ଗଳ୍ପ

ନିଦାଘର ଅଭିଶାପ

Gagan Bihari Naik's odia story Nidaaghara Abhishaap

ତେଣୁ ସେ ସାଧୁଙ୍କ ସାନିଗ୍ଧତା ପାଇବା ଆଶାରେ ଦିନ ରାତି ସାଧୁ ସତ୍କାର କରିବାରେ ଲାଗିଲେ । ଏମିତିକି ଦିନେ ଏକାନ୍ତରେ ଛୁଆ ହେବା ଆଶା ଦେଇ ସାଧୁ ମାଳତୀକୁ ବଳତ୍କାର କଲେ ।

ନିଦାଘର ଅଭିଶାପ

ବିବର୍ଣ୍ଣ ଦିଶୁଛି ପୃଥିବି । ବଦଳି ଯାଇଛି ତା’ କାୟା । ଜଳୁଛି ଜଙ୍ଗଲଟା ସାରା,ନିଦାଘର କୃର ଅଭିଶାପେ । ପୃଥିବୀରୁ ହଜି ଯାଇଛି ଶୀତଳ । ସବୁଜ ବଳୟ ନଷ୍ଟ । ଆଁ’ କରି ପାକୁଆ ପାଟିରେ ଚାହିଁ ରହିଛି ଫଟା ଭୁଇଁ, ଆଶା କରି ଆକାଶର ବର୍ଷା ବିନ୍ଦୁରୁ ଟୋପାଏ । ମେଣ୍ଟାଇବାକୁ ଅଦ୍ୟମ ପିପାସା । ଜରାଜୀର୍ଣ୍ଣ ଶିଥିଳ ଦେହଟା ଖୋଜୁଛି ସତେକି ମୃତ୍ୟୁ କାଳିନ ତମ୍ବା-ତୁଳସୀ । ବୃକ୍ଷ ଶାଖା ପତ୍ରଝଡା ଦେଇ ମୁକୁଳା ଦେହକୁ ଦେଖେଇ ତା’ ଛାତିରେ ଦଣ୍ଡାୟମାନ । ନାହିଁ ସେ ଜଙ୍ଗଲର ସବୁଜିମା ଆଉ । ନାହିଁ ସେ’ ଫଗୁଣର ଆବେଗ, ଲେଖିବାକୁ ସବୁଜ ପତରେ ବାସନ୍ତୀ ଚିଟାଉ ।

ପାଟ ପୁର ଗାଁ’ । ସେଇ ଗାଁ’ର ଦୁଇଟି ମଣିଷ – ବରଜୁ ଓ ବାସନ୍ତୀ । ଏଇ ଗାଁ’ ମାଟିକୁ ଆପଣାର କରି ପଡି ରହିଛନ୍ତି, କେଉଁ କାଳୁ । ଭିଟା ମାଟିର ମୋହ ଜାବୁଡି ଧରିଛି । ଏଇ ମା’ ମାଟି ତାଙ୍କର ମାଟିର ବୈକୁଣ୍ଠ । ମମତା ଭରା ଆଶ୍ରୟର କୋଳ । କେତେକେ ପୂର୍ବ ପୁରୁଷ ଚାଲିଗଲେଣି ହେଲେ ତାଙ୍କର ବଂଶର ସ୍ଵାକ୍ଷର ବହନ କରି, ତାଙ୍କର ଉତ୍ତର ଦାୟାଦ ହୋଇ ରହିଛନ୍ତି- ବରଜୁ ଓ ବାସନ୍ତୀ । ଦାରିଦ୍ର, ଅଭାବ ଅନାଟନ,ଭିତରେ ଆଖି ଲୁହ ପିଇ ବଞ୍ଚିବାର ସ୍ଵାଦୁ ଚାଖି ଛନ୍ତି ସେମାନେ । ବାଛି ନେଇଛନ୍ତି ପ୍ରକୃତି ସହିତ ସଂଘର୍ଷ କରି ବଞ୍ଚିବାର ମୂଳମନ୍ତ୍ର । କର୍ମ ଜୀବନର ଏକାନ୍ତ ମୂଳ ତତ୍ତ୍ଵକୁ ଶେଷ ସିଦ୍ଧାନ୍ତ ରୂପେ ପରୀକ୍ଷା କରିଛନ୍ତି, ଦୁହେଁ । ଏଇ ଜଙ୍ଗଲ ଘେରା ଗାଁ’ ରୂପ ବଦଳାଏ – ବର୍ଷାରେ । ଢାଳି ଦିଏ ଅବିଶ୍ରାନ୍ତ ଜଳଧାରା । ଶ୍ରାବଣୀ ନାଚେ ଅଣାୟତେ ମୁକୁଳା ଜଙ୍ଗଲ ଛାତିରେ, ହଜାଇ ତା’ ପାଦର ପାଉଁଜୀ । ବିରହର କ୍ଳାନ୍ତ ମନ ନେଇ ମେଘ ମହ୍ଲାର ସ୍ଵାଗତ କରୁ ଥାଏ ବାରମ୍ବାର ବିରହୀ ଶ୍ରାବଣୀ ଆଖିରୁ ପୋଛିଦେବାକୁ ଅଭିସାର ଅଶ୍ରୁ । କିନ୍ତୁ, ଶ୍ରାବଣୀର ବିରହ ଅଶ୍ରୁ ପୂର୍ଣ୍ଣ ଆଖିରୁ ଅବିରତ ଝରା ବର୍ଷା ବିନ୍ଦୁରେ ପ୍ଳାବିତ ହେଇଯାଇଥାଏ – ଜଙ୍ଗଲ ଓ ପାଟପୁର ଗାଁ ।

