ଗଳ୍ପ

ମୁଛତଳ ହସ

Laxmidhara Nayak's odia story Muchatala Hasa

ଘୋଡ଼ୀ ହେଇଗଲ କିଲୋ ଛତରଖାଇ । ମୁହଁରେ ବାଡ଼ବତା ନାହିଁ । ବାଉରିସାହିର ମୁରବି କ’ଣ ମଶିଣିପଦାକୁ ଗଲେଣି ଯେ. . . ବେମୁରବା ହେଇ, ଏଡେ଼ ହେଁ ହେଁ ।

ମୁଛତଳ ହସ

ବାଉରିସାହିକୁ ଛାଡ଼ିଦେଲେ, ସାଆନ୍ତରାପୁର ଗାଁର ଆଉ ସବୁ ଜାତିର ଲୋକମାନଙ୍କର ପଥର ତିଆରି ଘର । କାହାଘର ବାପା ଗୋସବାପ ଅମଳର ତ, କେହି ଯୋଗ୍ୟ ସନ୍ତାନ ନିଜ ଅମଳରେ ଗଢ଼ିଛି ।

ଏଠି ତ କାନ୍ଥ ପଥର । ଚଟାଣ, ପିଣ୍ଡା, ଅଗଣା, ଚଉଁରା, ଚଉତରା. . . ସବୁ କିଛି ପଥରରେ ତିଆରି । ଏମାନଙ୍କ ଝିଅ ବୋହୂ ପଥର ପାହାଚରେ ବସି, ଦେହରେ ମୁହଁରେ ବଟାହଳଦି ବୋଳୁ ବୋଳୁ, ପୋଖରୀ ପାଣିରେ ଗୋଡ଼ ହଲାନ୍ତି । ତା’ର ନିର୍ମଳ ପାଣିରେ, ପାଦର ଅଳତାଧାର ଓ ନଖର ପଲିଶ୍ ବୋଳକୁ ଦେଖି ଦେଖି, ଆତ୍ମହରା ହୁଅନ୍ତି । ପଥର କୂଅରୁ ପିତଳ ଗରାରେ ପାଣି କାଢ଼ନ୍ତି । ଏମାନଙ୍କ ହଳିଆ କି ନାଗମୂଲିଆ. . . ପଥର କୁଣ୍ଡରେ ଗୋରୁଙ୍କୁ ଦାନା ଦିଅନ୍ତି. . . ତୋରାଣି ମୁହାନ୍ତି । ଏମାନଙ୍କ ଘର ଉପକୂଳ ଅଞ୍ଚଳରେ, କିନ୍ତୁ ପଥର ଆଣନ୍ତି ପାହାଡ଼ିଆ କ୍ଷେତ୍ରରୁ ।

ସବୁ କ୍ଷେତ୍ରରେ ପଥର ପରି. . . ଏ ଗାଁର ଉଚ୍ଚଜାତିର ଲୋକମାନଙ୍କ ଛାତି ଭିତର ବି ନିଦାପଥର । ଏହା ହେଇ ନ ଥିଲେ, ଯେଉଁ ବାଉରିସାହିଆ ଏହାଙ୍କ ବିଲ ବାରିରେ ଖଟି ଖଟି କୂର୍ମ ହେଲେଣି, ତାଙ୍କ ଚୁଲ୍ଲୀରେ ମାସରେ ଅଧିକାଂଶ ଦିନ ଆରାମ ଅୟସରେ ବିଲେଇ ଶୋଉଥିଲା ବେଳେ. . . ୟା’ଙ୍କ ଛାତି ସହନ୍ତା କିପରି !

ସାଆନ୍ତମାନଙ୍କ ରୋଷାଇଘରୁ ଘିଅ ପଲାଉର ବାସ୍ନା ଦାଣ୍ଡବାରି ମହକାଇ ଦେଉଥିବ, ବାଉରିସାହିର ପିଲାମାନେ ସେହି ବାସ୍ନାକୁ ଟାଣି ନେଉଥିବେ ନିଜ ନିଜର ହାଡୁଆ ଛାତି ଭିତରକୁ, ଶୁଖିଲା ଓଠରେ ଲାଳସାପ୍ରିୟ ଶେତାଳିଆ ଜିଭକୁ ବୁଲାଇ ଆଣୁଥିବେ ସେହି ସୁଖାଦ୍ୟର କଳ୍ପନା କଳ୍ପନାରେ. . . । କାହାରି କଅଁଳଛାତି ତ ଏସବୁ ସହନ୍ତା ନାହିଁ । ଯେମିତି ବି ହେଉ, ଯେତିକି ବି ହେଉ, ତାଙ୍କ ରସ ଥାଳିଆରେ ପକାଇଦିଅନ୍ତା ସାଆନ୍ତଘରର ବୋହୂ, କାହିଁ, ଏମିତି ତ କେବେ ବି ହୁଏ ନାହିଁ ।

ଧନିକ ହେଉ କି ନିର୍ଦ୍ଧନ, ଭୋକିଲା ହେଉ କି ଭିକାରୀ, ଗାଁରେ କିଛି ଲୋକ ଉପାସରେ ରହୁଥିବେ. . . ସହିବ କିପରି ସମର୍ଥ ଲୋକ ! !

ଏ ଅନାଚାର କିନ୍ତୁ ଏ ଗାଁରେ. . . ପୁରୁଷାନୁକ୍ରମିକ ଭାବରେ ଚାଲିଛି । ଧନିକ ସାଆନ୍ତେ ଧନୀ ହେଇ ହେଇ, ଉପରକୁ ଉଠୁଛନ୍ତି, ନିର୍ଦ୍ଧନ ମୂଲିଆ ଗରିବ ହେଇ ହେଇ, ତଳେ ଲୋଟୁଛନ୍ତି । ତାଙ୍କ ମୁଣ୍ଡରେ ବସା ବାନ୍ଧିଛି- “ମାଟି ଦେହ, ମାଟିରେ ମିଶିବ । ତା’ ପାଇଁ ସୁଖ ଅୟସ ଗୋଟା କ’ଣ ?”

ଏହିପାଇଁ ଏ ଅଞ୍ଚଳରେ ଡାକ୍ ଅଛି- ସାଆନ୍ତରାପୁର ବାଉରିଆଙ୍କ ପରି ସହଣି ଲୋକେ ଖଣ୍ଡ ମଣ୍ଡଳରେ ନାହାନ୍ତି । ବାପ ଜେଜେ ଅମଳରୁ ସାଆନ୍ତମାନଙ୍କ ଅତ୍ୟାଚାରକୁ ସହି ସହି. . . ଏମାନେ ଅବା ପଥର ପାଲଟି ସାରିଛନ୍ତି । ନିଜ ହକ୍ କଥା କହିବାକୁ, ନିଜର ଅଧିକାର ସାବ୍ୟସ୍ତ କରିବାକୁ, ବାହାର ପରିବର୍ତ୍ତନର ପବନରେ ମୁକ୍ତ ଜୀବନର ସ୍ୱଚ୍ଛନ୍ଦ ଗୀତ ଦୁଇପଦ ଗାଇବାକୁ, ଏମାନଙ୍କଠାରେ ସାହସ ନାହିଁ କି ଉଦ୍ୟମ ।

