ଗଳ୍ପ

ମୁହୂର୍ତ୍ତକର ଦେଖା

Godabarisha Mohapatra's odia story Muhurttakar Dekhaa

କିଛି ନାହିଁ ତ ନ ଥାଉ । ଯାହା ଦେଲ ମତେ ଲକ୍ଷେ ଟଙ୍କା ।

ମୁହୂର୍ତ୍ତକର ଦେଖା

(୧)

ଥରେ ମାତ୍ର ଦେଖା, ତା’ ପୁଣି ମୁହୂର୍ତ୍ତକ ପାଇଁ ।

ସେଦିନ ବଡ଼ ଖରା । ଆକାଶରୁ ନିଆଁ ବର୍ଷା ହେଉଥିଲା । ରସମୟୀ ପୃଥିବୀ ତା’ର ଶୁଷ୍କ ବୁକୁ ଦେଖାଇ ତତଲା ପବନ ଭିତରେ କେବଳ ହାହାକାର କରୁଥିଲା । ସେହି ନିର୍ଜନ ମୁହୂର୍ତ୍ତରେ କେବଳ ମୁହୂର୍ତ୍ତକ ପାଇଁ ତା’ ସହିତ ମୋର ଦେଖା ହୋଇଥିଲା ।

ଏ ଜନ୍ମରେ କିଏ କାହାର ପରିଚିତ ନ ଥିଲୁ । ସେ ଥିଲା କେଉଁ ଦୂର ମଫସଲର, ମୁଁ ସହର ଭିତରର ଜୀବ । ସେ ଚାଲିଥିଲା ପାଦରେ, ମୁଁ ଥିଲି ମୋର କ୍ଷୁଦ୍ର ଯାନ ଦେହରେ । ଏତିକିବେଳେ ତା’ ସହିତ ମୋର ଦେଖା, ତା’ ପୁଣି ମୁହୂର୍ତ୍ତକ ପାଇଁ ।

(୨)

ବ୍ରହ୍ମପୁରଠାରୁ ବଡ଼ଖେମୁଣ୍ଡି ରାସ୍ତାରେ ଗଲାବେଳେ ବାମ ଦିଗରେ ଯେଉଁ ଘନ-ତରଙ୍ଗିତ ରୁକ୍ଷ-ଗିରିଶ୍ରେଣୀ ଦେଖାଯାଏ, ତାହାରି ପାଦଦେଶରେ କୌଣସି ଏକ ଅଖ୍ୟାତ କ୍ଷୁଦ୍ର ପଲ୍ଲୀରେ ମୋର ଏ କ୍ଷଣ ପରିଚିତ ବନ୍ଧୁଙ୍କ ଘର । କଠୋର ଗିରିଶ୍ରେଣୀ କେତେ ଯୁଗରୁ ଯେ ସେ ପାଖେ ମୁଣ୍ଡଟେକି ଠିଆ ହୋଇଛନ୍ତି, ସେ କଥା ମାନବର ଇତିହାସ ଏ ପର୍ଯ୍ୟନ୍ତ କହିପାରି ନାହିଁ । ନିତାନ୍ତ ରୁକ୍ଷ ଗିରିମାଳା । – ସେଥି ଉପରେ ଗଛପତ୍ର ସୁଦ୍ଧା ଉଠିବାକୁ ବର୍ଷରେ ଛଅ ମାସ ସାହସ କରିପାରନ୍ତି ନାହିଁ । ସେହି ସ୍ଥାନକୁ ଆଶ୍ରାକରି ମନୁଷ୍ୟ ସେଠି ଘର ତୋଳିଲା । ତାକୁ ପୁଣି ଚାହିଁ ମନୁଷ୍ୟ ସେଠି ବଞ୍ଚିଲା । କୋମଳ ପ୍ରାଣ ମନୁଷ୍ୟକୁ ଏହି ଗିରିଗୁଡ଼ାକ ନିଷ୍ଠୁର ହେବାକୁ ଆଦର୍ଶ ଦେଖାଇ ନାହାନ୍ତି ବୋଲି କିଏ କହିବ ?

(୩)

ମୁହୂର୍ତ୍ତକର ବନ୍ଧୁ ମୋର । ହାଡ଼ ଦେହରେ କେବଳ ଚର୍ମ ଆବରଣଟିଏ ରଖି ସେ ଆସି ଠିଆ ହେଲା । ବଡ଼ଘରର ବଡ଼ଲୋକର ଛାଞ୍ଚ ତା’ ମୁହଁ ଗଠନରେ ଦିଶି ଯାଉଥିଲା । ତା’ର ଚାହାଣି ଭିତରେ କୌଣସି ବିସ୍ମୃତି ସୌଭାଗ୍ୟର ବେଳାଭୂମିର କ୍ଷୀଣ ଫେନରେଖା ମୁଁ ଦେଖିପାରିଲି । ତା’ର ଭିକାରୀର ବେଶ ତଳେ ମାନବିକତାର ଯାଦୁସ୍ପର୍ଶ ମୋତେ ମୁହୂର୍ତ୍ତକ ପାଇଁ ଚମକାଇ ଦେଲା । ସେ ମୋ ଆଡ଼କୁ ହାତ ବଢ଼ାଇ କହିଲା- ବାବୁ !

