ଗଳ୍ପ

ନଦୀର ନାମ ତୃଷ୍ଣା

Manjurani Mishra's Odia Story NADEERA NAAMA TRUSHNAA

ଏ ପୃଥିବୀ ବଡ଼ ବିଚିତ୍ର ମିତ୍ରା । ମଣିଷ ମନର ଦୁଃଖ ଆଉ ସୁଖ ଏକ ଅବୋଧ୍ୟ କବିତାର ଶିରୋନାମା । ଜୀବନଟା ଏକ ତ୍ରିକୋଣମିତି ।

ନଦୀର ନାମ ତୃଷ୍ଣା

ଯାହାର ତନୁ ନାହିଁ ସେ ଅତନୁ । ଯାହା ତନୁରେ କଦମ୍ୱର ବାସ୍ନା- ଏମିତି ଏକ ପ୍ରଶ୍ନର ଉତ୍ତରକୁ ସାମ୍ନା କରିନପାରି ଅନୁରାଗ ସଂଘମିତ୍ରା ମୁହଁକୁ ଚାହିଁ ରହିଲା । ସଂଘମିତ୍ରା ସମୁଦ୍ର ନୀଳ ରଙ୍ଗର ଶାଢ଼ୀ ପିନ୍ଧିଥିଲା ଯାହା ଥିଲା ଅନୁରାଗର ପ୍ରିୟ ପସନ୍ଦ । ସେ ଶାଢ଼ୀଟା ପିନ୍ଧିଦେଲେ ଅନୁରାଗ ପୃଥିବୀ ଭୁଲି ଯାଉଥିଲା । ସଂଘମିତ୍ରା ଦିଶୁଥିଲା ଅନନ୍ୟା, ଅପରୂପା ଆଉ ଅସାମାନ୍ୟ । କିନ୍ତୁ ଆଜି ମିତ୍ରା ସେମିତି କିଛି ଆକର୍ଷଣୀୟ ଲାଗୁନଥିଲା । ସମୁଦ୍ର ଆଉ ସଂଘମିତ୍ରାକୁ ନେଇ ସେ ଲେଖିଥିଲା ସମୁଦ୍ର ଆଉ ନାରୀ ନାମକ ଏକ କବିତା ସଂକଳନ ଯାହା ମିତ୍ରାକୁ ଉତ୍ସର୍ଗ କରିବା ପାଇଁ ସ୍ଥିର କରିଥିଲା । ପ୍ରତିଟି କବିତାରେ ରହିଥିଲା ସମୁଦ୍ର ପ୍ରତି ତା’ର ଆସକ୍ତି ଆଉ ଅବିଭକ୍ତ ମନର ଅନୁଶୀଳନ । ସେ ସବୁ କବିତାମାନଙ୍କରେ ସଂଘମିତ୍ରା ସମୁଦ୍ର ସ୍ନାନ କରିଥିଲା ଅନେକ ବେଳଯାଏ । ସୂର୍ଯେ୍ୟାଦୟରେ, ଗୋଧୂଳି ବେଳାରେ, ଉତ୍ତୀର୍ଣ୍ଣ ସନ୍ଧ୍ୟାର ଆଲୁଳାୟିତ ଜ୍ୟୋତ୍ସ୍ନାରେ ଝାଉଁବଣ ଆଢୁଆଳରେ ତା’ର ପାଟ ପାଲଟା ଦୃଶ୍ୟର କିଛି କିଛି ସଞ୍ଚିତ ଶବ୍ଦ ତା’ର କବିତାକୁ କରିଥିଲା ଭାବମୁଖର । ଶ୍ରୁତି ବୋଧମୟ ଆଉ ରସସିକ୍ତ ।