କେବଳ ସାଆନ୍ତମାନଙ୍କ ପାଇଁ ଖଟିବା ଓ ପାଣି-ପଖାଳ-ଶାଗ ଖରଡ଼ାରେ କୌଣସି ମତେ ପେଟ ଭର୍ତ୍ତି କରି, ଆଗାମୀ କାଲିର ଅଥକା ପରିଶ୍ରମ ପାଇଁ, ରାତି ଅଧରେ ବେଚେତ୍ ପ୍ରାୟ ଶୋଇଯିବ ହିଁ, ଏମାନଙ୍କ ପାଇଁ ସାରାକାଳର ରାତିଚର୍ଯ୍ୟା ହେଇସାରିଛି । ଦିନଟା ସାଆନ୍ତମାନଙ୍କ ପାଇଁ, ରାତିଟା ଆର ଦିନକୁ କିଛି ବି ସ୍ୱପ୍ନ ନଥିବା ନିଧଡ଼କ୍ ନିଦ ପାଇଁ କେବଳ ।

ଆଜି କିନ୍ତୁ ହଠାତ୍ ବାଉରିସାହିରେ କାଳିସୀ ଲାଗିଲାପରି ଅସମ୍ଭବ ଉତ୍ତେଜନା ଭରିଯାଇଛି । ଖଜୁରୀ ସଉପ ଉପରେ ଫାଳିକିଆ ବନ୍ଧା କୋବି ଗୁଡ଼ାକୁ ପେଟେଇ ପକେଇ, ରସ ଗ୍ଲାସ ଧାରରେ କାଟି ଚାଲିଛନ୍ତି- ଦରବୁଢ଼ା ଦୁଇଜଣ । ମାଇପେ କାଟଛନ୍ତି- ପିଢ଼ା କଖାରୁ ଓ ବାରିଆଳୁ ।

ବାଉରିସାହିର ଟୋକାଟୋକୀ, ବୁଢ଼ାବୁଢ଼ୀ, ଦରବୁଢ଼ା ଦରବୁଢ଼ୀ, ଯୁବକ ଯୁବତୀ ଓ ପିଲାପିଲି. . . ସମସ୍ତେ ଲାଗିପଡ଼ିଛନ୍ତି ଅସୀମ ଉଲ୍ଲାସରେ. . . ଭୋଜିଟା କେମିତି ସୁନ୍ଦର ହେଉ ।

ବୁଲୀ ଓ ସୁଲୀ. . . ।

ତଳ ଉପର ଦୁଇ ଭଉଣୀ ନୁହନ୍ତି ତ. . . ଦୁଇ ବାନ୍ଧବୀ ଯେପରି । ପାଖ ନୁଆଁଣିଆ ଚାଳଘର ଟିଣାକବାଟକୁ କେଁ କଟର କରି, ଭିତରକୁ ଠେଲି ଦେଲେ ଓ ପଶିଗଲେ. . . ।

ଗେରୁମାଟିରେ ଲିପାପୋଛା ହେଇ, ଅଲେଖିଆ ବାବାଜୀଟି ପରି ପଶ୍ଚିମକୁ ମୁହଁ କରି, ବସିଯାଇଛି ସେ ଘର । କିଛି ସମୟ ଆଗରୁ ବୁଡ଼ିଯାଇଛି ଯେ ସୂର୍ଯ୍ୟ. . . ତା’ର ଅବିର ଛିଟା ଏ ଯାଏ କାନ୍ଥ ଓ ଚାଳରେ ନେସି ହେଇ ରହିଛି । ଦୁଆର ମୁହଁରେ ମାଟି କଳସ, ପାଣି ଭର୍ତ୍ତି । ତା’ ଉପରେ ଆମ୍ୱ ଡାଳିଆ. . . ପତ୍ର ମଝିରେ ନାସିଲଗା ପଇଡ଼ ଶୋଭାପାଉଛି । କଳସ ଦୁହିଁଙ୍କ ପେଟରେ ସିନ୍ଦୂରରେ ଅଙ୍କା ଯାଇଛି- ଅର୍ଦ୍ଧଚନ୍ଦ୍ର ଦୁଇଟି, ଦୁହିଁଙ୍କ ଭିତରେ ସିନ୍ଦୂର ଟୋପା । ଘରଚାଳର ଚାରିପାଖରେ ଆମ୍ୱ-ଅଏଁଳାର ସାନ ସାନ ଡାଳିଆଟିମାନ ଖୋଷାଯାଇ, ସବୁକୁ ଯେମିତି ଶୁଭ ଶୁଭ କରିଦେଇଛି ।

ସେହି ଘରର ଦାଣ୍ଡ ଆଡେ଼ ଚାହିଁଥିବା ସାନ ଝର୍‌କାଟିଏ. . . ।

ତାଳକାଠର ରୋଳ ଲାଗିଛି ସେଥିରେ. . . ।

ତାକୁ ଦୁଇ ହାତରେ ମୁଠେଇଧରି, ଘରଟି ଭିତରେ ଆଣ୍ଠେଇ ପଡ଼ି, କନକନିଆ ଆଖି ଦୁଇଟିରେ ବାହାର ଆଡେ଼ ଚାହିଁ ରହିଥିଲା ଯିଏ. . . ବୁଲୀ ଓ ସୁଲୀକୁ ପାଖରେ ପାଇ, ପଇଡ଼ମସିଣା ଉପରେ ବସିଗଲା ସେ. . . । କିଛି ନ କହି, ଏ ଦୁହିଁଙ୍କ ହାତ ଟାଣି, ପାଖରେ ବସାଇଲା ।

ଭିତରୁ ଶୁଭୁଛି ବୁଲୀର ପାଟି. . . ଆଉ ଟିକକୁ ଆସିଯିବେ ଯେ ଆମ ନୂରିଆଭାଇ । ବାହାଘରଟାରେ ଚନ୍ଦନସାଆନ୍ତେ କ’ଣ ତାକୁ କାମରେ ଲଗେଇଥିବେ ? ମୋଟେ ନୁହଁ ।

ସୁଲୀ କହୁଛି- “ବେସ୍ତ ହଉଚ କି ନୂଆଉ ? ହୁଅ ନାଇଁ ମ । ନିଶ୍ଚେ ଆସିବେ ନା . . . । ତାଙ୍କ ବାହାଘର, ସେ ନ ଆସିଲେ କ’ଣ ଆମେ ଦିହେଁ ତମକୁ ବାହାହବୁ ! ଯଦି ଚାହୁଁଚ- ତମେ ଟୋକା ହେଇଯାଉନା. . . ।”

ଏହାପରେ ଛଳଛଳ ହସର ବତାସଟିଏ କାନ୍ଥ-ଝରକା ଡେଇଁ ବାହାରକୁ ଆସିଗଲା ।

ବୁଲୀ କହିଲା- “ନୂଆଉ ! ଆମେ ନୂରିଆଭାଇଙ୍କ ନିଜର ଭଉଣୀ ନୁହଁ ମ. . . ପୁଣି. . . ନିଜଠୁ ବେଶୀ । ତାଙ୍କ ବାପାବୋଉ ଝାଡ଼ା-ବାନ୍ତିରେ ମରିଗଲେ ଯେ . . . ସାରା ସାହିର ବାପାମା’, ତାଙ୍କ ବାପାମା’ ହେଇଗଲେ । ନୂରିଆଭାଇ ବି ସମସ୍ତଙ୍କ ପୁଅ ହେଇଗଲେ । ଏ ହିସାବରେ ଆମେ ତ ତମର ନଣନ୍ଦ ।”

ସୁଲୀ କହୁଛି- “ନୂଆଉ ! ତମ ଗାଲ, ନାକ, ଆଖି, ଓଠ. . . ବିଧାତା କେଡେ଼ ସୁନ୍ଦର କରିଛନ୍ତି ମ । ହସିଦେଲେ ଗାଲ ମଝିରେ ଦୁଇଟା ଭଅଁର । ନାକ ତ. . . ଯେମିତି ମଙ୍ଗଳା ମୁଖାର ନାକ । ମନ ହଉଚି କ’ଣ ଜାଣ ? ସତରେ ତମେ ଟୋକା ହେଇଥାନ୍ତ କି. . . !”

