ଗଳ୍ପ

ମେଘଭର୍ତ୍ତି ଆକାଶରେ ବିଜୁଳି ଚେନାଏ

Laxmidhara Nayak's odia story Meghabhartti Aakaashare Bijuli Chenaae

ବାହାରୁ ଜଞ୍ଜିର ଲଗାଇ. . . କାର୍ ଭିତରେ ଆରାମ କଲା । ଚନ୍ଦ୍ରକାନ୍ତା ଆଖିରୁ ଲୁହ ଝରିଲା. . . ।

ମେଘଭର୍ତ୍ତି ଆକାଶରେ ବିଜୁଳି ଚେନାଏ

ପୂର୍ବରୁ

ଖୁବ୍ ଧୀରେ ପଚାରିଲା- “ପ୍ରକୃତରେ ତମେ କିଏ ?” ସମୟ. . . ନା ମୋ ଭିତରେ ଥାଇ, କେହି ମତେ କହୁଚ କିମ୍ୱା ଆଉ କିଛି ।

ଏବେ ସମୟ ପୂରା ନିରବ ।

କିଛି ସମୟ ଯାଏ ନିଜ ମନକୁ ଖୋଜିଲା ଚନ୍ଦ୍ରକାନ୍ତା ।

ତା’ ମନ, ତା’ ଠି ରହୁନି କାହିଁକି ? ଅନ୍ୟତ୍ର ଉଡ଼ିଯାଉଚି ବାରମ୍ୱାର. . . ଯେଉଁ ଜାଗାର ଦୃଶ୍ୟ ସବୁ ତା’ ପାଇଁ ବେଶ୍ ପରିଚିତ ଓ ଯନ୍ତ୍ରଣାରେ ଛଟପଟ. . . . . . ।

. . . ସୁରୂପ ଆଉ ଟିକକୁ ଅଫିସ୍‌ରୁ ଫେରିବେ ।

ତାଙ୍କର ଉପରିସ୍ଥ ଅଫିସର୍ ଚିଦାମ୍ୱର ସାର୍. . . ତାଙ୍କ ସହିତ ଆସିବେ ।

ତାଙ୍କ କଲମ ମୁନରେ. . . ୟା’ଙ୍କର ପ୍ରମୋଶନ୍ ନିର୍ଭର କରୁଚି ।

ସୁରୂପ ଫୋନ୍ କରିଚନ୍ତି-

ପ୍ଲୀଜ୍ ଚନ୍ଦ୍ରା. . . ଯେମିତି କୌଣସି ଦିଗରୁ, ପରିଚର୍ଯ୍ୟାରେ ଅଳ୍ପ ଟିକେ ବି ତୃଟି ନ ହୁଏ । ଖାଦ୍ୟପେୟ ଯେମିତି ହେଲେ ଚଳିବ, ମୋ ଚନ୍ଦ୍ରାଙ୍କ ଆନ୍ତରିକତା ଓ ନିଜର ବୋଲି ଗ୍ରହଣ କରିନେବାର ସରଳ ହୃଦୟ ହିଁ, ସେପରି ମନୁଆ ଅଫିସର୍‌ଙ୍କୁ ଖୁସି କରିଦେବ । ଆର ମାସକୁ ପ୍ରମୋଶନ୍ ସିଓର୍. . . ନକ୍ସା ବଦଳିଯିବ ସବୁକିଛିର ।

ସରଳହୃଦୟା ଚନ୍ଦ୍ରକାନ୍ତା ପଚାରିଲା- “ତମେ ତ ଚିଲିପନିର୍‌କୁ ପସନ୍ଦ କର । ସାର୍‌ଙ୍କର ଚିଲିଚିକେନ୍. . . ନା, ଚିଲିମଟନ୍ ? ଭେଜିଟେରିଆନ୍ କି ?”

