ଗଳ୍ପ

ମୃତ୍ୟୁଦଣ୍ଡ

Dr Nilamani Lenka's odia story Mrutyudanda

ଏଗୁଡ଼ାକ ବାହାରକୁ ସପ୍ଲାଏ ହଉଚି । ଆମ ରାଜ୍ୟରେ ୟା’ର ମୂଲ କେହି ବୁଝନ୍ତି ନାହିଁ । କଲିକତାରେ ୟା’ର କୁଇଣ୍ଟାଲ ଚଉଦଶହ ଟଙ୍କା । ଯଦି ପୁରା ଶୁଖିଲା ଥିବ ତେବେ ଦୁଇ ହଜାର ଟଙ୍କା । ଗୋଲାପ ଠାରୁ ଆରମ୍ଭ କରି ଦାମିକା ଫୁଲ ଚାଷ ନିମିତ୍ତ ଏଗୁଡ଼ାକ ଯାଉଚି ବାବୁ ।

ମୃତ୍ୟୁଦଣ୍ଡ

ଘର ପାଖରୁ ମୋ ଅଫିସ୍ ପ୍ରାୟ ଚଉଦ କିଲୋମିଟର ।

ରାସ୍ତା ଖରାପ ହେତୁ ବସ୍‌ର ନିର୍ଦ୍ଦିଷ୍ଟ ସମୟ ଥିବାରୁ ସେଥିରେ ଯା’ ଆସ ସୁବିଧା ହେଉନଥିବାରୁ ମଟର ସାଇକେଲ୍ ନେବାକୁ ହୁଏ । ଅଫିସ୍‌ର ଦୁଇ କିଲୋମିଟର ପୂର୍ବରୁ ରାସ୍ତାର ଉଭୟ ପାର୍ଶ୍ୱ ଅତ୍ୟନ୍ତ କଦର୍ଯ୍ୟ । ସ୍ୱଚ୍ଛ ଭାରତ ଅଭିଯାନର ପ୍ରଭାବ ଏଠାରେ ଆଦୌ ପଡ଼ିନଥିବା ପରି ମନେହୁଏ । ଛୋଟପିଲାଠାରୁ ବୟୋବୃଦ୍ଧମାନଙ୍କର ନିତିଦିନିଆ ପାଇଖାନା ପାଲଟିଯାଇଛି ରାସ୍ତାର ଉଭୟ ପାର୍ଶ୍ୱ ।

ଏ ରାସ୍ତାରେ ଗଲାବେଳର ଦୃଶ୍ୟ ଟିକେ ନିଆରା ଲାଗେ । ଦାନାପାଣି ଉପନ୍ୟାସର ସରୋଜିନୀ ଏବଂ ବଳୀଦତ୍ତ ଚରିତ୍ର କଥା ମନେପଡ଼େ । ଚାକିରୀରେ ପ୍ରମୋଶନ ନିମିତ୍ତ ବଳୀଦତ୍ତ ରାସ୍ତାକଡ଼ର ଘୁଷୁରୀ ଲଣ୍ଡି ଗୋଟାଇବାର ଚିତ୍ର ମୋ ଆଖି ସାମ୍ନାରେ ନାଚେ । ଏଠି ବି କିଛି ନୂଆ କଥା ନ ଥିଲା । ସେଇ ଏକା ଦୃଶ୍ୟ । ରାସ୍ତାର ଉଭୟ ପାର୍ଶ୍ୱରୁ ପିଚୁ ରାସ୍ତାର କିଛି ଅଂଶକୁ ମାଡ଼ିଆସିଛି ଘୁଷୁରୀ ଲଣ୍ଡି । ବେଳେବେଳେ ଟ୍ରଲି ଉପରେ ରଖାଯାଇଥିବା ବଡ଼ ପ୍ଲାଷ୍ଟିକ୍ ବକ୍ସରେ ବିକ୍ଷିପ୍ତ ହୋଇ ପଡ଼ିଥିବା ଘୁଷୁରୀ ଲଣ୍ଡି ଗୁଡ଼ିକୁ ଲୋକଟିଏ ଅଳିଆ ଉଠା ବେଲଚା ମାଧ୍ୟମରେ ସଂଗ୍ରହ କରିଚାଲେ । ସପ୍ତାହକୁ ଦୁଇଥର ଲୋକଟି ଏଭଳି ବୃତ୍ତିରେ ଲିପ୍ତ ରହୁଥିବା ଦେଖି ଦିନେ ତା’ ପାଖରେ ମୁଁ ଅଟକି ଏ ବିଷୟରେ ପଚାରିଲି ।

ଭାଇନା ! ମୁଁ ଦେଖୁଛି ନିୟମିତ ଭାବରେ ତମେ ଘୁଷୁରୀ ଲଣ୍ଡି ଗୋଟାଇ ନେଉଛ । ୟା’କୁ କେଉଁ କାମରେ ଲଗଉଛ ? କ’ଣ ସ୍ୱଚ୍ଛ ଭାରତ କାର୍ଯ୍ୟ ?

ସେ କହିଲା- “ବାବୁ ! ସ୍ୱଚ୍ଛ ଭାରତ କ’ଣ ? ସେଗୁଡ଼ାକ ମତେ ମାଲୁମ ନାହିଁ ।”

ମୋ ମୁହଁକୁ ଆଶ୍ଚର୍ଯ୍ୟ ହୋଇ ଅନାଇଲା । ମୁଁ ଦେଖିଲି ସ୍ୱଚ୍ଛ ଭାରତ କ’ଣ ଇଏ ଜାଣିନାହିଁ । ୟା’କୁ ବୁଝେଇ ଲାଭ କିଛି ନାହିଁ । ତା’ ଛଡ଼ା ଅଫିସ୍ ବେଳ ହୋଇ ଯାଉଥିବାରୁ ମୋ ପାଖରେ ସମୟ ନଥିଲା ତାକୁ କିଛି ଧାରଣା ଏ ସମ୍ପର୍କରେ ଦେବା ପାଇଁ । କଥାକୁ ଗୋଳମାଳିଆ କରି କହିଲି, ମାନେ ଏଇ ପରିଷ୍କାର କଥା କହୁଥିଲି । ଏ ଲଣ୍ଡି ସବୁ ସତରେ କ’ଣ କରିବ ମ ?

