ଗଳ୍ପ

ମେଘଭର୍ତ୍ତି ଆକାଶରେ ବିଜୁଳି ଚେନାଏ

Laxmidhara Nayak's odia story Meghabhartti Aakaashare Bijuli Chenaae

ପଢ଼ିବା ଦିଗରେ ଯିଏ ସର୍ବୋତ୍ତମ. . . ଚରିତ୍ର ଦିଗରେ ସେ ସର୍ବନିମ୍ନ ହେଇଥାଇପାରେ… ଏ ଦିଗରେ ତମର ଛାନ୍‌ଭିନ୍ କରିବାର ଥିଲା । ଏପରି ନ କରିବା ତମର ଭୁଲ୍ ଥିଲା ।

ମେଘଭର୍ତ୍ତି ଆକାଶରେ ବିଜୁଳି ଚେନାଏ

. . . ରେ ସମୟ !

ଟିକିଏ ଅଟକି ଯାଆନ୍ତ ନି !

ଆଖିର ନୀଳ ଆକାଶରୁ, ଜହ୍ନ ଲୁଚିଯାଇଚି. . . ତାରା ବି ହଜିସାରିଚନ୍ତି । ତାଙ୍କ ବିନା କାହା ସହିତ କଥା ହେବି. . . ମୋର ଏ ଶୂନ୍ୟ ସଂସାରରେ । ତମେ ହିଁ ତ ମୋ ଏକ୍‌ଲା ସମୟର ସାଥୀ ।

. . . ଚାହିଁଲେ କ’ଣ ପଛକୁ ଫେରି ପାରିବ ନି ?

ସବୁ ଶୂନ୍ୟତା ପୂର୍ଣ୍ଣତାରେ ବଦଳି ଯାଆନ୍ତା ।

ଟିକେ ଅଟକି ଯାଅନା. . .

ସମୟ ଏବେ ଥରୁଥାଏ- ଓସ୍ତପତ୍ରର ସିନ୍ ସିନ୍ କମ୍ପରେ. . . ଝାଉଁବଣର ସୁଲ ସୁଲ ଶବ୍ଦରେ. . . ।

ସାମ୍ନା ସମୁଦ୍ର ଉତ୍ତାଳ ତରଙ୍ଗରେ. . . ଓ ଚନ୍ଦକାନ୍ତା ବସିଥିବା ବାଲକ୍କୋନିରେ ଝୁଲିଝୁଲି ଥରୁଥିବା ଝୀନପରଦା ଫାଙ୍କର ଧୀର ପବନରେ ବି. . . ସମୟ ଥରୁଥାଏ ।

ବାଲ୍‌କୋନିର ଫୁଲକୁଣ୍ଠମାନଙ୍କରୁ ଗୋଲାପ, ସେବତୀ, ଜିନିଆ, ଜସ୍ମିନ୍ ଓ ଡାଲିଆମାନେ ବାସ୍ନା ଝାରିଝାରି ଯେମିତି କହୁଥାନ୍ତି- ତୁମେ ସମୟକୁ ନେଇ ଖୁରୁଚ ଚନ୍ଦ୍ରକାନ୍ତା, ଆମେ ସମୟ ସାଥୀରେ ଖେଳୁଚୁ । ଆମେ ସୁଖରେ ଅଛୁ. . . ତୁମେ ଦୁଃଖରେ, ଅନୁତାପରେ, ଜ୍ୱାଳାରେ ଓ ଯନ୍ତ୍ରଣାରେ । ସମୟକୁ ଜିତିବାକୁ ହେଲେ, ମନକୁ ଆୟତ୍ତରେ ରଖୁନ ।

