ଗଳ୍ପ

ପାଳଭୂତର ଲୁହ

Matrudatta Mohanty's odia story Paalabhutara Luha

ଯେତେବେଳେ ଭାଗ୍ୟ ପୋଡିଯାଏ ସେତେବେଳେ ପାଳଭୁତ ଆଉ ଭଗବାନ ସବୁ ହାତ ଟେକି ଦିଅନ୍ତିଲୋ ମା

ପାଳଭୂତର ଲୁହ

ଆକାଶରେ ମୁହଁ ଦେଖେଇ ଲୁଚି ଯାଇଛି ଖଣ୍ଡେ ମେଘ । ଖରାର ବି ସେମିତି ତେଜ ନାହିଁ । ପାଗ ଟିକେ କାଉଁଳିଆ । ତଥାପି ଛନକା ପଶିଛି ଛାତିରେ । କାଳେ ବର୍ଷି ଯିବ । ଧୋଇ ନବ ସବୁ କିଛି । ଉଜାଡି ଦବ ସୁନାର କ୍ଷେତ । ଆଉ ଦିନ କେଇଟାରେ ଧାନ ଅମଳ ହୋଇ ଖଳାକୁ ଆସିବ । ଗଦା ମଡ଼ା ହବ । ହାତୀ ଭଳିଆ ଧାନଗଦା ଖଳାରେ ଛାତି ଫୁଲେଇ ଛିଡ଼ା ହେବେ । ଦେଖିଲେ ପେଟ ପୂରିଯିବ । ଭୋକ ଶୋଷ ହଜିଯିବ । ମାଟି ପିଣ୍ଡାରେ ବେରୁଁଆ ମେଞ୍ଚା ହାତରେ ଧରି ହେସଁ ବୁଣୁବୁଣୁ କେତେ କଣ ଭାବୁ ଥିଲା ରତନା । ପୁଣି ବାହାରକୁ ବେକ କାଢ଼ି ଆକାଶକୁ ଚାହୁଁଥିଲା । ପାଚିଲା ଧାନ ପୁଳାରେ କାହାର କେତେ ଲୋଭ । ଧାନ ହଳଦୀ ଅଂଶ ପଡ଼ିବା ଦିନରୁ ଚଢେଇ ପଲ ମେଳା କଲେଣି । ଯେତେ ଯାହା କରି ଘଉଡ଼େଇଲେ ଯାଉ ନାହାନ୍ତି । ଧାନକେଣ୍ଡାରେ ଝୁଲିପଡ଼ି ଖୁମ୍ପା ଖୁମ୍ପା ନେଇ ଫୁର୍‌ଫାର୍ । ଆଜି ସେଥିପାଇଁ କିଛି ଗୋଟେ କରିବାକୁ ପଡ଼ିବ । ପାଳଭୂତଟାଏ କରି ଛିଡ଼ା କରିବାକୁ ହେବ । ହଁ ହଁ ପାଳ ଭୂତଟାଏ କରିବାକୁ ହେବ । ମନେ ମନେ ଯୋଜନା କରି ଗୁଣୁ ଗୁଣୁ ହୋଇ କ’ଣଗୁଡ଼ାଏ ଏଣୁତେଣୁ ଗପିବାକୁ ଲାଗିଲା । ରୋଷେଇଘରୁ ବାହାରି ଆସିଲା ସୁନାଫୁଲ । ବାପାକୁ ଚମକେଇ ଦେଲା ପରି ପାଦ କଚାଡ଼ିଲା । ଝିଅକୁ ଦେଖି ଚେତା ଫେରି ପାଇଲା ରତନା । ମା’ ଛେଉଣ୍ଡ ଛୁଆ ଦିଟାଙ୍କୁ ବଡ଼ କଷ୍ଟରେ ମଣିଷ କରିଛି । ଭେଣ୍ଡା ପୁଅଟା ଏଠି ସେଠି ବସି ଦିନ କାଟୁଥିଲା । ତିନି ବର୍ଷ ହବ ସୁରାଟ ଯାଇଛି । ଆଉ ଫେରିବାର ନା ଗନ୍ଧ ନାହିଁ । ଗାଁ ପିଲାଏ କହୁଛନ୍ତି