ଗଳ୍ପ

ମୋ କଥାଟି ସରି ନାହିଁ

Kalindicharana Panigrahi's odia Story Mo Kathati Sarinahin

ଗୋଟିକରେ ମୂର୍ତ୍ତି ଅଧା । ଆରଟିରେ ଦେଉଳ ଅଧା । ତେବେ ସେ ଖଣ୍ଡିଆ ମୂର୍ତ୍ତିର ନାମ ଜଗନ୍ନାଥ । ପୁଣି ଭଙ୍ଗା ଦେଉଳଟାରେ କୁଆଡ଼େ ତୁଳନା ନାହିଁ ।

ମୋ କଥାଟି ସରି ନାହିଁ

ଗପ କହ, ଖୁବ୍ ବଡ଼ ଗପ ।

ପୁରୁଣାକାଳିଆ ଖଣ୍ଡେ ଖଟ ଉପରେ ପଡ଼ି ବୁଢ଼ା ଉପରକୁ ତକେଇ ଥା’ନ୍ତି । ବିଜୁଳି ପଙ୍ଖାଟା ପକ୍ଷ ବିସ୍ତାରି ବିଶ୍ରାମ ନେଉଛି । ତା’ ଉପରେ ଚଲାବୁଲା କରୁଛି ଶିକାର ଖୋଜି ଗୋଟାଏ ଝିଟିପିଟି ନିଶ୍ଚିନ୍ତ ନିର୍ଭୟରେ । ପଙ୍ଖାଟା ଯେତେ ଜୋର୍‌ରେ ବୁଲିଲେ ବି ତା’ର ପରବାୟ ନାହିଁ- ଏମିତି ବୋଧେ ମତଲବ୍ ।

ପାଞ୍ଚବର୍ଷର ନାତି ଆସି ହଲାଇ ଦେଲା- “ଅଜା ! ଗପ କହ, ଗୋଟିଏ ବଡ଼ ଗପ- ଅଜା ! ଅଜା !”

ବୁଢ଼ା ଅଜାଙ୍କର ମୁଣ୍ଡ, ଭ୍ରୁଲତା, ଆଖିପତାର ରୁମ ସବୁ ଏକଚାଟିଆ ଧଳା କୁହୁଡ଼ି । ତାହାରି ଭିତରୁ ମୁହଁଟି ଝାପ୍ସା ଦିଶୁଚି, ଡୋଳା ଯୋଡ଼ିକ ପାଉଁଶିଆ- ସବୁ ଯେମିତି ଦଣ୍ଡକ ଭିତରେ ମିଳେଇ ପାଣି ଫାଟିଯିବ ।

ପୁଅ ଝିଅ ନାତି ନାତୁଣୀ- ପରିବାରର ମୂଳକେନ୍ଦ୍ର ସେ । ସତୁରି ବର୍ଷ ହେଲା କାଳର କେତେ ଭୁଜବିଦ୍ୟା ହାତସଫେଇ କାହାଣୀ ଶୁଣି କାନ ତାବଜା ଧରିଯାଇଛି, ସବୁ ହୋଇପଡ଼ିଛି ପୁରୁଣା । ଆଜି ପୁଣି ଝିଟିପିଟିର ସେଇ ପୁରୁଣା ଶିକାର କାହାଣୀ. . . ।

ନାତିର ସେଇ ପୁରୁଣା ଅଳି- ନୂଆ ଗପ, ବଡ଼ ଗପ, ଦିନ ରାତି ଚାଲିଥିବ- ସରିବନି ।

ନା । ସରିବନି । ମୋ କଥାଟି ସରିବନି, କି ଫୁଲଗଛଟି ମରିବନି । ଆଉରି କହିବି କଥା, ଆଉରି ଫୁଟିବ ଫୁଲ ।

ଆଚ୍ଛା, କେଉଁ ଗପ ଭଲା ସରେ ନାହିଁ । ଯାହା ଅଧା ରହିଯାଏ, ନୁହେଁ କି ! ତେବେ ସବୁ ଗପ ତ ଅଧା- ଶେଷ ହୋଇଛି କେଉଁ ଗପ ?

