ଗଳ୍ପ

ନିକଷିତ ହେମ

Dr Bibhuti Pattanaik's odia story Nikashita Hema

ଆଦିବାସୀ ଛାତ୍ରାବାସ ବାର୍ଷିକ ଉତ୍ସବ ରାତିରେ, ଲୋଡ୍ ସେଡ଼ିଂ ବେଳେ ଅପ୍ରତ୍ୟାଶିତ ଭାବରେ ଅନାର୍ଯ୍ୟ ପୁରୁଷ ପାଖରେ ଜଣେ ଆର୍ଯ୍ୟ କନ୍ୟାର ଦେହ ନୈବେଦ୍ୟ ହୋଇଯାଇଥିଲା ।

ନିକଷିତ ହେମ

-: ପୂର୍ବରୁ :-

ଜୁହୁ ବିଚ୍ ପାଖରେ ବିଶାଳ ବଂଲୋ । କେଉଁ ହିନ୍ଦୀ ଫିଲ୍ମଷ୍ଟାର୍ ଆରବ ସମୁଦ୍ର ତୀରରେ ଏହି ଦ୍ୱିତଳ ପ୍ରାସାଦ ନିର୍ମାଣ କରିଥିଲେ । ବ୍ୟାଙ୍କର ଋଣ ପରିଶୋଧ କରି ନପାରିବା ଯୋଗୁଁ ତାଙ୍କୁ ଏ ବଂଲୋ ବିକ୍ରି କରିଦେଇ ଅନ୍ଧେରିର ଛୋଟ ଏକ ଫ୍ଲାଟ୍କୁ ଉଠିଯିବାକୁ ପଡ଼ିଥିଲା ।

ଜୟନ୍ତର ମଲ୍ଟି ନ୍ୟାସନାଲ୍ କମ୍ପାନୀ ସେଇ ଘର କିଣି ଦେଇ ତା’ ରହିବା ପାଇଁ ଛାଡ଼ି ଦେଇଛି । ଖଞ୍ଜି ଦେଇଛି ବଗିଚା ଦେଖାଶୁଣା କରିବା ପାଇଁ ମାଳୀ, ରାନ୍ଧିବାଢ଼ି ଦେବା ପାଇଁ କୁକ୍, ଘରକାମ ପାଇଁ ମେଡ୍ ସର୍ଭାଣ୍ଟ ଏବଂ ଯୋଗାଇ ଦେଇଛି ନୂଆ ମର୍ସିଡ଼ିସ୍ ଗାଡ଼ି ଓ ଡ୍ରାଇଭର୍ ।

ଜାହ୍ନବୀ ଆସିଲା ପରେ ତା’ ନାମରେ ଗୋଟାଏ ବ୍ୟାଙ୍କ ଆକାଉଣ୍ଟ ଖୋଲି କ୍ରେଡ଼ିଟ୍ କାର୍ଡ ଧରାଇ ଦେଇଛି ଜୟନ୍ତ । ସପିଙ୍ଗ କରିଯିବା ଲାଗି ଅଲଗା ଗାଡ଼ି ଓ ଡ୍ରାଇଭର୍ ରଖିଦେଇଛି । ତା’ର ଅର୍ଜିତ ଅର୍ଥର ବ୍ୟାବସାୟିକ ବିନିଯୋଗ ପାଇଁ ଦାୟିତ୍ୱ ତା’ ଉପରେ ନ୍ୟସ୍ତ କରିଛି । ବଜାରର ଉତ୍ଥାନ ପତନ ଉପରେ ନଜର ରଖି ସେୟାର ମାର୍କେଟ୍‌ରେ ଅଂଶଧନ ବିନିଯୋଗ କରିବା ପାଇଁ ଜାହ୍ନବୀ ବାଟବଣା ହୋଇଗଲେ ତାକୁ ନିଜେ ବାଟ ବତାଇ ଦେଇଛି ।

