ଗଳ୍ପ

ପାଗଳା ବୁଢା

Dibyajyoti Mohanty's odia story Paagalaa Budhaa

ଝିଅ ଯିବାର ମାସେ ଭିତରେ ସ୍ତ୍ରୀ ମଧ୍ୟ ସବୁଦିନ ପାଇଁ କରୁଣାକର ବାବୁଙ୍କୁ ଏକୁଟିଆ କରି ଚାଲିଗଲେ

ପାଗଳା ବୁଢା

ଜଣେ ୭୦ କି ୮୦ ବର୍ଷର ବୃଦ୍ଧ । ମୁହଁରେ କେଉଁ ମୁନି ଋଷିଙ୍କ ଭଳି ମେଞ୍ଚାଏ ଦାଢି ଆଉ ମୁଣ୍ଡରେ କେରାଏ ପାଚିଲା ଚୁଟି । ବୃଦ୍ଧ ଅବସ୍ଥାରେ ବାର୍ଦ୍ଧକ୍ୟତା ଯୋଗୁଁ ଶରୀର ରୁଗଣ ପ୍ରାୟ । ବୟସର ଏ ଅପରାହ୍ନରେ କିପରି ଗୋଟେ ଅବଶୋଷ ଭରା ବିଷାଦ ତାଙ୍କ ମୁଖମୁଣ୍ଡଳରେ ସ୍ପଷ୍ଟ ବାରି ହୋଇପଡେ । ଆଖିରେ ତାଙ୍କର ଅସୁମାରି କାହାଣୀ ବସାବାନ୍ଧି ଥିବା ପରି ମନେହୁଏ । ସେ ନିତି ମନ୍ଦିର ବେଢାରେ ବସିଥାନ୍ତି ନଚେତ୍ ଗାଁ ପାଖ ନଈକୂଳରେ । କାହା ସହ କେବେ କଥାବାର୍ତ୍ତା ହେବା ଆଜି ପର୍ଯ୍ୟନ୍ତ କେହି ଦେଖିନାହାନ୍ତି । ତାଙ୍କର ଠିକଣା କେଉଁଠି ତାଙ୍କ ପରିଚୟ କ’ଣ ତାହା ମଧ୍ୟ ଆଜି ପର୍ଯ୍ୟନ୍ତ କେହି ଜାଣିନାହାନ୍ତି । କିନ୍ତୁ ଗାଁର ପ୍ରାୟ ସବୁ ଲୋକ ତାଙ୍କୁ ପାଗଳା ବୁଢା ବୋଲି ସମ୍ବୋଧନ କରିଥାନ୍ତି । ମାତ୍ର ସଂପର୍କ ହିଁ କେବଳ ତାଙ୍କୁ ଦାଢିଆ ଅଜା ବୋଲି ଡାକେ । ଛୋଟବେଳେ ମାଙ୍କ ସହ ମନ୍ଦିର ଗଲାବେଳେ ସଂପର୍କର ପ୍ରତିଦିନ ଭେଟ ହୁଏ ତା ଦାଢିଆ ଅଜାଙ୍କ ସହ । ସେ ମା’ଙ୍କ ଡାଲାରୁ ଭୋଗ ଚୋରାଇ ଆସି ହାଜର ହୋଇଯାଏ ପାଗଳା ବୁଢା ପାଖରେ । ଆଉ ମିଛରେ କୁହେ ନିଅ ମୋ ମା’ ଦେଇଛି । କେଜାଣି କାହିଁକି ସେ ପାଗଳା ବୁଢା କାହାସହ କଥା ନହେଲେ ମଧ୍ୟ ସଂପର୍କକୁ ଘଂଟା ଘଂଟା ବସି କାହାଣୀ ଶୁଣାନ୍ତି । ସଂପର୍କର ମା’ ଖୁବ୍ ଈଶ୍ୱର ବିଶ୍ୱାସୀ, ସେ ନିତି ଅନେକ ସମୟ ଯାଏ ମନ୍ଦିରରେ ପୂଜାର୍ଚ୍ଚନା କରିଥାନ୍ତି । ହେଲେ ସଂପର୍କକୁ ଏ ସବୁ ଅଡୁଆ ଅଡୁଆ ଲାଗେ । ସେ ମାଙ୍କ ଡାଲାରୁ ଭୋଗ ଚୋରାଇ ସିଧା ଚାଲିଯାଏ ମନ୍ଦିର ବେଢାରେ ବସିଥିବା ସେ ପାଗଳା ବୁଢା ପାଖକୁ ଅର୍ଥାତ୍ ତା’ ଆପଣାର ଦାଢିଆ ଅଜା ପାଖକୁ । ନିତି ନୂଆ ନୂଆ କାହାଣୀ ଶୁଣିବାକୁ । ମା’ ତାକୁ ସବୁବେଳେ ତାଗିଦ୍ କରନ୍ତି ପାଗଳ ବୁଢା ପାଖକୁ ଯିବାକୁ ମନା କରନ୍ତି କିନ୍ତୁ ତା’ଙ୍କ କଥା ସିଏ କେଉଁ ଶୁଣେ ?