ପୁଣି ଫୁଆରା ହସର ସୁଅ ଝରି ଆସୁଛି ଘର ଭିତରୁ. . . ।

ବୁଲୀ ସୁଲୀ କବାଟ ଆଉଜେଇ, ଫେରିଆସିଲାପରେ ସାଙ୍ଗମାନଙ୍କୁ କହୁଛି ବୁଲୀ – “କି ରୂପ ! ଚନ୍ଦନ ସାଆନ୍ତଙ୍କ ଗଜଲକ୍ଷ୍ମୀ ପୂଜାରେ, ହାତୀ ଦୁ’ଟା ଦି’ ପାଖରୁ ଶୁଣ୍ଢରେ କଳସୀ ଟେକି ପାଣି ଝାଳୁଥିବେ । ମେଢ଼ ମଝିରେ ଯେଉଁ ଲକ୍ଷ୍ମୀ ଠାକୁରାଣୀ. . . ଠିକ୍ ତାଙ୍କରି ପରି ରୂପ, ମୁହଁ । ରଙ୍ଗ ତ. . . ସାଆନ୍ତଙ୍କ ଝିଅ ଦୁର୍ଗାପରି ହଳଦୀ ହଳଦୀ । କେଡେ଼ ଲମ୍ୱ ଲମ୍ୱ. . . ନରମ ନରମ. . . କଳା ଘୁମର କେଶ ମ । ଆଖି ତ ଆଖି ନୁହଁ, ଯେମିତି କାତି । ନୂରିଆଭାଇଙ୍କ ଛାତିକୁ କାଟିପକେଇବ ଲୋ । ନୂରିଆଭାଇ ବି ରାତିରେ ଚନ୍ଦନସାଆନ୍ତଙ୍କ ଖମାର ବାଡ଼ିର ଅମାର ନ ଜଗି, ଲୁଚି ପଳାଇ ଆସିବେ ନୂଆଉଙ୍କ ହାତରୁ କଟା ଘା’ରେ ମଲମ ମାରିବାକୁ ।”

ଆହୁରି ହସ ଉଛୁଳିପଡୁଛି. . . ବଡ଼ମାନେ ବି କାନ ଡେରୁଛନ୍ତି ।

ସୁଲୀ କହୁଛି- “ପହିଲି ରଜରେ ନୂଆ ଶାଢ଼ୀକାଞ୍ଚଲା ପିନ୍ଧି, ପାନ ଖଣ୍ଡେ ଖାଇ ଆଇନାକୁ ଚାହିଁଲେ, ଓଠ ଯିମିତି ଲାଲ୍ ଲାଲ୍ ଦିଶେ, ସେଇମିତି ଓଠ ନୂଆଉଙ୍କର . . . ତା’ ଭିତରେ ଚାଞ୍ଛିଲା ପରି ଦି’ ଧାଡ଼ି ସରୁ ସରୁ ଦାନ୍ତ. . . ହସ ହସ ସବୁବେଳେ । ନୂରିଆଭାଇ ପାଗଳ ହେଇଯିବେ ପରା. . . ।”

କେହି ଜଣେ କହୁଛି- “ତୁ ଏଡେ଼ ନେଫିଡ଼ୀ । ପାରି ହବନି ତତେ । ଆଲୋ ବୁଲି । ତୋର ତ ପାରା ଆଖି । ଅଧିକା କ’ଣ ଦେଖିଲୁ ?”

ବୁଲି କହୁଛି- “ନୂଆଉଙ୍କ କଟୀ ଏତେ ସରୁ ଯେ. . . ଉପରକୁ ଛାତି ଦିଶୁଚି. . . ତଳକୁ ଜଙ୍ଗ ଆଉ ଗୋଡ଼ । ମଝିଟା ଅଛି କି ନାହିଁ. . . ବାରିହେଉନି. . . । ହାତଟା ଦା’ ପରି ବୁଲେଇ ଆଣିଥିଲେ, ଜଣା ପଡ଼ିଥାନ୍ତା- କଟୀ ଅଛି, କି ବାପଘରେ ଛାଡ଼ି ଆସିଛନ୍ତି ! !”

ପୁଣି ହସର ପବନଫଟା ଉଲ୍ଲାସ ।

ସମବୟସୀଙ୍କ ହସର ବତାସ ପିଟି ହେଲା- ଜେଜୀ ଜଣଙ୍କ କାନରେ । ବିରକ୍ତ ହେଇ କହିଲେ- “ଘୋଡ଼ୀ ହେଇଗଲ କିଲୋ ଛତରଖାଇ । ମୁହଁରେ ବାଡ଼ବତା ନାହିଁ । ବାଉରିସାହିର ମୁରବି କ’ଣ ମଶିଣିପଦାକୁ ଗଲେଣି ଯେ. . . ବେମୁରବା ହେଇ, ଏଡେ଼ ହେଁ ହେଁ । ସାଆନ୍ତେ ପରା ନଈପଠାକୁ ଯାଇଛନ୍ତି । ତମ ହସ ଯଦି ତାଙ୍କ ମନକୁ ପାଇଯିବ. . . ସିଧା ଡକେଇ ନେବେ ଉଆସକୁ । ସେଠି, ହାୱାମହଲରେ କଅଁଳିଆ ତକିଆ କୁଣ୍ଢେଇ, କାନ୍ଦୁଥିବ ଲୋ ଥୋବରି ।”

ଉତୁରା ଦୁଧରେ ପାଣି ପଡ଼ିଗଲା ପରି, ସବୁ ଉତ୍‌ଫୁଲ୍ଲତା ଠପ୍ ହେଇଗଲା ହଠାତ୍ । ରହସ୍ୟ କରିଥିବା ବୁଲୀ କଣେଇ କଣେଇ ଚାହିଁଲା- ଏ ପାଚିଲା ବୁଢ଼ୀକୁ । ମନକୁ ମନ କହିଲା- “ସତେ ଯେମିତି ଇଏ ଯୁବତୀ ହେଇନଥିଲା । ମୋ ଉପରକୁ ବିଗୁଡୁଚି. . . ନା, ନିଜ ବଅସ ଉପରେ ରବେଇ ଖବେଇ ହୋଉଚି ବା ! କିମିତି ଦେଖିଲା ହାୱାମହଲ. . . କି କଅଁଳିଆ ତକିଆ ! ମୋତେ କହୁଛି, ନା. . . ନିଜ ଗୋହି ଖୋଳୁଚି. . . !”

