ଗଳ୍ପ

ନୀଳ ସରସ୍ୱତୀ

ବ୍ଲୁ-ରାକେଟର ପାଇକାରୀ ବ୍ୟବସାୟୀମାନେ ଜାଣିପାରନ୍ତି ନାହିଁ । ସେମାନେ ତାରିଫ୍ କରନ୍ତି । ସଶରୀରରେ ମଡ଼େଲଟାକୁ ତାଙ୍କ ବ୍ୟବସାୟରେ ସାମିଲ୍ କରିବାକୁ ଦାବି କରି ବସନ୍ତି ।

ନୀଳ ସରସ୍ୱତୀ

“ଚାଟ ଇଚ୍ଛାବତୀ” “ଚତୁର ବିନୋଦ” ଅଥବା “ରସ ପଞ୍ଚକ”ର ପୃଷ୍ଠାରେ ପୃଷ୍ଠାରେ ତୁମେ କେତେବେଳେ ସଲ୍ଲଜ ମୁଖଭଙ୍ଗୀ କରି ଉଭା ହୁଅ ମା ! ଗଛରେ ଚଢ଼ିଥିବା ନାୟିକା ଓ ତଳେ ଫଳ ଗୋଟାଉଥିବା ନାୟକ । ନାୟକ ଦୃଷ୍ଟିରେ ଭ୍ରମ ସୃଷ୍ଟିକରେ ଯୁବତୀ ନାୟିକାର ବର୍ତ୍ତୁଳ ସ୍ତନ ଦୁଇଟି । ଚାଟ ଇଚ୍ଛାବତୀ କାବ୍ୟର ଏହି ବିରଳ ଦୃଶ୍ୟଟି ପ୍ରଶ୍ନଟିଏ ଫିଙ୍ଗିଦିଏ – ସେ କେଉଁ କଳ୍ପବୃକ୍ଷର ଫଳ ମା ?

ଯୁବତୀ ଗୋପାଙ୍ଗନାମାନଙ୍କର ବସ୍ତ୍ର ଯେତେବେଳେ ଝୁଲୁଥାଏ କଦମ୍ୱ ଶାଖାରେ, ଯେତେବେଳେ ବିବସ୍ତ୍ର ଯମୁନାର ନୀଳ ଜଳବେଣୀରେ ଚହଟି ଉଠେ ଷୋଳସସ୍ର ଯୌବନ, ଶ୍ୟାମ ତମାଳର ପ୍ରତିଟି ଦଳରେ ତୁମେ ଲେଖି ହେଇଯାଅ ମା !

ସେଇଥିପାଇଁତ କାଳିଦାସଙ୍କର ତୁମପ୍ରତି ଅସାମାନ୍ୟ କାବ୍ୟିକ ରସିକତା ! …. “ସ୍ତନଯୁଗ ଶୋଭିତ ମୁକୁତା ହାରେ ….” ଲୋକଲଜ୍ଜାକୁ ଯାହାଟିକେ ଇତସ୍ତତଃ ହେଇଚ ! ଗୋପନରେ କିନ୍ତୁ ଏଭଳି ଅଶାଳୀନ ଅଭ୍ୟର୍ଥନାରେ ତୁମେ ଯେ ଉଲ୍ଲସିତ ନ ହୋଇଚ କିଏ କହିବ ମା ?

ଏସବୁ ଗୋଟେ ଗଳ୍ପର ଉପକ୍ରମଣିକା ହୋଇପାରେନା ! ଯଦିବା ହୁଏ, ତା’ହେଲେ ସେଭଳି ଗୋଟେ ଗଳ୍ପର ତାର୍କିକ ଉପସଂହାର ଆଣିବା ବଡ଼ କଷ୍ଟକର ହେବ ।

