ଗଳ୍ପ

ପାଷାଣର ପ୍ରତୀକ୍ଷା

Kalindicharana Panigrahi's Odia Story PASHAANARA PRATIKHYA

ନିରୁପମ ବାକ୍ୟୋଚ୍ଚାରଣ ନ କରି ଉଠି ଠିଆହେଲା ଏବଂ ଧୀରେ ଧୀରେ ହେମକୁ ବକ୍ଷ ଦେଶକୁ ଟାଣି ଆଣି ତା’ର ସ୍ୱଚ୍ଛ ଲୋତକକୁ ଚୁମ୍ୱନ କଲା । ଚାମେଲୀଠାରେ ସେ ନିଜକୁ ହରାଇଥିଲା, ଆଜି କିନ୍ତୁ ହେମଠାରେ ନିଜକୁ ଫେରିପାଇଲା ।

ପାଷାଣର ପ୍ରତୀକ୍ଷା

-: ପୁର୍ବରୁ :-

ଗିରିଗଡ଼ ଗୃହ ପୁନଶ୍ଚ ହସି ଉଠିଛି । ଚାମେଲୀ ଓ ନିରୁପମର ଅଭାବରେ ଏ କେତେଦିନ ତାହା ଶ୍ରୀହୀନ ବୈଧବ୍ୟବ୍ରତ ଧାରଣ କରିଥିଲା, ବର୍ତ୍ତମାନ ପୁଣି ସବୁ ସହଜ ସରଳ ହୋଇପଡ଼ିଛି । ଚାମେଲୀର କରସ୍ପର୍ଶରେ ଉଦ୍ୟାନ ପୁଣି ସୁସଜ୍ଜିତ, ପ୍ରସ୍ଫୁଟିତ ! ଘର ବାହାର ଚାରିଆଡ଼େ ଆନନ୍ଦର ଢେଉ । ଲୋକଙ୍କର ପୁଣି ଯିବା ଆସିବା-ପୁଣି ସଙ୍ଗୀତଶିକ୍ଷା, ଚିତ୍ରାଙ୍କନ । ଛବିର ରେଖା ଟାଣୁ ଟାଣୁ ଚାମେଲୀ କହେ, “ଆଚ୍ଛା ତୁମେ ହେମଅପାଙ୍କୁ ବାହା ନ ହେଲ କାହିଁକି ?” ନିରୁପମ ବ୍ୟଥିତ ଦୃଷ୍ଟିରେ ଚାହିଁ ମୃଦୁ ସ୍ୱରରେ କହେ, “ମୁଁ କ’ଣ କାହାରିକି ବାହା ହୋଇଛିରେ ପାଗଳି ? ମୋ ଇଚ୍ଛାରେ ମୁଁ କ’ଣ ତତେ ବାହା ହୋଇଛି ? ସେ ତ ବାହା ହେବା ନୁହେଁ, ସେ କେବଳ ପାଇବା । ସେ ପାଇବା ଚିରକାଳର, ସନାତନ”- ଚାମେଲୀ କୌତୂକ କରି କହେ, “ଥାଉ ତୁମର ସେ ଚିରକାଳ କଥା । ଆଚ୍ଛା, ମୁଁ ଯେବେ ନଥାନ୍ତି, ତୁମେ କ’ଣ ତାଙ୍କୁ ବାହା ହୋଇଥାନ୍ତା”- ନିରୁପମ କରୁଣକଣ୍ଠରେ କହେ, “ତୁ ନଥିଲେ କ’ଣ ମୁଁ ଥା’ନ୍ତିରେ ପାଗଳି ?” ଚାମେଲୀ ପୁଣି ଛବି ଆଙ୍କିବାକୁ ବସି ଗୁଣୁ ଗୁଣୁ ସ୍ୱରରେ କହେ, “ହଁ, ତୁମେ ନିଶ୍ଚୟ ଥା’ନ୍ତ । ସବୁଦିନେ ତୁମେ ଥା’ନ୍ତ ।”