କ’ଣ କହିବି ଭାବୁଚି, ପୁଣି ତା’ର ମର୍ମ ତଳର କରୁଣସ୍ୱର ଶୁଣିଲି- କିଛି ଦେଇ ପାରିବ ବାବୁ ?

(୪)

ଦୁଇ ପକେଟ୍ରେ ହାତ ପୁରାଇଲି । ସେ ଭିତରେ କିଛି ନଥିଲା । ତୁଚ୍ଛା ହାତଟା ପକେଟ୍ରୁ କାଢ଼ି ତା’ର ହାତଟାକୁ ଧରି ପକାଇ କହିଲି- “ଭାଇ, କିଛି ନାହିଁ ।”

ତା’ର ଶୁଖିଲା ଅଧର ତଳେ କୁଆଡୁ ହସ ଟିକେ ନିଗିଡ଼ ପଡ଼ିଲା । ପରିଚିତ ବନ୍ଧୁପରି ମୋ ମୁହଁକୁ ସେ ଚାହିଁ ଦେଇ କହିଲା- “କିଛି ନାହିଁ ତ ନ ଥାଉ । ଯାହା ଦେଲ ମତେ ଲକ୍ଷେ ଟଙ୍କା ।”

ଆଉ କାହାକୁ ସେ ମାଗି ନାହିଁ । ଯାନ ଛାଡ଼ିଦେଲା ।

(୫)

ଦୁଇ ପାଖରେ ଗିରି ଉପରେ ଗିରି । ରାସ୍ତାରେ ନିର୍ମମ ପଥର ଗୁଣ୍ଡି ଉପରେ ଯାନଟା କେବଳ ପଡ଼ିଲା, ଉଠିଲା । ମୋର ମନ ଥରିଲା, ମୋର ଦେହ ଥରିଲା । କେତେବେଳଯାଏ ହୃଦୟ ଭିତରେ ଅବସାଦ ଆସିଲା, ବୁଝିପାରିଲି ନାହିଁ । ହଠାତ୍ ଚମକ ଭାଜିଲା । ହାତ ମୁଠାଟା ଆଖି ପାଖକୁ ଆଣି ଦେଖିଲି- ମୋରି ହାତ, ମାତ୍ର ତାହା ଉପରେ କାହାର ଗ୍ରନ୍ଥିଳ ସ୍ପର୍ଶ ମୋ ମନକୁ କ୍ଷଣକୁ କ୍ଷଣ ଚମକାଇଲା । ଦୂର ଗିରି ଗହଳ ତଳେ ସେହି ଅସ୍ଥି ଚର୍ମସାର କ୍ଷଣକର ବନ୍ଧୁଟି ମୋର ବହୁଯୁଗର ପରିଚିତ ପରି ହାତ ପ୍ରସାରି ଠିଆ ହେଉଛି । ଶୁଣିଲି, ସେହି କ୍ଷଣକର ବନ୍ଧୁ କେବଳ ମୋରି ଆଡ଼କୁ ହାତ ବଢ଼ାଇ କହୁଛି- “କିଛି ଦେବ ?” ସେ ପୁଣି କହୁଚି- “ଯାହା ଦେଲ ଲକ୍ଷେ ଟଙ୍କା !”

(୬)

ଆଖି ଫିଟାଇ ତାକୁ ଦେଖିଲି, ଆଖି ମୁଦି ତାକୁ ଦେଖିଲି । ଦେଖିଲି ତାକୁ ପାହାଡ଼ ତଳେ ଦେଖିଲି ତାକୁ ହୃଦୟ ତଳେ । ଦେଖିଲି ଦୂର ମଫସଲ ଗାଁରେ ସେ ବସିଛି । ସୁନ୍ଦର କୁଟୀର ଖଣ୍ଡିଏ, ତାହାରି ଭିତରେ ଶିଶୁକଣ୍ଠରୁ କଳରୋଳ ଉଛୁଳି ପଡୁଛି । ସେହି ଦୁଆରେ ପଞ୍ଜୁରୀ ଭିତରେ ବଣର ପକ୍ଷୀ ଶୁଆ ମନୁଷ୍ୟର ଦେବତା କୃଷ୍ଣ ନାମ ଗାଉଛି । ଦେଖିଲି ବନ୍ଧୁ ମୋର ଘରେ ବସିଛି, ତା’ ବିଲରେ ସୁନା ଫଳୁଛି । ଗୁହାଳରେ ଗୋମାତାର ସ୍ତନତଳୁ ରସଧାର ସ୍ରବି ବସୁମାତାକୁ ସିକ୍ତକରି ଦେଉଛି । ପାହାଡ଼ର ରୁକ୍ଷ-ତରୁତଳେ ଗଉଡ଼ ପିଲାର ବଂଶୀ ବାଜିଲେ ବନ୍ଧୁ ମୋର ନିତ୍ୟକର୍ମ ଶେଷ କରୁଛି । ତା’ ସୁଖର ସମୁଦ୍ର ତାକୁ କେନ୍ଦ୍ର କରି ଚତୁର୍ଦ୍ଦିଗରେ କଳରୋଳ ସୃଷ୍ଟି କରୁଛି । ସେ ହସୁଛି, ସେ ଖେଳୁଛି, ପଲ୍ଲୀ ସଂସାରକୁ ହୁଏତ ସେ ହସାଉଛି ।

