ଗଳ୍ପ

ପଙ୍ଗୁ

Kalindicharana Panigrahi's odia Story Panggu

ତା’ର ବିଚାର ବୁଦ୍ଧି ଅଛି କି ନାହିଁ, ସେ ମଧ୍ୟ ଏକ ସନ୍ଦେହ । କାରଣ ସେ ଯେ ସକଳ କାର୍ଯ୍ୟ କରେ, ପଶୁ ପକ୍ଷୀମାନଙ୍କ ପରି ଗୋଟାଏ instinct ଜୋରରେ କରିଯାଏ ।

ପଙ୍ଗୁ

-:ପୂର୍ବରୁ :-

ସେଦିନ ଦଶହରାରେ ପଣ୍ଡିତଙ୍କ ଗୃହରେ ପୂଜାର ବିପୁଳ ଆୟୋଜନ ଚାଲିଛି । ପ୍ରତିଦିନ କେତେ ଲୋକଙ୍କ ସମ୍ମୁଖକୁ ଚାଲିଛନ୍ତି । ହଠାତ୍ କ’ଣ କୁତୀଟା ହୁଗୁଳୀ ଦଉଡ଼ିଟାରୁ ମାତା ଭୋଗ ଧରି ଦେବତାଙ୍କ ସମ୍ମୁଖକୁ ଚାଲିଛନ୍ତି । ହଠାତ୍ କଣା କୁତୀଟା ହୁଗୁଳା ଦଉଡ଼ିଟାରୁ ମୁହଁ ଖସାଇ ଦେଇ ଛୁଟି ଆସିଲା । ପଙ୍ଗୁ ବିପଦ ଆଶଙ୍କା କରି କୁତୀ ପଛେ ପଛେ ବ୍ୟସ୍ତଭାବରେ ଦେଇ ଛୁଟି ଆସିଲା । କିନ୍ତୁ ପଙ୍ଗୁ ପହଞ୍ଚିବା ପୂର୍ବରୁ କୁକୁରଟା ଭୋଗଥାଳିକୁ ଉହୁକି ସବୁ ମାରା କରିଦେଲା । ବୁଢ଼ୀ “କ’ଣ ହେଲା”, “କ’ଣ ହେଲା” ବୋଲି ପାଟି କରି ଉଠିଲେ । ବଡ଼ ପୁଅ ଦିଅଁଙ୍କ ଘରେ ପୂଜାର ଆୟୋଜନ କରୁଥିଲେ, ଶବ୍ଦ ଶୁଣି ଦୌଡ଼ିଆସିଲେ । ଦେଖିଲେ, ପୂଜାଥାଳି ତଳେ ପଡ଼ିଯାଇଛି । କୁକୁରଟା ଅମୁଣୋହି ସରଞ୍ଜାମ ସବୁ ନିଶ୍ଚିନ୍ତରେ ଆହାର କରି ସ୍ୱୀୟ ଦେବତା-ଭକ୍ତିର ପରାକାଷ୍ଠା ଦେଖାଉଛି । ଆଉ ପଙ୍ଗୁ ବିଚରା ଭୟରେ ପାଦଠାରୁ ମଥାଯାଏ ବରଡ଼ାପତ୍ର ପରି ଥରୁଛି । ବଡ଼ଭାଇଙ୍କୁ ଦେଖି ନଡ଼ବଡ଼ ହୋଇ ସେ ଯାଇଁ ଏକାଦମରେ ପଶିଲା ରୋଷାଇ ଘରେ । ବଡ଼ଭାଇ କ୍ରୋଧରେ ଗର୍ଜନ କରି ତା’ ପଛରେ ଦୌଡ଼ିଲେ । ଘରର ସମସ୍ତେ ଅବାକ୍ ହୋଇ ଚାହିଁ ରହିଛନ୍ତି, ପଙ୍ଗୁ ଆଜି ଆଉ ପ୍ରାଣ ପାଇବ ବୋଲି କାହାର ଭରସା ନାହିଁ । ବଡ଼ଭାଇଙ୍କର କ୍ରୋଧ ଦେଖି ଭୟରେ ସମସ୍ତେ ଆଡ଼େଇ ଗଲେ, କିନ୍ତୁ ରୋଷାଇ ଘରକୁ ଦୌଡ଼ି ଯାଇ ଦ୍ୱାର ନିକଟରେ ବଡ଼ଭାଇଙ୍କର ପାଦ ରହିଗଲା । ଦେଢ଼ଶୁରଙ୍କ କଥା ଶୁଣିଲେ ଯେଉଁ ସାନବୋହୂ କେଉଁ କାଞ୍ଜିକଣରେ ଯାଇ ପଶୁଥିଲା, ସେ ଆଜି ହାତେ ଲମ୍ୱରେ ଓଢ଼ଣି ଟାଣି ଦେଇ ବାଟ ଓଗାଳି ହାଣ୍ଡିଶାଳ ଦ୍ୱାରରେ ।

