-: ପୂର୍ବରୁ :-
ବନ୍ୟା ପଚାରିଲା. . . ତୋର ସେ ପ୍ରେମିକର ଠିକଣା କ’ଣ ? କ’ଣ ତା’ର ନାଁ ? ସେ କରେ କ’ଣ ? ତାକୁ କେବେ ଦେଖିଛୁ. . . ନା, ସେହି ଫେସ୍ବୁକ୍ ଭରସାରେ ଏତେ ବାଟ । ଜାଣିଛୁ ତ- ବାହାରକୁ ଦେଖାଯାଏ ରୂପରୁ, ଭିତରକୁ ଅନୁଭବ କରାଯାଏ- ତା’ ଆଖପାଖରେ ଘଟୁଥିବା ବିଭିନ୍ନ ମୁହୂର୍ତ୍ତରୁ । ବ୍ୟକ୍ତିର ଭିତର ରୂପକୁ ତା’ ଅସତର୍କ ମୁହୂର୍ତ୍ତରେ, ସତର୍କ ଦୃଷ୍ଟି ହିଁ ଦେଖିପାରେ । ତୁ କେତେ ସତର୍କ ରହିଛୁ, ତା’ ସମ୍ୱନ୍ଧରେ ।
ଆଶା କହିଲା- “ଏତେ ପ୍ରଶ୍ନ ପଚାରିଗଲୁ ଯେ. . . ଯେମିତି ସବୁ ସାରିଦେଇ ଶୀଘ୍ର ଚାଲିଯିବୁ ।” ଶୁଣ୍. . . ନାଁ କଥା ପଛେ, ଆଗେ ଠିକଣା । ତାଙ୍କ ଠିକଣା ମୋ ଛାତି । ସେଇଠି ତାଙ୍କର ଆଟ୍, ପୋଷ୍ଟ, ଡିଷ୍ଟ୍, ଷ୍ଟେଟ୍, ପିନ୍ କୋର୍ଡ ନମ୍ୱର. . . ଯାହା କହ । ମୋ ହୃଦୟରେ ତାଙ୍କର ପରମାନେଣ୍ଟ ରେସିଡ଼େନ୍ସ । ସେ କରନ୍ତି କ’ଣ ତ ? ମୋତେ ଫୋନ୍ କରନ୍ତି, ମ୍ୟାସେଜ୍ ପଠାନ୍ତି । ରଙ୍ଗ୍ ନମ୍ୱରରେ ନୁହେଁ- ନିଜ ନମ୍ୱରରେ । କାରଣ, ପ୍ରେମ କ’ଣ. . . ସେ ଜାଣନ୍ତି । ଭୋଗ ପାଇଁ ତାଙ୍କର ବ୍ୟାକୁଳତା ନାହିଁ । ମନ ପାଇଁ ସେ ମହାନ୍ । ଆଉ କ’ଣ କରେ ବୋଲି ପଚାରିଚୁ ବି – ପଚାରିଛୁ. . . କେବେ ତାଙ୍କୁ ଦେଖିଛି କି ?
. . . ଛୁଇଁ ନାହିଁ କିମ୍ୱା ଦେଖି ନାହିଁ ସିନା, ସେ ବେଳ ଯେବେ ଚାହିଁବି, ସେବେ ଆସିବ । ମୁଁ କିନ୍ତୁ ସବୁବେଳେ ତାଙ୍କୁ ଦେଖୁଛି- ମାଟି, ଆକାଶ, ପାତାଳରେ. . . । ଶ୍ରୀରାଧା ସୁନ୍ଦରୀ, ଶ୍ରୀକୃଷ୍ଣଙ୍କ ରୂପ. . . ସବୁଥିରେ ଦେଖିଲା ପରି ।
ଆଶାର ଫୋନ୍ ରିଙ୍ଗ୍ ହେବାରୁ, ଡିସ୍ପ୍ଲେ ରେ ଦେଖିଲା । ହସି ହସି କହିଲା- “ଶ୍ରୀକୃଷ୍ଣ ପରା । ତାଙ୍କ ନାଁ ଧରିଲେ, ଯେମିତି ଯେମିତି ଆସିଯିବେ । ହେଇ ଦେଖ୍. . . ଫୋନ୍ କଲେଣି ।”
କହି କହି, ଚାଲିଯାଇଥିଲା- ବଉଳ ଗଛ ତଳକୁ ଯେ. . . ବନ୍ୟା ପଚାରିଲା- ତା’ ନାଁ ତ କ’ଣ କହିଲୁ ନାହିଁ ?
