ଗଳ୍ପ

ମଝି ପାଚେରୀ

Dr Bibhuti Pattanaik's odia story Majhi Paacheri

ତୁ ତ ଜାଣୁ, ମୁଁ ଜଣକର ସ୍ୱାମୀ, ଜଣକର ଜନକ । ଏଇ ବନ୍ଧନ ଶିକୁଳିରେ ମୁଁ ଗୃହବନ୍ଦୀ । ମୁଁ ତତେ ଘର ତୋଳିବାରେ କି ପ୍ରକାର ସାହାଯ୍ୟ କରିପାରିବି ।

ମଝି ପାଚେରୀ

ଆଶ୍ୱିନର ଶୀତ ସକାଳ ।

ଅଶ୍ୱିନୀ ଖବରକାଗଜର ପୃଷ୍ଠା ଓଲଟାଉ ଥିଲା ।

ଅଳକା ସଯତ୍ନରେ ଚା’କପ୍‌ଟା ତା’ ସାମ୍ନାରେ ରଖି ଦେଇ ପୁଣି ଅନ୍ତରାଳକୁ ଚାଲିଗଲା ।

ଅଶ୍ୱିନୀ ଖବରକାଗଜ ଉପରୁ ଦୃଷ୍ଟି ଫେରାଇ ଆଣି ଚା’ କପ୍ ଉଠାଇ ନେଇ ଗୋଟାଏ ଢୋକ ପାଟିକୁ ନେଇ ବିରକ୍ତିରେ ଥୁ’ ଥୁ’ କରି ପାଟି ଭିତରକୁ ନେଇଥିବା ତରଳ ଉଷ୍ମ ପାନୀୟ ଉଦ୍‌ଗାରି ପକାଇଲା ।

କ’ଣ ହେଲା ? ଗରମ ଚା’ରେ ଜିଭ ପୋଡ଼ିଗଲା । ଟିକିଏ ରଖି ଥୋଇ ଆସ୍ତେ ଆସ୍ତେ ପିଇଥିଲେ ହୁଅନ୍ତା ନାଇଁ !

ଅଳକା ଅନ୍ତରାଳରୁ ବାହାରି ଆସି ଟେବୁଲ୍ ଉପରୁ ଅଇଣ୍ଠା ଚା’ର ଅବଶିଷ୍ଟାଂଶ ଛୋଟ ଟାଓଲରେ ପୋଛି ନେଲା ।

ଗରମ ଚା’ରେ ଜିଭ ପୋଡ଼ି ଯାଇ ନାଇଁ । ସ୍ୱାଦ, ବାସ୍ନାହୀନ ଗରମ ପାଣି ପାଟିକୁ ନେବା ମାତ୍ରେ ବାନ୍ତି ଉଠିଆସିଲା । ଏଇଟା ଚା’ ନା ଗୋବର ପାଣି ?

ଅଳକା ନିଜେ ପରିତ୍ୟକ୍ତ ଚା’ କପ୍ ନିଜ ଓଠ ପାଖକୁ ନେଇ ଢୋକେ ପାଟି ଭିତରକୁ ନେଲା ।

କହିଲା- ଠିକ୍ ତ ଅଛି ! ବାସ୍ନା ନାହିଁ- କାରଣ ଏଇଟା ପତ୍ର ଚା’ ନୁହେଁ- ଗୁଣ୍ଡ ଚା’ ! ଚା’ ଗୁଣ୍ଡରେ ଆଜିକାଲି ଅପମିଶ୍ରଣ ହେଉଛି ବୋଲି ଓଡ଼ିଆ ଖବରକାଗଜରେ ବାହାରିଥିଲା ।

ଚା’ କରି ନ ଜାଣି ଗୁଣ୍ଡ ଚା’ର ଦୋଷ । ପତ୍ର ଚା’ରେ ରଙ୍ଗ ହୁଏ ନାଇଁ ବୋଲି ଗୁଣ୍ଡ ଚା’ ପ୍ୟାକେଟ୍ ଆଣିଥିଲି, ଦାର୍ଜିଲିଂ ଟି । ଗୁଣ୍ଡ ହେଲେ ବି ବାସ୍ନା ରହିବା କଥା । ବାସ୍ନା ଗଲା କୁଆଡ଼େ ?

ଅଳକା ବାହାରକୁ ଚାହିଁଲା । ଆକାଶକୁ ଅନେଇଲା, ଆକାଶରେ ନୀଳ ନୀଳ ହାଲ୍କା ମେଘର ଭେଳା । ରଙ୍ଗ ଅଛି, ବାସ୍ନା ନାହିଁ । ଏଇଟା କ’ଣ ତା’ର ଦୋଷ ?

ସ୍ୱାମୀଙ୍କ ଆଡ଼କୁ ଦୃଷ୍ଟି ଫେରାଇ ପଚାରିଲା- “ତମେ କ’ଣ କହିବାକୁ ଚାହୁଁଛ ? ମୋ ହାତ ବାଜି ଚାରୁ ବାସ୍ନା ବାହାରି ଯାଇଛି । ତାହା ହେଲେ ଚା’ କରିବାକୁ ତମେ ଗୋଟାଏ ଅଲଗା ଲୋକ ରଖ ।”

ଅଭିମାନରେ ଅଳକାର କଣ୍ଠସ୍ୱର ଶେଷ ଆଡ଼କୁ ଶିସା ଭଳି ଓଜନିଆ ଜଣାପଡୁଥିଲା ।

ଅଶ୍ୱିନୀ ପରିହାସ କଲାଭଳି ପଚାରିଲା- “ଚା’ ପାଇଁ ଅଲଗା ଲୋକ ରଖିବି । ରୋଷେଇ ପାଇଁ ଅଲଗା ଲୋକ ଅଛି । ତମେ କ’ଣ କରିବ ? ବସି ବସି ଚିତ୍ର ଆଙ୍କିବ ?”

ସ୍ୱାମୀଙ୍କ ରୁକ୍ଷ କଣ୍ଠସ୍ୱର ଅଳକାର ସ୍ୱାଭିମାନକୁ ଆହତ କଲା । ତା’ର ଶିଳ୍ପୀ ସତ୍ତାକୁ ଆଞ୍ଚୁଡ଼ି ଲହୁଲୁହାଣ କରିଦେଲା ।

ତମେ କ’ଣ ମତେ ଚା’ କରି ଦେବା ପାଇଁ ବାହା ହୋଇଥିଲ । ମୁଁ ତ ସ୍କୁଲର ଶିକ୍ଷୟିତ୍ରୀ ଥିଲି, ବାହା ହେଲା ପରେ ମତେ ଚାକିରୀରୁ ବାହାର କରି ଆଣିଥିଲ କାହିଁକି ?

