ଗଳ୍ପ

ପଦିଏ କଥା

ମୋର ଯେଉଁଥିରେ ରୁଚି ଅଛି ମୁଁ ସେଇୟା ହିଁ କରିବି । ଏଥିରେ ମୁଁ କାହାରି ମନ୍ତବ୍ୟ ଅବା ପସନ୍ଦ ନା ପସନ୍ଦକୁ ଦୃଷ୍ଟିପାତ କରିବା ପାଇଁ ଜରୁରୀ ମନେ କରୁନାହିଁ କି କରିବା ମଧ୍ୟ ଦରକାର ନାହିଁ ।

ପଦିଏ କଥା

ଅଳ୍ପ ପୁଞ୍ଜି ବିନିଯୋଗ କରି ଗୋଟେ ଛୋଟିଆ “ରାଇସ୍ ମିଲ୍” ଆରମ୍ଭ କରିଥିଲେ ବଳରାମ ମହାନ୍ତି । ହାଡ଼ ଭଙ୍ଗା ପରିଶ୍ରମ ସହିତ ବୁଦ୍ଧି ଖଟାଇ ଧିରେ ଧିରେ “ରାଇସ୍ ମିଲ୍”ଟି ସାରା ଓଡ଼ିଶାରେ ଖ୍ୟାତି ଅର୍ଜନ କରିଥିଲା, ତାଙ୍କ ରାଇସ୍ ମିଲ୍‌ଟି ।

ସାରା ଓଡ଼ିଶାରେ ବା ପ୍ରତ୍ୟେକ ଗାଁ, ଗଣ୍ଡା, ଗଳି, କନ୍ଦି, ଘରେ ଘରେ ପରିଚିତ ମଧ୍ୟ ହୋଇଥାଏ ତାଙ୍କ “ବ୍ରାଣ୍ଡ”ର ଚାଉଳ । ଯେଉଁ ବ୍ୟକ୍ତି ଥରେ ସେ ଚାଉଳର ଭାତ ପାଟିରେ ଦେଇଛି, ସେ ଚାଉଳର ଭାତର ସ୍ୱାଦ ସେ ବ୍ୟକ୍ତି ଜମା ଭୁଲିପାରେ ନାହିଁ ଓ ବାରମ୍ୱାର ସେଇ ଚାଉଳକୁ ଖୋଜିବାରେ ଲାଗେ ।

ଏମିତି ବଳରାମ ବାବୁଙ୍କ ରାଇସ୍ ମିଲ୍‌ଟି ଦିନକୁ ଦିନ ଏମିତି ଖ୍ୟାତି ଅର୍ଜନ କରିବାରେ ଲାଗେ ଯେ । ଶେଷରେ ଓଡ଼ିଶା ବାହାରେ ମଧ୍ୟ ତାଙ୍କ “ବ୍ରାଣ୍ଡ”ର ଚାଉଳର ଚାହିଦା ବଢ଼ିବାରେ ଲାଗିଲା । ବଳରାମ ବାବୁ ରାଇସ୍ ମିଲ୍‌ରୁ ଏମିତି ରୋଜଗାର କ୍ଷମ ହୁଅନ୍ତି ଯେ ଟଙ୍କା, ପଇସା, ଧନ, ରତ୍ନ, ଘର ଖଞ୍ଚି ହୋଇଯାଏ । ସତେ ଯେମିତି ମା’ ଲକ୍ଷ୍ମୀ ତାଙ୍କ ଘରେ ବିରାଜମାନ ହେଇଛନ୍ତି ଓ ଢାଳି ଦେଉଛନ୍ତି ସମ୍ପତ୍ତି ଉପରେ ସମ୍ପତ୍ତି । ସହରର ଜଣେ ବା ସାରା ଓଡ଼ିଶାର ଜଣେ ବିଶିଷ୍ଟ ଶିଳ୍ପପତି ରୂପେ ପରିଗଣିତ ହେଇପାରିଥାନ୍ତି ବଳରାମ ବାବୁ । ଘର ତ ଦେଖିଲେ ଆଖି ପୁରିଯାଏ । ସତେ ଯେମିତି ରାଜଉଆସ ପରି ପରିଲକ୍ଷିତ ହେଉଥାଏ । ଘର ଆଗରେ ସିକ୍ୟୁରିଟି ଗାର୍ଡ । ସେ ପୁଣି ବନ୍ଧୁକ ଧାରୀ । ଘର ଭିତରେ ବିଲାତି କୁକୁରଙ୍କ ଭୋ’ ଭୋ’ ଶବ୍ଦରେ ଭିତରଟା କମ୍ପୁଥାଏ ।

