ଗଳ୍ପ

ନାଗକନ୍ୟା

Rajiba Lochana Panda's Odia Story NAAGAKANYAA

ପାଉଁଜିର ଶବ୍ଦଟା ଆମଠୁଁ ଟିକେ ଦୂରରେ ଥିବା ଗହଳିଆ ବୁଦା ସେପଟୁ ଆସୁଥିଲା, ଟିକିଏ ନିରୀକ୍ଷଣ କରି ସେପଟୁକୁ ଦେଖିଲା ବେଳକୁ ଦୂରରୁ କିଛି ଗୋଟେ ଚିକ୍ ଚିକ୍ କରୁଥିଲା ଭଳିଆ ଦେଖାଯାଉଥିଲା ।

ନାଗକନ୍ୟା

ରାତି ପାଇଛି କି ନାହିଁ ମୋ ବୋଉ ପାଟି କରୁଥିଲା ବାଡ଼ିପଟ ଘରୁ ଆହୁରି କ’ଣ ଶୋଇଛୁ. . . ନିଦ ଭାଙ୍ଗିଲାଣି ନା ନାହିଁ । ଆଜିପରା ତୋର ନିର୍ବନ୍ଧ ଜଲଦି ଜଲଦି ଗାଧୁଆ ପାଧୁଆ କାମ ସାରିଦେ ତେଣେ ଗୁଡ଼ାଏ କାମ ଅଛି କରିବାକୁ । ବୋଉର ପାଟି ଶୁଣି ସାଙ୍ଗେ ସାଙ୍ଗେ ନିଦ ଭାଙ୍ଗିଗଲା । ଶେଜ ଉପରେ ବସି ଭାବୁଥିଲି ମୋ ଭବିଷ୍ୟତ ବିଷୟରେ । ଆଉ କିଛିଦିନ ପରେ ମୋ ବାହାଘର ହୋଇଯିବ ମୋ ଖର୍ଚ୍ଚ ମୋତେ ଉଠେଇବାକୁ ପଡ଼ିବ ତା’ ସାଙ୍ଗକୁ ମୋ ସ୍ତ୍ରୀର ବି ଖର୍ଚ୍ଚ ଅଛି । ଆଜି ସିନା ବାପାଙ୍କ ପେନ୍‌ସନ୍‌ରେ ଘର ଚଳିଯାଉଛି । ହେଲେ କାଲି । ଏମିତି ଭାବି ଭାବି ବ୍ୟସ୍ତ ହୋଇ ପଡୁଥିଲି । ଭାବୁଥିଲି ବାହାଘରଟା ଟିକେ ଡେରିରେ ହେଲେ କ’ଣ ଚଳନ୍ତାନି କିନ୍ତୁ ବୋଉର ଜିଦ୍ ଅଳ୍ପଦିନ ଭିତରେ ମୋ ବାହାଘରଟା ସାରି ତା’ ମୁଣ୍ଡରୁ ଜଞ୍ଜାଳଟା ଖସେଇ ଦବ । ପୁଣି ପ୍ରସ୍ତାବଟା ଜଙ୍ଗଲ ସେପାଖ ଗାଁରୁ ଆସିଛି, ଝିଅଟା କୁଆଡ଼େ ଦେଖିବାକୁ ଦେବୀ ଭଳିଆ ସୁନ୍ଦର ।

ପ୍ରସ୍ତାବଟା କିଛି ମନ୍ଦ ନୁହେଁ ହେଲେ ମନଟା ଟିକେ ଉଣା କରି ବୋଉକୁ କହୁଥିଲି ବୁଝିଲୁ “ବୋଉ ଝିଅଟା ସୁନ୍ଦର ଯେ ମୁଁ କୁଆଡ଼େ ଶୁଣୁଥିଲି ଝିଅଟାକୁ ଗୋଟେଇ ଆଣି ତା’ ବାପା ମା’ ପାଳିଛନ୍ତି ।” ମୋ କଥା ଶୁଣି ବୋଉ ହସି ହସି ସେଦିନ ମୋତେ ବୁଝଉଥିଲା, “ଆରେ ଗୋଟେଇ ଆଣି ପାଳିଲେ କ’ଣ ହେଲା ତା’ ବାପା ମା’ର ପରା ସେ ଗାଁରେ ଖାତିରି ଅଛି, ସେ ଗାଁରେ ପରା କଥା ହଉଛନ୍ତି ଏମିତି ଝିଅ ଭାଗ୍ୟରେ ଥିଲେ ମିଳେ ।” ବୋଉଠୁ ଏମିତି ଆଶ୍ୱାସନା ଶୁଣି ରାଜି ହୋଇଯାଇଥିଲି ସେ ଝିଅକୁ ବାହା ହେବା ପାଇଁ ।

ନିର୍ବନ୍ଧ ଦିନ ଆଖିକୁ ଆଖି ମିଶିଗଲା ବେଳକୁ ଝିଅଟାକୁ ପଚାରି ଦେଲି ତମ ନାଁଟା କ’ଣ ? ମୋ ପ୍ରଶ୍ନ ଶୁଣି ଝିଅଟା ଲାଜେଇ ଗଲା ଯେମିତି, ଲାଜେଇ ଲାଜେଇ କହିଲା “ପୂର୍ଣ୍ଣିମା” । ଏଁ “ପୂର୍ଣ୍ଣିମା” ବଢ଼ିଆ ନାଁଟେ ତ, ଏମିକି ଆପେ ଆପେ ମୋ ପାଟିରୁ ବାହାରି ପଡ଼ିଲା । ମୋ ପାଟିରୁ କଥା ସରୁ ସରୁ ପୂର୍ଣ୍ଣିମାର ମା’ କହୁଥିଲେ ୟା’କୁ ପୁନେଇଁ ରାତିରେ ଗୋଟେ ଆଣି ପାଳିଥିଲୁ ତ ସେଇଥି ପାଇଁ ତା’ ନାଁ ଏମିତି ଦେଇ ଦେଇଛୁ । ନିର୍ବନ୍ଧଟା ସରୁ ସରୁ ବାହାଘରଟା ବି ଆଖି ପିଛୁଳାକେ ହୋଇଗଲା । ବାହାଘର ଦିନ ଯୌତୁକ ବାବଦକୁ ପୂର୍ଣ୍ଣିମା ଆଣିଥିଲା ଗୋଟେ ବିରାଟ ବଡ଼ ପଲଙ୍କ, ଏମିତିଆ ପଲଙ୍କ ଆମ ଗାଁକୁ ପ୍ରଥମେ ଯେମିତି ଆସିଛି ଭଳିଆ ଲାଗୁଥିଲା । ସାଇପଡ଼ିଶା ଲୋକ ଟୁପୁରୁଟାପୁରୁ ହେଉଥିଲେ ଝିଅଟା ସତରେ ଦେବୀଟେ ହୋଇଥିବ ନ ହେଲେ କୋଉ ମଣିଷ ଏମିତି ସୁନ୍ଦର ହୋଇପାରିବ । ମୋ ସ୍ତ୍ରୀର ଏମିତି ପ୍ରଶଂସା ଶୁଣି ମୋ ଛାତିଟା ଗର୍ବରେ ଫାଟି ପଡୁଥିଲା ସତେ ଯେମିତି ।