ମୁଁ ଠିଆ ହୋଇଥିଲି କୋର୍ଟ ସଂଲଗ୍ନ ଗାରଦ ବାହାରେ ଓ ଭିତରେ ଥିଲା ରତ୍ନାକର । ଆଉ ଦି’ଜଣ ଆସାମୀ ତଳେ ବସି ବିଡ଼ି ଟାଣୁଥିଲେ । ରତ୍ନାକର ବେପରଓ୍ୱା ଦୃଷ୍ଟିରେ ବାହାରକୁ ଚାହିଁଥିଲା । ଓଠରେ ଜଳୁଥିଲା ଦପ୍‌ଦପ୍ ସିଗାରେଟ୍ । ଆଖିରେ ଯେପରି ଲେଖାହୋଇଥିଲା ଏଇଭଳି କିଛି ଉପରୋକ୍ତ ଧୃଷ୍ଟତା – କଦମ୍ୱ ଶାଖାରେ ଯୁବତୀ ବ୍ରଜବାଳାଙ୍କର ନୁହେଁ, ତୋର ଶୁକ୍ଳାମ୍ୱର ଝୁଲୁଚି ମା ! ତୁ ପୁଣି ସଲ୍ଲଜ ମୁହଁ ଲୁଚାଇଛୁ ସ୍ୱପ୍ନ ସୁନ୍ଦରୀ ଲାବଣ୍ୟବତୀର ପଣତତଳେ, ଚନ୍ଦ୍ରଭାନୁକୁ ତା’ର ବ୍ୟାକୁଳ ଅନ୍ୱେଷଣ ସମୟରେ ! ଦେହରେ ସ୍ଥାପତ୍ୟ ଯେଉଁଠି ସୌନ୍ଦଯ୍ୟବୋଧର ଉତ୍ସପାଲଟିଯାଏ, ସେକ୍ସ ବଦଳିଯାଏ ବିଦ୍‌ଗଧ ସାହିତ୍ୟରେ !

ରତ୍ନାକର ମୋ ସାଙ୍ଗରେ ପଢିଲାବେଳେ କବିତା ଲେଖୁଥିଲା । ଅଧାରୁ ପଢ଼ାଛାଡ଼ି କଲେଜ ଛକରେ ବହି ଦୋକାନଟେ କଲା । ଦୋକାନଟିର ନାଁ ରଖିଥିଲା “ମୋନାଲିସା” ମୁଁ ଥିଲି ତା’ର ଜଣେ ନିୟମିତ ଗ୍ରାହକ । ଏ ସବୁ ତିରିଶ ବର୍ଷ ତଳର କଥା । ତା’ ପରେ କର୍ମ ସଂସ୍ଥାନ ଦାୟରେ, ସହର ଛାଡିଲା ପରେ, ତା ସାଙ୍ଗରେ ମୋର ଯୋଗସୂତ୍ର ତୁଟିଗଲା । ପୁଣି କେତେବର୍ଷ ବ୍ୟବଧାନରେ ପୁରୁଣା ସହରକୁ ଫେରିଆସିଲା ପରେ ମୁଁ ତାକୁ ଥରେ ଦି’ଥର କଲେଜ ଛକରେ ଖୋଜିଥିଲି । ଆଗରୁ ଯେଉଁଠି ତା’ର ବୁକ୍‌ଷ୍ଟଲ୍‌ଟି ଥିଲା, ସେଠାରେ ଗୋଟେ ବଡ଼ ଇମାରତ୍ ଗଢ଼ି ଉଠିଲାଣି । ଲୁହା ଲକଡ଼ିର ବିପଣି ମେଲିଛି ସାମନାରେ । ଜଣେ ଦି’ଜଣ ସମଧର୍ମୀ ବହି ଦୋକାନୀକୁ ତା’ର ଠିକଣା ପଚାରିଲି, ସେମାନେ କେହି ରତ୍ନାକର ବିଷୟରେ କହି ପାରିଲେ ନାହିଁ ।

ତାକୁ ଭୂଲିଗଲା ବେଳେ, ହଠାତ୍ ସେ ଗୋଟେ ଚାଞ୍ଚଲ୍ୟକର ସଂବାଦର ଅପରାଧୀ ରୂପେ ସଂବାପତ୍ର ପୃଷ୍ଠାରେ ପ୍ରକାଶ ହେଲା – “ଅଶ୍ଳୀଳ ପୁସ୍ତକ କାରବାରରେ ପୁସ୍ତକ ବିକ୍ରେତା ଗିରଫ” ଏଇଥିଲା ଶୀର୍ଷକ ।

ମୁଁ ଯାହା ଜାଣିଥିଲି, ଏ ସହରରେ ରତ୍ନାକର ଥିଲା ଏକାକୀ ଯାଯାବରଟିଏ । ଘର କେଉଁଠି, ଘରେ ଆଉ କିଏ ସବୁ ଅଛନ୍ତି ସେ କଥା ଥରକ ପାଇଁ କାହାକୁ କହିନାହିଁ । ବେଶ ପୋଷାକରେ ଅଭାବର ଗୋଟେ ଧୂସର ଦୃଶ୍ୟ ଉକୁଟି ଉଠେ । ହେଲେ ଅଭାବ ବୋଧରୁ କାଣିଚାଏ ନଥାଏ ସେଥିରେ ।