ସମୟ ଗଡିବା ସହ ସଂପର୍କ ଧୀରେ ଧୀରେ ବଡ ହେବାକୁ ଲାଗିଲା । ତାକୁ ଦାଢିଆ ଅଜାର ସେ ସବୁ କାହାଣୀ ବଦଳରେ ଭଲ ଲାଗିବାକୁ ଲାଗିଲା ସାଙ୍ଗସାଥୀ ମେଳରେ କ୍ରିକେଟ୍ ହେଉ ଅବା କବାଡି ଖେଳିବାକୁ । ଛୋଟବେଳଠୁ ତ’ ତାକୁ ମନ୍ଦିର ଅଡୁଆ ସେଥିପାଇଁ ସେ ବଡ ହେଲାପରେ ମନ୍ଦିର ଯାଏନି ଯେଉଁଥିପାଇଁ ତାର ପ୍ରାୟ ଦାଢିଆ ଅଜା ସହ ମଧ୍ୟ ଭେଟ ହୁଏନି । ମାତ୍ର ହଁ ସାଙ୍ଗ ସାଥୀମାନଙ୍କ ସହ ନଈକୂଳେ କ୍ରିକେଟ୍ ଖେଳିବା ବେଳେ ସେ ଲକ୍ଷ୍ୟ କରେ ଦାଢିଆ ଅଜା ନଈକୂଳେ ବସି ତା’ର ଶାନ୍ତ ସ୍ଥିର ଜଳରାଶିକୁ ଲକ୍ଷ୍ୟ କରି କ’ଣ ସବୁ ଭାବୁଥାଏ । ଯେପରି ନଈକୂଳେ ଏ ଅପରାହ୍ନଟାରେ ସେ ତା’ ଆତ୍ମବିଶ୍ୱାସ ହଜାଇ ବସିଛି ।