ବାହାଘର ରାତିରେ ପଲଙ୍କ ଉପରେ ବସି ପୂର୍ଣ୍ଣିମାକୁ ମଜାରେ ମଜାରେ କହୁଥିଲି ବୁଝିଲ ପୂର୍ଣ୍ଣିମା ତମ ଦେହଟା ଖାଲି ଚମ୍ପା ଫୁଲ ପରି ବାସୁଛି ମୋ କଥା ଶୁଣି ପୂର୍ଣ୍ଣିମା ଲାଜେଇ ଯାଇ ମୁଣ୍ଡଟା ତଳକୁ କରି ଖାଲି ହସୁଥିଲା । ପୂର୍ଣ୍ଣିମା ମଥାରେ ପିନ୍ଧିଥିଲା ଗୋଟେ ମଥାମଣି, ସେ ମଥାମଣି ମଝିରେ ଥିଲା ଗୋଟେ ନୀଳ ପଥର । ସେ ନୀଳ ପଥରଟା ଆମ ଅନ୍ଧାର ଘରଟାକୁ ସତେ ଯେମିତି ଆଲୋକିତ କରିଦେଲା ଭଳିଆ ଲାଗୁଥିଲା । ଧୀରେ ଧୀରେ ଲାଜେଇ ପୂର୍ଣ୍ଣିମା ସତେ ଯେମିତି ବଦଳିଗଲା । ମୋ ଥଟ୍ଟା କରିବା ଆଗରୁ ମୋତେ ଥଟ୍ଟା ମଜା କରି ହରେଇ ଦଉଥିଲା ସତେ ଯେମିତି ।

ପିଲାଦିନେ ଅନ୍ଧାରକୁ ଡରି ବୋଉକୁ ଭିଡ଼ି ଧରି ଶୋଉଥିଲି ହେଲେ ଆଜି ବଡ଼ ହୋଇଗଲିଣି ପୁଣି ପୂର୍ଣ୍ଣିମା ମୋ ପାଖରେ ଶୋଉଛି ଯେତେବେଳେ ମୋ ବାପା ବୋଉ ଦାଣ୍ଡପଟ ଘରେ ଶୋଉଥିଲେ । ବାଡ଼ିପଟ ଘରେ ପଲଙ୍କ ଉପରେ ବସି ସବୁବେଳେ ପୂର୍ଣ୍ଣିମା ମୋ ଆସିବା ବାଟକୁ ଚାହିଁ ରହିଥାଏ । ଫେରିଲା ବେଳକୁ ଟିକେ ରାତି ଅଧିକ ହୋଇଗଲେ କହେ ଜଲଦି କାହିଁକି ଆସୁନ ? ତା’ର ଏମିତିଆ ପ୍ରଶ୍ନ ଶୁଣି ମୁଁ ବିରକ୍ତ ହେଲା ଭଳିଆ କହେ “କାଇଁ ତମେ କୁଆଡ଼େ ବୁଲି ଯାଉନ ମୁଁ କ’ଣ ତୁମକୁ ମନା କରୁଛି ?” ମୋ କଥା ଶୁଣି ପୂର୍ଣ୍ଣିମା ଅଭିମାନ କଲା ଭଳିଆ କହେ “ମୁଁ କାହିଁକି କୁଆଡ଼େ ଯିବି ଏତେ ରାତି ଯାଏଁ. . . ମୋର କ’ଣ ଆଉ କିଛି କାମ ନାହିଁ ।” ସଫା ସଫା ମୋତେ କହେ “କାଲିଠୁଁ ଘରକୁ ଜଲଦି ଆସିବ, ବାହା ହେଲଣି ଯେତେବେଳେ ବେଳ ଥାଉ ଥାଉ ଘରେ ଆସି ହାଜର ହଉଥିବ ।” ପୂର୍ଣ୍ଣିମା କଥାରେ ମୁଁ ହଁ ମାରିଦିଏ ସିନା ତା’ କଥା କେବେ ରଖିପାରେନି ।

ବାହାଘର ପରଠୁଁ ହାତ ଖର୍ଚ୍ଚ ବାହାର କରିବା ପାଇଁ ଗାଁ ମୁଣ୍ଡରେ ଗୋଟେ ଛୋଟ ତେଜରାତି ଦୋକାନଟିଏ ଆରମ୍ଭ କରିଦେଇଥିଲି ମୋ ଦୋକାନରେ ସବୁବେଳେ ମୋ ସାଙ୍ଗମାନଙ୍କର ଭିଡ଼ ଲାଗି ରହିଥାଏ । ଦୁନିଆଁ ଯାକର ଖବର ମୋ ଦୋକାନରେ ବସି ସବୁବେଳେ ଆଲୋଚନା ହୁଏ । ଦିନେ ଏମିତି କଥା ହେବା ଛଳରେ ମୋ ଦୋକାନରେ ବସି ଜଣେ ସାଙ୍ଗ କହୁଥିଲା ଶୁଣିଲୁଣି ଆମ ଗାଁ ପାଖ ଜଙ୍ଗଲରେ କୁଆଡ଼େ ଗୋଟେ “ନାଗକନ୍ୟା” ଦେଖିବାକୁ ମିଳୁଛି, ପୁନେଇଁ ରାତିରେ କୁଆଡ଼େ ଏକା ଏକା ଶିବ ମନ୍ଦିରକୁ ଯାଇ ଫୁଲ ଦେଇ ପୂଜା କରୁଛି । ଏମିତି ଶୁଣି ଆଉ ଜଣେ ସାଙ୍ଗ କହୁଥିଲା ବୁଲୁଥିବ କୋଉ ନାଗକନ୍ୟା ଆମକୁ ସେଥିରୁ କ’ଣ ମିଳିବ ଯେ ! ଆଉ ଜଣେ କହୁଥିଲା ଆରେ ଏ ସବୁ ବେକାର କଥା ଏମିତି ମିଛ ପ୍ରଚାର କରି କିଛି ଲୋକ ଫାଇଦା ଉଠେଇବାକୁ ଚେଷ୍ଟା କରନ୍ତି । ଏମିତି ବାଦବିବାଦ ଭିତରେ ଆମ ସାଙ୍ଗମାନଙ୍କ ଭିତରେ କଥା ଛିଡ଼ିଲା ଆସନ୍ତା ପୁନେଇଁକୁ ରାତିରେ ଜଙ୍ଗଲରେ ଲୁଚି ସତ୍ୟାସତ୍ୟ ଜାଣିବା ପାଇଁ ।

