ଗଳ୍ପ

ନ୍ୟାୟ ଅନ୍ୟାୟ

Dr Bibhuti Pattanaik's odia story Naaya Anyaaya

ଭାଇ ତ ଏଇ ପ୍ରଥମ ଥର ହାଜତରେ ପଶି ନାଇଁ ? ତୁ ଏତେ ବ୍ୟସ୍ତ ହେଉଛୁ କାହିଁକି ?

ନ୍ୟାୟ ଅନ୍ୟାୟ

ଖବରଟା ଶୁଣିବା ମାତ୍ର ରାଜଲକ୍ଷ୍ମୀଙ୍କ ଛାତି ଭିତରେ ଏକ ଛୋଟ ମାପର ଭୂମିକମ୍ପ ହୋଇଗଲା । କମ୍ପାନରେ ଭିତରର କୈାଣସି କୋଠାବାଡି ଭାଙ୍ଗି ଭୁଶୁଡି ପଡିଲା ନାହିଁ । କେବଳ କାନ୍ଥରେ ଫାଟ ହୋଇଗଲା । ହେୟାର ଲାଇନ୍ କ୍ରାକ୍ ।

ଏଇ ପ୍ରଥମ ନୁହେଁ । ଆଗରୁ ଅନେକ ଥର ଏଇଭଳି ଦୁଃସମ୍ବଦ ଶୁଣି ଶୂଣି ତାଙ୍କର ସହ୍ୟ ଶକ୍ତି ବଢିଯାଇଛି । ସେ ବୁଝିଯାଇଛନ୍ତି । ଦେବଦାସ ଭଳି ପୁଅର ମାଆ ହେଲେ ଛାତିକୁ ପଥର କରି ସହ୍ୟ ଶକ୍ତି ବଢାଇବାକୁ ହୁଏ । କିନ୍ତୁ ପଥରର ମଧ୍ୟ ସହ୍ୟ ଶକ୍ତିର ଏକ ସୀମା ଅଛି । ଆଘାତ ସହ୍ୟାତୀତ ହେଲେ ପଥରର ମଧ୍ୟ ଫାଟ ହୁଏ । ଆରମ୍ଭ ହୁଏ ଧୀରେ ଧୀରେ କ୍ଷୟ ହେବାର ପ୍ରକ୍ରିୟା ।

ରାଜଲକ୍ଷ୍ମୀ ଆଜି ଦେବଦାସକୁ ପୁଲିସ୍ ଧରିନେଇ ହାଜତରେ ଭର୍ତ୍ତି କରିଦେଇଛନ୍ତି । ବୋଲି ଶୁଣିବା ବେଳୁ ଅନୁଭବ କରୁଛନ୍ତି ତାଙ୍କ ଭିତରେ ସେଇ ଭାଙ୍ଗିବାର ପ୍ରକ୍ରିୟା ଆରମ୍ଭ ହୋଇଯାଇଛି ।

ଦର ଆଉଜା କବାଟ ଖୋଲି ଦୀପ୍ତି ଭିତରେ ପଶି ବୋଉର ଶୁଖିଲା ମୁହଁ ଦେଖି ବୁଝିପାରିଲା । ଭାଇର ହାଜତ-ପ୍ରବେଶ ଖବର ଏଥି ମଧ୍ୟରେ ତା’ ପାଖରେ ପହଞ୍ଚି ଯାଇଛି । ବୋଉ କାନ୍ଦି ନାଇଁ, କିନ୍ତୁ ତା’ର ମୁହଁ ସାରା ଅଶ୍ରୁ ଛଳ ଛଳ ହେଉଛି ।

ସେ କାନ୍ଧରୁ ଝୁଲା ବ୍ୟାଗ୍ ଓହ୍ଳାଇଦେଇ ଟେବୁଲ ଉପରେ ରଖି ମୁହଁ ହାତ ଧୋଇବାକୁ ବାଥ୍‌ରୁମ୍‌କୁ ଯିବା ଆଗରୁ ରାଜଲକ୍ଷ୍ମୀଙ୍କ ଛାତିରେ ମୁହଁ ଘଷି ଗେହ୍ଳେଇ ହୋଇ କହିଲା –ତୁ କିଛି ଚିନ୍ତା କର ନା ଆଜି ଯେଉଁମାନେ ତାକୁ ଧରି ନେଇ ହାଜତରେ ଭର୍ତ୍ତି କରିଛନ୍ତି, କାଲି କୋର୍ଟରେ ଶୁଣାଣି ସରିଲା ପରେ ସେମାନେ ତାକୁ ଆଣି ସମ୍ମାନେ ଘରେ ଛାଡି ଦେଇଯିବେ । ଭାଇ କିଛି ଅନ୍ୟାୟ କରିନାଇଁ । ସରକାର ହରିଜନ ବସ୍ତି ଉଠାଇ ସେଠାରେ ଗୋଟାଏ ମଲ୍ ତିଆରି କରିବାକୁ ଚାହୁଁଛି । ବସ୍ତି ବାସିନ୍ଦାମାନଙ୍କୁ ଅନ୍ୟତ୍ର ଥଇଥାନ କରିବାରେ ବିକଳ୍ପ ବ୍ୟବସ୍ଥା ନ କରି ପୁଲିସ୍ ଜବରଦସ୍ତ ସେମାନଙ୍କ ଘର ଭାଙ୍ଗିବା ଅନ୍ୟାୟ । ଭାଇ କୈାଣସି ଅନ୍ୟାୟ ବରଦାସ୍ତ କରିବା ଲୋକ ନୁହେଁ –ତୁ ତ ଜାଣୁ ।

ଏଥର ମୁହଁ ଖୋଲିଲେ ରାଜ ଲକ୍ଷ୍ମୀ

-ଦେବ କ’ଣ ହରିଜନ ବସ୍ତିର ଦାଦା ? ଯେଉଁ ଦାଦାମାନେ ବେଆଇନ ବସ୍ତିରୁ ମାସିକ ବଟି ଆଦାୟ କରି ମାଲେମାଲ୍ ,ସେମାନେ ଠିଆହୋଇ ପୁଲିସ୍‌ର ଘରଭଙ୍ଗା ଦୃଶ୍ୟ ଦେଖିବାବେଳେ ଇଏ ଉପରେ ପଡି ପୁଲିସ୍‌ର ପ୍ରତିରୋଧ କରିବା କ’ଣ ଦରକାର ଥିଲା ? ସାଇ ଲୋକେ କ’ଣ କହୁଛନ୍ତି ଶୁଣିଛୁ ? ଦେବ ଦାଦାମାନଙ୍କ ଦଲାଲ୍ । ବସ୍ତିରୁ ଆଦାୟ ହେଉଥିବା ବଟିରୁ ଭାଗ ନିଏ –ଶୁଣିଛୁ ନା ନାଇଁ ?