ହେମ ଯେଉଁଦିନ ସମ୍ୱାଦ ପାଇଲା- ଚାମେଲୀର ପ୍ରସବ ବେଦନା ଆରମ୍ଭ ହୋଇଛି, ସେହିଦିନ ସେ ସଙ୍ଗେ ସଙ୍ଗେ ଗାଡ଼ି କରି ଗିରିଗଡ଼ରେ ଉପସ୍ଥିତ ହେଲା । ତିନି ଦିନ ତିନି ରାତି ଚାମେଲୀ କଷ୍ଟ ଭୋଗିଲା । ତିନି ଦିନ ତିନି ରାତି ହେମ ଚକ୍ଷୁରେ ନିଦ୍ରା ନାହିଁ । ଶୁକପକ୍ଷୀ ଆହାର ନ ପାଇ ଚିତ୍କାର କଲା, ପୁଷ୍ପ ଉଦ୍ୟାନରେ ଗୋରୁ ପଶି ନଷ୍ଟ କଲେ- ନିରୁପମ କୌଣସି ଖବର ନେଲା ନାହିଁ ।

ଚାମେଲୀର କଷ୍ଟ ଦେଖି ହେମର ଦୁଇ ଚକ୍ଷୁ ଲୋତକପୂର୍ଣ୍ଣ ହୋଇଉଠେ । କିନ୍ତୁ ଚାମେଲୀ ହେମର ପଦଧୂଳି ମସ୍ତକରେ ବୋଳି ମୃଦୁ ହସି କହେ, “ଅପା, ଦୁଃଖ କଷ୍ଟ କିପରି ସହିବାକୁ ହୁଏ, ମୁଁ ତୁମଠାରୁ ଶିଖିଛି । ତୁମେ ତ ମର୍ତ୍ତ୍ୟର ନୁହଁ, ସ୍ୱର୍ଗର ଦେବୀ !” ହେମ ପୁଳାଏ କାନି ଆଖିରେ ଗୁଞ୍ଜି କଇଁ କଇଁ ହୋଇ କାନ୍ଦିଉଠେ । ମନେ ମନେ କହେ, “ଦେବୀ ମୁଁ, ନା ତୁ !”

ଚତୁର୍ଥ ଦିବସରେ ଗୋଟିଏ ମୃତ ସନ୍ତାନ ଜାତ ହେଲା, କିନ୍ତୁ ଜନନୀର ଅବସ୍ଥା ଭଲ ହେଲା ନାହିଁ । ସେ ଅତ୍ୟଧିକ ଦୁର୍ବଳ ହୋଇପଡ଼ିଛି, ମଧ୍ୟେ ମଧ୍ୟେ ଅପ୍ରାସଙ୍ଗିକ କଥା କହୁଛି । ହେମ ଅହରହ ତାହାର ଶୁଶ୍ରୂଷାରେ ବ୍ୟସ୍ତ । ପ୍ରତି କଥାରେ ଚାମେଲୀ ମୁଖରେ ମୃଦୁ ହାସ୍ୟ ଲାଗିରହିଛି । କିନ୍ତୁ ଆଜି କାହିଁକି ଉଦ୍‌ବେଗ ଭରେ ସେ ହେମର ହାତ ଧରି ପକାଇ କହିଲା, “ଅପା, ତୁମକୁ କେତେଦିନୁ ଗୋଟିଏ କଥା ମାଗିବି ବୋଲି ଭାବୁଚି, ଆଜିଯାଏ ସାହସ କରି କହିପାରି ନାହିଁ । କହ, ଦେବ ନିଶ୍ଚୟ !” ହେମ ଦେଖିଛି, ଚାମେଲୀର ସ୍ନେହ କାହାରି ଦ୍ୱାରରେ କୌଣସି ଦିନ ଭିକ୍ଷା କରିନାହିଁ । ସେ ଯାହା ଚାହିଁଛି, ସଙ୍ଗେ ସଙ୍ଗେ ତାହା ଛଡ଼ାଇ ଆଣିଛି । ହେମ ଈଷତ୍ ହାସ୍ୟ କରି କହିଲା, “ତୋତେ କୌଣସି ଦିନ କେହି କିଛି ନାହିଁ କରିପାରେ ଲୋ ଭଉଣୀ ! କିନ୍ତୁ ହେମ ଯାହା କୌଣସି ଦିନ ଚିନ୍ତା କରି ନାହିଁ, ଚାମେଲୀ ସେହିକଥା କହିଲା, “ଅପା, ତୁମର ଧନ ମୁଁ ଛଡ଼ାଇ ଆଣିଛି, ମତେ କ୍ଷମା ଦେବ ।” ତାହାର ମସ୍ତକକୁ କୋଳକୁ ଟାଣି ଆଣି ହେମ ସହଜ ଭାବରେ କହିଲା, “କ୍ଷମା କ’ଣ ଲୋ ଭଉଣୀ, ନିରୁବାବୁ ତୋତେ ପାଇବାରେ ମୁଁ ଯେ ସୁଖୀ ହୋଇଛି, ମୋତେ ପାଇଥିଲେ ମୁଁ ତ ସେପରି ହୁଅନ୍ତି କି ନାହିଁ ଭାବିପାରୁନାହିଁ ।” ଚାମେଲୀ ମୃଦୁ ହସି ପୁନଶ୍ଚ ହେମର ପଦଧୂଳି ନେଇ ମସ୍ତକରେ ଲଗାଇଲା । ହେମ ଏଡ଼େ ଉଦାର, ଏଡ଼େ ମହତ- ଜଗତରେ ଦୁଃଖ ତ ଏହିମାନଙ୍କ ପାଇଁ ସୃଷ୍ଟି । ନ ହେଲେ ତାହା ବହିବାକୁ ଶକ୍ତି କାହାର !