ସାଙ୍ଗସାଥୀମାନଙ୍କର ଏମିତି ବେକାରିଆ ଅଜବ କଥା ଗୁଡ଼ାକରେ ମୁଁ ମୁଣ୍ଡ ପୁରଉ ନ ଥିଲି, ମନେ ମନେ ଭାବୁଥିଲି ଯାହାର କାମ ଧନ୍ଦା କିଛି ନଥିବ ସିଏ ଏମିତିଆ କଥାରେ ମୁଣ୍ଡ ଖେଳେଇବ । ଏ ଭିତରେ ମୁଁ ବାହା ହେବାର ଦୁଇ ବର୍ଷ ହୋଇଗଲାଣି ମୁଁ ପାଖାପାଖି ପନ୍ଦର କୋଡ଼ିଏ ଥର ସେ ଜଙ୍ଗଲ ଦେଇ ପୂର୍ଣ୍ଣିମାର ମା’ ଘର ଆଡ଼େ ଯାଇଛି କାଇଁ ମୁଁ ତ କେବେ ନାଗକନ୍ୟା ଦେଖିନି । ଭାବିଲି ପୂର୍ଣ୍ଣିମା କୁଆଡ଼େ ଦେଖିଥିବ ପଚାରିବି । ଦୋକାନ ବନ୍ଦ କରି ଘରକୁ ଆସି ପଚାରିଲି ପୂର୍ଣ୍ଣିମାକୁ “ହେଇଟି ଶୁଣୁଛ ଆମ ଗାଁ ଜଙ୍ଗଲ ଭିତରେ କୁଆଡ଼େ ଗୋଟେ ନାଗକନ୍ୟା ଆସି ଶିବ ମନ୍ଦିରରେ ପୂଜା କରୁଛି ।” ମୋ କଥା ଶୁଣି ପୂର୍ଣ୍ଣିମା ହସି ହସି କହୁଥିଲା “ମୁଁ ପରା ସେ ନାଗକନ୍ୟା ଦେଖୁନ ମୋ ମଥାରେ କେମିତି ମଣି ଅଛି ।” ଏମିତି କହି ମୋ କଥାକୁ ହସରେ ଉଡ଼େଇ ଦେଲା ପୂର୍ଣ୍ଣିମା କହିଲା “ତମକୁ ଆଜିକାଲିର ବିଜ୍ଞାନ ଯୁଗରେ ନୁହେଁ କୋଉ ପୁରାଣ ଯୁଗରେ ଜନ୍ମ ହେବାର ଥିଲା ।”

ବାହା ହବାର ଦୁଇ ବର୍ଷ ଭିତରେ ପୂର୍ଣ୍ଣିମା ଦେଇଥିଲା ମୋତେ ଗୋଟେ ଅମୂଲ୍ୟ ଉପହାର, ମାନେ ସୁନ୍ଦର ପୁଅଟିଏ । ପୁଅ ତ ନୁହେଁ ସତେ ଯେମିତି ଫୁଲ ରାଜାଟିଏ । ମୁଁ ଟିକିଏ ଅଳସୁଆ ସକାଳେ ଉଠିଲା ବେଳୁ ସବୁବେଳେ ଡେରି, ହେଲେ ମୋ ଉଠିବା ଆଗରୁ ବଡ଼ି ଭୋରରୁ ଉଠି ପୂର୍ଣ୍ଣିମା ଆମ ବାଡ଼ିରେ ଥିବା ଚମ୍ପା ଗଛରୁ ଫୁଲ ତୋଳି ମାଳ କରି ତାକୁ ପଠେଇ ଦେଇଥିବ ମନ୍ଦିରକୁ, ଘର କାମ ସାରି ପୁଅ ସାଥିରେ ଖେଳୁଥିବ । ଏମିତି ଦେଖୁ ଦେଖୁ ପୁନେଇଁ ଦିନ ପାଖେଇ ଆସିଲା ସବୁ ସାଙ୍ଗ କଥା ହଉଥିଲେ ପୁନେଇଁ ରାତିରେ ଜଙ୍ଗଲରେ ଜଗିବା ନାଗକନ୍ୟାକୁ ଦେଖିବା ପାଇଁ, ମୁଁ ବି ରାଜି ହୋଇଗଲି ଜଙ୍ଗଲକୁ ରାତିରେ ଯିବା ପାଇଁ । ଏ ଭିତରେ ଚାରିଆଡ଼େ ପ୍ରଚାର ହୋଇଯାଇଥିଲା ନାଗକନ୍ୟା ବିଷୟରେ, ଯାହାର ପାଟିରୁ ଶୁଣିବ ଖାଲି ସେଇ ଗୋଟିଏ କଥା । କିଛି ଲୋକ ତ ତାକୁ ଦେଖିଥିବା କଥା କହୁଥିଲେ ଆଉ କିଛି ଲୋକ କହୁଥିଲେ ଦୂରରୁ ସାପୁଆକେଳା ଚାରିଜଣ ଆସିଛନ୍ତି, ସେମାନେ କୁଆଡ଼େ କହୁଥିଲେ “ନାଗକନ୍ୟାର ମୁଣ୍ଡରେ ଗୋଟେ ନୀଳମଣି ଅଛି, ସେ ମଣିଟା କୁଆଡ଼େ କୋଟି କୋଟି ଟଙ୍କା ହେବ ମିଳିଗଲେ ମଣିଷର ଭାଗ୍ୟ ବଦଳିଯିବ ।” ମଣି ପାଇଁ ସେମାନେ କୁଆଡ଼େ ଜଙ୍ଗଲରେ ଡେରା ପକାଇଛନ୍ତି ।

