ଗଳ୍ପ

ମିସ୍ ଇଣ୍ଡିଆ

Arabinda Das's odia story Miss India

ଘରସଂସାର, ଚୁଲିମୁଣ୍ଡ, ପରିବାରର ଦାୟିତ୍ୱର ଲକ୍ଷ୍ମଣରେଖା ଭିତରେ ଆବଦ୍ଧ କରାଯାଏ ମହିଳାଙ୍କୁ । ଉଚ୍ଚାଭିଳାଷୀ ତଥା ସ୍ୱତନ୍ତ୍ର ମନୋଭାବ ରଖୁଥିବା ଝିଅଙ୍କୁ ଦିଆଯାଏ ‘ସ୍ୱେଚ୍ଛାଚାରିଣୀ’ର ଆଖ୍ୟା ।

ମିସ୍ ଇଣ୍ଡିଆ

“ଶୁଣୁଛ? ଚାଲ ଟିକେ ମାର୍କେଟ୍ ଯିବା । ଘରର ସବୁ ପୁରୁଣା ପର୍ଦାଗୁଡାକ ବଦଳାଇ ନୂଆ ଆଣିବାକୁ ପଡିବ । ଡ୍ରଇଂରୁମ୍ ପାଇଁ ନୂଆ ଡିଜାଇନ୍‌ର ସୋଫାସେଟ୍ ମଧ୍ୟ ଆଣିବି ମୁଁ । ଏବେ କେତେ ଲୋକ ଘରକୁ ଆସିବେ । ଏମିତି ଅସନା ଡ୍ରଇଂ ରୁମ୍‌ଟା କ’ଣ ଭଲ ଦିଶୁଛି? କେତେ ଖବରକାଗଜବାଲା ଫୋନ୍ କଲେଣି ଆସି ଇଣ୍ଟରଭ୍ୟୁ ନେବା ପାଇଁ ।”

ଗୁମ୍ ହୋଇ ସ୍ତ୍ରୀ ସୁଜାତାଙ୍କ କଥାକୁ ଶୁଣୁଥିଲେ କିଶୋର ବାବୁ । ଝିଅର ଆକସ୍ମିକ ସଫଳତାରେ ତାଙ୍କ ମାତୃପଣଟା ଗର୍ବରେ ଫୁଲି ଉଠୁଥିଲା ପରି ଲାଗୁଥିଲା ।

ସତେ ଯେମିତି ମିନି ନୁହେଁ, ବରଂ ସୁଜାତା ନିଜେ, ମିସ୍ ଇଣ୍ଡିଆରେ ଭାଗ ନେଲା ପରି ଲାଗୁଥିଲେ ।

ବନ୍ଦ ପଡିଥିବା ମେସିନ୍‌ଟିଏ ହଠାତ୍ ଚଳତ୍‌କ୍ଷମ ହେଲା ପରି ଲାଗୁଥିଲେ ସୁଜାତା ।

“ପୁରୁଣା କଥାଗୁଡାକ ଭୁଲିଯାଅ । ଲକ୍ଷ ଲକ୍ଷ ଝିଅଙ୍କ ଭିତରୁ ଆମ ମିନି ସିଲେକ୍ଟ ହୋଇଛି । ତୁମକୁ କ’ଣ ଖୁସି ଲାଗୁନି? କେମିତିକା ବାପ ତମେ କେଜାଣି? ଫୋନ୍‌ରେ ତା’ ସହ ପଦଟେ କଥା ବି ହେଉନାହିଁ । କ’ଣ ଏମିତି ପାପଟେ କରି ପକାଇଛି ସେ?”

