ଗଳ୍ପ

ନାରଦଙ୍କ ନିରୀକ୍ଷଣ

Dr Sharat Chandra Parida's odia story Naaradanka Nirikshyana

ତୁମେ ଗୁହାରି କରିବ ଯାହାକୁ ମୁଁ ଜୁଆଁଇ କରିଛି ତାହାକୁ ।

ନାରଦଙ୍କ ନିରୀକ୍ଷଣ

ତୀର୍ଥ ଦର୍ଶନ ସାରି ଘରକୁ ଫେରିଛନ୍ତି ଗୋବର୍ଦ୍ଧନ ବାବୁ । ଦିନ ବେଳା ଅଫିସ୍ କାମ ସାରି ପଢ଼ା ଟେବୁଲ୍ ପାଖରେ ବସନ୍ତି ରାତି ଦଶରେ । ବଡ଼ ଆଗ୍ରହରେ ସମ୍ୱାଦପତ୍ରର ପୃଷ୍ଠା ପରେ ପୃଷ୍ଠା ଓଲଟାଇ ଚାଲିଲେ । ପ୍ରବନ୍ଧ ବିଭାଗରେ ଆଖି ପକାଉ ପକାଉ ସେହି ଘଷରା ବିଷୟ । ସେହି ବିଷୟରେ ଆଲୋଚନା, ପର୍ଯ୍ୟାଲୋଚନା ସମାଲୋଚନା ପଢ଼ି ଥୋବରା ହେଲେଣି ସେ । ଆଉ ରୁଚି ନାଇଁ ତାଙ୍କର । ଖବର କାଗଜ ଜନ୍ମରୁ ସେ ବିଷୟ ଚର୍ଚ୍ଚା ଚାଲିଛି । ସରକାର ବଦଳିଲେ ଆଶା କରାଯାଏ ଏଥର ମନ୍ତ୍ରୀ ମହୋଦୟ ଏ ବିଷୟରେ କିଛି ଗୋଟାଏ ଆଖି ଦୃଶିଆ କାମ କରିବେ । ଆସେମ୍ଲିଠାରୁ ଆରମ୍ଭ କରି ପାର୍ଲିଆମେଣ୍ଟ୍ ପର୍ଯ୍ୟନ୍ତ କେତେ ତୁମ୍ୱି ତୋଫାନ ହୁଏ । ଫଳରେ ଦେଖିଲା ବେଳକୁ ବହ୍ୱାରମ୍ଭେ ଲଘୁକ୍ରିୟା । ଆଉ ବିଷୟଟିକୁ ଲୁଚାଇବା ଠିକ୍ ହେବ ନାଇଁ । ଦି’ଅକ୍ଷର ବିଶିଷ୍ଟ ସେହି ବିଷୟଟି ହେଉଛି ଶିକ୍ଷା । ୟା’ ବିନା କୁଆଡ଼େ ଦେଶର ଉନ୍ନତି ହୋଇ ପାରିବ ନାଇଁ ବୋଲି ଛାତ୍ର ଶିକ୍ଷକ ପ୍ରଶାସକ ନେତା ମନ୍ତ୍ରୀ ସମସ୍ତେ ଡେଙ୍ଗୁରା ପିଟୁଛନ୍ତି ।

ଏମିତି ୟାଡୁ ସ୍ୟାଡୁ ଭାବୁ ଭାବୁ ଭାରାକ୍ରାନ୍ତ ହୋଇ ପଡ଼ିଚି ଗୋବର୍ଦ୍ଧନ ବାବୁଙ୍କ ମନ । ତାଙ୍କୁ ନିଦ୍ରା ଦେବୀ ମୃଦୁ ଆଘାତ କରିଛନ୍ତି । ପଢ଼ା ଚେୟାର୍‌ରେ ବସି ବସି ସେ ସ୍ୱପ୍ନ ଦେଖିବା ଆରମ୍ଭ କରି ଦେଇଛନ୍ତି । ତାଙ୍କର ଏହି ବିରକ୍ତି ଭାବଟା ସ୍ୱର୍ଗରେ ଇନ୍ଦ୍ରଦେବଙ୍କ ନିକଟରେ ପହଞ୍ଚି ଯାଇଚି । ଇନ୍ଦ୍ରସଭାରେ ଅନ୍ୟ ଦେବତାମାନେ ବସିଥାନ୍ତି । ଏହି ଭାବଟି ସେଠାରେ ପହଞ୍ଚୁ ପହଞ୍ଚୁ ସଭାରେ ଗୋଟିଏ ଛାଇ ଘୋଡ଼େଇ ହୋଇ ପଡ଼ିଲା । ସମସ୍ତେ ଚମକି ପଡ଼ିଲେ । ଦେବ ସଭାରେ ମଣିଷ ଭାବନାର ଛାଇ ହଠାତ୍ କାହିଁକି ? ନିରୀକ୍ଷଣ କରୁ କରୁ ନାରଦ ଇନ୍ଦ୍ରଙ୍କୁ ବୁଝାଇ କହିଲେ- “ରାଜନ୍, ଏହା ହେଉଛି ମଣିଷ ଭାବନା, ଶିକ୍ଷାର ଛାଇ । ଓଡ଼ିଶା, ଭାରତ ବିଶ୍ୱ ଦେଇ ତାହା ଆସି ସ୍ୱର୍ଗରେ ପହଞ୍ଚିଛି । ଶିକ୍ଷା ଏକ ଅଛିଣ୍ଡା ଅଙ୍କ ହୋଇ ମଣିଷ ଉପରେ ବୋଝ ପରି ଲାଗୁଚି । ସମସ୍ତେ କହୁଛନ୍ତି ଶିକ୍ଷା ହେଉଚି ଆଲୋକ । ଶିକ୍ଷକଙ୍କ ହାତରେ ଦେଶର ଭବିଷ୍ୟତ । କିନ୍ତୁ ବିଡ଼ମ୍ୱନାର କଥା ଶିକ୍ଷକଙ୍କୁ ସମ୍ମାନ ଦେଇ ନାହାଁନ୍ତି ଆଜିର ଲୋକେ । ପଙ୍କ ଗଡ଼ିଆରେ ଗୋଡ଼ ତଳକୁ ତଳ ଦବିଗଲା ପରି ଫାଇଲର ଗଦାରେ ଶିକ୍ଷା ଚାପି ହୋଇଗଲାଣି । ଶିକ୍ଷାର ଗୁଣାତ୍ମକମାନ ଖସି ଦିନକୁ ଦିନ ତଳକୁ ତଳ ଯାଉଚି ବୋଲି ସ୍କୁଲ୍‌ର ଶ୍ରେଣୀ କୋଠରିମାନ ଅଭିଯୋଗ ବାଢୁଛନ୍ତି । କିନ୍ତୁ ଏ ଦିଗରେ କେହି କିଛି ବିହିତ ପଦକ୍ଷେପ ନେଉ ନାହାଁନ୍ତି । ସମସ୍ତେ କାନ୍ଦୁଛନ୍ତି ହେଲେ କାହାର ଆଖିରୁ ଲୁହ ଝରୁ ନାଇଁ ।”

