ଗଳ୍ପ

ମଣିମା

Kalindicharana Panigrahi's odia Story Manimaa

ତାହାର ଆଖି ଦୁଇଟା ଫାଟି ପାଣି ହୋଇଗଲା ଏବଂ ସନ୍ଧ୍ୟାର ସେହି ଅସ୍ପଷ୍ଟ ଆଲୋକରେ ତାହାର ରାଜା ପ୍ରେମାନନ୍ଦଙ୍କ ନୟନରୁ ମଧ୍ୟ ଦୁଇଟୋପା ଲୁହ ବିଛଣାରେ ଗଡ଼ିପଡ଼ିଲା ।

ମଣିମା

-: ପୂର୍ବରୁ :-

ପରଦିନ ଶ୍ୟାମବାବୁଙ୍କ ଘରେ ବିଶିର ଖୋଜା ପଡ଼ିଲା । ଗୋଟିଏ ପାଖ ଗାଁରୁ ଯଥେଷ୍ଟ ଶାସ୍ତି ଦେଇ ଶ୍ୟାମବାବୁଙ୍କ ଲୋକ ବିଶିକୁ ଧରି ଘେନି ଆସିଲା । ଶ୍ୟାମବାବୁ ଭଲ କରି ଜାଣନ୍ତି ଟୋକାକୁ ଏପରି ଦଣ୍ଡ ଦେବା ଦ୍ୱାରା ତାଙ୍କର ଲାଭ କ୍ଷତି ନାହିଁ, କିନ୍ତୁ ଏହାରି ଦ୍ୱାରା ପ୍ରେମାନନ୍ଦ ଯେ ତାଙ୍କୁ ଅପମାନିତ କରୁଛନ୍ତି, ତା’ର ପ୍ରତିଶୋଧ ନେବା ପାଇଁ ବିଶି ଉପରେ ତାଙ୍କର ସବୁ ଆକ୍ରୋଶ । ସେ ନିଜ ସ୍ତ୍ରୀଙ୍କ ଜରିଆରେ ବାରମ୍ୱାର ପ୍ରେମାନନ୍ଦଙ୍କ ସ୍ତ୍ରୀଙ୍କ ନିକଟକୁ ସବୁକଥା କହିପଠାନ୍ତି । ସ୍ତ୍ରୀ ବାରମ୍ୱାର ପ୍ରେମାନନ୍ଦଙ୍କୁ ସାବଧାନ କରାଇ ଏବେ ଦୁଇଦିନ ହେଲା ବିଶିକୁ ନ ଆସିବାର ଦେଖି ପ୍ରସନ୍ନ ଅଛନ୍ତି । ଆଜି ସନ୍ଧ୍ୟାରେ ସେହି ବିଷୟରେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ଚାଲିଛି । ବିଶି ଶ୍ୟାମବାବୁଙ୍କଠାରୁ ତାଡ଼ନା ପାଇ ତାଙ୍କ ଘରେ ଆସି ଆଶ୍ରୟ ନେବା କେତେ ଦୂର ଅନ୍ୟାୟ, ସ୍ତ୍ରୀ ଏହି କଥା ହିଁ ବୁଝାଇ କହୁଛନ୍ତି ଏବଂ ପ୍ରେମାନନ୍ଦ ଅନ୍ୟମନସ୍କ ଭାବରେ କେବଳ ହଁ ନାହିଁରେ ଉତ୍ତର ଦେଉଛନ୍ତି ।