ସେ କହିଲା- “ଏଗୁଡ଼ାକ ବାହାରକୁ ସପ୍ଲାଏ ହଉଚି । ଆମ ରାଜ୍ୟରେ ୟା’ର ମୂଲ କେହି ବୁଝନ୍ତି ନାହିଁ । କଲିକତାରେ ୟା’ର କୁଇଣ୍ଟାଲ ଚଉଦଶହ ଟଙ୍କା । ଯଦି ପୁରା ଶୁଖିଲା ଥିବ ତେବେ ଦୁଇ ହଜାର ଟଙ୍କା । ଗୋଲାପ ଠାରୁ ଆରମ୍ଭ କରି ଦାମିକା ଫୁଲ ଚାଷ ନିମିତ୍ତ ଏଗୁଡ଼ାକ ଯାଉଚି ବାବୁ ।”

ଲୋକଟା ଓଡ଼ିଆ କହିବା ଭିତରେ ସପ୍ଲାଏ ଭଳି ଇଂରାଜୀ ଶବ୍ଦ ବ୍ୟବହାରରୁ ମୁକ୍ତ ନଥିଲା ।

ଘୁଷୁରୀ ଲଣ୍ଡି ବିଛେଇ ହୋଇ ପଡ଼ିଥିବା ସ୍ଥାନଠାରୁ ମଟର ସାଇକେଲ୍‌ରେ ଗଲାବେଳେ ନାକ ରୁନ୍ଧି ହୋଇଯାଏ । ଭିନ୍ନ ଗନ୍ଧରୁ ଅସ୍ୱାଭାବିକ୍ ପ୍ରକ୍ରିୟା ଆରମ୍ଭ ହୋଇଯାଏ ପ୍ରଶ୍ୱାସ ଏବଂ ନିଶ୍ୱାସରେ । ବୃତ୍ତିଗତ କାରଣରୁ ଲୋକଟାର ଏଥିପ୍ରତି ହତାଦର ନଥିଲା । ମଣିଷର ଇଚ୍ଛାକୃତ ମଇଳାକୁ ସଫା କରିବା ସମୟରେ କାଁ ଭାଁ ମୁଁ ଘୁଷୁରୀ ପଲଙ୍କ ଠେଲାପେଲା ଭିତରେ ଆଗକୁ ଯାଇପାରେ ନାହିଁ । ନାକରେ ରୁମାଲ ଘୋଡ଼ାଇ କିଛି ସମୟ ଅଟକିଯାଏ ।

ଚିରାଚରିତ ଦୃଶ୍ୟ ଭିତରେ ବେଳେବେଳେ ଆର ଦୃଶ୍ୟ ମୋତେ ବିମୋହିତ କରେ ।

ଘୁଷୁରୀ ଚରାଉଥିବା ପରିବାରଙ୍କର ବୋଲ ମାନୁଥିଲେ ଏ ପଶୁଗୁଡ଼ାକ । ଅର୍ଥାତ୍ ପରିବାରର ପିଲା ବୁଢ଼ା ଯିଏ ହେଉନା କାହିଁକି ସ୍ୱତନ୍ତ୍ର ତାଙ୍କ ଦ୍ୱାରା ଘୁଷୁରୀମାନଙ୍କୁ ଆୟତ୍ତ କରିବାରେ କିଛି ଅସୁବିଧା ନଥାଏ ସେମାନଙ୍କର ।

ପାଟିରେ ଡାକନ୍ତି ହୁ. . . ଉ. . . ୱେ. . . ।

ହୁ. . . ଉ. . . ୱେ. . . ।

ଛୋଟ ଠୁ ବଡ଼ ଘୁଷୁରୀ ଅମାନିଆ ସ୍ରୋତପରି ମାଡ଼ିଆସନ୍ତି ଆଗକୁ । ଆହୁରି ଆଗକୁ । ପ୍ରାୟ ଛଅ ବର୍ଷର ଚାକିରି କାଳର ଯିବା ଆସିବା ସମୟରେ ପରିଚୟ ଥିଲା କାଉରା ସହିତ । ଯେଉଁଦିନ ମୋତେ ରାସ୍ତାରେ ଆସିବାର ଦେଖେ ଚିଲେଇ ଉଠେ- “ଆରେ ଆଡ଼େ ଦିଅ । ବାବୁ ଆସିଲେଣି ରେ !”

କାଉରାର ସ୍ତ୍ରୀ କିମ୍ୱା ଝିଅ ଜ୍ୱାଇଁ ହୁଅନ୍ତୁ ସାଙ୍ଗେ ସାଙ୍ଗେ କାନ୍ଧରେ ପକେଇଥିବା ମାଟିଖୋଳା ଲୁହା ଲାଗିଥିବା ଲମ୍ୱା ବାଡ଼ିରେ ଘୁଷୁରୀଙ୍କ ଦେହରେ ଠୁକେଇ ଦେଇ କୁହନ୍ତି- “ହୁ. . . ଉ. . . ୱେ. . ., ହୁ. . . ଉ. . . ୱେ. . . ।”

ଯେଉଁଦିନ କାଉରା ମୋ ହାବୁଡ଼ରେ ପଡ଼େ ନାହିଁ, ସେଦିନ ଗୋଟେ କିଛି ଊଣା ରହିଗଲା ପରି ଲାଗେ । ପିଚୁ ରାସ୍ତାଠାରୁ ପ୍ରାପ୍ତ ଅଧ କିଲୋମିଟର ଦୂରରେ ବିଲ ଭିତର ଗୋହିରୀ ଆଡ଼କୁ ମୁଁ ଚାହେଁ । ଘୁଷୁରୀଆ ପଲ୍ଲୀ ସମ୍ପୂର୍ଣ୍ଣ ଫାଙ୍କା । ପୋଷା ମନେଇଥିବା ଦୁଇଟା ବୁଲା କୁକୁରଙ୍କୁ ଘର ସାମ୍ନା ଆକାଶୀ ଗଛରେ ବାନ୍ଧି ଆଉ ଦୁଇଟାଙ୍କୁ ଗୋଧି କିମ୍ୱା ବଣୁଆ ଠେକୁଆ ଶିକାର ଉଦ୍ଦେଶ୍ୟରେ କାଉରା ସାଙ୍ଗରେ ନେଇ ଯାଇଥାଏ । ଚାରିଆଡ଼କୁ ଚାହେଁ, ପାଏ ନାହିଁ । ସେତେବେଳେ ଲୋକଙ୍କ ତାଡ଼ନା କିମ୍ୱା ଖାଦ୍ୟ ଅନ୍ୱେଷଣରେ ଘୁଷୁରୀମାନଙ୍କୁ ନେଇ ସେ ଚାଲିଯାଇଥାଏ ଦୂର ଗାଁ ଗୋହିରୀ ଓ ନର୍ଦ୍ଦମା ଆଡ଼କୁ ।

