ଗଳ୍ପ

ମୁଖା

ଏମିତି ପିଲାଟେ ଏବେକା ଜମାନାରେ ମିଳିବା କଷ୍ଟ । ଦେଖୁନୁ ଅଂଶୁକୁ । ହପ୍ତା ଶେଷରେ ଏତେ ଦୂରବାଟ ବସ୍‌ରେ ତୋତେ ଯିବାକୁ ପଡୁଛି ନା. . . ସ୍ତ୍ରୀଲୋକ ହେଇ ତୁ ଯିବୁ ସେ ମିଣିପିଟା ଆସନ୍ତାନି. . . ।

ମୁଖା

ଜନ୍ ଡିସୁଜା କି ପର୍ଣ୍ଣାଡ଼ିଜ୍ ନ ଥିଲା ।

ଜନ୍ମେଜୟକୁ ଶ୍ରୀମୟୀ ସର୍ଟକଟ୍‌ରେ ଜନ୍ ଡାକୁଥିଲା । ପ୍ରଥମେ ପ୍ରଥମେ ସେ ନିଜର ଅସନ୍ତୋଷକୁ ଶବ୍ଦରେ ବା ବାକ୍ୟରେ ପ୍ରକାଶ କରୁଥିଲା ପରେ ପରେ ଆଖି, ନାକ, ମୁଖ ଭଙ୍ଗୀରେ । ଏବଂ ଏଯାବତ୍ ସେ ନିଶବ୍ଦରେ ହିଁ ପ୍ରତିବାଦ କରି ଆସୁଛି । ଜନ୍ ଶବ୍ଦର ଉଚ୍ଚାରଣ ମାତ୍ରକେ ଜନ୍ମେଜୟ ଯେତିକି ଚମକି ଉଠୁନଥିବ ତା’ ଠାରୁ ଅଧିକ ତା’ ଆଖପାଖର ପୃଥିବୀ । କିଛି ନଜର ବାରମ୍ୱାର ପହଁରି ଆସେ ତା’ ମୁଖମଣ୍ଡଳ ଉପରେ ।

ଶ୍ରୀମୟୀକୁ ଖୁବ୍ ମଜା ଲାଗେ ଜନ୍‌ର ସେତିକିବେଳର ଆଚରଣ । ସ୍ଥାନଟା ଯଦି ପବ୍ଲିକ୍ ପ୍ଲେସ୍ ହୋଇ ନଥାନ୍ତା, ସେ ନିଶ୍ଚୟ ଅଲଗା ଭାବରେ ପ୍ରତିରୋଧ କରିପାରନ୍ତା । ବିଚରା. . . କିଛି କହି ହିଁ ପାରେନା । ତା’ ସାଙ୍ଗରେ ଯେ ତା’ର ନୂଆ ନୂଆ ଦୋସ୍ତି । ପୁଣି ଏଇ ବସ୍‌ଷ୍ଟପରେ । ଜନ୍ କାମ କରେ କୋଉ ପ୍ରାଇଭେଟ୍ କମ୍ପାନୀରେ । ଖଟଣି ତୁଳନାରେ ପାଉଣା ବହୁତ କମ୍, ତଥାପି ସେ କାମ କରେ । କାରଣ ତା’ ପାଖରେ କୌଣସି “କିମ୍ୱା” ନଥିଲା । ଶ୍ରୀମୟୀ ସରକାରୀ ଚାକିରୀ କରେ । ଖଟଣି ତୁଳନାରେ କେବେ ପାଉଣାକୁ ଅଧିକ ମନେ କରୁନଥିଲା ଯେ ପର୍ଯ୍ୟନ୍ତ ଜନ୍ ସହ ତା’ର ଦେଖା ହୋଇ ନଥିଲା । ଜନ୍‌ର ଦରମାର ସଂଖ୍ୟା ଶୁଣି ସେ ଆକାଶରୁ ଖସି ପଡ଼ିଥିଲା । ହୁ ହୁ ବଢୁଥିବା ଦରଦାମ୍‌ର ଦୁନିଆଁରେ ସେ ନିଜେ ଚଳି ପରିବାର କେମିତି ଚଳାଉଥିବ । ତା’ର ଆଶ୍ଚର୍ଯ୍ୟ ଭାବ ଦେଖି ସେ ଦିନ ମଧ୍ୟ ସେ ପ୍ରତିବାଦ କରିଥିଲା ଭଦ୍ର ଭାବରେ । ତାକୁ ପାରୁ ପର୍ଯ୍ୟନ୍ତ ବୁଝାଇଥିଲା ଯେ ତା’ଠାରୁ ବି କମ୍ ଦରମା ପାଇ ପରିବାର ଚଳାଉଥିବା ଚାକିରିଆ ଦୁନିଆଁରେ ଅନେକ ଅଛନ୍ତି ।