– ନାଇଁ ନାଇଁ, ପୂରାପୂରି ମାଂସାହାରୀ । ହାଡ଼ଗୋଡ଼ ପର୍ଯ୍ୟନ୍ତ ଚୋବେଇ ଯିବେ । ପ୍ଲୀଜ୍ ଚନ୍ଦ୍ରା. . . ଯେମିତି ଯେମିତି ତାଙ୍କୁ ଖୁସି କରିଦେଲେ. . . ଆମର ସବୁ ଅଭାବ ଘୁଞ୍ଚିଯିବ ।

. . . କିଛି ମନ୍ଦ ଉଦ୍ଦେଶ୍ୟ ରଖି ଆସୁନାହାନ୍ତି ତ !

– ମନ୍ଦ ଗୋଟେ କ’ଣ ଚନ୍ଦ୍ରା ? ତମ ବିବାହ ବେଦୀକୁ ବର ଆସିଲାନାହିଁ, ତମ ବାପା ହୃତଘାତରେ ଚାଲିଗଲେ । ତମେ ଦୁଇମାସର ଅନ୍ତଃସତ୍ତ୍ୱା ଥିଲ । ଅବଶ୍ୟ ସେପରି ମାନସିକ ଧକ୍କାରେ, ତମର ଆବୋରେସନ୍ ହେଇଗଲା. . . ମୁଁ ମୋ ପରିବାରର ଲୋକେ ବାଧା ଦେବା ସତ୍ତ୍ୱେ. . . ତମକୁ ସେହି ପୋଡ଼ାବେଦୀରେ ବାହା ହେଲି । ତମର ସବୁ ପଛକୁ ମନ୍ଦ ରୂପେ ଗ୍ରହଣ କରିଥିଲେ, ବାହା ହେଇଥାନ୍ତି କି ? ଭଲମନ୍ଦ. . . ମନର ଭାବନା ।

– ପୁଣି ଚନ୍ଦ୍ରା. . . ତମକୁ ବିବାହ କରି, ମୁଁ ଘରୁ ତଡ଼ା ଖାଇଲି । ଟିଉସନ୍ ଟଙ୍କାରୁ ଯେତିକି ସଞ୍ଚୟ କରିଥିଲି, ତମକୁ ଧରି ଏଠିକୁ ଆସିଲା ପରେ, କ୍ଷୀରବାଲା, ଡାଲି ଚାଉଳ ଦୋକାନ ଓ ସେଲୁନ୍ ଲଣ୍ଡ୍ରୀର ଖୋଲା ମୁହଁରେ ସବୁ ଶେଷ ହେଲା, ତୁମର ସବୁ ଅଳଙ୍କାର ବିକ୍ରୀ ହେଇଗଲା । ଏବେ ତମ ହାତରେ ଦି’ମୁଠା ନାଲି ପାଣିକାଚ. . . ବେକ, କାନ, ପାଦ. . . ସବୁ ଖାଲି ।

– ମିଳିମିଶି, ମନକୁ ସଜାଡ଼ି, ସୁଯୋଗକୁ ହାତଛଡ଼ା ନ କରି, ଏମିତି ଅବସ୍ଥାର ଆମେ ପରିବର୍ତ୍ତନ କରିବା. . . ନା, ଭଲମନ୍ଦର ଦିଗକୁ ଅନେଇ, ଭୋକ ଉପାସରେ ପର ପାଖରେ ହାତ ପତେଇ ପତେଇ. . . ସୁଇସାଇଡ୍ କରିବା ।

– ପ୍ଲୀଜ୍ ଚନ୍ଦ୍ରା. . . ମନୁଆ ଚିଦମ୍ୱରସାର୍‌ଙ୍କୁ ସଜାଡ଼ି ନିଅ. . . ସବୁର ପରିବର୍ତ୍ତନ ଘଟିଯିବ ।