ଝରକା ପାଖରେ ଏକ ପରିଚିତ ସ୍ୱର ଶୁଣାଗଲା, “ମଣିମା, ଆଜିଯାଏ କ’ଣ ମତେ ଦରକାର ହୋଇ ନାହିଁ ।” ବିଶି ସେଦିନ ଶୁଣିଥିଲା, ଦରକାର ହେଲେ ମଣିମା ତାକୁ ଡାକିବେ, କିନ୍ତୁ ଦୁଇଦିନ ବିତିଗଲା, କାହିଁ କିଛି ତ ଦରକାର ହେଲା ନାହିଁ । ଭିତରେ ରାଣୀମା ଥିବା ସେ ଜାଣିପାରି ନଥିଲା । ପ୍ରେମାନନ୍ଦ କ୍ରୋଧାନ୍ଧ ହୋଇ କହିଲେ, “କିଏରେ ଏଟା ? ବାହାର ଏଠୁ, ପୁଣି ଏପରି ଆସିବୁ ତ- ରାଣୀମା’ ମଧ୍ୟ ଯୋଗ ଦେଇ କହିଲେ, ଦେଖ ତା’ ସାହସ, ତୁମେ ତାକୁ ଏପରି ସାହସ ଦେଇଛି ।” ପ୍ରେମାନନ୍ଦ ନିରବ ରହିଲେ । ବିଶି ମୁହଁ ନୁଆଇଁ ଫେରିଗଲା ।

ବିଶି ଫେରିଗଲା, କେଉଁ ଦିଗକୁ ଚାଲିଲା ସେ ନିଜେ ଜାଣେ ନାହିଁ । ସେ ଶ୍ୟାମବାବୁଙ୍କ ଘରକୁ କିମ୍ୱା ଅନ୍ୟ ସ୍ଥାନକୁ ଯିବ, କିଛି ବିଚାରି ପାଇଲା ନାହିଁ । ମଣିମାଙ୍କଠାରୁ ଏପରି ଦାରୁଣ କଥା ଶୁଣିବା ପାଇଁ ସେ ପ୍ରସ୍ତୁତ ନଥିଲା । ପ୍ରେମାନନ୍ଦ ମଧ୍ୟ ଏହି ନିରାଶ୍ରୟ ବାଳକଟିକୁ ଅକାରଣରେ ଏପରି କଟୁକଥା କହିବାରୁ ବ୍ୟଥିତ ହେଲେ । ବିଶି ଫେରିଯିବା ପରେ ତାଙ୍କ ଅନ୍ତର କେଉଁ ଅଜାତ ଶିଶୁର କରୁଣ କ୍ରନ୍ଦନରେ ଅବା ପୁରିଗଲା । ପରଦିନ ପ୍ରେମାନନ୍ଦ ଶୁଣିପାରିଲେ, ବିଶି କାହିଁ ପଳାଇଯାଇଛି ଏବଂ ଶ୍ୟାମବାବୁ ପ୍ରେମାନନ୍ଦଙ୍କୁ ହିଁ ତାହାର କାରଣ ବୋଲି ସନ୍ଦେହ କରିଛନ୍ତି । ଚାରିଦିନକାଳ ବିଶିର କିଛି ସନ୍ଧାନ ମିଳିଲା ନାହିଁ । ସେ ଚାରିଟି ଦିନ ପ୍ରେମାନନ୍ଦଙ୍କ ନିତ୍ୟକର୍ମରେ ବାଧା ପଡ଼ିଲା । ସ୍ତ୍ରୀ ଦେଖନ୍ତି, ସେ ସବୁବେଳେ ଅନ୍ୟମନସ୍କ, ସ୍ତ୍ରୀ ବାରମ୍ୱାର ମନେପକାଇ କହିଲେ ହେଁ ନିତ୍ୟକର୍ମ ସମାପନ କରିବାକୁ ବାରଟା ବାଜିଯାଏ, ବେହେଲା, ସେତାର ଛୁଇଁବାକୁ ଆଉ ମନ ହେଉ ନାହିଁ ।