ଶ୍ରୀମୟୀ ଚୁପ୍ ହୋଇ ଯାଇଥିଲା ବସ୍ ଆସିଯିବାରୁ ଦୁହେଁ ମାଡ଼ି ଯାଇଥିଲେ । ଶନିବାରିଆ ପାଞ୍ଚଟା ପରର ବସ୍ ସବୁରେ କୋଉଠୁ ଯେ ଏତେ ଲୋକ ମାଡ଼ି ଆସନ୍ତି କେଜାଣି । ସମସ୍ତେ କ’ଣ ତାରି ପରି ଜନ୍ ପରି ସପ୍ତାହ ଶେଷର ଅତିଥି ହୋଇ ଘର ଲେଉଟାଣି ବାଟରେ । ଆଶ୍ଚର୍ଯ୍ୟ ହୋଇଯାଏ ସେ । ମହୁଫେଣାର ଖୋପ ପରି ବସ୍‌ର ଅବସ୍ଥା । ନାହିଁ ନ ଥିବା ଭିଡ଼ । ତଥାପି ପାରୁ ପର୍ଯ୍ୟନ୍ତ ଚେଷ୍ଟାରେ ସମସ୍ତେ ବ୍ୟସ୍ତ ।

ସେଠି ଲେଡ଼ିଜ୍ ଜେଣ୍ଟସ୍‌ର ଲିଙ୍ଗ ଭେଦ ନ ଥିଲା । କେବଳ ଗୋଟାଏ ଥିଲା ଲିଙ୍ଗ “ଯାତ୍ରୀ” । ନାଲି ନାଲି କାପିଟାଲ୍ ଲେଟର୍‌ରେ ଲେଡ଼ିଜ୍ ଲେଖା ଥିବା ସଂରକ୍ଷିତ ସିଟ୍‌ରେ କୋଉ ଗୋଟାଏ ଲେଡ଼ିଜ୍ ନଥିଲେ । ସବୁ ପୁରୁଷ । ଶ୍ରୀମୟୀ କହିଦେଲା ଯେ “ଏଇଟା ଲେଡ଼ିଜ୍ ସିଟ୍ ଆଜ୍ଞା. . . ।”

ଯାତ୍ରୀ ଜଣକ ହନୁମାଙ୍କଡ଼ ପରି ଖିଙ୍କାରୀ ଉଠିଲେ । କ’ଣ ଲେଡ଼ିଜ୍, ଜେଣ୍ଟସ୍. . . ଯିଏ ଆଗ ଉଠିଲା ବସିଲା । ଶ. . . ଲେଡ଼ିଜ୍ ଏଇ ରିଜରଭେସନ୍ କରି କରି ତ ଦେଶ ରସାତଳକୁ ଗଲାଣି ସବୁ ଯାଗାରେ ସବୁଥିରେ ଆଙ୍କର ସଂରକ୍ଷଣ. . . । ହଇହୋ. . . ଏତେ ଯଦି ସିଟ୍ ଦରକାର କାର୍ ଭଡ଼ା କରି ସିଟ୍‌ରେ ବସି ଯାଉନ. . . ହ୍ୟାପ୍. . . ଶ. . . ନିଦ ଭାଙ୍ଗିଗଲା ମୋର. . . ।

କିଛି ଉତ୍ସ୍ରକ କାନ ଠେକୁଆ କାନ ପରି ଡେରିଥିଲେ ମଧ୍ୟ ନିରବତାର ମନ୍ତ୍ରରେ ଦୀକ୍ଷିତ ଆଉ କିଛି ଆଖିରେ ପିଇ ଯାଉଥିଲେ ତାଙ୍କର ଅସମ୍ୱିଧାନିକ ଶବ୍ଦାବଳୀ ଆଉ କିଛି ନିଜେ ବଞ୍ଚିଲେ. . . ନ୍ୟାୟରେ ବନ୍ଦୀ ଚିରାଚରିତ ଶଗଡ଼ ଗୁଳାର ଯାତ୍ରୀ । ଶ୍ରୀମୟୀର ଆଣ୍ଠୁ ପ୍ରବଳ ବିନ୍ଧୁଥିଲା ଏବଂ ସେ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଥିଲା ତା’ ପାଇଁ ସେଇ ମୁହୂର୍ତ୍ତରେ ଆବଶ୍ୟକ ହେଉଥିଲା ମୁଠାଏ ବିଶୁଦ୍ଧ ଅମ୍ଳଜାନ ।

