ଗଳ୍ପ

ମୁଁ ଯେ ରେଙ୍ଗୁନରୁ ଫେରିଲି

Godabarisha Mohapatra's odia story Mun Je Rengunru Ferili

ତାହାରି ଲାଗି ସେ ମାଣେ ବିଲ ବିକି, ଦୁଇଟା ଦୁଧିଆଳୀ ଗାଈ ବନ୍ଧା ଦେଇ ତେବେକେ ମଧ୍ୟ ଥୟ ଧରି ପାରିଲା ନାହିଁ । ଯେବେ ସେ ରେଙ୍ଗୁନ ଯାଇ ମାସକୁ ଦଶ ଟଙ୍କା କରି ପାଞ୍ଚ ବରଷ ଶୁଝି ନଥାନ୍ତା, ପୁରୀ ଜେଲ୍ ହିଁ ତା’ର ହୋଇଥାନ୍ତା ଘର ।

ମୁଁ ଯେ ରେଙ୍ଗୁନରୁ ଫେରିଲି

ଦିବସର ଶେଷ ଜୀବନରେ ସନ୍ଧ୍ୟା ଯେତେବେଳେ ଆସି ନନ୍ଦପୁରର ଶ୍ୟାମଳସୁନ୍ଦର ତରୁକୁଞ୍ଜମୟ ଗିରି-ପ୍ରଦେଶରେ ଦେଖାଦେଲା, ସହଦେବ ସେତେବେଳକୁ ବାଟର ବାଟୋଇ – ଘରେ ଆସି ପହଞ୍ଚି ନାହିଁ ।

ପଲ୍ଲୀର ସନ୍ଧ୍ୟା । ତାହା ଶୁଣିବାର ନୁହେଁ, ଦେଖିବା କଥା । ଦୂର ପାହାଡ଼ର ଶିଖର-ଦେଶରୁ ଆରମ୍ଭ କରି ଏଣେ ପାଦତଳର କ୍ଷୁଦ୍ର ଘାସଟି ପର୍ଯ୍ୟନ୍ତ ବିରାଟ ପ୍ରକୃତି କନକ-ଜଳରେ ଗାଧୋଇଲା ପରି ଦେଖାଯାଉଥାଏ । ଖଣ୍ଡେ ଖଣ୍ଡେ ମେଘ କେବେ କେବେ ଗୋଠଛଡ଼ା, ଦଳଛଡ଼ା, ବସାଫେରନ୍ତା କୁଆ ବଣୀ ପକ୍ଷୀ ପରି ଆକାଶର ଏ ପାଖେ ସେ ପାଖେ ସେହି କନକ ସ୍ରୋତରେ ଭାସୁଥାନ୍ତି । ଗଗନରେ ଚହଳ, ଧରଣୀରେ ଉତ୍ସବ- ଏସବୁ ପାର ହୋଇ ବାଟୋଇ ସହଦେବର ଅନ୍ତର ଭିତରେ କି ଏକ ମହୋତ୍ସବ ରଚନା ଚାଲିଥିଲା ।

ଖାଲି ଏତିକି ନୁହେଁ, ପଲ୍ଲୀର ପୋଖରୀ କୂଳରେ ପଲ୍ଲୀବାସିନୀ ବାଳିକାଦଳ କେତେ ରଙ୍ଗର କେତେ ଫୁଲ ତୋଳି, କେତେ ହସ, କେତେ ବେଶ ଫୁଟେଇ ଫୁଟେଇ, କାହା ଭୟରେ କାହା ଲୟରେ ତର ତର ହୋଇ ଚାଲିଥାନ୍ତି, ମାତ୍ର ସହଦେବ ସେ ପୋଖରୀ ହୁଡ଼ା, ସେ ବାଳିକା ମେଳା, ସେ ଶୋଭାର ଭେଳା କିଛି ନ ଦେଖି, ଦେଖୁଥାଏ ଆଉ ଗୋଟିଏ ଛବି । ସେ ଛବି ଠିକ୍ ଦୁଇଟି ଆଖି ଓ ଗୋଟିଏ ମୁହଁ. . . ।

ସନ୍ଧ୍ୟା ଯାଇ ଅନ୍ଧକାର ଆସୁଛି, ମାତ୍ର ସହଦେବ ହୃଦୟରୁ ଅନ୍ଧକାର ଯାଇ ଆଲୋକ ଆସୁଛି । ପଶ୍ଚିମର କନକ କିରଣ, ଆକାଶର ମେଘ, ଧରଣୀର ବାଳିକା, କାହା ପ୍ରତି ତା’ର ଦୃଷ୍ଟି ନାହିଁ- ଅଛି ତା’ର ଗାଁ ଭିତରେ ଗୋଟିଏ ବଖରା ଘର, ତାରି ଭିତରେ ଦୁଇଟି ପାଦ, ଦୁଇଟି ଆଖି, ଦୁଇଟି କମ୍ପିତ କର, ଗୋଟିଏ ଉଦ୍ବିଗ୍ନ ହୃଦୟ !