ବଡ଼ଭାଇ ଅଟକି ଗଲେ, କିନ୍ତୁ ତାଙ୍କର କ୍ରୋଧାଗ୍ନି ଏପରି ଆକସ୍ମିକ ବାଧା ପାଇ ଦୁଇଗୁଣ ଜଳିଉଠିଲା । ମା’ ଆସି ବଡ଼ପୁଅର ଓଠ ଧରି ପକାଇଲେ, “ଆରେ ତାକୁ ମାର ନାରେ, ବଡ଼ ଦୁଃଖୀଟିଏ ସେ ।” କିନ୍ତୁ ସେ ସେଥିରେ ମାନିବା ଲୋକ ନୁହଁନ୍ତି । ଏକା ଜିଦ୍ ଧରି ବସିଲେ, ପଙ୍ଗୁ ଆଜି ଏ ଘରୁ ବାହାରି ନ ଗଲେ ପୂଜା ହେବ ନାହିଁ କିମ୍ୱା ସେ ଆହାର କରିବେ ନାହିଁ ।

ଏ ବଡ଼ ବିଷମ କଥା । ତଥାପି ଆଉ ଉପାୟ ନ ଦେଖ ପଙ୍ଗୁକୁ ଟାଣି ଘୋଷାରି ପଦାକୁ ବାହାର କଲେ । ସେ ତା’ର ସାନ ଭାଉଜର କାନିକୁ ଏପରି ଜୋର୍‌ରେ ଧରିଥିଲା ଯେ ଟଣା ଓଟରାରେ ସାନ ବୋହୂର କାନିରୁ ଖଣ୍ଡେ ଛିଡ଼ି ଆସିଲା, କିନ୍ତୁ ତା’ର ମୁଠାଟାକୁ କେହି ଫିଟାଇ ପାରିଲେ ନାହିଁ । ବଡ଼ଭାଇ ପଙ୍ଗୁକୁ ଟାଣି ନେଇ ପଦାକୁ ବାହାର କରିଦେଲେ । ଲାଲ୍ ଲାଲ୍ ଆଖି ଦେଖାଇ ବୁଝାଇ ଦେଲେ, ଆଉ ଏ ଘରକୁ ଫେରିଲେ ତୁ ପ୍ରାଣ ପାଇବୁ ନାହିଁ । ପଙ୍ଗୁ ଛୋଟେଇ ଛୋଟେଇ ବାହାରିଲା । ଛୋଟୀ ବିରାଡ଼ିଟା ଉଠିଯାଇ ତା’ କୁଜ ଉପରେ ବସିଲା । କଣା କୁତୀଟା ତା’ ଗୋଡ଼ ଚାରିପାଖ ଗୁଡ଼େଇ ହୋଇ ସଙ୍ଗେ ସଙ୍ଗେ ଚାଲିଲା । ପଙ୍ଗୁ ଭ୍ରାତାଙ୍କର ରୋଷ ବୁଝିପାରି ଆଉ ପଛକୁ ନ ଫେରି ଏକା ଗତିରେ ଚାଲିଲା । କେତେ ବାଟ ଚାଲିଲା କେଜାଣି । ଚାଲି ଚାଲି ଯେତେବେଳେ ପାଦ ଥକିଗଲା, ଗୋଟାଏ ବଡ଼ ବରଗଛ ମୂଳରେ ବସିପଡ଼ିଲା । ସେତେବେଳକୁ ସୂର୍ଯ୍ୟ ରତରତ ହୋଇ ପଶ୍ଚିମକୁ ଢଳି ପଡ଼ିଥିଲେ । ଦୂର ଗ୍ରାମମାନଙ୍କର ଅସଂଖ୍ୟ ପକ୍ଷୀ କଳରବ କରି ଆସି ସେହି ବରଗଛ ଉପରେ ରୁଣ୍ଡ ହେଉଥିଲେ । ପଙ୍ଗୁ ଶାନ୍ତ ହୋଇ ବିରାଡ଼ି କୁକୁର ଦୁଇଟାଙ୍କୁ କୋଳରେ ଜାକି ଚତୁର୍ଦ୍ଦିଗରେ ସେହି ଜନଶୂନ୍ୟ ପ୍ରାନ୍ତର ଓ ଉପରେ ଅନନ୍ତ ନୀଳାକାଶକୁ ଚାହିଁ ନିରବରେ ନିଦ୍ରାମଗ୍ନ ହେଲା ।

