ଗଳ୍ପ

ମିନାର ମା’

Priyanka Priyadarshani Mishra's odia story Minaara Maa

ଓଷାବ୍ରତ ଯାହା ଥିଲେ ଆମ ସାହିରେ ମିନାର ମା’ର ରୋଷଇବାସ, ପୂଜା ଆଗ ସରିବ । ତା’ ଘରଲୋକ ଖାଇପିଇ ବାସନମଜା ବେଳକୁ ଅନ୍ୟମାନଙ୍କ ପୂଜା ଆରମ୍ଭ ହେଇନଥିବ କହିଲେ ଚଳେ ।

ମିନାର ମା'

ଭୋର୍ ସକାଳୁ ଉଠି ସର୍‌ସର୍ କରି ଅଗଣା, ଘରଦ୍ୱାର ସବୁ ଓଳେଇ ପକାଏ ମିନାର ମା’ (ମିନା ବୋଉ) । ଧଡ଼ପଡ଼ ହୋଇ ଚୂଲୀରୁ ପାଉଁଶ କାଢ଼ି ଗୋବର ଲିପି ପକେଇବ ରୋଷେଇ ଘରେ । ବେଗି ବେଗି ଚୂଲୀ ଜାଳି ଚା’ ବସେଇବ । ସେତିକିବେଳକୁ ମୁଁ ପହଞ୍ଚିଯାଇଥିବି ତାଙ୍କ ଘରେ । ଚା’ ଫୁଟିବା ବେଳକୁ ଗୁଡ଼ାଖୁ ଘଷି ପକଉଥିବ । ସେ ପଛେ ଉପାସ ରହିଯିବ, ଗୁଡ଼ାଖୁ ଟିକିଏ ନ ହେଲେ ସେ ଚଳିପାରିବନି । ମତେ ଆଉ ମିନା ବାପାଙ୍କୁ ନାଲି ଚା’, ମୁଢ଼ି ଦେଇକି ସଅଳ ସଅଳ ପାଦ ପକେଇ ମାଡ଼ିଯିବ ପୋଖରୀ ଆଡ଼କୁ । ବୁଡ଼ି ପକେଇବ ଦି’ଥର, ଚଞ୍ଚଳ ଲୁଗା ବଦଳେଇ କି ପୁଣି ମାଡ଼ି ଆସିବ ତା’ ତେଲ ଲୁଣର ଦୁନିଆଁକୁ । ମୁଁ ଜାଣିବା ଦିନଠୁ ମିନାର ମା’ ଏସବୁର ପୁନରାବୃତ୍ତି ସବୁଦିନ କରେ । ମିନା ବାପା ଆରପାରିକୁ ଯିବା ସାତବର୍ଷ, ମୁଁ ଉଚ୍ଚଶିକ୍ଷା ପାଇଁ ବାହାରେ ରହିବା ଆଠବର୍ଷ ହେଲାଣି, ହେଲେ ମୁଁ ଯେବେ ତା’ ଘରକୁ ଗଲେ ତା’ର ସେଇ ଧାଁ ଧପଡ଼ ଜୀବନ ଦେଖୁଛି ।

