ଗଳ୍ପ

ପଦ୍ମ ପଳାଶ

Manjurani Mishra's Odia Story Padma Palaasha

ସାମାନ୍ୟ ଗୋଟେ ଚିତ୍ରଟା ପାଇଁ ଆପଣଙ୍କ ପରି କଳାକାର ଆଦୌ ବିଚଳିତ ହେବା ଉଚିତ୍ ନୁହେଁ । ଚିତ୍ରଟା ଫେରି ପାଇନଥିଲେ ମଧ୍ୟ ମୁଁ ମୋଟେ ମନ ଦୁଃଖ କରିନଥାନ୍ତି ।

ପଦ୍ମ ପଳାଶ

ସୁଦୀପା କବାଟ ଖୋଲି ବାହାକୁ ଆସିଲେ । ରାସ୍ତାଟା ଶୁନ୍‌ଶାନ୍ । ଜହ୍ନ ଆଲୁଅ ଥୋପି ଥୋପି ହୋଇ ଝରି ପଡୁଛି । ଦୂର ପାହାଡ଼ଟା ଝାପ୍ସା ଦିଶୁଛି ।

ଆଜି ତାଙ୍କର ଜନ୍ମଦିନ । ଏମିତି ଏକ ଲଗ୍ନରେ ଦିନେ ସେ ନୂତନ ଆଭୂଷଣରେ ମଣ୍ଡିତ ହୋଇ ବନ୍ଧୁବାନ୍ଧବୀଙ୍କ ସହିତ ନିଜକୁ ଉପଭୋଗ କରୁଥିଲେ । ନୂତନ ସମ୍ଭାଷଣ, ନୂତନ ଅଭିନନ୍ଦନର ଦୀର୍ଘାୟୁ ସଂଳାପ ଶୁଣୁଥିଲେ । ଆଜି ସେମିତି କିଛି ଅନୁଭୂତି ମନକୁ ଆସୁନି । କିନ୍ତୁ ଜନ୍ମଦିନର ଠିକଣା କାହିଁକି ମନ ଭିତରକୁ ଆସୁଛି ? ସେ କ’ଣ ଚାହାଁନ୍ତି ? ସେ ପ୍ରଶ୍ନର ଉତ୍ତର ପୁନରାବୃତ୍ତି କଲେ ତାଙ୍କ ଫାଙ୍କା ପଡ଼ିଥିବା ମନରେ ସ୍ୱରଟିଏ ଗାଇଯିବ ଏକ ଅବୋଧ୍ୟ କବିତାର ଅସମ୍ପୂର୍ଣ୍ଣ କେତେ ଶବ୍ଦ । ଆଉ ସେ କବିତାର ଶିରୋନାମାଟା ସେ ଇଚ୍ଛା କରି ଭୁଲିଯିବାକୁ ଚାହାଁନ୍ତି ।

ସେ ଏଠି ଏକାକୀ । ଜୀବନକୁ ଏକାକୀତ୍ୱ ଦ୍ୱୀପଟିଏ କେତେବେଳେ ଓହ୍ଲେଇ ଆସେ । କେତେବେଳେ ଆଶା ଆକାଂକ୍ଷାର ସବୁଜ ଦୃଶ୍ୟ ମରୁଭୂମି ପାଲଟେ ।

ଏଇ ଟିକିଏ ଆଗରେ ପାହାଡ଼ୀ ନଈର ସୁଅ । ଯିବେ କି ସେଠାକୁ ! ସେ ନଈ ସୁଅରେ ଚନ୍ଦ୍ରମାର ତରଳ ଚପଳ ଜ୍ୟୋତ୍ସ୍ନା ଦୋଳି ଖେଳୁଛି । ଛଳଛଳ ସ୍ୱାଧୀନା ସୁକନ୍ୟା ନଦୀର ଗତି ତାଙ୍କ ମନରେ ସୃଷ୍ଟି କରୁଛି ଭାବାନ୍ତର । ଅଂଶୁମାନଙ୍କ ପାଇଁ ସେ ଏମିତି ନଦୀଟିଏ ହୋଇଯାଆନ୍ତେ କି !

