ଗଳ୍ପ

ମିଛିମିଛିକା

ଏଇ କେତେଦିନ ହେଲା ମମି ତାକୁ ଆଦୌ ପାଖରେ ଶୁଆଉ ନାହାନ୍ତି । ତା’ ନିଜ ଜିନିଷପତ୍ର ସବୁ ଅଲଗା ରୁମ୍‌ରେ । ସେ କୁଆଡ଼େ ବଡ଼ ହୋଇଗଲାଣି ।

ମିଛିମିଛିକା

ବଗିଚାରେ ହାଲ୍‌କା ରଙ୍ଗର ଖରା ଖେଳେଇ ହୋଇ ପଡ଼ିଛି ଏଠି ସେଠି । ମେଞ୍ଚାଏ ପଡ଼ିଛି ଘାସ ପଡ଼ିଆରେ । ହଳଦିଆ ସେବତୀ ଫୁଲ ଖିଲି ଖିଲି ହସୁଛି । ଗେଣ୍ଡୁ ଆଉ ସୂର୍ଯ୍ୟମୁଖୀ ତା’ ନାଁରେ କ’ଣ ସବୁ ଗପ କରୁଛନ୍ତି । ସେବତୀ ହସୁଛି ଦୁଷ୍ଟାମୀ ହସ । ବାସ୍ନା ଫିଙ୍ଗି ଦେଉଛି ଫୁଲେଇଟା । ଆକାଶରେ ଗୋଲାପି ଆଉ ବାଇଗଣୀ ରଙ୍ଗର ମେଘ ସୂର୍ଯ୍ୟ ପଛରେ ଗୋଡ଼େଇଛନ୍ତି । ତା’ ପଛକୁ ପଛ ଆହୁରି କେତେ ରଙ୍ଗର ମେଘ, ମେଞ୍ଚା ମେଞ୍ଚା ସୁନ୍ଦର ମେଘ ।

ଟୁଇଙ୍କିଲ ମୁଣ୍ଡର ବାଳ ସବୁକୁ ପଛକୁ ଠେଲି ଦେଲା । ଘାସ ଉପରେ ଶୋଇ ପଡ଼ି ଆକାଶକୁ ଚାହିଁ ରହିଲା । କେଡ଼େ ସୁନ୍ଦର ଚଢେ଼ଇଟା ଉଡ଼ିଗଲା । ହଳଦିଆ ପୋଲିସ୍ କରା ଡେଣା, ମୁନିଆ ଥଣ୍ଟ । ମମି ନାହାନ୍ତି । ଆୟା କହୁଥିଲା ଅଙ୍କଲ୍‌ଙ୍କ ସାଙ୍ଗରେ ସେ କୁଆଡ଼େ ଯାଇଛନ୍ତି । ଆୟା ତାକୁ କଦଳୀ ଆଉ କେକ୍ ଯାଚୁଥିଲା । ସେ ମିଛରେ ମନା କଲା ଭୋକ ହେଉନି ବୋଲି । ଆୟାର ହାତ ଦୁଇଟା କେମିତି ମୋଟା ଆଉ ଟାଆଁସିଆ । ଆୟାଟା ତାକୁ ଜମା ଭଲ ଲାଗେନା । ତା’ ଗପ ବି କେମିତି ପୁରୁଣା ପୁରୁଣା ଖାଲି ରାଜାରାଣୀ ଗପ ।

ଆଜି ତା’ର ସ୍କୁଲ୍‌ରୁ ଫେରି ଭାରି ଇଚ୍ଛା ହେଉଥିଲା ମମିଙ୍କୁ ପିଠା କରିବା ପାଇଁ କହିଥାନ୍ତା । ହେଲେ ମମି ତ ନାହାନ୍ତି ।

ଏଇ ବଡ଼ଦିନ ଛୁଟିରେ ସେମାନେ ଡାଡ଼ିଙ୍କ ପାଖକୁ ଯିବାକୁ ବାହାରି ଥିଲେ । ପୁଣି କ’ଣ ହେଲା କେଜାଣି, ମମି ମନା କଲେ । ତା’ର ବି ଭାରି ଇଚ୍ଛା ହେଉଥିଲା ବାରିପଦା ଯିବାକୁ । ସେଠାରେ ଓଡ଼ିଆ ସ୍କୁଲ୍ ବି ଭଲ । କିନ୍ତୁ ସେମାନେ ଏଠାକୁ ଆସିଲା ପରେ ମମି ତାକୁ ଇଂରାଜୀ ସ୍କୁଲ୍‌ରେ ଭର୍ତ୍ତି କରିଦେଲେ । ଏଠାରେ କ’ଣ ଓଡ଼ିଆ ସ୍କୁଲ୍ ନାହିଁ ।