ତେଣେ ହାଲ୍ଲୋ ହାଲ୍ଲୋ କହୁ କହୁ, ଏଣେ ଉତ୍ତରଟିଏ ଦେଲା- ଭାରତୀୟ ସଂସ୍କୃତିରେ. . . ସ୍ୱାମୀର ନାଁ ଧରିବା ପରା ଅପରାଧ ।
. . . ବନ୍ୟା ସେହିଦିନଠୁ. . . ଘୁଞ୍ଚିଘୁଞ୍ଚି ରହିଥିଲା ଆଶାଠାରୁ, ଆଜି ଛାତ ଉପରେ ଲୁହ ଝରା ଉଦାସ ଆଖିରେ ସଧବା ବେଶରେ ଆଶା. . . ! ! କାମନାର ବୈତରଣୀ. . . ତାକୁ ତା’ ବଢ଼ିଲା ସୁଅରେ ଭସାଇ ଆଣିଛି ।
ବନ୍ୟା ପଚାରିଲା- “ମୁନାଭାଇ ତ ଫେରି ବେପାର କରନ୍ତି । ସାଇକେଲ୍ରେ ଲୁଗା ଗଣ୍ଠିରା ବାନ୍ଧି ଗାଁ ଗାଁ ବୁଲନ୍ତି । ତୋ ପରି ଝିଅକୁ ଫସାଇଦେବା ତାଙ୍କ ଦ୍ୱାରା କଦାପି ସମ୍ଭବ ନୁହେଁ । କିଏ ତତେ ନେଇଆସିଲା- ଏଠିକୁ ? ତୁ ମତେ କହ. . . ଆଉ ଦେଖ୍ ମୁଁ କ’ଣ କରୁଛି ତୋ ପାଇଁ । ମୁନାଭାଇ ତାଙ୍କର କେହି ସାଙ୍ଗ ଦ୍ୱାରା ତତେ ଭସେଇ ଦେଇ ନାହାନ୍ତି ତ ?”
– ନା !
. . . ଆଉ ?
– ତାଙ୍କ ଭାଇ, ବନା ।
. . . କ’ଣ ? ସେ ପରା ବିବାହିତ ? ପାଞ୍ଚ ବର୍ଷର ପୁଅ ଅଛି ?
ଶୀଲାଭାଉଜ ତାଙ୍କ ସ୍ତ୍ରୀ । . . . ଆଶା ! ପ୍ରିନ୍ସପାଲ୍ ସେଦିନ ଠିକ୍ କହିଥିଲେ. . . ଆଶା ଉଜ୍ଜ୍ୱଳ ଉଚ୍ଚ ଭବିଷ୍ୟତ ଗଢ଼ିବା ପାଇଁ ସବୁ ଦିଗରୁ ଚ୍ୟାଲେଞ୍ଜଟିଏ. . . । ପୁଣି, ବିଫଳତାର ଗଭୀର ଗହ୍ୱରକୁ ଖସିପଡ଼ିବାର କୁହୁଡ଼ିଟିଏ. . . । ତୁ ଫଶିଗଲୁ ଆଶା । ମାଟି ହାଣ୍ଡିର ଅବସ୍ଥା ତୋର । ଗୋଟେ ବିବାହିତ ପୁରୁଷ ତୋତେ ଛୁଆନ୍ତା କରି, ଫୋପାଡ଼ି ଦେଲା । ଏବେ ତୁ ଖଣ୍ଡଖଣ୍ଡ ଖପରା ହୋଇଗଲୁ ।
