ଗଳ୍ପ

ନିୟତିର କ୍ରୀଡ଼ା

Odia Author Kalindi Charana Panigrahi

ଦୁର୍ବଳା ସେ, ପଦ ତା’ର ସ୍ଖଳିତ ହୋଇଗଲା, ସୁକୁମାରର ଦୁଇ ବାହୁ ମଧ୍ୟରେ ସେ ଢଳି ପଡ଼ିଲା । କିଛି ତାକୁ ଦେଖାଗଲା ନାହିଁ, ଶୁଣାଗଲା ନାହିଁ- ବିଶ୍ୱବ୍ରହ୍ମାଣ୍ଡ ତା’ ସମକ୍ଷରେ କ୍ରମେ କ୍ଷୁଦ୍ରତର ହୋଇ ଗୋଟିଏ କ୍ଷୁଦ୍ରତମ ବିନ୍ଦୁରେ ଲୁପ୍ତ ହୋଇଗଲା ।

ନିୟତିର କ୍ରୀଡ଼ା

-: ପୁର୍ବରୁ :-

ସୁରମାର ଯେଉଁ ଗୃହ ଦିନେ ନିଜର ହୋଇଥାନ୍ତା, ସେ ସ୍ଥଳକୁ ଥରେ ଦୁଇଥର ଯାଇ ଫେରି ଆସିଅଛି । ସେଠାରେ ବରଂ ତାକୁ ଅତ୍ୟଧିକ ଅସ୍ୱସ୍ତି ଲାଭ କରିବାକୁ ହୋଇଅଛି । କଥା କଥାକେ ଶାଶୁ କହନ୍ତି, “ମଲା ଲୋ ଉଁଚୁକପାଳୀ, ତା’ର ପରା ପୁଅକୁ ମୋର ଖାଇ ବସିଲା ।” ଦିଅରମାନେ, “ଅଲକ୍ଷଣୀ ପୁଣି ସମ୍ପତ୍ତିରୁ ଭାଗ ନେବାକୁ ଆସିଛି” ବୋଲି ପ୍ରତି ପଦରେ ଉଲୁଖା ଦିଅନ୍ତି । ସେ କେଉଁ କୁଳ ତାହାହେଲେ ହେବ ?

ତାହାର ପିତା କନ୍ୟାକୁ ଗୋଟିଏ ପୋଷ୍ୟପୁତ୍ର କରାଇଦେଇ ତା’ ଜୀବନର ଗୋଟାଏ କିଛି କିନାରା କରିବାକୁ ଥରେ ଅଧେ କହିଥିଲେ; କିନ୍ତୁ ସୁରମାର ଏ ସମ୍ପର୍କରେ ଇଚ୍ଛା ଅନିଚ୍ଛା ସମାନ । ବାଲ୍ୟକାଳରୁ ହିଁ ତା’ର ଇଚ୍ଛା କିମ୍ୱା ଅନିଚ୍ଛା ହୋଇ ଗୋଟାଏ କିଛି ବସ୍ତୁ ନାହିଁ । ତା’ ପାଇଁ ଇଚ୍ଛା କରିବା ଅଥବା ଅସମ୍ମତି ଜଣାଇବାର ଭାର ତା’ର ପିତା ତା’ର ଭାଗ୍ୟଦେବତା, ସେହି ଅସାଧ୍ୟ ସାଧନ କରିପାରନ୍ତି । ତାଙ୍କର ଇଚ୍ଛାରେ ହିଁ ତା’ର ପିତା ତା’ର ଭାଗ୍ୟଦେବତା, ସେହି ଅସାଧ୍ୟ ସାଧନ କରିପାରନ୍ତି । ତାଙ୍କର ଇଚ୍ଛାରେ ହିଁ ତା’ର ଜନ୍ମ, ତା’ର ଲାଳନ, ତା’ର ବିବାହ, ତା’ର ବୈଧବ୍ୟ । ପୁଣି ବୈଧବ୍ୟ ଅବସ୍ଥାରେ ମଧ୍ୟ ସନ୍ତାନ ପାଳନର ସୁଖ ମିଳିପାରେ । ଆଉ ତେବେ ଭାବନା କ’ଣ ? ନିଜର ଯାହା ସେ ତ ଆଜି ପରର ବୋଲି ତାହା ଦେଖୁଅଛି, ପରର ସନ୍ତାନକୁ ମଧ୍ୟ ନିଜର ବୋଲି ମନେ କରିବାକୁ ହେବ । ସେ ସାଧନା କରିବା ପାଇଁ ସେ ତ ପ୍ରସ୍ତୁତ ରହିଅଛି; କିନ୍ତୁ ଗୃହକର୍ମରେ ବ୍ୟସ୍ତ ରହି ପିତାଙ୍କୁ ପୋଷ୍ୟପୁତ୍ର ବିଷୟରେ ଚିନ୍ତା କରିବାକୁ ଅବସର ମିଳିଲା ନାହିଁ !