କିନ୍ତୁ ସେ ସ୍ମୃତି ତ ଗତାୟୁ ବସନ୍ତର ସ୍ୱରଲିପି ।

ତରଙ୍ଗାୟିତ ସମୁଦ୍ରର ନୀଳ ଜଳରେ ଆରକ୍ତ ଗୋଧୂଳିର ରଙ୍ଗ ମିଶି ଏକ ବିଚିତ୍ର ରଙ୍ଗ ସୃଷ୍ଟି ହେଉଛି । ସଂଘମିତ୍ରା ପଚାରୁଛି “ସମୁଦ୍ର ଜଳ ଲୋଭନୀୟ ହେଲେ ସୁଦ୍ଧା ତୃଷ୍ଣା ମେଣ୍ଟିବାର ନୁହେଁ କାହିଁକି ?” ଅନୁରାଗ କିଛି କହିଲା ନାହିଁ । ଏହାର ଉତ୍ତର ଦେବାକୁ ହେଲେ ତା’ କବିତାର ଏକ ସୁଦୀର୍ଘ ପଂକ୍ତି ତାକୁ ଆବୃତ୍ତି କରିବାକୁ ପଡ଼ିବ । ଆଜିକାଲି ଆଉ ସେ କବିତା ଲେଖେ ନାହିଁ । ଯେଉଁଦିନ ସଂଘମିତ୍ରାର ବିବାହ ନିମନ୍ତ୍ରଣ ପାଇଲା ସେଦିନ ତା’ ଜୀବନଶୂନ୍ୟ ହୋଇଯାଇଥିଲା । କବିତାର ଅକ୍ଷର ଗୁଡ଼ିକ ଦେଖାଯାଉଥିଲା ଭାରି ଝାପ୍ସା, କୁହେଳିକାମୟ । ଏମିତି ଏକ ଗୋଧୂଳି ଲଗ୍ନରେ ସଂଘମିତ୍ରା ତା’ର ସ୍ୱାମୀ ଫେରନ୍ତା ବାଟକୁ ଚାହିଁ ରହିବା କଥା । ଏଇ ସମୁଦ୍ର ବେଳାରେ ଏମିତି ପ୍ରଶ୍ନ ପଚାରିବା କଥା ନୁହେଁ ।

ତଥାପି ସେ ଉପେକ୍ଷା କରିପାରିଲା ନାହିଁ । ଏକଦା ସେ ଥିଲା ତା’ର ଅନ୍ତରଙ୍ଗ ପ୍ରେମିକା, ତାକୁ ନେଇ କେତେ ଯେ କୁସୁମିତ ସନ୍ଧ୍ୟା କଟିଛି, କେତେ ଯେ ମୌନାବତୀ ରାତି ସ୍ପନ୍ଦିତ ହୋଇ ଉଠିଛି ସେ ସବୁକୁ କ’ଣ ଏଇ ସମୁଦ୍ର ତଟରେ ହିସାବ କରିହୁଏ ?

ଯଦି ସଂଘମିତ୍ରାର ଜୀବନ ପରିଧିକୁ ଗୋଟିଏ ଉଲ୍କା ପରି ପ୍ରବେଶ କରିନଥାନ୍ତା ଦେବଜିତ୍, ଅନୁରାଗର ମୁହଁର ରେଖା କଠିନ ହୋଇ ଉଠିଲା । ହଁ ଦେବଜିତ୍ ମିତ୍ରାକୁ ବୀଣା ଶିଖାଉଥିଲା ଆଉ ସଂଘମିତ୍ରା ସବୁଦିନ ପାଇଁ ଦେବଜିତ୍‌ର ଗୀତ ହୋଇଯାଇଥିଲା । ଅନୁରାଗର କବିତା କେମିତି କରୁଣ ହୋଇ ପଡ଼ିଥିଲା କପୋତୀର ଆଖି ପରି । ବହୁ ଅପେକ୍ଷିତ କବିତାର ଶବ୍ଦ ଗୁଡ଼ିକ ଖାଲି ପ୍ରତିଧ୍ୱନୀ ତୋଳୁଥିଲା ତା’ ମନରେ । ସେ ଅପେକ୍ଷା କରିଥିଲା, ହୁଏତ କବିତାଟିଏ କେବେ ମାଗିବ ମିତ୍ରା ।