ଦିପ୍ତିର ଏସବୁ କଥା ଶୂଣିବାପାଇଁ ବେଳ ନ ଥିଲା । ଆଝି ସ୍କୁଲରେ ଅନିମା ଅପାଙ୍କ ଫେୟାରୱେଲ୍ ଥିଲା , ଚାକିରି ମାତ୍ର ଆଉ ଦେଢବର୍ଷ ବାକି ଅଛି । ସେ ବହୁ କଷ୍ଟରେ ଉପରେ ଧରାଧରି କରି ତାଙ୍କ ଶାଶୂଘର ପାଖ ସ୍କୁଲ୍‌କୁ ବଦଳି ହୋଇଯାଛନ୍ତି । ଚେଷ୍ଟାକୃତ ବଦଳି । ଆଖିରେ ଲୁହ ନ ଥିଲା, ମୁହଁରେ ସ୍ମିତ ହସ । ସେଇ ବିଦାୟ ସମ୍ବର୍ଦ୍ଧନା ସଭାରେ ଭାଇର ବସ୍ତିଭଙ୍ଗା ବିରୋଧ ପାଇଁ ପୁଲିସ୍ ସହିତ ସଂଘର୍ଷ ଖବର ତାକୁ ଦେଇଥିଲା ପିଅନ -ସେ ଭଙ୍ଗା ବସ୍ତିର ବାସିନ୍ଦା ।

ପ୍ରଥମେ ନିଜକୁ ସମ୍ଭାଳି ପାରି ନଥିଲା ଦୀପ୍ତି ତା’ ଆଖିକୁ ଲୁହ ଆସିଯାଇଥିଲା ।

ତାକୁ ଚିମୁଟି ଦେଇ ମାଥ୍‌ମାଡାମ୍ ଚାପା କଣ୍ଠରେ ପଚାରିଥିଲେ -ଯିଏ ବିଦାୟ ନେଇ ସ୍କୁଲ ଛାଡି ବଦଳି ହୋଇଯାଉଛନ୍ତି, ତାଙ୍କ ଆଖିରେ ଲୁହ ନାହିଁ -ଆଉ ତାଙ୍କ ପାଇଁ ତମେ କାହିଁକି ଲୁହ ଗଡାଉଛ ?

ଚଟ୍‌କିନି ଆଖି ତଳୁ ଲୁହର ଦାଗ ପୋଛି ନେଇଥିଲା । ସାହିତ୍ୟ ଶିକ୍ଷୟତ୍ରୀ ଅନିମା ଦାସଙ୍କ ବିଦାୟ ସମ୍ବର୍ଦ୍ଧନା ଉପଲକ୍ଷେ ଲିଖିତ ମାନପତ୍ର ପଢିଲାବେଳେ ଭାଇର ଗିରଫ ହୋଇ ହାଜତ ଯିବା କଥା ଭୁଲିପାରୁ ନ ଥିଲା ବୋଲି ତା କଣ୍ଠସ୍ୱର ଥରୁଥିଲା । ଖବର ଶୁଣି ବୋଉ ବ୍ୟାକୁଳ ହେଉଥିବ ବୋଲି ଭାବିବା ମାତ୍ରେ ତାର ଦ୍ରୁତ ହୃତ୍ ସ୍ପନ୍ଦନ ପୁଣି ସ୍ୱାଭାବିକ ହୋଇ ଆସିଲା । ସେ ନିଜକୁ ସମ୍ଭଳି ନେଇ ତାର ଝୁଲା ବ୍ୟାଗ୍ ଧରି ଘରକୁ ଫେରିବାପାଇଁ ଗୋଟାଏ ରିକ୍ସା ଡାକି ଦେବା ପାଇଁ ପିଅନକୁ ଛକକୁ ପଠାଇଥିଲା ।

ଅପରାହ୍ନର ଧୂସର ନଦୀ ସନ୍ଧ୍ୟାର ଅନ୍ଧକାର ସମୁଦ୍ରରେ ଧୀରେ ଧୀରେ ଲୀନ ହୋଇଯାଉଥିଲା ।

ଚିହ୍ନା ରିକ୍ସା । ସେଇ ହରିଜନ ବସ୍ତିର ରେହେ ।

ସେ ରିକ୍ସାରେ ଉଠିବା ମାତ୍ରେ ରିକ୍ସାବାଲା ଭାଇର ପ୍ରଶଂସା କଲା । ଦେବବାବୁ ସାକ୍ଷାତ୍ ଦେବତା । ଆମେ କେବେ ତାଙ୍କର କିଛି ଉପାକର କରି ନାଉଁ । କିନ୍ତୁ ସେ ଆଜି ଆମ ପାଇଁ ପୁଲିସ୍ ଲାଠି ଆଗରେ ଛାତି ପତାଇ ଠିଆ ହୋଇଗଲେ । ଯଦି ବସ୍ତି ଭାଙ୍ଗିବ, ଆଗ ଲାଠିରେ ମତେ ଭାଙ୍ଗ । ମାର –ମାରିଦିଅ -ମରିବା ପଛେ , ବସ୍ତି ଭାଙ୍ଗିବାକୁ ଛାଡିବି ନାହଁ ।

ଏ ରିକ୍ସବାଲା କଥା ବୋଉକୁ କହି ତାକୁ ସାନ୍ତ୍ୱନା ଦେବ ବୋଲି ସେ ବାଟଯାକ ଭାବି ଭାବି ଆସିଥିଲା । କିନ୍ତୁ ଭାଇକୁ ନିଜ ସାଇଲୋକ ବସ୍ତି ଦାଦାଙ୍କ ଟଙ୍କାଖିଆ ଦଲାଲ୍ ବୋଲି କହିଥିବା ଶୂଣି ସେ ଚୁପ୍ ଚାପ୍ ବାଥ୍ ରୁମ୍ ଚାଲିଗଲା ।

ସକାଳ ନଅଟାରେ ତରତର ହୋଇ କଅଣ ଟିକିଏ ଖାଇଦେଇ ସ୍କୁଲ୍ ଯାଇଥିଲା ଦୀପ୍ତି । ଫେରୁ ଫେରୁ ମୁହଁ ସଞ୍ଜ । ଭୋକରେ ପେଟ ଆଉଟିପାଉଟି ହୋଇ ଯାଇଥିବ । ତା’ ପାଇଁ ଜଳଖିଆ ତିଆରି କରିବାକୁ ଉଠିଗଲେ ରାଜଲକ୍ଷ୍ମୀ । କିନ୍ତୁ ପୁଅ ହାଜତରେ ଭୋକ ଉପାସରେ ଛଟପଟ ହେଉଥିବା କଥା ଭାବିବା ମାତ୍ରେ ରୋଷେଇ ଘରକୁ ଯିବା ପାଇଁ ତାଙ୍କର ଗୋଡ ଚଳିଲା ନାଇଁ ।

