ଗଳ୍ପ

ନୀଳ ଶୂନ୍ୟତାର ମୋହ

Laxmidhara Nayak's odia story Neela Shoonyataara Moha

ଆକାଶରୁ ଖସିଲାପରି ଚିତ୍କାର କଲା ବନ୍ୟା. . . ତୁ ! ! ! ଅଧିକ ବିସ୍ମୟ, ଅଳ୍ପ ପ୍ରଶ୍ନ. . . ସବୁ ମିଶି ବନ୍ୟାକୁ ଝାଳ ଜୁଡୁବୁଡ କରିଦେଲେ ।

ନୀଳ ଶୂନ୍ୟତାର ମୋହ

ଛାତ ଉପରେ ଠିଆ ହେଇ ପତଳା ସୂତା ଗାମୁଛାରେ କେଶ ଝାଡୁଥାଏ ବନ୍ୟା । ବନ୍ୟା ପାଣି ପରି. . . ତା’ର ଗାଢ଼ ଗହମ ରଙ୍ଗର ଦେହସାରା. . . ପୂର୍ଣ୍ଣ ଯୌବନର ବନ୍ୟା ଦୌଡୁଛି । କେଉଁ ସମୁଦ୍ରରେ କେବେ ମିଶିବ କେଜାଣି ।

ପାଞ୍ଚ ବର୍ଷ ଧରି ମାମୁଁ ଗାଣରେ ରହି ସେଠାକାର ପଞ୍ଚାୟତ କଲେଜରେ ଯୁକ୍ତ ତିନ୍ ପଢ଼ା ଶେଷ କଲା । ସକାଳୁ ସକାଳୁ ପହଞ୍ଚିଛି- ନିଜ ଗାଁରେ ! ମାମୁଁ କାର୍‌ରେ ଆଣି ଛାଡ଼ିଯାଇଛନ୍ତି ।

ନୂଆ ନୂଆ ଲାଗୁଛି ଗାଁ ।

ଗାଁ ନୁହେଁ ତ. . . ଅଧା ସହର ଏବେ ।

ଚାଳ ଘର ଜାଗାରେ ପକ୍କାଘର. . . କୂଅପାଣି ପରିବର୍ତ୍ତେ ନଳ ପାଣି. . . ଗାଁ ଦାଣ୍ଡଟା ଏବେ ପକ୍କା ସଡ଼କ । ଏବେ ହୋଇଗଲାଣି- ବସ୍ ଷ୍ଟାଣ୍ଡ ! ଉତ୍ତର ମୁଣ୍ଡ କଚେରୀ ବାଡ଼ିରେ. . . ଦୁର୍ଗା ମନ୍ଦିର ଓ ଦୋକାନ ବଜାର । ଘରେ ଘରେ ବିଜୁଳିବତି ।

କେତେ ପରିବର୍ତ୍ତନ. . . କେବଳ ପାଞ୍ଚଟା ବର୍ଷରେ ।

ତଳୁ ପଚାରିଲେ ବୋଉ- ମା’ ବନୁ ! କଫି ଟିକେ ଖାଇବୁ କି ଏବେ ? ନେବି କି ଉପରକୁ ?

– ନାଇଁ ବୋଉ । ସକାଳର କଅଁଳ କିରଣରେ. . . ଆମ ଗାଁ ଛବି ଖୁବ୍ ସୁନ୍ଦର ଲାଗୁଛି । ମନ ଭର୍ତ୍ତିକରି ଦେଖୁଛି । ପରେ ଖାଇବି ।