ବଳରାମ ବାବୁଙ୍କ ଦୁଇ ପୁଅ ସେ ପୁଣି ବିବାହିତ ଓ ଘରେ ନାତି ନାତୁଣୀଙ୍କ ସହ ବେଶ୍ ଥଟ୍ଟା ମଜା କରିବା ପାଇଁ ସମୟ ମିଳେ ବଳରାମ ବାବୁଙ୍କୁ । କାହିଁକି ନା ପୁଅ ଦୁଇଟା ଧିରେ ଧିରେ ମିଲ୍ କଥା ବୁଝିବା ଆରମ୍ଭ କରି ଦେଇଛନ୍ତି । କିନ୍ତୁ ପୁଅମାନେ ରାଇସ୍ ମିଲ୍ର ସମସ୍ତ କାର୍ଯ୍ୟ କରିବା ପାଇଁ ସକ୍ଷମ ନୁହଁନ୍ତି । ସେମାନେ ଏଇ କିଛି ବର୍ଷ ପୂର୍ବେ ମିଲ୍ କଥା ବୁଝିବା ଆରମ୍ଭ କରିଛନ୍ତି । ତେଣୁ ବଳରାମ ବାବୁଙ୍କ ଅନୁପସ୍ଥିତିରେ ସେମାନେ ମୋଟୁରୁ କୌଣସି କାର୍ଯ୍ୟ କରିବାରେ ଯୋଗ୍ୟ ନୁହଁନ୍ତି । ତେଣୁ କରି ବାପା ନ ଗଲେ ନ ଚଳେ ।

ବଳରାମ ବାବୁ ପିଲାଟି ଦିନରୁ ଆଜି ଯାଏଁ କୌଣସି ଗୋଟେ ଦିନ ହେଲେ ସେ କୌଣସି ମଟର କାର୍ କିମ୍ୱା ମଟର ସାଇକେଲ୍ ବ୍ୟବହାର କରନ୍ତି ନାହିଁ । ତାଙ୍କ ସାଇକେଲ ଠିକ୍ ସେ ଠିକ୍ । ଘରେ ମଟର କାର୍ର ବ୍ୟବସ୍ଥା ଥାଇ ମଧ୍ୟ ସେ ସାଇକେଲ୍‌ରେ ଯିବା ପାଇଁ ପସନ୍ଦ କରିଥାନ୍ତି । ସେ ସାଇକେଲ୍ ସାହାଯ୍ୟରେ ମିଲ୍‌କୁ, ମାର୍କେଟ୍‌କୁ ଯେ କୌଣସି ସ୍ଥାନକୁ ହେଉ ଏପରିକି ସହର ପରିକ୍ରମା ମଧ୍ୟ ସେହି ସାଇକେଲ୍‌ରେ କରିଥାନ୍ତି । ବେଳେ ବେଳେ ବଳରାମ ବାବୁ ସମୟ ସୁବିଧା ଦେଖି ବା ବ୍ୟସ୍ତବିବ୍ରତ ଜୀବନରୁ କିଛି ସମୟ କାଢ଼ି ମାଡ଼ି ଯାଆନ୍ତି ସହରର କିଛି କିଲୋମିଟର ଦୂରକୁ ଏବଂ ଘେରାଏ ମାରି ପୁଣି ଫେରିଆସନ୍ତି ଘରକୁ । “ସାଇକେଲିଂ” କରିବା ପାଇଁ ତାଙ୍କୁ ବହୁତ ଭଲ ଲାଗେ ।

