ଗଳ୍ପ

ମରୁଭୂମିରେ ବର୍ଷା

Dr Bibhuti Pattanaik's odia story Marubhumire Barshaa

ବିଜୁ ବାବୁଙ୍କ ନାମରେ ଯାଦୁକରୀ ଶକ୍ତି ଅଛି । ତାଙ୍କ ନାମ ଧରି ତୁ ଅନାୟାସରେ ଏମ୍.ପି. ହୋଇଯିବୁ

ମରୁଭୂମିରେ ବର୍ଷା

-ଏକ-

ଶ୍ରୀମୟୀର ଗୋଟିଏ ବଡ଼ ଅବିଗୁଣ ହେଲା ସେ ଥରେ ଯାହା ବୁଝିଥିବ, ସେଥିରେ ସେ ଅଟଳ, ଅଚଳ । ତାକୁ ବୁଝାଇବା କଷ୍ଟ ।

ଏଭଳି ଏକ ଅବୁଝା ଝିଅର ପ୍ରେମରେ ପଡ଼ି ବଡ଼ କଷ୍ଟ ପାଉଥିଲା ଜୟ ।

ଶ୍ରୀମୟୀ ସହିତ ଚାରିବର୍ଷର ସମ୍ପର୍କକୁ ଏକତରଫା ଛିନ୍ନ କରିପାରୁନଥିଲା କିମ୍ବା ତା ଜିଦ୍ ପାଖରେ ହାର ମାନି ତାକୁ ବାହା ହେବା ପାଇଁ ନିଜକୁ ସେ ରାଜି କରାଇପାରୁନଥିଲା ।

ସେ ଭଲ କରି ଜାଣିଥିଲା ତାକୁ ବାହା ହେଲେ ଜୀବନରେ ଗୋଟିଏ ଦିନ ବି ସୁଖୀ ହେବ ନାହିଁ ଶ୍ରୀମୟୀ । ସେଥିପାଇଁ ଏ ଚାରିବର୍ଷ ଭିତରେ ତା ସହିତ କେବେ ଘନିଷ୍ଠ ହେବାକୁ ଚାହିଁ ନାହିଁ କିମ୍ବା ତାକୁ ବାହା ହେବ ବୋଲି କେବେ ଭୁଲ୍‌ରେ ଥରେ କହି ନାହିଁ ।

ବାହାହେବାପାଇଁ ତାର ଯୋଗ୍ୟତା ଅଛି?

ଦୁଇବର୍ଷ ହେଲା ପଲ୍ ସାଇନ୍ସରେ ପ୍ରଥମ ଶ୍ରେଣୀରେ ପାସ୍ କରି ଘରେ ବସିଛି । ଅଧ୍ୟାପକ ଚାକିରି ଦୂରର କଥା କୌଣଶି ସରକାରୀ ଅଫିସ୍‌ରେ କିରାଣି କିମ୍ବା ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଚାକିରି ତାକୁ ମିଳି ନାହିଁ । ତା’ର ମାମୁ ବ୍ରଜେନ୍ଦ୍ର ରାୟ ସରକାରୀ ଜନତା ଦଳର ଜଣେ ଟାଣୁଆ ମନ୍ତ୍ରୀ । ତାଙ୍କ ଯୋଗୁଁ ଇଲେକ୍ସନ୍‌ବେଳେ ତାକୁ ନିର୍ବାଚନ ପ୍ରଚାର ପାଇଁ ଦୈନିକ ଶହେଟଙ୍କା ଭତ୍ତା ଏବଂ ଜିପ୍‌ରେ ମାଗଣା ପ୍ରଚାର ଅଭିଯାନରେ ବୁଲିଯିବା ଲାଗି ସୁବିଧା ମିଳେ । ବାସ୍ ସେତିକି । ଖୁବ୍ ବେଶି ହେଲେ ପାଞ୍ଚବର୍ଷରେ ଥରେ ପଚିଶି-ତିରିଶ ଦିନର କାମ । ଅବଶିଷ୍ଟ ମାସ, ବର୍ଷ ବେକାର ।

ବ୍ରଜେନ୍ଦ୍ର ରାୟ ତାର ବୋଉଙ୍କୁ ନିଜ ସହୋଦର ନୁହେଁ, ପିଉସି ଝିଆ ଭଉଣୀ । ପ୍ରଥମେ ଯେଉଁଦିନ ମାମୁ ଆସି ତାକୁ ନିର୍ବାଚନରେ ପ୍ରଚାରକ ଭାବରେ କାମ କରିବା ପାଇଁ ବୋଉକୁ ଅନୁରୋଧ କଲେ, ସେତେବେଳେ ସେ ଫାଇନାଲ ପରୀକ୍ଷା ଦେବାପାଇଁ ପ୍ରସ୍ତୁତ ହେଉଥିଲା । ପାଠପଢା ସରି ନଥିଲା । ତେଣୁ ତାଙ୍କ ପାଇଁ ନିର୍ବାଚନ ପ୍ରଚାରକଲେ ଜୟ ଦେବକୁ ସେ ଗୋଟାଏ ଭଲ ଚାକିରି କରାଇଦେବାର ପ୍ରତିଶ୍ରୁତି ବୋଉ ଆଦାୟ କରିବା ପ୍ରଶ୍ନ ନଥିଲା । ବ୍ରଜମାମୁ ଜଣେ ମହାନ୍ ସ୍ୱାଧୀନତା ସଂଗ୍ରାମୀ କଂଗ୍ରେସ ନେତାଙ୍କ ବିରୋଧରେ ବିଧାନସଭା ପାଇଁ ନିର୍ବାଚନ ଲଢୁଥିଲେ । ନିର୍ବାଚନରେ ଜିଣିବାର ସମ୍ଭାବନା ନଥିଲା । ତେଣୁ ନିର୍ବାଚନରେ ଜିଣି ବିଧାୟକ ନ ହୋଇପାରିଲେ ମନ୍ତ୍ରୀ ହେବା ପ୍ରଶ୍ନ ଉଠୁନଥିଲା ଏବଂ ହେବେ କି ନ ହେବେ-ଏପରି ଜଣେ ବିରୋଧୀ ଦଳର ନିର୍ବାଚନ ପ୍ରତିଦ୍ୱନ୍ଦୀ ପ୍ରାର୍ଥୀଙ୍କ ଠାରୁ ଚାକିରିର ପ୍ରତିଶ୍ରୁତି ଚାହିଁବା ନିର୍ବୋଧତା ଥିଲା ।

