ଗଳ୍ପ

ମହାଯାତ୍ରାର ସହଯାତ୍ରୀ

Aravind Das's Odia Story MAHAAJAATRAARA SAHAJAATRI

ସବୁଦିନ ଶହଶହ ଶବସତ୍କାର କରି ହାତ ଚିକ୍କଣ ସମସ୍ତଙ୍କର । କେବଳ ଆମମାନଙ୍କର ଜୀବନ ନିଉଛୁଣ । ଏ ଗାଡ଼ି ବୁକିଂ ପାଇଁ ଆପଣ ଯେଉଁ ଟଙ୍କା ଡିପୋଜିଟ୍ କରିଛନ୍ତି, ସବୁତକ ସେଇ ସଂସ୍ଥାକୁ ଯିବ । ମାସକୁ କେବଳ ଦରମା ଛଅ ହଜାର । ଭୁବନେଶ୍ୱର ପରି ଜାଗାରେ ଏତିକି ଟଙ୍କାରେ ଘରଭଡ଼ା ନେଇ, ପରିବାର ସହିତ ଚଳିବା କ’ଣ ସହଜ ।

ମହାଯାତ୍ରାର ସହଯାତ୍ରୀ

ଶେଷଯାତ୍ରା ଲେଖାଯାଇଥିବା ଶବବାହକ ଗାଡ଼ିର ଡ୍ରାଇଭର୍ ଥିଲା ଚନ୍ଦୁ । ଗାଡ଼ିର ସାମ୍ନା ସିଟ୍‌ରେ କେବଳ ମୁଁ ଓ ଚନ୍ଦୁ ବସିଥିଲୁ । ପଛପଟ ଡାଲା କାଚ ଦ୍ୱାର ଆବୃତ୍ତ ହୋଇଥିଲା । ଫୁଲମାଳରେ ସଜ୍ଜିତ ମୋ ମା’ଙ୍କର ନିଥର ଶରୀରଟା କୋକେଇରେ ବନ୍ଧା ହୋଇ ଷ୍ଟ୍ରେଚର୍ ଉପରେ ରଖା ହୋଇଥିଲା ।

ସମୟ ଓ ଭଗବାନ ଏମିତି ନିଷ୍ଠୁର ହୋଇପାରନ୍ତି । ଅଳ୍ପକିଛି ଘଣ୍ଟା ପୂର୍ବରୁ ଜୀବନର ସବୁଠୁ ପ୍ରିୟତମ ମଣିଷଟିକୁ ହରାଇବାର ଦୁଃଖରେ ଭାଙ୍ଗିପଡ଼ି ମୋ ହୃଦୟରୁ କେବଳ ଏହି ବାକ୍ୟଟି ହିଁ ନିଃଶବ୍ଦରେ ନିର୍ଗତ ହେଉଥିଲା ।

ଅମାନିଅ ଲୁହଗୁଡ଼ାକ କେଉଁଠୁ କେଜାଣି ସୁଅ ଭଳି ଝରି ପଡୁଥିଲେ ମୋ ଦୁଇ ଆଖିରୁ ଭୁବନେଶ୍ୱରରୁ ପୁରୀ ସ୍ୱର୍ଗଦ୍ୱାରକୁ ରାତି ଏଗାରଟା ବେଳେ ଆରମ୍ଭ ହୋଇଥିବା ଯାତ୍ରାପଥ ମୋତେ ଅସରନ୍ତି ଭଳି ଲାଗୁଥିଲା ।

ଶୂନଶାନ୍ ରାସ୍ତା ଓ ବାହାରର ନିରବତା ସହିତ ତାଳ ଦେଇ ମୋ ହୃଦୟର ଆବେଗ, ସମୁଦ୍ର ଜୁଆର ଭଳି ପିଟି ହେଉଥିଲା । ସାଙ୍ଗରେ ଯାଉଥିବା ଅଳ୍ପ କିଛି ବନ୍ଧୁ ଦୁଇଟି ଗାଡ଼ିରେ ଆମ ଗାଡ଼ିକୁ ଅତିକ୍ରମ କରି ଆଗକୁ ଯାଇସାରିଥିଲେ ।

ଏ ଗାଡ଼ିର ସ୍ପିଡ୍ କ’ଣ ଏତିକି ? ଧୀର, ମନ୍ଥର ଗତିରେ ଚାଲୁଥିବା ଗାଡ଼ିକୁ ନେଇ ମୋ ପ୍ରଶ୍ନ ଶୁଣି ହସି ଦେଲା ଚନ୍ଦୁ । ଏକ ବେଖାତିର୍ ଢଙ୍ଗରେ ଉତ୍ତରଦେଲା । ଆମେ ଆସ୍ତେ ଆସ୍ତେ ଯିବା । ଦେଢ଼ ଘଣ୍ଟା ଭିତରେ ପହଞ୍ଚିଯିବା । ଜୋର୍‌ରେ ଗଲେ ମା’ଙ୍କ ଶରୀର ଉଠାପକା ହେବ ।

ହଠାତ୍ ଚମକି ପଡ଼ି ପଛପଟ କାଚ ବାକ୍ସକୁ ଅନାଇଲି । ବ୍ୟସ୍ତ ହୁଅନ୍ତୁନି । ଷ୍ଟ୍ରେଚର୍‌ଟା ଲକ୍ କରିଦେଇଛି ଏବଂ କୋକେଇକୁ ଭଲ କରି ବାନ୍ଧି ଦେଇଛି । ଇଞ୍ଚେ ବି ବଡ଼ି ହଲିବନି ।

ଚନ୍ଦୁ କଥା ଶୁଣି ଆଶ୍ୱସ୍ତ ହେଲି । ଲୋକଟାର ବୟସ ଚାଳିଶରୁ ଅଧିକ ହେଲା ବୋଲି ଅନୁମାନ କରୁଥିଲି । ପତଳା ଶରୀର, ମୁଣ୍ଡରେ ମେଞ୍ଚାଏ ବାଳ, ଦେହରେ ଚୁଡ଼ିଦାର ପଞ୍ଜାବୀ ।

ବାରବର୍ଷ ହେଲାଣି ଏ କାମ କରୁଛି । ଆଜି ପର୍ଯ୍ୟନ୍ତ କମ୍ପ୍ଲେନ୍ ନାହିଁ । ଆଜି ସକାଳବେଳା ତିନିଟା ବଡ଼ି ଭୁବନେଶ୍ୱରରେ ନେଇଛି । ଆଚ୍ଛା ଆପଣ ଗୋଟେ ପୁଅ ନା ଆଉ କେହି ଭାଇ ଅଛନ୍ତି ?

