ଗଳ୍ପ

ମୁଁ ମୋ ପରି

Anasuya Panda's odia story Nirabataara Bhasha

ଅଶ୍ୱିନୀ ରାୟ, ରିଟାୟାଡ୍ ଆଏସ୍ ପୁଣି ଛୋଟ ପିଲାଙ୍କ ସଙ୍ଗେ ଗୁଡ଼ି ଉଡ଼ାଉଛନ୍ତି ! ! ତାଙ୍କ ଚାରିପଟେ ସମସ୍ତଙ୍କର ପ୍ରଶ୍ନିଳ ଆଖି ।

ମୁଁ ମୋ ପରି

ଏହା ତାଙ୍କ ସନ୍ଧ୍ୟାକାଳୀନ ଭ୍ରମଣର ଶେଷ ପର୍ଯ୍ୟାୟ । ଭ୍ରମଣ ପରେ ପାର୍କର ଗୋଟିଏ କୋଣରେ ଥିବା ସିମେଣ୍ଟ ଚେୟାରଟିରେ ବସି ସେ ଅସ୍ତଗାମୀ ସୂର୍ଯ୍ୟଙ୍କର ରକ୍ତିମ ଆଭାକୁ ନିରବରେ ଉପଭୋଗ କରନ୍ତି ।

ଗୋଧୂଳି ସମୟ । ନା ଠିକ୍ ଗୋଧୂଳି ତ ନୁହେଁ, ଯେଉଁ ସମୟରେ ଦିନଟି ରାତି ସହ ସମ୍ପୂର୍ଣ୍ଣ ଆତ୍ମସମର୍ପଣ କରିବାକୁ ନିଷ୍ପତ୍ତି ନେଇଯାଏ ଠିକ୍ ସେଇ ସମୟଟି । କେଜାଣି କାହିଁକି ଏଇ ସମୟଟି ତାଙ୍କୁ ଖୁବ୍ ଆପଣାର ଲାଗେ । ନିବିଡ଼ ଭାବେ ତାକୁ ନିଜ ଭିତରେ ସାଉଁଟି ନ ନେଲେ ସେ ଦିନଟି ତାଙ୍କୁ ଯେପରି ଅସମ୍ପୂର୍ଣ୍ଣ ଲାଗେ ।

ଧିରେ ଧିରେ ସଞ୍ଜ ନଇଁ ଆସେ । ପାର୍କରେ ଗହଳି ବଢ଼େ, ଆର ସେ ଘରକୁ ଯିବା ପାଇଁ ଉଠନ୍ତି । ଏଇଟା ତାଙ୍କର ନିତିଦିନିଆ ଅଭ୍ୟାସ । କିଛି ନୂତନତ୍ତ୍ୱ ନାହିଁ । ଗୋଟିଏ ଧାରାରେ ଜୀବନଟାକୁ ଗଢ଼ି ଆସିଛନ୍ତି ସେ ପ୍ରଥମରୁ । ସମୟ ସଙ୍ଗେ ପାଦ ମିଳାଇ ଚାଲିବାକୁ ଖୁବ୍ ଧାଁ ଦଉଡ଼ କରିଛନ୍ତି ସେ । ଟିକିଏ ଝୁଣ୍ଟି ପଡ଼ିଲେ ବହୁ ପଛରେ ପଡ଼ିଯିବେ ଭାବି ନିଜର ସବୁ ଇଚ୍ଛାକୁ ଜଳାଞ୍ଜଳି ଦେଇଛନ୍ତି ସନ୍ନ୍ୟାସୀଟିଏ ପରି । ଆଉ ବଦଳରେ ସବୁକିଛି ପାଇଛନ୍ତି । ସଫଳ ଅଭିନେତା ପରି ଜୀବନର ପ୍ରତିଟି ଅଙ୍କରେ ନିଖୁଣ ଅଭିନୟ କରିଛନ୍ତି ।

