ଗଳ୍ପ

ନାବାଳକର ଡାଏରୀ

Pradip Nayak's odia story Naabaalakara Dairi

ନଇପଡ଼ି ମା’ର ପାଦକୁ ଛୁଇଁଚି ଆଉ ପରେ ପରେ ସିମାନୀକୁ ଜାବୁଡ଼ି ଧରି ଶୂନ୍ୟେ ଶୂନ୍ୟେ ତୋଳି ଧରିଚି ଯେ କାହାରି ପାଖରେ ମୋ ଖୁସିର କାରଣ କ’ଣ ପଚାରିବାକୁ ସମୟ ନାହିଁ ।

ନାବାଳକର ଡାଏରୀ

-: ପୂର୍ବରୁ :-

କିଛିଦିନ ତଳର ସେଇ ସଞ୍ଜ । ମାଆ ସଂକ୍ରାନ୍ତି ପୂଜା ପାଇଁ ପାଖ ମନ୍ଦିର ଯାଇଥାଏ । ମୋତେ ପରୀକ୍ଷା ପୂର୍ବର ପ୍ରସ୍ତୁତିରୁ ମୁକ୍ତି ନଥାଏ । ମାଆ ମୋତେ ଘର ଛାଡ଼ି କୁଆଡ଼େ ନ ଯିବାକୁ ତଥା ଶୀଘ୍ର ମନ୍ଦିରରୁ ସିଏ ଫେରିଆସିବ କହି ଚାଲିଯାଇଥାଏ । ମୁଁ ଜାଣେ ମା’ କେବେ ଅଳ୍ପ ସମୟରେ ଫେରି ପାରେ ନାହିଁ । ଯଦିଓ ମୋତେ ଘରେ ଏକାକୀ ଏତେ ସମୟ ଛାଡ଼ି ବାହାରେ ରହିବା ତା’ର ଇଚ୍ଛା ନୁହେଁ ତଥାପି ତା’ ମନ ଶୀତଳ ନ ହେବାଯାଏ ଠାକୁରଙ୍କ ପାଖରୁ ସେ ଫେରେ ନାହିଁ ।

ସେଦିନ ସଞ୍ଜର ଘଟଣା କି ଆକସ୍ମିକ ସତରେ ସିମାନୀକୁ ସାଙ୍ଗରେ ନେଇ ମାଆ ମନ୍ଦିର ଯିବାର ଥିଲା । ଅଥଚ ଅପେକ୍ଷା କରି କରି ସିମାନୀ ଆସିଲା ନାହିଁ । ମା’ ବାଧ୍ୟ ହୋଇ ଏକୁଟିଆ ମନ୍ଦିର ବାହାରିଗଲା । ମୋ ପଢ଼ାଘରେ ମୁଁ ଏକୁଟିଆ । ମୁଣ୍ଡ ଉପରେ ପାଠର ବୋଝ ।

ସିମାନୀ ଆସିଲା । ଜଣେ ପରିଚିତ ମଣିଷ ପରି ଠାକୁରଘର, ଶୋଇବାଘର ଖୋଜିଲା । ମା’କୁ ନ ପାଇ ମୋ ପଢ଼ାଘର ଭିତରକୁ ଆସି ମୋ ପଢ଼ିବାର ନିମଗ୍ନତାକୁ ଦେଖିଲା । କେତେ ସମୟ ପରେ ମୋତେ ପଚାରିଲା- “ମାଉସୀ ଘରେ ନାହାନ୍ତି କି ?”

: ନା । ମୁଁ ବହିରୁ ନଜର ନ ହଟେଇ ଉତ୍ତର ଦେଲି ।

: କୁଆଡ଼େ ଗଲେ ?