ଅଂଶୁମାନ. . . ଅଂଶୁମାନ

ଏଇ ବୟସରେ ଅଂଶୁମାନଙ୍କ ପାଇଁ ଭାବ ବିହ୍ୱଳ ହେବା ଚପଳାମୀ ନୁହେଁ କି ତରୁଣୀ ସୁଲଭ ଦୁର୍ବଳତା ନୁହେଁ ।

ତେବେ !

ଅତୀତକୁ କ’ଣ ଭୁଲି ହୁଏ ?

ନାଁ, ଅତୀତର ଭିଜାମାଟିର ଗନ୍ଧ ଏବେବି ତାଙ୍କୁ ପ୍ରଲୁବ୍ଧ କରୁଛି । ମନେପଡୁଛି ଏମିତି ଜନ୍ମଦିନର ମହୋତ୍ସବ ଭିତରୁ ଗୋଟିଏ ଦୃଶ୍ୟ । ସେତେବେଳେ ସେ କଲେଜ୍‌ରେ  ପଢୁଥିଲେ । ଜନ୍ମଦିନର ଉତ୍ସବ ଭିତରେ ନୀଳପରୀ ପରି ସଜେଇ ହୋଇ ନିଜ ପ୍ରିୟଜନଙ୍କ ଉପହାର ଆଉ ଶୁଭେଚ୍ଛାରେ ଅଣନିଶ୍ୱାସୀ ହୋଇ ପଡ଼ିଥିଲେ । ସର୍ବଶେଷରେ ସେ ପାଇଥିବା ଛୋଟ ଅଥଚ ମୂଲ୍ୟବାନ୍ ଉପହାରଟା ଯେତିକି ବିସ୍ମିତ କରିଥିଲା, ସେତିକି ଶିହରଣ ଭରିଦେଇଥିଲା ।

ଏମିତି ଏକ ଉପହାର କିଏ କ’ଣ କେବେ ଆଶା କରିପାରେ ?

ତାଙ୍କର ସଦ୍ୟ ଅଙ୍କିତ ଏକ ସୁନ୍ଦର ଚିତ୍ରପଟ !

ସୁଦୀପା ଚକିତ ହୋଇପଡ଼ିଥିଲେ ଆଉ ବିବ୍ରତ ମଧ୍ୟ । ଆଉ ସେଇ ଛୋଟ ଚିଠି । ଏକ ଜରୁରୀ କାର୍ଯ୍ୟ ପାଇଁ ସାକ୍ଷାତ୍ କରିପାରୁନାହିଁ । ଉପହାରଟି ଗ୍ରହଣ କରିବ ।

ସୁଦୀପା କାହାକୁ କ’ଣ ପଚାରିବେ, ଠିକ୍ କରିପାରିନଥିଲେ ।

ଚିଠିଟାକୁ ଭୁଲିବାକୁ ତାଙ୍କୁ ସମୟ ଲାଗିବନି, କିନ୍ତୁ ସେଇ ଚିତ୍ରପଟ ।

ଚିତ୍ରଟାକୁ ଭୁଲିହୁଏନା । ଲୋଭ ଆସୁଛି ମନରେ ।

ସମୟ ଦେଖି ନିର୍ଜନ ମଧ୍ୟାହ୍ନରେ ପୁଣି ଖୋଲିଥିଲେ ଚିତ୍ରପଟଟି । ଅବିକଳ ସେ । ଯେଉଁ ନୀଳ ଶାଢ଼ୀଟାକୁ ସେ ଭଲ ପାଆନ୍ତି, ସେଇ ଶାଢ଼ୀ ଆକାଶର ଚନ୍ଦ୍ରମାକୁ ଚାହିଁ ଏକ ବିଶେଷ ମୁଦ୍ରାରେ ବିମୁଗ୍ଧା ସୁଦୀପ୍ତା । ସେ ଭଙ୍ଗୀରେ ଭରା ନଈର ଉଦ୍ଦାମତା ନାହିଁ । ଅଛି ବର୍ଷାର ଆଦ୍ର ଫସଲରେ ଢଳ ଢଳ ହେଉଥିବା ସରଳତା, ସତେଜତା ।

କିନ୍ତୁ ଏହା କ’ଣ ସମ୍ଭବ ହୋଇପାରେ ?