ସେୟାର୍ ମାର୍କେଟ୍ର ଅନ୍ଧଗଳିରେ ପଶି ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ କଲେ ସ୍ତ୍ରୀଙ୍କୁ ସାହସ ଦେଇ କହିଛି- ଆଦୌ ପଛକୁ ଫେରି ଚାହଁନାହିଁ । ଯଦି କିଛି କ୍ଷତି ହୋଇଛି, ଅନୁଶୋଚନା କର ନାହିଁ । ସବୁବେଳେ ଆଗକୁ ଚାହଁ- ଆଗରେ ତମ ପାଇଁ ଅପେକ୍ଷା କରି ରହିଛି ସୁବାସିତ ଗୋଲାପ ବଗିଚା । ରୋଜ୍ ଗାର୍ଡେନ୍ ।

ଅର୍ଥ ବିଦ୍ୟାର ଅଧ୍ୟାପିକା ଜାହ୍ନବୀ ଆଚାର୍ଯ୍ୟ କଲେଜର କାମ୍ପସ୍ ଛାଡ଼ି ସ୍ୱାମୀଙ୍କ ସଂସାରରେ ସୁଖର ଅନ୍ୱେଷଣରେ ଆସି ଛନ୍ଦି ହୋଇ ପଡ଼ିଛି ସେୟାର୍ ମାର୍କେଟ୍‌ର ଗୋଲକ ଧନ୍ଦାରେ ଦୃଷ୍ଟି ଲମ୍ୱାଇ ଯେତେ ଯୁଆଡ଼େ ଚାହିଁଲେ ମଧ୍ୟ କେଉଁଠି ତାକୁ ଦେଖାଯାଉ ନାହିଁ ସେଇ ସ୍ୱପ୍ନର ଗୋଲାପ ବଗିଚା ।

ଜୟନ୍ତ ବିଳମ୍ୱିତ ରାତ୍ରିରେ ଘରକୁ ଫେରନ୍ତି ।

ମଧ୍ୟାହ୍ନ ଭୋଜନ ତାଙ୍କୁ ଅଫିସ୍ କ୍ୟାଣ୍ଟିନ୍‌ରେ କରି ନେବାକୁ ହୁଏ । ଦୁହେଁ କେବଳ ରାତ୍ରିଭୋଜନ ଏକତ୍ର କରନ୍ତି । ସେଥିପାଇଁ ସ୍ୱାମୀଙ୍କ ମନପସନ୍ଦ ଗୋଟାଏ ଦୁଇଟି ଆଇଟମ୍ ନିଜେ ତିଆରି କରି ଅପେକ୍ଷା କରିଥାଏ ଜାହ୍ନବୀ । ତା’ର ହାତରନ୍ଧା ମହୁର, ବେସର, ବାଇଗଣ ଭର୍ତ୍ତା, ବଡ଼ି ଚଡ଼ଚଡ଼ି ଜୟନ୍ତର ଖୁବ୍ ପ୍ରିୟ । ତାଙ୍କର ମାଆ ଥିଲେ ପୁରୀର ଝିଅ । ମହୁର, ବେସର ତିଆରି କରିବାରେ ତାଙ୍କର ହାତ ଯଶ ଥିଲା । ସ୍ୱାମୀଙ୍କ ମୁହଁରୁ ଶୁଣିଲା ପରେ ସେଇ ଦୁଇଟି ବ୍ୟଞ୍ଜନର ପ୍ରସ୍ତୁତି ପଦ୍ଧତି ଶିଖିଥିଲା ଜାହ୍ନବୀ । ଆମିଷ ମହୁର ରାନ୍ଧିବାରେ ସେ ତା’ ମାଆଙ୍କୁ ବଳି ଯାଇଛି ବୋଲି ସ୍ୱାମୀଙ୍କ ମୁହଁରୁ ଶୁଣିଲା ପରେ ପରମ ତୃପ୍ତିରେ ଭରିଯାଇଥିଲା ତା’ର ମନ ।

କିନ୍ତୁ ଦିନେ ଦିନେ ସେ ଆମିଷ ମହୁର, ଇଲିଶି ବେସର ରାନ୍ଧି ଅପେକ୍ଷା କରି ବସିଥିବା ବେଳେ ଅଫିସ୍‌ରୁ ଫେରି ଜୟନ୍ତ ଯେତେବେଳେ କୁହନ୍ତି- ଆଜି ହୋଟେଲ୍ ତାଜ୍‌ରେ ପାର୍ଟି ଥିଲା- ମୁଁ ଖାଇ ଦେଇ ଆସିଛି, ଜାହ୍ନବୀ ମନ ବିଦ୍ରୋହ କରିଉଠେ । ସେ ନିଜେ କିଛି ନ ଖାଇ ବିଛଣାକୁ ଚାଲିଯାଏ ।

ଜୟନ୍ତ ତା’ର ଖାଇବା ନ ଖାଇବା କଥା ନ ବୁଝି ଲ୍ୟାପ୍‌ଟପ୍ ଧରି ବସିପଡ଼ନ୍ତି । ଏଇଟା ତାଙ୍କର ଏକ ପୁରୁଣା ଅଭ୍ୟାସ । ଥରେ ଲ୍ୟାପ୍‌ଟପ୍ ଧରି ବସିପଡ଼ିଲେ ସଂସାରର ଅନ୍ୟ ସବୁ କଥା ସେ ଭୁଲିଯାଆନ୍ତି । ରାଗ ଅଭିମାନରେ ଏକାକିନୀ ବିଛଣାରେ ଶୋଇ ଆଖିର ଲୁହରେ ତକିଆ ଭିଜାଏ ଜାହ୍ନବୀ । ତାଙ୍କର ସ୍ୱପ୍ନର ସୁଲମ୍ୱିତ ଗୋଲାପ ବଗିଚାର ଠିକଣା ବୁଝିବା ପାଇଁ ଲୁହଭିଜା ଆଖିରେ ଚାହିଁ ଚାହିଁ ନିଦ ଆସିଯାଏ ।

ତଥାପି ବିଛଣାକୁ ଆସି ନ ଥାନ୍ତି ସ୍ୱାମୀ ଜୟନ୍ତ ମିଶ୍ର ।

ବିଳମ୍ୱରେ ଶୁଅନ୍ତି ବୋଲି ସକାଳ ଆଠଟା ପୂର୍ବରୁ ଉଠନ୍ତି ନାହିଁ ଜୟନ୍ତ ।

ଜାହ୍ନବୀ ନିତ୍ୟକର୍ମ ସାରି ଚା’ ତିଆରି କରି ତାଙ୍କୁ ନିଦରୁ ଉଠାଏ । ଉଠିବା ମାତ୍ରେ ଅଫିସ୍ ଯିବା ପାଇଁ ତାଙ୍କଠାରେ ତତ୍ପରତା ପ୍ରକାଶ ପାଏ । ବ୍ରସ୍ କରି, ସେଭିଂ ସାରି ବାଥ୍‌ରୁମ୍‌ରୁ ବାହାରି ଆସିବା ମାତ୍ରେ ଅଫିସ୍ ଯିବା ପାଇଁ ତରତର ହୁଅନ୍ତି । ଅନେକ ସମୟ ବ୍ରେକ୍‌ଫାଷ୍ଟ ନ ଖାଇ ନେକ୍‌ରେ ଆଇଡ଼େଣ୍ଟି କାର୍ଡ ଝୁଲାଇ ଦିଅନ୍ତି ।

ଆଇଡ଼େଣ୍ଟି କାର୍ଡ ଝୁଲାଇ ଦେବା ପର ମୁହୂର୍ତ୍ତରେ ସେ ଅନ୍ୟ ପ୍ରକାର ମଣିଷ ହୋଇଯାଆନ୍ତି । ଅଫିସ୍ ଭୂତ ତାଙ୍କ ମୁଣ୍ଡରେ ସବାର ହୋଇଯାଏ । ମୋବାଇଲ୍ ବାଜିବା ଆରମ୍ଭ କରିଦିଏ । ଗୋଟାକ ପରେ ଗୋଟାଏ କଲ୍ । କେବେ ଇଂରାଜୀରେ, କେବେ ହିନ୍ଦୀରେ ସେ କଲ୍ ଆଟେଣ୍ଡ୍ କରନ୍ତି ଜୟନ୍ତ । କାଲି ରାତିରେ ସେ ଖାଇଥିଲା କି ଉପାସରେ ଶୋଇଥିଲା, ସେ କଥା ବୁଝିବା ପାଇଁ ତାଙ୍କର ସମୟ ନଥାଏ । ଆଉ କେତେ ଦୂର ଗଲେ ସେ ସୁବାସିତ ଗୋଲାପ ବଗିଚାରେ ପହଞ୍ଚି ହେବ, ସେକଥା ପଚାରିବା ଆଗରୁ ସେ ଅଫିସ୍ ଗାଡ଼ିରେ ଉଠିପଡ଼ନ୍ତି ।