ରଜ ପରବ କିମ୍ୱା କାର୍ତ୍ତିକ ପୂର୍ଣ୍ଣିମା ପରର ଛାଡ଼ଖାଇ ଦିନ ଆସିଲେ କାଉରାର ପକେଟ ଗରମ ହୋଇଯାଏ । ପ୍ରତିବର୍ଷ ହୁ’ ହୁ’ ସଂସାର ବଢ଼ାଉଥିବା ଘୁଷୁରୀମାନଙ୍କ ମଧ୍ୟରୁ କେତୋଟି ସେ ବିକ୍ରୀ କରିଦିଏ । କିଛି ବାହାର ଗ୍ରାହକ ଏବଂ ସ୍ଥାନୀୟ କ୍ଲବ୍ ପିଲାଙ୍କୁ । ବାହାର ଗ୍ରାହକଠାରୁ ସେ ଭଲ ଦି’ପଇସା ପାଉଥିବାବେଳେ କ୍ଲବ୍ ପିଲାମାନେ ଅଧା ଦାମ୍‌ରେ ଘୁଷୁରୀ ନେଇ ବେପାର କରିଦିଅନ୍ତି ।

ଏ ଦୃଶ୍ୟ ଅନେକଥର ମୁଁ ଦେଖିଲିଣି । କେତେବେଳେ ଘୁଷୁରୀର କଞ୍ଚା ମାଂସକୁ ହାଣ୍ଡିରେ ପୁରାଇ- କିଲ ଦୁଇଶ’, କିଲ ଦୁଇଶ’ ଡାକି ବିକ୍ରୀ କରୁଥିବା ସ୍ଥଳେ ଅନ୍ୟ କେତେକ ସ୍ଥାନରେ ପାଣିରେ ବୁଡ଼ାଇ ଦେବା ପରେ ରାସ୍ତାକଡ଼ ଗଛମୂଳେ ପକାଇ କାଟିବା କିଛି ନୂଆ କଥା ନ ଥିଲା । ମୋଟାମୋଟି ଭାବରେ କୌଣସି ହସଖୁସିର ଉତ୍ସବ ଆସିଗଲେ ଘୁଷୁରୀ ପଲ୍ଲୀର କାଉରା ଦୁଆର ମୁହଁରେ ଭିଡ଼ ଜମେ । ତାକୁ ଅନେକ ଆଶ୍ୱାସନା ସହିତ ଆଦର ବି ମିଳେ । ପ୍ରତିବର୍ଷ କିଛି ଘୁଷୁରୀଙ୍କୁ ହରାଉଥିବା କାଉରା ତଥାପି ଆନନ୍ଦିତ ହୁଏ ।

ସନ୍ତାନ ଜନ୍ମ କରି ସଂସାର ମେଲେଇଥିବା ଘୁଷୁରୀମାନଙ୍କର ସଂଖ୍ୟା କମିଲେ ଜାନକୀ କାନ୍ଦେ । ଜାନକୀ ହେଉଛି କାଉରାର ସ୍ତ୍ରୀ । ରାତିଦିନ ସ୍ନେହ ଦେଇ ପାଳନ କରିଥିବା ଘୁଷୁରୀମାନଙ୍କୁ ଗ୍ରାହକ ଯେତେବେଳେ ଚାରିଗୋଡ଼ ବାନ୍ଧି ବାଉଁଶ କିଳା ଦ୍ୱାରା କାନ୍ଧେଇ ନିଅନ୍ତି ଜାନକୀ ଧୈର୍ଯ୍ୟ ଧରି ପାରେନାହିଁ । ଘୁଷୁରୀ ପଲ୍ଲୀ ଠାରୁ ମୁଖ୍ୟ ପିଚୁ ରାସ୍ତା ଧରିବାଯାଏ ବୁହା ହୋଇ ଯାଉଥିବା ଘୁଷୁରୀର ମୃତ୍ୟୁକାଳୀନ ରଡ଼ି ତାକୁ ଅଥୟ କରିଦିଏ । ବେଳେବେଳେ କାଉରାକୁ ଡାକି କହେ, ଆମେ ଆଉ ଏ ଘୁଷୁରୀ ରଖିବା ନାହିଁ ।

– କାଉରା ପଚାରେ କାହିଁକି ପୁଣି ଏ କଥା ତୁଣ୍ଡରେ ଧରୁଛୁ ଜାନକୀ ।

– ସରାଗରେ ପାଳିଥିବା ଜନ୍ତୁ ଆମ ଆଖି ଆଗରେ ସବୁଥର ମରାଯାଉଥିବେ । ଆମର କ’ଣ ପାପ ଲାଗୁନି କି ?

କାଉରା କହିଲା- ଆଲୋ ପାପ କ’ଣ ? ଇଏ ପରା ଆମ ବୃତ୍ତି । ନ ବିକିଲେ ଚଳିବା କେମିତି ? ଭଗବାନ ତ ଆମକୁ ଏଇ କୂଳରେ ଜନ୍ମ ଦେଇଛନ୍ତି । ଆମକୁ ଦୋଷ ଫୋଷ କିଛି ଲାଗିବନି ।

ଘୁଷୁରୀ ବିକ୍ରୀ ପାଇଁ କାଉରା ମନରେ ଯେ ଦୁଃଖ ଆସୁନଥିଲା ତାହା ନୁହେଁ । ଘୁଷୁରୀ ବିକ୍ରୀ ହେବା ଦିନ ଗାଁ ମୁଣ୍ଡରେ ଖୋଲିଥିବା ସରକାରୀ ମଦ କାଉଣ୍ଟରରୁ ପେଟେ ପିଇ ନିଶାରେ ଚୁର୍ ହୋଇ ଘରକୁ ଫେରେ । ସକାଳକୁ ପୁଣି ସବୁ ଭୁଲିଯାଇ ସପରିବାର ବାହାରି ଯାଆନ୍ତି ଅବଶିଷ୍ଟ ଘୁଷୁରୀଙ୍କୁ ଚରେଇବାକୁ ।

