଳିରେ ଅଳ୍ପ ଭାତ, ଛୋଟ ଗିନାରେ ଶାଗୁଆ ଶାଗୁଆ କିଛି ନଗେଇଖିଆ । ଥାଳିର ଖୁବ୍ ପାଖରେ ମାଟିରେ ପଡିଥିବା ଗୋଟେ ଗୋଟେ ଭାତକୁ ଖୁଣ୍ଟୁଛି କାଳୀ ପେଣ୍ଠୀଟି । ଆମକୁ ଦେଖି ମଧ୍ୟ କୁକୁଡାଟି ନିର୍ବିକାର, ଖୁଣ୍ଟି ଚାଲିଚି ।

ରଂଜନ ମାଟି ଚଟାଣରେ ବସିବାକୁ ଯାଉଚି ଘର ଭିତରୁ ମୁଣ୍ଡରେ ଓଢଣାଟଣା ସ୍ତ୍ରୀ ଲୋକଟାର କଳା ଶିରାଳ ହାତ ଆମ ଆଡକୁ ଲମ୍ବିଆସି ଖସେଇଦେଲା ଦି’ଖଣ୍ଡ ଚଟ । ଆମେ ବସିବା ଭିତରେ ଅବଶିଷ୍ଟ ଖାଇବା ଶେଷକରି ବନୱାରୀ ଉଠିଲା । ଚଟାପଟ୍ ସ୍ତ୍ରୀ ଲୋକଟା ଥାଳିଟାକୁ ଉଠେଇ ନେଇ ଚଟାଣରେ ପୋଛା ମାରିଦେଲା ।

ବନୱାରୀ ମୁହଁକୁ ଚାହିଁଲା । ଜଣା ପଡୁଚି, ସେ ହୁଏତ ହସରେ ତା ଚିହ୍ନାଲୋକ ରଂଜନକୁ ଆପ୍ୟାୟିତ କରିପାରନ୍ତା । କିନ୍ତୁ ମୋ ପରି ଗୋଟେ ଅଜଣା ଲୋକକୁ ଦେଖି… ।

ଗୋଟେ ଏନ୍‌ଜିଓ କାମରେ ଯଦିଓ ମୁଁ ପାଞ୍ଚବର୍ଷ ପୂର୍ବରୁ ଏଠିକି ଆସିଚି, ବାହାରୁ ବାହାରୁ ଏ ଘର ସବୁ ଦେଖିଚି । ଆଜି ବି ସେମିତି ଅଛି ଘର ଆଗରେ ଟୁବ ଗାଡିଆ, ହୁଡାରେ କଙ୍କାଳସାର କେତେଟା ଖଜୁରି ଗଛ, ରସ ସଂଗ୍ରହ ପାଇଁ ଝୁଲିଚି ଠେକି, ପିଣ୍ଡାରେ କୁକୁଡା ପେଟି, ନେଉଳ ପିଞ୍ଜଡା । ବନୱାରୀ ଘର ଚାରିପାଖରେ ଜାଲଘେରା ବାଡ । ତା ଭିତରେ ଶାଗୁଆ ଶାଗୁଆ ଦିଶୁଚି ଶାଗ, କୋବି, ବାଇଗଣ ପଟାଳି । ଯତ୍ନରେ ଶୁଖୁଚି ଆଚାର ଲେମ୍ବୁ । ଏସବୁ ବନୱାରୀ ପରିବାର ବଂଚିବାର ଗୋଟେ ଗୋଟେ ଆଶ୍ୱାସନା ପରି ।

ବାବୁଙ୍କୁ ତୁ ଚିହ୍ନିପାରିବୁନି । ସିଏ କିନ୍ତୁ ତତେ ମନେ ରଖିଛନ୍ତି । କାଲିଠୁ ଆସି ଆମ ଦେଉଳି ବିଟ୍ ଘରେ ରହିଛନ୍ତି, ମୋତେ କାଲିଠୁ ଲଗେଇଛନ୍ତି ତୋରି ପାଖକୁ ଆସିବା ପାଇଁ ।

ରଂଜନର ଏଇ କଥା ଶୁଣି ଅସନା ଦାନ୍ତମାଳକ ଦେଖେଇ ଗୋଟେ କୃତଜ୍ଞତାର ହସ ହସିଲା ବନୱାରୀ କହିଲା- ଆମ ପରି ଗରିବ ଲୋକ ପାଖରେ କି ଗରଜ ପଡିଥିବ କି?

ଆରେ ଗରଜ କଣ କହୁଚୁ? ବାବୁ କାଳେ ପାଞ୍ଚ ଛଅ ବର୍ଷ ପୂର୍ବରୁ ଏଠିକି ଆସିଥିଲେ । ସେତେବେଳେ ଏ ପଡାରେ କଣ ସବୁ ସର୍ଭେ କାମ ଚାଲିଥିଲା । ତୋ ପିଣ୍ଡାରେ ବସି ଖଜୁରି ରସ ପିଇଥିଲେ । ତେଣୁ…

ବାବୁ ଆଜ୍ଞା, ଆଉ କି ସେ ରସ ଅଛି । ସେଇ ଶୀତ ଦି ମାସ ଘଡା ବସେ । ପାଏ ଦି ପା ନିଗିଡିଲେ ବଜାର ସଉଦା ଚଳିଯାଏ, ଏବେ ତ…