ହଠାତ୍ ଜନ୍ ଚିତ୍କାର କଲା । କଣ୍ଡକ୍ଟର ଛାନିଆ ହୋଇ ଧାଇଁ ଆସିଥିଲା । ନିଜ ମୋବାଇଲ୍‌ରେ ଲେଡ଼ିଜ୍ ସିଟ୍‌ର ଫଟୋ ନେଉ ନେଉ କହିଲା ।

– ଦେଖ କଣ୍ଡକ୍ଟର ବାବୁ, ଯଦି ଏ ମହିଳାଜଣଙ୍କର କିଛି ହୁଏ ତୁମେ ଆଉ ତମ ବସ୍‌ର ଅବସ୍ଥା କ’ଣ ହେବ ଦେଖିବେ, ଜଲଦି ଲେଡ଼ିଜ୍ ସିଟ୍ ଫାଙ୍କା କର ନ ତୁବା. . .

ଶ୍ରୀମୟୀ ଆଉ କିଛି ଶୁଣି ପାରୁନଥିଲା । ତା’ ଆଖି ସାମ୍ନାରେ ଧିରେ ଧିରେ ନଇଁ ଆସୁଥିଲା ବହଳ ଅନ୍ଧକାରର ଆସ୍ତରଣ । ସେଇଠି ଠିଆ ଠିଆ ସେ ସଂଜ୍ଞାହୀନା ହୋଇଯାଇଥିଲା । ପଡ଼ିଯିବା ପୂର୍ବରୁ ଜନ୍ ହିଁ ତାକୁ ଧରି ନେଇଥିଲା ।

ସେଇ ଅପ୍ରୀତିକର ପରିସ୍ଥିତିରୁ ହିଁ ଜନ୍ ଓରଫ୍ ଜନ୍ମେଜୟ ସହ ତା’ର ପରିଚୟ । ପୁଣି ସପ୍ତାହ ଶେଷରେ ତା’ର ସେଇ ବସ୍ ଷ୍ଟପ୍‌ରେ ତା’ ସହ ଦେଖା । ଅସହିଷ୍ଣୁ ଭାବରେ କହିଲା, ଦେଖନ୍ତୁ ମାଡ଼ାମ୍. . . ଭିଡ଼ ବସ୍‌ରେ ଆପଣଙ୍କ ଯିବା ବୟସ ଆଉ ନାହିଁ, ଆପଣ ଆଉ. . .

– ଜନ୍. . . ମୃଦୁ ଚିତ୍କାର କଲା ଶ୍ରୀମୟୀ । ଦେଖ ମୋତେ ବିଲ୍କୁଲ୍ ବୁଢ଼ୀ କହିବନି । ଓକେ. . . ଡୋଣ୍ଟ୍ କଲ ମି ବୁଢ଼ୀ. . . । ପ୍ରଥମେ ଆଶ୍ଚର୍ଯ୍ୟ ଏବଂ ପରେ ପରେ ହୋ ହୋ. . . ହୋଇ ହସିଲା ଜନ୍ । ହସିଲେ ପିଲାଟା ବେଶ ପ୍ରାଣ ଉଚ୍ଛୁଳା ଲାଗେ । ତା’ ଚେହେରାରେ ଅନେକ ଫୁଲର ରଙ୍ଗ ଏବଂ ଓଠରେ ଇନ୍ଦ୍ରଧନୁ ।

ହସି ହସି କହିଲା, ୟୁ ଅଲ୍ସୋ ଡୋଣ୍ଟ୍ କଲ୍ ମି ଜନ୍. . . ଆଇ ଆମ୍ ଜନ୍ମେଜୟ . . . ପିଓର୍ଲି ହିନ୍ଦୁ । । ପ୍ଲିଜ୍. . . । ସେ ଯେ ଜନ୍ମେଜୟ ଡାକିବାକୁ ଚେଷ୍ଟା ନ କରିଛି, ସେ କଥା ନୁହେଁ ମାତ୍ର ଅଜାଣତରେ ସବୁବେଳେ ସେ ତାକୁ ଜନ୍ ହିଁ ଡାକି ଆସିଛି । ଆଜିକାଲି ଚେହେରାରେ ତା’ର ଅସନ୍ତୋଷ ପ୍ରକାଶିତ ହେଲେ ମଧ୍ୟ ଶ୍ରୀମୟୀ ନିଜକୁ ସଜାଡ଼ି ନେଇ ପାରିନାହିଁ । ଜନ୍ମେଜୟ ତା’ ପାଖରେ ଜନ୍ ହୋଇ ରହିଯାଇଛି ।