ପଣ୍ଡିତ ପରିବାରରେ ପଙ୍ଗୁ ଅଭାବରୁ କୌଣସି ପରିବର୍ତ୍ତନ ଦେଖାଗଲା ନାହିଁ, କିନ୍ତୁ ସେଦିନ ରାତିରେ ଦେଖାଗଲା, ସାନବୋହୂ ଗୁଣ୍ଡାଏ ହେଲେ ଭାତ ଖାଇଲା ନାହିଁ । ଶାଶୂ ଝଗଡ଼ି ଝଗଡ଼ି ଥକିଲେ, କୌଣସି ମତେ ହେଲା ନାହିଁ । ପରଦିନ ପ୍ରଭାତରେ ଶାଶୂ ଦେଖିଲେ, ସାନବୋହୂ ତାଙ୍କ ପାଖରେ ଶୋଇଥିଲା, କେତେବେଳୁ ଉଠିଯାଇଛି । ବାହାରେ ଅବା ବାସୀ ପାଇଟି କରୁଥିବ, ପାଇଲେ ନାହିଁ । ଦାଣ୍ଡ ବାଡ଼ ଚାରିଆଡ଼ ଖୋଜିଲେ ପାଇଲେ ନାହିଁ । ଘର କ’ଣ ଭୂଆସୁଣୀଟା ଗଲା କୁଆଡ଼େ ?

ଦେଢ଼ଶୁରମାନେ ସୁଗୋଲ ପେଟଟି ଉପରେ ସରୁ ଚାଦର ଖଣ୍ଡେ ଖଣ୍ଡେ ଆବୃତ କରି ଝାଳରେ ଧଇଁସଇଁ ହୋଇ ସାନ ବୋହୂକୁ ଖୋଜିବାକୁ ବାହାରିଲେ । ସର୍ବନାଶ ! ମାନ ଗଲା, ମହତ ଗଲା, ଧର୍ମ ଗଲା, କୁଳ ଗଲା- ଘରର ଭୂଆସୁଣୀଟା ଘର ଛାଡ଼ି କାହିଁକି ଗଲା ? ଛି, ଛି, ଏଥିରେ କି ଆଉ ମୁଣ୍ଡଟେକି ବାଟ ଚାଲିବାର କଥା ?