ସଂସାରର ଠିକ୍ ଏହିପରି ଏକ ସମୟରେ ସହଦେବ ତରତରରେ ପାଦଚାଳି ନନ୍ଦପୁରର ସରବରାକାରଙ୍କ ପଡ଼ିଶା ଘରେ ଯାଇ ପହଞ୍ଚିଲା । ସେତେବେଳକୁ ସରବରାକାର ବାବୁ ତାଙ୍କର ତୃତୀୟ କିସ୍ତି ଅସୁଲ ପାଇଁ ସାତଟା ବସ୍ତାନି ବିଡ଼ା ଧରି ପିଣ୍ଡାରେ ବସି ସାରିଥିଲେ । ପିତଳ ଦୀପଟାରେ କାଣ୍ଟି ଜଡ଼ାତେଲ ପଶି ଦେଢ଼ଇଞ୍ଚ ଉଚ୍ଚରେ ଶିଖା ଟେକି ବତୀ ଜଳୁଥିଲା । ସେହି ଆଲୋକରେ ତାଙ୍କରି ଚିକ୍କଣ ଥନ୍ତଲ ପେଟଟା ଯାହା କିଛି ବାରି ହେଉଥିଲା । ଖାରୁଆ କନାର ବସ୍ତାନିଗୁଡ଼ାକ ପ୍ରଜାଙ୍କର ଖଜଣା ଭାର ବହି ବହି ନିର୍ଜୀବ ବେଶରେ ମୁଦ୍ରା ହୋଇ ପଡ଼ି ରହିଥିଲା ।

ସହଦେବ ଆଗ ସେହି ପରିଚିତ ବସ୍ତାନି ବିଡ଼ ଦେଖି ଚମକି ପଡ଼ିଲା । ସେହି ନଥିବିଡ଼ା ଭିତରୁ କି ଦାରୁଣ ଅଭିଶାପ ବାହାରି ଯେ ତାକୁ ଏତେକାଳ ପ୍ରବାସୀ କରି ରଖିଥିଲା, କେବଳ ସେହି ଜାଣେ । ସେହି ନଥିବିଡ଼ା ଭିତରେ ଦିନେ ଯେ ତାର ସକଳ ଭାଗ୍ୟଡ଼ୋରି ବନ୍ଧାଥିଲା, ତାହାର ଜଗତ ତାହା ଜାଣେ ନାହିଁ । ତାହାରି ଲାଗି ସେ ମାଣେ ବିଲ ବିକି, ଦୁଇଟା ଦୁଧିଆଳୀ ଗାଈ ବନ୍ଧା ଦେଇ ତେବେକେ ମଧ୍ୟ ଥୟ ଧରି ପାରିଲା ନାହିଁ । ଯେବେ ସେ ରେଙ୍ଗୁନ ଯାଇ ମାସକୁ ଦଶ ଟଙ୍କା କରି ପାଞ୍ଚ ବରଷ ଶୁଝି ନଥାନ୍ତା, ପୁରୀ ଜେଲ୍ ହିଁ ତା’ର ହୋଇଥାନ୍ତା ଘର ।

ସହଦେବ ସେହି ରୁମଲୁଚା ଅନ୍ଧାର ଭିତରେ ଚମକି ପଡ଼ି ତରତରରେ ଘର ଭିତରକୁ ପଶିଗଲା । ଦୀର୍ଘ ପାଞ୍ଚବର୍ଷ ହେଲା ରେଙ୍ଗୁନରେ ଥାଇ ଫେରିଲାବେଳେ ସେ କିପରି ଭାବରେ ଘରକୁ ଆସିବ, ଏ ବିଷୟରେ ସେ ଗତ କେତେ ଦିନ, କେତେ ରାତି ଯେ ଭାବିଥିଲା, ଠିକ୍ ନାହିଁ । ହାତରେ ବୁଜୁଳା ଧରିବ, କି କାନ୍ଧରେ ବୁଜୁଳା ଧରିବ, ଏ ଆଗ କଥା କହିବ, କି ସେ ଆଗ କଥା କହିବ, ଯାଇ ଠିଆ ହେବ, କି ବସି ପଡ଼ିବ- ଏ ସବୁ ବିଷୟରେ ତା’ର କଳ୍ପନାର ସୀମା ନ ଥିଲା, ମାତ୍ର ଘର ଭିତରକୁ ପଶିଲାବେଳକୁ ସେ ସବୁ କଥା ରକ୍ଷା କରିବା ପାଇଁ ବେଳ ଅଣ୍ଟିଲା ନାହିଁ । ପଶିଯାଇ ସେ ଏକ ଦୀର୍ଘନିଶ୍ୱାସ ଛାଡ଼ିଦେଲା ।