ପୁନେଇଁ ଦିନ ଦୋକାନ ଜଲଦି ବନ୍ଦ କରି ଘରକୁ ପଳେଇ ଆସିଲି । ମୁଁ ଜଲଦି ଘରକୁ ଆସିବା ଦେଖି ପୂର୍ଣ୍ଣିମା ମଜାରେ ମଜାରେ କହୁଥିଲା “ଆଜି କ’ଣ ସୂର୍ଯ୍ୟ ପଶ୍ଚିମ ଦିଗରେ ଉଦୟ ହୋଇଛନ୍ତି ନା କ’ଣ ? ଆଜି କ’ଣ ଏତେ ଜଲଦି ଘରକୁ ଆସିଛ ?” ମୁଁ ମୋ ସ୍ତ୍ରୀକୁ କହୁଥିଲି “ନାଇଁ ମାନେ କଥା କ’ଣ କି ଆଜି ପୁନେଇଁ ତ ଆଜି ରାତିରେ କୁଆଡ଼େ ନାଗକନ୍ୟା ଜଙ୍ଗଲକୁ ଯିବ ମନ୍ଦିରରେ ପୂଜା କରିବାକୁ, ସେଇଥି ପାଇଁ ଆମେ ସାଙ୍ଗମାନେ ଲୁଚି ଲୁଚି ତାକୁ ଦେଖିବାକୁ ଯିବୁ ।” ମୋ କଥା ଶୁଣି ପୂର୍ଣ୍ଣିମା ମଜାରେ କହୁଥିଲା “ମୋତେ ବି ସାଥିରେ ନଉନ ମୁଁ ବି ଦେଖିବି ।” ମୋ ସ୍ତ୍ରୀ ମୋତେ ପରିହାସ କରୁଥିବା ଶୁଣି ମୁଁ ବି ତାକୁ କହୁଥିଲି, “ଦେଖିବ ନାଗକନ୍ୟାର ନୀଳମଣି ଆଣି ଯେତେବେଳେ ତମ ହାତରେ ଧରେଇବି ସେତେବେଳେ ଜାଣିବ ଖବରଟା ସତ କି ମିଛ”, ମୋ ସ୍ତ୍ରୀ ଆଉ ମୋ ଭିତରେ ଏମିତି କଥା ହଉଥିବା ଶୁଣି ମୋ ବୋଉ ଦାଣ୍ଡପଟ ଘରେ ଥାଇ ପାଟି କରୁଥିଲା । ସେ ମଣିରୁ ଆମକୁ କଅଣ ମିଳିବ ତୁ ଆମର ଜମାରୁ ରାତିରେ ସେ ଜଙ୍ଗଲକୁ ଯିବୁନି । ବୋଉର ପାଟି ଶୁଣି ମନରେ ଭାବିଲି ସମସ୍ତେ ଶୋଇ ପଡ଼ିଲା ପରେ ବାଡ଼ିପଟ ଦେଇ ବୋଉକୁ ଲୁଚି ଜଙ୍ଗଲ ଆଡ଼େ ଯିବି ।

ପୂନେଇଁ ରାତିର ଆଲୁଅରେ ଜଙ୍ଗଲ ସାରା ଆଲୋକିତ ହୋଇ ଯାଇଥିଲା । ମନ୍ଦିର ପାଖ ବୁଦା ଉହାଡ଼ରେ ଲୁଚି କରି ଥିଲୁ ଆମେ ପାଞ୍ଚଜଣ ସାଙ୍ଗ ଅନ୍ୟ ପଟେ ଲୁଚି କରି ବସିଥିଲେ ଚାରିଜଣ ସାପୁଆ କେଳା । ଠିକ୍ ଏହି ସମୟରେ ପାଉଁଜିର ରୁଣୁଝୁଣୁ ଶବ୍ଦ ଶୁଭାଗଲା, ସମସ୍ତେ ନିସ୍ତବ୍ଧ ହୋଇଯାଇଥିଲେ । ପାଉଁଜିର ଶବ୍ଦଟା ଆମଠୁଁ ଟିକେ ଦୂରରେ ଥିବା ଗହଳିଆ ବୁଦା ସେପଟୁ ଆସୁଥିଲା, ଟିକିଏ ନିରୀକ୍ଷଣ କରି ସେପଟୁକୁ ଦେଖିଲା ବେଳକୁ ଦୂରରୁ କିଛି ଗୋଟେ ଚିକ୍ ଚିକ୍ କରୁଥିଲା ଭଳିଆ ଦେଖାଯାଉଥିଲା । ସମସ୍ତେ କଥା ହଉଥିଲେ ଏଇ ଦେଖ ନାଗକନ୍ୟା ସେଇଠି ଲୁଚିଛି । ପାଖକୁ ଯାଇ ଦେଖିଲା ବେଳକୁ ସବୁ କିଛି ଓଲଟା । କିଛି ପର୍ଯ୍ୟଟକ ଆସି ପୂନେଇଁ ରାତିରେ ନିଆଁ ହୁଳା ଜଳେଇ ମୁ୍ୟଜିକ୍ ଲଗେଇ ବଣଭୋଜିର ମଜା ନେଉଥିଲେ । ସେମାନଙ୍କୁ ଦେଖି ମୁଁ ଭାବିଲି ଇଏ ତାହାହେଲେ “ନାଗକନ୍ୟା”ର କାହାଣୀ ।

ସମସ୍ତଙ୍କ ମନରେ ନିରାଶା ଛାଇଗଲା । ଖବରଟା ମିଛ ଜାଣି ସେଇ ଶୂନଶାନ୍ ରାତିଟାରେ ଯିଏ ଯାହା ଘରକୁ ଚାଲିଗଲୁ । ଘରକୁ ଫେରିଲା ବେଳକୁ ବାଡ଼ିପଟ ଦେଇ ଘର ଭିତରକୁ ପଶିଗଲି । ପଲଙ୍କ ଉପରେ ମୋ ପୁଅ ଆଉ ମୋ ସ୍ତ୍ରୀ ଗଭୀର ନିଦ୍ରାରେ ଶୋଇଥିଲେ । ସେ ପଲଙ୍କ ଉପରେ ବସି ଭାବୁଥିଲି ସତରେ କ’ଣ ନାଗକନ୍ୟା ଥିବ ? ତା’ ମଣିଟା କ’ଣ ଏତେ ମୂଲ୍ୟବାନ୍ ? ଏମିତି ଭାବୁ ଭାବୁ ରାତି ପାହିଗଲା । ସକାଳୁ ଉଠୁ ଉଠୁ ମୋ ସ୍ତ୍ରୀ ମୋତେ ପଚାରୁଥିଲା “ନାଗକନ୍ୟା ଦେଖିଲ ? ସିଏ କ’ଣ ମୋ ଠୁଁ ସୁନ୍ଦର ? ତା’ ମଣି ପାଇଲ ?” ଏମିତି କେତେ କ’ଣ ହେଲେ ମୁଁ ତା’ କଥା ଶୁଣି ନ ଶୁଣିଲା ଭଳି ଅଭିନୟ କରି ଚୁପ୍‌ଚାପ୍ ଦୋକାନ ଆଡ଼େ ଚାଲି ଆସିଲି ।