ମୁଁ ଚାକରାଣୀ ସ୍ତ୍ରୀ ଚାହୁଁ ନ ଥିଲି । ମୋ ସ୍ତ୍ରୀ ବାହା ହେଲା ପରେ ଅନ୍ୟତ୍ର ଚାକିରୀ କରୁ- ଏକଥା ଚାହିଁ ନଥିଲି । ଆଜି ମଧ୍ୟ ଚାହେଁ ନାହିଁ । ବାହା ହେଲା ପରେ ତମେ ଘର ସମ୍ଭାଳିବ ବୋଲି ଶିକ୍ଷୟିତ୍ରୀ ଚାକିରୀରୁ ଇସ୍ତଫା ଦେବା ପାଇଁ କହିଥିଲି । ସେ ଘର ସମ୍ଭାଳିବା ଭିତରେ ରୋଷେଇ ଆଉ ଚା’ କରିବା ଅନ୍ତର୍ଭୁକ୍ତ । କିନ୍ତୁ ଆଜିକାଲି ତମର ଛବି ଆଙ୍କିବାରେ ମନ, ଘର ସଂସାରରେ ମନ ନାହିଁ । ଚା’ରେ ବାସ୍ନା ନାହିଁ । ତରକାରୀରେ ସ୍ୱାଦ ନାହିଁ- ନା- ମୁଁ ଆଉ ତମର ଏ ଅତ୍ୟାଚାର ସହି ଚୁପ୍ ରହିପାରିବି ନାଇଁ । ତମେ ଛବି ଅଙ୍କା ଛାଡ଼, ତା’ ନ ହେଲେ ଏ ଘର ତମକୁ ଛାଡ଼ିବାକୁ ଯେ ପଡ଼ିବ ।

ହାତରୁ ଖସି ତଳେ ପଡ଼ିଥିବା କଂସା ବାସନର ଶବ୍ଦ ହେଲା । ବାହାରେ ନୁହେଁ, ତା’ ଛାତି ଭିତରେ ।

ସେ ସ୍ୱାମୀଙ୍କ କଥା ଠିକ୍ ଶୁଣିଛି କି ନାହିଁ- ପ୍ରଥମେ ମନେ ମନେ ଭାବି ଦେଖିଲା । ଛବି ଅଙ୍କା ନ ଛାଡ଼ିଲେ ତାକୁ ତା’ର ଏଇ ସଜ୍ଜିତ ସଂସାର ଛାଡ଼ି ଯିବାକୁ ହେବ-ଅଶ୍ୱିନୀ ଠିକ୍ ଏଇଆ କହିଲେ ତ ?

ଏକଥା ସେ କହିଥିବେ ବୋଲି ତା’ର ବିଶ୍ୱାସ ହୋଇ ନଥିଲା । ସେ ଭୁଲ୍ ଶୁଣିଛି ବୋଲି ସନ୍ଦେହ କରି ଆଉ ଥରେ ପଚାରିଲା- “କ’ଣ କହିଲ ? ମୁଁ ଯଦି ଛବି ଅଙ୍କା ଛାଡ଼ି ନ ଦିଏ- ତମେ ମତେ ଏ ଘରୁ ତଡ଼ି ବାହାର କରିଦେବ !”

ଅଶ୍ୱିନୀ ସିଧା କଥାର ମଣିଷ । ସେ ଯାହା ଚାହେଁ, ତାହା ଦ୍ୱିଧାହୀନ ଭାବରେ ସ୍ପଷ୍ଟ କହିଦିଏ ।

ସେ ଷ୍ଟେଟ୍ ବ୍ୟାଙ୍କର କ୍ଲାସ୍ ୱାନ୍ ଅଫିସର୍ । ବାହା ହେଲାବେଳେ ପ୍ରୋବେସନ୍‌ରେ ଥିଲା, ଏବେ କନ୍‌ଫର୍ମଡ୍ । ତା’ର ହିସାବ ଭୁଲ୍ ହେବାର ନୁହେଁ । ସେ ଅଙ୍କ କଷି ଦେଖିଛି, ଏକ୍ ଯୁକ୍ତ ଏକ୍ ସମାନ ଦୁଇ ହୋଇଯାଉଛି, ଏକ୍ ହେଉ ନାହିଁ । ସେ ଦୁହେଁ ଦୁଇଟି ଅଲଗା ସତ୍ତା । ଏକାତ୍ମ ହୋଇ ପାରୁ ନାହାନ୍ତି । ଜଳରେ ଜଳ ମିଶିଲେ ଏକାକାର ହୋଇଯାଏ- ଜଳରେ ତେଲ ମିଶିଲେ ଯେତେ ଚେଷ୍ଟା କଲେ ବି ତାହା ମିଶିଯାଏ ନାହିଁ- ଅଲଗା ହୋଇ ରହେ ।

– ହଁ, ମୁଁ ତାହା ହିଁ କହୁଛି ।

– ତମେ ଚାହିଁଥିଲ ବୋଲି ମୁଁ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ ଶିକ୍ଷୟିତ୍ରୀ ଚାକିରୀ ଛାଡ଼ିଥିଲି । ଆଜି ମତେ ଛବି ଅଙ୍କା ଛାଡ଼ିବା ପାଇଁ କହୁଛ । ଛବି ଅଙ୍କା ନ ଛାଡ଼ି, ତମେ ମତେ ଛାଡ଼ି ଚାଲିଯାଅ । ସେଥିପାଇଁ ତମକୁ ମୁଁ ବିଧିସମ୍ମତ ଅର୍ଥରାଶି କ୍ଷତିପୂରଣ ଦେବା ପାଇଁ ପ୍ରସ୍ତୁତ । କିନ୍ତୁ ସେ କଥା ସେ ଚାହିଁଲେ ସୁଦ୍ଧା ମୁହଁ ଖୋଲି କହିପାରିଲା ନାହିଁ ।

କେହି ଜଣେ ପଛପଟୁ ଆସି ତା’ର ଜିଭ ଟାଣି ଧରିଲା ।

ସେ ଖନେଇ ଖନେଇ କହିଲା- “ତମର ଏ ପ୍ରଶ୍ନର ସଠିକ୍ ଉତ୍ତର ଦେବା ପାଇଁ ମତେ ଆଠଦିନ ସମୟ ଦିଅ । ଆମ ବାହାଘରର ଆୟୁଷ ଠିକ୍ ଆଠବର୍ଷ । ଆଠବର୍ଷ ବିବାହିତ ଜୀବନର ଭଲ ମନ୍ଦ ଭାବି ଦେଖିବା ଲାଗି ମତେ ଆଠଦିନ ସମୟ ତମକୁ ନିଶ୍ଚୟ ଦେବାକୁ ପଡ଼ିବ ।”

ଏଇ ଆଠଦିନ ଅଳକାକୁ ଯନ୍ତ୍ରଣାର ଶରଶଯ୍ୟାରେ ଶୋଇ ରହି ଛଟପଟ ହେବାକୁ ପଡ଼ିବ ।

—–x —–

ଅସମୟରେ ଅଳକାକୁ ଦେଖି ଅବକାଶ ପ୍ରଥମେ ବିସ୍ମିତ ଓ ପରେ ଭୟଭୀତ ହୋଇପଡ଼ିଥିଲା ।

ଅଳକା ଦେଖାଯାଉଥିଲା ଏକ ଧ୍ୱସ୍ତବିଧ୍ୱସ୍ତ ପ୍ରାଚୀନ ଦୁର୍ଗ ଭଳି । ଆଲୁଳାୟିତ କେଶ । ଅବିନ୍ୟସ୍ତ ବେଶଭୂଷା । ବିପର୍ଯ୍ୟସ୍ତ ଚେହେରା । ସତେ ଯେପରି ଭୂମିକମ୍ପରେ ସେ ଭାଙ୍ଗି ଭୁଶୁଡ଼ି ପଡ଼ିଥିବା କାରୁକାର୍ଯ୍ୟ ଖଚିତ ମନ୍ଦିରର ମୁଖଶାଳା ।

ତୋର କ’ଣ ହୋଇଛି ?