ଶୀତ ଆସେ, ମାଘ ମାସ କାକର ବିନ୍ଦୁରେ ସାରା ଜଙ୍ଗଲରେ ଲାଗିଯାଏ ମୂକ୍ତାର ଆସର । କାଶତଣ୍ଡି ଓ କିଆ ଫୁଲ ବାସ୍ନାରେ ସରସତା ଭରେ ଶରତ-ସକାଳ । ବସନ୍ତ ଭରିଦିଏ ମାଦକତା, ଚିର ଚଞ୍ଚଳ ହୋଇ ଉଠେ ଧରା । ପଲ୍ଲବିତ ତରୂ ଶାଖାରେ ନୀଳ ନୀଳିମାର ବର୍ଣ୍ଣାଳୀ । ସେଇ ନୀଳସ୍ଵପ୍ନକୁ ନେଇ କଳୀ ହୋଇ ଉଠେ ମାତୂଆଲା । ନୂଆ ଫୁଲରୁ ଶୋଷିଣିଏ ମହୂ, ବୁଣେ ଦିଏ ପରାଗ ରେଣୁ ।

ହେଲେ, ନିଦାଘ ଏଠି ଠିଆ ହୁଏ ରୂକ୍ଷ ରୂପ ନେଇ ତା’ର । ଜାଳିଦିଏ ଦେଇ କୃର ଅଭିଶାପ । ବଦଳି ଯାଏ ପ୍ରକୃତି ନିୟମ । ବଦଳନ୍ତି ନାହିଁ-ବରଜୁ ଓ ବାସନ୍ତୀ । ଏବେ ଖରା ଦିନ ଆସିଛି । ପାଣି ପାଇଁ ଯିବାକୁ ପଡୁଛି ତିନି ମାଇଲି ଦୂର । ଜଳକ୍ଳିଷ୍ଟରେ ପ୍ରପୀଡିତ ଗାଁ’ ସାରା । ପ୍ରଖର ରୌଦ୍ର ତାପରେ ଜଳି ଯାଏ ତରୂ ତୃଣ । ଜଳକ୍ଳିଷ୍ଟକୁ ଆଖି ଆଗରେ ରଖି ସରକାର ନଦୀ ବନ୍ଧ ଯୋଜନାରେ ଆଡୀ-ବନ୍ଧ କରି ପାହଡର ପାଣି ଅଟକେଇ ବର୍ଷ ସାରା ଫସଲ ଓ ପାହାଡୀ ଅଞ୍ଚଳର ଦୁର୍ଦ୍ଧଶାକୁ ଲାଘବ କରିବାର ପ୍ରୟାସ ରଖି ଆରମ୍ଭ କରି ଥିଲେ । କାମ ପୁରା ହେବା ଆଗରୁ ଅଂଶୁଘାତରେ ଟଳି ପଡିଲେ ଦୁଇ ଦୁଇଜଣ ଶ୍ରମିକ । ସେଇ ଶ୍ରମିକ ଭିତରୁ ବାଉରୀବନ୍ଧୁ ଜଣେ । ଯାହାର ଦୁନିଆଁରେ କେହି ନ ଥିଲେ ଆଉ ଥିଲା ଯିଏ ସିଏ ସାତପର ହେଇଗଲା । ବିଚରା ବାଉରୀ ସତୁରୀ ବର୍ଷ ବୟସରେ ବି ଯୁବକମାନଙ୍କୁ ପଛରେ ପକେଇ ଖଟିବାରେ ଆଗ । କେଉଁ କାମରେ ହାରେନା ସେ । ଅନେକ ଶ୍ରମିକ ମାନଙ୍କୁ ସେ ମନ ଦେଇ ଭଲ ପାଏ, ହସିବା ଛଳରେ କହେ, ଆମେ ସବୁ ପାପୀ ବୋଲି ପାଠ ଶାଠ ନ ପଢି ଏମିତି ଯମ ଯନ୍ତ୍ରଣା ଭୋଗୁଚେ । ଦେଖୁ ନାହଁ ସେ’ ଅବଧାନ ଘର ପୁଅ ବୋହୂଙ୍କୁ, ଆସୁଛନ୍ତି ଯେତେବେଳେ ଆଖିରେ ଚଷମା ଉଚ୍ଚ ଗୋଇଠିଆ ଚପଲ ଆଉ ଗଞ୍ଜି-ଜିନ ପେଣ୍ଟ ପିନ୍ଧା ସିନେମା ଷ୍ଟାଇଲି । କିଛି ନ ଥିଲା, ଖାଇବାକୁ ପାଉନ ଥିଲେ ଏବେ ଦେଖ – । ଦେଖିକି ଶିଖ, ସେଇମାନେ ଆଜିର ଯୁଗରେ ଅସଲି ଭଗବାନ । ଯେଉଁମାନେ ଆକାଶରେ ଉଡନ୍ତି, ସାଗରେ ବୁଡନ୍ତି ଆଉ ଯୁଆଡେ ଚାହିଲେ ଗାଡିରେ ଗଲେ । ଆମେ ତାଙ୍କ ହାତକୁ ଅନେଇଁ ରହିଚେ, ସିଏ ଲକ୍ଷ୍ମୀ ଭଳି ଯାହା ଦେଲେ ଖାଇବା । ଆମେ ତୁଚ୍ଛାରେ ଲକ୍ଷ୍ମୀ ପୂଜିଲେ କ’ଣ ହେବ । ପାଠରେ ଅସଲି ଲକ୍ଷ୍ମୀ ଅଛନ୍ତି ବୋଲି ବଡ ଯୁକ୍ତିକରେ ବାଉରୀ ବନ୍ଧୁ । ସେମାନେ ଆଜି ପାଠ ନ ପଢି ଖରାରେ ଦହଗଞ୍ଜ ହେବ କଥା କହେ । ସେତେବେଳେ ଏତେ ଖରା ନଥିଲା, ଆଜି ଏତେ ଖରା ହେବାର କାରଣ ଆମ ସଂସ୍କୃତିରେ ଥିବା ଅନ୍ଧ ପୂଜା-ପଦ୍ଧତିକୁ ସେ ଦାୟୀ କରେ । ଦାୟୀ ଶିଲ୍ପପତି ଓ ଉଦ୍ୟୋଗପତି, ଯେଉଁମାନେ ପବନରେ ଭରି ଦେଉଛନ୍ତି ଜୀବନ ନେବା ବିଷ ଧୂଆଁ, ନିଜେ ବଡ ହେବା ଆଶାରେ ସମଗ୍ର ଜୀବଜଗତର ଅନିଷ୍ଟ କରିବାସନ୍ତି । ଏପରିକି କିଛି ଅପସଂସ୍କୃତିକୁ ଏ ଅନ୍ଧ ମଣିଷ ଆପଣେଇ କିମିତି ଦେଶ ଧ୍ଵଂସାଭିମୁଖୀ ହେବାକୀ ଯାଉଛି, ତାହାର ଉଦାହରଣ ଦେଇ ସେ’ ଅନେକ ବୁଝାଏ । କିଏ ଜାଣେ, ସେଇ ଲୋକଟି ଉପରେ ପ୍ରକୃତି ଦାଉ ସାଧିବ । ଅନ୍ୟକୁ ଠିକ୍ ରାସ୍ତା ଦେଖାଉଥିବା ବାଉରୀ ବନ୍ଧୁ ଜୀବନାକାଶରେ ଦିନେ ଘୋଟି ଆସିଲା ଅଦିନିଆଁ କଳା-ମେଘ । ସେ’ ଅଂଶୁଘାତରେ ଟଳି ପଡିଲା । ସେଇ ଦିନ ବାଉରୀବନ୍ଧୁ କୁ ଦୁନିଆଁ ଜାଣିଲା । ବରଜୁ କହି ଚାଲିଥିଲା ବାସନ୍ତିକୁ ବାଉରୀ ବନ୍ଧୁ କଥା ।