ଘରେ ଗାଡ଼ି, ମଟରର କୌଣସି ଅଭାବ ନଥାଇ ମଧ୍ୟ । ସେ ରାଜମହଲ ପରି ଘରୁ ଯେତେବେଳେ ବାହାରନ୍ତି ସେତେବେଳେ ସେ ସାଇକେଲ୍ ଧରି ରାସ୍ତାକୁ ଆସନ୍ତି । ଏମିତି ଦେଖି ଅନେକ ଲୋକ ହସିଥାନ୍ତି । ଆଉ ମଧ୍ୟ କହିଥାନ୍ତି “ଏତେ ଲୋଭଟା ଠିକ୍ ନୁହେଁ ! ମଲେ କ’ଣ ଟଙ୍କା ଗୁଡ଼ା ଧରିକି ସାଥୀରେ ଯିବ ନା କ’ଣ ମ !” ଏମିତି ଅନେକ ଲୋକ ତାଙ୍କୁ ଦେଖି ପରିହାସ କରିଥାନ୍ତି । କିନ୍ତୁ ବଳରାମ ବାବୁ ସେ ସବୁକୁ ଖାତିର୍ ନ କରି ନିଜ କାମ ଲାଗି ପଡ଼ନ୍ତି ।

କେତେ ବେଳେ କେମିତି ବଳରାମ ବାବୁଙ୍କ ସାଙ୍ଗମାନେ ମଧ୍ୟ ରାସ୍ତାରେ ହାବୁଡ଼ି କୁହନ୍ତି, “ହଇରେ ବଳରାମ, ତତେ ଆଉ କେତେ ଟଙ୍କା ହେଲେ ଅଣ୍ଟିବ କିରେ ! ଆସିକି ବୁଢ଼ାଟିଏ ହେଲୁଣି ତା’ ସହିତ ସାରା ଓଡ଼ିଶାରେ ବିଶିଷ୍ଟ ଶିଳ୍ପପତି ଭାବରେ ପରିଗଣିତ ହେଲୁଣି । ତଥାପି ବି ତୋ ଲୋଭ ଛାଡ଼ିନି ଏ ଯାଏ । ସେଇ ତିରିଶ ବର୍ଷ ପୂର୍ବରୁ ଯେମିତି ସାଇକେଲ୍ ମାରି ମିଲ୍ ଯାଉଥିଲୁ । ଆଜି ମଧ୍ୟ ସେମିତି ସାଇକେଲ୍ ମାରି ମିଲ୍ ଯାଉଛି । କମ୍ ସେ କମ୍ ନିଜର “ଷ୍ଟାଟସ୍”କୁ ଧ୍ୟାନ ଦେବା ଉଚିତ୍ । ତୁ ବର୍ତ୍ତମାନ ଦୁନିଆଁରେ କେଉଁ ରେଞ୍ଜ୍‌ରେ ଅବସ୍ଥାନ କରିଛୁ ସେଇଟା ମନେ ରଖିବା ଉଚିତ୍ । ଆଚ୍ଛା ତୁ ଗୋଟେ କଥା ଚିନ୍ତା କରିଲୁ ତୁ ଏମିତି ସାଇକେଲ୍‌ରେ ଗଲେ ଲୋକେ କ’ଣ ଭାବୁଥିବେ ?” ଏହା କହି ନିଜକୁ ନିଜେ ଡିବି ଡିବି ମାରି ସାଙ୍ଗମାନେ କୁହନ୍ତି, “ଆମେ ଏ ଦୁନିଆଁର ସବୁଠାରୁ ଗରିବ ଶ୍ରେଣୀର ବ୍ୟକ୍ତି ହେଇ ମଧ୍ୟ ମଟର ସାଇକେଲ୍ ମାଧ୍ୟମରେ ଯିବା ଆସିବା ହେଉଛୁ । ତୋ ପରିକା ଖର୍ଚ୍ଚକୁ ଡରି ଏମିତି ସାଇକେଲ୍ ମାରି ଯିବା ଆସିବା କରୁନୁ ।”

ସାଙ୍ଗମାନଙ୍କ କଥା ଶୁଣି ବଳରାମ ବାବୁ ସାମାନ୍ୟ ହସି ଦେଇ କୁହନ୍ତି- “ଏବେ ବି ସମୟ ଅଛି ନେଡ଼ିଗୁଡ଼ କହୁଣିକୁ ଖସିବା ପୂର୍ବରୁ ନିଜ ସ୍ୱାସ୍ଥ୍ୟର ଦାୟିତ୍ୱ ନେବାର ବନ୍ଦୋବସ୍ତ କର ନଚେତ୍. . .”

