ଗଳ୍ପ

ନିକଷିତ ହେମ

Dr Bibhuti Pattanaik's odia story Nikashita Hema

ମମିଙ୍କ କଥା ଶୁଣି ଜାହ୍ନବୀର ମୁହଁ ଶୁଖିଗଲା ।

ନିକଷିତ ହେମ

ଯାହାକୁ ଭଲ ପାଉଛ ତାକୁ ବାହାହେବ ନା ଯାହାକୁ ବାହା ହେବ, ତାକୁ ଭଲ ପାଇବ, ସେକଥା ଭାବିଚିନ୍ତି କୌଣସି ଶେଷ ସିଦ୍ଧାନ୍ତରେ ପହଞ୍ଚିବା ଆଗରୁ ଜୟନ୍ତକୁ ବାହା ହେବ ବୋଲି ହଁ ଭରିଦେଲା ଜାହ୍ନବୀ । କାରଣ ସେ ତା’ର ଯେଉଁ ଅଧ୍ୟାପକ ସହକର୍ମୀକୁ ଭଲ ପାଉଥିଲା, ସେ ଥିଲା ଅନାର୍ଯ୍ୟ, ଆଦିବାସୀ । ମହାନଦୀର ଯେଉଁ ସମୁଚ୍ଚ ବନ୍ଧ ନିର୍ମିତ ହେଇଥିଲା, ସେଥିରେ ହଜାର ହଜାର ଆଦିବାସୀଙ୍କ ବାସଭୂମି, ଚାଷଜମି ଜଳମଗ୍ନ ହେବାର ଆଶଙ୍କା ଦେଖା ଦେଇଥିଲା । ଗଢ଼ି ଉଠିଥିଲା ବନ୍ଧ-ବିରୋଧୀ ପ୍ରତିରୋଧ ଆନ୍ଦୋଳନ । ସରକାରୀ କଲେଜର ଅଧ୍ୟାପକ ଥାଇ ସୁଦ୍ଧା ଧନୁର୍ଦ୍ଧର ସେଇ ଆନ୍ଦୋଳନ ସହିତ ଜଡ଼ିତ ଥିବା ଅଭିଯୋଗରେ ପୁଲିସ୍ ତା’ ନାମରେ ଜାମିନ୍‌ବିହୀନ ଗିରଫ ପରୱାନା ଜାରି କରିଥିଲା । ଡିନାମାଇଟ୍ ଲଗାଇ ନଦୀବନ୍ଧ ଭାଙ୍ଗି ଉଡ଼ାଇ ଦେବାର ମିଥ୍ୟା ଅଭିଯୋଗ ତା’ ନାମରେ ଯୋଡ଼ି ଦିଆଯାଇଥିଲା । ଆଦିବାସୀ ହଷ୍ଟେଲ୍‌ର ସୁପରିଣ୍ଟେଣ୍ଡଣ୍ଟ ଥିଲା ଧନୁର୍ଦ୍ଧର ମୁଣ୍ଡା । ପୁଲିସ୍ ହଷ୍ଟେଲ୍ ଉପରେ ଚଢ଼ାଉ କରି ତାକୁ ଗିରଫ କରିବା ଆଗରୁ ସେ ଫେରାର ହୋଇଯାଇଥିଲା ।

ଜାହ୍ନବୀର ବାପା ଦଣ୍ଡଧାରୀ ଆଚାର୍ଯ୍ୟ ଥିଲେ ଜଣେ ବରିଷ୍ଠ ପୁଲିସ୍ ଅଫିସର୍ । ତାଙ୍କୁ ଜଣେ ଫେରାର୍ ଆସାମୀକୁ ସେ ଭଲ ପାଉଛି ବୋଲି କହିବାକୁ ଭୟ ପାଇଥିଲା ଜାହ୍ନବୀ । କହିଥିଲେ କଥା ରହି ନଥାନ୍ତା । ଧନୁର୍ଦ୍ଧର ସହିତ ତା’ର ପ୍ରେମ ଥିଲା ଅନେକାଂଶରେ ଶାରୀରିକ । ହୃଦୟର ଆବେଗ ଅପେକ୍ଷା କୃଷ୍ଣାଙ୍ଗ ଧନୁର୍ଦ୍ଧରର ବଳିଷ୍ଠ ପୌରୁଷ ପାଖରେ ବଳି ପଡ଼ିଥିଲା ତା’ର କୋମଳ କୌମାର୍ଯ୍ୟ । ଏଥିପାଇଁ ତା’ର କୌଣସି ଅବଶୋଷ ନଥିଲା । ସେ ଦୁଇଜଣଙ୍କ ମଧ୍ୟରେ ମାନସିକ ସ୍ତରରେ ଭଲ ପାଇବା ଘନୀଭୂତ ହେବା ଆଗରୁ ଧନୁର୍ଦ୍ଧର ଫେରାର୍ ହୋଇଯାଇଥିଲା ।