ଏମିତି ଜଣେ ନିବିଡ଼ତମ ଚିତ୍ରକର ବନ୍ଧୁ ତ ତାଙ୍କର କେହି ନାହାନ୍ତି । ଭୟରେ ସେ ଚୁପ୍ ରହିଥିଲେ । କାହାକୁ କିଛି କହିନଥିଲେ । ସେ ସମସ୍ୟାର ସମାଧାନ କିନ୍ତୁ ଆପେ ଆପେ ହୋଇଯାଇଥିଲା । ଭାଇଙ୍କ ଅନ୍ତରଙ୍ଗ ବନ୍ଧୁଟି ଯେ ଜଣେ ବିଖ୍ୟାତ ଚିତ୍ରକର, ଏକଥା ଜାଣିଲାପରେ ସେ ଜିଭ କାମୁଡ଼ି ପକାଇଥିଲେ ।

ଏ. . . ମା’ ଏଇ ପୁଣି ଚିତ୍ର ଆଙ୍କନ୍ତି । ଆଉ ଏମିତି ଚିତ୍ର ଆଙ୍କନ୍ତି, ଯାହା ଜନ୍ମଦିନ ପାଇଁ ଉପହାର ମଧ୍ୟ ହୋଇପାରେ ।

ସେଇ ଚିତ୍ରକର ଭାଇଙ୍କର ଅନ୍ତରଙ୍ଗ ବନ୍ଧୁ ଅଂଶୁମାନ ରାୟ ।

ଅଂଶୁମାନ ତାଙ୍କ ଘରକୁ ପ୍ରାୟ ଆସୁଥିଲେ ।

ଅଂଶୁମାନ ଚିତ୍ର ଆଙ୍କୁଥିଲେ । ସୁନ୍ଦର ଲୋଭନୀୟ ଚିତ୍ର । ସେଗୁଡ଼ିକ ତାଙ୍କ ଡ୍ରଇଂ ରୁମ୍‌ରେ  ସ୍ଥାନ ପାଇଥିଲା । ଭାଉଜ ସେଥିରୁ କେତେଟା ନେଇ ବେଡ୍‌ରୁମ୍‌ରେ  ସଜେଇ ଥିଲେ । ଅଥଚ ତାଙ୍କ ପାଖରେ ଥିଲା ସେଇ ଏକାକିନୀ ଚିତ୍ରପଟଟି । ସେଇ ମଦାଳସୀ ଚିତ୍ରଟି ତାଙ୍କ ନିଛାଟିଆ ଜୀବନରେ ଭରି ଦେଇଥିଲା ରୂପ ନଗରୀର ଉପକଥା ସବୁ ।

ବେଳେବେଳେ ସେ ଧକ୍କା ଖାଇଲା ପରି ଅଟକି ଯାଉଥିଲେ । ଅଂଶୁମାନ ତାଙ୍କ ଘର ସମକକ୍ଷ ହେବା ପାଇଁ ଅନେକ ଗୁଡ଼ିଏ ପାହାଚ ଅତିକ୍ରମ କରିବାକୁ ପଡ଼ିବ । ତେବେ ଅଂଶୁମାନ ଆସିଲେ ଘରେ ଚହଳ ପଡ଼ିଯାଉଥିଲା । ସବୁକାମ ବନ୍ଦ କରି ଭାଇ ଭାଉଜ ଗାଡ଼ି ଧରି ବାହାରୁଥିଲେ । ସେମାନେ ସୁଦୀପାକୁ ଡାକୁଥିଲେ । ବାଧ୍ୟ କରୁଥିଲେ ଯିବାକୁ ।