ଖୋଜି ଖୋଜି ସେମାନେ ଯାଇ ପହଞ୍ଚିଲେ ସେହି ଗଛ ମୂଳରେ, ଯେଉଁଠାରେ ପଙ୍ଗୁ ପୂର୍ବ ରାତ୍ରିରୁ ବିଶ୍ରାମ ନେଇଥିଲା । ସେଠାରେ ଆଉ ଏକ ଅଦ୍ଭୁତ କାଣ୍ଡ ଦେଖିଲେ । ଟେକା ଦି’ଖଣ୍ଡି ଉପରେ ଛୋଟ ହାଣ୍ଡିଟିଏ ରଖି ଭାତ ରାନ୍ଧୁଛି ନିଜେ ସାନବୋହୂ, ଆଉ ପଙ୍ଗୁ ବିରାଡ଼ି କୁକୁର ଦୁଇଟାଙ୍କୁ ନେଇ ପାଖରେ ବସି ଛୁରୀ ଖଣ୍ଡକରେ ପରିବାର କାଟୁଛି । ଏ ଅପନ୍ତରା ଗହୀର ମଝିରେ ପଣ୍ଡିତମାନେ ଆଉ କାହାକୁ କଅଣ କହିବେ । ପାଖ ଗାଁରୁ ଖଣ୍ଡେ ଗାଡ଼ି ଡାକି ସାନବୋହୂକୁ ଘେନି ଆସିଲେ । ଅଗତ୍ୟା ପଙ୍ଗୁ ଓ ତାହାର ସଙ୍ଗୀ ବିରାଡ଼ି କୁକୁର ଦୁଇଟାଙ୍କୁ ମଧ୍ୟ ଫେରାଇ ଆଣିବାକୁ ହେଲା ।

କିନ୍ତୁ ସାନବୋହୂର ଆଚରଣରେ କ୍ରୋଧର ମାତ୍ରା ବଢ଼ିଲା ବରଂ କମିଲା ନାହିଁ । ସେ କ୍ରୋଧ ପଡ଼ିଲା ଯାଇ ସବୁ ନାଟର ଗୋବର୍ଦ୍ଧନ ପଙ୍ଗୁ ଉପରେ । ସାନବୋହୂ ପାଇଁ ତାକୁ ଗୃହ ମଧ୍ୟ ଅଣାଗଲା ସତ, କିନ୍ତୁ ତା’ ଉପରେ ପୂର୍ବପେକ୍ଷା କଠିନତର ଆଇନ୍ ଜାରି ହେଲା । ସେ ତା’ର କୁକୁର ବିରାଡ଼ି ଦୁଇଟାଙ୍କୁ ନେଇ ବାରିପଟ ଗୋଟାଏ ମେଲାଘରେ ବରାବର ରହିବ । ସେହିଠାରେ ତାକୁ ପାନହାର ଆଦି ଦେବାକୁ ହେବ । ଗୃହମଧ୍ୟରେ ପ୍ରବେଶ ତା’ ପାଇଁ ନିଷିଦ୍ଧ ।