କିନ୍ତୁ ସତରେ ସେ ଦିନ ଆଉ ଆସିଲା ନାହିଁ ।

ଦୂର ଝାଉଁବଣ ବନାନୀକୁ ଚାହିଁ କ’ଣ ଭାବୁଛି ସଂଘମିତ୍ରା । ସେ କ’ଣ ଅତୀତର ରୋମନ୍ଥନ କରୁଛି । ସେ ଅନୁଭବ କଲା, ବିବାହ କଲା ପରେ ସଂଘମିତ୍ରାର ନିଜସ୍ୱ ସ୍ୱାଧୀନତା ଆସିଯାଇଛି । ତା’ ନ ହେଲେ କୁମାରୀ ବୟସରେ ରାତ୍ରୀର ପଦଧ୍ୱନୀ ପାଇ ସେ କେମିତି ଅସ୍ଥିର ଉଦ୍‌ବେଳିତ ହୋଇଉଠେ ।

ଅନୁରାଗ କହିଲା “ଉଠିବା ଏଥର ।”

ସଂଘମିତ୍ରା ଆକ୍ଷେପ କଲା, “କାହିଁକି ଆଜିର ଏ ସୁନ୍ଦର ଜହ୍ନରାତିଟା ମୋ ସହିତ କଟାଇବାରେ ତୁମର କ’ଣ ଆପତ୍ତି ଅଛି ?” ଅନୁରାଗ ହସି ପକାଇଲା । ଏମିତି ଗୋଟିଏ ରାତି ନୁହେଁ ଅନେକ ରାତି ମିତ୍ରା ସହିତ କଟାଇବା ପାଇଁ ପ୍ରଚୁର ସ୍ୱପ୍ନ ଦେଖିଥିଲା ଅନୁରାଗ । ଅନେକ କବିତା ଲେଖିଥିଲା ରାତି ରାତି ଅନିଦ୍ରା ହୋଇ ।

ଅନୁରାଗ ଥଟ୍ଟା କଲା । ଦେବଜିତ୍ ନାହିଁ ବୋଧହୁଏ । ସେ ଆସିଲେ ଆମେ ଯିବା ସେଇ ରୂପାର ପାହାଡ଼ ଉପରକୁ । ଯେଉଁଠୁ ଜହ୍ନଟା ଦେଖାଯାଏ ଭାରି ରୋମାଣ୍ଟିକ୍ । ମ୍ଲାନ ହସି ସଂଘମିତ୍ରା କହିଲା “ତୁମେ ବୋଧହୁଏ ମୋର ସବୁକଥା ଶୁଣି ନାହିଁ”, ଭଲ କରି ଚାହିଁଲା ଅନୁରାଗ । ଆସନ୍ନ ସନ୍ଧ୍ୟାର ଆଲୁଅରେ ସେ କୁମାରୀ କି ସିମନ୍ତିନୀ ଠିକ୍ ଜାଣି ହେଉନାହିଁ । କ’ଣ କିଛି ଦୁର୍ଘଟଣା ଘଟିଲା ତା’ ଜୀବନରେ ? ଦେବଜିତ କ’ଣ ନିଖୋଜ ହୋଇଗଲା ତା’ ଚଲାପଥରୁ ?

ମିତ୍ରା ସହିତ ତା’ର ସମ୍ପର୍କ ଆଜି ଅନେକ ମାଇଲର ଦୂରତ୍ୱ । ସେ ଆଜିକାଲି କୌଣସି ଝିଅ ସହିତ ଘନିଷ୍ଠ ସମ୍ପର୍କ ରଖିବାକୁ ଇଚ୍ଛା କରେନି । ସବୁ ଝିଅ ମନେ ହୁଅନ୍ତି ମିତ୍ରା ଭଳି ।

ଜଣେ ଅବାଧ୍ୟ ଛାତ୍ରୀକୁ ବୁଝାଇଲା ଭଳି ଅନୁରାଗ କହିଲା “କ’ଣ ହୋଇଛି କହ, ମୁଁ ନିଶ୍ଚୟ ସାହାଯ୍ୟ କରିବି ।”