ମୁଁ ଗୋଟିଏ ପୁଅ । ସଂକ୍ଷିପ୍ତରେ ଜବାବ୍ ଦେଲି ।

ଗୋଟିଏ ଭଜନ କ୍ୟାସେଟ୍ ଲଗାଇ ଭଲୁ୍ୟମ୍ କମ୍ କରି ଚନ୍ଦୁ କହିଲା, “ଏ ଭଜନ ଶୁଣିଲେ ଆପଣଙ୍କ ମନକୁ ଶାନ୍ତି ମିଳିବ । ବାପା, ମା’ ଚାଲିଗଲେ ପୁଅକୁ ବହୁତ ଦୁଃଖ ହୁଏ । ଗୋଟାଏ ପୁଅ ହୋଇଥିଲେ ଆହୁରି ଅଧିକ । କାରଣ ଦୁଃଖ ଓ ଦାୟିତ୍ୱ ବାଣ୍ଟିବାକୁ ଆଉ କେହି ନ ଥାନ୍ତି । ତେବେ ଦେଖିବେ ପନ୍ଦରଦିନ ଗଲାପରେ ସବୁ ଠିକ୍ ଠାକ୍ ହୋଇଯିବ । ଆପଣ ପାଣି ପିଇବେ କି ?”

ମୋ ମୁଣ୍ଡଟା ଟିକ୍ ଟିକ୍ କରି ବିନ୍ଧୁଥିଲା ଏବଂ ବିଭିନ୍ନ ଭାବନାରେ ମୁଁ ଅନ୍ୟମନସ୍କ ହୋଇ ପଡୁଥିବାବେଳେ ଏ ଚନ୍ଦୁ ନାମ୍ନୀ ଅପରିଚିତ ଲୋକଟାର ବକର ବକର ହେବା ମୋତେ ଜମା ଭଲ ଲାଗୁ ନଥିଲା । ତେବେ ରାତିରେ ଗାଡ଼ିରେ ଯାଉଥିଲା ବେଳେ ଡ୍ରାଇଭର୍ ସହିତ କଥାବାର୍ତ୍ତା କରିବା ନିହାତି ଦରକାର, ଯଦି ତା’ ଆଖି ଲାଗିଯିବ ଆକ୍ସିଡ଼େଣ୍ଟ୍ ହେବାର ଭୟ ବି ଅଛି ।

ଅଗତ୍ୟା ବାଧ୍ୟ ହୋଇ ପାଣି ପାଇଁ ମନା କଲି ଓ ତା’ ଆଡ଼କୁ ଅନାଇ ପଚାରିଲି, “ସ୍ୱର୍ଗଦ୍ୱାରରେ କର୍ମ ପାଇଁ କେତେ ସମୟ ଲାଗିବ ? ପୁରୀ ମନ୍ଦିର ଭଳି ସେଠାରେ ନନାମାନେ ହଇରାଣ କରନ୍ତି ନାହିଁ ତ ?”

ହୋ, ହୋ, ହୋଇ ଏକ ପ୍ରାଣ ଖୋଲା ହସ ହସିଲା ଚନ୍ଦୁ । ସାର୍ ଢିଙ୍କି ସ୍ୱର୍ଗକୁ ଗଲେ ବି ଧାନ କୁଟେ । ଯେଉଁ ମଶାଣିକୁ ଯିବେ ସବୁଠି ଏକା କଥା । ତେବେ ଆଜିକାଲି କିଛି ସରକାରୀ ରେଟ୍ ଫିକ୍ସ ହୋଇଛି । ରାତିରେ ବି ସ୍ୱର୍ଗଦ୍ୱାରରେ ନନାମାନଙ୍କର ଢେର୍ ବେପାର । ସବୁଦିନ ଶହଶହ ଶବସତ୍କାର କରି ହାତ ଚିକ୍କଣ ସମସ୍ତଙ୍କର । କେବଳ ଆମମାନଙ୍କର ଜୀବନ ନିଉଛୁଣ । ଏ ଗାଡ଼ି ବୁକିଂ ପାଇଁ ଆପଣ ଯେଉଁ ଟଙ୍କା ଡିପୋଜିଟ୍ କରିଛନ୍ତି, ସବୁତକ ସେଇ ସଂସ୍ଥାକୁ ଯିବ । ମାସକୁ କେବଳ ଦରମା ଛଅ ହଜାର । ଭୁବନେଶ୍ୱର ପରି ଜାଗାରେ ଏତିକି ଟଙ୍କାରେ ଘରଭଡ଼ା ନେଇ, ପରିବାର ସହିତ ଚଳିବା କ’ଣ ସହଜ ।