ଭାରତୀୟ ପ୍ରଶାସନିକ ସେବାରେ ଦକ୍ଷତାର ସହ କାର୍ଯ୍ୟ କରି ଏଇ ଦେଢ଼ବର୍ଷ ହେବ ସେ ଅବସର ନେଇଛନ୍ତି । ପତ୍ନୀ ମୋନାଲିସା, ଜଣେ ଆଦର୍ଶ ପତିବ୍ରତା ନାରୀ । ଅଶ୍ୱିନୀଙ୍କ ସବୁ ଇଚ୍ଛାକୁ ସେ ସମ୍ମାନ ଦେଇ ଆସିଛନ୍ତି । ଦୁଇ ପୁଅ, ସ୍ୱପ୍ନିଲ ଓ ରୋହିତ । ବଡ଼ ପୁପଅ ସ୍ୱପ୍ନିଲ ନାମି ଯୁବ ବୈଜ୍ଞାନିକ ଓ ସାନ ରୋହିତ ସଫଳ ଡାକ୍ତର । ଦୁହେଁ ଏବେ ବିଦେଶରେ । ଆଜ୍ଞାବହ ପରି ବର୍ଷକୁ ଥରେ ସେମାନେ ନାତି ରୋନି, ହନିଙ୍କୁ ଧରି ପତ୍ନୀମାନଙ୍କ ସହ ଭାରତ ଆସନ୍ତି । ମାସେ, ପନ୍ଦର ଦିନ କୋଳାହଳ, ହସ ମଜାରେ ଫାଟି ପଡ଼େ ତାଙ୍କ ଶୂନ୍ୟ ଘର । ପୁଣି ସେମାନେ ଫେରି ଯାଆନ୍ତି । ଅଶ୍ୱିନୀ କିନ୍ତୁ ତାଙ୍କ ରୁଟିନ୍ ବନ୍ଧା ଜୀବନରୁ ତିଳେ ବିଚ୍ୟୁତ ହୁଅନ୍ତି ନାହିଁ ।

ଖୁବ୍ ସ୍ୱାଭିମାନୀ ଅଶ୍ୱିନୀ । ନିଜ ସୁଖ, ଦୁଃଖ କାହା ସହ ଭାଗ କରିବାକୁ ପସନ୍ଦ କରନ୍ତି ନାହିଁ । ସବୁବେଳେ ଚୁପ୍ ରହିବାକୁ ବେଶି ଭଲ ପାଆନ୍ତି । ମୁହଁରେ ତାଙ୍କର ଏକ ନିର୍ବିକାର ଭାବ । ଯେପରି କିଛି ଚିନ୍ତା ନାହିଁ । କାହା ଉପରେ ଅଭିମାନ ନାହିଁ, ବିରକ୍ତି ନାହିଁ । କାହିଁକି ବା ରହିବ ?? ଯେମିତି ଚାହିଁଛନ୍ତି ସେମିତି ଗଢ଼ିଛନ୍ତି ସେ ଜୀବନକୁ, କେବଳ ନିଜର କର୍ତ୍ତବ୍ୟନିଷ୍ଠା ଓ ତୀକ୍ଷ୍ଣ ବୁଦ୍ଧିବଳରେ ।

ତଥାପି ତାଙ୍କ ମନ ଗହନରେ କେଉଁଠି ଅପୂର୍ଣ୍ଣତା ଉଙ୍କି ମାରେ । ଅବସର ପରେ ମଧ୍ୟ ସେ କାର୍ଯ୍ୟ ବ୍ୟସ୍ତ । ବୋଧହୁଏ ସେ ଚାହୁଁଛନ୍ତି ତାଙ୍କ ପିଲାମାନେ ତାଙ୍କ ପାଖରେ ରୁହନ୍ତେ । ପୋଖତ ଜେଜେବାପା ପରି ସେ ଘୋଡ଼ା ହୋଇ ନାତିମାନଙ୍କୁ ପିଠିରେ ବସାନ୍ତେ, ବଗିଚାରେ ଲୁଚକାଳି ଖେଳନ୍ତେ, କ୍ୟାରମ୍, ଲୁଡୁ ଖେଳନ୍ତେ । ଝିପିଝିପି ବର୍ଷାରେ ଓଦା ହୋଇ କାଗଜ ଡଙ୍ଗା ଭସାନ୍ତେ କିନ୍ତୁ ନା କେବେ ଏ କଥା ତାଙ୍କ ମନ ମଧ୍ୟକୁ ତ ଆସିନଥିଲା ।