ଆଖି ଡୋଳାକୁ ବିଚିତ୍ର ମୁଦ୍ରାରେ ନଚାଇ ସଂଘମିତ୍ରା କହିଲା “ସାହାଯ୍ୟ ପାଇବା ପାଇଁ ମୁଁ ଏ ନିରୋଳା ସମୁଦ୍ର ତଟକୁ ତୁମକୁ ଡାକିଛି । ତୁମେ ଅଳକାର ଟ୍ରାନ୍ସଫର୍ ଲାଗି ଚେଷ୍ଟା କରିପାରିବ ।”

ଅନୁରାଗ ବିସ୍ମୟରେ ବିମୂଢ଼ ହୋଇଗଲା । ହଠାତ୍ ଅଳକା ପ୍ରସଙ୍ଗ ଏଠି କାହିଁକି ? ଅଳକା ସହିତ ଏକା କଲେଜରେ ସେ କାମ କରେ । ଏକା ବିଭାଗରେ ଅଧ୍ୟାପକ, ଅଧ୍ୟାପିକା ସେମାନେ । ଅଳକା ସହିତ ଏମିତି ଫର୍ମାଲିଟି କଥାବାର୍ତ୍ତା ଅଛି । ଅନ୍ତରଙ୍ଗତା ନାହିଁ ।

ମଉଳା ହସି ସଂଘମିତ୍ରା କହିଲା “ତୁମେ କିଛି ଜାଣିନ ତା’ହେଲେ । ସେ ଝିଅଟା ମୋ ସଂସାର ଜାଳି ଦେବାକୁ ବସିଛି । ଦେବଜିତ୍ ତାକୁ ନେଇ ପାଗଳ । ଉପର ମହଲରେ ତୁମର ଭଲ ସମ୍ପର୍କ ଅଛି । ତୁମେ ଯାହା କିଛି କର । ଝିଅଟା ବିବାହ କରୁନାହିଁ କାହିଁକି ଯେ ?”

ଅନୁରାଗ ହସିଲା ମନେ ମନେ । ବିବାହ କଲେ ସବୁ ନାରୀ ସତୀ ସ୍ୱାଧୀନ ପାଲଟି ଯାଆନ୍ତି ନାହିଁ କି ସେମାନଙ୍କ ସ୍ୱାମୀମାନେ ଦେବତା ପାଲଟି ଯାଆନ୍ତି ନାହିଁ । ତା’ର ପ୍ରଥମ ପ୍ରେମିକାର ସ୍ୱାମୀ ଯଦି ତାକୁ ପ୍ରତାରିତ କଲା ସେଥିରେ ସେ ତ ଖୁସି ହେବା କଥା, ଉଲ୍ଲସିତ ହେବା କଥା । କିନ୍ତୁ ନାଁ, ସେପରି କିଛି ଈର୍ଷାକାତର ମନୋଭାବ ତା’ ମନରେ ସ୍ଥାନ ପାଉନାହିଁ । ବରଂ ମିତ୍ରା ଆଜି ମନେ ହେଉଛି କେହି ଜଣେ ଭାରି ନିଜର, ଭାରି ଆପଣାର ।