ଜୟନ୍ତ ମିଶ୍ରକୁ ବାହା ହେବା ପାଇଁ କେହି ତା’ ଉପରେ ଚାପ ପ୍ରୟୋଗ କରି ନ ଥିଲେ । ନା ଡାଡ଼ି, ନା ମମି । ଖଡ଼ଗପୁର ଆଇ. ଆଇ. ଟି.ରୁ ଇଞ୍ଜିନିୟରିଂ ପରେ ଏମ୍.ବି.ଏ. କରି ଗୋଟିଏ ମଲ୍ଟିନ୍ୟାସନାଲ୍ କମ୍ପାନୀରେ କାମ କରୁଥିଲା ଜୟନ୍ତ । ଲାଟ୍ ସାହେବଙ୍କ ନାତି ନ ହେଲେ ବି ସେ ଥିଲା ଜଣେ ଶକ୍ତିଶାଳୀ ରାଜନେତାଙ୍କ ଏକମାତ୍ର ସନ୍ତାନ । ମେଦହୀନ ଛଅଫୁଟ ଲମ୍ୱ ଦେହ । ହସ ହସ ମୁହଁ, ବୁଦ୍ଧିଦୀପ୍ତ ପୁରୁଷ ।

ନାହିଁ କରିବାକୁ କୌଣସି ଯୁକ୍ତି ଖୋଜି ପାଇ ନ ଥିଲା ଜାହ୍ନବୀ । କେବଳ କମ୍ପିତ କଣ୍ଠରେ ତା’ ମମିଙ୍କୁ ସେ କହିଥିଲା-ବାହାରକୁ ଜୟନ୍ତର ସବୁ ଦିଶୁଛି ଭଲ । କିନ୍ତୁ ତା’ ଭିତରେ କ’ଣ ଅଛି ମୁଁ କିଛି ଜାଣେ ନାହିଁ । ବାହାହେଲା ପରେ ମୁଁ ଯଦି ତାକୁ ଭଲ ପାଏ କିମ୍ୱା ଆମ ଦୁଇଜଣଙ୍କ ମଧ୍ୟରେ ପ୍ରେମର ସମ୍ପର୍କ ଗଢ଼ି ନ ଉଠେ, ତାହାହେଲେ କ’ଣ ହେବ ? ଯାହାକୁ ପ୍ରେମ କରିପାରିବି ନାହିଁ, ତାହା ସହିତ ସାରା ଜୀବନ ବିତାଇବି କେମିତି ?

ମମି ତା’ ମୁହଁକୁ କିଛି ସମୟ ଅପଲକ ଆଖିରେ ଅନେଇ ରହିଥିଲେ । ତା’ପରେ ଖୁବ୍ ଆନ୍ତରିକତାର ସହିତ କହିଥିଲେ-

– ପ୍ରେମ ହେଲା ନିକଷିତ ହେମ ! ଶୁଦ୍ଧ ସୁବର୍ଣ୍ଣ ! କିନ୍ତୁ ବାହାଘର ପରେ ସ୍ୱାମୀ ସ୍ତ୍ରୀ ମଧ୍ୟରେ ଯେଉଁ ପ୍ରେମ ଗଢ଼ିଉଠେ, ତାହା ନିକଷିତ ହେମ, ନିଖାଦ ପ୍ରେମ ନୁହେଁ, ସ୍ୱାର୍ଥମିଶା ପ୍ରେମ । ସ୍ୱାର୍ଥର ବନ୍ଧନରେ ଆବଦ୍ଧ ହେବା ହିଁ ବିବାହ, ଜେନି । ବିବାହିତ ଜୀବନରେ ନାରୀର ସବୁଠାରୁ ବଡ଼ ପ୍ରାପ୍ତି ହେଉଛି ସନ୍ତାନ । ଦାମ୍ପତ୍ୟ ଜୀବନରେ ସ୍ୱାମୀ- ସ୍ତ୍ରୀ ମଧ୍ୟରେ ଯେତେ ଅମେଳ ଥାଉନା କାହିଁକି ସନ୍ତାନ ହିଁ ଦୁହିଁଙ୍କ ମଧ୍ୟରେ ମିଳନର ସେତୁ ବାନ୍ଧିଦିଏ । ସେ ସେତୁବନ୍ଧ ଯେପରି କୌଣସି ଅଦୃଶ୍ୟ ବ୍ୟାଧର ଶରାଘାତରେ ବିପନ୍ନ ନ ହୁଏ, ସେଥିପ୍ରତି ସାବଧାନ ଥିବୁ ।