ଲୋକଟା ଧୂର୍ତ୍ତ, ଅସଭ୍ୟ ଏବଂ ସମ୍ପୂର୍ଣ୍ଣ ମତଲବି ଭଳି ମୋତେ ଲାଗୁଥିଲା । ଅନ୍ୟମାନଙ୍କ ଦୁଃଖ, ଅସହାୟତା ସମୟରେ ବି ଏଭଳି ଲୋକମାନେ ନିଜର ବ୍ୟବସାୟିକ ଚାଲ୍ ଖେଳିଥାନ୍ତି, ଫାଇଦା ଉଠାନ୍ତି, କେତେବେଳେ ଚତୁରତା, ଛଳନାପୂର୍ଣ୍ଣ କଥାରେ ଭୁଲାଇ, ଅଥବା ନୀତିନିୟମ ସଂସ୍କାରର ଦ୍ୱାହି ଦେଇ ତ କେବେ ନିଜର ମିଥ୍ୟା କାହାଣୀର ଆଢୁଆଳରେ ଇମୋସନାଲ୍ ବ୍ଲାକ୍‌ମେଲିଂ କରି । ମୁଁ ଜାଣିଲି ଲୋକଟା ଏଥର ନିଜ ଚିରାଚରିତ ଢଙ୍ଗରେ ଦୁଃଖ କାହାଣୀ କହି ଟଙ୍କା ମାଗିବ । ମାର୍କେଟିଂ ଷ୍ଟ୍ରାଟାଜି । ଠିକ୍ ଯେମିତି କ୍ରିକେଟ୍, ଫୁଟବଲ୍ ବିଶ୍ୱକପ୍ ପୂର୍ବରୁ ଟିଭି କମ୍ପାନୀମାନଙ୍କର ବ୍ୟବସାୟିକ ଫର୍ମୁଲା ଅଥବା ରିଏଲିଟି ଶୋ’ରେ ପ୍ରତିଯୋଗୀମାନେ ଲୁହ ଝରାଇ ଏସ୍.ଏମ୍.ଏସ୍. ଭୋଟ୍ ମାଗିଲା ପରି ଚନ୍ଦୁ ବି ନିଜକୁ ଉପସ୍ଥାପନା କରିବ । ଏଇ ବାରବର୍ଷର ଦୀର୍ଘ ଅଭିଜ୍ଞତା କ’ଣ କମ୍ ହୋଇଥିବ । ବକ୍ସିସ୍ ହିସାବରେ ନିଶ୍ଚୟ କେତେ ହଜାର ଅବା ଲକ୍ଷ କମେଇ ସାରିବଣି । ଏକଦମ୍ ବର୍ବର ଓ ଅସଭ୍ୟ ଲୋକଟା । ମନେ ମନେ ଭାବୁଥିଲି । ତମେ ବାହା ହୋଇଛ ? ଯଦି ଏଥିରେ ଭଲ ପଇସା ମିଳୁନି ତେବେ ଅନ୍ୟ କାମ କରୁନ । ଟ୍ରକ୍ ଚଳାଇଲେ ତ ବେଶୀ ପଇସା ମିଳିବ ।

ଅଭ୍ୟାସରେ ପଡ଼ିଗଲା ପରେ କାମଟା ଛାଡ଼ି ହୁଏନା । ଟ୍ରକ୍ କିମ୍ୱା ବଡ଼ ଗାଡ଼ି ଚଳାଇବାକୁ ଭାବିଛି । ହେଲେ ପୁଣି ରହିଯାଇଛି । ବାବୁମାନେ କିଏ ଦୁଇଶହ, ପାଞ୍ଚଶହ ଦିଅନ୍ତି ନିଜ ଖୁସିରେ । କେବେ କାହାକୁ ଜବରଦସ୍ତି କରେନା ।

ଲୋକଟା ବୋଧେ ନିଜର ମାଷ୍ଟର ଷ୍ଟ୍ରୋକ୍ ଖେଳିଥିଲା । ତେବେ ଟିକେ ଉଖୁରାଇଲା ଭଳି ପଚାରିଲି, “ଏସବୁ କାମରେ ଡିମାଣ୍ଡ କରିବା, ମାଗିବା ଭାରି ଖରାପ । ନିଜର ପ୍ରିୟଜନଙ୍କୁ ହରାଇ ମଣିଷ କେତେ ଦୁଃଖରେ ଥିବ । ତା’ ଉପରେ ଥରକୁ ଥର ଟୋଲ୍ ଗେଟ୍‌ରେ ପଇସା ଦେଲା ଭଳି ସମସ୍ତଙ୍କୁ ଟଙ୍କା ଦେଉଥିବ । ଏମିତି ପଇସାରୁ କ’ଣ ସୁଖ ମିଳିବ ?”

ମୋତେ ଲାଗୁଥିଲା ପରୋକ୍ଷରେ ଚନ୍ଦୁକୁ ଚାପୁଡ଼ାଟାଏ ମାରିଥିଲା ଭଳି । ମନେ ମନେ ଖୁସି ହେଉଥିଲି । ଲୋକଟା ବୋଧେ ଏଥର କଥାର ମୋଡ଼ ବଦଳାଇବ ।

“ସାର୍, ଘୋଡ଼ା ଯଦି ଦାନା ସହିତ ଦୋସ୍ତି କରିବ, ଖାଇବ କ’ଣ ?” ମୁରୁକି ହସି ଚନ୍ଦୁ ପଚାରୁଥିଲା ।

ଓଃ, କି ବିରକ୍ତିକର ହସ । ଅସ୍ୱସ୍ତି ଭାବ ମୋ ଦେହସାରା ଖେଳିଯାଉଥିଲା । ଏ ଲୋକଗୁଡ଼ାକ ସବୁ ଶାଗୁଣା । କେବଳ ମଢ଼ ନୁହେଁ, ଜୀଅଁନ୍ତା ମଣିଷଙ୍କୁ ବି ଛାଡ଼ିବେନି ଏମାନେ । ଏଇଟା ତ ଆରମ୍ଭ, ଆହୁରି ଆଗକୁ ସ୍ୱର୍ଗଦ୍ୱାର, ଦଶ, ଏଗାର କର୍ମ ବାକି ଅଛି । ମନେ ମନେ ଭାବୁଥିଲି ।

ଘର ଲୋକ ଏବଂ ଆଗରେ ଯାଉଥିବା ବନ୍ଧୁମାନଙ୍କର କ୍ରମାଗତ ଫୋନ୍, କେଉଁଠି ହେଲଣି ? କେତେବେଳେ ପହଞ୍ଚିବ ? ସ୍ୱର୍ଗଦ୍ୱାର ଆଉ କେତେ ସମୟ ଲାଗିବ ?