ମିତ୍ରା ଆଖିରେ ଲୁହର ସ୍ପଟିକ ଚିକ୍ ଚିକ୍ କରୁଥିଲା ।

ମିତ୍ରା ପାଇଁ ସେ କ’ଣ କରିପାରିବ ? ତା’ର ବ୍ୟକ୍ତିଗତ ବ୍ୟାପାରରେ ମୁଣ୍ଡ ପୁରାଇ ସେ କ’ଣ ଦେବଜିତକୁ ଅନୁରୋଧ କରିବ ? କିନ୍ତୁ ଏହା ସୌଜନ୍ୟତା ନୁହେଁ । ତା’ର ମନେ ହେଲା ବିବାହ କରି ମଧ୍ୟ ମିତ୍ରା ସବୁଦିନ କୁମାରୀ ହୋଇ ରହିଗଲା । ଗୋଟିଏ ପୁରୁଷକୁ ପ୍ରଲୁବ୍ଧ କରିବା ପାଇଁ ଯଦିଓ ତା’ର ପ୍ରଚୁର ରୂପ ଯୌବନ ଅଛି, ପୁରୁଷ ମନକୁ ନିଜ ପଣତରେ ବାନ୍ଧି ରଖିବା ପାଇଁ ତା’ର କଳାତ୍ମକ ମୌଳିକ ଗୁଣ ନାହିଁ ।

ମିତ୍ରା ଯଦି ଆଜି ତା’ର ହୋଇଥାନ୍ତା ଏକାନ୍ତ ଭାବେ ତା’ ନିଜର । ସଂଘମିତ୍ରା ପଚାରୁଛି “ବିବାହିତ ପୁରୁଷର ଏ କ୍ଷୁଧା ଦୈହିକ ନା ମାନସିକ ?” ଅନୁରାଗ ଜାଣେନି, ସେ ବିବାହ କରିନି ।

ହଠାତ୍ ସଂଘମିତ୍ରାକୁ କିଛି ଗୋଟାଏ ସନ୍ତୋଷଜନକ ଉତ୍ତର ଦେବାକୁ ଉଚିତ୍ ମନେକଲାନି । ପବନର ବେସୁରା ରାଗିଣୀ ଭାସି ଆସୁଥିଲା ଦୂର ଝାଉଁବଣରୁ । ସେମାନେ ସମ୍ୱିତ୍ ଫେରି ପାଇଲେ । ଆକାଶଟା ମେଘରେ ଘୋଡ଼େଇ ହୋଇ ପଡ଼ିଛି । ଗୁଡ଼ାଏ ବାଟ ପାଦରେ ଚାଲି ଚାଲି ଆସିବା ବୋଧହୁଏ ଉଚିତ୍ ହେଲାନାହିଁ । ହଠାତ୍ ସହରକୁ ଯିବା ସମ୍ଭବ ନୁହେଁ ।

ସେମାନେ ବର୍ଷାରେ ଭିଜି ଭିଜି ଉଠିଲେ ନିଛାଟିଆ ଡାକ ବଙ୍ଗଳାରେ । ନାଟକର ଆଉ ଗୋଟିଏ ଦୃଶ୍ୟ ଅଭିନିତ ହେବ । ଅନୁରାଗ ମନେ ମନେ ବିରକ୍ତ ହେଲା । ମିତ୍ରା କଥାରେ ଏତେ ସାହାଯ୍ୟ ସହଯୋଗ କରିବା ଭଲ ନୁହେଁ । ନିଜର ସମସ୍ୟା ନିଜର ।

ସେହି ଡାକ ବଙ୍ଗଳାରେ ବି ନିଜକୁ ନିରାପଦ ମନେକଲା ନାହିଁ ଅନୁରାଗ । ସିକୁ୍ୟରିଟି ଖବର ଦେଲା, ଡାକ ବଙ୍ଗଳାରେ ଗୋଟିଏ ରୁମ୍ ବୁକ୍ ହୋଇସାରିଛି । ଆଉ ମାତ୍ର ଗୋଟିଏ ରୁମ୍ । ବର୍ଷାର ଛିଟା ଜୋର୍‌ରେ ପଶି ଆସୁଛି । ଅଗତ୍ୟା ଝରକା କବାଟ ବନ୍ଦ କରିବାକୁ ପଡ଼ିଲା । ବର୍ଷା କେମିତି ଆଜି ଉତ୍ସୃଙ୍ଖଳ ମନେ ହେଉଛି, ଅଥଚ ସବୁବେଳେ ବର୍ଷାର ଶବ୍ଦ ତାକୁ ମନେହୁଏ ଆଦ୍ରବସନା ପଲ୍ଲୀବଧୂର ଚୁଡ଼ିର ଶବ୍ଦ ଭଳି ।

ଅନୁରାଗ ଭାବୁଥିଲା ସ୍ତ୍ରୀର ବିଶ୍ୱାସଯୋଗ୍ୟ ପୁରୁଷ କିଏ ? ସ୍ୱାମୀ ନା ପ୍ରେମିକ ?

