ଗଳ୍ପ

ପଟ୍ଟ ପରିବର୍ତ୍ତନ

Banka Bihari Das's Odia Story PATTA PARIBARTANA

ସେଠାରେ ବର୍ଷେ ଦେଢ଼ବର୍ଷ ଚାକିରୀ କରିବା ପରେ ଜାଣିଲି ଠିକାଦାର ମୀତା ଓ ତା’ ମା’କୁ କୋଉଠୁ ଆଣି ରଖିଥିଲା । ଠିକାଦାର ମୀତା ଓ ତା’ ମା’କୁ ରକ୍ଷିତା ଭାବେ ରଖିବାର ମନସ୍ଥ କରିଥିଲା ।

ଶମ୍ଭୁ ଭୋଇ ଓରଫ୍ ଶମ୍ଭୁନାଥ ଦାସ । ଜାତିରେ ହରିଜନ ହେଲେ ମଧ୍ୟ ବେଶ୍ ହୃଷ୍ଟପୃଷ୍ଟ ଜୁଆନ୍ । ଦେହର ମାଂସପେଶୀ ଏତେ ବଳିଷ୍ଠ ଯେ ଶମ୍ଭୁ ଯେକୌଣସି କାମ କରିବାକୁ କ୍ଷମ । ଯଦି ବିଲରେ ମାଟି ହାଣୁଛି ତ ସକାଳୁ ସଞ୍ଜ ହେଲେ ମଧ୍ୟ ହାତ ବନ୍ଦ କରେନାହିଁ । ଆମ ଗାଁର ଲୋକମାନେ ଶମ୍ଭୁଦ୍ୱାରା କାମ କରାଇବାକୁ ସବୁବେଳେ ପ୍ରସ୍ତୁତ । ଶମ୍ଭୁର ବାପା ମା’ କେବେଠାରୁ ଆରପୁରକୁ ଚାଲିଯାଇଛନ୍ତି ସେ ଜାଣେନି । ଛୋଟ କୁଡ଼ିଆରେ ଶମ୍ଭୁ ଏକାକୀ । ବୟସ ବଢ଼ିବାରୁ ଶମ୍ଭୁ ଦେହରେ କେମିତି ଶିହରଣ ଅନୁଭବ କଲା । ବାରମ୍ୱାର ନିଜ ଦେହକୁ ଚାହିଁଲା । ଏମିତି କେବେ ସେ ନିଜ ଦେହକୁ ଚାହିଁ ନଥିଲା । ତା’ର ଯେ ସାଥିଟିଏ ଦରକାର ସେ କଥା ହୁଏତ ଠିକ୍ ଭାବେ ବୁଝିପାରୁ ନଥିଲା । ଖାଲି ଖାଲି ଲାଗୁଥିଲା ତା’ କୁଡ଼ିଆଟି । କୁଡ଼ିଆଟିରେ ଚୂଲି ଲାଗିବା ଆବଶ୍ୟକ ନଥିଲା ବା ନାହିଁ । ଯାହାର କାମ କରେ ତାକୁ ବେଶ୍ ମୁଠାଏ ମିଳିଯାଏ । ପେଟର ଚିନ୍ତା ନାହିଁ । ତଥାପି ଜୀବନଟା ତାକୁ ସମୟେ ସମୟେ ଅସହ୍ୟ ବୋଧହୁଏ । ଏ ଜୀବନର ରଙ୍ଗମଞ୍ଚର ଏକକ ଅଭିନୟ କେତେ ଦିନ ଚାଲିପାରେ । ଆମ୍ଭେମାନେ ତାକୁ ବାଧ୍ୟ କଲୁ ବାହା ହେବା ପାଇଁ, କିନ୍ତୁ ଝିଅଟିଏ କିଏ ବା ଦେବ ତାକୁ ? ଜମିବାଡ଼ି ନାହିଁ, ଚାକିରୀ ନାହିଁ, ରୋଜଗାରର ପନ୍ଥା ନାହିଁ, ମୂଲ ମଜୁରୀରେ ଦୁଇ ପେଟେ ଯେ ଠିକ୍ ପୁରିଯିବ ଏମିତି ଆଶା କରିବା ତା’ ପକ୍ଷେ ଅସମ୍ଭବ । ସର୍ବପରି ଯେଉଁ କୁଡ଼ିଆଟି ଅଛି ସେଥିରେ ଜଣକ ଛଡ଼ା ଦୁଇଜଣ ରହିବାର ସୁବିଧା ମଧ୍ୟ ନାହିଁ ।

ଆମ୍ଭମାନଙ୍କର ଅନୁରୋଧ ରକ୍ଷା କରି ଶମ୍ଭୁ ସ୍ଥିର କଲା ସେ ବିବାହ କରିବ । ତେବେ ତାକୁ ଆମ ଗାଁ ଓ ଆଖପାଖ ଗାଁରୁ ଝିଅଟିଏ ଦେବାକୁ ତା’ ଜାତି ଲୋକ ରାଜି ହେଲେନି । କାରଣ ଶମ୍ଭୁର ଘର ନାହିଁ କି ବାଡ଼ି, ଗୋବେର ଜମି ନାହିଁ । କିଏ କାହିଁକି ଝିଅ ଦେବ ? ତାହା ନ ହେଲେ କ’ଣ ଶମ୍ଭୁ ଆଉ ବାହା ହବନି ? ତା’ର ମନର ବସନ୍ତ ଓ ଦେହର ଯୌବନଟା ଏମିତି ବିତିଯିବ ? ସଂସାର କ’ଣ ସେ ଜାଣିବନି ? ତା ଜୀବନର ୨୫ଟି ବସନ୍ତ ଚାଲିଯାଇଥିଲେ ମଧ୍ୟ ସେ ମଳୟ ପବନର ସ୍ପର୍ଶ ଅନୁଭବ ଏ ଜୀବନରେ କରିପାରିବ ତ ? ଶମ୍ଭୁ ମନରେ ଏକ ବିରାଟ ପ୍ରଶ୍ନବାଚୀ ।

ଆମେ ଗାଁବାଲା ଭୋର୍‌ରୁ  ଦେଖିଲାବେଳକୁ ଶମ୍ଭୁ ଘରେ ତାଲା ପଡ଼ିଛି । ଅର୍ଥାତ୍ ଶମ୍ଭୁ ଗାଁରୁ ଅନ୍ତର୍ଦ୍ଧାନ । କିଏ କହିଲା ଶମ୍ଭୁ କଳାମାଟି ଯାଇଛି ଅଧିକ ରୋଜଗାର କରିବାକୁ । ଆଉ କିଏ କହିଲା ଗାଁବାଲାଙ୍କ ନିନ୍ଦା ଅପମାନ ସହି ପାରିଲା ନାହିଁ । ସବୁଦିନ ପାଇଁ ଗାଁ ଛାଡ଼ି ପଳାଇଲା । ଆଉ ଫେରିବନି । ମୁଁ କିନ୍ତୁ ଠିକ୍ ଜାଣିଥିଲି ଶମ୍ଭୁ ଯାଇଛି ନିଜ ସାଥିଟିଏ ଖୋଜିବାକୁ । ଆଉ ସାଥିଟିଏ ହେଲେ କୁଡ଼ିଆ ଘରଟିକୁ ଭଲ ମାନିବ । ଗାଁବାଲା ଆଉ ନିନ୍ଦା ଓ ଅପମାନ ଦେବାକୁ ନ ଥିବ । ଶମ୍ଭୁ ହରିଜନ ଘର ପିଲା ହେଲେ କ’ଣ ହବ, ମୋ ସହ ସମ୍ପର୍କ ଭଲ ଥିଲା ଏବଂ ରହିଛି ମଧ୍ୟ । ମୁଁ ତା’ର ସୁଖ ଦୁଃଖର ସାଥି । ମୁଁ କିନ୍ତୁ ଠିକ୍ ଭାବିଥିଲି ସେ ଗାଁ ଲୋକଙ୍କ ଲଜ୍ଜା ତଥା ଅପମାନ ସହ୍ୟ କରି ନ ପାରି ଯାଇଛି ସାଥିଟିଏ ଖୋଜିବାକୁ ।

ଅବଶେଷରେ ମୋ କଥା ସତ୍ୟ ପ୍ରମାଣିତ ହେଲା । ଦିନେ ସକାଳୁ ଶମ୍ଭୁ ଗୋଟିଏ ତରୁଣୀ ସହ ଗାଁରେ ହାଜର । ଗାଁର ବୁଢ଼ା ଠାରୁ ଟୋକା ସମସ୍ତଙ୍କର ଗୋଟିଏ ସ୍ୱର- “ଶମ୍ଭୁ ବିବାହ କରି ଫେରିଛି ।” କିଛି ଜାଣିବା ପୂର୍ବରୁ ସେମାନଙ୍କ ଉଦ୍ଦେଶ୍ୟରେ ଗୋଟାଏ ଭୋଜିର ଆୟୋଜନ । ତରୁଣୀଟି ଅତି ସୁନ୍ଦର । ଗୋରା ନିଶ୍ଚୟ । ଯାହା ଗାଉଁଲି ଭାଷା, ଗୋଟିଏ ଚାଉଳରେ ଗଢ଼ା । ଘର ତ ଶମ୍ଭୁର ଭାଙ୍ଗିଯାଇଛି । ଉପସ୍ଥିତ ରହିବ କେଉଁଠି ? ଆମ ରାମ ମଉସାଙ୍କ ଗାଁ ବାହାରେ ଗୋଟିଏ ପୁରୁଣା ଖମାର ଘର ଅଛି । ଶମ୍ଭୁ ତା’ର ପତ୍ନୀକୁ ଧରି ସେଇ ଘରେ ରହିବ । କିଛିଦିନ ରହିବା ଭିତରେ ତା’ ଜାଗାରେ ଛୋଟ ଘରଟିଏ କରି ସେଠିକି ଉଠିଯିବ । ତାହା ହିଁ ହେଲା । ସେମାନେ ରାମ ମଉସାଙ୍କ ଖମାର ଘରକୁ ଗଲେ । ଏଆଡ଼େ ଗାଁର ଟୋକାମାନେ ଭୋଜିଭାତ ପ୍ରସ୍ତୁତିରେ ଲାଗିଗଲେ । କୋଉଠୁ କ’ଣ ସାହାଯ୍ୟ ଆସିଲା ତା’ର ହିସାବ ନାହିଁ । ଯେହେତୁ ଶମ୍ଭୁକୁ ସମସ୍ତେ ଖୁବ୍ ଭଲ ପାଆନ୍ତି । ତା’ ପାଇଁ ସମସ୍ତେ ଲାଗିପଡ଼ିଲେ ମନ ପ୍ରାଣ ଦେଇ । ତିନିଖଣ୍ଡ ଗାଁର ଭଦ୍ରବ୍ୟକ୍ତି ତଥା ମୁଖିଆମାନଙ୍କୁ ସାଦର ନିମନ୍ତ୍ରଣ ଦେଲା । ହେଲେ ଏମିତି ଏକ ଅଘଟଣ ଘଟିବ ଏ କଥା ଆମ ଗାଁବାଲା କିମ୍ୱା ମୁଁ ବିଶ୍ୱାସ କରିପାରି ନଥିଲି ।