ଆରେ ସୂର୍ଯ୍ୟଟା କେମିତି ଲାଲ୍ ପେଣ୍ଡୁ ପରି ତଳକୁ ତଳକୁ ଖସୁଛି । ବାଇଗଣୀ ଆଉ ଗୋଲାପି ରଙ୍ଗର ମେଘ ଆଉ ତା’ ପଛରେ ଗୋଡ଼େଇ ପାରୁନାହାନ୍ତି । ଥକି ଗଲେଣି ।

ମମି ତାକୁ ଆଜିକାଲି ଗେଲ କରନ୍ତି ନାହିଁ । ମୁଣ୍ଡ ବାନ୍ଧି ଡ୍ରେସିଂ କରି ଦିଅନ୍ତି ନାହିଁ । ବେଳେବେଳେ ଅଙ୍କଲ୍ ଆସନ୍ତି । ରହିଯାଆନ୍ତି ରାତିରେ । ଏଇ କେତେଦିନ ହେଲା ମମି ତାକୁ ଆଦୌ ପାଖରେ ଶୁଆଉ ନାହାନ୍ତି । ତା’ ନିଜ ଜିନିଷପତ୍ର ସବୁ ଅଲଗା ରୁମ୍‌ରେ । ସେ କୁଆଡ଼େ ବଡ଼ ହୋଇଗଲାଣି । ରାତିରେ ତାକୁ ନିଦ ହୁଏନି । ଡର ଲାଗେ । ମମିର କୋଳ କେମିତି ବଢ଼ିଆ, କେମିତି ନରମ ଆଉ ଉଷୁମ ।

ମମି ଆଗରୁ ଏମିତି ନଥିଲେ । ଆଗେ ଯେଉଁଠି ସେମାନେ ଥିଲେ ବାରିପଦାରେ, ଫାଟକ ଉପରେ ବାଉଗନଭିଲିଆ ଫୁଟୁଥିଲା । ଆଉ ବଗିଚାରେ ଫୁଟୁଥିଲା କେଡ଼େ ବଡ଼ ବଡ଼ ଡାଲିଆ ଫୁଲ । ଝରକା ପାଖରେ ମନିପ୍ଲାଣ୍ଟ୍ ଆଉ କାଚର ବଡ଼ ଫୁଲଦାନୀରେ ମମି ସକାଳୁ ସକାଳୁ ଫୁଲତୋଡ଼ା ସଜେଇ ଦିଅନ୍ତି । ଡାଡ଼ିଙ୍କ ପାଇଁ କଫି ତିଆରି କରନ୍ତି ଆଉ ତାକୁ ଜବରଦସ୍ତି ଜଳଖିଆ ଖୁଆନ୍ତି । ଅଫିସ୍‌ରୁ ଡାଡ଼ି ଫେରିଲାପରେ ସେମାନେ ଯାଆନ୍ତି ମନ୍ଦିର କି ମାର୍କେଟ୍ । ମମିଙ୍କ ପାଇଁ କିଣା ହୁଏ ସବୁଜ ରଙ୍ଗର ଶାଢ଼ୀ ଆଉ ତା’ ପାଇଁ କିଣା ହୁଏ ନାଲିଆ ଗାଉନ୍, ଚକଲେଟ୍, କଣ୍ଢେଇ, ଖେଳଣା ।