ତାଙ୍କ ପକ୍କା ଘରକୁ ଲାଗି ଚାଳଘର ଖଞ୍ଜାଏ ଥିଲା… ଖତୁ ବଡ଼ବାପାଙ୍କର । ସାରା ଗାଁ ପରି, ସେଠି ବି ପକ୍କାଘର । ତାଙ୍କ ଦୁଇ ପୁଅଙ୍କ ମଧ୍ୟରୁ ବଡ଼ପୁଅ ବନାଭାଇ . . . ପି.ଜି.ଡ଼ି.ସି.ଏ. କରି, କଟକର କେଉଁ ପ୍ରିଣ୍ଟିଂ ପ୍ରେସ୍‌ରେ ଡି.ଟି.ପି. କରନ୍ତି । ସାନପୁଅ ମୁନାଭାଇ ମ୍ୟାଟ୍ରିକ୍ ଫେଲ୍. . . ଫେରିବାଲା । ବୁଲି ବୁଲି ସାଇକେଲରେ ଗଣ୍ଡିରାବାନ୍ଧି ଲୁଗା ବିକନ୍ତି ।

ପାଞ୍ଚଟା ବର୍ଷରେ ଏଡ଼େ ସୁନ୍ଦର ଘର କିପରି କଲେ ? କୋଡ଼ିଏ ତିରିଶ ଲକ୍ଷରୁ କମ୍ ଲାଗିନଥିବ । କିଛି ଚୋରା ବେପାର କଲେ କି ବନାଭାଇ !

କଟକରେ ତ. . . ଗେଞ୍ଜଇ, ଅଫିମ, ହେରୋଇନ୍, ଚରସ୍, ବ୍ରାଉନ୍‌ସୁଗାର ଚୋରା ବେପାର କରି, କଳାବଜାରୀ ରାତାରାତ୍ ବଡ଼ଲୋକ ହୋଇଯାଉଛନ୍ତି । ବନାଭାଇ ଏହାର ସୁଯୋଗ ନେଇ ନାହାଁନ୍ତି ତ !

ଚାଲାକ୍ ଯେମିତି, ବାହାପିଆ ସେମିତି- ବନାଭାଇ ।
ବନାଭାଇ କ’ଣ. . . ବାନା ଭାଇ ସେ ।
କରନ୍ତୁ. . . ଯିଏ ଯାହା କରୁଛନ୍ତି ।

କାହା ବିରୁଦ୍ଧରେ ପଦଟିଏ ଉଚ୍ଚାରଣ କଲେ ତ. . . ଏବେ ଖଣ୍ଡା, ଭୁଜାଲୀ, ବମ୍, ବନ୍ଧୁକ ଉଠୁଛି ।

ବନାଭାଇଙ୍କ ଛାତ ଉପରେ ଯେମିତି ଫୁଲର ବଗିଚାଟିଏ ହେଇଛି । ଅନେକ ରଙ୍ଗର କୁଣ୍ଡମାନଙ୍କରେ ବିଭିନ୍ନ ରଙ୍ଗର ଫୁଲ ଆକାଶର ତାରାପରି ଫୁଟିଛନ୍ତି ।

ଏ ରୁଚି. . . ଶୀଲା ଭାଉଜଙ୍କର ହୋଇଥିବ ।

ଫୁଲ ପ୍ରତି ତାଙ୍କର ଖୁବ୍ ଶ୍ରଦ୍ଧା ।

କାହାରିକୁ କିଛି ନ ଜଣାଇ, ତାଙ୍କୁ ଦିନେ କଟକରୁ ନେଇ ଆସିଥିଲେ- ବନାଭାଇ । ତାଙ୍କର ସ୍ତ୍ରୀ ବୋଲି ପରିଚୟ ଦେଇଥିଲେ । ଖୁବ୍ ଗର୍ଜିଥିଲେ- ଖତୁ ବଡ଼ବାପା । ବାପ ପୁଅଙ୍କ ଭିତରେ ଗୁଡ଼ାଏ ଝଗଡ଼ା ବି ହୋଇଥିଲା । ଖାଇବା ପିଇବା ବନ୍ଦ ହୋଇଯାଇଥିଲା- ଦୁଇ ଦିନ ଯାଏ । ସବୁ ସମ୍ଭାଳି ନେଇଥିଲେ ଶୀଲା ଭାଉଜ ।