ଇନ୍ଦ୍ର ଏସବୁ ଶିକ୍ଷା ଦର୍ଶନ ଶୁଣି ନାରଦଙ୍କୁ କହିଲେ- “ଦେଖ ନାରଦ, ଖାଲି ଦର୍ଶନରେ ଭାଷଣରେ, ପ୍ରବନ୍ଧରେ ଶିକ୍ଷାର ସ୍ଥିତି ବଦଳିବ ନାଇଁ । ବାସ୍ତବତା ଅନୁଭବ କରିବା ପାଇଁ ତମେ ମର୍ତ୍ତ୍ୟ ଭ୍ରମଣରେ ଯାଅ । ମୁଁ ଦେଖୁଛି ମୁଖ୍ୟମନ୍ତ୍ରୀ, ଶିକ୍ଷାମନ୍ତ୍ରୀ, ସମସ୍ତେ ଏ ବିଷୟରେ ନାନା ଅଭିଯୋଗ ଶୁଣି ଶୁଣି ନୟାନ୍ତ ହେଲେଣି । ତାଙ୍କୁ କିଛି ବୁଦ୍ଧିବାଟ ଦିଶୁନାଇଁ । ତାଙ୍କ ନିର୍ଦ୍ଦେଶ ଆଦେଶ ଉପଦେଶକୁ କେହି କାହିଁକି କର୍ଣ୍ଣପାତ କରୁ ନାହାଁନ୍ତି । ସତେ ଯେମିତି ଅମଲାମାନଙ୍କ ଠାରୁ ଆରମ୍ଭ କରି ହାକିମ ପର୍ଯ୍ୟନ୍ତ ସମସ୍ତେ ବୋବା ରୋଗରେ ସଂକ୍ରମିତ । ମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଫାଇଲ୍ ପରେ ଫାଇଲ୍ ଗଦା ହୋଇ ଉଇ ଚରି ଗଲାଣି । ଯଦି ପଡ଼ି ପଡ଼ି ସେଥିରେ ଉଇ ନ ଲାଗୁଛନ୍ତି, ତେବେ କୁଶଳୀ କର୍ମଚାରୀମାନେ ସଟ୍ ସର୍କିଟ୍ ନାଁରେ ଅଗ୍ନି ସଂଯୋଗ କରି ଅଗିରା ପୂର୍ଣ୍ଣମୀ ପାଳନ କରୁଛନ୍ତି । ୟାବ ମୂଳୁ ମାରିଲେ ଯିବ ସରି ଦେବଙ୍କ ସଙ୍ଗେ କିମ୍ପା କଳି । ହଉ, ନାରଦ ମୁଁ ଯାହା ଶୁଣିଚି ତାହା କେତେ ଦୂର ନିର୍ଭରଯୋଗ୍ୟ ମୁଁ ଜାଣିପାରୁ ନାଇଁ । ତେଣୁ ପୃଥିବୀ ଗ୍ରହର ଲୋକମାନଙ୍କ ପାଖକୁ ଯାଅ । ନିଜ ଆଖିରେ ସବୁ ଦେଖି, କ’ଣ କ’ଣ ସବୁ ଘଟୁଚି ତାହା ନିରପେକ୍ଷ ଭାବରେ ମୋ ପାଖରେ ରିପୋର୍ଟ ଦାଖଲ କର । ନାରଦ ତ ଅବାଡୁଅ । ପିଲାଛୁଆ ନେଣ୍ଟରା ନାଇଁ । ଘର ଚଳାଇବାର ଝିଝଂଟ ମୁଣ୍ଡେଇବାର ନାଇଁ । ପରିବା ହାଟ, ସୁନାରି ଦୋକାନ, ମେଡ଼ିକାଲ୍- ଏସବୁକୁ ଯିବାର ନାଇଁ । ତେଣୁ ବାମ ଦକ୍ଷିଣ ନାସାରେ ନିଶ୍ୱାସର ଗତି ଦେଖି ମାହେନ୍ଦ୍ର ବେଳାରେ ବାହାରି ପଡ଼ିଲେ ।

