ଗଳ୍ପ

ପାଷାଣର ପ୍ରତୀକ୍ଷା

Kalindicharana Panigrahi's Odia Story PASHAANARA PRATIKHYA

କାରଣ ଯୁବକଟିର ସ୍ଥିରତା ଲୋଡ଼େ ନାହିଁ, ଗତି ଲୋଡ଼େ- ଅଚଞ୍ଚଳ ନୀରବ ଧ୍ୟାନ ଲୋଡ଼େ ନାହିଁ, ଚଞ୍ଚଳ ମୁଖର ପ୍ରାଣ ପ୍ରେରଣା ଲୋଡ଼େ- ପ୍ରଥମଟି ହେମମାଳୀ, ଦ୍ୱିତୀୟଟି ସେହି ନଦୀତଟ ଖରସ୍ରୋତା ବିହ୍ୱଳମୟୀ ପ୍ରତିମା ।

ପାଷାଣର ପ୍ରତୀକ୍ଷା

-: ପୁର୍ବରୁ :-

ସେଦିନ ଦୋଳପୂର୍ଣ୍ଣିମା । ସୂର୍ଯ୍ୟ ଚକ୍ରବାଳକୁ ସ୍ପର୍ଶ କରି ନ ଥିଲେ ହେଁ, ରକ୍ତାଭ ହୋଇଉଠିଅଛି ଏବଂ ଆକାଶରେ ଓ ନଦୀଗର୍ଭରେ ଅବିରରାଶି ବିଞ୍ଚି ଦେଇଅଛି । ନିରୁପମ ଏକ ମନରେ ମାଛ ଧରୁଅଛି । ହଠାତ୍ ତାହାର ଦୃଷ୍ଟି ନଦୀର ବିପରୀତ ପାର୍ଶ୍ୱକୁ ଆକୃଷ୍ଟ ହେଲା । ସେ ଦେଖିଲା, ଅପର ପାର୍ଶ୍ୱର ଆମ୍ର ପୁନ୍ନାଗ ବନରୁ ଗୋଟିଏ ତରୁଣୀ ଓ ଗୋଟିଏ ଯୁବତୀ କଳହାସ୍ୟ କରି ଦ୍ରୁତଗତିରେ ନଦୀଗର୍ଭରେ ଝାମ୍ପଦେଲେ ଓ ପରମୁହୂର୍ତ୍ତରେ ନଦୀର ସ୍ୱର୍ଣ୍ଣଜଳକୁ ମଧୁମୟ କରି ସନ୍ତରଣ କଲେ । ସ୍ୱଚ୍ଛ ନଦୀ ଜଳରେ ସ୍ୱର୍ଣ୍ଣମତ୍ସ୍ୟ ପରି ତରୁଣୀର ସୁକୁମାର ଅଙ୍ଗଯଷ୍ଟି ଲୀଳାୟିତ ହେଉଥିଲା । ନିରୁପମର ସର୍ବାଙ୍ଗରେ ଗୋଟିଏ ଅନନୁଭୂତ ସ୍ପନ୍ଦନ ଖେଳିଗଲା । ସେ ମୁଗ୍ଧ ବିହ୍ୱଳ ହୋଇ ସକଳ ଅଙ୍ଗରେ ଯେପରି ଏହି ଷୋଡ଼ଶୀ ତରୁଣୀର ଅନୁପମ ରୂପରାଶି ପାନ କରୁଥିଲା । ନିଜେ ଯେପରି ସ୍ଥାନରେ ବସିଥିଲା, ସେଥିରେ ଯେ ସେମାନଙ୍କର ଦୃଷ୍ଟିଗୋଚର ହୋଇପାରେ, ସେଥିପ୍ରତି ତା’ର ଲକ୍ଷ୍ୟ ନ ଥିଲା ।

