ଗଳ୍ପ

ମେଲଘରା

Dr Nilamani Lenka's odia story Melgharaa

କାରଣ ସେ ଜାଣିଛନ୍ତି ଗୁମୁହୁଡୁମାରେ ନିରସ୍ତ୍ର ଆଦିବାସୀଙ୍କୁ ଅମାନବୀୟ ଭାବରେ ଯବାନ ମାନଙ୍କ ଗୁଳିବର୍ଷଣ ଜନିତ ପରବର୍ତ୍ତୀ ରାଜନୀତିର ତାତି ଯେ ଏଠାରେ ନହେବ କିଏ କହିବ ?

ମେଲଘରା

କୁଲି ବୃତ୍ତି କରି ଚଳୁଥିବା ଲୋକଙ୍କ ଗାଁ ‘ମେଲଘରା’ ।

ଅଦ୍ଭୁତପୂର୍ବ ଏହି ମେଲଘରା ଗାଁ’ର ଚିତ୍ର ହୁଏତ ନିଶ୍ଚୟ ବିଭାଗୀୟ ନକ୍‌ସାରେ ଥାଇପାରେ , କିନ୍ତୁ ଜନବସତି ଠାରୁ ଉର୍ଦ୍ଧ୍ଵ ପାହାଡ଼ର କାନ୍ଧରେ ଥିବା ବସ୍ତି ହେଉଛି ମେଲଘରା ।

ମେଲଘରା ଯେ ରାତିପାହିବା ବେଳକୁ ବିଶ୍ୱ ଦରବାରରେ ପରିଚିତ ହୋଇଯିବ ଏକଥା କେହି କେବେ ବିଶ୍ୱାସ କରିନଥିଲେ । ଗାଁଟିର ଜନ୍ମ କେବେ ହୋଇଥିଲା , କିଏ ଏହାର ପ୍ରଥମ ବାସିନ୍ଦା ଥିଲା, ତା’ର ମଧ୍ୟ ଇତିହାସ ନାହିଁ । ପ୍ରଶାସନର ଦୃଷ୍ଟି ଆଢୁଆଳରେ ଯେ ଏମିତି ଏକ ଆଦିବାସୀ ବହୁଳ ଜନବସତି ଥାଇପାରେ, ତାହା ହୁଏତ ଅଜଣା ଥିଲା ସରକାରଙ୍କ ବିଭିନ୍ନ ଉନ୍ନତିମୂଳକ ଯୋଜନା ପାଇଁ ।

ସକାଳୁ ଖବର ପ୍ରସାରିତ ହେଲା । ନିଜ ପତ୍ନୀର ମୃତ ଶରୀରକୁ ସ୍ୱାମୀ ତା’କାନ୍ଧରେ ବୋହି ଚାଲିଛି କଳା ମିଚିମିଚି ମୂଖ୍ୟ ରାସ୍ତା ଉପରେ । ହଇଚଇ ପଡ଼ିଗଲା । ଦର୍ଶକ ଠାରୁ ଆରମ୍ଭ କରି ଶ୍ରୋତା ଅବାକ୍‌ ହୋଇଗଲେ ।

ଚର୍ଚ୍ଚିତ ସ୍ୱାମୀ ଦାନ ମାଝୀ । ବଳିଷ୍ଠ ଚେହେରା । ପତ୍ନୀ ସହ କୁଲିଗିରି କରି ପରିବାର ପ୍ରତିପୋଷଣ କରୁଥିବା ଦାନାମାଝି ଯେ ଦୁନିଆର ଆର ପାରିର ମଣିଷ ଏକଥା ତା’ର ସରଳ ମନର ଅସୀମ ଧୈର୍ଯ୍ୟରୁ ଜଣାପଡୁଥିଲା ।

ହୃଦୟ ବିଦାରକ ଏ ଦୃଶ୍ୟ ସମସ୍ତଙ୍କ ନିକଟରେ ଆନ୍ଦୋଳନ ନିମିତ୍ତ ଅନେକ ଖୋରାକ ଯୋଗାଇ ଦେଇଥିଲା । ଟି .ଭି. ଚ୍ୟାନେଲ ଗୁଡ଼ିକ ଲଗାତାର ଏହି ଦୃଶ୍ୟକୁ ପ୍ରଦର୍ଶନ କରୁଥିବାବେଳେ ତର୍କବିତର୍କ ବି ଆରମ୍ଭ ହୋଇଗଲା । ଏହି ସତେଜ ଘଟଣା ଲାଇଭ୍ ଟେଲିକାଷ୍ଟ ଚାଲିଥିବା ଅନେକ ଏହି ଦୃଶ୍ୟକୁ ଭାଇରାଲ ଭିଡ଼ିଓ ଆକାରରେ ଛାଡ଼ି ଦେଇଥିଲେ ।

