ଗଳ୍ପ

ନିରୁତ୍ତର

Odia Author Biraja Routray

ମୁଁ ମନା କରୁଥିଲି ….. ବଢ଼ିଲା ଝିଅ … କ’ଣ ମିଳିଲା ସେ ପାଠପଢ଼ାରୁ । ଏଣେ ପାଠ ଚୂଲିକୁ ଗଲା, ତେଣେ ଝିଅ ମୋର କାହା ସାଙ୍ଗରେ ପଳାଇଗଲା

ନିରୁତ୍ତର

ଅନୀତା ଦିଦି ସ୍କୁଲ ହତା ନିକଟରେ ପହଞ୍ଚିଲା ବେଳକୁ ଆଗରୁ ସେଠି କିଛି ଲୋକ ରୁଣ୍ଡ ହୋଇଥିବାର ଦେଖିବାକୁ ପାଇଲେ । ସେମାନଙ୍କ ଭିତରୁ କିଛି ସ୍କୁଲ ପାଚେରୀ ଉପରେ ଛିଡ଼ା ହୋଇ ଭିତର ପଟର କୌଣସି ଦୃଶ୍ୟକୁ ଦେଖି ଆନନ୍ଦ ଉପଭୋଗ କରୁଥିଲେ । ଆଉ କିଛି ମୁଖ୍ୟ ଫାଟକ ଡେଇଁ ଭିତରେ ଆସି ଛିଡ଼ା ହୋଇଥିଲେ । ସମସ୍ତଙ୍କ ମୁହଁରେ ଥିଲା ଏକ ପ୍ରକାରର କୌତୁହଳତା । ସମସ୍ତେ ପାଲଟି ଯାଇଥିଲେ ଜଣେ ଜଣେ ନୀରବ ଦେଖଣାହାରୀ ।

ଗାର୍ଲସ ସ୍କୁଲର ହତା ଭିତରେ ଏତେ ସଂଖ୍ୟାରେ ବାହାର ଲୋକଙ୍କର ଏହିପରି ଅନଧିକାର ପ୍ରବେଶକୁ ଦେଖି ସେ ପ୍ରଥମେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ସେ । ସେଦିନ ଆସିବାରେ ସାମାନ୍ୟ ବିଳମ୍ୱ ହୋଇଯାଇଥିବାରୁ ଖୁବ୍ ଚଞ୍ଚଳ ପାଦରେ ମୁଖ୍ୟ ଫାଟକ ଡେଇଁ ଭିତରକୁ ପ୍ରବେଶ କଲାବେଳେ ଅପ୍ରତ୍ୟାଶିତ ଭାବେ ଏହି ଅଭାବନୀୟ ଦୃଶ୍ୟକୁ ଦେଖି ଟିକେ ବିରକ୍ତ ହୋଇପଡ଼ିଥିଲେ । ତାଙ୍କ ଦୁଇ ଆଖିରେ ଯେପରି କ୍ରୋଧର ନିଆଁ ଖେଳିଗଲା । ବଡ଼ପାଟି କରି ସ୍କୁଲର ପିଅନ ଭୋଳାକୁ ଡାକ ପକାଇ କହିଲେ- ଏଠିସବୁ କ’ଣ ଚାଲିଛି, ତୁ ଦେଖିପାରୁଛୁ ନା ନାହିଁ । ଏବେ ରଙ୍ଗ କରା ହୋଇଥିଲା ଏହି ପାଚେରୀ କାନ୍ଥ ଗୁଡ଼ାକ । ସବୁ କଦର୍ଯ୍ୟ ହୋଇ କ’ଣ ଦିଶୁଛି ? ଆଙ୍ଗୁଠି ଦେଖାଇ ଭୋଳାକୁ ନିର୍ଦ୍ଦେଶ ଦେଲା ପରି କହିଲେ -“ଯା , ଶୀଘ୍ର ସେହି ଲୋକଟାକୁ ଏ ସ୍କୁଲ ହତାରୁ ତଡ଼, ଆଉ ସଫା କର ସେଗୁଡ଼ାକୁ ।”

