ଗଳ୍ପ

ପାପୀ ପ୍ରେମୀକ…

Dibyajyoti Mohanty's odia story Paapi Premika

ଏମିତି ଭାବି ଭାବି ହାତରେ ଗୋଟେ ଛୁରି ଧରି ପହଂଚିଲା ସେ ଯାଇ ଅଭିଲିପ୍ସା ଶୋଇଥିବା ରୁମ୍‌ରେ

ପାପୀ ପ୍ରେମୀକ...

ପ୍ରେମର ଅନେକ ରୂପ । ପ୍ରେମ କେତେବେଳେ ଶାହାଜାନ୍ ଓ ମମ୍‌ତାଜଙ୍କ ସ୍ମୃତି ରକ୍ଷା କରି ତାଜମହଲର ରୂପ ନିଏ ତ ଆଉ କେବେ କେଦାର ଗୈାରୀଙ୍କ ପ୍ରେମ ପାଇଁ କେଦାରଗୌରୀ ମନ୍ଦିର ପାଲଟେ । ପୁଣି ସେଇ ପ୍ରେମ ହିର୍ – ରା଼ଞ୍ଝା, ଲୈଲା – ମଜୁନ୍‌ଙ୍କ ପ୍ରେମକୁ ଉଦାହରଣ କରି ସାରା ଜଗତକୁ ପ୍ରେମ ପରିଭାଷାର ଏକ ନୂତନ ଦିଗ୍ଦର୍ଶନ ଦେଖାଏ । ସତରେ ପ୍ରେମ ବିନା ମଣିଷର ଅସ୍ତିତ୍ୱ ହିଁ ନାହିଁ । ସେଥିପାଇଁ ବୋଧେ ଜଗତେ ଏମିତି କେହି ଜଣେ ମଣିଷ ନଥିବ ଯିଏ କି ଜୀବନରେ ଥରୁଟେ ହେଲେ ପ୍ରେମ କିଆରିରେ ପାଦ ଥାପି ନଥିବ ।

ଆଭାସା (ଆଭାସ ପଟ୍ଟନାୟକ) ବି ସେମିତି ଯୌବନର ଯୁବା ଅବସ୍ଥାରେ ପାଦ ଥାପିଲା ପ୍ରେମ ନଗରୀରେ । ପ୍ରେମର ପ୍ରଥମ ସ୍ପର୍ଶ ପାଇ ସେ ହୋଇ ଉଠିଲା ମତୁଆଲା । ପ୍ରେମକୁ ଏତେ ପାଖରୁ ଦେଖି ଭୁଲିଗଲା ସେ ସମାଜ ପରିବାର ଏପରିକି ନିଜର ଅସ୍ତିତ୍ୱ । ଅନ୍ୟମାନଙ୍କୁ ଜାଳିପୋଡି ଦେଉଥିବା ବୈଶାଖର ନିଦାଘ ତାତିଟା ବି ତାକୁ ଖୁବ୍ ଭଲ ଲାଗିଲା । କୋଇଲିର କୁହୁତାନ, ବସନ୍ତର ମଳୟ ପବନ, ପିହିଲି ବର୍ଷା, ଭିଜା ମାଟିର ବାସ୍ନା, ଝରଣାର କୁଳୁ କୁଳୁ ନାଦ, ଚାଷ କ୍ଷେତରେ ହଳୁଆ ଭାଇର ସଙ୍ଗୀତ ଏସବୁ ତ’ ତାକୁ ତାଙ୍କ ଆଡକୁ ଆକର୍ଷିତ କରିବାଟା ଥିଲା ସ୍ୱଭାବିକ । କାରଣ ସେ ପ୍ରେମରେ ପଡିଯାଇଥଲା ।

