ଗଳ୍ପ

ନୟନ ମହାନ୍ତିର ଗାଁ

Hemanta Kumar Rout's odia story Nayan Mohanty Ra Gaan

ସମସ୍ତେ ଯେଝା ଯେଝା ପଥରେ ଚାଲିଗଲେ । ଯେଉଁ ଶୂନ୍ୟ ଜୀବନ ସେଇ ଶୂନ୍ୟ ।

ନୟନ ମହାନ୍ତିର ଗାଁ

ବଇଶାଖ ଅପରାହ୍ଣର ଏକ ଉଦାସ ମୁହୂର୍ତ୍ତରେ ନୟନ ମହାନ୍ତି ବିଷ୍ଣୁପୁରର ସେଇ ଜରାଜୀର୍ଣ୍ଣ ବରଗଛ ମୂଳେ ପହଞ୍ଚି ଯାଇଥିଲା । ବହୁ କଷ୍ଟରେ ବସ୍‌ଷ୍ଟାଣ୍ଡଠାରୁ ଦଶ କିଲୋମିଟର ପର୍ଯ୍ୟନ୍ତ ଚାଲିଚାଲି ଆସିଲାଣି ନିଜ ଗାଁକୁ । ଅଶୀ ବର୍ଷର ବୁଢ଼ା ଏତେ ବାଟ ଚାଲି ଆସିବା କ’ଣ କମ୍ କଷ୍ଟ, ଅନ୍ତତଃ ଏ ବୟସରେ । କେମିତି ଚାଲି ଆସିଲା ଯେ ନିଜେ ବି ବୁଝି ପାରିଲାନି । ବହୁ ବର୍ଷର ସ୍ମୃତିର ଗନ୍ତାଘର ଏଇ ବାଟଟିଏ । ଯେଉଁଠି ପିଲାଦିନ କଟିଥିଲା ତା’ର ଧୂଳିମାଟିରେ ।

ଜୀବନରେ ଦୀର୍ଘ ପଥ ଅତିକ୍ରମ କରିସାରିବା ପରେ ଭାସି ଉଠିଲା ପ୍ରାଣମୟୀ ମା’ ଓ ପ୍ରାଣପ୍ରିୟ ପିତାଙ୍କ କଥା । ଅନେକ ଦିନ ହେଲାଣି ସେମାନେ ଏ ଦୁନିଆଁରୁ ଫେରିଲେଣି । ବେଳେବେଳେ ବାପା ବୋଉ କଥା ମନେ ପଡ଼ିଲେ ତା’ ଛାତି ଭିତରେ କ’ଣ କେମିତି ହେଇଯାଏ । ଏବେ ବି ସେମାନଙ୍କ ମୁହଁ ତାକୁ ସଫା ଦିଶୁଛି ।

ଗାଁ ରାସ୍ତା ପାଖରେ ସେଇ ବରଗଛ ଅଛି । ହେଲେ ରାସ୍ତାକଡ଼ରେ ପାଖ ଜମିବାଲାମାନେ ରାସ୍ତା ହାଣି ଦେଇ ତାଙ୍କ ଜମିରେ ମିଶେଇ ରାସ୍ତାକୁ ଅଣ ଓସାରିଆ କରି ଦେଇଛନ୍ତି । ପାଖାପାଖି ପୋଖରୀଟିଏ । ଚାରିପାଖରେ ଗଛବୃଚ୍ଛ । ସିଏ ସେତେବେଳକୁ କେଡୁଟିଏ ହେଲାଣି । ମା’ ଗାଧୋଇ ଆସେ ଏଇ ପୋଖରୀକୁ । ତାକୁ ବରଗଛ ମୂଳେ ବସେଇ ଦିଏ । ବରଗଛର ପାଚିଲା ଫଳ ଓ ପାଚିଲା ପତ୍ର କିଛି କୁଢେ଼ଇ ଦିଏ ତା’ ଆଗରେ । ନ ହେଲେ ତ ବରପତ୍ରରେ ଘୋଡ଼ା କରି ତା’ ହାତକୁ ବଢେ଼ଇ ଦିଏ । ତା’ପରେ ଗଛ ଉପରୁ ତଳକୁ ଆସି ଗୁଣ୍ଡୁଚିମୂଷାଙ୍କୁ ଗୋଡ଼ାଏ । ଲାଞ୍ଜ ଛାଟି ଟିକିଟିକି ଗୋଡ଼ରେ ସେମାନେ ଦଉଡୁଥାନ୍ତି । ଟିକି ଗୋଡ଼ରେ କି ଆକର୍ଷଣୀୟ ଚାଲି ସେମାନଙ୍କର । ବୋଉ ପାଖରେ ଗୋଟିଏ କୁନି ଗୁଣ୍ଡୁଚିମୂଷା ପାଇଁ ଅଳିକରେ । ସେ ଗୋଟେ ପଞ୍ଜୁରୀ କରି ରଖିବ ପୋଷା ମନେଇବ ଚୁଇଁ ମୂଷାକୁ । ଏକଥା ତା’ର ଏବେ ବି ମନେଅଛି ।

ପୋଖରୀ ସେପାଖରେ ସବୁ ଜମି ଟାଙ୍ଗରା ଥିଲା । ବଇଶାଖର ଡହଳ ଖରାବେଳେ ବାପା ହଳ ଫିଟେଇ ସେଇଠି ବସୁଥିଲେ । ଦେହରୁ ଟିକେ ଝାଳ କମି ଥଣ୍ଡା ଲାଗିଲେ ପୁଣି ଘରମୁହାଁ ହେଉଥିଲେ । ହଳ ଟାଣିଟାଣି ତାଙ୍କର କଳା କସରା ବଳଦ ଦୁଇଟି ଧକେଇ ହଉଥିଲେ । ବାପାଙ୍କ ପାଇଁ ଜଳଖିଆ ଆସିଲେ ବରଗଛ ମୂଳେ ଖାଇ ଦେଇ ନୋଟାଏ ପାଣି ଢକଢ଼କ ପିଇ ଯାଉଥିଲେ । ତା’ପରେ ନାଲି ଗାମୁଛା ଖଣ୍ଡେ ପାରିଦେଇ ଶୋଇ ଯାଉଥିଲେ କିଛି ସମୟ ପାଇଁ ।

ଅଶୀବର୍ଷରୁ ଆହୁରି ବେଶି ନୟନ ମହାନ୍ତି ଗାଁକୁ ଫେରିଲା ଯେ ତା’ ଆଖିର ଜ୍ୟୋତି ପାଦର ଶକ୍ତି ଦେହର ଫୁର୍ତ୍ତି ହରେଇ ଦେଇଥିଲା । ସମଗ୍ର ଦେହ ଉପରେ ଗୋଟେ ଧଳା ଚାଦର କିଏ ଢାଙ୍କି ଦେଇଥିଲା । ଆଖି ପରଳ ସବୁ ଆଚ୍ଛାଦିନ କରୁଥିଲା ଗୋଟିଏ ଜରାଜୀର୍ଣ୍ଣ ଛୋଟିଆ ପାହାଡ଼କୁ ।

କଲେଜ ପାଠ ଶେଷ କରି ସେ ସହରରେ ଚାକିରୀ ପାଇଲା । ସହରାଣୀ ବାହା ହୋଇ ସେଇଠି ଜାଗା କିଣିଲା । ସହରେ ସହରେ ଜୀବନର ମହାର୍ଘ ସମୟ କଟିଗଲା । ବାପା ମାଆଙ୍କର ଅନ୍ତେ ନିଜ ଜାଗାବାଡ଼ି ବିକି ଦେଇ ସବୁଦିନ ପାଇଁ ସହରବାସୀ ହୋଇଗଲା ।