ନିଜ ରାଗ ଶାନ୍ତ କରିବାକୁ ଏତିକିରେ ଯଥେଷ୍ଟ ହେଲା ନାହିଁ ଦିଦିଙ୍କୁ । ଚାରିକଡ଼ରେ ଘେରି ରହି ଏ ଦୃଶ୍ୟକୁ ଉପଭୋଗ କରୁଥିବା ଲୋକଙ୍କ ଉଦ୍ଦେଶ୍ୟରେ ଶୁଣାଇ କହିଲେ -“ତମେସବୁ ଛିଡ଼ା ହୋଇ ଏଠି ଦେଖୁଛ, କେହି ଅଟକାଇ ପାରୁନ ସେହି ପାଗଳା ଲୋକଟାକୁ । ଯାହା ନାହିଁ ତାହା ଲେଖି ଚାଲିଛି କାନ୍ଥବାଡ଼ରେ ।” ବଡ଼ଦିଦିଙ୍କର ଏହି ରୁଦ୍ର ରୂପରେ ସ୍କୁଲ ହତାରେ ଗହଳି ଧରିଥିବା ଭିଡ଼ଟା ଦେଖୁ ଦେଖୁ ପତଳା ପଡ଼ିଗଲା । କେବଳ ତାଙ୍କ ସମ୍ମୁଖରେ ଅପରାଧୀଙ୍କ ପରି ମୁଣ୍ଡ ପାତି ଛିଡ଼ା ହୋଇଥିଲା ସ୍କୁଲର ପିଅନ ଭୋଳା । ତା ପ୍ରତି ଦିଦିଙ୍କର ଏପରି ଗାଳିବର୍ଷଣ ନିହାତି ପ୍ରତ୍ୟାଶିତ ଥିଲା । ମାତ୍ର ବିଚରା ସେ ନିଜର ଅସହାୟ ପଣକୁ ପ୍ରକାଶ କରିବାକୁ ଯାଇ କହିଲା -“ବହୁତ ଚେଷ୍ଟା କଲେଣି, ଦିଦି, ତଥାପି ସେ ପାଗଳଟାକୁ ଜମାରୁ ତଡ଼ି ହେଉନାହିଁ । ବାଡ଼ିରେ ପିଟି ସାରିଲିଣି, କେତେ ଟେକା ପଥର ପକେଇ ସାରିଲିଣି, ତଥାପି ଯାଉନାହିଁ । ଦେଖୁ ନାହାନ୍ତି, ଖଣ୍ଡିଆ ଖାବରା ହୋଇ ବି ଲୋକଟା ସେମିତି ବସି ଲେଖି ଚାଲିଛି । ବୁଢ଼ା ଲୋକଟା, ତାକୁ କେତେ ମାରଧର କରିଥାନ୍ତି ! ଡର ଲାଗିଲା କାଳେ କ’ଣ ତା’ର ହୋଇଯିବ ଯଦି” ? ସାମାନ୍ୟ ଟିକେ ପଛଘୁଞ୍ଚା ଦେଲା ପରି ଏହି ପଦକ କଥା କହି ପୁଣି ସଫେଇ ଦେଲା ଭଙ୍ଗୀରେ ଟିକେ ରହି ରହିକା କହିଲା -“ମୋ ସହିତ ଏହି ଲୋକଗୁଡ଼ାକ ବି ତାକୁ କମ୍ ଘୋଷରା ଘୋଷରୀ କରି ନାହାନ୍ତି ! ହେଲେ ତା’ଉପରେ କିଛି ବି ଫରକ ପଡୁନି , ପଚାରୁ ନାହନ୍ତି ଦିଦି !” ଏତକ କହିସାରି ସେ ମୁହଁ ବୁଲାଇ ଚାହିଁଲା ଉପସ୍ଥିତ ଲୋକଙ୍କ ଆଡ଼କୁ । ଲୋକେ ବି ତାକୁ ସମର୍ଥନ କଲା ଆଖିରେ ଚାହିଁଲେ ଦିଦିଙ୍କ ମୁହଁକୁ ।

ତା ମୁହଁରୁ ଏତିକି ଶୁଣି ସାରିଲା ପରେ ଥର୍ମୋମିଟର ପାରଦ ପରି ଅନୀତା ଦିଦିଙ୍କର ଭିତରର ରାଗ ସହସା ମୁଣ୍ଡ ଉପରକୁ ଚଢ଼ିଗଲା ଯେପରି । ସେ ସେହି ଅଜ୍ଞାତ ଅନୁପ୍ରବେଶକାରୀ ଲୋକଟା ଆଡ଼କୁ ଚାହିଁଲେ । ତାଙ୍କ ଠାରୁ କିଛି ଦୂରରେ ଥିବା ପାଚେରୀ ଉପରେ ନଇଁପଡ଼ି ସେହି ଲୋକଟା ହାତରେ ଖଣ୍ଡେ ଭଙ୍ଗା ଇଟାକୁ ଧରି ଇଆଡୁ ସିଆଡୁ ଲେଖି ଚାଲିଥିଲା । କାହା ପ୍ରତି ତାର ନିଘା ନ ଥିଲା କି ଭୟ ମଧ୍ୟ ନ ଥିଲା । ଯେପରି ଏସବୁ କାର୍ଯ୍ୟ କରିବା ପାଇଁ ସେ ଅବାଧ ଅଧିକାର ପାଇ ସାରିଥିଲା କାହାଠାରୁ । ଏମିତିକି ଖୁବ୍ ନିକଟରେ ପ୍ରବେଶ କରିଥିବା ସ୍କୁଲର ଖୋଦ୍ ପ୍ରଧାନଶିକ୍ଷୟତ୍ରୀଙ୍କ ଉପସ୍ଥିତି ମଧ୍ୟ ତାକୁ ବିରତ କରିପାରୁ ନଥିଲା ସେହି କାର୍ଯ୍ୟରୁ ।