ସେଠି କାଳେ ସୂତାକଳରେ ଶ୍ରମିକ ହେଇଛି । ଗୋଟେ ମାଇକିନା ରଖିଛି । ଏଣେ ଝିଅର ବୟସ ବି ଆସି ଅଠର ଛୁଇଁଲାଣି । ଆଉ କେତେଦିନ ବାପ ଉପରେ ବୋଝ ହବ । ରତନା ନିଜେ ଜାଗା ଦି ଜାଗା ଆଖି ପକେଇଲାଣି । ପ୍ରସ୍ତାବ ମନକୁ ଯାଉନି । ଯେଉଁଠି ପ୍ରସ୍ତାବ ମନକୁ ଯାଉଛି ସେଠି ଦାନ ଦକ୍ଷୀଣା ଚପଟ ଅଧିକ ପଡୁଛି । ଆର ଲଗ୍ନରେ ଝିଅକୁ ଉଠେଇବ । ଧାନରେ କ୍ଷେତ ବୋଝେଇ । ଭଲ ଅମଳ ହେବ । ଦର ବି ଭଲ ମିଳିବ । ହାତକୁ ଟଙ୍କା ଆସିଲେ ସୁନାଫୁଲକୁ ବିଦା କରିବ ।

ସୁନାଫୁଲ ଯୋଡ଼ାବେଣୀ ଛାଟି ବାପ ଉପରେ ଗରଗର ହେଲା । ରାତି ପାହିବା ବେଳଠାରୁ ପିଣ୍ଡାଟାରେ ମାଟିମେଞ୍ଚା ପରି ବସିଛି । ଗିନାରୁ ପାଣି ଟିକେ ଆଣି ହାତରେ ମାରି ବଳି ଚାଲିଛି ବେରୁଆଁ । ଆଉ କୁଆଡ଼େ ନିଘା ନାହିଁ । ରତନା ଝୁଅ କଥା ଏ କାନରେ ପୂରେଇ ସେ କାନରେ ବାହାର କରିଦେଲା । କହିଲା ଗଲୁ ପଖାଳ କଂସେ ବାଢିଲୁ । ଖାଇଦେଇ ବିଲକୁ ଯିବି । ନହେଲେ ଗାଈଗୋରୁ ଚଢ଼େଇ ଚିରିଗୁଣି ଉଜାଡ଼ି ଦେବେ ଧାନ ଗଣ୍ଡାକ । ଝିଅ ପଖାଳ ବାଢୁବାଢୁ ପାଗ ବାଉଁସ ଦି’ ଖଣ୍ଡେ ଆଣି ତାକୁ ଛକ ପକେଇ କଦଳୀ ପଟୁକାରେ କସିକରି ଛନ୍ଦି ଦେଲା । ଢିଙ୍କିଶାଳରୁ ମାଟିବଢ଼ାଟାଏ ଆଣି ଚୂନବୋଳି ଆଖି କାନ ନାକ ଆଙ୍କିଲା । ଅଲୁଗୁଣିରେ ଧୂଳିଧୁଷର ହୋଇ ପଡ଼ିଥିଲା ପୁରୁଣା ଜାମାଟା ପିନ୍ଧେଇ ଦେଲାରୁ ଅଣ୍ଟା ସଳଖି ଛିଡ଼ା ହେଲା ପାଳଭୂତ । ସୁନାଫୁଲ ପାଳଭୂତ ଦେଖି କୁରୁଳି ଉଠିଲା । ତାଳିମାରି ନାଚିଗଲା । ସେ ବିଶ୍ୱାସ କରି ପାରୁ ନଥିଲା ଏତେ ସହଜରେ ଏମିତି ସୁନ୍ଦରିଆ ପାଳଭୂତଟାଏ ଗଢ଼ିଦେବ ବାପ ତାର । ବାପ ପାଖରେ ପଖାଳକଂସାଏ ଥୋଇ ବଲବଲ କରି ଚାହିଁ ରହିଲା ପାଳଭୂତକୁ । ତା’ର ରୂପ ରଙ୍ଗ ନିରିକ୍ଷଣ କରିବାରେ ଲାଗିଲା । ରତନା ଚିଡ଼ି ଉଠିଲା । ଆଲୋ ହଇଲୋ ବଲ ବଲ କରି କଣ ଦେଖୁଛୁ । ଯା’ ଗିନାରେ ବଢି ଯୋଡ଼ାଏ, ରସୁଣ ଦି’ ପାଖୁଡା ସୋରିଷ ତେଲ ଟିକେ ପକେଇ ନେଇ ଆ । ମୁଁ ଖାଇ ଦେଇ ଯାଏ । ତେଣେ ନ ହେଲେ ଭାତ ହାଣ୍ଡି ଉଜୁଡ଼ି ଯିବ ଯେ ।