ଆଶା କହିଲା- “ଖପରାକୁ କ’ଣ କେହି ପିଲା ଡେଣୁଆ କରି ଫୋପାଡ଼ିପାରେ ନା. . . ଆମ୍ୱ ପିଜୁଳି କି କଇଁୟାଁ ଖସାଇବାକୁ – ଉଚ୍ଚ ଗଛରୁ ।”
ବନ୍ୟା ଚିତ୍କାର କଲା- ଚୁପ୍ ! ପୁଣି ଭାସିଲୁ ସ୍ୱପ୍ନରେ । ନାରୀ କ’ଣ ପୁରୁଷର ଖେଳନା ? କ’ଣ ଭାବୁଛୁ ନିଜକୁ ? ପଥର ? ଏତେ ହୀନମନ୍ୟତା କ’ଣ ? ତୋର ଗ୍ରାମଗତ ପଞ୍ଚାୟତ ଓ ଆଇନଗତ ସାହାଯ୍ୟ ବର୍ତ୍ତମାନ ଦରକାର । ମୁଁ ଅଛି ତୋ ସାଥିରେ । ତୁ ନିରବ ରହିବୁ ଏବେଠୁ । ଦେଖ୍. . . ମୁଁ କ’ଣ କରୁଛି- ତୋ ପାଇଁ । ମନେରଖ, ନାରୀ ସୁସ୍ଥ ସମାଜ ପାଇଁ । ନିଜ ପାଇଁ ନିଜେ ଲଢ଼ିବାର ଉଦାହରଣ ନ ରଖୁଥିବାରୁ, ଏ ସମାଜର କିଛି ଲୋକଙ୍କ ପାଇଁ, ଯୁଗ ଯୁଗର ପରୀକ୍ଷିତ ସଭ୍ୟତା, ସଂସ୍କୃତି ଭୂଷୁଡ଼ି ଯାଉଛି । ନିଜେ ଲଢ଼. . . ଅନ୍ୟର ଲଢ଼ିବା ପାଇଁ ବାଟ ତିଆରି କର୍ ।
ଆଶା କ’ଣ କହିବାକୁ ଚାହୁଁଥିଲା ।
ଏହି ସମୟରେ ଗାଁ ଦାଣ୍ଡରେ ସରକାରୀ ଗାଡ଼ିରୁ ମାଇକ୍ ଦ୍ୱାରା ପ୍ରଚାର ହେଲା “ଜନସାଧାରଣଙ୍କୁ ଅନୁରୋଧ… ଆସନ୍ତା କାଲି ଆମ ବ୍ଲକ୍ରୁ ରାଜ୍ୟ ମହିଳା କମିଶନ୍ ଆସୁଛନ୍ତି । ସମ୍ମିଳନୀ ହଲ୍ରେ ବିଭିନ୍ନ ଅଭିଯୋଗର ବିଚାର ହେବ । ଯଦି କୌଣସି ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ, ବୋହୂ ଓ ପରିବାର ପରିଜନଙ୍କ ମଧ୍ୟରେ, ନାରୀ ନିର୍ଯ୍ୟାତନାର ଅଭିଯୋଗ ଥାଏ, ବିବାଦର ସମାଧାନ ପାଇଁ, ଏହି ଗାଡ଼ିରେ ଥିବା ଅଧିକାରୀଙ୍କ ନିକଟରେ ନାମ ରେଜିଷ୍ଟ୍ରେସନ୍ କରି ନିଅନ୍ତୁ”. . . ଏମିତି ଘୋଷଣା- ବାରମ୍ୱାର. . . !