ବାରମ୍ୱାର ଘଣ୍ଟା ଦେଖୁଥିଲା ଶ୍ରୀମୟୀ । ଇତି ମଧ୍ୟରେ ଦୁଇ ତିନୋଟି ଏକ୍ସପ୍ରେସ୍ ବସ୍ ମଧ୍ୟ ପାସ୍ କରିଗଲାଣି ମାତ୍ର ଜନ୍‌ର ଦେଖା ଦର୍ଶନ ହିଁ ନ ଥିଲା । ପିଲାଟା ପାଇଁ ବ୍ୟସ୍ତ ହେଉ ଥିଲା ମନ ତା’ର । ତା’ଠାରୁ ପାଞ୍ଚ ସାତବର୍ଷ ସାନ ହେବ ନିଶ୍ଚୟ । କ’ଣ କରିବ ନ କରିବ ଭାବୁ ଭାବୁ ହିଁ ହଠାତ୍ କାର୍‌ଟେ ତା’ ପାଖରେ ବ୍ରେକ୍ ଦେଇ ଛିଡ଼ା ହେଲା । ପଛକୁ କେଇ ପାଦ ଫେରିଗଲା ପଛ ସିଟ୍ରୁ ଜନ୍ ପାଟି କରୁଥିଲା ।

ମାଡ଼ାମ୍ ଆସନ୍ତୁ. . . ଆସନ୍ତୁ. . . ଏଥର ପ୍ରତି ଶନିବାର ଆପଣ ଏଇ ଗାଡ଼ିରେ ଯିବେ । ପରିଚୟ କରାଇ ଦେଇଥିଲା ତା’ର ଉପରିସ୍ଥ କର୍ମଚାରୀଙ୍କ ସହ । ସାମ୍ନା ସିଟ୍‌ରେ ବସି ଅନେଇଲି ମୁଁ ଜନ୍‌କୁ ।

– ତମେ ଯିବନି ଜନ୍. . . ।

– ନା ନା ମୁଁ ବସ୍‌ରେ ଯିବି, ଆପଣ ଯାଆନ୍ତୁ ।

ଗାଡ଼ି ବସ୍‌ଷ୍ଟାଣ୍ଡ ଛାଡ଼ି ଦଉଡୁଥିଲା ରାଜରାସ୍ତାରେ । ଏ.ସି. କାର୍ ଭିତରେ ସିଗାରେଟ୍ ଟାଣୁଥିଲେ ଜନ୍‌ର ସହକର୍ମୀ । ପ୍ରବଳ ବାନ୍ତି ଲାଗୁଥିଲା । ପରେ ପରେ ମାଇଗ୍ରେନ୍ ପେନ୍ । ଅତ୍ୟନ୍ତ ଅସହ୍ୟ ହେବାରୁ ଶ୍ରୀମୟୀ ଅନୁରୋଧ କଲେ ଝର୍କା ଖୋଲିବା ପାଇଁ । ଭଦ୍ରବ୍ୟକ୍ତିମାନେ ଚିହିଁକି ଉଠିଲେ ।

– ଏଇଥି ପାଇଁ ଆମେ ମନା କରୁଥିଲୁ । ସମସ୍ତଙ୍କର ପ୍ରାଇଭେସି ଅଛି, ଇଚ୍ଛା ଅଛି । ଆଉ କାହା ପାଇଁ ସେ ଇଚ୍ଛାକୁ ଅନିଚ୍ଛା ସତ୍ତ୍ୱେ ଛାଡ଼ିବାକୁ ପଡ଼ିବ । ଡିସ୍‌ଗସ୍ଟିଂ . . . ।