କିଛିକ୍ଷଣ ପରେ ଚାମେଲୀ ପୁନର୍ବାର କହିଲା, “ଆଉ ଗୋଚିଏ କଥା ଅପା । ମୋ ଅନ୍ତେ ତୁମ୍ଭଛଡ଼ା ତାଙ୍କୁ ଦେଖିବାକୁ ଜଗତରେ କେହି ନାହିଁ । ଆଖିରେ ଟିକିଏ ଗୁଣ୍ଡ ପଡ଼ିଲା ପରି ମୋତେ ମନରୁ ପୋଛି ପକାଇବ ।” ପୁଣି କିଛିକ୍ଷଣ ପରେ ଆଦ୍ର କଣ୍ଠରେ କହିଲା, “ମୁଁ ଅଭାଗୀ କେତେଟା ଦିନ ପାଇଁ ତୁମ ସୁଖ ଆଗରେ ଠିଆ ହେଲି । ମତେ କ୍ଷମା ଦେବ ନାହିଁ ଅପା ?” ତାହାର ଚକ୍ଷୁ ଜଳପୂର୍ଣ୍ଣ ହୋଇଉଠିଲା । ସେ ପୁଣି କହିବାକୁ ଲାଗିଲା, “ମୁଁ ତାଙ୍କୁ କିଛି ଦେଇ ନାହିଁ ଅପା, ସେବାପୂଜା କିଛି ଜାଣେ ନାହିଁ । ସେଥିପାଇଁ ତ ସେ ମୋତେ ସବୁବେଳେ ପାଗଳୀ ବୋଲି ଡାକନ୍ତି ।” ହେମ ଆଉ ରହିପାରିଲା ନାହିଁ । ଆଖିରେ ଲୁଗା ଦେଇ ବାହାରକୁ ଉଠିଗଲା ।

ବୈଦ୍ୟ ଡାକ୍ତର ଆସି ଦେଖିଗଲେ, ସେମାନଙ୍କ ମୁଖରେ ନିରାଶାର ଭାବ । ନିରୁପମ ବାରଣ୍ଡାର ଇଜି ଚେୟାରଟି ଉପରେ ବସି ମଧ୍ୟାହ୍ନ ଆକାଶକୁ ଶୂନ୍ୟ ଦୃଷ୍ଟିରେ ଚାହିଁ ରହିଛି । ଚତୁର୍ଦ୍ଦିଗରେ ନିଃସୀମ ନୀଳିମା ଭେଦକରି ଆଶାର କ୍ଷୀଣ ବିନ୍ଦୁପରି ବହୁଦୂରରେ ଚିଲ ଭାସିଯାଉଛି । ଅଦୂରସ୍ଥ ବୃକ୍ଷମୂଳରେ ଗୋଟାଏ ତୃଷିତ କୁକୁର ଜିହ୍ୱା ପ୍ରସାରଣ କରି ଧକାଉଛି ।

