ଗଳ୍ପ

ନିୟତିର କ୍ରୀଡ଼ା

Odia Author Kalindi Charana Panigrahi

ସେ ତ ଆଜନ୍ମ ବିଧବା, କିନ୍ତୁ ଦୁଃଖ ତା’ର ଏତିକି ଯେ, ଏ ଘର ପ୍ରତି ତା’ର ଦୃଷ୍ଟି କିଏ ବଦଳାଇ ଦେଇଅଛି । ଯେଉଁ ଘର, ଯେଉଁ ଲୁଗାପଟା, ପେଡ଼ି ପେଟରା, କଂସା ବାସନକୁ ଦିନେ ସେ ନିତାନ୍ତ ନିଜର ବୋଲି ଦେଖୁଥିଲା, ସେ ସବୁରେ ଆଜି ତା’ର କୌଣସି ଅଧିକାର ନାହିଁ ।

ନିୟତିର କ୍ରୀଡ଼ା

ସୁରମାର ଇତିହାସ ଅତି କରୁଣ, ଅତି ମର୍ମାନ୍ତକ ବ୍ୟଥାର ଇତିହାସ । ବୟସ ଯେତେବେଳେ ତା’ର ମାତ୍ର ଆଠ ବର୍ଷ ନିକଟବର୍ତ୍ତୀ ଗୋଟିଏ ଗ୍ରାମରେ ପିତା ତାକୁ “ଗୌରୀଦାନ” କରି ଦେଇଥିଲେ; କିନ୍ତୁ ବର୍ଷ ଦୁଇଟା ଯାଇ ନାହିଁ, ସୁରମାର କପାଳ ଫାଟିଲା । ତା’ର ସ୍ୱାମୀ ନିଜର ଯାହା କ୍ଷତି କଲେ, ତଦପେକ୍ଷା ଅନେକ ବେଶି ସୁରମାର କ୍ଷତି କରି ଇହଲୀଳା ସମ୍ୱରଣ କଲେ । ଦେଖିବାକୁ ଗଲେ ସ୍ୱାମୀର ମୃତ୍ୟୁରେ ସୁରମାର କୌଣସି ଦୋଷ ଥିଲା ପରି ମନେହୁଏ ନାହିଁ; ବରଂ ତା’ର ସ୍ୱାମୀଦୋଷରୁ ଯେ ସେ ବିଧବା ହେଲା, ଏହା କହିବାର ଅନେକ କାରଣ ଅଛି । ତା’ର ସ୍ୱାମୀ ଥିଲା ଅତିରକ୍ତ ନିଶାଖୋର ଓ ଚିର ରୁଗ୍ଣ । ଏହା ସହିତ ଏପରି ସମ୍ୱନ୍ଧ ସ୍ଥାପନରେ ତା’ର ପିତାଙ୍କର ସୁକଲ୍ୟାଣ ମିଶି ତା’ର ବୈଧବ୍ୟର କାରଣ ହେଲା । ଯେହେତୁ ରୂପରେ ଗୁଣରେ ସେ କୌଣସି ସଧବାଠାରୁ ନ୍ୟୂନ ନ ଥିଲା; କିନ୍ତୁ ପୂର୍ବଜନ୍ମର କୌଣସି ମହାପାପ ଏ ଜନ୍ମରେ ତାକୁ ଏପରି ହତଭାଗିନୀ ଯଦି କରିଥାଏ, ତେବେ ଅବଶ୍ୟ କିଛି ବୋଲାଯାଇ ନ ପାରେ । ଯାହାହେଉ, ଇହଜନ୍ମରେ ତା’ର ଏପରି କିଛି ଅପରାଧ ଲକ୍ଷିତ ହୋଇ ନାହିଁ କିମ୍ୱା ତାରି ସୁଗୁଣରେ କୌଣସି ମହତ୍ ତ୍ରୁଟି ଘଟି ନାହିଁ, ଯେଉଁ କାରଣରୁ ସେ ବିଧବା ହେବାର ଯୋଗ୍ୟ ।