ପାଞ୍ଚ ବର୍ଷର ପିଲା କିଛି ହେଲେ ପ୍ରଶ୍ନ ଶୁଣିବାକୁ ତିଆର ନ ଥିଲା । ନଇଲେ ସେ ବି ଓଲଟି ପଚାରି ପାରିଥାନ୍ତା- କେଉଁ ଗପ ଭଲା ସରେ ନାହିଁ ? ସବୁ କାହାଣୀ ତ ଶେଷ ହୋଇଛି । କିଏ ଅଧା ରହିଛି କି ? ସବୁ କାହାଣୀ ପଛରେ ତ ମୋ କଥାଟି ସରିଲା, ଫୁଲ ଗଛଟି ମରିଲା ।

କଦାପି ନୁହେଁ, ସେଗୁରା ଖାଲି ମନ ଭୁଲାଣିଆ ବଚନିକା ସିନା, ଅସଲ କାହାଣୀ ନୁହଁ । ଅସଲ କାହାଣୀ ସବୁବେଳେ ଦରଖଣ୍ଡିଆ, ଭଙ୍ଗା- ସବୁବେଳେ ତାହା ଅଧା ରହିଯାଏ । ତାକୁ ଇ ଆମେ କହୁଁ ଅସରନ୍ତି । ସତୁରି ବର୍ଷର ବୁଢ଼ାଅଜା ଆପଣା ମନକୁ ବୁଝାନ୍ତି । ସତୁରି ବର୍ଷ ପରେ ମଧ୍ୟ ଯେଉଁ ଅସଂଖ୍ୟ କାମ ବାକି ପଡ଼ିଛି, ଯେତେ ଇଚ୍ଛା ପୂରଣ ହୋଇ ନାହିଁ, ସେ ସବୁପାଇଁ ଗୋଟାଏ ସାନ୍ତ୍ୱନା ଖୋଜି ବୁଲେ ତାଙ୍କର ବିକ୍ଷତ ବିକ୍ଷିପ୍ତ ଅନ୍ତର ।

ଗପ କହନ୍ତି, ଅଜା, ନାତି ମାରେ ହୁଁ । ଜବାବ୍ ରହେ, ହୁଁ ଯେଉଁଠି ନ ଥିବ, ଗପ ସରିଯିବ ସେଇଠାରେ । ଗାୟକ ସାଥିରେ ବାୟକ । ସତୁରିରେ ପାଞ୍ଚ ମିଶି ହୁଏ ପଞ୍ଚସ୍ତରି । ଅଜା ନାତି ମିଶି ହୋଇପଡ଼ନ୍ତି ତୁଚ୍ଛା ଗୋଟାଏ ଅଭଙ୍ଗା ମଣିଷ, – ଫାଙ୍କ୍ ନାହିଁ, ଫରକ୍ ନାହିଁ ।

କେତେ ଝିଅ ପୁଅ ପାଞ୍ଚ ପଚିଶି, ସତୁରି ପଞ୍ଚସ୍ତରି ବର୍ଷ ବୟସରେ ମଣିଷ ଏମିତି ଗୋଟାପଣେ ମିଶିଯାଇ ଦୁନିଆଁର କାହାଣୀ ଗଢ଼ନ୍ତି- ଅସରନ୍ତି ସେ କାହାଣୀ ! ଯେତେ ତାକୁ ପୂରଣ କରିବାରେ ଲାଗି ପଡ଼ିଲେ ବି ଶେଷରେ ତାହା ଅଧାରୁ ରହିଯାଏ । ସବୁବେଳେ ଅଛିଣ୍ଡା ଅଙ୍କ ।

ମନେ ପଡ଼ିଯାଏ ଅଜାଙ୍କର । ତାଙ୍କରି ଭଳି ଜଣେ ବୁଢ଼ା, ପୁଣି ନାତି ଭଳି ଜଣେ ପିଲା- ଦୁହିଁଙ୍କୁ ସତୁରି ପାଞ୍ଚ ପଞ୍ଚସ୍ତରୀ କି ଅଶୀ ବାର ବୟାନବେ- ଦୁହେଁ ଥିଲେ ଏକ ଅମର କାହାଣୀର କାରିଗର !

ସେ କାହାଣୀ ହାଓଆରେ ଉଡ଼ିଲା ନାହିଁ, କି କାଳି କାଗଜରେ ବଣ୍ଟା ହେଲା ନାହିଁ- କୁହାଗଲା, ବେଶି ସ୍ଥାୟୀ ବେଶି ମଜବୁତ କାଠ ପଥର ଉପରେ ।