ସୁଜାତାଙ୍କ କଥାଗୁଡାକ ଶାଣଦିଆ ଛୂରିର ଧାର ପରି ଲାଗୁଥିଲା କିଶୋରଙ୍କୁ ।

“ଦେଖ, ଅଯଥା ସେ ଯୁକ୍ତି କରି ମୋ ମୁଡ୍ ଖରାପ କରନା । ଏ ଘରେ ଯାହାର ଯାହା ଇଚ୍ଛା ତା’ ସେ କରୁଛି । ମୋ କଥାର ମୂଲ୍ୟ କ’ଣ ? ମୋ କଥା ମାନି ତମ ଝିଅ କ’ଣ ଘରେ ରହିଲା? ନିଜ ଜିଦିରେ ଟାଣ ରହି ବମ୍ବେ ଚାଲିଗଲା ।”

“ଆଉ ସେଇଥିପାଇଁ ଆଜି ତା’ର ସିଲେକ୍ସନ୍ ହୋଇଛି । ମୁଁ ଜାଣିଛି, ଆମ ମିନି ନିଶ୍ଚୟ ଜିତିବ । ମା’ ତାରିଣୀଙ୍କ ପାଖରେ ନଡିଆ ଯାଚିଛି ମୁଁ ।”

“ତୁମ ମା’ ଝିଅଙ୍କ ଗର୍ବକୁ ଲଙ୍ଗଳ ଦଉଡି ପାଇବନି । ତମେ ଏବେଠୁ ଏମିତି ଉଛଳୁଛ, ସତେ ଯେମିତି ତମ ଝିଅ ଜିତି ସାରିଲାଣି ।” ଏକ ତାତ୍ସଲ୍ୟଭରା କଣ୍ଠରେ କହିଲେ କିଶୋର ।

“ନିଜ ପିଲାଙ୍କୁ ବାପା ହିସାବରେ ଯଦି କଲ୍ୟାଣ, ଆଶୀର୍ବାଦ ନ କରୁଛ ତେବେ ନ କର, ତେବେ ଦୟାକରି ମିନିର ଅମଙ୍ଗଳ ଚିନ୍ତା କରନା ।” କଣ୍ଠଟା ବାଷ୍ପରୁଦ୍ଧ ହୋଇଗଲା ସୁଜାତାଙ୍କର ଶାଢି କାନିରେ ଲୁହ ପୋଛି ପକାଇ ମୁଣ୍ଡକୁ ପୋତି ସୋଫାରେ ବସିପଡିଲେ ।

କିଶୋର ଜାଣନ୍ତି ଏହା ହେଉଛି କେବଳ ଇମୋସନାଲ୍ ବ୍ଲାକ୍‌ମେଲିଂ । ବାପା ହିସାବରେ ନିଜ ଝିଅକୁ ଆକଟ କରିବାର ଅଧିକାର କ’ଣ ତାଙ୍କର ନାହିଁ ? ପର୍ସରୁ ଟଙ୍କା କାଢି ସୁଜାତାଙ୍କୁ ଧରାଇଦେଇ କହିଲେ, “ମୋ ଦେହଟା ଭଲ ଲାଗୁନି । ତମେ ଲିଟୁକୁ ସାଙ୍ଗରେ ନେଇ ମାର୍କେଟ୍ ଯାଅ ଏବଂ ଏଇ କାନ୍ଦବୋବା ବନ୍ଦ କର । ମୋ ଭୁଲ୍ ହୋଇଯାଇଛି ।”

ଟଙ୍କାତକ ଧରି ଚୁପ୍‌ଚାପ୍ ଉଠିଗଲେ ସୁଜାତା ଏକ ବିଜୟଦର୍ପିତ ଭଙ୍ଗୀରେ ।

ଭାବନା ରାଜ୍ୟରେ ବୁଡିଗଲେ କିଶୋର । ବର୍ଷେ ହେଲାଣି ଘରୁ ଚାଲିଯାଇ ମିନି ବମ୍ବେରେ ରହୁଛି ତା’ର ଦୁଇଜଣ ସାଙ୍ଗଙ୍କ ସହିତ । କିଛି ପାର୍ଟଟାଇମ୍ କାମ ଓ ମଡେଲିଂ କରୁଛି ବୋଲି କିଶୋରବାବୁ ଶୁଣିଥିଲେ । ଗୋଟିଏ ·ଉଳରେ ଗଢା ମିନି ରୂପରେ ଯେମିତି ସୁନ୍ଦର, ଠିକ୍ ସେମିତି ଚମକ୍ରାର ଗୀତ ଗାଉଥିଲା ଏବଂ ଓଡ଼ିଶୀ ନୃତ୍ୟରେ ଥିଲା ପାରଙ୍ଗମ । ବମ୍ବେରେ କାଳେ ପିଲାମାନଙ୍କୁ ନାଚ, ଗୀତ ଶିଖାଉଛି ମିନି ।