ଲିଙ୍କ୍ ରୋଡ଼ରେ ଓହ୍ଲେଇ ଗଳ ଗଳ ବାନ୍ତି କରି ପକାଇଲା । ସିଗାରେଟର ଗନ୍ଧ ନେସି ହୋଇଯାଇଥିଲା ତା’ ଦେହରେ । ମୁରୁକୁଟିଆ ଗନ୍ଧରେ ସେ ଶ୍ୱାସରୁଦ୍ଧ ହୋଇଯାଉଥିଲା । ଓଃ. . . ଏଇ ଅବସ୍ଥାରେ ତାକୁ ପୁଣି ଚାରିଘଣ୍ଟା ବସ୍‌ରେ ବସିବାକୁ ହେବ ।

ଦୁଇହାତରେ ଦୁଇଟି ବଡ଼ ବ୍ୟାଗ୍ । ଚାଲିବାକୁ କଷ୍ଟ ହେଲେ ମଧ୍ୟ ଭିଡ଼ ଠେଲି ଆଗେଇଲା ଶ୍ରୀମୟୀ । ତା’ ହାତ ବିନ୍ଧୁଥିଲା ରଟ୍ ରଟ୍ । ହଠାତ୍ ପଛରୁ କିଏ ଜଣେ ତା’ ହାତରୁ ବ୍ୟାଗ୍ ଛଡ଼ାଇଲା ।

– ଦିଅନ୍ତୁ ମୋତେ. . . ଏତେ ଓଜନିଆ ବ୍ୟାଗ୍ ଧରି ଚାଲିପାରିବେନି । ପଛରୁ ଜନ୍‌ର ସ୍ୱର । ଶାନ୍ତିରେ ନିଶ୍ୱାସ ମାରିଲା ସେ । ନିଜ ତରଫ୍ରୁ ହସି ହସି କହିଲା, ପୁଅର ରେଡ୍ ଆପଲ୍ ବହୁତ ପସନ୍ଦ ।

କୌଣସି ଶବ୍ଦ ଉଚ୍ଚାରଣ ନ କରି ଜନ୍ କେବଳ ହସିଲା । ଶ୍ରୀମୟୀକୁ ତା’ର ଏ ନିରବ ସ୍ମିତହାସ୍ୟ ଅସ୍ୱାଭାବିକ୍ ମନେ ହେଲା ବସ୍ ଆସି ଯାଇଥିଲା । ଅନେକ କଷ୍ଟରେ ବନେଟ୍ ଉପରେ ସାମାନ୍ୟ ଜାଗା କରି ବସିବା ପାଇଁ ବାଧ୍ୟ କଲା । ସେଇଠି ଗୋଟିଏ ଗୋଡ଼ରେ ଛିଡ଼ା ହୋଇ ରହିଲା ଜନ୍ ତା’ର ଢାଲ ହୋଇ । କଣ୍ଡକ୍ଟରର ଗାଳି ଶୁଣିଲା ପରେ ମଧ୍ୟ ସେ ସାମାନ୍ୟ ହଲ୍‌ଚଲ୍ ହୋଇ ନଥିଲା ।

କଟକରୁ ଦୁହିଁଙ୍କ ରାସ୍ତା ଅଲଗା ହୋଇଯାଏ । ସେ ଚଢ଼େ ନନ୍‌ଷ୍ଟପ୍ ବାଲେଶ୍ୱର ବସ୍‌ରେ ଆଉ ଜନ୍ ସାଲେପୁର ବସ୍‌ରେ । ସାରାରାସ୍ତା ଭାବେ ସେ ନିଜ ପରିବାର ସଂସାରର କଥା । ସାରା ଦେହରେ କ୍ଳାନ୍ତ ଓ ଅବସନ୍ନତା ଖୁନ୍ଦି ଖାନ୍ଦି ଭରି ଯାଇଥିଲେ ବି ତା’ ଆଖିରେ ତା’ର କିଶୋରୀ ଆଖିର ଆନନ୍ଦ । ପ୍ରିୟ ପରିଜନ ପରିବାରକୁ ଭେଟିବାର ଖୁସି । ତା’ ହାତଗଢ଼ା ସଂସାରକୁ ପୁଣି ଥରେ ଆଉଁସି ଦେବାର ଖୁସି ହେଉ ପଛେ ଗୋଟାଏ ଦିନ ପାଇଁ ।