ଅଭିଲିପ୍ସା ସାମନ୍ତରାୟକୁ ସେ ଯେଉଁ ଦିନ ଦେଖିଲା କେଜାଣି କାହିଁକି ତାକୁ ଲାଗିଲା ତା’ ଛାତି ଭିତରେ ଯେମିତି କିଏ ଗୋଟିଏ ବଡ ହାତୁଡା ଧରି ଖୁବ୍ ଜୋରରେ ପ୍ରହାର କରିବାକୁ ଲାଗିଛି । ରକ୍ତ ମାଂସ ହାଡରେ ଗଠିତ ତା ସରଳ ହୃଦୟ ଭିତରେ କିଏ ଯେମିତି ଗୋଟେ ନିହଣ ମୁନରେ ତୋଳି ଦେଉଛି ପ୍ରେମର ମନ୍ଦିରଟେ । ଦେହରେ ଲାଲ୍ ରଙ୍ଗର ସାଲୁଆର୍ କମିଜ୍ ସହ ଓଠରେ ଲାଲ୍ ରଙ୍ଗର ଲିପିଷ୍ଟିକ୍, ରେଶମୀ କହରା କେଶ, ହଳଦୀ ଗୁରୁ ଗୁରୁ ଦେହ, ମୃଗ ନୟନୀ ଆଖି, କୋଇଲିର କୁହୁତାନ ପରି କଣ୍ଠ ସ୍ୱର ତାକୁ କେଇ ମୁହୁର୍ତରେ ଭିଡି ନେଇଥିଲା ଆଭିଲିପ୍ସା ଆଡକୁ । ତାକୁ ମନେ ହେଉଥିଲା ଯେପରି ଏଇ ସେଙ୍ଗ ସେଙ୍ଗ ସରଗରୁ ଅପସରୀଟେ ଓହ୍ଲାଇ ଆସିଛି ।

ଅଭିଲିସ୍ପା ସହ ପ୍ରଥମ ଦେଖା ହୋଇଥିଲା ଗାଁ ପାଖ ମନ୍ଦିରରେ । ସେଦିନ ସକାଳେ ଗାଁ ପାଖ ମନ୍ଦିର ସାମ୍ନାରେ ଆଭାସ ସାଙ୍ଗ ମାନଙ୍କ ସହ ଖଟି ମଜା କରୁଥିଲା । କିଛି ସମୟ ପରେ ସାଙ୍ଗମାନେ କିଏ କୁଆଡେ ଚାଲିଗଲେ । ସେ ବି ବାହାରିବ ବୋଲି ଭାବୁଥିଲା । କିନ୍ତୁ ମାଘ ମାସର ଶୀତଟା ତା ଦେହକୁ ଯେମିତି ଜଡରେ ପରିଣତ କରିଦେଉଥିଲା । ଏଭଳି ଜାଡରୁ ମୁକ୍ତି ପାଇବା ପାଇଁ ଅର୍ଥାତ ତାର ପିଛା ଛଡାଇବା ପାଇଁ ସେ ପକେଟ୍‌ରୁ ଖଣ୍ଡିଏ ସିଗାରେଟ୍ ବାହାର କଲା । ସେଥିରେ ନିଆଁ ଧରାଇ ଗାଡି ଉପରେ ବସି ସିଗାରେଟ୍ ଟାଣିବାକୁ ଆରମ୍ଭ କରିଛି କି ନାହିଁ ପଛପଟୁ ତା କାନ୍ଧ ଉପରେ କେହି ଜଣେ ହାତ ରଖିଲା । ସେ ଆଶ୍ଚର୍ଯ୍ୟ ହୋଇ ପଛକୁ ବୁଲି ଚାହିଁବାରୁ ଦେଖିଲା ତା ପଛରେ ଥିଲା ଜଣେ ଅପରୂପା ସୁନ୍ଦରୀ ତରୁଣୀ । ହାତରେ ଭୋଗ ଡାଲାଟେ ଧରି ସେଥିରୁ କିଛି ଭୋଗ ବଢାଇଥିଲା ସେ ତା ହାତକୁ । ଆଭାସ ଅଗାଧୁଆ ଥିଲେ ମଧ୍ୟ କିଛି ନକହି ପାରି ଗୋଟିଏ ହାତରେ ସିଗାରେଟ୍ ଧରି ଅନ୍ୟ ହାତଟିକୁ ବଢାଇ ଦେଇଥିଲା । ତା’ଠୁ ଶୀତୁଆ ସକାଳଟାରେ ମହାପ୍ରଭୁ ଶିବଙ୍କ ପ୍ରସାଦ ପାଇବା ପାଇଁ ।