ଅଂଶୁମାନ ସବୁଜ ଉପତ୍ୟକାରେ ବସି କେତେ ସହଜରେ ଚିତ୍ର ସବୁ ଆଙ୍କୁଥିଲେ । ଶାନ୍ତ ବନାନୀ, ଖଣ୍ଡିଉଡ଼ା ମେଘ ଆଉ ଯୁଗଳ ବିହଙ୍ଗର ଦୃଶ୍ୟ ।

ଜୀବନର ସବୁ ଇସ୍ତାହାରକୁ ଚିତ୍ରରେ ଫୁଟାନ୍ତି ଅଂଶୁମାନ ।

ଆଉ ଦିନକର ସେଇ ଛୋଟ ଘଟଣାଟି ତାଙ୍କ ଜୀବନରେ ଏକ କିମ୍ୱଦନ୍ତୀ ପାଲଟିଗଲା । ତାହା ସ୍ମରଣ କଲେ ଆଜି ମଧ୍ୟ ଏକ କଣ୍ଠରୋଧୀ ହାହାକାରରେ ଛଟପଟ ହୁଅନ୍ତି । ସେଦିନ ମଧ୍ୟ ଥିଲା ଏକ ସୁଦେଷ୍ଣା ସନ୍ଧ୍ୟା । ଆଲୁଳାୟିତ ଜ୍ୟୋତ୍ସ୍ନାର ମୃଦୁ ପରଶରେ ସମୁଦ୍ରର ଉତ୍ଥିତ ନୀଳ ଢେଉ ମନରେ ଆଙ୍କୁଥିଲା ସ୍ୱପ୍ନର ସୀମାହୀନ ସାମ୍ରାଜ୍ୟଟିଏ ।

ଅଂଶୁମାନ ନିଜ ତରଫରୁ ପ୍ରସ୍ତାବ ଦେଇଥିଲେ ସେଦିନର ସେଇ ଚିତ୍ରପଟ ତୁମ ଜନ୍ମଦିନ ପାଇଁ ଶୀଘ୍ର ଶୀଘ୍ର ଆଙ୍କି ଦେଇଥିଲି । ସେଥିରେ କିଛି ତ୍ରୁଟି ରହିଯାଇଥିଲା । ଆଜି ତୁମକୁ ମୋ ସାମ୍ନାରେ ଦେଖି ଚିତ୍ର ଆଙ୍କିବି । ରାଜି ?

ସୁଦୀପା ମନା କରିପାରିନଥିଲେ ।

ଝାଉଁଗଛର ବାଲୁକା ଶଯ୍ୟାରେ ଏକ ବିଶିଷ୍ଟ ମୁଦ୍ରାରେ ସେ ବସିଥିଲେ । ଅଂଶୁମାନ ଚିତ୍ର ଆଙ୍କୁଥିଲେ ଅତି ନିବିଡ଼ତମ ସ୍ପର୍ଶ ଦେଇ, ଅତି ଏକାଗ୍ର ଚିତ୍ତରେ । କିନ୍ତୁ ଚିତ୍ରଟିର ସ୍କେଚ୍ ସମ୍ପୂର୍ଣ୍ଣ ସରିନଥିଲା ।

ଶୁଭ୍ରାଙ୍ଗୀ ଚନ୍ଦ୍ରମା ମେଘମାନଙ୍କର ଆକ୍ରମଣରେ ଆତଙ୍କିତ ହୋଇପଡ଼ିଥିଲା । ଝାଉଁବଣରେ ପବନର ସାହାନାଇ ଭୟାକୁଳ କରିଦେଇଥିଲା ପରିବେଶକୁ । ଆକାଶରେ ଅଦିନ ଝଡ଼ର ସୂଚନା ।