ଗୋଟାପଣ ପାଗଳ ଜଣାପଡୁଥବା ସେହି ଅଦ୍ଭୁତ ଲୋକଟାର କାରନାମାରେ ପୁରା ସ୍କୁଲର ବାହ୍ୟ ରୂପଟି ବିକୃତ ହୋଇଯାଇଥିଲା । ସ୍କୁଲ ପାଚେରୀ କାନ୍ଥ ସବୁ ସ୍ଥାନଗୁଡ଼ିକ ତା ହାତଟଣା ଭଙ୍ଗା ଇଟାର ଅକ୍ଷର ଭିତରେ ଦିଶୁଥିଲା କଦାକାର । ଯେପରିକି କଚେରୀ ଛକର ସେହି ପୁରୁଣା ଘଷରା କାନ୍ଥ । ଯାହା ଉପରେ ଯିଏ ଯେତେବେଳେ ଚାହିଁଲା ହରେକ୍ ରଙ୍ଗର କାଳିରେ ଭର୍ତ୍ତି କରି ଦେଉଥିଲା କୁଢ କୁଢ ପ୍ରଚାରର ଅକ୍ଷର । ତାଙ୍କ ପ୍ରତ୍ୟକ୍ଷରେ ଶୁଭ୍ର ଓ ସୁନ୍ଦର ପାଲଟିଥିବା ସ୍କୁଲର ଏହି ବିବର୍ଣ୍ଣ ରୂପକୁ ଦେଖି କ୍ରମଶଃ କ୍ରୋଧରେ ଅଣାୟତ୍ତ ହୋଇ ଉଠୁଥିଲେ ସେ । ତତ୍‌କ୍ଷଣାତ୍ ଉତ୍‌କ୍ଷିପ୍ତ ପାଦରେ ମାଡିଗଲେ ଲୋକଟା ଆଡ଼କୁ । ପାଗଳଟା କିନ୍ତୁ ପୂର୍ବପରି ନିର୍ବିଘ୍ନ ଭାବରେ ଏଣୁ ତେଣୁ ଗାରେଇ ଚାଲିଥିଲା ପାଚେରୀ କାନ୍ଥରେ । ଯେମିତିକି ସେଇଟା ଗୋଟିଏ ରଫ୍‌ଖାତା । ଆଉ ନୂଆ ଅକ୍ଷର ଶିଖୁଥିବା କେହି ଜଣେ ପିଲା ତା ପେନ୍‌ସିଲ୍ ମୁନକୁ ଘୋରି ଚାଲିଛି ସେଥିରେ । ବେପରୁଆ ଭାବରେ ।

ଅନୀତା ଦିଦି ତାର ନିକଟବର୍ତ୍ତୀ ହେଲା ବେଳକୁ ପାଖରେ ଉପସ୍ଥିତ ସମସ୍ତେ କିଛି ଗୋଟେ ଅପ୍ରୀତିକର ଦୃଶ୍ୟ ଘଟିବାର ଅନୁମାନ କରୁଥିଲେ । ଉତ୍କଣ୍ଠାର ସହ ଚାହିଁ ରହିଥିଲେ ତାଙ୍କର ଗତିବିଧିକୁ । ସେଠାରେ ପହଞ୍ଚି କ’ଣ କାହିଁକି ଭାବି ଅଟକି ଗଲେ କ୍ଷଣକେ ପାଇଁ । ତାଙ୍କ ଦୁଇ ଆଖି ଆସି ମୁହୁର୍ତ୍ତକ ପାଇଁ ନିବଦ୍ଧ ହୋଇଗଲା ପାଚେରୀ ଉପରେ । ସେ ଦେଖିଲେ କେବଳ ଗୋଟାଏ କଥା ହିଁ ଲେଖା ହୋଇଛି ଏଠି ସେଠି ବିକ୍ଷିପ୍ତ ଭାବରେ । ତାଙ୍କ ପାଇଁ ସେ ଲେଖାଟି ଥିଲା ଖୁବ୍ ଚମକପ୍ରଦ । ବଡ଼ ବଡ଼ ହରଫରେ ବଙ୍କା ଟଙ୍କା ହୋଇ ଲେଖା ହୋଇଥିଲା କେବଳ ଗୋଟିଏ ନାଁ -“କୁମାରୀ ମମତା ସାହୁ” । ନାଁ ଟିକୁ ପଢୁ ପଢୁ ତାଙ୍କ ଦେହରେ ବିଜୁଳିର ତରଙ୍ଗ ପରି କମ୍ପନ ଖେଳି ଉଠିଲା । ସର୍ବାଙ୍ଗରେ ଏକ ଭୀତିପ୍ରଦ ଶିହରଣ ଯେପରି ତାଙ୍କ ତାଳୁରୁ ତଳିପା ଯାଏ ପହଁରିଗଲା ଆଖିପିଛୁଳାରେ । ଆଃ ! ଆପଣା ଛାଏଁ ତାଙ୍କ ପାଟିରୁ ବାହାରି ପଡ଼ିଲା ଏହି ଯନ୍ତ୍ରଣାକାର ଶବ୍ଦ । ଚାହୁଁ ଚାହୁଁ ତାଙ୍କ ଆଖି ଆଗରେ କୋଡ଼ିଏ ବର୍ଷ ତଳରଏକ ବିସ୍ମୃତ ଇତିହାସ ପୃଷ୍ଠା ଲେଉଟାଇଲା ଭଳି ଲୋଟିଗଲା ।