କାଠରେ ଯେଉଁ କାହାଣୀର ଆରମ୍ଭ ତାହାର ପରିକଳ୍ପନା ଅପାର୍ଥିବ, ଅଦ୍ଭୁତ, ଅବର୍ଣ୍ଣନୀୟ, ଅସମ୍ଭବ- ଯାହାକୁ କେବେ କେହି ଦେଖିନି, ଶୁଣିନି, ଛୁଇଁନି କି ବଖାଣିନି । ହଁ, ସେମିତି ଗୋଟାଏ ଅବୋଧ୍ୟ ଆଶ୍ଚର୍ଯ୍ୟ ରୂପ- ଯାହାକୁ ଗଢ଼ିବାକୁ ଗଲେ ଶିଳ୍ପୀର ହାତ ଥକାମାରି ଯାଏ । କବିକଣ୍ଠ ହୁଏ ମୂକ ।

ରୁଦ୍ଧ କକ୍ଷ ଭିତରେ ବୃଦ୍ଧ ବିଶ୍ୱକର୍ମା । ଏକୋଇଶ ଦିନ । ନିରାହାର ନିର୍ମଳ ନିରୁଦ୍ଦେଶ୍ୟ ବନ୍ଦୀ । ରାଜା ରାଣୀ ପ୍ରତିଦିନ ଆସି ଦ୍ୱାର ନିକଟରେ କାନ ଡେରନ୍ତି, ପ୍ରତିଦିନ ଶୁଣନ୍ତି ଠୁକ୍ ଠୁକ୍ ହାତୁଡ଼ିର ଶବ୍ଦ-ଦିନ ପରେ ଦିନ ବିତିଯାଏ, ହାତୁଡ଼ି ଶବ୍ଦ-କ୍ଷୀଣରୁ କ୍ଷୀଣତର ହୋଇପଡ଼େ- ନିରବଚ୍ଛିନ୍ନ ଐକାନ୍ତିକ ସାଧନା ।

ଜଗତ୍ ଅପେକ୍ଷା କରି ବସିଛି, ବିଶ୍ୱକର୍ମା ଅପୂର୍ବ ହସ୍ତକୌଶଳ ଦେଖିବା ଆଶାରେ- ଯେଉଁ କୌଶଳ ଅଦୃଶ୍ୟକୁ ଦୃଶ୍ୟରେ ପରିଣଥ କରିବ, ଅଜ୍ଞେୟକୁ କରିବ ଜ୍ଞେୟ, ଅରୂପକୁ ଦେବ ରୂପ, ପୁଣି ବାଙ୍‌ମୟ କରିବ ଅନିର୍ବଚନୀୟକୁ । ରାଣୀ ଗୁଣ୍ଡିଚାଙ୍କର ଧୈର୍ଯ୍ୟଚ୍ୟୁତି ଘଟେ । ଆଉ ଯେ ମୂର୍ତ୍ତି ନିର୍ମାଣକକ୍ଷରୁ କିଛି ହେଲେ ଶବ୍ଦ ଆସୁ ନାହିଁ । ତା’ହେଲେ ! ତା’ ହେଲେ ବିଶ୍ୱକର୍ମା ଗଲେ କୁଆଡ଼େ ? ସେ କ’ଣ ଜଣେ ପ୍ରତାରକ ? ବିଶ୍ୱାସ ସ୍ଥାନରୁ ଅଧିକାର କଲା ସନ୍ଦେହ ।

ମହାରାଜ ଇନ୍ଦ୍ରଦ୍ୟୁମ୍ନଙ୍କ ମନରେ ମଧ୍ୟ ସେହି ପ୍ରଶ୍ନ । ରାଜା ରାଣୀଙ୍କର ପ୍ରତିଜ୍ଞା ଭଙ୍ଗ ହୁଏ- ପ୍ରତିଜ୍ଞା କେବେ ରକ୍ଷା ହୋଇଛି ଭଲା । ଏକୋଇଶ ଦିନ ପୂରି ନାହିଁ । କକ୍ଷଦ୍ୱାର ଉନ୍ମୁକ୍ତ ହେଲା ରାଜାଦେଶରେ- ସମ୍ମୁଖରେ ଅବୟବହୀନ ଅସମ୍ପୂର୍ଣ୍ଣ ତିନି ବିଗ୍ରହ । ବିଶ୍ୱକର୍ମାର ନିଷ୍ପ୍ରାଣ ଶବ । ରାଜା ରାଣୀ ଘୋର ଅନୁତାପରେ ମୂର୍ଚ୍ଛିତ ।

ଧ୍ୱନିତ ହେଲା ଶୂନ୍ୟବାଣୀ- ଏହି ଅଧାଗଢ଼ା ମୂର୍ତ୍ତିକୁ ଦେଉଳରେ ପ୍ରତିଷ୍ଠା କର । ବିଶ୍ୱ-ସ୍ରଷ୍ଟାର ରୂପକୁ ପୁଣି ପୂର୍ଣ୍ଣ କରିବ କେଉଁ ବିଶ୍ୱକର୍ମାର ସାଧ୍ୟ ? ଯେଉଁ କଳାର ଆରମ୍ଭ ନାହିଁ । ତାହାର ଶେଷ ଆସିବ କାହୁଁ ?