ଯାତ୍ରା ପୂର୍ବରୁ ଇନ୍ଦ୍ରଙ୍କ ଠାରୁ ଓଡ଼ିଶାର ଶିକ୍ଷା ବ୍ୟବସ୍ଥା ସମ୍ୱନ୍ଧରେ କିଛି ପ୍ରାକ୍ ସୂଚନା ସଂଗ୍ରହ କରିଥିଲେ । ତେଣୁ ଶିକ୍ଷା ସମସ୍ୟାକୁ ପ୍ରତ୍ୟକ୍ଷ କରିବା ପାଇଁ ଆଦିବାସୀ ବହୁଳ ଜିଲ୍ଲାଗୁଡ଼ିକୁ ପ୍ରଥମେ ଟାର୍ଗେଟ୍ କଲେ । ସେଠି କୁଆଡ଼େ ନିରକ୍ଷରଙ୍କ ସଂଖ୍ୟା ବେଶି । ଆଦିବାସୀ ଲୋକେ ରହୁଥିବା ଜିଲ୍ଲାଗୁଡ଼ିକ ଦେଖିବାକୁ ଭାରି ସୁନ୍ଦର । ସେଠାକାର ନଈ, ନାଳ, ଝରଣା, ପାହାଡ଼, ସବୁଜିମା ବିସ୍ତୀର୍ଣ୍ଣ ଜଳଭଣ୍ଡାର ଦେଖି ନାରଦ ଏକାବେଳେକେ ଆନମନା ହୋଇ ଉଠିଲେ । ଆକାଶରେ ଉଡ଼ି ଆସୁ ଆସୁ ଓଡ଼ିଶାର ଗୋଟାଏ ଉଁଚ୍ଚା ପର୍ବତ ଦେଖି ଧରାବତରଣ କଲେ । ଆଖପାଖ ସ୍କୁଲ୍କୁ ବୁଲି ବାହାରିଲେ ।

ଏହି ଜିଲ୍ଲାରେ ତ ଭଳିକି ଭଳି ସ୍କୁଲ୍ କଲେଜ୍ ଅଛି । ଓଡ଼ିଶାର ମୁଖ୍ୟମନ୍ତ୍ରୀ ବା ଶିକ୍ଷାମନ୍ତ୍ରୀ ସବୁ ଜିଲ୍ଲା ଓ ସବୁ ଶିକ୍ଷାନୁଷ୍ଠାନକୁ ପରିଦର୍ଶନରେ ଯାଇ ପାରିବେ ନାଇଁ । ତେଣୁ ତାଙ୍କ ତରଫ୍‌ରୁ ସରକାରୀ ଶିକ୍ଷା ନିର୍ଦ୍ଦେଶକ, ଶିକ୍ଷା ମଣ୍ଡଳାଧୀଶ, ଜିଲ୍ଲା ଶିକ୍ଷା ନିରୀକ୍ଷରକଙ୍କ ଭଳି ସବୁଜ ଧାନ କିଆରି ପରି ଥାକ ଥାକ ହୋଇ ଇନ୍‌ସ୍ପେକ୍ଟରମାନେ ଖଞ୍ଜା ହୋଇଛନ୍ତି । ନାରଦ ଅଗମ୍ୟ ଅଞ୍ଚଳର କେତେକ ସ୍କୁଲ୍କୁ ଗଲେ । ଆଟ୍‌ନାନ୍ସ ଖାତାରେ ପିଲାମାନଙ୍କ ଉପସ୍ଥାନ ତନଖି କଲେ । ଜାଣିପାରିଲେ ଅଧାରୁ ଅଧିକ ପିଲା ବି ସ୍କୁଲ୍‌କୁ ଆସି ନାହାଁନ୍ତି । ସେହି ପିଲାମାନଙ୍କର ନାମ ନାରଦ ତାଙ୍କ ଟିପା ଖାତାରେ ଲେଖି ଆଣିଲେ । ସ୍ୱର୍ଗରୁ ମର୍ତ୍ତ୍ୟମଣ୍ଡଳ ବହୁତ ବାଟ । ତାଙ୍କୁ ଭୋକ ଲାଗୁଥାଏ । ସେ ବି ଥକି ପଡ଼ିଥିଲେ । ସରକାରୀ ବାବୁଭୟାଙ୍କ ଗସ୍ତଖର୍ଚ୍ଚ ପରି ନାରଦଙ୍କୁ ତ ମୋଟା ଅଙ୍କରେ ଟି.ଏ. ଓ ଡି.ଏ. ମିଳିନଥାଏ । ଶିକ୍ଷକ ବା ଅଧ୍ୟାପକ ଶିକ୍ଷା ସଂକ୍ରାନ୍ତରେ ସରକାରୀ କାମରେ ଗଲେ ସେମାନଙ୍କୁ ରିକ୍ସା ଖର୍ଚ୍ଚ ବା ବିଶ୍ରମ ନେବା ପାଇଁ ହୋଟେଲ୍ ଖର୍ଚ୍ଚ ମିଳି ନ ଥାଏ । ପାଠ୍ୟ ଖସଡ଼ା ପ୍ରସ୍ତୁତି ହେଉ, ପ୍ରଶ୍ନପତ୍ର ପ୍ରସ୍ତୁତି ହେଉ, ବା ଖାତା ମୂଲ୍ୟାୟନ ହେଉ ଖାଲି ଖାଇବା ଖର୍ଚ୍ଚ ବହୁ କଷ୍ଟରେ ମିଳେ । ସବୁଠାରୁ ଖତରା ବସ୍‌ରେ ଗସ୍ତ ଖର୍ଚ୍ଚ ହିସାବ କରି ଦିଆଯାଏ । ଶିକ୍ଷକ ବା ଅଧ୍ୟାପକ ମଶା ଡାଆଁଶରେ କେଉଁଠି ପଡ଼ନ୍ତୁ ବା ଗଚ୍ଛମୂଳେ ରାତି ବିତାନ୍ତୁ ସେଥିପାଇଁ ଦାୟିତ୍ୱପୂର୍ଣ୍ଣ ସରକାରଙ୍କ ଆଦୌ ନିଘା ନଥାଏ । ସରକାରୀ ସେବାରେ ଯାଇଥିବା ଅଧ୍ୟାପକମାନେ ବେଳେବେଳେ ନଈ ବା ଜଳାଶୟରେ ସ୍ନାନଶୌଚ ସାରି ସରକାରୀ ଅଫିସ୍‌ରେ ସେବା ଦେଇଥିବା ଖବର ମଧ୍ୟ ନାରଦଙ୍କୁ ଅଛପା ରହିଲା ନାଇଁ । ଅନ୍ୟପକ୍ଷରେ ଶିକ୍ଷା ବିଭାଗର ସରକାରୀ ବାବୁ ଓ କିରାଣୀମାନେ ଖାତା ମୂଲ୍ୟାୟନ ଓ ରେଜଲ୍ଟ ପ୍ରସ୍ତୁତି ବେଳେ ଗସ୍ତରେ ଗଲେ ଦିନକୁ ତିନିଟି କରି ଡି.ଏ. ନେବାର ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ନାରଦ ।