ସେତେବେଳେ ତାଙ୍କରି ଉଦ୍ୟମରେ ଏହି ମାଣିକପୁର ଅଞ୍ଚଳରେ ପ୍ରଥମ କରି ଗାର୍ଲସ ହାଇସ୍କୁଲ ଆରମ୍ଭ ହୋଇଥାଏ । ନୂଆକରି ସ୍କୁଲଟି ଖୋଲୁଥିବାରୁ ଝିଅମାନଙ୍କର ନାମ ଲେଖାଇବା ଏକ କଷ୍ଟକର ସମସ୍ୟା ଥିଲା । ସେଥିପାଇଁ ଆଖପାଖ ଗାଁମାନଙ୍କୁ ବୁଲି ସେଠାରେ ମାଇନର ପାସ୍ କରିଥିବା ଝିଅମାନଙ୍କ ପିତାମାତାଙ୍କୁ ପ୍ରବର୍ତ୍ତାଇବାକୁ ପଡୁଥିଲା । ମମତା ଥିଲା ଏହି ସ୍କୁଲର ପ୍ରଥମ ବର୍ଷର ଛାତ୍ରୀ । ଦୁଇ ବର୍ଷ ତଳୁ ମାଇନର ପାସ୍ କରି ସଂପୂର୍ଣ୍ଣ ଭାବରେ ପାଠ ଛାଡି ଦେଇଥିଲା । ଜଳଖିଆ ଦୋକାନରେ ରହି ସାହାଯ୍ୟ କରୁଥିଲା ବାପାଙ୍କୁ । ପଢିବାର ଇଚ୍ଛା ଥିଲେ ବି ପାଠଘରେ ବାନ୍ଧି ଦେଇଥିଲା ଡୋର । ସେ ସମୟରେ ପାଖ ଆଖରେ କୌଣସି ଗାର୍ଲସ ସ୍କୁଲ ନ ଥିଲା । ମାଣିକପୁର ଠାରୁ ପ୍ରାୟ ଦଶକୋଶ ଦୂରରେ ଯାଇଁ ଥିଲା ଗୋଟିଏ ମାତ୍ର ହାଇସ୍କୁଲ । ସେଥିପାଇଁ ଯେଉଁ କେତୋଟି ଝିଅ ମାଇନର ଟପୁଥିଲେ ଏତେଦୂରକୁ ସାହସ କରି ପଢିବାକୁ ଯାଇପାରୁ ନଥିଲେ ।

ସେ ସେହି ମମତାର ବାପାଙ୍କୁ ଭେଟି ଝିଅକୁ ସ୍କୁଲ ଛାଡ଼ିବା ପାଇଁ କହିଥିଲେ । ପ୍ରଥମେ ତା ବାପା ଆଦୌ ଏହି ପ୍ରସ୍ତାବରେ ରାଜି ହୋଇନଥିଲେ । ତାଙ୍କ ମୁହଁ ଉପରକୁ ସିଧା ସିଧା ଶୁଣାଇ କହିଥିଲା – “ନାଇଁ ଦିଦି, ଝିଅଟା ମୋର ବଢ଼ିଲା ବୟସ ଧରିଲାଣି । ଆଉ ପାଠରୁ କ’ଣ ମିଳିବ ତାକୁ ! ତା ଛଡ଼ା ସିଏ ହେଲା ତେଲିଘରର ଝିଅ । ଯାହା ଏବେ ଦୋକାନରେ ରହି ସାହାଯ୍ୟପତ୍ର ଟିକେ କରୁଛି । ବର୍ଷ କେତୁଟା ପରେ ତାକୁ ଦି’ ହାତ କରିଦେଲେ ଗଲା । ଆଉ ପୁଣି ତାକୁ ପାଠ ପଢ଼ାଇ ବୋଝ ସମ୍ଭାଳିବ ବା କିଏ ? ପଢ଼ିଲା ଝିଅକୁ ବର ମିଳିବ ତ !”