ମଡେଲିଂ ଏବଂ ସିନେମା ଲାଇନ୍ ଜମା ପସନ୍ଦ ନ ଥିଲା କିଶୋରଙ୍କୁ । ସେ ଭାବନ୍ତି ମଡେଲିଂ ଓ ସୁନ୍ଦରୀ ପ୍ରତିଯୋଗିତା ହେଉଛି ଦେହପ୍ରଦର୍ଶନର ଏକ ବାହାନା ମାତ୍ର । ରଙ୍ଗିନ୍ ଜୀବନ ମୋହରେ ପାଗଳ ହୋଇ ଅନେକ ଝିଅ ପଡୁଛନ୍ତି ଦେହ ବ୍ୟବସାୟୀ ଦଲାଲ୍‌ଙ୍କ ହାତରେ ତ କେଉଁ ଝିଅ ଡ୍ରଗ୍‌ସର ଶିକାର ହେଉଛି ।

କିଶୋର ଚାହୁଁଥିଲେ ମିନି ପାଠ ପଢି ଚାକିରି କରି ବାହା ହୋଇଯାଉ । କାରଣ ତା’ ପଛକୁ ସାନ ଝିଅ ସୁନି ଓ ପୁଅ ଲିଟୁ ଅଛନ୍ତି ।

“ବାପା ଦେଖିବ ଆସ । ମିସ୍ ଇଣ୍ଡିଆର ଆହୁରି କେତେ ରାଉଣ୍ଡର ଫଟୋ ଇଣ୍ଟରନେଟ୍‌କୁ ଆସିଗଲାଣି । ମିନି ଅପାର ଫଟୋ ବି… ।”

ଖୁସିରେ ସାନ ଝିଅ ସୁନି ତାଙ୍କୁ ଚେୟାରରୁ ଭିଡିନେଇ କମ୍ପ୍ୟୁଟର ପରଦା ଉପରେ ଦେଖେଇ ଦେଲା ମିନିର ଫଟୋକୁ । ସ୍ୱଳ୍ପ ବସ୍ତ୍ର ପିନ୍ଧି ଠିଆ ହୋଇଥିଲା ମିନି ତା’ ପରି ଆହୁରି ଅନେକ ଝିଅଙ୍କ ଗହଣରେ । କୋଉ ସମୁଦ୍ର କୂଳରେ । ସେ ଦୃଶ୍ୟକୁ ସେ ବେଶି ସମୟ ଦେଖି ପାରିଲେନି । ଫେରି ଆସିଲେ ।

ସେଦିନ ବନ୍ଧୁ ବଟ ବାବୁ କହୁଥିଲେ, “କୁରୁସଭାରେ ଦୁଃଶାସନ ଦ୍ରୌପଦୀଙ୍କ ବସ୍ତ୍ରହରଣ କରିଥିଲା । ହେଲେ ଆଜିର ଝିଅମାନେ ନିଜେ ନିଜର ବସ୍ତ୍ର ପରିତ୍ୟାଗ କରି ଅର୍ଧ ଉଲଗ୍ନ ପ୍ରାୟ ହୋଇ କରୁଛନ୍ତି ରା଼ମ୍ପୱାଲ୍କ ।”

କଥା ପଦକ ମନେପଡି ଦେହରେ ନିଆଁ ଲାଗିଲା ପରି ଲାଗିଲା କିଶୋରଙ୍କୁ ।

ନିର୍ଲଜତାର ଜ୍ୱଳନ୍ତ ନମୁନା, ଆଧୁନିକତାର ଦ୍ୱାହି ଦେଇ ନଗ୍ନତାର ଖୋଲାଖୋଲି ପ୍ରଦର୍ଶନ । ଏହାହିଁ କ’ଣ ନାରୀ ସ୍ୱାଧୀନତା ? ଝିଅଟିର ରୂପ, ଗୁଣ କ’ଣ ଏମିତି ପରଖା ଯାଏ ?