ନଚେତ୍ କ’ଣ ହେବ କହି, ସାଙ୍ଗମାନେ ହସି ଦିଅନ୍ତି । ବଳରାମ ବାବୁ କାହାରିକୁ କିଛି ନ କହି ମୁଣ୍ଡପୋତି ସେଠାରୁ ଚାଲିଯାଇଥାଏ । ବଳରାମ ବାବୁଙ୍କ ଏହି ସାଇକଲ୍ ପ୍ରୟତାକୁ ଘରେ ଦୁଇପୁଅ ଏବଂ ଦୁଇବୋହୂ ମଧ୍ୟ ବିରୋଧ କରନ୍ତି କିନ୍ତୁ କାହାରି କଥା ଶୁଣିବାରେ ସେ ପ୍ରସ୍ତୁତ ନଥାନ୍ତି । ଏମିତି କିଛି ମାସ ପରେ ବଳରାମ ବାବୁଙ୍କ ପୁଅମାନେ ରାଇସ୍ ମିଲ୍ର କାର୍ଯ୍ୟାଳୟରେ ବଳରାମ ବାବୁଙ୍କୁ କୁହନ୍ତି, “ବାପା ଆପଣଙ୍କ ପାଇଁ ଆମେ ଗୋଟେ ନୂଆ କାର୍ କିଣିଛୁ । ଆପଣ କାଲିଠାରୁ ସେ କାର୍‌ରେ ଯିବା ଆସିବା କରିବେ । (ଗୋଟେ ଫୋନ୍ ନମ୍ୱର ଦେଇ) ଏଇ ନିଅ ଡ୍ରାଇଭର୍‌ର ମୋବାଇଲ୍ ନମ୍ୱର । ଯେତେବେଳେ ଯେଉଁ ଆଡ଼େ ଦରକାର ପଡ଼ିବ ଡ୍ରାଇଭର୍‌କୁ ଫୋନ୍ କଲେ ଡ୍ରାଇଭର୍ ତମକୁ ସେଠାକୁ ନେଇଯିବ । ବିଶେଷ କରି ମିଲ୍ ଆସିବା ସମୟରେ ଆପଣ କାର୍‌ରେ ଆସିବେ । ଏମିତି ସାଇକେଲ୍‌ରେ ଆସିଲେ ଚଳିବନି । କ’ଣ ଅଭାବ ଅଛି ଆମର ବାପା. . . କହୁନାହାନ୍ତି । ଘରେ ଚାରି ଚାରିଟା କାର୍ ପଡ଼ିଛି । ଅଥଚ ଆପଣ ସେଇ ସାଇକେଲ୍ ମାରି ମିଲ୍ ଆସୁଛନ୍ତି । ଆମେ ମିଲ୍‌ରେ କାର୍ଯ୍ୟରତ ଶ୍ରମିକମାନେ ପରା ମଟର ସାଇକେଲ୍‌ରେ କାମ କରିବା ପାଇଁ ଆସୁଛନ୍ତି । ଆପଣ ବୁଝିବା ପାଇଁ ଚେଷ୍ଟା କରନ୍ତୁ ବାପା ଆମର ଷ୍ଟାଟସ୍ କ’ଣ, ଏ ସହରରେ ଆମର ମାନ ସମ୍ମାନ କେତେ । ତା’ପରେ ବି ଯଦି ଆପଣ ଏମିତି ସାଇକେଲ ମାଧ୍ୟମରେ ମିଲ୍ ଆସିବେ ତା’ହେଲେ ଲୋକେ କ’ଣ କହିବେ ବାପା ? ତେଣୁ କରି ଆମର ଅନୁରୋଧ ରକ୍ଷା କରି ନିଜ ଷ୍ଟାଟସ୍‌କୁ ଅନୁସରଣ କରି ଆପଣ ମଟରକାର୍ ମାଧ୍ୟମରେ ମିଲ୍ ଆସିବା ପାଇଁ ପଡ଼ିବ ନଚେତ୍ ଆମେ ଆପଣଙ୍କୁ . . . ।”

