ଗଳ୍ପ

ମୋ ଦେଈ

Paramita Mishra's odia story Mo Dei

ସମୟ ସହ ଧିରେ ଧିରେ ସବୁ ବଦଳି ବାକୁ ଲାଗିଲା ।

ମୋ ଦେଈ

ଦେଈ ଆଉ ମୁଁ ମାତ୍ରେ ବର୍ଷେ ବଡ ସାନ । ଦେଈ ପିଲାବେଳୁ ପୋଲିଓରେ ପିଡିତ । କିନ୍ତୁ ବହୁତ ସୁନ୍ଦର ହୃଦୟ ମୋ ଦେଈର । ମୋ ପାଇଁ ମୋ ଦେଈ ମୋର ସବୁଠୁ ଭଲ ସାଙ୍ଗ କିନ୍ତୁ ମୋ ଦେଈ ପାଇଁ ତ ମୁଁ ତା ଦୁନିଆ ଥିଲି ।

ବଡ ବିଡମ୍ବନାର କଥା ଯେ ଏ କଥାର ହୃଦୟଙ୍ଗମ ମତେ ହେଲା କିନ୍ତୁ ବହୁତ ବିଲମ୍ବରେ । ଏ ଭୁଲ ପାଇଁ ମୁଁ ସାରା ଜୀବନ ନିଜକୁ କ୍ଷମା କରି ପାରିବିନି ।

ଦେଈ ବାହାରକୁ ଜାଏନି । ଲଡବଡେଇ ଚାଲେ ବୋଲି ପିଲାଏ ତାକୁ ଚିଢେଇ ଦିଅନ୍ତି । ଘର ଆଗକୁ ବାରଣ୍ଡା, ତା ଆଗକୁ କିଛି ହାତ ଜାଗା ଥିଲା, ସେ ପାଖରେ ଆମ ବୃନ୍ଦାବତୀ ମାଁ’ଙ୍କର ଘର । ଉପରେ ଗମଲାରେ ତୁଳସୀ ଆଉ ତା ତଳେ ଆମେ ଦୁଇ ଭଉଣୀଙ୍କ ଛୋଟିଆ ସାଂସାରିକ ଘର ଖଣ୍ଡେ । ନିଇତି ସ୍କୁଲରୁ ଫେରିବା ମାତ୍ରେ ଆମେ ଦୁହେଁ ଆମର ସେହି ଘରେ ଖେଳିବାରେ ମାତି ଯାଉ । ଲୀନା ଆମ ସହ ଖେଳିବାକୁ କେତେ ଥର ପଚାରିଛି ବୋଧେ ଦେଈକୁ ଭଲ ଲାଗିବନି ଆଉ କେହି ଖେଳିଲେ ବୋଲି ମୁଁ ତାକୁ ମନା କରିଦିଏ ।

ଠାକୁର ଗୋଟେ ହାତରେ ନେଲେ ଗୋଟେ ହାତରେ ଫେରେଇ ଦିଅନ୍ତି, ଦେଈର ଗୋଡଟା ଅକର୍ମଣ୍ୟ କିନ୍ତୁ ହାତଟା ଚମତ୍କାର। ମାର୍ଗଶିର ଗୁରୁବାରରେ ଘରଟା ସାରା ଦେଈ ହାତର ଚିତ୍ର ମୋର ଏବେବି ମନେ ପଡିଯାଉଛି । ନିର୍ଜୀବରେ ବି ଜୀବନ ଦେଈ ଦେଇ ପାରେ । ଖାଲି କାଗଜରେ ଗାରଟିଏ ଟାଣି ଦେଲେ ବି ସୁନ୍ଦର ଚିତ୍ରଟେ ଆଙ୍କି ହେଇଯାଏ । ନଇ କୂଳରେ ବସିଥିବା ଏଇ ଯୋଉ ଦୁଇ ଝିଅଙ୍କ ଚିତ୍ରଟି ଡ୍ରଇଁ ରୁମ୍‌ରେ ଲାଗିଛି ମୋ ଦେଈ ଆଙ୍କି ଥିଲା ।

