ଗଳ୍ପ

ମିତାଲିର ଡାଇରି

Matrudatta Mohanty's odia story Mitali Ra Daairi

ମାମା ତମକୁ ପାପା ଏତେ ଜୋର୍ ମାରୁଛନ୍ତି କିନ୍ତୁ ତମେ କାହିଁକି କିଛି କହୁନ । ତମେ ପାପାଙ୍କ ହାତରୁ ବାଡ଼ି ଛଡ଼େଇ ତାଙ୍କୁ କାହିଁକି ପିଟୁନ

ମିତାଲିର ଡାଇରି

ଶୋଇବା ଘରର କବାଟ ଖୋଲି ବାହାରି ଆସିଲେ ମୀନାକ୍ଷୀ । ଡାଇନିଙ୍ଗ୍ ହଲ୍‌ର କୋଣରେ ଥିବା ଆକ୍ୱାରିୟମ୍ ପାଖରେ ଛିଡା ହୋଇ ମାଛମାନଙ୍କୁ ନିରିକ୍ଷଣ କଲେ । ଆକ୍ୱାରିୟମ ଭିତରକୁ କିଛି ଦାନା ଛାଟି ଦେଲେ । ରଙ୍ଗୀନ ପଥର ଉପରେ ଭାସି ବୁଲୁଥିବା ମାଛସବୁ ଲାଞ୍ଜ ହଲେଇ ଦାନା ଉପରକୁ ଝାମ୍ପି ପଡ଼ିଲେ । ଡ୍ରଇଂରୁମ୍‌ରେ ବସି ସିଗାରେଟ୍ ଟାଣି ଚାଲିଥିଲେ ଭବାନୀ । ଟି-ପଏ ଉପରେ ପଡ଼ି ରହିଥିଲା ଖାଲି ମଦବୋତଲ ଆଉ କେତେଟା ସିଗାରେଟ୍ ପ୍ୟାକେଟ୍ । ଆଶ୍ ଟ୍ରେରେ ଖୁନ୍ଦି ହୋଇଥିଲା ପୋଡ଼ା ବଟ୍ସ । କାନ୍ଥରେ ଝୁଲୁଥିବା ଘଣ୍ଟା ଆଡେ ଚାହିଁଲେ ମୀନାକ୍ଷୀ । ସମୟ ରାତି ଏଗାରଟା ପଇଁଚାଳିଶ । ଡ୍ରେସିଙ୍ଗ୍ ଟେବୁଲ ପାଖକୁ ଯାଇ ଲୁଗାକାନି ଖସେଇ ପିଠିରେ ସୃଷ୍ଟି ହୋଇଥିବା ସଦ୍ୟ କ୍ଷତରେ ଆଙ୍ଗୁଠି ମାରିଲେ । ତାଙ୍କ ଅଜାଣତରେ ଆଃ ବୋଲି ପାଟିରୁ ବାହାରି ପଡ଼ିଲା । ଲୁହ ଜକେଇ ଆସିଲା । ଗୋରା ତକତକ ପିଠିରେ ଶୁଖିଲା ରକ୍ତର ଧାର ସ୍ପଷ୍ଟ ଦିଶୁଥିଲା । ପିଠି ସାରା ନୋଳା ଫାଟି ଯାଇଥିଲା । ପଦ୍ମଫୁଲ ପରି ମୁହଁରେ ଚିକ୍ ଚିକ୍ କରୁଥିଲା ଆଞ୍ଚୁଡା ଦାଗ ।

ଦନ୍ତା ମାଙ୍କଡ ପରି ଖେଁ ଖେଁ ହୋଇ କାଶି ଉଠିଲେ ଭବାନୀ । ପାଟିରୁ ଛୁଟି ଆସିଲା ଯାବତୀୟ ଅଶ୍ଳୀଳ ଭାଷା । ମୀନାକ୍ଷୀଙ୍କ ମା, ବାପା, ଭାଇ, ଭଉଣୀ କେହି ବାଦ୍ ପଡିଲେନି ସେ ଗାଳିରୁ । ତାଙ୍କ ଚଉଦ ପୁରୁଷ ପଖାଳି