ଦୋକାନ ଖୋଲୁ ଖୋଲୁ ଗୁଜବଟା ଚାରିଆଡ଼େ ପଚାର ହେଉଥିଲା କାଲି ରାତିରେ କୁଆଡ଼େ ନାଗକନ୍ୟା ଆସି ଜଙ୍ଗଲରେ ମନ୍ଦିର ଭିତରେ ପୂଜା କରିଛି । ଏମିତି ଗୁଜବ ଶୁଣି ମୋ ସାଙ୍ଗମାନଙ୍କ ସହିତ ପୁଣି ଦୌଡ଼ିଲି ଜଙ୍ଗଲ ଆଡ଼େ । ମନ୍ଦିର ଭିତରକୁ ଯାଇ ଦେଖେ ତ ଶିବ ଲିଙ୍ଗ ଉପରେ ଫୁଲ ଥୁଆ ହୋଇଛି । ମନ୍ଦିର ପାଖ ରାସ୍ତାରେ ପଡ଼ିଥିଲା କେହି ଜଣେ ଆସିବାର ପାଦ ଚିହ୍ନ । ଆମେ ସବୁ ଆଶ୍ଚର୍ଯ୍ୟ ହୋଇ ଭାବୁଥିଲୁ ତାହାହେଲେ ନାଗକନ୍ୟା ଆସିଥିଲା । ଏମିତି କିଛିଦିନ ଚାଲିଗଲା ପରେ ମୋ ଦୋକାନ ପାଖରେ ହଠାତ୍ ସେ ଚାରିଜଣ ସାପୁଆ କେଳା ହାଜର, ସେମାନଙ୍କ ସହିତ ଥିଲେ ବିଦେଶରୁ ଆସିଥିବା ସୌଦାଗର, ହାତରେ ଧରିଥିଲେ ଲକ୍ଷଲକ୍ଷ ଟଙ୍କା । ଏତେ ଟଙ୍କା ଆମ ପାଖରେ ଦେଖି ମୁଁ ଆଉ ମୋ ସାଙ୍ଗମାନେ କିଛି ବୁଝି ପାରୁନଥିଲୁ । ଆମେ କିଛି ବୁଝିବା ପୂର୍ବରୁ ଜଣେ ସାପୁଆ କେଳା ଆମକୁ ବୁଝଉଥିଲା ଏଇ ଟଙ୍କା ହେଉଛି ଆଡ୍ଭାନ୍ସ ଟଙ୍କା ଆଉ ନାଗକନ୍ୟାକୁ ଧରିବାରେ ସାହାଯ୍ୟ କଲେ ବାକି ଟଙ୍କା ମିଳିବ । ନାଗମଣିଟା କୁଆଡ଼େ ଦୁଇ କୋଟିରେ କିଣି କରି ନେବେ ସେହି ବିଦେଶୀ ସୌଦାଗରମାନେ । ପାଖରେ ଏତେ ଟଙ୍କା ଦେଖି ସମସ୍ତେ ହିତାହିତ ଜ୍ଞାନ ଭୁଲିଯାଇଥିଲୁ । ନାଗମଣିଟା ସତେ ଯେମିତି ପାଗଳ କରି ଦେଇଥିଲା ମୋତେ । ଭାବୁଥିଲି ନାଗୁଣିଟାକୁ ଧରେଇ ଦେଲେ ସେଇଥିରୁ ଯେଉଁ ଲାଭ ମିଳିବ ସେଥିରେ ଭଲ ଘରଟେ କରିବି, ମୋ ସ୍ତ୍ରୀ ପାଇଁ ରତ୍ନ ପଥର ବସେଇ ଭଲ ହାରଟେ କରିବି ଏମିତି କେତେ କ’ଣ !

ସାପୁଆକେଳା ଆଉ ମୋ ସାଙ୍ଗମାନେ ମିଶି ମୋ ଦୋକାନରେ ବସି ଆଲୋଚନା କରୁଥିଲୁ ଆସନ୍ତା ପୂନେଇଁରେ ଯେମିତି ନାଗକନ୍ୟାଟା ହାତରୁ ଖସି ନ ଯାଏ । ଜଣେ ସାପୁଆ କେଳା ବୁଝଉଥିଲା କୋଉ ପଟେ ଜାଲ ବିଛାଯିବ, କୋଉ ପଟେ ନାଗଫେଣି କଣ୍ଟା ବିଛାଯିବ ଆଉ କୋଉ ପଟୁ ସେ ନିଜେ ବିଣା ବଜେଇ ବଜେଇ ତା’ ଫାଶ ପାଖକୁ ଆଣିବ, ଜାଲରେ ପଡ଼ିବା ପରେ ନାଗୁଣୀର ମଣି କେମିତି ତା’ ମଥାରୁ କାଢ଼ିବ ଏମିତି କେତେ କ’ଣ. . . ତା’ କଥାରେ ଏକମତ ହୋଇ ସମସ୍ତେ ପୂନେଇଁ ରାତିକୁ ଚାତକ ପରି ଚାହିଁ ରହିଲୁ । ମୁଁ ସାପୁଆ କେଳାକୁ ପଚାରୁଥିଲି “ମଣିଟା ନାଗୁଣୀର ମଥାରୁ କାଢ଼ିବା ପରେ ନାଗୁଣୀର କିଛି ଅସୁବିଧା ହେବ ନାହିଁ ତ ?” ମୋ କଥା ଶୁଣି ସାପୁଆ କେଳା ପରିହାସ କଲା ଭଳିଆ କହୁଥିଲା “କାଇଁ ତମର ନାଗୁଣୀ ଉପରେ ଦୟା ଆସୁଛି କି ?” ତା’ କଥା ଶୁଣି ମୁଁ କହୁଥିଲି “ନାଇଁ ଯେ. . .” ମୋ ସନ୍ଦେହ ଦୂର କରିବା ପାଇଁ ସାପୁଆ କେଳା କହୁଥିଲା “ନାଗକନ୍ୟାର ଶକ୍ତି କୁଆଡ଼େ ସେ ନୀଳମଣିରେ ଥାଏ ସେଇଟା ତା’ ମଥାରୁ ଚାଲିଗଲେ କିଛି ସମୟ ପରେ ସିଏ କୁଆଡ଼େ ନାଗସାପ ହୋଇଯିବ ଆଉ ଯେତେ ଚେଷ୍ଟା କଲେ ବି ମଣିଷ ରୂପ ହୋଇ ପାରିବନି ।” ତା’ କଥା ଶୁଣି ମୁଁ ଭାବୁଥିଲି ହଉ ମଣିଷ ନ ହୋଇପାରିଲେ କ’ଣ ହେଲା ସାପ ହୋଇ ତ ବଞ୍ଚିପାରିବ ।