ଅଭାବ ତା’ଉପରେ ନୁହେଁ, ବରଂ ସେ ଅଭାବ ଉପରେ ଯେପରି ସବାର ହୋଇଥାଏ । ହଷ୍ଟେଲରେ ଯେଉଁ ଦୁଇତିନିମାସ ରହିଛି ସେଥିପାଇଁ ପଇସାଟିଏ ବି ଘରୁ ଆସିବାର ନଜର ନାହିଁ । ଆଡ଼ମିଶନ ସମୟରେ ଯେତିକି ହଷ୍ଟେଲ୍‌ଫିସ୍, ମେସ୍‌ପାଉଣା ପଇଠ କରିଥିଲା ସେତିକି । ତା’ ପରେ ସବୁଥିରୁ ତା ନାଁ କଟିଗଲା ବର୍ଷେକାଳ କିନ୍ତୁ ହଷ୍ଟେଲ୍‌ସିଟ୍ ଦଖଲ କରି ରହିଲା କଲେଜ ଛକରେ ଦୋକାନଟିଏ ଦେବା ପର୍ଯ୍ୟନ୍ତ !

ଗୋଟାଏ ଧୂମକେତୁ ଭଳି କଲେଜରେ ତା’ର ପ୍ରବେଶ ଆଉ ପ୍ରସ୍ଥାନ ଥିଲା ସେମିତି ଆକସ୍ମିକ ।

ରତ୍ନାକର କଥା ମୋର ବେଶୀ ମନେପଡ଼େ । ଏଇଥିପାଇଁ ଯେ ସେ ମୋତେ ଗୋଟେ ମୂଲ୍ୟବାନ୍ କଥା ଶିଖେଇ ଯାଇଛି । ତା’ ହେଉଛି, ଦୁଃଖକୁ ଗୋଟେ ପେଣ୍ଡୁ ମନେକରି ମନଇଚ୍ଛା ଖେଳ । ତା’ର ସ୍ଥାନ ହୃଦୟରେ ନୁହେଁ ପାଦତଳେ । ଫୁଟ୍‌ବଲ୍ ମନେ କରି ତାକୁ କିକ୍ ମାର ବହୁଦୂରକୁ । ସେ ପୁଣି ତୁମ ପାଦତଳକୁ ଫେରିଆସିବ ପ୍ରତିପକ୍ଷର ମାଡ଼ରେ । ତୁମେ ନିପୁଣ ଖେଳୁଆଳ ପିଲା ଭଳି ତାକୁ ଗଡ଼େଇ ଦେବ ଦୂରକୁ, ଦୂରକୁ । ଏମିତି ଖେଳ ଚାଲିଥିବ ଜୀବନସାରା । ରତ୍ନାକରର ଏହି ଦୃଷ୍ଟି ଭଙ୍ଗୀ ଜୀବନର ପ୍ରତି ପଦେ ପଦେ ମୋର ମନେ ରହିଚି । ସେଇଥିପାଇଁ ତିରିଶି ବର୍ଷର ବ୍ୟବଧାନ ସତ୍ତ୍ୱେ ମୁଁ ତାକୁ ଭୂଲିପାରିନି । ଦୁଃଖ ଦୁର୍ଦ୍ଦଶା ପାଖରେ ମଥାନୋଇଁ, ବଶମ୍ୱଦ ମୁଦ୍ରାରେ ଠିଆ ହେବାକୁ ସେ ସର୍ବଦା ଘୃଣା କରୁଥିଲା । ଆଜିବି ଠିକ୍ ସେମିତି କୋର୍ଟ ହାଜତ୍ ଭିତରେ ବେପରଓ୍ୱା ଭଙ୍ଗୀରେ ଠିଆ ହୋଇଚି । ଯେମିତି ଖୋଲା ପଡିଆର ଦର୍ପିତ ଖେଳାଳୀଟିଏ ! ବାହାରେ ଠିଆ ହୋଇ ମୁଁ ଅପେକ୍ଷା କରିଛି ତାକୁ ବେଲ୍‌ରେ ନେବା ଲାଗି ।