ସେଥିଲାଗି ଅନ୍ୟ କିଛି କାରଣ ନ ପାଇ ଲୋକେ କହିଲେ, ତା’ର “କପାଳ ଫାଟିଲା ।” କିନ୍ତୁ ଏହି ଦଶମବର୍ଷୀୟା ବାଳିକାର ଏତେ ଶୀଘ୍ର ଗୋଟାଏ କପାଳ ତିଆରି ହୋଇ ତାହା ପୁଣି ଫାଟିଗଲା କିପରି ? ମୂଳତଃ ଦେଖିବାକୁ ଗଲେ ତା’ର ସମାଜର ଦୂଷିତ ନୀତି ଏବଂ ତା’ର ସ୍ନେହଶୀଳ ପିତା ହିଁ ତା’ ପାଇଁ ଗୋଟିଏ କଳ୍ପିତ କପାଳ ତିଆରି କରାଇ ମନ ଖୁସିରେ ତାହାର ଉଚ୍ଛେଦ ସାଧନ କରିଅଛନ୍ତି ।

ମନୁଷ୍ୟ ଯାହା ସୃଷ୍ଟି କରେ, ପ୍ରକୃତି ତାହାର ଧ୍ୱଂସ ସାଧନ କରେ । ମନୁଷ୍ୟ ଯେ ଗଛଟି ପୋତେ, ଯେ ପୋଖରୀଟି ଖୋଳାଏ, ଯେ ଦେଉଳଟି ତୋଳାଏ, ପ୍ରକୃତି ତାହାର ଧ୍ୱଂସ ଆନୟନ କରେ; କିନ୍ତୁ ଅନେକ ସ୍ଥଳରେ ମନୁଷ୍ୟ ନିଜେ ଯାହା ସୃଷ୍ଟି କରେ, ନିଜ ହାତରେ ପୁଣି ତାହାର ଉଚ୍ଛେଦ କରେ । ଯେଉଁ ବୃକ୍ଷଟି ରୋପଣ କରିଥାଏ, ସମୟରେ ତାକୁ ପୁଣି ଭୂଲୁଣ୍ଠିତ କରେ । ସୁରମାର ସୃଷ୍ଟି କିନ୍ତୁ ତା’ର ପିତାମାତାଙ୍କର ସମ୍ପୂର୍ଣ୍ଣ ଇଚ୍ଛାକୃତ ନ ହେଲେ ହେଁ, ଇହଧାମରେ ସେ ଅବତୀର୍ଣ୍ଣା ହେବାପାଇଁ ଆଉ ଏକ ଅଦୃଶ୍ୟ ଦେବତାର ହସ୍ତ ଥିଲେ ହେଁ, ତା’ର ଜନ୍ମଦିବସରୁ ନିଜ ସୃଷ୍ଟି ରୂପରେ ତା’ର ପିତାମାତା ତାକୁ ପୂର୍ଣ୍ଣ ଅଧିକାର କରି ବସିଥିଲେ । ସୃଷ୍ଟି ଯେ କରିପାରେ ଧ୍ୱଂସରେ ମଧ୍ୟ ତା’ର ଅଧିକାର । ସେଥିଲାଗି ନିର୍ବିଚାରରେ କନ୍ୟାକୁ ଗୋଟିଏ ଧାନାଢ୍ୟ, ଯକ୍ଷ୍ମାରୋଗଗ୍ରସ୍ତ, ଅଫିମଖୋର ପୁରୁଷକୁ ଅର୍ପଣ କରିଦେଲେ । ସୁରମାର ଅବଶ୍ୟ ଏ ସବୁ ସମ୍ପର୍କରେ ଜାଣିବାର ବୟସ ହୋଇ ନ ଥିଲା କିମ୍ୱା ଜାଣିବାର ଆବଶ୍ୟକତା ନ ଥିଲା । କାରଣ, ତା’ର ଆବଶ୍ୟକତା ତାହାଠାରୁ ବେଶି ବୁଝୁଥିଲେ, ତା’ର ସୃଷ୍ଟିକର୍ତ୍ତା ଭାଗ୍ୟବିଧାତା ପିତା ସାମନ୍ତ ।