ଏହାପରେ ସମସ୍ତେ ନିଜ ନିଜ ଦାୟିତ୍ୱରେ ଲାଗି ପଡ଼ିଲେ । ପରସ୍ପରର ହାତ ବାଣ୍ଟିଲେ, କିନ୍ତୁ ଘର ଭିତରେ ଝର୍କା ପାଖରେ ଆଣ୍ଠେଇ ବସିଥିବା ନୂଆକନିଆଁ କାନରେ ଥରକୁ ଥର ଜେଜୀଙ୍କ କଥା ବାଡେ଼ଇ ହେଲା- “ତମ ହସ ଯଦି ତାଙ୍କ ମନକୁ ପାଇଯିବ, ସିଧା ଡକେଇ ନେବ ଉଆସକୁ । ସେଠି ହାୱା ମହଲରେ କଅଁଳିଆ ତକିଆ କୁଣ୍ଢେଇ, କାନ୍ଦୁଥିବ ଲୋ ଥୋବରି ।”

କ’ଣ ଭାବିଲା କେଜାଣି ନୂଆ କନିଆଁ, ମୁଣ୍ଡରେ ହାତ ଦେଇ, ପଇଡ଼ ମସିଣାରେ ବସିପଡ଼ିଲା- କାନ୍ଥକୁ ଆଉଜି ।

. . . ଚନ୍ଦନସାଆନ୍ତେ ଯୁବତୀ ଝିଅଙ୍କୁ ଉଆସକୁ ଡାକନ୍ତି କାହିଁକି ? ଜେଜୀ ତ କେଉଁ ଗାଁରୁ ବୋହୂ ହେଇ ଏଠିକୁ ଆସିଥିବେ । ସେ କିମ୍ୱା ତାଙ୍କ ପରି ଅନ୍ୟମାନେ ବି ଯୁବତୀ କାଳରେ ସେଠିକୁ ଯାଇଥିବେ । ହାୱାମହଲ ଓ କଅଁଳ ତକିଆର ଅନୁଭବ. . . ତାଙ୍କର ଅଛି, ନା. . . ସେମାନେ ଶୁଣିଛନ୍ତି । ପୁଣି. . . ଚନ୍ଦନସାଆନ୍ତେ ଡାକନ୍ତି. . . ବାଉରିସାହିଆ. . . ନିଜ ଝିଅ ବୋହୂଙ୍କୁ ଛାଡ଼ି ଦିଅନ୍ତି, କାହିଁକି ??

ଏଇ ପ୍ରଶ୍ନ ମନକୁ. . . ଏଇ ବିସ୍ମୟ ଛାତିରେ ।

ବାହାରେ. . . ଆକାଶେ ରୂପେଲି ଆଲୁଅ ଢାଳି ଦେଲାଣି ପୁନେଇଁ ଜହ୍ନ. . . ବାଉରିସାହିର ଦାଣ୍ଡ, ବାରି, ଶାଗକିଆରୀ ଛାତିରେ । ଫଗୁଣ ମାସର ନଈକୂଳିଆ ସୁଲୁସୁଲିଆ ମାଈପବନ ସାଙ୍ଗରେ, ଗାଁ ମୁଣ୍ଡଗହଳ ଆମ୍ୱଗଛର ଶାଖାମାନଙ୍କରେ, କୋଇଲି କେଇଟା ରହି ରହି, ମନ ମତାଣିଆ ଗୀତ ଗାଉଛନ୍ତି- କୁଉ କୁଉ ହେଇ । ବାଉରିସାହିର କାଛଟାପିନ୍ଧା ସାନ ସାନ ଟୋକାଟୋକୀ କେଇଜଣ ବି କୁଉ. . . କୁଉ ହେଇ, ତାଙ୍କ ସହିତ ପ୍ରତିଯୋଗିତା ଆରମ୍ଭ କରିଦେଇଛନ୍ତି ।

ଆଜି ରାତିଟା ରାତି ପରି ଲାଗୁନାହିଁ ଗାଁ ମୁଣ୍ଡ ବରଗଛର ଚଢେ଼ଇ ଗହଣକୁ । ସେମାନେ ଯେମିତି କେଉଁ କାଳରୁ ଏହି ନିରୀହମାନଙ୍କ ଆନନ୍ଦ ଉତ୍ସବକୁ ଅପେକ୍ଷା କରିଥିଲେ । ନିତିଦିନିଆ ଛାତିଜଳା ଯନ୍ତ୍ରଣାରେ, ଚନ୍ଦନ ପ୍ରଲେପର ଅନୁଭବକୁ ଚାହିଁ ରହିଥିଲେ । ବାରମ୍ୱାର ପରଝାଡ଼ି, କିଚିରି ମିଚିରି ହେଇ, ସେମାନେ ଆଜି ସନ୍ଧ୍ୟାରେ ଏମାନଙ୍କୁ ସ୍ୱାଗତ ଜଣାଉଛନ୍ତି ସତେ କି ! ବହୁ ଦୁଃଖରେ ବି ଅନେକ ଶାନ୍ତିରେ ଥିବା ଏହି ମାଟି ମଟାଳର ମଣିଷଦେବତାଙ୍କୁ ସେମାନେ ଯେମିତି ତାଙ୍କ ଶବ୍ଦରେ ବନ୍ଦନା କରୁଛନ୍ତି ।

ତେଣେ ନଈପଠା ବାଲିକୁ ପ୍ରକୃତି ମେଣ୍ଟାଇବାକୁ ଯାଇଥିଲେ- ସରପଞ୍ଚ ଚନ୍ଦନ ସାଆନ୍ତେ । କୂଳରେ ବସି ପଚାରୁଛନ୍ତି- “ପଦିଆ. . . ! ଆମେ କାହିଁକି ରାଜା, ଜମିନ୍ଦାର୍ କି ସାମନ୍ତ ପରିବାରରେ ଜନ୍ମ ନେଉ ??”

ସଙ୍ଗେ ସଙ୍ଗେ ପ୍ରତ୍ୟୁତ୍ପନ୍ନବୁଦ୍ଧି ତୋଷାମୋଦିଆ ପଦିଆ ଉତ୍ତର କରୁଛି- “ଆଜ୍ଞାମାନଙ୍କର ଜନ୍ମ ଆଜ୍ଞା. . . ଇତର ଲୋକେ ମୁଣ୍ଡ ନୁଆଁଇ ଚାଲିବା ପାଇଁ ହେଇଛି । ଆପଣମାନଙ୍କ ଅନୁମତି ବିନା. . . ଗଛଟିଏ ମଧ୍ୟ ପତ୍ର ହଲାଇବାକୁ ସାହସ ନ କରିବାକୁ ଆଜ୍ଞାମାନେ ଜନ୍ମ ନେଇଛନ୍ତି ଆଜ୍ଞା. . . । ଏ ତ ଆପଣଙ୍କ ପିଛିଲା ଜନ୍ମର ପୁଣ୍ୟ ଫଳ ।”

– ଠିକ୍ କହିଛୁ । ତେବେ. . . ବାଉରିସାହିଆ କ’ଣ ହେଇଗଲେ କି ଆଜି ରାତିଟାରେ ? କ’ଣ ଶଣ୍ଡା ଟେକିଲେଣି ? ଭୋଜି କରୁଛନ୍ତି. . . ଆମର ବିନା ଅନୁମତିରେ । ଆବେ ମଧୁଆ. . . ! ପିମ୍ପୁଡ଼ିମାନଙ୍କୁ ରୁଖାକୁ ଉଠି ସ୍ୱର୍ଗ ଦେଖିଲା ପରି ଲାଗୁଛି । କ’ଣ କରିବା ?