ମାତ୍ର ତା’ ବାପାର ଏହି କଥାରେ ହତୋତ୍ସାହିତ ହୋଇଯାଇ ନଥିଲେ ସେ । ଝିଅମାନଙ୍କର ପାଠ ପଢ଼ିବାକୁ ନେଇଥିବା ପ୍ରଚଳିତ ରକ୍ଷଣଶୀଳ ବିଶ୍ୱାସ ଆଗରେ ତାଙ୍କୁ ଏହିପରି ଅନେକ ପ୍ରଶ୍ନ ଅନେକ ବାଧାକୁ ସମ୍ମୁଖୀନ ହେବାକୁ ପଡୁଥିଲା । ଥରକୁ ଥର ବୁଝାଇ ସୁଝାଇ ଶେଷରେ ତା ବାପାକୁ ରାଜି କରାଇଥିଲେ । ଗାର୍ଲସ ହାଇସ୍କୁଲର ପ୍ରଥମ ବର୍ଷର ଛାତ୍ରୀ ହିସାବରେ ନାଁ ଯୋଡ଼ି ହୋଇଥିଲା ମମତାର । ଦେଖୁ ଦେଖୁ ବର୍ଷ ପରେ ବର୍ଷ ଅତିକ୍ରମ କରିବାକୁ ଲାଗିଲା । ଅଷ୍ଟମ ଶ୍ରେଣୀରୁ ଆସି ଦଶମ ଶ୍ରେଣୀରେ ପହଞ୍ଚିଲା ସେ । ତାର ପାଠପଢ଼ା ପରି ସବୁ ଗଡ଼ି ଚାଲିଥିଲା ସ୍ୱାଭାବିକ ଭାବରେ । ସ୍କୁଲଟି ମଧ୍ୟ ପୁରୁଣା ହୋଇ ଚାଲିଥିଲା । ତା ସହିତ ବଢିଚାଲିଥିଲା ଛାତ୍ରୀମାନଙ୍କର ସଂଖ୍ୟା, ସ୍କୁୁଲର ଆକାର ଓ ପ୍ରକାର ।

ଏମିତି ଏକ ବେଳାରେ ଦିନେ କାଉ ରାବିଲା ପରି ଏକ ଅବିଶ୍ୱାସଯୋଗ୍ୟ କଥାଟି ରଟି ଯାଇଥିଲା ଚାରିଆଡ଼େ । ସଂଧ୍ୟା ପର୍ଯ୍ୟନ୍ତ ଦରବାର ବସିଥିଲା ସ୍କୁଲ ହତାରେ । ପ୍ରଧାନଶିକ୍ଷୟତ୍ରୀ ଅନୀତା ଦିଦିଙ୍କ ଠାରୁ ଆରମ୍ଭ କରି ସମସ୍ତଙ୍କ ମୁହଁ ଶେଥା ପଡ଼ିଯାଇଥିଲା ସେହି ନିର୍ଲଜ ଘଟଣାଟିରେ । ସମବେତ ଲୋକଙ୍କର ସେହି ସାନ ଗହଳିଟି ମଧ୍ୟରେ ବାରମ୍ୱାର ନିଜ ଛାତିକୁ ବାଡ଼େଇ ଅଭିଯୋଗ କଲା ପରି ଚିତ୍କାର କରୁଥିଲା ମମତାର ବାପା । ଝିଅକୁ ହରାଇ ଖାଲି ପାଗଳଙ୍କ ପରି ଗୋଟିଏ କଥାକୁ ଦୋହରାଇ ଚାଲିଥିଲା ବାରମ୍ୱାର -“ମୁଁ ମନା କରୁଥିଲି ….. ବଢ଼ିଲା ଝିଅ … କ’ଣ ମିଳିଲା ସେ ପାଠପଢ଼ାରୁ । ଏଣେ ପାଠ ଚୂଲିକୁ ଗଲା, ତେଣେ ଝିଅ ମୋର କାହା ସାଙ୍ଗରେ ପଳାଇଗଲା । କହି ପୋଛେଇ ଇସ୍କୁଲୁକୁ ନେଲ, ନାଁ ଲେଖେଇଲ । ଏବେ ଫେରାଅ ତାକୁ ଦିଦି ” ।