ସେ ନିଜେ ରାଜନୀତି ବିଜ୍ଞାନର ଛାତ୍ର । ବୋଉ ମୂଳରୁ ପଲିଟିକ୍ସରେ ଧାର୍ ଧାରେ ନାହିଁ କି ପାଖ ମାଡେ ନାହିଁ । କିନ୍ତୁ ବ୍ରଜମାମୁଙ୍କୁ ନିର୍ବାଚନ ପ୍ରଚାରରେ ତାକୁ ପଠାଇ ପାରିବ ନାହିଁ ବୋଲି କହିଦେବାକୁ ତାର ଜିଭ ଲେଉଟି ନଥିଲା ।

ଜୟଦେବଙ୍କ ନିଜର ଇଚ୍ଛା ଥିଲା ଇଲେକ୍ସନ୍ ପ୍ରଚାରରେ ଭାଗ ନେବାପାଇଁ । ସେ କଂଗ୍ରେସ ବିରୋଧୀ ନଥିଲା । କଂଗ୍ରେସ ଲୋକେ ତାକୁ ସେମାନଙ୍କ ପ୍ରାର୍ଥୀକୁ ସମର୍ଥନ କରି ପ୍ରଚାର କରିବାକୁ କହିଥିଲେ ସେ ଖୁସିରେ ରାଜି ହୋଇଯାଇଥାନ୍ତା । କଂଗ୍ରେସ ସେତେବେଳେ ଶାସନ କ୍ଷମତାରେ ଥିଲା, କେନ୍ଦ୍ରରେ, ରାଜ୍ୟରେ-ଉଭୟ- ଦିଲ୍ଲୀ ଓ ଭୁବନେଶ୍ୱରରେ କଂଗ୍ରେସ ରାଜତ୍ୱ କରୁଥିଲା । ବିଧାନସଭା ପାଇଁ କଂଗ୍ରେସ ପ୍ରାର୍ଥୀ ନୀଳାମ୍ବର ପ୍ରଧାନ ଏ ଅଞ୍ଚଳରେ ଜଣେ ସ୍ୱାଧୀନତା ସଂଗ୍ରାମୀ, ତ୍ୟାଗୀ ପୁରୁଷ ଭାବରେ ସୁପରିଚିତ ଥିଲେ । ଜିତିଲେ ପ୍ରଧାନ ମନ୍ତ୍ରୀ ହେବା ସୁନିଶ୍ଚିତ ଥିଲା । ତେଣୁ ତାଙ୍କ ପାଇଁ ନିର୍ବାଚନ ପ୍ରଚାର କରିବା ଲାଗି ତ ଲୋକ ଉପରେ ପଡୁଥିଲେ । ନିଜ ଖର୍ଚ୍ଚରେ କଂଗ୍ରେସ ନିର୍ବାଚନ ଅଫିସ ଖୋଲି ଆପଣା ଛାଏଁ ନିର୍ବାଚନ ପ୍ରଚାର କରୁଥିଲେ । ଜୟଦେବ ଭଳି ଜଣେ ବିଶ୍ୱବିଦ୍ୟାଳୟ ଛାତ୍ରକୁ କଂଗ୍ରେସ ପାଇଁ ନିର୍ବିାଚନ ପ୍ରଚାର କରିବାକୁ କଂଗ୍ରେସ ଲୋକେ କାହିଁକି ଡାକି ଥାଆନ୍ତେ ।

ଅଗତ୍ୟା ନିଜର ମନର ଓରିମାନା ମେଣ୍ଟାଇବା ପାଇଁ ସେ ବ୍ରଜମାମୁଙ୍କ ପାଇଁ ନିର୍ବାଚନ ଅଭିଯାନରେ ବାହାରି ପଡ଼ିଥିଲେ ।

ସେଦିନ ବିରୋଧୀ ଜନତା ଦଳ ତରଫରୁ ବ୍ରଜମାମୁଙ୍କ ସପକ୍ଷରେ ସ୍ଥାନୀୟ ବାଳିକା ହାଇସ୍କୁଲ ପଡିଆରେ ଏକ ବିରାଟ ନିର୍ବାଚନ ସଭା ଆୟୋଜିତ ହୋଇଥିଲା । ସେ ସଭାରେ ଜନତା ଦଳର ତୁଙ୍ଗ ନେତା ବିଜୁ ପଟ୍ଟନାୟକ ଭାଷଣ ଦେବାପାଇଁ ଆସୁଥିଲେ । ଲୋକେ ତାଙ୍କୁ ଦେଖିବାପାଇଁ ଦୂର ଗ୍ରାମମାନଙ୍କରୁ ଧାଡିବାନ୍ଧୀ ଆସୁଥାଆନ୍ତି । ଅପରାହ୍ନ ପାଞ୍ଚଟାବେଳେ ସଭା ଆରମ୍ଭ ହେବା କଥା । କିନ୍ତୁ ଦିନ ଦୁଇଟାବେଳେ ଗାର୍ଲସ୍କୁଲ ପଡିଆରେ ଆଉ ତିଳ ଧାରଣା ପାଇଁ ଜାଗା ନଥିଲା । ଏ ସହରାଞ୍ଚଳ କଂଗ୍ରେସର ଦୁର୍ଗ । ଅଥଚ କଂଗ୍ରେସ ଘାଟିରେ ବିରୋଧୀ ଦଳ ନିର୍ବାଚନ ସଭାରେ ଏତେ ଅଧିକ ଲୋକେ ଜମା ହେବା ଦେଖି ଏ ଆଞ୍ଚଳିକ କଂଗ୍ରେସ କମିଟିର ସଭାପତି, ସରକାରୀ ଲାଇସେନ୍ସ ପ୍ରାପ୍ତି ବିଦେଶୀ ମଦ ଦୋକାନୀ ଶତ୍ରୁଘ୍ନ ସାହୁଙ୍କ ଛାତିରେ ଛନକା ପଶିଲା । ସେ ଜାଣିଥିଲେ ଜନତା ଦଳ ପ୍ରାର୍ଥୀଙ୍କୁ ଭୋଟ ଦେବାପାଇଁ ସଭାକୁ ଲୋକ ଆସି ନାହାନ୍ତି, ବିଜୁ ପଟ୍ଟନାୟକଙ୍କୁ ଦେଖିବା ପାଇଁ ଏତେ ଭିଡ । ବିଜୁବାବୁ ସଭାସ୍ଥଳରେ ପହଞ୍ଚିବା ଆଗରୁ ସଭା ଭଣ୍ଡୁର କରିବା ପାଇଁ ଶତ୍ରୁଘ୍ନ ସାହୁ ଗୋଟାଏ ମାରଣା ଷଣ୍ଢକୁ ସଭା ଭିତରକୁ ଅଡେଇ ଦେଲେ ।