ନାରଦ ଦେଶୀୟା ହାଟକୁ ଗଲେ । ସେଠାରେ ପନିପରିବା ପରି ଖାଦ୍ୟ ପଦାର୍ଥ ମଧ୍ୟ ଭାଗ ଭାଗ ହୋଇ ଥୁଆ ହୋଇଥିଲା । ନ ଖାଇଲେ ନ ଚଳେ । ଶୁଖିଲା ପକୁଡ଼ି ଗଣ୍ଡାଏ ପାଟିରେ ପକାଇ ମାଠିଆରେ ଥୁଆ ହୋଇଥିବା ପାଣି ମୁନ୍ଦାଏ ପିଇଲେ । ପୁଣି ଚାଲିଲେ ବିଦ୍ୟାଳୟ ମହାବିଦ୍ୟାଳୟ ପରିଦର୍ଶନରେ । ଏଠି ବି ପୂର୍ବ ଦଶା । ଦେଖିଲେ ପିଲାଙ୍କ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତି ସରିଗଲାଣି । ଆଉ ଅଳ୍ପ ସମୟ ପରେ ପିଲାମାନଙ୍କୁ ବଢ଼ାଯିବ । ଏଠାରେ ଟିକେ ଅଟକି ଗଲେ କାଳେ ଶିକ୍ଷକ ଅତିଥିଙ୍କୁ ଦେବତା ଭାବି ଗଣ୍ଡାଏ ଖାଦ୍ୟ ଦେବେ ତାଙ୍କ ଭାଗରୁ । ସେ ମଧ୍ୟ ପିଲାମାନଙ୍କ ଦୈନିକ ଆଟେଣ୍ଡାଣ୍ଟସ୍ ଖାତା ପରଖିଲେ । ତାଙ୍କର ଟିକେ ସନ୍ଦେହ ହେଲା । ସେ ପୂର୍ବରୁ ଟିପି ଆଣିଥିବା ନାଁ ଗୁଡ଼ାକ ଗୋଟି ଗୋଟିଏ କରି ମିଳାଇବାକୁ ଲାଗିଲେ । ସେ ଏକା ପିଲାମାନଙ୍କର ନାଁ ଦୁଇଟି ସ୍କୁଲ୍ର ଦୁଇଟି ଆଟ୍‌ନାନ୍ସ ଖାତାରେ ଦେଖି ବିସ୍ମିତ ହୋଇ ଯାଇଥିଲେ । ପୂର୍ବ ସ୍କୁଲ୍‌ର ଅନୁପସ୍ଥିତ ନାଁମାନେ ଏଠାରେ ଦେହଧାରଣ କରିଛନ୍ତି । ଏମିତି କଲେ କୁଆଡ଼େ ଅଧିକ ଚାଉଳ, ଡାଲି, ଅଣ୍ଡା ଓ ଜାଳ ଖର୍ଚ୍ଚ ମିଳେ । ସେ ସ୍କୁଲ୍‌ରେ ଜଣେ ଦିଦି ଥାନ୍ତି । ବଡ଼ ଦିଦି ଆଜି ଆସି ନାହାନ୍ତି ବୋଲି ସାନ ଦିଦି ବଡ଼ ନମ୍ର ଭାବରେ ନାରଦଙ୍କୁ ଜଣାଇଲେ । ନାରଦ ଖୋଳତାଡ଼ କରିବାରୁ ଦିଦି କହିଲେ- “ନା ଆଜି କାହିଁକି ସେ ମାସକ ଅଠେଇଶ ଦିନ ଛୁଟିରେ ଥା’ନ୍ତି । ଛୁଟି ଦରଖାସ୍ତ ମଧ୍ୟ ଦେଇଥାନ୍ତି । କାଳେ କେତେବେଳେ ପରିଦର୍ଶକ ଆସିବେ, ସେହି ଆଶଙ୍କାରେ । ଆପଣ ଯଦି ଦେଖିବାକୁ ଚାହାଁନ୍ତି ଦେଖନ୍ତୁ । ମାସ ଶେଷରେ ଦରମା ପାଇଲା ବେଳେକୁ ଦୁଇ ଦିନ ଆସନ୍ତି । ଦରମା ନିଅନ୍ତି । ଶିକ୍ଷା ନିରୀକ୍ଷକ ଓ କିରାଣିମାନଙ୍କୁ ସେମାନଙ୍କର ପିସି ଦେଇ ଦିଅନ୍ତି । କେହି ଯଦି ଅବୁଝା ହୁଅନ୍ତି ଦିଦି ତାଙ୍କୁ ଘରକୁ ଡାକି ଦିଅନ୍ତି । ସ୍ୱାମୀ ଅଫିସ୍ ଓ ପିଲାମାନେ ସ୍କୁଲ୍‌କୁ ଗଲା ପରେ ଅଝଟ ପରିଦର୍ଶକଙ୍କୁ ଦିଦି ହସି, ରସି ଏମିତି ବୁଝାଇ ଦିଅନ୍ତି ଯେ ତାଙ୍କର ପାଟି ସବୁ ବେଳ ପାଇଁ ବନ୍ଦ ହୋଇଯାଏ । ବାଡ଼ ଏମିତି ଫସଲ ଖାଉଥିବା ଦେଖି ନାରଦ କାବା ।