ସୁରମାର ଆଉ ଗତି କ’ଣ ? ସେ ଆବଶ୍ୟ ଆଜିଯାଏ ହୃଦୟଙ୍ଗମ କରି ନାହିଁ ଯେ ତାହାରି ପରି ଲକ୍ଷ ଲକ୍ଷ ବିଧବା ନାରୀ ଜଗତରେ ନିତାନ୍ତ ଅନାବଶ୍ୟକ ଶ୍ରେଣୀରେ ପଡ଼ି ପିତୃକୁଳ ଅଥବା ଶ୍ୱଶୁରକୁଳର ଗଳଗ୍ରହ ହୋଇ ରହିଅଛନ୍ତି ଏବଂ ସେହି ହତଭାଗିନୀମାନଙ୍କ ପ୍ରତି ଦୟାପରବଶ ହୋଇ ଦେଶ ନେତାମାନେ ସେମାନଙ୍କୁ ଅରଟରେ ସୂତା କାଟି ଜୀବନ ନିର୍ବାହ କରିବାର ଉପକାରିତା ବୁଝାନ୍ତି ଏବଂ ସମାଜ ନେତାମାନେ ଆଜୀବନ ବ୍ରହ୍ମଚର୍ଯ୍ୟ ବ୍ରତ ଧାରଣ କରିବାର ଉପଦେଶ ଦିଅନ୍ତି । ତା’ ଜୀବନ ଏକାବେଳକେ ପ୍ରୟୋଜନଶୂନ୍ୟ, ତା’ର ଅବସ୍ଥିତି ଅନ୍ୟପକ୍ଷରେ କଟୁକର, ତା’ର ଜୀବିତରେ କାହାରି ଆନନ୍ଦ ନାହିଁ, ମୃତ୍ୟୁରେ କାହାରି ଦୁଃଖ ନାହିଁ ।

ସୁରମାର ଆଉ କିଛି ସମ୍ୱଳ ନାହିଁ । ଦେବାର୍ଚ୍ଚନା ହିଁ ତା’ର ପ୍ରଧାନ ବ୍ରତ ହେଲା । ବ୍ରାହ୍ମମୁହୂର୍ତ୍ତରେ ଶଯ୍ୟାରୁ ଗାତ୍ରୋତ୍‌ଥାନ କରି ସ୍ନାନାନ୍ତେ ସେ ପ୍ରତିଦିନ ଶିବ ମନ୍ଦିରକୁ ଯାଏ । ଗୟସପୁଷ୍ପ ଓ ବେଲପତ୍ର ଆଦି ଚୟନ କରି ସେହି ଶିଳାଖଣ୍ଡ ଶିବଲିଙ୍ଗ ଉପରେ ତାହା ସ୍ଥାପନ କରେ, ବାରମ୍ୱାର ଭୂମିରେ ଲୁଣ୍ଠିତ ହୋଇ ପ୍ରାର୍ଥନା କରେ, “ହେ ଦେବତା, ମୋର ପୂର୍ବଜନ୍ମର ଅପରାଧ ଖଣ୍ଡନ କରି ପରଜନ୍ମରେ ମୋ ଭାଗ୍ୟରେ ସୁଖ ଦିଅ ।” ଇହଜନ୍ମରେ ତା’ର ଭାଗ୍ୟନିଷ୍ପତ୍ତି ତ ହୋଇଯାଇଅଛି, କେଉଁ ଦେବତାର ବାପର ଚାରା ଅଛି, ସେ ତାହା ବଦଳାଇ ଦେଇପାରେ ।

ସେଦିନ ଫାଲ୍ଗୁନର ଶୁକ୍ଳ ଚତୁର୍ଦ୍ଦଶୀ । ଚନ୍ଦ୍ରଶେଖର ମହାଦେବୀଙ୍କର ଦୋଳଯାତ୍ରା । ମାନବ ସମାଜର ଆମୋଦ ଉତ୍ସବ ପାଇଁ ପରିକଳ୍ପିତ ଏହି ଦେବତାମାନଙ୍କର ଉତ୍ସବ ଦିବସରେ ସୁରମାର ନିରାନନ୍ଦ ଜୀବନରେ ପ୍ରଫୁଲ୍ଲତାର ବିଶେଷ କିଛି ଲକ୍ଷଣ ଦେଖାଗଲା ନାହିଁ । ଦେବତାଙ୍କର ସନ୍ଧ୍ୟାଆରତି ଦର୍ଶନ ଉଦ୍ଦେଶ୍ୟରେ ସେ ବାହାରିଲା । ସମସ୍ତଙ୍କ ସହିତ ସମ୍ମିଳିତ ପ୍ରାର୍ଥନାରେ ଦେବତା ଅବା ତା’ ପ୍ରତି ଅନୁକୂଳ ହେବେ, ତା’ର ପୂର୍ବଜନ୍ମର ପାପ ଖଣ୍ଡନ କରିବେ ! ସେ ତା’ର ସ୍ୱଭାବାନୁଯାୟୀ କାହାରି ପ୍ରତି ଭ୍ରୁକ୍ଷେପ ନ କରି ଦେବମନ୍ଦିରରେ ପ୍ରବେଶ କଲା ଏବଂ ନମସ୍କାର ଜଣାଇ ଧୀରେ ଧୀରେ ଫେରିବାକୁ ଆରମ୍ଭ କଲା । ଏହି ସମୟରେ ଜନକୋଳାହଳ ମଧ୍ୟରୁ ଶୁଣିପାରିଲା, “ସୁରମା !”