ଦଶହରା ପାଇଁ ଅଫିସ୍ ଛୁଟି ହୋଇଯାଇଥିବାରୁ ଆମ୍ଭମାନଙ୍କ ଭିତରେ ରୋଷ୍ଟର ଡ୍ୟୁଟି ବଣ୍ଟାଯାଇଥିଲା । ଦଶହରାର ପୂର୍ବଦିନ ମୋର ପାଳି ପଡୁଥିବାରୁ ଖୁବ୍ ବେଳାବେଳି ଅଫିସ୍ ଅଭିମୁଖେ ବାହାରିପଡ଼ିଲି ।

ଦିନ ଆଠଟା ପାଖାପାଖି ହେବ । ଘୁଷୁରୀଆ ପଲ୍ଲୀ ରାସ୍ତାରେ ପହଞ୍ଚିବା ବେଳକୁ ଦଳେ ଲୋକ ମୋ ଆଗେ ଆଗେ ହାତରେ ଠେଙ୍ଗା କେତେଟା ଧରି ଦଉଡ଼ି ଯାଉଥିବା ଦେଖି ଭୟ କଲି । ଭାବିଲି ଆଗରେ ସଡ଼କ ଦୁର୍ଘଟଣା କିମ୍ୱା ଗାଁ ଗାଁର ସୀମା ବିବାଦ ଜନିତ ଝାମେଲା ଆରମ୍ଭ ହୋଇଗଲା । ଦୌଡୁଥିବା ଲୋକଙ୍କ ପଛେ ପଛେ କିଛି ବାଟ ଆଗକୁ ଯାଇ ଛକପାଖ ବରଗଛ ଛାଇରେ ଅଟକିଲି ।

ମୁଖ୍ୟ ରାସ୍ତା ଛାଡ଼ି ଏମାନେ ସମସ୍ତେ ଘୁଷୁରିଆ ପଲ୍ଲୀ ଅଭିମୁଖେ ଦୌଡ଼ିଲେ । ଅଭିଭୂତ ହେଲି । କାଉରା ମଦ ପିଇ କିଛି ଗଣ୍ଡଗୋଳ କରିଛି କି ? ତଥାପି ସଠିକ୍ ଅନୁମାନ କରିପାରିଲି ନାହିଁ ।

ଦୌଡୁଥିବା ଲୋକଙ୍କ ପହଞ୍ଚିବା ପୂର୍ବରୁ ଆଉ ଦଳେ ଲୋକ ହାତରେ ଲୁହା ରଡ଼, ଠେଙ୍ଗା ଧରି କାଉରା ଘର ପାଖରେ ଝାମେଲା ଆରମ୍ଭ କରିଦେଇଥିଲେ ।

ସମ୍ଭାବ୍ୟ ଆକ୍ରମଣରୁ ବର୍ତ୍ତିବା ନିମିତ୍ତ କାଉରା ଓ ତା’ର ପରିବାର ଘର ଛାଡ଼ି କାହିଁକି ଯେ ଭେଡ଼ା ଭିତରେ ଜୀବନ ବିକଳରେ ଧାଇଁବାକୁ ଲାଗିଛନ୍ତି ବୁଝିପାରିଲି ନାହିଁ ।

କିଛି ମୁହୂର୍ତ୍ତର ପ୍ରତୀକ୍ଷା ପରେ ଗାଁର ଆଉ କିଛି ଲୋକ ମୋ ପାଖରେ ପହଞ୍ଚି ସେ ଦୃଶ୍ୟକୁ ଲକ୍ଷ୍ୟ କରୁଥିଲେ । ଧୁମ୍‌ଧାମ୍ ଶବ୍ଦ । ପାହାର ପରେ ପାହାର ।

ଘର ସାମ୍ନାର ଗୋଠରେ ବନ୍ଧା ହୋଇଥିବା ଘୁଷୁରୀଙ୍କୁ ମିଳୁଥିଲା ମୃତ୍ୟୁଦଣ୍ଡ । ଲୁହା ରଡ଼ ଏବଂ ଠେଙ୍ଗାର କ୍ରମାଗତ ଶକ୍ତ ପ୍ରହାରରେ ଅସହାୟ ଘୁଷୁରୀମାନଙ୍କର ପ୍ରାଣ ଚାଲିଗଲା । ଭୟଙ୍କର ପାହାର ଜନିତ ରଡ଼ିରେ କୁକୁର ଗୁଡ଼ାକ ବନ୍ଧା ହୋଇଥିବା ରସି ଛିଣ୍ଡାଇ କାଉରା ଯାଇଥିବା ଦିଗ ଆଡ଼କୁ ଦୌଡ଼ିବାରେ ଲାଗିଲେ ।

ଘୁଷୁରୀ ବଂଶକୁ ମୃତ୍ୟୁଦଣ୍ଡ ଦେଲାପରେ ଆକ୍ରମଣକାରୀ ଗ୍ରାମବାସୀ ଅନ୍ୟ କିଛି କ୍ଷତି କଲେ ନାହିଁ । କାଉରାର ଘର କିମ୍ୱା ବାଡ଼ିରେ ଠିଆ ହୋଇଥିବା ସଳଖା ଛୋଟ ଗଛ ଗୁଡ଼ାକର ବି କ୍ଷତିକଲେ ନାହିଁ ।

ଘୁଷୁରୀ ସଂହାର କରିବା ପରେ ସେମାନେ ଦେଖିଲେ କାଉରା ତା’ ପରିବାର ସହିତ ଭେଡ଼ାର ଅନେକ ଦୂରରେ ଥିବା ଉଚ୍ଚ ହଡ଼ ଉପରେ ବସି ଚାହିଁଛି । ସେ ବି ତଥାପି ବୁଝିପାରୁ ନଥିଲା ଆଜି ସକାଳୁ ଗାଁ ଲୋକ କାହିଁକି ଏ ହାମ୍ଲା ଆରମ୍ଭ କରିଦେଲେ । ଗତକାଲି ତ କାହାରି ସାଙ୍ଗରେ ଝାମେଲା କିମ୍ୱା କଥା କଟାକଟି ହୋଇନାହିଁ । କାହାକୁ ବି ଅସମ୍ମାନ କରିନାହିଁ । ଆଜି କାହିଁକି ଗାଁବାଲାଙ୍କ ରୂପ ବଦଳିଗଲା ।