ଦୀର୍ଘ ଦିନ ପରେ ସେ ଯେତେବେଳେ ଗାଁକୁ ଫେରିଲା ତାକୁ ସେ ଗାଁରେ କେହି ଚିହ୍ନି ପାରିଲେ ନାହିଁ । ତା’ ବଅସର ବୁଢ଼ା କେହି ନଥିଲେ । ତା’ ଡିହବାଡ଼ି ପୋଖରୀ ରାସ୍ତାପାଖ ଜମିକୁ ଯେଉଁମାନେ କିଣିଥିଲେ ତାହା ସବୁ ତାଙ୍କ ନାଁରେ ଚାଲିଥିଲା । ତା’ ନାଁ କବଲା ଖାତା ଖତିଆନ ଭିତରୁ ଆସ୍ତେ ଆସ୍ତେ ଲିଭି ଆସୁଥିଲା । ସେ ତ ଗାଁକୁ ମନେ ରଖିପାରିଲାନି ଗାଁ ତାକୁ କାହିଁକି ମନେ ରଖିବ । ନୟନ ମହାନ୍ତି ସ୍ମୃତିରୁ ଧରିବାକୁ ଗାଁରେ କିଛି ନଥିଲା । ନୂଆ ଜନ୍ମ ହୋଇଥିବା ପିଲାଗୁଡ଼ା ତାକୁ କାହିଁକି ବା ମନେ ରଖିବେ !

ନୟନ ମହାନ୍ତି ପାଠ ପଢ଼ିବାକୁ ଯେଉଁଦିନ ସହରକୁ ଗଲା ସହରରେ ଭଲ ପାଠ ପଢ଼ିଲା । ସେତେବେଳେ ତାଙ୍କ ଗାଁରେ କେହି ପାଠୁଆ ନଥିଲେ । ଗାଁ ଲୋକେ ସମସ୍ତେ ତାକୁ ଭଲ ପାଉଥିଲେ । ତା’ ବିଷୟରେ ବହୁ ଚର୍ଚ୍ଚା କରୁଥିଲେ । ହେଲେ ସେଇ ଅପାଠୁଆ ମଣିଷର ହିସାବ ସେଇ ନୟନ ମହାନ୍ତି ଦିନେ ବି ରଖିନଥିଲା ।

ଚାକିରୀ ଜୀବନର ଫାଇଲ୍ ପ୍ରମୋଶନ ବଦଳି ଭିତରେ କଟିଗଲା ତା’ ତମାମ ଜୀବନ । ତା’ପରେ ଅବସର । ମଝିରେ ସ୍ତ୍ରୀ ଗଲା । ତିନୋଟି ପିଲା କେହି ତା’ କଥା ବୁଝିଲେ ନାହିଁ । ସମସ୍ତେ ଯେଝା ଯେଝା ପଥରେ ଚାଲିଗଲେ । ଯେଉଁ ଶୂନ୍ୟ ଜୀବନ ସେଇ ଶୂନ୍ୟ । ଜୀବନ ପଥରେ ଅନେକ ଫୁଲ ଫୁଟିଥିଲା । ସୁନ୍ଦର ଫୁଲସବୁ । ହେଲେ ସେ ଫୁଲ ସବୁ ସକାଳର ଫୁଲ ପରି । ସେମାନଙ୍କ କଅଁଳ ପାଖୁଡ଼ା ସଞ୍ଜରେ ଛିଡ଼ି ଯାଇଥିଲା ।

ସେ ଭାବିଥିଲା ଜୀବନ ପରିପୂର୍ଣ୍ଣ ସୁଖର ଗନ୍ତାଘର । ଚାକିରୀ, ପ୍ରଚୁର ପଇସା, ସୁନ୍ଦର ନାରୀ ସେମାନେ ତାକୁ ଅସ୍ତବ୍ୟସ୍ତ କରିପକାଇଲେ । ବେଳ ଆସିଲା ସେଗୁଡ଼ା ସବୁ ଚାଲିଗଲା । କଳାମେଘ ପରି ଦେହର ଶୂନ୍ୟରେ ଢାଙ୍କି ଆସିଥିବା ଯୌବନ ତ କେତେବେଳେ ଆସ୍ତେ ଖସିଯାଏ ତାହା ମଧ୍ୟ କେହି ଜାଣେନା । ଜୀବନରେ କାହାକୁ ରଖିପାରିଲାନି । କେହି ସ୍ଥିର ହୋଇ ରହିଲେନି । ନିଜ ଉପରେ ନିଜର ତ ଆୟତ୍ତ ନାହିଁ । ଆୟତ୍ତ ପୁଣି କରିବ କାହାକୁ । ଭାଗ୍ୟ କେତେବେଳେ କୁଆଡେ଼ ନଈସୁଅ ଭଳି ବହିଯିବ ତାହା କିଏ କହିପାରିବ ?