ଓଷାବ୍ରତ ଯାହା ଥିଲେ ଆମ ସାହିରେ ମିନାର ମା’ର ରୋଷଇବାସ, ପୂଜା ଆଗ ସରିବ । ତା’ ଘରଲୋକ ଖାଇପିଇ ବାସନମଜା ବେଳକୁ ଅନ୍ୟମାନଙ୍କ ପୂଜା ଆରମ୍ଭ ହେଇନଥିବ କହିଲେ ଚଳେ । ମାଣବସାକୁ ଲକ୍ଷ୍ମୀପୁରାଣ ବୋଲିବାକୁ ବୁଧବାର ଦିନଠୁ ମତେ ଶହେଥର ଡାକିଥିବ । କହିବ ଟି.ଭି.ରେ ଯେମିତି ସ୍ୱରରେ ବୋଲୁଥିଲା ତୁ ସେମିତି ବୋଲୁଛୁ । ତା’ ପୁଅ ଦି’ଟା, ଝୁଅଟେ । ତାଙ୍କୁ କେବେ କହିବନି ତମେ ବୋଲି ଦିଅ । ତା’ ମନକୁ ପାଇଲେ ମୋତେ ତା’ ପିଲାଦିନ କଥା ବଖାଣିବ । ତାଙ୍କ ଗାଁ ନଈକୂଳେ କେମିତି ମାଛ ଧରୁଥିଲା, ବାଲି ଭିତର ଖୋଳି ସେ ଗୋଟେ ପ୍ରକାରର କନ୍ଦମୂଳ ଆଣୁଥିଲା ଭାରି ଖୁସି ହେଇକି ଗର୍ବର ସହିତ କହିବ । ସେଇ ମୁହୂର୍ତ୍ତରେ ତା’ର ବାର୍ଦ୍ଧକ୍ୟର ଅନୁଭବ ହୁଏନା ମତେ । ସେଇ ସ୍ମୃତି ସବୁ ତାକୁ ତା’ ଶୈଶବ ଫେରେଇ ଦିଅନ୍ତି କିଛି ସମୟ ପାଇଁ ।

– – – – – x – – – – –

ମୁଁ ତା’ ଘରକୁ ଗଲେ ସେ ଆଉ ନାଲି ଚା, ମୁଢ଼ି ଦବନି । ତା’ ହାତର କାନ୍ଦୁଲ ଡାଲି ଆଉ ଆଳୁଭଜା ମୁଁ ଆଉ କେବେ ଖାଇପାରିବିନି । ଶୀତ ଦିନେ ସେ ଆଉ ଆମ ଛାତକୁ ଖରା ପୋଇବାକୁ ଆସିବନି । ତା’ ଗୁଡ଼ାଖୁ ଡବାକୁ ପିଲାଦିନେ ଲୁଚେଇ ଦଉଥିଲି ତା’ ଦାନ୍ତ ଖରାପ ହେବ ସଦାବେଳେ ଘଷୁଛି ବୋଲି । ଆଉ ଲୁଚେଇବାକୁ ପଡ଼ିବନି । ନୂଆବର୍ଷକୁ ଖାସ୍ କରି ତାକୁ ଦେଖିଆସିବି, ଗୋଡ଼ ଭାଙ୍ଗିଛି ତା’ର ମାସେ ହେଲା, ଭାବୁଥିଲି ଆଉ କ’ଣ ପାଇଁ ଯିବି ? ମିନାର ମା’ ଥକି କି ଶୋଇ ପଡ଼ିଲା । ସେ ଆଉ ଜମା ଉଠିବନି କାଳେ, ଆଉ ସମ୍ଭାଳି ପାରିବନି ବାର ଜଞ୍ଜାଳ । ଚଉଦ ବର୍ଷରୁ ବୋହୂ ହେଇ ଆସିଲା ଯେ ଆସିକି ଅଶୀବର୍ଷ ହେଲା, ନିତିଦିନ ସେଇ ଚୂଲୀ ମୁଣ୍ଡରେ ବିତୁଛି । ଆଉ ସେ ପାରିବନି । ସେ ଶାନ୍ତିରେ ଶୋଉ ।