ସପରିବାର ବିକଳ ହୋଇ ଜୀବନ ଭିକ୍ଷା ମୁଦ୍ରାରେ ବସିଥାନ୍ତି । ପିଚୁ ରାସ୍ତାରୁ ଘୁଷୁରୀ ପଲ୍ଲୀକୁ ଯାଇଥିବା ସଂକୀର୍ଣ୍ଣ ମାଟି ରାସ୍ତାରେ ଚାଲି ଚାଲି ପହଞ୍ଚିଲି ସେଠି । କେବଳ ଘୁଷୁରୀର ମୃତ ଶବ କୁଢ଼ । ବଂଶ ଶେଷ ହୋଇଯାଇଥିଲା ସେମାନଙ୍କର । ଗୋଠରେ ବନ୍ଧା ଯାଇଥିବା ନିସ୍ତେଜ ଶରୀରଗୁଡ଼ିକର ଖୁଣ୍ଟରୁ ଆଉ ମୁକୁଳି ଖାଦ୍ୟ ଅନ୍ୱେଷଣରେ ବାହାରି ଯିବାର ସୁଯୋଗ ନାହିଁ । କାହାର ନାକ ଥୋମଡ଼ି ତ କାହାର କାନମୂଳ ଫାଟି ରକ୍ତସ୍ରାବ ହେଉଥିଲା । ଏ ଦୃଶ୍ୟ ଦେଖି ନିଜକୁ ସମ୍ଭାଳିବା ପରିସ୍ଥିତିରେ ମୁଁ ନ ଥିଲି ।

ଗାଁ ଲୋକଙ୍କ ଭିତରୁ କେତେ ଜଣ ହାତ ଠାରି କାଉରାକୁ ପାଖକୁ ଡାକୁଥିଲେ ବି ସେ ଆସିବାକୁ ଭୟ କରୁଥିଲା । ଏମାନଙ୍କ ଡାକିବା ଇସାରା ପାଇ ସେ ଦୂରରୁ ଥାଇ ଲମ୍ୱା ହୋଇ ଗୋଡ଼ ତଳେ ପଡ଼ି ପୁଣି ଉଠି ବସୁଥିଲା ।

ଆସିବାକୁ ସମ୍ପୂର୍ଣ୍ଣ ଅମଙ୍ଗ ଥିଲା ସେ ।

ଗାଁ ଲୋକଙ୍କ ବାର୍ତ୍ତାଳାପରୁ ଜାଣିଲି ସେମାନେ ଘୁଷୁରୀଙ୍କୁ ମାରିବା ପାଇଁ ଆସିଥିଲେ । କାଉରା କିମ୍ୱା ତା’ ପରିବାରକୁ ନୁହେଁ । ସେମାନଙ୍କର କୌଣସି ଆକ୍ରୋଶ ନଥିଲା । ପଡ଼ୋଶୀ ଜିଲ୍ଲାରେ ଜାପାନୀ ଅନ୍‌ସେଫାଲାଇଟସ୍ ବ୍ୟାପୀ ଶିଶୁ ମଡ଼କ ପଡ଼ିଥିବାରୁ ଏମାନେ ଭୟଭୀତ ହୋଇ ସଂକ୍ରମଣର ଆଶଙ୍କାରେ ଘୁଷୁରୀ ବଂଶକୁ ବିନାଶ କରିଦେଲେ ।

ମୁଁ ଅନୁଭବ କଲି ଏମାନେ କାଉରା ପରିବାରର କିଛି କ୍ଷତି ଘଟାଇବେ ନାହିଁ । ସବୁ କଥା ବୁଝିଲା ପରେ ଭୟାତୁର କାଉରାକୁ ପାଖକୁ ଡାକିବାକୁ ଭାବିଲି । ରସି ଛିଣ୍ଡାଇ ଦୌଡ଼ି ପଳାଇଥିବା ବିଶ୍ୱସ୍ତ କୁକୁର ଗୁଡ଼ାକ ଏହା ଭିତରେ କାଉରା ପରିବାର ପାଖରେ ପହଞ୍ଚି ଯାଇଥିଲେ ।

ଗାଁ ଲୋକଙ୍କୁ କହିଲି- “ଆଜ୍ଞା ! ମୁଁ ଡାକିଲେ ବୋଧହୁଏ ସିଏ ଆସିପାରେ ।” ହାତ ଠାରି ଡାକିଲି କାଉରାକୁ । ପ୍ରଥମେ ସେ ମୋତେ ନାହିଁ କଲା । ପୁନର୍ବାର ଡାକିଲି । ତା’ର ବୋଧହୁଏ ମୋ ଉପରେ ଭରସା ପାଇଲା । ପରସ୍ପର ଚାହାଁଚୁହିଁ ହୋଇ କ’ଣ ଭାବିଲେ କେଜାଣି ଧୀରେ ଧୀରେ ଆମ ଆଡ଼କୁ ଆସିଲେ । ସେମାନଙ୍କ ଆଗେ ଆଗେ କୁକୁରଗୁଡ଼ାକ ବି ସୁରକ୍ଷାଦାତା ଭଳି ଝୁଲିଝୁଲି ଦୌଡ଼ିଲେ ।

ଗାଁ ଲୋକ ମୋ ମୁହଁକୁ ଚାହିଁଲେ । ତାଙ୍କ ଭିତରୁ ଜଣେ କହିଲେ “ଆଜ୍ଞା ! ଆପଣଙ୍କର ଇଏ ପରିଚିତ ?”