ଅଦୃଶ୍ୟ ବ୍ୟାଧ ବୋଲି ମମି କାହା କଥା କହୁଛନ୍ତି । ଧନୁର୍ଦ୍ଧର ମୁଣ୍ଡା ସହିତ ତା’ର ସମ୍ପର୍କର ଇତିହାସ କ’ଣ ସେ ଜାଣିପାରିଛନ୍ତି ? ଡାଡ଼ିଙ୍କ ପୁଲିସ୍ ଫାଇଲ୍‌ରେ କ’ଣ ତା’ ସହିତ ହେଉ ହେଉ ହୋଇଯାଇଥିବା ଶାରୀରିକ ସମ୍ପର୍କ କଥା ଉଲ୍ଲେଖ ରହିଛି । ନଦୀବନ୍ଧ ଭାଙ୍ଗିବା ପାଇଁ ଡିନାମାଇଟ୍ ବ୍ୟବହାର କରିଥିବା ଷଡ଼ଯନ୍ତ୍ରରେ ଅଭିଯୁକ୍ତ ଆସାମୀକୁ ସେ କ’ଣ ଅଦୃଶ୍ୟ ବ୍ୟାଧ ବୋଲି କହୁଛନ୍ତି ?

ମମିଙ୍କ କଥା ଶୁଣି ଜାହ୍ନବୀର ମୁହଁ ଶୁଖିଗଲା ।

ସେ ଚେଷ୍ଟା କରି ନିଜ ମୁହଁରେ ହସ ଧରି ରଖିବାକୁ ଚେଷ୍ଟା କଲା ।

କହିଲା- “କୌଣସି ଅଦୃଶ୍ୟ ବ୍ୟାଧର ଶରାଘାତକୁ ମୋର ଭୟ ନାହିଁ ମମି । ଭୟ ମୋର ନିଜକୁ । ବାହା ହୋଇ ଯଦି ମୁଁ ସୁଖୀ ନ ହୁଏ, ତାହାହେଲେ ମୁଁ ଗୋଟିଏ ମୁହୂର୍ତ୍ତ ସୁଦ୍ଧା ଶାନ୍ତିରେ ରହିପାରିବି ନାହିଁ । ଧୂଳିର ଖେଳଘର ଭାଙ୍ଗି ଦେଇ ଚାଲିଆସିବି । ଆସିଲେ ତମେ ରାଗିବ ନାହିଁ ତ ?”

ମମି ହସିଥିଲେ ।

କହିଥିଲେ- “ବାହାଘର ପିଲାଙ୍କ ଧୂଳିଘର ନୁହେଁ । ଥରେ ଭାଙ୍ଗିଗଲେ ଆଉ ସହଜରେ ଗଢ଼ିହୁଏ ନାହିଁ । ମୋର ରାଗ କିମ୍ୱା ଅନୁରାଗ ଉପରେ ଭରସା ରଖି ତୁ ଜୟନ୍ତକୁ ବାହା ହେବୁ କି ନାହିଁ, ଠିକ୍ କରିବା ଉଚିତ୍ ନୁହେଁ । ଭାଙ୍ଗିବାର ଭୟ ନୁହେଁ- ଗଢ଼ିବାର ଇଚ୍ଛାଶକ୍ତି ଥିଲେ ତୁ ତାକୁ ବାହା ହଅ । ଏଥିପାଇଁ ତୋ ଡାଡି କିମ୍ୱା ମୁଁ-କେହି ତୋ ଉପରେ ଚାପ ପକାଇବାକୁ ଚାହୁଁ ନାହୁଁ ।”

ଜୟନ୍ତ ତାକୁ ପ୍ରପୋଜ୍ କଲାବେଳେ ସେ ତାକୁ ପ୍ରଶ୍ନ କରିଥିଲା- “ଆଚ୍ଛା ! ଓଡ଼ିଶାରେ ଏତେ ସୁନ୍ଦରୀ, ଶିକ୍ଷିତା ଝିଅ ଥାଉ ଥାଉ ତମେ ମୋ ଭଳି ଜଣେ ଅର୍ଥଶାସ୍ତ୍ରର ଅଧ୍ୟାପିକାକୁ ବାହାହେବା ପାଇଁ ଚାହୁଁଛ କାହିଁକି ?”