ବାଉରୀବନ୍ଧୁ ଯେତେବେଳେ ଜୁଆନ ଭେଣ୍ଡିଆ, ସେତେବେଳେ ମା’ ବାପର ଗୋଟିଏ ପୁଅକୁ ଶୀଘ୍ର ବାହା କରି ଦେଇଥିଲେ । ବୋହୁଟି ଥିଲା ଅପରୂପା ଅପସରୀ ଟିଏ । ନା’ ଥିଲା ମାଳତୀ । ମାଳତୀର ଭୁରୁ ଭୁରୁ ବାସ୍ନାରେ ବାଉରୀବନ୍ଧୁର ହୃଦୟ ଅଗଣା ଭରି ଯାଇଥିଲା । ସେ ଖୁବ୍ ଭଲ ପାଉଥିଲା ମାଳତୀକୁ । ଆଉ ମାଳତୀ ବାଉରୀବନ୍ଧୁର କଳା ମଚମଚ ଦେହକୁ ତାରିଫ କରି, ଯୋଡିଡିଏ କାଳିଆ ଠାକୁର ସହିତ । କହେ ସେ’ ତା’ର କୁଆଡେ କଳଠାକୁର ପରମେଶ୍ଵର ଇହ ପରକାଳର ଦେବତା । ଦିନେ ବିଚ୍ଛେଦ ସହିପାରେନା ସେ । ହେଲେ ଧର୍ମର ଧ୍ଵଜାଧାରୀ ଜଣେ ସାଧୁ ଆସି ପହଞ୍ଚିଲେ ତା’ ଘରେ । ସାଧୁଙ୍କୁ ସତ୍କାର କରି ନିଜକୁ ଅନ୍ଧ ଆଧ୍ୟାତ୍ମିକ-ପ୍ରେମରେ ହଜେଇ ଦେଲା ମାଳତୀ । କାରଣ ବିବାହ ଚାରି ବର୍ଷ ପରେ ତା’ କୋଳରେ କଅଁଳ ଛୁଆଟିଏ ନ ଥିଲା । ଯେଉଁଠି ଛୁଆଟିଏ ପାଇଁ ଈଶ୍ଵର ବିଶ୍ୱାସର ଡୋର ଓ ଆସ୍ଥା, ସେ ବିଶ୍ୱାସକୁ ମାଳତୀ କିମିତି ହାତ ଛଡା କରିଥା’ନ୍ତା । ତେଣୁ ସେ ସାଧୁଙ୍କ ସାନିଗ୍ଧତା ପାଇବା ଆଶାରେ ଦିନ ରାତି ସାଧୁ ସତ୍କାର କରିବାରେ ଲାଗିଲେ । ଏମିତିକି ଦିନେ ଏକାନ୍ତରେ ଛୁଆ ହେବା ଆଶା ଦେଇ ସାଧୁ ମାଳତୀକୁ ବଳତ୍କାର କଲେ । ଏକଥା କାହାକୁ କହିଲେ- ଈଶ୍ଵର ଦ୍ରୋହୀ ହେବାର ଭୟଭୀତ କରେଇଲେ । ଏ କଥା ସର୍ବ ସାଧାରଣରେ ଧରା ପଡିଯିବ ବୋଲି ଅପରୂପା ମାଳତୀକୁ ହରଣଚାଳ କରି ନେଇଗଲେ । ଧର୍ମ ଆଳରେ ଏମିତି ଘୃଣ୍ୟକାମକୁ ସେ’ ସହ୍ୟ କରି ପାରି ନଥିଲା ଆଉ ସାରା ଜୀବନ ମାଳତୀକୁ ହରେଇ କୁଆଁରା ହେଇ ରହିଗଲା । ମନକୁ ବେଳେ ବେଳେ ବୁଝାଏ ଓ ମନକୁ ଶାନ୍ତ୍ଵନା ଦେଇ ଅମାନିଆଁ ଦୁଃଖକୁ ହୃଦୟର ଅଣାୟତ କୋଠରୀରେ ବନ୍ଦ କରି କୃତତିମ ହସ ଧାରେ ଗାଇ ଉଠେ – “ଯାହାକୁ ତୁ ବାହା ହେଲୁ ଶାଢୀ ଶଙ୍ଖା ଦେଇରେ…. ସେଇ ତୋତେ ଖାଉଥିବ ଯୋଗ୍ନୀ ରୂପ ହୋଇରେ ….”। କେହି ବୁଝି ପାରନ୍ତିନି । ମରମ କଥାକୁ ମରମେ ଅନୁଭବ କରେ ବାଉରୀ । ହତୋତ୍ସାହର ଦୀର୍ଘ ନିଶ୍ଵାସ ବାହାରି ଆସେ । ମନକୁ ପ୍ରୋବୋଧନା ଦେବାକୁ ଯାଇ ଏକାନ୍ତରେ ଗଛ ମୂଳେ ବସି ଲୁହ ଗଡାଏ । ଈଶ୍ଵର ବାଦ ଉପରେ ଆସ୍ଥା ହରା ହୁଏ । ନାସ୍ତିକ ହୋଇ କହି ଉଠେ – ବାବାଜୀର ମୁଣ୍ଡଟାକୁ କାଟି ଫୁଟବଲ କରି ଖେଳିବାକୁ ବାଉରୀବନ୍ଧୁ । ହେଲେ ଧର୍ମ ଦ୍ରୋହ ଅପରାଧୀ ହେବାକୁ ଇଚ୍ଛା କରେନି । ସେ କହେ-“ହଁ , ମୋ ଥାଳୀରେ ଯଦି ଖାଇବାକୁ ବାବାଜୀର ଇଚ୍ଛା ଥିଲା । ହେଲେ ହେଲା – । ଯାହାକୁ ଯେମିତି ବାସିଲା….”