ଗାଁ ସ୍କୁଲରୁ ପାଠ ପଢା ଶେଷ କରି ସଂପର୍କ ନାଁ ଲେଖାଇଲା ସହରର ଏକ କଲେଜ୍‌ରେ । ଯୌବନର ପାଦଦେଶ ସମସ୍ତଙ୍କ ମନରେ ଉନ୍ମାଦନା ଭରେ । ବସନ୍ତର ମଳୟ ପବନ ପ୍ରେମର ପ୍ରୀତି ଫଗୁଣ ତୋଳେ । ସେହିପରି ସଂପର୍କ ବି ପଡିଗଲା ସହରୀ ଝିଅ ସମ୍ଭାବନାର ପ୍ରେମରେ । ସମ୍ଭାବନା ସହରୀ ଝିଅ ହେଲେ ମଧ୍ୟ ସେ ଖୁବ୍ ପ୍ରକୃତି ପ୍ରେମୀ । କୋଇଲିର କୁହୁତାନ, ହଳଦୀ ବସନ୍ତର ଉଚ୍ଚାଟ ସଙ୍ଗୀତ, ଝରଣାର କୂଳୁ କୂଳୁ ନାଦ, ନଈ କୂଳର ସୁଲୁସୁଲିଆ ପବନ, ଗାଁର ପରିବେଶ, ଧାନ କ୍ଷେତ, ଗାଈ ଗୋଠ, ନଈ ତୁଠ ତାକୁ ବେଶ୍ ଆମୋଦିତ କରନ୍ତି । ହେଲେ ଏସବୁ ସହରରେ କାହିଁ ? ସେଥିପାଇଁ ସେ ସବୁବେଳେ ସଂପର୍କ ସହ କଳି ଲଗାଏ କି ମୋତେ ଟିକିଏ ତୁମ ଗାଁ ଆଡେ ବୁଲାଇ ଆଣ । ଶେଷରେ ସଂପର୍କ ମା’ଙ୍କୁ ମିଛ ସତ କହି ସମ୍ଭାବନାକୁ ଧରି ଗାଁରେ ପହଞ୍ଚିଲା । ସେଦିନ ଅପରାହ୍ନରେ ନଈକୂଳରେ ଦୁଇଜଣଯାକ ବୁଲୁଥିଲେ । ଏଇ ସମୟରେ ସମ୍ଭାବନା ତା’କୁ କହିଲା ସେଠି କିଏ ଗୋଟେ ପାଗଳା ବୁଢାଟେ ବସିଛି ସେପଟକୁ ଯିବାନି ଏଇଠି ବସ । ସମ୍ଭାବନା ମୁହଁରୁ ପାଗଳା ବୁଢା ଶବ୍ଦର ଉଚ୍ଚାରଣ ଶୁଣିଲା ପରେ କେମିତି ଗୋଟେ ରାଗି ଉଠିଲା ସଂପର୍କ । କହିଲା ସେ ପାଗଳା ବୁଢା ନୁହେଁ ବଂର ଛୋଟବେଳେ ମୋତେ ନିତି କେତେ ନୂଆ ନୂଆ କାହାଣୀ ଶୁଣାଉଥିବା ମୋ ଅତି ଆପଣାର ଦାଢିଆ ଅଜା । ସମ୍ଭାବନା ଏକଥା ଶୁଣିବା ପରେ ସମ୍ପର୍କକୁ ପଚାରିଲା ତୁମର ଦାଢିଆ ଅଜା ପୁଣି କିଏ ? କାହିଁ ମୋତେ ଆଗରୁ ତାଙ୍କ ବିଷୟରେ କିଛି କହିନ ତ କେବେ । ମାତ୍ର ସଂପର୍କ ଥିଲା ପୂରା ନୀରବ କାରଣ ତା’ ପଖାରେ ସମ୍ଭାବନା ପଚାରିଥିବା ପ୍ରଶ୍ନର ଉତ୍ତର ହିଁ ନଥିଲା । ଏତେଦିନ ଦାଢିଆ ଅଜା ପାଖରୁ କାହାଣୀ ଶୁଣିଲା ପରେ ମଧ୍ୟ ସେ ତାଙ୍କର ପରିଚୟ କି ଠିକଣା ବିଷୟରେ ଥିଲା ପୁରା ଅଜ୍ଞ ।