ଆରେ ନାଇଁ, ସେସବୁ ଏବେ ଦରକାର ନାଇଁ ମ । ତୋକଥା ଟିକେ ମନେପଡିବାରୁ ସାର୍ ବନୱାରୀ…ବନୱାରୀ ହେଲେ ତ….ତେଣୁ…

ମୁଁ ଯେ ତାକୁ ଖୋଜି ଖୋଜି ଆସି ତା ଘରେ ବସିଚି, ଏକଥା ଶୁଣିଲା ପରେ ମଧ୍ୟ ସେମିତି କିଛି ଖୁସି ବନୱାରୀ ଠାରେ ଦେଖିଲିନି, ବରଂ ସିଏ ତା ଚାଳର କଉ ସନ୍ଧିରେ ଗୁଞ୍ଜିଥିବା ଦୋକ୍ତା ଜରିଟା ଖୋଜି ହଉଚି । ମୁଁ ଦେଖୁଚି ତା ପାଣିଖିଆ ପାଦ, କାଛିଆଭିଡା ଅଣ୍ଟା ଉପରକୁ ପେଟ ଟୁଣୁକା ହେଇ ବାହାରି ପଡିଚି ।

ପ୍ରଥମ ଥର ଯେବେ ଆସିଥିଲି ସେତେବେଳେ ଆମ ସଂସ୍ଥାର କାମ ଥିଲା ମନ୍ଦପୁଷ୍ଟି ବିଷୟରେ ପିତାମାତାଙ୍କୁ ସଚେତନ କରାଇବା । ଶିଶୁମାନଙ୍କୁ ସେଇ ବ୍ୟାଧିରୁ ରକ୍ଷା କରିବାର ନାନା ବିଷୟରେ ଆମେ ଘର ଘର ବୁଲି ବୁଝାଉଥିଲୁ । ପିଲାମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରୁଥିଲୁ । ସେତେବେଳେ ବନୱାରୀ ଘରକୁ ଆସି ଦେଖିଚି ତା ଛୋଟ ପୁଅକୁ । ଯାହାର ମନ୍ଦପୁଷ୍ଟି ଜନିତ ସ୍ୱାସ୍ଥ୍ୟ, ନକ୍ ନକ୍ ଗୋଡ, ଢିମାଢିମା ଆଖି, ବିଜୁଳି ପରି ପେଟ ଏବେବି ଆଖିରେ ନାଚିଯାଉଚି । କିନ୍ତୁ ପିଲାଟାକୁ ଦେଖିବାକୁ ପାଉନି । ଖାସ୍ ତାରି ଗୋଟାଏ ଫଟୋ ଆଉ ସ୍ୱାସ୍ଥ୍ୟ ରିପୋର୍ଟ ମୁଁ ୱେବ୍ ସାଇଟରେ ଛାଡିବା ପରେ କିଛି କମ୍ କାଣ୍ଡ ହେଇ ନାହିଁ । ଜାତିସଂଘ ଯାଏ ଚର୍ଚ୍ଚା ହେଇଚି । ଓଡିଶା ସରକାରଙ୍କୁ ଏ ଦିଗରେ ପଦକ୍ଷେପ ନେବାକୁ ତାଗିଦ ହେଇଚି । ବିଧାନସବାରେ ବିରୋଧୀ ହଙ୍ଗାମା କରିଛନ୍ତି । ରାଜ୍ୟ ସରକାର ମହିଳା ଶିଶୁ ବିକାଶ ବିଭାଗର ପ୍ରମୁଖ କର୍ମକର୍ତ୍ତାଙ୍କ ଉପରେ କାରଣ ଦର୍ଶାଅ ନୋଟିସ ଲଗେଇଛନ୍ତି ।

ମୁଁ ଏକଥା ମୋତେ ସାଂଗରେ ନେଇ ଆସିଥିବା ରଂଜନକୁ, ନା- ବନୱାରୀକି କହିପାରୁଚି । ମନ କିନ୍ତୁ ଖୋଜି ହଇଚଇ ସୃଷ୍ଟି ହେଇଗଲା ଏବେ ସେ କେମିତି ଅଛି । ଏମିତି କିଛି କାରଣ ନଥିଲେ କିଏ ବା କାହିଁକି ଗୋଟେ ଶିକ୍ଷା, ସବ୍ୟତାଠୁ ଦୂର ଅନ୍ଧାରି ମୁଲକୁ ଆସନ୍ତା ! କିବା ଖୁସିରେ ।

ବନୱାରୀ ଘର ବାହାରେ ଠିଆହୋଇ ବିଡି ଟାଣୁଚି । ଆଖି ବିଛେଇ ଦେଇଚି ତା ଶାଗ ପଟାଳି ଆଡେ । ଏଯାଏ ସିଏ ଆମକୁ ପଚାରିବାର ଆବଶ୍ୟକତା ଅନୁଭବ କରିନାହିଁ ଆମେ କୁଆଡେ ଆସିଚୁ, କାହିଁକି ଆସିଚୁ ।

ମୋ ଆଖି ଖୋଜି ହଉଚି ସେଇ ପିଲାକୁ । କାଇଁ କଉଠି ସେ? କେବଳ କଥାର ବାହାନାରେ ମୁଁ ରଂଜନକୁ ପଚାରିଲି- ଆଚ୍ଛା, ମୁଁ ଏଠି ଯେତେସବୁ ଘର ଦେଖୁଚି ଏମିତି ନାପୁଟିଆ କାହିଁକି?