ପଙ୍ଗୁ ମାନ ଅପମାନ ବୁଝେ ନାହିଁ । ସେହି ମେଲା ଘରଟିରେ ସେ ତାହାର ସ୍ନେହର ସଙ୍ଗିନୀ ତା’ର ତୃଷିତ ଅନ୍ତରର ଏକମାତ୍ର ମନ୍ଦାକିନୀଧାରା ସାନ ଭାଉଜକୁ ଦିନ ମଧ୍ୟରେ କେବେ ଥରେ ଅଧେ ଦେଖିପାରିଲେ ଆନନ୍ଦରେ ଉତ୍‌ଫୁଲ୍ଲ ହୋଇ ଉଠେ । ତା’ର ହାସ୍ୟରେ ସୌନ୍ଦର୍ଯ୍ୟ ନାହିଁ, ତା’ର କ୍ରନ୍ଦନ ଅତି କୁତ୍ସିତ । ତଥାପି ତା’ର ସେହି ଶିଶୁସୁଲଭ ଅନ୍ତରର ଭାଷା ଯେତେବେଳେ ତା’ର ମୁଖ ଉପରେ ହର୍ଷ ବିଷାଦର କରୁଣ ଛାୟାପାତ କରେ, ଯେତେବେଳେ ତା’ର ଅନ୍ତରର ଏକାନ୍ତଆରାଧ୍ୟା ଦେବି ସାନ ଭାଉଜକୁ ଦିନ ମଧ୍ୟରେ ଦେଖିବାକୁ ନ ପାଇ ଗୋଟିଏ ଚକ୍ଷୁରେ ତା’ର ଆକୁଳ ହୃଦୟର କାକୁତି ପ୍ରକାଶ ଲଭେ, ସେ କଥା ସେହି ଭ୍ରାତୃ ବିଚ୍ଛେଦବିଧୁରା, ସେହି କରୁଣାମୟୀ ମାତୃମୂର୍ତ୍ତି ବ୍ୟତୀତ ଆଉ କେହି ବୁଝେ ନାହିଁ । ଜଗତର ମୂକ ଶିଶୁର ଭାଷା ବୁଝି ଯେଉଁ ନାରୀ ସ୍ତନ୍ୟ ଦାନ କରେ ସେହି ମହିମାମୟୀ ନାରୀ ବ୍ୟତୀତ ଏ ମୂକର ଭାଷା ବୁଝିପାରିବା ଅନ୍ୟ ଯେ କାହାରି ପକ୍ଷରେ ସାଧ୍ୟାତୀତ । ଏହି ମୂକ ଆତ୍ମାଟିର ଦୁଃଖ ଦେଖି ସେହି ମହିମାମୟୀ ନାରୀର ଅବଗୁଣ୍ଠନ ତଳେ ସୁନ୍ଦର ସୁଗୋଲ ଚକ୍ଷୁ ଦିଓଟିରୁ ଦୀର୍ଘଦିବସ ସଞ୍ଚିତ ଅଶ୍ରୁରରାଶି ଯେତେବେଳେ ଆଷାଢ଼ର ଧାରା ସମ ଘନ ଘନ ଝରି ପଡ଼େ, ତାହା ଜଗତରେ ଅନ୍ୟ କେହି ଦେଖିପାରେ ନାହିଁ ।

ସାନବୋହୂକୁ ମନା ହୋଇଥାଏ, ସେ ପଙ୍ଗୁ ପାଖୁ ଯିବ ନାହିଁ, କିନ୍ତୁ ପଙ୍ଗୁ ବାଡ଼ିପଟ ଘରେ ଥିବାରୁ ସମୟ ଅସମୟେ ସାନବୋହୂ ଯାଇ ତା’ ନିକଟରେ ହାଜର ହୋଇଯାଏ । ସେଥିରେ କିନ୍ତୁ ବଡ଼ ସନ୍ତର୍ପଣ, ବଡ଼ ଭୟ । ଶାଶୁ କିମ୍ୱା ବଡ଼ ଯାଆମାନେ ଦେଖିଲେ ସର୍ବନାଶ !

ପଙ୍ଗୁ ସାନଭାଉଜର ସ୍ନେହ-ଶାସନରୁ ମୁକ୍ତି ଲଭି କ୍ରମେ ବେଶି ପରିମାଣରେ ସ୍ୱେଚ୍ଛାଚାରୀ ହୋଇଉଠିଲା । କୁକୁର ବିରାଡ଼ି ଦୁଇଟାଙ୍କ ପ୍ରତି ଘନିଷ୍ଠତର ଭାବରେ ଆକୃଷ୍ଟ ହୋଇ ପଡ଼ିଲା । ଏପରିକି ନିଜେ ଆହାର କାଳରେ ଏକ ପାଖରେ କୁକୁର ବିରାଡ଼ି ଦୁଇଟାଙ୍କୁ ବସାଇ ଖୋଇବାକୁ ଆରମ୍ଭ କଲା । ଦାନ, ଧର୍ମ, ଦେବତା କୁଆଡ଼େ ରହିଲେ, କୁକୁର ସହିତ ବ୍ରାହ୍ମଣର ଏକତ୍ର ଭୋଜନ । ପ୍ରତିଦିନ ପ୍ରହାରର ମାତ୍ରା ବୃଦ୍ଧି ଲାଭ କଲା । ସାନ ଭାଉଜ ପାଖକୁ ଦୌଡ଼ିଯିବାକୁ ତ ରାସ୍ତା ନାହିଁ । ସୁତରାଂ ଗୋଟାଏ ଅଚଳ ବସ୍ତା ପରି ଏକସ୍ଥାନରେ ପଡ଼ି ରହି ସେ ନିରବରେ ମନୁଷ୍ୟର ସକଳ ଅତ୍ୟାଚାର ସହ୍ୟ କରନ୍ତି । କେବଳ କବାଟ କଣରେ ଆଉ ଗୋଟିଏ ମୂକ ପ୍ରାଣୀ ରୂଷେ, କାନ୍ଦେ, ଉପବାସ ରହେ । ସେଇଟା ଏତେ ବଡ଼ ଗୁରୁତର କଥା ବୋଲି କେହି ଭାବନ୍ତି ନାହିଁ ।