ଏମିତି ଦିନେ କମ୍ପାନୀ ମାଲିକ ସାଙ୍ଗରେ ଝଗଡା କରି ଚାକିରି ଛାଡି ଚାଲି ଆସିଥିଲା ଦେବ । ଆହୁରି ଗୋଟାଏ ବର୍ଷ ଚାକିରୀ ଥିଲା ହଠାତ୍ ହୃଦ୍‌ଯନ୍ତ୍ର କ୍ରିୟା ବନ୍ଦ ହୋଇଯିବା ଆଗରୁ ସ୍ୱାମୀ ପୁଅ ଦୁହିଁଙ୍କୁ ଅନାଥ କରି ଆରପାରିକୁ ଚାଲିଗଲେ । ତାଙ୍କ ମୁଣ୍ଡ ଉପରେ ଆକାଶ ଭାଙ୍ଗି ପଡିଥିଲା । ବି.କମ୍.ପାସ୍ କରି ଏମ୍,କମ୍ ପଢିବା ଚିନ୍ତା ବାତିଲ୍ କରିଦେଇ ଚାକିରି ଅନ୍ୱେଷଣରେ ବାହାରି ପଡିଥିଲା । ସ୍ୱାମୀଙ୍କର ଇଚ୍ଛାଥିଲା, ପୁଅ ସାଇନ୍ସ ପଢି ଶିକ୍ଷକ ହେଉ । କିନ୍ତୁ ସାଇନ୍ସ ବଦଳରେ କମର୍ସ ପଢି ଦେବ ଚାଟାର୍ଡ ଆକାଉଣ୍ଟାଣ୍ଟ ହେବା ପାଇଁ ଚାହୁଁଥିଲା । ପ୍ରଥମ ଶ୍ରେଣୀରେ ବି.କମ୍ .ପାସ୍ କରିଥିଲା । କମର୍ସରେ ମାଷ୍ଟର ଡିଗ୍ରୀ ପାଇଁ କଠିନ ପରିଶ୍ରମ କରିବ ବୋଲି ତା’ ବାପାଙ୍କୁ ସେ କଥା ଦେଇଥିଲା । ଚାଟାର୍ଡ ଆକାଉଣ୍ଟାଣ୍ଟ ହେବା ରାସ୍ତାରେ ସେ ଦୃଢ଼ ପଦକ୍ଷେପ କରି ଆଗୁସାର ହେଉଥିଲା । ହଠାତ୍ ତାଙ୍କର ପରଲୋକ ତା’ର ସବୁ ସ୍ୱପ୍ନକୁ ଦୁଃସ୍ୱପ୍ନରେ ପରିଣତ କରିଦେଲା ।

ସ୍ୱାମୀ ଥିଲେ ବୋର୍ଡ ସ୍କୁଲର ପ୍ରଧାନଶିକ୍ଷକ । ରାଷ୍ଟପତି ସମ୍ମାନ ପ୍ରାପ୍ତ ହେଡ୍‌ମାଷ୍ଟର ମଣିଷ ଗଢା କାରଖାନାର ପ୍ରଧାନ କାରିଗର ଭାବରେ ତାଙ୍କର ଖୁବ୍ ସୁଖ୍ୟାତି ଥିଲା । କିନ୍ତୁ କିଛି ସଞ୍ଚୟ ନଥିଲା ଶିକ୍ଷକ ଚାକିରି ପେଟପୋଷା ଚାକିରି । ପିଲା ଦୁହଁଙ୍କର ସେ କୈାଣସି କଥାରେ ଉଣା କରି ନ ଥିଲେ । ଯାହା ଦରମା ପାଉଥିଲେ, ସେଥିରେ ସଂସାରର ଖର୍ଚ୍ଚ ଚଳିଯାଇଥିଲା । କିନ୍ତୁ ସେ ହଠାତ୍ ବାଟଭାଙ୍ଗି ଚାଲିଗଲା ପରେ ଚାରିଆଡ ଅନ୍ଧାର ଦେଖାଗଲା । ଥାକ ଥାକ ପ୍ରସ୍ତରୀଭୂତ ଅନ୍ଧାକାର । ସେ ଯୁଆଡକୁ ଚାହଁଲେ କିଛି ବାଟ ଦେଖାଗଲା ନାହିଁ ।

ଦେବଦାସ ସେଥିପାଇଁ ଯେତେବେଳେ ତାଙ୍କୁ ଏମ୍.ଏ. ନ ପଢି ଚାକିରି କରିବ ବୋଲି କହିଲା –ସେ ନାହିଁ କରିପାରି ନଥିଲେ । ପାଠ ନପଢି ଚାକିରି କରିବା ନିଷ୍ପତ୍ତି ତାକୁ କେତେ କଷ୍ଟ ଦେଇଥିବ ,ଜାଣି ସୁଦ୍ଧା ନିଜ ଭିତରର ଦୀର୍ଘଶ୍ୱାସକୁ ଚାପିରଖି ସେ ସମ୍ମତି ଜଣଇଥିଲେ ।

ଗୋଟିଏ କନଷ୍ଟ୍ରକ୍‌ସନ୍ କମ୍ପାନୀରେ ବେଶ୍ ଦରମାରେ ଅଫିସ୍ ଆକାଉଣ୍ଟାଣ୍ଟ ଭାବରେ ଯୋଗ ଦେଇଥିଲା ଦେବ । ଚାକିରିରେ ଦ୍ରୁତ୍ ପ୍ରମୋସନ୍ ମଧ୍ୟ ତା’ର ହୋଇଥିଲା । ଚାଟାର୍ଡ ଆକାଉଣ୍ଟାଣ୍ଟ ହୋଇ ଅଫିସ୍ ଆକାଉଣ୍ଟାଣ୍ଟ ହୋଇ ମଧ୍ୟ ସେ ଭଲ ରୋଜଗାର କରୁଥିଲା । ତା ବାହାଘର ପାଇଁ ଅନେକ ଜାଗାରୁ ଭଲ ପ୍ରସ୍ତାବମାନ ଆସୁଥିଲା । କିନ୍ତୁ ସେ ଜିଦ୍ ଧରିଥିଲା ଦୀପ୍ତିକୁ ହାତକୁ ଦି’ହାତ ନ କରିବା ଯାଏ, ସେ କୈାଣସି ଝିଅର ହାତ ଧରିବ ନାହିଁ ।