ନିଜ ନାମ ଏତେ ମଧୁରସ୍ୱରରେ ଉଚ୍ଚାରଣ କରି ଡାକିବାର ସେ କେବେ ହେଲେ କାହାରି ମୁଖରୁ ଶୁଣି ନାହିଁ । କ୍ଷଣକ ପାଇଁ ତା’ର ଚିତ୍ତ ଚଞ୍ଚଳ ହୋଇଉଠିଲା, ସେ ଈଷତ୍ ଗ୍ରୀବା ବକ୍ର କରି ପଛକୁ ଚାହିଁଲା, କିନ୍ତୁ କାହାରିକୁ ଦେଖି ନ ପାରି ତତ୍‌କ୍ଷଣାତ୍ ମୁଖ ଫେରାଇ ପୁଣି ପୂର୍ବଗତିରେ ଚାହିଁବାକୁ ଆରମ୍ଭ କଲା । ମନେକଲା, କେହି ଡାକି ନାହିଁ । ତା’ର ନିଜର ଭୁଲ୍ ହୋଇଅଛି, କିନ୍ତୁ ଏ ଭୁଲଟାକୁ ସେ କୌଣସି ମତେ ଭୁଲିପାରିଲା ନାହିଁ । ସେ କୌଣସି ସମୟରେ ଏକାକିନୀ ଅନ୍ୟମନସ୍କା ଭାବରେ ଏଣୁ ତେଣୁ କେତେ କ’ଣ ଭାବୁଥିବାବେଳେ ଏହିପରି ପୁଣି ଡାକ ଶୁଣେ- “ସୁରମା !” ଚମକି ପଡ଼ି ଚାହେଁ- ସେ ଏକାକିନୀ ଗୃହ ମଧ୍ୟରେ ବସି ରହିଅଛି । ଅନ୍ତରେ ଅନ୍ତରେ ତା’ ଚିତ୍ତ ବିକଳ ହୋଇଉଠିଲା । କାହିଁକି ସେ ଏପରି ଡାକ ଶୁଣୁଛି ! କାହାର ଶବ୍ଦ ? କେଉଁ ମନୁଷ୍ୟର, ଅବା କେଉଁ ଦେବତାର ?

ସୁରମାର କେଉଁ ଅନ୍ତରତମ ପ୍ରଦେଶରୁ କେଉଁ ପ୍ରେମିକ ଏତେ ମଧୁର ଅନୁରାଗ ରଞ୍ଜିତ ଶବ୍ଦରେ ତା’ର ନାମ ଉଚ୍ଚାରଣ କରୁଅଛି, ସେ ତାହା ବୁଝିପାରିଲା ନାହିଁ । ଶରବିଦ୍ଧ ଚକିତ ହରିଣୀ ପରି ତା’ ଚିତ୍ତ ଚଞ୍ଚଳ ହୋଇଉଠିଲା । ସେ ଜାଣିପାରିଲା ନାହିଁ, କାହିଁକି ତା’ର ମନ ଅନ୍ୟ କୌଣସି ଦିଗରେ ନ ଲାଗି ଏହି ସ୍ୱରରେ ସହସ୍ରବାର ତା’ର ନାମୋଚ୍ଚାରଣ ଶୁଣିବା ପାଇଁ ବ୍ୟଗ୍ର ହୋଇ ପଡ଼ିଲା ।

ଆଉ ଦିନେ ଅତି ପ୍ରତ୍ୟୁଷରୁ ପ୍ରାତଃକୃତ୍ୟ ସମାପନ କରି ପୂଜାନ୍ତେ ସେ ଯେତେବେଳେ ମନ୍ଦିରରୁ ବହିର୍ଗତ ହୋଇ ଆସୁଥିଲା, ତା’ର ପାର୍ଶ୍ଵଦେଶରେ ଗୋଟାଏ ଛାୟା ଅପସାରିତ ହୋଇଗଲା, ଯେପରିକି ଅନେକ ସମୟରୁ ଏହି ଛାୟାମୂର୍ତ୍ତି ନିବିଷ୍ଟ ଚିତ୍ତରେ ସୁରମାର ସୌମ୍ୟରୂପ ପାନ କରୁଥିଲା ।

ତତ୍ପର ଦିବସ ସେହିପରି ପ୍ରତ୍ୟୁଷରେ ମନ୍ଦିରରୁ ବହିର୍ଗତ ହେବା କାଳରେ ସେ ତା’ର ପୂର୍ବ ପରିଚିତ ସ୍ୱର ଶୁଣିପାରିଲା, “ସୁରମା !” ଚମକି ପଡ଼ି ଫେରି ଚାହିଁ ଦେଖିଲା, ସୁକୁମାର ଏକାଗ୍ର ଚିତ୍ତରେ ତା’ ପ୍ରତି ଚାହିଁ ରହିଅଛି । ସୁକୁମାର ଶିକ୍ଷିତ ଯୁବା, ଅବିବାହିତ, ସୁରମାର ପଡ଼ୋଶୀ, କିନ୍ତୁ ସେ କାହିଁକି ଏ ସମୟରେ ତା’ର ସେହି ପରିହିତ ଆର୍ଦ୍ର ବସ୍ତ୍ରରେ ନିପୁଣ ରୂପେ ସର୍ବାଙ୍ଗ ଆବୃତ କରି ଦ୍ରୁତ ପଦବିକ୍ଷେପରେ ବହିର୍ଗତ ହୋଇଗଲା । ସୁକୁମାର କେତେଥର ତା’ର ଅନୁଗାମୀ ହୋଇଅଛି, କେତେଥର ତା’ର ଅତୁଳ ଲାବଣ୍ୟରାଶି ପୁଷ୍କରିଣୀ ଜଳରେ ବିଚ୍ଛୁରିତ ହୋଇଯିବାର ଅବଲୋକନ କରି ନିଜକୁ କୃତାର୍ଥ ଜ୍ଞାନ କରିଅଛି, ସୁରମା ତା’ର କୌଣସି ହିସାବ ରଖି ନାହିଁ ।