ତାଙ୍କ ଗମ୍ଭୀର ପ୍ରକୃତି, ରୁଟିନ୍ ବନ୍ଧା ଜୀବନ ଓ ବହିର ଦୁନିଆଁ ଯୋଗୁଁ ନା ସେ କାହା ସଙ୍ଗେ ମିଶି ପାରୁଥିଲେ ନା ଅନ୍ୟ କେହି ତାଙ୍କ ସଙ୍ଗେ । ରୋନି, ହନିଙ୍କୁ ଓ ବୋହୂମାନେ ଗ୍ରାଣ୍ଡପାଙ୍କୁ ଡିଷ୍ଟର୍ବ କରିବନି ବୋଲି ଚେତାଇ ଦେଇଥାନ୍ତି । ବାସ ଚାହିଁଲେ ବି ଗାମ୍ଭୀର୍ଯ୍ୟର ସୀମାରେଖା ଡେଇଁ ମିଶି ପାରନ୍ତି । ଆଉ ତାଙ୍କର ବଳକା ସମୟ କଟିଯାଏ ଘରେ କରିଥିବା ଲାଇବ୍ରେରୀରେ ।

ନିର୍ଦ୍ଦିଷ୍ଟ ସମୟ ପୂର୍ବରୁ ଅତି ନିଜର ପରି ଲାଗୁଥିବା ସିମେଣ୍ଟ ଚେୟାରରେ ବସି ସେ ଅପେକ୍ଷା କରି ରହିଛନ୍ତି ତାଙ୍କର ପ୍ରିୟ ସମୟଟିକୁ । ପଶ୍ଚିମ ମୁହାଁ ପଡ଼ିଥିବା ଏହି ଚେୟାରଟିରେ । ତାଙ୍କ ଭିନ୍ନ ଅନ୍ୟ କେହି ବସି ନାହାନ୍ତି, ସେ ପାର୍କରେ । ଜାନୁଆରୀ ମାସର ନରମ ଖରାଟା ତାଙ୍କୁ ଖୁବ୍ ଆରାମ ଦେଉଥିଲା । ଆଉ ଟିକେ ପରେ ପାଣ୍ଡୁର ଶୀତ ଆବୋରି ବସିବ ଧରଣୀକୁ ।

ଜେଜେବାପା ! ଚମକି ପଡ଼ିଲେ ଅଶ୍ୱିନୀ । ଜେଜେବାପା ?? ରୋନି, ହନି ତ ନୁହଁନ୍ତି ! ! ନା ସେମାନେ ତ ଗ୍ରାଣ୍ଡପା ଡାକନ୍ତି । ଓଡ଼ିଆ ପାଟିରେ ପଶେନି ସେମାନଙ୍କର । ବିଦେଶରେ ଜନ୍ମ ତ ଖୁବ୍ ଆପଣାର ଆପଣାର ଲାଗୁଥିଲା ସେ ଡାକ । ଜେଜେବାପା ଆସ ନା । ମୋ ଗୁଡ଼ିଟା ସେ ଗଛରେ ଲାଗିଯାଇଛି, କାଢ଼ିଦେବ ଆସ । ୫/୬ ବର୍ଷର ଛୋଟ ପୁଅଟିଏ, ମଧ୍ୟବିତ୍ତ ପରିବାର ପରି ଲାଗୁଛି । ପାର୍କରେ ସୁନ୍ଦର ଭାବେ କଟା ହୋଇଥିବା ନାତି ଉଚ୍ଚ ସୋ ଗଛ ଉପରେ ଲାଖି ରହିଛି ତା’ ଗୁଡ଼ିଟି । ବୋଧହୁଏ ଓହ୍ଲାଇବା ସମୟରେ ପଡୁ ପଡୁ ଗଛ ଉପରେ ପଡ଼ିରହିଛି । ସନ୍ଧ୍ୟାଭ୍ରମଣ କଲାବେଳେ ସେ ଛୋଟ ବାଡ଼ିଟିଏ ହାତରେ ଧରନ୍ତି । ବାଡ଼ିଟି ନେଇ ଦଉଡ଼ି ଆସିଛି ପିଲାଟି, ନ ହେଲେ ଗମ୍ଭୀର ଅଶ୍ୱିନୀଙ୍କୁ କଥା କହିବାକୁ କେହି ସାହସ କରନ୍ତି ନାହିଁ ।

