ଗଳ୍ପ

ପଙ୍ଗୁ

Kalindicharana Panigrahi's odia Story Panggu

ବସିଲେ ତାକୁ କହନ୍ତି- “ଉଇ ହୁଙ୍କା”, ଶୋଇଲେ କହନ୍ତି- “ଢିଙ୍କି”, ଠିଆ ହେଲେ କହନ୍ତି- “ସ୍ୱର୍ଗ ନିଶୁଣି” । ସେ କଥାଟି ନ କହି ତୁନି ହୋଇ ସବୁ ଶୁଣେ ।

ପଙ୍ଗୁ

ପ୍ରଥମରୁ ଲୋକଟାର ମୁଖକୁ ଚାହିଁଲେ ଘୃଣା ଯେପରି ଜନ୍ମେ, ହାସ୍ୟ ସେଥିରୁ ଅଳ୍ପ ପରିମାଣରେ ଉଦ୍ରେକ ହୁଏ ନାହିଁ । ଡାହାଣ ଆଖିର ଡୋଳାଟାକୁ ଠିକ୍ ଓଲଟାଇ ଦେଇ ଯେପରି କିଏ ରଖି-ଦେଇଛି, କିନ୍ତୁ ବାଁ ଆଖିଟି ଓଲଟିବାକୁ ଯାଇ ଅର୍ଦ୍ଧେକ ରହିଯାଇଛି । ତାହାରିଦ୍ୱାରା ଲୋକଟା ଦୁଇ ଆଖି ସାହାଯ୍ୟରେ ଯାହା ଦେଖିବାର କଥା, ସେଥିରୁ ଏକ ଚତୁର୍ଥାଂଶ ମାତ୍ର ଦେଖିପାରେ । ଓପର ଓଷ୍ଠଟା ଦୁଇ ଭାଗରେ ବିଭକ୍ତ ହୋଇ ନାସିକାମୂଳରେ ଯାଇ ଲାଗିଛି ଏବଂ ତାହାରି ଅବକାଶରେ ଦୁଇଟା ଦାନ୍ତ ଆମୂଳଚୂଳ ଆଲୋକକୁ ବାହାରି ପଡ଼ିଛି । ମନେହୁଏ, ଲୋକଟା ଯେପରି ସେହି ଦୁଇଟା ଦାନ୍ତ ସାହାଯ୍ୟରେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଅନୁକ୍ଷଣ ହସୁଛି, କିନ୍ତୁ ସମ୍ମୁଖ ଛାଡ଼ି ଗୋଟାଏ ପାର୍ଶ୍ୱରୁ ନିରୀକ୍ଷଣ କଲେ ମୁଖର ବିକୃତି ଦେଖାଯାଏ ନାହିଁ, ଦେଖାଯାଏ କେବଳ ତା’ର ଅସମାନ ଓ ବିଶୃଙ୍ଖଳ ଗୋଡ଼ ଦୁଇଟା । କଟିଟା ଗୋଟାଏ ପାର୍ଶ୍ୱ ଉଚ୍ଚ ଓ ଅନ୍ୟ ପାର୍ଶ୍ୱଟା ନୀଚ୍ଚା । ହାତ ଦୁଇଟା ସରୁ ସରୁ ଓ ବଙ୍କା । କେବଳ ମୁଖକୁ ଆହାର ଯୋଗାଇବା ବ୍ୟତୀତ ତାହାଦ୍ୱାରା ଯେ ଅନ୍ୟ କିଛି କାର୍ଯ୍ୟ ସାଧିତ ହୋଇପାରେ, ସେପରି ମନେହୁଏ ନାହିଁ । ପିଠିର କୁଜଟା ଏତେ ଉଚ୍ଚ ଯେ, ମନେ ହୁଏ ବିଧାତା ପୁରୁଷ ଇଚ୍ଛା କରି ଲୋକଟା ଉପରେ ଗୋଟାଏ ମସ୍ତ ବୋଝ ଲଦି ଦେଇ ଚମଡ଼ା ସିଲାଇ କରି ଦେଇଛନ୍ତି ।

ଭୂମିଷ୍ଠ ହେବା ଦିନଠାରୁ ପିତାମାତା ସ୍ୱଜନ ପ୍ରତିବେଶୀ ସମସ୍ତଙ୍କର ତା’ ଉପରେ ରାଗ ଓ ଘୃଣା । ବନ୍ଧୁ ପଡେ଼ାଶୀ ରଟନା କଲେ, ଅମୁକ ଘର ବୋହୂ ଗୋଟାଏ ମର୍କଟ ଜନ୍ମ କରିଛି, କିଏ କହିଲା ସାପ, କିଏ ବେଙ୍ଗ ଇତ୍ୟାଦି । ମା’ ତା’ର ଲଜ୍ଜା ଓ ଅଭିମାନରେ ମୁଣ୍ଡ ଟେକିପାରେ ନାହିଁ, କହେ, “ଏଇଟା ନ ମରି ଯାହା ଜିଇଛି ।” ବାପା ଦେଖିଲା, ବୃଦ୍ଧ ବୟସରେ ଏ ତାକୁ ସାହାଯ୍ୟ କରିବ କଣ, ତାର ଗଳଗ୍ରହ ହୋଇରହିବ । ଅନ୍ୟମାନଙ୍କ ସହିତ ଯୋଗ ଦେଇ ସେ କହିଲା, “ତାକୁ ଜୀଅନ୍ତାରେ କବର ଦିଅ ।” ଅକର୍ମଣ୍ୟ ଶିକ୍ଷିତ ଯୁବକମାନେ ପଇସିକିଆ ଦୈନିକ ଖବରକାଗଜରେ ଏହି ଅଦ୍ଭୁତ ରୂପର ପ୍ରଚୁର ବର୍ଣ୍ଣନା କରି ବାହାଦୂରୀ ନେଲେ । କିଏ ଲେଖିଲେ, ବିଶ୍ୱକର୍ମାଙ୍କର ଏହା ଗୋଟାଏ ଜୀବନ୍ତ ଉପହାସ । ତାଙ୍କ କାରଖାନା ଘରର ଯାହା କିଛି ଭଙ୍ଗା ଦଦରା ବଙ୍କା ପୋକାଡ଼ା ଫିଙ୍ଗି ଦେବାର କଥା, ସେହି ସବୁ ସଂଗ୍ରହ କରି ଯୋଡ଼ିଯାଡ଼ି ଏ ମୂର୍ତ୍ତିଟି ତିଆରି କରିଛନ୍ତି । ଏକାଧାରରେ ଖନା, ଛୋଟା, କୁଜା, ଅନ୍ଧ, ଗ୍ରହଣଖଣ୍ଡିଆ- କାଲ ମଧ୍ୟ ବୋଲାଯାଇପାରେ । କାରଣ ସେ ଶୁଣିପାରେ ବୋଲି ତା’ର ଆକାର ଇଙ୍ଗିତରୁ ଜଣାଗଲେ ମଧ୍ୟ ଠିକ୍ ଶୁଣେ, କି ଭୁଲ୍ ଶୁଣେ ତାହା ବୁଝିବାର ଉପାୟ ନାହିଁ । ଯେହେତୁ ସେ ମୂକ । ଆଉ କିଏ କହିଲା, ଲୋକଟାର ଆକୃତି ପ୍ରକୃତିରୁ ଅଷ୍ଟବକ୍ର ଋଷି ଓ ଜଡ଼ ଭରତଙ୍କ ରୂପ ଗୁଣ କିଛି କିଛି ଅନୁମାନ କରାଯାଇପାରେ ।