ନିରୀକ୍ଷଣରେ ଅଗ୍ରଗତି ଘଟାଇ ନାରଦ ପାଖ ପଡ଼ୋଶୀ ବିଦ୍ୟାଳୟକୁ ଗଲେ । ଦେଖିଲେ ମଧ୍ୟାହ୍ନ ଭୋଜନ ନିମନ୍ତେ ରୋଷେଇ ବାସ ସରି ଯାଇଚି । ଅଳ୍ପ ସମୟ ପରେ ପରିବେଷଣ ହେବ । ପିଲାମାନେ ଘରୁ ଆଣିଥିବା ଷ୍ଟିଲ୍ ଥାଳି ଧରି ଧାଡ଼ି କରି ବସି ଗଲେଣି । କୋଉ ତରକାରୀ ଅଛି ଯେ ଗିନା ଆଣିବେ । ଇତି ଅବସରରେ ନାରଦ ପହଞ୍ଚି ଯିବାରୁ ଗୋଟାଏ ଗୋଳମାଳିଆ ପରିସ୍ଥିତି ସୃଷ୍ଟି ହେଲା । ସ୍କୁଲ୍‌ରେ ଜଣେ ଦିଦି ଓ ଜଣେ ଦାଦା ଥିଲେ । ନାରଦ ଭାବିଲେ ପିଲାମାନେ କ’ଣ ଖାଉଛନ୍ତି ଟିକିଏ ଦେଖି କରିଯିବେ । ଦିଦି ଓ ଦାଦା ଭାବିଲେ ଏ ଲୋକଟା ଗୁଇନ୍ଦା ବିଭାଗର ଲୋକ ହୋଇପାରେ । ୟା’ ଆଗରେ ଖାଦ୍ୟ ବାଢ଼ିଲେ ଆମର ସବୁ ମାର ପେଞ୍ଚ ଧରା ପଡ଼ିଯିବ । ଆମେ ତ ପଚାଶ ଅଣ୍ଡା ଜାଗାରେ ଦଶଟି ଅଣ୍ଡା ଘାଣ୍ଟି ଦେଇଛେ । ହରଡ଼ ବଦଳରେ ବୁଟ ଡାଲି କରିଚେ । ତାହା ପୁଣି ଖାଲି ପାଣି ସରସର । ଚାଉଳରୁ ଅଧେ ସରପଞ୍ଚ ଓ ୱାର୍ଡମେମ୍ୱର ନେଇ ଯାଇଥିବାରୁ ଭାତ ଜଣ ପିଛା ପଚାଶ ଗ୍ରାମ ପଡ଼ିବ କି ନାଇଁ । ଆମର ସବୁ ଗୁମର ହାଟରେ ପଡ଼ି ଦାଣ୍ଡରେ ଗଡ଼ଗଡ଼େଇବ । ତେଣୁ ଏପରି ଦ୍ୱନ୍ଦ୍ୱରେ ଦିଦିଙ୍କ ପରାମର୍ଶରେ ଦାଦା ନିଜ ପାଇଁ ରଖିଥିବା ସିଝା ଅଣ୍ଡା ଦୁଇଟା ଲାଞ୍ଚ ଆକାରରେ ଦେବାପାଇଁ ପଞ୍ଛଘୁଞ୍ଚା ଦେଲେ ନାଇଁ । ନାରଦ କିନ୍ତୁ ବାଳ ବ୍ରହ୍ମଚାରୀ ନିରାମିଷାଶୀ ବୋଲି କହି ସେ ସେହି ସ୍ଥାନଟି ତ୍ୟାଗ କଲେ ।