ପ୍ରଶାସନ ତତ୍ପର ହୋଇଉଠିଲା । ଖୋଜାଗଲା ଦାନ ମାଝୀର ଯିବା ରାସ୍ତା । ସ୍ଥିତି ଆକଳନ କରାଗଲା ପାହାଡ଼ କାନ୍ଧରେ ଥିବା ମେଲଘରାର ସମ୍ଭାବ୍ୟ ଦୃଶ୍ୟପଟ ।

ଲମ୍ବା ପାହୁଣ୍ଡ ପକାଇ ଗାଁ ଅଭିମୁଖେ ବାହାରିଥିବା ଦାନ ମାଝୀ ଯେ ଦୀର୍ଘ ବାର କିଲୋମିଟର ବାଟ ଅତିକ୍ରମ କରିସାରିଲାଣି, ଏ ସମ୍ବାଦ ମେଡ଼ିକାଲ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆଢୁଆଳରେ ରହିଯାଇଥିଲା । କାନ୍ଧରେ ପତ୍ନୀ ଅମାଙ୍ଗ ଦେଈର ଶବ । ପୁରୁଣା ଶାଢ଼ୀ ଏବଂ ଲୁଂଗୀରେ ସମ୍ପୂର୍ଣ୍ଣ ଆଚ୍ଛାଦିତ ହୋଇଥିବା ଏହି ଶବ । ଚାଲିଥିବା ଏଗାର-ବାର ବର୍ଷର ଝିଅ ହାତରେ ଧରିଥିଲା ନିଜ ମାଆର ପୁରୁଣା ଲୁଗାପଟା, ଗୋଟିଏ ପ୍ଲାଷ୍ଟିକ ମଗ ଏବଂ କିଛି ବଳକା ଔଷଧ ।

କଇଁ କଇଁ କାନ୍ଦୁଥିବା ଝିଅ ଲୋକଙ୍କୁ ଦେଖି ତଟସ୍ଥ ହୋଇଯାଉଥିଲା । କାରଣ ତା’ ମାଆର ଶବକୁ ବାପା ନିଜ କାନ୍ଧରେ ବୋହି ନେଉଥିବା ବେଳେ ଶବ ଶୋଭାଯାତ୍ରାରେ ସକାଳୁ ଯୋଗ ଦେଇଥିଲେ ଅନେକ ଦେଖଣାହାରୀ ।

ଶବବୁହା କ୍ଳାନ୍ତି ଯୋଗୁଁ ଦାନ ମାଝୀ ବେଳେବେଳେ ରାସ୍ତାଠାରୁ ଟିକେ ଦୂରରେ ଶବ ରଖି ବିଶ୍ରାମ ନେଉଥିବା ସମୟରେ ଲୋକଙ୍କ ସମବେଦନା ମୂଳକ ପ୍ରଶ୍ନ ତା’ର ବ୍ୟଥିତ ମନକୁ ଭାରାକ୍ରାନ୍ତ କରିଦେଉଥିଲା ।

ଦାନ ମାଝୀ ମନେମନେ ବିରକ୍ତି ଭାବି ପ୍ରକାଶ କରି ପଳାଇଯିବାକୁ ଚେଷ୍ଟା କଲା । ଝିଅ ତା’ କାନ୍ଧକୁ ଶବ ଉଠାଇବାରେ ସାହାଯ୍ୟ କଲା ।

ପୁଣି କିଛି ବାଟ ଚାଲିଲା ।

କେହି ଜଣେ ତାକୁ ମଟର ସାଇକେଲରେ ଅତିକ୍ରମ କରି ସାମ୍ନାରେ ଠିଆହୋଇ କହିଲା , “ଶବକୁ ଗଛ ମୂଳେ ରଖି ଆଉଥରେ କାନ୍ଧକୁ ଉଠା ।”

ଦାନ ମାଝୀ ଭୟ କରିଗଲା । ଲୋକଟିର କଥା ମୁତାବକ ସେୟା ବି କଲା ।

ଆରମ୍ଭ ହେଲା ଭିଡ଼ିଓ ରେକର୍ଡ଼ିଂ । ସିଧାସଳଖ ପ୍ରସାରଣ ନିମିତ୍ତ ଚାଲିଲା ବ୍ୟବସ୍ଥା । ଭାରତର କୋଟି କୋଟି ଜନତା ଏସବୁ ଦେଖିଲା ପରେ ଆନ୍ତର୍ଜାତିକ ସ୍ତରରେ ପ୍ରଦର୍ଶନ ହେଲା ବ୍ୟଥାଭରା ପ୍ରସଙ୍ଗ ।

ମିଡ଼ିଆ ପ୍ରତିନିଧି ଭାବରେ ପହଞ୍ଚିଥିବା ସୀତାକାନ୍ତ ବାବୁ ଏ କଥାକୁ ସହଜରେ ହଜମ କରିପାରିଲେ ନାହିଁ । କର୍ତ୍ତବ୍ୟ କରିବାକୁ ଯାଇ ପ୍ରସାରଣ ନିମିତ୍ତ କେତୋଟି ଚିତ୍ର ଉତ୍ତୋଳନ କରିବା ପରେ ତାକୁ ପ୍ରଶ୍ନ କଲେ ।

– ତୋର ନାମ କିସ ହେ ?