ଷଣ୍ଢର କାଣ୍ଡଜ୍ଞାନ ନଥିଲା । ସଭାମଞ୍ଚ ସାମ୍ନାରେ ରଙ୍ଗୀନ ଶାଢୀ, ଶାଲୱାର ପଞ୍ଜାବୀ ପିନ୍ଧି ବସିଥିବା ମହିଳାମାନଙ୍କୁ ଦେଖି ସେମାନଙ୍କ ଆଡକୁ ଶିଙ୍ଗ ଉଞ୍ଚାଇଲେ ବୀର ଦର୍ପରେ ମାଡିଗଲା । ଲୋକେ ଛାନିଆ ହୋଇ ସଭା ଛାଡି ଛିନ୍‌ଛତ୍ର ହୋଇଗଲେ । କିନ୍ତୁ ବାଉଁଶ ବ୍ୟାରିକେଡରେ ଘେର ଡେଇଁ ମହିଳାମାନେ ଯାଇ ନପାରି ହାଉଳି ଖାଇବାକୁ ଲାଗିଲେ ।

ଜନତା ପ୍ରାର୍ଥୀ ବ୍ରଜବାବୁ ନିର୍ବାଚନ ସଭାର ବିପର୍ଯ୍ୟସ୍ତ ଅବସ୍ଥା ଦେଖି କଂଗ୍ରେସୀ ଷଣ୍ଢକୁ ତଡି ବାହାର କରିଦେବା ପାଇଁ ସେ ଭଣଜାକୁ ବାରମ୍ବାର ଅନୁରୋଧ କରିବାକୁ ଲାଗିଥିଲେ । ମାରଣା ଷଣ୍ଢକୁ କିପରି ଅଟକାଇବାକୁ ଦେବ ଜୟଦେବର ସେ ବିଷୟରେ କୌଣସି ଟ୍ରେନିଂ ନ ଥିଲା । ମାମୁଙ୍କ ଅନୁରୋଧ ଆଉ ସାମ୍ନାରେ ବସିଥିବା ମହିଳାମାନଙ୍କୁ ସୁରକ୍ଷା ଦେବା ତାର କର୍ତ୍ତର୍ବ୍ୟ ଭାବେ ମନେକରି ସେ ମଞ୍ଚ ଉପରୁ ତଳକୁ କୁଦାମାରି ଡେଇଁ ପଡିଲା । ଷଣ୍ଢର ଉଦ୍ୟତ ଶିଙ୍ଗ ଦୁଇଟାକୁ ନିଜ ଦୁଇ ହାତରେ ଧରି ତାକୁ ଅଟାକାଇବାକୁ ପ୍ରାଣପଣେ ଚେଷ୍ଟାକଲା ।

ଷଣ୍ଢ ସହଜରେ ହାର ମାନିବା ପ୍ରାଣୀ ନୁହେଁ । ସେ ଶିଙ୍ଗରେ ତାକୁ ଉଠାଇ କଚାଡି ଦେବାପାଇଁ ଅଗପଛ ହେଉଥାଏ, କିନ୍ତୁ ପାରିନଥାଏ । ଭୟରେ ଠେଲାପେଲାରେ ଚାରିଜଣ ମହିଳା ତଳେ ପଡିଯାଇଥାଆନ୍ତି । ଷଣ୍ଢର ଖୁରା ତଳେ କାଳେ ସେମାନେ ଚାପି ହୋଇଯିବେ ବୋଲି ଷଣ୍ଢର ଦୁଇ ଶିଙ୍ଗକୁ ନିଜର ସମସ୍ତ ଶକ୍ତି ପ୍ରୟୋଗ କରି ମୁଠାଇ ଧରିଥାଏ ଜୟ । ବିଜୁବାବୁଙ୍କ ସଭାସ୍ଥଳରେ ପହଞ୍ଚିବା ସମୟ ହୋଇଆସୁଥାଏ । ବ୍ରଜମାମୁ ସେ ଆସି ପହଞ୍ଚିବା ଆଗରୁ ସଭା ଭାଙ୍ଗିଯିବାର ଦୃଶ୍ୟ ଦେଖି ପୋଲିସକୁ ଖବର ଦେଇଥାଆନ୍ତି ।

ପୋଲିସ ଆସି ପହଞ୍ଚି ଷଣ୍ଢକୁ ସମ୍ଭାଳିବା ପରେ ଜୟ ଶିଙ୍ଗ ଉପରୁ ହାତ କାଢି ଆଣିଲା । ତା ଦୁଇ ହାତ ପାପୁଲି ମାରଣା ଷଣ୍ଢର ଶିଙ୍ଗରେ ଚାପି ହୋଇ ରକ୍ତ ବାହାରିଥିଲା ।

ବାଳିକା ବିଦ୍ୟାଳୟର ସାହିତ୍ୟ ଶିକ୍ଷୟିତ୍ରୀ ଶ୍ରୀମୟୀ ଦାସ ନିଜ ଶାଢୀ କାନି ଚିରିଦେଲେ ସେଇ ଚିରାକନାରେ ତା ହାତ ପାପୁଲିରେ ଗୁଡେଇ ଦେଇ ରକ୍ତ କ୍ଷରଣ ବନ୍ଦ କରିଦେଲେ ।

ଜୟ ତା ମୁହଁକୁ ଚାହିଁ କହିଲା- ଏ କ’ଣ କଲ? ଦାମିକା ଶାଢୀ ଚିରିଦେଲ ଶ୍ରୀମୟୀ!

ଆପଣ ଷଣ୍ଢର ଆକ୍ରମଣରୁ ଆମକୁ ବଞ୍ଚାଇଦେଲେ । ଆମର ଇଜ୍ଜତ ରହିଗଲା । ଆଉ ଆପଣଙ୍କ କ୍ଷତାକ୍ତା ହାତ ପାପୁଲିରୁ ରକ୍ତ ବୋହିବା ବନ୍ଦ କରିଦେବାପାଇଁ ପିନ୍ଧା ଶାଢୀର କାନି ଚିରିଦେଇ ଗୋଟିଏ ବଡ ତ୍ୟାଗ କରିଦେଲେ?