ଆଜ୍ଞା ସମୁଦ୍ରକୂଳିଆ ପବନ, ପ୍ରତି ବର୍ଷ ଝଡତୋଫାନ, ସମୁଦ୍ର ଜୁଆରୀ । ଚଳାଚଳ ସେମିତି ଥିଲେ ସିନା ପକ୍କାଘର କରନ୍ତେ ।

କାଇଁ ଗରିବ ଲୋକଙ୍କ ପାଇଁ ସରକାର ତ ଅନେକ ଯୋଜନା କରୁଛନ୍ତି ।

ରଂଜନ କହିଲା- ବୁଝିଲେ ସାର୍, ଏମାନେ ଏଠିକାର ସ୍ଥାୟୀ ବାସିନ୍ଦା ନୁହଁନ୍ତି । ପୂର୍ବବଙ୍ଗରୁ ଆସିଛନ୍ତି । କେବଳ ମୁଣ୍ଡଗୁଞ୍ଜି ଏଇ ଜଙ୍ଗଲ ଜମିର ରହିଛନ୍ତି । ଏବେକୁ କିଛି ଲୋକଙ୍କୁ ଅବଶ୍ୟ ରାସନ୍ କାର୍ଡ, ବିପିଏଲ୍ ସୁବିଧା ମିଳିଲାଣି । ଆଉ କିଛି ନାଆଁ ଏଯାଏଁ ସରକାରୀ ଖାତାରେ ଅନୁପ୍ରବେଶକାରୀ । କେତେଥର ଏମାନଙ୍କୁ ଏଜାଗା ଛାଡି ଚାଲିଯିବାକୁ ମଧ୍ୟ ନୋଟିସ୍ ଦିଆଗଲାଣି । ହେଲେ ଏମାନେ ଆଉ ଯିବେ କୁଆଡେ । ଭାଗ୍ୟକୁ ଆଦରି ଏଇଠି ପଡିରହିଛନ୍ତି । ଜଙ୍ଗଲ ଜମି ଚାଷ କରି ମୂଲ ମଜୁରି ଲାଗି ପେଟ ପୋଷୁଛନ୍ତି ।

ଘୋଟିଏ ପୁଅ, ଦଶ ବାର ବର୍ଷର । ହେଲେ କଉ କାମକୁ ନୁହେଁ । ମାଦଳ ପରି ପଡି ରହିଚି ।

କାହିଁକି ?

ସେ ବହୁତ କଥା ସାର୍ କଣ କହିବି । ଆସନ୍ତୁ ମୋ ସାଙ୍ଗରେ ପିଲାଟାକୁ ଥରେ ଆଖିରେ ଦେଖିଲେ ସବୁ ବୁଝିଯିବେ ଯେ ।

ଘର ବାହାର ଟୁବ ଗାଡିଆ ପାଖାପାଖି ଦି ଟା ଖଜୁରି ଗଛ । ଗୋଟେ ପ୍ଲାଷ୍ଟିକ ଦୋଳି ଝୁଲୁଚି ଆଉ ସେ ଦୋଳିରେ କିଛି ମଇଳା କପଡା ଭଙ୍ଗାହେଇ ବିଛା ହେଇଚି । ସେଇଠି ଶୋଇଚି ବନୱାରୀର ପୁଅ । ଛାତିଠୁ ମୁଣ୍ଡଯାଏ କେବଳ ଦିଶୁଚି । କପଡାରେ ଘୋଡା ହେଇଚି ଅର୍ଦ୍ଧାଧିକ ଶରୀର । ମୁହଁ ଦିଶୁଚି ଶେଥା ଶେଥା । ମୁଣ୍ଡରେ ଚୁଟି ହିଁ ନାହିଁ । ଶିରିଶିରି ପବନ ଆଉଁଶି ଦଉଚି ତାକୁ । ଆଖିବୁଜି ଶୋଇଥିବା ପିଲାଟାର ମୁଁହରୁ ଜଣାପଡୁଚି ସେ ଗଭୀର ନିଦରେ ଅନ୍ୟ କେଉଁ ରାଜ୍ୟରେ ଅଛି । ବିଶ୍ୱାସ ବି ହଉନି ବାର ତେର ବର୍ଷର ଗୋଟେ ପିଲା ଶୋଇଚି । ଆମେ କେତେ ସମୟ ସେଇଠି ନିର୍ବାକ୍ ଠିଆ ହେଇଚୁ । ଆମ ଆଡକୁ ସାମାନ୍ୟ ଦୃଷ୍ଟି ନଦେଇ ବନୱାରୀ ତା ଚିକ୍କଣ ମାଟିପିଣ୍ଡା ଉପରେ ଖୁଣ୍ଟକୁ ଝୁଲୁଥିବା ଗୋଟେ ଜାଲ ବୁଣି ଚାଲିଚି । କାନରେ ଗେଞ୍ଜିଚି ଅଧାଟଣା ବିଡି । ଜାଲ ବୁଣୁ ବୁଣୁ ସ୍ତ୍ରୀ ଉଦ୍ଧେଶ୍ୟରେ ଡାକ ପକେଇଲା-ଆରେ ଦେଖ, ଦେଖରେ କୁକୁଡାଟା ଏମିତି ବୋବଉଚି କଣ ? ବିଲୁଆ ଫିଲୁଆ ଦେଖିଲା କି?