– ମୁଇଁ ଦାନ ମାଝୀ ।

– କାଇଁ ଯିବୁର ?

– ମେଲଘରା ଜିମି ।

– ତୋର କାନ୍ଧରେ କିସ ହେ ?

– ମୋର ଥିଲା କନିଆ ଅମାଙ୍ଗ, ମେଡ଼ିକାଲକେ ମରିଗଲା ।

ବ୍ୟାଗ ବୁଜୁଲା ଧରି ଠିଆହୋଇ ତୁନିଥିବା ଝିଅଟି ପୁଣି କଇଁକଇଁ ହୋଇ କାନ୍ଦିଲା । ଦାନ ମାଝୀ ବୁଲିପଡ଼ି ତା’ ଆଡ଼କୁ ଚାହିଁ କହିଲା – “ତୁନି ହେଇ ଯାରେ ମାଁ ।”

ଦେଖୁଥିବା ସାମାଜିକ କର୍ମୀ ଦୀନେଶ ବାବୁ ପ୍ରତିନିଧି ଭାଇ ଜଣଙ୍କ ଉପରେ ବିରକ୍ତିଭାବ ପ୍ରକାଶ କରି କହିଲେ – ଦେଖୁଛ ବାବୁ, ତା’ ସ୍ତ୍ରୀ ମରିଛି । ଶବଟାକୁ ନିଜ କାନ୍ଧରେ ବାର କିଲୋମିଟର ବୋହି ହାଲିଆ ହୋଇଗଲାଣି । ପାଖରେ କେବଳ ଭାଙ୍ଗିପଡ଼ିଥିବା ଛୋଟ ପିଲା । ଆପଣମାନେ କାହିଁକି ଏ ତାମସା କରୁଛନ୍ତି ?

ରାଗିଯାଇ ପ୍ରତିନିଧି ଭାଇ ।

– କ’ଣ କହୁଛନ୍ତି ଆପଣ ! ଆମେ ପ୍ରମାଣ ନ ରଖି ସାହାଯ୍ୟ କଲେ ଏହି ଆଦିବାସୀ ସରଳ ଲୋକ ପରବର୍ତ୍ତୀ ସମୟରେ ଚାପର ବଶବର୍ତ୍ତୀ ହୋଇ କଥା ବଦଳାଇ ଦେବେ । ବିଭିନ୍ନ ସମୟରେ ଆମେ ଠୋକର ପାଇଛୁ ବୋଲି ଏମିତି କରିବାକୁ ପଡୁଛି ।

ସାମାଜିକ କର୍ମୀ ପ୍ରତିନିଧି ଭାଇଙ୍କର ପୂର୍ବ ପରିଚିତ ଥିଲେ । କାରଣ ଦୀନେଶ ବାବୁଙ୍କ ଟାଣ କଥାରେ ସେ ରାଗିଯାଇ ନ ଥିଲେ ।

ଦାନ ମାଝୀ ଠାରୁ ଟିକେ ଦୂରେଇ ଯାଇ ପ୍ରତିନିଧି ଭାଇ ଦୀନେଶ ବାବୁଙ୍କ ପାଖକୁ ଡାକି କିଛି ଆଲୋଚନା କରି ମୋବାଇଲ ଫୋନରେ କାହା ସହିତ କଥା ହେଲେ । ପ୍ରତିନିଧି ଭାଇ ଦାନ ମାଝୀ ପାଖକୁ ଆସି କହିଲେ – ତୁଇ ଟିକେ ଅପେକ୍ଷା କର । ଆମେ ବ୍ୟବସ୍ଥା କରୁଛୁ ।

ମାତ୍ର କେତେ ମିନିଟ ପରେ କାଉଁ କାଉଁ ଶବ୍ଦ କରି ପହଞ୍ଚିଲା ଶହେ ଆଠ ଆମ୍ବୁଲାନ୍ସ ।

ଭୟରେ ଥରିଲା ଦାନ ମାଝୀ । ହାତ ଯୋଡ଼ି କହିଲା – ମୋର କିଛି ଦୋଷ ନାଇନ । ବାବୁ ଆମକୁ ଯିବାର ଲାଗି ଦିଅ । ବସିଥିବା ଝିଅଟା କାନ୍ଦ କାନ୍ଦ ହୋଇ କପଡ଼ା ଆବୃତ୍ତ ମାଆର ଶବ ଉପରେ ମୁହଁ ମାଡି ରହିଲା ।