ହେମ ଆସି ନିରୁପମକୁ ଗୃହ ମଧ୍ୟକୁ ଡାକିନେଲା ।

ଚାମେଲୀ ମୃଦୁ ହସି କହିଲା, “ଦେଖିବଟି ଅପା, ମୁଁ କ’ଣ ସବୁବେଳେ ୟା’ଙ୍କୁ ବିରକ୍ତ କରୁଛି ? ଏତେବେଳେ ବି ସେ ଟିକିଏ ପାଖକୁ ଆସୁ ନାହାନ୍ତି ।” ନିରୁପମ ମୂକ ମନ୍ତ୍ରଚାଳିତବତ୍ ଚାମେଲୀ ନିକଟକୁ ଗଲା । ସେ ପ୍ରଥମେ ସ୍ୱାମୀର ଓ ତତ୍ପରେ ହେମର ପାଦଧୂଳି ନେଇ ମସ୍ତକରେ ବୋଳିଲା ଓ ହସି ହସି ନିଜ ହସ୍ତରୁ ବିବାହ ଅଙ୍ଗୁରୀୟଟି କାଢ଼ି ନିରୁପମକୁ ଦେଖାଇ କହିଲା, “ଏହି ବାହାଘର ମୁଦିଟି ଅପା ହାତରେ ଦେଲି ।” ନିରୁପମ ଦ୍ରୁତପଦରେ ଗୃହମଧ୍ୟରୁ ବହିର୍ଗତ ହେଲା ।

ଚାମେଲୀ ଯେତେବେଳେ ଚକ୍ଷୁ ମୁଦିଲା, ହେମ ତାହାର ଶଯ୍ୟା ପାର୍ଶ୍ଵରେ ଲୋଟି ପଡ଼ିଲା, କିନ୍ତୁ ସେତେବେଳେ ନିରୁପମର ଚକ୍ଷୁ ନ ହେଲା ସଜଳ, ତା’ର ନାସିକା ଦେଇ ନ ବାହାରିଲା ଗୋଟାଏ ଦୀର୍ଘଶ୍ୱାସ । ସେ ମୂକ ପରି ନିର୍ବୋଧ ଦୃଷ୍ଟିରେ କେଉଁଦିଗକୁ ଚାହିଁ ରହିଲା, ସେ ଜାଣେ । କେବଳ ବାହାରୁ ମନେହେଲା, ଯେପରି ସେ ଗଭୀର ଭାବରେ ଚିନ୍ତା କରୁଛି, ମୃତ୍ୟୁଟା ଯଥାର୍ଥରେ ସତ୍ୟ ନା ମିଥ୍ୟା !

ହେମ ଯେତେବେଳେ କକ୍ଷାନ୍ତରକୁ ଗଲା, ନିରୁପମ ଯାଇ ଚାମେଲୀର ମୁଖକୁ ଚାହିଁଲା । ସେ ମୁଖରୁ ସେ ମଧୁଆଭା ନିଭି ନାହିଁ । ତା’ର ଚିତ୍ତରେ ବିଷାଦ ନାହିଁ, ଦ୍ୱିଧା ନାହିଁ ମୃତ୍ୟୁ ବକ୍ଷରେ ସେ ହସିଦେଇଛି- ସେ ହାସ୍ୟ ଯେପରି ସାରା ଦୁନିଆଁଟା ଉପରେ ପଡ଼ିଛି । ମୃତ୍ୟୁ ପର୍ଯ୍ୟନ୍ତ ସେ ସଂସାରଟାକୁ ଏତେ ସହଜ କରିପାରେ, ଲଘୁ କରିପାରେ, ନିରୁପମ ତାହା ଆଜି ବୁଝିଲା । ସେ ଆଜି ନିରୁପମକୁ ଅନ୍ଧ କରିଯାଇଛି, ଅଥଚ, ସେ ଅନ୍ଧତାରେ ଅନ୍ଧକାର ମଧ୍ୟ ଦେଖାଯାଉ ନାହିଁ ।