କ’ଣ କରୁଥିବେ ତା’ର କଣ୍ଢେଇମାନେ । ଆସିଲାବେଳେ ସେ କଣ୍ଢେଇ ବାକ୍ସଟା ସଜାଡୁଥିଲା । ମମି ମନା କଲେ । ତା’ ଆଖିରୁ ଲୁହ ଆସିଗଲା । ଭାରି ଏକୁଟିଆ । ତା’ ଡାଡ଼ି କେତେ ଭଲ, ଅଙ୍କଲ୍‌ଙ୍କ ଠାରୁ ଭଲ, ମମିଠାରୁ ମଧ୍ୟ । ସବୁଦିନ ଗପ କହିଦିଅନ୍ତି । ପାଖରେ ଶୁଆନ୍ତି । ଅଙ୍କଲ୍ ବି ଭଲ ଯେ ତାକୁ ଭାରି ଗେଲ କରନ୍ତି । କିନ୍ତୁ ସବୁଦିନ ଏଠାରେ ରହନ୍ତି ନାହିଁ କାହିଁକି ? ଦିନେ ରହି ଚାଲି ଯାଆନ୍ତି । ମମି ସେଦିନ ତାକୁ ବିଦ୍ୟାରାଣ ପକାଇଥିଲେ ଅଙ୍କଲ୍‌ଙ୍କ କଥା ଡାଡ଼ିଙ୍କୁ ନ କହିବାକୁ । ଛୋଟ ପିଲାମାନେ ସବୁକଥାରେ ମୁଣ୍ଡ ପୁରାଇବା ଉଚିତ୍ ନୁହେଁ । ନିହାତି ବାଜେ । ଠିକ୍ ଅଛି, ସେ ଅଙ୍କଲ୍‌ଙ୍କ କଥା ଡାଡ଼ିଙ୍କୁ ଫୋନ୍‌ରେ କହିବ ନାହିଁ । ଡାଡ଼ି ତ କେବେ ନିଶ୍ଚୟ ଆସିବେ । ଅଙ୍କଲ୍‌ଙ୍କୁ ଦେଖି ଖୁସି ହେବେ ନିଶ୍ଚୟ ।

ମମି ଏଠାରେ ଏବେ ଚାକିରୀ ନ କରି ଡାଡ଼ିଙ୍କ ପାଖରେ ଚାକିରୀ କଲେ ଅଙ୍କଲ୍ ବି ଯାଆନ୍ତେ । ଭାରି ମଜା ହୁଅନ୍ତା । ଡାଡ଼ି ମମି ଆଉ ଅଙ୍କଲ୍ ।

କଲେଜ୍‌ରୁ ଫେରୁଛନ୍ତି କେତେ ବଡ଼ ବଡ଼ ଝିଅ । ସେ ବି ବଡ଼ ହେବ ଯେ, ଡ୍ରେସ୍ ପିନ୍ଧିବ । ବିଭିନ୍ନ ରଙ୍ଗର ଡ୍ରେସ୍ କିଣିବ । ଚମ୍ପା କି ଆକାଶୀ ରଙ୍ଗର ନ ହେଲେ ମେରୁନ୍ ରଙ୍ଗର ।

ଆୟା ଡାକୁଛି ଟୁଇଙ୍କିଲ୍ ଘରକୁ ଆସ । ଶୀତ ପଡ଼ିଲାଣି । ଟୁଇଙ୍କିଲ୍ ହସି ଦେଲା ଟିକେ । ଆୟାଟା ସେମିତି ପାଟି କରୁଥାଉ । ସେ ଆଉ ଟିକେ ଗଲେଯିବ । ହାତ ମୁହଁ ଧୋଇ ଠାକୁରଙ୍କ ପାଖରେ ଦୀପ ଜାଳି କାର୍ଡିଗନ୍‌ଟାକୁ ପିନ୍ଧି ଦେଇ ପଢ଼ି ବସିବ । ମମି ଆସିବେଳକୁ ସବୁ ରେଡ଼ି । ମମି ସାଙ୍ଗରେ ଅଙ୍କଲ୍ ଆସିବେ । ସେଦିନ ପରି ଆଜି ରାତିରେ ରହିବେ । ଭାରି ମଜା ହେବ । ମମି ସଜେଇ ହେବେ । ଶାଢ଼ୀ ଆଉ ଗହଣାରେ ମମି ସୁନ୍ଦର ଦିଶିବେ । ତାକୁ ଦେଖି ହସିବେ, ଗେଲ କରିବେ । ନିଜେ ରୋଷେଇ କରି ଖୁଆଇବେ ।