ପ୍ରଥମେ ପ୍ରଥମେ ଦିନ ଗୋଟାଏ ବେଳେ ଅଫିସ୍‌ରୁ ତାଙ୍କର ଟେଲିଫୋନ୍ ଆସିଥିଲା । “ଜେନି ! ଲଞ୍ଚ୍ ଖାଇଲଣି ନା ନାହିଁ । ଆଜି ଲଞ୍ଚରେ ମେନୁ କ’ଣ ଥିଲା ? କେବଳ ଭେଜ୍ ! ନା- ନା- ଅନ୍ତତଃ ଗୋଟାଏ ନନ୍ଭେଜ୍ ଆଇଟମ୍ ରଖିବାକୁ ରାନ୍ଧୁଣିଆକୁ କୁହ । ଆଉ ଠିକ୍ ସମୟରେ ଲଞ୍ଚ୍ ଖାଅ । ନ ହେଲେ ଗ୍ୟାସ୍ ହେବ ।”

ଏଇ କେଇ ମାସ ହେଲା କାମର ଚାପ ବଢ଼ିଛି । ଟାର୍ଗେଟ୍ ଅତିକ୍ରମ କରିଥିବାରୁ ପ୍ରମୋସନ୍ ମଧ୍ୟ ହୋଇଛି । ବାର୍ଷିକ ପଚାଶ ଲକ୍ଷ ଷାଠିଏ ଲକ୍ଷରେ ପହଞ୍ଚିଛି । ଆୟକର ବାଦ୍ ଦେଲେ ମଧ୍ୟ ମାସିକ ଆୟ ତିନି ଲକ୍ଷରୁ ବେଶି ।

ସୁବାସିତ ଗୋଲାପ ଉଦ୍ୟାନ ପାଖରେ ପ୍ରାୟ ପହଞ୍ଚି ଯାଇଛନ୍ତି ସ୍ୱାମୀ ଏକା ଏକା । ସେ ହାତ ଧରିଥିଲେ ମଧ୍ୟ ତା’ ହାତ ଛାଡ଼ି ଦେଇ କମ୍ପାନୀ ପୁଷ୍ପକ ବିମାନରେ ବସି ସେ ସଫଳତାର ଗୋଲାପ ବଗିଚାରେ ପହଞ୍ଚି ଯାଇଛନ୍ତି । ଭୁଲି ଯାଇଛନ୍ତି ଜାହ୍ନବୀ ଠିକ୍ ସମୟରେ ମଧ୍ୟାହ୍ନ ଭୋଜନ କରିଛି କି ନାହିଁ । ଗତ ରାତିରେ ସେ ଖାଇଥିଲା କି ଉପାସ ରହିଥିଲା ।

ସ୍ୱାମୀ ଅଫିସ୍ ଚାଲିଗଲା ପରେ ନିଜକୁ ଉପେକ୍ଷିତ, ଅବହେଳିତ ମନେକରି ଦୁଃଖରେ ଭାଙ୍ଗି ପଡ଼ିଲା ଜାହ୍ନବୀ ।

ମମିଙ୍କ ଫୋନ୍ ଆସିଲା- “କେମିତି ଅଛୁ ଜେନି ? ଆମକୁ କ’ଣ ପୁରାପୁରି ଭୁଲିଗଲୁ । କେବେ ଭୁବନେଶ୍ୱର ଆସିବୁ ? ମୋ ଦେହ ଭଲ ରହୁ ନାହିଁ ।”

ମୁଁ ଆଦୌ ଭୁଲି ନାହିଁ ମମି । ଖେଳଘର ଭାଙ୍ଗି ଦେଇ ତୋ ପାଖକୁ ଚାଲିଯିବାକୁ ମନ ବ୍ୟାକୁଳ ହେଉଛି । ମୁଁ ଚାଲିଗଲେ ତୁ ରାଗିବୁ ନାହିଁ ତ ?