ସମସ୍ତଙ୍କୁ ଉତ୍ତର ଦେବା ପାଇଁ ଚନ୍ଦୁକୁ ପଚାରୁଥିଲି, “ଆଉ କେତେ ସମୟ ଲାଗିବ ?”

ସାର୍, ଫୋନ୍ଟା ସୁଇଚ୍ ଅଫ୍ କରି ଦିଅନ୍ତୁ । ମୋ ଫୋନ୍ ନମ୍ୱର ଆପଣଙ୍କ ସାଙ୍ଗମାନଙ୍କ ପାଖରେ ଅଛି । ସମୁଦ୍ରରେ ଗାଧେଇ ପାଣି ଆଣିଲା ବେଳେ ହୁସିଆର ଥିବେ । ମୁଖାଗ୍ନି ଦେଇ ଏକ ମୁହଁ ହୋଇ ବାହାରକୁ ଚାଲିଆସିବେ । ପଛକୁ ଅନେଇବେ ନାହିଁ । ମାଲଭାଇମାନେ ଅସ୍ଥି ଶୀତଳାଇ ପରେ ଆଣିବେ ।

ଅନ୍ୟମନସ୍କ ଭାବେ ମୋ ପାଟିରୁ ବାହାରି ପଡ଼ିଲା, ସତରେ ମଣିଷ ଏ ଦୁନିଆଁରେ ଏକୁଟିଆ ହୋଇ ଆସେ ଏବଂ ଯାଏ । ଦେଖୁନ ! ଏତେ ଲୋକ ଆମର ବନ୍ଧୁବାନ୍ଧବ, ହେଲେ ହାତଗଣତି ବନ୍ଧୁଙ୍କୁ ଛାଡ଼ି ଦେଲେ ଆଜି ମା’ଙ୍କ ସଂସ୍କାର ପାଇଁ ସାଙ୍ଗରେ କେହି ଆସିଲେ ନାହିଁ । ଏ ଦୁନିଆଁଟା ପୁରାପୁରି ମତଲବି, ଏଠି କେହି ନିଜର ନୁହେଁ ।

ଗୋଟାଏ ନୂଆ ଭଜନ ସି.ଡ଼ି. ଲଗାଇଲା ଚନ୍ଦୁ । ଗାଡ଼ିର ସାମ୍ନା କାଚକୁ ସଫା କରୁ କରୁ କହିଲା, “ଯଦିଓ ଆପଣଙ୍କ କଥା ସତ, ତେବେ ପୁରାପୁରି ଠିକ୍ ନୁହେଁ । ଅପରିଚିତ ଲୋକମାନେ ବି ଅସମୟରେ ଆମକୁ ସାହାଯ୍ୟ କରନ୍ତି । ଦରକାର ବେଳେ ଭଗବାନ ଆମ ପାଇଁ ଲୋକ ଯୋଗାଡ଼ କରି ଦିଅନ୍ତି । ତା’ ଛଡ଼ା ଗୋଟାଏ ଶବ ପାଇଁ ଚାରିଟା କାନ୍ଧ ହିଁ ଦରକାର । ଭିଡ଼ ନୁହେଁ ବରଂ ଆମ ମନ, ହୃଦୟକୁ ବୁଝୁଥିବା ବନ୍ଧୁଟିଏ ମିଳିବା ହେଉଛି ଭାଗ୍ୟର କଥା ।”

ଏକ ଅଜଣା ଭୟରେ ଦେହଟା ଥରି ଉଠିଲା ମୋର । ସତେ ଯେମିତି ମେରୁଦଣ୍ଡ ଦେଇ ଏକ ଶୀତଳତାର ତଡ଼ିତ୍ ମୋ ଅବ୍ୟୟବରେ ଖେଳିଗଲା ।

ନିଜ ଲୋକକୁ ପୋଡ଼ିବା ଭାରି କଷ୍ଟ । ଅବଶ୍ୟ ତମେ ତ ସବୁଦିନ ଦେଖି ଦେଖି ଅଭ୍ୟସ୍ତ ହୋଇଯିବଣି । ସତ କହିଲ । ଡର ମାଡ଼େନା ?

ମୋ ମୁହଁକୁ ସିଧା କରି ଚାହିଁଲା ଚନ୍ଦୁ । ତା’ ମୁହଁଟା ଦିଶୁଥିଲା ଗମ୍ଭୀର । ଆପଣ ମା’ଙ୍କୁ ବହୁତ ଭଲ ପାଉଥିବେ ଏବଂ ଗୋଟାଏ ପୁଅ ହିସାବରେ ମା’ ବି ଆପଣଙ୍କୁ ସ୍ନେହ କରୁଥିବେ । ହେଲେ ବର୍ତ୍ତମାନ ଆପଣଙ୍କୁ ଚଣ୍ଡାଳର କାମ କରିବାକୁ ପଡ଼ିବ । ଏହା ଆମ ସମାଜର ନିୟମ । ନ ହେଲେ ମୃତଆତ୍ମାକୁ ଶାନ୍ତି ମିଳିବନି । ଏଇ ଦଶଦିନ ଆପଣ ଅଲଗା ରହିବେ, ସାଙ୍ଗରେ ଲୁହା ଜିନିଷ ଧରିବେ ।