: ମନ୍ଦିରକୁ ।

: ମୋର ଆସିବା ବିଳମ୍ୱ ହୋଇଗଲା ତ । ହଉ ତେବେ ତୁ ପଢୁଥା ମୁଁ ଘରକୁ ଯାଉଚି ।

ଏତକ କହି ସିମାନୀ ଚାଲିଗଲା । କିନ୍ତୁ ଗୋଟିଏ ମିନିଟ୍ ପରେ ଶୁଭିଲା ତା’ର ଚିତ୍କାର- ଆରେ ଆରେ ତୁ ସେଇଠି ବସି ପଢୁଥା । ଏଣେ ଠାକୁର ଘରେ ବିରାଡ଼ି ଘିଅ ଡବାକୁ ଚାଟିଦେଲାଣି ।

ସିମାନୀର ଚମକେଇ ଦେବା ପରି ଡାକ ଶୁଣି ମୁଁ ପଢ଼ାଘରୁ ଦଉଡ଼ିଲି । ଠାକୁରଘର ଭିତରେ ସତକୁ ସତ ବିରାଡ଼ି । ଚଟାଣ ସାରା ଢାଳି ହେଇଚି ଘିଅ । ବିରାଡ଼ି ଚାଟିବାରେ ବ୍ୟସ୍ତ । ଆମେ ଦୁହେଁ ଘଉଡ଼େଇବାକୁ ଚେଷ୍ଟା କଲୁ । ବିରାଡ଼ି ଘିଅକୁ ଛାଡ଼ି ଯାଆନ୍ତା କି । ଠାକୁରଙ୍କ ଆସ୍ଥାନ ଭିତରେ ଲୁଚିଗଲା । ତାକୁ ଘଉଡ଼େଇ ଦେବାକୁ ଆସ୍ଥାନ ଗୋଟେପଟେ ସିମାନୀ ଗୋଟେ ପଟେ ମୁଁ । ଏପଟୁ ତଡ଼ିଲେ ସେପଟେ ଯାଉଚି । କେତେବେଳେ ଏ ଥାକ ଉପରକୁ କୁଦା ମାରୁଚି ତ କେତେବେଳେ ସେ ଥାକ । ସଞ୍ଜର ଅସ୍ପଷ୍ଟ ଅନ୍ଧାରରେ ଠିକ୍ ଭାବରେ ଦିଶୁନି କୁଆଡ଼େ ବିଲେଇଟା ଛପିଯାଉଛି । କୋଉଠି ଛପିଥିଲା କେଜାଣି ହଠାତ୍ ମୋ ପାଦ ଉପରକୁ କୁଦିପଡ଼ିଲା ବିଲେଇଟା । ମୁଁ ମାଆଲୋ କହି ଉଛୁଳିପଡ଼ି ଘର ଭିତରୁ ବାହାରକୁ ଡିଆଁଟା ମାରିବାକୁ ବସିଚି ତ ଭାରସାମ୍ୟ ହରେଇ ସାମ୍ନାରୁ ଆସୁଥିବା ସିମାନୀକୁ ଜାବୁଡ଼ି ଧରିପକାଇଲ । ସିମାନୀ କି ମୁଁ, ଅକସ୍ମାତ ଏମିତି ଘଟଣା ଘଟିଯିବ ଆମେ କେହିବି ସଚେତନ ନଥିଲୁ । ଆମେ ଏତେ ପାଖାପାଖି ଯେ, ପରସ୍ପରର ଆଖି ଛଡ଼ା କେହି କିଛି ଦେଖି ପାରୁନଥିଲୁ । ସଞ୍ଜ ଅନ୍ଧାର, ନିକାଞ୍ଚନ ଠାକୁର ଘର । ବିରାଡ଼ି ଚାଲିଗଲାଣି ଅଥଚ କେତେ ଯେ ସମୟ ସେମିତି କୋଣାର୍କ କାନ୍ଥର ନଟନଟୀ ପରି ଆମେ ଭାବନାଶକ୍ତି ବିହୀନ ହେଇ ରହିଯାଇଚୁ । ସିମାନୀ ଆଖି ମୋତେ କେମିତି ଗୋଟେ ନୂଆ ଦେଖିଲା ପରି ମୁଗ୍ଧ ଆଖିରେ ଦେଖୁଚି । ଓଠରେ ସ୍ମିତ ହସ । ଆଖିରେ ମାଦକଭରା ଚାହାଁଣି ।