ଅଥଚ ନିର୍ଲିପ୍ତ ଦୃଷ୍ଟିରେ ଆସାମୀ ଚାହିଁଛି । ଆଶା ନାହିଁ କି ଉଦବେଗ ନାହିଁ । ଦୀର୍ଘ ତିରିଶିବର୍ଷ ପରେ ରତ୍ନାକର ସାଙ୍ଗରେ ଦେଖା ହେଉଛି । ଲୁହା ରେଲିଂ ଭାଙ୍ଗି ସେ ଧାଇଁ ଆସନ୍ତା, ଗଳାରେ ଝୁଲିପଡ଼ିବା ପାଇଁ । ପ୍ରତିରୋଧର ଲୌହ ଫାଟକ ତରଳି ଯା’ନ୍ତି ତା’ ଉଚ୍ଛ୍ୱାସର ଉଷ୍ମତାରେ । ସେଇ ବେପରଓ୍ୱା ଚାହାଣି, ସେଇ ଦର୍ପିତ ଠାଣି ଅଥଚ କିିଛି ମୁଖରିତ ହେଉନାହିଁ !

କୋର୍ଟ ଚାଲୁ ହେବାର ଘଣ୍ଟାକ ଭିତରେ ରତ୍ନାକର ଜାମିନ୍‌ରେ ଖଲାସ୍ ହେଲା । ତାକୁ ଆଉ ଜେଲ୍ ଭିତରକୁ ଯିବାକୁ ହେଲାନାହିଁ । ଜଣେ ଅଶ୍ଳୀଳ ପୁସ୍ତକ ବେପାରୀ ସକାଶେ ମୋର ସାମାଜିକ ସଂପର୍କକୁ ଉପସ୍ଥିତ ସଜ୍ଜନମାନେ କିଛିକ୍ଷଣ ସନ୍ଦିଗ୍ଧ ଦୃଷ୍ଟିରେ ଚାହଁଲେ । ସର୍‌କାରୀ ଓକିଲ ଜଣେ ପରିହାସ କରି କହିଲେ – ବଡ଼ ତାଗଡ଼ା ଗରାଖ ଜଣେ ! ମୁଁ ଦାନ୍ତ ଚିପି କ୍ରୋଧ ସଂବରଣ କଲି । ଦୁହେଁ ବାହାରକୁ ଆସିଲୁ । ଦଣ୍ଡେ ମାତ୍ର ଅପେକ୍ଷା କରିବାକୁ ମୋର ଧୈର୍ଯ୍ୟ ନଥଲା । କାଲି ହୁଏତ ଖବରକାଗଜରେ ଆଉ ଗୋଟିଏ ସମ୍ୱାଦ ବାହାରିବ ଅଶ୍ଳୀଳ ପୁସ୍ତକ କାରବାରରେ ଅମୁକ ଅଧ୍ୟାପକଙ୍କ ପ୍ରଚ୍ଛନ୍ନ ହାତ ଅଛି ! ମୁଁ ତରତର ହୋଇ ରିକ୍ସା ଖୋଜିଲା ବେଳେ ରତ୍ନାକର ମୋତେ ଟାଣିନେଲା ପାଖ “ଚା ଦୋକାନକୁ” । ଦୁହେଁ ଯାଇ ବେଞ୍ଚ୍ ଉପରେ ବସିଲୁ । ଆଉ ଗୋଟେ ସିଗାରେଟ୍‌ରେ ନିଆଁ ଲଗେଇ ସେ ଆରମ୍ଭ କଲା “କଲେଜରେ ପଢ଼ିଲା ବେଳେ ଶଳା ଲୁଚେଇ ଲୁଚେଇ ମାଗଣାରେ ମୋଠୁ, ରାତିରେ ବହି ମାଗି ନେଇ ସକାଳକୁ ଫେରେଇଚି । ଇଂରାଜୀ, ହିନ୍ଦୀ, ଓଡ଼ିଆ …… ହରେକ ଭାଷାରେ ବହି । ଆଜି ତା’ ପୁଅ ଝିଅ ଏ ବହି ପଢ଼ିଲା ବେଳକୁ ବାପାର ଚେତା ପଶୁଚି !”