ଏହାପରେ ସେ ଝିଅଟି ସହିତ ଆଭାସର ପ୍ରାୟତଃ ପ୍ରତ୍ୟେକ ସମୟରେ ଦେଖା ହେଉଥିଲା । କେବେ ସେଇ ମନ୍ଦିର ସାମ୍ନାରେ ତ କେବେ ଗାଁ ସ୍କୁଲ ପାଖେ ତ ଆଉ କେବେ ନଇ ତୁଠରେ କି ପୁଣି ତା ଘର ଛାତ ଉପରେ ନିତି ଅପରାହ୍ନରେ । ଏମିତି ପାଖା ପାଖି ବର୍ଷେ କି ଦୁଇ ବର୍ଷ ଚାଲିଗଲା । ଏହାରି ଭିତରେ ମନର ଭାଷାକୁ ଆଖିର ଇଶାରାରେ ଦୁହେଁ ବୁଝିପାରିଥିଲେ । କେବଳ ଯାହା ବାକି ଥିଲା ଆଖିର ଇଶାରାକୁ ଶବ୍ଦର ଯାଦୁଗରୀ ମାଧ୍ୟମରେ ଦୁହେଁ ଦୁହିଁକୁ ପରିପ୍ରକାଶ କରିବାଟା ।

କେବେ ମନ୍ଦିର ଯାଇ ନଥିବା, ପ୍ରାତଃ ସକାଳୁ ଗାଧୋଇ ନଥିବା, ଶୀତକୁ ଡରି ସିଗାରେଟ୍ ଟାଣୁଥିବା ଆଭାସ କିନ୍ତୁ ସେଦିନ ସକାଳେ ଗାଧୋଇ ପାଧୋଇ ହାତରେ ଦୀପଟେ ଧରି ହାଜର ହୋଇଯାଇଥିଲା ମନ୍ଦିରରେ । ତାର ସମସ୍ତ ପ୍ରୟାସ ସେଦିନ ବିଫଳ ହେଲା କାରଣ ଅଭିଲିସ୍ପା ସେଦିନ କୌଣସି କାରଣ ବଶତଃ ମନ୍ଦିର ଆସିନଥିଲା । ସେ ମନ ଦୁଃଖରେ ଫେରୁଥିଲା ଘରକୁ ଠିକ୍ ଏହି ସମୟରେ ଗାଁ ସ୍କୁଲ ପାଖରେ ଦେଖା ହୋଇଗଲା ତାର ଅଭିଲିସ୍ପା ସହ । ସେ ତାକୁ ଦେଖି ଖୁବ୍ ଜୋର୍‌ରେ ହସିବାକୁ ଲାଗିଲା ଏବଂ କହିଲା ତୁମେ ପୁଣି ମନ୍ଦିର ଆଜି କ’ଣ ସୂର୍ଯ୍ୟ ପଶ୍ଚିମ ଦିଗରେ ଉଦୟ ହୋଇଥିଲେ କି ? ଆଭାସ କିଛି ନ କହି ପାରି କେବଳ ଏତିକି କହିଥିଲା ଏ ପରିବର୍ତନ ସବୁ କେବଳ ତୁମ ପାଇଁ । ଏହା ତା’ଠୁ ଶୁଣିବା ପରେ ଅଭିଲିସ୍ପା ପାଷାଣ ମୂର୍ତିଟେ ପାଲଟିଗଲା । ତା’ ପାଦର ଆଙ୍ଗୁଠିକୁ ବାରମ୍ବାର ଭୂମି ଉପରେ ଚାଳନା କରୁଥିଲା । ଲାଜରେ ମୁହଁ ତଳକୁ ପୋତି ଛିଡା ହୋଇଥିଲା ଆଭାସ ଆଗରେ । ଦୁଷ୍ଟ ପବନଟା ତା ଦେହରେ ଘଷି ହୋଇ, ତା ଦେହର ଶିରା ପ୍ରଶିରାରେ ସୃଷ୍ଟି ହୋଇ ଉଠୁଥିବା ଶିହରଣକୁ ଆହୁରି ବଢାଇ ଦେଉଥିଲା । ସେ ଲାଜରେ କିଛି ନ କହି ପାରି ମରୁକି ହସା ଦେଇ ଦୌଡି ଦୌଡି ସେଠାରୁ ଚାଲିଗଲା ।