ଦିନ କେତୋଟିରେ ସମସ୍ତଙ୍କ ତୁଣ୍ଡରେ. . . ଶୀଲା ଭାଉଜଙ୍କ ପ୍ରଶଂସା । ଖତୁ ବଡ଼ବାପା ବି କହିଲେ- ମଣିକୁ କାଚ ବୋଲି ସେ ଭାବିଥିଲେ । ଏମିତି ଭାବୁଭାବୁ ବନ୍ୟା ଚାହିଁଲା- ଖତୁ ବଡ଼ବାପାଙ୍କ ଘରର ପୂର୍ବ ପାଖ ଧାରକୁ । ତଳୁ ଉଠିଥିବା ରାଧାଚୂଡ଼ା ଗଛଟିର ଲମ୍ୱ ଲମ୍ୱ ଶାଖା. . . ସେଇଠୁ ଆକାଶକୁ ଉଠିଛନ୍ତି । ସବୁଜ ଦେହରେ ଫୁଲର ହଳଦିଆ ଛିଟ ଶାଢ଼ୀ ପିନ୍ଧିଛନ୍ତି । ସେମାନଙ୍କ ପ୍ରଶାଖାରେ ହଳଦୀବସନ୍ତ ଦମ୍ପତ୍ତିଟିଏ ପରସ୍ପର ଚଞ୍ଚୁରେ ଚଞ୍ଚୁ ଘଷି, ପରରେ ପର ଛୁଆଁଇ, ଫୁକୁର୍ ଫୁକୁର୍ ହେଉ ହେଉ. . . ନିଜ ନିଜ ବସିବା ଜାହା ପରସ୍ପରକୁ ଛାଡ଼ି, ତାଙ୍କର ପ୍ରୀତିଝରା ପ୍ରେମର କଳନା କରୁଛନ୍ତି ଯେପରି । ହଜି ଯାଉଚନ୍ତି ହଳଦିଆ ଫୁଲର ରଙ୍ଗରେ ।

ବସନ୍ତର ମଧୁ ଶିହରଣଟିଏ ଖେଳିଗଲା- ବନ୍ୟା ଦେହରେ ।

ରାଧାଚୂଡ଼ାର ପ୍ରଶାଖାରେ ଫୁଟିଥିବା ଫୁଲ ଗୁଚ୍ଛଟିକୁ ଧରି, ଏଇ ବସନ୍ତର ମଧୁର ବେଳାରେ, କଅଁଳ ଖରାରେ, ଶାଢ଼ୀ ଉଡ଼ାଉଛି କିଏ ସେ ଯୁବତୀ ??

ଶୀଲାଭାଉଜ ତ ଆଦୌ ନୁହଁନ୍ତି ।

ସେ ବର୍ଣ୍ଣରେ ସଫା ଶ୍ୟାମଳା ।

ଏ ତ. . . ପୁରାପୁରି କନକଗୋରୀ ।

ବନ୍ୟା ପାଞ୍ଚବର୍ଷ ବାହାରେ ରହିଲା ପରେ. . . ଶୀଲାଭାଉଜଙ୍କ ଦେହର ରଙ୍ଗ ନରମି ଆସିଥିବ ବୋଲି ଭାବିଥିଲା ।

ଏତେ ଗୋରୀ ! ! ଏ ନିଶ୍ଚୟ ସେ ନୁହଁନ୍ତି ।

ମୁନାଭାଇ ବାହା ହେଇଗଲେଣି କି. . . ୟା’ ଭିତରେ ! ! ଏ ବି କଣ ବନାଭାଇଙ୍କ ପରି, ନିଜ ଇଚ୍ଛାରେ କୋଉଠୁ ଧରିଆଣି, ସ୍ତ୍ରୀର ପରିଚୟ ଦେଇଛନ୍ତି ! !

ବନ୍ୟା ନିଜ ଭିତରେ ନିଜେ ଆଶ୍ଚର୍ଯ୍ୟ ହେଉଥିଲା ଓ ନିଜକୁ ପ୍ରଶ୍ନ ବି କରୁଥିଲା । ପୁଣି ଭାବିଲା- ପରୀକ୍ଷା କରେ, ଭାଉଜଙ୍କ ବୁଦ୍ଧି କେତେ !