ସିମାନୀ ଚାଲିଯିବା ବେଳର ସେଇ ଚାହାଁଣି । ପଛକୁ ଫେରି ଫେରି ଚାହିଁବାର ଢଙ୍ଗ, ଅଶ୍ଳୀଳ ହସ, ସର୍ବୋପରି ଠାକୁରଘରର ପରିବେଶ ସାରା ସଞ୍ଜ ବେଳଟାକୁ ଆଶ୍ୱସ୍ତିକର କରିଦେଲା । ଅନେକ ସମୟ ଧରି ମୋ ପଢ଼ା ଘରେ ଭାବି ଭାବି ମଧ୍ୟ ସେ ଅବାଞ୍ଛିତ ଭାବର କାରଣଟା କ’ଣ ମୁଁ ବୁଢିପାରିଲି ନାହିଁ । କିଛି ଗୋଟେ ସ୍ଥିର ବିନ୍ଦୁରେ ପହଞ୍ଚିବା ଆଗରୁ ମା’ ମନ୍ଦିରରୁ ଫେରିଆସିଲା । ମୋତେ ଦେଖୁ ଦେଖୁ ପଚାରିଲା- “ସିମାନୀ ଆସିଥିଲା କି ?” ଏତିକି ପଚାରୁଚି ତ ସିମାନୀ କଉଠି ଥିଲା ପୁଣି ପଶିଆସିଲା ଘର ଭିତରକୁ । ଉଚ୍ଚ ପାଟିରେ ମୋତେ ଶୁଭିଲା ପରି ମାଆ ପାଖରେ ଥାଇ କହିଲା- “ମୋର ଟିକେ ଡେରି ହେଇଗଲା ମାଉସୀ । ତମେ ତ ଚାଲିଗଲ ମୁଁ କିନ୍ତୁ ଠାକୁରଙ୍କ ଦର୍ଶନ କରିଚି ଯେ ।” ପୁଣି ବିଜୁଳି ପରି ମୋ ପଢ଼ାଘରକୁ ପଶିଆସି ଫିସ୍‌ଫିସ୍ କରି ମୋ କାନପାଖରେ ଆଖି ନଚେଇ କହି ଦେଇଗଲା- ଆଜି କଥା ମାଉସୀଙ୍କୁ କହିବି । ମୋ ବିବଶ ଭାବକୁ ଥରେ ବି ନ ଚାହିଁ ବନହରିଣୀ ପରି ପୁଣି ବାହାରିଗଲା ପଢ଼ାଘରୁ । ବାସ୍ !

ସିମାନୀ ଚାଲିଯିବା ପରଠୁ ମୋ ସବୁ ଭାବନା ଉପରେ ବସିଗଲା ଗୋଟେ ମୋହର । ଅଶ୍ଳୀଳ ! ଅଶ୍ଳୀଳ ! ଲଜ୍ଜା ! ଲଜ୍ଜା !

ସେବେଠୁଁ ମୁଁ ଖୋଜିବାକୁ ଲାଗିଲି ମୁକ୍ତି ! ମୁକ୍ତି ! ମୁକ୍ତି ! ସିମାନୀଠାରୁ, ଘରୁ ବାହାରୁ, ସମସ୍ତଙ୍କ ଠାରୁ ।

ମନ ଲାଗୁନି ପାଠପଢ଼ାରେ । ଖେଳକୁଦରେ । କାହା ସହ କଥା ହେବାରେ । ଏ ଭିତରେ ମା’ର ଅଲକ୍ଷ୍ୟରେ କେତେଟା ଖେଳ ଉପକରଣ ଉପରେ ମିଛ ଦାଉସାଧି ଭାଙ୍ଗି ସାରିଚି । ଫୋପାଡ଼ି ସାରିଚି ମୋ ପ୍ରିୟ ରଙ୍ଗତୂଳୀ । ମୋ ଈପ୍ସିତ କ୍ରୋଧର, ପ୍ରାର୍ଥନାର ଏବେ ଗୋଟିଏ ସ୍ୱର-ପ୍ରଭୁ ମୋତେ କ୍ଷମା ଦିଅ । ମୋତେ ଏ ପାପରୁ ମୁକ୍ତିର ରାହା ଦେଖାଅ । ମୁଁ ଯେ ନିର୍ଦ୍ଦୋଷ । ଏମିତି ପାପରେ ମୋର କିଛି ହିଁ କରିବାର ନଥିଲା ।