ଏକ ଆହତ ଅଭିମାନରେ ଥରି ଉଠିଥିଲେ ସୁଦୀପା ।

ଅଂଶୁମାନ ପ୍ରବୋଧନା ଦେଇଥିଲେ । ତୁମେ ଆଦୌ ବିଚଳିତ ହୁଅନାହିଁ ଦୀପା । ତୁମର ସେ ମଡ଼େଲ୍‌ଟା  ମୋ ସାମ୍ନାରେ ଲିପିବଦ୍ଧ ହୋଇ ରହିଗଲା । ତୁମକୁ ନ ଦେଖି ମଧ୍ୟ ମୁଁ ବେଶ୍ ଆଙ୍କି ପାରିବି । ସର୍ତ୍ତ ରହିଲା, ତୁମ ଜନ୍ମଦିନରେ ଏହି ଛବିଟି ନିଶ୍ଚୟ ପାଇବ ।

ତା’ପର ଘଟଣା ଗୁଡ଼ିକ ସବୁ ଏକାନ୍ତ ଆଚମ୍ୱିତ ଆଉ ଆକସ୍ମିକ ।

ସମୟର କର୍ଦ୍ଦମାକ୍ତ ନଦୀରେ ଜୀବନର ପ୍ରତିବିମ୍ୱ ଭାରି ଅସ୍ପଷ୍ଟ ହୋଇ ପଡ଼ିଥିଲା । ଭାଇଙ୍କର ଆକସ୍ମିକ ମୃତ୍ୟୁର ଛାୟା ପରିବାରର ସମସ୍ତ ମାଧୁରିମାକୁ ପୋଡ଼ି ଜାଳି ଲୁପ୍ତ କରିଦେଲା । ସହର ଛାଡ଼ିବାକୁ ପଡ଼ିଥିଲା । ଶେଷ ମୁହୂର୍ତ୍ତରେ ଅଂଶୁମାନଙ୍କ ସହ ସାକ୍ଷାତ୍ ମଧ୍ୟ ହୋଇପାରିନଥିଲା ।

ଦୀର୍ଘ ପନ୍ଦର ବର୍ଷ ତଳର ଝାପ୍ସା ଅତୀତ ।

ଅଂଶୁମାନ ରହିଗଲେ ଅନେକ ଦୂରରେ ।

ମନେ ପଡ଼ିଲେ ସ୍ୱପ୍ନ ପରି ଲାଗୁଛି । କିନ୍ତୁ ସେ ଅସମ୍ପୂର୍ଣ୍ଣ ଚିତ୍ରଟିର ସଫଳ ରୂପାୟନ ହୋଇପାରିଲା ନାହିଁ । ସୁଦୀପା ଆସ୍ତେ ଆସ୍ତେ ଭୁଲିଯିବାକୁ ଚେଷ୍ଟା କଲେ ।

ମନ ଭୁଲାଇବାକୁ ଅଧ୍ୟାପିକା ଚାକିରୀ ମଧ୍ୟ ବାଛିନେଲେ । କିନ୍ତୁ ସେ ବିବାହ କଲେନି କାହିଁକି ? ସେ ଚିତ୍ରଟିର ସମ୍ପୂର୍ଣ୍ଣ ରୂପାୟନକୁ ଅପେକ୍ଷା କରି ରହିଥିଲେ ନା ତାଙ୍କ ଆତ୍ମୀୟ ସ୍ୱଜନଙ୍କ ଆଗ୍ରହ ନଥିଲା । କ’ଣ ପାଇଁ ସେ ଅବାଧ୍ୟ ହେଲେ ?