ସେଦିନ ଦୋଷୀଙ୍କ ପରି ସବୁତକ ଅଭିଯୋଗ ତା ବାପା ମୁହଁରୁ ଶୁଣି ଚୁପ୍ ରହିଥିଲେ ସେ । ଏହି ଅଘଟଣ ଉପରେ ଛାଁ କୁ ଛାଁ ମୁଣ୍ଡ ନଇଁଯାଇଥିଲା ତାଙ୍କର । ସେ ନିଜେ ମଧ୍ୟ ବୁଝିପାରିନଥିଲେ କାହିଁକି ଏପରି କଲା ମମତା । କିଛିଦିନ ପରେ ମାଟ୍ରିକ୍ ପରୀକ୍ଷା ଦେଇଥାନ୍ତା । ପାସ୍ କରିଥିଲେ ପ୍ରଥମ ଝିଅ ହୋଇଥନ୍ତା ଗାଁର । ଆଉ ସେଥିରେ ସବୁଠାରୁ ଅଧିକ ଖୁସି ହୋଇଥାନ୍ତେ ସେ । ଝିଅଟିର ପଢ଼ିବାରେ ଆଗ୍ରହ ଥିବାରୁ ତା ବାପାକୁ କେତେ କୁହାପୋଛା କରି ସ୍କୁଲରେ ଆଣି ନାଁ ଲେଖାଇଥିଲେ । କ’ଣ ତା ମୁଣ୍ଡରେ ପଶିଲା କେଜାଣି , ପାଠ ଛାଡ଼ି ପ୍ରେମ କଲା । ସ୍କୁଲ ଛାଡ଼ି କାହା ସାଙ୍ଗରେ କୁଆଡ଼େ ଚାଲିଗଲା । କଥାଟିକୁ ସହଜରେ ଗ୍ରହଣ କରିପାରୁ ନଥିଲେ ସେ ।

ଏଣେ ଝିଅର ନିଖୋଜ ହେବା ଦିନ ଠାରୁ ମମତାର ବାପାଠାରେ ଏକ ପ୍ରକାର ବିଲକ୍ଷଣ ଦେଖିବାକୁ ମିଳିଥିଲା । ତା ମୁଣ୍ଡଟା ଯେମିତି ବିଗିଡ଼ି ଯାଇଥିଲା । ଗୋଟିଏ ବୋଲି ଝିଅ ଥିଲା । ପୁଣି ମା’ ଛେଉଣ୍ଡ । ସବୁତକ ସ୍ନେହ ଶ୍ରଦ୍ଧା ଢାଳି ଦେଇଥିଲା ତାରି ଉପରେ । ତାର ଏପରି ଘର ଛାଡି ପଳାଇ ଯିବାର ଆଘାତ ଅସହ୍ୟ ଥିଲା ତା ପାଇଁ । ସେଥିପାଇଁ ଦୋକନଟାକୁ ବନ୍ଦ କରି ସବୁଦିନ ଆସି ଛିଡ଼ା ହେଉଥିଲା ସ୍କୁଲ୍ ଗେଟ୍ ମୁହଁରେ । ତାଙ୍କୁ ଦେଖୁ ଦେଖୁ ଝପଟି ଆସିଲା ପରି ବାଟ ଓଗାଳି ପଚାରୁଥିଲା – “ମୋ ଝିଅ କାହିଁ, ଦେ, ଦିଦି ! ତୁ ତାକୁ ଇସ୍କୁଲ ଡାକି ଆଣିଲୁ ! ପାଠ ପଢ଼ାଇ ମୁଣ୍ଡ ବିଗାଡିÏଲୁ ! ଏବେ ଫେରା ତାକୁ !

ତାର ଏହି ପ୍ରଶ୍ନବାଣରୁ ମୁକୁଳିବା ଖୁବ୍ କଷ୍ଟ ଥିଲା ତାଙ୍କ ପକ୍ଷରେ । କୌଣସିମତେ ବାଟ ଭାଙ୍ଗି ଚାଲିଆସୁଥଲେ ତା ପାଖରୁ । ହେଲେ ଭିତରେ ଭିତରେ ଏହି ପ୍ରଶ୍ନଟି ତାଙ୍କୁ ଅସ୍ତବ୍ୟସ୍ତ କରି ପକାଉଥିଲା । ନିଜକୁ କିଛି ପରିମାଣରେ ଦୋଷୀ ମନେ କରୁଥିଲେ ସେ । ଦିନ କେତେଟା ପରେ ତା ବାପାଙ୍କୁ ଆଉ ସ୍କୁଲ ଗେଟ୍ ସାମ୍ନାରେ ଦେଖିବାକୁ ପାଇନଥିଲେ । ଗାଁ ଛାଡ଼ି କୁଆଡ଼େ ଚାଲିଯାଇଥିଲେ ସେ । ଖାଲି ଲୋକଙ୍କ ମୁହଁରୁ ଶୁଣିଥିଲେ – “ଆହାଃ, ଝିଅଟି ତ ଗଲା ଗଲା, ଶେଷରେ ବାପା ଝୁରି ଝୁରି ପାଗଳ ହେଲା ।” ପ୍ରେମରେ ପଡ଼ି ସ୍କୁଲ ଛାଡ଼ି ମମତାର ଏହିପରି ଅଚାନକ ଅନର୍ଦ୍ଧାନ ହୋଇଯିବା ଘଟଣାଟି ଧିରେ ଧିରେ ପୁରୁଣା ହୋଇଯାଇଥିଲା । କଥାଟା ଛାଆଁକୁ ଛାଆଁ ଲୁଚି ଯାଇଥିଲା ଜନମାନସରେ । ବିସ୍ମୃତିର ଗର୍ଭରେ ।