ସେତେବେଳକୁ ସନ୍ଧ୍ୟା ହୋଇଆସିଲାଣି । ଭୋଜି ଜାଗାରେ ବେଶ୍ କିଛି ନିମନ୍ତ୍ରିତ ଅତିଥିମାନେ ଉପସ୍ଥିତ ହେଲେଣି ଏବଂ ଅନ୍ୟ ଅତିଥିମାନେ ଧୀରେ ଧୀରେ ଆସିବାରେ ଲାଗିଛନ୍ତି । ସତେ ଯେମିତି ଗାଁଟା ଆନନ୍ଦ ମୁଖରିତ । ଏହି ଆନନ୍ଦ ଉତ୍ସବର ଯବନିକା ପକାଇ ହଠାତ୍ ସେଠାରେ ପହଞ୍ଚିଲା ଏକ ପୁଲିସ ଗାଡ଼ି । ଗାଡ଼ିରୁ ଓହ୍ଲାଇଲେ ଆମ ଫାଣ୍ଡିର ଜମାଦାର ଓ ତାଙ୍କ ସହିତ ଆଉ ଦୁଇଜଣ ପୁଲିସବାବୁ ଓ ଜଣେ ସାଧା ପୋଷକର ଭଦ୍ରଲୋକ । ସମସ୍ତେ ଆସି ଉପସ୍ଥିତ ହେଲେ ଶମ୍ଭୁ ପାଖରେ । ଜମାଦାର ଚିହ୍ନେଇଦେଲେ ଏଇଟା ଆଜ୍ଞା ଶମ୍ଭୁ । ଅନ୍ୟ ଦୁଇଜଣ ପୁଲିସ୍ ତାକୁ ଟାଣି ଟାଣି ପୁଲିସ୍ ଗାଡ଼ିରେ ବସାଇଦେଲେ । ତା’ପରେ ଶମ୍ଭୁ ଆଣିଥିବା ଝିଅ ପାଖକୁ ଆସି ସେମାନେ ସାଧା ପୋଷାକଧାରୀ ଭଦ୍ରବ୍ୟକ୍ତିଙ୍କୁ ପଚାରିଲେ- “ଦେଖନ୍ତୁ ତ ଏ ଆପଣଙ୍କ ଝିଅ ?” ଭଦ୍ରବ୍ୟକ୍ତି ଜଣଙ୍କ ଭାବବିହ୍ୱଳ ସ୍ୱରରେ କହିଲେ- “ହଁ ଆଜ୍ଞା ଏ ମୋ ଝିଅ ମୀତା ।” ମୀତାକୁ ଜବରଦସ୍ତ ଗାଡ଼ିକୁ ନେଇଗଲେ । ସେ କାନ୍ଦି-ବାହୁନି କହୁଥାଏ- “ମୁଁ ଯିବିନି, ମୁଁ ଏହା ସହ ମନକୁ ଆସିଛି ।” ହେଲେ ଝିଅର ଗୁହାରୀ କେହି ଶୁଣିବାକୁ ପ୍ରସ୍ତୁତ ନ ଥିଲେ । ଗଲାବେଳେ ଫାଣ୍ଡିବାବୁ ମୋତେ କହିଲେ- “ଶମ୍ଭୁଆ ଏ ଝିଅକୁ ଜବରଦସ୍ତ ନେଇଆସିଛି ।” ପୁଲିସ୍ ଗାଡ଼ି ଚାଲିଗଲା । ହେଲେ ଗାଁର ଏତେ ବଡ଼ ମଉଜ ମଜଲିସ୍ ହଠାତ୍ ଭଟ୍ଟା ପଡ଼ିଗଲା । ସମସ୍ତେ କିଛି ସମୟ ପାଇଁ ଚୁପ୍ ହୋଇଯାଇଥିଲେ । ପଡ଼ିଶା ଗାଁର ଅତିଥିମାନେ ଧୀରେ ଧୀରେ ସେ ସ୍ଥାନ ଛାଡ଼ି ଚାଲିଯାଇଥିଲେ । ଅଳ୍ପ ସମୟ ମଧ୍ୟରେ ଏତେ ବଡ଼ ଉତ୍ସବର ପରିଣତି ଯେ ମଶାଣି ଭୂଇଁ ସହିତ ସମାନ ହୋଇଯିବ ଏ କଥା ମୋ କଳ୍ପନାର ସମ୍ପୂର୍ଣ୍ଣ ବାହାରେ । ଗାଁ ଲୋକମାନେ ଯାହା କହିଥିବେ ବା କହୁଥିବେ ସେ କଥା ନ କହିଲେ ଭଲ । ତେବେ ମୁଁ ଏକଥାକୁ ବିଶ୍ୱାସ କରିପାରୁ ନଥିଲି ବା ଅବିଶ୍ୱାସ କରୁନଥିଲି । କ’ଣ ହୋଇପାରେ ? ସତେ କ’ଣ ଶମ୍ଭୁ ସମାଜ ତଥା ଆଇନ୍ ଆଗରେ ଦୋଷୀ ? ମୋ ମନରେ ଏକ ବିରାଟ ପ୍ରଶ୍ନବାଚୀ । ତଥାପି ଗାଁବାଲାଙ୍କ ସହ ସହଯୋଗ କରି କୌଣସି ପ୍ରତିବାଦ କରିନଥିଲି ।

ସମୟ ବଡ଼ ବଳବାନ । ଏହା ଭିତରେ ବହୁ ବର୍ଷ ବିତିଯାଇଛି । ଆମ ଗାଁର କେତେ ପରିବର୍ତ୍ତନ ହୋଇଛି । ସମସ୍ତେ ପ୍ରାୟ ଶମ୍ଭୁକୁ ଭୁଲିଯାଇଛନ୍ତି । ଶମ୍ଭୁ ବୋଲି କେହି ଥିଲା ଏମିତି ଚିନ୍ତା ମଧ୍ୟ କରାଯାଇ ନପାରେ, କିନ୍ତୁ ମୁଁ ଶମ୍ଭୁକୁ ସମୟ ସ୍ରୋତରେ ଭୁଲି ନଥିଲି । ମୋତେ ଆଘାତ ଦିଏ ଶମ୍ଭୁର ଚିନ୍ତା ସମୟ ସମୟରେ । ଠାକୁରଙ୍କୁ ବହୁ ଧିକ୍କାର କରେ । ଶମ୍ଭୁକୁ ଏମିତି ଅପମାନିତ କରି ନଥିଲେ କ’ଣ ପୁରାଣ ଅଶୁଦ୍ଧ ହୋଇଥାନ୍ତା ? ଏଇ ସଂସାରରେ କିଏ କେତେ ଅପକର୍ମ କରି ଉଦ୍ଧାର ପାଇଯାଉଛନ୍ତି ? ଅଥଚ ଶମ୍ଭୁ ପାଇଁ ଠାକୁର ଯେ କାହିଁକି ଏତେ ନିର୍ଦ୍ଦୟ ବୁଝିପାରୁ ନଥିଲି ? ବୁଝିପାରୁ ନଥିଲି ଶମ୍ଭୁ ଏତେ ଦିନ ହେବ ଗଲା କୁଆଡେ଼ ? ତା’ର ଏହା ଭିତରେ କିଛି ହୋଇଯାଇ ନାହିଁ ତ ? ଏମିତି କେତେ କ’ଣ ଚିନ୍ତା ମୋ ମନକୁ ପାପ ଛୁଇଁଲା ।