ଲାଜରେ ସଢିଯାଉଥିଲା ପରି ଲାଗୁଥିଲା କିଶୋର ବାବୁଙ୍କୁ । ସମସ୍ତେ ଦେଖୁଥିବେ ତାଙ୍କ ଝିଅର ଫଟୋକୁ । ତାଙ୍କୁ ଲାଗୁଥିଲା ସେ ନିଜେ ଯେମିତି ଉଲଗ୍ନ ହୋଇ ରାସ୍ତାରେ ଠିଆ ହୋଇଛନ୍ତି ଆଉ ଅନ୍ୟମାନେ ତାଳିମାରି ହସୁଛନ୍ତି ବିଦ୍ରୂପର ହସ ।

ସନ୍ଧ୍ୟା ହୋଇ ସାରିଥିଲା । ସୁନି ଚଉରା ମୂଳେ ଦୀପ ଦେଇ ମୁଣ୍ଡିଆ ମାରୁଥିଲା । ନିଶ୍ଚୟ ନିଜ ଭଉଣୀ ପାଇଁ ମାନସିକ କରୁଥିବ ।

ଛାତ ଉପରକୁ ଯାଇ ଆକାଶକୁ ଅନାଇଲେ କିଶୋର ବାବୁ । ଛକମୁଣ୍ଡ ପାନ ଦୋକାନ ପାଖରେ ଠିଆ ହୋଇ ଝିଅମାନଙ୍କୁ ଅଶ୍ଳୀଳ ଇଙ୍ଗିତ କରୁଥିବା ଛତରା ଟୋକାଙ୍କ ପରି, ଆକାଶ ଭର୍ତ୍ତି ତାରାମାନେ ଆଖିମିଟିକା ମାରିଲା ପରି ଲାଗୁଥିଲା କିଶୋରଙ୍କୁ ।

“ମଡେଲିଂରେ ବହୁତ ପଇସା । ମିସ୍ ଇଣ୍ଡିଆରେ ସିଲେକ୍ଟ୍ ହୋଇଛି ମାନେ ତା’ର ଭାଗ୍ୟ ଖୋଲିଗଲା । ଓଡିଆ ଓ ତେଲୁଗୁ ଫିଲ୍ମର ଅଫର୍ ନିଶ୍ଚୟ ଆସିବ । କିଏ ଜାଣେ ଐଶ୍ୱର୍ଯ୍ୟା, ସୁସ୍ମିତାଙ୍କ ପରି ଆମ ମିନି ବି ମିସ୍ ୱାର୍ଲଡ୍ ଅବା ମିସ୍ ୟୁନିଭର୍ସ ହୋଇପାରେ ।”

ଅଫିସର ନିଜ ସହକର୍ମୀ ମିସେସ୍ ସାନ୍ୟାଲ୍‌ଙ୍କ କଥା ଶୁଣି କିଶୋର ବାବୁ ଜାଣିପାରୁ ନ ଥିଲେ ଏହା ପ୍ରଶଂସା ଅବା ବିଦ୍ରୂପ ।

ସମୟ ସହ ତାଳ ଦେଇ ଯୁଗ ଆଗେଇଛି ବୋଲି ଆମେ ମିଛ ବାହାସ୍ଫୋଟ ମାରୁ ; ହେଲେ ସତରେ କ’ଣ ନିଜ ସଂସ୍କାର, ପରମ୍ପରା ଆଳରେ ଦେହରେ କଡେଇ ନେଇଥିବା ରୁଗ୍‌ଣ ମାନସିକତାକୁ ଆମେ ତ୍ୟାଗ କରିପାରିଛେ ?