ନାରଦ ଜିଲ୍ଲା ମଣ୍ଡଳାଧୀଶଙ୍କ କାର୍ଯ୍ୟାଳୟ ବାହାରିଥାନ୍ତି । ବାଟରେ ଗୋଟିଏ ମାଧ୍ୟମିକ ଉଚ୍ଚ ବିଦ୍ୟାଳୟ ପଡ଼ିଲା । ଭାବିଲେ ଅନେକ ପ୍ରାଥମିକ ବିଦ୍ୟାଳୟ ବୁଲିଲେଣି । ଏଥରକ ଟିକେ ଗୋଟିଏ ଉଚ୍ଚ ବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବୁଲିଯାଏ । ସ୍କୁଲ୍ ଭିତରକୁ ଗଲେ । ଦେଖିଲେ ତିନୋଟି ଶ୍ରେଣୀରୁ ଗୋଟିଏ ଶ୍ରେଣୀ ଖାଲି ପଡ଼ିଚି । କାରଣ ବୁଝୁ ବୁଝୁ ତିନିଜଣ ଶିକ୍ଷକ ଭଡ଼ାରେ ଆସିଛନ୍ତି ସପ୍ତାହକୁ ତିନିଦିନ । କିଏ କେଉଁଦିନ ବିଦ୍ୟାଳୟ ଆସିବେ ସେମାନଙ୍କର ବାରି ଓ ବାର ଥିର ହୋଇଛି । ଏଭଳି ପରିସ୍ଥିତିରେ ନିୟମିତ ପାଠପଢ଼ା ଓ ଗୁଣବତ୍ତା କଥା ପଚାରେ କିଏ ? କଥାରେ ଅଛି ପରା, ଦେଖୁଚୁ ଚନ୍ଦନ ପୋଛୁଚୁ କାଠ ।

ନାରଦ ବସ୍ ଚଢ଼ି ଜିଲ୍ଲାର ସଦର ମହକୁମା ବସ୍‌ଷ୍ଟାଣ୍ଡରେ ପହଞ୍ଚିଲେ । ସେତେବେଳକୁ ତାଙ୍କୁ ଭାରି ଭୋକ ଲାଗୁଥିଲା । ଜଳଖିଆ ଖିଇବା ପାଇଁ ଖାବାର ଦୋକାନକୁ ଯାଉଛନ୍ତି । ଦେଖିଲେ ପଚିଶରୁ ତିରିଶ ଜଣ ଲୋକ ରୁଣ୍ଡ ହୋଇଛନ୍ତି । ଯେହେତୁ ନୂଆ ଜାଗା ନାରଦରଙ୍କର ଘଟଣା କ’ଣ ବୋଲି ଜାଣିବା ପାଇଁ ମନରେ ଉତ୍କଣ୍ଠା ବଢ଼ିଲା । ପାଖକୁ ଗଲେ । ଲକ୍ଷ୍ୟ କଲେ ସବୁ ଧୋବଧୋବଳିଆ । କିଏ ଆଟାଚ୍ ଧରିଛି ତ କିଏ କପଡ଼ା ବ୍ୟାଗ୍ ଧରିଚି । କିଏ ଜଳଖିଆ ପ୍ୟାକେଟ୍ ହାତକୁ ବଢ଼ାଇ ଦେଉଚି ତ କିଏ ପୁଣି ନେହୁରା ହେଲା ଭଳି ଢଙ୍ଗରେ କଥା ହେଉଚି । ଗାଈ ନଡ଼ା ଚୋବାଇଲା ଭଳି ପାନ ପାକୁଳି କରୁଥିବା ପାଟିକୁ କିଏ ଖଣ୍ଡେ ଖଣ୍ଡେ ଖିଲିପାନ ଉଠାଇ ଦେଉଚି ତ କିଏ ପୁଣି ବାଛି ବାଛି ଭଲ ସିଗାରେଟ୍ ପ୍ୟାକେଟ୍ ବାବୁଙ୍କ ହାତକୁ ବଢ଼େଇ ଦେଉଚି । ନାରଦ ଅନୁଧ୍ୟାନ କଲେ ୟେ ବାବୁ ଜଣକ କିଏ ହୋଇ ପାରନ୍ତି ? ଜଙ୍ଗଲ ବିଭାଗ ଅଫିସର, ନା ଜିଲ୍ଲାପାଳ ନା ଏସ୍.ପି. ନା କିଏ ? ଯେତେ ଯତ୍ନ କଲେ ଜାଣିବା ପାଇଁ କିଛି ଠଉରାଇ ପାରିଲେ ନାଇଁ । ଆଉ ସମ୍ଭାଳି ହେଲା ନାଇଁ । ଅତି ସନ୍ତର୍ପଣରେ ଚାପିଲା ଚାପିଲା କଣ୍ଠରେ ଘେରି ରହିଥିବା ଜଣେ ବାବୁଙ୍କୁ ପଚାରି ଦେଲେ- ମଝିରେ ଛିଡ଼ା ହୋଇ ଗପ ମାରୁଥିବା ଥନ୍ତପେଟିଆ ବାବୁ ଜଣକ କିଏ ? ସାଙ୍ଗେ ସାଙ୍ଗେ ଉତ୍ତର ମିଳିଲା- ସେ ଆମ ଡି.ଆଇ. ସାହେବ । ଆମେ ସବୁ ଶିକ୍ଷକ । ନାରଦ ଏହି କଥା ପଦକରେ ସବୁ ବୁଝିଗଲେ । ଆଜି ରବିବାର ନୁହଁ । ପିଲାଙ୍କ ପାଠପଢ଼ା ଠିକ୍‌ଠାକ୍ ହେଉଛି କି ନାଇଁ ତାହା ତଦାରଖ କରିବା ହେଉଛି ଡି.ଆଇ. ସାହେବଙ୍କ କାମ । ସେତେବେଳକୁ ଦିନ ତିନିଟା । ବାଃ ବାଃରେ ଡି.ଆଇ. ସାହେବ, ବାଃ ବାଃରେ ଶିକ୍ଷକ କୁଳ । ମନେ ମନେ କହି ନାରଦ ଖାଦ୍ୟ ଅନ୍ୱେଷଣରେ ଆଗକୁ ପାଦ ବଢ଼ାଇଲେ ।