ସେଦିନ ମୁଁ ଦେଈକୁ ମୁଁ ଜିଦ କରି ନେଇ ଜାଇଥିଲି ପାଖ ନଇ କୂଳକୁ, କଞ୍ଚା ମାଟିରେ ଗୋଡ ଖସିଗଲା ତାର, କିଛି ପିଲା ତାକୁ ଚିଡ଼େଇବାରୁ ମୋର ଭାରି ଝଗଡ଼ା ହୋଇଥିଲା, ବହୁତ୍ ସମୟ ମତେ ବୁଝାଉଥିଲା, ଦେଈ ମତେ ବୁଝାଇ କହିଥିଲା, ମୁଁ ତା ସହ ଅଛି ମାନେ ତାକୁ କାହା କଥା କିଛି ଖରାପ ଲାଗେନି । ଆମେ ସେଠି କିଛି ସମୟ ବସିଯାଇ ଥିଲୁ, ସେଦିନ ରାତିରେ ଦେଈ ସେ ଚିତ୍ରଟି ଆଙ୍କି ଥିଲା, ମତେ ବହୁତ୍ ଭଲ ଲାଗେ ସେ ଚିତ୍ରଟି ମୋ ଦେଈର ପ୍ରଥମ ଚିତ୍ର ସେ ।

ସବୁଦିନ ସକାଳୁ ଉଠି, ସାଙ୍ଗ ହୋଇ ସ୍କୁଲ ଯାଉ ଓ ପୁଣି ରାତି ଶୋଇଲା ଯାଏ ଆମେ ଦୁହେଁ ସାଥୀ ହୋଇ ରହୁ । ଦିନ ଆରମ୍ଭରୁ ଶେଷ ଯାଏ ଆମେ ଦୁହେଁ ସାଥୀ ହୋଇ ଥାଉ । କିନ୍ତୁ ଅଷ୍ଟମ ଶ୍ରେଣୀ ପରେ ଦେଈ ଆଉ ଏକ ସ୍କୁଲକୁ ଗଲା । ବାପା ତାକୁ ଅଣା ନିଆ କରନ୍ତି । ଭାରି ଉଦାସ ମନରେ ଆମେ ସ୍କୁଲ ଯାଉ । ପଢ଼ା ପଢି ଚାଲିଲା, କିନ୍ତୁ ସ୍କୁଲରେ ଏକା ଏକା ଭାରି ବୋର ଲାଗେ ତା ବିନା ।

ତାପରେ ଲୀନା ଆସିଲା, ତାପରେ ରାକେଶ, କୁନାଲ୍ ଆଉ ମହ୍ଲାର ବି ଆଉ ମାନସି ବି ଆସିଲେ ଆମ ଘରକୁ । ମୁଁ ସ୍କୁଲରୁ ଜଲଦି ଆସେ । ଦେଈ କିନ୍ତୁ ତା ସ୍କୁଲ ପରେ ଟିଉସନ କରେ ଆଉ ଘରକୁ ଆସିଲା ପରେ ପଢାରେ ଲାଗିଯାଏ । ଆଗ ଆମେ ସବୁ ମିଶି ପାଠ ପଢୁଥିଲୁ ଏବେ କିନ୍ତୁ ମୋ ସାଙ୍ଗ ମାନେ ମୋ ସହ ପଢୁଥିଲେ ।

ପଢାରେ ଟିକେ ଦୁର୍ବଳ ଥିଲା ଦେଈ ତେଣୁ ବହୁତ୍ ପରିଶ୍ରମ କରେ ସେ । ତାପରେ ଧୀରେ ଧୀରେ ସେ ନଥିଲା ବେଳେ ମୁଁ ମୋ ସାଙ୍ଗ ମାନଙ୍କ ସହ ଚଁଉରା ତଳ ଘରେ ଖେଳୁ । ସେଦିନ ଦେଈ ଆଖିରେ ପଡିଗଲା କିନ୍ତୁ ସେ କିଛି କହିଲାନି । ମୁଁ ଭାବିଲି ତାର କିଛି ଅସୁବିଧା ନାହିଁ ।