ଜନ୍ ଭିତରେ ବି କ’ଣ ଏଇ ଅନୁଭବ ଥିବ । ଶ୍ରୀମୟୀ କିନ୍ତୁ କେବେ ଦେଖି ନାହିଁ ତା’ ଆଖିରେ ଏଇ ଉଲ୍ଲାସ ଭାବଟିକୁ । କେମିତି ନିର୍ଲିପ୍ତ ଉଦାସୀନତା ସବୁ ଛାଇ ଯାଇଥାଏ ସେ ଆଖିରେ । ଏମିତି ଭାବୁ ଭାବୁ ହିଁ ସେ ଝର୍କା ବାହାରକୁ ଚାହେଁ । ପାଣି କୋଇଲି, ଭଦ୍ରକ, ସୋର୍. . . ତା’ର ଇପ୍ସିତ ସ୍ଥାନର ଦୂରତା କେମିତି ବଢ଼ି ବଢ଼ି ଚାଲେ । ଶେଷରେ ସେ ପହେଞ୍ଚ ତା’ ବସ୍‌ଷ୍ଟପ୍‌ରେ । ରିକ୍ସା ଡାକି ଘରେ ପହେଞ୍ଚ । ଅଂଶୁମାନ ଟି.ଭି. ପର୍ଦ୍ଦାରେ ଆଖି ବିଛାଇ ବସିଥାନ୍ତି ତ ପୁଅ ରୋହନ ଟ୍ୟାବ୍ କି ମୋବାଇଲ୍‌ରେ । ତାକୁ ଦେଖି ପୁଅ ସାମାନ୍ୟ ହସେ ଏବଂ ଲାଗିଯାଏ ପୁଣି ଟ୍ୟାବ୍‌ରେ । ଶାଢ଼ି ବଦଳାଇ ରୋଷେଇ ଘରେ ପଶେ ଶ୍ରୀମୟୀ । ସପ୍ତାହ ଯାକର ଅପରିଚ୍ଛନ୍ନତାକୁ ସଫା କରେ ଏବଂ ଶୋଉ ଶୋଉ ତାକୁ ଲାଗିଯାଏ ରାତି ଗୋଟେ କି ଦୁଇଟା । ସେତେବେଳେ ନିଘୋଡ଼ ନିଦରେ ଘୁଙ୍ଗୁଡ଼ି ମାରୁଥାନ୍ତି ଅଂଶୁମାନ । ସାମାନ୍ୟ ସ୍ୱାର୍ଥପର ମନେ ହେଲେ ମଧ୍ୟ ଶ୍ରୀମୟୀ ହସି ଦେଇ ଭୁଲିଯାଏ । ଅସାତ୍ ହୋଇ ପଡ଼ିଯାଏ ବିଛଣାରେ ଯଦିଓ ତା’ର ହାତଗୋଡ଼ ଅଣ୍ଟା ସାରା ଶରୀର ବିନ୍ଧୁଥାଏ ବସ୍‌ର ଧକଡ଼ ଚକଡ଼ ଅତ୍ୟାଚାରରେ । କେମିତି କଟିଯାଏ ରବିବାରର ସାରାଦିନ । ରୋଷେଇ, ଘରସଫା ଅଳନ୍ଧୁଝଡ଼ା ରୋଷାଇ ସାରି ଖାଇବା ଭିତରେ କଟିଯାଏ ସାରାଦିନ । ପୁଣି ସନ୍ଧ୍ୟାରେ ମାର୍କେଟିଂ । ଫ୍ରିଜ୍‌ରେ ଖୁନ୍ଦିଖାନ୍ଦି ପରିବା ଭର୍ତ୍ତି କରେ ଏବଂ ନିଜ ବ୍ୟାଗ୍‌ରେ ମଧ୍ୟ । ରୋଷେଇଆକୁ ଯଥା ସମ୍ଭବ ବୁଝାଇ ତାରି ଜିମାରେ ଛାଡ଼ି ଦିଏ ଆଗାମୀ ଛଅଦିନ ପାଇଁ । ପୁଣି ଭୋର୍ ପାଞ୍ଚଟାରୁ ସେ ବସ୍‌ରେ ବସେ ।