ଝିଅର ବାହାଘର ଲାଗି କଂସାବାସନ ଠାରୁ ଆରମ୍ଭ କରି ବେକ, କାନ ଓ ଆଙ୍ଗୁଠି ପାଇଁ ଗୋଟା ସେଟ୍ ସୁନା ଗହଣା ପାଇଁ ମଧ୍ୟ ବରାଦ ଦେଇସାରିଥିଲେ ।

ହଠାତ୍ ଦିନେ ଅଫିସ୍‌ରୁ ଫେରି ଦେବାଦାସ କହିଲା –

-ବୋଉ ! ସେ କମ୍ପାନୀ ଚାକିରି ଛାଡିଦେଲି ।

ଗୋଟିଏ ଶକ୍ତ ଧକ୍କା ଖାଇଲା ଭଳି ଚମିକି ଉଠି ସେ ପଚାରିଲେ – ଚାକିରି ଛାଡିଦେଲୁ ? କାହିଁକି ? କ’ଣ ପାଇଁ ଏତେ ଭଳ ଚାକିରିଟା ।-

-ତା’ଛଡା ଅନ୍ୟ ଉପାୟ ନ ଥିଲା । ସେମାନେ ମତେ ଗୋଟାଏ ଅନ୍ୟାୟ କାମ କରିବାକୁ ବାଧ୍ୟ କରୁଥିଲେ । ବାପା ସବୁବେଳେ କହୁଥିଲେ -ଯିଏ ଅନ୍ୟାୟ କରେ ସେ ଯେତିକି ଦୋଷୀ, ଯିଏ ଅନ୍ୟାୟ ସହ୍ୟ କରେ ସେ ତା’ଠାରୁ ବଳି ବଡ ଅପରାଧୀ । ମୁଁ ଚାକିରି ପାଇଁ ଏତେ ବଡ ଅନ୍ୟାୟ କରିପାରି ନଥାନ୍ତି । କରିବା ଉଚିତ ହୋଇ ନ ଥାନ୍ତା ।

ପୁଅର କଥା ଶୁଣି ତାଙ୍କ ମୁଣ୍ଡ ଭିତରେ ସତେବେଳେ ଖଣ୍ଡିଆଭୂତ ଧୂଳି ଉଡାଇବା ଆରମ୍ଭ କରି ଦେଇଥାଏ । ଝିଙ୍କାରିର ଝିଁ ଝିଁ ଶବ୍ଦ ତାଙ୍କ ଦୁଇ କିାନରେ ଅଜାଡି ହୋଇପଡୁଥାଏ । ସେ ଆହାତ ଅସହାୟ ଭାବରେ କହିଚାଲିଥାନ୍ତି –ମାଷ୍ଟ୍ରମାନେ ଆଗପଛ ନ ବିଚାରି ପିଲାମାନଙ୍କୁ ନୀତିବାଣୀ ଶୁଣାଇବାକୁ ଭଲ ପାଆନ୍ତି । ଏଇଟା ସେମାନଙ୍କର ଗୋଟିଏ ପୁରୁଣା ଅଭ୍ୟାସ ସେମାନେ ଏମିତି କଅଣ ଅନ୍ୟାୟ କାମ କରିବାକୁ କହିଲେ ଯେ ତୁ ଆମ କଥା ନ ଭାବି ଏତେ ଭଲ ଚାକିରି ଛାଡିଦେଇ ଚାଲିଆସିଲୁ ?

ମୁଣ୍ଡ ତଳକୁ କରି ଠିଆ ହୋଇଥିଲା ଦେବାଦାସ ।

ସେ ଦିନ ତାଙ୍କ କଥା ଶୁଣି ଦୃଷ୍ଟି ଉତ୍ତୋଳନ କରି ଉତ୍ତର ଦେଇଥିଲା -ଆମ ରାଜ୍ୟର ନଗର ଉନ୍ନୟନ ମନ୍ତ୍ରୀ କୁଆଡେ ବାପାଙ୍କର ପ୍ରିୟ ଛାତ୍ର ଥିଲେ । ଗରିବ ଘରର ପିଲା ବୋଲି ବାପା ସ୍କୁଲ୍‌ରେ ତାଙ୍କର ଦରମା ଛାଡ କରାଇ ଦେଇଥିଲେ । ବାପାଙ୍କ ଯୋଗୁଁ ସେ ପାଠ ପଢି ମଣିଷ ହୋଇଛନ୍ତି । ଆଜି ନଗର ଉନ୍ନୟନ ମନ୍ତ୍ରୀ । ତାଙ୍କରି ଦପ୍ତରରୁ ଓଡ଼ିଶାର ଏ ସହରରେ କୋଠାବାଡି ନିର୍ମାଣ ପାଇଁ ଟେଣ୍ଡର ମଗାଯାଇଛି । ପାଞ୍ଚ କୋଟି ଟଙ୍କାର କାମ । ଆମ କମ୍ପାନୀକୁ ଦେବପାଇଁ ଅନୁରୋଧ କରିବାକୁ ମତେ ତାଙ୍କ ପାଖକୁ ପଠଉଥିଲେ । ମୁଁ ବୋର୍ଡ ସ୍କୁଲ୍ ହେଡ୍‌ମାଷ୍ଟ୍ରଙ୍କ ପୁଅ ବୋଲି ଜାଣିଲା ପରେ ନଗର ଉନ୍ନୟନ ମନ୍ତ୍ରୀ ନିଶ୍ଚୟ ଆମକୁ ସେ ପାଞ୍ଚ କୋଟିଏ ଟଙ୍କାର କାମ ଦେବେ ବୋଲି ଏମ୍‌ଡିଙ୍କ ଦୃଢ ବିଶ୍ୱାସ । କିିନ୍ତୁ ବାପାଙ୍କ ସୁକୃତକୁ କମ୍ପାନୀର ଟେଣ୍ଡର ଆଣିବା କାମରେ ମୁଁ ଲଗାଇପାରିବି ନାହିଁ ବୋଲି ମନା କରିଦେଲି । ଏଥିପାଇଁ ଏମ୍‌ଡିଙ୍କ ସହିତ ମୋର ଝଗଡ଼ା ହୋଇଗଲା । ଚଟି ଉଠାଉଠି ଯାଏ କଥା ଯାଇଥିଲା । ଯଦି ମୁଁ ନଗର ଉନ୍ନୟନ ମନ୍ତ୍ରୀଙ୍କ ଠାରୁ ଏ ପାଞ୍ଚ କୋଟି ଟଙ୍କାର କାମ ଆଣି ଦେଇ ନ ପାରେ, ତାହାହେଲେ କାଲିଠାରୁ ଆଉ ଅଫିସ୍ ଆସିବା ଦରକାର ନାହିଁ ବୋଲି ଏମ୍‌ଡି କହିବା ମାତ୍ରେ ମୁଁ ତାଙ୍କ ମୁହଁ ଉପରକୁ ଛେପ ପକାଇ ଚାକିରି ଛାଡି ଚାଲିଆସିଛି । ଚାକିରି ଗଲେ ବି ବାପାଙ୍କ ଉଜ୍ଜତ୍‌ ରହିଗଲା । ମୁଁ ଠିକ୍ କରି ନାହିଁ ?