ଫାଲ୍ଗୁନ ଯାଇ ଚୈତ୍ର ଆସିଲା । ମଧ୍ୟାହ୍ନ କାଳ । ବସନ୍ତ କେବଳ କବିକଳ୍ପନାରେ ହିଁ ରହିଅଛି । ନ ହେଲେ ପ୍ରଚଣ୍ଡ ଗ୍ରୀଷ୍ମରେ ଚତୁର୍ଦ୍ଦିଗ ଜଡ଼ ନିସ୍ପନ୍ଦ, ଗାଢ଼ ଅବସାଦଗ୍ରସ୍ତ । ଏ ଅସମୟରେ ସୁରମାର ମନ ଗୃହ ମଧ୍ୟରେ ସ୍ଥିର ରହିପାରିଲା ନାହିଁ । ସେ ଦେବାର୍ଚ୍ଚନା ଛଳନାରେ ଗୃହରୁ ବହିର୍ଗତ ହେଲା ।

ଦୂର ବିଲକ୍ଷଣରେ ମରିଚୀକା ନୃତ୍ୟ କରୁଅଛି । ମନ୍ଦିରର ସମ୍ମୁଖବର୍ତ୍ତୀ ବଟବୃକ୍ଷ ତଳେ ଦୁଇଟା ରୁଗ୍ଣ ଗୋରୁ ଦଣ୍ଡାୟମାନ ହୋଇ ରୋମନ୍ଥନ କରୁଅଛନ୍ତି ଏବଂ ସେମାନଙ୍କ ପାର୍ଶ୍ଵରେ ଦୁଇଟା କଳହପ୍ରିୟ ଗୁଣ୍ଡୁଚିମୂଷା ଇତସ୍ତତଃ ଦୌଡ଼ାଦୌଡ଼ି କରୁଅଛନ୍ତି ।

ସୁରମାର ଭୂଷଣବିହୀନ ବିଧବା ଅଙ୍ଗରେ ଗୋଟାଏ ଅତ୍ୟୁଜ୍ଜ୍ୱଳ ଲାବଣ୍ୟରଶ୍ମି କ୍ରୀଡ଼ା କରୁଥିଲା । ପରିଧେୟ ତା’ର ଖଣ୍ଡିଏ ଶୁଭ୍ର ସହଣ ଧୋତି । ପରିଧେୟର ଶୁଭ୍ରତାକୁ ତୁଚ୍ଛ ଲାଞ୍ଛିତ କରି ତା’ର ସୁମଧୁର ଗୌର କାନ୍ତି ଫୁଟି ଉଠୁଥିଲା । ଯୌବନବିଦ୍ଧ ତା’ର ପ୍ରତି ଅବୟବ ସେହି ସୂକ୍ଷ୍ମ ପରିଧେୟ ଖଣ୍ଡି ଛିନ୍ନ ଭିନ୍ନ କରି ପ୍ରକାଶିତ ହୋଇ ପଡ଼ିବାକୁ ଯେପରି ଉଦ୍‌ଗ୍ରୀବ ରହିଥିଲା । ସୁରମା ଚକିତ ଦୃଷ୍ଟିରେ ଚତୁର୍ଦ୍ଦିଗକୁ ଚାହିଁ ଦେଖିଲା, ପଥ ଘାଟ ଜନଶୂନ୍ୟ, ନୀରବ । କେବଳ କେଉଁ ବୃକ୍ଷ ଗହଳରୁ କୋକିଳଟି ମଧ୍ୟେ ମଧ୍ୟେ ଭୁଲ୍‌ରେ ଯେପରି କୁହୁକୁହୁ କରି ଉଠୁଥିଲା । ମନ୍ଦିର ମଧ୍ୟରେ ପ୍ରବେଶ କରି ଜାନୁପାତପୂର୍ବକ ସୁରମା ଧ୍ୟାନାସନରେ ବସି ପଡ଼ିଲା । ବସନକୁ ଲଜ୍ଜିତ କରି ତା’ର ଅପୂର୍ବ ଯୌବନରାଶି ସେହି ନିର୍ଜୀବ ଦେବତା ସମକ୍ଷରେ ବିକଶି ଉଠିଲା ।

କିନ୍ତୁ ମନ କାହିଁକି ତା’ର ସ୍ଥିର ହେଲା ନାହିଁ, ସେ ପୁଣି ଗୃହକୁ ଫେରିଯିବାକୁ ବାହାରିଲା । ଦୃଷ୍ଟି ଫେରାଇ ସମ୍ମୁଖରେ କାହାର ମୂର୍ତ୍ତି ଦେଖି ତା’ର ଦେହ ମନ ଅବସନ୍ନ ହୋଇ ପଡ଼ିଲା । ପଥରୋଧ କରି ସୁକୁମାର ଠିଆ ହୋଇ ମୃଦୁ ମୃଦୁ ହସି କହୁଛି, “ସୁରମା, ତୁମେ କି ସୁନ୍ଦର !” ସୁରମାର ଦେହ ଗୋଟାକ ମିଳାଇଗଲା, ଘର୍ମରେ ତା’ର ବସନ ତିନ୍ତିଗଲା । ସେ ଏତେ ସୁନ୍ଦର ! ବିଧବା ପୁଣି ସୁନ୍ଦରୀ ହୁଏ ! ଏ କଥା ତ ତାକୁ କେହି ହେଲେ ଦିନେ କହି ନାହିଁ । ଦିନେ ହେଲେ ସେ ତ ଦର୍ପଣରେ ମୁଖ ଦେଖି ନାହିଁ । ବିଧବା ପକ୍ଷରେ ସେ ଯେ ଅତୀବ ନିର୍ଲଜ୍ଜତା; କିନ୍ତୁ ଏହି ଯେ ସୁକୁମାର ଆଜି ଜୀବନ୍ତ ଦର୍ପଣ ହୋଇ ତା’ ସମକ୍ଷରେ ଦଣ୍ଡାୟମାନ ! ତାହାରିଠାରେ ସେ ନିଜର ରୂପ, ନିଜର ସୁଷମା ଦର୍ଶନ କରି ଲଜ୍ଜିତ ହେଲା ।