ଜାଣି ଜାଣି ଗଳାଖଙ୍କାର ମାରିଲା ବନ୍ୟା. . . ।
ସାମାନ୍ୟ ପ୍ରତିକ୍ରିୟା ନାହିଁ ।
ତାଳିଟାଏ ମାରିଲା. . . ।
ସେ ଚହଲିଲା ନାହିଁ. . . ଟିକେ ବି ।
କ’ଣ ଭାବୁଛନ୍ତି କି ନିଜକୁ ? ବନ୍ୟାକୁ ବେଖାତିର୍ ? !

କୃତ୍ରିମ ରାଗିଲା ସ୍ୱରରେ କହିଲା- ଏ ! ତମକୁ କ’ଣ ଶୁଭୁ ନାହିଁ କି ? ଭାରି ତ ଅହଂକାର । ଶୁଣିଛ କି ବନ୍ୟା ବୋଲି ନାଁ । ଇଏ. . . ଗୋଳିଆ ପାଣି ନୁହେଁ । ହୁତ୍‌ହୁତ୍ ଜଳୁଥିବା ନିଆଁ । ମାରିଦେବି ଯେ ପେଟ୍ରୋଲ୍ ପିଚକାରୀ, ଫୋପାଡ଼ି ଦେବି ଯେ. . . ଜଳନ୍ତା ଦିଆସିଲି କାଠିଟା. . . ଦୌଡ଼ିବ ଚିତ୍କାର କରି । ଜୀବନ ବିକଳରେ ଛାତ ଡେଇଁ ମୋତେ କୁଣ୍ଢାଇ ଧରିବ । ମୋର କିଛି ହେବ ନାହିଁ- କାରଣ ମୁଁ ନିଆଁ । ନିଆଁଟା ସାଙ୍ଗରେ ନିଆଁ ମିଶିଯିବ, ଜଳୁଥିବ ତମେ । ବୁଝିଲ କି !

ହସଧାରେ ଅଧରରେ ଖେଳାଇ ଅପେକ୍ଷା କରିଥାଏ ବନ୍ୟା- ପ୍ରତିକ୍ରିୟାକୁ । ମୁନାଭାଇଙ୍କ ସ୍ତ୍ରୀ ତ ନିଶ୍ଚୟ । ଦେଖେ. . . ଭାଉଜଙ୍କ ବୁଦ୍ଧି ।

. . . କିନ୍ତୁ, ସେହି କନକଗୋରୀ ଚାହିଁଲାନି ବନ୍ୟାକୁ । ପୂର୍ବ ପରି ସ୍ଥିର. . . ମୂର୍ତ୍ତି ପରି ଅଚଳ. . . ତା’ ଜାଗାରେ । କେଉଁ ବିଭୋର ମଗ୍ନତାରେ ବୁଡ଼ିଯାଇଛି ସେ. . . କିମ୍ୱା ଚାହୁଁନି କି ବନ୍ୟାକୁ ମୁହଁ ଦେଖାଇବାକୁ ।

ଲାଗିଲା ବନ୍ୟାକୁ ସେ ଯେମିତି ହାରିହାରି ଯାଉଛି ।

ନରମିଯାଇ କହିଲା- ଏ ! ଟିକେ ଦୟାକରି ନଣନ୍ଦଟାକୁ ଚାହଁ ହେଲେ । ଏ ତ. . . ପାଞ୍ଚ ବର୍ଷ ହେଲା ଗାଁରେ ନଥିଲା । ପୁଣି ବାହାରିଯିବ- ବାଣୀବିହାର. . . ଏମ୍.ଏ. କରିବାକୁ । ତା’ ଆଗରୁ ତମର ମୋର ଭାବ ଯୋଡ଼ି ହେଇନଥିଲେ, କାହାକୁ ଫୋନ୍ କରିବ- ହସରେ ମଜାରେ ! ଭାବ ନ ବାଣ୍ଟିଲେ, ଛାତିର ଓଜନ ବଢ଼ିଯିବ । ବୁଝିଲ କି ? ତାଙ୍କ- ଆମ ଘରେ, ମୁଁ ତମର ଗୋଟିଏ ବୋଲି ନଣନ୍ଦ ତ !