ମୁଁ କହିଲି “ହଁ ସେମିତି ରାସ୍ତାରେ ଯା’ ଆସ କରିବା ଭିତରେ ଯାହା । ସେ ଘୁଷୁରୀ ଚରାଇଲା ବେଳେ ମୋର ଦେଖାହୁଏ । ଏତିକି ଆମ ଭିତରେ ମାତ୍ର ସମ୍ପର୍କ ।”

କୁକୁରଙ୍କ ପଛେ ପଛେ କାଉରା ଓ ତା’ ସ୍ତ୍ରୀ ଜାନକୀ । ତା’ ପଛରେ ଝିଅ ଜ୍ୱାଇଁ ସହିତ କାଉରାର ଦଶ ବାର ବର୍ଷର ପୁଅ । ସମସ୍ତେ ଭୟଭୀତ ହୋଇ ହାତ ଯୋଡ଼ିବା ମୁଦ୍ରାରେ କାନ୍ଦି କାନ୍ଦି ପହଞ୍ଚିଗଲେ ।

ଜାନକୀ କୋହ ସମ୍ଭାଳି ପାରିଲା ନାହିଁ । ମୃତ ଘୁଷୁରୀଙ୍କୁ ଦେଖି ଭେଁ ଭେଁ ରଡ଼ି ଛାଡ଼ି ଭୂଇଁରେ ମୁଣ୍ଡ ପିଟିଲା । ଗାଁ ଲୋକ ବୁଝାଇବାକୁ ଅନେକ ଚେଷ୍ଟା କଲେ । କାଉରା ଏସବୁ ବୁଝିବାକୁ ଅନେକ ଚେଷ୍ଟା କଲା । ହେଲେ ଏସବୁ ବୁଝିପାରିଲା ନାହିଁ । ଗାଁ କ୍ଲବ୍‌ର ଜଣେ ଶିକ୍ଷିତ କଥାକୁହା ଯୁବକ ତାକୁ ବୁଝାଇଲେ- ପାଖ ଜିଲ୍ଲାରେ ଜାପାନୀ ରୋଗ ବ୍ୟାପିଛି । ବହୁତ ଶିଶୁ ମରିଗଲେଣି । ଏ ରୋଗର ବାହକ ହେଉଛନ୍ତି ଘୁଷୁରୀ ଓ ବଗଜାତୀୟ ପକ୍ଷୀ । କାଲି ବିଳମ୍ୱିତ ରାତିରେ ଗାଁ ନିଶାପରେ ସ୍ଥିର ହେଲା ଯେ ଆମ ଗାଁରେ ଜାପାନୀ ରୋଗ ନ ପଶିବା ପାଇଁ ଘୁଷୁରୀଙ୍କୁ ମାରିଦେବା ଆବଶ୍ୟକ ।

କାଉରାକୁ ଅନେକ ସାନ୍ତ୍ୱନା ଦେଲେ । କିଏ କହିଲା, ଆମେ ଅଛୁ ତୋ ପରିବାର ଚଳିବା କିଛି ଅସୁବିଧା ହେବନି । ଆଉ କିଏ କହିଲା ଗାଁ ସ୍କୁଲ୍‌ରେ ହେଉଥିବା ମଧ୍ୟାହ୍ନ ଭୋଜନରେ ତୋ ପରିବାର ପାଇଁ ବ୍ୟବସ୍ଥା କରିଦେବୁ । ଏମିତି ଅନେକ ଆଶ୍ୱାସନା ଏବଂ ପ୍ରତିଶ୍ରୁତିର ବାକ୍ୟ ଭିତରେ କାଉରାକୁ ଶାନ୍ତ କରାଇବାକୁ ଚେଷ୍ଟା କଲେ ।

ଗାଁ ଲୋକ ଫେରିଗଲେ ।

ଅଫିସ୍ ଯିବା ମୋର ଢେର୍ ବିଳମ୍ୱ ହେଲାଣି । ତଥାପି ଅସହାୟ କାଉରା ପରିବାରକୁ ଛାଡ଼ି ମୁଁ କୁଆଡ଼େ ବା ଯାଇପାରୁଛି ।

ମୃତ ଘୁଷୁରୀ କୁଢ଼କୁ ଘେରି କାଉରାର ପରିବାର ଲୋକ କାନ୍ଦ ବୋବାଳିରେ ବ୍ୟସ୍ତ ରହିବାର ଦେଖି କେଉଁ ସାନ୍ତ୍ୱନା ଦେଇ ମୁଁ ସେମାନଙ୍କୁ ବୁଝାଇବି ଜାଣିପାରୁ ନଥାଏ । ତଥାପି କାଉରା ପାଖକୁ ଲାଗି ତା’ କାନ୍ଧରେ ହାତ ପକାଇ ବୁଝାଇଲି ଯେ ଜାପାନୀ ଏନ୍‌ସେଫାଲାଇଟିସ୍ ପରି ମାରାତ୍ମକ ରୋଗର ଭୂତାଣୁ ଘୁଷୁରୀ ମାଧ୍ୟମରେ ସହଜରେ ସଂକ୍ରମିତ ହୋଇ ଜନଜୀବନ କ୍ଷତି କରିଥାଏ ।

କିଛି ସମୟ ଗଲାପରେ ସମସ୍ତେ ପ୍ରାୟ ତୁନି ହୋଇ ମୃତ୍ୟୁଦଣ୍ଡ ପାଇଥିବା ଘୁଷୁରୀମାନଙ୍କର ଗଣ ସମାଧି ନିମିତ୍ତ ଯୋଜନା କଲେ । ଜାନକୀ ମୋତେ ତା’ ସ୍ୱାମୀର ବନ୍ଧୁପଣ ଭାବ ଦେଖି କହିଲା, “ଆଜ୍ଞା ବାବୁ ! ଜାପାନୀ ରୋଗ କ’ଣ ?”

ମୁଁ କହିଲି “ଜେ.ଇ. ମାନେ ଜାପାନୀ ଏନ୍‌ସେଫାଲାଇଟିସ୍ । ଜାପାନରେ ପ୍ରଥମେ ଏହା ଦେଖା ଦେଇଥିବାରୁ ଏହାର ନାମକରଣ ଏପରି କରାଯାଇଛି । ଏହାଦ୍ୱାରା ମୁଣ୍ଡରେ ଜର ରହିବ । ପିଲାମାନେ ମୃତ୍ୟୁବରଣ କରିବେ ।”

ଜାନକୀ ଭାବିଲା ତାଙ୍କ ଘୁଷୁରୀ ଦେହରେ ଯଦି ଜାପାନୀ ରୋଗ ଅଛି, ତା’ମାନେ ସବୁ କ’ଣ ବାଡ଼େଇ ମାରିଦେବେ ? ଆମେ ଚଳିବୁ କେମିତି ବାବୁ ? ଗାଁରୁ ଆଣିଥିବା ସୁଧମୂଳ ଟଙ୍କା ଶୁଝିବୁ କେମିତି ?