ଚାରିଦିନ ପରେ ବିଶି ଆଜି ଧରା ହୋଇ ଆସି ଯଥେଷ୍ଟ ପ୍ରହାର ପାଇ ଗୋରୁ ଚରାଇବାକୁ ନେଇଅଛି । ଗ୍ରୀଷ୍ମର ପ୍ରଖର ରୌଦ୍ର ତାପରେ ଚତୁର୍ଦ୍ଦିଗ ତପ୍ତ, ଅବସନ୍ନ । ବିଶ୍ୱର ସକଳ ଜୀବ ଛାୟା ଅନୁସନ୍ଧାନ କରି ଆଶ୍ରୟ ନେଉଅଛନ୍ତି । ବିଶିକୁ ଏହି ପ୍ରଖର ରୌଦ୍ରତାପରେ ଗୋରୁ ଚରାଇବାକୁ ହେଲା । ପୁଷ୍କରିଣୀରୁ ଜଳପାନ କରି କ୍ଷୁଧା ନିବାରଣ କରିବାକୁ ହେଲା । ସନ୍ଧ୍ୟାରେ ଫେରି ସେ ପ୍ରେମାନନ୍ଦଙ୍କ ଝରକାକୁ ଚୋରଙ୍କ ପରି ଚାହିଁ ଚାହିଁ ଚାଲି ଯାଉଥିଲା, ଶୁଣିପାରିଲା- ବିଶି । ଏହି ଡାକକୁ ଯେପରି ତା’ର ଅପେକ୍ଷା ଥିଲା । ସେ ଆସି ଝରକା ପାଖରେ ମୁଣ୍ଡଟି ଲଗାଇ ଦେଇ ଝରକା ବାହାରେ ନିରବରେ ଠିଆ ହେଲା । ଅନ୍ୟ ଦିନ ପରି ଏକା ଲମ୍ଫରେ ଗୃହ ମଧ୍ୟରେ ପ୍ରବେଶ କଲା ନାହିଁ । ପ୍ରେମାନନ୍ଦ କରୁଣ ହାସ୍ୟ ହସି ଡାକିଲେ, “କିରେ ! ବାହାରେ କାହିଁକି ? ଭିତରକୁ ଆ’ ।” ବିଶି ସନ୍ତର୍ପଣରେ ଗୃହ ଭିତରେ ପ୍ରବେଶ କଲା । ପ୍ରେମାନନ୍ଦ ପଚାରିଲେ, “କିରେ ! କିଛି ଖାଇ ନାହୁଁ ପରା, ନେ’, ନେ’ ଏତକ ଖାଇଦେ ।” ସେହିକ୍ଷଣି ଚାକର ତାଙ୍କ ପାଇଁ ଦୁଧ ଜଳଖିଆ ରଖି ଯାଇଥିଲା । ବିଶି ପିଲାଲୋକ, ପେଟ ଭୋକରେ ଜଳୁଛି, କିଛି ନ ବିଚାରି ଆହାର କଲା । ବିଶିର ପିଠି ଉପରେ ହାତ ବୁଲାଇ ପ୍ରେମାନନ୍ଦ କଠିନ ଦାଗ କେତେଟା ଅନୁଭବ କଲେ । ତାଙ୍କର କଣ୍ଠ ଆଦ୍ର ହୋଇଆସିଲା । ସେ ଅତି କଷ୍ଟରେ ପଚାରିଲେ, “ଏ କ’ଣରେ ବିଶି ?” ଚାରିଦିନ ପରେ ବିଶି ପୁଣି ଏଇ କୋମଳ କଥା ଶୁଣିଛି, ପୁଣି ଏଇ କୋମଳ ସ୍ପର୍ଶ ଅନୁଭବ କରିଛି । ତାହାର ଆଖି ଦୁଇଟା ଫାଟି ପାଣି ହୋଇଗଲା ଏବଂ ସନ୍ଧ୍ୟାର ସେହି ଅସ୍ପଷ୍ଟ ଆଲୋକରେ ତାହାର ରାଜା ପ୍ରେମାନନ୍ଦଙ୍କ ନୟନରୁ ମଧ୍ୟ ଦୁଇଟୋପା ଲୁହ ବିଛଣାରେ ଗଡ଼ିପଡ଼ିଲା । ଆଉ ହୁଏତ ଯେଉଁ ରାଜ୍ୟର ରାଜା ଏ ବିଶ୍ୱର ଅସଂଖ୍ୟ ଦୁଃଖୀଜନର କ୍ଷତରାଶିକୁ କୋମଳ କରସ୍ପର୍ଶରେ ଉପଶମ କରନ୍ତି, ତାଙ୍କ ନୟନରୁ ମଧ୍ୟ ଅଲକ୍ଷ୍ୟରେ ଦି’ଓଟି ଲୋତକ ବିନ୍ଦୁ ଝରି ପଡ଼ିଥିବ ।

– ତା’ପରେ –

ଲୋକପ୍ରିୟ ଲେଖା

To Top