ସୁରମା ଭୁଲିଗଲା- ଧର୍ମ, କର୍ମ, ପୂର୍ବ ଜନ୍ମ, ପର ଜନ୍ମ, ଅତୀତ, ଭବିଷ୍ୟତ୍, ସମାଜ, ସଂସାର ସମସ୍ତ ଭୁଲିଗଲା । ତା’ର ଦେହର ଦାବି, ତା’ ଯୌବନର ଆହ୍ୱାନ ସେ ପ୍ରତ୍ୟାଖ୍ୟାନ କରିପାରିଲା ନାହିଁ । ତା’ର ଶିକ୍ଷା ନାହିଁ, ଦୀକ୍ଷା ନାହିଁ, ନିର୍ବୋଧ ବାଳିକା ସେ । ପାପ ପୁଣ୍ୟର ପ୍ରଭେଦ ତା’ ଚିତ୍ତକୁ ସ୍ପର୍ଶ କରି ନାହିଁ । ସେ ନିଜ ଇଚ୍ଛାରେ ତ ବିଧବା ହୋଇ ନାହିଁ । ସମାଜର ଜବରଦସ୍ତି, ସ୍ୱେଚ୍ଛାଚାରକୁ ନତମସ୍ତକରେ ସହ୍ୟ କରି ଆସିଅଛି । ଏ ପର୍ଯ୍ୟନ୍ତ ତା’ର ଇଚ୍ଛା, ତା’ର ଆଶା, ଅଭିଳାଷର ଭାର ଅନ୍ୟଜଣକ ହାତରେ ଥିଲା । ଜୀବନରେ ଏହି ମାତ୍ର ତା’ର ପ୍ରଥମ ଇଚ୍ଛା ଜାଗ୍ରତ ହୋଇଅଛି । ସେ ପୁଣି ତା’ର ନିଜର ନୁହେଁ- ଯେହେତୁ ନିଜତ୍ୱ ତା’ର କିଛି ହିଁ ନାହିଁ- ତା’ର ଯୌବନର ଇଚ୍ଛା, ତା’ର ପ୍ରକୃତିର ଦାବି । ଦୁର୍ବଳା ସେ, ପଦ ତା’ର ସ୍ଖଳିତ ହୋଇଗଲା, ସୁକୁମାରର ଦୁଇ ବାହୁ ମଧ୍ୟରେ ସେ ଢଳି ପଡ଼ିଲା । କିଛି ତାକୁ ଦେଖାଗଲା ନାହିଁ, ଶୁଣାଗଲା ନାହିଁ- ବିଶ୍ୱବ୍ରହ୍ମାଣ୍ଡ ତା’ ସମକ୍ଷରେ କ୍ରମେ କ୍ଷୁଦ୍ରତର ହୋଇ ଗୋଟିଏ କ୍ଷୁଦ୍ରତମ ବିନ୍ଦୁରେ ଲୁପ୍ତ ହୋଇଗଲା ।

ବର୍ଷେ-ଦୁଇବର୍ଷ ବିତିଗଲା । ସୁକୁମାର ତାକୁ କେତେ ଆଶା କେତେ ପ୍ରଲୋଭନ ଦେଖାଇଲା, ସଂସାର ସମାଜ ତ୍ୟାଗ କରିଯିବ, ସୁରମା ହିଁ ତା’ର ଆଜୀବନ ସଙ୍ଗିନୀ ହୋଇରହିବ । ସୁରମାର ଅକଳୁଷ ରକ୍ତାଧରରେ ମୃଦୁ ହାସ୍ୟରେଖା ଟିକିଏ ଦେଖି ସୁକୁମାର ଜଗତର ବହୁମୂଲ୍ୟ ମଣି ମୁକ୍ତା ଓ ସମାଜର ନିନ୍ଦା ଅପବାଦକୁ ତୁଚ୍ଛ କରିଦିଏ ।