ଶ୍ରୀମୟୀ ତାର ହାତ ପାପୁଲିରୁ ରକ୍ତ କ୍ଷରଣ ବନ୍ଦ କରି ଦେବାପାଇଁ ନିଜ ପିନ୍ଧା ଶାଢୀ ଚିରି ଦେଇ ଜୟଦେବର ହୃଦୟ ଭିତରେ ଏକ ଅଲିଭା ଦାଗ ଆଙ୍କିଦେଲା ।

ମାରଣା ଷଣ୍ଢ ପୂରାଇ କଂଗ୍ରେସ ଲୋକେ ବିରୋଧୀ ଦଳର ନିର୍ବାଚନ ସଭା ଭାଙ୍ଗିଥିବାର ଖବର ଚାରିଆଡେ ବ୍ୟାପିଯାଇଥିଲା ।

ଏଇ ମାରଣା ଷଣ୍ଢହିଁ ଭାଙ୍ଗିଦେଲା କଂଗ୍ରେସର ଦୁର୍ଗ ।

ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀଙ୍କୁ ପରାସ୍ତ କରି ବିଧାନସଭାକୁ ନିର୍ବାଚିତ ହେଲେ ଜନତା ଦଳ ପ୍ରାର୍ଥୀ ବ୍ରଜେନ୍ଦ୍ର ରାୟ ।

କଂଗ୍ରେସର ଜଣେ ପ୍ରବାଦ ପୁରୁଷଙ୍କୁ ହରାଇ ନିର୍ବାଚନ ଜିଣିଥିବାରୁ ଜଣେ ମନ୍ତ୍ରିମଣ୍ଡଳରେ ତାଙ୍କୁ ଗୋଟାଏ ସ୍ଥାନ ମିଳିଗଲା ।

ସଭା ଭାଙ୍ଗି ଯାଇଥିଲେ ବି ଜୟ ଓ ଶ୍ରୀମୟୀଙ୍କ ଦୁଇ ହୃଦୟ ଯୋଡି ହୋଇ ଯାଇଥିଲା ।

ଦିନ ଯେତେ ବିତୁଥିଲା, ଦୁଇଜଣଙ୍କ ମଧ୍ୟରେ ମନ ଦିଆନିଆ ସେତେ ଗାଢ ହେଉଥିଲା ।

କିନ୍ତୁ ବେକାର ଜୟଦବେ କେବେ ଆଶା କରିନଥିଲେ ବାଳିକା ବିଦ୍ୟାଳୟର ସାହିତ୍ୟ ଶିକ୍ଷୟତ୍ରୀ ଶ୍ରୀମୟୀ ଦାସ ତାକୁ ବାହା ହେବା ପାଇଁ ଅଡି ବସିବ ।

ଶ୍ରୀମୟୀ ହାଇକୋର୍ଟର ମାନ୍ୟବର ବିଚାରପତି ଦୀନକୃଷ୍ଣ ଦାସଙ୍କ ଝିଅ । ଏକ ମାତ୍ର କନ୍ୟା ସେ ଖୁସିରେ ଶିକ୍ଷୟତ୍ରୀ ଚାକିରି କରୁଛି । ଲାଲବତି ଲଗା ଗାଡି ତାକୁ ସ୍କୁଲରେ ଛାଡିଦିଏ । କ୍ଲାସ୍ ସରିଲେ ସେ ଫୋନ୍ କରିଦେଲେ ତାକୁ ଡ୍ରାଇଭର ଆସି ଗାଡିରେ ନେଇଯାଏ । ତାଙ୍କ ଘରେ ପ୍ରତି କୋଠରିରେ ଏସି ମେସିନ ଅଛି । ଚବିଶ ଘଣ୍ଡା ବିଦ୍ୟୁତ୍ ସରବରାହ ବ୍ୟବସ୍ଥା ରହିଛି । ତାଙ୍କ ଘରେ ସିଲିଂ ଫ୍ୟାନ ଅଛି । କିନ୍ତୁ ବାରମ୍ବାର ବିଦ୍ୟୁତ୍ ସରବରାହ ବିଘ୍ନିତ ହେବା ଯୋଗୁଁ ଆଲୁଅ ଜଳେ ନାହିଁ । ପଙ୍ଖା ଚାଲେ ନାହିଁ । ଶ୍ରୀମୟୀ କଣ ଅନ୍ଧାର ଘରେ ଝାଳରେ ଭିଜି, ଅସହ୍ୟ ଗରମରେ ଶିଝି ବାହାଘର ପରେ ଏବ ଭଳି ତାକୁ ଭଲ ପାଇପାରିବ ।

ଜୟର ମୁହଁ ଉପରକୁ ତାଚ୍ଛଲ୍ୟର ଚେନାଏ ହସ ଚହଟି ଆସେ । ନିଜକୁ ନିଜେ ସେ ତାଚ୍ଛଲ୍ୟ କରି କହେ-ସେ ପାରୁ କି ନ ପାରୁ, ତୁ ପାରିବୁ ନାଇଁ ଜୟଦେବ ! ଶ୍ରୀମୟୀର ଦୁଃଖ ତୁ ସହ୍ୟ କରିପାରିବୁ ନାହିଁ ।

-ଦୁଇ-

ମୁଁ ତୁମକୁ ଭଲପାଏ । ସେଥିପାଇଁ ତମକୁ ବାହା ହେବା ପାଇଁ ଚାହେଁ ନାହିଁ । ଶ୍ରୀମୟୀ, ମୁଁ ଜଣେ ଭଲ ଲୋକ ନୁହେଁ, ଭଦ୍ରଲୋକ ମଧ୍ୟ ନୁହେଁ । ଖୁବ୍ ପିଲାଦିନୁ ବାପା ଚାଲିଯାଇଥିଲେ । ବୋଉ ମତେ ପାଠ ପଢାଇ ମଣିଷ କରିବାପାଇଁ ତାର ଗହଣା ବିକ୍ରି କରିଦଦେଇଛି । ବାପାଙ୍କ ସମସ୍ତ ସଂଚୟ ଖର୍ଚ୍ଚ ହୋଇଯାଇଛି । ବୋଉ କେତେ ବର୍ଷ ହେଲା ଶ୍ୱାସ ରୋଗ ଭୋଗୁଛି । ତାର ଚିକିତ୍ସା ଖର୍ଚ୍ଚ ଯୋଗାଡ କରିବା ଲାଗି ମତେ ଏମିତି କିଛି କାମ କରିବାକୁ ହେଉଛି, ଯାହା ତମକୁ କହିବା ପାଇଁ ମତେ ଲଜ୍ଜା ଲାଗୁଛି ।