ଲଣ୍ଡଭଣ୍ଡ ହେଇ ହାତରେ ବାଡିଖଣ୍ଡେ ଧରି ତା ସ୍ତ୍ରୀ ବାହାରିଗଲା କୁକୁଡା ବୋବଉଥିବା ଓଳି ଆଡକୁ । କିଛି ସମୟ ପରେ ହାତରେ ଗୋଟେ ଅଣ୍ଡା ଧରି ଫେରିଲା । ଅନୁଚ୍ଚ ସ୍ୱରରେ ବନୱାରୀକୁ କହିଲା- ନୂଆ ଲୋକଙ୍କୁ ଦେଖି କୁକୁଡା ପେଟି ଭିତରେ ଯାଉନି । ଓଳିତଳେ…

ନୂଆଲୋକ କଥା ପଡିବାରୁ ବନୱାରୀର ଜାଲବୁଣା ହାତ ଟିକେ ଥମ୍ ହେଇଗଲା । ଆମ ଉଦ୍ଧେଶ୍ୟରେ ଡାକି ପଚାରିଲା-ସେଠୀ କଣ କରୁିଚନ୍ତି ବାବୁ? ଖରାଟାଣ ହେଲାଣି ଏଇ ପିଣ୍ଡା ଉପରକୁ ଆସ ।

ଜାଲବୁଣା, ତା ସହିତ ଖୋଲିଚି ଏକ ଅଶ୍ରୁତ, ବେଦନାମୟ କାହାଣୀ ପେଡି । ଆମେ କେବଳ ଶୁଣୁଚୁ । ମନରେ ଅନେକ ପ୍ରଶ୍ନ ତଥାପି କେଉଁ ଭାଷାରେ ତାହା ପାଟିରେ ଆସିବ କିଛି କୂଳ କିନାରା ପାଉନୁ ।

ବନୱାରୀ ପରିବାର ପୂର୍ବବଙ୍ଗରୁ ଆସିବା ପ୍ରାୟ ଷାଠିଏ ବର୍ଷ ହେଲାଣି । ସେଠିକା ଭିଟାମାଟି ଛାଡିଆସିଥିବା ତା ବାପା କେବେଠୁ ମରିଗଲାଣି । ମାଆ ବୁଢୀ ମଧ୍ୟ ଆର ପାରିରେ । ବାପା ତାର ସାଧାରଣ ପାଠଶାଠ ପଢିଥିଲା, ହେଲେ ଅସାଧାରଣ ଥିଲା ସାମ୍ୟବାଦୀ ଆନ୍ଦୋଳନରେ । ବାପାଠୁ ସେ କେବଳ ଶୁଣିଚି କମ୍ୟୁନିଷ୍ଟ ଆନ୍ଦୋଳନ ବାଟ ହୁଡିବା କଥା । ହିଂସା, ଦ୍ୱେଷ, କ୍ଷମତାଲିପ୍ସା ଆଗଧାଡିର ନେତା ମାନଙ୍କୁ ଅନ୍ଧ କରିଦେଲା । ସେମାନେ ସାଧାରଣ କର୍ମୀମାନଙ୍କୁ ସଂଗଠନ ନାଆଁରେ ଭୁଆଁ ବୁଲେଇଲେ । ଏ ସବୁ ଧିଅରେ ଗଲାନାହିଁ ତା ବାପାର । ପ୍ରତିବାଦ କଲା, କିଛି ଫଳ ହେଲା ନାହିଁ । ଅଧିକ ନିର୍ଯ୍ୟାତନା ମିଳିଲା, ମାରିଦେବାର ଧମକ ଦିଆଗଲା । ଶେଷରେ ସିଏ ଘରଛାଡି ସମୁଦ୍ର ପାରହେଇ ଏଠିକି ଚାଲିଆସିଲା । ଖାଲି ସିଏ କାହିଁକି ସାଂଗରେ ଆହୁରି କେତେ ପରିବାର ।

ବନୱାରୀ ବାପାଠାରୁ ଶୁଣିଥିବା ଅନେକ କଥା କହିଚାଲିଚି, ତା ସହିତ ବି ଏଠିକା ଜୀବିକା କଥା ଛାଡିନାହିଁ । ଏଇ ଲୁଣା ମାଟି, ଘୋ-ଘୋ-ସମୁଦ୍ରବେଳା, ଝାଡ ଜଙ୍ଗଲ, ପାଦେ ପାଦେ ଜନ୍ତୁଜୁନ୍ତା, ରାସ୍ତା ନାହିଁ, ଘାଟ ନାହିଁ । ସେଇ ଅନ୍ଧାରି ଦିନଗୁଡା କଥା ଆଜି ବି ଭୁଲିନାହିଁ ସିଏ । ଏ ମାଟିରେ ତାର ଜନ୍ମ । ହେତୁ ପାଇବା ବେଳକୁ ସିଏ ବୁଝିଥିଲା ବଂଚିବାର ମାତ୍ର ଦି ଟା ଉପାଦାନ । ଗୋଟିଏ ହେଲା ଜଙ୍ଗଲରେ ମିଳୁଥିବା ଗିରିଆ ଶାଗ, ଆଉ ଗୋଟେ ଚୁଆରୁ ଗାମୁଛାରେ ଛଣାହେଇ ଆସୁଥିବା ପାଣି । ବେଳ ଅବେଳରେ ପାଖରେ ଠିଆ ହେବାକୁ ସମଦଶା ଭୋଗୁଥିବା କିଛି ପଡିଶା । ଏମିତିକି ଅନେକ ଦିନ ଯାଏ ଜାଣିନଥିଲା ରହୁଥିବା ଜାଗାର ଠିକଣା ।