ଢଗଟିକୁ ମାରି ଚୁପ୍ ରହିଯାଏ, ତା’ ମନ ତୁଟି ଯାଏ ଅନ୍ଧ-ଆଧ୍ୟାତ୍ମିକ ବାଦ ଉପରୁ, ସେ’ ନିଜ ଅଶାନ୍ତି ମନକୁ ସାନ୍ତ୍ୱନା ଦେବାକୁ ଯାଇ ଭାବେ, ଚାଟଶାଳୀ ଘରେ ଅବଧାନେ ପ୍ରାର୍ଥନାରେ ଶିଖଉଥିଲେ- “ମୋତେ ଏତକୀ ଶିଖାଅ ସାଇଁ ହେ ! ମୋର ଧନ ଜନ ଲୋଡା ନାହିଁ ହେ !” କ’ଣ ଆଣିଥିଲିଯେ, ଦୁଃଖ କରିବି । ସବୁ ଅଳୀକ । ଉଠି ଚାଲି ଯାଏ ବହୁତ ଦୂରକୁ ସେ । ନିରୋଳାରେ ବସି ସମୀକ୍ଷା କରେ, ସତରେ ଧର୍ମର ଧ୍ଵଜାଧାରୀ ମାନଙ୍କର କେଡେ ସ୍ଵେଚ୍ଛାଚାର ଓ ସ୍ଵାର୍ଥପର ନିତୀ । ଆମର ଧନଜନ ଲୋଡା ନାହିଁ ଶିଖେଇ ଅନ୍ୟର ସ୍ତ୍ରୀକୁ ଅପହରଣର ନାଟକ ରଚନା କରନ୍ତି, ଅବାସ୍ତବକୁ ବାସ୍ତବତାର ବିଶ୍ଵାସ ଦେଇ ନିରୀହ ମାନଙ୍କୁ ଠକି ଚାଲିଛନ୍ତି । ସଂସାରର ବାଉରୀ ଭଳି ନିରୀହ ଲୋକଟିକୁ କେମିତି ଭଣ୍ଡନ୍ତି । ସଂସ୍କୃତିର ବାର୍ତ୍ତାବହ, ସଂସ୍କାରର ପିତାମହ ଏଇ ସାଧୁ ସନ୍ୟାସୀ ମାନଙ୍କର ହୃଦୟରେ ଏତେ ଘୃଣ୍ୟ ଚିନ୍ତାଧାରା । ଯାହାଙ୍କ ଦଲାଲୀରେ ଠକନ୍ତି ଏଇ ବାଉରୀବନ୍ଧୁ ଭଳି ନିରୀହ ଓ ଅନ୍ଧ-ଧର୍ମ-ବିଶ୍ଵାସୀ ଲୋକେ । ଜାଳନ୍ତି ଏମାନେ ଠିକ୍ ନିଦାଘର ଖରା ଭଳି, ଧର୍ମ ସଂସ୍କୃତିରେ ଥିବା ଅନ୍ଧ-ବିଶ୍ଵାସର ଦାବାନଳେ । ଠିକ୍ ସେମିତି ଜଳି ଯାଇଛି ବାଉରୀବନ୍ଧୁର ଜୀବନ, ଆଉ ଆଜି ସେଇ ବାଉରୀ ବନ୍ଧୁର ମୃତ୍ୟୁ ଦେହ ପଡି ରହିଛି । ତା’ର ଆତ୍ମୀୟ ସ୍ଵଜନ ମାନଙ୍କୁ ଖୋଜା ଚାଲିଛି । ଜୀବନର ସମସ୍ତ ଉଦ୍ୟମକୁ ତ୍ୟାଗ କରି ସଂସାରର ମଙ୍ଗଳ କରି ଆସୁଥିବା ବାଉରୀକୁ କୋଳାଗ୍ରତ କରି ନେଇଛି ମା’ ମାଟି । ସେଇ ହିଁ ଆଦରି ଥିଲା ପ୍ରଥମ ସକାଳେ ଏନ୍ତୁଡିଶାଳର ନିଆଁ ଜଳିବା ଆଗରୁ ଆଉ ଆଜି ତା’ର ଶେଷ ଯାତ୍ରାରେ ସେ କେମିତି ଆଖି ବନ୍ଦ କରି ଦେବ । ଶବ ପାଖରେ ମୃତ୍ୟୁ କାଳିନ ଟଙ୍କା ନେବାକୁ ଆସିଛି ତା’ ସ୍ତ୍ରୀ ମାଳତୀ । ସମସ୍ତେ ଦେଖି ନାକ ଟେକିଲେ ହେଲେ କହିବାକୁ କିଏ ଅଛି । ବଞ୍ଚିବା ଅବସ୍ଥାରେ ବାଉରୀ ହାତ ଛାଡି ଚାଲି ଯାଇଥିବା ମାଳତୀ ଅନେକ ଦୁଃଖ କରିଥିଲା ସେଦିନ । ଯାହା ଥିଲା ଲୋକ ଦେଖାଣିଆ । ସମସ୍ତ ଟଙ୍କା ପାଇବା ପରେ ସେ ପୁନଶ୍ଚ ଚାଲି ଯାଇଥିଲା ଆଶ୍ରମ । ଯେଉଁଠି ବା’ବା’ ଥିଲେ ତା’ ପ୍ରେମ-ପ୍ରଣୟ ପ୍ରାର୍ଥୀ । କାମନାର ନିଆଁରେ ଜଳୁଥିବା ବାବାଜୀକୁ ଅଣାୟତ ଶ୍ରାବଣୀ ହୋଇ ମାଳତୀ ଦେଉଥିଲା ପ୍ରେମ ବାରୀ ।