ଘରେ ବାହାରେ ନିଜକୁ ନିଜେ ପ୍ରଶ୍ନ କରିଚି । ସତରେ କ’ଣ ସିମାନୀ ସହ ଯାହା ଘଟିଗଲା ସେଥିରେ ମୋର କିଛି ଅଶ୍ଳୀଳ ଉଦ୍ଦେଶ୍ୟ ଥିଲା ? କିନ୍ତୁ ମୁଁ ତ ମୁଁ, ଜୀବନରେ ସବୁ ସାନ୍ତ୍ୱନାର କାରଣ ଈଶ୍ୱର ବି ମୋ ପାଇଁ ନିରବ । ଓଃ. . . ! ମୁଁ ଉପାୟ ଶୂନ୍ୟ । ମୋ ସବୁ ଚିନ୍ତା ଭାବନାର ବହୁ ଦୂରରେ ମୋ ମୁକ୍ତିର ବାଟ ।

ସତରେ ଯଦି ସିମାନୀ ମା’କୁ ଏକଥା କହିଦିଏ, କ’ଣ ହବ ମା’ ମନର ଅବସ୍ଥା ? ତା’ ନିର୍ମଳ, ସରଳପଣ କେତେ ଟୁକୁରା ହୋଇ ଭାଙ୍ଗିଯିବନି ସତେ । ମୋ ପାଇଁ ତା’ ସଜଡ଼ା ଆଶା, ସ୍ୱପ୍ନର ହବ କ’ଣ ?

ଦିନ ପରେ ଦିନ ଗଡ଼ିଯାଉଚି । ମା’କୁ କହିଦେବା ଭୟରେ ମୁଁ ନାଚିବାକୁ ଆରମ୍ଭ କରିଚି ସିମାନୀର ଇସାରାରେ । ଏବେ ସିଏ ଯାହା କହିବ ମୋତେ କେବଳ ମାନିବାକୁ ପଡ଼ିବ । ସିମାନୀର ଆଦେଶକୁ ମାନିବାର ପ୍ରଥମ ଥର ମା’କୁ ଲୁଚେଇ ମୁଁ ଚାଲିଆସିଚି ଆମ୍ୱତୋଟା ତଳ ଗୋହିରି ଆଡ଼କୁ । ଯେଉଁଠି ବି ଦିନବେଳେ ମୁଁ ଏକୁଟିଆ ଆସିବାକୁ ଭୟକରେ । ସଞ୍ଜ ଅନ୍ଧାର, କେବଳ ଗୋଟେ ପରିଚିତ ଚାପାସ୍ୱରର ତାଗିଦା ମୋତେ ଯେମିତି ଟାଣି ନେଉଚି । ମୋ ଆଗରେ ସିମାନୀର ଛାଇ । ପଛରେ ଭୟାର୍ତ୍ତ ଠେକୁଆ ପରି ମୁଁ ତାକୁ ଅନୁସରଣ କରୁଚି । ଥରେ ବି ପଚାରି ପାରୁନି, ସେଠିକି ଆମେ ଯିବା କାହିଁକି ? କିନ୍ତୁ ମନେ ମନେ ଆଶ୍ଚର୍ଯ୍ୟ ସେଠିକି ଆମେ ନ ଯାଇ ଯାହା କଥା ହେବା ଘରେ ବି ହୋଇପାରିଥାନ୍ତେ ।

ଆମେ ଅଟକୁଚୁ ଏକ ନିକାଞ୍ଚନ ଜାଗାରେ । କେହି କୁଆଡ଼େ ନାହାନ୍ତି । କାହିର ଆସିବାର ଏତେଟିକେ ସମ୍ଭାବନା ମଧ୍ୟ ନାହିଁ । ମୋ ମନରେ କିନ୍ତୁ ଡର ନାହିଁ । ହୁଏତ ଏଠିକି ଆସି ମୋତେ ମୁକ୍ତି ମିଳିଯିବ କି ସିମାନୀ ଭୟରୁ !

ସିମାନୀ ମୋ ନିକଟରୁ ନିକଟତର । ଆମେ ଦି’ଜଣ ଗୋଟିଏ ଛାଇ । କେଜାଣି କାହିଁକି ସେଇ ମୁହୂର୍ତ୍ତଟା ମୋତେ ଭାରି ଅଶ୍ଳୀଳ ଅଶ୍ଳୀଳ ଲାଗିଚି । ମୋତେ ଆହୁରି ନିକଟକୁ ଜଡ଼େଇ ନେବାକୁ ହାତ ବଢ଼େଇଥିବା ସିମାନୀ ଚମକି ପଡ଼ିଲା- ଆରେ ବବ୍‌ଲୁ ତୋ ଦେହରେ ଏତେ ତାତି ! ଜ୍ୱର !