ଶୀତଦିନିଆ ପବନରେ ଲହଡ଼ି ଭାଙ୍ଗୁଥିଲା ସୁନା ପରି ଧାନକ୍ଷେତ । କେହି ଯେମିତି ବସୁଧାକୁ ପିନ୍ଧେଇ ଦେଇଛି ହଳଦୀ ରଙ୍ଗର ଲୁଗା ଖଣ୍ଡେ । ବିଲ ମଝିରେ ଜଗୁଆଳି ସାଜି ଛିଡା ହେଲା ପାଳଭୂତ । ମୁରବି ସୁଲଭ ଢଙ୍ଗରେ ଉପର ମୁହାଁ ହୋଇ ଛିଡ଼ା ହୋଇଥିଲା । ଏକର ଏକର ଜମି ଉପରେ ନଜର ରଖିଥିଲା । ସତେ ଯେମିତି ଦରକାର ହେଲେ ହାତରେ ବାଡ଼ି ଧରି ଧାଇଁଯିବ କୋଶେ ପାହୁଲେ ବାଟ । ହିଡ଼ମୁଣ୍ଡରେ ବସି ରତନା ଚାହିଁଥିଲା ଧାନ ବିଲକୁ । ପୁଣି ଚାହୁଁଥିଲା ପାଳଭୂତକୁ । ପବନରେ ଫୁରୁଫୁରୁ ଉଡୁଥିଲା ତା’ର ପାଚିଲା ବାଳ କେରାକ । ଶୀତର ପ୍ରଭାବରେ ଫାଟି ଚିରାଚିରା ହୋଇ ଯାଇଥିଲା । ଗୋଇଠି ଫାଟି ଆଁ କରିଥିଲା । କଅଁଳ ଖରାରେ ବସି ଭବିଷ୍ୟତ ଯୋଜନା କରୁଥିଲା ସେ । ପାଟ ଗୋଟାକରେ ଦେଖିଲା ଭଳିଆ ଧାନ ପୁଳିଏ ହୋଇଛି ତାରି ବିଲରେ । ସାର, ଖତ, ପାଣି ଦେଇ ଠିକ୍ ସମୟରେ ରୁଆ ବେଉଷଣ କରିଥିଲା ବୋଲି ସିନା ଏମିତି ଫଳ ଫଳିଛି । ଅଜାଣତରେ ରତନାର ପାଉଁସିଆ ଓଠ କଣରେ ଚେନାଏ ହସ ଉକୁଟି ଉଠି ମିଳେଇଗଲା ।

ଗଲା ସନ ବାତ୍ୟା ବନରେ ଘର ଛପର ଉଡ଼ି ଯାଇଥିଲା । ଘର ଛପର କରିବା ପାଇଁ ବି ସମ୍ଭଳ ନଥିଲା । ବାତ୍ୟା ପଛକୁ ଲଗାଣ ବର୍ଷାରେ ଉଜୁଡ଼ିଗଲା ସବୁ ଫସଲ । ଯାହା ଯେଉଁଠୁ ହାତଉଧାରି ଆଣି ଚାଷରେ ଲଗେଇ ଥିଲା ସବୁ ଗଲା ମେଘ ପବନରେ । ଆଶା ଥିଲା, ପୁଅ ସୁରତରୁ ପଇସା ପଠେଇଲେ ଉଧାର ଶୁଝିବ ପୁଣି ଘର ସଜ କରିବ । କିନ୍ତୁ ତା ହେଲାନି । ନା ଟଙ୍କା ଆସିଲା ନା ଆସିଲା ପୁଅ । ଗାଁ ଗୋଟାକର ସଭିଙ୍କ ଫସଲ ପାଣି ଖାଇଗଲା । ଗାଈଗୋରୁ ପାଳ କେରାଏ ପାଇଲେନି । ମଣିଷଠୁ ପଶୁପକ୍ଷୀ ସମସ୍ତଙ୍କ ପାଇଁ ଚରମ ଦୁର୍ଦ୍ଦଶା ପଡ଼ିଗଲା । ଚାଷୀ ଆପଣା ଦୁଃଖ ଆପଣା ଛାତିରେ ପୋତି ପୁଣି ଥରେ ମୁଣ୍ଡରେ ପଗଡ଼ି ଭିଡ଼ିଲେ । ରତନା ବି ପ୍ରଫୁଲ ପୁହାଣଠାରୁ ହାତଉଧାରି କିଛି ଟଙ୍କା ଆଣିଲା । କିଛି ବନ୍ଧକ ନନେଇ ପ୍ରଫୁଲ ଟଙ୍କା ଗଣି ଦେଲା । ହେଲେ କଥା ରହିଲା ଧାନ ଅଧକୁ ଅଧ । ନହେଲେ ଦୋହରା ସୁଧ ସହ ମୁଳ ଫେରେଇବାକୁ ହବ । ଅମଳ ପରେ ଖଳାରୁ ଧାନ ଗଣିନବ ସେ । ରତନା ସବୁଥିରେ ରାଜି । ପଇସା ହାତକୁ ଆସିଲା ପରେ ଦିନ ରାତି ଏକ କରି ଧାନ ମୁଠାକୁ ଫଳେଇଛି । ରକ୍ତକୁ ପାଣି କରି ମାଟି କାଦୁଅରେ ଖଟିଛି । ରତନାର ଏବେ ଗୋଟିଏ ଚିନ୍ତା, ଧାନ ପୂରା ପାକଳ ହେଲା ମାତ୍ରକେ କାଟି ଦବ । ତେଣିକି ହାଉଲେ ହାଉଲେ ଖଳାକୁ ବୋହି ନବ । ଖଳା ଲିପି ପୋଛି ସଜ କରିଛି । ସାହାଡା କାଠରେ ମେରି ଖୁଣ୍ଟ ବି ତଇରିଛି । ହିଡ଼ମୁଣ୍ଡରେ ବସି ଏମିତି କେତେ କଣ ଭାବୁଭାବୁ ପାଖ ଗାଁର ଦଳେ ଲୋକ ଔଷଧ ଧରି ହାଟରୁ ଫେରିଲେ । ଆଲୋଚନା ଚାଲିଥିଲା କଣ୍ଟାଣିଆ ପାଟରେ ଏକର ଏକର ଧାନ ଜଳି ଯାଇଛି । ଗଛ ଛିଡା ହେଇଛି, କେଣ୍ଡା ଛିଣ୍ଡି ମାଟିରେ ଲୋଟୁଛି । ତାଙ୍କ କଥାକୁ କାନ ଡେରିଲା ରତନା । ହିଡରୁ ଉଠି ଯାଇ ପଚରା ଉଚରା କଲା । ବାଟୋଇ ଯାହା ଉତ୍ତର କଲେ ସେଥିରେ ସନ୍ତୁଷ୍ଟ ହେଲାନି ତାର ମନ । ଦଉଡିଲା ଗାଁ ଭିତରକୁ । ଜଣ ଜଣ କରି ସମସ୍ତଙ୍କୁ ପଚାରିଲା । ଧାନକେଣ୍ଡା ଝଡ଼ି ପଡିବାର କାରଣ କହି ପାରିଲେନି । ଫେରି ଆସିଲା ଘରକୁ । ମନମାରି ବସି ରହିଲା । ସୁନାଫୁଲ ଯେତେ ପଚାରିଲା କ’ଣ ହେଇଛି; କିଛି କହିଲାନି । ପିଣ୍ଡାରେ ବସି ପାଟ ବିଲ ଆଡେ ଏକଲୟରେ ଚାହିଁ ରହିଲା ।