ଆକାଶରେ ପାଚିଲା ବିଲାତି ବାଇଗଣ ରଙ୍ଗର ସୂର୍ଯ୍ୟ ।

ହେଇ ଗୀତା ତା’ ବାପା ବୋଉଙ୍କ ସହିତ ବୁଲି ବାହାରିଛି । ଶାଗୁଆ କାର୍ଡିଗନ୍‌ ପିନ୍ଧିଛି ଗୀତା । ତାକୁ ଚାହିଁ ଟିକେ ହସି ଦେଉଛି । ତା’ ବୋଉ ମୁଣ୍ଡରେ ଓଢ଼ଣା ଦେଇଛନ୍ତି । ବାଇଗଣୀ ରଙ୍ଗର ଶାଢ଼ୀ ପିନ୍ଧିଛନ୍ତି । କୋଳରେ ଛୋଟ ପୁଅ । ତାଙ୍କର ଏମିତି ଗୋଟେ ଛୋଟ ପୁଅ ଥିଲେ ସେ ସବୁବେଳେ ଗେଲ କରନ୍ତା, ଆଉ ବୋର୍ ଲାଗନ୍ତା ନାହିଁ । ମମି ବି ଆଉ ଅଙ୍କଲ୍ ସାଙ୍ଗରେ ଏତେ ବୁଲନ୍ତେ ନାହିଁ । ଗୀତାର ବୋଉ ତାକୁ ଭାରି ଭଲ ଲାଗନ୍ତି । ଗୀତାକୁ ବେଶ କରିଦିଅନ୍ତି । ଡ୍ରେସ୍ ପିନ୍ଧାଇ ଦିଅନ୍ତି । ଜଳଖିଆ ଟିଫିନ୍ ବାକ୍ସରେ ସଜାଡ଼ି ଦିଅନ୍ତି । ପ୍ରତିଦିନ ଅଲଗା ପ୍ରକାରର ଜଳଖିଆ । କାହିଁ ତାଙ୍କ ଘରେ ତ ଆୟା ନାହିଁ । ଅଥଚ ସେ ସ୍କୁଲକୁ ଗଲାବେଳେ ମମି ନଥାନ୍ତି । ଆୟା ଛାଡ଼ିବାକୁ ଆସେନା ଫାଟକ ପାଖକୁ । ଏପରିକି ଜଳଖିଆ ଡବାଟା ଦେବାକୁ ଭୁଲିଯାଏ । ଗୀତାର ବୋଉ ସବୁଦିନ ଛାଡ଼ିବାକୁ ଆସନ୍ତି ବସ୍ ପାଖକୁ । ସ୍କୁଲ୍‌ରୁ ଫେରିଲାବେଳେ ଚାହିଁ ରହିଥାନ୍ତି ।

ମମିକୁ ବୋଉ ଡାକିଲେ କେମିତି ହୁଅନ୍ତା । ମମି ଯଦି ରାଗିବେ ।

ବଗିଚାଟା ଛାଇ ଛାଇଆ ଅନ୍ଧାର । ନାଲିଆ ଆଲୁଅ ବାଡ଼ ଡେଇଁ ଛୁଇଁ ପାରୁନି ବଗିଚାର ଫୁଲମାନଙ୍କୁ । ଫୁଲମାନେ ଚୁପ୍‌ଚାପ୍‌ । ଇଉକାଲି ପଟାସ୍ ଗଛ ଉପରେ ଖରା ଲିଭି ଲିଭି ଆସିଲାଣି ।

ଏଇ ସୂର୍ଯ୍ୟ ପୁରା ବୁଡ଼ିଗଲା । ଏକୁଟିଆ ତାରାଟିଏ । ଅଳ୍ପ ହସିଲାଣି । କେମିତି ଚିକ୍‌ଚିକ୍ ତାରା । ଟୁଇଙ୍କିଲ୍ ଟୁଇଙ୍କିଲ୍ ଲିଟିଲ୍ ଷ୍ଟାର୍ । ଟୁଇଙ୍କିଲ୍ ଘରଆଡ଼କୁ ଚାଲିଲା । ଆୟା ମେଞ୍ଚେ ସେବତୀ ଫୁଲ ଲଗାଇ ଏପଟ ସେପଟ ହେଉଛି । ତେଲୁଗୁରେ ଗୋଟେ ଗୀତ ଗାଉଛି ଗୁଣୁଗୁଣୁ ହୋଇ । ରୋଷେଇ ଘରୁ ମାଛ ଭଜାର ବାସ୍ନା ଆସୁଛି ।