କିନ୍ତୁ ଜଗତରେ ସବୁ ନିନ୍ଦା କୁତ୍ସା ଓ ଉପହାସ ଅପମାନକୁ ଅକାତରରେ ଅବଜ୍ଞା କରି ଲୋକଟା ବେଶ୍ ଧୀର ସୁସ୍ଥ ଭାବରେ ବଢ଼ିବାକୁ ଲାଗିଲା । ତା’ର ଜୀବନ ମୃତ୍ୟୁ ଅଥବା କ୍ଷୟବୃଦ୍ଧି ସହିତ ଜଗତର କୌଣସି ସମ୍ପର୍କ ନାହିଁ, କିନ୍ତୁ ତା’ର ବଞ୍ଚି ରହିବାଟାକୁ ଅନ୍ୟମାନେ ଯେତେ ନିବିଡ଼ ଭାବରେ ଅନୁଭବ କରିପାରନ୍ତି, ସେ ସେହି ଚେଷ୍ଟାରେ ରହିଲା । ଅନେକେ ଅଛନ୍ତି, ଯେଉଁମାନେ ଜଗତ୍ ସହିତ ଯେତେ ଅଳ୍ପ ସମ୍ୱନ୍ଧ ରଖାଯାଇପାରେ, ସେହିପରି ଭାବରେ ଚଳନ୍ତି, ସେମାନଙ୍କର ଜୀବନଯାତ୍ରା ସହଜ, କିନ୍ତୁ ଆଉ କେତେକ ଠିକ୍ ଓଲଟା, ଯେତେ ଘନିଷ୍ଠ ଭାବରେ ସଂସାର ସହିତ ସେମାନେ ମିଳିମିଶି ଚଳନ୍ତି, ଏହାର ସୁଖଦୁଃଖରେ ଯେତେ ବେଶି ପରିମାଣରେ ସେମାନେ ଅଂଶୀଦାର ହୋଇପାରନ୍ତି, ସେତିକି ସେମାନଙ୍କର ଆନନ୍ଦ । ଆମ୍ଭମାନଙ୍କର ବର୍ଣ୍ଣିତ ଜୀବଟି ଶେଷୋକ୍ତ ଧରଣର । ସେ କଥା କହି ନ ପାରିଲେ ମଧ୍ୟ ପାଞ୍ଚଜଣ ଯେଉଁଠାରେ କଥାବାର୍ତ୍ତା କରୁଛନ୍ତି, ସେହିଠାରେ ଯୋଗ ଦେବ । ସାଇପଡ଼ିଶା ଲୋକଙ୍କ ଘର ଭିତରେ ପଶି ସମସ୍ତଙ୍କ ଘରର ହାଲଚାଲ ବୁଝିବ, ସେମାନଙ୍କ ଆପଣାର କରିବାକୁ ଚେଷ୍ଟା କରିବ, କିନ୍ତୁ ଦୁର୍ଭାଗ୍ୟବଶତଃ କୌଣସି ଗୋଟିଏ ସ୍ଥଳେ ତା’ର ସମ୍ୱନ୍ଧ ସୁଖକର ହୋଇପାରିଲା ନାହିଁ । ତା’ର ଅଙ୍ଗର ବିକୃତି ସବୁ ସ୍ଥଳରେ ତା’ର ସମ୍ୱନ୍ଧ ସୁଖକର ହୋଇପାରିଲା ନାହିଁ । ତା’ର ଅଙ୍ଗର ବିକୃତି ସବୁ ସ୍ଥଳରେ ଅବାଧ ପ୍ରବେଶ କରିବାକୁ ଗୋଟିଏ ବଡ଼ ଉପାୟ ଥିଲା । ଏପରିକି, ଅସୂର୍ଯ୍ୟଂପଶ୍ୟା ଯୁବତୀ ସ୍ତ୍ରୀମାନଙ୍କର ମଧ୍ୟ ସେ ଗୋଟାଏ ଭଲକ୍ରୀଡ଼ାର ସାମଗ୍ରୀ ଥିଲା । ଯେଉଁମାନେ ଶାଶୂଘରର ବିରାଡ଼ି କୁକୁରଙ୍କୁ ଦେଖିଲେ ମଧ୍ୟ କବାଟ କଣରେ ଲୁଚନ୍ତି, ସେମାନେ ବାହାରି ତା’ ସହିତ କେତେ ରକମର ଥଟ୍ଟାତାମସା କରିବସନ୍ତି । କେହି କେହି ଉତ୍କଟ ସ୍ନେହାସକ୍ତ ହୋଇ ତତଲା-ପେଜ ତା’ ମୁଖରେ ଢାଳି ଦିଅନ୍ତି । କିଏ ଅବା ଦୟାର୍ଦ୍ର ହୋଇ ତା’ର ତୈଳହୀନ କେଶଗୁଚ୍ଛକୁ ତୈଳଦ୍ୱାରା ତର୍ପଣ କରନ୍ତି ।

ଘରେ କହିଲେ ସେ ପିତାମାତାଙ୍କର ଗଳଗ୍ରହ । ପଦାକୁ ବାହାରିଲେ ଗୋଟିଏ ରୋଶଣି ନେଇ ବାହାରେ । ବଜାରେ ଟୋକାଗୁଡ଼ାକ ଧୂଳି, କୁଟା, କାଠି ଫିଙ୍ଗି ତା’ ପଛରେ ଗୋଡ଼ାନ୍ତି । ବୁଲା କୁତୀଗୁଡ଼ାକ ତା’ ଚାରି ପାଖରେ ଭୁକି ଭୁକି ଅସ୍ଥିର କରନ୍ତି । ବୋଧହୁଏ ସମସ୍ତଙ୍କର ଗୋଟାଏ କୌତୂହଳ ଜନ୍ମେ, ଏପରି କିମ୍ବୁତ କିମାକାର ଜୀବଟାର ଅନୁଭୂତି ଜିନିଷଟା ଅଛି କି ନାହିଁ । ଛୋଟ ପିଲାମାନେ ତାକୁ ଦେଖିଲେ ମା’ କୋଳରେ ମୁହଁ ଗୁଞ୍ଜି ଭୟରେ କାନ୍ଦି ପକାନ୍ତି । ଅତ୍ୟନ୍ତ ଉତ୍ତ୍ୟକ୍ତ ହେଲା ସେ କାହାକୁ ଟେକା ଫିଙ୍ଗେ, ଜିଭ କାଢ଼ି ଖତେଇ ହୁଏ, ଛେପ ପକାଏ । କଷ୍ଟ ହେଲେ କାନ୍ଦେ, ସୁଖ ସମୟରେ ହସେ, କିନ୍ତୁ ହସିବା କାନ୍ଦିବା ମଧ୍ୟରେ ତା’ର ପ୍ରଭେଦ ନାହିଁ । କାରଣ କାନ୍ଦିବା ସମୟରେ ତା’ର ମୁଖଟା ଯେପରି ବିକୃତ ଦେଖାଯାଏ, ହସିବା ସମୟରେ ତଦ୍ପେକ୍ଷା ଅଳ୍ପ ଦେଖାଯାଏ ନାହିଁ । ସୁତରାଂ ଏପରି ଲୋକଟାର ଅନୁଭୂତିର ସ୍ଥାୟିତ୍ୱ ସମ୍ୱନ୍ଧରେ ଅନ୍ୟମାନଙ୍କର ସନ୍ଦେହ ଜନ୍ମିବା ବିଚିତ୍ର ନୁହେଁ ।