କ’ଣ ନ ହୋଇଛି ପଚାର ।

ଦୁହେଁ ଦୁହିଁଙ୍କ ମୁହଁକୁ କିଛି ସମୟ ଅପଲକ ଆଖିରେ ଚାହିଁ ରହିଲେ । ପରସ୍ପରକୁ ଚିହ୍ନିବାକୁ ଚେଷ୍ଟା କଲେ । ଯେତେ ନିରେଖି ଚାହିଁଲେ ବି ସେତେ ଅଚିହ୍ନା ଦେଖା ଯାଉଥିଲେ ।

ତମେ ମତେ ଏମିତି ସନ୍ଦେହୀ ଦୃଷ୍ଟିରେ ଅନେଇ ରହିଛ କ’ଣ ? ତମକୁ ମୋର କେତେଗୁଡ଼ାଏ କଥା କହିବାର ଅଛି । ଆଜି ନ କହିଲେ- ଆଉ କେବେ ହୁଏତ କହିପାରିବି ନାଇଁ ।

ତୁ ଯେ ମୋ ସହିତ ଦେଖା କରିବାକୁ ଆସିଛୁ, ତାହା ତୋ ସ୍ୱାମୀ ଜାଣନ୍ତି । ସେ ତ କୁଆଡ଼େ ବାହାଘରବେଳେ ସର୍ତ୍ତ ରଖିଥିଲେ, ମୋ ସହିତ ଜୀବନରେ କେବେ ହେଲେ ଦେଖା କରିବ ନାହିଁ ! ମୋ କଥା ଭାବିବ ନାଇଁ ! ଠିକ୍ ନା ?

ଅଳକା କିଛି ଉତ୍ତର ଦେଲା ନାହିଁ ।

ତା’ ଅର୍ଥ ତୁ ତୋ ସ୍ୱାମୀଙ୍କୁ ସପିଙ୍ଗ କରିବା ପାଇଁ କି ସିନେମା ଦେଖିବା ଲାଗି କହି ଲୁଚି ଲୁଚି ମୋ ପାଖକୁ ଦେଖା କରିବାକୁ ଚାଲି ଆସିଛୁ । ଠିକ୍ କ’ଣ କହିବାକୁ ଚାହୁଁ କହ ।

ତାଙ୍କ ଅନୁମତି ନେଇ ତମ ସହିତ ଦେଖା କରିବାର କିଛି ପ୍ରୟୋଜନ ନାହିଁ । ସେ ମତେ ତାଙ୍କର ଘର ଛାଡ଼ି ଚାଲିଯିବାକୁ ଆଠିଦିନିଆ ଅଗ୍ରିମ ନୋଟିସ୍ ଦେଇ ସାରିଛନ୍ତି । ସେ ଆଠ ଦିନରୁ ଗୋଟିଏ ଦିନ ଗଲା ।

ପାଦରେ କଣ୍ଟା ଫୁଟି ଝୁଣ୍ଟି ପଡ଼ିଲା ପରେ ଅବକାଶ ଚିହିଁକି ଉଠିଲା ।

ଅଶ୍ୱିନୀ ବାବୁ ଘର ଛାଡ଼ି ଚାଲିଯିବାକୁ ନୋଟିସ୍ ଦେଇଛନ୍ତି । ସେ ଘରଟା କ’ଣ ଏକା ତାଙ୍କର, ସେଥିରେ ତୋର ଭାଗ ନାହିଁ ।

ମନ ଭାଙ୍ଗିଗଲା ପରେ ଘର ଆଉ ଘର ହୋଇ ରହେ ନାହିଁ । ଭୂତକୋଠି ହୋଇଯାଏ । ଭୂତକୋଠିରେ କେହି ରହିବାକୁ ଚାହେଁ ନାହିଁ ।

ମନ ଭାଙ୍ଗିଲା କାହିଁକି ? ମନ କ’ଣ ମାଟି କଣ୍ଢେଇ ହୋଇଛି ଯେ ହାତରୁ ପଡ଼ିଲେ ଭାଙ୍ଗିଯିବ ?

ତମେ ମନସ୍ତତ୍ତ୍ୱର ଅଧ୍ୟାପକ । ମଣିଷ ମନର ଗହନ ଗହୀରରେ ତମର ଚାଷ । ମୁଁ ସାମାନ୍ୟ ଜଣେ ନାରୀ । ତମକୁ ନାହିଁ କରି ଦେଇ ଅଶ୍ୱିନୀକୁ ବାହା ହୋଇଥିଲି ସୁଖ ପାଇଁ ନୁହଁ, ଶାନ୍ତି ପାଇଁ । ତାଙ୍କୁ ସୁଖୀ କରିବା ପାଇଁ ମୁଁ ମୋର ସାଧ୍ୟ ମତେ ଚେଷ୍ଟା କରିଛି । କିନ୍ତୁ ତାଙ୍କର ସମୁଦ୍ରର ଶୋଷ । ମୋର ଆଞ୍ଜୁଳାଏ ଜଳରେ ତାଙ୍କର ତୃଷା ମେଣ୍ଟୁ ନାହିଁ । ମୁଁ କ’ଣ କରିପାରିବି ?

କ’ଣ ପାଇଁ ସେ ତମକୁ ସହ୍ୟ କରିପାରୁ ନାହାନ୍ତି ?

ମୋର ସେ ପେଣ୍ଟିଙ୍ଗ ପାଇଁ । ଥରେ ଗୋଟିଏ ବୋଲି ନ୍ୟୁଡ଼ ଆଙ୍କିଥିଲି । ମତେ କହିଲେ, ମୁଁ କୁଆଡ଼େ ସେକ୍ସ ପରାଭର୍ଟ । ରାଗରେ ସେ ପେଣ୍ଟିଙ୍ଗ ମୁଁ ଦିଆସିଲି କାଠି ଜାଳି ନିଆଁ ଧରାଇ ଦେଇଥିଲି । ଏବେ ମାଆ କ୍ଷୀର ଖାଉଥିବା ଏକ ଶିଶୁର ପେଣ୍ଟିଙ୍ଗ ଆଙ୍କିଛି । ତାକୁ ଗୋଟିଏ ଏକ୍ଜିବିସନ୍‌କୁ ପଠାଇବା ପାଇଁ ଇଚ୍ଛା । ସେ ଛବି ତାଙ୍କର ପସନ୍ଦ ନୁହେଁ- ମାଆର ନଗ୍ନ- ନିଟୋଳ ସ୍ତନ ପ୍ରଦର୍ଶନ କରିବା କୁଆଡ଼େ ସେ ପେଣ୍ଟିଙ୍ଗରେ ଅସଲ ଲକ୍ଷ୍ୟ । ମାତୃତ୍ୱ ଅପେକ୍ଷା ଯୌନତ୍ୱ କୁଆଡ଼େ ସେ ଛବିରେ ଅଧିକ ପ୍ରକଟିତ । ଆହାରେ ଆର୍ଟ କ୍ରିଟିକ୍ !

ଶେଷ ବାକ୍ୟଟା ଉଚ୍ଚାରଣ କଲାବେଳେ ଅଳକା ମୁହଁରେ ହସ ଚହଟି ଉଠିଲା । ଦୁଃଖର ଛାୟା ଅପସରି ଗଲା ।

ଆଠବର୍ଷ ବିବାହିତ ଜୀବନରେ ତୁ ମାଆ ହୋଇନୁ । ଏଇଟା ତୋର ଇଚ୍ଛାକୃତ ଯୋଜନା ନା ତାଙ୍କର ଜନକ ହେବାର ଅସାମର୍ଥ୍ୟ ।