ତମେ ନ କହିଲେ ବି ମୁଁ ଜାଣେ । ତମେ ମନ୍ତ୍ରୀଙ୍କ ଭଣଜା । ତମେ ସେଦିନ ମାରଣା ଷଣ୍ଢର ଶିଙ୍ଗ ଧରି ଅଟକାଇ ଦେଇ ମାମୁଁଙ୍କୁ ନିର୍ବାଚନରେ ଜିତାଇ ଦେଇଛ । ସେଥିପାଇଁ ସରକାରୀ ଅଫିସରଙ୍କଠାରୁ ଆରମ୍ଭ କରି ସୁଯୋଗ ସନ୍ଧାନୀ ଲୋକ ତମକୁ ଧରିଲେ ମନ୍ତ୍ରୀଙ୍କ ପାଖରୁ କାମ ହାସଲ ହୋଇଯିବ ବୋଲି ତମ ପାଖରେ ଭିଡ ଜମାନ୍ତି । ସରକାରୀ ଅଫିସର ମାନେ ବଦଳି ଓ ପଦୋନ୍ନତି ପାଇଁ ତାକୁ ମୂଲ୍ୟବାନ ଉପହାର ଦିଅନ୍ତି । କେହି କେହି ଚାକିରି ଲାଗି, କେହି କେହି ଲାଭଜନକ ଲାଇନ୍‌ରେ ବସ୍ ଚଳାଇବା ଲାଗି ଲାଇସେନ୍ସ ପାଇବାକୁ ତମକୁ ଅର୍ଥ ମଧ୍ୟ ଦିଅନ୍ତି ।

ପ୍ରଥମେ ପ୍ରଥମେ ଏ କାମ ମୋ ଦ୍ୱାରା ହୋଇପାରିବ ନାହିଁ ବୋଲି କହି ସେମାନଙ୍କୁ ଫେରାଇ ଦେଇଥିଲି । ଏବେ ଅପେକ୍ଷା କରେ- କେହି ନ ଆସିଲେ ଟଙ୍କା ନ ମିଳିଲେ ମନ ଖରାପ ହୋଇଯାଏ । ମାମୁଁ ମୋର ସବୁ ଅନୁରୋଧ ରଖିପାରନ୍ତି ନାହିଁ । ରଖିବା ସମ୍ଭବ ନୁହେଁ । କାମ ହୋଇପାରିବ ନାହିଁ ବୋଲି ଭଲ କରି ଜାଣିସୁଦ୍ଧା କାମ କରାଇଦେବି ବୋଲି କହି ସେମାନଙ୍କ ଠାରୁ ଟଙ୍କା ନେଲାବେଳେ ମୋ ହାତ ଥରେ ନାହିଁ-ବିବେକ ଦଂଶିତ ହୁଏ ନାହିଁ । ଶ୍ରୀମୟୀ, ତମେ ଏଭଳି ଜଣେ ମିଥ୍ୟାବାଦୀ ରାଜନୈତିକ ଦଲାଲ୍‌କୁ ବାହା ହୋଇ ସାରା ଜୀବନ ଶରଶର୍ଯ୍ୟାରେ ଶର୍ଯ୍ୟାଶାୟୀ ହେବାକୁ ଚାହଁ ।

ମତେ ବାହା ହେଲା ପରେ ତମକୁ ଏ ଅନୁଚିତ କାର୍ଯ୍ୟ କରିବା ପାଇଁ ପଡିବ ନାହିଁ । ଘରର ଦାୟିତ୍ୱ ମୁଁ ନେବି । ସେଥିପାଇଁ ଘରେ ପ୍ରବଳ ଚାପ ସତ୍ତ୍ୱେ ମୁଁ ଏ ଶିକ୍ଷୟତ୍ରୀ ଚାକିରି ଛାଡି ନାହିଁ ।

ତମେ କଣ ମତେ ବାହା ହେଲା ପରେ ଗାଡି ନ ଚଢି ରିକ୍ସାରେ ବସି ସ୍କୁଲ ଆସିପାରିବ ? ଆମ ଭଡା ଘରେ ଏସି ମେସିନ୍ ନାହିଁ । ବିଦ୍ୟୁତ୍ ସରବରାହ ବନ୍ଦ ହୋଇଗଲେ ଆମ ଘରେ ପଙ୍ଖା ଘୂରେ ନାହିଁ । ତମେ କଣ ଝାଳରେ ଭିଜି, ଗରମରେ ଶିଝି ବାପଘରକୁ ପଳାଇ ନ ଆସି ଶାଶୂଘରେ ରହିପାରିବ ?

ତମ ଘରେ ହୋମ୍ ଥିଏଟର ନାହିଁ । ମୁଁ କଣ ସିନେମା ଦେଖିବାପାଇଁ ଘର ଛାଡି ତମ ସ୍କୁଟର ପଛରେ ବସି ହଲ୍‌କୁ ଯାଇପାରିବି ? ପଚାର-ଆଉ କଣ ପଚାରିବାର ଅଛି-ପଚାର । ମୋର ତମର ସବୁ ପ୍ରଶ୍ନର ଗୋଟିଏ ଉତ୍ତର-ପାରିବି-ନିଶ୍ଚୟ ପାରିବି-ତମେ ମତେ ବାହା ହୋଇ ସାରି ପରିକ୍ଷା କରିଦେଖ । ବାହାଘର ପ୍ରସଙ୍ଗ ଏଡାଇଯିବା ପାଇଁ କେବଳ ପ୍ରଶ୍ନ ପରେ ପ୍ରଶ୍ନ ପଚାରି ଚାଲ ନାହିଁ ।

ଶ୍ରୀମୟୀ ! ମୁଁ କାଳ ଦେଶର ରାଜକୁମାର ନୁହେଁ, ତମେ କିନ୍ତୁ ରାଜଜେମା ଲାବଣ୍ୟବତୀ !