କିନ୍ତୁ ହେଲା ନାହିଁ । ସୁକୁମାରର ପ୍ରତିଜ୍ଞା ରକ୍ଷା ହୋଇପାରିଲା ନାହିଁ । ସୁରମାର ଯାହା ଦାନ, ସେ ତାହା ହୃଦୟ ନିଗାଡ଼ି ଦେଇଥିଲା । ତା’ର ପବିତ୍ର ନାରୀତ୍ୱର ଦାନ ସେ, କିନ୍ତୁ ସୁକୁମାରର ଦୁର୍ବଳ ପୌରୁଷ ଏହି ନାରୀର ଦାନ ନିକଟରେ ପରାଜିତ ହେଲା । ଅବଶେଷରେ ସୁରମାର ଅବସ୍ଥା ଯେତେବେଳେ ସଙ୍କଟାପନ୍ନ, ସୁକୁମାର ଆସି କ୍ଷମା ପ୍ରାର୍ଥନା କଲା କି ତ୍ରୁଟିର କି କ୍ଷମା । ସୁରମାର ବାକ୍ୟସ୍ଫୁରଣ ହେଲା ନାହିଁ । ସେ ସ୍ୱୟଂ ଜାଗ୍ରତ କି ସୁପ୍ତ, ଜୀବିତ କି ମୃତ- କିଛି ବୁଝିପାରିଲା ନାହିଁ । ଜୀବନର ସହସ୍ର ଭୁଲ୍ ମଧ୍ୟରେ ଏହା ଗୋଟିଏ ସାମାନ୍ୟ ଭୁଲ୍ ବୋଲି ଜ୍ଞାନ କରି ସୁକୁମାର ସ୍ୱଚ୍ଛନ୍ଦରେ ଗୋଟିଏ କୁମାରୀର ପାଣିଗ୍ରହଣ କଲା । ପୁରୋହିତର ମନ୍ତ୍ରୋଚ୍ଚାରଣ ପଶ୍ଚାତ୍‌ରେ ଗୋଟିଏ ଅସହାୟା ଯୁବତୀର ଆର୍ତ୍ତ ହାହାକାର ଯେ ବିଶ୍ୱର ମର୍ମେ ମର୍ମେ ମୁଖରିତ ହୋଇ ଉଠୁଥିଲା, ସୁକୁମାର ସେଥିପ୍ରତି ସମ୍ପୂର୍ଣ୍ଣ ବଧିର ହୋଇ ବସି ରହିଲା । କ୍ରମେ ସୁରମାର ବିଷୟରେ ଜଣେ ଅଧେ ଲୋକଙ୍କର ସନ୍ଦେହ ଜାତ ହେଲା । ପରୋକ୍ଷରେ ସୁରମା ତାହା ଶୁଣିପାରିଲା । ତା’ର ମାନସିକ ଅବସ୍ଥା ସେତେବେଳେ କ’ଣ ହେଲା, ସେହି ଏକା ଜାଣେ । ତା’ର ପିତାଙ୍କର ପ୍ରତିପତ୍ତି ଯୋଗୁଁ ଗ୍ରାମର କେହି ଲୋକ ପ୍ରକାଶ୍ୟରେ ଏ ବିଷୟର ଆଲୋଚନା କରିବାକୁ ସାହସ କରିପାରୁନଥିଲେ । ଯେଉଁ ପାପମୂର୍ତ୍ତି ପରିଗ୍ରହ କରିଅଛି, ତାକୁ ଆଉ କେତେଦିନ ଗୋପନ ରଖାଯାଇପାରେ ?

ଗଭୀର ରାତ୍ରି । ସୁରମାର ଚକ୍ଷୁରେ ନିଦ୍ରା ନାହିଁ । ବିକଳ ପ୍ରାଣରେ ସେ ଶଯ୍ୟା ତ୍ୟାଗ କରି ବାହାରକୁ ଦୃଷ୍ଟି ନିକ୍ଷେପ କଲା । ଅନ୍ଧକାର ଆବରଣରେ ବିଶ୍ୱ ବ୍ରହ୍ମାଣ୍ଡ ସକଳ ଅଂଶ ସମାନ ହୋଇ ଆକାଶ ସହିତ ମିଶି ଯାଇଅଛି । କୋଟି କୋଟି ତାରା ଯେପରି ତା’ ବ୍ୟଥାରେ କାତର ହୋଇ ନୀରବ ରହିଅଛନ୍ତି । ମଧ୍ୟେ ମଧ୍ୟେ ଶ୍ୱାନ, ଶୃଗାଳ ସ୍ଥାନେ ସ୍ଥାନେ ଚିତ୍କାର କରି ଉଠୁଅଛନ୍ତି । ଗୃହରୁ ବହିର୍ଗତ ହୋଇ ସୁରମା ଗ୍ରାମ ସୀମାନ୍ତବର୍ତ୍ତୀ ଗୋଟିଏ ପ୍ରକାଣ୍ଡ ପଡ଼ିଆରେ ପହଞ୍ଚିଲା, ଆଉ ତା’ର ପାଦ ଚଳିଲା ନାହିଁ । ଉପରେ ଏହି ଅସଂଖ୍ୟ ନକ୍ଷତ୍ରଖଚିତ ଅନନ୍ତ ଆକାଶ ଓ ନିମ୍ନରେ ଏହି ନିବିଡ଼ ତମସାଚ୍ଛନ୍ନ ସୁଷୁପ୍ତ ଧରଣୀକୁ ସାକ୍ଷୀ ରଖି ତା’ ଅନ୍ତରର ବିରାଟ ବ୍ୟଥାର ପ୍ରତିକୃତି, ସମାଜ ଚକ୍ଷୁରେ ତା’ ପାପର ଜୀବନ୍ତ ମୂର୍ତ୍ତି ଗୋଟିଏ ସଜୀବ ମାନବ ଶିଶୁ ପ୍ରସବ କଲା । ଏହି ଆକାଶରୁ ଖସିବା ଉଲ୍କାଖଣ୍ଡ ପରି ସେ ଥରେ ମାତ୍ର କ୍ରନ୍ଦନ କରି ନୀରବ ହୋଇଗଲା ।

ସୁରମା କେତେ ସମୟ ଅଚେତନ ରହି ଯେତେବେଳେ ପୁଣି ତା’ର ଚେତନା ହେଲା, ସେତେବେଳେ ପୁଣି ତା’ର ଅଙ୍ଗ ଯଥେଷ୍ଟ ପରିମାଣରେ ଶୀତଳ ହୋଇ ପଡ଼ିଅଛି, ଆକାଶରୁ ଅନେକ ତାରା ନିଭି ଆସିଲେଣି, ପୂର୍ବଦିଗରେ ଶୁକ୍ରତାରା ଅତି ଉଜ୍ଜ୍ୱଳ ଦୃଷ୍ଟିରେ ତା’ ପ୍ରତି ଚାହିଁ ରହିଅଛି । ଚେତନା ଆସିବା ସଙ୍ଗେ ସଙ୍ଗେ ତା’ର ସକଳ ଦୁଶ୍ଚିନ୍ତା ଜାଗ୍ରତ ହୋଇ ଉଠିଲା । ନବଜାତ ଶିଶୁଟି ତା’ର ପାର୍ଶ୍ଵ ଦେଶରେ ନୀରବରେ ଶୟନ- ତା’ର ହସ୍ତ ପାଦ ଚଳୁ ନାହିଁ, ଦେହ ବରଫ ପରି ଥଣ୍ଡା । ଶୁକ୍ରତାରାର ଉଜ୍ଜ୍ୱଳ ଆଲୋକରେ ସୁରମା ଶିଶୁଟିର ମୁଖ, ଚକ୍ଷୁ ଓ ସମସ୍ତ ଅବୟବ ବାରମ୍ୱାର ଅବଲୋକନ କଲା- ତା’ର ପ୍ରେମ- ପ୍ରସୂନର ଏହି ପ୍ରାଣଶୂନ୍ୟ ଫଳଟିକୁ ମନ ପ୍ରାଣ ଢାଳି ଦେଇ ସହସ୍ରବାର ଚୁମ୍ୱନ କଲା । ମାତୃ ଅନ୍ତରର ପୁଞ୍ଜୀଭୂତ ଅଶ୍ରୁ ଅସଂଖ୍ୟ ଧାରାରେ ଶିଶୁର ବଦନଟିକୁ ଜଳସିକ୍ତ କରିଦେଲା ।