ଜନ୍ ମଧ୍ୟ ସେଇ ନିର୍ଦ୍ଦିଷ୍ଟ ଫେରନ୍ତା ବସ୍‌ରେ ଉଠେ । ବତିଶା ଦେଖାଇ ହସେ । ଅନେକ ଦିନ ପରେ ଶ୍ରୀମୟୀ ଅନୁଭବ କରେ ଯେ ଜନ୍ କେବଳ ନିର୍ଦ୍ଦିଷ୍ଟ ଭାବରେ ଦୁଇଟି ପ୍ୟାଣ୍ଟସାର୍ଟ ପିନ୍ଧୁଥିଲା ଅଦଳ ବଦଳ କରି । ଥରେ କୌତୂହଳ ବସତଃ ପଚାରିଲା ଶ୍ରୀମୟୀ । ସେ ହସିଲା ନିଶବ୍ଦରେ କୌଣସି ଉତ୍ତର ନ ଦେଇ । ତାକୁ ଭଲ ନ ଲାଗିଲେ ମଧ୍ୟ ଖୁସି ହେଲା ତା’ର ସ୍ୱାଭିମାନ ଦେଖି ।

ଅଚାନକ ଦିନେ ଦେଖା ହେଲା ପରିବା ମାର୍କେଟ୍‌ରେ । ତା’ର ପାଖାପାଖି କ୍ୱାଟର୍ । ଜନ୍‌କୁ ବାଧ୍ୟ କଲା । ଯୋଗକୁ ସେଦିନ ଶ୍ରୀମୟୀଙ୍କର ସମ୍ପର୍କୀୟ ଶାଶୁ ଜଣେ ଚିକିତ୍ସା ପାଇଁ ଆସିଥିଲେ ହସ୍ପିଟାଲ୍ । ତାରି ପାଖରେ ରହୁଥିଲେ । ସେ କଥା ଶୁଣିଲା ପରେ ଯାଇ ରାଜି ହେଲା ଜନ୍ ।

ଚା’ ସହ କିଛି ନମ୍କିନ୍ ବିସ୍କୁଟ୍ ଦେଇ ପାଖରେ ଶାଶୁଙ୍କ ସହ ବସିଲା । ସେଦିନ ପ୍ରଗଳ୍ଭ ହୋଇ ଗପିଥିଲା ଜନ୍ । ତା’ର ଉଚ୍ଚାକାଂକ୍ଷୀ ପତ୍ନୀଙ୍କର ବାରମ୍ୱାର ଫର୍ମାଇସ୍, ମା’ ଭଉଣୀଙ୍କ ପ୍ରତ୍ୟାଶା ଅଳି ଅବଦାର ତା’ର ସୀମିତ ରୋଜଗାରରେ ପୂର୍ଣ୍ଣ କରିପାରୁ ନଥିବାର ଅବଶୋଷ । ନିଜ ଉପରେ ଅତ୍ୟାଚାର । ସବୁଦିନେ ଭାତ ଆଳୁସିଝା ଖାଇ ଅର୍ଥ ବଞ୍ଚାଇବାର ଜିଦ୍ ଭିତରେ ନିଜକୁ ହିଁ ସେ ଭୁଲିଯାଇଛି । ଭୁଲିବାର ନିଷ୍ଠୁର ଆନନ୍ଦକୁ ସେ ଆପଣେଇ ନେଇଛି । ଦୁଇବର୍ଷ ଧରି ସେ ପିନ୍ଧୁଛି କେବଳ ଦୁଇ ହଳ ପ୍ୟାଣ୍ଟସାର୍ଟ ସେ ପୁଣି କୋଉ ବାହାଘରେ ବନ୍ଧୁବେଭାର ମିଳିଥିବା ଶସ୍ତା ପ୍ୟାଣ୍ଟସାର୍ଟ କପଡ଼ାରେ ତିଆରି । ସାମାନ୍ୟ ରୁଅ ଉଠିଗଲାଣି ।

ଏମିତି ଜୀବନଟେ ଜୀଉଁଥିଲା ଜନ୍. . . । କେହି ବୁଝୁନଥିଲେ ଏମିତିକି ସାଙ୍ଗ ହୋଇ ଦୁଇପାଦ ଚାଲୁନଥିବା ସ୍ତ୍ରୀ ମଧ୍ୟ ସ୍ୱାର୍ଥପର ପରିବାରବର୍ଗ । ଚଟାପଟ୍ ରୁମାଲରେ ମୁହଁ ପୋଛି ଦେଇଥିଲା । ଉଠିଯାଇଥିଲା ସଙ୍ଗେ ସଙ୍ଗେ । ବାଲକୋନିରୁ ହାତ ହଲାଇଲା ଶ୍ରୀମୟୀ ।