ନଦୀ ବନ୍ଧ ଯୋଜନାରେ ଖୋଳା ଯାଇଥିବା ଟାପୁରେ ଆଉ ଜଳ ନାହିଁ । ଜଳ ଟୋପେ ପାଇଁ ବାସନ୍ତୀ ଯାଏ ତିନି ମାଇଲୀ ଦୂର, ଫେରେ ସୁରୁଜ ମୁଣ୍ଡ ଉପରକୁ ହେଲେ । ଚିରସ୍ରୋତା ଗଙ୍ଗା ଯେଉଁଠି ପ୍ରବାହିତା ସେଠାରେ ଜଳ ସମସ୍ୟା । ତେବେ ପୁଣ୍ୟର ଜଳ କାହା ପାଇଁ, କାହାପାଇଁ ଦାନ କରନ୍ତି ସେ ଏତେ ପୂଣ୍ୟ । କେବଳ ପାପୀ ପାଇଁ, ତେବେ କ’ଣ ପାପଭରା ଭାରତ । ଯେଉଁଠି ଜୀବନ ଧାରଣ ପାଇଁ ଯୁଝିବାକୁ ପଡେ ତପ୍ତ ଝାଞ୍ଜି ଖରା ସହିତ । କିନ୍ତୁ ଈଶ୍ଵର- ଜଳ ସଂରକ୍ଷଣ କରି ଦେଇଥାନ୍ତି ପଇଡ ପାଣି, ଡିମିରୀ ରସ ଓ ଖଜୁରୀ ରସରେ … ଯାହା ମୃଦୁ ପାନୀୟ । ସେଇ ରସ ସେବନ କରି ବଞ୍ଚିବାକୁ ହୁଏ ।