ସରଳା ଚନ୍ଦ୍ରକାନ୍ତା କହିଲା- “ବ୍ୟସ୍ତ ହୁଅନି ସୁରୂପ । ପାରୁପର୍ଯ୍ୟନ୍ତ ଚେଷ୍ଟା କରିବି- ସେ କେମିତି ଭଲ ଭାବନା ନେଇ, ତମ ପାଇଁ ପ୍ରମୋଶନ୍‌ର ରେକମଣ୍ଡେସନ୍ ଲେଖନ୍ତୁ. . . ।”

ପରିଚର୍ଯ୍ୟା ପାଇଁ ଅଫିସ୍ ପିଅନ୍ ହାତରେ ଦୁଇ ହଜାର ଟଙ୍କା ପଠାଇଥିଲା ସୁରୂପ । ବୋଧହୁଏ. . . ଏଇ ମାସ ଦରମାରୁ ଆଡ଼ଭାନ୍ସ ଆଣିଥିବେ । ନିଶ୍ଚିତ ଭରସା ପାଇ ନ ଥିଲେ, ସୁରୂପ ଏତେ ଗୁଡ଼େ ଟଙ୍କା ସାର୍‌ଙ୍କ ପରିଚର୍ଯ୍ୟାରେ ଖର୍ଚ୍ଚ କରିବାକୁ ପଠାଇ ନ ଥାନ୍ତା ।

ତା’ ଗୋଡ଼ ତଳେ ଲାଗୁ ନଥାଏ ।

ନିଜ ଘରୁ ଶିଖିଥିବା ସବୁ ରାନ୍ଧଣା କୌଶଳ ପ୍ରୟୋଗ କରି, ନାନା ସୁଖାଦ୍ୟ ବ୍ୟଞ୍ଜନ ପ୍ରସ୍ତୁତ କଲା । ମଟନ୍ ବିରିଆନି ବାସ୍ନାରେ ମହକୁଥାଏ ତାଙ୍କର ଭଡ଼ାଘର । ସ୍ୱାମୀର ପ୍ରମୋଶନ୍ ହେବ । ଚନ୍ଦ୍ରାପରି ଅନୁଗତା ସ୍ତ୍ରୀ କୁଣ୍ଠିତା ହେବ ବା କେମିତି ? ସେ ଲାଗି ପଡ଼ିଲା. . . ।

ସବୁ ପରେ. . . ।

ଅଇନା ଆଗକୁ ଆସି ପଣତରେ ମୁହଁ ପୋଛିଲା. . . ।

. . . କେବଳ ପଇଁତ୍ରିଶ୍ ବର୍ଷର ପୂରନ୍ତ ଯୌବନ ଲାଖି ରହିଚି ତା’ ସାରା ଅଙ୍ଗ ଅବୟବରେ । ଅଳଙ୍କାର ବିନା, କ’ଣ ଊଣା ରହିଚି କି ସୁନ୍ଦରତାରେ । ଈଶ୍ୱର ତାକୁ ଯେତିକି ରୂପ ଦେଇଚନ୍ତି. . . ତାକୁ ଦେଖି ଏ ଅଇନା ବି ଆକ୍‌ଚା ହୁଅନ୍ତା. . . ଯଦି ତା’ର ଜୀବନ ଥାଆନ୍ତା ।