ଅସାମର୍ଥ୍ୟ ନୁହେଁ, ଅନିଚ୍ଛା । ମୋର ବିରୋଧ ସତ୍ତ୍ୱେ କଣ୍ଟ୍ରାସେପ୍ଟିଭ୍ ନିୟମିତ ସେ ବ୍ୟବହାର କରିଆସୁଛନ୍ତି । ଏଥିପାଇଁ ମୋର ମଧ୍ୟ ମନ ଛାଡ଼ିଗଲାଣି । ତାଙ୍କ ତରଫରୁ ସେ ବିବାହ ବିଚ୍ଛେଦ ଚାହୁଁଛନ୍ତି । ମୋର ମଧ୍ୟ ତାଙ୍କ ସହିତ ଅଠାଭଳି ଲାଖି ରହିବା ପାଇଁ ଖୁବ୍ ଗୋଟାଏ ଇଚ୍ଛା ନାହିଁ । ଆଠବର୍ଷ ଗୋଟିଏ ବିଛଣାରେ ଶୋଇବା ଏକ ଅଭ୍ୟାସରେ ପରିଣତ ହୋଇଗଲାଣି । ସେଥିପାଇଁ ପ୍ରଥମେ ପ୍ରଥମେ ଧୂଳି ଘର ଭାଙ୍ଗି ଦେଇ ଚାଲି ଆସିବାକୁ ଭୟ ଲାଗୁଥିଲା- ଏବେ ଅବଧାରିତ ନିୟତିର ସାମ୍ନା କରିବା ପାଇଁ ମୋ ଭିତରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଅଲଗା ଗୋଟାଏ ଘର ତିଆରି କରିବାରେ ତମେ ମତେ ଟିକିଏ ସାହାଯ୍ୟ କରିପାରିବ ।

ଅଳକାର ସାହାଯ୍ୟ ଭିକ୍ଷା ଶୁଣି ଅବକାଶ ଭୂତ ଦେଖିଲା ଭଳି ଚମକି ଉଠିଲା ।

ତା’ ଭଳି ଜଣେ ସାଇକୋଲଜି ଅଧ୍ୟାପକକୁ ବାହା ହେବ ନାହିଁ ବୋଲି ହାତ ହଲେଇ ମନା କରି ଦେଇ ଷ୍ଟେଟ୍‌ବ୍ୟାଙ୍କ ପ୍ରୋବେସନ୍ ଅଫିସର୍ ଅଶ୍ୱିନୀ ଚମ୍ପତ୍ତିରାୟକୁ ବାହା ହୋଇଗଲା ପରେ ସେ ପୁରାପୁରି ଭାଙ୍ଗି ପଡ଼ିଥିଲା । ଆତ୍ମହତ୍ୟା କରିବା ଚିନ୍ତା ମଧ୍ୟ ତା’ ମନକୁ ଆଚ୍ଛନ୍ନ କରିଥିଲା । ତା’ ଭାଗ୍ୟ ଭଲ । ଅର୍ଚ୍ଚନା ତାକୁ ବାହା ହେବା ପାଇଁ ରାଜି ହୋଇ ତାକୁ ବଞ୍ଚାଇ ଦେଇଥିଲା । ବାହାଘରର ଦୁଇବର୍ଷ ପରେ ସେ ପୁତ୍ରସନ୍ତାନର ଜନକ ହେଲା ପରେ ଅଳକା ଧୀରେ ଧୀରେ ତା’ ମନରୁ ନିର୍ବାସିତ ହୋଇଗଲା । ଆଠବର୍ଷ ପରେ ଆଜି ତାକୁ ଦେଖି ସେଥିପାଇଁ ସେ ଚିହ୍ନିପାରି ନଥିଲା ।

ତୁ ତ ଜାଣୁ, ମୁଁ ଜଣକର ସ୍ୱାମୀ, ଜଣକର ଜନକ । ଏଇ ବନ୍ଧନ ଶିକୁଳିରେ ମୁଁ ଗୃହବନ୍ଦୀ । ମୁଁ ତତେ ଘର ତୋଳିବାରେ କି ପ୍ରକାର ସାହାଯ୍ୟ କରିପାରିବି ।

ମୁଁ ଇଟା ସିମେଣ୍ଟର ଘରକଥା କହୁ ନାହିଁ । ମୁଁ ଗଢ଼ି ତୋଳିବାକୁ ଚାହେଁ ଛବିର ଘର । ପ୍ରାଚ୍ୟର ପ୍ରିକାଶେ । ହୋସେନ ସାହେବଙ୍କ ସହ ଟେଲିଫୋନ୍‌ରେ କଥା ହୋଇଥିଲି । ସେ ମାଧୁରୀ ଦୀକ୍ଷିତଙ୍କୁ ନେଇ ଏକ ଚଳଚ୍ଚିତ୍ର ନିର୍ମାଣରେ ବ୍ୟସ୍ତ ଅଛନ୍ତି । ସେ ରାଜି ହୋଇଛନ୍ତି ନୂଆଦିଲ୍ଲୀରେ ମୋ ପେଣ୍ଟିଙ୍ଗ କ୍ଲିକ୍ କରିଗଲେ ମୋର ଅନ୍ୟ କାହାରି ସହାୟତା ଲୋଡ଼ା ହେବ ନାଇଁ । ତମେ ଖାଲି ହଁ କରିଦେଲେ ସାତଦିନ ଆଗରୁ ମୁଁ ଅଶ୍ୱିନୀଙ୍କ ଘର ଖାଲି କରିଦେଇ ଚାଲି ଆସିବି । ତମେ ଥରେ ହଁ କରିଦିଅ ।

ଆଗପଛ କିଛି ନ ବିଚାରି ଅର୍ଚ୍ଚନାର ସ୍ୱାମୀ, ପାଞ୍ଚ ବର୍ଷର ପୁପୁନ୍‌ର ବାପା ଗୋଟାଏ ବଡ଼ ହଁ ମାରିଦେଲା ।

ତାଙ୍କର ମୁହଁରୁ ହଁ ପଦ ଶୁଣିଲା ପରେ ଭାଙ୍ଗି ଯାଇଥିବା ଦୁର୍ଗ ଗଢ଼ି ହୋଇଗଲା । ଚିରି ଯାଇଥିବା ଚିତ୍ର ଯୋଡ଼ି ହୋଇଗଲା ।

—–x —–

ଆଠଦିନ କଣ୍ଟ ପୁରିବାକୁ ଆଉ ମାତ୍ର ଦୁଇଦିନ ବାକି ।

ଏଇ ଛଅଦିନ ଗୋଟିଏ ବିଛଣାରେ ଶୋଉଥିଲେ ବି ସ୍ୱାମୀ-ସ୍ତ୍ରୀଙ୍କ ଭିତରେ ଯୋଜନ ଯୋଜନ ବ୍ୟବଧାନ ତିଆରି ହୋଇଯାଇଛି ।

ଛବିଅଙ୍କା ଛାଡ଼ିଦେଲେ ସେ ଆଉ କେବେ ତାକୁ ଘର ଛାଡ଼ି ଚାଲିଯିବାକୁ କହିବ କି ନାହିଁ; ଏ ସମ୍ପର୍କରେ ଏବେ ସୁଦ୍ଧା ମନ ସ୍ଥିର କରିପାରି ନାହିଁ ଅଶ୍ୱିନୀ ।

ତା’ର ଧାରଣା ଥିଲା ଛବି ଅଙ୍କା ଛାଡ଼ି ତା’ର ସ୍ତ୍ରୀ ହୋଇ ରହିବାକୁ ଚାହିଁବ ନାହିଁ ଅଳକା । ଜଣେ ଚିତ୍ରଶିଳ୍ପୀ ଭାବରେ ଏଇ ଛଅ-ସାତ ବର୍ଷ ମଧ୍ୟରେ ନିଜର ଆଉ ଏକ ପରିଚୟ ସେ ସୃଷ୍ଟି କରିପାରିଛି । ଶିଳ୍ପୀ ପରିଚୟ ପାଖରେ ତା’ର ସ୍ତ୍ରୀର ପରିଚୟ ଆସ୍ତେ ଆସ୍ତେ ସାନ ହୋଇ ଆସୁଛି । ମକବୁଲ ଫିଦା ହୁସେନ୍ ଯେତେ ଜଗତବିଖ୍ୟାତ ଆର୍ଟିଷ୍ଟ ହେଉ ନା କାହିଁକି ତାକୁ ଆଦୌ ସହ୍ୟ କରିପାରେ ନାହିଁ ଅଶ୍ୱିନୀ । ହିନ୍ଦୁ ଦେବଦେବୀମାନଙ୍କର ଲଙ୍ଗଳା ଛବି ଆଙ୍କୁଥିବାରୁ ହିନ୍ଦୁ-ମୌଳବାଦୀମାନେ ତାଙ୍କୁ ଆକଣ୍ଠ ଘୃଣା କରନ୍ତି । ସେ ନିଜେ ମୌଳବାଦୀ ନୁହେଁ କିନ୍ତୁ ମକବୁଲ୍ ହୁସେନ୍‌ଙ୍କୁ ଘୃଣା କରିବାରେ ମୌଳବାଦୀମାନଙ୍କ ସହ ତା’ର ଅପୂର୍ବ ମେଳ ଅଛି ।