ସେଦିନ ସମ୍ଭାବନାକୁ ସହରରେ ଛାଡି ଗାଁକୁ ଫେରିବା ବେଳେ ତା’ ମନଟା କାହିଁକି ଭଲ ଲାଗୁନଥାଏ । ତା’ ମନ ଭଲ ନଲାଗିବାର କାରଣ ସମ୍ଭାବନାକୁ ସହରରେ ଛାଡିଆସିବା ନଥିଲା ବଂର ଆଜି ପର୍ଯ୍ୟନ୍ତ ଦାଢିଆ ଅଜା ବିଷୟରେ ଅଜଣା ଥିବାରୁ ମନଟା ଭିତରେ ଭିତରେ ତା’ର ଗୋଳେଇ ଘାଣ୍ଟି ହେଉଥିଲା । ଅପରାହ୍ନ ସମୟରେ ସେ ସିଧା ଆସି ପହଞ୍ଚିଲା ନଈକୂଳରେ । ପାଗଳା ବୁଢା ପାଖକୁ ଯାଇ ପାଦଛୁଇଁ ମୁଣ୍ଡିଆ ମାରିଲା । ପାଗଳା ବୁଢାର ଆଖିକୁ ଭଲ ସେ ଦେଖାନଗଲେ ବି ସଂପର୍କକୁ ଚିହ୍ନିବାରେ ସେ ତିଳେମାତ୍ର ଭୁଲ୍ କଲେନି । ଥରିଲା ଥରିଲା ଓଠରେ କହିଲେ କହ କ’ଣ ପାଇଁ ଆସିଛୁ । ଆଜି ଏତେ ଦିନ ପରେ ପୁଣି କାହାଣୀ ଶୁଣିବାକୁ ମନହେଲା ନା କ’ଣ ? ଏହା ଶୁଣି ସଂପର୍କ କହିଲା ନା ଅଜା ଆଜି କାହାଣୀ ନୁହେଁ ବରଂ ସତ କଥା ଶୁଣିବାକୁ ଆସିଛି । ତୁମ ଠିକଣା, ତୁମ ପରିଚୟ କ’ଣ ? ତୁମେ ନଈକୂଳେ ନିତି ଅପରାହ୍ଣରେ ତୁମର କେଉଁ ଅତୀତକୁ ଖୋଜିବସ । ଏହାଶୁଣି ବୃଦ୍ଧ ଜଣଙ୍କ କାନ୍ଧରେ ପକାଇଥିବା ଗଣ୍ଠୁଲି ଭିତରୁ ଡାଇରି ଖଣ୍ଡିଏ ବଢାଇଦେଲେ ସଂପର୍କର ହାତକୁ । ସେ ଡାଇରି ପଢି ସାରିବା ପରେ ସଂପର୍କ ଜାଣିବାକୁ ପାଇଲା ଯେ ନିତି ନଈକୂଳେ ହେଉ ଅବା ମନ୍ଦିର ବେଢାରେ ବସୁଥିବା ପାଗଳ ବୁଢା ଆଉ କେହି ନୁହେଁ ସମାଜର ଜଣେ ପ୍ରତିଷ୍ଠିତ ବ୍ୟକ୍ତି କରୁଣାକର ରାୟ ।