ଗୁଡ଼ି । ଏଇ ଗୁଡ଼ି ଉଡ଼ା ଯୋଗୁଁ ହଁ ତ ଅଶ୍ୱିନୀଙ୍କର ଜୀବନ ଓଲଟ ପାଲଟ ହୋଇଯାଇଥିଲା । ଖୁବ୍ ଧନୀ ପରିବାରର ଏକମାତ୍ର ସନ୍ତାନ ଥିଲେ ସେ । ଧନ ଦୌଲତ, ଚାକର ବାକର ଆଭିଜାତ୍ୟର ବନ୍ଧନରୁ ମୁକ୍ତ ହୋଇ ତାଙ୍କ ମନ କିନ୍ତୁ ଦଉଡ଼ି ଯାଉଥିଲା ଗାଁର ନିରୋଳା ଆମ୍ୱତୋଟା, ସବୁଜ ଧାନ କ୍ଷେତ, ଗୋଧୂଳିର ନିରବ ସମୟ, ପୋଖରୀରୁ ବନିଶୀରେ ମାଛଧରା, ବରକୋଳି ତୋଳା, ଗୁଡ଼ି ଉଡ଼ା, ନଈପଠାରେ ବସି ବୁଡ଼ିଯାଉଥିବା ସୂର୍ଯ୍ୟଙ୍କୁ ବିଦାୟ ଜଣାଇବା ଦୃଶ୍ୟ ଆଡ଼କୁ ।

ଏ ସବୁ କରିବାକୁ ତାଙ୍କୁ ଶକ୍ତ ପ୍ରହରା । ସବୁବେଳେ ଚାକର ବାକରଙ୍କ କଡ଼ା ନିଘା ଭିତରେ ସ୍କୁଲକୁ ଯିବେ ଆସିବେ । ପାଠ ଆଉ ପାଠ । ଟିକିଏ ଫୁରୁସତ ନାହିଁ ଏସବୁ ଆଡ଼େ ନଜର ପକାଇବାକୁ । ତାଙ୍କର କୁନି ପିଲା ମନ ବିଦ୍ରୋହ କରିଉଠେ । କାହିଁକି ସେ ଗାଁର ଅନ୍ୟ ପିଲାଙ୍କ ସଙ୍ଗେ ଖେଳି ପାରିବେନି, ପାଣିରେ ବୁଡ଼ିପାରିବେନି, ବରକୋଳି ଗଛକୁ ଟେକା ପକାଇ ପାରିବେନି ।

ଏସବୁରେ, କେମିତି ତାଙ୍କର, ତାଙ୍କ ବାପା ମାଙ୍କର ମର୍ଯ୍ୟାଦା ହାନି ହୋଇଯିବ ! ! ଯଦି ଏସବୁ ପାଇଁ କେବେ ସେ ପାଟି ଖୋଲି କହିଛନ୍ତି ତେବେ ତାଙ୍କ ପାଦତଳେ ଗଦାଇ ଦିଆଯାଇଛି ଟୋକେଇ, ଟୋକେଇ ବରକୋଳି, ଆମ୍ୱ, ପିଜୁଳି. . . ।

ମାତ୍ର ସେମାନେ କ’ଣ ଜାଣିଛନ୍ତି ଲୁଚି ଲୁଚି ଆମ୍ୱ ଚୋରି କରି ଖାଇବାର ଆନନ୍ଦ, ଟେକା ମାରି ବରକୋଳି ଝଡ଼ାଇ ସାଙ୍ଗମାନଙ୍କ ସହ ଛଡ଼ା ପଡ଼ା ହୋଇ ଖାଇବାର ମଜା । ବାଦ କରି ଗୁଡ଼ି ଉଡ଼ାଇବା, ଆଉ ଗାଁ ଦାଣ୍ଡରେ କବାଡ଼ି ଖେଳି ଆଣ୍ଠୁ ଛିଣ୍ଡାଇବାର ଅନୁଭବ ।