ମିଛ ! ତମେ ରାଜକୁମାର ନୁହଁ କି ମୁଁ ରାଜ ଜେମା ନୁହେଁ । ମୁଁ ସରକାରୀ ବାଳିକା ବିଦ୍ୟାଳୟର ସାହିତ୍ୟ ଶିକ୍ଷୟତ୍ରୀ, ତମେ ମାରଣା ଷଣ୍ଢର ଶିଙ୍ଗଧରି ଅଟକାଇ ଦେଇଥିବା ବୀରପୁରୁଷ । ମୁଁ ପ୍ରକୃତି, ତମେ ପୁରୁଷ । ମୁଁ ପୁଣ୍ୟତୋୟା ନଦୀ, ତମେ ଦିଗହୀନ ସମୁଦ୍ର ।

ଶ୍ରୀମୟୀ, ମୁଁ ତମର ବନ୍ଧୁ । ଅନ୍ତରଙ୍ଗ, ଘନିଷ୍ଠ ବନ୍ଧୁ । ଏ ବନ୍ଧୁତ୍ୱ ତମକୁ ବଧୂ କରିନେଲେ ନଷ୍ଟ ହୋଇଯିବା ଭୟରେ ମୁଁ ଭୀତ, ସଂତ୍ରୟ । ମତେ ବାହା ହେଲେ ତମେ ସୁଖୀ ହେବ ନାହିଁ । ତାକୁ ଦୁଃଖ ଦେବାପାଇଁ ମୁଁ ତମକୁ ବାହା ହୋଇପାରିିବି ନାହିଁ । ପ୍ଲିଜ୍ ମତେ କ୍ଷମାକର ।

ଶ୍ରୀମୟୀ କୌଣସି ମନ୍ତବ୍ୟ କରିବା ପୂର୍ବରୁ ମୋବାଇଲ ସୁଇଚ୍ ଅଫ୍ କରିଦେଲା । ମନ୍ତ୍ରୀଙ୍କ ଭଣଜା, ଦୁଇ ନମ୍ବରି ମଣିଷ, ବାପା ଛେଉଣ୍ଡ ଜୟଦେବ ।

ବୀରପୁରୁଷର ଏ ଭୀରୁ, କାପୁରୁଷତା ଲକ୍ଷ୍ୟ କରି ଶ୍ରୀମୟୀ ଦାନ୍ତ ଚିପି ଚିପି ହସିଲା ଏବଂ ପାଖରେ ନଥିଲେ ବି ଜୟଦେବକୁ ଜିଭ କାଢି ଖତେଇ ହେଲା ।

-ତିନି-

ଭଣଜାର ଶୁଖିଲା ମୁହଂ ଦେଖି ପରିବହନ ମନ୍ତ୍ରୀ ବ୍ରଜେନ୍ଦ୍ର ରାୟଙ୍କ ମନ ପାପ ଛୁଇଁଲା । ଭୟର ମାଆ କେତେଦିନ ହେଲା ଗୁରୁତର ଅସୁସ୍ଥ । ଅପାର କିଛି ଭଲମନ୍ଦ ହୋଇଗଲା କି?

କ’ଣ ହେଲା ଜୟ ? ମାଣିକ ଅପାର ଦେହ ଭଲ ଅଛି ତ?

ବୋଉ ଭଲ ଅଛି । ଅପେକ୍ଷାକୃତ ଭଲ । କିନ୍ତୁ ମୁଁ ଭଲ ନାହିଁ । ମତେ କିଛି ଭଲ ଲାଗୁ ନାହିଁ । ରାଜନୀତି ବିଜ୍ଞାନରେ ପ୍ରଥମ ଶ୍ରେଣୀରେ ଏମ୍.ଏ. ପାସ୍ କରି ବେକାର ହୋଇ ବସିଛି । ଅନୁଚିତ ଉପାୟରେ ଅର୍ଥ ରୋଜଗାର କରି ମୁଁ ଅସୁସ୍ଥ ହୋଇ ପଡିଛି ମାମୁଁ ! ମତେ ଆପଣ ଗୋଟାଏ ଚାକିରି କରାଇ ଦିଅନ୍ତୁ- ଏଲ୍.ପି. ସ୍କୁଲ ଟିଚରସିପ୍ ହେଉ କି ଅଫିସ୍‌ର ପିଅନ ଚାକିରି ହେଉ- ମୁଁ ସତ୍ ଉପାୟରେ ଖଟି ଖାଇବାକୁ ଚାହେଁ ।

ବଡଦ୍ୱନ୍ଦରେ ପଡିଗଲେ ମନ୍ତ୍ରୀ ବ୍ରଜେନ୍ଦ୍ର ରାୟ । ଲୁଟି ଖାଇବାର ଯୁଗରେ ଜୟଦେବ ପରି ଜଣେ ଯୁବାପୁରୁଷ ଖଟି ଖାଇବାକୁ ଚାହୁଁଛି-ଏ କଥା ନିଜ କାନରେ ଶୁଣି ନଥିଲେ ସେ ଆଦୌ ବିଶ୍ୱାସ କରିନଥାନ୍ତେ ।

ସେ ସନ୍ଦିଗ୍ଧ ଦୃଷ୍ଟିରେ ଭଣଜାକୁ ଚାହିଁ ପଚାରିଲେ-

-ତୋରା କ’ଣ ହୋଇଛି ଜୟ ! ରାଜନୀତି ବିଜ୍ଞାନରେ ପ୍ରଥମେ ଶ୍ରେଣୀର ଉତ୍ତୀର୍ଣ୍ଣ ହୋଇ ପିଅନ ଚାକିରି କରିବାପାଇଁ ଏତେ ବ୍ୟାକୁଳ କାହିଁକି ? ଚାକିରି କରି ଦରମା ଟଙ୍କାରେ କିଏ ବଡଲୋକ ହୁଏ? ତୁ ମୋର ଭଣଜା ହୋଇ ଏତିକି ବୁଝିପାରୁ ନାହିଁ?