ଚନ୍ଦ୍ରକାନ୍ତା ଫୁଲ ସବୁଙ୍କ ଆଡୁ ମୁହଁ ବୁଲାଇଲା ।

ଭାବିଲା- ସେମାନେ କଅଁଳ ଫୁଲ । ତାଙ୍କଠାରେ ଗୋଟିଏ ଭାବନା କେବଳ ନିଜେ ହସିବେ ଓ ଅନ୍ୟକୁ ହସାଇବେ । ମୁଁ ବିଭିନ୍ନ ପ୍ରବଣତାର ମଣିଷ । ମୋର ତାଙ୍କ ପରି ହେବା କ’ଣ ସମ୍ଭବ ? ମୋ ପାଇଁ, ମୋ ସମୟ ସବୁକୁ ନେଇ, ଅବଶିଷ୍ଟ ସମୟ ବଞ୍ଚିବା ଠିକ୍ । ଆସୁ ଆନନ୍ଦ. . . କିମ୍ୱା ଯେତେ ଯନ୍ତ୍ରଣା !

. . . ପୁଣି ସେ ଫେରିଆସିଲା. . . ସମୟ ପାଖକୁ ।

. . . ମୋ ପାଇଁ କେବଳ ନୁହେଁରେ ସମୟ. . . । ଅନ୍ୟ ସମସ୍ତଙ୍କ ପାଇଁ, ଟିକେ ଅଟକି ଯାଆନ୍ତା ନାହିଁ । ତମ ସହିତ ଆଳାପ କରିବାର ଇଚ୍ଛା ଅନେକ । ତମକୁ ନେଇ ବିତାଇଥିବା ଅନେକ ଦେହ-ମନ ସହିତ ମୋର ଘଟଣା- ଦୁର୍ଘଟଣାର . . . ତମେ ହିଁ ତ ସାକ୍ଷୀ ।

. . . ସମୟ ! ତମେ ପ୍ରଜାପତିକୁ ଦେଖିଚ. . . ସଁବାଳୁଆକୁ ବି ! ତମେ ଏଣ୍ଡିପୋକକୁ ବି ଦେଖିଚ. . . ତା’ର ଖୋଷାକୁ ବି ! ମୋତେ ପ୍ରଜାପତିଟିଏ ସଜାଇ, ମୋର ଅନେକ ଉଡ଼ିବା ଦେଖି । ମଳା ମଳା ସଂଘବଦ୍ଧ ସଁ ବାଳୁଆଙ୍କୁ ଦେଖିଚ ଓ ସେମାନଙ୍କୁ କଲବଲ କରି, ପୋଡ଼ାଯିବାର ଦୃଶ୍ୟ ବି ଦେଖିଚ । ପୁଣି ଦେଖିଚ ଏଣ୍ଡିସୂତାକୁ ବୁଣି ଚାଦରକୁ ଢାଙ୍କି ହେଇ, ଦେହମନକୁ ଉଷୁମ କରଥିବା ବିଳାସୀ ପୁରୁଷଙ୍କୁ ।

. . . କୁହ ସମୟ- ମୋତେ ପ୍ରଜାପତି କଲ. . . ଏଣ୍ଡି ପୋକ ବି ! ପ୍ରଜାପତି କରି, ଉଡ଼େଇଲ ଯେ. . . ମନ ଇଚ୍ଛା. . . । ମୋତେ ପାଖରେ ପାଇ, କିଏ କେତେ ଖୁସି ହେବେ । ମୁଁ ତରଳି ତରଳି. . . ମୋର ରଙ୍ଗ ସବୁକୁ ସେମାନଙ୍କ ଛାତିରେ, ଓଠରେ ଢାଳିଚାଲି । ମୋତେ ଏଣ୍ଡିପୋକଟିଏ କଲା । ଗୁମ୍ଫା ପରି ଘରଟି ଭିତରେ ଅଣନିଃଶ୍ୱାସୀ ହେଉଥିଲି. . . ଅନ୍ୟକୁ ଉଷୁମ୍ ଦେବାକୁ । ଦେଇଚାଲିବି, ନିଜ ଇଚ୍ଛାରେ ହେଉ କି. . . ଅନ୍ୟର ଇଚ୍ଛାରେ, ମୁଁ ଥକିବା ପର୍ଯ୍ୟନ୍ତ । ଶେଷକୁ ତମେ ମୋତେ ସଁବାଳୁଆ କରିଦେଲ. . . ଯିଏ ଛୁଇଁବ, ସିଏ ଆକ୍ରାନ୍ତ ହେବ. . . ଏମିତି ଇଚ୍ଛାରେ । କିନ୍ତୁ ମୋର ସଂଘବଦ୍ଧ ପାରିବାରିକ ଜୀବନକୁ ବି ପୋଡ଼ି ଦେଲ ।

. . . ଏମିତି କାହିଁକି କଲ ସମୟ ?

. . . ମୁଁ କ’ଣ ଖାଲି ଅନ୍ୟ ପାଇଁ ? ନିଜ ପାଇଁ କିଛି ନୁହଁ ? ଅନ୍ୟକୁ ଉତ୍ତାପ ଓ ବିଭୋରତା ଦେବା ମୋର କାମ । ନିଜ ପାଇଁ ପରିବାରଟିର ସ୍ୱପ୍ନ ଦେଖିଲା ବେଳକୁ, ସଁବାଳୁଆ ପରି, ପୋଡ଼ାଜଳାର ଜୀବନ ମୋ ପାଇଁ କାହିଁକି ?

. . . ହେଇ ହେଇ. . . ଟିକେ ରହିଯାଅ ସମୟ । ଟିକେ ହେଲେ ଦରଦୀ ହେଇ, ମୋ ପାଖରେ ରହିଯାଅନା ।

ଚନ୍ଦ୍ରକାନ୍ତାକୁ ଲାଗିଲା- ଆକାଶର ବିସ୍ତୃତ ନୀଳିମା ତଳେ, ବାସ୍ନାଭିଜା ଝୋଙ୍କା ଝୋଙ୍କା ପବନ ଓ ଅପରାହ୍ଣର ମ୍ଳାନ ସୂର୍ଯ୍ୟାଲୋକରେ ମିଶି. . . ତା’ ପ୍ରଶ୍ନର ଏମିତି ଉତ୍ତର କରୁଚ ସମୟ-

ସେ ଅଟକିଗଲେ, ଯେ ଯେଉଁଠି. . . ସେ ସେଇଠି ରହିଯିବ । ପୃଥିବୀର ସବୁକିଛି ସ୍ଥିର ହୋଇଯିବ । କଳ୍ପନାର ଫୁଲ ତ ଫୁଟିବ ନାହିଁ. . . ଅତୀତରୁ ବାସ୍ନା ବା ଦୁର୍ବାସ ଗୋଟାଇ ହେବ ନାହିଁ । ଭାବନାର ତରଙ୍ଗଟିଏ ମଧ୍ୟ ଉଠିବ ନାହିଁ କାହାରି ଛାତିରୁ । ସମୟ ସ୍ଥିର ହେବା ସାଙ୍ଗକୁ ଚନ୍ଦ୍ରା ସହିତ ଅନ୍ୟ ସମସ୍ତଙ୍କର ଆଗ, ପଛ ଓ ବର୍ତ୍ତମାନ. . . ଅତି ନିଷ୍ଠୁର ଭାବରେ ସ୍ଥିର ହେଇଯିବ ।

– ତେବେ, ତମେ ମୋ ସହିତ ଥିଲ କାହିଁକି ?