ମୋର ସମୟ ସରି ଆସୁଚି, ବିଟ୍‌ଘରକୁ ଫେରିବି । ତଥାପି ସରୁନି ବନୱାରୀ କଥାର ଲହସ । ଗୋଟେ ଅସରା କାହାଣିର ଆଭାସ ମିଳୁଚି ତା କଥାରୁ । ଏସବୁ ଭିତରେ ବି ମନ କହୁଚି ବନୱାରୀକୁ ତା ପୁଅ ପ୍ରସଙ୍ଗକୁ ଟାଣିଓଟାରୀ ଆଣିବା ପାଇଁ । କେଜାଣି କାହିଁକି କଥାର ମୋଡ ବୁଲେଇ ଯେତେଥର ମୁଁ ପୁଅ ବିଷୟରେ କିଛି ଶୁଣିବାକୁ ବାହିଁଚି ସେତେଥର ସିଏ ନିରୁତ୍ସାହିତ ଭଳି ନିରବୀ ଯାଇଚି । କିଛି ସମୟ ଅଟକି ପୁଣି ଫେରି ଯାଉଚି ଅତୀତ ଭିତରକୁ ।

ମୁଁ ତା ଘରୁ ଫେରିବି ଏ ସୂଚନା ମଧ୍ୟ ଦେଇ ସାରିଚି । ଏବେ ସମୟ କି ଧୈର୍ଯ୍ୟ ନାହିଁ ମୋ ପାଖରେ । ମନରେ କିନ୍ତୁ ଅବସୋସ । ପୁଅ । କେତେ ଆଶା ନେଇ ମୁଁ ଆସିଚି, ଖାସ୍ ମୋରି ଫଟୋଗ୍ରାଫି ଆଉ ରିର୍ପୋଟ ଉପରେ ଏତେ ଘଟଣା ଘଟିଗଲା ଅଥଚ ତା ପରିଣତି ମୋ ପାଇଁ ଅଜଣା ରହିଯିବ । ମୁଁ ଯେ ଆଉ କେବେ ସମୟ ବାହାର କରି ଏଠିକି ଆସି ପାରିବି ଏମିତି ଆଶା ବି ନାହିଁ ।

ପୁଅକୁ ନେଇ ମୋ କଥାର ମୋଡ ମୁଣ୍ଡରେ ଏଥର ବନୱାରୀ ଅଟକିବାକୁ ବାଧ୍ୟ ହେଲା ।

ପୁଅ କଥା କଣ ଶୁଣିବେ ବାବୁ?

ହଠାତ୍ ତା ପ୍ରଶ୍ନର ଉତ୍ତର ଦେବାକୁ ଯାଇ ମୁଁ ଅପ୍ରସ୍ତୁତ ହେଇପଡିଲି- ନାଇଁ, ନାଇଁ ସେମିତି କିଛି ନୁହଁ । ଏଇ ଚାରି ପାଞ୍ଚ ବର୍ଷ… ପୂ…ର୍ବ…ରୁ…

ଓଃ ମୋ ପୁଅକୁ ନେଇ ଯଉସବୁ କଥା… । ଆଚ୍ଛା ଆପଣ କେମିତି ଜାଣିଲେ?

ଏଇ ଖବରକାଗଜ, ଟି.ଭି. ରୁ ଯାହା ଜାଣିଚି ।

ସେସବୁ କଥା ଖତଗଦାକୁ ଗଲାଣି ବାବୁ । ଏ ମାଟିରେ ପରିଚୟ ନ ଥିବା ଗୋଟେ ମଣିଷ ପାଇଁ ଅଧିକ କଣ ହେଇପାରିଥାନ୍ତା?

ମାନେ ! ମୁଁ ଆଶ୍ଚର୍ଯ୍ୟ ହେଇ ପଚାରିଲି ।

ମାନେ ଆଉ କଣ ପଚାରୁଛନ୍ତି । ସେତେବେଳେ କିଏ ଜଣେ ବାବୁ ମୋ ପୁଅର ଗୋଟେ ଫଟୋ ଉଠେଇ… କଣ ସବୁ ଲେଖିଦେଲେ । ସେଇକଥାକୁ ନେଇ ଏ ପଡାରେ କମ୍ ଗହଳି ଚହଳି ଲାଗିଚି । କେତେ ଟି.ଭି. ଖବରକାଗଜ ବାଲା ଆସି ପିଲାଟାକୁ ଉଠେଇ ଥୋଇ ଦେଲେ ନାହିଁ । ନେତା, ମନ୍ତ୍ରୀଙ୍କ ସୁଅ ଛୁଟିଲା । ପଡାଟା ପରା ଉଠିଲା ପଡିଲା । କି ପାହାଡଭଙ୍ଗା କଥା ! ହେଲେ…

ବନୱାରୀର ସ୍ୱର କ୍ରମଶଃ ନିଷ୍ପଭ୍ର ଶୁଭିଲା । ତା ମୁହଁ କହୁଥିଲା ଆଗକୁ ଆଉ କିଛି କହିବାକୁ ସିଏ ଆଗ୍ରହୀ ନୁହଁ । ତଥାପି ମୋ ଅନବଦମିତ ମନର କୌତୁହଳ ତାର ଏଇ ଆଗ୍ରହହୀନତା ପାଖରେ ହାର ମାନିବାକୁ ଯେମିତି ପ୍ରସ୍ତୁତ ନୁହଁ ।

ଅଟକିଗଲ ଯେ ବନୱାରୀ?