ଫିଦା ହୁସେନ୍ ଲଙ୍ଗଳା ଛବି ଆଙ୍କେ ବୋଲି ସେ ତାକୁ କେବଳ ଘୃଣା କରେ ନାହିଁ । ତା’ର ଘୃଣାର ମୂଳ ଉତ୍ସ ଅଲଗା- ତା’ର ସ୍ତ୍ରୀ ସେଇ ଲୋକଟା ପ୍ରତି ଭୀଷଣ ଭାବରେ ଆସକ୍ତ ବୋଲି !

ଅଥଚ ହୁସେନ ଆଉ ଅଳକା ଭିତରେ ସେଇ ହିଁ ଯୋଗସୂତ୍ର ସ୍ଥାପନ କରାଇ ଦେଇଥିଲା ।

ମକବୁଲ ହୁସେନ୍‌ଙ୍କୁ ଦେଖା କରିବ ବୋଲି ଆପଏଣ୍ଟମେଣ୍ଟ ନେଇସାରି ଅଳକା ଅଡ଼ି ବସିଲା ତା’ ସାଙ୍ଗରେ ଦିଲ୍ଲୀ ଯାଇ ତାଙ୍କୁ ଦେଖା କରିବ ।

ସେତେବେଳେ ଷ୍ଟେଟ୍‌ବ୍ୟାଙ୍କ ଅଫିସର୍‌ମାନଙ୍କର ଏକ ସାତଦିନିଆ ଟ୍ରେନିଂ ପ୍ରୋଗ୍ରାମ ଦିଲ୍ଲୀରେ ଥିଲା । ସେଇ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଗଲାବେଳେ ସେ ଅଳକାକୁ ସାଙ୍ଗରେ ନେଇ ଯାଇଥିଲା ।

ମକବୁଲ ଫିଦା ହୁସେନ୍‌ଙ୍କର ଛବିର ପ୍ରଦର୍ଶନୀ ସେତେବେଳେ ନୂଆଦିଲ୍ଲୀରେ ଚାଲିଥିଲା ।

ସେଇ ପ୍ରଦର୍ଶନୀ ଗ୍ୟାଲେରୀରେ ହୁସେନ୍‌ଙ୍କ ସହ ଅଳକାର ପ୍ରଥମ ଦେଖା । ପ୍ରଥମ ଦେଖାରେ ହିଁ ଦୁହିଁଙ୍କ ସମ୍ପର୍କରେ ଅଠା ଲାଗିଗଲା ।

ହୁସେନ୍ ଯେତେ ବଡ଼ ଆର୍ଟିଷ୍ଟ ତା’ଠାରୁ ବଳି ବଡ଼ ନାରୀ- ଖାଦକ । ମୁଣ୍ଡବାଳ, ଦାଢ଼ି ସବୁ ପାଚି ଝୋଟ, ଆଖି ଦୁଇଟା ସାପର ଆଖିଭଳି ତୀକ୍ଷଣ । ତାଙ୍କର ସେଇ ମର୍ମଭେଦୀ ଦୃଷ୍ଟି ଅଳକାକୁ ଘାଏଲ କରିଦେଲା । ଅନ୍ତତଃ ସେମିତି ମନେ ହୋଇଥିଲା ଅଶ୍ୱିନୀର ।

ହୁସେନ୍ ସେ ସ୍ୱାମୀ-ସ୍ତ୍ରୀ ଉଭୟଙ୍କୁ ତା’ ଆରଦିନ ତାଙ୍କ ଘରକୁ ଚା’ ଖାଇବାକୁ ଡାକିଥିଲେ । ସନ୍ଧ୍ୟାରେ ନିମନ୍ତ୍ରଣ । ପୂର୍ବାହ୍ନ ଟ୍ରେନିଂ ପ୍ରୋଗ୍ରାମରେ ଷ୍ଟେଟ୍‌ବ୍ୟାଙ୍କର ହସ୍ତୀମାନେ ଫିଦା ହୁସେନ୍ ତାକୁ ଚା’ ଖାଇବାକୁ ଡାକିଛନ୍ତି ଶୁଣି ଈର୍ଷାର ଶୀତଳ ଅନଳରେ ଜଳିବାକୁ ଲାଗିଲେ । ସେ ଯେତେ ବୁଝାଇଲା ଯେ ତାକୁ ନୁହେଁ- ତା’ର ସ୍ତ୍ରୀ ଜଣେ ଆର୍ଟିଷ୍ଟ- ତାକୁ ହିଁ ଫିଦା ହୁସେନ୍ ଚା’ ଖାଇବାକୁ ନିମନ୍ତ୍ରଣ କରିଛନ୍ତି- ସେ କେବଳ ତା’ ସ୍ତ୍ରୀଙ୍କ ସାଙ୍ଗରେ ଯିବ । ତଥାପି ସେମାନେ ତାକୁ ଛାଡ଼ିଲେ ନାହିଁ- ଏଭଳି ଆର୍ଟିଷ୍ଟ ସ୍ତ୍ରୀ ଭାଗ୍ୟରେ ଥିଲେ ମିଳନ୍ତି ବୋଲି ଅନେକ ଅଳକାକୁ ମଧ୍ୟ ପ୍ରଶଂସା କରିବାକୁ ଲାଗିଲେ ।

ଫିଦା ହୁସେନ୍‌ଙ୍କୁ ଦେଖା କରିବାକୁ ଗଲାବେଳେ ଅଳକା ସାଙ୍ଗରେ ନିଜର ଦୁଇଟା ଛବି ନେଇ ଯାଇଥିଲା । ସେ ଛବି ଦୁଇଟା ଦେଖି ହୁସେନ୍ ସାହେବ ତା’ର ଖୁବ୍ ତାରିଫ୍ କଲେ । ଛବିଗୁଡ଼ିକୁ ଷ୍ଟୁଡ଼ିଓର ଚାରିକାନ୍ଥ ମଧ୍ୟରେ ବାନ୍ଧି ନ ରଖି ଏକ୍ଜିବିସନ୍‌କୁ ପଠାଇବା ପାଇଁ ପରାମର୍ଶ ଦେଲେ ।

ଅଳକା ତାଙ୍କ ଷ୍ଟୁଡ଼ିଓ ଭିତରେ ବୁଲି ବୁଲି ହୁସେନ୍‌ଙ୍କ ଛବି ଦେଖୁ ଦେଖୁ ଗୋଟିଏ ଛବି ପାଖରେ ଠିଆ ହୋଇଗଲା । ଡାକିଲେ ମଧ୍ୟ ଶୁଣିଲା ନାହିଁ ।

ଅଶ୍ୱିନୀ ଯାଇ ଦେଖିଲା- ହୁସେନ୍‌ଙ୍କର ଗୋଟିଏ ପେଣ୍ଟିଙ୍ଗ-ଉର୍ଦ୍ଧ୍ଵମୁଖ ଅଶ୍ୱ । ତଳେ ଲେଖା ହୋଇଛି ଛବିର ନାମ- Agony !