ଏସବୁ ଆଶା କରିବା, ଇଚ୍ଛା କରିବା କ’ଣ ତାଙ୍କର ଭୁଲ ?? ସବୁବେଳେ ମାପିଚୁପି କଥା ହେବ, ହସିବ, ଉଠିବ, ବସିବ । ଓହୋ ! ଉଚ୍ଚା ଉଚ୍ଚା ମର୍ଯ୍ୟାଦାର ପାଚେରୀରେ ତାଙ୍କର ସବୁ ସ୍ୱପ୍ନ ବାଧା ଖାଇ ଫେରିଆସେ ।

ସେଦିନର କଥା ଠିକ୍ ମନେଅଛି ତାଙ୍କର । ଶନିବାର ! ସକାଳୁଆ ସ୍କୁଲ, ଶେଷ ପିରିୟଡ୍ ଡ୍ରଇଂ ଥିଲା, ସାର୍ ନ ଆସିଥିବାରୁ ଆମେ ସବୁ ହୋହାଲ୍ଲା କରୁଥିଲୁ । ହଠାତ୍ ଆମ ଶ୍ରେଣୀକୁ କ୍ଲାସ୍ ଟିଚର ଆସି ଚୁପ୍‌ଚାପ୍ ଘରକୁ ପଳାଇଯିବାକୁ କହିଲେ । ଆମ ଚାକର ହରିଆ ଯିଏ ସ୍କୁଲ୍ ଆରମ୍ଭରୁ ଛୁଟିଯାଏ ମୋତେ ଶ୍ରେଣୀ ପିଣ୍ଢାରେ ଜଗି ବସେ, କାହିଁ ସେଦିନ ପିଣ୍ଢାରେ ନଥିଲା । ବୋଧେ କୌଣସି କାମରେ ଅଳ୍ପ ସମୟ ପାଇଁ ବାହାରକୁ ଯାଇଥିଲା । କେଜାଣି କେମିତି ହଠାତ୍ ଶୋଇ ରହିଥିବା ଇଚ୍ଛା ସବୁ ଚେଇଁ ଉଠିଲେ । ଆଖି ପିଛୁଳାକେ ସାଙ୍ଗମାନଙ୍କ ବାରଣ ସତ୍ତ୍ୱେ ସେ ସେମାନଙ୍କ ସଙ୍ଗେ ଗଲେ । ନଈରେ ମନ ଭରି ବୁଡ଼ିଲେ, ପହଁରିଲେ, ମାଛ ଧରିଲେ । ଖରାବେଳେ ଧନୀ ବୁଢ଼ୀ ଗଛରୁ ପିଜୁଳି ଚୋରି କଲେ, ମହାନ୍ତି ଘର ଆମ୍ୱ ଗଛକୁ ଟେକା ମାରି ଆମ୍ୱ ଝଡ଼ାଇଲେ, ବାସ୍ କେମିତି କଟିଛି ସେଦିନ । ତା’ପରେ ଉଦୁଉଦିଆ ଖରାରେ ଗୁଡ଼ି ଉଡ଼ାଇବାର ଇଚ୍ଛାଟାକୁ ମଧ୍ୟ ସେ ସଫଳ କରିବାକୁ ଇଚ୍ଛା କଲେ । ଯେତେବେଳେ ତାଙ୍କ ଗୁଡ଼ି ମଧୁ, ମୋହନ, ପିଣ୍ଡୁଙ୍କ ଗୁଡ଼ିକୁ ପଛରେ ପକାଇ ପୁରା ଆକାଶରେ ମିଶିବାକୁ ଯାଉଛି ଏତିକି ବେଳେ କାହାର ଶକ୍ତ କାନ ମୋଡ଼ାରେ ସେ ହଡ଼ବଡ଼ାଇ ଗଲେ । ବାପା ! ତାଙ୍କ ପଛରେ ଚାକର ହରିଆ । ହାତରୁ ତାଙ୍କର ସୂତା ନଟେଇ ଖସିପଡ଼ିଲା । ଅବର୍ଣ୍ଣନୀୟ ସେଦିନର ଘଟଣା । କେମିତି ଶକ୍ତି ସଞ୍ଚୟ କରି ଫେରିଥିଲେ ସେ ଘରକୁ । ରାୟ ସାହେବଙ୍କ ପୁଅ ପୁଣି ଗୁଡ଼ି ଉଡ଼ାଉଛି, ଗାଁର ବାଳୁଙ୍ଗା ପିଲାଙ୍କ ସଙ୍ଗେ ??