ଦୀନେଶ ବାବୁ ଦେଖିଲେ ପରିସ୍ଥିତି ଅନ୍ୟଆଡ଼କୁ ଯାଉଛି । ଡାକ୍ତରଖାନାରୁ ରାତି ଦୁଇଟାରୁ ପତ୍ନୀର ଶବକୁ ନେଇ ଆସିଥବା ଦାନ ମାଝୀ ପାଇଁ ଦଣ୍ଡବିଧାନ ବ୍ୟବସ୍ଥା କରାଯାଇଛି । ତା’କୁ ବୁଝାଇବା ପାଇଁ ସେ କହିଲେ –

‘ ତମେ ବାପ ଝିଅ ଏ ଶବକୁ ନେଇ ଗାଡ଼ିରେ ବସ । ସହଜରେ ମେଲଘରାରେ ପହଞ୍ଚିଯିବ । ଆରେ ବସ ହେ ।’

ବୋକା ଭଳି ସେମାନଙ୍କ ମୁହଁକୁ ଚାହିଁଲା ଦାନ ମାଝୀ । ସାମାଜିକ କର୍ମୀ ଦୀନେଶ ବାବୁ ଦାନ ମାଝୀର ମୁହଁରୁ ଦ୍ୱନ୍ଦ୍ୱର ପରିଭାଷା ପଢ଼ି ତା’ର ମନକୁ ପରୀକ୍ଷା କରିବାକୁ ପଚାରିଲେ ।

– ଶବକୁ ଜଙ୍ଗଲକେ ନେବୁକି ?
– ନାଇଁ ଅମାଙ୍ଗ କଇଥିଲା ‘ମତେ ବାଟରେ ଫିଙ୍ଗିବୁନି । ଘରକେ ମୋର ପିଲା ଦେଖବେ । ସେଇପାଇଁ ତ ବାବୁ କାନ୍ଧରେ ବୋହି ଘରକେ ନେମି ।’

ଦୀନେଶ ବାବୁ ଶବର ଗୋଡ଼କୁ ଧରି କହିଲେ – ଉଠା ଦାନ ମାଝୀ । ଏ ଗାଡ଼ି ଭିତରକୁ ଉଠା । ମୁଇଁ ତୋର ସାଙ୍ଗକେ ତୋ ଘରକୁ ଜିମି ।

ଶବ ଉଠାହେଲା ପରେ ଶହେ ଆଠ ଆମ୍ବୁଲାନ୍ସ ଗାଡ଼ି ଚାଲିଲା ମେଲଘରା ଆଡ଼େ ।

ମାତ୍ର କେଇ ଘଣ୍ଟାପରେ ଘଟଣାକ୍ରମ ବଦଳିଗଲା । ତା’ପରଦିନ ଅମାଙ୍ଗ ଦେଈଙ୍କର ଡିବି କର୍ମ । ଆଦିବାସୀ ପ୍ରଥା ଅନୁସାରେ ମୃତକର ଆତ୍ମା ଶାନ୍ତି ପାଇଁ ମରିବାର ତୃତୀୟ ଦିନରେ ଡିବି । କୁକୁଡ଼ା ପିଲାର ମାଂସରେ ରନ୍ଧା ହୋଇଥିବା ତାରକାରୀକୁ ସମସ୍ତେ ଖାଇବା ସହିତ ମୃତକ ଉଦ୍ଦେଶ୍ୟରେ ଅର୍ପଣ କରାଯିବା କଥା । ମାତ୍ର ସେତକ ମଧ୍ୟ ହୋଇପାରିଲା ନାହିଁ । କାରଣ ସ୍ଥାନୀୟ ପ୍ରଶାସକଙ୍କ ଗାଡ଼ିର ଭିଡ଼ ଲାଗିଥିଲା ମେଲଘରାର ନିମ୍ନ ଭାଗରେ ।

ଜିଲ୍ଲା ପ୍ରଶାସକଙ୍କ ପାଖକୁ ଉଠାଇ ନିଆଗଲା ବାପ ଝିଅଙ୍କୁ । ପଚରାଗଲା – ତୁ ମାରିଛୁ ଅମାଙ୍ଗ ଦେଈଙ୍କୁ । ରାତାରାତି ମାରି ମେଡ଼ିକାଲରୁ ତରବର ହୋଇ ନେଇ ଆସିଛୁ । ଦାନ ମାଝୀ ବୋକା ହୋଇ ଉତ୍ତର ଦେଲା –

‘ନାଇଁ ଆଜ୍ଞା, ମିଛକଥା ନାଇଁ କଇବି । ମୁଇଁ ନାଇଁ ମାରିଛେ । ଗାଁକୁ ଆଣିବାକୁ ସେ ମତେ କଇଥିଲା । ମୁଇଁ ଆଣିଲି ଆଜ୍ଞା ।’