ସମୟ ସହ ଧିରେ ଧିରେ ସବୁ ବଦଳି ବାକୁ ଲାଗିଲା । ମୁଁ ଦେଈ କୁ ସମୟ ଦେଇ ପାରୁ ନଥିଲି କିନ୍ତୁ ଯେତେବେଳ ମିଶୁ ଆମେ ବହୁତ୍ କଥା ହେଉ ମୋର ମାଟ୍ରିକ ବହୁତ୍ ଭଲ ହୋଇଥିଲା । ମୋର ବହୁତ ସାଙ୍ଗ ଡିପ୍ଲୋମା ପାଇଁ ବାହାରକୁ ଗଲେ । ବାପା ମତେ ବି ହଷ୍ଟେଲ୍‌ରେ ଛାଡିଦେଲେ । ଡିପ୍ଲୋମା ସରିଲା, ଡିଗ୍ରୀ ବି । ମୁଁ ଘରକୁ ମଝିରେ ମଝିରେ ଯାଏ । ଦେଈ ଆଉ ମୁଁ ବହୁତ୍ ଗପୁ, ଦେଈ ଏବେବି ସେମତି ହିଁ ଥିଲା । ସେ ଆଉ ତାର ରଙ୍ଗର ଦୁନିଆ । ସେ ସ୍ଥାନୀୟ କଲେଜରୁ ସ୍ନାତକ ସରିଲା ଆଉ ପଢିବାକୁ ଚାହିଁଲାନି । ଘର ସାରା ତା ହାତର ଯାଦୁ ବିଛୁରି ରଖିଥିଲା । ଦୁନିଆ ଯାଇ ଚାନ୍ଦ ରେ ପହଞ୍ଚି ଗଲାଣି କିନ୍ତୁ ଦେଈ ମୋର ଅତି ନିରିହଟି ଏ ହୋଇ ରହି ଯାଇଥିଲା ।

ବି ଟେକ ପରେ ମତେ ବାଙ୍ଗାଲୋର୍‌ରେ ଚାକିରି ମିଳିଲା, ମୁଁ ସେଠି କୁ ଚାଲିଗଲି। ସେ ଥର ଛୁଟିରେ ଆସିଥିଲି ତ ଘରର ମାହୋଲ ଟିକେ ଅଲଗା ଥିଲା। ମାଆ ଟିକେ ଦୁଃଖୀ ଥିଲେ ମତେ କହିଲେ ଦେଈକୁ କେହି ଦେଖି ଆସିଥିଲେ କିନ୍ତୁ ମନା କରିଦେଲେ । ଆଗରୁ ଏମିତି ହୋଇଛି, କିଛି ଦିନରେ ସବୁ ଠିକ୍ ହୋଇଯିବ ବୋଲି ମୁଁ ବି ମାନି ନେଲି । ବେଶୀ ବଡ କଥା ନୁହଁ ଓ ତାଠୁ ଅଧିକ ମୁଁ ମୋ ଦୁନିଆରେ ବ୍ୟସ୍ତ ଥିଲି।

ଦେଈ ଶ୍ରୀ କୃଷ୍ଣ ଭଗବାନକୁ ବହୁତ୍ ଭଲ ପାଏ । ତା’ର ସବୁ ଚିତ୍ରରେ କୃଷ୍ଣଙ୍କ ଟିକେ ଝଲକ ଛାଡେ । ଏବେ ଯୋଉ କୃଷ୍ଣ ଛବିଟି ସେ ବନେଇଥିଲା ମନ ମୋହି ନେଉଥିଲା । ମୁଁ ସବୁ ଚିତ୍ରଗୁଡିକର ଫଟୋ ଉଠେଇ ନେଇଥାଏ ମୋ ଫୋନ୍‌ରେ ସାଙ୍ଗ ମାନଙ୍କ ଆଗରେ ଟିକେ ଦେଖେଇ ହେବା ପାଇଁ ।