ମୁଁ ତମର କିଏ କି ? ଡେଣା ଲଗାଇ ଉଡ଼େଇଲ ଯେତିକି. . . ପାଦରେ ଗତି ଭରି, ଚଲାଇଲ ସେତିକି । ଏବେ. . . ନା ଉଡ଼ିବାର ଶକ୍ତି ରଖିଚ, ନା ଚାଲିବାର । ଖାଲି ବୁଡ଼ାଇ ଦେଲ- ଯନ୍ତ୍ରଣାର ଉତ୍ତପ୍ତ ଧାରାରେ. . . ଜୀବନର ବିକଳରେ ଛଟ୍‌ପଟ୍ ହେବାକୁ । ଏ ଜୀବନର ଅପରାଧ କ’ଣ ତମ ପାଖରେ ? ଯାହା ପାଇଁ ଏତେ ଘୃଣା ଏ ଛାତିରେ. . . ତାହାପାଇଁ ଏତେ ଲୁହ ଏ ଆଖିରେ !

ସମୟ ଯେପରି କହିଲା- ଶୁଣ ଚନ୍ଦ୍ରକାନ୍ତା. . . ତମେ ମୋ ଭିତରେ ସମ୍ପର୍କ ବୋଲି, କିଛି ବି ନାହିଁ ।

– ଏ ! ! ! ଏମିତି ! ! !

. . . ହଁ ! ମୁଁ ଅନନ୍ତ କାଳର ପ୍ରବାହ. . . ତମେ ମୋ ଗର୍ଭରେ, ମୁହୂର୍ତ୍ତକଠୁ ବି, ଅତି ନଗଣ୍ୟ ଓ ଅଳ୍ପକାଳୀନ ସ୍ଥିତି । ମୁଁ ମହାଶକ୍ତି. . . ସର୍ବବ୍ୟାପକ. . . ମୋର ସ୍ପର୍ଶ ସମସ୍ତଙ୍କ ପ୍ରତି ଥାଏ, କିନ୍ତୁ ପ୍ରକୃତ ଅର୍ଥରେ, ମୋତେ କେହି ଛୁଇଁପାରେ ନାହିଁ । ତମେ ପରମାଣୁ ପରି ଅତି କ୍ଷୁଦ୍ର. . . କିନ୍ତୁ ତମ ଭିତରେ ମହାଶକ୍ତି ଭରିରହିଛି । ବିଶ୍ୱ ନିର୍ମାଣ ଓ ଧ୍ୱଂସ ପାଇଁ ଅତୁଳ ଶକ୍ତି ତୁମଠି ପୂରି ରହିଛି । ତମର ଶକ୍ତିର କଲ୍ୟାଣକାରୀ ପ୍ରୟୋଗରେ ମଗ୍ନ ରହନ୍ତି ତ. . . ତମକୁ ସମୟଖଣ୍ଡର ଗୋଟାଏ ପାର୍ଶ୍ୱରେ ଠିଆ ହେଇ, ନିଜକୁ ଅସହାୟ ଭାବିବାକୁ ବେଳ ମିଳନ୍ତା ନାହିଁ । ଆନନ୍ଦ ବା କଷ୍ଟ ପାଉଚ ତ. . . କାହା ସମୟ କରିନି । ତମେ କରିଚ ।

. . . ଶୁଣ ଚନ୍ଦ୍ରକାନ୍ତ- ନଈଟେ ସମୁଦ୍ରରେ ମିଶିବାର ଆଶା ନେଇ, କ’ଣ ପର୍ବତରୁ ଝରେ. . . ଏହା ହିଁ ତା’ର ଶେଷ ଲକ୍ଷ୍ୟ କି ! ଅବବାହିକାକୁ ଉର୍ବର ଓ ରସାଳ କରିବା କ’ଣ ତା’ର ଧର୍ମ ନୁହେଁ ? ସେ କ’ଣ ଖାଲି ନିଜ ପାଇଁ ?

ଚନ୍ଦ୍ରକାନ୍ତା ମୁହଁରୁ ଝାଳ ପୋଛିଲା. . .

ଲମ୍ୱା ନିଃଶ୍ୱାସଟିଏ ଛାଡ଼ିଲା. . .