କରୁଣାକର ବାବୁ ଥିଲେ ସ୍ଥଳ ସେନାର ଜଣେ ଦକ୍ଷ ଓ ନିର୍ଭିକ ଅଫିସର । ସେ ଭଲପାଇ ବିବାହ କରିଥିଲେ କମଳିନୀ ଦେବୀଙ୍କୁ । ଏହାପରେ ତାଙ୍କ କୋଳମଣ୍ଡନ କରିଥିଲେ ଗୋଟିଏ ପୁଅ ଓ ଗୋଟିଏ ଝିଅ । ସମୟ ଚକରେ ସଂସାର ରଥ ଗଡିଚାଲିବା ଭଳି ତାଙ୍କର ତେଲ ଲୁଣର ସଂସାର ବି ଆଗକୁ ଗଡି ଚାଲିଥିଲା । ଧୀରେ ଧୀରେ ପିଲାମାନେ ବଡ ହେଲେ, ତାଙ୍କର ମଧ୍ୟ ଚାକିରିରୁ ଅବସର ନେବାର ସମୟ ଆସିଲା । ଅବସର ନେବାପରେ ଝିଅକୁ ଗୋଟେ ଭଲ ବଡ ଘର ଦେଖି ବାହାଘର କଲେ । ପୁଅ ବି ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସ୍ଥଳ ସେନାରେ ଯୋଗଦେଲା । ମାତ୍ର ଦଇବର ଖେଳ କେ କରିବ ଆନ । ଯୁଦ୍ଧ କ୍ଷେତ୍ରରେ ଶତ୍ରୁ ପକ୍ଷ ଗୁଳିରେ ପୁଅ ନିହତ ହୋଇ ଚାଲିଗଲା ଆରପାରିକୁ । ପୁଅ ସହିଦ ହେବା ପରେ ସରକାରୀ ବାବୁଙ୍କ ଲୋଭରୁ ବଞ୍ଚି ଯାହା କିଛି ସହାୟତା ରାଶି ମିଳିଥିଲା ତାକୁ ପଇସା ଲୋଭୀ ଜ୍ୱାଇଁ ସବୁ ନେଇଗଲା । ପୁଅ ଗଲାପରେ କମଳିନୀ ଦେବୀ ବି ପୁଅର ଚିନ୍ତାରେ ଧୀରେ ଧୀରେ ରୋଗାଗ୍ରସ୍ତ ହେଲେ । ଅର୍ଥ ଅନର୍ଥର କାରଣ ସାଜିଥାଏ । ପଇସାର ଲୋଭ ମଣିଷ ପାଖେ ଅସୀମ । ଯେଉଁଥିପାଇଁ ଗୋଟିଏ ବୋଲି ଅଲିଅଳ ଝିଅ ଶାଶୁଘର ଲୋକଙ୍କ ମାଡ କଷ୍ଟ ସହି ନପାରି ସତୀ ସୀତାଙ୍କ ଭଳି ଯୌତୁକ ନିଆଁରେ ନିଜକୁ ସମର୍ପି ଦେଲା । ଏତିକିରେ ବି ସେ ଦଗାଦିଆ ଦଇବର ମନ ଶାନ୍ତ ହେଲାନି । ଝିଅ ଯିବାର ମାସେ ଭିତରେ ସ୍ତ୍ରୀ ମଧ୍ୟ ସବୁଦିନ ପାଇଁ କରୁଣାକର ବାବୁଙ୍କୁ ଏକୁଟିଆ କରି ଚାଲିଗଲେ । ଆଉ ଯାହା ପରେ ଯୁଦ୍ଧ କ୍ଷେତ୍ରରେ ଶତ୍ରୁ ପକ୍ଷର ଗୁଳିବର୍ଷାକୁ ଖାତିର ନକରି ଦୃଢ ଜବାବ ଦେଇଥିବା କରୁଣାକର ବାବୁ କିନ୍ତୁ ହାରିଯାଇଥିଲେ ଜୀବନର ଏ ଯୁଦ୍ଧରେ । ସହରର ସେ ଘରଦ୍ୱାରକୁ ଗୋଟେ ଅନାଥ ଆଶ୍ରମକୁ ଦାନ କରି ଚାଲିଆସିଛନ୍ତି ଏଇ ଗାଁକୁ । ଏଇ ଗାଁକୁ ଆସିଲା ପରେ ମନ୍ଦିର ତାଙ୍କ ଠିକଣା ନଈକୂଳ ତାଙ୍କ ବସିବା ଜାଗା ପାଲଟିଯାଇଥିଲା । ସେ ଏଇ ଗାଁରେ ଏଥିପାଇଁ ଅଟକି ଯାଇଥିଲେ କାରଣ ସେଦିନ ମନ୍ଦିର ବେଢାରେ ବସିଥିବା ବେଳେ ଗୋଟିଏ ଛୋଟ ପିଲା ଦୌଡି ଦୌଡି ଆସି ଅତି ଆଦରର ସହିତ ତାଙ୍କ ହାତକୁ ବଢାଇ ଦେଇଥିଲା ଭୋଗ ଟିକିଏ । ସେବେଠୁ ସେଇ ଛୋଟ ପିଲା ସଂପର୍କ ପ୍ରତି ତାଙ୍କର କେମିତି ଗୋଟେ ମୋହ ଲାଗିଯାଇଥିଲା । ସେଥିପାଇଁ ସେ ଏ ଗାଁ ଛାଡି କେବେ କୂଆଡେ ଯାଆନ୍ତିନାହିଁ ଆଉ ନୀତି ନଈକୂଳେ ବସି ସେ ଖୋଜିବସନ୍ତି ତାଙ୍କ ହଜିଲା ଅତୀତକୁ । ଯାହାପାଇଁ ତାଙ୍କ ପରିଚୟ ପାଲଟିଯାଇଥିଲା କରୁଣାକର ରାୟରୁ ପାଗଳା ବୁଢା ।

ଲୋକପ୍ରିୟ ଲେଖା

To Top