କଣ ଆଉ କହିବି ବାବୁ, ସେଇ ମାସେ ଖଣ୍ଡ ହଟଚମଟ ଲାଗିଲା । ହାତଟେକା କରି କିଏ କଣ ଆଣି ଥୋଇଦେଇଗଲେ ମୋ ଘରେ । ସରକାର ମଧ୍ୟ ପିଲାର ଚିକିତ୍ସା ପାଇଁ ଦି ଲକ୍ଷ ଟଙ୍କା ସାହାଯ୍ୟ ଘୋଷଣା କଲେ । ତା ପରେ କିଏ କୁଆଡେ ଗଲେ ଯେ ଗଲେ, କୁଆଡେ ଗଲା ସେ ପଇସା ।

ଆଚ୍ଛା ତୁମକୁ କଣ ସେ ପଇସା ମିଳିଲାନି?

ବନୱାରୀର ହସ ଗୋଟେ ମଲା ମଣିଷର ଓଠରେ ଲାଖି ରହିଥିବା ହସ ପରି ଦିଶିଲା- ମୁଁ କିଏ? ମୋ ପରିବାର କିଏ? ଦେଶାନ୍ତର ନୋଟିସ୍‌ରେ ଯେତେବେଳେ ମୋ ଭାଗ୍ୟ ଝୁଲୁଚି, ସେଠି କିଏ ମୋତେ ପଇସା ଦବ? କିଏ ପିଲାର ଚିକିତ୍ସା କରିବ?

ଓଃ ।

ଆପଣା ଛାଏଁ ମୋ ଛାତି ଭିତରୁ ଉଠିଲା ସମବେଦନାରେ ଭରା ଏକ ଶବ୍ଦ । ଆଉ କିଛି ପଚାରିବାକୁ ମୋ ମନରେ ଏତେ ଟିକେ ବି ଆଗ୍ରହ ନାହିଁ । ରଂଜନ ବି ୟା ଭିତରେ ମୋତେ ଫେରିଯିବାକୁ ସଚେତନ କରାଇ ସାରିଚି । କିନ୍ତୁ ମୁଁ ପାରୁଚି କଉଠୁ । କିଛି ସମୟ ନିରବତା ପରେ ବନୱାରୀ ଭାବହୀନ ସ୍ୱରରେ କହିଲା- ବାବୁ, ମୋ ପୁଅର ଚିକିତ୍ସା ନ ହେଲେ ତ କଣ ହେଲା ଆଉ ତ କିଛି ହେଇଚି । ଏ ପଡାରେ ଗୋଟେ ଅଙ୍ଗୱାଡି ଖୋଲିଚି, ନୂଆ ରାସ୍ତା କାମା ଚାଲିଚି, ଟିବଲ ବସିଚି । ମୁଁ ଜାଣିନି, ଆଜି ନହେଲେ କାଲି ମୋତେ ଏଠୁ ଆଉ କୁଆଡକୁ ଯିବାକୁ ପଡିପାରେ । ପୁଣି କଉଠି ମୋ ଜୀବନ ଡଙ୍ଗା ନଙ୍ଗର ପକେଇବ ।

ବନୱାରୀର ଏତେ କଥା ଶୁଣିବା ଭିତରେ ମନ କହୁଚି ତାକୁ ଜଣେଇଦେବି କି ମୁଁ ସେଇ ଲୋକ… ଯାହାର ରିର୍ପୋଟ ଆଉ ଫଟୋକୁ ନେଇ ଏତେସବୁ ହେଇଚି । ହେଲେ ଜାଣେନା କାହିଁକି ସେ ଇଚ୍ଛା ମୋ ଠୁଁ ଯେମିତି ଛଡେଇ ନେଇସାରିଚି । ତାର ଏପରି ବିପର୍ଯ୍ୟୟର କାହାଣୀ ଶୁଣିବା ପରେ ସେକଥା ଜଣେଇବାର ଉତ୍ସାହ ମୋ ଭିତରେ ମରିଯାଇଚି ।

ମୋତେ ବିଦାୟ ଦେବାକୁ ଆସି କଥା ହଉ ହଉ ଆମେ ପହଂଚି ସାରିଚୁ ସେଇ ଖଜୁରି ଗଛ ପାଖରେ । ଦିଟା ଗଛ ମଝିରେ ଦୋଳିରେ ସେମିତି ଶୋଇ ରହିଚି ବନୱାରୀର ପୁଅ । ଟିକିଏ ଅଟକିଯାଇ ମୁଁ ସମବେଦନାଭରା ସ୍ୱରରେ ପଚାରିଲି – ଆଚ୍ଛା ତାର ଅବସ୍ଥା କଣ ସେବେଠୁ ସେମିତି ଅଛି?