ବୋଧହୁଏ ‘ନା’ ।

ସାମାଜିକ ମୂଲ୍ୟବୋଧର ମାପକାଠିରେ ଏଠି ତଉଲାଯାଏ ଝିଅଟିକୁ । ଘରସଂସାର, ଚୁଲିମୁଣ୍ଡ, ପରିବାରର ଦାୟିତ୍ୱର ଲକ୍ଷ୍ମଣରେଖା ଭିତରେ ଆବଦ୍ଧ କରାଯାଏ ମହିଳାଙ୍କୁ । ଉଚ୍ଚାଭିଳାଷୀ ତଥା ସ୍ୱତନ୍ତ୍ର ମନୋଭାବ ରଖୁଥିବା ଝିଅଙ୍କୁ ଦିଆଯାଏ ‘ସ୍ୱେଚ୍ଛାଚାରିଣୀ’ର ଆଖ୍ୟା । ଠିକ୍ ଯେମିତି କିଶୋର ବାବୁଙ୍କ ମନୋଭାବ ନିଜ ଗେହ୍ଲୀ ଝିଅ ପାଇଁ ।

ପୁଣି ଥରେ ଆକାଶକୁ ଅନାଇଲେ କିଶୋର ବାବୁ । ଅଗଣିତ ତାରାଙ୍କ ମେଳରେ ପୂର୍ଣ୍ଣମୀ ଜହ୍ନଟା ଚିକ୍‌ଚିକ୍ କରୁଛି, ଠିକ୍ ମିନିର ମୁହଁ ପରି ।

ଦୀର୍ଘ ନିଶ୍ୱାସ ଛାଡି କିଛିକ୍ଷଣ ଆଖି ବୁଜିଲେ କିଶୋର । ମିନି ଜନ୍ମ ହେବାଠାରୁ ବମ୍ବେ ଯିବା ପର୍ଯ୍ୟନ୍ତ ସବୁ ଘଟଣା ଗୋଟି ଗୋଟି କରି ଆଖି ଆଗରେ ଭାସିଉଠିଲା ତାଙ୍କର । ନିଜ ପ୍ରାଣପିତୁଳା ଉପରେ ଏ ଅଭିମାନ କେତେ ଦୂର ସମୀଚୀନ?

ସୁଜାତାଙ୍କ କଥା ମନେପଡିଗଲା ତାଙ୍କର । “ହଜାର ହଜାର ଝିଅ ତ ପୁଣି ପ୍ରତିବର୍ଷ ମିଶୁଛନ୍ତି ଏଇ ବିଉଟି କଣ୍ଟେଷ୍ଟ ରେ ! ସେମାନଙ୍କର ପରିବାର ଲୋକ ତ ପୁଣି ତାଙ୍କୁ ସହଯୋଗ କରୁଛନ୍ତି ।”

ଅନ୍ତଦ୍ୱର୍ନ୍ଦ୍ୱରେ ଘାଣ୍ଟି ହେଉଥିଲା କିଶୋରଙ୍କ ମନ । ଗୋଟେପଟେ ଏକ ରକ୍ଷଣଶୀଳ ବାପାର ଜିଦ୍ ଏବଂ ଅନ୍ୟପଟେ ଏକ ସହନଶୀଳ ସମବେଦନା ଭରା ବାପାର ଆତ୍ମା, କିଏ ଜିତିବ ?

ଫାଇନାଲ୍ ରାଉଣ୍ଡ ଟିଭିରେ ସିଧାସଳଖ ପ୍ରସାରଣ ହେଉଥିଲା । ନିଜକୁ ଷ୍ଟଡି ରୁମ୍‌ରେ ବନ୍ଦ କରିଦେଇଥିଲେ କିଶୋର । ବୋଧହୁଏ ପରିବାର ସହ ମିଶି ମିନିର ଜୟଯାତ୍ରା ଦେଖିବାର ସାହସ ଜୁଟାଇ ପାରୁ ନ ଥିଲେ ସେ ।

“ବାପା, ମିନି ଅପା ଟପ୍-ଫାଇଭ୍‌ରେ ସିଲେକ୍ଟ୍ ହୋଇଛି ।” ବାହାରପଟୁ ଚିଲୋଉଥିଲା ପୁଅ । ସୁଜାତା ଆସି କବାଟ ବାଡୋଉଥିଲେ ।