ମୋର ବୁଝିବାକୁ ବାକି ନଥିଲା ଯେ ରତ୍ନାକର ତା’ ବେପାର ବୁଡ଼େଇଥିବା ପୁଲିସ୍ ଅଫିସର ଉଦ୍ଦେଶ୍ୟରେ ଏସବୁ ବକୁଛି । କୌଣସି ପ୍ରକାରେ ଚା କପେ ଢ଼ୋକିଦେଇ ଦୁହେଁ ଯାଇ ରିକ୍ସାରେ ବସିଲୁ । କଲେଜ ଆଡ଼କୁ ରିକ୍ସା ନଯାଇ ରତ୍ନାକର ଇଙ୍ଗୀତରେ ରିକ୍ସା ଚାଲିଲା ତା ବସାଘର ରାସ୍ତାରେ । ଗୋଟିଏ ଅପରିଚ୍ଛନ୍ନ , ସଂକୀର୍ଣ୍ଣ ଗଳି ମଝିରେ ରତ୍ନାକରର ନୁଆଣିଆ ଟିଣ ଛପର ଘର । ଦୁଆର ମୁହଁରୁ ସାତ ଆଠ ବର୍ଷର ପିଲାଟିଏ ବାପା ବାପା ଚିତ୍କାର କରି ଧାଇଁ ଆସିଲା ଆଗକୁ । କବାଟ ଇଷତ୍ ମେଲା କରି ଶୀର୍ଣ୍ଣ ଗୋରୀ ସ୍ତ୍ରୀଲୋକଟି ପଛକୁ ହଟିଗଲା । ରତ୍ନାକର ପଛେ ପଛେ ମୁଁ ଭିତରକୁ ଗଲି ।

: ମୁଁ ତୋତେ ସଫେଇ ଦେବାକୁ ଏଠିକି ଡାକି ଆଣିନି । ମୋ ଉପରେ ଏମିତି ଚଢ଼ଉ ହୁଏ । ମୁଁ ହାଜତରେ ପଶେ । ଜେଲ୍‌କୁ ଯିବା ପୂର୍ବରୁ ସେମାନେ ମୋତେ ଖଲାସ୍ କରି ଆଣନ୍ତି । ଏସବୁ ଦୁର୍ଦ୍ଦଶା ମୋର ଦେହସୁହା ହୋଇଗଲାଣି । ସେମାନ ନେପଥ୍ୟରେ ରହିଯାନ୍ତି । ମୁଁ ଅନାବୃତ ହୁଏ ଲୋକଙ୍କ ଆଖିରେ ! ଖବର କାଗଜ ପୃଷ୍ଠାରେ ! ଏତିକି କହି ନୀରବ ହୋଇଗଲା ରତ୍ନାକର । ଏତେ ବର୍ଷ ବ୍ୟବଧାନରେ ଦେଖାହେଲା ବେଳେ ସେ କିଛି ବ୍ୟକ୍ତିଗତ ଭଲମନ୍ଦ ପଚାରିଲା ନାହିଁ । ଅତୀତର କିଛି ସ୍ମୃତିଚାରଣ ମଧ୍ୟ କଲାନାହିଁ ।

କିିନ୍ତୁ ଏଇ ସେମାନେ ସବୁ କିଏ ? ମୁଁ ପଚାରିଲି ।

ରତ୍ନାକର ଗମ୍ଭୀର ଦିଶିଲା । ଏତିକିବେଳେ ତା ସ୍ତ୍ରୀ ଚା ଦି’ କପ୍ ଆଣି ଟେବୁଲ୍ ଉପରେ ଥୋଇଲା । ହାତରେ କମଳା ରଙ୍ଗର ପାଣିକାଚ ଦି’ ପଟ । ଅଳ୍ପ ରୁଣୁଝୁଣୁ ଶବ୍ଦକରି ଲେଉଟିଗଲା । ଅତିନିମ୍ନ ମଧ୍ୟବିତ୍ତ ନିଅଣ୍ଟିଆ ସଂସାରର ସୁକ୍ଷ୍ମ ବିବୃତି ଯେପରି ଲେଖାହେଇଚି ଶୀର୍ଣ୍ଣକାୟ ସ୍ତ୍ରୀଲୋକଟିର ସର୍ବାଙ୍ଗରେ । ତା’ ସତ୍ତ୍ୱେ ସୌନ୍ଦର୍ଯ୍ୟର ସମସ୍ତ ଚାକ୍ଷୁସ ପରିଭାଷା ଅଟକି ରହିଛି ଦେହସାରା ।