ଯାହା ହେଉ, ଗାଁ ଗାଁରେ ବୁଲିଲେଣି- ମହିଳା କମିଶନ୍ । ଏମିତି ଉଦ୍ୟମ- ବଧୂ ନିର୍ଯ୍ୟାତନା ବିରୁଦ୍ଧରେ ନିଶ୍ଚୟ ଜନମତ ବୃଦ୍ଧି କରିବ । ଲୋକେ ସେ ଦିଗରେ ଭୁଲ୍ କରିବାକୁ ଡରିବେ । ଭଲ ଉଦ୍ୟମଟିଏ ଆରମ୍ଭ ହୋଇଛି. . . ।
ବନ୍ୟା କହିଲା- ତୁ ବନାଭାଇ ବିରୁଦ୍ଧରେ ଠକେଇ ଓ ଧର୍ଷଣ ଅଭିଯୋଗ ଲେଖାଇପାରିବୁ । ବିବାହିତ. . . ପୁଣି ସ୍ତ୍ରୀ ପୁଅ ଥିବା ଜଣେ ପ୍ରାପ୍ତ ବୟସ୍କ ବାପ. . . ଅବିବାହିତ ବୋଲି ଭ୍ରମ ସୃଷ୍ଟି କରି, ତୋତେ ଠକେଇ ଦେଇଛି । ମୁଁ ତୋତେ ସାହାଯ୍ୟ କରିବି ଆଶା । ବଡ଼ବାପାଙ୍କ ପୁଅ ବୋଲି ଆଦୌ ତାଙ୍କ ପକ୍ଷ ନେବି ନାହିଁ । ଚାଲ୍ ମୋ ସହିତ ପଚାର ଗାଡ଼ି ପାଖକୁ ।
ଆଶା ବଡ଼ ବିଚିତ୍ର ଝିଅ ।
କହିଲା- କ’ଣ ବଞ୍ଚାଇ ରଖିଛି ଯେ. . . ତାହାର ନିରାପତ୍ତା ପାଇଁ ଅଭିଯୋଗ ଲେଖାଇବି । ତୁ ଜାଣୁନା ବନ୍ୟା- ତୋ ବନାଭାଇଙ୍କ ବିରୁଦ୍ଧରେ, ତୋ ଶୀଲା ଭାଉଜଙ୍କ ବାପା ମହିଳା କମିଶନ୍ଙ୍କ ପାଖରେ ଅଭିଯୋଗ କରିଥିବାରୁ, ସେ କାଲି ଆସୁଛନ୍ତି ।
. . . ମୋତେ କଟକ ପାଟରା ସାହିର ଗୋଟିଏ ଭଡ଼ା ଘରେ ଲୁଚାଇ ରଖିଥିଲେ ତୋ ବନାଭାଇ । କାଲି ରାତିରେ ଏଠି ଛାଡ଼ି ଦେଇ, ଫେରାର୍ ହୋଇସାରିଛନ୍ତି । ଏ ଘରେ ସମସ୍ତେ ମୋତେ ଘୃଣା କରୁଛନ୍ତି । କରିବା କଥା ତ. . . !
. . . ମୁଁ, ନା ଘରକୁ, ନା, ଘାଟକୁ । ଏବେ କୋଉ କୁଳକୁ ନୁହେଁ । ବାପ ଘରର ଝିଅ ବି ନୁହେଁ. . . । କାରଣ, ବାପା ଭୟଙ୍କର ଭାବେ ରାଗି, ତାଙ୍କର ଆଶା ପଳାତିକା କିମ୍ୱା ଅପହୃତା ବୋଲି, ଥାନାରେ ରିପୋର୍ଟ କରିନାହାନ୍ତି । ଖବର କାଗଜମାନଙ୍କରେ ଏକା ପ୍ରକାର ବିଜ୍ଞାପନଟିଏ ଛପାଇଛନ୍ତି-