ବାସନ୍ତି ପାଣି ପାଇଁ ଯିବାକୁ ଆଜି ଆଉ ଇଚ୍ଛା ହେଉନି, ବରଜୁ ତା’ ଅସହାୟତାକୁ ଦେଖି ଖୁବ୍ ସହଯୋଗ କରେ । ବାସନ୍ତିର ଟିକେ ସାହସ ଭରା କଥା ଶୁଣିଲେ ବରଜୁ ଲଙ୍କା ଜୟ କରି ବସିଲା ପରି ହୁଏ । ବାସନ୍ତୀ ତା’ ପ୍ରେରଣାର ଉତ୍ସ । ବାସନ୍ତିର ଟିକେ ସ୍ମିତ ହସରେ ବରଜୁ ପ୍ରାଣରେ ଖେଳି ଯାଏ ଶତ-ବସନ୍ତର ଶିହରଣ । ତା ପାଇଁ ସେ ପାହାଡ ଲଙ୍ଘିବାକୁ କିଞ୍ଚିତ୍ ମନେ କରେ । ତେଣୁ ବାସନ୍ତି କଥା ରେ ବରଜୁ ଯାଇଛି ତିନି ମାଇଲୀ ଦୂରରେ ଥିବା ଜଳ ଟାପୁରୁ ଜଳ ଆଣିବାକୁ । ବାହାଙ୍ଗୀରେ ଚାରିଟା ମାଠିଆକୁ ଏକାଠି କରି ବାନ୍ଧିଛି ।

ନଦୀ ବନ୍ଧ ଯୋଜନା ପାଇଁ କାମ କରୁଥିବା ଠିକାଦାର ଆସିଛି । ଅସରାଏ ବର୍ଷା ପରେ କାମ ଶେଷ କରିବାକୁ କୁଆଡେ ଉପର ମହଲରେ କଡା ନିର୍ଦ୍ଧେଶକୁ ସେ ଆଖି ଆଗରେ ରଖି ଧାଇଁ ଆସିଛି ପାଟପୁର ଗାଁ । ମୁଲିଆ ଶ୍ରମିକ ମାନକୁ ଏକତ୍ରିତ କରି ଆରମ୍ଭ କରିବ ନଦୀ ବନ୍ଧ କାମ । ସେ ଆସି ବସିଛି ବାସନ୍ତିର ବାରଣ୍ଡାରେ, ହାତରେ ଧରିଛି ଦୁଇଟି ପାଣି ବୋତଲ ଓ ଗୋଟିଏ ବଡ ନାଲି ପାଣି ବୋତଲ । ଆଖିରୁ ଖସି ପଡୁଛି ରକ୍ତ । ଆଗରେ ଆସି ଠିଆ ହୋଇଗଲା ବାସନ୍ତି । ବାସନ୍ତି ଦେଖୁଛି ଠିକାଦାରକୁ ଓ ଠିକାଦାର ଦେଖୁଛି ବାସନନ୍ତିର ଅର୍ଦ୍ଧ-ଆଚ୍ଛାଦିତ ଶରୀର ଭିତରେ ଲୁଚି ରହିଥିବା ଶତ ଦଳ ରୂପ ରାଇଜର ଅସରା କାହାଣୀ । ବାସନ୍ତିର ରୂପଶ୍ରୀ ଭିତରେ ସାଇତା ସମ୍ପଦକୁ କରାୟତ କରିବାର ଥିଲା ପ୍ରବଳ ଅଭିପ୍ସା । ଲହଡା ଭଙ୍ଗୁଥିବା ମନକୁ ସେ’ ଆୟତ କରି ପାରୁନ ଥିଲା । ଅଣାୟତ ହୋଇ ପଡିଥିବା ବାସନ୍ତିର ଉଲୁରା କେଶଗୁଚ୍ଛ ଫିଟି ପଡିଥିଲା । ପାପ ଦୃଷ୍ଟିରେ ଦେଖୁ ଥିଲା ଠିକାଦାର । ଏକଥା ବୁଝି ପାରି ନ ଥିଲା ନିଷ୍କପଟ ସାରଳା ବାସନ୍ତୀ । ମନ ତା’ର ଦି’ ପଇସାର ରୋଜଗାର ଆଶାନେଇ ଅପେକ୍ଷା କରିଥିଲା ଠିକାଦାର ପାଖରେ ।

-ତୁ’ ବନ୍ଧ କାମ କରୁଥିଲୁ ନା ?- ଠିକାଦାର ବାସନ୍ତିକୁ ପଚାରିଲା ।

-ମୁଣ୍ଡ ହଲେଇ, ହଁ’ କଲା ବାସନ୍ତୀ । ତୋ’ ସ୍ଵାମୀ ବରଜୁ ନାହିଁ “? ଠିକାଦାରର ଏ କଥାରେ ଆତ୍ମୀୟତା ଭାବୁଥିଲା ବାସନ୍ତି ।

-ନା’, ପାଣି ଆଣିବାକୁ ଟାପୁକୁ ଯାଇଛନ୍ତି । ଫେରିବା ବେଳକୁ ଡେରି ହେବ । ବାସନ୍ତିର ଉତ୍ତର ।

-କ’ଣ ଘରକୁ ଡାକିବୁ ନାହିଁ । ଠିକାଦାର ସୁଯୋଗକୁ ଅପେକ୍ଷା କରିଥିଲା ଯେମିତି ।

-ହଁ – ଆସୁନ । ଏଇ ଦାଣ୍ଡ ଘରେ ବସ । ଆପଣାର ଥିଲା ବାସନ୍ତି କଥାରେ …. ।

ଘରୁ କେଉଁ କାଳର ଥିବା ଛଣ-ବୁଣା ସପ୍ ଟିଏ ପକେଇ ଦେଲା ।

ମହା ଆନନ୍ଦରେ ବସି ଗଲା ଠିକାଦାର। ସହରରୁ ନେଇଥିବା ମଦ ବୋତଲରେ ପାଣି ମିଶେଇ ପିଇବାକୁ ଆରମ୍ଭ କଲା । ଘର ଚାଲିଆରେ ଚେଞ୍ଚେରା ବାଟ ଦେଇ ଦେଖୁଥିଲା ସବୁକିଛି ବାସନ୍ତି । ମଦ ଖାଇ ମସଗୁଲ ହୋଇ ଯାଇଥିବା ଠିକାଦାରର ଳୋଲୁପ ଦ୍ରୁଷ୍ଟିରେ ବନ୍ଧା ପଡି ଯାଇଥିଲା ସେ’ ବାହାନା କରି ପାଣି ଗ୍ଲାସଟେ ଆଣି ବାକୁ କହି ନିଜର କାମ ପ୍ରବୃତ୍ତିକୁ ଚରିତ୍ରାର୍ଥ କରିବାକୁ ସୁଯୋଗକୁ ଅପେକ୍ଷା କରି ରହିଲା । ଯେମିତି ପାଣି ପାଇଁ ଭିତର ଘରକୁ ଯାଇଛି ସେମିତିସେ ପଛି ପଛେ ଯାଇ ଘରର କବାଟ ହୁକ୍ ଘର ପଛପଟୁ ଲଗେଇ ଜବରଦସ୍ତ ସିଂହ ଭଳି ମାଡି ବସିଲା ବାସନ୍ତି ଉପରେ ବାସନ୍ତିର ଦେହ ଥରୁ ଥିଲା । ସେ’ ହାତ ଯୋଡି କେତେ ନେହୁରା ହେଲା । ହେଲେ ତା’ କରୁଣ ଭରା ଆକୁଳ କାତର ପ୍ରାର୍ଥନା ଶୁଣିବାକୁ ମାନବିକତା ପଣିଆ ପାଶବିକତାର ପାଦ ତଳେ ବାରମ୍ବାର ହାର ମାନୁ ଥିଲା । ପୁଷ୍ପିତା କଳୀଟି ସୌନ୍ଦର୍ଜ୍ୟ ହଜେଇ ଦେଲା । ତାକୁ ଦଳି ମକଚି କ୍ଷୀନ-ଭିନ କରି ଚାଲିଥିଲା ହିଂସ୍ର ଭଳି ଠିକାଦାର । ନିରହ ଆହତରେ ଢଳି ପଡିଥିଲା ଭୁଇଁ ଉପରେ ବାସନ୍ତି । ଚାଲି ଯାଇଥିଲା ଠିକାଦାର ……. ।