କିଛି ଦିନ ପରେ ବାପା ରିଟାର୍ଡ ହେଲେ। କହୁଥିଲେ ନାନିକୁ କୋଉ ଭଲ ଡକ୍ଟରକୁ ଦେଖେଇବେ । ଆଜି କାଲି ବିଜ୍ଞାନ ବହୁତ୍ ପ୍ରଗତି କଲାଣି । ତେଣୁ ଗାଁ ର ଘର ବାଡ଼ି ସବୁ ବିକି ବାଙ୍ଗାଲୋରରେ ଫ୍ଲାଟ୍ ଖଣ୍ଡେ କିଣିଲୁ ।

ମୋ ପରିବାର ବାଙ୍ଗାଲୋର ଆସିଲା ପରେ ମୋ ସାଙ୍ଗ ମାନେ ଏଥର ମୋ ଘରକୁ ଯିବା ଆସିବା କରୁ ଥିଲେ ।

ସେମାନେ ମୋ ପାଖରୁ ଦେଈର ଚିତ୍ର ସବୁ ଦେଖିଥିଲେ। ସେଠି ସେମାନେ ସମସ୍ତେ ମୋ ଦେଈର ବହୁତ୍ ବଡ ପ୍ରଶଂସକ ବନି ଯାଇଥିଲେ । ମୁଁ ଭାବିଲି ଯାହା ହେଉ ଏଥର ଦେଈ ଘରୁ ବାହାରି ଆଜାଦରେ ଜୀବନ ଜିଇଁବ ।

ରୋହିଣି ଆଉ ମୟୂରୀ ସବୁଦିନ ମୋ ଘରକୁ ଆସନ୍ତି ଆଉ ଏଥର ମୋ ଠୁ ବେଶି ଦେଈ ସହ ବିତାନ୍ତି । ରୋହିଣି ଦେଈକୁ ଫୋନ୍‌ରେ ଫୋଟୋ ସବୁ ଛାଡିବା ଶିଖେଇ ଦେଇଛି । ଏବେ ଫେସବୁକ ପେଜରେ ଦେଈର ଚିତ୍ର ସବୁ ବେଶ୍ ପ୍ରସିଦ୍ଧ । ମୋର ସବୁ ସାଙ୍ଗ ସାଥି ଏବେ ଦେଈର ପ୍ରଶଂସକ । କୋଉଠି ଦେଈ ମୋର ଘର କୋଣେ ବସି ରଙ୍ଗ ସହ ଘାଣ୍ଟି ହେଉଥିଲା ଆଜି ମୋ ଠୁ ଅଧିକ ତାର ସାଙ୍ଗ ସାଥି ଓ ପ୍ରଶଂସକ । ବହୁତ ଫୋନ୍‌ ଆସେ, କେତେ ତ ତାର ଚିତ୍ର ସବୁ କିଣି ବାକୁ କୁହନ୍ତି । କେତେ ଅର୍ଡ଼ର ଦିଅନ୍ତି ବନେଇବା ପାଇଁ । ମୟୂରୀ ତା’ର ଚିହ୍ନା ଲଗେଇ ଏବେ କାଳେ ଦେଈ ର ସବୁ ଚିତ୍ର ପ୍ରଦର୍ଶନୀ କରାଇବା ପ୍ରସ୍ତାବ ଦେଇଛି । ସେଦିନ ମୟୂରୀ କହୁଥିବାର ମୁଁ ଶୁଣିଲି,’ ଦେଈ ସହରରେ ଏ ଚିତ୍ର ସବୁ ଲୋକେ ଲକ୍ଷ ଲକ୍ଷ ରେ କିଣନ୍ତି, ତୁମେ ବିନା ଶିକ୍ଷା ଗ୍ରହଣ କରି ଏତେ ସୁନ୍ଦର୍ ଚିତ୍ର କରି ପାର ବିଶ୍ୱାସ କର ତୁମ ବହୁତ୍ ନାଁ କରିବ, ମୁଁ ତୁମକୁ ସାହାଯ୍ୟ କରିବି। ‘ମୁଁ ସେହି ପଟେ ଚାଲିଗଲି ଦେଈ ପଛରୁ ଡାକୁ ଥିଲା ମୁଁ ତାକୁ ଅଣଦେଖା କରି ଚାଲିଗଲି, ରାଗ, ରୁଷା, ଅଭିମାନ, ଗ୍ଲାନି ଏହାକୁ କି ନାମ ଦେବି ଜାଣିନି କିନ୍ତୁ ଏଥର ମୁଁ ଆଉ ଦେଈ ସହ କଥା ବି ହେଉ ନଥିଲି । କେତେ ଡାକୁଥିଲା ମତେ ସେ, ହେଲେ ମୁଁ ସବୁବେଳେ କିଛି ନା କିଛି ବାହାନା କରି ତାକୁ ଟାଳି ଦିଏ ।