ଦେଲେ ଏକା ନିଶ୍ୱାସରେ । ମୀନାକ୍ଷୀ ପ୍ରତିବାଦ କଲେନି । ହୁଁ କି ଚୁଁ କିଛି କହିଲେନି । ଏ ଘଟଣା ନୂଆ ନୁହେଁ । ବିଭାଘର ସାତ ବର୍ଷ ଭିତରେ ଏମିତି ପ୍ରତିଦିନ ପ୍ରତିମୁହୂର୍ତ୍ତ ଘଟୁଛି । ରାତି ପାହିବାଠାରୁ ରାତି ହେବାଯାଏ ଅକଥନୀୟ ନିର୍ଯାତନା ସହୁଛନ୍ତି ସେ । ବିଭାଘର ପୂର୍ବରୁ ଯେବେ ଭବାନୀଙ୍କ ସହ ତାଙ୍କ ପ୍ରସ୍ତାବ ପଡିଲା ଆଉ ବାହାଘର ସ୍ଥିର ହେଲା ଶେଷ ଯାଏ ତାଙ୍କ ବାପାଙ୍କ ମନ ଏ ପ୍ରସ୍ତାବରେ ଆଦୌ ମାନୁ ନଥିଲା । ପୁଲିସ୍ ଜ୍ୱାଇଁ କରିବେ ନା ନାହିଁ ସେ ନେଇ ତାଙ୍କ ମନରେ ଦ୍ୱନ୍ଦ୍ୱ ଥିଲା । ବେଶ୍ ଡେଙ୍ଗା ଗୋରା ସୁନ୍ଦର ପିଲା । ଘର ପରିବାର ବି କିଛି ମନ୍ଦ ନୁହେଁ । ଏମିତିରେ ପିଲାଟା ଖରାପ୍ ହୋଇ ନ ଥିବ ବୋଲି ବାରମ୍ବାର ମନକୁ ବୁଝାଇବା ପରେ ଶେଷରେ ନିଜ ଝିଅର ବିବାହ ଭବାନୀଙ୍କ ସହିତ ସ୍ଥିର କରିଥିଲେ । ଝିଅ ବିଦାହେଲାବେଳେ ତାର ଆଖିରୁ ଝରି ପଡୁଥିବା ଲୁହ ଯେ ଶେଷ ଲୁହ ବିନ୍ଦୁ ନୁହେଁ, ତାହା ଜାଣିବାର ଅବକାଶ ନ ଥିଲା ଜଣେ ଅସହାୟ ବାପା ପାଇଁ । ଚତୁର୍ଥୀ ପିଣ୍ଡ ପଡିବା ଆଗରୁ ଭବାନୀଙ୍କ ଅସଲ ଚେହେରା ପଦାକୁ ବାହାରି ଆସିଲା । ତାଙ୍କ ଭିତରେ ଥିବା ରାକ୍ଷସଟା ଚେଇଁ ଉଠିଲା । ଛୋଟ ଛୋଟ କଥାରେ ମୀନାକ୍ଷୀଙ୍କୁ ସନ୍ଦେହ କରିବା, ମଦ ପିଇ ମାଡ଼ମାରିବା ପୁଣି ମାରିମାରି ଘରୁ ବାହାରି କରିଦେବା ପରି ଘଟଣା ନିତି ଘଟିବାରେ ଲାଗିଲା । ବର୍ଷକ ପରେ ମୀନାକ୍ଷୀଙ୍କ କୋଳ ପୂର୍ଣ୍ଣକରି ଝିଅଟିଏ ଜନ୍ମ ନେଲା । ସେ ଭାବିଲେ ଏଣିକି ବୋଧେ ଲୋକଟା ବଦଳିଯିବ । କିନ୍ତୁ ତାଙ୍କ ଭାବନା ଥିଲା ସମ୍ପୂର୍ଣ୍ଣ ବ୍ୟର୍ଥ ।