ବରଜୁ ଫେରିଥିଲା ପାଣି ଭାର ଧରି ଘରକୁ । ଘର ଭିତରେ ମଦ ଗନ୍ଧ ଓ ଅସଜଡା ବାସନ କୁସନ ପଡି ଥିବାର ଦେଖି । ସେ ଡାକ ଛାଡି ଥିଲା ଦାଣ୍ଡରେ …ବାସନ୍ତି…ବାସନ୍ତି।

ଭାବିଲା ଘରେ ଏକୁଟିଆ ରହି କୁଆଡେ ଯାଇଥିବ ପରା । ଘର ଭିତର ଖଞ୍ଜାକୁ ପଶି ଆସି ଦେଖେତେ ବାସନ୍ତି ଦେହଟା ଲୋଟି ପଡିଛି ମାଟି ଉପରେ ସଜ ବସନ୍ତର ନାଲି ଅଧରରେ କୃଷ୍ଣ ଚୂଡା ଫୁଟା ଓଠ ରକ୍ତାକ୍ତ । ଛିଣ୍ଡି ଯାଇଛି ଅନ୍ତବସ୍ତ୍ର ଓ ମୁକୁଳା କେଶ ବିଛେଇ ହୋଇ ଯାଇଛି । ଧାଇଁ ଯାଇ ତୋଳି ନେଲା ବାସନ୍ତିକୁ ବରଜୁ । କିଛି ପାଣି ମୁହଁରେ ମାରି ଚେତା ଫେରେଇ ବୁଝିଲା ସବୁ କଥା । ବାସନ୍ତିର ଅସ୍ପଷ୍ଟ ଭାଷା କହୁଥିଲା ସେ ଆଜି ଅପବିତ୍ରା ।

କାଳ ବିଳମ୍ବ ନ କରି ବରଜୁ ଧାଇଁଲା ନବନିର୍ମାଣ ବନ୍ଧ ଆଡେ । କାନ୍ଧରେ ପଡିଛି ଶାଣଦିଆ ଫାର୍ସା । ନୂଆ ନଦୀ ବନ୍ଧ ଉପରେ ନିଶାରେ ଢଳି ଢଳି ଯାଉଛି ଠିକାଦାର । ବରଜୁ ପଛପଟୁ ଏତେ ଜୋରରେ ଫର୍ସାରେ ଆଘାତ ଦେଲାଯେ, ଗଣ୍ଡିମୁଣ୍ଡ ଏକାବେଳେ ଅଲଗା ହୋଇଗଲା । ଛଟ ଛଟ କଟା ମୁଣ୍ଡଟା ମା’ ମାଟି ପାଦତଳେ ଲୋଟି ପ୍ରାୟଶ୍ଚିତ କରୁ ଥିଲା । ରକ୍ତରେ ଭିଜୁଥିଲା ପୃଥିବୀ । ତାଜା ରକ୍ତ ଆକଣ୍ଠ ପାନ କରି ପୃଥିବୀର ପାପ ଭାର କିଞ୍ଚିତ ଉଶ୍ଵାସ ହେଲା ବୋଲି ଭାବୁଥିଲା ବରଜୁ । ଗୋଟାଏ ପାପ ମଢ ପଡି ରହିଥିଲା ଓ ବିଲୁଆ ମାନଙ୍କର ସାନ୍ଧ୍ୟ କାଳୀନ ଭୋଜନ ପାଇଁ । ବିକଟାଳ ରାବରୁ ଜଣାଯାଉଥିଲା ସେମାନେ ବି ଖାଦ୍ୟର ଭୋକିଲା ଥିଲେ । ବର୍ଷି ଯାଇଥିଲା ଅସରାଏ ବର୍ଷା ଭିଜି ଯାଇଥିଲା ତତଲା ଭୁଇଁ । ନଇଁ ଆସିଥିଲା ସଞ୍ଜ ପରେ ରାତି । ଜୀବନର ଏତେ ବଡ ଏକ ଦୁର୍ଘଟଣାକୁ ରାତିର କଳା ପରଦା ଲୁଚେଇ ଦେଇଥିଲା । ଜୀବନର ଏକ ବଡ ଦୁର୍ଘଟଣାକୁ ସେମାନେ ଭୁଲି ଯାଇଥିଲେ ସ୍ଵପ୍ନ ଭଳି । ତାପରେ ବରଜୁ ଓ ବାସନ୍ତୀ ଆଉ ତାଙ୍କର ସେଇ ପାଟପୁର ଗାଁ । ଏବେ ବି ହସୁଛି ଫଗୁଣରେ ରଙ୍ଗ ବୋଳି ।

ଲୋକପ୍ରିୟ ଲେଖା

To Top