ଗାଡ଼ିର ସାମ୍ନା କାଚ ଦେଇ ରାସ୍ତାକୁ ଅନାଇଲି । ରାସ୍ତା କଡ଼ର ଗଛ ଗୁଡ଼ାକ ଧ୍ୟାନ ମଗ୍ନ ମୁନିମାନଙ୍କ ଭଳି ଲାଗୁଥାଆନ୍ତି । ପଛକୁ ବୁଲି ପୁଣି ମା’ର ଦେହକୁ ଅନାଇଲି । କେମିତି ନିସ୍ତେଜ ହୋଇ ପଡ଼ିଛି । ଏ କି ବିବଶତା ! ମୃତୁ୍ୟର ଆଲିଙ୍ଗନ ଏତେ ନିଷ୍ଠୁର । ମା’ର ଆତ୍ମା କ’ଣ ଏଇ ଆଖପାଖରେ ବୁଲୁଥିବ ? ଆଖିଟା ପୋଛି ପକାଇ ହାତରେ ଧରିଥିବା ଲୁହା କଣ୍ଟାଟା ଦେଖାଇ ଚନ୍ଦୁକୁ ପଚାରିଲି, “ସତରେ କ’ଣ ଆତ୍ମାମାନେ ଲୁହା ଜିନିଷକୁ ଡରନ୍ତି ?”

ଏକ ଆମୋଦିତ କଣ୍ଠରେ ଚନ୍ଦୁ ଅଭିଜ୍ଞ ମଣିଷ ପରି କହିଲା, “ଏଗୁଡ଼ାକ ପୁରା ଅନ୍ଧବିଶ୍ୱାସ, ନିଜ ବାପା, ମା’ମାନେ କ’ଣ କେବେ ନିଜ ପିଲାଙ୍କ ଅଶୁଭ ଚିନ୍ତା କରନ୍ତି ? ଜମାରୁ ନୁହେଁ, ରୀତିନୀତି ନାଁରେ ଆମକୁ ଡରାଇବା ବୋଧେ କିଛି ଲୋକଙ୍କ ଉଦ୍ଦେଶ୍ୟ । ଆପଣଙ୍କ ମା’ ଅମୃତବେଳାରେ ଯାଇଛନ୍ତି । ପୁଷ୍କରା ଲାଗିନି । ନ ହେଲେ ବ୍ରାହ୍ମଣ ଫାଲତୁରେ ଅଧିକ ଝଡ଼ାଇଥାନ୍ତା ।”

ଧୀରେ ଧୀରେ ଚନ୍ଦୁ ମୋତେ ଏକ ଦରଦୀ ବନ୍ଧୁ ଭଳି ଲାଗୁଥିଲା । ସ୍ୱର୍ଗଦ୍ୱାରରେ କେତେବେଳେ ପହଞ୍ଚିଲୁ ତାହା ଜଣାପଡ଼ିଲାନି । ବାଟସାରା ବକର ବକର ହୋଇ ତା’ ତଣ୍ଟି ପଡ଼ିନଥାଏ । ଶବ ସତ୍କାରର ସମ୍ପୂର୍ଣ୍ଣ ଧାରା ବିବରଣୀ ଏବଂ ବିଭିନ୍ନ କର୍ମ କଥା ଅନର୍ଗଳ ଗପୁଥିଲା ଚନ୍ଦୁ ।

ମା’ଙ୍କୁ ମୁହଁରେ ନିଆଁଟା ଦେଇ ଉପରକୁ ଉଠି ଯାଆନ୍ତୁ ଆଉ ଏକମୁହାଁ ହୋଇ ବାହାରକୁ ଚାଲିଯାଆନ୍ତୁ ।

ପୁରୋହିତ କଥାରେ ଚମକି ପଡ଼ିଲି ମୁଁ । ଶେଷ ଶଯ୍ୟାରେ ଏବଂ କେତେ ଖଣ୍ଡ କାଠ ଉପରେ ଆରାମରେ ଶୋଇଯାଇଛି ମା’ । ନରମ ଗଦିରେ ଅଭ୍ୟସ୍ତ ମୋ ମା’କୁ କଷ୍ଟ ହେଉନଥିବ ? ଇଚ୍ଛା ହେଉଥିଲା ମା’କୁ କୁଣ୍ଢେଇ ଧରି ଉଠାଇ ଆଣି କୋଳରେ ରଖିବା ପାଇଁ । ଜୀବନର ଶେଷ ପରିଣତି ଏତେ ଭୟଙ୍କର !

ସ୍ୱର୍ଗଦ୍ୱାରର ଚାରିଆଡ଼େ ଜଳୁଥିବା ଜୁଇ ଏବଂ ଠିଆ ହୋଇଥିବା ଆତ୍ମୀୟମାନଙ୍କୁ ଦେଖି ମୋର ଭାବାନ୍ତର ସୃଷ୍ଟି ହେଉଥାଏ, ଆଜ୍ଞା, ଶୀଘ୍ର ନିଆଁ ଦିଅନ୍ତୁ ।

ବ୍ରାହ୍ମଣ କଥା ଶୁଣି ଯନ୍ତ୍ରବତ୍ କାମ ସାରିବା ଆଗରୁ ଶେଷଥର ପାଇଁ ମା’ର ମୁହଁକୁ ଚାହିଁଲି, ସବୁଦିନ ଭଳି ଆଜି ବି ପ୍ରତିବାଦହୀନ । ଜାଣିଶୁଣି ଶୋଇବାର ଛଳନା କରୁନାହିଁ ତ ? କିଏ ଜାଣେ ହୁଏତ ନିଆଁ ଦେଖିଲେ ଉଠି ବସିବ । ଆଗକୁ ପାଦ ବଢ଼ାଇଲି । ଲାଗୁଥିଲା ଯେମିତି ମୁଁ ଖଣ୍ଡବିଖଣ୍ଡିତ ହୋଇଯାଉଛି ।