ସେହି ମୌନାବତୀ ଖାଲି ଟିକେ ହଲିଗଲା । ମନେହୁଏ ଭାବୁଥିଲା. . . ମୁହଁ ଦେଖାଇବ, କି. . . ନାହିଁ ।

ବନ୍ୟା ଏବେ ରହସ୍ୟ କଲା- ମୁଁ ଜାଣେ, ତମେ ଦୁଆରମଡ଼ା ଆଟାଚିଟା ଆଣି ନଥିବ । କାରଣ, ଶୀଲା ଭାଉଜ ଆଣିନଥିଲେ, ତମେ ପରମ୍ପରାକୁ ଧରିଥିବ । କିଛି ଫରକ୍ ନାହିଁ ଆଣିବା ନ ଆଣିବାରେ । ବରଂ ତମକୁ ମୁଁ. . . ମୁହଁ ଚାହାଣି ଦେବି । ପ୍ଲିଜ୍. . . ମୋ ଆଡ଼େ ଚାହଁ ନା. . . !

ହଠାତ୍ ବୁଲି ପଡ଼ିଲା ସେ ଯୁବତୀ. . . ଆଉ –

ଆକାଶରୁ ଖସିଲାପରି ଚିତ୍କାର କଲା ବନ୍ୟା. . . ତୁ ! ! ! ଅଧିକ ବିସ୍ମୟ, ଅଳ୍ପ ପ୍ରଶ୍ନ. . . ସବୁ ମିଶି ବନ୍ୟାକୁ ଝାଳ ଜୁଡୁବୁଡ କରିଦେଲେ ।

ସେହି ଯୁବତୀ ଥିଲା ତା’ର ସହପାଠିନୀ ବାନ୍ଧବୀ- ଆଶା !

ସୁନ୍ଥାରେ ସିନ୍ଦୂରରେଖା ଦାଉ ଦାଉ ହେଇ ଜଳୁଛି । କପାଳରେ ଗୋଟେ ବଡ଼ ଲାଲ ଟିପା । ଦୁଇ ହାତରେ ଦୁଇ ମୁଠା ନାଲି କାଚ ।

ତା’ ଆଖିରୁ ଝରି ପଡୁଛି- ଧାର ଧାର ଲୁହ ! !

ଓଠ ଅଧର ଦୁଇଟି. . . କି ଯେ ଯନ୍ତ୍ରଣାରେ ଥରୁଛନ୍ତି ।

ବନ୍ୟା ଆଖିରେ ବିସ୍ମୟ- ଆଶା ଆଖିରେ ଲୁହ ।

କାହାରି ଓଠରେ ଭାଷା ନାହିଁ ।

ବସନ୍ତର ରୋମାଞ୍ଚକର ଧୀର ପବନ. . . ରାଧାଚୂଡ଼ା ଫୁଲମାନଙ୍କର ମଧୁର ହସ, ଛାତସାରା ତାରାପରି ବିଞ୍ଚି ହୋଇଥିବା ନାନା ଜାତି ଫୁଲଙ୍କର ମଧୁର ବାସ୍ନା. . . କିଛି ବି ପ୍ରଭାବ ପକାଉ ନାହିଁ- ଏ ଦୁଇ ବାନ୍ଧବୀଙ୍କ ଛାତିରେ ।

ବନ୍ୟା ଭାସିଯାଉଥାଏ- ତା’ କଲେଜ ପରିସରକୁ । ସେଠି, କେତେ କଥା. . . ଏଇ ଚୁଲ୍‌ବୁଲି ଯୁବତୀକୁ ନେଇ ।

ତା’ପରେ

ଲୋକପ୍ରିୟ ଲେଖା

To Top