କେତେଥର ଈଶ୍ୱରଙ୍କଠୁ ନ୍ୟାୟ ମାଗିଚି । ନେହୁରା ହେଇଚି, ଅଥଚ ସିଏ ନିରବ । ଆଜି କିନ୍ତୁ ମୋତେ ତାଙ୍କଠୁ ଜବାବ୍ ମିଳିସାରିଚି । ସେ ଅଛନ୍ତି । ମୋ ସପକ୍ଷରେ ଅଛନ୍ତି । ଯିଏ ଅଶ୍ଳୀଳତାକୁ, ପାପକୁ ଆଦୌ ପସନ୍ଦ କରନ୍ତି ନାହିଁ । ସେଇଥିପାଇଁ କି କ’ଣ ମୁଁ ମୁକ୍ତି ପାଇଯାଇଚି । ମୋ ମନ କହୁଚି ହେତୁ ପାଇବା ଦିନରୁ ମା’ ସହିତ ସନ୍ଧ୍ୟାରେ ବସି ପ୍ରାର୍ଥନା କରୁ । ସେଇ ଶକ୍ତି ମୋତେ ଫେରେଇ ଆଣିନି ତ ସିମାନୀର ସେଇ ମନ୍ଦ ଉଦ୍ଦେଶ୍ୟ ପାଖରୁ ।

ବିଛଣାରେ ପଡ଼ି ପଡ଼ି ମୁଁ ଜ୍ୱରରେ କାତର । ମା’ ମୋ ମୁଣ୍ଡ ପାଖରେ ବସି ପାଣି ପଟି ବଦଳେଇ ଚାଲିଚି । ନିଦ ଆସୁନଥିଲେ ବି ମୁଁ ଆଖି ବୁଜି ଶୋଇ ଶୋଇ ଆରାମ ଅନୁଭବ କରୁଚି । ମୋତେ ଲାଗୁଚି ଏ ଆରାମ, ମା’ର ପାଣିପଟି ପାଇଁ ଯେତିକି ନୁହଁ, ବରଂ ସିମାନୀଠୁ ଏ ଜ୍ୱର କେଇଦିନ ଦୂରେଇ ରହିବା କାରଣରୁ । ମୁଁ ଜାଣେ ୟା’ ଭିତରେ ସିଏ କେତେଥର ଆସିଚି । ମୋତେ ବିଛଣାରେ ଶୋଇଥିବା ଦେଖି ଚାଲିଯାଇଚି । ପଡ଼ି ପଡ଼ି ଏତେ ନିରୋଳା ସମୟ ପାଇ ମଧ୍ୟ ଥରେ ହେଲେ ଭାବିନାହିଁ, ମୋ ମାଟ୍ରିକ୍ ପରୀକ୍ଷା କଥା । ଫଳ କଥା । ସ୍କୁଲ୍‌ରେ ସମସ୍ତଙ୍କଠୁ ଅଧିକ ନମ୍ୱର ରଖିବା ପାଇଁ ମା’କୁ ଦେଇଥିବା ପ୍ରତିଶ୍ରୁତିର କଥା ।

