ଗଳ୍ପ

ପଟନାୟକେ, ପଇସାଟିଏ

Godabarisha Mohapatra's Odia Story Patanaayake, paaisaatie.

କିଏ କହିଲା – ତାର ଏଟା ଅଭ୍ୟାସ, କିଏ କହିଲା – ଏଟା ପାଗଳ, କିଏ ବା କହିଲା – ଗଞ୍ଜୋଡ଼, ଆପୁଆ, ଗୁଲିଆ । ସେ ସବୁ ଶୁଣିଲା, ତଥାପି ପ୍ରତିବାଦ କଲା ନାହିଁ । ସେ ତିରସ୍କାର ପାଇଲା , ତଥାପି ଆଖିରୁ ଲୁହ ଗଡ଼ାଇଲା ନାହିଁ । ଗାଳି ଶୁଣିଲା, ପାଦ ପଛକୁ ଘୁଞ୍ଚାଇଲା ନାହିଁ ।

ପଟନାୟକେ, ପଇସାଟିଏ

ଆସିକା ବସ୍‌ ଷ୍ଟାଣ୍ଡରେ ବସ୍‌ ରହିବା ସଙ୍ଗେ ସଙ୍ଗେ ଶବ୍ଦ ଶୁଣାଗଲା – ପଟନାୟକେ, ପଇସାଟିଏ !

ଅନବରତ ଘଡ଼ ଘଡ଼, ଦମ୍‌ ଦମ୍‌, ଭଁ ଭଁ ଶବ୍ଦ ଶୁଣି ଶୁଣି କାନ ତାବଦା ହୋଇ ଯାଇଥିଲା, ମନ ତିକ୍ତ ହୋଇ ଉଠିଥିଲା । ଧୂଳୀପୂର୍ଣ୍ଣ ରାଜରାସ୍ତା ଉପରେ ବସି ରହିବା ସଙ୍ଗେ ସଙ୍ଗେ ହଠାତ ଘୋର ପରିବର୍ତ୍ତନ ଘଟିଲା ସେ କର୍କଶ ରୁକ୍ଷ ଶବ୍ଦ ସ୍ଥାନରେ ଗୋଟିଏ କରୁଣ କଣ୍ଠର କ୍ଷୀଣ ସ୍ୱର ଶୁଣାଗଲା –

ପଟନାୟକେ, ପଇସାଟିଏ !

ସମୟ ବସନ୍ତ କାଳ । ସେ ବସନ୍ତ ସମୟରେ କବିକଳ୍ପିତ କାବ୍ୟ କବିତାର କୋକିଳ କେଉଁ ଶ୍ୟାମଳ ବନ ଗହଳରେ ଅମୃତ ଢାଳୁଥିବ କେଜାଣି, ସେତେବେଳେ ଆସିକା ନିକଟରେ କୋକିଳର ଶୁଣା ଯାଉନଥିଲା । ଏକ ମାତ୍ର ଶବ୍ଦ ଜଣାପଡୁଥିଲା –

ପଟନାୟକେ, ପଇସାଟିଏ !

ଲୋକେ ବସ୍‌ରୁ ଉତୁରିଲେ, ବସରେ ବସିଲେ । ଲୋକେ ପଇସା ଗଣିଲେ, ଟିକଟ ଆଣିଲେ । କିନ୍ତୁ ସେହି କରୁଣ କୋମଳ ସ୍ଵରଟିର କିଛି ହେଲେ ପରିବର୍ତ୍ତନ ଘଟିଲା ନାହିଁ । ବରଂ ସେଥିରେ ଟିକିଏ ଲୁହ ରସାଣି ଦେଇ ଆହୁରି ବିକଳ ଭାବରେ କୁଆଡୁ ହୃଦୟ ଭିତରେ ପ୍ରତିଧ୍ୱନି ଉଠିଲା-

ପଟନାୟକେ, ପଇସାଟିଏ !

ସମସ୍ତେ ବୁଲି ଚାହିଁଲେ, ସମସ୍ତେ ମୁହଁ ଫେରାଇ ଆଣିଲେ; କିନ୍ତୁ ସ୍ଵରଟି ଯାହା କଣ୍ଠରୁ ବାହାରି ଆଖ ପାଖ ଶହେ ଦୁଇଶହ ଗଜ ପରିମିତ ଧରଣୀକୁ କରୁଣାର୍ଦ୍ର କରୁଥିଲା , ସେ ସମସ୍ତଙ୍କ ମୁହଁକୁ ଖାଲି ବୁଲି ବୁଲି ଚାହିଁ ଚାହିଁ ଏକାପରି କହିଲା –

ପଟନାୟକେ, ପଇସାଟିଏ !