ସେ କିଛି କହିବା ଆଗରୁ ଚିଲ ଭଳି ଛୁଟି ଆସି ଦୀପ୍ତି କହିଥିଲା –ତୁ ଠିକ୍ କରିଛୁ ଭାଇ ! ତୁ ବାପାଙ୍କ ସୁନନାମକୁ ବିକ୍ରି କରି ସେ କମ୍ପାନୀରେ ଚାକିରି କରିଥିଲେ ମୁଁ ତତେ ଭାଇ ବୋଲି ଡାକିବାକୁ ଲଜ୍ଜା ଅନୁଭବ କରିଥାଆନ୍ତି ।

ତା’ପରେ ତାଙ୍କ ପାଖକୁ ଘୁଞ୍ଚି ଆସି କହିଥିଲା –ବୋଉ ! ଭାଇ ଚାକିରି ଛାଡିଦେଇ ଆସିଛି ବୋଲି ତୁ ଚିନ୍ତା କରନା । ମୁଁ ଆମ ମ୍ୟୁନିସିପାଲିଟି ବାଳିକା ବିଦ୍ୟାଳୟରେ ଇଂଲିସ୍ ଶିକ୍ଷୟତ୍ରୀ ଚାକିରି ପାଇଁ ଇଣ୍ଟର୍‌ଭ୍ୟୁ ଦେଇଥିଲି । ବି.ଇଡି. ଡିଗ୍ରୀ ନ ଥିଲେ ବି ମୋର ପ୍ରଥମ ଶ୍ରେଣୀର ଇଂଲିସ୍ ଅନର୍ସ ଯୋଗୁଁ ମତେ ସେମାନେ ମନୋନୀତ କରିଛନ୍ତି ।

ଝିଅର ରୋଜଗାର ଟଙ୍କାରେ ସେଇଦିନୁ ମାଆ ପୁଅ ଭାତ ଖାଉଛନ୍ତି –ଏକଥା ଭାବିଲେ ତାଙ୍କର ନିଜ ଉପରେ ଯେତିକି ରାଗ ନ ହୁଏ, । ତା’ ଠାରୁ ବେଶି ରାଗ ହୁଏ ସ୍ୱର୍ଗତ ସ୍ୱାମୀଙ୍କ ଉପରେ । ଏ ଯୁଗରେ ସିଧା ଆଙ୍ଗୁଠିରେ ଘିଅ ଉଠେ ? ଉପୁରି ନ ଥିଲେ ଚାକିରି ଟଙ୍କାରେ ପରିବାର ଚଳେ ? କଳିଯୁଗରେ ଅନ୍ୟାୟ ନ କରି କେହି ବଡ ଲୋକ ହୋଇପାରେ ? ନ୍ୟାୟ ଅନ୍ୟାୟ ବିଷୟରେ ପୁଅକୁ ଉପଦେଶ ଦେଇ ତା’ ମୁଣ୍ଡକୁ ଖରାପ କରିବା କ’ଣ ଦରକାର ଥିଲା ?

ବାଥ୍‌ରୁମ୍‌ରେ ଧୁଆଧୋଇ ହୋଇ ଆସି ପୋଷାକ ବଦଳାଇ ଦୀପ୍ତି ପାଟିକରି ପଚାରିଲା –ବୋଉ ! ବତି ନ ଜଳାଇ ଅନ୍ଧାରରେ ରୋଷେଇ ଘରେ କ’ଣ କରୁଛୁ ?

ରାଜଲକ୍ଷ୍ମୀ ତିନି ବର୍ଷ ତଳର ଅତୀତରୁ ଫେରି ଆସିଥିଲେ । ପୁଅର ଚିନ୍ତାରେ ସେ ଏପରି ଆତ୍ମମଗ୍ନ ଥିଲେ ସୁଇଚ୍ ଟିପିବା କଥା ତାଙ୍କର ମନେ ନ ଥିଲା । ଆଳୁଅ ଜାଳି କହିଲେ –ତୋପାଇଁ ଜଳଖିଆ ତିଆରି କରିବି ବୋଲି ଆସିଛି କ’ଣ ଖାଇବୁ କହିଲୁ ?

ଆମ ସାହିତ୍ୟ ଶିକ୍ଷୟତ୍ରୀ ଅନିମା ଦିଦିଙ୍କର ଆଜି ଫେୟାର୍‌ୱେଲ୍ ଥିଲା । ଜଳଖିଆ ଖାଇ ଆସିଛି । ଏତେ ଖାଇଛି ଯେ ମୋର ରାତିରେ ଖାଇବା ଦରକାର ହେବ ନାଇଁ । ବରଂ ତୋ ପାଇଁ ମୁଁ ରୁଟି, ସନ୍ତୁଳା କରିଦେଉଛି-

ତାଙ୍କ ପାଇଁ ରାତ୍ରି ଭୋଜନର ଆୟୋଜନ କରିବା କଥା ଝିଅ ମୁହଁରୁ ଶୁଣିବା ମାତ୍ରେ ରାଜଲକ୍ଷ୍ମୀଙ୍କ ଛାତି ଭିତରୁ କୋହ ଉଠିି ଆସିଲା । ଆଖିରୁ ଧାର ଧାର ଲୁହ ।

ସକାଳୁ ଭାତ, ଡାଲି, ମାଛ ତରକାରି ହୋଇଥିଲା । ଖାଇବାପାଇଁ ପୁଅ ଆସି ନାଇଁ । ତାକୁ ଅପେକ୍ଷା କରି ସେ ମଧ୍ୟ କିଛି ନାହାନ୍ତି । ସବୁ ଜିନିଷ ଥୁଆ ହୋଇଛି ।

ପୁଣି ରାତ୍ରୀ ଭୋଜନ ପାଇଁ ରୁଟି –ସନ୍ତୁଳା !

ସେ ଆଖିରୁ ଲୁହ ପୋଛିନେଇ କହିଲେ –

ଦୀପ୍ତି ! ତୁ ଗୋଟାଏ ରିକ୍ସା ଡାକ ମୁଁ ଥାନାକୁ ଯିବି । ହାଜତ୍‌ରେ ଦେବ ସାଙ୍ଗରେ ଦେଖା କରିବି । ତା’ ବାପା ନାହାନ୍ତି ବୋଲି କ’ଣ ତା’ର ଆଉ କେହି ନାହାନ୍ତି ?