ମୋତେ ମା’ ମୁହଁଟା ପରିଷ୍କାର ଦିଶୁନଥିଲା । ଚାରିଆଡ଼ ଜୁଇର ଧୂଆଁ ଓ ଲୁହରେ ମୋ ଆଖି ବନ୍ଦ ହୋଇଯାଉଥାଏ । ମୁଖାଗ୍ନି ଦେଇ ଏକମୁହାଁ ହୋଇ ଚାଲିଆସିଲି ।

ଅସହାୟତା ଓ ବିବଶତା ମୋତେ ଯେମିତି କବଳିତ କରି ପକାଉଥିଲା । ମୋତେ ସବୁଠୁ ଦୁଃଖ ଲାଗୁଥିଲା ଯେ, ମୋତେ ପ୍ରବୋଧନା ଦେବା ପାଇଁ ନିଜ କୁଟୁମ୍ୱର ଲୋକ କେହି ସ୍ୱର୍ଗଦ୍ୱାର ଆସିନଥିଲେ । କିଛି ଅଫିସ୍ ବନ୍ଧୁ । ବାସ୍, ଏମାନେ ଥିଲେ ମୋ ମା’ଙ୍କର ଶେଷଯାତ୍ରାରେ ମୋ ସହଯାତ୍ରୀ । “ସମ୍ପଦେ ସଭିଏଁ ସଖା, ବିପଦେ ନ ଦିଅନ୍ତି ଦେଖା” । ଚନ୍ଦୁ କଥା ମନେ ପଡ଼ିଗଲା ।

ମନକୁ ମନ ହସିଲି । ଏଗାର, ବାର ଦିନ ଭୋଜିରେ ନିଶ୍ଚୟ ସମସ୍ତ ଜ୍ଞାତି କୁଟୁମ୍ୱଙ୍କ ସହ ଦେଖା ହେବ । ମୋ ମନର ସୁକୋମଳ ଆତ୍ମାଟା ଯେମିତି ମରିଯାଉଥିଲା । ସ୍ୱର୍ଗଦ୍ୱାର ସାମ୍ନା ରାସ୍ତାରେ ସବୁ ଦୋକାନ ବନ୍ଦ ଥିବାରୁ ଚାରିଆଡ଼ ଶୁନଶାନ୍ ଲାଗୁଥିଲା । ମଝିରେ ମଝିରେ କୁକୁରମାନଙ୍କ ଭୁକିବାର ଶବ୍ଦ ଏବଂ ଶବବୁହା ହୋଇ ଆସୁଥିବା ଗାଡ଼ିର ଶବ୍ଦ ତଥା ମାଲଭାଇମାନଙ୍କ ପାଟିରେ ନିସ୍ତବତା ଭଙ୍ଗ ହେଉଥାଏ । ରାସ୍ତା ପାଖ ଗୋଟେ ଦୋକାନର ସିମେଣ୍ଟ୍ ବେଞ୍ଚରେ ବସିଲି । କିଏ ଜଣେ ମୋ ପାଖରେ ଥାଆନ୍ତା କି ?

ହଠାତ୍ କାନ୍ଧରେ କାହା ହାତର ସ୍ପର୍ଶ ପାଇ ବିଜୁଳି ସକ୍ ଖାଇଲା ଭଳି ଚମକି ପଡ଼ିଲି । ପଛପଟେ ଚନ୍ଦୁକୁ ଦେଖି ମୋ ଆଶ୍ଚର୍ଯ୍ୟର ସୀମା ରହିଲା ନାହିଁ । କ’ଣ ପାଇଁ ଅପେକ୍ଷା କରିଛି ଲୋକଟା । ମୁଁ ତ ଅନ୍ୟମାନଙ୍କ ସହ କାର୍‌ରେ ଫେରିବି । ଦୁଇ ଶହ ବଦଳରେ ପାଞ୍ଚଶହ ଟଙ୍କା ବକ୍ସିସ୍ ଦେଇଥିଲି । ପୁଣି କ’ଣ ପଇସା ଲୋଭରେ ବସିଛି ?

ସାର୍, ମୋ ଗାଡ଼ିରେ ଆପଣଙ୍କ ପର୍ସ ଓ ମୋବାଇଲ୍ ରହିଯାଇଥିଲା । ଭୁଲ୍‌ରେ ଛାଡ଼ି ଦେଇଥିଲେ । ଅଧାବାଟରୁ ଯାଇ ଫେରିଆସିଲି । ମୋତେ ଚୋର ବୋଲି ଭାବିଥାନ୍ତେ । ଭାଗ୍ୟ ଭଲ ମୋ ଆଖିରେ ପଡ଼ିଗଲା ।

ଟଙ୍କା ଭର୍ତ୍ତି ପର୍ସଟା ଦେଖି ଚନ୍ଦୁର ସାଧୁତାକୁ ଧନ୍ୟବାଦ୍‌ରେ ପୋତି ପକାଇବାକୁ ଇଚ୍ଛା ହେଉଥିଲା । ଘରେ ପହଞ୍ଚି ନ ଗାଧୋଇବା ପର୍ଯ୍ୟନ୍ତ କାହା ସହିତ କଥାବାର୍ତ୍ତା ନ ହେବା ପାଇଁ ପୁରୋହିତଙ୍କ ବାରଣକୁ ଭୁଲି ଚନ୍ଦୁକୁ କହିଲି, “ଥ୍ୟାଙ୍କ୍ ୟୁ ଭେରି ମଚ୍ ।”