କଥା ଶେଷ କରିବା ଆଗରୁ କଇଁ କଇଁ ହୋଇ କାନ୍ଦି ଉଠିଲା ଜାହ୍ନବୀ । ଓଦା ମାଟି କାନ୍ଥ ଭଳି ଭାଙ୍ଗି ଭୁଶୁଡ଼ି ପଡ଼ିଲା ।

ଝିଅକୁ ଦେଖି ମମି ରାଗିଲେ ନାହିଁ । କିନ୍ତୁ ଏକ ଅଜ୍ଞାତ ଭୟରେ ଶିହରି ଉଠିଲେ । ପଦୋନ୍ନତି ପାଇଁ, ଅଧିକ ଅର୍ଥ ଲୋଭରେ ପତ୍ନୀକୁ ଅବହେଳା କରି ଜୟନ୍ତ କମ୍ପାନୀ କାମରେ ସବୁ ସମୟ ଦେଉଛି ବୋଲି ସେ ତାକୁ ଦୋଷ ଦେଇପାରୁନଥିଲେ । ଦେଶୀ, ବିଦେଶୀ ସବୁ କମ୍ପାନୀ ମୁନାଫା ପାଇଁ ବ୍ୟବସାୟ କରନ୍ତି । ଯେଉ କର୍ମଚାରୀ କମ୍ପାନୀକୁ ଯେତେ ଅଧିକ ମୁନାଫା ଆଣି ଦିଅନ୍ତି, କମ୍ପାନୀ ତାଙ୍କୁ ଦିଏ ସେତେ ଅଧିକ ଦରମା, ସେତେ ଦ୍ରୁତ ପଦୋନ୍ନତି । ଯେଉଁ କର୍ମଚାରୀ କମ୍ପାନୀର ନିର୍ଦ୍ଧାରିତ ଲକ୍ଷ୍ୟ ପୂରଣ କରିପାରନ୍ତି ନାହିଁ, ସେମାନଙ୍କୁ ଅଗ୍ରିମ ମାସକର ଦରମା ଦେଇ ଚାକିରୀରୁ ବିଦା କରିଦିଆଯାଏ ।

ଜୟନ୍ତ ଉଦ୍ୟୋଗୀ ପୁରୁଷ ।

ଚାରି ବର୍ଷ ଚାକିରି କାଳରେ ମାର୍କିନ୍ କମ୍ପାନୀର ଲାଭ ଲକ୍ଷ୍ୟ ପୂରଣ କରିପାରିଛି ବୋଲି ଷାଠିଏ ଲକ୍ଷରେ ପହଞ୍ଚି ପାରିଛି । ହୁଏତ ବାର୍ଷିକ କୋଟିଏ ଅଙ୍କରେ ପହଞ୍ଚିବା ପାଇଁ ଜେନିକୁ ସଙ୍ଗସୁଖରୁ ବଞ୍ଚିତ କରିଛି । ସେ ଠିକ୍ ସମୟରେ ଲଞ୍ଚ୍, ଡିନର ଖାଉଛି କି ନାହିଁ ପଚାରି ବୁଝିବାକୁ ଭୁଲିଯାଇଛି । ମନଇଚ୍ଛା ସୁଖର ସାମଗ୍ରୀ କିଣିବା ଲାଗି ତା’ ବ୍ୟାଙ୍କ ଆକାଉଣ୍ଟରେ ଯଥେଷ୍ଟ ଅର୍ଥ ଜମା କରି କ୍ରେଡ଼ିଟ୍ କାର୍ଡ ଧରାଇ ଦେଇଛି । ସେୟାର୍ ମାର୍କେଟ୍‌ରେ ଅଂଶଧନ ବିନିଯୋଗ କରିବା ପାଇଁ ଜେନିକୁ ଦେଇଛି ପଚାଶ ଲକ୍ଷ ଟଙ୍କା ।