-ଭାଇ ତ ଏଇ ପ୍ରଥମ ଥର ହାଜତରେ ପଶି ନାଇଁ ? ତୁ ଏତେ ବ୍ୟସ୍ତ ହେଉଛୁ କାହିଁକି ? ଗତ ବର୍ଷ ଆମ ସାହିର ରାଜୁଭାଇର ସ୍ତ୍ରୀ ମୀନୁ ଭାଉଜ ସିନେମା ଦେଖି ହଲ୍‌ରୁ ଫେରୁଥିବାବେଳେ ତାଙ୍କ ବେକରୁ ସୁନା ହାର ଚିଣ୍ଡାଇ ନେବାପାଇଁ ଡ୍ରଗ୍ସ ଆଡିକ୍ଟସ୍ ରାସ୍ତାର ରୋମିଓମାନେ ତାଙ୍କୁ ଟଣାଓଟରା କରୁଥିଲେ । ମୀନୁ ଭାଉଜ ନିଜର ସବୁ ଶକ୍ତି ଲଗାଇ ବେକର ସୁନା ହାରକୁ ସୁରକ୍ଷିତ କରି ରଖିବାକୁ ଚେଷ୍ଟା କଲାବେଳେ ଟଣାଓଟରାରେ ତାଙ୍କ ଶାଢି କାନ୍ଧରୁ ଖସି ଧୂଳିରେ ଲୋଟୁଥିଲା । ଦୁର୍ବୃର୍ତ୍ତମାନେ ବେକର ହାର ଛିଣ୍ଡାଇ ନ ପାରି ତାଙ୍କ ବ୍ଲାଉଜ ଛିଣ୍ଡାଇ ଦେଉଥିଲେ । ବିନା ଟିକେଟ୍‌ରେ ଏ ହାର –ହରଣ ନାଟକ ଦେଖିଥିବା ଦର୍ଶକମାନେ କେହି ହେଲେ ଜଣେ ମହିଳାଙ୍କ ଉପରେ ହେଉଥିବା ଆକ୍ରମଣର ପ୍ରତିବାଦ କିମ୍ବା ପ୍ରତିରୋଧ କରୁ ନଥିଲେ । ଖବର ପାଇଁ ଭାଇ ସେଠାରେ ପହଞ୍ଚି ସେଇ ନିଶାଖୋର ଲୁଟେରାମାନଙ୍କ ସହ ଲଢେଇ କରି ମୀନୁ ଭାଉଜଙ୍କୁ ଛଡେଇ ଆଣିଥିଲା ଭାଇର ଘୂଷି ମାଡରେ ଦୁଇ ଝଣ ଦୁର୍ବୃତ୍ତଙ୍କ ଥୋମଣି ଫାଟି ରକ୍ତ ବାହାରୁଥିଲା । ଆଉ ଜଣକର ନାକ ଦଣ୍ଡା ଫାଟି ଯାଇଥିଲା । ନିଶା ଛାଡି ଯାଇଥିଲା ଯାହାର ନାକ ଦଣ୍ଡା ଫାଟିଥିଲା, ସେଇ ଟୋକା ପୁଲିସ୍ ଦାରୋଗାଙ୍କ ପୁଅ । କଲେଜ ଛାତ୍ର । ପୁଲିସ୍ ଘଟନାସ୍ଥଳରେ ପହଞ୍ଚି ଦୁହିଁକୁ ଗିରିଫ କରିବା ବଦଳରେ ସେ ଦୁହଁଙ୍କ ଥୋମଣି ଓ ନାକଦଣ୍ଡା ଫଟାଇ ଦେଇଥିବା ଅଭିଯୋଗରେ ଭାଇଙ୍କୁ ଗିରଫ କରି ହାଜତରେ ଭର୍ତ୍ତି କରି ଦେଇଥିଲା । ମନେ ନାହିଁ ?

ରାଜଲକ୍ଷ୍ମୀ ଉତ୍ତର ଦେଇଥିଲେ –ସବୁ ମନେଅଛି । ଗୁଣ୍ଡା ଦୁଇଟାଙ୍କୁ କାବୁ କରିବା ପାଇଁ ଦେବ ଦେହର ବଳ କୁଆଡୁ ଆସିଲା ବୋଲି ପଚାରିବା ମାତ୍ରେ ସେ କ’ଣ ଉତ୍ତର ଦେଇଥିଲା, ତୋର ମନେ ନାହିଁ ।

ମନେ ଅଛି । ଭାଇ ଉତ୍ତର ଦେଇଥିଲା -ଅନ୍ୟାୟର ପ୍ରତିରୋଧ ପାଇଁ ଲଢେଇ କଲାବେଳେ ବାପାଙ୍କ ଉପଦେଶ ମୋ ଦେହରେ ଶକ୍ତି ଭରିଦିଏ । ଅନ୍ୟାୟର ପ୍ରତିରୋଧ କରିବା ପାଇଁ ତାଙ୍କର ଆଦେଶ ମନ୍ତ୍ର ଭଳି କାମ କରେ ।

ଉପରେ ପଡି ପରର ଉପକାର କରି ହାଜତରେ ପଶିବା କଥାକୁ ରାଜଲକ୍ଷ୍ମୀ ପସନ୍ଦ କରନ୍ତି ନାହିଁ । ଏଥିପାଇଁ ସେ ସ୍ୱର୍ଗତ ସ୍ୱାମୀଙ୍କୁ ମନେ ମନେ ଦାୟୀ କରନ୍ତି । ଝିଅ ମୁହଁକୁ ଚାହିଁ କହନ୍ତି –ସେଥର ରାଜୁର ସ୍ତ୍ରୀ ଉଜ୍ଜତ ରଖିବା ପାଇଁ ହାଜତରେ ପଶିଥିଲା ବୋଲି ଦେବକୁ ରାଜୁ ଜାମିନରେ ଆଣିଥିଲା । ଏଥର ତ ସାହିର ସମସ୍ତେ ବସ୍ତି ଭଙ୍ଗାର ବିରୋଧ କରିଥିବା ହେତୁ ଦେବ ଉପରେ ଖପ୍ପା । ଅପରିଚ୍ଛନ୍ନ ହରିଜନ ବସ୍ତି ଉଠିଗଲେ ପାଞ୍ଚ ମହଲା ମଲ୍‌ର ଦେକାନରେ କାମ କରିବା ପାଇଁ ସାହି ଟୋକମାନେ ନିଯୁକ୍ତି ପାଇବେ । ଅନ୍ୟମାନେ କିଛି ନ ପାଇଲେ ବି ଖରାଦିନେ ମଲ୍‌ରେ ପଶି ମାଗଣାରେ ଥଣ୍ଡା ହାୱା ଖାଇବେ । ଦେବ ପାଇଁ କୋର୍ଟରେ ଲଢିବ କିଏ ? ତାକୁ ଜାମିନରେ ଆଣିବାପାଇଁ ଯିବ କିଏ ?