ପଟନାୟକେ, କାହାନ୍ତି ? ପଇସା କାହିଁ ? ଏ ସ୍ଵରର କେହି ଉତ୍ତର ଦେଲେ ନାହିଁ । କେବଳ ଖଣ୍ଡେ ମାତ୍ର ଛିଣ୍ଡା କନା ଅଣ୍ଟାରେ ଗୁଡ଼ାଇ ଦେଇ, ସଂସାରକୁ ନିଜର ହାଡ ଗଣିବାକୁ ଦେଖାଇଦେଇ ସେ ଲୋକଟି ଏକା ପରି କହିବାରେ ଲାଗିଲା –

ପଟନାୟକେ, ପଇସାଟିଏ !

ପାଦ ତାର ଭୂଇଁରେ ଥିରହୋଇ ପଡ଼ୁ ନଥିଲା, ଆଖି ତାର ଭଲ ହୋଇ ଫିଟୁ ନଥିଲା । ସେ ନିଜେ ସଂସାରରେ ଅଛି କି ନାହିଁ ବୋଧହୁଏ ଜାଣି ପାରୁ ନ ଥିଲା । ତଥାପି ପ୍ରାଣରେ କି କ୍ଷୀଣ ଆଶା ବହି ଶୁଖିଲା ଓଠତଳୁ କ୍ଷୀଣ ସ୍ୱର ଉଠାଉଥିଲା –

ପଟନାୟକେ, ପଇସାଟିଏ !

ସେ ରଥଙ୍କୁ ଚାହିଁ ମାଗିଲା, ମିଶ୍ରଙ୍କୁ ଚାହିଁ ମାଗିଲା । ରଥେ ମିଶ୍ରେ ମୁହଁ ବୁଲାଇ ଦେଲେ । ଦାସଙ୍କୁ କହିଲା – ‘ପଟନାୟକେ,’ ଦାସେ ଚିଡ଼ିଉଠିଲେ । ପଧାନେ ବସିଥିଲେ ମୁଣ୍ଡରେ ପଗଡ଼ି ଭିଡ଼ି । ସେ ବୋଧହୁଏ “ପଧାନ” ଡାକ ଶୁଣିଥିଲେ ପଇସାଟିଏ ଦେଇଥାନ୍ତେ । ପଟନାୟକ ଶବ୍ଦ ତାଙ୍କୁ ବିଗିଡାଇ ଦେଲା । ପାଳେ ବସିଥିଲେ ଆଗ ଆସନରେ । ସେ ରାଗି ଉଠିଲେ । ତଥାପି ସେହି ତିରିଶ ଜଣ ଯାତ୍ରୀଙ୍କ ପାଖରେ ସେ ଲୋକଟି ତିନିଶହ ଥର ‘ପଟନାୟକ’ ଶବ୍ଦ ଉଚ୍ଚାରଣ କରି ପଇସାଟିଏ ପଇସାଟିଏ ବୋଲି ମାଗିଗଲା । କିଏ କହିଲା – ତାର ଏଟା ଅଭ୍ୟାସ, କିଏ କହିଲା – ଏଟା ପାଗଳ, କିଏ ବା କହିଲା – ଗଞ୍ଜୋଡ଼, ଆପୁଆ, ଗୁଲିଆ । ସେ ସବୁ ଶୁଣିଲା, ତଥାପି ପ୍ରତିବାଦ କଲା ନାହିଁ । ସେ ତିରସ୍କାର ପାଇଲା , ତଥାପି ଆଖିରୁ ଲୁହ ଗଡ଼ାଇଲା ନାହିଁ । ଗାଳି ଶୁଣିଲା, ପାଦ ପଛକୁ ଘୁଞ୍ଚାଇଲା ନାହିଁ ।

ତା ହାତକୁ ଛୁଇଁଲା ପରି ଅଣିଟିଏ ମୁଁ ବଢ଼ାଇ ଦେଇ କହିଲି, “ଆରେ ଏ,ପଟନାୟକେ କିଏ?”

ସେ ଅଣିଟିକି ହାତରେ ଧରି ଆଖି ପାଖକୁ ନେଇ ଟିକିଏ ନିରେଖି କହିଲା – “ହଁ, ପଇସାଟିଏ । ଦେଲ, ଭଲ କଲ । ନେଇ ତ ଥିଲ, ଦିଅନ୍ତା କିଏ?”

ମୁଁ ଅବାକ ହୋଇଗଲି । କ୍ଷଣେ ନୀରବ ରହି ପଚାରିଲି -“ନେଇଥିଲି କେବେ ?”