ଶିଶୁକାଳରୁ ଏହିପରି ଅନ୍ୟମାନଙ୍କ କୌତୂକର ସାମଗ୍ରୀ ହୋଇ ହାସ୍ୟକ୍ରନ୍ଦନ, ଆନନ୍ଦ ନିରାନନ୍ଦ ସବୁ ଅବସ୍ଥାରେ ସମାନ ବ୍ୟବହାର ଲାଭ କରି ମଧ୍ୟ ଲୋକଟି ସାଧାରଣ ମନୁଷ୍ୟର ଉତ୍ସାହ ଓ କର୍ମତତ୍ପରତା ପାଇଁ ସବୁବେଳେ ଆଗ୍ରହାନ୍ୱିତ ହେଉଥିଲା । ତା’ର ପ୍ରାକୃତିକ ଗଠନ ଯୋଗୁଁ ସମସ୍ତେ ତାକୁ ‘ପଙ୍ଗୁ’ ବୋଲି ଡାକନ୍ତି । ଯଥାର୍ଥରେ, ତା’ର ଆକାରରୁ ମଧ୍ୟ ମନେହୁଏ ଯେ, ଜଗତରେ କୌଣସି କର୍ମ ଅକର୍ମ କରିବାକୁ ବିଧାତାପୁରୁଷ ତାକୁ ପଠାଇ ନାହାନ୍ତି, କିନ୍ତୁ ତା’ର ରୀତି ଗତିରୁ ଦେଖାଯାଏ, ସେ କିଛି ହେଲେ କାର୍ଯ୍ୟ କରିବାକୁ ଅଥବା ଅନ୍ୟର କିଛି ଟିକିଏ ବ୍ୟବହାରରେ ଆସିବାକୁ ସବୁବେଳେ ବ୍ୟାକୁଳ ।

ପଡେ଼ାଶୀମାନଙ୍କ ମଧ୍ୟରେ କାହାରି କିଛି ଦୁଃଖ କଷ୍ଟ ବା ରୋଗାଦିର ଉପକ୍ରମ ହେଲେ ପଙ୍ଗୁ ପାଖରେ ବସିବାକୁ, ଅମୁକ ଜିନିଷଟା ଆଣିଦେବାକୁ, ଅମୁକ ଔଷଧଟା ବାଟି ଦେବାକୁ ଆଗଭର ହୋଇଉଠେ, କିନ୍ତୁ ତା’ର ସେବା ଗ୍ରହଣ କରିବା ଦୂରେ ଥାଉ, ତା’ର ଉପସ୍ଥିତି ମଧ୍ୟ ଅମଙ୍ଗଳସୂଚକ ବୋଲି ଲୋକେ ଜ୍ଞାନ କରନ୍ତି । କେହି କେହି ତା’ର ଏପରି ଅନଧିକାର ଚର୍ଚ୍ଚାରେ ଉତ୍ୟକ୍ତ ହୋଇ ଶାସନ କରନ୍ତି, କିଏ କେବେ ଦୟାପରବଶ ହୋଇ ଚିରା ଅଣ୍ଟିରେ ଖଇ ଗଣ୍ଡିଏ ଦେଇ ତାକୁ ବିଦାୟ କରି ଦିଅନ୍ତି ।

ବାହାରେ କେହି ତାକୁ ଶାସନ ତାଡ଼ନାଦି କଲେ ପିତା, ମାତା, ଭ୍ରାତା, ପ୍ରଭୃତି କେହି କିଛି କହନ୍ତି ନାହିଁ । ସେ କୁଆଡେ଼ ଯାଏ, କୁଆଡେ଼ ଥାଏ, ତା’ର ଖବର ମଧ୍ୟ କେହି ରଖନ୍ତି ନାହିଁ । କେବଳ ବେଳେ ବେଳେ ଗୃହ ମଧ୍ୟରେ ସେ ନାନା କାରଣରୁ ତା’ର ସ୍ଥିତି ସମ୍ୱନ୍ଧରେ ହଜାଇ ଦେଲେ ଭାଇମାନେ ତା’ର ଅଙ୍ଗର ବିକୃତିକୁ ସଜାଡ଼ିବା ପାଇଁ କୁମ୍ଭାର ଅସମାନ ହାଣ୍ଡିକୁ ପିଟି ସମାନ କରିବା ପରି ହସ୍ତ ଓ ବେତ୍ର ସାହାଯ୍ୟରେ ଚେଷ୍ଟା କରନ୍ତି । ତାହା ଲାଭକରି ସେ ହସେ କିମ୍ୱା କାନ୍ଦେ, ତା’ର ମୁଖର ଚେହେରାରୁ କିଛି ବୁଝାଯାଏ ନାହିଁ ଏବଂ ତଦ୍ଦ୍ୱାରା ସେ ଯେ ପରି ଅଦ୍ଭୁତ ଶବ୍ଦ କରେ, ତାହା ଶୁଣି ଘୃଣା ଏବଂ ବିରକ୍ତି ଦୁଇଗୁଣ ବଢ଼ିଯାଏ, କିନ୍ତୁ ଦୟାର ଉଦ୍ରେକ ହୁଏ ନାହିଁ ।

ବଡ଼ ଭାଇ ଗାଧୋଇବାକୁ ତେଲ ମାଗୁଅଛନ୍ତି, ଆଉ କେହି ଦେବା ପୂର୍ବରୁ ସେ ଆଗ ହୋଇ ତେଲ କାଞ୍ଚୁଲୀଟା ଧରି ତା’ର ନୃତ୍ୟଶୀଳ ପାଦ ଦୁଇଟାରେ ଝୁଲି ଝୁଲି ବାହାରି ପଡ଼ିବ, ଅଥଚ ଦୁଇ ପହଣ୍ଡ ନ ଯାଉଣୁ ଅବାଧ୍ୟ ହାତଟାକୁ କାଞ୍ଚୁଲୀଟା ତଳେ ପଡ଼ି ସବୁ ନଷ୍ଟ ହେବ । ଏଥିରା ରାଗ ନ ହେବ କାହାର ! ସଙ୍ଗେ ସଙ୍ଗେ କ୍ଷୁଧିତ ଭ୍ରାତାଙ୍କର କ୍ରୋଧ ତାହାର ପାଦରେ କର ସଞ୍ଚାଳନ କରୁଛି, ଅତର୍କିତ ଭାବରେ ତା’ର ମୁଖରୁ ଦୁଇଧାର ଲାଳ ନିଃସୃତ ହୋଇ ତାଙ୍କ ପାଦପ୍ରାନ୍ତରେ ପଡ଼ିଗଲା । ଏପରି ଦୌରାତ୍ମ୍ୟ କେଉଁ ଭାଇ ସହ୍ୟ କରିପାରେ !