. . . ଟିପିଟିପି ଛିଟପକା ହାଲୁକା ଆକାଶୀ ରଙ୍ଗର ଶାଢ଼ୀଟି ଭିତରେ, ତା’ର ଗହମଗୋରା ମୁହଁର ପଦ୍ମପାଖୁଡ଼ା ପରି ଟଣାଟଣା ଆଖି । ଗାଢ଼ କଳା ଭୃଲତା ଦୁଇଟି ମଝିର ଠିକ୍ ଉପରକୁ- ଟୋପାଏ ଗାଢ଼ ସିନ୍ଦୂର । ତା’ ଉପରକୁ. . . କପାଳ ଆଡ଼କୁ ନଇଁ ଆସିଥିବା ଚିକ୍କଣକଳା କେଶ । ଡାହାଣ ପାଖ କାନପାଖରୁ ଛାତି ଉପର ଦେଇ ଅଣ୍ଟାଯାଏ ଲମ୍ୱିଥିବା ତରଙ୍ଗ ତରଙ୍ଗ କେଶରୁ କେରାଏ ଓ ଠିକ୍ ସେମିତି. . . ଅବଶିଷ୍ଟ କେଶ ପିଠି ଆଡ଼େ ଲମ୍ୱିଚି । ସିନ୍ଦୂର ଟୋପା ଲାଗୁଚି. . . ଉଇଁ ଆସିଚି କି ସକାଳର ପ୍ରଥମ ସୂର୍ଯ୍ୟ ଭୃଲତା ରୂପୀ ପାହାଡ଼ ଦୁଇଟିର ମଝିରୁ. . . ମେଘରମାଳାର ଖୁବ୍ ତଳେ ।

. . . ଏଇ ସବୁ ତ ତା’ର ସୌନ୍ଦର୍ଯ୍ୟ ।

କଣ ଦରକାର୍ ଅଳଙ୍କାରର ।

ସୁରୂପ ସିନା ମିଛଟାରେ ଅଳଙ୍କାରକୁ ଝୁରୁଚନ୍ତି, କିନ୍ତୁ ସବୁ ସ୍ତ୍ରୀ ଅଳଙ୍କାରକୁ ନୁହେଁ. . . ତାଙ୍କ ସ୍ୱାମୀକୁ ଶ୍ରେଷ୍ଠ ଅଳଙ୍କାର ଭାବନ୍ତି ।

ଏମିତି ମନ ନେଇ ଚନ୍ଦ୍ରକାନ୍ତା ଆଗକୁ ଭାବୁଥିଲା ତ. . . ବାହାରୁ କାର୍ ହର୍ଣ୍ଣ ଶୁଭିଲା । ତା’ପରେ ବନ୍ଦ କବାଟ ସେ ପାଖରେ ତିନି ତିନିଥର ସାଙ୍କେତିକ ଆଙ୍ଗୁଳିଟିପା. . . ଧୀର ଶବ୍ଦ । ଏଇଟା ସୁରୂପଙ୍କର ଡାକିବା ଷ୍ଟାଇଲ୍. . . ।

କବାଟ ଖୋଲିବା ଆଗରୁ ନିଜକୁ ସଜାଡ଼ିଲା ଚନ୍ଦ୍ରକାନ୍ତା । ପଟା ଖଟଟିର ବେଡ୍ ଶିଟ୍‌ଟିକୁ ସାଉଁଳାଇ ଆଣିଲା । ପ୍ଲାଷ୍ଟିକ୍ ଷ୍ଟୁଲ୍‌ଟିକୁ ଖଟ ପାଖକୁ ଘୁଞ୍ଚାଇ ରଖି. . . କବାଟ ଖୋଲିଲା. . . ।

ସ୍ୱରୂପ ଘରକୁ ପଶି ଆସିଲେ ତ. . . ତାଙ୍କ ସାର୍ ଚିଦାମ୍ୱରବାବୁ ଦିଶିଲେ । ହସ ହସ ବଡ଼ ମୁହଁଟି । ତାଙ୍କ ପେଟ ଗୋଟେ ଖୁବ୍ ବଡ଼ ମାଟି ହାଣ୍ଡିପରି, ପିନ୍ଧିଥିବା ପଞ୍ଜାବି ସହିତ ଆଗକୁ ମାଡ଼ି ଆସିଛି ଯେ. . . ଚନ୍ଦ୍ରକାନ୍ତା ଦୁଇପାଦ ପଛକୁ ଘୁଞ୍ଚି, ତାଙ୍କୁ ନଇଁପଡ଼ି ପ୍ରଣାମ କଲା । ସେ ଉଠିବା ପୂର୍ବରୁ, ସାର୍ ତା’ ମୁଣ୍ଡକୁ ଛୁଇଁଲେ ଓ ଉଠିବା ସଙ୍ଗେ ସଙ୍ଗେ ଗାଲରେ ହାତ ବୁଲାଇ ଆଣିଲେ ।