ଏହାପରେ ସେ ଦୁହେଁ ସବୁଦିନେ ଭେଟ ହେଉଥିଲେ । କେବେ ଗାଁ ନଈ ପଠାରେ ତ କେବେ ଗାଁ ଶେଷ ମୁଣ୍ଡରେ ଥିବା ଆମ୍ବ ତୋଟାରେ ତ ଆଉ କେବେ ସମସ୍ତଙ୍କ ନଜର ଆଢୁଆଳରେ ମନ୍ଦିର ଭିତରେ । ନଈ ପଠାରେ କିମ୍ବା ଆମ୍ବ ତୋଟାରେ ଆଭାସ ଅଭିଲିପ୍ସା କୋଳରେ ଶୋଇ ଅନେକ ସ୍ୱପ୍ନ ଦେଖୁଥିଲା ଓ ଦେଖାଉଥିଲା ତା ସହ ପ୍ରତିଶୃତିର ଗଦା ଗଦା ପାହାଡ ତୋଳୁଥିଲା । ତା’ର ମୁଣ୍ଡ କେଶକୁ ସାଉଁଳି ସାଉଁଳି ଅଭିଲିପ୍ସା ବି ଅନେକ ମିଠା ମିଠା କଥା କହୁଥିଲା ।

କିନ୍ତୁ ତାଙ୍କ ପ୍ରେମରେ ଶତ୍ରୁ ପାଲଟିଲା ସମାଜ । ସେଦିନ ନଈ ପଠାରେ ଜଣେ ଲୋକ ସେମାନଙ୍କୁ ଦେଖିଦେଲା ପରେ ଗାଁଟା ସାରା ଚର୍ଚ୍ଚା ଚାଲିଲା ସେ ଦୁହିଁଙ୍କ ବିଷୟରେ । କିଏ କେତେ ଛିଗୁଲେଇ କହିଲେ । କିଏ କେତେ ପ୍ରକାରର ସେମାନଙ୍କ ଚରିତ୍ର ସଂହାର କଲେ ଏପରିକି ସେମାନଙ୍କର ବାପା ମା’ଙ୍କର ମଧ୍ୟ । ଆଭାସ ଏସବୁ ଶୁଣିଲା ପରେ ରକ୍ତ ଚାଉଳ ଚୋବାଉଥିଲା ଗାଁର ଲୋକଗୁଡାଙ୍କ ଉପରେ । ଭାବୁଥିଲା ଏଇ ମୁହୁର୍ତରେ ସବୁ ଲୋକ ଗୁଡାଙ୍କୁ ହାଣି ଟିକ୍ ଟିକ୍ କରିଦେବ । ତା’ ପରେ ଅନ୍ତତଃ କେହି କିଛି କହିବେନି ଅଭିଲିପ୍ସା କି ତା ପରିବାର ବିଷୟରେ ।