ଅଂଶଧନର ବଂଶ ବୃଦ୍ଧି ଘଟିଥିଲେ ସୁଦ୍ଧା ନିଜ ବଂଶରକ୍ଷା ପାଇଁ ସନ୍ତାନଟିଏ ଦେଇପାରି ନାହିଁ ଜୟନ୍ତ ।

ପିଲାଟିଏ ଥିଲେ ସ୍ୱାମୀର ଅନୁପସ୍ଥିତିରେ ନିଃସଙ୍ଗ ବୋଧ କରନ୍ତା ନାହିଁ ଜେନି ।

ସନ୍ତାନହୀନତା ହିଁ ଝିଅର ସକଳ ଦୁଃଖର କାରଣ ।

– ଆଲୋ ଜେନି ! ତମେ ଦୁହେଁ କ’ଣ ଯୌବନକୁ ଉପଭୋଗ କରିବା ପାଇଁ ଜନ୍ମନିରୋଧ ବ୍ୟବସ୍ଥା ଗ୍ରହଣ କରିଛ । ବାହାଘର ତିନିବର୍ଷ ପୁରି ଚାରି ବର୍ଷ ଚାଲିଲା । ତୋ କୋଳ ଶୂନ୍ୟ କାହିଁକି ?

ମମିଙ୍କ କଥା ଶୁଣି ଚମକି ଉଠିଲା ନାହିଁ ଜାହ୍ନବୀ ।

ନିର୍ଲିପ୍ତ ଭାବରେ ଉତ୍ତର ଦେଲା- ନା- ମୁଁ କେବେ ପିଲ୍ ଖାଇ ନାହିଁ କି ସେ କେବେ ରବର୍ ବ୍ୟବହାର କରନ୍ତି ନାହିଁ । ସନ୍ତାନ ଧାରଣ କରିବା ପାଇଁ ମୋର ମଧ୍ୟ କୌଣସି ଶାରୀରିକ ତୃଟି ନାହିଁ । ସମ୍ଭବତଃ ତାଙ୍କର ରକ୍ତଦୋଷ ଅଛି । ବାପା ହେବା ପାଇଁ ତାଙ୍କର ସାମର୍ଥ୍ୟ ନାହିଁ ।

ମମି ଏଥର ରୀତିମତ ଚିନ୍ତିତ ଦେଖାଗଲେ ।

କହିଲେ- ଜୟନ୍ତ ଶକ୍ତ, ସବଳ ସୁପୁରୁଷ । ଡାକ୍ତରୀ ପରୀକ୍ଷା ନ କରି ସେ ସନ୍ତାନର ଜନକ ହେବାକୁ ଅସମର୍ଥ ବୋଲି ଭାବିବା ଠିକ୍ ନୁହେଁ । ତୁ ତାକୁ ସ୍ପର୍ମ ପରୀକ୍ଷା ପାଇଁ କହିଲୁ ନାହିଁ କାହିଁକି ?

ଜାହ୍ନବୀ ଯଥାସମ୍ଭବ ନିଜର ଭାବପ୍ରବଣତାକୁ ଚାପି ରଖି ଉତ୍ତର ଦେଲା- ଥରେ ନୁହେଁ, ଦୁଇଥର ତାଙ୍କୁ ଡାକ୍ତରଙ୍କ କ୍ଲିନିକ୍‌କୁ ଯିବା ପାଇଁ କହିଛି । ଡାକ୍ତରୀ ପରୀକ୍ଷା କଥା ଶୁଣିଲା ମାତ୍ରେ ତାଙ୍କ ମୁହଁରୁ ରକ୍ତ ଶୁଖିଯାଏ । କାରୁଣ୍ୟରେ ଆଖି ଛଳଛଳ ହୋଇଉଠେ । ଓଠ ଥରେ, ସେ କିଛି କହିପାରନ୍ତି ନାହିଁ । ଆଉ କିଛି ପଚାରିଲେ ସେ କାନ୍ଦି ପକାଇବେ ବୋଲି ମୁଁ ଭୟ ପାଇ ତାଙ୍କୁ ଆଉ କ୍ଲିନିକ୍‌କୁ ଯିବା ପାଇଁ ବାଧ୍ୟ କରିପାରେ ନାହିଁ ।