ତଥାପି କିଛି ବୁଝିପାରୁ ନଥିଲା ଜୟ ।

ପ୍ରଶ୍ନିଳ ଦୃଷ୍ଟିରେ ପରିବହନ ମନ୍ତ୍ରୀଙ୍କ ଚାହିଁ ରହିଥିଲା ।

ହାତ ବଢାଇବା ମାତ୍ରେ ମନ୍ତ୍ରୀଙ୍କ ହାତ ମୁଠାକୁ ଜର୍ଦ୍ଧାପାନ ଖିଲେ ଚାଲି ଆସିଲା । ପାନ ଖଣ୍ଡକ କଳରେ ଜାକି ଦେଇ ସେ କହିଲେ-ବଡ ଲୋକ ହେବାକୁ ହେଲେ ରାଜନୀତି କରିବାକୁ ହେବ । ତୁ ରାଜନୀତି ବିଜ୍ଞାନର କୃତି ଛାତ୍ର । ତତେ ମୁଁ ଏଲ୍.ପି. ସ୍କୁଲ ମାଷ୍ଟର କିମ୍ବା ସରକାରୀ ଅଫିସ୍‌ରେ ପିଅନ-କିରାଣି ହେବାକୁ ଦେବି ନାଇଁ । ତତେ ରାଜନୀତିରେ ପୂରାଇବି-ତୁ ସେଦିନ ମାରଣା ଷଣ୍ଢକୁ ଅଟକାଇ ଦେଇ ମତେ ଜିତାଇ ଦେଇଛୁ । ମୁଖ୍ୟମନ୍ତ୍ରୀଙ୍କୁ କହି ଏଥର ତତେ ଲୋକସଭା ନିର୍ବାଚନରେ ଆମ ଦଳର ପ୍ରାର୍ଥୀ ହେବା ଲାଗି ଟିକେଟ ଯୋଗାଡ କରିଦେବି । ମନ୍ତ୍ରୀ ହେବା ଅପେକ୍ଷା ଏମ୍.ପି. ହେବା ଅଧିକ ଲାଭଜନକ । ପ୍ରତିବର୍ଷ ଦୁଇ କୋଟି ଟଙ୍କା ଏମ୍.ପି. ଲାଡ୍ ଫଣ୍ଡ୍ ଟଙ୍କା । ପାଞ୍ଚ ବର୍ଷରେ ଦଶକୋଟି । ଟ୍ୱେଣ୍ଟି ପରସେଣ୍ଟ କମିଶନ ନେଲେ ଦୁଇକୋଟି-ତତେ ହାତ ପାତି ମାଗିବାକୁ ପଡିବ ନାହିଁ-ସେମାନେ ଆଗେ ଦେଇଯିବେ-ବିଦେଶ ଯିବା ପାଇଁ କୌଣସି ଅସାଧୁ ବ୍ୟବସାୟୀକୁ ଭିସା ଦେବାପାଇଁ ସୁପାରିଶ କରିଦେଲେ ପାଞ୍ଚଲକ୍ଷ କୌଣସି ଶିଳ୍ପପତି ବିରୋଧରେ ରାଇଭାଲ୍ ଶିଳ୍ପପତି ତରଫରୁ ଲୋକସଭାରେ ପ୍ରଶ୍ନ ପଚାରିଦେଲେ ପାଞ୍ଚ ଲକ୍ଷ ଟଙ୍କା ଉପରେ ତତେ ଦେବାକୁ ପଡିବ ନାଇଁ- ପାଞ୍ଚ ବର୍ଷ ବିନା ଟେନ୍‌ସନରେ ଅର୍ଥ ଲୁଟି ତୁ ବଡଲୋକ ହୋଇଯିବୁ-

କିନ୍ତୁ ମାମୁ ଇଲେକସନ୍ ଲଢିବାପାଇଁ ଟଙ୍କା ଦରକାର । ମୋର କୌଣସି ବ୍ୟାଙ୍କ୍ ଆକାଉଣ୍ଟ ନାହିଁ-

-ଦରକାର ନାହିଁ । ପାର୍ଟି ଇଲେକସନ୍ ଲଢିବାପାଇଁ ଟଙ୍କା ଦେବ । ବିଜୁ ବାବୁଙ୍କ ନାମରେ ଯାଦୁକରୀ ଶକ୍ତି ଅଛି । ତାଙ୍କ ନାମ ଧରି ତୁ ଅନାୟାସରେ ଏମ୍.ପି. ହୋଇଯିବୁ ପ୍ରାଥମିକ ଖର୍ଚ୍ଚପାଇଁ ଯେଉଁ ଅର୍ଥ ଲୋଡା-ମୁଁ ଦୁଇଜଣ ପ୍ରାଇଭେଟ୍ ବସ୍ ମାଲିକଙ୍କୁ କହି ଦେଉଛି-ସେମାନେ ପ୍ରତି ମାସରେ ତତେ ଟଙ୍କା ସପ୍ଲାଇ ଦେବେ- ସେମାନଙ୍କ ବସ୍ ଭଡା ମୁଁ କିଲୋମିଟର ପିଛା ଦୁଇପଇସା ବଢାଇଦେବି-

ମାମୁଁଙ୍କ ଠାରୁ ଲୋକସଭାର ସଭ୍ୟ ହୋଇ ରାତାରାତି ବଡ ଲୋକ ହେବାର ମନ୍ତ୍ର ଶୁଣି ଜୟଦେବ ଖୁବ୍ ଆନନ୍ଦିତ ହେଲା । ତା ଭିତରେ ଏତେ ଦିନର ହୀନମ୍ମନ୍ୟତା ଦୂର ହୋଇଗଲା । ସେ ଖୁବ୍ ସୁସ୍ଥ ଓ ସତେଜବୋଧ କରୁଥିଲା ।

ଶ୍ରୀମୟୀ ସ୍ୱାମୀ ହେବା ଲାଗି ନିଜକୁ ଖୁବ୍ ଯୋଗ୍ୟ ମନେ କଲା ପରେ ଏକ ପରିତୃପ୍ତିରେ ହସ ତାର ସାରା ମୁଖମଣ୍ଡଳକୁ ଉଦ୍ଭାସିତ କରିଦେଲା ।

-ଚାରି-

ଘରେ ମୋ ଉପରେ ବାହାଘର ପାଇଁ ପ୍ରବଳ ଚାପ । ଜୟ ! ତମେ ରାଜି ହୋଇଯାଅ । ତା ନହେଲେ ସେମାନେ ମତେ ବାରିଷ୍ଟର ସୁକାନ୍ତ ପଟ୍ଟନାୟକଙ୍କ ସହ ବାହା କରିଦେବେ ।

ଶ୍ରୀମୟୀର କଥା ଶୁଣି ମନେ ମନେ ଖୁବ୍ ଉଲ୍ଲସିତ ହେଲା ଜୟଦେବ ।

କହିଲା ଭଲ ତ ! ସୁକାନ୍ତ ବାବୁ ସୁପ୍ରିମକୋର୍ଟର ଖ୍ୟାତନାମା ବାରିଷ୍ଟର । ତମେ ରାଜି ହୋଇଯାଅ ।

ଶ୍ରୀମୟୀ ଖୁବ୍ ରାଗିଯାଇ କହିଲେ- ମତେ ରାଜି କରିବା ଦାୟିତ୍ୱ ତମକୁ କିଏ ଦେଲା ! ମତେ ବାହା ହେବା ପାଇଁ ତମେ ରାଜି ହୋଇଯାଅ । ନ ହେଲେ-