ତା’ପରଦିନ ସହରର ସବୁଠୁ ଭଲ ସ୍କୁଲରେ ତାଙ୍କ ନାଁ ଲେଖା ହୋଇଗଲା । ହଷ୍ଟେଲ୍‌ରେ ରହିଲେ ସେ । ଗାଁ ମାଟି, ଗାଁ ପାଣି, ପବନ, ସୂର୍ଯ୍ୟ, ନଈ ସବୁ ସ୍ୱପ୍ନ ହୋଇଗଲା ତାଙ୍କ ପାଇଁ । ପାଠ ପଢ଼ାର ଶିଡ଼ି ଚଢ଼ି ଚଢ଼ି ଉଠିଲା ବେଳକୁ ଧିରେ ଧିରେ ସେ ସ୍ୱପ୍ନ ସବୁ ମନର କେଉଁ ଅଦେଖା କୋଣରେ ଶୋଇପଡ଼ିଲେ । କୋଚିଂ, କମ୍ପିଡ଼ିଟିଭ୍ ପରୀକ୍ଷା, ହଷ୍ଟେଲ ରୁମ୍, କ୍ଲାସ୍ ଏ ସବୁ ଭିତରେ ସେ ନିଜକୁ ମଧ୍ୟ ଭୁଲି ଗଲେ । ପରୀକ୍ଷା ପାଠ, ପାଠ ପରୀକ୍ଷା । କ’ଣ ଏହା ଭିନ୍ନ ଜୀବନ ନାହିଁ । ଜୀବନରେ ବଡ଼ ହେବାକୁ ହେଲେ କ’ଣ ବଡ଼ ଚାକିରୀଟିଏ ନିହାତି ଦରକାର ?? ଗୋପବନ୍ଧୁ, ନେତାଜୀ, ବିନୋବା ଭାବେ ଆଦି ତ ଚାକିରୀ କରିନଥିଲେ ! !

ଦିନେ ଦିନେ ବଡ଼ ବ୍ୟସ୍ତ ହୋଇ ପଡ଼ନ୍ତି, ଭାବନ୍ତି ଅବାଧ୍ୟ ହୋଇ ସେ ଫେରିଯିବେ କି ଗାଁକୁ ! ! ବୋଉର ହାତ ରନ୍ଧା ଖାଦ୍ୟ ଖାଇବେ, ବୋଉର ଉଷୁମ ପଣତ ତଳେ ଥାଇ ଉପଭୋଗ କରିବେ ଗାଁର ଦୃଶ୍ୟ । ନିଜ ଇଚ୍ଛା ଅନୁସାରେ ନିଜ ଜୀବନକୁ ବିତାଇବେ । ସେ ଚାହିଁଥିଲେ ଅମାନିଆ ହୋଇପାରିଥାନ୍ତେ । କିନ୍ତୁ ନା ସେ ଅବସର ଆସିନି ।

ଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ଟ୍ରେନିଂ, ଟ୍ରେନିଂ ପରେ କର୍ମସ୍ଥଳରେ କ୍ଷେତ୍ର ପ୍ରସ୍ତୁତି କରୁ କରୁ ସେ ଭୁଲିଗଲେ କେବେ କେତେବେଳେ କ’ଣ ଭଲ ପାଉଥିଲେ ।

ଜେଜେବାପା ହଲାଇ ଦେଲା ପିଲାଟି । କ’ଣ ଏତେ ଭାବୁଛ, ସନ୍ଧ୍ୟା ହୋଇଯିବ । ହେଇ ଦେଖିଲ ରାକେଶର ଗୁଡ଼ି କେମିତି ଉଚ୍ଚକୁ ଉଠିଗଲାଣି ।

ଆଭିଜାତ୍ୟ ଓ ପଦପଦବୀର ପୋଷାକ ପିନ୍ଧିଥିବା ଅଶ୍ୱିନୀଙ୍କୁ ଛୁଇଁବା ତ ଦୂରର କଥା, କଥା ହେବାକୁ ମଧ୍ୟ ସବୁ ଅଫିସର, ସାଙ୍ଗସାଥୀ ଏପରିକି ପରିବାର ଲୋକ ମଧ୍ୟ ଭୟ କରନ୍ତି । ମାତ୍ର ଆଜି ଏ ପିଲାଟି. . . ! !