ସେ ସନାଦା, ରଘୁ ଭାଇ, ମୋଟୁ ସାଆନ୍ତ, ଖଣି ମଉସା, ସୁକୁଟି ନାନୀ ଓ କଣ୍ଢେଇ ଅପା କଥା ପଚାରିଲା । କେହି ତା’ କଥାର ଉତ୍ତର ଟିକେ ଦେଇପାରିଲେନି । ଗୋଟିଏ ପିଲା ଗୋଟିଏ ବାଇଚଢେ଼ଇ ଛୁଆ ଆଣିଥିଲା । ସେଇଟିକୁ ଦେଖି ନୟନ ମହାନ୍ତି ଆନନ୍ଦରେ ନାଚି ଉଠିଲା । ପିଲାଟି ତାକୁ ବାଇଚଢେ଼ଇ ଛୁଆ ଦେଇଥିଲା ।

ଅନେକ ଦିନ ହେଲାଣି ସେ ବାଇଚଢେ଼ଇ ଛୁଆ ଦେଖିବାକୁ ପାଇନି । ତା’ର ଟିକିଟିକି ଉଜ୍ଜ୍ୱଳ ଆଖି । ନାଲି ଟୁକୁଟୁକୁ ପାଦ, କୁନି କୁନି ଡେଣା । ତୁଳା ପରି ଲୋମ ତାକୁ ଭାରି ଭଲ ଲାଗିଲା ।

ସେ ତାକୁ ଗାଲ ପାଖକୁ ଆଣି କେତେ ଗେଲ କଲା ।

ପିଲାଦିନେ ବୋଉ ହେଁସ ପାରି ସିଝା ଧାନ ଶୁଖେଇବା ବେଳେ ସେ କାଉ ବଣି ଚଢେ଼ଇଙ୍କୁ ଜଗେ । କେତେ ବାଇ ଚଢେ଼ଇ ଡେଇଁ ଡେଇଁ ଧାନ ଖାଆନ୍ତି ଖୁଣ୍ଟିଖୁଣ୍ଟି । ସେ ତାଳିଟିଏ ମାରିଲେ ସବୁ ଉଡ଼ିଯାଇ ପାଖ ଚାଳ ଉପରେ ବସନ୍ତି । ସେ ବୋଉକୁ ଗୋଟେ ବାଇଚଢେ଼ଇ ମାଗେ । ସେଇଦିନ ବାଇଚଢେ଼ଇ ଗୋଡ଼କୁ କଦଳୀ ପଟୁଆରେ ବାନ୍ଧି ସେଇ ଥୁଣ୍ଟା ଗଛ ମୂଳେ ଖେଳେଇଲା ।