ଅପୂର୍ଣ୍ଣ ତିନି ମୂର୍ତ୍ତି ପ୍ରତିଷ୍ଠିତ ହେଲେ ଶ୍ରୀମନ୍ଦିରରେ । ସେଇ ବିକଳାଙ୍ଗ ମୂର୍ତ୍ତିର ଦର୍ଶନ ଲାଗି ଚାଲିଲା ଅବିଶ୍ରାନ୍ତ ଯାତ୍ରୀର ସ୍ରୋତ । ଚକାଡ଼ୋଳା, କାଳିଆ, କଳାଶ୍ରୀମୁଖର ବର୍ଣ୍ଣନାରେ ମୁଖର ହେଲେ କବିକୁଳ । ସ୍ତୁତି, ଜଣାଣ, ଗପ ଓ ଗୀତରେ ପୂରିଉଠିଲା ସାହିତ୍ୟ ।

ସେଠାରୁ ଅଳ୍ପଦୂରରେ କାହାଣୀ ବୁଣାହେଲା ଜଡ଼ ପାଷାଣ ଉପରେ- ବିରାଟକାୟ ଶିଳାରାଶିରେ ସୂକ୍ଷ୍ମତମ ରୂପବିନ୍ୟାସ ।

ଅବିକଳ ପଥର ତିଆରି ରଥ ଶତଦଳ ଆଖି ଫିଟାଇଛି ପ୍ରଥମ ସୂର୍ଯ୍ୟଦର୍ଶନ ପାଇଁ । ପ୍ରକାଣ୍ଡ ଚକ ଉପରେ ସେ ରଥକୁ ଘୋଡ଼ାମାନେ ଚଉଦ ବ୍ରହ୍ମାଣ୍ଡ ବୁଲାଇ ଆଣି ଅଟକି ଯାଇଛନ୍ତି ପରା ଅପନ୍ତରା ବାଲି ମଝିରେ । ପ୍ରତି ଚବିଶ ଘଣ୍ଟାରେ ସୂର୍ଯ୍ୟଙ୍କୁ ଧରି ସେ ରଥ ପରିକ୍ରମା କରେ ବିଶ୍ୱବ୍ରହ୍ମାଣ୍ଡର । ସେ ଯାତ୍ରା ସରି ନାହିଁ କି ସରିବନି, ମାତ୍ର ଚର୍ମଚକ୍ଷୁରେ କେବଳ ବାଲି, ଆଉ ପାଣି । ଅହରହ ଲହଡ଼ିର ଅଧୀର ଉଚ୍ଚାଟ ପାଖରେ ସ୍ଥିର ହୋଇଛି ନିଶ୍ଚଳ ନିର୍ବେଦ ପାଷାଣ- ମଣିଷ, ବୃକ୍ଷ, ଲତା, କୃଷକ, ନର୍ତ୍ତକୀ, ରାଜା, ସୈନିକ, ଋଷି, ଭାବୁକର ସମୁଦାୟ ସଂସାରକୁ ଘେନି ସ୍ପନ୍ଦିତ ଏଠାରେ କଳାସୃଷ୍ଟିର ହୃତ୍‌ପିଣ୍ଡ ।

ବାରଶହ ବଢ଼େଇ ସାଙ୍ଗରେ ବାରବର୍ଷର ପୁଅ । ସବୁରି ବୟସକୁ ଏକାଠି କରିଦେଲେ କେତେ ହଜାର ବର୍ଷ ହେବ । ସବୁ କାରିଗର ମିଶି ଜଣେ ମାତ୍ର ହୋଇଗଲେ- ନିରକ୍ତ, ନିସ୍ପନ୍ଦ ପାଷାଣ ରୂପରେ । ତେବେ ସେ ଦେଉଳ ତିଆରି ପୂରା ପଡ଼ିଲା ନାହିଁ ।