ତା’ପରେ ଦେଖିଲି, ସେହି ମୋର ବନ୍ଧୁ- ସେହି କ୍ଷଣକର ବନ୍ଧୁ ମୋର ମହାଜନ ଦୁଆରେ ଯାଇ ଠିଆ । ସେ ଟଙ୍କା ଧରି ଆସୁଛି, ଟଙ୍କା ସୁଝିବାକୁ ଯାଉଛି, ତା’ କାଖରେ ଛତା, ହାତରେ ଦଲିଲ ଦସ୍ତାବିଜ । ସେ ଚାଲିଛି କଚିରିକି ।

ଦେଖିଲି, ବନ୍ଧୁ ମୋର ଫେରୁଛି ତା’ ପ୍ରିୟ କୁଟୀର ଭିତରକୁ । ପ୍ରିୟ କୁଟୀର ଖଣ୍ଡିକ ତା’ର ହୋଇ ଆଉ ନାହିଁ । ମହାଜନର ପତାକା ତା’ ଚାଳ ଉପରେ ଉଡୁଛି । ବିଲର ଧାନ କରଜା ବାବଦକୁ ବିଲରୁ ସୁଝା ପାଇଛି । ଘରର ମାଲିକ ଏବେ ଘରର ରଇତ ହୋଇଛି ।

ପୁଣି ଦେଖିଲି ବନ୍ଧୁ ମୋର ଚାଲିଛି ଟଙ୍କା ଅରଜି । କାହିଁ ରେଙ୍ଗୁନ, କାହିଁ କଲିକତା ସବୁଠୁଁ ଫେରିଛି ସେ । ତା’ର ଦୃଷ୍ଟି ଆଗେ ଚାରିଟି ପିଲା, ଆଉ ଜୀବନର ସଙ୍ଗିନୀ ।

ଦେଖିଲି, ତା’ର ଲୁଗା ଥିଲା ଲୁଗା ମଇଳା ହେଲା । ମଇଳା ଲୁଗା ଖଣ୍ଡ ଖଣ୍ଡ ହୋଇ ଛିଡ଼ିଗଲା । ଛିଣ୍ଡାଲୁଗା ଗଇଁଠା ହେଲା । ମୁହଁରେ କେବଳ ଦାନ୍ତଗୁଡ଼ିକ ଧରି, ଦେହରେ କେବଳ ଚମ ପରସ୍ତେ ଧରି ସେ ଆସି ମୋରି ଆଡ଼କୁ ହାତ ବଢ଼ାଇ କହିଲା- “କିଛି ଦେବ ? ଯାହା ଦେଲ ଲକ୍ଷେ ଟଙ୍କା ।”

ଚମକି ପଡ଼ି ମୋ ହାତକୁ ମୁଁ ଚାହିଁ ଦେଲି । ଶୂନ୍ୟ ଘର, କେହି କୁଆଡେ଼ ନାହାନ୍ତି । ସେ ଯାନଟା ଚାରିଘଣ୍ଟା ହେଲା କୁଆଡେ଼ ଗଲାଣି । ମାନବ କଣ୍ଠର ଚିତ୍କାରରେ ମୋର ପାଖ ଘରଟା ପୁରି ରହିଛି । ଆଉ, ମୁଁ ମୋ ବିଛଣାରେ ପଡ଼ି ମୋର ସେହି ମୁହୂର୍ତ୍ତକର ଦେଖା ବନ୍ଧୁଙ୍କୁ ଆଉ ଥରେ ଦେଖିବାକୁ ଇଚ୍ଛା କରୁଛି, ମାତ୍ର ସେ ଯାଇ ବହୁଦୂରରେ- ଦଶ ମାଇଲ ଦୂରରେ ଏବେ ।

Click to comment

Leave a Reply

Your email address will not be published. Required fields are marked *

ଲୋକପ୍ରିୟ ଲେଖା

To Top