ଦିପ୍ତି ମନ୍ତବ୍ୟ କଲା-କେହି ଯିବା ଦରକାର ନାହିଁ । ସ୍କୁଲ୍‌ରେ ଭାଇ ସହିତ ଟେଲିଫୋନ୍‌ରେ କଥା ହୋଇଛି । କାଲି କେବଳ ଆମ ସାହି ପାଖ ହରିଜନ ବସ୍ତି ନୁହେଁ , ଏ ସହରତଳି ଅଞ୍ଚଳର ଆଉ ଏଗାରଟା ବେଆଇନ ବସ୍ତି ଭାଙ୍ଗିବାପାଇଁ ପୁଲିସ୍ ଯୋଜନା କରିଛି । ମଲ୍‌ତିଆରି ହେଲେ ସାହିର ବକାର ଯୁବକ ପାଇବେ କି ନାହିଁ ଜଣା ନାହିଁ । ମଲ୍ ତିଆରି ପାଇଁ ମଞ୍ଜୁରି ଦେଇ ମନ୍ତ୍ରୀଙ୍କ ପକେଟ୍‌ରେ ମାଲ୍ ଭର୍ତ୍ତି । ମନ୍ତ୍ରୀ ଏ ସହରରୁ ଭୋଟ୍‌ରେ ଜିଣି ବିଧାୟକ ହୋଇଛନ୍ତି । ଭାଇ ବସ୍ତି ଉଚ୍ଛେଦ ବିରୋଧ କରୁଥିବା ହେତୁ ତାଙ୍କୁ ତାଙ୍କରି ଇଙ୍ଗିତ ହାଜତରେ ଭର୍ତ୍ତି କରାହୋଇଛି । କାଲି ବସ୍ତି ଭଙ୍ଗା ସରିଲେ ପଅରିଦିନ ଭାଇଙ୍କୁ ସେମାନେ ଛାଡିଦେବ ।

ତା’ପରେ ଢୋକ ଗିଳି ସେ କହିଲା –କିନ୍ତୁ ବିନା ବିଚାରରେ ଭାଇକୁ ପୁଲିସ୍ ଗୋଟିଏ ଦିନ ବି ହାଜତରେ ଅଟକ ରଖିପାରିବେ ନାହିଁ । କାଲି ଦିନ ଦଶଟାବେଳେ ସେମାନେ ଭାଇଙ୍କୁ କୋର୍ଟରେ ହାଜର କରାଇବେ । ଆମେ କାଲି କୋର୍ଟକୁ ଯିବା –ମୁଁ ସ୍କୁଲ୍‌ରୁ ଛୁଟି ନେଇଛି ।

ତା’ ଆରଦିନକୁ ଅପେକ୍ଷା କରି ମାଆ ବିଛଣାକୁ ଗଲେ । ସକାଳୁ ରନ୍ଧା ହୋଇ ରହିଥିବା ଭାତ, ଡାଲି, ତରକାରି ବାସି ହୋଇଗଲା । କେହି ତାକୁ ପାଟିକୁ ନେଲେ ନାହିଁ ।

ଦେବଦାସ କୋର୍ଟରେ ହାଜର ହେବା ଆଗରୁ ସେଠାରେ ପହଞ୍ଚିବା ପାଇଁ ରାଜଲକ୍ଷ୍ମୀ ଆଉ ଦୀପ୍ତି ସାହି ଛକରେ ରିକ୍ସା ଖୋଜି ନିରାଶ ହେଲେ । ବସ୍ତି ଉଚ୍ଛେଦର ବିରୋଧ କରି ବସ୍ତି ବାସିନ୍ଦା ରିକ୍ସାବାଲାମାନେ ଧର୍ମଘଟ କରିଛନ୍ତି ।

ଅଗତ୍ୟା ସେ ଦୁହେଁ ଚାଲି ଚାଲି କଚେରି ବାହାରିଲେ । ଦୁଇ କିଲୋମିଟର ରାସ୍ତା । ଦୂର ବାଟକୁ ଦି’ ଖୋଜ କରିଦେଇ ପୁଅକୁ ଦେଖିବାପାଇଁ ରାଜଲକ୍ଷ୍ମୀ ନିଶାଗ୍ରସ୍ତ ଭଳି ଆଗକୁ ମାଡି ଚାଲିଥିଲେ । ପଛେ ପଛେ ଦୀପ୍ତି । କିନ୍ତୁ ବ୍ରିଜ୍‌ରୁ ଓହ୍ଲାଇ କଚେରିରେ ପହଞ୍ଚିବା ଆଗରୁ ଜନସମୁଦ୍ର ଦେଖି ସେମାନଙ୍କ ପାଦ ଆଉ ଆଗକୁ ପଡିଲା ନାହିଁ ।

କଚେରିରେ ଏତେ ଭିଡ କାହିଁକି ? କ’ଣ କିଛି ଗଣ୍ଡଗୋଳ ଚାଲିଛି । ଚାରିଆଡେ ପୁଲିସ୍ ପହରା । ଦେବଦାସର କୋର୍ଟ ହାଜର ହେବା ବେଳ ହୋଇଯାଉଛି । ତା’ ଉପରେ କିଛି ବିପଦ ?

ରାଜଲକ୍ଷ୍ମୀ ଛାତିରୁ ଅତଡା ଖସି ପଡିଲା ।

ସେ ଶଙ୍କିତ କଣ୍ଠରେ ପଚାରିଲେ ଦୀପ୍ତି ! ଗଣ୍ଡୋଗଳ ଭିତରେ ଆମେ କୋର୍ଟରେ ପହଞ୍ଚିବା କେମିତି ? ଏତେ ଭିଡ

ଠିକ୍ ଏତିକି ବେଳେ ବସ୍‌ଷ୍ଟାଣ୍ଡ ଆଡକୁ ପୁରୁଷ, ଶିଶୁ, ଗାଈଗୋରୁଙ୍କ ଶୋଭାଯାତ୍ରା କଚେରି ଆଡକୁ ଲମ୍ବି ଆସିଲା ସେମାନଙ୍କ ସମ୍ମିଳିତ କଣ୍ଠର ସ୍ଲୋଗାନ୍ ଶୁଣାଗଲା – ଦେବ ନୁହନ୍ତି ସେ ଦେବାତା, ବସ୍ତିବାସୀଙ୍କ ତ୍ରାଣକର୍ତ୍ତା ।

ତା’ପରେ ସମବେତ କଣ୍ଠରେ ଧ୍ୱନିତ ହେଲା –

ଦେବ ଦାସ ବାବୁଙ୍କ ଖଲାସ୍ କର ..