ଚା’ କପ୍‌ଟା ଉଠାଇ ନେଉ ନେଉ ରତ୍ନାକର କହିଲା – “ସବୁ ଅପରାଧ ପଛରେ କେବଳ ସବଳ ଲୋକମାନେ ମହଜୁଦ୍ ଥାନ୍ତି । ପରୋକ୍ଷରେ ହେଉ ବା ପ୍ରତ୍ୟକ୍ଷରେ ! ଡ଼ାଲିଚାଉଳ, ତେଲ ଲୁଣ ନିତ୍ୟ ବ୍ୟବହାର୍ଯ୍ୟ ବସ୍ତୁ ଭଳି ଉତ୍ତେଜନା – ଆଇମିନ୍ “ଷ୍ଟିମୁଲି”ର ଗୋଟାଏ ପ୍ରକାଣ୍ଡ ମାର୍କେଟ୍ ଅଛି ବନ୍ଧୁ ! ଡ୍ରଗ୍ସ୍’ଠୁ ଆରମ୍ଭ କରି ବ୍ଲ୍ରଫିଲ୍ମ ପର୍ଯ୍ୟନ୍ତ ! ସେଇ ମାର୍କେଟ୍‌ର ମୁଁ ଜଣେ ଖୁଚୁରା ବ୍ୟବସାୟୀ ! ଏ ସହରରେ ପ୍ରବାହିତ ଅପରାଧର ନୀଳନଈରୁ ମୁଁ ବିନ୍ଦୁଟିଏ ମାତ୍ର ! ଏଇ ପ୍ରଥମଥର ପାଇଁ ସେମାନେ ମୋ ପ୍ରତି ବିମୁଖ ହୋଇ ପଡ଼ିଛନ୍ତି । ନଚେତ୍ ଥାନା ହାଜତରୁ ମାମଲା ରଫା ହୋଇଥାନ୍ତା । ତୋ ସାଙ୍ଗରେ ଆଜି ମୋର ଗୋଟେ ଅପ୍ରୀତିକର ପରିସ୍ଥିତିରେ ଭେଟ ହେବାର ପ୍ରଶ୍ନ ଉଠି ନଥାନ୍ତା । ”

– କିନ୍ତୁ କାହିଁକି ? ମୁଁ ପଚାରିଲି । ଘରେ ଗୋଟିଏ କଣରେ ସ୍ତୂପୀକୃତ ଅଳିଆ କାଗଜ ଭିତରୁ ପ୍ୟାକେଟ୍ଟିଏ ଆଣି ଟେବୁଲ୍ ଉପରେ ଥୋଇ ଦେଉ ଦେଉ ରତ୍ନାକର କହିଲା – ଏଭଳି କେତେ ଚର୍ଚ୍ଚିତ ଫିକ୍ସନ୍ ଅଛି ଯେଉଁଗୁଡ଼ିକର ଚରିତ୍ରମାନଙ୍କଠାରୁ ମୋ ସେକ୍ସ -ନଭେଲ୍‌ର ନାୟକ ନାୟିକାମାନେ ଅଧିକ ଆବୃତ, ଅଧିକ ସଂଯତ । ଖାଲି ଏଇ କଭର ପ୍ରୋଫାଇଲ୍‌ରେ ଯେତିକି ମାତ୍ର ନ୍ୟୁଡ଼ିଟି !”

: ମୁଁ ଲେଖେ, ସେମାନେ ଛାପନ୍ତି । ସର୍କୁଲେସନ ଦାୟିତ୍ୱ ସେମାନଙ୍କର । ମାସକୁ ଟଙ୍କା ପାଆଁଶ ମୋର ପାରିଶ୍ରମିକ । କଲେଜ ଛକ କେବିନ୍‌ରୁ ଯଦି ମୁନିସ୍ପାଲିଟ୍ ମୋତେ ଉଚ୍ଛେଦ କରିନଥାନ୍ତା, ମୋର ଏ ଅଧଃପତନ ହୋଇନଥାନ୍ତା । ଲୁହା ବେପାରୀ ଇମାରତ୍ ଗଢ଼ିଲା ସେଇ ଜାଗାରେ । ମୁଁ ଘୁରି ବୁଲିଲି ଜୀବିକା ପାଇଁ । ଶେଷରେ ସହରର ନୀଳ ଭଉଁରୀ ଭିତରେ ପଡ଼ି ମୁଁ ଆଜି ଉବୁଟୁବୁ ହେଉଛି । ଶେଷକୁ ମୋର ଏ ଅବସ୍ଥା ଦେଖୁଛୁ ! ଏଇ ପ୍ରଥମ ଥର ପାଇଁ ସେମାନେ ମୋ ପାଇଁ ବେଲ୍ ମୁଭ୍ କରିବାକୁ ଆଗେଇ ଆସିଲେ ନାହିଁ କାହିଁକି ଜାଣୁ ?”