କ୍ରମେ କ୍ରମେ ଗାଁରୁ ବହୁ ଲୋକ ଘେରିଗଲେ । ନୟନ ମହାନ୍ତି ତାଙ୍କୁ କୃଷ୍ଣଚୂଡ଼ା କଥା ପଚାରିଲା । ମହାନ୍ତି ବୁଢ଼ା ପୋଖରୀ କୂଳରେ ସାତଟି କୃଷ୍ଣଚୂଡ଼ା ଗଛ ଥିଲା । ଧାଡ଼ି ଧାଡ଼ି ସପ୍ତଶାଳା ପରି । ଚଇତ୍ରରେ ସେଥିରେ କୃଷ୍ଣଚୂଡ଼ା ଫୁଲ ନଦି ହୋଇଥାଏ । ଜ୍ୟେଷ୍ଠ ଆଷାଢ଼ ଯାଏ ସେଥିରେ ଫୁଲ ସେମିତି ରହିଥାଏ । ଦୂରରୁ ଯେମିତି ରକ୍ତମୟ ଦେଖାଯାଏ । ସେଇଠି ଦେଖେ ତାଙ୍କ ଗାଁ ରୂପେଇକୁ । କେବେ କଳସୀଟିଏ କାଖେଇ ସେ ତୁଠରୁ ପାଣି ନିଏ । କେବେ ଶାଢ଼ି ଥୋଇ ଗାଧୋଉଥାଏ ସାଙ୍ଗମାନଙ୍କ ସହ । କଲେଜ୍‌ରୁ ଗାଁକୁ ଫେରିଲେ ରୂପାନାନୀ ପାଖରେ ବସି ଗପ କଲେ । ରୂପାନାନୀ ତାକୁ ଭାରି ଗେହ୍ଲା କରେ । ରୂପାନାନୀ ତା’ ଠାରୁ ବର୍ଷେ ବଡ଼ । ଗାଁ ହିସାବରେ ପିଉସୀ ଝିଅ ଭଉଣୀ । ରୂପାନାନୀ ରୂପେଲି ନଈଟିଏ ହୋଇ ବହିଯାଇଥାଏ ତା’ ଶିରା ପ୍ରଶିରାରେ । ରୂପାଜହ୍ନ ହୋଇ ସଫେଦ୍ ଜହ୍ନ ସବୁ ଝରୁଥିଲା ତା’ ହୃଦୟ କାଶତଣ୍ଡି ବଣରେ । ସେ ନିର୍ଲିପ୍ତ ହୋଇଯାଇଥିଲା ଅନ୍ତତଃ ବହୁବର୍ଷ ପାଇଁ । ରୂପା ପାଉଁଜି ପିନ୍ଧି ରୂପର ମହକରେ ମହକିତ କରୁଥିଲା ତା’ କଅଁଳ ବନ ଉପବନକୁ ।

ଯେଉଁଦିନ ଶୁଣିଲା ରୂପାନାନୀ ବାହା ହୋଇ ଯାଇଛି ସେଦିନ ସେ ଗଛମୂଳେ ବସି ବହୁତ କାନ୍ଦିଲା । ରୂପାନାନୀ ପାଇଁ ଛାଏଁ ଛାଏଁ ଗୀତ ବାନ୍ଧି ହେଇଗଲା । ସେଇ କୃଷ୍ଣଚୂଡ଼ା ଗଛମୂଳେ ବହୁଦିନ ବସି ଅପେକ୍ଷା କଲା । ଆଜି ବି ଖଣ୍ଡିଖଣ୍ଡି ଗୀତ ଗାଇ ବସିଲା ସେଇଦିନ ପରି ।

ଆମ ଗାଁ ଛାଡ଼ି ଚାଲିଗଲ ତୁମେ
ନବବଧୂଟିଏ ହୋଇ
ଭୁଲିଯାଅ ମୋତେ ନୟନ ଲୁହରେ
ସେଇଦିନ ଗଲ କହି
ସ୍ମୃତିର ମୁରୁଜ ଆଙ୍କି ଦେଇଥିଲ
ହୃଦୟ ଚଉଁରା ମୂଳେ
କେତେ ଗୋପନର କାହାଣୀକୁ ନେଇ
ସେଇଦିନୁ ଏଠି ଜଳେ
ଆଉ କ’ଣ ସତେ ଜୀବ ନ ପଥରେ
ଥରେ ଦେଖାହେବ ନାହିଁ ??