ଗୋଟିକରେ ମୂର୍ତ୍ତି ଅଧା । ଆରଟିରେ ଦେଉଳ ଅଧା । ତେବେ ସେ ଖଣ୍ଡିଆ ମୂର୍ତ୍ତିର ନାମ ଜଗନ୍ନାଥ । ପୁଣି ଭଙ୍ଗା ଦେଉଳଟାରେ କୁଆଡ଼େ ତୁଳନା ନାହିଁ । ଖଣ୍ଡିଆ ମୂର୍ତ୍ତି ପୂଜା ପାଇଲେ ଷାଠିଏ ପୌଟି ଭୋଗ ସମ୍ଭାରରେ ନିତି ଶତସହସ୍ର ଯାତ୍ରୀଙ୍କୁ ଦର୍ଶନ ଦେଇ- ଭଙ୍ଗା ଦେଉଳରୁ ପଥର ଛିଡ଼ି ଅବାଟ ଅପନ୍ତରାରେ ପଡ଼ିଲେ ବି ତାହାର ଦର୍ଶନ ପାଇଁ ସୁଧୀ ପଣ୍ଡିତ ଧାଇଁ ଆସିଲେ କାହିଁ କେଉଁ ଦୂରାନ୍ତରୁ, କିଏ ଏ ଯେ ଖାଲି ଶିଳ୍ପର ପୂଜା- ଶିଳ୍ପୀ ! ଶିଳ୍ପୀ ଗଲେ କାହିଁ ?

ଖଣ୍ଡିଆ ଦିଅଁ ଭଙ୍ଗା ଦେଉଳକୁ ଗଢ଼ିସାରି ଶିଳ୍ପୀ ରହିଲେ ଯେ ନାମହୀନ । କେତେ ସତୁରିରେ ପାଞ୍ଚ ମିଶି ପଞ୍ଚସ୍ତରି ହେଲେ, କେତେବାର ଶହରେ ବାର ମିଶି ଶେଷରେ ହେଲା ଏକ । ନା, ନା, ପୁରା ଏକ ନୁହେଁ ସେ, ଅଧା କି ଚଉଠା- ସେଇ ଅଧାକୁ ଦେଖି ଜଗତ୍ କଳ୍ପନା କରେ ପୂର୍ଣ୍ଣତରକୁ । ଖଣ୍ଡିଆ ଦିଅଁ, ଭଙ୍ଗା ଦେଉଳକୁ ଆମେ ପୂଜାକଲୁ- ଯେତିକି ହୋଇପାରିଛି, ତାହାରି ପାଇଁ କେବଳ ନୁହେଁ- ଆହୁରି ଯାହା ହୋଇ ପାରିଥାନ୍ତା, ବୋଧେ ତାହାରି ପାଇଁ ।

ପୁଣି ଗୋଟାଏ ଝିଙ୍କାରେ ଅନ୍ୟମନସ୍କ ଅଜାଙ୍କର ହୋସ୍ ଆସେ । ପାଞ୍ଚ ଦୋହୋଲାଇ ଦିଏ ସବୁରିକୁ । ଦନ୍ତହୀନ ହାସ୍ୟ ଭିତରୁ ଏକ ଅହେତୁକ କୌତୁକ ଖେଳିଯାଏ ସେଇ ତୁଷାର ଶୁଭ୍ର ଲୋମଶ ମୁଖମଣ୍ଡଳରେ । ସେ ଓଲଟି ନାତିକୁ ପଚାରନ୍ତି, ତାହାରିଠାରୁ ଶୁଣିବା ଲାଗି । ନିଜକୁ କିଛି କାହାଣୀ ପଇଟେ ନାହିଁ । ସବୁ ହୋଇପଡ଼େ ଗୋଳମାଳ । ଶେଷରେ ନାତି କହେ କଥା । ଅଜା କରନ୍ତି ହୁଁ । ଏଥର ସତୁରିରେ ପାଞ୍ଚ ମିଶି ପଞ୍ଚସ୍ତରି ନୁହେଁ, – ପାଞ୍ଚରେ ସତୁରି ମିଶି ହୁଏ ପଞ୍ଚସ୍ତରି । କଥାର ପୁଣି ସୁଅ ଛୁଟେ- ଅବିରାମ, ଅସ୍ପଷ୍ଟ, ଅସରନ୍ତି !

ଆରେ ! ଆରେ. . . ଏ ଯେ ଖାଲି ମୋରି କଥା ନାତି ମୁହଁରେ । ତେବେ ତ ମୋ କଥାଟି ସରି ନାହିଁ, କି ଫୁଲଗଛଟି ମରି ନାହିଁ. . . !

Click to comment

Leave a Reply

Your email address will not be published. Required fields are marked *

ଲୋକପ୍ରିୟ ଲେଖା

To Top