ସ୍ନାନାନ୍ତେ ବାଳିକାଟି ଜଳମଧ୍ୟରୁ ଅଙ୍ଗ ଉତ୍ତୋଳନ କରି ତଟଭୂମିରେ ଦଣ୍ଡାୟମାନ ହେଲା । ଶୁଭ୍ର ଆର୍ଦ୍ରବସ୍ତ୍ର ମଧ୍ୟରେ ତା’ର ରୂପର ଲାଳିତ୍ୟ କ୍ରୀଡ଼ା କରୁଥିଲା । ପ୍ରବୀଣା ଯୁବତୀଟି ତଟସ୍ଥିତ ଖଣ୍ଡିଏ କଷାୟ ରଙ୍ଗର ଶୁଷ୍କ ବସ୍ତ୍ର ଆଣି ବାଳିକା ହସ୍ତରେ ଦେଲା । ପବନର ଅବାଧ୍ୟତାରେ ଉତ୍ତ୍ୟକ୍ତ ହୋଇ ବାଳିକାଟି ବସ୍ତ୍ର ପରିଧାନ କଲା ଏବଂ ତା’ର ଆଜାନୁଲମ୍ୱିତ କେଶଦାମରୁ ଜଳ ନିଷ୍କାସନ ପାଇଁ ସୂର୍ଯ୍ୟମୁଖୀ ହୋଇ ବସ୍ତ୍ର ସାହାଯ୍ୟରେ ଦୁଇ ହସ୍ତ ପୃଷ୍ଠଦେଶକୁ ନେଲା ଏବଂ ଅଙ୍ଗୁଳି ସାହାଯ୍ୟରେ ତାର ଉନ୍ମୁକ୍ତ କେଶଗୁଚ୍ଛକୁ ପ୍ରସାଧନ କରିବାକୁ ଲାଗିଲା । ତା’ର ବକ୍ଷ ଉନ୍ନତତର ହେଲା, ଅଙ୍ଗପ୍ରତ୍ୟଙ୍ଗ ସ୍ପଷ୍ଟତର ହେଲା । ତା’ର ଆୟତ ଚକ୍ଷୁରେ ସ୍ୱର୍ଣ୍ଣାଭ ଖେଳି ବୁଲିଲା, କର୍ଣ୍ଣମୂଳରେ ଚୂର୍ଣ୍ଣକୁନ୍ତଳ ଧୀରେ ଧୀରେ ବ୍ୟଜନ କଲା । ତା’ର କଷାୟ ବସ୍ତ୍ର, ଗୌର-କାନ୍ତି ଓ ସୂର୍ଯ୍ୟର ସ୍ୱର୍ଣ୍ଣାଭ ଏକ ରଙ୍ଗଛବି ପରି ପ୍ରତୀୟମାନ ହେଲା । ପଶ୍ଚାତ୍‌ରେ ତା’ର ଘନସନ୍ନିବିଷ୍ଟ ଆମ୍ର ପୁନ୍ନାଗ ବନରାଜି, ପୃଷ୍ଠଦେଶରେ ସୁନୀଳ ସୁଦୀର୍ଘ କେଶଦାମ, ଆକାଶରେ ରାଗରଞ୍ଜିତ ବଉଦଖଣ୍ଡ, ନଦୀଜଳରେ ତନୁର ଲୋଭନୀୟ ଲୀଳାୟମାନ ପ୍ରତିଚ୍ଛବି ।

ନିରୁପମ କେତେକ୍ଷଣ ଏକ ଦୃଷ୍ଟିରେ ଏ ରୂପର ସୁଷମା ଦର୍ଶନ କରୁଥିଲା, ସେ ଜାଣେ ନାହିଁ । ବାଳିକା ସେହି ସ୍ଥାନ ପରିତ୍ୟାଗ କରି ଯିବାପରେ ମଧ୍ୟ ତା’ର ଛବି ଯେପରି ଏହି ଦୃଶ୍ୟପଟରେ ଚିରକାଳ ପାଇଁ ଅଙ୍କିତ ରହିଲା । କାରଣ ମଧୁର ସ୍ୱରର ଝଙ୍କାର ଯେପରି ବହୁଦିନ ଯାବତ୍ କର୍ଣ୍ଣକୁହରରେ ବାଜି ଉଠେ, ବାଳିକା ଚାଲିଯିବା ପରେ ମଧ୍ୟ ନିରୁପମ ବହୁକ୍ଷଣ ତାଜୁବ୍ ତା’ର ଛବିଟିକୁ ସେହି ତୀରଭୂମିର ଦୃଶ୍ୟପଟରେ ଅବଲୋକନ କରୁଥାଏ । ଅବଶେଷରେ ତା’ର ଚେତନା ହେଲା, ଯେତେବେଳେ ଜଣେ ଗ୍ରାମ୍ୟସଙ୍ଗୀ ପଛରୁ ଆସି ଡାକିଲା, କିହେ ନିରୁବାବୁ, ବନ୍‌ଶୀରେ ଆଜି ମାଛ ନାହିଁ କି ? ନିରୁପମ ବନ୍‌ଶୀ କଥା ଏକାବେଳକେ ଭୁଲି ଯାଇଥିଲା । ସେଥିରୁ ପୁଣି ଆଜି ଏପରି ଏକ ଅଦ୍ଭୁତ ମାଛ ଧରା ପଡ଼ିବ, ସେ କଥା ତା’ର ଖିଆଲ ନ ଥିଲା ।

