ଗଳ୍ପ

ନୀଳ ବିଭୀଷିକା

Prakash Behera's odia story Neela Bibheeshikaa

ପଞ୍ଚାୟତର ଏ ଲୋକଗୁଡ଼ା ଯିମିତି, ଏ ସରକାର ବି ସିମିତି । ଲୋକ କାଠ କାଟି ଜଙ୍ଗଲ ପଦା କଲେ । ସମୁଦ୍ର ମାନିଲା ନାହିଁ । ମାଡ଼ି ଆସିଲା । ସରକାରୀ ଲୋକ ଫି’ ବର୍ଷ ଆସନ୍ତି । ଢେର୍ ମପାଚୁପା କରନ୍ତି ।

ନୀଳ ବିଭୀଷିକା

-: ପୂର୍ବରୁ :-

ନରିଆ ତା’ ବାପାର ଗୋଟିଏ ବୋଲି ପୁଅ ନଥିଲା । ତା’ର ଆଉ ଗୋଟେ ସାନ ଭାଇ ବି ଥିଲା । ତା’ ନାଁ ହରିଆ । ମାଇନର୍ ପାସ୍ କରି କୌଣସି ମତେ ସେ ଅମିନ ଚାକିରୀ ଖଣ୍ଡେ ପାଇଯାଇଥିଲା । ଚାକିରୀ କଲା ପରେ ସେ ଯାଇ ସହରରେ ରହିଲା ଯେ ମୋଟେ ଗାଁକୁ ଆସିବାକୁ ଇଚ୍ଛା କଲା ନାହିଁ । ସେଇ ଯେ ବାପ ବର୍ଷକିଆକୁ ଆସିଥିଲା, ସେତିକି ।

ସହରରେ ରହି ହରିଆ ସିଆଡ଼େ କଉ ଝିଅକୁ ମନ କରି ବାହା ହେଇଗଲା । ତା’ ବାହା ହବା କଥା ଶୁଣି ଗାଁ ଲୋକେ ତାଜୁବ ହେଇଗଲେ । କେହି କେହି ବୁଢ଼ା ବୟସର ଲୋକେ କହି ପକେଇଲେ, ଅଳପେଇସା, ବିଧର୍ମୀଟା, ବଡ଼ ଭାଇ ଥାଉ ଥାଉ ଛତରଖିଆଟା ଆଗ ବାହା ହେଇ ପଡ଼ିଲା । ପୁଣି ରାଜି ରୁଜା ହେଇ ଅଜାତିରେ । ଧର୍ମ ନାଶ ହେଲା ଜାଣ. . . ।

ନରିଆ ବି ସାନଭାଇର ବାହାଘର କଥା ଶୁଣି ଆବାକାବା ହେଇଗଲା । ଦିନା କେତେ କାହା ସାଙ୍ଗରେ କଥା ଭାଷା ହେଲା ନାହିଁ । କାହା ସହ ମିଳାମିଶା କଲା ନାହିଁ । ଲାଜରେ, ଅପମାନରେ ଘରୁ ବାହାରିଲା ନାହିଁ । କେତେ ଦିନ ପରେ ରୋକ୍‌ଠୋକ୍ ସମସ୍ତଙ୍କୁ ଶୁଣେଇ ଦେଲା- ସେ ଆଉ ବାହା ହବ ନାହିଁ ।

ବୁଢ଼ୀ ବଉଟାର ବୟସ ହେଇଯାଇଥିଲା । ବାଧକି ଧରି ବିଛଣାରେ ପଡ଼ି ରହୁଥିଲା । ସାନ ପୁଅର ବାହା ହବା ଆଉ ବଡ଼ ପୁଅର ବାହା ନ ହବା ଦୁଃଖରେ ଆଉଟି ପାଉଟି ହେଇ ଶେଷକୁ ବୁଢ଼ୀର ଘଟ ଛାଡ଼ିଗଲା ।

ସେଦିନ ଠାରୁ ନରିଆ ଏକା ଏକା । ନିଃସଙ୍ଗ ! ନିଛାଟିଆ !