-ନ ହେଲେ କ’ଣ ।

– ମୁଁ ଆତ୍ମହତ୍ୟା କରିଦେବି । ଆଉ ସୁଇସାଇଡ୍ ନୋଟ୍‌ରେ ଲେଖି ଦେଇଯିବି ଯେ ମୋ ମୃତ୍ୟ ପାଇଁ ତମେ ହିଁ ଦାୟୀ-

ଶ୍ରୀମୟୀ ଆତ୍ମହତ୍ୟା କରିବ ବୋଲି କହିଦେବା ମାତ୍ରେ ଜୟର ଛାତି ଭିତରେ ବିପଦର ସାଇରେନ୍ ବାଜି ଉଠିଲା । ମନେ ମନେ ସେ ଭୟ ପାଇଗଲା । ଶ୍ରୀମୟୀ ଜିଦ୍‌ଖୋର ଝିଅ । ଯାହା ବୁଝିଥିବ ସେଇଆ । ସତକୁ ସତ ସେ ଆତ୍ମହତ୍ୟା କରି ଦେଇପାରେ । ସୁଇସାଇଡ୍ ନୋଟରେ ତାକୁ ତାର ମୃତ୍ୟୁ ଦାୟୀ ବୋଲି ଲେଖିଦେଇଗଲେ ପୋଲିସ ତାକୁ ଗିରଫ କରିପାରେ । ବିଚାରରେ ତାକୁ ଆଜୀବନ ଜେଲ୍ କିମ୍ବା ଫାଶୀଦଣ୍ଡ ମିଳିପାରେ । ସେଥିପାଇଁ ତାର ଭୟ ନାହିଁ । କିନ୍ତୁ ତା ପାଇଁ ଶ୍ରୀମୟୀ ଆତ୍ମହତ୍ୟା କରିଦେବ । ଏ କଥା ଭାବିବା ମାତ୍ରେ ଏ ସବୁଜ ପୃଥିବୀ ଶୁଷ୍କ ମରୁଭୂମି ଭଳି ତାକୁ ଦେଖାଗଲା । ତା ମୁହଁ ରକ୍ତହୀନ ଏବଂ କଣ୍ଠନଳୀ ଶୁଖି ଅଠା ଅଠା ।

ତାର ସେ ଶୋଚନୀୟ ଅବସ୍ଥା ଲକ୍ଷ୍ୟ କରି ଶ୍ରୀମୟୀ କହିଲା- ମୁଁ ବଞ୍ଚିଥିବାବେଳେ ତମକୁ ସୁଖରେ ରହିବାକୁ ଦେଇ ନାହିଁ । ଆତ୍ମହତ୍ୟା କରି ମରିଗଲା ପରେ ମଧ୍ୟ ତମକୁ ଶାନ୍ତିରେ ରହିବାକୁ ଦେବି ନାହିଁ । ଭୂତୁଣୀ ହୋଇ ତମକୁ ଡରାଇବି-

ଡରିଗଲା ଜୟ ।

କଂପିତ କଣ୍ଠରେ କହିଲା- ମୁଁ ତମକୁ ଭଲପାଏ ନାହିଁ ବୋଲି ବାହା ହେବି ନାହିଁ ବୋଲି କହୁ ନାହିଁ । ମୁଁ ତମର ସ୍ୱାମୀ ହେବା ଯୋଗ୍ୟ ନୁହେଁ ବୋଲି ତମ ପ୍ରସ୍ତାବରେ ରାଜି ହୋଇପାରୁ ନାହିଁ । ତମର ସ୍ୱାମୀ ହେବା ଭଳି ଯୋଗ୍ୟତା ଅର୍ଜନ କରିବା ଲାଗି ମତେ କିଛି ଦିନ ସମୟ ଦିଅ ।

ଭ୍ରୁଳତା ନଚାଇ ଶ୍ରୀମୟୀ ପଚାରିଲା-କେତେ ସମୟ, କେତେ ମାସ, କେତେ ବର୍ଷ?

ଢୋକ ଗିଳି ଜୟ ଉତ୍ତର ଦେଲା- ଚାକିରି ପାଇଁ କାଲି ମନ୍ତ୍ରୀ ମାମୁଙ୍କ ପାଖକୁ ଯାଇଥିଲି । ସେ ମତେ ଚାକିରି କରି କେହି ଦରମା ଟଙ୍କାରେ ବଡଲୋକ ହୁଅନ୍ତି ନାହିଁ ବୋଲି ଉପଦେଶାମୃତ ବର୍ଷଣ କଲେ । କହିଲେ ଏ ଯୁଗରେ ବଡଲୋକ ହେବାକୁ ହେଲେ ରାଜନୀତି କରିବାକୁ ହୁଏ । ଆସନ୍ତା ଲୋକସଭା ନିର୍ବାଚନରେ ସେ ମତେ ତାଙ୍କ ପାର୍ଟିର ପ୍ରାର୍ଥୀ କରିବାକୁ ଚାହାନ୍ତି । ନିର୍ବାଚନରେ ଜିଣିସାରିଲା ପରେ ତମ ସହିତ ବାହାଘର ପ୍ରସ୍ତାବ ନେଇ ମୁଁ ନିଜେ ତମ ବାପାଙ୍କ ପାଖକୁ ଯିବି । ନିର୍ବାଚନରେ ଜିତିବା ପର୍ଯ୍ୟନ୍ତ ତମକୁ ଅପେକ୍ଷା କରିବାକୁ ହେବ । ଅପେକ୍ଷା କରିବ କି ନାହିଁ ମତେ କହିଦିଅ । ହଁ ନା ନାହିଁ?

ହଁ ବୋଲି ଶ୍ରୀମୟୀ କହିଦେବା ମାତ୍ରେ ଜୟଦେବ ମୁହଁରେ ଆନନ୍ଦର ଆଲୋକ ଝଲସି ଉଠିଲା । ତାକୁ ଦେଖାଇଲା ଥୁଣ୍ଟା ଗଛରେ ପତ୍ର ଯାଇଛି । ଧୁ ଧୁ ଧୂସର ମରୁଭୂମି ଉପରେ ବର୍ଷା ହୋଇଯାଉଛି- ଅସରାକୁ ଅସରା ଲଗାଣ ବର୍ଷା ।!

ଲୋକପ୍ରିୟ ଲେଖା

To Top