ତତ୍ପରେ ଶିଶୁଟିକୁ କ୍ରୋଡ଼ରେ ଧରି ସେ ଉଠି ଦଣ୍ଡାୟମାନ ହେଲା ଏବଂ ନିକଟବର୍ତ୍ତୀ ଘନଛାୟାବୃତ ଗୋଟିଏ ବଟବୃକ୍ଷ ସମୀପକୁ ଚାଲିଲା । ବୃକ୍ଷମୂଳରେ ଶିଶୁଟିକୁ ରଖି ସେ ଆସ୍ତେ ଆସ୍ତେ ମୃତ୍ତିକାଖନନ କରିବାକୁ ଲାଗିଲା ଏବଂ କିଛି ସମୟ ପରେ ପରେ ବୃକ୍ଷାନ୍ତରାଳରୁ ବାହାରି ଧୀରେ ଧୀରେ ଗୃହାଭିମୁଖରେ ଚଳିଲା । କିନ୍ତୁ ସେ ହଠାତ୍ ବିମୂଢ଼ ହୋଇଗଲା, ଚୌକିଦାର ଯେତେବେଳେ ଡାକିଲା- “କିଏରେ ଏତେ ରାତିରେ ?”

ଅନୁସନ୍ଧାନ ଦ୍ୱାରା ପୁଲିସ ସମସ୍ତ ବିଷୟ ଜାଣିଗଲା । ମୃତ୍ତିକାଗର୍ଭସ୍ଥ ମୃତ ଶିଶୁ ଅଣାଗଲା । ଗ୍ରାମବାସୀମାନଙ୍କ ଥଟ୍ଟା ତାମସା, ଘୃଣା ଭର୍ତ୍ସନାର ସାମଗ୍ରୀ ହୋଇ ଦେବୀମୂର୍ତ୍ତି ପରି ସୁରମା ଉଭା ହୋଇଥାଏ । ସବୁ ବିଷୟରେ ପୁଲିସ୍ ପ୍ରମାଣ ପାଇଲା, କିନ୍ତୁ ଯେଉଁ ପାପତ୍ମା ଏହି କର୍ମ କରିଅଛି; ତା’ ନାମଟି କୌଣସି ମତେ ପ୍ରକାଶ ପାଇଲା ନାହିଁ । ଯେ ଯେତେ କହିଲେ, ସୁରମା ମୂକ ହୋଇ ରହିଲା- ପଦେ ହେଲେ ତା’ର ବାକ୍‌ସ୍ଫୁରଣ ହେଲା ନାହିଁ । ଲୋକେ କହିଲେ, ସେ ସବୁ ଜାଣିଶୁଣି ଛଳନା କରି କିଛି କହୁ ନାହିଁ ।

ପିତା ସମସ୍ତ ମାୟା ମମତା ମୁହୂର୍ତ୍ତକେ ତୁଟାଇ ଦେଇ କଳଙ୍କିନୀ କନ୍ୟାର ମୁଖ ଚାହିଁବାକୁ ଲଜ୍ଜାବୋଧ କଲେ । କନ୍ୟାକୁ ଅର୍ଦ୍ଧମୃତ ସ୍ୱାମୀ ହସ୍ତରେ ଅର୍ପଣ କରି ଏବଂ ନିଜେ ବୃଦ୍ଧ ବୟସରେ ବିବାହ କରି ତାଙ୍କର ଯେଉଁ ବଂଶଗୌରବ ଅକ୍ଷୁଣ୍ଣ ରହିଥିଲା, ଏହି ପତିତା ସେଥିରେ କାଳିଦାଗ ଲଗାଇ ଦେଇଅଛି । ସମାଜର ସ୍ତମ୍ଭସ୍ୱରୂପ ଶୁଦ୍ଧପୂତ ଆତ୍ମାଗୁଡ଼ିକ କର୍ଣ୍ଣରେ ହସ୍ତ ଦେଇ ଏ ପାପ ସମ୍ୱାଦ ଶୁଣିବାରୁ ନିବୃତ ହେଲେ ଏବଂ ଗ୍ରାମର ନାମ ପଡ଼ିଲା ଓ ଜାତିର ଅଧୋଗତି ହେଲା ବୋଲି ନାନା ରୂପ ବିପଦ ଆଶଙ୍କା କରି ବସିଲେ । ସୁରମା ମନ୍ତ୍ରଚାଳିତବତ୍ ପୁଲିସ୍‌ର ଅନୁବର୍ତ୍ତିନୀ ହୋଇ ଗ୍ରାମରୁ ବହିର୍ଗତ ହୋଇଗଲା ।