ସେ ବନ୍‌ଶୀ ଧରି ଗୃହାଭିମୁଖରେ ଚଳିଲା । ସେତେବେଳକୁ ହେମମାଳୀ ଦେବତାଙ୍କର ଭୋଗ ସଜାଡୁଛି । ନିରୁପମର ମନ ଅଜ୍ଞାତରେ ହାଲ୍କା ହୋଇ ଉଠିଅଛି । ସେ ସିଧା ସିଧା ହେମ ନିକଟକୁ ଯାଇ କହିଲା, କି ହେମ, ଆଜି ତ ଭାରି କାମ ଲାଗିଯାଇଛି । ହେମ ଭୋଗ ସଜାଡ଼ିବା କାର୍ଯ୍ୟ ବନ୍ଦ କରି ଉଠିପଡ଼ି ଟିକିଏ ମୃଦୁ ହସିଲା । ସେ ହସିବାର ଅର୍ଥ, ହେମ ଉପରେ ଏପରି ଭାରି କମ୍ ପ୍ରତିଦିନ ଲାଗି ରହିଛି, କେବଳ ନିରୁପମର ଦୃଷ୍ଟିଗୋଚର ହେବା ଆଜି ପ୍ରଥମ । ନିରୁପମ ହେମ ମୁଖକୁ ନିରୀକ୍ଷଣ କରି ଚାହିଁଲା । ତା’ର ମନେହେଲା, ଆଜି ଯେପରି ଏହି ସାରଲ୍ୟମଣ୍ଡିତ ମହନୀୟ ବାଳିକାର ପ୍ରଭାତକମଳୋପମ୍ ପ୍ରଶାନ୍ତ ବଦନ ଏହି ତା’ର ପ୍ରଥମ ପରିଚିତ ହେଲା । ହେମର ସ୍ନେହତରୁ ଯେ ନିଭୃତରେ ନୀରବରେ ବର୍ଦ୍ଧିଷ୍ଣୁ ହୋଇ ଉଠୁଥିଲା, ନିରୁପମର ପ୍ରତିଭା ପୂଜା ପାଇଁ ତା’ର ଆନ୍ତରିକ ଭକ୍ତି ଯେ ସଦା ଉନ୍ମୁଖୀନ ରହିଥିଲା, ସେ ଖବର ନିରୁପମ ଏ ପର୍ଯ୍ୟନ୍ତ ରଖି ନାହିଁ କିମ୍ୱା ଆଜି ମଧ୍ୟ ବୁଝିପାରି ନାହିଁ । ହେମମାଳୀର ସେବା ଯେ ପ୍ରୟୋଜନବିହୀନ, ତାହା ବରଂ ଚାହେଁ ନାହିଁ, ଦେହ ମାଗେ ନାହିଁ, ପ୍ରାଣମନ ମାଗେ ନାହିଁ, କେବଳ ସେବାରେ ତା’ର ଆନନ୍ଦ, ଲାଭରେ ନୁହେଁ, ହେମମାଳୀର ତପସ୍ୟା ଯେ ପାର୍ବତୀଙ୍କ ତପସ୍ୟାଠାରୁ କଠିନତର, ମହନୀୟତର, ସେ ଯେ ନିଷ୍କାମ- ସେଥିରେ ଲାଭ ନାହିଁ, ଲୋଭ ନାହିଁ, ପ୍ରତିଗ୍ରହଣ ଇଚ୍ଛା ନାହିଁ, ପ୍ରତିଦାନର ଦାବି ନାହିଁ, ସେ କଥା ନିରୁପମ ଏ ପର୍ଯ୍ୟନ୍ତ ବୁଝି ପାରି ନାହିଁ କିମ୍ୱା ଆଜି ମଧ୍ୟ ବୁଝିଲା ନାହିଁ ।