. . . ଆଜ୍ଞା, ଧାଡ଼ିଏ ଦି’ଧାଡ଼ି ନୁହେଁ, ତାଙ୍କ ମଳାକୁ ପାଦରେ ମଳିଦେବା । ଖାଲି ଇସାରା ଦିଅନ୍ତୁ ନା. . . ।

ତେଲପିଆ କାଳିଆ ଠେଙ୍ଗାଟାକୁ ଧରି, ଠିଆ ହେଇପଡ଼ିଲା- ଡେଙ୍ଗା ଉଧବା ଛଇଛାଡ଼ିଆ. . . ଗୋଲିଆ । ତା’ ଜିନ୍‌ପ୍ୟାଣ୍ଟର ଗୁପ୍ତ ପକେଟ୍ରୁ ଛୁରୀଟାଏ ବାହାର କରି, ଟିପି ଦେଲା ତା’ ବୋତାମ । ଖଟ୍ କରି ଫୁଟେ ଲମ୍ୱାର ଚକମକିଆ, ଲହଲହକା ଦି’ଧାରୁଆ ଗୁପ୍ତ ଛୁରୀଟାଏ ବାହାରିପଡ଼ିଲା ପଦାକୁ । ଶଙ୍କରା ଗୁଣ୍ଡା ଉଠିପଡ଼ି, ତା’ ବଳିଷ୍ଠ ବାହୁ ଦୁଇଟିକୁ କହୁଣି ପାଖରୁ ନବେ ଡିଗ୍ରୀ କୋଣରେ ଅବସ୍ଥାପିତ କରି, ନିଃଶ୍ୱାସ ବନ୍ଦ ରଖି, ଆଖିକୁ ବଡ଼ ବଡ଼ କରି, ଯୋଡ଼ିଏ ହାତମୁଠାକୁ ଦୃଢ଼ କରିଦେଲା । ଛାତିରେ, ପିଠିରେ, ବାହୁରେ, ମୁହଁରେ, ପେଟରେ ଓ ଜଙ୍ଘରେ. . . ମାଂସପେଶୀ ଗୁଡ଼ା ହାବୁକୁ ହାବୁକୁ ହେଇ ପଦାକୁ ପିଚିକିପଡ଼ିଲେ ।

ଚନ୍ଦନ ସାଆନ୍ତେ କାହାକୁ “ଧର” କହିଲେ, ଏମାନେ “ବାନ୍ଧି” ଆଣନ୍ତି, “ମାରୁ” କହିଲେ, ମାଟି କାମୁଡ଼ିବା ଯାଏ ମାଡ଼ ଚଢ଼ାନ୍ତି । “ସଫା” ବୋଲି କହିଲେ- ଲାଶ୍‌ର ଅତାପତା ମିଳେନା ।

ପଦିଆ, ମଧୁଆ, ଉଧବା, ଗୋଲିଆ ଓ ଶଙ୍କରା. . . ଏମାନେ ପଞ୍ଚସଖା । ଯୁଗେ ଯୁଗେ ଶ୍ରୀକୃଷ୍ଣଙ୍କ ସାଥିରେ ତାଙ୍କର ଲୋକହିତକାରୀ ପଞ୍ଚସଖାଙ୍କ ପରି, ଚନ୍ଦନ ସାଆନ୍ତେଙ୍କ ପରି ଏ ଯୁଗର ମହାପୁରୁଷଙ୍କ ସହିତ. . . ଏମିତି ପଞ୍ଚସଖା ଭିନ୍ନ ଭିନ୍ନ ରୂପରେ ଆସିଥାନ୍ତି । ଏମାନେ ସମାଜରେ ଅନେକ ଅଶାନ୍ତି ଖେଳାଇଲେ ମଧ୍ୟ ଗୋଟେ ବଡ଼ ଉପକାର କରନ୍ତି । ତାହା. . . ବିଦ୍ରୋହ ଓ ବିପ୍ଳବ । ଏମାନେ ଏହି ଗଛର ମଞ୍ଜି ବୁଣନ୍ତି ଶୋଷିତଙ୍କ ଅନୁର୍ବର ଛାତିରେ । ଛାତି ଦିନେ ଉର୍ବର ହେଇ, ମଞ୍ଜିରୁ ଗଜା କରେ । ଗଜା ଦିନେ ଦ୍ରୁମ ପାଲଟିଯାଏ । ଏହି ଦ୍ରୁମ ସମାଜର ପରିବର୍ତ୍ତନ କରିଦିଏ ।

ଏମାନଙ୍କ ଆଡେ଼ ଚାହିଁଦେଇ, ଚନ୍ଦନସାଆନ୍ତେ ନିଜ ପାଚିଲା ନିଶରେ ବାଁ ହାତ ଆଙ୍ଗୁଳି ସାଉଁଳାଇ ଆଣିଲେ । ପାୱାର ଚଷମାଟା ନାକ ଅଗକୁ ଖସି ଆସୁଥିଲା ଯେ. . . ସେ ତାକୁ ଭ୍ରୁଲତା ଆଡ଼କୁ ଟେକି ଦେଇ, ମାଡ଼ି ଚାଲିଲେ- ବାଉରିସାହି ଆଡେ଼ । କ’ଣ ହେଇଗଲେଣି କି ସେମାନେ ? ଆମ ବାପା. . . ଗୋସାପ ଅମଳର ପରମ୍ପରାକୁ ଭାଙ୍ଗି ଦେଲେଣି । ଖୁବ୍ ତ ସାହସ ।

ଯାଉ ଯାଉ କହୁଥାନ୍ତି- ଆମେ ରାଜା ଜମିନ୍ଦାର ବଂଶର ରକ୍ତ !

ଆମେ ଭଲ ଭାବରେ ଜାଣ-ଇଂରେଜମାନେ ଶିକ୍ଷା, ସ୍ୱାସ୍ଥ୍ୟ, ସରବରାହ ଓ ଛାପା କାର୍ଯ୍ୟକୁ ଯଦି ଯେତେ ସମ୍ଭବ ସଙ୍କୁଚିତ କରିଦେଇଥାନ୍ତେ. . . ଏ ଦେଶର ଲୋକଙ୍କୁ ବାହାର ଦେଶରେ ପଢ଼ିବାର ସୁଯୋଗ ଦେଇନଥାନ୍ତେ. . . ଆହୁରି ଦୁଇ ଅଢେ଼ଇଶହ ବର୍ଷ ଭାରତକୁ ଲୁଣ୍ଠନ କରିବାରେ, ତାଙ୍କୁ କେହି ବାଧା ଦେଇପାରି ନଥାନ୍ତା । ଏମାନେ ବାହାରକୁ ଗଲେ, ଶିକ୍ଷିତ ହେଲେ, ସମ୍ୱାଦ ପତ୍ର ପଢ଼ିଲେ, ଆନ୍ତର୍ଦେଶୀୟ କ୍ଷେତ୍ରରେ ଯେଉଁ ପରିବର୍ତ୍ତନର ସୁଅ ଛୁଟିଥିଲା, ତାକୁ ବୁଝିଲେ. . . ନିଜ ଦେଶରେ ଛାପାଖାନା କରି, ସରକାର ବିରୋଧୀ ଲେଖାମାନ ପ୍ରକାଶ କଲେ, ଗମନାଗମନର ସୁବିଧାର ସୁଯୋଗ ନେଲେ. . . ତେବେ ସିନା ଇଂରେଜଙ୍କ ବିରୋଧରେ ଆନ୍ଦୋଳନ ବଢ଼ିଗଲା । ନା କ’ଣ କହୁଚୁରେ ଗୋଲିଆ ??