ମୋର ପଦୋନ୍ନତି ହୋଇଥିଲା । ମୁଁ ସେଦିନ ଅଫିସରେ ଖୁସି ରେ ପାର୍ଟୀ ଦେଇଥିଲି କିନ୍ତୁ ସେଦିନ ଦେଈ ର ପ୍ରଥମ ଚିତ୍ର ପ୍ରଦର୍ଶନୀ ଥିଲା, ମୁଁ ମୋର ସବୁ ସାଙ୍ଗ ମାନଙ୍କୁ ଡାକିଥିଲି କିନ୍ତୁ ଅଧାରୁ ଅଧିକ ତ ଦେଈର ପ୍ରଦର୍ଶନୀ ଦେଖିବାକୁ ଯାଇଥିଲେ, ବାପା ବୋଉ ବି ସେଠି ହିଁ ଥିଲେ । ଖାଇବା ଟେବୁଲ ରେ ବୋଉ ଦେଈର କଥା ଖାଲି କହୁଥିଲା, ମତେ ଦେଖି ଦେଈ ବି ଆରମ୍ଭ ହୋଇଗଲା, ଏୟା ହେଲା ସେୟା ହେଲା, ହେଲେ ମୀନୁ ତୁ କାହିଁକି ଆସିଲୁନି । ମୁଁ ସତରେ ତତେ ବହୁତ୍ ଖୋଜୁଥିଲି । ବାରମ୍ବାର ସେଇ କଥା ଶୁଣି ଶୁଣି ମୁଁ ଚିଢି ଯାଇଥିଲି । ସେଦିନ ତାକୁ କଣ କଣ ନ ଶୁଣେଇଛି। ରାଗରେ କହିଦେଲି ତାକୁ ବାଙ୍ଗାଲୋର ଆଣିବା ଟା ମୋର ସବୁଠୁ ବଡ ଭୁଲ । ସେ ଏଠି ନଥିଲା ମୁଁ ବହୁତ ଖୁସି ରେ ଥିଲି । ପରଦିନ ଅନ୍ୟ ମାନେ ଉଠିବା ଆଗରୁ ମୁଁ ଅଫିସ୍ ଚାଲିଗଲି । ଏବେ ବି ମୋ ମନ ଖୁସି ନଥିଲା କିନ୍ତୁ ମୁଁ ଜାଣି ପାରୁନଥିଲି କାରଣ କଣ ? ଘରୁ ବହୁତ୍ ଫୋନ ଆସୁଥିଲା ମୁଁ କଥା ହେବାକୁ ଚାହୁଁ ନଥିଲି, ତାପରେ ରୋହିଣି ଦୌଡି ଆସି କହିଲା ମିନୁ ଦେଈ କୁ ମେଡିକାଲ୍ ନିଆ ଯାଇଛି ତତେ ଡାକୁଛନ୍ତି । ଜଲଦି ଯା । ମୁଁ ମନରେ ଭାବିଲି ହଁ କଣ ଟେ ହେବ ଗୋଡଟା ଦେଖେଇ ବାକୁ ଜାଇଥିବେ ଆଉ କଣ ? ଆଉ ଏବେତ ଦେଈ ବହୁ ଚର୍ଚ୍ଚିତ ଲୋକ ମୋର ବା ତାକୁ କି ଆବଶ୍ୟକତା । ତାତ୍ସଲ୍ୟ ରେ ମୁଁ କହିଲି ତୁ ଜିବୁନି କି ? ରୋହିଣି କହିଲା ମୁଁ ଏବେ ସାଙ୍ଗେ ସାଙ୍ଗେ କାମ ସାରି ଯାଉଛି । କହି ଚାଲିଗଲା । ମୁଁ ଆଉ ସେ ଆଡକୁ ଧ୍ୟାନ ନଦେଇ ମୋ କାମ କଲି । କାମ ସରିଲା ପରେ ମୁଁ ସିଧା ଘରକୁ ଗଲି ।