ଛେପ ଢୋକି ପଚାରିଲା- ଫାଟି ପଡୁଥିବା ମାଟିର ଛାତିରେ ରସ ଢାଳିବା. . . ନଈର କର୍ତ୍ତବ୍ୟ, ମୁଁ ମାନୁଚି । ମୁଁ ତ ମରୁ ନଈଟିଏ । ହୁ ହୁ ବାଲିବନ୍ତରେ ନିଶ୍ଚିହ୍ନ ପ୍ରାୟ । ମୋତେ ନେଇ, ଏତେ ଖେଳ କାହିଁକି ?

ସମୟ ଯେପରି କାନେ କାନେ କହିଲା- “ଯଦି ଭାବୁଚ ଚନ୍ଦ୍ରିକା. . . ସମୟ ତମର ଭଲମନ୍ଦର ସାଥୀ. . . ତ, ନୂଆ ସମୟକୁ ବନ୍ଧୁ ରୂପ ଗ୍ରହଣ କରିନିଅ । ସବୁ ଘଟିଥିବା ଭୁଲ୍‌ର କାରଣ, ନିଜେ ବୋଲି ଭାବିନିଅ । ଅନ୍ୟକୁ ଦୋଷ ଦେବାର ଦୁର୍ଭାବନା ମନରୁ ଘୁଞ୍ଚିଚାଲେ ତ. . ., ନିଜର ଶକ୍ତି ଉପରେ ଭରସା ଆସିବ । ଅବଶିଷ୍ଟ ଜୀବନ ସମୟ ସହିତ ସାଲିସ୍ ନ କରି, ନିଜ ନିଷ୍ପତ୍ତିରେ ମାଡ଼ିବ । ଯେତିକି ଦିନ ନିର୍ଭୁଲ୍ ଜୀବନ ବଞ୍ଚିବ. . . ଶାନ୍ତିରେ ବଞ୍ଚିବ ।”

ଟିକେ ଚିନ୍ତା କରି ଚନ୍ଦ୍ରକାନ୍ତ କହିଲା- “ମୁଁ ତ କିଛି ଭୁଲ୍ କରିନାହିଁ ।”

. . . ହଁ କରିଚ । ଇଉନିଭରସିଟୀର ପଢ଼ାସାଥୀ ଅମ୍ଳାନର ଚରିତ୍ରକୁ ମ୍ଳାନହୀନ ବୋଲି ବିଚାର କରିବା ତମର ଭୁଲ୍ । ତା’ ସହିତ ନିବିଡ଼ ବନ୍ଧୁତ୍ୱର ଆବେଗରେ. . . ଲିଭ୍ ଇନ୍ ରିଲେସନ୍‌ଶିପ୍. . . ବିବାହ ନ କରି, ସମସ୍ତ ସମ୍ପର୍କ ରଖିବା ପରି ସମାଜ ବିରୋଧୀ କୁତ୍ସିତ ବିଶ୍ୱାସରେ, ଜୀବନ ବିତାଇଲ । ଦୁହେଁ ଅନ୍ତରଙ୍ଗ ସମ୍ପର୍କରେ ବଞ୍ଚୁ ବଞ୍ଚୁ. . . ସମ୍ପର୍କ ଯେତେବେଳେ ରୂପ ବିସ୍ତାର କଲା ତୁମ ଜରାୟୁରେ . . . ତ, ଚିନ୍ତା କଲ- ସନ୍ତାନଟିର ପିତୃ ପରିଚୟ- ସମାଜ ବିରୋଧୀ ନ ହେଉ ।