ଡ୍ରେସିଙ୍ଗ୍ ଟେବୁଲ ପାଖରୁ ମୁହଁ ଫେରାଇ ନେଇ ରୋଷେଇ ଘର ଭିତରକୁ ଚାଲିଗଲେ ମୀନାକ୍ଷୀ । ରୁଟି କ୍ଷୀର ପ୍ଲେଟ୍‌ରେ ଥୋଇ ଡାଇନିଙ୍ଗ୍ ଟେବୁଲ୍ ପାଖକୁ ଆସିଲେ । ଛୁଆଟାକୁ ଖୋଇବା ପାଇଁ ପଡ଼ିବ । କାଲି ସକାଳୁ ଉଠି ପୁଣି ସେ ସ୍କୁଲ୍‌ ଯିବ । ବାପାମା’ଙ୍କ ଏ ଯୁଦ୍ଧ ଭିତରେ ବିଚରା ପିଲାଟା ପେଷି ହୋଇଯାଉଛି । ତାର ଶୈଶବରେ ସେ କୋମଳତା ନାହିଁ କି ତା’ ଚେହେରାରେ କେତେବେଳେ ବି ଖୁସି ଟିକେ ନାହିଁ । ଭବାନୀଙ୍କ ଚରିତ୍ର ସହିତ ପାଖ ପଡ଼ିଶା ବି ବେଶ୍ ଭଲ ଭାବେ ପରିଚିତ । ସେଥିପାଇଁ ସମସ୍ତେ ପରଦା ପଛପଟେ ଥାଇ କାନ ଡେରି ଥାଆନ୍ତି ମୀନାକ୍ଷୀଙ୍କ ଘରଆଡେ । ଅଶ୍ଳୀଳଭାଷା ଅଧିକ ହେଲେ କେହି କେହି ଧଡ଼ଧାଡ଼ କବାଟ ଆଉଜେଇ ଦିଅନ୍ତି । ଆଉ କେହି କେହି ସୁଯୋଗ ପାଇଲେ ମୀନାକ୍ଷୀଙ୍କ ମୁହଁରେ କହି ଦିଅନ୍ତି ‘ଭବାନୀ ବାବୁ କାହିଁକି ଏତେ ପିଆ ପି କରୁଛନ୍ତି, ପିଲାଟା ବଡ ହେଲାଣି’ । ସବୁ ଶୁଣି ଚୁପ୍ ରହନ୍ତି ମୀନାକ୍ଷୀ । ସେଇଥି ପାଇଁ ତ ସେ ପାଖ ପଡିଶାଙ୍କ ଘରକୁ ଯିବା ଆସିବା ବନ୍ଦ କରି ଦେଇଛନ୍ତି । ବାଟମଙ୍ଗଳା ପୂଜା ପାଇଁ ପଦାକୁ ଗଲେ ବି ଚଟ୍ କିନା ପୂଜା ସାରି ଫେରି ଆସନ୍ତି । କଲୋନି ସ୍ତ୍ରୀଲୋକମାନେ ଏକାଠି ହେଲେ ସେ ଜାଗା ଛାଡିବାକୁ ବାଧ୍ୟ ହୁଅନ୍ତି । ଯେବେ କିଛି ଭୋଜି ଅଥବା ପିକ୍‌ନିକ୍ ପାଇଁ ଯୋଜନା ହୁଏ ସେଥିରୁ ନିଜକୁ ଦୂରେଇ ରଖନ୍ତି । ଝିଅ ମିତାଲି କିନ୍ତୁ ସବୁଥିରେ ସାମିଲ ହେବା ପାଇଁ ଗୋଡ଼ କଚାଡ଼େ । ତାଙ୍କ ପାଖରେ ଅଳି କରେ । ତୋ ବାପା ଯେ ଜଣେ ମଦୁଆ, ତାଙ୍କୁ କଲୋନିର ସବୁ ଲୋକ ଘୃଣା କରନ୍ତି, ତାଙ୍କ କାର୍ଯ୍ୟକଳାପ ପାଇଁ ଆମେ ମାଆଝିଅ ଏକ ପ୍ରକାର ବନ୍ଦି ଜୀବନ କାଟିବାକୁ ବାଧ୍ୟ ହେଉଛୁ ଏ ସବୁ କଥା ସେ ପିଲାଟାକୁ ବୁଝାଇ ପାରନ୍ତିନି । କହନ୍ତି ‘ଝିଅ ବଡ ହେଲେ ମା’ର ସୁଖ ଦୁଃଖରେ ସାମିଲ ହୁଏ । ଝିଅ ଛୋଟ ଥିଲା ବେଳେ ଯଦି ମା’ ଉପରେ ଏମିତି ବିପତ୍ତି ପଡ଼େ ତେବେ ସେ କାହାକୁ କହିବ । ଏ କଥା ତ କୋଉଠି ଲେଖା ନାହିଁ । ଏହି ପ୍ରଶ୍ନ ବାରମ୍ବାର ମୀନାକ୍ଷୀଙ୍କ ମନରେ ଉଙ୍କିମାରେ । ଚରିତ୍ରହୀନ ପୁରୁଷର ହାତ ଧରିବା ଗୋଟେ ବଡ଼ ଅଭିଶାପ । ପୁଣି ଜଣେ ମଦୁଆର ସ୍ତ୍ରୀ ଅଥବା ସନ୍ତାନ ହେବା ହୁଏତ ପୃଥିବୀର ସବୁଠାରୁ ବଡ ଦୁଃଖ । ଯେଉଁ ଦୁଃଖରେ ପ୍ରତି ମୁହୂର୍ତ୍ତ ଜଳିପୋଡ଼ି ମରିବାକୁ ହୁଏ । କ୍ଷତାକ୍ତ ହେବାକୁ ପଡ଼େ । ପୁଣି ନିଜର କିଛି ଦୋଷ ନଥାଇ ମଧ୍ୟ ଚୋର ପରି ବଞ୍ଚିବାକୁ ପଡ଼େ ଏ ସମାଜରେ । କିନ୍ତୁ ବିଡ଼ମ୍ବନା ସେ ମଦୁଆ ଜଣକ ଏ କଥା ବୁଝି ପାରେନା । ମୀନାକ୍ଷୀ ଡାଇନିଙ୍ଗ୍‌ ଟେବୁଲ୍ ପାଖରୁ ଫେରି ଆସି ମିତାଲିକୁ ଖୋଜିଲେ । ତା ଶୋଇବା ଘରକୁ ଯାଇ କବାଟ ଖୋଲିଲେ । ଖାଲି ପଡ଼ିଥିଲା ଖଟ । ମୀନାକ୍ଷୀଙ୍କର ସନ୍ଦେହ ବଢ଼ିବାରେ ଲାଗିଲା । ସେ ସବୁଘରର ଖଟ ତଳକୁ ଝୁଙ୍କି ଚାହିଁଲେ । କାଳେ ବାପାର ରାକ୍ଷସ ରୂପ ଦେଖି ଭୟରେ ଖଟ ତଳେ ଲୁଚି ଯାଇଥିବ । ଏମିତି ଆଗରୁ ଅନେକ ଥର ସେ ଖଟତଳେ ଲୁଚିଛି । ମନେ ମନେ ନିଜକୁ ଗାଳି ଦେଲେ ସେ । କାନ୍ଦି କାନ୍ଦି ଖଟ ଉପରେ ତାଙ୍କର ଟିକେ ଆଖି ଲାଗି ଗଲା ଯେ ବିଚାରି ନଖାଇ କୋଉଠି ଶୋଇ ପଡ଼ିଲା । ପୁଣି ଥରେ ସବୁଆଡ଼ ଖୋଜି ସାରିଲେଣି । ଦାଣ୍ଡ ଗ୍ରୀଲ୍ ଖୋଲା ଅଛି । କାଳେ ବାହାରକୁ ଚାଲି ଗଲା କି । ଏତେ ରାତିରେ କାହାକୁ ପଚାରିବେ । କଣ କରିବେ କିଛି ବୁଝି ପାରିଲେନି ସେ । ତେଣେ ଖଟ ଉପରେ ଖାଲି ବୋତଲ ମଝିରେ ଲଙ୍ଗଳା ହୋଇ ପଡିଥିଲେ ଭବାନୀ । ମୀନାକ୍ଷୀଙ୍କ ମନକୁ ନାନା ପାପ ଛୁଇଁଲା । ରାସ୍ତାକୁ ଯାଇ ଷ୍ଟ୍ରିଟ୍‌ଲାଇଟ୍ ତଳେ ଛିଡା ହୋଇ ଏଣେ ତେଣେ ଚାହିଁଲେ । କୋଉଠି କୁଆ କୋଇଲିଟିଏ ବି ନାହିଁ । ଚାରି ଆଡ଼ ଶୁନଶାନ୍ । ଏତେ ରାତିରେ ତାଙ୍କୁ ବାହାରେ ଦେଖିଲେ ଭବାନୀଙ୍କ ମୁଣ୍ଡରେ ଭୂତ ସବାର ହୋଇଯିବ । ପୁଣି ବାଡ଼ି ଆଣି ପିଟି ଦେଇ ଯିବେ । ଭୟରେ ଜଡ଼ସଡ଼ ହୋଇ ପଡ଼ୁଥଲେ ମୀନାକ୍ଷୀ । ଘରକୁ ଫେରି ଆସିଲେ । ତାଙ୍କର ମନେ ପଡ଼ିଲା ସେ ମିତାଲିର ଷ୍ଟଡ଼ି ରୁମ୍ ଛାଡ଼ି ଯାାଇଛନ୍ତି । ହୁଏତ ସେଠାରେ ଥାଇପାରେ । ସେ ଧାଇଁ ଗଲେ ଷ୍ଟଡ଼ିରୁମ୍ ଭିତରକୁ । ମିତାଲି ସେଠି ନଥିଲା । ପଢ଼ା ଟେବୁଲ୍ ଉପରେ ବିକ୍ଷିପ୍ତ ଭାବରେ ପଡ଼ି ରହିଥିଲା ସ୍କୁଲ୍ କପି ଓ କଲର୍ ପେନ୍‌ସିଲ୍ । ଆଲାର୍ମ ଘଣ୍ଟା ପାଖରେ ମୁକୁଳା ହୋଇ ପଡ଼ିଥିଲା ମିତାଲିର ସ୍କୁଲ ଡାଏରୀ । ଫ୍ୟାନ୍ ପବନରେ ଫରଫର ହୋଇ ଉଡ଼ୁଥିଲା ଡାଇରୀ ପୃଷ୍ଟା ସବୁ । ମୀନାକ୍ଷୀ ଅଟକି ଗଲେ ସେ ଡାଇରୀ ପାଖରେ । ତାଙ୍କ ନିଶ୍ୱାସ ବନ୍ଦ ହୋଇଯିବା ପରି ଲାଗିଲା । ଆଖି ଛଳଛଳ ହୋଇ ଉଠିଲା । ଚେୟାର ଉପରେ ଲତ୍ କରି ବସି ପଡ଼ିଲେ ସେ ।

“ମାମା, ଆଜି ମୋ ସାଙ୍ଗମାନେ ପାପାଙ୍କ ବିଷୟରେ ମୋତେ ବହୁତ କଥା ପଚାରିଲେ । କେହି କେହି ତ ତୋ ପାପା ପୁଲିସ୍ ବୋଲି କହି ମତେ ଚିଡାଇଲେ । ମାମା ମୋତେ ସ୍କୁଲ ଯିବା ପାଇଁ ଡର ଲାଗୁଛି । ଯୋଉ ଦିନ ଅଟୋ ଅଙ୍କଲ୍ ଆସୁ ନାହାନ୍ତି, ପାପା ମୋତେ ସ୍କୁଲ ଛାଡ଼ିବା ପାଇଁ ଯାଉଛନ୍ତି, ସେଦିନ ବେଶି ଡର ଲାଗୁଛି । ଟିଉସନ୍ ସାର୍ ବି ପାପା ଆଉ ତମ କଥା ପଚାରୁଥିଲେ । ପାପା ସସ୍ପେଣ୍ଡ ହୋଇଛନ୍ତି ବୋଲି ଟିଉସନ୍ ସାର୍ କହୁଥିଲେ । ମାମା ତମକୁ ପାପା ଏତେ ଜୋର୍ ମାରୁଛନ୍ତି କିନ୍ତୁ ତମେ କାହିଁକି କିଛି କହୁନ । ତମେ ପାପାଙ୍କ ହାତରୁ ବାଡ଼ି ଛଡ଼େଇ ତାଙ୍କୁ କାହିଁକି ପିଟୁନ । ପାପାଙ୍କ ରେଡ୍ କଲର୍ ଆଖି ଦେଖିଲେ ମୋତେ ବହୁତ ଡର ଲାଗୁଛି । ଆଜି ପାପା ତମକୁ ବହୁତ ବାଡ଼େଇଛନ୍ତି ନା । ପାପାଙ୍କ ଆଖି ଦେଖି ଆଜି ମୋତେ ଏତେ ଡର ଲାଗିଲା ଯେ ମୁଁ ହୋମୱାର୍କ ବି କରି ପାରିଲିନି । ମାମା ଚାଲ ଆମେ ଏଠୁ ପଳେଇବା । ଅଜାଙ୍କ ଘରେ ରହିବା । ଆଉ ବିଲକୁଲ ଏଠିକି ଆସିବାନି । ପାପା ଆଉ ଗୋଟେ ମାମା ଆଣିବା ପାଇଁ କହୁଛନ୍ତି ନା? ସେ ନୂଆ ମାମା ସହିତ ରୁହନ୍ତୁ ।

ମୀନାକ୍ଷୀଙ୍କ ଆଖିରୁ ଧାର ଧାର ଲୁହ ଛୁଟିବାରେ ଲାଗିଥିଲା । ସେ ଲୁହ ଛାତିର କୋହ ସବୁକୁ ପୋଛିବାର କ୍ଷମତା ରଖୁଥିଲା ସତ କିନ୍ତୁ ମନର ଦାଗକୁ ଲିଭାଇ ପାରୁ ନ ଥିଲା । ଜଣେ ଅସହାୟ ନାରୀର ଲୁହରେ କେତେ ଯେ ଶକ୍ତି ଥାଏ ତାହା ଅତ୍ୟାଚାରୀ ପୁରୁଷ ବୁଝି ପାରେନି । ଯେବେ ବୁଝିବାର ସମୟ ଆସେ ସେତେବେଳେ ସେ ଉଷ୍ମ ଲୁହ କେଇ ବୁନ୍ଦା ଫୁଟନ୍ତା ତେଲରେ ପରିଣତ ହୋଇ ସାରିଥାଏ । ମୀନାକ୍ଷୀଙ୍କ ଆଖିରୁ ଝରି ପଡୁଥିବା ଲୁହରୁ କେଇ ବୁନ୍ଦା ଡାଇରୀର ପୃଷ୍ଠା ଉପରେ ନେସି ହୋଇ ପଡ଼ିଲା । ଡାଇରି ହାତରେ ଧରି ସେ ଡାଇନିଙ୍ଗ୍ ଆଡ଼େ ଧାଇଁଲେ । ନିଜ ଝିଅକୁ କୋଉଠି ଖୋଜିବେ ସେନେଇ ବ୍ୟସ୍ତ ହୋଇ ପଡୁଥିଲେ । ଡ୍ରଇଙ୍ଗ୍ ରୁମ୍କୁ ଦଉଡ଼ି ଯାଇ ଭବାନୀଙ୍କୁ ହଲେଇଲେ । ମିତାଲି ଘରେ ନାହିଁ ବୋଲି ଯେତେ କହିଲେ ବି ତାଙ୍କ ଉପରେ କିଛି ପ୍ରଭାବ ପଡ଼ିଲାନି । ମୀନାକ୍ଷୀ ପାଗଳୀ ପରି ଏଣେତେଣେ ଘର ସାରା ଦଉଡୁଥିଲେ । ଶିଡ଼ି କବାଟ ଖୋଲା ଥିଲା । ସେ ଧାଇଁଗଲେ ସିଆଡ଼େ । ଛାତ ଉପରେ ଅନ୍ଧାରରେ ଦରାଣ୍ଡିବାରେ ଲାଗିଲେ । ଗୋଟେ କୋଣରେ ଜମା ହୋଇଥିବା ପଟିଲି ଅଖାବସ୍ତା ଉପରେ କାନ୍ଥକୁ ଆଉଜି ଶୋଇ ପଡ଼ିଥିଲା ମିତାଲି । କାକରରେ ଭିଜି ଯାଇଥିଲା ତାର ଫୁଲ ପରି ଦେହ । ମୀନାକ୍ଷୀ ନିଜ କୋଳକୁ ଆଉଜେଇ ନେଲେ ତାକୁ । ଆଖିରୁ ଲୁହ ଶୁଖୁ ନଥିଲା । ଝିଅକୁ ତାଙ୍କର ଲୁଗା କାନି ତଳକୁ ଆଉଜେଇ ନେଲେ । ତା’ ଗାଲରେ ମୁହଁରେ, କପାଳରେ ମନ ଭରି ଚୁମା ଦେଲେ । ମିତାଲି ଆଖି ଖୋଲିଲା । ମାମା ମୋତେ ବହୁତ ଡର ଲାଗୁଛି’ କହି କୁଣ୍ଢେଇ ଧରିଲା ତାଙ୍କୁ । ମୀନାକ୍ଷୀ ଝିଅ ମୁହଁକୁ ହାତରେ ତୋଳି ଧରିଲେ । ‘ମୁଁ ଅଛି ପରା ଡର୍‌ନା । ତୁ କହୁଥିଲୁ ନା ଅଜାଙ୍କ ଘରକୁ ପଳେଇବା । ଚାଲ୍ ଯିବା । ଆମେ ଏଠି ଆଉ ରହିବାନି । ଅଜାଙ୍କ ସାଙ୍ଗରେ ତାଙ୍କ ଘରେ ରହିବା । ତତେ ପାପା ବିଲକୁଲ ଡରେଇ ପାରିବେନି । ତୋ ସାଙ୍ଗମାନେ ବି ତତେ ଆଉ ବିରକ୍ତ କରିବେନି । ଚାଲ୍ ପଳେଇବା’ । ଝିଅକୁ କୋଳକୁ ନେଇ ଶିଡ଼ିରୁ ଓହ୍ଲେଇ ଆସିବା ବେଳେ ମୀନାକ୍ଷୀଙ୍କ ଭିତରେ ସାହସର ଗୋଟେ ପାହାଡ ମୁଣ୍ଡ ଟେକି ସାରିଥିଲା ।

ସକାଳେ ମଦ ମୋହରୁ ସାମାନ୍ୟ ମୁକୁଳି ନିଜକୁ ସମ୍ଭାଳୁ ସମ୍ଭାଳୁ ଡାଇନିଙ୍ଗ୍ ଟେବୁଲ ଉପରେ ଥୁଆ ହୋଇଥିବା ଡାଇରି ଉପରେ ନଜର ପଡିଲା ଭବାନୀଙ୍କର । ସିଗାରେଟ ଲଗେଇ ବିବ୍ରତ ଭାବରେ ଶୋଇବାଘରର ପରଦା ଆଡ଼େଇଲେ ସେ । ଫାଙ୍କା ପଡ଼ିଥିଲା ଖଟ । ସଜଡ଼ା ହୋଇ ନ ଥିଲା କାଲି ରାତିର ବିଛଣା । ସାରା ଘରଟା ଶୁନଶାନ୍ ଲାଗୁଥିଲା । ରୋଷେଇ ଘର କବାଟ ମୁକୁଳା ପଡିଥିଲା । ରୋଷେଇ ଘରର ତେଲ ଚିକିଟା କାନ୍ଥରେ ନିଜର କାନ୍ଦୁରା ପ୍ରତିଛବି ଦେଖି ପାରୁଥିଲେ ସେ । ଆକ୍ୱାରିୟମରେ ଭୋକିଲା ମାଛଗୁଡ଼ାକ ପାଟି ପାକୁପାକୁ କରି ପାଣି ଉପରକୁ ଉଠି ଆସୁଥିଲେ । ଭବାନୀଙ୍କର ଗୋଟେ ହାତରେ ଥିଲା ଅଧା ଜଳା ସିଗାରେଟ୍, ଆର ହାତରେ ମିତାଲିର ଡାଇରି ।

ଲୋକପ୍ରିୟ ଲେଖା

To Top