ଏଥିରେ ଭୟ ପାଇବାର କ’ଣ ଅଛି । ଯଦି ରକ୍ତରେ କୌଣସି ରୋଗ ଥାଏ, ଚିକିତ୍ସା ଦ୍ୱାରା ତାହା ଠିକ୍ କରାଯାଇପାରେ । – ମମି ସ୍ୱଗତୋକ୍ତି କଲା ଭଳି ବାକ୍ୟ ଦୁଇଟି କହିସାରି ଝିଅ ମୁହଁକୁ ଚାହିଁ ରହନ୍ତି ।

ଜାହ୍ନବୀ ସିଧା ମମିଙ୍କ ମୁହଁକୁ ଚାହିଁ ଓଲଟି ପ୍ରଶ୍ନ କରେ ।

– ଡାକ୍ତର ଯଦି ପରୀକ୍ଷା ପରେ କହିଦିଅନ୍ତି ଯେ ସେ ନପୁଂସକ, ସନ୍ତାନର ଜନକ ହେବାକୁ ଅସମର୍ଥ- ତାହାହେଲେ କ’ଣ ହେବ ? ଏଭଳି ପ୍ରଚଣ୍ଡ ଆଘାତ ସେ ସହିପାରିବେ । କୌଣସି ଦିନ ମୁଁ ତାଙ୍କର ସନ୍ତାନର ଜନନୀ ହୋଇପାରିବି ନାହିଁ ବୋଲି ଜାଣିଗଲା ପରେ ମୁଁ କ’ଣ କରିବି ?

ମମି ତା’ ପ୍ରଶ୍ନର ଉତ୍ତର ଖୋଜି ନ ପାଇ ଇତସ୍ତତଃ ହେଉଥିବାବେଳେ ତା’ର ଡାଡ଼ି ଦଣ୍ଡଧାରୀ ଆଚାର୍ଯ୍ୟ ପୁଲିସ୍ ପୋଷାକ ପିନ୍ଧି ହଠାତ୍ ସେଠାରେ ପହଞ୍ଚିଗଲେ ।

ମମି ତାଙ୍କ ମଳିନ ମୁଖରେଖା ଲକ୍ଷ୍ୟ କରି ପଚାରିଲେ ।

– ତମର କ’ଣ ହେଲା ? ତମେ ଖୁବ୍ ଟେନ୍‌ସନ୍‌ରେ ଥିଲା ଭଳି ଦେଖାଯାଉଛ କାହିଁକି ?