ନରିର ଏଇ ନିଃସଙ୍ଗ ବେଳାରେ ଦିନେ ତା’ ଘରେ ପାଦ ପକେଇଲା ସୁଲି । ବାପଘର ବୁଲି ଆସିଥିଲା ସେ । ଦେଖିଲା ଘର ନୁହେଁ ତ, ସାଆବ ମଶାଣିପଦା । ଡାକି ଡାକି ନରିଆଇ ପାଖରେ ପହଞ୍ଚିଲା ସୁଲି । ଭୁଲ୍ ମାଗିଲା । ନେହୁରା ହେଇ କହିଲା, ମୁଁ ସବୁକଥା ଜାଣିଛି ନରିଆଇ । ତୁମେ ଯଦି ମତେ ଭଲ ପାଉଥାଅ, ମୋ ସାନ କଥା ମାନ । ଏବେ ବି କିଛି ସରି ଯାଇନି । ତମେ ବାହା ହେଇପଡ଼ ।

ନରିଆ ନିଶ୍ଚଳ ପଥର ମୂର୍ତ୍ତିଟାଏ ପରି ସୁଲିକୁ ଦେଖୁଥିଲା । ତା’ କଥା ଶୁଣୁଥିଲା । ହଠାତ୍ ଉଠିପଡ଼ି ଠୋ’ କିନା ଚାପଡ଼ାଟାଏ କଷିଦେଲା ସୁଲି ଗାଲରେ । ସବାଖାଇ, ଲାଜ ଲାଗୁନି, ତୁ ଏ ଘରକୁ ଆଇଚୁ । କ’ଣ କଟା ଘା’ରେ ଚୂନ ଦବା ପାଇଁ ଆଇଚୁ ଏଠିକି । ଯା, ମୋ ଘରୁ ବାହାରି ଯା’ । ଆସିଛି ମତେ ଉପଦେଶ ଦବା ପାଇଁ ।

ସୁଲି ନରିଆଇର ହାତଗୋଡ଼ ଧରି ଆହୁରି ଗୁହାରି କଲା । ଭାଉଜଟିଏ ପାଇଁ ଅଳି କଲା, କିନ୍ତୁ ନରିଆ ସେତେବେଳକୁ ପ୍ରଚଣ୍ଡ ଭାବରେ ରାଗିଯାଇଥିଲା ତା’ ଉପରେ । ସୁଲିକୁ ଗାଳି ଦେଇ କହିଲା, “ଆରେ ତୁ ଯଉଠି ମନକଲୁ, ସେଇଠି ବାହାହଲୁ । ମିଛରେ କାଇଁ ସମୁଦ୍ରର ଦ୍ୱାହି ଦେଇ ମତେ ମନା କରିଦେଲୁ । ତୋ ବାପ ଭାଇ କ’ଣ ମଣିଷ ଧିଅ ଧରି ଏଠି ରଇନାହାନ୍ତି ? ତାଙ୍କୁ କ’ଣ ସମୁଦ୍ର ମାରି ପକଉଚି ? ଆରେ, ତୁ ତ ସିଧା ସିଧା କହିଥାନ୍ତୁ, ନରିଆଇ କଳା ମଣିଷଟା । ମୁଁ ସେଠି ବାହା ହେବି ନାହିଁ । ଇଏମିତି ବୁଲେଇ ବଙ୍କେଇ କାହିଁ କଇଲୁ. . . ?”

ସୁଲି ଆଉ କିଛି ଶୁଣି ପାରୁନଥିଲା, କାନ୍ଦି କାନ୍ଦି ତାଙ୍କ ଘରକୁ ପଳେଇ ଆସିଲା । ମାସକ ପାଇଁ ବାପଘର ବୁଲି ଆସିଥିଲା ସୁଲି । କିନ୍ତୁ ତା’ପର ଦିନ ଶାଶୁଘର ଫେରିଗଲା ।

ଇମିତି ଦିନେ ଶୁଖେଇଥିବା ବେଢୁଆଁ ନେଇ ପିଣ୍ଡା ଉପରେ ବିଅଁରେ ହେଁସ ବୁଣୁଥିଲା ନରିଆ । ଡାକ ପିଅନ ସାଇକେଲ୍‌ରୁ ଓହ୍ଲେଇ ତା’ ନାଆଁରେ ଆସିଥିବା ଚିଠିଟା ଦେଇଗଲା । ସେ ତ ପାଠ ପଢ଼ି ଜାଣିନଥିଲା । ଲେଖାପଢ଼ା ଜାଣିଥିବା ଗାଁର ଗୋଟା ପିଲାକୁ ଚିଠି ପଢ଼ିବାକୁ କହିଲା । ପିଲାଟି କହିଲା, “ତୁମ ଭାଇ ହରିଆ କକା କଟକରୁ ଚିଠି ଲେଖିଛନ୍ତି ।” ହରିଆ ଚିଠି ପଠେଇଛି ଶୁଣି ତା’ ମନ ଖଟା ହେଇଗଲା । ତା’ ଇଚ୍ଛା ହଉନଥିଲା ହରିଆ କ’ଣ ଲେଖିଛି ଶୁଣିବାକୁ, ତଥାପି ସେ ଗାଁ ପିଲାକୁ କହିଲା, “ଖୋଲିକି ପଢ଼ ।”