ଦିନେ ସକାଳୁ ମୁଁ ଓ ଚୌକିଆ ହରିଆ ବାହାରିଲୁ । ମୁଁ କଟକ ଯିବି ଏବଂ ହରିଆ ବଡ଼ ଥାନାକୁ ଯିବ । ସେଦିନ ଥାନା ପାଳି । ଗାଁ ମୁଣ୍ଡରେ ପହଞ୍ଚି ବାରୁ ହରିଆ କହିଲା- “ବାବୁ କେବେ କଟକରୁ ଫେରିବେ ?” ଅନ୍ୟମନସ୍କ ଭାବେ ଉତ୍ତର ଦେଲି- “ଆଜି ରାତିକୁ ।” ଏତିକିବେଳେ ଦୂରରୁ ଚାଲି ଚାଲି ଆସୁଥିଲା ଜଣେ ଅଲେଖଧର୍ମୀ ବାବାଜୀ । ପାଖ ହବାରୁ ହରିଆ କହିଲା- “ଆରେ ଶମ୍ଭୁଆ କିରେ, ଏତେ ଦିନ ଥିଲୁ କେଉଁଠି ?” ହଠାତ୍ ଚମକି ପଡ଼ିଲି, ମୁହଁକୁ ଚାହିଁଲି, ଜଟା ଦାଢ଼ି, ତାଳପତ୍ର ଛତା, କୌପନି ଏବଂ ଦେହରେ ଗେରୁଆ ଚାଦର ଖଣ୍ଡେ । ବୟସ ୫୦ ବର୍ଷ ଉପରେ । ଚିହ୍ନିବାର ସାମାନ୍ୟ କଷ୍ଟ ହେଲେ ବି ଶମ୍ଭୁ ବୋଲି ଜାଣିଲି । ପଚାରିଲି- “ଶମ୍ଭୁ ଭଲ ଅଛ ? ଏତେଦିନ କ’ଣ ଅଲେଖ ମଠରେ କଟେଇ ଆସିଲ । କୋଉ ମଠରେ ଥିଲ ?” ଏମିତି କେତେ କ’ଣ । ଶମ୍ଭୁ ଭଦ୍ର ନରମ ସ୍ୱରରେ କହିଲା- “ଭାଇ ! ପରେ କଥା ହେବ, ମୁଁ ଗାଁକୁ ଯାଉଛି । ମହିମା ଧର୍ମ ପ୍ରଚାର ଓ ପ୍ରସାର ପାଇଁ ମଠଟିଏ କରି ସେଇଠି ଜୀବନର ଶେଷ ପର୍ଯ୍ୟନ୍ତ କଟେଇ ଦେବି ।” ଅଧିକ କଥାବାର୍ତ୍ତା ନ କରି କଟକ ଗଲି ଓ ହରିଆ ଥାନା ବାରିକୁ ଗଲା ।

ଶମ୍ଭୁ ଅଳ୍ପ ବାଟ ଯାଇ ଗାଁ ମୁଣ୍ଡ ବରଗଛ ତଳେ ବସିପଡ଼ିଲା । ସେ ବୋଧହୁଏ ସ୍ଥିର କଲା ଏଇ ବରଗଛ ମୂଳେ ରହିବ । ଆମ ଗାଁ ଶମ୍ଭୁକୁ କେତେକ ଚିହ୍ନି ନ ଚିହ୍ନିଲା ଭଳି ବ୍ୟବହାର କଲେ, ଆଉ କେତେକ ଆଦୌ ଚିହ୍ନି ନ ଥିଲେ । ଶମ୍ଭୁର ବହୁ ବହୁ ପରିବର୍ତ୍ତନ । କାଳକ୍ରମମେ ପାଖ ଗାଁମାନଙ୍କରୁ କିଛି ଲୋକ ଓ କିଛି ପଡ଼ିଶା ଗାଁର ଲୋକ ଶମ୍ଭୁ ରହିବା ପାଇଁ ସେଇ ଗଛ ତଳେ କୁଡ଼ିଆଟିଏ କରିଦେଲେ ଆଉ ଶମ୍ଭୁ ସେହି କୁଡ଼ିଆ ଘରେ ବେଶ୍ ଆରାମରେ ରହିଲା । ଯିଏ ଯାହା