ପାଞ୍ଚ ବର୍ଷ, ସାତ ବର୍ଷ ଅତିବାହିତ ହୋଇଗଲା । ଅଚ୍ୟୁତ ମହାପାତ୍ର କିଛି ଅର୍ଥ ବ୍ୟୟରେ ପ୍ରାୟଶ୍ଚିତ ଓ କୁଟୁମ୍ୱ ଭୋଜନାଦିଦ୍ୱାରା କନ୍ୟାପାପରୁ ମୁକ୍ତ ହେଲେ । କାରଣ, ସମାଜରେ ସ୍ୱଚ୍ଛନ୍ଦ ଭାବରେ ଚଳିବା ପାଇଁ ଏବଂ କୌଣସି ଗୁରୁତର ଦୋଷରୁ ରକ୍ଷା ପାଇବା ପାଇଁ ଯେପରି ଅର୍ଥାଦି ଲାଞ୍ଚ ଲୁଞ୍ଚା ଲୋଡ଼ା, ପୁଣ୍ୟତ୍ରୟ ଓ ପାପ ପ୍ରକ୍ଷାଳନ ପାଇଁ ସେହିପରି ଲାଞ୍ଚ ଦରକାର । ଏ ଲାଞ୍ଚ ଜଣେ ଅଧେ ମୂର୍ଖ ପୁରୋହିତ ଓ ଖାଦ୍ୟଲାଳସୀ ଜ୍ଞାତି-କୁଟୁମ୍ୱମାନଙ୍କୁ ଦେବାର କଥା । ମହାପାତ୍ରେ ଆନନ୍ଦର ସହିତ ଏ ସମସ୍ତ କରି ଧନୋପାର୍ଜନରେ ମନ ଦେଲେ ।

ଆଉ ସୁକୁମାରବାବୁଙ୍କର କ’ଣ ପାପ ? ତାଙ୍କ ବିଷୟରେ ସବୁ ତ ଏ ପର୍ଯ୍ୟନ୍ତ ଗୋପନୀୟ ହୋଇ ରହିଅଛି । ନେଇ ଆଣି ଥୋଇ ଜାଣିଲେ ଚୋରି ବିଦ୍ୟା ଭଲ । ସେ ଅର୍ଥୋପାର୍ଜନ କରି ପୁତ୍ରକନ୍ୟା ପରିବେଷ୍ଟିତ ହୋଇ ଦିବ୍ୟ ଆରାମରେ କାଳକ୍ଷେପଣ କରୁଅଛନ୍ତି । ଧନ ମର୍ଯ୍ୟାଦା ବିଷୟରେ ଅଚ୍ୟୁତ ଏବଂ ସୁକୁମାର ହିଁ ଗ୍ରାମ ମଧ୍ୟରେ ବଡ଼ ନାମଜାଦା ଓ ସମାଜର ପ୍ରତି କଥାରେ ଅଗ୍ରଣୀ ।

ସେଦିନ ଦୁଇଜଣ କାର୍ଯ୍ୟାନ୍ତେ ଗୃହାଭିମୁଖରେ ଫେରୁଅଛନ୍ତି । ଗ୍ରାମ ସୀମାନ୍ତବର୍ତ୍ତୀ ପ୍ରକାଣ୍ଡ ବଟବୃକ୍ଷ ତଳେ କେତେକ ଲୋକ ଏକତ୍ରିତ ହୋଇଥିବାର ଦେଖି ଦୁହେଁ କୌତୂହଳ ନିବୃତ୍ତି ଲାଗି ସେ ସ୍ଥଳକୁ ଗଲେ । ଦେଖିଲେ, ଗୋଟିଏ ନାରୀକୁ ବେଷ୍ଟନ କରି ଗ୍ରାମର ଅକର୍ମା ଲୋକଗୁଡ଼ାକ ନାନା କୌତୁକ କରୁଅଛନ୍ତି । ନାରୀଟି କେବଳ ଗ୍ରନ୍ଥିଯୁକ୍ତ ଅସଂଖ୍ୟ କନ୍ଥାରେ ଆବୃତ, ତୈଳ ପ୍ରସାଧନହୀନ ତା’ର ସୁଦୀର୍ଘ କେଶରାଶି ଅସଂଖ୍ୟ କୀଟର ବାସସ୍ଥାନ ହୋଇପଡ଼ିଅଛି । ଏହି ଅକର୍ମା ଲୋକଗୁଡ଼ାକ ତା’ ପ୍ରତି ବାଲୁକା ନିକ୍ଷେପ କରି ତାକୁ ଉତ୍ତ୍ୟକ୍ତ କରିବା ପାଇଁ ବେଷ୍ଟିତ । ସେ କିନ୍ତୁ କୌଣସି ଦିଗକୁ ଭ୍ରୁକ୍ଷେପ ନ କରି ଖଣ୍ଡେ ଲୌହଫଳକ ଧରି ସେହି ବଟବୃକ୍ଷ ତଳେ ନିବିଷ୍ଟ ଚିତ୍ତରେ ମୃତ୍ତିକା ଖନନ କରୁଅଛି ଏବଂ ଗୁଣୁଗୁଣୁ କରି କହିଉଠୁଛି- “ଏହିଠାରେ ଗୋ’ ଏହି ଠାରେ ।” ସୁକୁମାର ହସି ହସି ଅଚ୍ୟୁତଙ୍କୁ ଡାକିଲେ- “ଆସ ଆସ, ବାୟାଣୀଟାଏ କ’ଣ ଗୁଡ଼ାଏ ବକୁଛି ।”

ଲୋକପ୍ରିୟ ଲେଖା

To Top