ନିରୁପମର ନିର୍ଦ୍ଦେଶରେ ଚାମେଲୀର ଶରୀର ଦାହ କରାଗଲା ନାହିଁ । ସେ ତା’ ପକ୍ଷରେ ଅସହ୍ୟ । ଚାମେଲୀର ସମାଧି ଦିଆଗଲା ଓ ତଦୁପରି ସମାଧି ମନ୍ଦିର ନିର୍ମିତ ହେଲା ।

ଯେଉଁଦିନ ହେମ ଆସି ସଜଳ ଦୃଷ୍ଟିରେ କହିଲା, “ନିରୁ ଭାଇ, ଏଠି ଏକୁଟିଆ ରହିବ କଅଣ, ଆମ ଘରକୁ ଚାଲ ?” ସେତେବେଳେ ସେ ତାକୁ ଏପରି କରୁଣ ଦୃଷ୍ଟିରେ ଚାହିଁଲା ଯେ, ହେମ ଭୟରେ କାତର ହୋଇପଡ଼ିଲା । ସେ ଦୃଷ୍ଟି ଯେପରି କହୁଛି, “ହାୟରେ ହେମ, ଯେଉଁ ଘରେ ଚାମେଲୀ ସହିତ ଥିଲି, ଏକା ଅଛି ବୋଲି ସେ ଘରକୁ ଆଜି ଭୟ କରିବି !”

ଦିନ ପରେ ଦିନ ବହିଯାଏ । ହେମ ବରାବର ଲୋକ ପଠାଏ ଓ ମଧ୍ୟେ ମଧ୍ୟେ ନିଜେ ଆସି ନିରୁପମର ଖବର ବୁଝିଯାଏ । ନିରୁପମ ବସି ବସି ଭାବେ, କିଏ ଚାମେଲୀ ? ସେ ସ୍ୱର୍ଗର ଉର୍ବଶୀ – ଜୀବନମୟ ପ୍ରେମର ଅନନ୍ତ ସଙ୍ଗୀତ ଗାଇବାକୁ, ପ୍ରକୃତିର ମଧୁମୟ କ୍ରୀଡ଼ା ରଚିବାକୁ ପୁରୁଷପ୍ରାଣ ପୁରୁରବା ପ୍ରତି ଦୁଇଦିନର ପ୍ରଣୟ ପ୍ରକାଶ କରିଥିଲା । ଆଉ ପ୍ରେମ କ’ଣ ? ସେ ଦୁନିଆଁର ନିୟମ ଅସ୍ୱୀକାର କରି ନିଜର ନିୟମ ମାନେ – ଯେତେଦିନ ସେ ଅଙ୍କୁର ଅପରିପକ୍ୱ, ସେତେଦିନ ମୁଗ୍ଧ କରେ, କିନ୍ତୁ ଯେତେବେଳେ ତା’ର ଚରମ ପରିଣତି, ସେତେବେଳେ ପରିତ୍ୟାଗ କରେ । ଆଉ ହେମ ! ସେ ଦେବୀ, ସେବାରେ ହିଁ ତା’ର ତୃପ୍ତି, ସେବାରେ ହିଁ ତା’ର ଆନନ୍ଦ ତା’ର ସେବା ପ୍ରୟୋଜନହୀନ, ତା’ର ଦାନ ପ୍ରତ୍ୟାଶାହୀନ, ତା’ର ଧୈର୍ଯ୍ୟ, ତା’ର ନିଷ୍ଠା, ତା’ର ପ୍ରତୀକ୍ଷାରେ ପାଷାଣର । କିନ୍ତୁ ନିରୁପମ ! ନିରୁପମର କ’ଣ କର୍ତ୍ତବ୍ୟ ନାହିଁ ? ସେ ସବୁଠାରୁ ଗ୍ରହଣ କରିବାକୁ ଜାତ ହୋଇଛି, ଦେବାକୁ ନୁହେଁ । ଯେ ଚିରଦିନ ପାଇଁ ଗଲାଣି, ଆଉ ଆସିବାର ନୁହେଁ, ତା’ ପାଇଁ ବସି ଦିନରାତି ଶୋକ କରୁଛି, ଆଉ ଯେ ଜୀବିତ – ଯାହା ସମକ୍ଷରେ ସମସ୍ତ ଜୀବନ, ସମସ୍ତ ସଂସାର ବିସ୍ତୃତ – ତାହାରି ପ୍ରତୀକ୍ଷାରେ ସେ ପାଷାଣ ପାଲଟି ଯାଇଛି – ତାହା ପାଇଁ କ’ଣ ନିରୁପମର କିଛି କର୍ତ୍ତବ୍ୟ ନାହିଁ ?