ପୂନେଇଁ ଆସୁ ଆସୁ ରାତିଟାକୁ ଅପେକ୍ଷା କରି ବସିଲି ମନରେ ମନରେ ଭାବିଲି ଏଥର ସ୍ତ୍ରୀକୁ କିଛି ନ କହି ଅନ୍ୟ କୋଉ ବାହାନାରେ ଘରୁ ବାହାରିବି । ଏଥର ବି ଅସଫଳ ହେଲେ କାଳେ ପୂର୍ଣ୍ଣିମା ଆଗରେ ଲଜ୍ଜିତ ହେବାକୁ ପଡ଼ିବ ଭାବି ନାଗକନ୍ୟା କଥା ତା’ ଆଗରେ ନ ଉଠେଇ ବାହାରକୁ ଚାଲିଆସିଲି । ସାପୁଆ କେଳା ଆଉ ମୋ ସାଙ୍ଗମାନେ ମିଶି ଜଲଦି ବାହାରି ପଡ଼ିଲୁ ଜଙ୍ଗଲକୁ । ମନ୍ଦିର ପାଖରେ ସାପୁଆ କେଳା ନାଗଫେଣୀ କଣ୍ଟା ବିଛେଇବାରେ ବ୍ୟସ୍ତ ଥିଲା, ସାଙ୍ଗମାନେ ଜାଲ ବିଛେଇବାରେ ବ୍ୟସ୍ତ ଥିଲେ, ଏ ସମୟରେ ଶୁଭାଗଲା ପାଉଁଜିର ରୁଣୁଝୁଣୁ ଶବ୍ଦ । ମୁଁ ଭାବିଲି ଏଥର ବି କୁଆଡ଼େ ବଣଭୋଜି କରିବାକୁ କିଏ ଆସିଥିବ କିନ୍ତୁ କଥାଟା ଥିଲା ଠିକ୍ ଓଲଟା । ଆଜି ସତରେ ନାଗକନ୍ୟା ହାତରେ ଚମ୍ପାଫୁଲ ମାଳଧରି ଆସୁଥିଲା ଶିବ ମନ୍ଦିର ଉଦ୍ଦେଶ୍ୟରେ । ପାଗ ମେଘୁଆ ଥିବାରୁ ପୂନେଇଁ ରାତିରେ ବି କିଛି ଭଲ ସେ ଦେଖାଯାଉ ନ ଥିଲା ଖାଲି ଯାହା ପାଉଁଜିର ଶବ୍ଦ ଶୁଣି ସମସ୍ତେ ସଜାଗ ହୋଇଯାଇଥିଲୁ ନାଗୁଣିକୁ ଧରିବା ପାଇଁ । ପାଖକୁ ପାଖକୁ ଆସିଲା ବେଳକୁ ନାଗୁଣୀଟା ଜାଣି ଦେଲା କି କ’ଣ କେଜାଣି ବିପରୀତ ଦିଗରେ ଦୌଡ଼ିବାକୁ ଲାଗିଲା । ଠିକ୍ ଏହି ସମୟରେ ଜଣେ ସାପୁଆ କେଳା ବିଣା ବଜେଇବା ଆରମ୍ଭ କରିଦେଲା । ବିଣାର ତାଳେ ତାଳେ ନାଗୁଣୀଟା ବାଧ୍ୟ ହୋଇ ମନ୍ଦିର ଆଡ଼େ ଆମ ପାଖକୁ ପାଖକୁ ଆସୁଥିଲା । ଆସିବା ବାଟରେ ବିଛା ହୋଇଥିବା ନାଗଫେଣୀ କଣ୍ଟା ଫୋଡ଼ି ହୋଇ ଅସହ୍ୟ ଯନ୍ତ୍ରଣାରେ ଛଟପଟ ହୋଇ ସମୁଦ୍ର ଭଳିଆ ଗର୍ଜନ କରୁଥିଲା । ଠିକ୍ ଏହି ସମୟରେ ଜୋର୍‌ରେ ପବନ ବହିବାକୁ ଲାଗିଲା, ସମସ୍ତେ ଦୌଡୁଥିଲେ ନାଗୁଣୀ ପଛରେ ନୀଳମଣି ପାଇଁ । ନାଗୁଣୀ ଦୌଡୁଥିଲା ପ୍ରାଣ ବିକଳରେ ଗୋଟେ ପଟରୁ ଆଉ ଗୋଟେ ପଟକୁ, କାହାକୁ କିଛି ଦେଖାଯାଉ ନଥିଲା ଏହି ସମୟରେ ନାଗୁଣୀଟା ଭାରସାମ୍ୟ ହରାଇ ଦୁଲ୍କିନା କଚାଡ଼ି ହୋଇ ପଡ଼ିଗଲା ଶିବ ମନ୍ଦିର ପାଖରେ ଥିବା ଚଟାଣ ଉପରେ । ତା’ ମଥାରେ ଲାଗିଲା ଶବ୍ଦ ଆଘାତ ତା’ ପାଦରୁ ଝରଝର ହୋଇ ରକ୍ତ ବାହାରୁଥିଲା, ତା’ ମଥାରେ ଥିବା ନୀଳମଣି ମଥାରୁ ଛିଟିକି ଯାଇ କିଛି ଦୂରରେ ପଡ଼ିଯାଇଥିଲା । ନୀଳମଣି ନିଶାଟା ମୋତେ ଏତେ ଜୋର୍‌ରେ ଘାରିଥିଲା ଯେ ନାଗୁଣୀକୁ ନ ଡରି ମୁଁ ତା’ ପାଖାପାଖି ଚାଲିଯାଇଥିଲି ହେଲେ ମେଗୁଆ ପାଗ ଯୋଗୁଁ ଭଲ ସେ ତାକୁ ଦେଖି ପାରୁନଥିଲି । ହେଲେ ଆଶ୍ଚର୍ଯ୍ୟ ନାଗୁଣୀଟା ମୋର କିଛି ହେଲେ କ୍ଷତି କରୁନଥିଲା । ନୀଳମଣିଟା କିଛି ଦୂରରେ ପଡ଼ି ଚକଚକ୍ କରୁଥିଲା, ମଣିଟାକୁ ହାତରେ ଧରି ସତେ ଯେମିତି ଚମକି ପଡ଼ିଲି । ସେ ନୀଳମଣିଟା ମତେ ଚିହ୍ନା ଚିହ୍ନା ଭଳିଆ ଲାଗୁଥିଲା । ନୀଳମଣିଟାକୁ ପାଖରେ ପାଇଁ ଖୁସି ହେବା ବଦଳରେ ସବୁକିଛି ହରେଇ ଦେଲା ଭଳିଆ ଲାଗୁଥିଲା । ନୀଳମଣିଟାକୁ ପାଇ କାହାକୁ କିଛି ନ କହି ପକେଟ୍ ଭିତରେ ଲୁଚେଇ ଦେଲି । ସମସ୍ତେ ନୀଳମଣିଟାକୁ ଖୋଜିବାରେ ବ୍ୟସ୍ତ ଥିଲେ । ଏ ଭିତରେ ନାଗୁଣୀଟା କୁଆଡ଼େ ଚାଲିଯାଇଥିଲା ।