– ଆଜ୍ଞା, ସାଆନ୍ତେଙ୍କ ଚିନ୍ତାଧାରାର ତୁଳନା ନାହିଁ । ମୁଁ କଲେଜ୍‌ରେ ପଢ଼ିଲାବେଳେ, ଆମ ହିଷ୍ଟ୍ରୀ ଅଧ୍ୟାପକ ବି ଏଡେ଼ ଗଭୀର କଥା କହି ନ ଥିଲେ । ଶଳା ମୂର୍ଖଟା ।

ଚନ୍ଦନ ସାଆନ୍ତେ କହିଲେ- ଇଂରେଜମାନେ ଏମାନଙ୍କ ଆଖି ଖୋଲି ଦେଲେ ଯେମିତି, ଦେଶରୁ ତଡ଼ା ଖାଇଲେ ସେମିତି । ଶଃ ! ତମେ ତ ଗଲ ଗଲ. . . ଆମ ହାତରୁ ବି ପୁରୁଷ ପୁରୁଷର ଜମିନ୍ଦାରୀ-ରାଜକି ଯିବାର ବାଟ ଖୋଲିଦେଲ । କେବଳ ଦୂରଦୃଷ୍ଟିର ଅଭାବ ପାଇଁ ଦେଶଟା ସ୍ୱାଧୀନ ହେଇଗଲା. . . କଲେ ଇଂରେଜ । କି ଚତୁର ଜାତି ଏମାନେ ! . . . କିନ୍ତୁ ତାଙ୍କର ସେମିତିକା ଭୁଲ୍ ଆମେ କରି ବସିବା ତ. . . କ’ଣ ଘଟିବରେ ପଦିଆ ??

– ଆଜ୍ଞା ଆଜି ଲେଙ୍ଗଟା ମାରି, ଖରାତରା, ଶୀତକାକର ଆଉ ତମାମ୍ ବର୍ଷା ଦାଉକୁ ଖାତିର ନ କରି, ବାଉରିସାହିଆ ଆମ ବିଲବାରିରେ ଖଟୁଛନ୍ତି. . . କାଲି ପ୍ୟାଣ୍ଟ୍‌କୋର୍ଟ ପିନ୍ଧି, ଆମ ମୁହଁକୁ ଅଇଁଠା ଧୂଆଁ ଫୋପାଡ଼ିବେ ।

ଆଉ କିଛି ଆଲୋଚନା ପୂର୍ବରୁ, ସମସ୍ତେ ପହଞ୍ଚିସାରିଥାନ୍ତି- ଭୋଜି ପ୍ରସ୍ତୁତିର ଖନ୍ଦାଶାଳ ପାଖରେ । ଘଡ଼ଘଡ଼ି ପରି ଗର୍ଜନ କରି, ପଦିଆ ପଚାରିଲା- “ଆବେ ଶଃ ! କି ପାଲା ଲଗେଇଛ ଏଠି । ସାଆନ୍ତଙ୍କୁ ପଚାରିଥିଲ । ଭୋଟ୍ ଦେଇ, ସରପଞ୍ଚ କରିଛ ପରା ।”

ରାଧୁଆବୁଢ଼ା କହିଲା- “ଆଜ୍ଞା ଆପଣେ ତେମେ. . . ଆମ ବିଶିଆଙ୍ଗୁଳିରେ କାଳିଦାଗ ଦେଇଥିଲେ । ଭୋଟ୍ କ’ଣ. . . ଆମେ ତ ଦେଇନାହୁଁ । ସେଇ କ’ଣ ଭୋଟ୍ ?”

ଗୋଲିଆ କହିଲା- “ଶଃ, ଗଣ୍ଡ ମୂର୍ଖଟେ । ସେତିକି କାମ ତମ ସାହି ଲୋକଙ୍କ ପାଇଁ ଦରକାର ଥିଲା । ତମେ ତ କୋଡ଼ି କୋଦାଳ, ଗଇଁତି. . . କି, ଲଙ୍ଗଳ-କଣ୍ଟି, ମଇ-ପାଞ୍ଚଣ ଧରିବା ଲୋକ । ବାଲାଟ୍ ପେପର୍ କି ରବର୍ ସିଲ୍, ଧରିବା କାମ ତମ ଦ୍ୱାରା ହୁଅନ୍ତା ନାହିଁ । ସେ କାମ ଆମର ଥିଲା । ତମ ପାଇଁ ସେ କାମ ଆମେ ଶେଷ କରିଦେଲୁ । ତମମାନଙ୍କ ପାଇଁ ସାଆନ୍ତେ ସାତଥର ସରପଞ୍ଚ ହେଲେଣି. . . ଲାଗ୍ ଲାଗ୍ । ସବୁଥର ତମେ ସବୁ ଏମିତି ଏମିତି ଭୋଟ୍ ଦେଉଛ, ନା ଆଜି ନୂଆ । . . . ସାଆନ୍ତେ ଆମ ଲୋକ ପ୍ରତିନିଧି । ଲୋକେ ତାଙ୍କୁ ଆସନରେ ବସେଇଛନ୍ତି. . . ତାଙ୍କୁ ପଚାରି ଯାହା କରିବେ । ତମେ ଶଃ, ଡ୍ୟାସ୍ ବୋଲି ଖାତିର୍ କଲ ନାହିଁ । ନ ପଚାରି କାହିଁକି ଭୋଜି କଲ ବେ ?”

ଠେଙ୍ଗାଟାକୁ ଧୂମ୍‌କରି ମାଟିରେ କଚାଡ଼ି ଦେଇ ଉଧବା କହିଲା- “ଏଇଟା ସାଆନ୍ତଙ୍କୁ ଅପମାନ । କିଏ ତମକୁ ମତେଇଛି, ବେ ? ଡାକ ତାକୁ. . . !”

କ୍ଷୀରିହାଣ୍ଡିର ଲମ୍ୱ ଖଡ଼ିକାଟା ରାନ୍ଧୁଣିଆ ହାତମୁଠାରେ ସ୍ଥିର ହେଇ ରହିଗଲା । ଓଲି ପିଆଜଟା ଦରଫାଳ ହେଇ, ପନିକି ଧାରରେ ରହିଗଲା ଯେ. . . କଟାଳି ତଟସ୍ଥ । ଅହିଆକୁ ଜାଳ ପେଲୁଥିଲା ଚଉରାଶିଆ. . . ହାତ ଜାଳକୁ ଧରିଛି, ଭୟ ଜଡ଼ିତ ଆଖି ଉଧବାକୁ ଚାହିଁଛି । ମାଇପେ ସବୁ ଓଢ଼ଣା ଖସାଇ, ମୁଣ୍ଡ ତଳକୁକରି, ନାଲିନୀଳ ପାଣିକାଚପିନ୍ଧା, ଚିତାକୁଟା ହାତଗୁଡ଼ିକ ଝୁଲାଇ ଦେଇଛନ୍ତି- ପାଦ ଆଡ଼କୁ । ବୁଲୀ ଓ ସୁଲୀଙ୍କ ପରି ଚାରି ଛଅଟା ବଢ଼ିଲା ଝିଅ

. . . ସାଆନ୍ତଙ୍କ ମୁଛ ଆଡେ଼ ଚାହିଁ ଦେଲାକ୍ଷଣି, ଜେଜୀଙ୍କ ଆକଟ ମନେ ପଡ଼ିଯିବାରୁ, ପାଦ ଯୋଡ଼ି ଦେଇ, ଆଣ୍ଠୁ ସନ୍ଧିରେ ମୁହଁ ଜାକି ଦେଇ, ବସି ରହିଲେ. . . ଯେ ଯେଉଁଠି ଥିଲେ ।

କେଉଁ ପୁରୁଷର ଜମିଦାରଙ୍କ ଅଣନାତି କି ପଣନାତି ଚନ୍ଦନ ସାଆନ୍ତେ । ସେ ଆମର ଆଦର୍ଶ ସରପଞ୍ଚ । କାହାର ସାହସ ଅଛି- ତାଙ୍କ ସାମ୍ନାରେ ସଳଖ ହେଇ ଠିଆ ହେବ. . . କି ଆଖିରେ ଆଖି ମିଶେଇ ଚାହିଁବ ??