ସେ ଦେଖିଲା ହେମମାଳୀର ସୌନ୍ଦର୍ଯ୍ୟ । ଆବାଲ୍ୟ ଗୃହକର୍ମରେ ଲିପ୍ତ ରହି ତା’ର ବଦନଶ୍ରୀ ଅଭାବନୀୟ ପଟୁତା ଓ ନିପୁଣତାରେ ମଣିତ । ଗୃହକର୍ତ୍ତ୍ରୀର ବେଶ ପରିଗ୍ରହ କରି ତା’ର ଅଞ୍ଚଳଦେଶ ଦୃଢ଼ଭାବରେ କଟୀ ଚତୁଃପାର୍ଶ୍ୱରେ ନିବଦ୍ଧ ଏବଂ ସେଥିଲାଗି ତା’ର ସୁଗୋଲ ସୁଗଠଣ ଦକ୍ଷିଣ ଭୁଜଟି ଆମୂଳ ଆବରଣଶୂନ୍ୟ ହୋଇ ପଡ଼ଅଛି । ପରିଶ୍ରମଜନିତ ଘର୍ମ ତା’ର କପୋଳଦେଶ ଓ ବାହୁଲତା ଉପରେ ସ୍ପଷ୍ଟ ହୋଇ ଉଠିଅଛି ଏବଂ ସ୍ଥାନେ ସ୍ଥାନେ ଘର୍ମାକ୍ତ ବସ୍ତ୍ର ଅଙ୍ଗଦେଶରେ ଜଡ଼ି ଯାଇଅଛି । ଦୀପାଲୋକ ତା’ର ଗଣ୍ଡଦେଶରେ ଓ ବାହୁରେ ପଡ଼ି ନବୋଦ୍‌ଗତ ସୂକ୍ଷ୍ମ ଲୋକରାଜିକୁ ଚିହ୍ନାଇ ଦେଉଅଛି । କଣ୍ଠଦେଶରେ ସ୍ୱର୍ଣ୍ଣ ହରଡ଼ ମାଳି ସେ ଗଳାର ସୌନ୍ଦର୍ଯ୍ୟ ବୃଦ୍ଧି କରୁଅଛି କିମ୍ୱା ଗଳା ତାହାର ସୌନ୍ଦର୍ଯ୍ୟ ବଢ଼ାଉଅଛି, ତାହା ବୁଝିବା ଅସାଧ୍ୟ । ଅଳ୍ପକାଳ ପୂର୍ବେ ଯେ ସୌନ୍ଦର୍ଯ୍ୟ ନିରୁପମକୁ ମୁଗ୍ଧ ବିହ୍ୱଳ କରି ଦେଇଥିଲା, ଏ ସୌନ୍ଦର୍ଯ୍ୟ ତାହା ନୁହେଁ । ଏହା ଶାନ୍ତ କମନୀୟ, ଏ ସୌନ୍ଦର୍ଯ୍ୟ ତପସ୍ୱିନୀର ସୌନ୍ଦର୍ଯ୍ୟ । ଏ ସୌନ୍ଦର୍ଯ୍ୟ ଅସ୍ତରାଗର ବିହ୍ୱଳ ମଦିରାରେ ମନୁଷ୍ୟକୁ ସ୍ୱପ୍ନାବିଷ୍ଟ ଅଚେତନ କରେ ନାହିଁ, ଆଜିର ଏହି ପୂର୍ଣ୍ଣିମା ଜ୍ୟୋତ୍ସ୍ନା ପରି ତାହା କ୍ଳାନ୍ତ କୋମଳ, ଏହି ଦିନାନ୍ତ, ମୃଦୁ ମନ୍ଦ ସମୀରଣ ପରି ଶାନ୍ତଶୀତଳ ।