. . . ଅମ୍ଳାନର ହାତ ଗୋଡ଼ ଧରିଲ ।

ରାଜି କରାଇଲ ପାରମ୍ପରିକ ବିବାହ ପାଇଁ ।

ତୁମର ଲିଭ୍ ଇନ୍ ରିଲେସନ୍‌ଶିପ୍‌କୁ ଘୃଣା କରିଥିବା ପରିବାର ଲୋକେ ତୁମର ଓ ଅମ୍ଳାନର ବିବାହ ସମ୍ପର୍କକୁ ଆନନ୍ଦର ସହିତ ଗ୍ରହଣ କଲେ ଏହି ପାଇଁ- ବଂଶ ଆଭିଜାତ୍ୟ କପାଳରେ ତମେ ଯେଉଁ କଳଙ୍କର କଳା ଟିପା ମାରିଥିଲ. . . ତାହା ପବିତ୍ର ଚନ୍ଦନଟିକାରେ ବଦଳିଯାଉ ।

ତମେ କେତେ ବୁଝିଥିଲ ଅମ୍ଳାନକୁ ।

ଭାବିନଥିଲ କାହିଁକି ଯେ- ଇଉନିଭରସିଟୀର ଟପର୍ ଜଣେ ସୁଦର୍ଶନ ଯୁବକ. . . ଆଉ କାହା ଆଖିରେ ବସା ବାନ୍ଧିଥିବ କିମ୍ୱା. . . ତମକୁ ନେଇ ଅମ୍ଳାନ ଟାଇମ୍ ପାଶ୍ କରୁଥିବ. . . ନ ହେଲେ, ତାକୁ ନେଇ ଆଉ କିଏ ଜାଲ ବୁଣୁଥିବ । ପଢ଼ିବା ଦିଗରେ ଯିଏ ସର୍ବୋତ୍ତମ. . . ଚରିତ୍ର ଦିଗରେ ସେ ସର୍ବନିମ୍ନ ହେଇଥାଇପାରେ… ଏ ଦିଗରେ ତମର ଛାନ୍‌ଭିନ୍ କରିବାର ଥିଲା । ଏପରି ନ କରିବା ତମର ଭୁଲ୍ ଥିଲା ।

. . . ତମ ବିବାହ ବେଦୀରେ ଅମ୍ଳାନକୁ ବରବେଶରେ ଦେଖିବାକୁ ଅପେକ୍ଷା କରିଥିବା ବନ୍ଧୁବାନ୍ଧବ, ଭାଇକୁଟୁମ୍ୱ, ପ୍ରିୟ ଲୋକେ ଯେତେବେଳେ ଜାଣିଲେ- ଅମ୍ଳାନ ନିରୁଦ୍ଦିଷ୍ଟ ହେଇସାରିଚି. . . ତମେ ଉପହସିତ ହେଇସାରିଚ. . . ସେତେବେଳେ ଯାଇ ମନେ କଲ- ଅମ୍ଳାନର ଅସ୍ୱୀକୃତ ସ୍ୱାମୀସ୍ତ୍ରୀର ଏକତ୍ରଜୀବନ ଛଳନାର ଥିଲା । ତମେ ବୁଝିବାକୁ ଚାହିଁଲନାହିଁ- ଅମ୍ଳାନର ନିରୁଦ୍ଦିଷ୍ଟ ହେବା ପଛରେ କାରଣ କ’ଣ ଥିଲା ?

. . . ତମ ବାପାଙ୍କୁ ଷ୍ଟ୍ରୋକ୍ ହେଇଗଲା. . . । ସେ ହସ୍ପିଟାଲ୍‌ରେ ଭର୍ତ୍ତି ହେଇଥିଲେ ଆରୋଗ୍ୟ ହେବାକୁ, କିନ୍ତୁ ଶବଗୃହରେ ସଂରକ୍ଷିତ ହେଇ ରହିଲେ, କାରଣ. . . ତମେ ତାଙ୍କର ଏକମାତ୍ର ସନ୍ତାନ ଥାଇ, ସେଠି ପହଞ୍ଚିପାରୁ ନଥିଲ । ସେହି ଅମଙ୍ଗଳ ବେଦୀରେ ତମକୁ ବିବାହ କରି ମଙ୍ଗୁଳାକନ୍ୟା କଳଙ୍କରୁ ରକ୍ଷା କରିବା ପାଇଁ, ହାତ ବଢ଼ାଇଥିଲା ନିଜ ସାହିର ପଢ଼ାସାଥୀ ସୁରୂପ । ଯାହାର କି. . . ପରିବାର ଚଳାଇବାର ଉପାର୍ଜନ ହିଁ ନ ଥିଲା ।