ବିବାହର ଦିଓଟି ବର୍ଷ ପରେ ଯେତେବେଳେ ସୁରମା-ସ୍ୱାମୀର ମୃତ୍ୟୁ ସମ୍ୱାଦ ଆସି ପହଞ୍ଚିଲା, ଆଉ ଯାହାର ଦୁଃଖ ହେଉ ନ ହେଉ, ସୁରମାର ଲେଶ ଦୁଃଖ ହେଲା ନାହିଁ । କିପରି ହେବ ? କେବଳ ଗୋଟାଏ କଳ୍ପନାରେ କାହିଁ ଏକ ସ୍ୱାମୀ ତିଆରି ହୋଇ ତା’ର ପୁଣି ସେହିପରି କାଳ୍ପନିକ ମୃତ୍ୟୁ ହୋଇଅଛି ବୋଲି ତା’ର ମନେହେଲା । ତେବେ ଯେତେବେଳେ ତାକୁ ନିରାଭରଣା ହେବାକୁ ପଡ଼ିଲା, ସେତେବେଳେ ଅଳ୍ପ କଷ୍ଟ ହୋଇ ନାହିଁ । ଜୀବନରେ ସେ କୌଣସି ଶିକ୍ଷାଦୀକ୍ଷା ଲାଭ କରି ନାହିଁ । ଚାରି ବର୍ଷରୁ କିମ୍ୱା ତତ୍‌ପୂର୍ବରୁ ଅଳଙ୍କାରଭୂଷିତା ହୋଇ ଓଢ଼ଣା ଟାଣି ସେ ବୋହୂ ହେବାର ଅଭ୍ୟାସ କରି ଆସିଅଛି । ବୋହୂ ହେବାର ଆନନ୍ଦ କଳ୍ପନା, ପୁତ୍ରକନ୍ୟା ପ୍ରସବ କରି ସେମାନଙ୍କ ଜଞ୍ଜାଳ ଚଳାଇବାର ଭାବନା ହିଁ ତା’ର ଶୈଶବର କ୍ରୀଡ଼ାସ୍ଥଳରୁ ତାକୁ ବେଷ୍ଟନ କରି ରହିଅଛି । ଏହି ବସନଭୂଷଣ ବେଶବିନ୍ୟାସ ହିଁ ତା’ର ଯଥାର୍ଥ ସ୍ୱାମୀ ଥିଲା । ଏହାକୁ ଅତି ନିକଟରେ ପାଇଥିଲା, ଅତି ଆଦର କରିଥିଲା । ଏହାହିଁ ତା’ ପକ୍ଷରେ ସତ୍ୟ । ଏକାନ୍ତ ସତ୍ୟ । ସ୍ୱାମୀ । ସେ କିଏ ? ସେ ଗୋଟାଏ କଳ୍ପିତ ମୂର୍ତ୍ତି ଛଡ଼ା ଆଉ କ’ଣ ? ତା’ର ରୂପ ନାହିଁ, ଆଦର ଯତ୍ନ ନାହିଁ । କେଉଁ ଗୁଣରେ ସ୍ୱାମୀ ବୋଲି ସେ ଚିହ୍ନିବ ? ସ୍ୱାମୀ ଗୃହକୁ ଯିବା ସମୟରେ ସେ ତା’ର ଭଉଣୀମାନଙ୍କୁ ଆର୍ତ୍ତସ୍ୱରରେ କ୍ରନ୍ଦନ କରିବାର କେତେଥର ଦେଖିଛି । ସେ ତେବେ ଆଉ କି ସୁଖର କଥା, କି ଆନନ୍ଦର ସାମଗ୍ରୀ ? ନା, ନା, ଏହି ଅଳଙ୍କାର ଥିଲେ ଯେ ସଧବା, ସେତକ ଗଲେ ସେ ବିଧବା ! ସେହି ତାର ଅତି ଯତର୍ର, ଅତି ଆଦରର ଅଳଙ୍କାରର ମାୟା ତାକୁ ତ୍ୟାଗ କରିବାକୁ ହେଲା । ସେହି ତା’ର ଘୋର ଦୁଃଖ । ହାୟର ନିର୍ବୋଧ । ଏହି ଅଳ୍ପ ମୂଲ୍ୟର ତୁଚ୍ଛ ଅଳଙ୍କାର ସହିତ ସେ ଯେ ତା’ର ଜୀବନର ସର୍ବସ୍ୱ ହରାଇ ବସିଲା ସେଥିପାଇଁ ସେ ଭାବିତା ହେଲା ନାହିଁ ।

ସୁରମାର ସାନ୍ତ୍ୱନା ହେଲା ତାହାରି ପରି କେତେ ତ ବାଳ ବିଧବା ରହିଛନ୍ତି । ଦାମ ରଥଙ୍କ ଘରର ଲକ୍ଷ୍ମୀ, ମଧୁ ମିଶ୍ରଙ୍କ ଘରର ହୀରା ତ ତାହାରି ପରି ! ହେଲା ବା ସେ ନ ପିନ୍ଧିଲା ଅଳଙ୍କାର, ତାରି ବାକ୍ସରେ ତ ସବୁ ରହିବ; କିନ୍ତୁ ଭାଇର ବଡ଼ଘରେ ବନ୍ଦାପନା ପାଇଁ ଯେତେବେଳେ ତାହାରି ସଙ୍ଗର ବାଳିକାମାନେ ହୁଳହୁଳି ଦେଇ ବେଦୀକୁ ଗଲେ ଏବଂ ତାକୁ ନୀରବ ନିରାଶ ହୋଇ କେବଳ ଦେଖିବାକୁ ହେଲା, ସେତେବେଳେ ତା’ର ଉଚ୍ଛ୍ୱସିତ ଶୋକ ରୋଧକରି ହେଲା ନାହିଁ । ପିତା ଦୁଃଖପ୍ରକାଶ କରି କହିଲେ, “କାହାର ଚାରା ଅଛି, ଆମେ ସିନା ଜନ୍ମ ଦେଇଥିଲୁଁ, କର୍ମ ତ ଦେଇ ନାହୁଁ ।” କିନ୍ତୁ ସେ ଭାବିବାକୁ ଭୁଲିଗଲେ ଯେ, ଜନ୍ମଦେବା ସମ୍ୱନ୍ଧରେ ତାଙ୍କର ଯେତେ ଦୂର ସତ୍ୟ ଅଧିକାର, କର୍ମ ଦେବା ବିଷୟରେ ମଧ୍ୟ ସେହିପରି ସତ୍ୟ ଅଧିକାର ଅକ୍ଷୁଣ୍ଣ ରହିଥିଲା ।

ବୈଧବ୍ୟର ଯନ୍ତ୍ରଣା ସହସ୍ର ଗୁଣରେ ବାଜିଲା ସୁରମାର ଜନନୀଙ୍କ ହୃଦସ୍ଥଳରେ । ଏହି ଲାବଣ୍ୟ ପ୍ରତିମାର ଏପରି ଦୁର୍ଦ୍ଦଶା ହେବ ବୋଲି ସେ କୌଣସି ଦିନ କଳ୍ପନା କରି ନ ଥିଲେ । ସୁରମାକୁ ଯେ ଦେଖୁଥିଲା, ସେ ତାକୁ “ଲକ୍ଷ୍ମୀ”, “ସାବିତ୍ରୀ” କହି ଆଶୀର୍ବାଦ କରୁଥିଲା । ସେ ବର୍ତ୍ତମାନ ନିରାଶ୍ରୟା ହୋଇ କାନ୍ଥବାଡ଼କୁ ଆଉଜି ଠିଆ ହେବ, ଏ ଯାତନା ଜନନୀ ପ୍ରାଣ ଅଧିକ କାଳ ସହ୍ୟ କରିପାରିଲା ନାହିଁ । କିଛିଦିନ ପରେ ସେହି ଦୁଃଖରେ ତାଙ୍କର ମୃତ୍ୟୁ ହେଲା ।