ରାତିରେ ଜ୍ୱରର ପ୍ରକୋପ ବଢ଼ି ଯାଇଥିଲା । ମା’ କଥାରୁ ଜାଣିଲି ମୁଁ କେତେ କ’ଣ ବାଉଳିଚାଉଳି ହେଇଚି । କି-କି କଥା ସବୁ କହିଚି । ଏକଥା ମା’ ମୁହଁରୁ ଶୁଣିବା ପରେ ଭଗବାନଙ୍କୁ ପ୍ରାର୍ଥନା କରିଚି ପ୍ରଭୁ ମୋ ପାଟିରୁ ସେମିତି କିଛି ବାହାରି ନଥାଉ ଯାହା ମୋ ମା’ ମନକୁ ଆଘାତ ଦବ । ମୋ ପ୍ରତି ଥିବା ତା’ର ଆଶା ଭରସାକୁ ଭାଙ୍ଗି ଦେବ । ମନେ ମନେ କହିଚି- ପ୍ରଭୁ ମତେ ସେତିକି ଦିନ ଅନ୍ତତଃ ମା’ ପାଖରେ ତା’ ପୁଅ ବବ୍‌ଲୁ କରି ରଖିଥାଅ । ଯେତେଦିନ ଯାଏ ମୁଁ ମୋ ସମସ୍ୟା ସମାଧାନର ବାଟ ଖୋଜି ନ ପାଉଚି ସେତେଦିନ ଯାଏ ଗୋଟେ ଅବୋଧ ନାବାଳକର ଡାଇରି ସେଇମିତି ବନ୍ଦ ରହୁ । ମନରୁ ହଟିଯାଇଚି ପରୀକ୍ଷା ଫଳ ପାଇଁ ପ୍ରାର୍ଥନା କରିବା କଥା ।

ଜ୍ୱର ଛାଡ଼ିଯିବା କାରଣରୁ ଦେହହାତ ଟିକେ ହାଲ୍କା ହାଲ୍କା । ଅଧିକ ଦୁର୍ବଳ ଯୋଗୁଁ ବିଛଣାରୁ ଉଠିବାକୁ ଇଚ୍ଛା ନାହିଁ । ଶୋଇ ଶୋଇ ସ୍ୱପ୍ନ ଦେଖୁଚି । ମୁଁ ଅଥଳ ନଈ ସୁଅରେ ଭାସି ଯାଉଚି । କୂଳ କିନାରା କିଛି ବି ଦିଶୁନି । ମୁଁ ଯେତେ ଜୋର୍‌ରେ ଭାସିଯାଉଚି ସାରା ସଂସାରର ଭଲ ପାଇବା ସେତେ ଦ୍ରୁତଗତିରେ ମୋ ଆଡ଼କୁ ହାତ ବଢ଼େଇ ମାଡ଼ିଆସୁଚି । ଲାଗୁଚି ଏଇତ ମୋତେ ଉଦ୍ଧାର କରିଦବ । କିନ୍ତୁ ମୁଁ ନିଜକୁ ନିଜେ ଆହୁରି ତୀବ୍ର ଗତିରେ ସେ ହାତ ପାଖରୁ ଦୂରେଇ ଦୂରେଇ ଯିବାକୁ ଚାହୁଁଛି । ବିକଳ ହୋଇ ଦେଖୁଚି ସେ ହାତ ଗୁଡ଼ାକ କିନ୍ତୁ ଆଉ କାହାରି ନୁହଁ ବରଂ ମୋ ମାଆର । ନିଦ ଭାଙ୍ଗିଲା ବେଳକୁ ଝାଳରେ ଗାଧୋଇ ସାରିଚି । ପାରାସିଟାମଲ୍‌ର ଇଏ କରାମତି । ମାଆ ମୋ ମୁଣ୍ଡ ପାଖରେ ଶୋଇଯାଇଚି । ତା’ କରୁଣାସିକ୍ତ ମୁହଁ ଉପରେ ଆଖି ପଡ଼ିଯିବା ମାତ୍ରେ ମୋ ଭିତର ଖଣ୍ଡ ଖଣ୍ଡ ହୋଇ ଭାଙ୍ଗିଗଲା । କେତେଦିନ ଆଉ ଏମିତି. . . । ନା

. . . କିଛି ବି ହଉ ମତେ ଗୋଟାଏ ନିଷ୍ପତ୍ତି ନେବାକୁ ପଡ଼ିବ । ହୁଏତ ଯେତେ କଷ୍ଟ ହଉ ସତକୁ ସାମ୍ନା କରିବି, ନ ହୁଏତ ପଳାତକ । ମା’ ପିଲାବେଳେ କହୁଥିବା ଅନେକ କାହାଣୀ ଭିତରୁ ଏତିକି ଶିଖିଚି । ଦୁଃଖର ଝଡ଼କୁ ପାର କଲେଇ ଶାନ୍ତିର ସ୍ୱର ଶୁଣିପାରିବୁ । ଅମାରାତିକୁ ପାରକଲେ ନୂଆ ସକାଳକୁ ଦେଖିବୁ । ମୋତେ ପାର କରିବାକୁ ହବ । ଅବଶ୍ୟ ପାର୍ କରିବାକୁ ହେବ । ତେବେ କେମିତି ? ଈଶ୍ୱରଙ୍କ ଉପରେ ସେ ଉତ୍ତର ଛାଡ଼ି ଦେଇ ମୁଁ ଶୋଇଗଲି ।