ମୁଁ ନୀରବରେ ରତ୍ନାକର ମୁହଁକୁ ଚାହିଁଲି । କାଗଜ ପ୍ୟାକେଟ୍ ଖୋଲି କେତେ ଗୁଡ଼ାଏ ବ୍ଲାକ୍ ଆଣ୍ଡ ହ୍ୱାଇଟ୍‌ରେ ନ୍ୟୁଡ୍ କଭର ଡ଼ିଜାଇନ୍ ଟେବୁଲ୍ ଉପରେ ଖେଳାଇ ପକାଇଲା । ନାରୀ ଦେହର ମୁଖରିତ ଲେ-ଆଉଟ୍ କେଇଟା !

ଏସବୁ ଗୁଡ଼ାକ ମୋ ସ୍ତ୍ରୀର । ଲାଇଟ୍ ଆଣ୍ଡ ସେଡ୍‌ର କୁଶଳ କାରିଗରୀରେ ମୁଁ ନିଜେ ମୋ ସ୍ତ୍ରୀକୁ ଓହ୍ଲାଇ ଆଣିଚି କାମନାର ପାଦ ଦେଶକୁ ! ନିର୍ଦ୍ଦୋଶ ଚାହାଣୀରେ ତା’ର ଭରି ଦେଇଚି କାମନାର ତୀବ୍ର ହଳାହଳ ! ହିଟ୍ କରିଚି ମାର୍କେଟ୍ । ବେଷ୍ଟ ସେଲର୍ ହେଉଛି ଖାସ୍ ଏଇ କଭର ଲେ-ଆଉଟ୍ ପାଇଁ । ଏକକୁ ଆରେକ ଡିଜାଇନ୍ । ପୁରୁଣା ଦେହରେ ନୁଆ ବିନ୍ୟାସ । ଆଖିରେ ଦୂଷିତ ଆବେଦନର ବିରଳ ଛଟା ।

– “ବ୍ଲୁ-ରାକେଟର ପାଇକାରୀ ବ୍ୟବସାୟୀମାନେ ଜାଣିପାରନ୍ତି ନାହିଁ । ସେମାନେ ତାରିଫ୍ କରନ୍ତି । ସଶରୀରରେ ମଡ଼େଲଟାକୁ ତାଙ୍କ ବ୍ୟବସାୟରେ ସାମିଲ୍ କରିବାକୁ ଦାବି କରି ବସନ୍ତି । ମୁଁ ଶୀହରି ଉଠେ । ପ୍ରସଙ୍ଗ ଏଡ଼େଇ ଯାଏ । ଅତି ବିରଳ ମଡ଼େଲର ଦ୍ୱାହି ଦେଇ ଅତିରିକ୍ତ ପାଉଣା ଦାବି କରୁଥିଲି ଏହି ନିଷିଦ୍ଧ ବଣିଜର ବେପାରୀମାନଙ୍କଠାରୁ । ଆଉ ପାରିଲି ନାହିଁ । ଅନ୍ତଃସତ୍ତ୍ୱା ସ୍ତ୍ରୀକୁ ନେଇ ଦେହ ବୁଭୁକ୍ଷାର ମଡ଼େଲ୍ କରିହେଲା ନାହିଁ । ଅଗତ୍ୟା ଗତ ସଂଖ୍ୟା ବହିଟି ପାଇଁ ସେମାନଙ୍କ ନିଷିଦ୍ଧ ବଣିଜର ଗୋଟେ ପରିତ୍ୟକ୍ତ ଆଲବମ୍‌ରୁ ନ୍ୟୁଡ଼୍‌ଟିଏ ଚୋରାଇ ଆଣିଲି । ସେଇ ହେଲା ଗତସଂଖ୍ୟା ଉପନ୍ୟାସଟିର କଭର ପ୍ରୋଫାଇଲ୍ !