ତଳିଆ କର୍ମଚାରୀ ତା’କୁ ଫୁସୁଲାଇଲେ । ତା ହାତରେ ପାଞ୍ଚ ହଜାର ତାଙ୍କ ଗୁଞ୍ଜିଦେଇ କହିଲେ – ଏଆଇ ନେଇଥା, ତୋ ସ୍ତ୍ରୀର କ୍ରିୟାକର୍ମ କରିବୁ । ତୋତେ ଯିଏ ପଚାରିବି, କହିବୁ ମେଡ଼ିକାଲରେ ମୁଁ କାହାକୁ ନ ଜଣାଇ ଅମାଙ୍ଗକୁ ନେଇ ଆସିଲି । ଆସିବାବେଳେ ମୋତେ କେହି ଦେଖି ନାହାନ୍ତି ସେଠି । ଦାନ ମାଝୀ ସ୍ୱୀକୃତି ଜଣାଇ ହଁ କଲା ।

ପାଞ୍ଚ ହଜାର ଏକାବେଳେ ଦେଖି ଦାନ ମାଝୀ କଲବଲ କରି ଟଙ୍କାକୁ ଗୋଟି ଗୋଟି କରି ଦେଖି ପକେଟରେ ରଖିଲା । ଜୀବନରେ ସେ କେବେ ହଜାର ଟଙ୍କା ହାତରେ ଧରି ନ ଥିଲା ।

ଶବ ବୋହିବାର ସାହସ କିମ୍ବା ଅପବାଦରୁ ରକ୍ଷା ପାଇବା ନିମିତ୍ତ ପ୍ରଶାସନ ଏ ଅର୍ଥ ପ୍ରଦାନ କଲେ,ସେ ବୁଝି ପାରିଲା ନାହିଁ ।

ରାତି ଅନେକ ହେଲାଣି । ମେଲଘରାର ଆଦିବାସୀ ପଡ଼ା ସମ୍ପୂର୍ଣ୍ଣ ଅନ୍ଧାର । ପାହାଡ଼ ପାଦଦେଶରେ ଦାନ ମାଝୀ ଓ ତା’ ଝିଅକୁ ପ୍ରଶାସକଙ୍କ ଗାଡ଼ି ଛାଡ଼ିଦେଇ ଫେରି ଆସିଲା ସଦର ମହକୁମା ଆଡେ ।

ଜଙ୍ଗଲର ସଂକୀର୍ଣ୍ଣ ରାସ୍ତାରେ ଚିର ଅଭ୍ୟସ୍ତ ଦାନ ମାଝୀ ଝିଅର ହାତ ଧରି ପାହାଡର ଉପରକୁ ଉଠିଲା । ଚାରିଆଡୁ ଅନ୍ଧାର କାବୁ କରିନେଇଛି ମେଲଘରାକୁ ।

ଦାନ ମାଝିକୁ ଡିବି ଦିନ ପ୍ରଶାସନ ଗାଡ଼ି ପଠେଇ ନେଇ ଯାଇଥିବାର ଅଜଣା ଭୟରେ ସେ ଦିନ ଆସିବା କ୍ଷଣି ତାଟି କବାଟ ପଡ଼ି ଯାଇଥିଲା ପଡୋଶୀମାନଙ୍କର । ଦାନ ମାଝୀର ଅନ୍ୟ ଦୁଇ ଝିଅ ଏ ଯାଏ ବି ଶୋଇ ନଥିଲେ ।

ସାଇକେଲ ପଙ୍କଚର ବନାଇବା ପାଇଁ ବ୍ୟବହୃତ ସଲ୍ୟୁସନ ଡବାର ଦୁର୍ବଳ ଡିବିରି ଆଲୁଅରେ ମିଞ୍ଜିମିଞ୍ଜି ହୋଇ ଜଳୁଛି । ଘର ମେଲା । ଛୁଆ ଦୁଇଟା ବାପା ଓ ଭଉଣୀର ଫେରନ୍ତା ବାଟକୁ ଚାହିଁ ନିଘୋଡ଼ ନିଦରେ ଶୋଇ ପଡ଼ିଛନ୍ତି ଡ଼ିବିରିର କିଛି ଦୂରରେ ।

ଦାନ ମାଝୀ ସେମାନଙ୍କ ପାଖକୁ ଗଲା । ‘ଇରେ ଉଠରେ ଆମେ ଆଇଲୁନ ଯେ’ । ପିଲାମାନେ ଭୁସଭାସ ଉଠିଲେ । ରାତି ପାହି ସକାଳ ହେଲା ।

ତଦନ୍ତ ପରେ ତଦନ୍ତ ନିମିତ୍ତ ସରକାରୀ ବାବୁମାନେ ଭିଡ଼ ଲଗାଇଲେ ମେଲଘରାରେ । ଦଳୀୟ ନେତା ମାନଙ୍କର ଉପସ୍ଥିତି ମେଲଘରାର ଆଦିବାସୀଙ୍କୁ ଉତ୍‌ଫୁଳିତ କଲା । ପ୍ରତିଶ୍ରୁତିର ତାଲିକା ଲମ୍ବି ଚାଲିଲା ।