ଭଗିଆବୁଢ଼ା ବାଉରି ସାହିର ମୁରବି ।

ହାତଯୋଡ଼ି କହିଲା- “ଆଜ୍ଞା. . . ଆପଣ ସାଆନ୍ତେଙ୍କ ନାଗମୂଲିଆ, ବାପ-ମା’-ଛେଉଣ୍ଡ ନୂରିଆର ବାହାଘର । ତୋଳା କନିଆ, ତାରି ଘରେ ବଇଚି । ଆମେ ଭାବିଲୁ- ନୂରିଆ ସାଆନ୍ତଙ୍କ ଅନୁମତି ଆଣିଥିବ ।”

ଚନ୍ଦନସାଆନ୍ତେ ତାଙ୍କ ଜେଜେ ଅମଳର ସିଂଘ ବାଡ଼ି ହଲେଇ ହଲେଇ ପଚାରିଲେ ପଦିଆକୁ – “ନୂରିଆ ତ ଆଜି ସକାଳେ ଆମ ବୋଝେଇ ଟ୍ରକ୍ ସହିତ ସହର ମଣ୍ଡିକୁ ଯାଇଥିଲା, ଧାନ ମପାଇବାକୁ । ସେଠୁ ଆଣିଥିବା ଟଙ୍କା ଆମକୁ ଦେଇ, ଏବେ ଆମ ଖମାର ବାଡ଼ିରେ, ଟ୍ରକ୍‌ରେ ଧାନ ବସ୍ତା ଲଦୁଥିବ. . . ପୁଣି ଯିବ ମଣ୍ଡିକୁ । ତାହାର ବାହାଘର ? ଆମେ ଜାଣିଲୁ ନାହିଁ ! ଆମ ସାଙ୍ଗରେ ଚାଲାକି ! !

ପଦିଆ ଚାଟୁବାଣୀ ଶୁଣାଇଲା- “ଆଜ୍ଞା, ପୋକ ମାଛିଙ୍କ ବାହାଘରେ କ’ଣ ବାଜା ବାଜେ, ରୋଷଣି ହୁଏ ? ଇଏ ବି ସେମିତି । ୟା’ଙ୍କର ବାହାଘର ଯାହା. . . ପାଗଯାଗରେ ହାଣ୍ଡି ବଦଳାଇବା ସେୟା । ବଣରେ ମଲ୍ଲୀ ଫୁଟିଲେ କ’ଣ ଆଜ୍ଞା ବାସ୍ନା ଲୁଚିକି ରହିବ । ମୂଳରୁ ଯଦି ଲତାକୁ ଉପାଡ଼ି ଦିଆଯାଏ. . . ଫୁଟୁଥାଉ କି ମଲ୍ଲୀ ଫୁଟିବ ନୂରିଆ ଅଗଣାରେ ।”

ଚନ୍ଦନ ସାଆନ୍ତେ ଗମ୍ଭୀର ହେଇଗଲେ ।

ପୁଣି କହିଲା ପଦିଆ- “ଆଜ୍ଞା ମୁଁ ଭାବୁଛି. . . ଆପଣ ନୂରିଆକୁ ଅତି ବିଶ୍ୱାସକୁ ନେଇଛନ୍ତି ବୋଲି. . . ତା’ର ଅହଂକାର ବଢ଼ିଗଲାଣି । ଆପଣ ଖାଲି କହନ୍ତୁ- ତା’ର ସବୁ ଅହଂକାର ଧୋଇ ଦେବାକୁ, ଆମେ ପଞ୍ଚସଖା ଅଛୁ ନା । ନୂରିଆର ଏଡେ଼ ସାହସ-ସାଆନ୍ତଙ୍କ ଅନୁମତି ନ ନେଇ, ବାହା ହେବ । ଗାଁ ଦାଣ୍ଡରେ ଭୋଜି କରିବ । ଏ ଗାଁ ଦାଣ୍ଡ କାହା ଚଉଦ ପୁରୁଷର ବେ ! . . . ସାଆନ୍ତଙ୍କ ଜେଜେସାଆନ୍ତଙ୍କ ଅମଳରୁ, ଏ ଗାଁ. . . ପଞ୍ଚାୟତ. . . ଏ ଖଣ୍ଡମଣ୍ଡଳ. . . ତାଙ୍କରି ବଂଶର ରାଜିକୀର । କ’ଣ ଭାବିଲାଣି ଏ ନୂରିଆ ??”

ବାଉରିସାହିର ପୁରୋହିତ ନଣ୍ଡା ଦାସକୁ ଲାଗିଲା- ଆଉ ଟିକକୁ ଭୋଜି ଫୋଜି ମାଟିରେ ମିଶିଯିବ । କୌଣସି ମତେ ଚନ୍ଦନସାଆନ୍ତେଙ୍କ କୋପ ଶାନ୍ତ କରିବାକୁ ହେବ । ହାତ ଯୋଡ଼ିଦେଇ କହିଲା-

“. . . ସାଆନ୍ତେ ! ଅରକ୍ଷକୁ ରକ୍ଷା କରିଛନ୍ତି. . . ତା’ ବାପ ମା’ ମଲା ଦିନରୁ । ଆପଣଙ୍କୁ ନ କହି, ନୂରିଆ ବାହାହେବ. . . କି ତୋଳାକନିଆଁ ଆଣି ଘରେ ରଖିବ. . . ଏଡେ଼ ସାହସ ତା’ର କାହିଁ ଆଜ୍ଞା । ପୁଣି. . . ସେ ବାହା ହେଇଛି କି । ତା’ ପାଇଁ ଜାଣି, ଆଉ କିଏ ବାହା ହେଇଚି । କାମ ଚାପରେ ନୂରିଆ ଆପଣଙ୍କୁ ସବୁ କଥା କହିବାକୁ ବେଳ ପାଇନଥିବ । . . . ମୁଁ ତାକୁ କହିଛି ଆଜ୍ଞା- କନିଆଁ ତ ଥରେ ବେଦୀରେ ବସି, ହସ୍ତଗଣ୍ଠି ପଡ଼ି, ବାହା ହେଇ ସାରିଛି । ସେ ଯୋଉ ବର ହେଉ । ତୁ ହ, କି ଆଉ କିଏ ? ଆଉ ଗୋଟେ କି ବେଦୀବାହାଘର ? ଖାଲି ସାଆନ୍ତେ ଆପଣ ଥରେ କନିଆଁକୁ ଦେଖି ଦେଇ, ଅନୁମତି ଦେଇ ଦେବେ ତ. . . ବାହାଘର ଶେଷ୍ । ମୁଁ ଦୁହିଁଙ୍କୁ ଫୁଲମାଳ ଧରେଇ ଦେବି ।”