କ’ଣଟା କରିବ ତମେ ଦୁଇଭାଇ । ମତେ ତମ ବାପା ବୋଲି ଅସ୍ୱୀକାର କରିବ । ଏଇଆ ନା । ବଳରାମ ବାବୁ କହିଲେ । ସଙ୍ଗେ ସଙ୍ଗେ ତାଙ୍କ ଚକ୍ଷୁ ଲୁହରେ ଭରିଯାଏ ଓ ସେ କାନ୍ଦୁଣୁ ମାନ୍ଦୁମୁ ହେଇ କହନ୍ତି “ତମେ ଦୁଇଭାଇ ଛୋଟ ଛୋଟ ଥିଲ । ତମ ଦୁଇଟାକୁ ମୁଁ ଏଇ ସାଇକେଲ୍‌ରେ ଜଣଙ୍କୁ ଆଗରେ ବସାଏ ଓ ଜଣଙ୍କୁ ପଛରେ ବସାଏ । ତା’ପରେ ମାଡ଼ିଯାଏ ଅନେକ ଯାନିଯାତ୍ରା, ଅନେକ ମେଳାକୁ । କାଇଁ ସେତେବେଳେ ତ ତମମାନଙ୍କୁ ମୋର ସାଇକେଲ୍ ଚଳାଇବା ନେଇ କୌଣସି ଆପତ୍ତି ନ ଥିଲା । ବଡ଼ ଆନନ୍ଦର ସହ ବସି ବୁଲୁଥିଲ ମୋ ସାଇକେଲ୍‌ରେ ଏବଂ ବାପା ବୁଲିଯିବା ବୁଲିଯିବା କହି ଅଳି କରୁଥିଲ । କାଇଁ ସେତେବେଳେ ତ ତମମାନଙ୍କୁ ମୋ ସାଇକେଲ୍ ଚଳାଇବା ନେଇ କୌଣସି ଆପତ୍ତି ନ ଥିଲା । ଓହୋ. . . ତମେମାନେ ସେତେବେଳେ ଛୋଟ ଥିଲ ପରା ଆଉ ଏବେ ମୁଣ୍ଡକୁ ହାତ ପାଇଗଲାଣି ଓ ତମେମାନେ ମିଲ୍‌ର ଦାୟିତ୍ୱ ନେବାରେ ସକ୍ଷମ ମଧ୍ୟ ହେଇଗଲଣି । ତାହାଲେ ଏଇ ସାଇକେଲ୍ ଚଲେଇ ମିଲ୍‌କୁ ଆସୁଥିବା ଶ୍ରମିକ ତାକୁ ବି କାହିଁକି ଘୃଣା ନ ଲାଗିବ ?”

କିନ୍ତୁ ବଳରାମ ମହାନ୍ତି ଆଗରୁ ଏଇ ରାଇସ୍ ମିଲ୍ ମାଲିକ ଥାଇ ମଧ୍ୟ ଯେମିତି ଚଳି ଆସିଥିଲା । ଆଜି ମଧ୍ୟ ଠିକ୍ ସେମିତି ଚଳୁଛି । ଧନ, ସମ୍ପତ୍ତି ଓ ଷ୍ଟାଟସ୍‌ରେ ଅନ୍ଧ ନ ହେଇ ମୁଁ ମୋର ଅତି ପ୍ରିୟ ସାଇକେଲ୍‌କୁ ବ୍ୟବହାର କରୁଛି । କୌଣସି ଦାମି ଏସି, କାର୍ କି ମଟରସାଇକେଲ୍ ନୁହେଁ । ମୋର ଯେଉଁଥିରେ ରୁଚି ଅଛି ମୁଁ ସେଇୟା ହିଁ କରିବି । ଏଥିରେ ମୁଁ କାହାରି ମନ୍ତବ୍ୟ ଅବା ପସନ୍ଦ ନା ପସନ୍ଦକୁ ଦୃଷ୍ଟିପାତ କରିବା ପାଇଁ ଜରୁରୀ ମନେ କରୁନାହିଁ କି କରିବା ମଧ୍ୟ ଦରକାର ନାହିଁ ।