ଫୁଟିଲା ମଲ୍ଲୀଫୁଲ ଭିତରେ ଭଅଁର ବସିଲା ପରି ଆଖି ଦୁଇଟିକୁ ଆନନ୍ଦରେ ଫୁଟାଇ ରଖି ଯଶୋଦା ଏକ ବିଚିତ୍ର ଭାବ ଦେଖାଇଲା । ସେହି ଖୋଳାଡ଼ୋଳା ଦୁଇଟାକୁ ଏକ ଲୟରେ ସ୍ଥିର ରଖି ସେ ସହଦେବ ମୁହଁକୁ କେବଳ ଚାହିଁ ରହିଲା । କି ଭାବରେ ତାକୁ ସେ ଅଭ୍ୟର୍ଥା କରିବ, କିଛି ସ୍ଥିର କରିପାରିଲା ନାହିଁ । ଏଡ଼େ ବେଗେ ଏପରି ଭାବରେ ଯେ ସହଦେବ ଆସି ହାଜର ହୋଇଯିବ, ଏକଥା ତା’ କଳ୍ପନାର ଶତଲକ୍ଷ ଯୋଜନା ଦୂରରେ ଥିଲା ।

ଯଶୋଦା- ସହଦେବର ସେହି କଳ୍ପନାମୟୀ । ଦେହରେ ତା’ର ଅଳଙ୍କାର ନାହିଁ, ଆଖିରେ ତା’ର ଲୁହ ନାହିଁ, ଅଧରରେ ତା’ର ହାସ୍ୟରେଖା ସୁଦ୍ଧା ନାହିଁ । ଏ କ’ଣ କୈଳାସନାଥଙ୍କ ଲକ୍ଷ୍ୟରେ ତପୋରତା ମୂର୍ତ୍ତି । ଆଗରେ ଯଶୋଦାର ଏ ବେଶ ଦେଖି ସହଦେବର ଆଉ ଧୈର୍ଯ୍ୟ ରହିଲା ନାହିଁ । ତା’ର ସକଳ କଳ୍ପନା ପାଣି ହୋଇଗଲା । ଯେଉଁ ବାହୁ ଦୁଇଟା ଆଲିଙ୍ଗନ ପାଇଁ ପାଞ୍ଚବର୍ଷ ହେଲା ବ୍ୟଗ୍ର ଥିଲା, ତାହା କୋହଳ ହୋଇଗଲା । ଭାବନା ଜଡ଼ ହୋଇ ହୃଦୟର କେଉଁ କୋଣରେ ଜମାଟ ବାନ୍ଧି ରହିଗଲା । କେବଳ କାଠପିତୁଳା ପରି ସେ ଦଦରା କାନ୍ଥଟାକୁ ଆଉଜି ପଡ଼ିଲା ।

ମାତ୍ର ଯଶୋଦା- ତପୋରତା ପାର୍ବତୀ ସେ । ସେତେବେଳେ ତା’ର ଆନନ୍ଦର ସୀମା କାହିଁ । ଦେଖୁ ଦେଖୁ ଆଖି ଓଦା ହୋଇଆସିଲା, କଣ୍ଠ ଥରିଲା । କ’ଣ କହିବ, କହିପାରିଲା ନାହିଁ । କେଡ଼େ ଦୁଃଖର କୁଶାରଗିରି ତରଳିଗଲା ସତେ ।

ଏସବୁ ଦେଖି ସହଦେବ କିନ୍ତୁ ପାପଚିନ୍ତାରେ ବୁଡ଼ିଲା । କ୍ଷୀଣ ଛାୟା ପରି ମନରେ ତା’ର ଭାବନା ଖେଳିଲା- ବିଧବା ହୋଇପଡ଼ିଲା । ମତେ ସତେ ଭୁଲିଗଲା. . . । ପଚାରିଲା-

ଯଶୋଦା. . . !

ଲୁହ ଢଳଢ଼ଳ ଆଖିରେ ଯଶୋଦା ଖାଲି ଚାହିଁ ରହିଲା ।

ଶେଷକୁ ଏୟା ହେବାକୁ ଥିଲା. . . ?