କଉ ଅବସ୍ଥା କଥା ପଚାରୁଛନ୍ତି ବାବୁ? ପାଞ୍ଚ ବର୍ଷ ଆଗରୁ ୟା ଅବସଥା ବରଂ ଭଲ ଥିଲା ।

ଭଲଥିଲା…. ମାନେ?

ଇଏ ଆମର ପ୍ରଥମ ପିଲା । ଜନମ ହେବା ଦିନରୁ ଆମେ ତାକୁ ଭଲରେ ଗଣ୍ଡେ ଖାଇବାକୁ ଦେଇପାରିନୁ । ରୋଗ ବାଧିକାକୁ ଓଷଦ ଫୁଣ୍ଟାଏ ନାହିଁ । ଆମର ଅବସ୍ଥା ତ ଦେଖିୁଛନ୍ତି, ପିଲାଟା ସେମିତି ଦୁର୍ବଳିଆ ହେଇ ଘରେ ପଡି ରହିଚି । ଆମେ ଝାଡକୁ କି ମାଛ ଧରିବାକୁ ନ ଗଲେ ନ ଚଳେ । ଘରେ ସିଏ ଏମିତି ଏକୁଟିଆ ରହିଥାଏ । ବିଧାତା ତା କପାଳରେ କେତେଦିନ ଏମିତି ଦୁଃଖ ଲେଖିଚି କିଏ ଜାଣେ ।

ବନୱାରୀର ଗଳା ଭାରି ଭାରି ଶୁଭୁଚି । ଆଖିରେ ଲୁହ ଉତୁରି ଆସୁଚି । ମୁଁ ତା ଆଡେ ଚାହିଁ ବିଚଳିତ ।

ପୁଅର ପୁଣି କଣ ହେଲା କି?

ମୋ ପ୍ରଶ୍ନର ଉତ୍ତର ସିଏ ଦେଇପାରୁନି, କିନ୍ତୁ ନିଜେ କୋହ ଚାପି ରଖିବାକୁ ଭରପୂର ଉଦ୍ୟମ କରୁଚି । ପାଖରେ ବିଷର୍ଣ୍ଣ ମୁହଁରେ ଠିଆ ହେଇଚି ରଂଜନ । ଗୋଟିଏ ଲମ୍ବା ନିଃଶ୍ୱାସ ଛାଡି ରଂଜନ କହିଲା-କଣ ସେସବୁ ଶୁଣିବେ ସାର୍ । ପୁଅଟା ତ ପିଲାଦିନୂ ଦୁର୍ବଳ, ଘରେ ପଡି ରହେ । ବାଡିଖଣ୍ଡେ ଧରିଲେ ପାଦେ ପାଦେ ପକାଏ । ଇଏ ବାପା ମାଆ ଝାଡ କି ମୂଲ ମଜୁରିକି ଗଲେ ତା କଥା ବୁଝିବାକୁ କେହି ନାହିଁ । ସକାଳୁ ସଂଜ ଘରଟା ଭିତରେ ଘୁଷୁରୁ ଥାଏ । ଦିନେ ଘରେ କେହି ନଥିବା ବେଳେ ଜଂଗଲରୁ ଘର ଭିତରକୁ ପଶି ଆସିଚି ଗୋଟେ ଅଜଗର । ସାପକୁ ଦେଖି ପିଲାଟା ନା- ଉଠିପାରୁଚି, ନା ଦଉଡି ଯାଇପାରୁଚି । ବିକଳ ହେଇ ପାଟି କରିଚି, କାନ୍ଦିଚି । ବାଡିକି ଧରି ଘୁଷୁରି ବାହାରକୁ ଯିବାକୁ ଚେଷ୍ଟା କରିଚି, ପାରିନି । ଦେଖୂଚନ୍ତି ତ ଏଠି ଗୋଟେ ଘରଠୁ ଆର ଘର ଖଣ୍ଡେ ଦୂର । ତା ପାଟି କିଏ ଶୁଣିବ? ଭଗବାନ ବଡଲୋକ ଆଜ୍ଞା ବନୱାରୀର ସ୍ତ୍ରୀ ସେଦିନ କାଇଁକି ଝାଡରୁ ଫେରି ଘରେ ଦେଖେତ ସାପଟା ଅଧା ଗିଳି ସାରିଚି ପୁଅକୁ ହାଉଳି ଖାଇ ଡାକ ପକେଇବାରୁ ଲୋକ ଦଉଡି ଆସିଲେ କେତେ କଷ୍ଟରେ ସାପ ପାଟିରୁ ପିଲାଟାକୁ ବାହାର କଲେ । ଗୋଡପଟୁ ଯେତିକି ଗିଳିଥିଲା, ଡାକ୍ତର କହିଲେ ସେ ଗୋଡ଼ ଦିଟା ଆଉ କାମ କରିବନି, କାଟିଦିଆଯାଉ ।

ହେ ଭଗବାନ!!