” . . ମା’ ଆଶା ! ହୃଦୟପୂର୍ଣ୍ଣ ଅଭିଶାପ ନେବୁ । ଠାକୁରଙ୍କୁ ପ୍ରାର୍ଥନା କରୁଛି- ଯଦି ତୁ କେବେ ଥାପଡ଼ ଖାଇ ଲଜ୍ଜାହୀନା ହୋଇ, ଏ ଘରକୁ ଫେରି ଆସିବାକୁ ବାଧ୍ୟ ହେଉ, ତା’ ପୂର୍ବରୁ ସେ ଦୟାମୟ କେମିତି କେମିତି ମୋତେ କାହା ଦ୍ୱାରା ଜଣାଇ ଦେବେ । ତୋ ମୁହଁ ଦେଖିବା ଆଗରୁ. . . ମୁଁ ଦେହ ହତ୍ୟା କରିବି । କୋଡ଼ିଏ ବର୍ଷ କାଳ ତୋ ପ୍ରତି ଭଲ ବାପ ଜଣଙ୍କର ଯେଉଁ ନିଷ୍କପଟ ସ୍ନେହ ଅଜାଡ଼ିଥିଲି. . . ତାହାର ପ୍ରତି ବଦଳରେ, ମୋତେ ଏତିକି ଦୟା କରିବୁ. . . ଯେମିତି ମୁଁ ଦେହହତ୍ୟା ପରି ମହାପାପ ନ କରେ. . . । ଇତି, ତୋର ନିର୍ଲଜ୍ଜ ବାପା- ରାଧାଶ୍ୟାମ ରାୟ ।”
. . . ବନ୍ୟା ! ଏବେ ମୁଁ ବାପ ଘରର ଝିଅ ନୁହେଁ କି ଶାଶୁଘରର ବୋହୂ । ସ୍ୱାମୀ ସ୍ତ୍ରୀର ସମ୍ପର୍କ କେବଳ ଦେହର ନୁହେଁ. . . ଆତ୍ମାର । ଏ ଦୃଷ୍ଟିରୁ ତୋ ବନାଭାଇ ଓ ମୁଁ. . . ପୃଥକ୍ । କାରଣ ସ୍ୱାର୍ଥପର ଛଳନାଟିଏ ଆମକୁ ଯୋଡ଼ିଛି । ସ୍ତ୍ରୀର ସୁରକ୍ଷା ଯଦି ସ୍ୱାମୀର କର୍ତ୍ତବ୍ୟ. . . ସେ ଦିଗରୁ ମୁଁ ଉପହସିତା । କାରଣ, ଭୀରୁ ବନା ଏବେ- ପଳାତକ । ଆତ୍ମ ଗୋପନକାରୀ କାପୁରୁଷ । ମୁଁ ଅନାଥିନୀ ! ସ୍ୱାମୀ ଥାଇ ବିଧବା କିମ୍ୱା ସାମାଜିକ ସ୍ୱୀକୃତିରେ ବିବାହ ନ କରି, କୁଳଟା । ଫେସ୍ବୁକ୍ ପ୍ରଭାବରେ ବାୟାଣୀ ହେଇ ମୋବାଇଲ୍ ଫୋନ୍ରେ ଲୋଟୁଥିବା, ସଂସ୍କାରହୀନା ସ୍ୱୈରାଚାରିଣୀ, ପାଗଳିନୀ ମୁଁ. . . ସୁସ୍ଥ ସମାଜ ପାଇଁ ଅଭିଶାପ ମୁଁ । ମୋତେ ଗଢୁଥିବା ସମସ୍ତଙ୍କ ମୁହଁରେ କଳଙ୍କ ବୋଳି. . . ନିଜ କ୍ଷୁଦ୍ର ବୁଦ୍ଧିକୁ ବଡ଼ ଭାବି. . . ଏବେ ମୁଁ ଦିଗହରା ଡଙ୍ଗାଟିଏ. . . ଅଥଳ ସମୁଦ୍ରରେ । କି ଦମ୍ଭରେ, କେଉଁ ପ୍ରକାର ମର୍ଯ୍ୟାଦାର ସୁରକ୍ଷା ପାଇଁ… କି ପ୍ରକାର ଅଭିଯୋଗ ଲେଖାଇପାରିବି, କାହା ବିରୁଦ୍ଧରେ ?