ପ୍ରକୃତରେ ଜାନକୀ ପ୍ରଶ୍ନର ଉତ୍ତର ମୋ ପାଖରେ ନ ଥିଲା । ଘୁଷୁରୀ ମୃତ୍ୟୁଜନିତ କ୍ଷତି ପୂରଣ ଦେବା ମୋ ପକ୍ଷେ ଆଦୌ ସମ୍ଭବ ନଥିଲା । କେତେଟା କଥା ମୁଁ ଖାଲି ଭାବିଲି । ବରାହ ରୂପୀ ଈଶ୍ୱରଙ୍କୁ ଆମେ ତ ପୁଣି ପୂଜା କରୁଛୁ । ଖାଦ୍ୟ-ଖାଦକ ସମ୍ପର୍କର ଦ୍ୱାହି ଦେଇ ଜଙ୍ଗଲୀ ବାର୍ହା କୁ ହତ୍ୟା କରି ଖାଉଛୁ । ଏସବୁ ଉର୍ଦ୍ଧ୍ଵରେ ଗାଁ ଲୋକେ ଏମାନଙ୍କୁ ନିର୍ମମ ଭାବରେ ମୃତ୍ୟୁଦଣ୍ଡ ନ ଦେଇ ଦୂରକୁ ଚାଲିଯିବାକୁ କାଉରାକୁ କହିପାରିଥାନ୍ତେ । କାଉରାର ଯେଉଁ ହୃଦୟ ବିଦାରକ ଯନ୍ତ୍ରଣା ସହିତ ଆର୍ଥିକ କ୍ଷତି ହେଲା ସରକାର ନା ଜନସାଧାରଣ ଏହାର ଭରଣା କରିପାରିବେ ।

ବିଷର୍ଣ୍ଣ ମନୋଭାବରେ ଆନୁମାନିକ କ୍ଷତିର ଆକଳନ କରୁଥିବା ବେଳେ ଗାଁର ବୟୋଜ୍ୟେଷ୍ଠ ମନୁ ସାନ୍ତ କେତେଜଣ ସ୍ୱେଚ୍ଛାସେବୀଙ୍କୁ ସାଙ୍ଗରେ ଧରି ଘୁଷୁରୀପଲ୍ଲୀ ଆଡ଼କୁ ଆସିଲେ । ପାଖକୁ ଆସିଲା ପରେ ଜାଣିଲି ମୃତ ଘୁଷୁରୀଗୁଡ଼ିକ ଗୋହିରୀ ପାଖରେ ଗାତ ଖୋଳି ପୋତି ଦେବାକୁ ଆସିଛନ୍ତି ।

ମୁଁ ଟିକେ ଆଶ୍ୱସ୍ତି ଅନୁଭବ କଲି । ମୃତ୍ୟୁଠାରୁ ଘୋଷରା ଆହୁରି ବାଧିଥାନ୍ତା ଏଠି । ଗୋହିରୀ ପାଖରେ ଗାତ ଖୋଳିବା ନିମିତ୍ତ ନିର୍ଦ୍ଦିଷ୍ଟ ସ୍ଥାନ ନିରୂପଣ କରି ମୋ ପାଖକୁ ଲେଉଟି ଆସିଲେ ମନୁ ସାନ୍ତ ।

ମୋ ପରିଚୟ ଜାଣିବା ପରେ ତାଙ୍କ ମନ କଥା ଖୋଲି କହିବାକୁ ଇଚ୍ଛା ଥିଲା ପରି ଜଣାପଡୁଥିଲା । ସେ ଖୁବ୍ ମର୍ମାହତ ଥିଲାପରି ମନେ ହେଉଥିଲା । ପଡ଼ିଥିବା ମୃତ ଘୁଷୁରୀ କୁଢ଼ ଆଢୁଆଳକୁ ଡାକି ନେଇ ହିଂସ୍ର ଗାଁ ଲୋକଙ୍କ ଭାବପ୍ରବଣତା ସମ୍ପର୍କରେ ସୂଚନା ଦେଇ କହିଲେ-

– “ମୁଁ ଯେତେ ଅଟକାଇଲେ ବି ସେମାନେ ମୋ କଥା କିଆଁ ମାନିଲେ !”

କାଲି ରାତିରେ ଏ ଆଲୋଚନା ହଉହଉ ସକାଳୁ ଆସି ଏ କାଣ୍ଡ ଘଟେଇ ଦେଇଗଲେ । ଗୋଠ ମାତିଲେ ହଡ଼ା ମାତିବା ଭଳିଆ ଦଉଡ଼ି ଆଇଲେ ସମସ୍ତେ । ଏମାନେ କ’ଣ ପଢ଼ିନାହାନ୍ତି ରୋଗକୁ ଘୃଣାକର କିନ୍ତୁ ରୋଗୀକୁ ନୁହେଁ । ଏ ନିରୀହ ପ୍ରାଣୀଙ୍କ ଶରୀରରେ ଜାପାନୀ ରୋଗ ଭୂତାଣୁ ଥିଲା କି ନାହିଁ ପରୀକ୍ଷା କରିବାକୁ ସମୟ ଦେଲେନି ଏମାନେ । କେତେ ପାପ ନ ଅର୍ଜିଲେ ଏମାନେ । ଛି. . . ଛି. . . !

ମୁଁ ଭାବିଲି ଏ କଥାକୁ ଘାଣ୍ଟି ଆଉ ଲାଭ ନାହିଁ । କାଉରାକୁ ଯଥାସାଧ୍ୟ କ୍ଷତିପୂରଣ ଦେବା ସହିତ ତା’ ଥଇଥାନ ବାବଦରେ ଚିନ୍ତା କରିବା ଭଲ । ମନୁ ସାନ୍ତଙ୍କୁ ପ୍ରସ୍ତାବ ଦେଲି । ସେ ସହଜରେ ରାଜି ହୋଇଗଲେ । ତାଙ୍କ କଥାବାର୍ତ୍ତାରୁ ଯାହା ଜାଣିଲି ସେ ଖୁବ୍ ଧର୍ମପ୍ରାଣ ବ୍ୟକ୍ତି । ଗଣ ସମାଧି ନିମିତ୍ତ ଗାତ ଖୋଳିବା ପ୍ରାୟ ଘଣ୍ଟାଏ ଲାଗିଗଲାଣି । ତଥାପି ସମ୍ପୂର୍ଣ୍ଣ ହୋଇନାହିଁ ।