ୟା’ ଭିତରେ ଦି ଦିନ ବିତିଯାଇଥିଲା । ଶୀତ ଟିକେ ବଢି ଯାଇଥିଲା ପୂର୍ବ ଅପେକ୍ଷା । ସୁଲୁସୁଲିଆ ଉତ୍ତରା ପବନରେ ଥରି ଯାଉଥିଲା ଦେହ । ରହି ରହି ପବନରେ ପହଁରୁଥିଲା ପତଳା କୁହୁଡ଼ି । ରତନା ମନରେ କିନ୍ତୁ ଧାନକେଣ୍ଡା ଝଡ଼ି ପଡ଼ିବାର ଭୟ ବସାବାନ୍ଧିଥାଏ । ଯଦି ତାର ବି ଧାନ ତକ ଏମିତିରେ ଝଡି ପଡେ ତେବେ କ’ଣ କରିବ ସେ । କେମିତି ଶୁଝିବ ପ୍ରଫୁଲ୍ଲ ପୁହାଣର ଟଙ୍କା । ଏମିତି ନାନା ପ୍ରକାର ପାପ ଛୁଉଁଥିଲା ତା’ ମନକୁ । ସକାଳୁ ଉଠି ଟିପରେ ଗୁଡାଖୁ ଟିକେ ନେଇ ବାହାରିଗଲା ବିଲ ଆଡେ । ଧାନକେଣ୍ଡା ଅଗରେ ଝୁଲୁଥିଲା ମେଞ୍ଚାଏ ପାଉଁସିଆ ଅଗାଡି । ରତନା ଧାଇଁଗଲା ପାଖକୁ । ହାତରେ କେଣ୍ଡାକୁ ଛିଣ୍ଡେଇ ଆଣି ପାପୁଲି ମଝିରେ ପୂରେଇ ଦଳିଦେଲା । କାଳିମୁଣ୍ଡି ପୋକଗୁଡାକ ସାଲୁସାଲୁ ହେଇ ବାହାରି ପଡ଼ିଲେ । ରତନା ମୁଣ୍ଡରେ ଚଡ଼କ ପଡ଼ିଗଲା । ଅତି ବେଶିରେ ଆଉ ଦିନେ କି ଦି ଦିନ । ବିଲ ସଫା ହୋଇଯିବ । ରତନାକୁ ସବୁକିଛି ଅନ୍ଧାର ଦିଶିଲା । କଣ କରିବ କିଛି ବୁଦ୍ଧି ବାଟ ଦିଶିଲାନି । ଧାଇଁଲା ଘରଆଡେ । ଚୁଲିରୁ ସାଉଁଟି ନେଲା ମେଞ୍ଚାଏ ଗଇଁଠା ପାଉଁସ । ସେତକ ଗାମୁଛାରେ ବାନ୍ଧି ପୁଣି ଆଖିବୁଜା ଦଉଡିଲା ବିଲକୁ । ପଛରୁ ସୁନାଫୁଲ ଡାକ ଛାଡ଼ିଲା- ବାପା, ବାପା, କୁଆଡେ ଯାଉଛୁ । ରତନା ପାଗଳ ପରି ଧାଇଁଥିଲା । ସୁନାଫୁଲ ଘର ପାଖ ବରକୋଳିଗଛ ତଳେ ଛିଡା ହୋଇ ଚାହିଁରହିଥିଲା ବାପର ଯିବା ବାଟକୁ ।

ଗଇଁଠା ପାଉଁଶ କିଛି କାମ କଲାନି । ପୋକଗୁଡ଼ାକ ଧାନକୁ ଚରିଗଲେଣି । ବିଲର ଫସଲ ବାରଣା ଚାରଣା କରି ସାରିଲେଣି । ପାଖ ଆଖ ଜମିରେ ମାଡ଼ିଗଲେଣି । ଗଛ ଛିଡ଼ା ହେଇଛି, ଅଗାଡି କେଣ୍ଡା ମାଟିରେ ଲୋଟୁଛି । ରତନାର ସ୍ୱପ୍ନ ସବୁ ଏମିତି ଝଡ଼ିପଡ଼ିବ ବୋଲି ସେ କଳ୍ପନା କରି ନ ଥିଲା । ତା ବୟସ୍କ ଆଖି କୋଣରେ ଲେଞ୍ଜରା ସାଙ୍ଗରେ ଜକେଇ ଆସିଲା ଧାରେ ଲୁହ । ହିଡ଼ମୁଣ୍ଡରେ ବସି ଲୁହ ଗଡ଼େଇ ଚାଲିଥିଲା ସେ । ଏଣେ ମନେ ପଡ଼ି ଯାଉଥିଲା ପୁହାଣକୁ ଦେଇଥିବା ଜବାବ । ‘ଧାନ ଅଧକୁ ଅଧ । ନହେଲେ ଦୋହରା ସୁଧ ସହ ମୂଳ ସୁଝିବାକୁ ପଡ଼ିବ’ । ଏତେଗୁଡ଼ା ଟଙ୍କା ଏକ ସାଙ୍ଗରେ କୋଉଠୁ ପାଇବ ସେ । ଘର ଡିହ ଖଣ୍ଡକ ବିକିଲେବି ପଇସା ହବନି । ପୁହାଣ ବାଟରେ ଘାଟରେ ଅଟକେଇ ବେଜିତ କରିବ । ଟଙ୍କା ପାଇଁ ପଞ୍ଚାୟତ ଡାକିବ । ଏମିତି ନାନା ଚିନ୍ତାରେ ଘାରି ହେଉଥିଲା ବୁଢା ଚାଷୀଟା । ତେଣେ ସୁନାଫୁଲର ବାହାଘର ପାଇଁ ଦେଖିଥିବା ସ୍ୱପ୍ନସବୁ ପୂର୍ଣ୍ଣ ହେବା ଆଗରୁ ଚୁରମାର ହୋଇଗଲା । ବାପାକୁ ଖୋଜି ଖୋଜି ହିଡମୁଣ୍ଡରେ ପହଞ୍ଚିଲା ସୁନାଫୁଲ । ରତନା ଝିଅକୁ ଦେଖି ଭୋ ଭୋ କାନ୍ଦି ପକେଇଲା । ବାପ ଆଖିରେ ଲୁହ ଦେଖି ଦୁଃଖରେ ଝାଉଁଳି ପଡ଼ିଲା ସୁନାଫୁଲର ପଦ୍ମଫୁଲ ପରି ମୁହଁଟା । ସେ ବାପାକୁ ବୁଝେଇବାକୁ ଯାଇ କହିଲା ‘ବାପା, ପାଳଭୁତଟାକୁ ଏତେ ଯତ୍ନରେ ଛିଡ଼ା କରେଇଥିଲୁ ସେ କଣ ପୋକଗୁଡ଼ାଙ୍କୁ ଘଉଡ଼େଇ ପାରିଲାନି । ତାହାଲେ କାହିଁକି ପାଳଭୁତଟାକୁ ରଖିଛୁ । ଫୋପାଡ଼ି ଦେ ତାକୁ ନାଳରେ’ । ଝିଅ କଥା ଶୁଣି ରତନା କହିଲା ‘ଯେତେବେଳେ ଭାଗ୍ୟ ପୋଡିଯାଏ ସେତେବେଳେ ପାଳଭୁତ ଆଉ ଭଗବାନ ସବୁ ହାତ ଟେକି ଦିଅନ୍ତିଲୋ ମା’ । ବାପ ଝିଅ ଲୁହ ପୋଛି ପୋଛି ଘର ମୁହାଁ ହେଲେ ।

ରତନାର ମନ ମାନୁ ନଥାଏ । ମନ ଯାଇ ଲାଖିଥାଏ ବିଲରେ । ନିଜ ହାତରେ ଫଳେଇଥିବା ପାଚିଲା ଧାନକେଣ୍ଡା ପାଖରେ । ହାଡୁଆ ଛାତି ଭିତରେ ରହିରହି ଫୁଟୁଥିବା କୋହଟା ଗୋଟେ ଆତଙ୍କ ପାଲଟି ସାରିଥାଏ । ସେ ଆତଙ୍କରେ ଛଟପଟ ହେଉଥାଏ ରତନାର ଗୋଟାପଣ ଦେହ । ଏଇ ଦିନେ ଦୁଇ ଦିନର ଦୁଃଖ ରତନାର ଦୁର୍ବଳ ଦେହଟାକୁ ଆହୁରି ଦୁର୍ବଳ କରି ପକେଇଥାଏ । ଆଖି ହଳକ ଓଦା ଦିଶୁଥାଏ । ପାନଖିଆ କଳା ମଚମଚ ଦାନ୍ତ ସନ୍ଦିରେ ଗୁଡାଖୁ ଲାଗି ରକ୍ତ ଝରିଲା ପରି ଦିଶୁଥାଏ । ହାତ ପାଦରୁ କାତି ଛାଡି କଳା ମଣିଷଟା ଏକବାର