ଏତିକି କହି କିଛିକ୍ଷଣ ଚୁପ୍ ରହିଲା ରତ୍ନାକର । ଟେବୁଲ୍ ଉପରେ ବିଛାଡ଼ି ହେଇ ପଡ଼ିଥିବା ଚାରି ପାଞ୍ଚଟି କଭର ଡ଼ିଜାଇନ୍ ଭିତରୁ ଗୋଟିଏ ଶୀର୍ଣ୍ଣକାୟା ସୁନ୍ଦରୀ ବନ୍ଧୁପତ୍ନୀ ଦେହର ଭଗ୍ନାଂଶ ସବୁକୁ ଏକତ୍ରିତ କରି ପ୍ୟାକେଟ୍ ଭିତରେ ରଖୁ ରଖୁ ପଚାରିଲି- “କ’ଣ ହେଲା ସେଉଠୁ ?”

: ସବୁ ବିଭ୍ରାଟ ହୋଇଗଲା । ସେ ନ୍ୟୁଡ୍ ଡିଜାଇନ୍‌ଟି ରାଜ୍ୟର କ୍ଷମତାସୀନ ଜଣେ ମନ୍ତ୍ରୀଙ୍କ ବିବାହିତା ଝିଅ ଓ ଜଣେ ବିଶିଷ୍ଟ ଶିଳ୍ପପତିଙ୍କର ପୁତ୍ରବଧୂର ଚେହେରା ସାଙ୍ଗରେ ମିଶିଯାଉଛି । ବର୍ତ୍ତମାନ ଏହା ଗୋଟେ ରାଜନୈତିକ ପ୍ରଶ୍ନ ହେଇଗଲାଣି । ମୋର ଗରାଖମାନଙ୍କ ଭିତରେ ଚାପା ଗୁଜବ ଶୁଭୁଚି ପନ୍ଦରଦିନ ହେଲା । ଦଶହଜାର ବହି ଦିନ କେଇଟା ଭିତରେ ମାର୍କେଟ୍‌ରୁ ଉଭେଇଗଲା । ଯେଉଁ ଖଣ୍ଡେ ଦି’ଖଣ୍ଡ ମୋ ପାଖରେ ଥିଲା ପୁଲିସ୍ ସିଜ୍ କରିନେଇଛି । ସବୁଠାରୁ ବିଡ଼ମ୍ୱନା କ’ଣ ଜାଣୁ ? ଉପନ୍ୟାସରେ ବର୍ଣ୍ଣିତ ନାୟିକାର ନାଁ ସାଙ୍ଗରେ କୁଆଡ଼େ ନାରୀଟିର ନାଁ ମିଶିଯାଉଛି । ସୋସିଆଲ୍ ଷ୍ଟାଟସ୍ ବି ! ଏଇଟା ମୋର ଦୁର୍ଭାଗ୍ୟ ଭାଇ ! ରତ୍ନାକର ଆଉ ଖଣ୍ଡେ ସିଗାରେଟ୍‌ରେ ନିଆଁ ଧରାଇଲା ।

ଗୋଟେ ରୂପକଥାର ସୁଅରେ ମୁଁ ଯେପରି ଭାସୁଥିଲି । ସମାଜର ଲୋକ ଗହଳି ଭିତରକୁ ଆଖିବୁଝି ଟେକାଟିଏ ଫିଙ୍ଗିଲେ ତାହା ଯେ ରତ୍ନାକରଠୁ ଗୋଟେ ବୃହତ୍ତର ଅପରାଧୀ ମୁଣ୍ଡରେ ବାଜିବ ଏଥିରେ ମୋର ଅବିଶ୍ୱାସ ରହିଲା ନାହିଁ । କଲେଜରେ କବିତା ଲେଖୁଥିବା ଓ ବେପରଓ୍ୱା ଭାବେ ଦୁଃଖକୁ ବର୍ତ୍ତୁଳ କରି, ଫୁଟ୍‌ବଲ୍ ଖେଳିଥିବା ବନ୍ଧୁଟି ମୋର ତିରଶ ବର୍ଷ ପରେ ପାଲଟି ଯାଇଛି ନିଷିଦ୍ଧ ଶବ୍ଦର ବଣିଜଟିଏ !

“ଚାଟଇଚ୍ଛାବତୀ, ଚତୁର ବିନୋଦ, ରସ ପଞ୍ଚକ ଇତ୍ୟାଦିର ପୃଷ୍ଠାରୁ ଓହ୍ଲେଇ ଆସିଥିବା ନିରାଭରଣ ଶବ୍ଦମାନଙ୍କୁ ଗୋଟେଇବାରେ ମୋର ଅପରାଧ କେଉଁଠି ମା ? “

ଲୋକପ୍ରିୟ ଲେଖା

To Top