ଅମ୍ଳାନ ପାଖରେ ଠକିଗଲା ପରେ, ସୁରୂପ ପ୍ରତି କୃତଜ୍ଞ ହେଇଗଲେ ତମେ. . . କାରଣ, ସେ ଜାଣିଥିଲା- ତମ ଜରାୟୁରେ, ଅମ୍ଳାନର ରକ୍ତ ଖେଳୁଛି । ତମେ ଭାବିଲ- ସେ ମହାନ୍ ! ନିଜକୁ ଚଳାଇ ପାରୁନଥିବା ଯୁବକଟା. . . ତମର ବୋଝ ମୁଣ୍ଡାଇବାକୁ ପ୍ରସ୍ତୁତ ହେଲା କାହିଁକି. . . ତମେ ବୁଝିଲ ନାହିଁ ।

ବାପାଙ୍କ ପାଖକୁ ହସ୍ପିଟାଲ୍ ଯିବା ପରିବର୍ତ୍ତେ. . . ତମେ ବେଦୀରେ ବସିଲ । ଏଇ ଆଶଙ୍କାରେ- କାଳେ ସୁରୂପ ମତ ପରିବର୍ତ୍ତନ କରିବ ତ. . . ତମେ ସମାଜରେ ବାଛନ୍ଦ ହେଇଯିବ । ତମେ ପ୍ରଥମେ ସମାଜକୁ ଚାହିଁ ନ ଥିଲ. . . ପରେ ଚାହିଁବାକୁ ଗୁରୁତ୍ୱ ଦେଲ, କିନ୍ତୁ ତମ ଅଜାଣତରେ. . . ଅସାମାଜିକ ହେଇସାରିଥିଲ ।

. . . ଜୀବନ ନାଟକର ନିଷ୍ଫଳ ନାୟିକା ତମେ ।

ପ୍ରତିଟି ଦୃଶ୍ୟ ସହିତ ତମର ସମ୍ପର୍କ କେଉଁଠି ଫୁଟି ଦିଶିଚି ତ. . . କେଉଁଠି ତମେ ଲୁଚିଥାଇ, ଫୁଟିବ । ନାଟକର ଶେଷ ଦୃଶ୍ୟରେ ଚରମ ପରିଣତି ତମକୁ ଆକ୍ଚା ମାକ୍ଚା କରିଚି. . . ଏଥିରୁ ଘୁଞ୍ଚିବାର ବାଟ କାହିଁ, ତମ ପାଇଁ ? ଯନ୍ତ୍ରଣାର ଜୀବନ. . . ଏବେ ଜ୍ୱାଳାର । ପରିବାର ଇଚ୍ଛା ବିରୁଦ୍ଧରେ ନଈ ସୁଅକୁ ଡେଇଁଲ. . . ତରଙ୍ଗରେ ଖେଳି ପହଁରି, ମଜା ଉଠାଇଲ । ଏବେ ଭଉଁରୀରେ ପଡ଼ି ଅଣନିଃଶ୍ୱାସୀ ହେଲାବେଳେ, ସମୟକୁ ଡାକୁଚ ! ସମୟ କାହାର ନିଜର କି ?

ଚନ୍ଦ୍ରକାନ୍ତା ଚୁପ୍ ହେଇଗଲା କିଛି ସମୟ. . . ।

ତା’ପରେ

ଲୋକପ୍ରିୟ ଲେଖା

To Top