ଚନ୍ଦ୍ରକାନ୍ତା ଅପ୍ରତିହତା ହେଲା. . . ।

ଟିକେ ଘୁଞ୍ଚି ଆସିଲାରୁ. . . ଚିଦାମ୍ୱର ସାର୍ ନିଜର ପୃଥୁଳ ଶରୀରଟିକୁ ପଟାଖଟରେ ଥୋଇ ଦେଲେ ତ. . . କଟକଟ୍ ହେଲା ସେହି ଦୁର୍ବଳ ଖଟଖଣ୍ଡିକ । ଚନ୍ଦ୍ରକାନ୍ତା ବୁଲି ଚାହିଁଲା. . . ସାର୍‌ଙ୍କ ବେକ ଦିଶୁନି । ଛାତିକୁ ଲାଗିଚି ତାଙ୍କର ଥୋଡ଼ି । ପେଟଟି କାରଣରୁ. . . ଧୋତିତଳ ଜଙ୍ଘ ଚାପି ହେଇ ରହିଚି ତା’ ତଳେ । ସାର୍ ଗୋଟେ ଆଦିମ ମଣିଷ ପରି ଲାଗୁଚନ୍ତି. . . ଯଦିଓ ଆଦିମ ମଣିଷର ମୁଣ୍ଡଟି ଝାମ୍ପୁରା. . . ୟା’ଙ୍କର ଟାଙ୍ଗରା । ଆଖି ପିଛଡ଼ା ନ ପକାଇ, ସେ ଚନ୍ଦ୍ରକାନ୍ତାର ସୁନ୍ଦର ରୂପକୁ ଯେମିତି କି ପିଇଯାଉଚନ୍ତି ।

ଚିଦମ୍ୱର ସାର୍ କହିଲେ- ଏ ଯେ. . . ତମେ ଅମୃତପାତ୍ର ଚନ୍ଦ୍ରା । ଅନେକ ମରଣ ପାଇଁ ପୁନର୍ଜୀବନ ତମେ । . . . ସୁରୂପ । ପ୍ରମୋଶନ ପାଇଁ ତମେ ହାତଯୋଡୁଚ ମୋ ଆଗରେ । ତମ ଆଖି କ’ଣ ପଥର ଯେ. . . ଯାହାର ଈଶାରାରେ ହୀରା ଲୀଳା ମୋତି ମାଣିକ ତୁମ ଆଞ୍ଜୁଳାରେ ଅଜାଡ଼ି ହେଇପଡ଼ିବ. . . ତାକୁ ତମେ ଦି’ମୁଠା ନାଲି ଚୁଡ଼ି ପିନ୍ଧାଇ, ଏପରି ଗୁମ୍ଫାରେ ରଖିଚ । ଧନ୍ୟ ତମ ରୁଚିକୁ । ତମେ ୟା’କୁ ଗୋବର ଗୋଟେଇ ପରି ସଜେଇ ଦେଇଚ । କେତେ ଯେ ଅନ୍ୟାୟ କରିସାରିଚ ସୁରୂପ ।

ସୁରୂପ ଚନ୍ଦ୍ରକାନ୍ତକୁ କହିଲା- “ଏବେ ତମ ଆଗ୍ରହ ଉପରେ ମୋ ପ୍ରମୋଶନ୍ ନିର୍ଭର କରେ ଚନ୍ଦ୍ରା ।” ମୁଁ ବାହାରୁ ଆସୁଚି. . . ସାର୍‌ଙ୍କ ପରିଚର୍ଯ୍ୟାରେ ଲାଗିଥାଅ. . . ।