ଅତୀତର ରୋମନ୍ଥନ । ଭିନ୍ନ ସ୍ୱାଦର ଜୀବନ ।

ଏଇ ସଙ୍କୁଚିତ ଦୈର୍ଘ୍ୟ ପ୍ରସ୍ଥର ସହର ଭିତରେ ହଠାତ୍ ଦିନେ ଦେଖା ହୋଇଗଲେ ଅଂଶୁମାନ ଗୋଟିଏ ଚିତ୍ରକଳା ପ୍ରଦର୍ଶନୀରେ । ଅଂଶୁମାନଙ୍କ ଚିତ୍ର ସେଥିରେ ସ୍ଥାନ ପାଇଥିଲା । ସମ୍ମାନ ପାଇଥିଲା । ପୁରସ୍କୃତ ହୋଇଥିଲା । ନଈର ଚହଲା ପାଣିରେ ଏକୁଟିଆ ନାଉରୀର ଚିତ୍ର । ଦୂର ଆକାଶରେ ଭାସିଯାଉଥିଲେ ବକାଳିକା ମାଳିକା । ଆଉ ନଈର ଘୁମନ୍ତ ଜଳକୁ ଚାହିଁ କୂଳରେ ଠିଆ ହୋଇଥିଲା ଅପରୂପା ତରୁଣୀଟିଏ ପଥର ଖଣ୍ଡକୁ ଆଉଜି, ଏକ ବିମୁଗ୍ଧ ଠାଣିରେ । ଅଂଶୁମାନ ଅନେକଥର ଆସିଛନ୍ତି ତା’ କ୍ୱାଟରକୁ । ପରିଚୟ ପୁଣି ଘନିଷ୍ଠ ହୋଇଛି । ତେବେ ଆଗପରି ଏତେ ଆନ୍ତରିକତା ସେ ଅନୁଭବ କରିନାହାନ୍ତି । ଅନେକଥର ସେଇ ଅସମ୍ପୂର୍ଣ୍ଣ ଚିତ୍ରଟାର ରୂପାୟନ ମନ ଭିତରେ ଉଦୟ ହୋଇ ପୁଣି ଅସ୍ତ ହୋଇ ଯାଇଛି ।

ଏଇ ଉତ୍ତୀର୍ଣ୍ଣ ବୟସର ଅପରାହ୍ନରେ ବି ମନେ ମନେ ପ୍ରଗଳ୍ଭା ହୋଇ ଉଠନ୍ତି ସୁଦୀପା । ଚିତ୍ରଟିର ଭୂମିକା ଯେ ତାଙ୍କ ଜୀବନରେ ଅନେକ କିଛି, ଏହା ଅଂଶୁମାନଙ୍କୁ କହିବାକୁ ଯାଇ ଅଟକି ଯାଆନ୍ତି । ଛିଃ, କ’ଣ ଭାବିବେ ଅଂଶୁମାନ । ଅଂଶୁମାନ ଭୁଲିଯିବେଣି କି ମନେ ଥିଲେ ମଧ୍ୟ ଗୋଟେ ସାମାନ୍ୟ ଘଟଣା ଭାବି ଗୁରୁତ୍ୱ ଦେଇନଥିବେ ।

ଠିକ୍ ତ, ଭୁଲିଯିବାଟା ହିଁ ଜୀବନ ।

ଭୁଲି ପାରିନାହାନ୍ତି ବୋଲି ତ ସୁଦୀପା ଏକ ଶ୍ୱାସରୋଧୀ ଦାବାଗ୍ନିର ପରିଧିରୁ ନିଜକୁ ମୁକ୍ତ କରିପାରୁନାହାନ୍ତି ।

କଥା ମଝିରେ ଉଦାସ ଆଉ ଗମ୍ଭୀର ହୋଇ ଯାଆନ୍ତି ଅଂଶୁମାନ ।

ସୁଦୀପା ପଚାରି ପାରନ୍ତି ନାହିଁ ସମୁଦ୍ର କୂଳ ଝାଉଁବଣ କି ଢେଉ ଆଉ ଶାମୁକାର କଥା । ଅଂଶୁମାନ ବିବାହ କରିନାହାନ୍ତି କାହିଁକି ? ସୁଦୀପା ପଚାରି ପାରନ୍ତି ନାହିଁ । କେମିତି ଗୋଟେ ନାହିଁ ନାହିଁର ଶୂନ୍ୟତାରେ ଆଚ୍ଛନ୍ନ ହୋଇ ପଡ଼ନ୍ତି ସୁଦୀପା ।

ଇସ୍ ଅଂଶୁମାନଙ୍କ ସହିତ ମୋଟେ ଦେଖା ହୋଇନଥାନ୍ତା କି !