ଗୃହ ମଧ୍ୟରେ କୌଣସି ଆଶ୍ରୟ ଲାଭ ନ କରି, କୌଣସି ଆକର୍ଷଣ ନ ଦେଖି ବାହାର ସହିତ ପଙ୍ଗୁର ଯୋଗ ଘନିଷ୍ଠତର ହୋଇଉଠିଲା । ତାହାର ଗ୍ରୀଷ୍ମ, ବର୍ଷା, ଶୀତ, ଶରତ ଆଦିର ଅନୁଭୂତି ନାହିଁ । ଯେହେତୁ ସେ ସବୁ ସମୟରେ ଖୋଲା ଦେହରେ ଥାଏ । ଯେତେବେଳେ ବର୍ଷା ତୋଫାନରେ ସାପମୁଣ୍ଡ ଚୂରି ହୋଇଯାଇଛି, ସେତେବେଳେ ଦେଖିବ, ପଙ୍ଗୁ ଟାଙ୍ଗରା ମୁଣ୍ଡଟାକୁ ଆକାଶକୁ ଦେଖାଇ ଦୁଆରୀ ନାଚିଲା ପରି ବାଡ଼ି ଖଣ୍ଡେ ଠକ ଠକ କରି ଚାଲିଛି । ଯେତେବେଳେ ତୀବ୍ର ଶୀତରେ ଦିହର ମଞ୍ଜି ଥରିଯାଉଛି, ସେତେବେଳେ ଦେଖିବ ପଙ୍ଗୁ ବଡ଼ି ସକାଳୁ ଉଠି କାରଣରେ ଅକାରଣରେ କୃଷ୍ଣବର୍ଣ୍ଣ ମୁକ୍ତ ଦେହଟାକୁ ଧଳା କୁହୁଡ଼ି ଭିତରେ ପୂରାଇ ଦୁଇମାଇଲ ସିଧା ସଳଖ ରାସ୍ତା ପାହାଡ଼ ଉଠିଲା ପରି ପଡ଼ିଉଠି ବୁଲିଆସିବ । ସେଥିଲାଗି କାହାର କିଛି କୌତୂହଳ ଜନ୍ମେ ନାହିଁ କିମ୍ୱା କେହି କିଛି ପଚାରେ ନାହିଁ । ପ୍ରଥମେ ପ୍ରଥମେ ସେ ଏକ କୌତୂହଳର ପାତ୍ର ହୋଇଥିଲା, କିନ୍ତୁ କ୍ରମେ ତା’ର ଢଙ୍ଗରେ ଢାଙ୍ଗରେ ଅଭ୍ୟସ୍ତ ହୋଇ ଲୋକେ ତା’ ପ୍ରତି ଉଦାସୀନ ହୋଇଗଲେ ।