“ତମ ରାଗ ଆଉ କାହାକୁ ଦେଖାଇବ । ଓପାସରେ ଶୋଇଲେ ପିଲାଙ୍କ ଅମଙ୍ଗଳ ହୁଏ । ମିନି ଆମର ଫାଇନାଲ୍‌କୁ ଗଲାଣି । କିଛି ଯଦି ଅସୁବିଧା ହୁଏ ଜୀବନସାରା ତମକୁ କ୍ଷମା କରିବିନି କହୁଛି ।”

ଧଡ୍‌କିନା ଉଠିପଡି ଆଲମାରୀ ଭିତରେ ଥିବା ଦୁଇ ପ୍ୟାକେଟ୍ ବିସ୍କୁଟ୍ ଚୋବାଇ ପାଣି ପିଇଦେଲେ କିଶୋର । ଚୁପ୍‌କିନା ଟିଭି ଖୋଲି ଅଳ୍ପ ସାଉଣ୍ଡ୍ ଦେଇ ଦେଖିବାରେ ଲାଗିଲେ ମିସ୍ ଇଣ୍ଡିଆ ପ୍ରୋଗ୍ରାମ୍ ।

ଚୂଡାନ୍ତ ପର୍ଯ୍ୟାୟର ଶେଷ ପ୍ରଶ୍ନ ସମସ୍ତ ପାଞ୍ଚଜଣ ପ୍ରତିଯୋଗୀଙ୍କ ପାଇଁ ।

“ନିଜ ଜୀବନର ଆଦର୍ଶ ଭାବେ ତମେ କାହାକୁ ମାନ ଓ କାହିଁକି ?”

କିଏ ‘ମଦର୍ ଟେରେସା’, ‘ଇନ୍ଦିରା ଗାନ୍ଧୀ’ ଏବଂ କିଏ ‘ଅନ୍ନା ହଜାରେ’ ଅବା ‘ବାରାକ୍ ଓବାମା’ କହିଲେ ।

ଶେଷରେ ମୋନାଲିସା ମହାନ୍ତି; ତାଙ୍କରି ମିନିର ପାଳି । ରୁଦ୍ଧଶ୍ୱାସ ନେଇ ଅପେକ୍ଷା କରିଥା’ନ୍ତି ସମସ୍ତେ ।

ସହଜ ଭଙ୍ଗୀରେ ସ୍ମିତ ହସି ମିନି ଇଂରାଜୀରେ କହିବାକୁ ଆରମ୍ଭ କଲା, “ମୋ ଜୀବନର ଆଦର୍ଶ ହେଲେ ମୋ ‘ବାପା’ । ତାଙ୍କର ପ୍ରେରଣା ଓ ଶିକ୍ଷା ଆଦର୍ଶ ଯୋଗୁଁ ଜୀବନରେ ମୁଁ ସବୁକିଛି ହାସଲ କରିଛି । ନିଜର ଆତ୍ମସମ୍ମାନ ଓ ମୂଲ୍ୟବୋଧ ସହ ସାଲିସ୍ ନ କରି, ସବୁବେଳେ ନିଜ ବିବେକର ଆହ୍ୱାନ ଶୁଣିବା ପାଇଁ ମୋ ବାପାଙ୍କ ଆଜ୍ଞାକୁ ପାଳି ଆସିଛି । ଆମମାନଙ୍କ ସବୁ ଅଳିଅର୍ଦଳିକୁ ମୁଣ୍ଡପୋତି ମାନି ନିଅନ୍ତି ବାପା ଏବଂ ଆମର ଦୋଷକୁ କ୍ଷମା ଦେଇ ନିଜ ସ୍ନେହ ଓ ମହାନୁଭବତା ଦେଖାନ୍ତି । ସେ ହିଁ ମୋର ଆଦର୍ଶ ।”

ତାଳି ମାଡରେ କମ୍ପି ଉଠୁଥିଲା ଟିଭି । ଘର ଭିତରେ ବି ତାଳି ଓ ହର୍ଷଉଲ୍ଲାସର କୋଳାହଳ ।

ବିସ୍ମୟ ଓ ଆନନ୍ଦରେ ହତବାକ୍ ହୋଇ ସ୍ଥାଣୁବତ୍ ବସିଥିଲେ କିଶୋର ବାବୁ । ମିନି ତାଙ୍କୁ ଏତେ ଭକ୍ତି କରେ? ବାପା ପାଇଁ ତା’ ମନରେ ଏତେ ସମ୍ମାନ !