ଏ ଉପର ମୁହାଁ ଘୋଡ଼ୀର ଛବିରେ ଅଛି କ’ଣ ! ସେ ଛବି ଉପରୁ ତମର ଆଖି ଫେରୁ ନାଇଁ- ଡାକିଲେ ଶୁଣୁ ନାହଁ ।

ଏଇ ଉର୍ଦ୍ଧ୍ଵମୁଖ ଅଶ୍ୱର ଛବି ସହିତ ପିକାଶୋଙ୍କର ପେର୍ନିକା ଛବି କଥା ମନେ ପକାଇ ଦିଏ । ପ୍ୟାରିସ୍‌ର ଏକ ଆର୍ଟ ଗ୍ୟାଲେରୀରେ ଏଇ “ଉର୍ଦ୍ଧ୍ଵମୁଖ ଅଶ୍ୱ” ଛବି ଏକ କୋଟି ଡଲାରରେ ବିକ୍ରି ହୋଇଯାଇଥିଲା ।

ବିକ୍ରି ହୋଇଯାଇଥିଲା ତ ଏଠାକୁ ସେ ଛବି ଆସିଲା କେମିତି ? – ଅଶ୍ୱିନୀ ଇଡ଼ିୟଟଙ୍କ ପରି ପ୍ରଶ୍ନ କରିଥିଲା ।

ପଛରୁ ଧୀର ମନ୍ଥର ଗତିରେ ଆସି ମକବୁଲ ଫିଦା ତା’ ପ୍ରଶ୍ନର ଉତ୍ତର ଦେଇଥିଲେ- ଏଇଟା ଅରିଜିନାଲ୍ ନୁହେଁ- ତା’ର ଫଟୋ କପି- ତମେ ଏଇଟା ନେଇଯିବାକୁ ଚାହଁ ?

ଅଳକା ସଲଜ୍ଜ କଣ୍ଠରେ ଉତ୍ତର ଦେଇଥିଲା-

– ଡୁପ୍ଲିକେଟର ମଧ୍ୟ ଯାହା ବଜାରଦର- ତା’ର ଏକ ଶତାଂଶ ଅର୍ଥ ଦେବାର କ୍ଷମତା ଆମର ନାହିଁ ।

ପକ୍ୱ ଶ୍ମଶ୍ରୁ ବୃଦ୍ଧ ହୁସେନ୍ ଅଳକା କାନ୍ଧରେ ହାତ ରଖି କହିଲେ- ଏଥିପାଇଁ ତମକୁ କିଛି ଅର୍ଥ ଦେବାକୁ ପଡ଼ିବ ନାଇଁ- ମୁଁ ଏ ଛବି ତୁମକୁ ଉପହାର ଦେଉଛି । ତମ ସହିତ ପ୍ରଥମ ସାକ୍ଷାତ୍‌ର ସ୍ମୃତି ସ୍ୱରୂପ ଏ ପ୍ରୀତି ଉପହାର ।

ବୃଦ୍ଧ ହୁସେନ୍ ସାହେବ ତା ସ୍ତ୍ରୀ କାନ୍ଧରେ ହାତ ରଖି ମୃଦୁ ଚାପ ଦେଲାବେଳେ ଅଶ୍ୱିନୀ ଛାତି ଭିତରେ ବିସ୍ଫୋରଣ ଘଟି ଚାଲିଥିଲା । ଗୋଟିକ ପରେ ଗୋଟିଏ କ୍ରମାଗତ ବିସ୍ଫୋରଣ ।

ସେଇ ଉର୍ଦ୍ଧ୍ଵମୁଖ ଅଶ୍ୱର ଛବି ଅଳକା ତାର ଛବି ଅଙ୍କା କୋଠରୀରେ ସଯତର୍ରେ ଟାଙ୍ଗି ରଖିଛି । ସେଇ ଛବି ହିଁ ତାର ଧ୍ୟାନର କେନ୍ଦ୍ରବିନ୍ଦୁ ।

ସେଇ ଉପରକୁ ଟେକା ଘୋଡ଼ା ମୁହଁ ଅଳକାକୁ ସବୁବେଳେ ଅନ୍ୟମନସ୍କ କରିରଖୁଛି- ଆଜି ନୁହେଁ- ଗତ ତିନିବର୍ଷ ଧରି ରୋଷେଇ କରିବାପାଇଁ ଗୋଟାଏ ଅଲଗା ଲୋକ ଅଛି । ତଥାପି ପ୍ରତିଦିନ ଗୋଟାଏ ଦୁଇଟା ତରକାରୀ ତା ପାଇଁ ନିଜେ ରାନ୍ଧେ ଅଳକା । ସକାଳୁ ଚା କରେ । କିନ୍ତୁ ତାର ଏଇ ଅନ୍ୟମନସ୍କତା ଓ ହୁସେନ୍-ମନସ୍କତା ତାକୁ ଭିନ୍ନ ଏକ ଜଗତକୁ ନେଇଯାଏ- ଯେଉଁ ଜଗତରେ ଅଶ୍ୱିନୀର ପ୍ରବେଶ ଅଧିକାର ନାହିଁ । ଉର୍ଦ୍ଧ୍ଵମୁଖା ଅଶ୍ୱ ତାଙ୍କ ଦାମ୍ପତ୍ୟ ଜୀବନ ଭିତରେ ମୁହଁ ପୁରାଇବା ପରେ ଅଳକା ହାତର ଚା ଗୋବର ପାଣି, ଆରତି ହାତ ରନ୍ଧା ତରକାରୀ ସ୍ୱାଦହୀନ ହୋଇ ଉଠିଛି । ତା ସହିତ ଏକତ୍ର ଲଗାଲଗି ହୋଇ ଶୋଇଥିଲା ବେଳେ ଅଳକା ହୁସେନ୍ କଥା ଭାବୁଛି ବୋଲି ସନ୍ଦେହରେ ଶିହରି ଉଠୁଛି ଅଶ୍ୱିନୀ ।

ଛବି ଅଙ୍କା ଛାଡ଼ିଦେଲେ ମଧ୍ୟ ଅଳକା ଉର୍ଦ୍ଧ୍ଵମୁଖ ଅଶ୍ୱକୁ ଭୁଲିପାରିବ ବୋଲି ତାର ବିନ୍ଦୁଏ ମାତ୍ର ବିଶ୍ୱାସ ହେଉ ନାହିଁ ।

ଛବି ଅଙ୍କା ଛାଡ଼ି ଦେଲେ ସେ ଅବଶିଷ୍ଟ ଜୀବନ ତା ସହିତ ଏକତ୍ର ବସବାସ କରି ରହିପାରିବ ବୋଲି ସେ ଅଳକାକୁ ଦୃଢ଼ ପ୍ରତିଶ୍ରୁତି ଦେଇପାରିବ ।

ଦ୍ୱନ୍ଦ୍ୱରେ ପଡ଼ିଯାଏ ଅଶ୍ୱିନୀ ।

ଆଠଦିନର କଣ୍ଟ ସାତଦିନ ଅତିକ୍ରମ କରିଯାଏ ।

—–x —–

ଏଇ ଆଠଦିନ ହେଲା ଅଳକା ସକାଳୁ ଚା ଆଣି ଅଶ୍ୱିନୀ, ବେଡ୍ ପାଖ ଟିପୟ ଉପରେ ରଖି ଦେଇଯାଏ । ସେ ଚା ଅଶ୍ୱିନୀ ପିଇଲା କି ନାହିଁ- ପଛକୁ ବୁଲି ଫେରି ଦେଖେ ନାହିଁ ।