ଏହା ବ୍ୟତୀତ ତା’ର ଉପଦ୍ରବର ସୀମା କ୍ରମେ ବୃଦ୍ଧି ଲାଭ କରିବାକୁ ଲାଗିଲା । ମନୁଷ୍ୟ ସମାଜରୁ ଯାଇ ତାହା ପଶୁପକ୍ଷୀଙ୍କ ରାଜ୍ୟରେ ପଡ଼ିଲା । କେଉଁ ଅସମର୍ଥ ବିରାଡ଼ିର ଗୋଡ଼ଟାକୁ ସ୍ୱଚ୍ଛନ୍ଦରେ ଗାଡ଼ି ମାଡ଼ିଯିବାରୁ ସେ ରାସ୍ତାରେ ପଡ଼ି ଛଟପଟ ହେଉଛି । ହାଡ଼ି ତା’ର ଅବଶିଷ୍ଟ ଜୀବନଟିକ ନିଃଶେଷ କରି ଅଳିଆ ଗାଡ଼ିରେ ନେଇଯିବାର କଥା । ଏ କିନ୍ତୁ ତାକୁ ଗୋଟାଇ ଆଣି ଘରେ ହାଜର କରି ତା’ ଭଙ୍ଗା ଗୋଡ଼ଟାରେ ରାଶିତେଲ ପଟି ପକାଉଛି । କେଉଁ କଣା ଲେଙ୍ଗଡ଼ା କୁତୀଟା ପଟେ ବିକଳରେ ହାଣ୍ଡି ମାରା କଲା ବୋଲି ଗୃହସ୍ୱାମୀ ତାକୁ ନିର୍ଘାତ ପ୍ରହାର କରୁଛନ୍ତି, ଏ ମଝିରେ ପଶି ତାକୁ ଧରି ଆଣି ଘରେ ଦାଖଲ କରୁଛି ଏବଂ ପେଟପୁରା କରି ଖାଇବାକୁ ତା’ ମୁହଁରେ କଂସାଏ ଭାତ କୁଢ଼ାଇ ଦେଉଅଛି । କଡ଼ାଏ କଣା କଉଡ଼ି ରୋଜଗାର କରିବାର ଯାହାର ଉପାୟ ନାହିଁ, ତା’ର ଏ ସବୁ ଉତ୍ପାତ କେଉଁ ବାପା ମା’ ସହ୍ୟ କରିବେ ? ବାପା ମା’ ତ ଆଉ ବସାଇ ଖୋଇବାକୁ ଜନ୍ମ କରିନାହାନ୍ତି । ତା’ର ଉତ୍ପାତ ଅନୁପାତରେ ମାତା, ପିତା, ଭ୍ରାତାଙ୍କର ଶାସନର ମାତ୍ରା ମଧ୍ୟ ବୃଦ୍ଧି ଲାଭ କରିବାକୁ ଲାଗିଲା । ସେ କିନ୍ତୁ କ୍ରମେ ମାଡ଼ ଖାଇବାରେ ଓସ୍ତାଦ ହୋଇଉଠିଲା । ପ୍ରତିଦିନର ମୁଷ୍ଟି ଚପେଟାଦି ସେ ଅମ୍ଳାନ ବଦନରେ ସହ୍ୟ କରେ, ତଥାପି ତା’ର କଣା କୁତୀ, ଛୋଟା ବିରାଡ଼ି ଦୁଇଟାଙ୍କୁ ଛାଡ଼ିପାରେ ନାହିଁ ।

ପଙ୍ଗୁ ଯୁଆଡେ଼ ଚାଲେ, ଛୋଟା ବିରାଡ଼ିଟା ଘୁଙ୍ଗୁର ମାଳେ ବେକରେ ପିନ୍ଧି ଛୋଟେଇ ଛୋଟେଇ ଝୁଣୁଝୁଣୁ ହୋଇ ତା’ ଦୁଇ ଗୋଡ଼ରେ ଘଷି ହୁଏ । କଣା କୁକୁରଟା ଶୁଖିଲା ବାଉଁଶକାଠି ପରି ଲାଙ୍ଗୁଳ ଖଣ୍ଡ ଲଡ଼ ଲଡ଼ କରିବାରୁ ତା’ ପଛରୁ ଆଗ ପର୍ଯ୍ୟନ୍ତ ଦୋହଲି ଯାଉଛି, ସେଥିରେ ମୁହଁ ଘଷି ଚାଲିଥିବ । ଏସବୁ ଅନାଚାର କେତେ ସହ୍ୟ କରାଯାଇପାରେ । ପୁଣି କାହା ଘରେ ? ଚାରି ଜିଲ୍ଲାରେ ଡାକ ବୈଦିକ ବ୍ରାହ୍ମଣ ଗୃହରେ । ଯେଉଁ ଗୃହରେ ଗଣ୍ଡା ଗଣ୍ଡା ପଣ୍ଡିତ- କିଏ କାବ୍ୟ, କିଏ ବ୍ୟାକରଣ, କିଏ ସ୍ମୃତି, କିଏ ନ୍ୟାୟ, କିଏ ବେଦାନ୍ତରେ ଉପାଧି ପାଇ ଚତୁର୍ଦ୍ଦିଗରେ ଖ୍ୟାତି ବିକିରଣ କରୁଛନ୍ତି- ଯେଉଁ ଗୃହରେ ପ୍ରତ୍ୟକ୍ଷ ଦେବତା ସ୍ୱୟଂ ଲକ୍ଷ୍ମୀନାରାୟଣ ବିଗ୍ରହ ଷୋଳ ଘଡ଼ିରେ ଷୋଳ ପୂଜା ପାଉଛନ୍ତି ।

ପଙ୍ଗୁ ନିଜ ଦୋଷ କିମ୍ୱା ଅନ୍ୟ କୌଣସି କାରଣରୁ ମନୁଷ୍ୟ ସମାଜରୁ ଏପରି ଶାସନ ପ୍ରହାର ଲାଭ କରେ, ତାହା ସେ ବୁଝିପାରେ କି ନାହିଁ, ସେହି ଜାଣେ, କିନ୍ତୁ ପ୍ରହାର ପାଇବାରେ ସେ ଶେଷକୁ ଏପରି ଅବ୍ୟସ୍ତ ହୋଇପଡ଼ିଲା ଯେ, ଆଉ ଚିତ୍କାରଟି ନ କରି, ବାଧାଟି ନ ଦେଇ ପ୍ରହାରର ଉପକ୍ରମ ହେଲେ ଚୁପ୍ ହୋଇ ବସିପଡେ଼, ଯେପରି ଗୋଟାଏ ତୂଳାବସ୍ତା । ସଂଖ୍ୟାବ୍ୟାକରଣତୀର୍ଥ ପଣ୍ଡିତ ଭାଇମାନେ ଏହି ବସ୍ତାଟିକୁ ତଳରେ ଗଡ଼ାଇ ମୁଷ୍ଟ୍ୟାଘାତ, ପଦାଘାତ କରି ନିଜ ଜ୍ଞାନର ଗୌରବ ଓ ଲକ୍ଷ୍ମୀନାରାଣ ବିଗ୍ରହଙ୍କର ମର୍ଯ୍ୟାଦା ରକ୍ଷା କରନ୍ତି । ଗୃହମଧ୍ୟରେ କାହାରି ମୁଖରୁ କଥା ସ୍ଫୁରେ ନାହିଁ ।