ପାଉଁସିଆ ପଡିଯାଇଥାଏ । ପାଟ ଆରପଟେ ନଇଁ ଆସୁଥାଏ ସଂଧ୍ୟା । ସ୍ଥିର ହୋଇ ଆସୁଥାଏ ଗାଁ ଗୋଟାକର ଅସ୍ଥିର ଚଳଚଞ୍ଚଳ ଜୀବନ । ଚଉରାମୂଳରେ ସଂଜ ଧରି ଆକାଶକୁ ଅନେଇ ଗୁଣୁଗୁଣୁ ହେଉଥାଏ ସୁନାଫୁଲ । ପିଣ୍ଡାରୁ ଘରଭିତରକୁ ଉଠିଗଲା ରତନା । ଭାଡି ଉପରକୁ ଚଢିଯାଇ ଅଳିଆ ଭିତରୁ କଣ କଣ ଗୁଡାଏ ପାଗଳ ପରି ଖୋଜିବାକୁ ଲାଗିଲା । ଏଣେ ସଂଜ ଦେଇସାରି ଭାତହାଣ୍ଡି ସଜ କରିବାରେ ଲାଗିଥାଏ ସୁନାଫୁଲ । ଭାଡିରୁ ଘଷି ଦି ଫଡା ଆଣି ଚୁଲି ଲଗେଇଲା । ବାପ ପାଇଁ ଚା ବସେଇଲା । ଧୀରେ ଧୀରେ ଶୂନଶାନ ହୋଇ ପଡୁଥାଏ କୋଶିଆପାଳ ଗାଁ । ଶୀତୁଆ ପବନଟାରେ ବି ନିର୍ଜନତାର ତାତି ଭରି ଯାଇଥାଏ । ପାଟ ମଝିରୁ ଭାସି ଆସୁଥାଏ ବିଲୁଆ ପଲଙ୍କ ହୁକେ ହୁ ରଡି । ବାପ କଥା ଭାବି ଅନ୍ୟମନସ୍କ ହୋଇ ପଡୁଥାଏ ସୁନାଫୁଲ । ବିଚରା ବାପ ତାର କେତେ କଷ୍ଟରେ ବିଲରେ ଫଳେଇ ଥିଲା ସୁନା ପରି ଧାନ । ଧାନକୁ ନେଇ କେତେ କଣ ସ୍ୱପ୍ନ ଦେଖିଥିଲା । ସବୁ ଉଜୁଡିଗଲା । ପୋଡାମୁହାଁ କାଳିମୁଣ୍ଡି ପୋକଗୁଡା ସବୁ ଉଜାଡି ଦେଲେ । ବରଷକର ଭାତ ହାଣ୍ଡି ଗଲା । ଏମିତି ନାନା ଦୁଶ୍ଚିନ୍ତା କିଶୋରୀ ସୁନାଫୁଲର ମନକୁ ଭାରାକ୍ରାନ୍ତ କରି ପକାଉଥାଏ । ଟକ ଟକ ଫୁଟୁଥିବା ଚା ଉତୁରି ପଡିଲା ଚୁଲି ଭିତରକୁ । ଠାଏ କିନା ଚମକି ପଡିଲା ସୁନାଫୁଲ । ଫୁ ଫୁ କରି ଫୁଙ୍କିଦେଲା ଚା ହାଣ୍ଡିଟାକୁ । ହାଣ୍ଡିକୁ ତଳକୁ ଓହ୍ଲାଇ ଆଣି କଂସାକୁ ଛାଣିଲା । ଏଣେ ଚୁଲିରେ ଉତୁରି ପଡିଥିବା ଚା’ ପୋଡିଯାଇ ଫୁରୁକୁଟିଆ ଗନ୍ଧ ଛାଡିଲାଣି । ଚୁଲି ପାଖରେ ବସି ବାପକୁ କେତେ ଡାକିଲା ସୁନାଫୁଲ । ‘ଚା ଥଣ୍ଡା ହେଇ ଯିବ, ଆଉ ଗରମ କରି ପାରିବିନି । ଇଚ୍ଛା ହେଲେ ପିଇ ନହେଲେ ନାଇଁ, ରାତି ମାଡି ଆଉଛି’ କହି ଭାତ ହାଣ୍ଡି ଚୁଲିକୁ ଉଠେଇଲା ସେ । ରତନାର ଦେଖା ନାଇଁ କି ଜବାବ ନାଇଁ । ପିଣ୍ଡାରୁ ତଳକୁ ଓହ୍ଲାଇଗଲା ସୁନାଫୁଲ । ବାପା ବାପା ବୋଲି ରଡି ପକେଇଲା । ନିରବ ହୋଇଯାଇଥିଲା ସମଗ୍ର ପରିବେଶ । ଘର ପାଖରେ କୁକୁର ପଲ ବାହୁନିବା ଆରମ୍ଭ କରିଦେଲେ । ହାସୁ ହାସୁ କହି ତାଙ୍କ ଆଡେ ଖେଦିଗଲା ସେ । ‘ପୋଡାମୁହାଁ ଅପଦଶିଆ ଗୁଡା ଏମିତି ପେଟ ପୋଡିଯାଉଛି ଯେ ବାହୁନି ମରୁଚ’ । ତା କଥାରେ କିଛି ସମୟ ପାଇଁ ଶଙ୍କି ଗଲେ କୁକୁର ପଲ । ସୁନାଫୁଲ ପାଗେଳି ପରି ବାପାକୁ ଖୋଜିବାକୁ ଲାଗିଲା । ହାତରେ ଲଣ୍ଠନ ଧରି ନଡିଆବାରି, ପୋଖରୀବନ୍ଧ, ବାଉଁସବାଡି, ଆମ୍ବବଗିଚା ଏମିତି ସବୁ ଜାଗାରେ ଖୋଜି ନିରାଶ ହେଲା । ଶେଷରେ ଏକା ନିଶ୍ୱାସରେ ଧାଇଁଲା ବିଲ ଆଡେ । ଗାଁ ଦେହରେ ଅନ୍ଧାର ସାଲୁ ବାଲୁ । ପାଟ ବିଲ ଆଡେ ପଡିଥିବା ଆବଡା ଖାବଡା ରାସ୍ତାରେ ଧାଇଁଲା ସେ । ଧାନବିଲ ପାଖରେ ପହଞ୍ଚିଲା ବେଳକୁ ବାପ ତାର ଆଉଜି ବସିଛି ପାଳଭୂତ ଦେହକୁ । ଲଣ୍ଠନ ଏକକାନିଆ ଜଳିଜଳି ଫାଳେ କାଚ କଳା ପଡିଯାଇଥାଏ । ଝାପସା ଆଲୁଅରେ ବାପ ମୁହଁକୁ ଚାହିଁଲା । ପାଟିରୁ ବୋହିପଡିଥିଲା ମେଞ୍ଚାଏ ଫେଣ । ଡରି ଡରି ବାପ ଦେହରେ ହାତ ମାରିଲା ସେ । ବାପ ତାର ଟଳି ପଡିଲା ଉଜୁଡା ଧାନକ୍ଷେତ ଉପରକୁ । ରଡି ଛାଡି କାନ୍ଦି ଉଠିଲା ସୁନାଫୁଲ । ବାପ ଛାତି ଉପରେ ଲୋଟି ପଡିଲା ସେ । ଅନ୍ଧାର ଛାତିରେ ମିଳେଇ ଯାଉଥିଲା ବାପଛେଉଣ୍ଡ ପିଲାଟାର କୋହ ସବୁ । ସୁନାଫୁଲ ମଥା ଟେକି ଚାହିଁଲା ଶୂନ୍ୟ ଆକାଶକୁ । ଝାପସା ଆଲୁଅରେ ବଡ ବିକୃତ ଦିଶୁଥିଲା ପାଳଭୂତର ମୁହଁ । ତା ଅସହାୟ ବାପର ମୁହଁ ପରି କରୁଣ ଓ କାକୁସ୍ଥ । ସୁନାଫୁଲକୁ ଲାଗୁଥିଲା ବାପା ଯେମିତ ଏଠି ପାଳଭୂତ ହୋଇ ଛିଡା ହୋଇଛି । ଠେଙ୍ଗାଧରି ଜଗି ରହିଛି ନଷ୍ଟ ଧାନକ୍ଷେତକୁ । ଆଉ ଲୁହ ଝରାଉଛି ଉଜୁଡି ଯାଇଥିବା ସୁନାଫୁଲ ପାଇଁ ।

ଲୋକପ୍ରିୟ ଲେଖା

To Top