ମନୁ ସାନ୍ତ କହିଲେ- ବୁଝିଲ ପୁଅ । ଏବକାର ମଣିଷକୁ ଜମା ବିଶ୍ୱାସ କରିହେଉ ନାହିଁ । ପାନରୁ ଚୂନ ଖସିଲେ ଏମାନେ ହିଂସ୍ର । ଶହେରୁ ଏମିତି ଅଳ୍ପ ଭଲ ଲୋକ ଅଛନ୍ତି । ଧର୍ମ ବଞ୍ଚିଚି ନଚେତ୍ ସୃଷ୍ଟି ଧ୍ୱଂସ ହେଇଯାଆନ୍ତାଣି । ଏଇ ଦେଖ । କୁକୁଡ଼ା ଖାଉଚନ୍ତି । ବାର୍ଡ ଫ୍ଲୁ ଆଶଙ୍କାରେ ହଜାର ହଜାରଙ୍କୁ ମାଟି ତଳେ ଜୀଅନ୍ତା ପୋତି ଦେଉଛନ୍ତି । ଠାକୁରାଣୀଙ୍କ ସାମ୍ନାରେ ପଶୁପକ୍ଷୀଙ୍କୁ ବଳି ପକଉଛନ୍ତି । ଏସବୁ ନିଜର ସ୍ୱାର୍ଥ ପାଇଁ ନା କ’ଣ ?

ମୁଁ ମୁଣ୍ଡ ଟୁଙ୍ଗାରି ସମ୍ମତି ଜଣାଇଲି ।

ସେ ପୁଣି ପଚାରିଲେ- ମତ୍ସ୍ୟ ଅବତାରରେ ପ୍ରଭୁଙ୍କୁ ମଣିଷ ପୂଜା କରୁଛନ୍ତି । ମାଛକୁ ତ ପୁଣି ଖାଉଚି ।

ମୁଁ ସମ୍ମତି ଜଣାଇଲି ।

– କଚ୍ଛପ ଅବତାରରେ ପ୍ରଭୁ ପୂଜା ପାଉଛନ୍ତି, କଇଁଛଙ୍କୁ ଖାଉଛନ୍ତି ନା ନାହିଁ ।

ପୁନର୍ବାର ମୁଁ ସମ୍ମତି ଜଣାଇଲି ।

ସେ ଆହୁରି ଉଦାହରଣ ଦେଇ କହିଲେ- ବରାହ ଅବତାର କଥା ମନେ ପକା ପୁଅ । ତାକୁ ବି ଏ ମଣିଷ ଛାଡ଼ି ନାହିଁ । ବିଧର୍ମୀ ମଣିଷକୁ ମାନସିକ ବିକାରଗ୍ରସ୍ତତା ଘାରିଚି । ସିଏ ମନର ରଜା । ନା କ’ଣ କହୁଚୁ ପୁଅ ?

ଦେଖିଲି ମନୁ ସାନ୍ତ ମୋତେ ଏସବୁ ପ୍ରସଙ୍ଗ କହି କିଛି ସମୟ ଅତିବାହିତ କରିବାକୁ ଚାହୁଁ ନାହାନ୍ତି । ପ୍ରକୃତରରେ ତାହା ଭିନ୍ନ । ଗାଁ ଟୋକାଙ୍କ ଆବଭାବରେ ସଦା ଅତି ହୋଇପଡ଼ିଥିବା ମନୁ ସାନ୍ତଙ୍କର ଏହା ଥିଲା ମନର କଥା ।

ଗାତ ଖୋଳୁଥିବା ଲୋକ ଆସି ଡାକିଲେ ଚାଲ ସାନ୍ତ । ଏଥର ବୋହି ନେଇ ପୋତି ଦେବା ।

ବିନା କାରଣରେ ମୃତ୍ୟୁଦଣ୍ଡ ପାଇ ସବୁଦିନ ପାଇଁ ଶୋଇ ଯାଇଥିବା ଘୁଷୁରୀମାନଙ୍କୁ ଉଠାଇବାକୁ ଚେଷ୍ଟା କଲାବେଳେ ଜାନକୀ ସେମାନଙ୍କୁ ଟିକେ ଅଟକାଇଲା । ଛୋଟିଆ ଗିନାରେ ଗୋଳେଇ ଆଣିଥିବା ଚନ୍ଦନ ଓ ସିନ୍ଦୂର ମିଶ୍ରଣକୁ ପ୍ରତ୍ୟେକ ମୃତ ଘୁଷୁରୀଙ୍କ କପାଳରେ ଟୋପେ ଲେଖାଏଁ ମାରି ନମସ୍କାର ମୁଦ୍ରାରେ କହିଲା- “ତମେମାନେ ଜିତିଗଲ । ନିର୍ଦ୍ଦୋଷରେ ମୃତ୍ୟୁଦଣ୍ଡ ପାଇ ମୋତେ ଦୋଷୀ କରିଦେଲ । ମୁଁ ଯଦି ତମମାନଙ୍କୁ ଦଉଡ଼ି ଦ୍ୱାରା ଖୁଣ୍ଟରେ ବାନ୍ଧି ନ ରଖିଥାନ୍ତି ତମେମାନେ ଜୀବନ ପାଇଁ ଦୌଡ଼ି ପଳାଇଥାନ୍ତ ।”

ଭୋ’ – ଭୋ’ କାନ୍ଦିଲା ସେ ।

କାଉରା ତାକୁ କୁଣ୍ଢେଇ ନେଇ ନୁଆଁଣିଆ ଘର ଭିତରକୁ ଚାଲିଗଲା ।

ଗଣ ସମାଧି ପ୍ରକ୍ରିୟା ସରିବା ବହୁ ବିଳମ୍ୱ ହେଲେ ମଧ୍ୟ ମୁଁ ଅଫିସ୍‌ମୁହାଁ ହେଲା । ବାରମ୍ୱାର ପଛକୁ ଚାହିଁ ଭାବୁଥିଲି ୟା’ ପରେ କାଉରା ସହିତ ଘୁଷୁରୀ ପଲ୍ଲୀର ଅବସ୍ଥା କ’ଣ ହେବ ? କେତେବେଳେ ମୃତ୍ୟୁ କେଉଁ ଭଳି ଭାବରେ କାହା ନିକଟକୁ ଆସିବ ଭଗବାନଙ୍କୁ ହିଁ ଜଣା । ଆମେ ନିମିତ୍ତ ମାତ୍ର !

ଲୋକପ୍ରିୟ ଲେଖା

To Top