ଭାରତୀୟ ଦୂତାବାସ ଦ୍ୱାରା ଖବର ପ୍ରଚାରିତ ହେଲା ବାହାରିନର ମାନ୍ୟବର ପ୍ରଧାନମନ୍ତ୍ରୀ ଦାନ ମାଝୀର ଦୁର୍ଦ୍ଦଶାରେ ବ୍ୟଥିତ ହୋଇ ଆର୍ଥିକ ସହାୟତା ଯୋଗାଇଛନ୍ତି । ଭାଇରାଲ ହୋଇଥିବା ଖବରକୁ ଆନ୍ତର୍ଜାତିକ ସ୍ତରରେ ବିଶ୍ୱର ସମସ୍ତ ଦର୍ଶକ ଦେଖି ସାରିଥିଲେ । ସମବେଦନା ଏବଂ ସହାୟତା ଦାନ ମାଝୀ ଉପରେ ଲଦି ହୋଇପଡିଲା ।

ଏସବୁକୁ ଟିକିନିଖି ଖବର ରଖିଥିଲେ ଦୀନେଶ ବାବୁ । ପ୍ରାୟ ପ୍ରେତ୍ୟେକ ଦିନ ସେ ମେଲଘରା ଯାଇ ସନ୍ଧ୍ୟା ପୂର୍ବରୁ ଲେଉଟି ଆସନ୍ତି । ବିଭିନ୍ନ ଦଳର ନେତୃମଣ୍ଡଳୀ ସମବେଦନା ଜଣାଇବାକୁ ଯାଇ ଦାନ ମାଝୀ ହାତରେ ଅର୍ଥ ଗୁଞ୍ଜିଦେଇ ଆସିଲେ । କେହି କେହି ତା’ର ଚାରି ବର୍ଷର ପୁଷ୍ଟିସାର ଅଭାବରୁ କ୍ଷୀଣକାୟ ଶରୀରଯୁକ୍ତା ଝିଅକୁ କୋଳରେ ବସାଇ ଗେଲ କଲେ । ନିର୍ଦ୍ଦିଷ୍ଟ ଦଳୀୟ ପତାକାକୁ ଫେରିଲାବେଳେ ମେଲଘରାର ଛାତିରେ ପୋତିଦେଇ ଆସିଲେ ।

ନିଷ୍ପାପ , ସରଳମନା ଦାନ ମାଝୀର ଛାତି କୁଣ୍ଢେମୋଟ ହୋଇଗଲା । ଭାବିଲା ଅମାଙ୍ଗ ଦେଈ ପୂଣ୍ୟବତୀ ଥିଲା । ମେଲଘରାରେ ଖାଦ୍ୟାଭାବରୁ ଆମ୍ବ ଟାକୁଆ ଜାଉ ଖାଇ ଏବଂ ଅପପୁଷ୍ଟିର ଶିକାର ହୋଇ ମୃତ୍ୟୁବରଣ କରିଥିବା ଆବାଳ ବୃଦ୍ଧ ବନିତା ତା’ପରି ଭାଗ୍ୟବାନ ନଥିଲେ ।

ରାତାରାତି ଏକଦମ ହିରୋ ବାଣୀ ଯାଇଥିଲେ ଦାନ ମାଝୀ । ମିଡ଼ିଆବାଲା ସାକ୍ଷାତକାରରେ ତାକୁ ଅନେକ କଥା ପଚାରିଥିଲେ । ହଡ଼ବଡ଼େଇ ଯାଇଥିବା ଦାନ ମାଝୀ ସତକଥା କହିବାକୁ କିନ୍ତୁ ପଛେଇଯାଇ ନଥିଲେ । ମନର କଥାକୁ ଖୋଲି କହିଲା – ‘ମେଡିକାଲରେ ରାତିରେ କେହି ଉଠଇଲେନ ସାର, ଅମାଙ୍ଗ ମରିଯିବାର କହିବାରୁ ସେମାନେ କହିଲେ ଯା,ଯା ଜଲଦି ପଲାକେ ।’

କେଉଁ ଦଳର ନେତା ଆସି କ’ଣ କହିଲେ ? କିଏ ଚାଉଳ ବସ୍ତା ଦେଲେ ? କିଏ କେତେ ଟଙ୍କା ଦେଲେ ସବୁ କହିବା ପରେ କେଉଁ ନେତାଏ ଟଙ୍କା ଦେଲେ, ସେ ପ୍ରଶ୍ନର ଉତ୍ତର ନଥିଲା ଦାନ ମାଝୀ ପାଖରେ । କାରଣ ଗଣତନ୍ତ୍ର କ’ଣ ସେ ଜାଣେ ନାହିଁ । ଭୋଟ ବାକ୍ସର ଚିତ୍ର ମଧ୍ୟ ଦେଖିନାହିଁ । ବୁଥରେ ତା’ ପାଇଁ କିଏ ଭୋଟ ଦିଏ ସେ ପ୍ରସଙ୍ଗ ଜଣା ନାହିଁ ।