କେବଳ ତାରି ପରି ଅସହାୟ ଆସକ୍ତ ଗୋଟିଏ ପ୍ରାଣୀ ରୋଷାଇ ଘରର ଅନ୍ଧକାର ପ୍ରକୋଷ୍ଠ ମଧ୍ୟରେ ସମବେଦନାର ବିଳାପ ଦୀର୍ଘ ଓଢ଼ଣା ତଳେ ଲୁଚାଇ ରଖେ । ସେ କଥା କେହି ଜାଣେ ନାହିଁ, ବୁଝେ ନାହିଁ । ସେ ତା’ର ସାନ ଭାଉଜ, ଅଳ୍ପଦିନ ହେଲା ତାଙ୍କ ଗୃହକୁ ଆସିଛି । ବିଶ୍ୱମାନବ-ସାହାରାରେ ଏହି ଗୋଟିକୁ ପଙ୍ଗୁ ତା’ର ଆଶ୍ରୟର ଓୟେସିସ୍ କରି ପାଇଛି । ତାହାର କିନ୍ତୁ ସାମର୍ଥ୍ୟ କେତେ । ୧୪/୧୫ ବର୍ଷ ବୟସର ବାଳିକା ମାତ୍ର । ସ୍ୱାମୀ ମାଟ୍ରିକୁଲେଶନ ଫେଲକରି ବିଦେଶରେ ଚାକିରୀ କରୁଛନ୍ତି । ପିତ୍ରାଳୟରେ ଏକମାତ୍ର ବୃଦ୍ଧ ପିତା ଟଙ୍କା ମହାଜନୀରେ ଅର୍ଥ ବୃଦ୍ଧି କରିବାରେ ଲାଗିଛନ୍ତି ଅଥଚ ଭାଇ ଗୋଟିଏ କେହି ନାହିଁ । ତାକୁ ଯେତେବେଳେ ଦୁଇବର୍ଷ ବୟସ, ସେତେବେଳେ ଜନନୀ ଗୋଟିଏ ପୁତ୍ର ପ୍ରସବ କରି ସୂତିକାଗୃହରେ ମୃତ୍ୟୁ ଲଭିଛନ୍ତି । ସାନଭାଇଟି ସଙ୍ଗରେ, ଆଠ ନଅ ବର୍ଷ, ସେ ଜୀବନର ଶ୍ରେଷ୍ଠ ଆନନ୍ଦର କାଳ ଅତିବାହିତ କରିଛି । ତତ୍ପରେ ତାକୁ ମଧ୍ୟ ହରାଇ ବିସିଛି । ବିଚ୍ଛେଦ ବ୍ୟଥାର ବିକଳ ସ୍ମୃତି ବହନ କରି ଶ୍ୱଶୁରାଳୟକୁ ଆସିଚି । ତା’ର ପିତୃକୁଳ ଯେପରି, ଶ୍ୱଶୁରାଳୟରେ ମଧ୍ୟ ବର୍ତ୍ତମାନ ଅବସ୍ଥାରେ କେହି ନାହାନ୍ତି । ସ୍ୱାମୀ ଆଶୀର୍ବାଦ ଘରକୁ ଚାରି ପାଞ୍ଚଦିନ ଆସିଥିଲେ । ସେଥିରେ ସେ ତାଙ୍କ ମୁଖ ଦେଖି ନାହିଁ କିମ୍ୱା ନିଜ ମୁଖ ଦେଖେଇ ନାହିଁ । ରୂପଟି କିନ୍ତୁ ସୁନାରେ ଢଳା ପ୍ରତିମାଟି ପରି ।

ସମଗ୍ର ମାନବ ଜଗତରେ ସେହି ଏକମାତ୍ର ପଙ୍ଗୁର ସଙ୍ଗୀ । କିନ୍ତୁ ସେ କୌଣସି ଅଂଶରେ ପଙ୍ଗୁ ଅପେକ୍ଷା ସମର୍ଥ ନୁହେଁ । ପଙ୍ଗୁ ପରି ମଧ୍ୟ ସେ ଆଖି ଥାଇ ଦେଖେ ନାହିଁ, କାନ ଥାଇ ଶୁଣେ ନାହିଁ, ମୁଖ ଥାଇ କଥା କହିପାରେ ନାହିଁ, ପାଦ ଥାଇ ଚାଲିପାରେ ନାହିଁ । ଚୁପ୍‌ଟି ହୋଇ ରୋଷେଇ ଘରର କବାଟ କଣଟିରେ ବସିଥାଏ । ସାଇ ପଡ଼ିଶାରୁ କେହି ନୁଆ ବୋହୂ ଦେଖିବାକୁ ଆସିଲେ, ଶାଶୂ ଯାଇ ତା’ ମୁଣ୍ଡରୁ ଓଢ଼ଣାଟି ଟେକି ଦିଅନ୍ତି । ସେ ଅତି କଷ୍ଟରେ କଚ୍ଛପ ବେକ କାଢ଼ିଲା ପରି ଚକ୍ଷୁ ଦିଓଟି ବନ୍ଦ କରି ଗୌରବର୍ଣ୍ଣ ସୁଗୋଲ ମୁଖଟି ଦେଖାଏ । ଦେଢ଼ଶୁରମାନେ ସାନବୋହୂକୁ ଖାତିର କରନ୍ତି । କାରଣ ସେ ବଡ଼ଘରର ଝିଅ । ପୁଣି ତା’ର କେହି ଭାଇ ଆଦି ନ ଥିବାରୁ ନାଁଉଆରସ୍ ସମ୍ପତ୍ତିରୁ ଭବିଷ୍ୟତରେ ଅନେକ ରକମର ଆଶା ଅଛି, କିନ୍ତୁ ବଡ଼ ଯା’ମାନେ କାହିଁକି ଖାତିର କରିବେ । ସାନ ଯାଆଟା- ସମସ୍ତଙ୍କୁ ଘଷିବ, ଆଉଁଶିବ ସବୁ କାମ କରିବ, ଭଲରେ ହେଉ ମନ୍ଦରେ ହେଉ ସମସ୍ତଙ୍କଠାରୁ ଆକଟ ଶୁଣିବ, ଆଖିରେ ସବୁ ଦେଖିବ, କାନରେ ସବୁ ଶୁଣିବ, କିନ୍ତୁ କଥାଟି କହିବ ନାହିଁ । କାହାରି ଆଗରେ ସଳଖ ହୋଇ ଚାଲିଯିବ ନାହିଁ । ଘରେ ଯେ ସମସ୍ତେ ବଡ଼ । ଯେତେ ବଡ଼ଘର ଝିଅ ହେଲେ ଏ ସବୁ ମାନି ଚଳିବା ଯେ ନାରୀର ଧର୍ମ । ତା’ର ବଡ଼ଯାଆମାନେ ତ ପୁଣି ଏହିସବୁ ପାଳି ଆସିଛନ୍ତି, ସଂସାରଯାକ ତ ଏହି ନିୟମ ମାନୁଛନ୍ତି । ସେ ମଧ୍ୟ ନିରୀହଭାବରେ ଏସବୁ ମାନିଯାଏ । ବସିଲେ ତାକୁ କହନ୍ତି- “ଉଇ ହୁଙ୍କା”, ଶୋଇଲେ କହନ୍ତି- “ଢିଙ୍କି”, ଠିଆ ହେଲେ କହନ୍ତି- “ସ୍ୱର୍ଗ ନିଶୁଣି” । ସେ କଥାଟି ନ କହି ତୁନି ହୋଇ ସବୁ ଶୁଣେ ।