ଧନୁର୍ଦ୍ଧର ମୁଣ୍ଡାକୁ କୋର୍ଟ ଆଜି ନିର୍ଦ୍ଦୋଷରେ ଖଲାସ କରି ଦେଇଛି । ଡିନାମାଇଟ୍ ଲଗାଇ ନଦୀବନ୍ଧ ଭାଙ୍ଗିଦେବା ଅଭିଯୋଗ ଆମେ ପ୍ରମାଣିତ କରିପାରିଲୁ ନାହିଁ । ସେ ଅପରାଧ ଆଉ ଜଣେ ମାର୍କାମରା ମାଓବାଦୀ ନିଜେ କରିଛି ବୋଲି କୋର୍ଟରେ ସ୍ୱୀକାର କରିବା ଫଳରେ କୋର୍ଟ ଧନୁମୁଣ୍ଡା ବିରୋଧରେ ଥିବା ପୁଲିସ୍ କେସ୍‌କୁ ଡିସ୍‌ମିସ୍ କରିଦେଇଛନ୍ତି । ମାନବିକ ଅଧିକାର କମିଶନର ଜଣେ ନିର୍ଦ୍ଦୋଷ ଆଦିବାସୀ ଅଧ୍ୟାପକ ବିରୋଧରେ ମିଥ୍ୟା ଅଭିଯୋଗ ଆଣିଥିବା ଯୋଗୁଁ ପୋଲିସ୍ ବିରୋଧରେ ଶାସ୍ତିବିଧାନ ଏବଂ ମୁଣ୍ଡାକୁ କ୍ଷତିପୂରଣ ଦେବା ପାଇଁ ଆଦେଶ ଦେଇପାରନ୍ତି । ସବୁ ଠିକ୍ ଚାଲିଥିଲା- ହଠାତ୍ ସେ ମାଓବାଦୀ ନେତା ସତ୍ୟବାଦୀ ପଣ୍ଡା ହଜାର ହଜାର ଆଦିବାସୀଙ୍କ ଧନଜୀବନ ରକ୍ଷା ପାଇଁ ନଦୀବନ୍ଧ ଭାଙ୍ଗିବା ପାଇଁ ଡିନାମାଇଟ୍ ଖଞ୍ଜିଥିଲା ବୋଲି ବଡ଼ ପାଟିରେ କୋର୍ଟରେ ଘୋଷଣା କରିଦେଲା ପରେ ସବୁ ଓଲଟପାଲଟ ହୋଇଗଲା ।

ମିଥ୍ୟା ଅଭିଯୋଗକୁ ସତ୍ୟ ବୋଲି ପ୍ରମାଣିତ କରିପାରି ନଥିବାରୁ ପ୍ରମୋସନ୍, ଇନ୍‌କ୍ରିମେଣ୍ଟ ବନ୍ଦ ହୋଇଯିବାର ଆଶଙ୍କାରେ ଡାଡ଼ିଙ୍କ ରକ୍ତଚାପ ବଢ଼ିଯାଇଥିବା ବେଳେ, ଧନୁର୍ଦ୍ଧର ନିର୍ଦ୍ଦୋଷରେ ଖଲାସ ହୋଇଥିବା ସମ୍ୱାଦ ଶୁଣି ଜାହ୍ନବୀର ତାଳୁରୁ ତଳିପା’ ଯାଏ ଏକ ଉଷ୍ମ ଶିହରଣ ସଞ୍ଚାରିତ ହୋଇଯାଇଥିଲା । ପ୍ରଖର ହୋଇ ଉଠିଥିଲା ତା’ର ଦେହର ରକ୍ତ ସଞ୍ଚାଳନ । ଆଦିବାସୀ ଛାତ୍ରାବାସ ବାର୍ଷିକ ଉତ୍ସବ ରାତିରେ, ଲୋଡ୍ ସେଡ଼ିଂ ବେଳେ ଅପ୍ରତ୍ୟାଶିତ ଭାବରେ ଅନାର୍ଯ୍ୟ ପୁରୁଷ ପାଖରେ ଜଣେ ଆର୍ଯ୍ୟ କନ୍ୟାର ଦେହ ନୈବେଦ୍ୟ ହୋଇଯାଇଥିଲା ।

ପାଞ୍ଚବର୍ଷ ତଳର ସେଇ ସ୍ମୃତିର ଶିହରଣ ଜାହ୍ନବୀର ହୃଦୟକୁ ଉଚ୍ଚାଟିତ କରିଦେଲା । ତା’ର ଘ୍ରାଣେନ୍ଦ୍ରିୟରେ ଲାଗିଲା ଗୋଲାପର ବାସ୍ନା । ତା’ର ମନେହେଲା ସେ ସେଇ ଗୋଲାପ ବଗିଚାରେ ପହଞ୍ଚି ଯାଇଛି, ଯେଉଁ ବଗିଚାର ଠିକଣା ଜୟନ୍ତଙ୍କୁ ପଚାରିବ ପଚାରିବ ହୋଇ କେବେ ପଚାରି ପାରିନଥିଲା ।

ତା’ପରେ

ଲୋକପ୍ରିୟ ଲେଖା

To Top