କାହାକୁ କିଛି ନ କହି ଚୁପ୍‌ଚାପ୍ ଘର ଆଡ଼େ ଚାଲିଲି, ମୋ ମନଟା ବିଲ୍କୁଲ୍ ବୁଝୁ ନଥିଲା । ବାଡ଼ିପଟ ଦେଇ ଘର ଭିତରେ ପଶିଲା ବେଳକୁ ରାତି ପାହି ପାହି ଆସୁଥିଲା, ପଲଙ୍କ ଉପରେ ମୋ ପୁଅ ପୂର୍ଣ୍ଣିମା ସାଥିରେ ନିଘୋଡ଼ ନିଦରେ ଶୋଇଥିଲା । ପୂର୍ଣ୍ଣିମାକୁ ହାତମାରି ଉଠଉଥିଲି ହେଲେ ପୂର୍ଣ୍ଣିମା ଦେହରେ ଥିଲା ଭୀଷଣ ତାତି, ଯେତେ ଉଠେଇଲେ ବି ଉଠୁନଥିଲା । ତା’ ଦେହରେ ହାତ ମାରୁ ମାରୁ ତା’ ପାଦଆଡ଼େ ହାତ ବୁଲେଇ ଆଣିଲି, କଇଁଫୁଲ ଭଳିଆ ପାଦ ଦି’ଟା ଓଦା ଲାଗୁଥିଲା । ଲାଇଟ୍ ଅନ୍ କରି ଦେଖେ ତ ପାଦ ଦୁଇଟା ରକ୍ତ ଜୁଡୁବୁଡୁ ଅବସ୍ଥାରେ ଥିଲା । ଏସବୁ ଦେଖି ମୁଁ ପୁରା ବ୍ୟସ୍ତ ବିବ୍ରତ ହୋଇଯାଇଥିଲି । ପୂର୍ଣ୍ଣିମାକୁ ଜୋର୍‌ରେ  ହଲେଇ ଉଠେଇବାରୁ ପୂର୍ଣ୍ଣିମା ହସିଲା ଭଳିଆ ଚାହିଁ ଉଠି ପଲଙ୍କ ଉପେର ବସିଲା, ତା’ ମଥାରେ ମଥାମଣି ନଥିଲା । ମୁଁ ତାକୁ ମଥାମଣି, ପାଦରୁ ଝରୁଥିବା ରକ୍ତ ବିଷୟରେ ପଚାରୁଥିଲି ହେଲେ ପୂର୍ଣ୍ଣିମା କିଛି ଉତ୍ତର ଦେଉନଥିଲା । ହଠାତ୍ ତା’ ହସିଲା ଭଳିଆ ମୁହଁଟାକୁ ଲୁହ ଛଳଛଳ କରି ମୋତେ କହୁଥିଲା “ବାହାଘର ଦିନଠୁଁ ମୁଁ କେବେ କିଛି ମାଗିନି ଆଜି କିଛି ମାଗିବାକୁ ଚାହୁଁଛି ।”

ମୁଁ ମନରେ ଭାବୁଥିଲି ସତେ ତ ମୋ ସ୍ତ୍ରୀ ବାହାଘର ଦିନଠୁଁ ମୋ ପାଖରେ କେବେ କିଛି ଅଳି କରିନି, ଆଜି ଯେତେବେଳେ ମାଗୁଛି ମୁଁ ନିଶ୍ଚୟ ଦେବି, ଏମିତି ଭାବି ତା’ କଥାରେ ହଁ ମାରିଲି । ପୂର୍ଣ୍ଣିମା ମୋ ହାତଟା ଧରି ମୋ ପୁଅ ମୁଣ୍ଡ ଉପରେ ଥୋଇ ଦେଲା, କହିଲା “ପୁଅର ରାଣ ଖାଇ କୁହ ମୁଁ କୁଆଡ଼େ ଗଲେ ମୋ ପଛେ ପଛେ ଯିବନି, ମୋ କଥା ମନେ ପକେଇବନି ମୋ ପୁଅକୁ ଖୋଇପେଇ ମଣିଷ କରିବ ।” ଦେଇଥିବା କଥା ଅନୁସାରେ ମୁଁ ତା’ କଥାରେ ଖାଲି ହଁ ମାରୁଥିଲି । ମୋତେ କିଛି ବୁଝିବାକୁ ବାକି ନଥିଲା । ପୂର୍ଣ୍ଣିମା କହୁଥିଲା “ମୋ ପାଖରେ ବିଲ୍କୁଲ୍ ସମୟ ନାହିଁ ମୁଁ ଯାଉଛି ମୋ ପୁଅ ତୁମକୁ ଲାଗିଲା ।” ପୂର୍ଣ୍ଣିମା ବାଡ଼ିପଟ ଦେଇ ଘରୁ ବାହାରକୁ ଚାଲି ଯାଉଥିଲା, ମୁଁ ଦେଇଥିବା କଥା ଅନୁସାରେ ତା’ ପଛେ ପଛେ ଯିବାକୁ ସାହାସ କରି ପାରୁନଥିଲି । କୁନି ପୁଅଟା ମୋର ନିଦ ଭାଙ୍ଗି ମା’କୁ ଝୁରି ଝୁରି କାନ୍ଦୁଥିଲା ହେଲେ ପୂର୍ଣ୍ଣିମା ବିଲ୍କୁଲ୍ ପଛକୁ ଫେରି ଚାହୁଁ ନଥିଲା । ଏମିତି ଦେଖୁ ଦେଖୁ ଆମ ବାଡ଼ିଠୁଁ କିଛି ଦୂରରେ ଥିବା ବିରାଟକାୟ ଉଇହୁଙ୍କା ଭିତରେ ପୂର୍ଣ୍ଣିମା ପଶିଗଲା ଲୁହ ଛଳଛଳ ଆଖିରେ ମୁଁ ସେ ଉଇହୁଙ୍କାଟାକୁ ଚାହିଁ ରହିଥିଲି, ମୋ ପୁଅ ଜୋରରେ କାନ୍ଦୁଥିଲା । ଏ ସମୟରେ ମନେ ପଡ଼ିଲା ସେ ନୀଳମଣି କଥା, ପକେଟ୍‌ରୁ ବାହାରକରି ସେ ନୀଳମଣିଟାକୁ ବାରମ୍ୱାର ଦେଖୁଥିଲି । ଭାବୁଥିଲି ନୀଳମଣି ତ ମଣିଷର ଭାଗ୍ୟ ବଦଳେଇ ଦିଏ, ସୁଖ, ଶାନ୍ତି, ଐଶ୍ୱର୍ଯ୍ୟ ଆଣି ଦିଏ ଜୀବନରେ । ହେଲେ ଏ ନୀଳମଣି ମୋ ଜୀବନରେ ଦୁର୍ଭାଗ୍ୟକୁ ଡାକି ଆଣଥିଲା । ମୋ ପୁଅର କାନ୍ଦ ଏତେ ଜୋର୍‌ରେ ଥିଲା ଯେ ଯେତେ ବୁଝେଇଲେ ବି ବୁଝୁ ନଥିଲା । କିଛି ଉପାୟ ନ ପାଇ ତା’ ହାତରେ ଧରେଇ ଦେଲି ନୀଳମଣୀଟାକୁ । ମଣିଟାକୁ ହାତରେ ଧରି ସତେ ଯେମିତି ମୋ ପୁଅ ତା’ ମା’କୁ ପାଖରେ ପାଇଲା ଭଳିଆ ଖୁସି ହୋଇଗଲା ।