ଚାମେଲୀ ମୃତ୍ୟୁଶଯ୍ୟାରେ ଯେଉଁଦିନ ନିଜ ହସ୍ତରୁ ବିବାହ ଅଙ୍ଗୁରୀୟଟି କାଢ଼ି ହେମ ହାତରେ ପିନ୍ଧାଇ ଦେଇଥିଲା, ସେହି ସମୟର ଚିତ୍ର ତାହାର ମନେ ପଡ଼ିଲା । ସେ ପଶ୍ଚାତ୍‌କୁ ଫେରି ଦେଖିଲା, ହେମ ତାହାରି ଆଡ଼କୁ ଦୃଷ୍ଟି ରଖି ଦଣ୍ଡାୟମାନ । ତା’ର ବଦନମଣ୍ଡଳରେ ଶୀତ ଗୋଧୂଳିର କମନୀୟ ନିର୍ଲିପ୍ତତା । ହେମ ଚକ୍ଷୁ ଚଳ ଚଳ କରି କହିଲା, “ନିରୁଭାଇ, ସବୁବେଳେ ବସି ବସି କାହିଁକି ଏତେ ଭାବୁଛ ?” ନିରୁପମ ବାକ୍ୟୋଚ୍ଚାରଣ ନ କରି ଉଠି ଠିଆହେଲା ଏବଂ ଧୀରେ ଧୀରେ ହେମକୁ ବକ୍ଷ ଦେଶକୁ ଟାଣି ଆଣି ତା’ର ସ୍ୱଚ୍ଛ ଲୋତକକୁ ଚୁମ୍ୱନ କଲା । ଚାମେଲୀଠାରେ ସେ ନିଜକୁ ହରାଇଥିଲା, ଆଜି କିନ୍ତୁ ହେମଠାରେ ନିଜକୁ ଫେରିପାଇଲା ।

ଗିରିଗଡ଼ର ଯେଉଁ କୁଳାଙ୍ଗନାମାନେ ଆଜିକାଲି ଅତି ପ୍ରତ୍ୟୁଷରୁ ନଦୀଗର୍ଭରେ ସ୍ନାନ କରିବାକୁ ଯା’ନ୍ତି, ସେମାନେ ଦେଖନ୍ତି ଗୋଟିଏ ପ୍ରବୀଣ ଭଦ୍ରଲୋକ ଓ ଶୁଭ୍ର ପଟ୍ଟବସ୍ତ୍ର ପରିହିତା ତାଙ୍କର ସ୍ତ୍ରୀ ଦିଓଟି କନ୍ୟା ଓ ଗୋଟିଏ ପୁତ୍ର ସହିତ ପ୍ରତିଦିନ ଚାମେଲୀ ଓ ଗୋଲାପ ଫୁଲଭରା ଡାଲାଟିଏ ଧରି ନଦୀକୂଳସ୍ଥିତ ସମାଧିମନ୍ଦିରକୁ ପ୍ରଦକ୍ଷିଣ କରନ୍ତି ।

ଲୋକପ୍ରିୟ ଲେଖା

To Top