କେବଳ ଏତିକି ଜାଣିଛି ଅମାଙ୍ଗ ଦେଈ ମଲାପରେ ସରକାର ଗୋଟିଏ ଇନ୍ଦିରା ଆବାସ ଦେଇ ପିଲାମାନଙ୍କୁ ନେଇ ସହର ମହକୁମାରେ ରଖି ପାଠ ପଢ଼ାଇବେ । ସେ କୁଲିଗିରି କରି ଚଳିବ । ଅମାଙ୍ଗ ଦେଈର ମରଣ ପାଇଁ କେତେ ନେତା ପ୍ରଶାସକମାନଙ୍କ ପାଦ ମେଲଘରାରେ ପଡ଼ିଥିବାରୁ ସେ ନିଜକୁ ଧନ୍ୟ ମନେ କରିବ । ଆଉ କିଛି ନୁହେଁ ।

ସହାୟତାର ତାଲିକା ତ ଲମ୍ବି ଯାଇଥିଲା । ହରିଶ୍ଚନ୍ଦ୍ର ଯୋଜନାରେ ଦୁଇ ହଜାର, ରେଡ଼କ୍ରସ ପାଣ୍ଠିରୁ ତିରିଶ ହଜାର, ଜାତୀୟ କଲ୍ୟାଣ ପାଣ୍ଠିରୁ ଆକାଉଣ୍ଟ ଖୋଲାଯାଇ କୋଡ଼ିଏ ହଜାର ଟଙ୍କା – ଏପରିକି ଏକ ଜଙ୍ଗଲ ଜମିପଟ୍ଟା ଯୋଗାଇ ଦେବାର ପ୍ରୟାସ ଆରମ୍ଭ ହୋଇଗଲା ।

ତିନି ଦିନର ଡିବି କିମ୍ବା ଦଶାହ କାର୍ଯ୍ୟ ହୋଇପାରୁ ନ ଥିବା ଯୋଗୁଁ ବ୍ୟସ୍ତ ହୋଇ ପଡୁଥିବା ଦାନ ମାଝୀ ସାମାଜିକ କର୍ମୀ ଦୀନେଶ ବାବୁଙ୍କୁ କହୁଥିଲା – ମୋର କନିଆଁ ମରିଗଲା, ମୋର ପିଲାଛୁଆ ଅନାଥ ହୋଇଗଲେ । ଏବେ ଗୁର୍‌ଦେ ଲୋକ ସବୁଦିନେ ଆସିକରି ମତେ ଆର୍‌ ମୋର୍‌ ଟୁକେଲ ମନ୍‌କେ ସେଇକଥା ପାରବାର୍‌ ପଚରଉଛନ୍‌ । ମୋର ଟୁକେଲମାନେ ବି ବିତ୍‌ଜିତା ହେଇଗଲେନ । ଆମେ ସୁଖେ ତ ବଞ୍ଚି ନାଇଁ ପାର୍‌ଲୁଁ । ଏବେ ଦୁଃଖର୍‌ ବେଲେ ଆମ୍‌କେ ଆମର ହିସାବେ ବଞ୍ଚିବାକେ ଦିଅ । ଆଉର୍‌ ହଇରାନ୍‌ ନାଇଁ କରନ ।

ଅଶୁଭ ଦିନର କଳାମେଘ ଅପସରି ଯିବାପରି ମେଲଘରାରୁ ଆଦିବାସୀମାନଙ୍କର ଦୁଃଖ ଘୁଞ୍ଚିଯିବ ଏକଥା ବୁଝାପଡୁ ନ ଥିଲା । ଦାନ ମାଝୀ ବ୍ୟତୀତ ଚିର ଅବହେଳିତ ହୋଇ ପଡିରହିଥିବା ସେଠାକାର ଅନ୍ୟ ଆଦିବାସୀ କେବଳ ପ୍ରକଟ କରୁଥିଲେ ଉପେକ୍ଷିତ ଜୀବନର ମଣିଷ ପଣିଆ ଭାବ । ନେତା ଓ ମନ୍ତ୍ରୀଙ୍କୁ ସମ୍ମାନ ଓ ଫଟୋ ଉତ୍ତୋଳନରେ ସହଯୋଗର ହାତ ସେମାନଙ୍କୁ ନିହାତି ବଡ଼ କରିଦେଇଥିଲା ଅନ୍ୟମାନଙ୍କ ପାଖରେ ।