ସୁତରାଂ ପଙ୍ଗୁ ସହିତ ତା’ର ସାହାର୍ଦ୍ୟ ଜନ୍ମିବା ସ୍ୱାଭାବିକ୍ । ତା’ର ହସ୍ତ ପଦାଦି ସକଳ ଅଙ୍ଗ ଓ ଇନ୍ଦ୍ରିୟର କୌଣସି ବିକାର ନ ଘଟିଥିଲେ ହେଁ, ସେ ସବୁର ବ୍ୟବହାର ତା’ ପକ୍ଷରେ ନିଷିଦ୍ଧ । ତେବେ ଦୁହିଁଙ୍କର ଦଣ୍ଡଦାତାଙ୍କ ମଧ୍ୟରେ ଯାହା ଟିକିଏ ପାର୍ଥକ୍ୟ ରହିଛି । ଜଣେ ମନୁଷ୍ୟ, ଅନ୍ୟ ଜଣଙ୍କ ସ୍ୱୟଂ ବିଧାତାପୁରୁଷ । ଯାହା ହେଉ ପଙ୍ଗୁ ତା’ର ସାନ ଭାଉଜର ରୀତି ଗତିକୁ ଆଦୌ ପସନ୍ଦ କରିପାରେ ନାହିଁ । ତାକୁ ଏସବୁ ଭାରି ଅଡୁଆ ବୋଧହୁଏ । ସେ ତାକୁ ଠାରି ଠୁରି ପଚାରେ, ତା’ର ପାଟି ଥାଇ ସେ ସମସ୍ତଙ୍କୁ କଥା ନ କହେ କାହିଁକି ? ଏଡେ଼ ସୁନ୍ଦର ଗୋଡ଼ ଦିଓଟି, ସେଥିରେ ସେ ପଦାରେ ନ ଚାଲେ କାହିଁକି ? ଏଡେ଼ ସୁନ୍ଦର ମୁହଁଟିକୁ ଓଢ଼ଣାରେ ଲୁଚାଏ କାହିଁକି ? ନିଜର ଅଙ୍ଗପ୍ରତ୍ୟଙ୍ଗକୁ ଠାରିଠୁରି ଦେଖାଏ । ତାହାର ଅର୍ଥ- “ମୋର ସିନା କିଛି ନାହିଁ ବୋଲି ମୁଁ ପାରୁ ନାହିଁ, ତୋର ସବୁ ଅଛି, ତୁ କାହିଁକି ନ ପାରୁ ?”

ସାନ ବୋହୂକୁ କେବଳ ପଙ୍ଗୁ ସହିତ କଥା କହିବାକୁ ଛାଡ଼ । ସେଥିରେ ପୁଣି ଉତ୍ତର ଶୁଣିବାର ଉପାୟ ନାହିଁ, କିନ୍ତୁ ତା’ର ଶୁଣିବାଟା ବେଶି ଦରକାର ହୁଏ ନାହିଁ, ସେ ତ ବହୁତ ଶୁଣେ. . . ଘରେ ସମସ୍ତଙ୍କଠାରୁ କେବଳ କହିବାଟା ତା’ର ଆବଶ୍ୟକ, କିନ୍ତୁ ସେ ସବୁ ଶୁଣିବା ପାଇଁ ଯେପରି ପଙ୍ଗୁ ତିଆରି ହୋଇଛି । ଦିନ ଭିତରେ ଶୁଣି ଶୁଣି କାମ କରି ତାକୁ ଯେ ଦୁଇ ତିନି ଘଣ୍ଟା ଫୁରୁସତ୍ ମିଳେ, ସେ ସମୟତକ ସେ ପଙ୍ଗୁକୁ ବସାଇ କଥା କହେ । ସେ କିପରି ଗୋଟିଏ ବିରାଡ଼ିପିଲା ପାଳିଥିଲା, ତାକୁ ଭୁଆ ଖାଇଯାଉଥିଲା, ସେ ବିରାଡ଼ି କିପରି ଚାଲେ, କିପରି ଖାଏ ଇତ୍ୟାଦି । ତା’ପରେ ତାଙ୍କ ଘରର କଥା, ତା’ ସାନ ଭାଇଟିର କଥା ସେ ତାକୁ କେଡେ଼ ଭଲ ପାଉଥିଲା, ତା’ ପାଇଁ କେତେ ପାଚିଲା କୋଳି ଆଣୁଥିଲା, ପୁଣି ତା’ର ମାଆର କଥା, ସେ କଥା ତା’ର ମନେ ନାହିଁ । ସେତେବେଳକୁ ତାକୁ ଦୁଇବର୍ଷ ମାତ୍ର, କଥା କହୁ କହୁ ତା’ର କଳା କଳା ଆଖି ଦି’ଓଟିରୁ ଲୁହ ଝରି ପଡେ଼, ପଙ୍ଗୁ ବଙ୍କା ହାତଟିରେ ତା’ର କାନି ଧରି ଲୁହ ପୋଛିଦିଏ । ଛୋଟୀ ବିରାଡ଼ିଟି ପାଖରେ ମ୍ୟାଉଁ ମ୍ୟାଉଁ ହେଉଥାଏ, କିନ୍ତୁ କଣା କୁତୀଟାକୁ ଘର ଭିତରକୁ ଆଣିବାକୁ ହୁକୁମ ନାହିଁ । ସେ ବାଡ଼ି ପଟ ଗୋଟାଏ ମେଲା ଚାଳିଆ ତଳେ ଖଣ୍ଡେ ପୋକରା ବାଉଁଶ ଖମ୍ୱରେ ବନ୍ଧା ହୋଇ ପଙ୍ଗୁକୁ ନ ଦେଖି କାଉଁ କାଉଁ ହେଉଥାଏ ।