ମୁହଁକୁ ସେ ଟିକିଏ ଉପରକୁ ଟେକି, ଦମ୍ଭରେ ରହି କହିଲା ପରି କହିଲା – “କେବେ, ପାଞ୍ଚ ବର୍ଷ ତଳର କଥା ଭୁଲିଗଲ ? ସେଇ ଯେ ବାଲିପଦର ଗାଁର ପକାଘର ଖଣ୍ଡକ, ସେ ଘରେ କଣ ଆଉ ରଘୁ ସୁବୁଦ୍ଧି ଅଛି ? ସେ ଆଣିଥିଲା ତମଠୁଁ ମୋଟେ ପଚାଶ ଟଙ୍କା ।”

ଏତିକି କହି ଭିକାରୀଟି ଟିକିଏ ଥକ୍‌କା ହୋଇଗଲା । ବୋଧ ହୁଏ ତାର ଦମ୍‌ ପାଇଲା ନାହିଁ । ମୁଣ୍ଡରେ ତାର କ୍ଷୀଣ ଝାଳବିନ୍ଦୁ ଦେଖାଗଲା । ଟିକିଏ ଆଖି ମୁଦି ରହି ପୁଣି କହିଲା – “ହଁ ପଚାଶ ଟଙ୍କା । ତା ପରେ … ପାଞ୍ଚବର୍ଷ ପରେ ପା…ଞ୍ଚ…ଶହ…ଟ…ଙ୍କା…।” ସେ କେବଳ ମୁହଁକୁ ବୋକାଙ୍କ ପରି ଚାହିଁ ରହିଲା ।

ବସ ଡାକିଲା – ଭଁ …ଭଁ …ଭଁ, ଫଟ୍‌…ଫଟ୍‌… ଫଟ୍‌…

ସତେ ଯେପରି ବସକୁ ମୋ ଜୋରରେ ମୁଁ ଅଟକାଇ ତା କଥା ଶୁଣିବି ଭାବି ପିଚା ତଳେ ଗାଡ଼ିକି ମାଡ଼ି ବସିଲି । ସେ କହିଲା- ହଁ-ହଁ-ପାଞ୍ଚଶ ଟଙ୍କା । ବିଲ ବାଡ଼ି, ଘରଦ୍ୱାର ସବୁ… ଦାଣ୍ଡରେ ବୁଲି ଭିକ ମାଗୁଛି । ତମକୁ ଖୋଜୁଥିଲି …

ବସ୍‌ ଧୀରେ ଧୀରେ ଚାଲିଲା । ମୁଁ ମୁହଁ ବଢ଼ାଇ ପଛକୁ ଚାହିଁଲି । ବସ୍‌ ଚାଲିଲା – ଫଟ୍‌…ଫଟ୍‌…ଫଟ୍‌… । ମତେ ଶୁଭିଲା – ପଟନାୟକେ, ପଟନାୟକେ, ପଟନାୟକେ ।

ଏ ଘଟଣାର ଠିକ ଦେଢ଼ବର୍ଷ ପରେ ଅନେକ ଥର ସେ ବାଟେ ଗଲି; କିନ୍ତୁ ‘ପଟନାୟକ’ ଡାକ ସେପରି ଆଉ ଶୁଣିଲି ନାହିଁ । କେତେ କାନେଇଲି , କେତେ କାହାକୁ ଭୁଲରେ ଅପେକ୍ଷା କଲି, ପଇସାଟିଏ କାହା ଝୁଲିରେ ପକାଇଲି, ପକାଇ କେତେ ଥର ସନ୍ଦେହରେ ନାଁ ପଚାରିଲି; କିନ୍ତୁ ଦେଢ଼ ବର୍ଷ ତଳର ସେହି ବ୍ୟାକୁଳ ପ୍ରାଣର “ପଟନାୟକ” ଶବ୍ଦଟି ଆଉ ଶୁଣି ପାରିଲି ନାହିଁ । ଦେଢ଼ବର୍ଷ ପରେ ଆସିକା ବସ୍‌ ଷ୍ଟେସନରେ ଆଉ ଗୋଟିଏ ଭିକାରୀ ସହିତ ଦିନେ ସାକ୍ଷାତ ହେଲା । ଦେଢ଼ବର୍ଷ ତଳେ ଜଣେ ମାଗୁଥିଲା ପାଇସା, ଦେଢ଼ବର୍ଷ ପରେ ଏ ଯାଚୁଥିଲା ପଇସା । ଭିକାରୀ , ସେ ପୁଣି ଯାଚିବ ପଇସା ! ତା ହାତରୁ ନେବ ବା କିଏ ? କେହି ନିଅନ୍ତି ନାହିଁ, କେବଳ ଦୁଃଖ କରି କହନ୍ତି -“ଆହା, ଭାଗ୍ୟ ଇମିତି କରାଏ । ବସି ଖାଇଲେ ଯେ ସାତ ଜନ୍ମ ଖାଇବ, ସେ ଆଜି ଇମିତି । ପଟନାୟକେ ପାଗଳ ହୋଇଗଲେ । ପଟନାୟକେ ପାଗଳ ନ ହେବାକୁ ବାଟ କାହିଁ ? କେତେ ଲୋକର ତ ତୋଟି ଚିପିଥିଲେ, ତାଙ୍କରି ଭୂତ ଏବେ ୟାଙ୍କ ତୋଟି ଧରି ବାୟା କରେଇ ଦେଇଚି ।” ଆଉ କିଏ କହେ – “ଦେଖି ନ, ସୁବୁଦ୍ଧି ପରା ୟାଙ୍କରି ହେତୁ ବାୟା ହେଲା ଯେ ଆଉ ଘରକୁ ଫେରିଲା ନାହିଁ । ୟାଙ୍କୁ ଖୋଜି ଖୋଜି ସେ ସଂସାର ବୁଲୁଚି, ଆଜି ପୁଣି ଏ ତାକୁ ଖୋଜି ଖୋଜି ବାୟା , ସଂସାର ଯେ ଆତଯାତ କରାଉଚି, ସେ କରେଇଚି ୟାକୁ ।”