– ପୁଣି ? କ’ଣ କରିବୁ ? ବନ୍ୟା ପଚାରିଲା ।
. . . ଶାଢ଼ୀଟାଏ ତ ଦେହରେ ଅଛି । ଆଜି ରାତିଟା ମୋ ପାଇଁ ପାହିବାକୁ ଦେବିନି ।
– ନାଇଁ, ଆଶା, ନାଇଁ । ତୁ ସେମିତି କରିପାରିବୁ ନାହିଁ । ତୋତେ ଠକାମି, ଅନ୍ୟାୟ ଓ ଅନ୍ଧସ୍ୱାର୍ଥ ବିରୁଦ୍ଧରେ ଲଢ଼ିବାକୁ ପଡ଼ିବ । ଆ’ ମୋ ସାଙ୍ଗରେ । ଗାଡ଼ି ପାଖକୁ ଚାଲ୍ । ତୋ ସାଙ୍ଗରେ ମୁଁ ଅଛି, ନା ? ଡରୁଛୁ କି ! ବନାଭାଇଙ୍କ ପରି ସମାଜବ୍ରଣଙ୍କୁ ନିପାତ୍ କରିବାକୁ ହେବ ! ତୁ ଅଭିଯୋଗ ନ ଲେଖିଲେ, “ନ୍ୟାୟ” ଅନ୍ୟାୟ ପାଖରେ ମୁହଁ ଲୁଚାଇବ । ଆ. . . ।
ଆଶା କହିଲା- କି ନ୍ୟାୟ ପାଇବି ବନ୍ୟା ?
ଯେଉଁ ଅନ୍ୟାୟ ଘଟିଛି. . . ମୁଁ ତା’ର ଅଂଶୀଦାର, କି ନୁହେଁ ? ମୋ ଅଜାଣତରେ, ପରିବାର ପ୍ରତି, ସମାଜ ପ୍ରତି ଅନ୍ୟାୟର ଈଶ୍ୱର ଦଣ୍ଡ ମୋତେ ଯେତିକି ମିଳିଛି, ସେତିକିରେ ମୁଁ ଜୀବନ ହାରିବାକୁ ପ୍ରସ୍ତୁତ ହୋଇ ସାରିଲିଣି । ଈଶ୍ୱରଙ୍କଠୁ ବଡ଼ କେହି ଅଛନ୍ତି ଯେ. . . ତାଙ୍କ ଦରବାରରୁ ଦଣ୍ଡ ମିଳିସାରିଲା ପରେ, କାହାକୁ ଅପେକ୍ଷା କରି, ବଞ୍ଚିରହିବି ?
ବନ୍ୟା ତାଜୁବ ! ! !
ଆତ୍ମଗ୍ଲାନିର ଶିକାର ହେଲେ, ଜୀବନ ସହିତ । ସେ କାନ୍ଦି କାନ୍ଦି କଳା ପଡ଼ିସାରିଥିଲେ । ସେ ତାଙ୍କ ମୁଣ୍ଡରୁ ସିନ୍ଦୂର ପୋଛି ଦେଇଥିଲେ । ତାଙ୍କ ବିଚାରରେ- ସ୍ୱାମୀ ଯଦି ସ୍ତ୍ରୀର ସିନ୍ଦୂର ଆଉ କାହା ସୁନ୍ଥାରେ ଭରିଦିଏ, ତାଙ୍କ ପାଇଁ ଆଉ ରହିଲା କ’ଣ ? ସିନ୍ଦୂର ତ ସଧବାର ପ୍ରତୀକ. . . ବିଶ୍ୱାସର ସ୍ୱୀକୃତି ।
କି ସଧବା ସିଏ. . . କି ବିଶ୍ୱାସ ତାଙ୍କର- ସ୍ୱାମୀ ପ୍ରତି ।
ଏତେ ଅଭିମାନ କରିଛନ୍ତି ଯେ. . . ହାତର ଶଙ୍ଖା ଭାଙ୍ଗି ଦେଇଛନ୍ତି । ପାଦର ଝୁଣ୍ଟିଆ ଫୋପାଡ଼ି ଦେଇଛନ୍ତି । ପାଢ଼ୀ ନଥିବା ଧଳା ଧୋତିଟିଏ ପିନ୍ଧିଛନ୍ତି. . . ବ୍ରାହ୍ମଣୀ ବିଧବା ପରି । ସଧବା ଥାଇ, ବୈଧବ୍ୟର ଅସମୟ ନିରାସକ୍ତି. . . ଅଜାଡ଼ି ହୋଇପଡ଼ିଛି- ଦେହ ଉପରେ, ମନ ଭିତରେ ।
ତାଙ୍କୁ ଦେଖି, ଦୃଢ଼ମନା ବନ୍ୟା ଅଥୟ ହୋଇ କାନ୍ଦି ପକାଇଲା ନିଃଶବ୍ଦରେ । କେବଳ କହିଲା- “ଭା- ଉ- ଜ !”