ନୂଆ କନିଆଁକୁ ଦେଖିବା ପ୍ରସ୍ତାବ ଶୁଣି. . . ସାଆନ୍ତଙ୍କ ନାଲି ଆଖି ଧଳା ପଡ଼ିଆସିଲା । ଖର ନିଶ୍ୱାସ ନରମ ହେଇଗଲା, ତଥାପି କହିଲେ- “ଆବେ ନଣ୍ଡା ! ତୁ କି ପୁରୋହିତ ବେ । କିଛି ନ ଜାଣି, ନ ଶୁଣି, ଦେଖିବି କେମିତି ? ଖୋଲି କି କହ-ବ୍ୟାପାର୍ କ’ଣ ?”

– ଆଜ୍ଞା, ଝିଅଟାର ହସ୍ତଗଣ୍ଠି ପଡ଼ିସାରିଲା ପରେ, ତା’ ଶିକ୍ଷିତ-ମଦୁଆ ବର ତାକୁ ଜୋର୍ ଜବର୍ଦସ୍ତ ବେଦୀରୁ ଉଠାଇ ନେଇ, ମଦୁଆ ସାଙ୍ଗମାନଙ୍କ ସାଥିରେ ନଚେଇ ମଚେଇ, ଥକେଇ ପକେଇଲା । ଏ ତ କଟକ-କଲେଜ୍ ପଢୁଆ, ଶିକ୍ଷିତ ଝିଅ । ବରକୁ ଦି’ଚାରି ଗୋଇଠାବିଧା ମାରି, କାନ୍ଦି କାନ୍ଦି ଧାଇଁ ପଳାଇଲା- ନଈରେ ବୁଡ଼ି ମରିବାକୁ । ମଦୁଆଟା ସାଙ୍ଗରେ ଜୀବନ ବିତାନ୍ତା କେମିତି ?”

. . . ସେଇଠୁ ?

– ମଣ୍ଡିରେ ଧାନ ମପେଇ, ନୂରିଆ ଟ୍ରକ୍‌ରେ ଫେରୁଥିଲା ସହରରୁ । ପେଟ କାଟିଲାରୁ ତା’ ଠେଙ୍ଗାଟିକୁ କୂଳରେ ଥୋଇ ଦେଇ, ଅତଡ଼ା ସନ୍ଧିରେ ଦୁଇ କରୁଥିଲା । ପଛପଟ ନଈରେ ଝାକ୍ କିନା ଶବ୍ଦ ହେବାରୁ, ବୁଲିପଡ଼ି ଦେଖିଲା- ଏ ଝିଅଟା ସୁଅ ମୁହଁରେ ଭାସିଯାଉଛି । ନୂରିଆ ବି ଡେଇଁ ପଡ଼ିଲା ଅଥଳ ପାଣିକୁ । ସୁଅ ମୁହଁରେ ପହଁରି ପହଁରି, ନିଜ ଜୀବନକୁ ପାଣି ଛଡେ଼ଇ, ବିଚାରୀଟାକୁ କାନ୍ଧରେ ଆଣି, କୂଳରେ ପହଞ୍ଚାଇ ଦେଲା, ଆଜ୍ଞା. . . !

ହଠାତ୍ ପଦିଆ କହିଲା- “ଆବେ ! ମରଣ ମୁହଁରୁ ନୂରିଆ ବଞ୍ଚାନ୍ତା ନାହିଁ, କ’ଣ ତୁ ବଞ୍ଚାନ୍ତୁ ? କାହା ପାଖେ ପାଖେ ବାପ-ମା’ ମଲା ଦିନରୁ ରହିଛି- ନୂରିଆ । ସାଆନ୍ତଙ୍କ ପାଖରେ, ନା । ସାଆନ୍ତଙ୍କ ପରି ବୀର ପୁରୁଷଙ୍କ ଛାୟାରେ ଯିଏ ବଞ୍ଚିଛି, ହିମ୍ମତ୍ ତାଙ୍କରି ପରି ହେବ, କି ନାହିଁ ! ବାଘ ପାଟିରୁ ବାର୍ହା ଫଡ଼ିଆ ଝିଙ୍କି ଆଣିବ ପରା । ବେଳ ଥିଲା. . . ସାଆନ୍ତଙ୍କ ହାତରେ ବନ୍ଧୁକ ଦେଖିଲେ, ବଣର ହରିଣ ସବୁ ମୂର୍ଚ୍ଛା ଯାଉଥିଲେ । ବାଘ ସିଂହ ଜାବନ ବିକଳରେ ଧାଇଁ ପଳାଉଥିଲେ । ଥରେ ସାଆନ୍ତେ କଲିକତାର ଖିଦିର୍‌ପୁର ଚିଡ଼ିଆଖାନା ବୁଲିବାକୁ ଯାଇଥିଲେ । ଆମ ଏଠିକା ଜଙ୍ଗଲରୁ ଧରାଯାଇଥିବା ବାଘୁଣୀଟିଏ ସେଠି ଥିଲା । ସାଆନ୍ତଙ୍କୁ ଦେଖିଲା କ୍ଷଣି ସେ ମୂର୍ଚ୍ଛା ହେଇଗଲା । ତା’ ପୁଅ ନିଶ ଫୁଲେଇ, ଗର୍ଜନ କଲା ତାର-ବାଡ଼ ଆରପାଖରେ । ସାଆନ୍ତେ ବି ନିଶ ମୋଡ଼ିଲେ । ଜବରଦସ୍ତ ଗେଟ୍ ଖୋଲି ପଶିଗଲେ ବାଘ ସଫାରିକୁ । ତା’ କାନ ଧରି ଉଠ୍ ବସ୍ କଲେ, ଉଠ୍ ବସ୍ କଲେ, ଉଠ୍ ବସ୍ କଲେ ଯେ. . . ଆଉ ସବୁ ବାଘ ବାଘୁଣୀ ତାଙ୍କ ପାଇଁ ତିଆରି ହେଇଥିବା ଗୁମ୍ଫା ଭିତରକୁ ପଶିଗଲେ । ନୂରିଆ ଠେଇଁ ଗଭୀର ନଈକୁ ଡେଇଁ, ଯୁବତୀ-ଝିଅକୁ ବେଞ୍ଚଇବାର ସାହସ, ଆସିଲା କେଉଁଠୁ. . . ?”

. . . ଆଜ୍ଞା, ସାଆନ୍ତଙ୍କ ଠାରୁ ।

– ଆଉ, ଶ ! . . . ନୂରିଆ କ’ଣ ବେଞ୍ଚଇଲା ?

. . . ସାଆନ୍ତେ ବେଞ୍ଚଇ ଦେଲେ ଆଜ୍ଞା. . . ।

ଚନ୍ଦନ ସାଆନ୍ତେ ମୁହଁ ଖୋଲିଲେ- ଏବେ, ତା’ପରେ କ’ଣ, କହ ।

ତା’ପରେ

ଲୋକପ୍ରିୟ ଲେଖା

To Top