ପଟନାୟକ ନାଁ ଶୁଣି ମୋ ମନରେ ଦକା ପଶିଗଲା । ମୁଁ ତାର ହାତ ଆଡ଼କୁ ହାତ ପାତି ଦେଲି । ସେହି ଜରାଜୀର୍ଣ୍ଣ ଭିକାରୀଟି ମୋ ହାତକୁ ତରତରରେ ପଇସାଟି ପକାଇ ଦେଇ ହାତଟାକୁ ଧରିପକାଇଲା । ତା’ପରେ ପାଗଳ ପରି ହସି ହସି କହିଲା -” ଦେଖା ହେଲା, ଦେଖା ହେଲା । କିଛି ନେଇ ନାହିଁ, ସବୁ ରଖି ଦେଇଚି, ସୁବୁଦ୍ଧି ଯାଉଚ କୁଆଡ଼େ ?”

କେତେବେଳେ ବସ୍‌ ଛାଡିଲା, ଜାଣେ ନାଇଁ । କେତେବେଳେ ମୋ ହାତ ତା ହାତରୁ ଅଲଗା ହେଲା ଜ୍ଞାନ ନାଇଁ । ମୋ ଗନ୍ତବ୍ୟ ସ୍ଥଳ ସେଠାରୁ ପ୍ରାୟ ପଚିଶି ମାଇଲି ଦୂରରେ । ବସ୍‌ରୁ ଓହ୍ଲାଇ ଚାରିଆଡ଼କୁ ଚାହିଁଲି । ଦେଖିଲି ମୋରି ବୁକୁ ଭିତରେ ଦେଢ଼ବର୍ଷ ତଳର ସୁବୁଦ୍ଧି ଓ ଘଣ୍ଟାକ ତଳର ପଟନାୟକ ପରସ୍ପରକୁ ଚିହ୍ନି ପାରିଛନ୍ତି । ଦେଖିଲି ଜଣେ ହତାଶ ପ୍ରାଣରେ ଚାଲିଯାଉଚି, ଜଣେ ଅନୁତାପରେ ତାକୁ ଟାଣି ଧରୁଛି । ଦୁଇଟି ବ୍ୟଥାତୁର ପ୍ରାଣ ସମାନ ତାଳରେ ମୋ ଭିତରେ ନୃତ୍ୟ ଆରମ୍ଭ କରିଛନ୍ତି । ତା ପରେ ଦିଶିଲା – ପାହାଡ଼ , ପର୍ବତ, ଜନସ୍ରୋତ, ହାଟ , ବଜାର; କିନ୍ତୁ ସୁବୁଦ୍ଧି ଓ ପଟନାୟକ କାହାନ୍ତି ?

ଧନଧାନ୍ୟପୂର୍ଣ୍ଣ ବସୁନ୍ଧରାର ଗୋଟିଏ ଧନୀ ଓ ଗୋଟିଏ ଗରିବର ନିଷ୍ଠୁର ଖେଳ, ଗୋଟିଏ ମହାଜନ ଗୋଟିଏ ଖାତକର ନିର୍ମ୍ମମ ଲୀଳାର ଇତିହାସର ପୃଷ୍ଠାଏ ଏ । ସେ ଅତ୍ୟାଚାରୀ ଓ ଅତ୍ୟାଚାରିତର ଭଙ୍ଗୁର ଶରୀର କୁଆଡ଼େ ଧୂଳି ହୋଇଗଲାଣି ; ତଥାପି ସେ କରୁଣା ଧ୍ୱନି ମୋ ହୃଦୟରେ ବେଳେ ବେଳେ ପ୍ରତିଧ୍ଵନିତ ହେଉଛି – ପଟନାୟକେ, ପାଇସାଟିଏ !

ଲୋକପ୍ରିୟ ଲେଖା

To Top