ଆପଣ ନିଜ ଜିନିଷ ଓ ଟଙ୍କା ଦେଖି ନିଅନ୍ତୁ ।

ଚନ୍ଦୁ କଥା ଶୁଣି ମୋତେ ଲାଜ ମାଡୁଥିଲା । ମୋବାଇଲ୍ଟା ମୁଁ ସୁଇଚ୍ ଅଫ୍ କରି ଦେଇଥିଲି ଏବଂ ଅନ୍ତେଷ୍ଟିକ୍ରିୟା ହୋହାଲ୍ଲାରେ ପୁରାପୁରି ଭୁଲିଯାଇଥିଲି ।

ମୋ ପାଖରେ ଟିକେ ବସିବ । ଅନୁରୋଧ କଲା ଢଙ୍ଗରେ କହିଲି । ମୋ ସାମ୍ନାରେ ବସିଲା ଚନ୍ଦୁ ଏବଂ ମୋତେ କହିଲା, “ଆପଣଙ୍କୁ ବହୁତ କଷ୍ଟ ଲାଗୁଥିବ । କ’ଣ କରିବା । ଏହା ତ ଆମ ରୀତି ନିୟମ ।”

ବଡ଼ପୁଅ ହେବା ସତରେ ବଡ଼ ଅଭିଶାପ । ମା’ ମୁହଁରେ ନିଆଁ ଦେଇ ଘୃଣା ଆସୁଛି ନିଜ ଉପରେ । ଏଇଟା ଦୁନିଆଁର ସବୁଠୁ ବଡ଼ ପାପ କାମ । ତମେ କେବେ ଏ କାମ ଯଦି କରିବ ତାହାହେଲେ ଜାଣନ୍ତ । ଅବଶ୍ୟ ତମର ଏସବୁ ଦେହସୁହା ହୋଇଯିବଣି । ଏଭଳି ପରିସ୍ଥିତିରେ ଗୋଟେ ପୁଅର ମନର ଅବସ୍ଥା ତମେ କେମିତି ଜାଣିବ ?

ମୋ ଦୁଇ ହାତକୁ ଚାପିଧରି ହଠାତ୍ ଭୋ ଭୋ ହୋଇ କାନ୍ଦି ଉଠିଲା ଚନ୍ଦୁ, “ସାର୍, ଆପଣ ଯାହାକୁ ଅଭିଶାପ ବୋଲି କହୁଛନ୍ତି ତାହା ଦୁନିଆଁର ସବୁଠୁ ବଡ଼ ପୁଣ୍ୟକାମ । ମୁଁ ଦୁନିଆଁର ସବୁଠୁ ବଡ଼ ହତଭାଗା ପୁଅ । ଏକମାତ୍ର ପୁଅ ହୋଇ ସୁଦ୍ଧା ନିଜ ବାପା, ମା’ଙ୍କୁ ମୁଖାଗ୍ନି ଦେଇ ପାରିଲିନି ବୋଲି ଆଜି ପର୍ଯ୍ୟନ୍ତ ଅନୁତାପର ନିଆଁରେ ପ୍ରତିମୁହୂର୍ତ୍ତରେ ଜଳିପୋଡ଼ି ମରୁଛି ।” ଟିକିଏ ନିଶ୍ୱାସ ନେଇ ଚନ୍ଦୁ ପୁଣି କହିଲା, “ଆଗରୁ ଟ୍ରକ୍ ଡ୍ରାଇଭର୍ ଭାବେ କାମ କରୁଥିଲି । ଗାଡ଼ି ନେଇ କାଶ୍ମୀର ଯାଇ ବରଫ ଝଡ଼ ଓ ବନ୍ୟା ଯୋଗୁଁ ଗୋଟେ ମାସ ଫଶିଯାଇଥିଲି । ସେତେବେଳେ ଆଜିକାଲି ଭଳିକା ମୋବାଇଲ୍ ସୁବିଧା ନଥିଲା । ଗୋଟେ ରୋଡ୍ ଆକ୍ସିଡେଣ୍ଟ୍‌ରେ ମୋ ବାପା, ମାଆ ଚାଲିଗଲେ । ମୁଁ ଘରକୁ ଫେରିଲାବେଳକୁ ମାସେ ବିତିଯାଇଥିଲା । ବାପା, ମା’ଙ୍କ ଏଗାରକର୍ମ ବି ସାରିଦେଇଥିଲେ ସମ୍ପର୍କୀୟମାନେ । ଅନୁତାପ ଓ ଅବଶୋଷରେ ଟ୍ରକ୍ ଡ୍ରାଇଭର୍ କାମ ଛାଡ଼ିଦେଇ, ଏହି ଶବବୁହା କାମକୁ ଆଦରି ନେଲି । ଭାବୁଛି ଏଥିରୁ କିଛି ପୁଣ୍ୟ କମାଉଛି ବୋଲି । ନିଜ ବାପା, ମା’ଙ୍କୁ କାନ୍ଧ ଦେଇପାରିନଥିବାର ଦୁଃଖ, ଅନ୍ୟମାନଙ୍କ ଶବ ବୋହି ଲାଘବ କରାଉଛି ଓ ମନକୁ ବୁଝାଉଛି ।”

ଚୁପଚାପ୍, ଗୁମଶୁମ୍ ହୋଇ ବସିଥିଲା ଚନ୍ଦୁ । ଏମିତି ଗୋଟେ ଦୁଃଖଦ ସତ୍ୟ ଯେ ତା’ ଭିତରେ ଲୁଚି ରହିଥିବ ତାହା ମୁଁ ଭାବିନଥିଲି । ଅଗଣିତ ଶବଙ୍କୁ ନିଜ ଗାଡ଼ିରେ ନେଉଥିବା ଲୋକଟା, ନିଜ ବାପା, ମା’ଙ୍କୁ ଶେଷ ସମୟରେ ଦେଖିପାରିନି କିମ୍ୱା କାନ୍ଧ ବି ଦେଇପାରିନି । କ’ଣ ବିତୁଥିବ ତା’ ଉପରେ !