ଏପରି ଦିନେ ବର୍ଷା ସମୟରେ ପଙ୍ଗୁ କୁଆଡ଼େ କାହିଁକି ଖୋଲାଦେହରେ ବୁଲି ବାହାରି ଥିଲା । ସୂର୍ଯ୍ୟୋଦୟ ହୋଇ ନାହିଁ, ଅସରାଏ ବଡ଼ ବର୍ଷା ପରେ ଅଳ୍ପ ଝୁପୁଝୁପୁ ପାଣି ପଡୁଛି । ପଙ୍ଗୁ ଖୋଲାଦେହରେ ଏହି ତଳ ପାଣି ଉପର ପାଣି ମଝିରେ ପଚ ପଚ କରି ଚାଲିଛି । ଟିକିଏ ଦୂରରେ ଗୋଟାଏ ଆମ୍ୱଗଛ ତଳେ ପୋଖରୀ ଭରିଯାଇ ପାଣିସୁଅ ଚାଲିଛି । ତାହାରି ତଳେ କୁଆଗୁଡ଼ାଏ କାଆ କାଆ କରି ପାଣି ଉପରେ ଗୋଟାଏ କି ବସ୍ତୁକୁ ବେଢ଼ିଛନ୍ତି । ପଙ୍ଗୁ ଟିକିଏ ନିକଟତର ହୋଇ ମୁହଁ ବଙ୍କାଇ ଗୋଟିଏ ଚକ୍ଷୁରେ ସମାନ କରି ବସ୍ତୁଟିକି ନିରେଖି ଚାହିଁ ଦେଖିଲା, ଗୋଟାଏ ବଣିଛୁଆ । ପାଣି ସ୍ରୋତରେ ଭାସି ଭାସି ଯାଉଛି । ତା’ର ଚାରି ପାଖରେ କୁଆଗୁଡ଼ାଏ ବେଢ଼ି ତା’ ପକ୍ଷଗୁଡ଼ିକ ଉପାଡ଼ି ପକାଉଛନ୍ତି । ପଙ୍ଗୁ ବିଚାର କରି କୌଣସି କାର୍ଯ୍ୟ କରେ ନାହିଁ । ତା’ର ବିଚାର ବୁଦ୍ଧି ଅଛି କି ନାହିଁ, ସେ ମଧ୍ୟ ଏକ ସନ୍ଦେହ । କାରଣ ସେ ଯେ ସକଳ କାର୍ଯ୍ୟ କରେ, ପଶୁ ପକ୍ଷୀମାନଙ୍କ ପରି ଗୋଟାଏ instinct ଜୋରରେ କରିଯାଏ ।

ପଙ୍ଗୁ ବଣି ଚଢ଼େଇଟିର ଏ ଦୁର୍ଦ୍ଦଶା ଦେଖି ଆଗପଛ ବିଚାର ନ କରି ଟୁବ୍ କରି ପାଣି ଭିତରକୁ ପଶିଗଲା । ଲେଙ୍ଗଡ଼ା କୁତୀଟା ସଙ୍ଗେ ସଙ୍ଗେ ଚାଲିଥିଲା । ସେ ମଧ୍ୟ ପଙ୍ଗୁ ପଛରେ ପାଣିକୁ ଡେଇଁ ପଡ଼ିଲା । ଜଳ କ୍ରମେ କଟୀ ଅତିକ୍ରମ କରି ବକ୍ଷ ପର୍ଯ୍ୟନ୍ତ ଆସିଲା । ଚଢ଼େଇଟି ଆଉ ତିନି ଚାରି ହାତ ଦୂରରେ । ପଙ୍ଗୁ ବଙ୍କା ହାତଟି ବଢ଼ାଇ ଆଗଭର ହେଲା । ପାଣି କ୍ରମେ ଉଠି ଉଠି ତା’ର ପିଠି କୁଜଟିକୁ ବୁଡ଼ାଇ ଦେଲା । ଯେତେବେଳେ ଜଳ ତା’ର ନାସିକା ସ୍ପର୍ଶକଲା, ସେ ଊଦ୍ଧ୍ୱàମୁଖ ହୋଇ ପକ୍ଷୀଟିର ଉଦ୍ଦେଶ୍ୟରେ ଚାଲିବାକୁ ଆରମ୍ଭ କଲା । ସେତେବେଳକୁ ମେଘମୁକ୍ତ ଆକାଶ ସ୍ୱର୍ଣ୍ଣକିରଣରେ ଭାସି ଉଠିଛି । ପଙ୍ଗୁର ଅସୁନ୍ଦର ମୁଖ ଉପରେ ଦିବସର ସେହି ପ୍ରଥମ ଆଶୀର୍ବାଦଲୋକ ପତିତ ହେଲା । ତା’ର ଓଷ୍ଠକୋଣରେ ଟିକିଏ ମୃଦୁ ହାସ୍ୟରେଖା ଦେଖାଦେଲା । ଏପରି ହାସ୍ୟ ସେ ଜୀବନରେ ହସି ନାହିଁ ।