ସେ ଉଠିଲେ, ଗୁଡ଼ିଟିକୁ ବୁଦା ଉପରୁ ବାହାର କରିବା ପରେ ତାକୁ ସଜାଡ଼ିବାରେ ସାହାଯ୍ୟ କଲେ । ଆଉ ହଠାତ୍ ସେ ପୁଣି ସେଦିନର ପଞ୍ଚମ ଶ୍ରେଣୀର ଛାତ୍ର ହୋଇଗଲେ । ସୋନୁ ହାତରୁ ତା’ ଗୁଡ଼ି ଆଣି ତା’ ସାଙ୍ଗ ରାକେଶ୍‌ର ଗୁଡ଼ିଠୁ ବି ଉଚ୍ଚା ଉଡ଼ାଇବାକୁ ପ୍ରତିଯୋଗୀତା କଲେ । ଯେତେବେଳେ ତାଙ୍କ ଗୁଡ଼ି ଆକାଶ ଛୁଉଁଥିଲା, ସେତେବେଳେ ସେ ପାର୍କର ସମସ୍ତଙ୍କର ଲକ୍ଷ୍ୟର କେନ୍ଦ୍ରବିନ୍ଦୁ ହୋଇଯାଇଥିଲେ ।

ଅଶ୍ୱିନୀ ରାୟ, ରିଟାୟାଡ୍ ଆଏସ୍ ପୁଣି ଛୋଟ ପିଲାଙ୍କ ସଙ୍ଗେ ଗୁଡ଼ି ଉଡ଼ାଉଛନ୍ତି ! ! ତାଙ୍କ ଚାରିପଟେ ସମସ୍ତଙ୍କର ପ୍ରଶ୍ନିଳ ଆଖି । ଟିକେ ହସି ଦେଲେ ସେ । ସେ ହସରେ ଫୁଟି ଉଠୁଥିଲା । ମୁଁ ଆଜି ମୋ ପରି । ପୁରା ପୁରି ମୋ ପରି ବଞ୍ଚି ପାରିଥିବାର ଉଦ୍ଦାମତା ।

ନା ଆଜି ଅଛି ବାପାଙ୍କର ନାଲି ଆଖି, କାନମୋଡ଼ା ନା ଚାକର ହରିଆର କଡ଼ା ପ୍ରହରୀ । ନା ଅଛି ମିଛିମିଛିକା ଗାମ୍ଭୀର୍ଯ୍ୟର, ଆଭିଜାତ୍ୟର ଓଢ଼ଣୀ । ସେ ମୁକ୍ତ ! କେଜାଣି କାହିଁକି ସେ ଚାହୁଁନଥିବା ଆଭିଜାତ୍ୟର ପୋଷାକ ପିନ୍ଧି ଏତେ କଷ୍ଟ ପାଇଲେ ଜୀବନ ସାରା ! !

ଖୁବ୍ ଖୁସିରେ ସୋନୁ ହାତକୁ ଗୁଡ଼ିର ନଟେଇ ବଢ଼ାଇ ଦେଇ ସେ ଘରକୁ ଫେରିଲେ । ସେତେବେଳକୁ ତାଙ୍କର ପ୍ରିୟ ସୂର୍ଯ୍ୟାସ୍ତ ମୁହୂର୍ତ୍ତ ଗଡ଼ିଯାଇଥିଲା । ଦିବସ ରାଣୀ ପୁରାପୁରି ରାତ୍ରି କୋଳରେ ଆଶ୍ରୟ ନେଇ ସାରିଥିଲେ ।

ଲୋକପ୍ରିୟ ଲେଖା

To Top