ଆଉ ସେ ନିଜେ ଝିଅ ବାଟରେ କଣ୍ଟା ହୋଇ ଠିଆ ହେଉଥିଲେ? ଛି, ଛି, ନିଜ ଉପରେ ତାଙ୍କୁ ଘୃଣା ଆସୁଥିଲା ।ଚାରିଆଡେ ତାଙ୍କୁ ଧୂଆଁଳିଆ ଦେଖାଯାଉଥିଲା । ସବୁଆଡ ଦିଶୁଥିଲା ଜାଲୁଆ ଜାଲୁଆ ।

ଅମାନିଆ ଲୁହଗୁଡାକ ଜବରଦସ୍ତି ଆଖିରେ ଭର୍ତ୍ତି ହୋଇଯାଉଥିଲେ । ମନକୁ ମନ ହସିଲେ କିଶୋର ବାବୁ । ଏସବୁ ହେଉଛି ଖୁସିର ଲୁହ । ଆଖି ପୋଛିପକାଇ ଠିଆ ହେଲେ ।

ଆରେ ଟିଭିଟା ବନ୍ଦ ହୋଇଯାଇଛି । କରେଣ୍ଟ ଚାଲିଗଲା ବୋଧେ । ରେଜଲ୍ଟ କେମିତି ଜାଣିବେ? ବନ୍ୟାପାଣି ନଈ ବନ୍ଧର ଦୁଇକୂଳ ଡେଇଁ ଉଛୁଳିଲା ପରି, ମନ ଭିତରେ ତାଙ୍କର ଖୁସି ଓ ଆନନ୍ଦର ବନ୍ୟାର ଢେଉ ।

ଭୁସ୍‌କିନା ଷ୍ଟଡି ରୁମ୍‌ର କବାଟଟା ଖୋଲି ଡ୍ରଇଂ ରୁମ୍‌କୁ ଚାଲିଆସି ସୁଜାତାଙ୍କୁ ବଡ ପାଟିରେ କହିବାରେ ଲାଗିଲେ, “ଆମ ମିନି ଆଜି ଜିତିଛି । ସେ ହିଁ ହୋଇଛି ମିସ୍ ଇଣ୍ଡିଆ । ତମେମାନେ ଟିଭି ଦେଖୁନ କି? ” ଘର ଭିତରେ ଅସ୍ୱାଭାବିକ ନିରବତା । ଚାରିଆଡକୁ ଅନାଇଲେ କିଶୋର । ସ୍ତ୍ରୀ ଓ ପିଲାମାନେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ତାଙ୍କୁ ଅନାଇଛନ୍ତି ।

ସାନ ଝିଅ ସୁନି କହିଉଠିଲା, “ବାପା, ଫାଇନାଲ୍ ତ କାଲି ହେବ । ତମେ ବୋଧେ ସ୍ୱପ୍ନ ଦେଖୁଥିଲ ।”

ସୋଫାରୁ ଉଠିଆସି ସୁଜାତା କୁଣ୍ଢାଇ ପକାଇଲେ କିଶୋରଙ୍କୁ । କିଶୋର ବାବୁଙ୍କ ମନ ଭିତରେ ଜମାଟ ବାନ୍ଧିଥିବା ଅଭିମାନ ସବୁ ଲୁହ ହୋଇ ବୋହି ଯାଉଥିଲା ଚୁପ୍‌ଚାପ୍ ।

ପକେଟ୍‌ରୁ ମୋବାଇଲ୍ କାଢି କିଶୋର ବାବୁ ଖୋଜୁଥିଲେ ମିନିର ଟେଲିଫୋନ୍ ନମ୍ବର ।

ଲୋକପ୍ରିୟ ଲେଖା

To Top