ଏ ସୌନ୍ଦର୍ଯ୍ୟ ନିକଟରେ ନିରୁପମର ଉଦ୍ଦାମ ଯୁବକପ୍ରାଣ ମଧ୍ୟ କ୍ଷଣକ ଲାଗି ନତ, ସ୍ତମ୍ଭିତ ହୋଇଗଲା । ସାରଲ୍ୟ ଓ ପବିତ୍ରତାର ବିଜୟଗୌରବରେ ହେମମାଳୀର ମୁଖମଣ୍ଡଳ ଉଦ୍ଭାସିତ ହୋଇଉଠିଥିଲା । ସେଥିରେ ଉନ୍ମାଦନା ନାହିଁ, ଅଶାନ୍ତି ଅସ୍ୱସ୍ତି ନାହିଁ, ଅଛି କେବଳ ସ୍ନିଗ୍ଧଶୀତଳ ଗୋଟାଏ କଲ୍ୟାଣମୟୀ ମହିମା, ଜାଜ୍ଜ୍ୱଲ୍ୟମାନ ଏକ ନାରୀତ୍ୱର ଦୀପ୍ତି । ନିରୁପମ ଚକ୍ଷୁ ଫେରେଇ ନେଇ ଦ୍ୱିତୀୟଥର ସେ ମୁଖକୁ ଯେତେବେଳେ ଚାହିଁଲା, ସେ ଏହି ଚିର ଚାଞ୍ଚଲ୍ୟମୟୀ ଧରଣୀପୃଷ୍ଠରେ ଏକମାତ୍ର ସ୍ଥିର ଅଚଞ୍ଚଳ- ଆଶିଷମୟୀ ଦେବକନ୍ୟା । ନିରୁପମ ଦ୍ୱିତୀୟଥର ଯେତେବେଳେ କଥା କହିଲା, ସେ ବାକ୍ୟରେ ଆଉ ପୂର୍ବପରି ଉତ୍ତେଜନା ନାହିଁ- ଅତି ଧୀରେ ଧୀରେ ତାହା ଉଚ୍ଚାରିତ ହେଲା, ହେମ, ଅନେକ ତ ଖଟିଲଣି, ଟିକିଏ ବିଶ୍ରାମ ନିଅ । ନିରୁପମଠାରୁ ଅକସ୍ମାତ୍ ଏପରି ସମ୍ମାନସୂଚକ ସମ୍ୱୋଧନ ପାଇ ହେମ ଆଉ ଥରେ ସେହିପରି ଅର୍ଦ୍ଧଗଭୀର ହାସ୍ୟ ହସିଲା, ଅଥଚ ଆଦେଶପାଳନ କରି ସେ ସ୍ଥାନ ପରିତ୍ୟାଗ କଲା, କିନ୍ତୁ ନୈସର୍ଗିକ ସାରଲ୍ୟ ଓ କରୁଣାରେ ମଣ୍ଡିତ ସେ ହାସ୍ୟଟିକ ।

ବର୍ଣ୍ଣିତ ଏହି ଦିଓଟି ସୌନ୍ଦର୍ଯ୍ୟକୁ ପରସ୍ପର ପାର୍ଶ୍ୱବର୍ତ୍ତୀ କରି ରଖି ଦେଇ ଯେବେ ଉଭୟ ମଧ୍ୟରୁ ଗୋଟିକୁ ବାଛିବାର ପ୍ରଶ୍ନ ଉଠେ, ତେବେ ବୋଧହୁଏ ଉଦ୍ଦାମ ଯୁବକ ମନ ପ୍ରଥମଟିରେ ଅଭିଳାଷ ପ୍ରକାଶ କରିବ । କାରଣ ଯୁବକଟିର ସ୍ଥିରତା ଲୋଡ଼େ ନାହିଁ, ଗତି ଲୋଡ଼େ- ଅଚଞ୍ଚଳ ନୀରବ ଧ୍ୟାନ ଲୋଡ଼େ ନାହିଁ, ଚଞ୍ଚଳ ମୁଖର ପ୍ରାଣ ପ୍ରେରଣା ଲୋଡ଼େ- ପ୍ରଥମଟି ହେମମାଳୀ, ଦ୍ୱିତୀୟଟି ସେହି ନଦୀତଟ ଖରସ୍ରୋତା ବିହ୍ୱଳମୟୀ ପ୍ରତିମା । ନିରୁପମର ଚିତ୍ତ ସେହି ପ୍ରତିମାଟି ପ୍ରତି ଆକୃଷ୍ଟ ହେଲା । ଆଉ ମଧ୍ୟ ଆବାଲ୍ୟ ପରିଚିତା ହେମମାଳୀକୁ ଲଭିବାର ଇଚ୍ଛା ତା’ର କୌଣସି ଦିନ ଜନ୍ମି ନଥିଲା କିମ୍ୱା ତା’ର ସମ୍ଭାବନା ସେ ଦେଖି ନାହିଁ ।