ଅଚ୍ୟୁତ ମହାପାତ୍ରଙ୍କର ସମସ୍ତ ସଂସାରିକ ଗୃହଭରା ସୁରମା ଉପରେ ହିଁ ପଡ଼ିଲା । ଗୃହକାର୍ଯ୍ୟାଦିରେ ତାକୁ ନିଶିଦିନ ବ୍ୟସ୍ତ ରହିବାକୁ ହେଲା । ଆଜି ଅମୁକ ଲୋକ ଆସିଲେ, ତାଙ୍କର ଭୋଜନର ବ୍ୟବସ୍ଥା କରିବାକୁ ହେବ, ଅମୁକ ବନ୍ଧୁଗୃହରୁ ଆସିଅଛି, ତାକୁ ବିଦାକୀ ଦିଅ, ଅମୁକ ଲୋକ ଅମୁକ ସ୍ଥଳରୁ ଅମୁକ ଜିନିଷ ଆଣିଛି, ତାକୁ ଘରେ ସାଇତି ରଖ, ଇତ୍ୟାଦି କର୍ମରେ ମୁହୂର୍ତ୍ତେ ହେଲେ ଫୁରୁସତ୍ ମିଳେ ନାହିଁ । ଏହାପରେ ପୁଣି ପିତାଙ୍କର ସକଳ ନିତ୍ୟକର୍ମରେ ସୁରମା ନ ହେଲେ ନ ହୁଏ । ଚିତାପେଡ଼ି, ଦିଅଁପୂଜା ଆଦି ପ୍ରତି କଥା ସୁରମା ଯେଉଁଦିନ ନ ବୁଝିଛି, ସେଦିନ ବନ୍ଦ । ଏକ କଥାରେ କହିବାକୁ ଗଲେ ସୁରମା ହିଁ ସମଗ୍ର ସଂସାରଟା ବେଷ୍ଟନ କରି ରହିଲା ।

ଏହି ସମୟରେ କିଏ ଆସି ମହାପାତ୍ରଙ୍କ କାନେ କାନେ କହିଦେଲା ଯେ, ତାଙ୍କର ଦ୍ୱିତୀୟବାର ବିବାହ କରିବା ଉଚିତ୍ । ଗ୍ରାମବାସୀ ଜଣେ ଅଧେ ଏ କଥାକୁ ପସନ୍ଦ କଲେ ନାହିଁ । କାହିଁକି ବିବାହ କରିବ ? “ପୁତ୍ରାର୍ଥେ କ୍ରିୟତେ ଭାର୍ଯ୍ୟା” । ଦିଓଟି ତ ଉତ୍ତମ ସୁନ୍ଦର ପୁଅ ଯାଇଛନ୍ତି । ପାର୍ବତୀ ପରି ସୁନ୍ଦରୀ କନ୍ୟା ତ ବାଲ୍ୟକାଳରୁ ବିଧବା ହୋଇ ଗୃହମଧ୍ୟରେ ରହିଛି । ଏହିମାନଙ୍କ ସମକ୍ଷରେ ସେ ପୁଣି ଗୋଟିଏ ଯୁବତୀ ନେଇ ସଂସାର କରିବେ, ଏ କ’ଣ ସୁନ୍ଦର ଦେଖାଯିବ ? ମହାପାତ୍ରଙ୍କର ତୋଷାମୋଦକାରୀ କେତେଜଣ ଆସି କହିଲେ, “ଏ କି କଥା ହେ, ଆପଣଙ୍କର ବୟସ କେତେ ଯେ, ଆଉଥରେ ବିବାହ କଲେ ଦୋଷାବହ ହୋଇପଡୁଛି ? ଚାଳିଶ ପାଖ ଆଖକୁ ତ ଲୋକେ ଏ କାଳରେ ପ୍ରଥମ ବିବାହ କରୁଛନ୍ତି ।” ବୃଦ୍ଧ ବ୍ରାହ୍ମଣ କେତେଜଣ ମାଳି ଠକ୍ ଠକ୍ କରି “ଅପବିତ୍ରଃ ପବିତ୍ରୋ ବା” ଉଚ୍ଚାରଣ କରି ଆସି କହିଲେ, “ଏ କ’ଣ ଏ, ପୁରୁଷ ପୁଅ ନ କରିବ କିଆଁ ହେ ? ପିତୃଲୋକଙ୍କ ପାଇଁ ପିଣ୍ଡ ମୁଠାଏ ବାଢ଼ିଦେବାକୁ ତ ଗୋଟିଏ ସହଧର୍ମିଣୀ ଦରକାର, ସେଇଥିପାଇଁ ତ ରାଜା ରାମଚନ୍ଦ୍ର ସୁନାର ସୀତା ତିଆରି କରାଇଥିଲେ । ରାମ ତିହାଡ଼ୀ ଷାଠିଏ ବର୍ଷରେ ବିବାହ କଲା, ତୁମେ ତ କାଲିକା ପିଲା ।”

ମହାପାତ୍ରେ ଅଳ୍ପ ହସି ଟିକିଏ ଗମ୍ଭୀର ସ୍ୱରରେ କହିଲେ, “ହଁ, ଆପଣଠାରୁ ଅଧିକ ପଣ୍ଡିତ ଆଉ କିଏ ଅଛି ନା, କାହା ନେଡ଼ିରେ ବାଳ, ଏ ଯୁକ୍ତିକୁ ଖଣ୍ଡନ କରିଦେବ । ମୋର ବି ତ ଘର ଚଳୁ ନାହିଁ । ପିଲାଟାର ଏତେ ବଡ଼ ଆର୍ଦ୍ଦୋଳିକି ସହଜରେ ସମ୍ଭାଳେ ? ତେବେ ଏତିକି ବିଚାରିବାକୁ ହେଉଛି ଯେ, ଘରେ ବିଧବା ଝିଅ ।” ବୀର ମିଶ୍ରେ ତର୍କଚୋଟରେ ଅଧିକତର କ୍ଷିପ୍ରଗତିରେ ମାଳି ଠକ୍ ଠକ୍ କରି କହିଲେ, “ରଖ ହେ ବିଧବା ଝିଅ, ତା’ କର୍ମ ସେ ଭୋଗିଲା, ଏଥିପାଇଁ ତୁମ ଦିହକଟା ଦୁଃଖରେ କଟିବ କେଉଁ ଶାସ୍ତ୍ରରେ ଅଛି । ତୁମେ ତ ପୁରୁଷ ହୋଇ ଜନ୍ମ ଲଭିଛ, ସେ ତ ସ୍ତ୍ରୀ, ତାହାରି କଥାରେ ଏତେ ଗୋଳେଇ ଘାଣ୍ଟି ହେଉଛି କାହିଁକି ?” ବୀର ମିଶ୍ରଙ୍କ କଥା ଅଶାସ୍ତ୍ରୀୟ ହୋଇ ନ ପାରେ, ସଂସ୍କୃତରେ ତାଙ୍କର ଅଗାଧ ବ୍ୟୁତ୍ପତ୍ତି । ତାଙ୍କ ଯୁକ୍ତିରେ ପରାଜିତ ହୋଇ ଅବଶେଷରେ ମହାପାତ୍ରଙ୍କୁ ନିଜର ସମ୍ପୂର୍ଣ୍ଣ ଅନିଚ୍ଛାସତ୍ତ୍ୱେ କେବଳ ପିତୃପୁରୁଷଙ୍କ ଉଦ୍ଧାର ଲାଗି ଏବଂ ଗୃହର ଆବଶ୍ୟକତା ପାଇଁ ବିବାହରେ ସମ୍ମତି ଜଣାଇବାକୁ ହେଲା । ସଙ୍ଗେ ସଙ୍ଗେ ସବୁ ଠିକଠାକ୍ ହୋଇଗଲା । ବର୍ଷକ ପରେ ସୁରମାର ନୂତନ ଜନନୀ ଗୃହକୁ ଆସିଲା ।