ତମେ ମୋ ମା’ଙ୍କ ଏଗାର କର୍ମରେ ପ୍ରସାଦ ସେବନ ପାଇଁ ଆସିଲେ ମୁଁ ବହୁତ ଖୁସି ହେବି । ଗୋଟେ ବନ୍ଧୁ ହିସାବରେ ତମକୁ ନିମନ୍ତ୍ରଣ କରୁଛି । ଆସିବ ତ ?

ଏକ ଆବେଗଭରା କଣ୍ଠରେ ଚନ୍ଦୁ କହିଲା, “ସାର୍, ଏଇଟା ତ ମୋ ଭାଗ୍ୟ । ନ ହେଲେ ଆମ ପରି ଡ୍ରାଇଭର୍‌କୁ କିଏ ପଚାରେ ? ମୁଁ ନିଶ୍ଚୟ ଆସିବି ।”

ପକେଟ୍‌ରେ ଏକ କାଗଜ ଖୋଳଟେ ମୋର ହାତରେ ଗୁଞ୍ଜି ଦେଇ କହିଲା, “ମା’ଙ୍କ କ୍ରିୟାକର୍ମରେ ବ୍ରାହ୍ମଣ ଭୋଜନ ପାଇଁ ଏଇଟା ମୋ ତରଫ୍‌ରୁ । ଦୟାକରି ମନା କରିବେନି । ଆପଣଙ୍କ ପରି ସ୍ନେହୀ, ଦରଦୀ ପୁଅ ହାତରେ ଦାନ କରାଇଲେ ମୋତେ ବି କିଛି ଅଧିକ ପୁଣ୍ୟ ମିଳିବ । ଏ ଗରିବ ବନ୍ଧୁର କ’ଣ ଏତିକି ଅଧିକାର ନାହିଁ । ମୁଁ ବି ଆପଣଙ୍କ ମାଲଭାଇ ।”

ଚନ୍ଦୁର କଥା ପଦକ ମୋତେ ହତବାକ୍ କରିଦେଇଥିଲା । ଲୋଭୀ, କ୍ରୁର, ଅସଭ୍ୟ ମଣିଷ ବଦଳରେ ଚନ୍ଦୁ ଲାଗୁଥିଲା ଏକ ବିବେକୀ, ଆତ୍ମୀୟତାଭରା ଦରଦୀ ବନ୍ଧୁଟିଏ ଭଳି । ମତଲବି ଦୁନିଆଁରେ ମହାର୍ଗ ନିଆରା ମଣିଷଟିଏ ।

ଅସ୍ଥି କଳସ ନେଇ ମାଲଭାଇମାନେ ଆସିଯାଇଥିଲେ । ମୁହଁରେ ଏକ ରହସ୍ୟମୟ ହସ ଖେଳାଇ ଚନ୍ଦୁ ଚାଲିଯାଉଥିଲା । ସ୍ୱର୍ଗଦ୍ୱାରରେ ଜଳୁଥିବା ଚିତାଗୁଡ଼ିକୁ ଦେଖି ପୁଣି ଭାବାନ୍ତର ସୃଷ୍ଟି ହେଉଥିଲା । ଧୂଆଁଳିଆ ପବନରେ ଆଖିଗୁଡ଼ାକ ବାଷ୍ପାୟିତ ହୋଇ ଉଠୁଥିଲା । ଚନ୍ଦୁର ହସଟାକୁ ମନେପକାଇ ଭାବୁଥିଲି ବିଚରା ନିଜର ବିବଶତା ଓ ଦୁଃଖଦ ସ୍ମୃତିକୁ ଲୁଚାଇବା ପାଇଁ ହସିବାର ଅଭିନୟ କରୁନାହିଁ ତ ! ସାମ୍ନା ରାସ୍ତାକୁ ଅନାଇଲି । ଶେଷଯାତ୍ରା ଲେଖାଯାଇଥିବା ଗାଡ଼ିଟି ଧରି ଚନ୍ଦୁ ଅଦୃଶ୍ୟ ହୋଇଯାଉଥିଲା । ଚନ୍ଦୁ ଦେଇଥିବା କାଗଜଗୁଡ଼ା ପ୍ୟାକେଟ୍ ଖୋଲିଲି । ମୁଁ ଦେଇଥିବା ପାଞ୍ଚଶହ ଟଙ୍କା ନୋଟ୍‌ଟା ହିଁ ଭିତରେ ଥିଲା । ସତରେ ବଡ଼ ଅଦ୍ଭୁତ ଏ ମଣିଷ ଚନ୍ଦୁ ।

ଡାହାଣ ହାତରେ ଧରିଥିବା ଲୁହାକଣ୍ଟାକୁ ଦେଖି ଚନ୍ଦୁର କଥା ମନେପଡ଼ିଗଲା । ବାପା, ମା’ମାନେ କ’ଣ କେବେ ପ୍ରେତ ହୋଇ ନିଜ ପିଲାଙ୍କୁ ଡରାନ୍ତି !

ହାତରେ ଧରିଥିବା ଲୁହା କଣ୍ଟାଟା ରାସ୍ତାକଡ଼କୁ ଫୋପାଡ଼ି ଦେଇ କାର୍ ଆଡ଼କୁ ଆଗେଇଲି । କୁହୁଡ଼ିର ଭ୍ରମ ସୃଷ୍ଟି କରୁଥିବା ଜୁଇ ଧୂଆଁର ପତଳା ଆବରଣର ଫାଙ୍କ ଦେଇ ସକାଳର ସୂର୍ଯ୍ୟକିରଣ ଧୀରେ ଧୀରେ ସ୍ୱର୍ଗଦ୍ୱାରର ପରିବେଶକୁ ଆଲୋକିତ କରୁଥିଲା ।

ଲୋକପ୍ରିୟ ଲେଖା

To Top