ସାମାନ୍ୟ ଉଦରଶାନ୍ତି ପରେ ଡି.ଆଇ. ଅଫିସ୍ ଆଡ଼େ ବାହାରିଲେ । ଅଳ୍ପ ବାଟ ବୋଲି ଆଉ ରିକ୍ସା କଲେ ନାଇଁ । ଡି.ଆଇ. ଅଫିସ୍ ପାହାଡ଼ର ଛାତି ଉପରେ ବସି ଥିବାରୁ ସାଧାରଣତଃ ରିକ୍ସାବାଲା ରାଜି ହୁଅନ୍ତି ନାଇଁ । ଗୋଟିଏ ଗୋଟିଏ ପାହୁଣ୍ଡ ପକାଇ ନାରଦ ମହର୍ଷି ଖୋଜି ଖୋଜି ଡି.ଆଇ. ଅଫିସ୍‌ରେ ପହଞ୍ଚିଲେ । ପଚା ଦ୍ରବ୍ୟ ଉପରେ ମାଛି ଭଣ ଭଣ ହେଲା ପରି ଅଫିସ୍‌ର କିରାଣିଙ୍କ ଚାରିପଟେ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକମାନେ ଘେରି ରହିଛନ୍ତି । କିଏ କହୁଥାଏ ମୋର ଆଠ ମାସର ବାକିଆ ଡି.ଏ. ପଡ଼ି ରହିଛି । ମୁଁ ଭୋଟର ଲିଷ୍ଟ ତିଆରି କରିବା ପାଇଁ ଗାଁ ଗାଁ ବୁଲିଚି । ଆଉ କିଏ କହୁଚି ମୁଁ ବି.ପି.ଏଲ୍. କାର୍ଡ କରିବା ପାଇଁ ଘର ଘର ବୁଲି ବୁଲି ଛଅ ମାସ ହେଲାଣି ହାଲିଆ ହୋଇ ପଡ଼ିଲିଣି । ମୋର ପ୍ରାପ୍ୟ ମୋତେ ଦେଇ ଦିଅ ଭାଇ । କିରାଣି ବାବୁ କେଉଁ ଛାଡ଼ିବାର ଜନ୍ତୁ । ଚେୟାର୍‌ରେ ବସି ଗୋଡ଼ ହଲାଉଛନ୍ତି । ହିସାବ ନିକାଶ କରି କଷି ଧରିଛନ୍ତି । ଟେନ୍ ପରସେଣ୍ଟ ଦିଅନ୍ତୁ । ନିଜ ପ୍ରାପ୍ୟ ନିଅନ୍ତୁ । ଜଣେ ଶିକ୍ଷକ ସାଧୁତା ଦେଖାଇ କହି ଉଠିଲେ- “ଆମେ ଡି.ଆଇ. ସାହେବଙ୍କୁ କହିବୁ ।” କିରାଣି ବାବୁ ଜଣକ ଫେଁ କିନା ହସି କହିବାକୁ ଆରମ୍ଭ କଲେ- “ବୁଝିଲେ ସାର୍, ଆପଣ ବୋଧହୁଏ ନୂଆ କରି ଚାକିରୀ ଆରମ୍ଭ କରିଛନ୍ତି । ଆପଣ ତ ପି.ସି. ଦେଇ ଚାକିରୀରେ ପଶି ଥିବେ ଓ ସେହି ପି.ସି. ଦେଇ ସେବାରୁ ଅବସର ନେବେ ?” ମୂଳରୁ ଚୂଳ ପର୍ଯ୍ୟନ୍ତ ଏଠାରେ ପି.ସି. ଚାଲେ, ଆପଣ କ’ଣ ଏ କଥା ଜାଣି ନାହାଁନ୍ତି । ନିହାତି ଅମଣିଆଙ୍କ ପରି କ’ଣ ହେଉଛନ୍ତି । ସଫା କଥା ଶୁଣନ୍ତୁ, ଏହି ଦଶରୁ ଆମର ଦୁଇ, ସାରଙ୍କ ତିନି, ମନ୍ତ୍ରୀଙ୍କ ପାଞ୍ଚ । ଏଠି ଡି.