ହରିଆ ଲେଖିଥିଲା, “ଭାଇ, ଏସନ ଭଲ ଧାନ ହେଇଛି ବୋଲି ଶୁଣିଲି, କଟାକଟି ବୋଧେ ସରିଯିବଣି । ମୁଁ ଆଉ ଗାଁକୁ ଫେରିବି ନାହିଁ । ତମେ ଗାଁରେ ଥିବା ସବୁ ଜମି ବାଡ଼ି ଘର ନେଇ ରୁହ । ମୋ ଶଶୁରଘର ଚାହୁଁ ନାହାନ୍ତି ମୁଁ ସେ ସମୁଦ୍ର କୂଳେ ଘରଦ୍ୱାର କରି ରହେ ।”

ହରିଆ ଚିଠି କଥା ଶୁଣି ନରିଆ ବିଶେଷ ଭାବେ ବିଚଳିତ ହେଲା ନାହିଁ । ଜମିବାଡ଼ି ଘର ତା’ର ସବୁ ହେଇଯାଉଚି ବୋଲି ଖୁସି ହେଲା ନାହିଁ କି ସେ ଘରକୁ ଆଉ କେବେ ଫେରିବନି ନିଷ୍ପତ୍ତିରେ ମନ ଦୁଃଖ କଲା ନାହିଁ । ସେ ଜାଣିଥିଲା, ହରିଆ ଦିନେ ନା ଦିନେ ଏମିତି ଚିଠି ଲେଖିବ କି ଖବର ଦବ । ତା’ ଭଳି ମାଇପ ବୁଦ୍ଧିଆ ଆଉ ଶଶୁର ଘର ପୋଷାମାନେ କ’ଣ ଆଉ ଅଧିକା ଚିନ୍ତା କରିପାରନ୍ତି କି ?

ଅଥଚ ଏଇ ସାନଭାଇ ପାଇଁ ସେ କ’ଣ ନ କରିଛି । ଧାନ ଗଣ୍ଡାକ ହଉ କି ନଈରୁ ଚିଙ୍ଗୁଡ଼ି ଜାହାର ଧରି ହଉ, ତାକୁ ବିକି ସେ ତା’ ପଢ଼ା ଖର୍ଚ୍ଚ ଉଠେଇଛି । ହେଲେ ଆଜି ବ୍ରାହ୍ମଣକୁ ବୁଢ଼ୀ ଗାଈ ଦାନ କଲା ପରି ମୁର୍ଦ୍ଦାର ଭଳି ପଡ଼ି ରହିଥିବା କୋଉ ଚାଖଣ୍ଡକ ଘରବାଡ଼ି ଭାଗ ନ ନେଇ ମୋ ନାଁରେ ଛାଡ଼ି ଦେଇ ଋଣ ଶୁଝିଦବ ବୋଲି ଭାବୁଛି । . . . ଖଣ୍ଡେ ଦୀର୍ଘଶ୍ୱାସ ବାହାରିଗଲା ତା’ ପାଟିରୁ । ଘଡ଼ିଏ ଥମ୍‌କି ପଡ଼ି ଠିଆ ହେଇ ପୁଣି ହେଁସ ବୁଣାରେ ମନ ଦେଲା ।

ସେ ବର୍ଷ ସମୁଦ୍ର ଆସି ପୁରା ଗାଁ ଛୁଇଁ ସାରିଥିଲା । ଛୁଇଁଥିଲା କ’ଣ, ତା’ ପିଲାବେଳକୁ ଗାଁକୁ ସମୁଦ୍ର ଧାସରୁ ଅଟକେଇ ରଖିଥିବା ପ୍ରଥମ ବନ୍ଧକୁ ପୁରା ଖାଇସାରିଥିଲା । କିଛି ଲୁଣି ପାଣିର ଲହଡ଼ି ଆସି ଗାଁ ମୁଣ୍ଡ ଜଗନ୍ନାଥ ମନ୍ଦିର ବେଢ଼ାରେ ପଶି ସାରିଥିଲା । ଅବଶ୍ୟ ପ୍ରତିକାର ସ୍ୱରୂପ ୟା’ ଭିତରେ ଗୋଟିଏ ନୂଆ ମାଟିବନ୍ଧ ଠିକ୍ ଗାଁ ଲୋକଙ୍କ ବାଡ଼ି କଡ଼କୁ ଲାଗି ତିଆରି ହେଇଥିଲା । ତେବେ ବି ଏଇ ନୂଆ ବନ୍ଧ କୌଣସି ବାତ୍ୟା ବା ସୁନାମିକୁ ଅଟକେଇବା ପାଇଁ ଯଥେଷ୍ଟ ନ ଥିଲା ।