ସ୍ୱାମୀ ସୁରୂପର କୁରୂପ ଦିଶିସାରିଥିଲା ।

ସେ ଦଲାଲ୍‌ଟିଏ ସାଜିସାରିଥିଲା ।

ବାହାରୁ ଜଞ୍ଜିର ଲଗାଇ. . . କାର୍ ଭିତରେ ଆରାମ କଲା । ଚନ୍ଦ୍ରକାନ୍ତା ଆଖିରୁ ଲୁହ ଝରିଲା. . . ।

ଆଣ୍ଠୁମାଡ଼ି ହାତ ଯୋଡ଼ିଦେଲା ଚିଦାମ୍ୱରଙ୍କ ଆଗରେ. . . ।

କେବଳ ଏତିକି କହିଲା- “ଆପଣ ମୋ ବାପା ବୟସର । ମୋତେ ରକ୍ଷାକରନ୍ତୁ ବାପା । ଆଶୀର୍ବାଦ କରନ୍ତୁ. . . ।”

ଅଫିସର କ୍ଷଣେ କ’ଣ ଚିନ୍ତା କରି, ତ’ ମୁଣ୍ଡରେ ହାତ ଛୁଇଁଲେ ତ. . . ଥରିଉଠିଲା ଚନ୍ଦ୍ରା । ତା’ ଆଖି ମୁଦି ହେଇପଡ଼ିଲେ ବି. . . ଲୁହ ଝରିଚାଲିଲା । ଭାବିଲା- ଏ ରାକ୍ଷସ ଛାତିରେ ବାପର ହୃଦୟ ଅଛି ତ ।

ଅଫିସର୍ କହିଲେ- “ମୁଁ ସବୁ ଜାଣିଚି ମା’ । ସୁରୂପ ମୋତେ ସବୁ କହିଚି । ଲିଭ୍ ଇନ୍ ରିଲେସନ୍‌ଶିପ୍ ସମ୍ପର୍କ ମଧ୍ୟରେ. . . ଅମ୍ଳାନ ତୋର ଠଗ ଦେହଭୋଗୀ ବନ୍ଧୁଟିଏ ନ ଥିଲା କି ।

– ହଁ ବାପା !

. . . ଏବେ ତ ଜାଣିଗଲୁ- ତୋର ସବୁ ଅଳଙ୍କାର ଶେଷ ହେଲା ପରେ, ତତେ, ନେଇ ବ୍ୟଭିଚାରର ପ୍ରଥମ ଭୋକ୍ତା ରୂପେ, ସେ ମତେ ବାଛିଚି ।

ଚନ୍ଦ୍ରକାନ୍ତାର ଲୁହ ଆହୁରି ଧାର ଧାର ।

ତାକୁ ଲାଗୁଥାଏ- ବାପା ସମ୍ୱୋଧନର ମୁହଁକୁ ଛେପ ପକାଇ ଏ ପାହାଡ଼ଟା ଆଉ ଟିକକୁ ଗଣ୍ଡ ଗୁଣ୍ଡ କରିଦେବ ତାକୁ ।

ସବୁଆଡ଼େ ଅନ୍ଧାର ଦିଶିଲା. . . । ମୁଣ୍ଡ ବୁଲାଇ ଦେଲା । ସେ ଗଡ଼ିପଡୁ ଥିଲା ତ. . . ତାକୁ ତୋଳି ନେଇ, ଖଟ ଉପରେ ଚିତ୍ କରି, ଶୁଆଇ ଦେଲେ ଚିଦମ୍ୱର ସାର୍ । ପ୍ଲାଷ୍ଟିକ୍ ବାଲ୍‌ଟିରୁ, ଜଗ୍‌ରେ ପାଣି ଆଣି, ତା’ ମୁହଁରେ ସିଞ୍ଚିଲେ । ତା’ କେଶକୁ ସାଉଁଲାଇ, ଚେତା ଫେରାଇଲେ ।