ସାନପିଲାଟା ଜୀବନ. . . ନିରୀହ ଦୃଷ୍ଟିରେ ବାରମ୍ୱାର ଚାହୁଁଥାଏ ଆଶା ଓ ବନ୍ୟାଙ୍କୁ । ଶୀଲାର ଲୁହ ଆଡ଼େ ଚାହିଁ କହୁଥାଏ- “ବୋଉ, କାହିଁକି କାନ୍ଦୁଛୁ ? ତୋର କ’ଣ ହେଇଛି ? ହାତରୁ କାଚ ଭାଙ୍ଗି ଦେଲୁ କାହିଁକି ? କାହିଁକି ଧଳା ଧୋତି ପିନ୍ଧିଲୁ ? ଏ ମାଉସୀ କିଏ ? ଆମ ଘରକୁ କାହିଁକି ଆସିଛନ୍ତି ? କାଲି ରାତିଠୁ ୟା’ଙ୍କୁ ଦେଖି ବେଶୀ ବେଶୀ କାନ୍ଦୁଛୁ କାହିଁକି ବୋଉ ?”
ପୁଅର ପ୍ରଶ୍ନରେ ଶୀଲାର ଲୁହ ଆହୁରି ପ୍ରଖର ହୋଇ ଝରିଲା ।
ଜୀବନ ପଚାରିଲା ଆଶାକୁ- “ଏ ମାଉସୀ ! ତମେ ବି କାନ୍ଦୁଛ କାହିଁକି ?”
ପିଲାଙ୍କ ପରି କଇଁକଇଁ ହୋଇ କାନ୍ଦି କାନ୍ଦି, ଆଶା ତାକୁ କୋଳକୁ ତୋଳି ନେଲା । ତା’ ମାଉସୀ ଡାକରେ କି ଅମୃତ ଲୁଚି ରହିଥିଲା କେଜାଣି. . . ଛାତରେ ବସିପଡ଼ି, ତାକୁ ଛାତିରେ ଚାପି ଧରିଲା ସେ । ସେହି ସ୍ନେହମୟୀ ଦୁଃଖିନୀଟା ହୃଦୟରୁ ଗୋଟିଏ ପରିପୂର୍ଣ୍ଣ ମା’ର ସ୍ନେହ ଅଜାଡ଼ି ହୋଇପଡ଼ିଲା- ଲୁହର ରୂପ ନେଇ. . . ଧାର ଧାର ହୋଇ, ଜୀବନର ନୁଖୁରା ମୁଣ୍ଡର କେଶ ଉପରେ ।
ତା’ ଲୁହ, ତା’ ସ୍ପର୍ଶ, ତା’ କୋହ- ଉଚ୍ଛୁଳା- ଛାତିର କମ୍ପନ. . . କେମିତି ଗୋଟେ ପିଲାଙ୍କ ମନ ବୁଝିଲା ପରି, ସନ୍ତାନ ମନ ଚହଲିଗଲା ପରି, ଚୁପ୍ଚାପ୍ ସମ୍ପର୍କଟିଏ ଗଢ଼ିଦେଲା ।
କୋଳରୁ ଉଠି ସାମ୍ନାରେ ଆଣ୍ଠେଇପଡ଼ି, ଆଶା ଆଖିରୁ ଲୁହ ପୋଛି ଦେଲା ଜୀବନ । ଧୀରେ କହିଲା- “ମାଉସୀ ! ମୁଁ ବୋଉର ଲୁହ ପୋଛିଲେ, ସେ ବେଶୀ ବେଶୀ କାନ୍ଦୁଛି । ତୁମେ ପୋଛିଦିଅ. . . ନା !”