ଏତେସବୁ ବିସ୍ଫୋରଣ ପରେ ଦିନେ ହଠାତ୍ ସେହି ପୁରୁଣା ଗଣ୍ଠିର ରହସ୍ୟ ଫିଟି ପଡ଼ିଲା ଦିନର ଆଲୁଅରେ । ମମତା ଫେରିଥିଲା ଗାଁକୁ । ଯାଇଥିଲା ଦେହରେ ସ୍କୁଲର ଫ୍ରକ୍ ପିନ୍ଧି , ଫେରିଥିଲା ଶାଢ଼ୀ ଆଉ ଶଙ୍ଖା ନାଇ । ସାଙ୍ଗରେ ନେଇ ଆସିଥିଲା ତା ପ୍ରେମ କାହାଣୀର ଚର୍ଚ୍ଚିତ ନାୟକ ଓରଫ୍ ସ୍ୱାମୀଙ୍କୁ । ଗାଁଟା ସାରା ଲୋକେ ଯେଉଁ କଥାକୁ ଏତେଦିନ ଧରି ଦେଖିବେ ଦେଖିବେ ହେଉଥିଲେ ସବୁକୁ ଖୋଲା ଆଖିରେ ଦେଖିଲେ । ଜଳ ଜଳ ହୋଇ ଜଣା ପଡ଼ିଗଲା ପ୍ରକୃତ ଘଟଣା ।

ବାପାର ମୁହଁକୁ ମନେ ପକେଇ ହେଉ ଅବା ପ୍ରାୟଶ୍ଚିତ ଆଶାରେ ହେଉ ସେ ସିନା ଘରମୁହାଁ ହୋଇଥିଲା, ସବୁକଥା ଜାଣି ସାରିଲା ପରେ ନିରାଶ ମନଟାକୁ ଶୁଖାଇ ଫେରିଥିଲା ଗାଁରୁ । ଗଲାବେଳେ ଶେଷଥର ପାଇଁ ତାଙ୍କୁ ଦେଖା କରିବାକୁ ଆସିଥିଲା ସ୍କୁଲକୁ । ଅପରାଧୀଟିଏ ପରି ମୁହଁପୋତି ଛିଡ଼ା ହୋଇଥିଲା ତାଙ୍କ ସମ୍ମୁଖରେ । ସେ କେବଳ ଏତିକି ପଚାରିଥିଲେ -“ତୁ କାହିଁକି ଏମିତି କଲୁ ମମତା ?” ଏହି ପ୍ରଶ୍ନରେ ଯେପରି ତା ଭିତରେ ସେ ପର୍ଯ୍ୟନ୍ତ ଦବି ରହିଥିବା କୋହଟି ଫାଟି ପଡ଼ିଥିଲା ପଦାକୁ । ପ୍ରଗଳ୍ଭା ପାଲଟି ଏକା ନିଃଶ୍ୱାସକେ କହିଗଲା – ” ସେହିପରି କରିନଥିଲେ ମୁଁ ଆଉ କ’ଣ କରିଥାନ୍ତି ! ବାପା ଖାଲି ମୋର ବାହାଘର ପଛରେ ପଡ଼ିଲେ । ସ୍କୁଲ ଯିବା ବନ୍ଦ କରିଦେବାକୁ କହିଲେ । କୁଆଡ଼େ ଦେଖି ବାହାଘର ବି ଠିକ୍ କରିଦେଇଥିଲେ ମୋ ପାଇଁ । ସେହି ପିଲାଟା ପୁଣି ସ୍କୁଲ ଘର କେବେ ମାଡ଼ି ନ ଥିଲା । ଜଳଖିଆ ଦୋକାନ ଖଣ୍ଡେ କରିଥିଲା କେଉଁଠି ? ମୁଁ କେମିତି ସେଠି ଆଖି ବୁଝି ବାହା ହୋଇଥାନ୍ତି ଆପଣ କହିଲେ ? ଆପଣ ହିଁ ମୋତେ ଅଧିକ ପାଠ ପଢ଼ାଇବା କଥା ଶିଖାଇଥିଲେ । ଆଉ ମୋ ଆଖିରେ ସ୍ୱପ୍ନ ଦେଖାଇଥିଲେ ! ମୁଁ କେମିତି ବାହା ହୋଇଥାନ୍ତି ଗୋଟେ ଅପାଠୁଆକୁ !”