ବହୁତ କଷ୍ଟରେ ସାଇ ଭିତରର ଜଣେ ସାନ ଭଉଣୀ ହାତରେ ଖବର ପଠାଇଲା ଅଭିଲିପ୍ସା ତା ପାଖକୁ ଦୁହିଁଙ୍କ ପ୍ରେମର ମୁକ ସାଖୀ ସେଇ ମନ୍ଦିର ପାଖେ ଦେଖା କରିବାକୁ । ସେଦିନ ମନ୍ଦିର ପାଖରେ ଅଭିଲିପ୍ସା ତାକୁ ସବୁଦିନ ପାଇଁ ଭୁଲିଯିବାକୁ ରାଣ ନିୟମ ଦେଇ ଚାଲିଗଲା । ଏମିତି କି ଗଲାବେଳେ ଥରୁଟେ ହେଲେ ବି ପଛକୁ ଫେରି ଚାହିଁଲାନାହିଁ । କହିଗଲା ତା’ର କାଳେ ବାହାଘର ଠିକ୍ ହୋଇଯାଇଛି ଆଉ ଚାରିଦିନ ପରେ ବାହାଘର । ଆଭାସ ତା’କୁ ବୁଝେଇବାକୁ ବାରମ୍ବାର ଚେଷ୍ଟା କଲେ ସୁଦ୍ଧା କିଛି ଲାଭ ହେଲା ନାହିଁ ।

ଏକଥା ଶୁଣିଲା ପରେ ଆଭାସ ଭୀଷଣ ରାଗିଯାଇଥିଲା । ତାକୁ ଲାଗୁଥିଲା ଅଭିଲିପ୍ସା ଯେମିତି ତାକୁ ଧୋକା ଦେଇ ଆଉ କାହାକୁ ବାହା ହୋଇଯାଉଛି । ସେ ପ୍ରତିଶୋଧ ପରାୟଣ ହୋଇଉଠିଲା । ଭାବିଲା ଅଭିଲିପ୍ସା ଜଦି ତା’ର ହୋଇ ନପାରିଲା ତେବେ ଆଉ କାହାର ବି ହୋଇପାରିବନି । ଏମିତି ଭାବି ଭାବି ହାତରେ ଗୋଟେ ଛୁରି ଧରି ପହଂଚିଲା ସେ ଯାଇ ଅଭିଲିପ୍ସା ଶୋଇଥିବା ରୁମ୍‌ରେ । ସେଠି ପହଂଚି ସେ ଯାହା ଦେଖିଲା ତା’ ପାଦ ତଳୁ ମାଟି ଅତଡାଟା ଧସି ଗଲା ଭଳି ତାକୁ ମନେ ମନେହେଲା । ଅଭିଲିପ୍ସା ଶୋଇଥିଲା ବେଡ୍ ଉପରେ ହାତ ଭେନ୍ କଟି ଥପ୍ ଥପ୍ ହୋଇ ରକ୍ତ ଝରୁଥିଲା ତଳକୁ । ବିଷର ଜ୍ୱାଳାରେ ଶରୀରଟା ନୀଳ ବର୍ଣ୍ଣ ହୋଇ ଆସିଥିଲା । ପାଟିରୁ ଫେଣ ବାହାରୁଥିଲା । ସେ ତା’କୁ ଦେଖି ଟିକିଏ ହସି କେବଳ ଏତିକି କହି ଆଖି ବୁଝିଲା । ଯେ ସେ ତା’ ଛଡା ଆଉ କାହାକୁ ବାହା ହୋଇ ପାରିବନି କି ଅନ୍ୟ କାହା ହାତ ଧରିପାରିବନି । ସେଦିନ ମଶାଣି ଜୁଇର ନିଆଁରେ ଜଳୁଥିଲା ଅଭିଲିସ୍ପା ଆଉ ଆଭାସ ତା ଜଳୁଥିବା ଜୁଇ ପାଖେ ବସି ପାଗଳଙ୍କ ପରି ହସି ହସି କହୁଥିଲା, ମୁଁ ଗୋଟିଏ ପାପୀ ପ୍ରେମିକ ହଁ ହଁ ମୁଁ ଗୋଟିଏ ପାପୀ ପ୍ରେମିକ । ପାଗଳ ହୋଇଗଲା ପରେ ବି ଆଭାସ ସେଦିନ ବୁଝିଥିଲା, ପ୍ରେମରେ ନଥାଏ କେବେ ପ୍ରତିଶୋଧ କି ପ୍ରତାରଣା ଥାଏ ପ୍ରତିଶୃତି ପାଳନ ଓ ମିଠା ମିଠା ପାଗଳାମୀ ।

ଲୋକପ୍ରିୟ ଲେଖା

To Top