ଆଶା ଚାହିଁଲା ଶୀଲାକୁ. . . ଶୀଲା ଆଶାକୁ । ଚାରିଟା ଆଖିରୁ କେରା କେରା ଲୁହ ଅଥୟ ହୋଇ ଝରିଲେ । ଝରିଚାଲିଲେ. . . ।
କିଏ କାହା ଲୁହ ପୋଛିଦେବ ? କିଏ କାହାକୁ ସାନ୍ତ୍ୱନା ଦେବ ?
ସେ ଲୁହ ଏତେ ଅଥୟ କରିଦେଲା ଯେ. . . ଆଶା ଓ ଶୀଲା ପରସ୍ପରକୁ ଜାବୁଡ଼ି ଧରି, ଦୁହେଁ ଦୁହିଁଙ୍କ ଛାତିର ଯନ୍ତ୍ରଣାକୁ ଧୋଇଚାଲିଲେ- ସେଇ ତାତିଲା ଲୁହରେ. . . ଅନେକ ସମୟ ପର୍ଯ୍ୟନ୍ତ । ଦୁହେଁ ଦୁହିଁଙ୍କ ଯନ୍ତ୍ରଣାକୁ ବୁଝୁଥିଲେ ।
ଏହା ପରେ ଆଉ ଏକ ବିସ୍ମୟ ।
ବନା ପିନ୍ଧାଇଥିବା ନାଲି ପାଣିକାଚ ଦୁଇମୁଠା, ହାତରୁ ଓହ୍ଲାଇ ଫିଙ୍ଗିଦେଲା ଆଶା . . . ରାଧାଚୂଡ଼ା ଗଛ ଉପରକୁ । କଟକ ଚଣ୍ଡୀଙ୍କ ସିନ୍ଦୂର ରେଖା ଓ ଟୋପାକୁ. . . ପୋଛି ଦେଲା ସୂନ୍ଥା ଓ କପାଳରୁ । ସେ ସାରାଜୀବନ ଶୀଲାପରି ବିଧବା ବେଶରେ ରହିବାକୁ ଦୃଢ଼ ନିଷ୍ପତ୍ତିଟିଏ ଗ୍ରହଣ କରିନେଲା ।
. . . ଭାରତୀୟା ନାରୀର. . . ପରିସ୍ଥିତି ସହ ସାଲିସ୍ କରିନେବାର ଯେଉଁ ପରମ୍ପରା. . . ତା’ ମୁହଁକୁ ଏ ଦୁହେଁ ଛେପ ପକାଇ ଦେଲେ । ନିଜ ଶକ୍ତି ଉପରେ ଭରସା କରି, ସ୍ୱତନ୍ତ୍ର ଢଙ୍ଗରେ ଜୀବନ ଜୀଇଁବାର ଅଦ୍ଭୁତ ସଂକଳ୍ପଟା ଦୃଢ଼ ହୋଇସାରିଥିଲା- ଏହି ବିଶାଳ ହୃଦୟା ନାରୀ ଦୁଇଟିଙ୍କ ଛାତିରେ । ତାଙ୍କ ପାଇଁ ପୁରୁଷର କଣ୍ଢେଇ ହେବା ବନ୍ଦ. . . ସବୁଦିନକୁ !
ସେମାନେ ଜୀବନର ଦୁଇ ହାତକୁ ଦୁଇ ପାର୍ଶ୍ୱରୁ ଧରିଲେ. . . ।
ଛାତ ଉପରୁ, ଧୀରେ ଧୀରେ ଓହ୍ଲାଇ ଆସିଲେ ଛାତ ତଳକୁ ।
ବନ୍ୟା ଦେଖୁଥିଲା- ପରିସ୍ଥିତିର ରଡ଼ନିଆଁ ଶିଖାରେ ଜଳୁଥିବା ଛାତି ଦୁଇଟାର ଜ୍ୱାଳାକୁ. . . କେଡ଼େ ସହଜରେ ଲିଭାଇ ଦେଇଛି । ସାନ ଛୁଆଟା ! !
ଏବେ ତ. . . ଏ ମାଟିହାଣ୍ଡି ଦୁଇଟା ଖପରା ନୁହଁନ୍ତି ! !