– ତୁ ଏମିତି କୋଉ ପାଠୁଆଟାକୁ ବାହା ହୋଇଛୁ ଜାଣେ ? ତା କଥାକୁ ଶୁଣି ଓଲଟି ପ୍ରଶ୍ନ କରିଥିଲେ ସେ । ଉତ୍ତରରେ କହିଥିଲା – ଛୋଟପିଲାଙ୍କୁ ଟିଉସନ୍ କରିବାକୁ ଆସୁଥିଲା ଆମ ଗାଁକୁ । ମଝିରେ ମଝିରେ ଆସି ଉଠାବସା କରୁଥିଲା ଦୋକାନରେ । ସେଇଠୁ ତା ସହିତ ସମ୍ପର୍କ ହୋଇଯାଇଥିଲା । ଏବେ ଦୁହେଁ ଯାଇ ସହରରେ ରହୁଛନ୍ତି । ସେଠି ଏକ ସ୍କୁଲରେ ଶିକ୍ଷକତା କରୁଛନ୍ତି ସେ ।

-ତୁ ସିନା ମନଲାଖି ପିଲା ପାଇ ଚାଲିଗଲୁ, କିନ୍ତୁ ତୋତେ ସ୍କୁଲରେ ଆଣି ନାମ ଲେଖାଇବାର ଫଳ ସ୍ୱରୂପ ତୋ ବାପା ମୋତେ ଉତ୍ତର ମାଗିଥିଲା ବାରମ୍ୱାର, ପାଗଳ ହୋଇ ଗାଁ ଛାଡ଼ି ଚାଲିଯିବା ପର୍ଯ୍ୟନ୍ତ । ଏହା ଥିଲା ତାଙ୍କର ଓ ମମତା ମଧ୍ୟରେ ଶେଷ ବାକ୍ୟାଳାପ । ଏହାପର ଠାରୁ ସେହି ଅଧ୍ୟାୟଟି ଯେମିତି ସମ୍ପୂର୍ଣ୍ଣ ରୂପେ ତାଙ୍କ ସ୍ମୃତିର ଦୃଶ୍ୟପଟରୁ ଅପସରି ଯାଇଥିଲା ସବୁଦିନ ପାଇଁ ।

ଆଜି ପୁଣି ବହୁବର୍ଷର ବ୍ୟବଧାନ ପରେ ସୂଦୁର ଅତୀତର ସେହି ଅବଶୋଷଟି ଯେମିତି ଆତ୍ମପ୍ରକାଶ କରିଥିଲା ଗାର୍ଲସ ସ୍କୁଲର ପରିସରରେ । ଅତୃପ୍ତ ଆତ୍ମା ଯେମିତି ଘୂରି ବୁଲୁଥାଏ ମରଣ ପରେ, ସେମିତି ଏକ ଅସମାହିତ ପ୍ରଶ୍ନକୁ ଧରି ବୁଲୁଥିଲା ମମତାର ବାପା । ତାକୁ ଚିହ୍ନିଲା ପରେ ତାଙ୍କ ଆଖି ଆଗରେ ବିଗତ ବର୍ଷର ସେହି ପୁରୁଣା ଦୃଶ୍ୟଗୁଡ଼ିକ ଗୋଟି ଗୋଟି ହୋଇ ନାଚି ଉଠୁଥିଲା । ସେହି ପାଗଳ ଲୋକଟା ପ୍ରତି ଥିବା ତାଙ୍କର ଉତ୍‌କ୍ଷିପ୍ତ ମନୋଭାବ ଚାହୁଁ ଚାହୁଁ ଶିଥିଳ ହୋଇଯାଇଥିଲା । ତା ଆଗରେ ସେ ଜଣାପଡୁଥିଲେ ଖୁବ୍ ଅସହାୟ ଆଉ ଅସମର୍ଥ । ଯେପରି ଅତୀତର ସେହି ପୁରୁଣା ଅପ୍ରୀତିକର ପ୍ରଶ୍ନକୁ ଆଉଥରେ ସାମ୍ନା କରୁଥିଲେ ନିଜ ଆଗରେ । ଖୁବ୍ ପାଖରେ ।

ଆଉ ଅଧିକ ସମୟ ସେଠାରେ ସେ ଛିଡ଼ା ହୋଇ ରହିପାରିଲେନି । ଏକ ପରିଚିତ ତୀବ୍ର ଧାରୁଆ ପ୍ରଶ୍ନ ଯେପରି ତାଙ୍କରି ଆଡ଼କୁ ମାଡ଼ି ଆସୁଥିଲା । ସେଠାରୁ ଛତ୍ରଭଙ୍ଗ ଦେଇ ବୁଲିପଡ଼ି ଚାଲି ଆସୁଥିଲେ ସେ । ଅସ୍ପଷ୍ଟ ଭାବରେ ତାଙ୍କର ଦୁଇ କାନରେ ପାଗଳ ଲୋକଟାର ସେହି ପ୍ରଶ୍ନଗୁଡ଼ାକ ଯେପରି ଦୋହରାଇ ଦୋହରାଇ ପଚାରି ଚାଲିଥିଲା – ଦେ, ମୋ ଝିଅକୁ ଦେ ଦିଦି !!!

ଲୋକପ୍ରିୟ ଲେଖା

To Top