ତା’ର ଅସମାନ ଅବୟବ ତାକୁ ସନ୍ତରଣ ଶିଖିବାକୁ ଦେଇ ନାହିଁ । ପକ୍ଷୀଟି ଆଉ ଅଳ୍ପ ଦୂରରେ । ଏଇ ଦୁଇ ଖୋଜ ଯାଇପାରିଲେ ହିଁ ହେଲା । ପଙ୍ଗୁ ଏକା ଥରେ ପକ୍ଷୀଟିକୁ ଧରି ନେବାକୁ ହାତ ବଢ଼ାଇ ଦେଲା । ସଙ୍ଗେ ସଙ୍ଗେ ତା’ର ପଦଳିତ ହୋଇ ତା’ର ଶୋଭାହୀନ ଦେହଟାକୁ ଅତଳ ଜଳଗର୍ଭରେ ସମାଧି ଦେଲା । ଆଜୀବନ ଯେ ମାନବ ସମାଜରେ ଘୃଣ୍ୟ, ଉପେକ୍ଷିତ ହୋଇଥିଲା, ଅନ୍ତିମ ମୁହୂର୍ତ୍ତରେ ମଧ୍ୟ ତାକୁ ଲୋକ ଲୋଚନର ଅଗୋଚରରେ ବିଦାୟ ନେବାକୁ ହେଲା ।

ଯେତେବେଳେ ଜଣେ କୃଷକ ଏ ଘଟଣା ଦେଖି ପଣ୍ଡିତଙ୍କ ଗୃହରେ ସମ୍ୱାଦ ଦେଲା ଓ ଲୋକେ ଆସି ପଙ୍ଗୁର ମୃତଦେହକୁ ଜଳ ମଧ୍ୟରୁ ଉଦ୍ଧାର କଲେ, ସେତେବେଳେ ସୂର୍ଯ୍ୟ ଆକାଶର ଅନେକ ପଥ ପର୍ଯ୍ୟଟନ କରିସାରିଛି । ପଙ୍ଗୁକୁ ଜଳ ମଧ୍ୟରୁ ଉଠାଇ ଦେଖାଗଲା, ତା’ର ଗୋଟିଏ ହାତରେ ମୃତ ବଣି ଚଢ଼େଇଟି ଏବଂ ତା’ର ପରିହିତ ବସନର ଗୋଟିଏ ପ୍ରାନ୍ତମୁଖରେ ଧରି ତା’ର ଚିରଦିନର ସାଥୀ ଅନୁଗତ କୁକୁରଟି ପ୍ରଭୁକୁ ଉଦ୍ଧାର କରିବା ଆଶାରେ ଜୀବନ ହରାଇଛି ।

ପଙ୍ଗୁର ଏ ଆକସ୍ମିକ ମୃତ୍ୟରେ ଜଗତରେ କାହାରି କିଛି ଗଲା ନାହିଁ କି ଆସିଲା ନାହିଁ, କିନ୍ତୁ ଅନ୍ଧକାର ପ୍ରକୋଷ୍ଠର ଏକ କୋଣରେ ସେହି ଯେ ସ୍ନେହର ପ୍ରତିମା ନାରୀମୂର୍ତ୍ତିଟି ପଙ୍ଗୁର ଏକମାତ୍ର ଅବଶେଷ ଛୋଟୀ ବିରାଡ଼ିଟିକୁ କୋଳରେ ଜାକି ଦିନ ଯାପନ କରୁଥିଲା, ତାହାର ବାତ୍ସଲ୍ୟପୂର୍ଣ୍ଣ ତରଳ ଅନ୍ତର କି ନିଧି ହରାଇ ଯେ ବେଦନାର ତପ୍ତବାରି ନିରବରେ ଢାଳୁଥିଲା, ତାହା ସେହି ଜାଣେ ।

ଲୋକପ୍ରିୟ ଲେଖା

To Top