ହଁ. . . ଯଦି ତୁମମାନଙ୍କୁ ମୋ ସାଇକେଲ୍‌ରେ ଆସିବାଟା ଭଲ ଲାଗୁନି ବା ମୁଁ ସାଇକେଲ୍ ମାଧ୍ୟରେ ଆସୁଛି ବୋଲି ମତେ ବାପା ବୋଲି କାହାକୁ କହିବା ପାଇଁ ସଙ୍କୋଚ ମନେ କରୁଛ ତା’ହେଲେ ମୁଁ ଆଉ କାଲିଠାରୁ ମୋଟେ ମିଲ୍ ଆସିବି ନାହିଁ । ତା’ପରେ ତମେମାନେ ତ ମିଲ୍‌ର ସମସ୍ତ କାର୍ଯ୍ୟଭାର ଭଲ ଭାବରେ ତୁଲେଇ ସାରିଲଣି । ତାହାଲେ ମୋର ଅବା ଏଇ ବୟସରେ ଆଉ କ’ଣ ଦରକାର ମିଲ୍ କାମରେ ମୁଣ୍ଡ ପୁରାଇବା । ଏଣୁ ଏଣିକି ତମେମାନେ ମିଲ୍ କଥା ବୁଝ ମୁଁ ଆସୁଛି କହିଲେ ଓ ଆସିଲା ସମୟରେ ବାପା ଦୁଇପୁଅଙ୍କୁ କୁହନ୍ତି “ମୋର ଏଇ ପଦିଏ କଥା ମନେ ରଖିଥାଅ ତମେମାନେ । ଯେଉଁ କଥାଟି କି ମୁଁ ମୋ ସାଙ୍ଗମାନଙ୍କୁ ସବୁବେଳେ କୁହେ ଯେଉଁମାନଙ୍କୁ କି ତମମାନଙ୍କ ପରି ଷ୍ଟାଟସ୍‌ର ଭୂତଗ୍ରାସ କରିସାରିଛି ଓ ତମମାନଙ୍କୁ ମଧ୍ୟ ମୁଁ ଅନେକଥର କହି ସାରିଛି ସେଇଟା ହେଲା ନିଜ ସ୍ୱାସ୍ଥ୍ୟକୁ ସୁରକ୍ଷା ଦେବା ନିଜର ଦାୟିତ୍ୱ । ନିଜର କର୍ମ ମଧ୍ୟ । ଏବେବି ସମୟ ଅଛି ନିଜକୁ ନିଜେ ସୁଧାରିବା ପାଇଁ ଚେଷ୍ଟା କର ଅଥଚ ନେଡ଼ିଗୁଡ଼ କହୁଣିକୁ ବୋହିଯିବ ସେତେବେଳେ ପଶ୍ଚ୍ୟାତାପ ଛଡ଼ା ଆଉ କିଛି ନଥିବ ।” କହି ଚାଲିଗଲେ ବଳରାମ ବାବୁ ।

xxxxxx

ସେହି ଦିନଠାରୁ ଆଜିଯାଏଁ ବଳରାମ ବାବୁ ଦିନେ ହେଲେ ମିଲ୍ ଆଡ଼କୁ ଫେରି ଚାହିଁନାହାନ୍ତି କି ମିଲ୍‌ର ଦ୍ୱାର ଚଢ଼ି ନାହାନ୍ତି । ବଳରାମ ବାବୁ ମିଲ୍ ନ ଯିବା ପ୍ରାୟ କିଛି ବର୍ଷ କଟିଯାଇଛି ୟା’ ମଧ୍ୟରେ । ସେତେବେଳକୁ ବଳରାମ ବାବୁଙ୍କ ବୟସ ସତୁରୀ ପାଖାପାଖି ହୋଇସାରିଥାଏ । ହେଲେ ମଧ୍ୟ ବଳରାମ ବାବୁ ଯେମିତି ହୃଷ୍ଟପୃଷ୍ଟ, ସୁସ୍ଥ, ସବଳ ଥିଲେ ସେମିତି ହୃଷ୍ଟପୃଷ୍ଟ, ସୁସ୍ଥ, ସବଳ ଅଛନ୍ତି ।

କିନ୍ତୁ ବଳରାମ ବାବୁଙ୍କ ମିଲ୍‌ର ସମସ୍ତ ଦାୟିତ୍ୱ ପୁଅମାନଙ୍କ ହାତରେ ଟେକି ଦେଇ ମୋଟେ ମିଲ୍ ନ ଯିବାରୁ ବା ମିଲ୍‌ର କୌଣସି କଥା ନ ବୁଝିବାରୁ ମିଲ୍‌ଟି ସମ୍ପୂର୍ଣ୍ଣ ଭାବରେ ବନ୍ଦ ହୋଇସାରିଥାଏ । ପୁଅମାନେ ବାପାଙ୍କ ସାହାଯ୍ୟ ସହଯୋଗ ବିନା ମିଲ୍ ଚଳାଇବାରେ ସକ୍ଷମ ହୋଇପାରିଲେ ନାହିଁ କି ଅନ୍ୟ କୌଣସି ରୋଜଗାରର ପନ୍ଥା ମଧ୍ୟ ପାଇ ପାରିଲେ ନାହିଁ ।