ପରଦିନ ସେ ବନ୍‌ଶୀ ହସ୍ତରେ ନଦୀତୀରକୁ ଗଲା, ଠିକ୍ ସେହି ସମୟକୁ । ବନ୍‌ଶୀର ଦୃଷ୍ଟି ଅପସୃତ ହୋଇ ବିପରୀତ ପାର୍ଶ୍ୱର ସେହି ତଟଭୂମିଖଣ୍ଡ ଉପରେ ନିବଦ୍ଧ ରହିଲା, ପୂର୍ବ ଦିବସ ଯେଉଁଠାରେ ସେହି କୋମଳ ଲଘୁ ପଦପଲ୍ଲବ ନିହିତ ଥିଲା । ଦିନ ମଣିର ସେହି ଅସ୍ତରାଗରଞ୍ଜିତ ମୁଖଶ୍ରୀ, ସେହି ଚିକ୍କଣ ଭ୍ରୁଯୁଗଳ, ସେହି ସୁନୀଳ କେଶଦାମ, ସେହି କମ୍ପିତ କୋମଳ ଅଧର, ସେହି ରକ୍ତବାସ, ଆକାଶରେ ସେହି ସ୍ୱର୍ଣ୍ଣବଉଦଖଣ୍ଡ, ଜଳ ମଧ୍ୟରେ ସେହି ଲୋହିତ ଛାୟା ।

ନିରୁପମ ଅଭିଭୂତ ହୋଇ କେତେକ୍ଷଣ ଏହି ଶୋଭାକୁ ଚାହିଁ ରହିଲା । ପଟ୍ଟପରିବର୍ତ୍ତନ କରି ପରମୂହୂର୍ତ୍ତରେ ଦେଖାଗଲା ସେହି ଜିନଶୂନ୍ୟ ତଟଦେଶ- ରହିର ରକ୍ତାଭଛଟା ନଦୀର ଅଦୂର ଶୁଭ୍ର ବାଲୁକାଶଯ୍ୟାରୁ ଉତ୍ଥିତ ହୋଇ ଘନସନ୍ନିବିଷ୍ଟ ତଟବନାନୀର ଉପର ଦେଇ ଧୀରେ ଧୀରେ ଅପସୃତ ହେଉଅଛି ଏବଂ ଛାୟା ସମାନ ଗତିରେ ଅଗ୍ରକୁ ସଞ୍ଚରଣ କରୁଅଛି । ବକପଂକ୍ତି ସର୍ବାଙ୍ଗ ରାଗରଞ୍ଜିତ ହୋଇ ପୂର୍ବମୁଖରେ ଧାବିତ ହେଉଅଛନ୍ତି, ତଟ କାନନରୁ ପକ୍ଷୀର କାକଳି ମୁଖରିତ ହୋଇଉଠୁଅଛି ।

ନିରୁପମର ସମସ୍ତ ଦେହ ଅବଶ ଅବସନ୍ନ ହୋଇପଡ଼ିଲା । ଯେତେବେଳେ ସେ ଦୀର୍ଘନିଃଶ୍ୱାସ ପକାଇ ଗାତ୍ରୋତ୍‌ଥାନ କଲା, ସେତେବେଳକୁ ପୂର୍ବକାଶରେ କୃଷ୍ଣପକ୍ଷରେ ପ୍ରତୀପଚନ୍ଦ୍ର ଉଠି ନାହିଁ । କେବଳ ଉଜ୍ଜ୍ୱଳ ଶୁକ୍ରତାରା ଦୟାନଦୀର ଗଭୀରତମ ଗର୍ଭରେ ହସୁଅଛି ।

ତା’ପରେ

ଲୋକପ୍ରିୟ ଲେଖା

To Top