ସୁଦୀପା ଫେରିଲେ । ଏଇ ପାହାଡ଼ୀ ନଦୀର ଭରାସ୍ରୋତ ତାଙ୍କ ଅତୀତକୁ ପୋଛି ଦେଇପାରିନି । ଏ ନଦୀର ଆରପାରିରେ ସେ ଖାଲି ଶୁଣୁଥିବେ ଝରାପତ୍ରର କାରୁଣ୍ୟ କବିତା ।

ଘରେ ପହଞ୍ଚି ସେ ସ୍ତବ୍ଧ ହୋଇଗଲେ । ଏ ଯେ ଅଂଶୁମାନ । ସୁଦୀପା କି କୈଫିୟତ ଦେବେ । କୁଆଡ଼େ ସେ ଯାଇଥିଲେ ଏତେ ରାତିରେ ଘର ଖୋଲାକରି ।

ବିନା ଉପକ୍ରମଣିକାରେ ଅଂଶୁମାନ ଧରାଇଦେଲେ ଉପହାରଟିଏ ।

ଚମକି ପଡ଼ିଲେ ସୁଦୀପା । ଏ କ’ଣ ?

ଅଂଶୁମାନ କହିଲେ ସର୍ତ୍ତଥିଲା ଏଇ ଚିତ୍ରଟି ତୁମ ଜନ୍ମଦିନରେ ଦେବାପାଇଁ । ତୁମ ଠିକଣା ଅନେକ ଖୋଜିଛି । ତୁମ ଜନ୍ମଦିନରେ ଅନେକଥର ମନେ ପଡ଼ିଛ ତୁମେ । ଚିତ୍ରଟି ତୁମକୁ ଦେଇନପାରିବାର ଅବଶୋଷର ଦଗ୍ଧ ହୋଇଯାଇଛି ମୁଁ, ଅନୁତାପ ଆସିଛି ।

ଆନନ୍ଦ ଆଉ ବିସ୍ମୟର ସମ୍ମିଶ୍ରଣରେ ସୁଦୀପାଙ୍କ ଆଖି ଛଳଛଳ ।

ତାଙ୍କ ପାଖରେ ଦିନେ ଚିତ୍ରଟିର ଗୁରୁତ୍ୱ ଯଦିଓ ଥିଲା, ଆଜି ତା’ର ମୂଲ୍ୟବୋଧ କିଛି ବି ନୁହେଁ । ତଥାପି ଲୋଭ ସମ୍ୱରଣ କରିପାରିଲେ ନାହିଁ । ଉପହାରଟି ଖୋଲିଲେ । ଝାଉଁବଣ ଛାଇରେ କାହାପାଇଁ ଅପେକ୍ଷାରତା ସେ ବିରହିଣୀ । ଠିକ୍ ସେଇ ଦୃଶ୍ୟ ଆକାଶରେ ଅଗଣିତ ତାରାଙ୍କର ଶୋଭାଯାତ୍ରା । ସମୁଦ୍ର ବକ୍ଷରେ ରଜତ ଜ୍ୟୋତ୍ସ୍ନାର ଉତ୍ତରୀୟ । ସେ ଦୃଶ୍ୟରେ ଶ୍ରାବଣର ଉଦ୍ଦାମତା ନାହିଁ । ଅଛି ଆଶ୍ୱିନର ମନ ଚହଲା ଦୃଶ୍ୟ ।

ନା, ଏ ଚିତ୍ର ସୁଦୀପା ଦାସଙ୍କର ନୁହେଁ । ଏକ ଅଭିଶପ୍ତା ଉର୍ବଶୀର । କେତେବେଳେ ନିଦରୁ ଉଠିଲା ପରି ସୁଦୀପା କହିଲେ “ସାମାନ୍ୟ ଗୋଟେ ଚିତ୍ରଟା ପାଇଁ ଆପଣଙ୍କ ପରି କଳାକାର ଆଦୌ ବିଚଳିତ ହେବା ଉଚିତ୍ ନୁହେଁ । ଚିତ୍ରଟା ଫେରି ପାଇନଥିଲେ ମଧ୍ୟ ମୁଁ ମୋଟେ ମନ ଦୁଃଖ କରିନଥାନ୍ତି ।”