ଏହି ନୂତନ ଆଗନ୍ତୁକାର ଆସିବାର କିଛି କାଳ ପରେ ମହାପାତ୍ରଙ୍କ ଗୃହରେ ଅନେକ ପରିବର୍ତ୍ତନ ଘଟିଲା । ସୁରମା ଦେଖିଲା, ଗୃହ ମଧ୍ୟରେ ତା’ର ସମସ୍ତ ଅଧିକାର ଗୋଟି ଗୋଟି ହୋଇ କ୍ରମେ ହସ୍ତଚ୍ୟୁତ ହେଉଅଛି ଏବଂ ସଙ୍ଗେ ସଙ୍ଗେ ସେ ସମସ୍ତ ଭାର ଏହି ନୂତନ ଆଗନ୍ତୁକାର ହସ୍ତକୁ ଅପସୃତ ହେଉଅଛି, ଏଥିରେ ତା’ର ବାଧାଦେବାର ଶକ୍ତି ନାହିଁ । କାରଣ ଯେପରି ଦେଖାଯାଏ, ପିତାଙ୍କର ମଧ୍ୟ ଇଚ୍ଛା ଯେ, ତାଙ୍କର ଯୁବତୀ ସ୍ତ୍ରୀଟି ଏହି ସମସ୍ତ ଅଧିକାର ଘେନି ବସୁ । ସୁରମା ଆଉ କିଛି କାର୍ଯ୍ୟ ଜାଣେ ନାହିଁ, ଏତକ ତା’ ହାତରୁ ଗଲେ ସମୟ କଟିବ କିପରି ? ଏହି ନବାଗତା “ଜନନୀ” ସହିତ ତା’ର କେତେଥର ମନାନ୍ତର ହେଲାଣି, କିନ୍ତୁ ପ୍ରତିଥର ଦେଖାଯାଏ, ପିତା ଏହି ଯୁବତୀ ସ୍ତ୍ରୀର ପକ୍ଷନେଇ ସୁରମାର ଦୋଷ ଦେଇଥାନ୍ତି ।