ଆଇ. ପଦବୀ ସବୁ ମୂଲଚାଲ ହୁଏ । ଯିଏ ମନ୍ତ୍ରୀଙ୍କୁ ଅଧିକ ଦେଇ ପାରନ୍ତି ସେ ଏପରି ନିଯୁକ୍ତି ଓ ପରିଚାଳନା କ୍ଷେତ୍ରରେ ଅବସ୍ଥାପିତ ହୁଏନ୍ତି । ଆମେ ତ ଛାର ଚେଲା ଚାମୁଣ୍ଡା । ମହାଦେବଙ୍କ ବୃଷଭ । ଏଠି କାହାକୁ କହିବ ଶୁଣିବ କିଏ ? କଥାରେ ନାଇଁ, “ତୁମେ ଗୁହାରି କରିବ ଯାହାକୁ ମୁଁ ଜୁଆଁଇ କରିଛି ତାହାକୁ ।” ବିଚରା ଫଁ ଫଁ ହୋଇ ଯୁବ ଶିକ୍ଷକ ଜଣକ ମୋଡ଼ିମାଡ଼ ହୋଇ କିରାଣିଙ୍କ ଭାନୁମତୀ ପେଡ଼ିରେ ପଶିଗଲେ । ସେଠୁ ଫେରି ପାଖରେ ଥିବା ମହାବିଦ୍ୟାଳୟକୁ ଗଲେ । ଖଜୁରି ଗଛର କିସ… ପରି ସେ କଲେଜ୍ କ୍ୟାମ୍ପସ୍‌ରେ ପଶୁ ପଶୁ ପାନ ଛେପର ଛିଟା କଲେଜ୍ କୋଠାର ପ୍ରତି କୋଣରେ ଦେଖି ତାଙ୍କୁ ଭାରି ଅଇ ମାଡ଼ିଲା । ଦେଖିଲେ କିଛି ଅଧ୍ୟାପକ ଧାରଣାରେ ବସିଛନ୍ତି । କାରଣ ଦେଖିଲା ବେଳକୁ ସେମାନଙ୍କ ବକେୟା ପାଉଣା ପ୍ରାଇଭେଟ୍ କଲେଜ୍ ପରିଚାଳନା ସମିତି କାଟି ଉଡ଼େଇ ଦେଇଛନ୍ତି । ଗୋଟାଏ ନିକୃଷ୍ଟ ଅନଭିଜ୍ଞ ତୋଷାମଦପ୍ରିୟ ଲୋକଟା ବଡ଼ ବଡ଼ିଆଙ୍କ ଚାପରେ ପ୍ରିନ୍ସପାଲ ପଦବୀ ମାଡ଼ି ବସିଚି । ସେ ତା’ ମନଇଚ୍ଛା କାହାକୁ ଜୁନିଅର କାହାକୁ ସିନିଅର କରି ମାରଣତାରଣ ନୀତି ଅନୁସରଣ କରୁଥିବାରୁ ଷ୍ଟାଫ୍‌ମାନେ ଅତିଷ୍ଟ ହୋଇ ପଡ଼ିଲେଣି । ଏଥିରେ ଅମଲାମାନେ ଅନ୍ଧକୁ ଅନ୍ଧ ବାଟ ଦେଖାଇଲା ପରି ଶାସନକୁ ଯେତକ ଦୁର୍ବୁଦ୍ଧି ସପ୍ଲାଇ କରୁଛନ୍ତି । ଏ ତ ଗଲା ପ୍ରାଇଭେଟ୍ କଲେଜ୍‌ର କଥା । ଅନୁଦାନ ପ୍ରାପ୍ତ କଲେଜ୍‌ମାନଙ୍କରେ ବ୍ଲକ୍ ଗ୍ରାଣ୍ଟ୍ ପାଇ ଅଧ୍ୟାପକମାନେ ବୁଢ଼ା ହେଲେଣି । ନିୟମିତ ସ୍କେଲ୍ ପାଇବାର ନାଁ ଗନ୍ଧ ବି ନାଇଁ । ସରକାରୀ କଲେଜ୍‌କୁ କନ୍ଧମାଳ ଓ କଳାପାଣିର ଜିଲ୍ଲା କହି ସହରୀ ଅଧ୍ୟାପକମାନେ ଘାଟି ଡେଇଁ ଆସୁ ନାହାଁନ୍ତି । ସରକାର ଖାଲି ରାଜଧାନୀରେ ବସି ନିୟମ ଗଢ଼ିବାରେ ବ୍ୟସ୍ତ । ବିଚରା କଲେଜ୍ ପଢୁଆ ପିଲାମାନେ କାହାକୁ କହିବେ କପାଳରେ ସିନା ହାତ ମାରିବେ ।

ନାରଦ ଏ ତାଜା ଖବର ସବୁ ନିଜ ଆଖିରେ ଦେଖି କାନରେ ଶୁଣି ଅଙ୍ଗେ ନିଭେଇ ରିପୋର୍ଟ ଲେଖିଲେ । ତଥାପି ଇନ୍ଦ୍ର ତେଣେ ଅପେକ୍ଷା କରିଥିବେ ଭାବି ତାଙ୍କ ପ୍ରତାପକୁ ଡରି ପ୍ରଥମ ପର୍ଯ୍ୟାୟ ଶିକ୍ଷା ସର୍ଭେ ରିପୋର୍ଟ ଫାକ୍ସ କରି ପଠାଇ ଦେଲେ. . . ।

ଲୋକପ୍ରିୟ ଲେଖା

To Top