ଆଖିରେ ଭୟ. . . ମୁହଁରେ ମଳିନତା. . . ଓଠରେ ନିଶ୍ଚୁପ ଶବ୍ଦ. . . କେବଳ ଜଳଜଳ ହେଇ ଚାହିଁଥାଏ ଚନ୍ଦ୍ରକାନ୍ତା. . . ତା’ ଚାହାଁଣି ଯେପରି କହୁଥାଏ- ଦୟା କରି ରକ୍ଷା କର. . . ରକ୍ଷାକର । ବାପା. . . . . . ।

ଚିଦମ୍ୱର ତା’ ଦୁଇଗାଲକୁ, ଦୁଇ ପାପୁଲିରେ ଚାପିଧରି, ନିଜ ଆଡ଼କୁ ଢଳାଇ ରଖିଲେ- ତା’ ମୁହଁ ଆଖିକୁ । ତାକୁ ଏପରି ଚାହିଁ ଚାହିଁ, ବଡ଼ ବଡ଼ ଲୁହ ଟୋପା ଝରାଇ ଦେଲେ ତା’ ମୁହଁରେ. . . କପାଳରେ ।

କହିଲେ- “ବୁଝିଗଲୁ ତ. . . ସୁରୂପ ପରି ସ୍ୱାମୀମାନେ ଉପରକୁ ଉଠିବା ନିଶାରେ. . . କିପରି ଗଣଭୋଗ୍ୟା କରିବାକୁ ଚାହାଁନ୍ତି, ବିବାହିତା ସ୍ତ୍ରୀକୁ । ଥୁ କରିଦେ’ ତା’ ମୁହଁକୁ । ଚାଲ୍ ମୋ ଘରକୁ. . . ମୋ ଝିଅ ହେଇ ରହିବୁ । ପ୍ରଚୁର ସମ୍ପତ୍ତି । ଚାରି ମହଲା ବିଲ୍ଡିଂ । ବିସ୍ତୁତ ବଗିଚା । ଅନେକ ଭୂସମ୍ପତ୍ତି । ବ୍ୟାଙ୍କ୍ ବାଲାନ୍ସ କଳ୍ପନା ବାହାରେ । ସବୁର ମାଲିକ୍ ହେଇ ଯିବୁ ତୁ । କାର୍ ଆକ୍ସିଡ଼େଣ୍ଟରେ ସମସ୍ତେ ମତେ ଏକାକରି ଚାଲିଯାଇଛନ୍ତି. . . । ମୋର ଆଶ୍ରା ହେବୁ ।

ଆକାଶେ ବିସ୍ମୟ ଛାଇ ହେଇଗଲା ସରଳା ଚନ୍ଦ୍ରକାନ୍ତା ଛାତିରେ ।

ଏ ଦେବତାଙ୍କୁ ସେ କ’ଣ ଭାବୁଥିଲା ଯେ ! !

ସବୁ ପୂର୍ଣ୍ଣତା ଭିତରେ ସେ ଅପୂର୍ଣ୍ଣା ଥିଲା. . . ସବୁ ପୂର୍ଣ୍ଣତା ଭିତରେ ଏ ଦେବତା ବି ଅପୂର୍ଣ୍ଣ ! କି ଯେ ବିଚିତ୍ର ସଂଯୋଗ !

ଚନ୍ଦ୍ରକାନ୍ତା କଇଁକଇଁ ହେଇ କାନ୍ଦି କାନ୍ଦି, ତାଙ୍କ ଛାତିରେ ଲୋଟିଗଲା । ସେ କହିଲେ- “ସବୁ କାନ୍ଦିବା ଏ ଛାତିରେ ଶେଷ କରିଦେ ମା’ । ଏବେ ହସିବାର ବେଳ ପହଞ୍ଚିସାରିଛି ।”

– ତା’ପରେ –

ଲୋକପ୍ରିୟ ଲେଖା

To Top