ଏବେବି ମନ ବଡ ଅସମଞ୍ଜସ ରେ ଥିଲା କଣ ଚାଲିଥିଲା ମୁଁ ବୁଝି ପାରୁନଥିଲି । ଆଉ ଏମିତି ହିଁ ମୋର ପାଦ ଆପଣା ଛାଏଁ ଦେଈର ରୁମ୍ ଆଡକୁ ଚାଲିଗଲା । ଏତେ ସମୟ ଧରି ଗୋଟିଏ ଘରେ ଥାଇ ବି ମୁଁ କେବେ ଦେଈ ର ରୁମ୍ କୁ ଆସି ନଥିଲି ।

ଦେଈ ର ରୁମ୍ ରେ ଦୁଆର ମୁହଁରୁ ଆଉ ପୁରା ରୁମ୍ ରେ ଆମ ଦୁହିଁଙ୍କର ପିଲା ଦିନରୁ ଆଜି ଯାକର ସବୁ ସ୍ମୃତି ରେ ସଜାଇ ହୋଇ ରହିଛି । ଚାରିପଟେ ଆମ ଦୁହିଁଙ୍କର ବହୁତ୍ ସାରା ଫୋଟ ଲାଗିଛି। ଥରେ ଦେଈର ଗୋଟେ ଚିତ୍ର ମୋ ହାତରେ ଖରାପ ହୋଇଯାଇଥିଲା ସେଇଟା ବି ଅଛି । ତାକୁ ହାତରେ ନେଲା ବେଳେ ମୋ ଆଖିରୁ ଝରି ଯାଉଥିଲା ମୋର ସମ୍ପୁର୍ଣ୍ଣ ପିଲାଦିନ । ହଠାତ୍ ନଜର ପଡିଲା ତକିଆ ତଳର ଏକ ଡାଏରି ଉପରେ । କିନ୍ତୁ ଦେଈ କେବେ ଡାଏରି ଲେଖିବା ଆରମ୍ଭ କଲା ? ଆହୁରି ରାଗ ଲାଗିଲା ମୋ ବିଷୟରେ ସବୁ କଥା ଦେଈ ଜାଣେ ଅଥଚ ଦେଈର ଏମିତି କେତେ କଥା ଅଛି ଜାହା ମୁଁ ଜାଣିନି ।