– – – – – x – – – – –

ମିନାର ମା’ର ଆତ୍ମାକୁ ମୃତ୍ୟୁ ନେଇଗଲା । ପୁଅ, ପୁତୁରା ସବୁ ତା’ର ପ୍ରାଣଶୂନ୍ୟ ଶୁଖିଲା ଦେହକୁ ବୋହି ନେଲେ ମଶାଣିକୁ । ତା’ ଲୁଗାପଟା, ଗୁଡ଼ାଖୁ ଡବାକୁ ମିନା ରଖିଛି ସାଇତିକି । ଗାଁ ଦାଣ୍ଡ ମନେ ପକଉଛି ମିନାର ମା’ର ବେଗି ବେଗି ସବୁଆଡ଼େ ମାଡ଼ିଯିବା କଥା, ଆଜି କ’ଣ ଲୋକେ ତାକୁ ବୋହିକି ନେଲେଣି. . . ତା’ର ଅଭ୍ୟାସ ହେଇଗଲାଣି ଦେଖି ଦେଖି । ଗାଁ ଯାକ ଲୋକ ମିନାର ମା’ର ଗୁଣ ସୁମରୁଛନ୍ତି । କହୁଛନ୍ତି- କେମିତି ମଣିଷଟା ଥିଲା କେଜାଣି, କାହାକୁ ରାଗିଲା କି ଈର୍ଷାକଲା ବୋଲି ଦିନେ ଜାଣିନୁ । ସାହି ଲୋକ କଥାବାର୍ତ୍ତା ହଉଛନ୍ତି- “ଦେହପା’ ତା’ର ଭଲ ଥାଉ ନ ଥାଉ, ମନଉଣା କରି ଘରେ ବସିକି ରହିବନି । ପାଖପଡ଼ିଶାଙ୍କ ଦୁଆର ମୁହେଁ ବସି ତା’ ଭଲମନ୍ଦ ଟିକେ ବଖାଣି ଦେଲେ ତାକୁ ଟିକେ ଭଲ ଲାଗେ ।” ମୁଁ ଭାବୁଛି ମିନାର ମା’ ତ ତା’ ହାଣ୍ଡିରେ ଯାହା ରାନ୍ଧିଥିବ କେତେ ଆଦରରେ ଦଉଥିଲା, ତା’ କାନିରେ ଗଣ୍ଠି ପକେଇକି ଟଙ୍କେ ଦି’ଟଙ୍କା ଯାହା ରଖିଥିବ ମାଗିଲେ ଦଉଥିଲା । ଗାଁରେ ଯାତ୍ରା, ମେଳା ହେଲେ ଆମ ଘରକୁ ଆସି ମତେ ଖୋଜି ଖୋଜି ମୋ ହାତକୁ ପାଞ୍ଚ-ଦଶଟଙ୍କା ବଢ଼େଇ ଦେଇକି ଯିବ । ମୋତେ ହେଲେ ତା’ ଛାତିର ଧୈର୍ଯ୍ୟ ଦେଇକି ଯାଇଥାନ୍ତା । ଶେଯ ଛାଡ଼ିବାରୁ ଶେଯକୁ ଯିବାପର୍ଯ୍ୟନ୍ତ ତା’ ପାଦକୁ ଟିକେ ଥକିବାକୁ ନ ଦେଇ ଦଉଡ଼ି ଦଉଡ଼ି ସବୁ କାମ କରୁଥିଲା, କେମିତି ପାରୁଥିଲା ମତେ ଟିକେ କହିଲାନି । ମଲା ପର୍ଯ୍ୟନ୍ତ କାହାଠୁ କିଛି ଆଶା ନ କରିକି ସମସ୍ତଙ୍କ ପାଇଁ ନିଜକୁ ଉତ୍ସର୍ଗ କରିଦେଇଥିଲା । ତାକୁ କ’ଣ ଭଲମନ୍ଦ ଟିକେ ଖାଇବାକୁ ଇଚ୍ଛା, କ’ଣ ପିନ୍ଧିବାକୁ ଇଚ୍ଛା ବୋଲି ମୁଁ କେବେ ଜାଣିନି । କେମିତି କେଜାଣି ସଭିଁଙ୍କ ଇଚ୍ଛା ଅନିଚ୍ଛା ତାକୁ ଜଣା ।

ମିନାର ମା’ ଆଖିବୁଜି ଶାନ୍ତିରେ ସବୁଦିନ ପାଇଁ ଶୋଇଗଲା । ଗୋଟାଏ ଯୁଗର ଅବସାନ ହେଲା ।

ଲୋକପ୍ରିୟ ଲେଖା

To Top