ବସ୍ତି ଭଙ୍ଗା ବନ୍ଦ କର ..

ବସ୍‌ଷ୍ଟାଣ୍ଡ ପାଖ ଗଉଡ ସାହି ଲୋକଙ୍କ କଣ୍ଠରେ ଭାଇର ପ୍ରଶଂଶା ଶୁଣି ଦୀପ୍ତିର ମନ ଆନନ୍ଦନରେ ଉଲୁସି ଉଠିବାବେଳେ ଭୟରେ ରାଜଲକ୍ଷ୍ମୀଙ୍କ ଛାତି ଦବିଗଲା ।

ଏମାନେ କାହିଁକି ଏଭଳି ସ୍ଲୋଗାନ୍ ଦେଉଛନ୍ତି ବୁଝି ନ ପାରି ସେ ଝିଅ ମୁହଁକୁ ଚାହିଁ ରହିଲେ ।

ଦୀପ୍ତି କହିଲା -ଆମ ହରିଜନ ବସ୍ତି ଭଳି ଗୋପାଳ ବସ୍ତିକୁ ମଧ୍ୟ ପୁଲିସ ଭାଙ୍ଗି ଦେଇଛି । ସେଥିପାଇଁ ସେମାନେ ପିଲାଛୁଆ, ଗାଈଗୋରୁଙ୍କୁ ସାଙ୍ଗରେ ଧରି ବସ୍ତି ଉଚ୍ଛେଦର ପ୍ରତିବାଦ କରିବା ପାଇଁ କଚେରୀ ଆଡ଼କୁ ମାଡ଼ି ଚାଲିଛନ୍ତି ।

ଏକା ହରିଜନ କିମ୍ବା ଗୋପାଳ ସାହି ଲୋକ ନୁହନ୍ତି –ଏ ସହରର ଆଉ ନଅଟି ଆଦିବାସି, ଖଟିଖିଆ ଦିନ ମଜୁରିଆ ବସ୍ତି ଲୋକେ ସରକାରଙ୍କ ବସ୍ତିଭଙ୍ଗା ନୀତିର ବିରୋଧ କରି ଶୋଭଯାତ୍ରାରେ ଆସିଛନ୍ତି । ହରିଜନ ବସ୍ତିଭଙ୍ଗାର ବିରୋଧ କରି ଦେବଦାସ ହାଜତରେ ଥିବା ହେତୁ ତାକୁ ସେମାନେ ନିଜର ନେତା ଓ ଦେବତା ବୋଲି ମାନି ତା’ର ମୁକ୍ତି ଦାବି କରିଛନ୍ତି । ଯଦି ତାଙ୍କୁ ଖଲାସ କରା ନ ଯାଏ , ତାହେଲେ ଏଗାରଟି ବସ୍ତିର ଲୋକ ଓ ଗାଈଗୋରୁଙ୍କୁ ଜେଲ୍‌ରେ ଭର୍ତ୍ତି କରିବାପାଇଁ ସେମାନେ ସମବେତ କଣ୍ଠରେ ଦାବି କରୁଛନ୍ତି ।

ନିଜ ଅଜଣାତରେ ଦେବଦାସ ସହରର ସବୁ ବସ୍ତିବାସୀଙ୍କ ତ୍ରାଣକର୍ତ୍ତା, ନେତା ହୋଇଯାଇଛି ।

ଏଇ ଏଗାର ବସ୍ତିର ଦଶହଜାର ଲୋକଙ୍କ ଭୋଟ୍‌ରେ ମନ୍ତ୍ରୀ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି । ସେମାନେ ହଠାତ୍ ତାଙ୍କୁ ଦେବାଦାସକୁ ନିଜର ତ୍ରାଣକର୍ତ୍ତା ବୋଲି ସ୍ଲୋଗାନ୍ ଦେବା ଫଳରେ ତାଙ୍କର ଭୋଟ୍ ବ୍ୟାଙ୍କ ଦେବାଳିଆ ହୋଇଯିବାକୁ ବସିଛି । ବିଧାନସଭା ନିର୍ବାଚନ ଆଉ ମାତ୍ର ତେର ମାସ ବାକିଅଛି । ଯଦି ବିରୋଧୀ ଦଳ ତାଙ୍କ ବିରୋଧରେ ଦେବଦାସକୁ ପ୍ରାର୍ଥୀ କରିଦିଅନ୍ତି ,
ତା’ହେଲେ ?

ନଗର ଉନ୍ନୟନ ମନ୍ତ୍ରୀ କଚେରି ସାମ୍ନାରେ ବସ୍ତିବାସୀଙ୍କ ବିଶାଳ ସମାବେଶ ସମ୍ବାଦ ପାଇ ବିଚଳିତ ହୋଇ ଉଠିଲେ । ଅସମ୍ବାଳ ବିକ୍ଷୁବ୍ଧ ବସ୍ତିବାସୀଙ୍କୁ ବାଟରୁ ହଟାଇ ବିଚାରପତିଙ୍କୁ କୋର୍ଟକୁ ଯିବାପାଇଁ ଦେବା ଲାଗି ପୁଲିସ୍ ପ୍ରଥମେ ଲାଠି ଚାଳନା ଓ ପରେ ଦରକାର ହେଲେ ଲୋକଙ୍କ ଉପରେ ଗୁଳି ଚଳାଇବା ପାଇଁ ପୁଲିସ୍ କମିଶନର ମନ୍ତ୍ରୀଙ୍କ ପରାମର୍ଶ ଲୋଡୁଛନ୍ତି ।

ମନ୍ତ୍ରୀଙ୍କ ପାଟିରୁ କଥା ବାହାରୁ ନାହିଁ । ହାତରୁ ଟେଲିଫୋନ୍ ରିସିଭର୍ ଖସି ପଡୁଛି ।

କଚେରି ଆଗରେ ଜନ ସନସମୁଦ୍ର ଉତ୍ତାଳ ହୋଇ ଉଠିଛି ।

ଦେବବାବୁ ମୁକ୍ତ କର -ନ ହଲେ ଆମକୁ ଗିରଫ କର । ଜେଲ୍ ଭର !

ଶତ ସହସ୍ର କଣ୍ଠରୁ ପୁଅର ଜୟ ଜୟକାର ଶୁଣି ରାଜ ଲକ୍ଷ୍ମୀଙ୍କ ଆଖିକୋଣରେ ଲୁହ ଜକେଇ ଆସୁଛି । ଦୀପ୍ତି ଓଠରେ ହସ !

ଲୋକପ୍ରିୟ ଲେଖା

To Top