ସକାଳେ ନିଦ ଭାଙ୍ଗିଲା ଖୁବ୍ ଡେରିରେ । ଅନ୍ୟଦିନ ହେଇଥିଲେ ମା’ ଉଠେଇ ଦିଅନ୍ତା । ଦୁର୍ବଳ କାରଣରୁ ମୋ ଶୋଇଥିବା ଦେଖି ସେ ଘରକାମରେ ଲାଗିଥିବ । ଏଇତ ଝରକା ବାହାର ବାଡ଼ିପଟେ ଶୁଭୁଚି ମା’ କାହା ସହ କଥା ହଉଚି । କେତେବେଳ ହେଲାଣି କି ? କାନ୍ଥ ଘଡ଼ିକି ଚାହିଁ ଦେଲି ତ. . . ନଅ ! ମା’ କହୁଚି କାଲିଠୁ ବବ୍‌ଲୁକୁ ଟିକେ ଜର ଛାଡ଼ିଚି । ହେଲେ କ’ଣ ହବ କିଛି ଟିକିଏ ସେ ପାଟିକି ନଉନି । କ’ଣଟା ଯେ କରିବି. . . ?

: ମାଉସୀ ସବୁ ଠିକ୍ ହେଇଯିବ ମ । ଜର ପାଟିକି ଅରୁଚି ଲାଗୁଥିବ ।

: ନାଇଁଲୋ ମା’, ସେ ଚିନ୍ତା ତ ଯାହା, ଆଜି ତା’ ପରୀକ୍ଷାଫଳ ବାହାରିବ । କାଲିଠୁ ସିଏ ତ ବ୍ୟସ୍ତ । କିଏ ଅଛି ଯେ ଯାଇ କଉଠୁ ବୁଝିଆସିବାକୁ ।

ତା’ପରର ଘଟଣା ଏମିତି ଘଟିଛି କେହି ହେଲେ ବିଶ୍ୱାସ କରିନଥିବେ । ନା- ମା’, ନା- ସିମାନୀ, ମୁଁ କେଜାଣି କେମିତି ଯାଇ ସେଠି ପହଞ୍ଚିଚି, ନଇପଡ଼ି ମା’ର ପାଦକୁ ଛୁଇଁଚି ଆଉ ପରେ ପରେ ସିମାନୀକୁ ଜାବୁଡ଼ି ଧରି ଶୂନ୍ୟେ ଶୂନ୍ୟେ ତୋଳି ଧରିଚି ଯେ କାହାରି ପାଖରେ ମୋ ଖୁସିର କାରଣ କ’ଣ ପଚାରିବାକୁ ସମୟ ନାହିଁ ।

କେତେ ସମୟ ପରେ ମୁଁ ସିମାନୀ ଗାଲରେ ଚୁମାଟେ ଦେଇ ଖୁସିରେ କହିପକାଇଲି- ବୁଝିଲୁ ପ୍ରତିଦିନ ତୋ ହାତର ଫୁଲସେବା ପାଇଁ ଠାକୁର ମୋତେ ମାଟ୍ରିକ୍‌ରେ ଏ ୱାନ୍ ଗ୍ରେଡ୍ ଦେଇଛନ୍ତି । ଆଜି ମୁଁ ଭାରି ଖୁସି । ବୁଝିଲୁ ମା’ ଏବେ ବିଜୁ ହାତରେ ସାର୍ ଖବର ପଠେଇଛନ୍ତି । ଖୁସିରେ ଝରିପଡୁଚି ମା’ ଆଖିରୁ ଲୁହ । ସିମାନୀ ଠିଆ ହେଇଚି ଚେରକଟା ରୋଗରେ ଝାଉଁଳି ପଡ଼ିଥିବା ଗଛଟେ ପରି ।

ଲୋକପ୍ରିୟ ଲେଖା

To Top