ଲଞ୍ଚ୍ ଅଫିସ୍‌ରେ ଖାଏ ଅଶ୍ୱିନୀ ।

ଅଳକା ମଧ୍ୟାହ୍ନ ଭୋଜନ କରିଛି କି ନାହିଁ ସେ କଥା ଆଗଭଳି ଟେଲିଫୋନ୍ କରି ବ୍ୟାଙ୍କରୁ ବୁଝେ ନାହିଁ ଅଶ୍ୱିନୀ ।

ଅନ୍ୟଦିନ ଭଳି ଡିନର୍ ଟେବୁଲ୍‌ରେ ସେ ନିଜ ହାତରେ ରାନ୍ଧିଥିବା ତରକାରୀ ଅଶ୍ୱିନୀ ପ୍ଲେଟ୍‌ରେ ସଜାଇ ରଖେ । ଭଲ ହୋଇଛି କି ନାହିଁ କିନ୍ତୁ ପଚାରି ବୁଝେ ନାହିଁ ।

ବିଛଣାରେ ଅଶ୍ୱିନୀର ହାତ ତା ଅଣ୍ଟାରେ କିମ୍ୱା ଛାତି ଉପରେ ପଡ଼ିଗଲେ ଆସ୍ତେ ଘୁଞ୍ଚାଇ ଦିଏ ଅଳକା । ସେ ପାଖକୁ ଘୁଞ୍ଚି ଆସିଲେ ସେ ଦୂରକୁ ଘୁଞ୍ଚିଯାଏ ।

ଦୁଇଜଣଙ୍କ ମଝିରେ ଗୋଟାଏ ଖରସ୍ରୋତା ନଦୀ ବହିଚାଲେ ।

ଅଶ୍ୱିନୀ ନଈ ପାର ହୋଇ ଆର କୂଳରେ ପହଞ୍ଚିବା ପାଇଁ ଜୋର୍ କରେ ନାହିଁ । ସାହସ ହୁଏ ନାହିଁ ।

ଦିନେ ରାତ୍ରିଭୋଜନରେ ବସିଥିବାବେଳେ ଅଶ୍ୱିନୀ ପ୍ରଶ୍ନ କରିଥିଲା- ଆଜି ତମେ ତମର ସେ ପୂର୍ବତନ ପ୍ରେମିକ ଅଧ୍ୟାପକ ଅବକାଶ ଦାସ ସହିତ କଲେଜ କ୍ୟାଣ୍ଟିନ୍ ପାଖ ରୁମ୍‌ରେ ନିଭୃତରେ ବସି ଗପ କରୁଥିଲ ।

ଅଳକା ସ୍ୱାମୀଙ୍କ ପ୍ରଶ୍ନ ଶୁଣିଲା । ଉତ୍ତର ଦେଲା ନାହିଁ । ଉତ୍ତର ଦେବା ଆବଶ୍ୟକ ମନେ କଲା ନାହିଁ ।

ଅଶ୍ୱିନୀ ପୁନଶ୍ଚ ପଚାରିଲା- କେଉଁ ବିଷୟରେ ଏତେ ମୁହଁକୁ ମୁହଁ ଲଗାଇ ଗପ କରୁଥିଲ । ଏଥର ମୁହଁ ଖୋଲିଲା-ଅଳକା ।

– ସେଇଟା ଆମ ଦୁଇଜଣଙ୍କ ବ୍ୟକ୍ତିଗତ ବ୍ୟାପାର । ତମର ସେଥିରେ ନାକ ଗଳାଇବା ଦରକାର ନାହିଁ ।

ଅଶ୍ୱିନୀ ଓଠ କାମୁଡ଼ି ରହିଗଲା । ରହିଯିବା ଛଡ଼ା ତାର ଉପାୟ ନଥିଲା । ଛବି ଅଙ୍କା ଛାଡ଼ି ଦେଲେ ଅଳକା ଯେ ତାର ପତ୍ନୀ ଭାବରେ ଅବଶିଷ୍ଟ ଜୀବନ ଏ ଘରେ ରହିପାରିବ ଏ ପ୍ରତଶ୍ରୁତି ଏ ପର୍ଯ୍ୟନ୍ତ ସେ ତାକୁ ଦେଇପାରି ନାହିଁ । ଦେବା ପାଇଁ ଆହୁରି କିଛିଦିନ ବାକି ଅଛି ।

ଅଳକାକୁ ସେ ହଁ କରିବ କି ନାହିଁ କରିବ- ଏକଥା ସେ ଏ ପର୍ଯ୍ୟନ୍ତ ଠିକ୍ କରିପାରି ନାହିଁ । ଠିକ୍ କରିବାକୁ ସମୟ ପାଇ ନାହିଁ । ବ୍ୟାଙ୍କରେ ଋଣ ଆଦାୟ ଝାମେଲା ଦିନକୁ ଦିନ ବଢ଼ିବାରେ ଲାଗିଛି । ଅଣନିଶ୍ୱାସୀ ହୋଇଯାଉଛି ଅଶ୍ୱିନୀ ।

ବ୍ୟାଙ୍କରେ ଶାନ୍ତି ନାହିଁ, ଘରେ ମଧ୍ୟ ସ୍ୱସ୍ତି ନାହିଁ ।

ଅଳକା ପାଖରେ ଥିଲେ ଅଶାନ୍ତି, ସେ ଛାଡ଼ି ଚାଲିଗଲେ ଶାନ୍ତି ଫେରି ଆସିବ- ଏ ଦୃଶ୍ୟ ମଧ୍ୟ ସେ ଦେଖିପାରୁ ନାହିଁ । ସେ ଛବି ଅଙ୍କା ଛାଡ଼ି ଦେଲେ ବି ମକବୁଲ ଫିଦା ହୁସେନ୍ ବୁଢ଼ାକୁ ଭୁଲିଯିବ- ଏହା ବିଶ୍ୱାସ କରିପାରୁ ନାହିଁ ଅଶ୍ୱିନୀ ।

ଫିଦା ହୁସେନ୍‌ଙ୍କ ଦର୍ଶନ ହେଲା- ଇସଲାମ ଧର୍ମ ଥାଏ ଶୂନ୍ୟତାରେ, ନାରୀର ସୌନ୍ଦର୍ଯ୍ୟ ଥାଏ ନଗ୍ନତାରେ ।

ବୁଢ଼ା ବର୍ତ୍ତମାନ ମାଧୁରୀ ଦୀକ୍ଷିତଙ୍କ ସୌନ୍ଦର୍ଯ୍ୟକୁ ନେଇ ଫିଲ୍ମ କରିବାରେ ମାତିଛି । ଅଳକା କଥା ତାର ଆଉ ମନେ ନାହିଁ । ଏତିକିବେଳେ ତାକୁ ଛାଡ଼ିଗଲେ ତାର ସହାୟ ହେବ କିଏ, ଅଧ୍ୟାପକ ଅବକାଶ ଦାସ ।

ବ୍ୟାଙ୍କରୁ ଋଣ ଦେବା ସହଜ, ଋଣ ଆଦାୟ କରିବା କାଠିକର ପାଠ । ଋଣ ଆଦାୟ କରି ନ ପାରି ଆମେରିକାର ବ୍ୟାଙ୍କ ସବୁ ଦେବାଳିଆ ହୋଇଯାଇଛି । ବିଶ୍ୱ ଅର୍ଥନୀତିରେ ଘୋଟି ଆସୁଛି ଘନଘୋର ମାନ୍ଦା ଅବସ୍ଥା ।