ନରିଆ ଭଳି ଏମିତି ସେଇ ସମୁଦ୍ରକୂଳିଆ ଲୋକମାନେ ସବୁବେଳେ ତ୍ରସ୍ତ । ଶଙ୍କାଗ୍ରସ୍ତ । ଜୀବନ, ଜୀବିକା ଛଡ଼େଇ ନେଇଥିବା ସେଇ ମହାକାଳ ଆହୁରି କେତେ ଜୀବନ ମାଗୁଥାଏ । ଲାଗୁଥାଏ, କଳିକାଳ ଯେମିତି ଜଳମଗ୍ନ ହେଇ ଶେଷ ହେଇଯିବ ।

ନରିର ବିପଦାସନ୍ନ ମନ ପୁଣି ଭାବି ହେଉଥାଏ- ପଞ୍ଚାୟତର ଏ ଲୋକଗୁଡ଼ା ଯିମିତି, ଏ ସରକାର ବି ସିମିତି । ଲୋକ କାଠ କାଟି ଜଙ୍ଗଲ ପଦା କଲେ । ସମୁଦ୍ର ମାନିଲା ନାହିଁ । ମାଡ଼ି ଆସିଲା । ସରକାରୀ ଲୋକ ଫି’ ବର୍ଷ ଆସନ୍ତି । ଢେର୍ ମପାଚୁପା କରନ୍ତି । କହନ୍ତି, “ସିୱାଲ୍ ହବ । ଟିଉବ୍ୱାଲ୍ ହବ । ହବା ହବାର ପ୍ରତିଶ୍ର୍ରତି ଭିତରେ କିଛି ହୁଏ ନାହିଁ । ଲୋକେ ବଳି ପାଇଁ ହାଣ ଖାଇବାକୁ ଯାଉଥିବା ବୋଦା ଭଳି ସେମିତି ଦରିଆ କୂଳରେ ପଡ଼ି ରହନ୍ତି । ସରକାର ଠକି ଚାଲେ ।”

ବୁଢ଼ୀ ବଉଟା ଚାଲିଗଲା ପରେ ନରିଆର ଖା’ ପିଅରେ କିଛି ଠିକ୍ ଠିକଣା ରହିଲା ନାହିଁ । କେବେ କେବେ ଏକା ରୋଷେଇ କରେ ତ କେବେ କରେ ନାହିଁ । କେବେ ରୋଷେଇ କରିଥିଲେ ବି ଖାଏ ନାହିଁ । ଖାଇବାକୁ ମନ ହୁଏ ନାହିଁ । କେବେ କେବେ କାହାର ପୁନିଅ ପରବରେ ସେ କାହା ଘରେ ଖାଇଦିଏ ତ ରୋଷେଇ ଲୋଡ଼ା ପଡ଼େ ନାହିଁ ।

ଏମିତି ଦୁର୍ବିସହ ଜୀବନ ନରିଆର । ପୁରା ନିସଙ୍ଗ ! ଏକ୍‌ଲା !

ଏମିତି ଦିନେ ମୁଠେ ଖଣ୍ଡେ କ’ଣ ଖାଇ ନରିଆ ଗଡ଼ପଡ଼ ହେଉଥିଲା ଖଟିଆ ଉପରେ । ନିଦ ତ ଠିକ୍ ନ ଥାଏ । ଠାଏ ଠାଏ ଛପର ଉଡ଼ିଯାଇଥିବା ଓ ଦଦରା କାନ୍ଥ ଦେଖି ଘର ଭାଙ୍ଗି ନୂଆ ଘରଟେ ତିଆରି କରିବା କଥା ଭାବୁଥାଏ । ଘର ଭିତରକୁ ପଶି ଆସିଲେ ଘନ ଦାଦି । ବାପାଙ୍କର ଆଉ ଗୋଟେ ଅଂଶୀଦାରର ସାନଭାଇ । କୋଉ କାଳୁ ତା’ ବାପାଙ୍କର, ତାଙ୍କର ଅଲଗା ହେଇ ଯାଇଥିଲେ, ସେ ଜାଣେନି ।