ଟୁଇଙ୍କିଲ୍ ହାତ ମୁହଁ ଧୋଇ ବାରଣ୍ଡା ଉପରେ ଠିଆ ହେଲା । ଗୀତାଘର ନଡ଼ିଆଗଛ ଫାଙ୍କରେ ଜହ୍ନ ଦେଖାଗଲାଣି । ଶୀତ ଲାଗିଲାଣି । ବାରମଜା ବାଲା ଘଣ୍ଟି ବଜାଇ ଚାଲିଯାଉଛି । କିଣିବକି ସେ ବାରମଜା । ନାଁ ଥାଉ ଆୟା ତା’ ନାଁରେ ମମିକୁ ନାଲିସ୍ କରିବ । ମମି କୁଆଡ଼େ ଗଲେ କେଜାଣି । ଏ ଅଙ୍କଲ୍ ଜମା ଭଲ ଲୋକ ନୁହଁନ୍ତି । ମମିକୁ ଖାଲି ବୁଲେଇ ନେଉଛନ୍ତି । ତାକୁ ନେଇଥିଲେ ହୋଇନଥାନ୍ତା ।

ଆଜି ପଢ଼ିବାକୁ ଇଚ୍ଛା ହେଉନି । ସେ ଟିଭି ଲଗାଇ କାର୍ଟୁନ୍ ଦେଖିଲା । କଣ୍ଢେଇମାନଙ୍କ ସାଥୀରେ ଖେଳିଲା । ଜମା ଭଲ ଲାଗୁନି । ମମିଙ୍କୁ ଫୋନ୍ ଲଗାଇଲା । ଲାଗୁନି । ମମିଙ୍କ ଉପରେ ରାଗ ହେଲା । ଆୟାକୁ ସେ ମନା କରି ଦେଇଚି ତାକୁ ଖାଇବାକୁ ଡାକିବନି । ମମି ଆସିଲେ ସେ ସାଙ୍ଗ ହୋଇ ଖାଇବ । ରାତି ବହୁତ ହେଲାଣି । ଆଜି ସେ ଖାଇବନି । କଥା ବି ହବନି ତାଙ୍କ ସହିତ । ଆରେ ଲାଇନ୍ କଟିଗଲା । ଆୟା ମହମବତୀ ଜଳାଇ ଦେଲା । ତଥାପି ଡର ଲାଗୁଛି । ଟୁଇଙ୍କିଲ୍ ସୋଫା ଉପରେ ଜାକିଜୁକି ହୋଇ ବସିଲା । ସିଏ ତ ଆଜି ଠାକୁରଙ୍କ ପାଖରେ ଦୀପ ଜାଳିବାକୁ ଭୁଲିଗଲା । କ’ଣ କରିବ ଏ ଅନ୍ଧାରରେ, ଥାଉ । ଏଇ ଫୋନ୍ ରିଂ ହେଲା । ଲ୍ୟାଣ୍ଡ୍ ଫୋନ୍ । ମମି ନିଶ୍ଚୟ କରିଥିବେ । ହାଲୋ ମମି. . . ମମି ।

ନାଁ । ମୁଁ ଡାଡ଼ି କହୁଛି । ତୋ ମମି କୁଆଡ଼େ ଯାଇଛି ? ଫୋନ୍ ଲାଗୁନି । ମମି. . . ମମି. . . ଅଙ୍କଲ୍ ସାଙ୍ଗରେ. . . ଟୁଇଙ୍କିଲ୍‌ର କଥା ଅଧା ରହିଗଲା । ମମି ମନା କରିଥିଲେ କହିବାକୁ । ବିଦ୍ୟାରଣ ପକାଇଥିଲେ ।

ଅଙ୍କଲ୍. . . ଅଙ୍କଲ୍. . . କିଏ. . . ହାଲୋ ହାଲୋ ଟୁଇଙ୍କିଲ୍ ଟୁଇଙ୍କିଲ୍. . . ।

ଲୋକପ୍ରିୟ ଲେଖା

To Top