ଗୋଟିଏ ମୁହୂର୍ତ୍ତ ପାଇଁ ମୋର ମନେହେଲା ମାଟି ଉପରେ ମୋ ସ୍ଥିତି ଅଛି କି ନାହିଁ । ମୋ କାନ ଶୁଣୁଥିବା କଥା ମୋ ସମଗ୍ର ଶରୀରକୁ ବରଫ ଖଣ୍ଡ ପରି ତରଳେଇ ସାରିଚି । ବନୱାରୀର ଅତୀତ ଶୁଣିଚି; କିନ୍ତୁ ବର୍ତ୍ତମାନ ଯେ ତା ଠୁ ଅଶ୍ରୁତପୂର୍ବ ଏକଥା ବିଶ୍ୱାସ କରିବାକୁ କଷ୍ଟ ହଉଚି । ମୋ ମାନସିକ ସ୍ଥିତି ଶୂନ୍-ଶୂନ୍-ଶୂନ୍ ।

ଥରେ ପିଲାର ଅବସଥା ଆଖିରେ ଦେଖିବା ଆଶାରେ ମୁଁ ବନୱାରୀକୁ ପୁଅ ଦେହରୁ ଲୁଗା କାଢିବାକୁ କହିଲି । ଆଖିକୁ ପୋଛୁ ପୋଛୁ ଖୁବ୍ ଶାବଧାନରେ ସିଏ ପୁଅ ଦେହରେ ଗୁଡେଇଥିବା ଲୁଗାକୁ କାଢିଲା । କିନ୍ତୁ ଇଏ କଣ ? ସତକୁ ସତ ପିଲାଟା ଆଣଣ୍ଠୁ ତଳରୁ କାଟି ଦିଆଯାଇଛି । ମୁଁ ନିର୍ବାକ୍ ମୁଁ ନିଥର ।

ସେ ବିଷୟରେ ଆଉ କିଛି ବି ବୁଝିବାକୁ ଇଚ୍ଛା ନାହିଁ, କେବଳ ପଚାରିଦେଲି- ଆଚ୍ଛା ତମର ଏ ଅବସ୍ଥା ବିଷୟରେ କଣ କାହାରି ପାଖରେ କିଛି ଖବର ନାହିଁ? ମା….ନେ…. ପକେଟରୁ ଗୋଟେ ଡାଇରି ବାହାରକରି ପଚାରିଲି-ତମ ପୁଅର ନାଆଁ କଣ?

ମୋ ଡାଇରି କଲମ ଆଡକୁ ଟିକିଏ ବି ନ ଚାହିଁ ବନୱାରୀ ଉଦାସ ସ୍ୱରରେ କହିଲା- ପୁଅର ନାଆଁ କଥା କଣ ପଚାରୁଚନ୍ତି ବାବୁ? ୟାକୁ ତ ମାତ୍ର ତେଏର, ମତେ ଆସି ପଇଁଚାଳିଶ ବର୍ଷ ହେଲା । ବନୱାରୀ ମଣ୍ଡଳ ନାଆଁରେ ଏଠି କିଛି ବି ପରିଚୟ ନାହିଁ । ଟିକେ ଭାବିଲା ଭାବିଲା ହେଇ ଗୋଟେ ଦୀର୍ଘଶ୍ୱାସ ଛାଡିଲା । କହିଲା- ମୋତେ କହିବ ବାବୁ, ଖାଲି ମଣିଷ କଣ ଗୋଟେ ନାଆଁ ହେଇପାରିବନି? ସେଇ ପରିଚୟ ଜୀବନ ଜିଇବା ପାଇଁ ଯଥେଷ୍ଟ ହେବ ନାହିଁ କି । ଆଉ କି ନାଆଁ ଦେଇଥାନ୍ତି ପୁଅର? ମୋ ପରି ଗୋଟେ ନାଁ କୁ ନେଇ ତାକୁ କିଏ ଓଡିଆ, ବଙ୍ଗାଳୀ, ତେଲୁଗୁ କି ତାମିଲ କହୁ ମୁଁ ସେକଥା ଚାହିଁନାହିଁ । କାହିଁକି ପିଲାଟା ବଡହେଇ ମୋର ପରି ବାରଓଳି ଶୁଣ୍ଢିପିଣ୍ଢା ହବ । ନା ବାବୁ, ନା ଯଉ ଭୁଲ୍ ଆମ ପୂର୍ବପୁରୁଷରୁ ଏଯାଏ ଚାଲି ଆସିଚି ସେ ଭୁଲ ଆଉ କରିବିନି, ତେଣୁ..

ଏଇ କଥା କହୁଥିବା ବେଳେ ବନୱାରୀର ଆଖି ଲାଗି ରହିଥିଲା ସେଇ ଦୋଳିରେ ମଲାଗଲା ପରି ପଡି ରହିଥିବା ପୁଅ ଉପରେ ।

ମୁଁ ବିଟ୍ ଘର ଯାଏ ଫେରି ଆସିବାବେଳେ କଉ ଗୋଟେ ଜଂଗଲି ଗଛ ଡାଳରୁ ଶୁଭୁଥିଲା ମୁର୍ମୁର୍ଷୁ କପୋତୀର ବାହୁନା । ସେଇ ସ୍ୱରରେ ମୁଁ ଶୁଣି ପାରୁଥିଲି ଜଣେ କାନ୍ଦ କାନ୍ଦ ମହାଭାରତୀୟ ଚେତନାକୁ ।

ଲୋକପ୍ରିୟ ଲେଖା

To Top