ମନ କହିଲା ତୁ କେବେ ଜାଣିବାକୁ ଚାହିଁଚୁ ? ସତେତ

ମୁଁ ସବୁବେଳେ ମୋ କଥା ତାକୁ କହେ କେବେ ତା କଥା ଶୁଣେନି ।

ପୃଷ୍ଠା ପରେ ପୃଷ୍ଠା ଉଲଟାଇବା ଆରମ୍ଭ କଲି ତ ବୁଝିଲି ଯେ,

ମୁଁ କେବେ ଜାଣି ହିଁ ପାରିଲିନି ଯେ ମୋ ଜୀବନରେ ଏତେ ଲୋକ ଆସିଲେ କିନ୍ତୁ ତା ଜୀବନରେ କେବଳ ମୁଁ ହିଁ ଆସିଥିଲି । ଆଉ କାହାକୁ ସେ ଆଣି ବାକୁ ଦେଇନି । ମୋ ଦେଈ କେତେ ଏକା ଥିଲା ତା ଜୀବନରେ । ଯେଉଁ ପୃଷ୍ଠାଟି ଗତ ରାତିରେ ଲେଖିଥିଲା ସେଥିରେ ଲେଖା ଥିଲା, ‘ଡାଏରୀ ମୁଁ ଜାଣିନି ମୁଁ ଆଉ କେତେ ଦିନ ବଞ୍ଚିବି, ମୋ ହୃଦୟର ଛିଦ୍ରଟି ବୋଧେ ଆହୁରି ଗଭୀର ହୋଇଗଲାଣି । ମୋ ମିନୁ ଜାଣିଲେ କେତେ ମନ ଦୁଃଖ କରିବ ତାକୁ ଆଜି ଯାଏଁ ଏ କଥା ଲୁଚାଇ ରଖିଛି କିନ୍ତୁ ଏ ଦେହ ଆଇ ସାଥ ଦେଉନି ମୁଁ କଣ କରିବି ଡାଏରୀ,…’

ମୋ ପାଦ ତଳୁ ମାଟି ଖସି ଗଲା ସତେକି !, ଏତେ ବଡ଼ କଥା ମୁଁ ଜାଣିନି, ଆଖିରୁ ଝରିଗଲା ସବୁ ରାଗ, ଅଭିମାନ, ଈର୍ଷା । ଇତଃସ୍ତତଃ ରେ ଡାଏରୀର ଶେଷ ପୃଷ୍ଠା ଟି ବାହାରି ଆସିଲା । ଶେଷ ଫର୍ଦ୍ଦ ଟିରେ ଦେଈ ଆଙ୍କି ଥିଲା ଏକ୍ ସୁନ୍ଦର କ୍ଷତାକ୍ତ ହୃଦୟ, ଆଉ ତା ଭିତରେ ମୋର ମୁହଁ । କୋହ ସମ୍ଭାଳି ହେଲାନି ମୋର ସେ ଚିତ୍ର ଦେଖି, କେତେ କଷ୍ଟରେ ଅଛି ମୋ ଦେଈ ।

ଆପଣ ମାନେ ଭାବୁଥିବେ ମୁଁ ସତରେ କେତେ ସ୍ୱାର୍ଥପର। ହଁ ମୁଁ ବି ନିଜପାଇଁ ଆଜି ସେୟା ହିଁ ଭାବୁଛି । ସାରା ଜୀବନ୍ ମୋ ନାନି କେବଳ ଦେଇ ଚାଲିଛି । ପିଲା ବେଳେ ଆମେ ଶପଥ ନେଇଥିଲୁ

ଚିନୁ ମିନୁ ଦୁଇ ଭଉଣୀ
ଦୁଇ ଦେହ ଗୋଟେ ପ୍ରାଣ
କଥା ଦେଲି ମତେ ଲୋଡା ନାହିଁ ସାଂଗ ତୋ ବିନା ଏ ଜୀବନ
ତୋ ବିନା ଏ ଜୀବନ।

କିନ୍ତୁ ଆଜି ଯାଏଁ କେବଳ ସେ ହିଁ ପାଳି ଆସିଛି ବନ୍ଧୁତ୍ୱକୁ ଭଗବାନ ମତେ ଆଜି ମୋ ବନ୍ଧୁତ୍ୱ ପାଳି ବାର ସୁଯୋଗଟିଏ ଦେଇଛନ୍ତି ଜାଣିଛି ସମୟ ଓ ପରିସ୍ଥିତି ବିପରିତ ଅଛି, କିନ୍ତୁ ମୋ ଦେଈର କ୍ଷତାକ୍ତ ହୃଦୟ ଚିତ୍ର ଟିକୁ ମୁଁ ସଜାଡି ଦେବି ନିଶ୍ଚୟ ।

ଲୋକପ୍ରିୟ ଲେଖା

To Top