ଦାଦି ଆସିବାରୁ ନରିଆ ନ ଶୋଇ ଉଠିକି ବସିଲା । ଦାଦି ତାକୁ ଗୋଟେ ପ୍ରସ୍ତାବ ଦେଇ କହିଲେ, “ହୃଷି ଠାରୁ ଶୁଣିଛି, ତୁ ଏ ଘର ଭାଙ୍ଗି ନୂଆ ଘର ତିଆରି କଥା ଚିନ୍ତା କରୁଛୁ । ଏତେ ଗୁଡ଼ା ପଇସା ଖର୍ଚ୍ଚ କରି ଘର ବନେଇବୁ ଯେ ଘରଟାରେ ଏକା ରହିବୁ । ଏକଥା ଆମକୁ ଭଲ ଲାଗିବ ନାହିଁ ।” ତା’ ଛଡ଼ା ମୋ ପୁଅମାନେ ରାଜି ହେଇ କହିଛନ୍ତି, “ଭାଇ ଆସି ଆମ ପାଖରେ ରହନ୍ତୁ । ଆମର ସାଙ୍ଗ ହେଇ ରହିବାରେ କିଛି ଅସୁବିଧା ହବ ନାହିଁ ।”

ସେଦିନଠୁ ନରି ପଧାନର ଘର ଆଉ ଭଙ୍ଗା ହେଇ ନାହିଁ । ଗୋଟେ ସ୍ମାରକୀ ହେଉ ଠିଆ ହେଇଚି ଗାଁ ମଝିଟାରେ । ନିଜ ଭାଇ, ପୁତୁରା ଆଉ ପୁତୁରା-ବୋହୂଙ୍କ ସେବା ଯତ୍ନରେ କେମିତି ତା’ର ଦିନ କଟିଯାଉଛି, ସେ ଜାଣିପାରୁନାହିଁ । ବେଳେ ବେଳେ ନରି ପଧାନ ଭାବେ, ନିଜ ରକ୍ତ ନିଜର ନ ହେଉ ପଛକେ, ପର ରକ୍ତର ତ ଆପଣାର ହେଇ ପାରିଛି ।

ଜୀବନ ଏମିତି ଅନ୍ତସାରଶୂନ୍ୟ ହୋଇ ପଡ଼ିଥିବା ବେଳେ ଆଜି ଯେତେବେଳେ ସେ ଶୁଣିଲା ସମୁଦ୍ର ଛଡ଼େଇ ନେଇଥିବା ତା’ ଜମିବାଡ଼ି ଫେରେଇଛି, ଲୋଭ ଅଟକେଇ ନ ପାରି ସେ ଦରିଆ ବନ୍ଧକୁ ଆସିଯାଇଥିଲା ।

ହେଲେ ବନ୍ଧଟା ଉପରେ ଆଶ୍ରାବାଡ଼ି ଭରସାରେ ସେ ନଇଁ ପଡ଼ି ଭାବି ହେଉଥିଲା ଦରିଆ ତାକୁ ଫେରେଇଛି କ’ଣ ? ଦିନେ ସମୁଦ୍ର ତା’ ଯୌବନ ଛଡ଼େଇ ନେଇଥିଲା, ଆଜି ତାକୁ ଜମି ଫେରେଇଛି । ହେଲେ ଫେରେଇ ପାରିଛି କି ତା’ ହଜିଲା ଯୌବନର ସ୍ୱପ୍ନ, ତା’ ସୁଲି, ସେଦିନର ପ୍ରେମ ଆଉ ତା’ ବିବାହ ପ୍ରସ୍ତାବ ?

ସେ ଭଲ କରି ଜାଣେ, ସମୁଦ୍ର ଏସବୁ କିଛି ବି ଫେରେଇ ପାରିବନି । ଶୁଣିଥିଲା, ସମୁଦ୍ର ଯାହା ନିଏ, ତାହା ଫେରେଇ ଦିଏ । ହେଲେ କଥାଟିରେ ସତ କେତେ, ନରି ପଧାନ ଚେଷ୍ଟା କରି ବି ଖୋଜି ପାଇପାରୁ ନଥିଲା ।

ଲୋକପ୍ରିୟ ଲେଖା

To Top