ଯଶୋଦା କହିଲା- “ହଁ”, ଆଗ ଗୋଡ଼ ଖଡୁଯାକ କାଢ଼ିଲି. . . ।

ପାଞ୍ଚବର୍ଷ ପରେ ପରିଚିତା ମୁହଁରୁ ଏ ପ୍ରଥମ କଥା । ସହଦେବ ଚମକିଲା ପରି ହୋଇ ପଚାରିଲା- “ଆଗ !” – ତା’ପରେ ! !

ତା’ପରେ ହାତରୁ, ଗୋଡ଼ରୁ, ନାକରୁ, କାନରୁ କାଢ଼ିଥିଲି । ଆଜି ତୁ ମଥାମଣିଟି କାଢ଼ିଛି. . . ।

ସହଦେବ ଆଉ ଧୈର୍ଯ୍ୟ ଧରି ପାରିଲା ନାହିଁ । ପଚାରି ଦେଲା- “ତାହା ହେଲେ ଶୁଦ୍ଧଘର. . . ?”

ଯଶୋଦା କିଛି ବୁଝିପାରିଲା ନାହିଁ ।

ଶୁଦ୍ଧଘର କିମିତି କରିବୁ ବୋଲି ଭାବିଥିଲୁ ?

ଯଶୋଦାର ମୁହଁରୁ ପାଣି ମରିଗଲା । ସେ ଆତୁରରେ ଧଇଲା ପରି ସହଦେବର ହାତକୁ ଧରି ପକାଇଲା- କେଡ଼େ କଥା କହିଲ ସତେ, କେଡ଼େ କଥା କହିଲ ।

ଦୁହେଁ ଅନେକ ସମୟ ନିରବ ।

ତା’ପରେ ଯେତେବେଳେ କଥା ଆରମ୍ଭ ହେଲା ସହଦେବ ବୁଝିଲା- ସାମାନ୍ୟ କେତୋଟି ଟଙ୍କାର ଚକ୍ରବୃଦ୍ଧି ହିସାବରେ ସୁଧମୂଳ କଷି ସରବରାକାର ତା’ ଉପରେ ଯେ ଭାର ଲଦିଥିଲେ, ତା’ ଶୁଝିବାଲାଗି ସେ ରେଙ୍ଗୁନ୍‌ ଠାରୁ ମାସକୁ ମାସ ଦଶଟଙ୍କା କରି ପଠାଇଛି । ଦଶଟଙ୍କା ଲେଖାଏଁ ପାଇଲା ବାଦ୍ ଆଉ ଅଧିକା ଦୁଇ ଟଙ୍କା କରି ଶୁଝିଲେ ପାଞ୍ଚବରଷରେ ସବୁ ଶୁଝି ପାଇବ ବୋଲି ଯଶୋଦା ଭୁଲ୍ ହିସାବରେ ଦେହର ଅଳଙ୍କାର ପତ୍ର ବିକି ଶୁଝି ଆସିଛି । ସରବରାକାର ମଧ୍ୟ ଆଗ୍ରହରେ ତାହା ଗ୍ରହଣ କରିଆସିଛନ୍ତି ।

ଟଙ୍କା ଶୁଝି, ବିଧବା ବେଶ ପିନ୍ଧି ଯଶୋଦା ଯେ ଏତେ କାଳ ବାଟ ଚାହିଁ ରହିଥିଲା, ଏ କଥା ବୁଝିପାରି ସହଦେବର ବୁକୁ ଭିତରଟା ପୁଲକି ଉଠିଲା । ସେହି ବିଧବା ବେଶ ତାକୁ ଆହୁରି ସୁନ୍ଦର ଦେଖାଗଲା । ନିରାଭରଣା ଯଶୋଦାକୁ ସେ କୋଳରେ ଜାକିଧରି, ଲୁହ ଢଳ ଢଳ ଆଖିରେ ସରବରାକାରଙ୍କ ଘର ଆଡ଼କୁ ଚାହିଁ କହିଲା- “ମୁଁ ଯେ ରେଙ୍ଗୁନରୁ ଫେରିଲି. . . ! ତୋରି ପାଇଁ ଫେରିଲି, ଯଶୋଦା. . . !”

ସହଦେବର କଥା କଣ୍ଠ ପାଖେ ଅଟକି ଗଲା ।

ଯଶୋଦା ସହଦେବର ମୁହଁ ପାଖେ ମୁହଁ ରଖି ଉତ୍ତର ଦେଲା- “ହଁ, କେବଳ ତୁମରି ପାଇଁ ମୁଁ ଏ ଅଳଙ୍କାରପତ୍ର ବିକିଛି ସିନା. . . ।”

ଲୋକପ୍ରିୟ ଲେଖା

To Top