ଏଇ ଗୀତ ଗାଇ ସାରିବା ବେଳକୁ ଗାଁର ଆଉ ଦଳେ ପହଞ୍ଚିଗଲେ । କେହି ଜଣେ କହିଲା, ଆଉ ଗୋଟିଏ ଗାଁ, କେହି କହିଲା ଏ ପାଗଳା କେଉଁଠି ତୋ ଘର, କେତେକ ଟେକା ପକେଇବା ଆରମ୍ଭ କରିଦେଲେ । କେତେ ଜଣ ଗାମୁଛା, ତାଙ୍କ ଚୁଟି ଟାଣିଟୁଣି ପକେଇଲେ । ଛୋଟ ପିଲାଟା ତା’ ଆଗକୁ ଯାଇ କହିଲା, “ଗୀତ ତ ଗାଉଛୁ ନାଚି ପାରିବୁ ବୁଢ଼ା । ଭାରି ମଜା ହେବ ।”

ନୟନ ମହାନ୍ତି କେମିତି କ’ଣ ହେଇଯାଇଥିଲା ଯେ କିଛି ବୁଝୁଥିଲା କିଛି ବୁଝିପାରୁନଥିଲା । ତା’ପରେ କହିଲା-

ପଧାନ ଘର ବାଡ଼ି ତଳେ ଯେଉଁ କିଆ ବୁଦା ଥିଲା । ପିଲାମାନେ କହିଲେ, “ଆମେ ସେଥିରେ ନିଆଁ ଲଗେଇ ଦେଇଛୁ ।”

ନୟନ ମହାନ୍ତି କହିଲା, “ସେ କିଆରେ ବହୁତ କେତକୀ ଫୁଲଫୁଟି ସାରା ପାଟକୁ ମହକାଇ ଦିଏ । ରୂପାନାନୀ କଥାରେ କେତେଥର କିଆ କଣ୍ଟାରେ ପଶି କେତକୀ ଫୁଲ ତୋଳି ନହୁନୁହାଣ ହୋଇଛି । ଗନ୍ଧ ତୁଳସୀ ଲଗେଇଛି ସେ ଘା’ ଉପରେ ।”

ମୋର ଗୋଟିଏ ବଣିଛୁଆ ଦରକାର । ମୁଁ ତା’ ଗୋଡ଼ରେ ଦଉଡ଼ା ବାନ୍ଧି ଏମିତି ଲଟ୍‌କେଇବି । ଏଇ ଛୋଟ ବାଇ ଚଢେ଼ଇ ପରି । ବଣବୁଦାରେ ବୁଲିବୁଲି ବଇଁଚ କୋଳି ଖାଇବି ଓ ଛୋଟ ମାଙ୍କଡ଼ଟିଏ ଧରି କାନ୍ଧରେ ବସି ବୁଲେଇବି । ନୟନ ମହାନ୍ତି ପାକୁଆ ପାଟିରେ କ୍ଷୀଣ ହସର ରେଖାଟିଏ ଫୁଟି ଉଠିଲା । ଗୋଟିଏ ପିଲା ମୁଠିଏ ମୁଢ଼ି ଦେଲା । ସେ ଟିକି ଚଢେ଼ଇ ଛୁଆଟି ମୋଟେ ଖାଇଲାନି । ଟିକି ଥଣ୍ଟଟି ଖାଲି ଟିକ୍‌ଟିକ୍ କଲା । ନୟନ ମହାନ୍ତି ତା’ ଥଣ୍ଟ ଚିରି ପାଟିରେ ମୁଢ଼ି ପୁରେଇଲା ।