ଏଭଳି ଅପ୍ରତ୍ୟାଶିତ ଏକ କଠିନ ପ୍ରଶ୍ନର ସମ୍ମୁଖୀନ ହୋଇ ଇତସ୍ତତଃ ବୋଧ କରିଥିଲା ଜୟନ୍ତ । କିନ୍ତୁ ତାହା ଖୁବ୍ ଅଳ୍ପ ସମୟ ପାଇଁ ।

ଜେନି ! ତମ ମୁହଁ ସହିତ ମୋ ମାଆଙ୍କ ମୁହଁର ଅଦୃଶ୍ୟ ସାଦୃଶ୍ୟ ଥିଲା ଭଳି ମୋର ମନେ ହୋଇଛି । ଖୁବ୍ ପିଲାଦିନୁ ମୁଁ ମୋ ମାଆଙ୍କୁ ହରାଇଛି । ତମକୁ ବାହାହେଲେ ମାଆର ସ୍ନେହ ଆଉ ପତ୍ନୀର ପ୍ରେମ ପାଇବି ବୋଲି ମୋର ହୃଦ୍ବୋଧ ହୋଇଛି । ସେଥିପାଇଁ ଅନ୍ୟ ଅନେକ ପ୍ରସ୍ତାବ ପ୍ରତ୍ୟାଖ୍ୟାନ କରି ମୁଁ ତୁମକୁ ପ୍ରପୋଜ୍ କରୁଛି । ତମେ ନାହିଁ କର ନାହିଁ, ପ୍ଲିଜ୍ !

ଶେଷ କଥା ପଦକ ଅନୁନୟ ଭଳି ଶୁଣାଯାଇଥିଲା । ମନା କରିପାରି ନଥିଲା ଜାହ୍ନବୀ ।

ଜୟନ୍ତ ସହିତ ତା’ର ବାହାଘର ହୋଇଯାଇଥିଲା ।

ଗୋଟିଏ ବର୍ଷ ପରେ ଅଧ୍ୟାପିକା ଚାକିରିରୁ ଇସ୍ତଫା ଦେଇ ଜାହ୍ନବୀ ସ୍ୱାମୀଙ୍କ ସହିତ ଏକାଠି ରହିବା ପାଇଁ ମୁମ୍ୱାଇ ଚାଲିଯାଇଥିଲା । କାରଣ ଜୟନ୍ତ ଯେଉଁ ମଲ୍ଟିନ୍ୟାସନାଲ୍ କମ୍ପାନୀରେ ଚାକିରୀ କରୁଥିଲା, ତା’ର କୌଣସି ଶାଖା ପ୍ରଶାଖା ଓଡ଼ିଶାରେ ନଥିଲା । ତା’ର ଓଡ଼ିଶା ଆସିବା ପ୍ରଶ୍ନ ଉଠୁ ନଥିଲା । କମ୍ପାନୀ ଚାକିରୀରେ ପ୍ରଚୁର ଟଙ୍କା ମିଳୁଥିଲା, କିନ୍ତୁ ଛୁଟି ମିଳୁନଥିଲା । ଚାହିଁଲେ ମଧ୍ୟ ଜାହ୍ନବୀକୁ ସଖ୍ୟ ଦେବା ପାଇଁ ସେ ଓଡ଼ିଶା ଆସିପାରୁ ନ ଥିଲା । ବାହାଘର ପରେ ସ୍ୱାମୀଙ୍କଠାରୁ ମାସ ମାସ ଧରି ବିଚ୍ଛିନ୍ନ ହୋଇ ରହିବାକୁ ଚାହୁଁ ନଥିଲା ଜାହ୍ନବୀ, ସେଥିପାଇଁ ଚାକିରୀ ଛାଡ଼ି ଘର ସଂସାର କରିବା ପାଇଁ ଭୁବନେଶ୍ୱର ଛାଡ଼ି ସେ ମୁମ୍ୱାଇ ଚାଲିଗଲା ।

– ତା’ପରେ –

ଲୋକପ୍ରିୟ ଲେଖା

To Top