ବିକଟ ଶବ୍ଦ କରି ଗଛ ସବୁ ଭାଙ୍ଗି ପଡୁଥିଲା । ବିଜୁଳି ଚମକୁ ଥିଲା । ଘଡ଼ଘଡ଼ିର ଶବ୍ଦ ଛାତି ଥରାଇ ଦେଉଥିଲା । ପ୍ରକୃତି ଯେମିତି ହୋଇ ଉଠିଥିଲା କାଳସର୍ପିଣୀ ଦାନବୀ !

ଦୈତ ଭୂମିକାରେ ଅଭିନୟ କରିବାକୁ ମୋଟେ ଇଚ୍ଛା ନ ଥିଲା ଅନୁରାଗର । ତଥାପି ସେ ସାନ୍ତ୍ୱନା ଦେଉଥିଲା ସଂଘମିତ୍ରାକୁ । ଏ ପୃଥିବୀ ବଡ଼ ବିଚିତ୍ର ମିତ୍ରା । ମଣିଷ ମନର ଦୁଃଖ ଆଉ ସୁଖ ଏକ ଅବୋଧ୍ୟ କବିତାର ଶିରୋନାମା । ଜୀବନଟା ଏକ ତ୍ରିକୋଣମିତି । ସବୁକଥା ସମାଧାନ ହୋଇଯାଏ । ତୁମେ ଦେବଜିତ୍ ସହିତ ଆଡ଼ଜଷ୍ଟ୍ କରିବାକୁ ଶିଖ ମିତ୍ରା ତଥାପି କାନ୍ଦୁଥିଲା ।

ଅନେକ ସମୟ ପରେ ବର୍ଷା ଛାଡ଼ିଥିଲା । ମେଘମାନେ ଅପସରି ଯାଇଥିଲେ । ଆସନ୍ନ ସନ୍ଧ୍ୟାର ବର୍ଷା ବିଜଡ଼ିତ ଆଲୁଅରେ ମିତ୍ରା ସତେଜ ଦେଖାଯାଉଥିଲା । ଦୁଇଦିନର ଅନୁପସ୍ଥିତ ସ୍ୱାମୀଟି ଘରେ ପହଞ୍ଚି ତାକୁ ଖୋଜୁଥିବ ଭାବି ସେ ବ୍ୟସ୍ତ ବିବ୍ରତ ହୋଇ ପଡୁଥିଲା । ଆଉ ଅନୁରାଗ ସଂଘମିତ୍ରାର ମୁହଁର ମାନଚିତ୍ରଟା କେଉଁ ଗୋଲାର୍ଦ୍ଧରେ ଅବସ୍ଥିତ ଚିନ୍ତା କରୁଥିଲା ।

ନାରୀର ଭୂମିକା ତା’ହେଲେ. . .

କବାଟ ଖୋଲି ଧକ୍କା ଖାଇଲା ପରି ସେମାନେ ଅଟକି ଯାଇଥିଲେ । ସେପଟ ବାରଣ୍ଡାରେ ସେମାନେ କିଏ ? ଅଳକା ମୁହଁ ତଳକୁ କରିଥିଲା ଆଉ ଦେବଜିତ୍‌ର ଚା’ କପ୍ ଚହଲି ଉଠିଥିଲା ।

ଆଉ ସଂଘମିତ୍ରା ????

ସେ ଯେମିତି ପ୍ରାଗ୍ ଐତିହାସିକ ଯୁଗର ପ୍ରଶ୍ନବାଚୀଟିଏ !

ଲୋକପ୍ରିୟ ଲେଖା

To Top