ସେଦିନ ଭାବିଥିଲା ପିଲାଙ୍କୁ ପାଠ ପଢେ଼ଇ ମଣିଷ କରିବ । ପାଠ ପଢେ଼ଇ ଭୁଲ୍ କଲା । ସେମାନେ ସବୁ ଅମଣିଷ ହୋଇଗଲେ । ଅଳ୍ପ ପାଠ ପଢ଼ିଥାନ୍ତେ ବିଲବାଡ଼ିରେ ଖଟିଥାନ୍ତେ । ବିଲରୁ ଧାନ କାଟିଥାନ୍ତେ । ସେ ନିଜେ ଛିଡ଼ା ହୋଇ ତାଙ୍କୁ ବତେଇ ଦେଇଥାନ୍ତା ବେଙ୍ଗଳା ପକା, ଧାନ ଘଣ୍ଟା, ମାଟି ଚକଟି କାନ୍ଥ ଦେବା ଓ ଖତ ବୋହିବା । ସବୁ କାମ କରିଥାନ୍ତେ । ଟିକେ ସୁବିଧା ମଣିଷକୁ ଆହୁରି ସୁବିଧାବାଦୀ କରେଇ ଦିଏ । ସେମାନେ ଗୋଟିଏ ପରିବାର ଭିତରେ ଶାଗମୁଗ ଖାଇ ବଞ୍ଚିଥାନ୍ତେ । ନୟନ ମହାନ୍ତି ଚାକିରୀ ସାରି ଗାଁକୁ ଆସି ପିଣ୍ଡା ଉପରେ ବସି ଉଚ୍ଚ କଣ୍ଠରେ ଭାଗବତ ପଢ଼ିଥାନ୍ତା । ବାହାଘର ସାହାଘର ପରେ ସେମାନେ କିଏ କୁଆଡେ଼ ପଳେଇଗଲେ, ବରଗଛ ଥୁଣ୍ଟା ହୋଇଯିବା ପରେ ଯେମିତି ଚଢେ଼ଇମାନେ ଆଉ ତା’ କୋଳକୁ ଆସନ୍ତି ନାହିଁ ।

ଗାଁରେ ସାତଦିନ ରହିବା ପରେ ଗାଁର ଅବସ୍ଥା ସହର ପରି ଭାଇ ଭାଇରେ ଭିନ୍ନ । ବାପ ପୁଅରେ ମନାନ୍ତର । ରାଜନୀତି ପାଇଁ ସ୍ତ୍ରୀ ପୁରୁଷ ଅଲଗା । ଯଉତୁକ ପାଇଁ କୁଳ ଭୁଆଷୁଣୀ ଉପରେ ଅତ୍ୟାଚାର । ତା’ ପିଲାଦିନର ଗାଁ ଆଉ ନାହିଁ । ଗାଁ ଲୋକଙ୍କର ବେଶୀ ପାଠଶାଠ ନ ଥିଲେ ବି ତାଙ୍କ ଭିତରେ ଗୋଟେ ମଣିଷ ପଣିଆ ଥିଲା । ସମସ୍ତେ ଗୋଟିଏ ପରିବାର ଭଳି ଚଳୁଥିଲେ ।

ଗାଁରେ କେହି କା’ କଥାରେ ନାହାନ୍ତି । କିଛି ସୁବିଧାବାଦୀ ଲୋକେ ଗାଁରେ ସୁଖ ସୁବିଧା ଭୋଗ କରୁଛନ୍ତି । ଗାଁର ଦୋକାନୀ ବି ଗାଁକୁ ଶୋଷଣ କରୁଛନ୍ତି । ସାରା ଗାଁରେ ରାଜନୀତିର ବିଷ । କୁଜି ନେତାଙ୍କ ବାହୁଛାୟା ତଳେ ଗୋଟାକ ଗାଁ ଟଳମଳ । ସେଥିରୁ ମଳିମୁଣ୍ଡିଆଙ୍କର ମୁକୁଳିବାର ଉପାୟ ନାହିଁ ।

ଭାବିଥିଲା ଜୀବନର ଶେଷ ବେଳେ ଗାଁରେ କଟାଇ ଦେବ । ହେଲେ ତା’ ଭାଗ୍ୟରେ ନାହିଁ । ଏ କଥା ଭାବି ସେ ଗାଁରେ ଏମିତି କାନ୍ଦିଲା ଯେ ସବୁ ମାଇପେ ଦଉଡ଼ି ଆସିଲେ ।

ପରଦିନ ସକାଳେ ଗାଁ ପିଲା ସବୁ ବରଗଛ ମୂଳେ ପହଞ୍ଚି ଦେଖିଲେ ନୟନ ମହାନ୍ତି ନାହିଁ ଆଉ ନିର୍ବିକାର ଭାବରେ ଛିଡ଼ା ହୋଇଥିବା ଗୋଟିଏ ଥୁଣ୍ଟା ଗଛ ଉପରେ ବାଇଚଢେ଼ଇ ଛୁଆଟେ ବସି ରହିଛି ।

ଲୋକପ୍ରିୟ ଲେଖା

To Top