ଏତିକିବେଳେ ଅଳକା ଠାରୁ ବିଚ୍ଛିନ୍ନ ହୋଇ ସେ ଏକା ହୋଇଯିବା ଠିକ୍ ହେବ ।

ଆଠିଦିନ ପୁରିବାକୁ ତଥାପି ୨୪ଘଣ୍ଟା ବାକି ଅଛି, ଅଳକା ତାର ଜିନିଷପତ୍ର ସଜଡ଼ାସଜଡ଼ି କରିବାକୁ ଆରମ୍ଭ କଲା । ତା ଛବି ଅଙ୍କା ରୁମ୍ କାନ୍ଥରେ ଝୁଲୁଥିବା ଅଏଲ୍‌ପେଣ୍ଟିଙ୍ଗ ଖୋଲା ହୋଇଗଲା । ଛବି ଅଙ୍କା ଉପକରଣ ବାକ୍ସ ବନ୍ଦୀ ହୋଇଗଲା ।

ବାହା ହୋଇ ଆସିଲା ପରେ ଶାଶୂଘରୁ ତାକୁ ଯେଉଁ ଗହଣା ଦିଆଯାଇଥିଲା ସେ ସବୁ ବ୍ୟାଙ୍କ ଲକର୍‌ରେ ରଖି ଲକର୍ ଚାବି ଅଶ୍ୱିନୀ ଜିମା ଦେଇଗଲା ।

ଅବାକ୍ ହୋଇଗଲା ଅଶ୍ୱିନୀ । ହଁ କି ନାହିଁ ଏ ପର୍ଯ୍ୟନ୍ତ ସେ କହି ନାହିଁ । ପୂଜା ଶେଷ ହୋଇ ନାହିଁ । ଆଉ ଦେବୀ ବିସର୍ଜନରେ ବାହାରିଲେଣି ।

ତମେ ଏ କଣ କରୁଛ । ଲକର୍‌ର ଚାବି ମତେ ଦେଉଛ କାହିଁକି । ମୁଁ ତ ତମକୁ ଏ ଘର ଛାଡ଼ିଯିବା ପାଇଁ ଏ ପର୍ଯ୍ୟନ୍ତ କହି ନାହିଁ ।

ଅଳକା ହସିଲା । ମ୍ଳାନ ହସ । ହୃଦୟର ଆବେଗକୁ ଚାପି ରଖିବା ପାଇଁ କିଛି ସମୟ ଲାଗିଲା ।

ତାପରେ ଶାଶୂ ଘରକୁ ଆସିଥିବା ଏକ ନୂଆବୋହୂ ଭଳି ଖୁବ୍ ଆସ୍ତେ ଆସ୍ତେ କହିଲା- ତମ ସହିତ ଆଠବର୍ଷ ଘର ସଂସାର କରି ମୁଁ ଜାଣିଛି- ତମେ ଯାହା କହିବାକୁ ଚାହଁ ତାହା କହିପାର ନାହିଁ, ଯାହା କୁହ ତାହା ତମ ପାଟିର କଥା, ହୃଦୟର ଭାଷା ନୁହେଁ । ଏଭଳି ଜଣେ ଡୁପ୍ଲିକେଟ୍ ଲୋକ ସହିତ ଆଉ ମୁଁ ଏକାଠି ରହିବାକୁ ଚାହୁଁ ନାହିଁ । ଅବକାଶଙ୍କୁ ପ୍ରତ୍ୟାଖ୍ୟାନ କରି ତମକୁ ବାହା ହେବା ଲାଗି ମନ ସ୍ଥିର କରିଥିଲି ବୋଲି ମୋର କୌଣସି ଅନୁଶୋଚନା ନାହିଁ । ତମ ଭିତରେ ଏକ ହୀନମନ୍ୟତା ସବୁବେଳେ ତମ ବିଚାରବୁଦ୍ଧିକୁ ଘୋଡ଼ାଇ ରଖିଛି । ଏଇ ହୀନମନ୍ୟତା ଆମ ଦୁଇଜଣଙ୍କ ମଧ୍ୟରେ ଗୋଟାଏ ପାଚେରୀ ତୋଳି ଦେଇଛି । ଏଇ ପାଚେରୀର ଦୁଇ ପାଖରେ ଆମେ ଦୁଇଜଣ ଠଇଆ ହୋଇ ରହିଛେ । କେହି କାହାରି ମୁହଁ ଦେଖିପାରୁ ନାହିଁ । ମଝି ପାଚେରିର ଉଚ୍ଚତାକୁ ଅତିକ୍ରମ କରିବା ଆମ ଦୁଇଜଣଙ୍କ ପକ୍ଷରେ ଆଉ ସମ୍ଭବ ନୁହେଁ- ସେଥିପାଇଁ ଏ ଘର ଛାଡ଼ି ସ୍ୱେଚ୍ଛାରେ ମୁଁ ଚାଲିଯାଉଛି ।

ଏଭଳି ଏକ ବିୟୋଗାନ୍ତକ ନାଟକ ଆଖି ସାମ୍ନାରେ ଅଭିନୀତ ହୋଇଯାଉଥିବା ଦେଖି ନାଟକର ଖଳନାୟକ ଛାତି ଭିତରେ ଝଡ଼ ବତାସ ଆରମ୍ଭ ହୋଇଗଲା ।

ସେ କମ୍ପିତ କଣ୍ଠରେ ପଚାରିଲା- ମତେ ଛାଡ଼ି ତମେ କେଉଁଠି କି ଯିବ ।

– ମୋ ଘରକୁ । ଛବିର ଘର । ତମ ସହିତ ସଂସାର କରିପାରିଲି ନାହିଁ, ଛବି ସହିତ ଘର କରିବାକୁ ଯାଉଛି । ମୋ ନିଜ ଜୀବନରୁ ରଙ୍ଗ ଲିଭିଯାଇଛି, ରଙ୍ଗ ତୂଳୀରେ ଆଉ ଏକ ଜୀବନର ଚିତ୍ର ଆଙ୍କିବାକୁ ମନ ସ୍ଥିର କରିନେଇଛି । ନୂଆଦିଲ୍ଲୀରେ ମୋ ଛବିର ଏକ ପ୍ରଦର୍ଶନୀ ଆୟୋଜନ କରୁଛି । କିଛି ଛବି ଯଦି ବିକ୍ରି ହୋଇଯାଇପାରେ, ତାହା ହେଲେ ଛବିର ଘର ତୋଳିବାକୁ ମତେ କଷ୍ଟ ହେବ ନାହିଁ ।

ତାର ଲଗେଜ୍ ଟ୍ୟାକ୍ସିରେ ଲଦା ହୋଇ ସାରିଥିଲା, ଟ୍ୟାକ୍ସିର ହର୍ଣ୍ଣ ଶୁଣାଗଲା ।

ନିଜ ଘର ଛାଡ଼ି ଛବିର ଘର ତୋଳିବା ପାଇଁ ପାଦ ଆଗକୁ ବଢ଼ାଇଲାବେଳେ ସେ ଶେଷଥର ପାଇଁ ପଛକୁ ଫେରି ଚାହିଁଲା ଅଳକା ।

ପାଳଭୂତ ଭଳି ସେଇ ଗୋଟିଏ ଜାଗାରେ ଠିଆ ହୋଇ ରହିଥିଲା ଅଶ୍ୱିନୀ ।

ହାତ ହଲାଇ ବିଦାୟ ସମ୍ଭାଷଣ ଜଣାଇ ଟ୍ୟାକ୍ସିରେ ଉଠି ବସିଲାବେଳେ ତା ଆଖିର ଦୁଇଧାର ଲୁଣି ଲୁହ ପାଟିରେ ପଶିଗଲା । ଜିଭ ଭିଜିଗଲା ।

ଗାଡ଼ି ଷ୍ଟାର୍ଟ ନେଲା । ଗୋଟାଏ ପୁରୁଣା ଜୀବନ ନୂଆ ଅଜଣା ରାସ୍ତାରେ ପଡ଼ି ଉଠି ଯାତ୍ରା ଆରମ୍ଭ କଲା ।

ଲୋକପ୍ରିୟ ଲେଖା

To Top