ତା’ର ଜୀବନ କ୍ରମେ କ୍ଳେଶମର ହୋଇଉଠିଲା । ସେ କେବଳ କୁଆଡୁ ଆସିଲା ପରି ମୁଠାଏ ପଡ଼ି ଖାଇ ବଞ୍ଚି ରହିବ କେତେଦିନ ? ତା’ର ସେ ପୂର୍ବ କ୍ଷମତା, ପୂର୍ବ ଅଧିକାର କୁଆଡ଼େ ଗଲା ? ଏସବୁ ଭିତରେ କିନ୍ତୁ ବୈଧବ୍ୟର ବ୍ୟଥା ତାକୁ କୌଣସି ଦିନ ପୀଡ଼ା ଦେଇ ନାହିଁ । ସେ ଜାଣେ, ସେ ବିଧବା ହୋଇ ଅଛି, ତା’ର ଜନ୍ମ ତାରିଖରୁ । ଜନ୍ମରୁ ଯେପରି ଲୋକେ ଅନ୍ଧ ହୋଇଯାନ୍ତି, ସେହିପରି ମଧ୍ୟ ବିଧବା ହୋଇପଡ଼ନ୍ତି । ଏ କେବଳ ଗୋଟାଏ ଭାଗ୍ୟର କ୍ରୀଡ଼ା, ସ୍ୱାମୀ କିଏ, ସେ ଥିଲେ କି ସୁଖ ଦିଏ, ନ ଥିଲେ ବା ଦୁଃଖ କ’ଣ, ଏ ସକଳ ଚିନ୍ତା ତା’ ମନକୁ ଆସେ ନାହିଁ । ତେବେ ତାହାର ପାର୍ଶ୍ଵବର୍ତ୍ତୀ ଗୃହରେ ପିତା ଯେତେବେଳେ ତାଙ୍କର ନବୋଢ଼ା ଯୁବତୀ ସ୍ତ୍ରୀ ସହିତ ନାନାପ୍ରକାର ହାସ୍ୟାମୋଦରେ ରତ ଥା’ନ୍ତି, ସୁରମା କର୍ଣ୍ଣକୁ ସେ ରୁଦ୍ଧ ହାସ୍ୟଧ୍ୱନି ସ୍ପର୍ଶ କଲେ ତା’ର ମନେହୁଏ, ସ୍ୱାମୀ ନିକଟରେ ଥିଲେ ଗୋଟାଏ କିଛି ଆନନ୍ଦ ମିଳିପାରେ । ଯାହାହେଉ, ସେଥିରେ ତା’ର ଯାଏ ଆସେ କ’ଣ, ସେ ତ ଆଜନ୍ମ ବିଧବା, କିନ୍ତୁ ଦୁଃଖ ତା’ର ଏତିକି ଯେ, ଏ ଘର ପ୍ରତି ତା’ର ଦୃଷ୍ଟି କିଏ ବଦଳାଇ ଦେଇଅଛି । ଯେଉଁ ଘର, ଯେଉଁ ଲୁଗାପଟା, ପେଡ଼ି ପେଟରା, କଂସା ବାସନକୁ ଦିନେ ସେ ନିତାନ୍ତ ନିଜର ବୋଲି ଦେଖୁଥିଲା, ସେ ସବୁରେ ଆଜି ତା’ର କୌଣସି ଅଧିକାର ନାହିଁ । ସେ ନିଜେ ମଧ୍ୟ ପରଗୃହରେ ଆଶ୍ରିତା, ପାଳିତା ।

ଯେତେବେଳେ ଏହିପରି ବାଧ୍ୟ ହୋଇ ସୁରମାର ଗୃହକର୍ମରେ ଔଦାସୀନ୍ୟ ଆସିଲା, ସେ ଗୋଟିଏ ସମ୍ୱଳ ଲାଭ କଲା- ଦେବପୂଜା । ପ୍ରତି ଏକାଦଶୀରେ ଅନ୍ୟ ବିଧବାମାନଙ୍କ ସହିତ ନିର୍ଜଳ ଉପବାସ କରି ଗ୍ରାମର ମହାଦେବ ମନ୍ଦିରରେ ପୂଜା କରି ଆସିବାକୁ ହେଉଥିଲା । ଏଣିକି ପ୍ରତିଦିନ ସ୍ନାନାନ୍ତେ ଦେବ ଦର୍ଶନ କରିବା ତା’ର ଗୋଟାଏ ମସ୍ତ କର୍ତ୍ତବ୍ୟ ହୋଇଉଠିଲା । ସଧବାର ସିନା ଅବରୋଧ ପ୍ରଥା ମାନିବାର କଥା, ବିଧବାର ଆଉ ଅବରୋଧ କ’ଣ ? ତା’ର ତ ଜଗତରେ ଅବରୋଧ ଶୂନ୍ୟରେ ମିଳାଇ ଯାଇଅଛି । ଯଥା ତଥା ତା’ର ଜୀବନ ଅତିବାହିତ କରିବାର କଥା, ତା’ର ଗୃହ ନାହିଁ, ସଂସାର ନାହିଁ, ସୁଖ ନାହିଁ, ଦୁଃଖ ନାହିଁ, ବନ୍ଧୁ ନାହିଁ, ପରିବାର ନାହିଁ- ଜଗତର ସେ ଗୋଟାଏ ସମ୍ପୂର୍ଣ୍ଣ ଅଭିଶପ୍ତ ଓ ପୃଥକ ଜୀବ । ସେଥିରେ କାହାର ଚାରା ଅଛି ? ସେ ଯେ ତା’ର ନିୟତି ।

ତା’ପରେ

ଲୋକପ୍ରିୟ ଲେଖା

To Top