ଜନ୍‌ର ଜୀବନଧାରା ଭିତରେ କିଛି ସମୟ ମଜ୍ଜି ଯାଇଥିବା ଶାଶୁ କହିଲେ ।

– ବଡ଼ ଦୁଃଖୀ ପିଲାଟିଏ. . . ଏମିତି ପିଲାଟେ ଏବେକା ଜମାନାରେ ମିଳିବା କଷ୍ଟ । ଦେଖୁନୁ ଅଂଶୁକୁ । ହପ୍ତା ଶେଷରେ ଏତେ ଦୂରବାଟ ବସ୍‌ରେ ତୋତେ ଯିବାକୁ ପଡୁଛି ନା. . . ସ୍ତ୍ରୀଲୋକ ହେଇ ତୁ ଯିବୁ ସେ ମିଣିପିଟା ଆସନ୍ତାନି. . . ।

ରୁଟ୍ କରି କାମୁଡ଼ି ଦେଲେ ତାଙ୍କ ଶାଣିଦିଆ ଜିଭରେ । ଦୁର୍ବଳ, ଖଣ୍ଡିଆ ଜାଗାରେ ହାତ ମାରି ଦେଇଥିଲେ । ଚଟାପଟ୍ କହିଲା-

– ପୁଅ ପଢୁଛି ପରା, ତାକୁ ଛାଡ଼ି କେମିତି ଆସିବେ ।

– ମଲା ଆଜି ସିନା ପୁଅ ପଢୁଛି । ଆଗରୁ, ଆରମ୍ଭରୁ ପରା ତୁ ଯିବା ଆସିବା କରୁଛୁ. . . ।

କଥାରେ ଖୁଡ଼ୀଙ୍କୁ ଯେ ହରାଇ ପାରିବନି, ସେ କଥା ସେ ଭଲ ଭାବରେ ଜାଣିଛି । ତାଙ୍କୁ ସାନ୍ତ୍ୱନା ନୁହେଁ ପରୋକ୍ଷ ଭାବରେ ଅଂଶୁମାନ ବିରୁଦ୍ଧରେ ହିଁ କହୁଥିଲେ । ଚୁପ୍ ରହିଲା ସେ । ନୀରବତା ଭିତରକୁ ଧସେଇ ପଶି ଆସୁଥିଲା ଜନ୍‌ର କାହାଣୀ । ସେ ଭାବୁଥିଲେ ଆହା ପିଲାଟା ଶାନ୍ତିରେ ନା ଗଣ୍ଡେ ଖାଇ ପାରୁଛି ନା ଦଣ୍ଡେ ଜୀଇଁ ପାରୁଛି । ଏମିତି ଜୀବନଟେ କ’ଣ ତା’ର ଇପ୍ସିତ ଥିଲା ।

– ଆଉ ତୋର. . . ତୁ କ’ଣ ଏମିତି ଜୀବନଟେ ଚାହିଁଥିଲୁ ? ତା’ ଭିତରେ ପ୍ରତିଧ୍ୱନିତ ହେଉଥିଲା କାହାର ତୀବ୍ରସ୍ୱର ।

କେଜାଣି. . . ହୁଏତ. . . । ମନେ ମନେ ଗୁଣୁ ଗୁଣୁ ହେଲା । ଅଥଚ ସେ ଜାଣିନଥିଲା, ନିଜକୁ ମିଛ କହୁଛି । ଠକି ଚାଲିଛି ସାରା ଜୀବନ, ଖୁସି ହବାର ଅଭିନୟ କରୁଛି ଏବଂ ଅଭିନୟଟା ତା’ର ବାସ୍ତବତାର ମୁଖା ପାଲଟି ଯାଇଛି । ମୁଖା ଲଗା ମଣିଷ । ତା’ ପରି, ଜନ୍ ପରି କେତେ ଲୋକ ଏ ସଂସାରରେ ଆତଯାତ । ମୁଖ ପିନ୍ଧି ସୁଖୀ ଥିବାର ଅଭିନୟ କରି ଚାଲିଛନ୍ତି ଅହରହ ।

– ମଲା ମୋର. . . ଏମିତି ଖୁଣ୍ଟଟା ପରି ଠିଆ ହେଲୁ ଯେ. . . ଯା’ ଚା’ ପାଣି ବସଉନୁ । ଉଠୁ. . . ଯା’. . . ।

ଘୋଷାରି ହୋଇ ଉଠିଲା ଶ୍ରୀମୟୀ । ସନ୍ଧ୍ୟା ଆସି ମୁହଁ ଦେଖଉଥିଲା ଚୁପି ଚୁପି ।

ଲୋକପ୍ରିୟ ଲେଖା

To Top