ମେଲଘରାର ଅଦିନିଆ ପଟ ପରିବର୍ତ୍ତନର ସାନ୍ତ୍ୱନା ଏବଂ ସମ୍ଭାବନାରେ ଦୀନେଶ ବାବୁ ଖୁସି ନ ଥିଲେ । କାରଣ ସେ ଜାଣିଛନ୍ତି ଗୁମୁହୁଡୁମାରେ ନିରସ୍ତ୍ର ଆଦିବାସୀଙ୍କୁ ଅମାନବୀୟ ଭାବରେ ଯବାନ ମାନଙ୍କ ଗୁଳିବର୍ଷଣ ଜନିତ ପରବର୍ତ୍ତୀ ରାଜନୀତିର ତାତି ଯେ ଏଠାରେ ନହେବ କିଏ କହିବ ?

ଅବଶ୍ୟ ଦୀନେଶ ବାବୁ ନୁହନ୍ତି, ସମସ୍ତଙ୍କ ମନରେ ଏହି କେତେ ମାସ ହେବ ଲଗାତର ଭାବରେ କ୍ଷତ ସୃଷ୍ଟି କରିଥିବା ଘଟଣା ଏଯାବତ ବିଭିନ୍ନ ଯୋଜନାରେ ପୃଷ୍ଠାଗୁଡ଼ିକୁ କଳଙ୍କିତ କରିଆସିଛି । ଆମ୍ବୁଲାନ୍ସ ଅଭାବରୁ ପୁଅ ଝିଅମାନେ ନିଜ ମାଆର ଶବକୁ ଶଗଡ଼ରେ ଟାଣିନେବା, ଅଚିହ୍ନା ଶବକୁ ବସ୍ତାରେ ଭର୍ତ୍ତିକରି ପୁରୀରେ ସାଇକେଲରେ ବୋହିବା କିମ୍ବା ସୋର ଭଳି ଅଞ୍ଚଳରେ ଟ୍ରେନରେ ମୃତ୍ୟୁବରଣ କରିଥିବା ବୃଦ୍ଧାଙ୍କ ଶବକୁ ବସ୍ତାରେ ମୋଡ଼ିମାଡ଼ି ବାଉଁଶରେ କାନ୍ଧେଇ ନେବା ପର୍ଯ୍ୟନ୍ତ ଘଟଣା ଯୋଜନା ଗୁଡ଼ିକର ପ୍ରତିକୂଳ ସ୍ୱାକ୍ଷର ବହନ କରିଥିଲା ।

ଅମାଙ୍ଗ ଦେଈ ମରିଗଲା ପରେ ତଥାପି ବାକି ରହିଛି ତା’ର ମନରେଗା ଶ୍ରମର ପ୍ରାପ୍ୟ । ଏବେବି ଅସଂଖ୍ୟ ଅମାଙ୍ଗ ଓ ଦାନ ମାଝୀଙ୍କ ନିମିତ୍ତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୋଜନା ଅନେକ ଦୂରରେ ରହିଯାଇଛି । ସରକାର ନୁହେଁ ସ୍ଥାନୀୟ ପ୍ରଶାସକଙ୍କ ଅସହଯୋଗ ହେତୁ ଏହି ଅବହେଳିତ ମଣିଷର ଦୁଃଖର ଗଜଲ କେବଳ ପାହାଡ଼ କନ୍ଦରାର ବନାନୀ ଭିତରେ ପ୍ରତିଧ୍ଵନିତ ହେଉଥିବ, ଏ କଥା ସତ୍ୟ ।

ଏସବୁ ପ୍ରସଙ୍ଗର ସବୁରି ଉର୍ଦ୍ଧ୍ଵରେ ଦୀନେଶ ବାବୁ ଗୋଟିଏ କଥା କେବଳ ଚିନ୍ତା କରିଥିଲେ ଦାନ ମାଝୀ ନିଜ ପତ୍ନୀର ଶବକୁ କାନ୍ଧରେ ବୋହି ନେଉଥିବା ସମୟରେ ରାସ୍ତାରେ ତ ଅନେକ ଲୋକ ଏ ଦୃଶ୍ୟ ଉପଭୋଗ କରୁଥିଲେ । କେହି ତ ତାଙ୍କ ଭଳି ନିଜର ସାମାଜିକ କର୍ତ୍ତବ୍ୟ ପାଳନ ନିମିତ୍ତ ତାକୁ ସାହାଯ୍ୟ କରିବାକୁ ଆଗେଇ ଆସି ନଥିଲେ । କେବଳ କିଛି ଲୋକ ଦାନ ମାଝୀକୁ ପ୍ରଶ୍ନ କରୁଥିଲେ –

‘ ମେଲଘରାକୁ ଏତେ ବାଟ ଚାଲିଚାଲି ଯିବୁ ‘?

ଲୋକପ୍ରିୟ ଲେଖା

To Top