ଉଦାସ କଣ୍ଠରେ ଅଂଶୁମାନ କହିଲେ “ତୁମେ ବୁଝିପାରିବ ନାହିଁ । କଳାକାର ଆଖିରେ ଦୁନିଆଁର ବୟସ ବଢେ଼ନାହିଁ । ତା’ ସୃଷ୍ଟି ତା’ ପାଇଁ ସ୍ଥିର ଅଚଞ୍ଚଳ । କାହାଚିତ୍ର ଆଙ୍କିଲା ବେଳେ ସେ ଉତ୍ତାପରେ ଦଗ୍ଧୀଭୂତ ହୋଇଯାଏ, ଆଉ କାହାଚିତ୍ର ଆଙ୍କିଲା ବେଳେ ସେ ନବବର୍ଷାର ସ୍ପର୍ଶ ଅନୁଭବ କରେ ।”

ଅତିକ୍ରାନ୍ତ ଅତୀତର ଝାପ୍ସା ଛାଇ ।

ସେଇ ଅସମ୍ପୂର୍ଣ୍ଣ ଚିତ୍ରଟିର ସଫଳ ପ୍ରତିରୂପ ମନ ଭିତରେ ଅଙ୍କନ କରି ଶିହରିତ ହୋଇ ଉଠିଛନ୍ତି । ନିଛାଟିଆ ପ୍ରହରର କ୍ଳାନ୍ତ ମୁହୂର୍ତ୍ତ ଗୁଡ଼ିକ ଇନ୍ଦ୍ରଧନୁର ସାତରଙ୍ଗୀ ଆଲୁଅରେ ଭରି ଦେଇଛି ସ୍ପନ୍ଦନ ଶିହରଣ ।

ଅଥଚ ଆଜି ସେଇ ସୁନ୍ଦର ଚିତ୍ରପଟଟାକୁ ଆଖି ଆଗରେ ଦେଖି ମଧ୍ୟ ଆନନ୍ଦରେ ଉତ୍ଫୁଲ୍ଲ ହୋଉ ଉଠୁନାହାନ୍ତି । ଉତ୍ତେଜନାରେ ଅସ୍ଥିର ହେଉନାହାନ୍ତି । ଅଂଶୁମାନଙ୍କୁ କୃତଜ୍ଞତା ଜଣାଇ ପାରୁନାହାନ୍ତି । ଭାଦ୍ରବର ଭରାନଦୀ ବେଶ ବଦଳାଇଛି । ସେ ନଦୀର କୂଳରେ ଧୂସର ଅରଣ୍ୟର ଆଞ୍ଜୁଳା ଆଞ୍ଜୁଳା ତୃଷ୍ଣା । ଏ ନଦୀ ଧାରାରେ ବିହଙ୍ଗୀର ଶୋଷ ମେଣ୍ଟେନା । ଚକ୍ରବାକୀର ଆଖି ଲୁହରେ ଏ ନଦୀର ଜଳ ଗାଢ଼ ଲବଣାକ୍ତ । ବାହାରେ ଜ୍ୟୋତ୍ସ୍ନା ଝରୁଛି । ଚତୁର୍ଦ୍ଦଶୀର ମାୟାବିନୀ ମୁକୁଳା ଜ୍ୟୋତ୍ସ୍ନା ।

ଆଜି ତାଙ୍କର ଜନ୍ମଦିନ ।

ବିନା ନିମନ୍ତ୍ରଣରେ ଆସିଛନ୍ତି ଅଂଶୁମାନ ।

ଲୋକପ୍ରିୟ ଲେଖା

To Top