ମନଟା ବିଲ୍କୁଲ୍ ବୁଝୁନଥିଲା ପଲଙ୍କ ଉପରେ ବସି ପୁରୁଣା ଦିନର ସ୍ମୃତିକୁ ସାଉଁଟୁ ଥିଲି । ପୂର୍ଣ୍ଣିମା ବିନା ଘରଟା ମଶାଣିଠୁଁ ବି ଅଧିକ ହୀନିମାନ ଲାଗୁଥିଲା । ନୀଳମଣିଟା ସାଥିରେ ଖେଳୁ ଖେଳୁ ମୋ ପୁଅ କେତେବେଳେ ତା’ ଅଜାଣତରେ ଶୋଇ ପଡ଼ିଥିଲା । ବୋଉର ଜିମାରେ ପୁଅକୁ ଛାଡ଼ି ଦୋକାନ ଆଡ଼େ ଚାଲିଆସିଲି । କିଛି ଲୋକ ମୋ ଦୋକାନ ଆଗରେ ଛିଡ଼ା ହୋଇ ନାଗକନ୍ୟା ବିଷୟରେ କଥା ହେଉଥିଲେ, ମୁଁ ଗୁମ୍ମାରି ବସିଥିଲି । ମୁଁ ଏମିତି ଗୁମ୍ମାରି ବସିଥିବାର ଦେଖି ମୋ ସାଙ୍ଗମାନେ କହୁଥିଲେ “ଆରେ ନୀଳମଣିଟା ନ ମିଲିଲେ କ’ଣ ହେଲା, ଏଥର ସିନା ନାଗୁଣୀଟା ଚକମା ଦେଇଗଲା ଦେଖିବୁ ଆରଥର ନିଶ୍ଚୟ ଆମ ଜାଲରେ ପଡ଼ିବ ଆଉ ନୀଳମଣିଟା ପାଇ ଆମେ ସବୁ କୋଟିପତି ହୋଇଯିବା ।”

ସାଙ୍ଗମାନଙ୍କ ଏମତି କଥା ଶୁଣି ମୁଁ କିଛି ବୁଝିପାରୁଥିଲି ସେମାନଙ୍କୁ କ’ଣ କହିବି । ଦୋକାନରେ ବି ମନ ଲାଗୁନଥିଲା, ଜଲଦି ଜଲଦି ଦୋକାନ ବନ୍ଦ କରି ଘରକୁ ଫେରି ଯାଇଥିଲି । ଘରକୁ ଆସି ଦେଖେ ତ ପଲଙ୍କ ଉପରେ ବସି ମା’କୁ ଝୁରିଝୁରି ମୋ ପୁଅ କାନ୍ଦୁଥିଲା, ପୁଅକୁ କୋଳରେ ବସେଇ କାନ୍ଦ ବନ୍ଦ କରିବାକୁ ଚେଷ୍ଟା କରୁଥିଲି, ଅସହ୍ୟ ଗରମ ଯୋଗୁଁ କାନ୍ଦୁଥିବ ଭାବି ବାଡ଼ିପଟ କବାଟଟା ଖୋଲି ଦେଲି, ପୂନେଇଁ ବାସି ରାତି ହୋଇଥିବାରୁ ବାଡ଼ିପଟଟା ସଫାସଫା ଦେଖା ଯାଉଥିଲା । ବାଡ଼ିପଟକୁ ଚାହିଁ ମୋ ପୁଅ କାନ୍ଦ ବନ୍ଦ କରି ହସୁଥିଲା ତାକୁ ଏମିତି ହସୁଥିବା ଦେଖି ବାଡ଼ିପଟକୁ ଚାହିଁଲି, ବାଡ଼ିପଟେ ଥିବା ଉଇହୁଙ୍କାଟା ରାତିର ଆଲୁଅରେ ଝାପ୍ସା ଦେଖାଯାଉଥିଲା । ଉଇହୁଙ୍କା ଉପରେ ବସିଥିଲା ଗୋଟେ ବିରାଟକାୟ ନାଗସାପ ଆଉ ମତେ ଲାଗୁଥିଲା ସତେ ଯେମିତି ନାଗସାପଟା ଜୋର୍‌ରେ ଗର୍ଜନ କରି ମୋ ପୁଅକୁ କହୁଥିଲା-

“ମୁଁ କୁଆଡ଼େ ହେଲେ ଯାଇନି ମୁଁ ପରା ତୋ ପାଖେ ପାଖେ ଅଛି. . . ।”

ଲୋକପ୍ରିୟ ଲେଖା

To Top