ଏହି କୁତୀଟାର ଉତ୍ପାତ ଘରେ ସବୁଠାରୁ ବେଶି ଅସହ୍ୟ ହେଲା । ଲକ୍ଷ୍ମୀନାରାୟଣଙ୍କ ପାଇଁ ଭୋଗ ବଢ଼ା ଯାଇଥିବ, ଏ ହତଭାଗ୍ୟ ସେତିକିବେଳେ ଭୋ’ କରି ଚିତ୍କାର କରି ଉଠିବ । ପଣ୍ଡିତ ପିତା ପୁତ୍ରମାନେ ମଣୋହିରେ ବସିଥିବେ, ଅର୍ଦ୍ଧେକ ଆହାର ଉଦରସ୍ଥ ହୋଇଛି କି ନାହିଁ, ସେତିକିବେଳେ ତା’ର ଶବ୍ଦ ଶୁଣାଯିବ ।

ପଙ୍ଗୁ ଟିକିଏ ବଡ଼ହେବା ସଙ୍ଗେ ସଙ୍ଗେ ତା’ର ପିଲାବେଳର ଔଦ୍ଧତ୍ୟ ଓ ଅବାଧ୍ୟତା କ୍ରମେ ଅନେକ କମି ଆସିଲା । ସେ ଏଣିକି ମନୁଷ୍ୟକୁ ଦେଖି ଭୟ କରେ । ନିଜ ଅପେକ୍ଷା ତାକୁ ଶ୍ରେଷ୍ଠତର ଜୀବ ବୋଲି ଜ୍ଞାନ କରେ । ମନୁଷ୍ୟ ସହିତ ତା’ର କାହିଁରେ ସାମଞ୍ଜସ୍ୟ ନାହିଁ । ତା’ର ଦୁଃଖରେ ସାହାଯ୍ୟ ଦେବା, ତା’ର ସୁଖ ସମୟରେ ଆନନ୍ଦ ପ୍ରକାଶ କରିବେ ଏହାର କୌଣସି ଅଧିକାର ନାହିଁ । କାରଣ ସେପରି କରିବାକୁ ଯାଇ ସେ କେବଳ ଧୂଳି, ଟେକା, ଯଷ୍ଟିପ୍ରହାର ବ୍ୟତୀତ ଅନ୍ୟ କୌଣସି ପୁରସ୍କାର ପାଇ ନାହିଁ । ମନୁଷ୍ୟ ସଙ୍ଗରେ ସମାନ ହେବାକୁ ଇଚ୍ଛା କରିବାଟା ତା’ ପକ୍ଷରେ ଅସଙ୍ଗତ । ସୁତରାଂ , ସେ ମଧ୍ୟ ମନୁଷ୍ୟ ସମାଜ ପ୍ରତି ଉଦାସୀନ ହୋଇଆସିଲା । ଏକମାତ୍ର ତା’ର ଆଶ୍ରୟର ସ୍ଥଳ ସାନ ଭାଉଜ ଓ ତା’ର ସମୟ କଟାଇବାର ସାମଗ୍ରୀ କଣାକୁତୀ ଓ ଛୋଟୀ ବିରାଡ଼ି- ଏହି ଦିଓଟି । ଧର୍ମପରାୟଣ ପିତା ପୂର୍ବଜନ୍ମର ଗୋଟିଏ ଅଭିଶାପଗ୍ରସ୍ତ ଜୀବ ବୋଲି ଜାଣିପାରି କେତେଥର ତାକୁ ନେଇ ଲକ୍ଷ୍ମୀନାରାୟଣ ବିଗ୍ରହ ନିକଟରେ ଜବରଦସ୍ତ ତା’ ମୁଣ୍ଡଟାକୁ ଧରି ତଳେ ଠକ୍ ଠକ୍ କରି ବାଡ଼ାନ୍ତି । ସେ କିନ୍ତୁ ବିଦ୍ରୁପ କରି ଦେବତାଙ୍କ ଆଡ଼କୁ ପାଦ ଉଠାଏ କିମ୍ୱା ଛେପ ପକାଏ । ଶେଷରେ ବେଶ୍ ଉତ୍ତମ ମଧ୍ୟମ ପାଇ ଫେରି ଆସେ ଭାଉଜ ନିକଟକୁ ।

ଭାଉଜ ବିଚାରୀ ଓଦା ଗାମୁଛାଟିରେ ତା’ ଦିହ ମୁହଁରୁ ଧୂଳି ପୋଛିଦେଇ ପ୍ରହାର ଦାଗଗୁଡ଼ିକରେ ତେଲ ଘଷିଦିଏ, ଆଉ ତା’ ଆଖିରୁ ଥପ୍ ଥପ୍ ଲୁହ ଝରିପଡ଼ି ପଙ୍ଗୁର ଟାଙ୍ଗରା ମୁଣ୍ଡଟାକୁ ତିନ୍ତାଇ ଦିଏ । ବଡ଼ ଯାଆମାନଙ୍କର ଭାଇମାନେ ଆସି ଘର ଭିତରେ ପଶି ଭଉଣୀମାନଙ୍କ ସହିତ ଯେତେବେଳେ ଦୁଃଖସୁଖ କଥାବାର୍ତ୍ତା ହୁଅନ୍ତି, ସାନବୋହୂ ପଙ୍ଗୁକୁ ନେଇ, ତା’ ଛୋଟ ବିରାଡ଼ିକୁ ନେଇ ଗଳ୍ପ ଆରମ୍ଭ କରିଦିଏ । ପଙ୍ଗୁ କଦାଚରଣରେ ଉତ୍ୟକ୍ତ ହୋଇ ବଡ଼ ଭାଇ ଯେତେବେଳେ କ୍ରୋଧାନ୍ଧ ହୋଇ ତାକୁ ପ୍ରହାର କରିବାକୁ ଆସନ୍ତି, ପଙ୍ଗୁ ଭୟରେ ପଡ଼ି ଉଠିଯାଇ ସାନ ଭାଉଜ ପଛଆଡେ଼ ଲୁଚିଯାଏ । ଭାଇବୋହୂ ଯେଉଁ ଘରେ ଅଛି, ସେ ଘରକୁ ବଡ଼ଭାଇ ଆଉ କିପରି ଯିବେ ?

ଜଣା କୁତୀଟାକୁ ଭାତଦେବାକୁ ଘରେ ସମସ୍ତେ ମନା କରିଦେଲେ । ପଙ୍ଗୁ ନେଇ ନିଜ ଆହାରରୁ ଅର୍ଦ୍ଧେକ ତା’ ଆଗରେ କୁଢ଼ାଇ ଦେଲା । ପଙ୍ଗୁକୁ ଦିନେ କିଛି ଖାଇବାକୁ ନ ଦେବା ଲାଗି କୁହାଗଲା । ବଡ଼ ଯାଆ ସେଦିନ ଯାଇ ଶାଶୂଙ୍କୁ ଫୁସ୍ ଫୁସ୍ କରି କହିଦେଲେ- “ଦେଖିବ ଆସ ତୁମର ଦିଅର ସୁଆଗୀ ସାନବୋହୂଙ୍କ ଗୁଣ । ପଙ୍ଗୁକୁ ପରା ଆଜି ଭାତ ଦେବାକୁ ମନା କରିଥିଲ, ଦେଖିବ ଆସ ।” ଏଥିରେ କହିବ ଆମେ ସବୁ ସାନବୋହୂକୁ ହତମାନ କରୁଛୁ । ବଡ଼ବୋହୂ ଶାଶୂଙ୍କ ଦକ୍ଷ ହସ୍ତ । ଘର ଚଳେଇବା ପାଇଁ ତାଙ୍କ ପଛକୁ ସେ । ଶାଶୂବୁଢ଼ୀ ଯାଇ ଦେଖିଲେ, ପଙ୍ଗୁ ମୁହଁରେ କଂସାଏ ଓ କୁକୁର ଆଗରେ କଂସାଟାଏ ଭାତ କୁଢ଼ା ହୋଇଛି । ରାଗରେ ଗରଗର ହୋଇ କହିଲେ, “ହଇଲୋ ବଡ଼ଘର ଝିଅ, ତୁ କ’ଣ ମୋ ଭାତ ଶସ୍ତା ଦେଖିଛୁ କି”- ସାନବୋହୂ ନିବିଷ୍ଟ ଚିତ୍ତରେ ପଙ୍ଗରୁ ଆହାର ଦେଖୁଥିଲା । ଚମକି ପଡ଼ି ଶାଶୂଙ୍କୁ ଚାହିଁ ମୁଣ୍ଡରେ ଓଢ଼ଣା ଦେଲା ।

ପଙ୍ଗୁର ବୟସ ସଙ୍ଗେ ସଙ୍ଗେ ତା’ର ସାନ ଭାଉଜ, କଣା କୁତୀ ଓ ଛୋଟୀ ବିରାଡ଼ିଙ୍କର ବୟସ ବଢ଼ିବାକୁ ଲାଗିଲା । ସଙ୍ଗେ ସଙ୍ଗେ ସମସ୍ତେ ଜଗତର ବୟସ ବୃଦ୍ଧିଲାଭ କଲା, କିନ୍ତୁ ପଙ୍ଗୁ ଏବଂ ତା’ର ଛୋଟୀ ବିରାଡ଼ି ଓ କଣା କୁତୀଙ୍କର ଆକାର ଉପରେ ସମୟ କୌଣସି ପ୍ରଭାବ ବିସ୍ତାର କରିପାରିଲା ନାହିଁ । ସେମାନେ ଯେପରି ଆଦିକାଳର ସନାତନ ପଙ୍ଗୁ ପରିବାର ।

ସାନ ଭାଉଜକୁ ସହାୟରୂପରେ ପାଇ ଅନ୍ୟମାନଙ୍କୁ ପଙ୍ଗୁ ଡରିଡରି ଲୁଚିଲୁଚି ଚଳେ । ଘରେ କିମ୍ୱା ବାହାରେ ଉତ୍ୟକ୍ତ ହେଲେ ପଙ୍ଗୁ ଡରି ଥରି ସାନ ଭାଉଜର କୋଳ ଭିତରକୁ ଜାକି ଜୁକି ହୋଇ ବସେ, ଯେପରି ତା’ର ସେ ଗୋଟିଏ ପୋଷା ଜୀବ । ସାନବୋହୂ ସହିତ ପଙ୍ଗୁର ଏପରି ସଦ୍ଭାବ ଜନ୍ମିବାଟା ଘରେ ଶାଶୂ ଓ ଯାଆମାନେ ପସନ୍ଦ କରନ୍ତି ନାହିଁ । ଯାଆମାନେ କେତେ ଟାହି ଟାପରା କରନ୍ତି, କୌଣସି କାର୍ଯ୍ୟ ନ କରି ପଙ୍ଗୁ ସହିତ ଏତେ ସମୟ ବସି ରହିବାରୁ ଶାଶୂ ବକନ୍ତି, କିନ୍ତୁ ସାନବୋହୂ ପଙ୍ଗୁ ସଙ୍ଗ କିମ୍ୱା ପଙ୍ଗୁ ସାନବୋହୂ ସଙ୍ଗ ଛାଡ଼ିପାରେ ନାହିଁ । ତା’ର ସ୍ନେହସିକ୍ତ ଅନ୍ତରର ଚିରପୋଷିତ ଭ୍ରାତୃସ୍ମୃତି ହୃଦୟପଟରେ ଉଦିତ ହୁଏ । ପଙ୍ଗୁ ଉପରେ କାହାରି ନିଷ୍ଠୁରତା ଦେଖିଲେ ସେହି ମୂକପୁରୁଷର ନିଃଶବ୍ଦ ବିଳାପ ବାଣୀ ଏହି ମୂକନାରୀର ଅନ୍ତର ଦେଶରେ ଘନ ଘନ ପ୍ରତିଧ୍ୱନିତ ହୁଏ । ଯେଉଁ ମୂକ ଦେବତା ଏ ଜଗତରେ ସକଳ ଅନ୍ୟାୟ ଅତ୍ୟାଚାର ନିରବରେ ସହ୍ୟ କରେ, ତାହା ବ୍ୟତୀତ ଏକ ମୂକ ରାଜ୍ୟର ବାର୍ତ୍ତା ଆଉ କିଏ ବୁଝିପାରିବ !

ବୟସ ବୃଦ୍ଧି ସଙ୍ଗରେ ପଙ୍ଗୁର ବୃଦ୍ଧି ବୃତ୍ତିର କୌଣସି ଉତ୍କର୍ଷ ହେଲାପରି ବୋଧ ହେଲା ନାହିଁ, ବରଂ ସେ ଅତ୍ୟଧିକ ରୂପେ ସାନବୋହୂକୁ ସମ୍ୱଳ କରି ଧରିଲା । ସାନବୋହୂ ମଧ୍ୟ ସମସ୍ତଙ୍କ କଥା ଅବଜ୍ଞା କରି, ଏପରିକି, ଶ୍ଵଶୁର ଦେଢ଼ଶୁରମାନଙ୍କ ଠାରୁ କେତେଥର ବିରକ୍ତ ଭାଷା ଶୁଣି ପଙ୍ଗୁକୁ ଛାଡ଼ିପାରେ ନାହିଁ । ତାକୁ ଛାଡ଼ିଲେ ଯେ ଏ ଘରେ ତା’ର ନିଜର ହୋଇ ଆଉ ଦ୍ୱିତୀୟ କେହି ନାହିଁ, ଯାହା ଆଗରେ ସେ ଅନ୍ତତଃ କଥା କହିବାର ଅଭ୍ୟାସଟା ରଖିପାରିବ, ଯେତେ ବିକୃତ ହେଲେ ମଧ୍ୟ ଯାହା ମୁଖକୁ ସେ ଓଢ଼ଣୀ ନ ଦେଇ ପରିଷ୍କାର ଭାବରେ ଚାହିଁପାରିବ । ସୁତରାଂ ପଙ୍ଗୁକୁ ଛାଡ଼ି ରହିବା ତା’ ପକ୍ଷରେ ଅସମ୍ଭବ ।

ତା’ପରେ

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top