ବସି ଖାଇଲେ ନଈ ବାଲି ସରିଲା ପରି ତାଙ୍କ ସମସ୍ତ ସମ୍ପତ୍ତି ଦିନକୁ ଦିନ କ୍ଷୟ ହେବାରେ ଲାଗିଲା ଓ କୌଣସି ଶାରୀରିକ ପରିଶ୍ରମ ନ କରିବାରୁ ଅଳ୍ପ ବୟସ ମଧ୍ୟରେ ସେମାନେ ଗୋଟେ ଗୋଟେ ସୁଗାର ପେସେଣ୍ଟ ଭାବରେ ପରିଗଣିତ ହେଲେ । ଡାକ୍ତରବାବୁଙ୍କ ପରାମର୍ଶ ଅନୁଯାଇ ସେମାନେ ପ୍ରତ୍ୟେକ ଦିନ ଖାଇବା ପୂର୍ବରୁ ସେମାନେ ଗୋଟେ ଗୋଟେ ଇନ୍ସୁଲିନ୍‌ର ପ୍ରେୟକ କରିବା ପାଇଁ ବାଧ୍ୟ ହେଲେ । ଦୁନିଆଁର ଖାଦ୍ୟଶସ୍ୟ ମଧ୍ୟରୁ ତାଙ୍କ ମନ ପସନ୍ଦିଆ ଖାଦ୍ୟ ଗୁଡ଼ାକ ମଧ୍ୟ ଖାଇବା ପାଇଁ ବାରଣ କରାଗଲା । ତାଙ୍କୁ ସବୁଦିନ ଶାରୀରିକ ପରିଶ୍ରମ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ଡାକ୍ତର ବାବୁ ।

ଡାକ୍ତର ବାବୁଙ୍କ ନିର୍ଦ୍ଦେଶ ଅନୁସାରେ ଏମାନେ ଶାରୀରିକ ପରିଶ୍ରମ କରିବାକୁ ଯାଇ ସେଇ ବାପାଙ୍କ ପରି ସାଇକେଲ୍ ଚଲାଇବାରେ ବାଧ୍ୟ ହୋଇଥାନ୍ତି । ସବୁ ସମୟରେ ସାଇକେଲ୍‌କୁ ପ୍ରାଧାନ୍ୟ ଦେଲେ ସେମାନେ ଓ ବାପାଙ୍କ ପରି ସାଇକେଲ୍ ଚଳାଇଲେ । ଯାହା ଫଳରେ କିଛିଟା ସୁଗାର ଆୟତରେ ରହିଥିଲା ସେମାନଙ୍କ ।

ସେତେବେଳେ ସେମାନେ ବାପାଙ୍କ କଥାକୁ ଅନୁସରଣ ନ କରି ମନେ ଅନୁତାପ କରୁଥାନ୍ତି କି ବାପାଙ୍କ ସେଇ ପଦିଏ କଥା ଯଦି ଆମେମାନେ ପ୍ରଥମରୁ ବୁଝିବା ପାଇଁ ଚେଷ୍ଟା କରିଥାନ୍ତୁ ଓ ପ୍ରଥମରୁ ହିଁ ଆମେ ଯଦି ଶାରୀରିକ ପରିଶ୍ରମ କରିଥାନ୍ତୁ ତାହାଲେ ଆମକୁ ଅନ୍ତତଃ ଏମିତି ଅଳ୍ପ ବୟସରେ ରୋଗିଣା ହେବା ପାଇଁ ପଡ଼ି ନଥାନ୍ତା । ବାପାଙ୍କ ପରି ଆମେ ମଧ୍ୟ ଅନେକ ବର୍ଷ ପର୍ଯ୍ୟନ୍ତ ସୁସ୍ଥ, ସବଳ ହେଇ ଜୀବନ ଅତିବାହିତ କରିବା ପାଇଁ ସକ୍ଷମ ହୋଇଥାନ୍ତୁ ।

ଲୋକପ୍ରିୟ ଲେଖା

To Top