ଦେଲା ଖାଇ ଧର୍ମ ଚର୍ଚ୍ଚାରେ ଲାଗିଲା । ଯଦିଓ ସେହି ବାଟ ଦେଇ ମୁଁ ଶମ୍ଭୁନାଥର ପ୍ରତିଷ୍ଠିତ ମହିମା ଆରାଧ୍ୟକୁ କେବେ ଯାଇନାହିଁ । ଶମ୍ଭୁ ସହ ଦୈବାତ୍ ନିରୋଳା ଦେଖା ହେଲେ ଭଲ ମନ୍ଦ ଟିକିଏ ପଚାରି ଦେଇଥାଏ । ସେ କିଛି ଦେବା ପୂର୍ବରୁ ମୁଁ ଚାଲିଯାଇଥାଏ । ଏମିତି ମାସେ ବିତିଲା । ଶମ୍ଭୁନାଥ ବାବାଙ୍କ କୁଡ଼ିଆ ଆଶ୍ରମରେ କ୍ରମେ କ୍ରମେ ଲୋକ ଭିଡ଼ ହବାକୁ ଆରମ୍ଭ କଲାଣି । ମୁଁ ମନେ ମନେ ବହୁତ ଖୁସି । ଯାହା ହେଉ ଆମ ଶମ୍ଭୁଆଟା କିଛି ନ କଲେ ମଧ୍ୟ କିଛି ଭଜନ କୀର୍ତ୍ତନ କରି ଲୋକଙ୍କ ଭିତରେ ଗୋଟାଏ ଧାର୍ମିକ ଚେତନା ଆଣିବାରେ ସହାୟକ ହୋଇପାରିଛି ।

ଦିନେ ଭୋର୍‌ରୁ ସୂର୍ଯ୍ୟ ଉଦୟ ହେବା ପୂର୍ବରୁ ଆମ ଗାଁ ପାଖ ନଈ କୂଳକୁ ବୁଲିବାକୁ ବାହାରି ପଡ଼ିଲି । ଗାଁ ମୁଣ୍ଡ ଶମ୍ଭୁ ଆଶ୍ରମ ଦେଇ ଚାଲିଲି ବନ୍ଧକୁ । ଏ କ’ଣ ଦେଖୁଛି ମୁଁ ? ଶମ୍ଭୁ ତାଳପତ୍ର ଛତା, ଗେରୁଆ ବସ୍ତ୍ର ତଥା କୌପିନୀ ପ୍ରଭୃତି ଥିବା ଝୁଲା ଧରି କୁଆଡେ଼ ଯିବାକୁ ପ୍ରସ୍ତୁତ । ମୁଁ ହଠାତ୍ ପଚାରିଦେଲି- “ବାବା ଶମ୍ଭୁ, ପୁଣି କୁଆଡେ଼ ବାହାରିଲ ?” ଏତିକିରେ ତା’ ଆଖିରୁ ଲୁହ ଝରିଗଲା । ପୁଣି ଆଖିରୁ ଜ୍ୱଳନ୍ତ ନିଆଁଖଣ୍ଡ ବାହାରିଲା ପରି ଦେଖାଗଲା । ମୁଁ କିଛି ନ ବୁଝିଲା ପରି ପଚାରିଲି ପୁଣି ଥରେ- “କ’ଣ ହେଲା ?” ଶମ୍ଭୁ କହିଲା- “”ସୁରେଶବାବୁ ସବୁକଥା ତୁମକୁ ନିଶ୍ଚୟ କହିବି । କାରଣ ଗାଁ ଭିତରେ ତୁମକୁ ମୁଁ ଖୁବ୍ ଭଲ ପାଉଥିଲି । ଏବେ ମଧ୍ୟ ତମକୁ ଭଲ ପାଏ ।” ତାଙ୍କୁ ସାଙ୍ଗରେ ଧରି ନଈ ବନ୍ଧ ଉପରେ ବସି ପଚାରିଲି- “କ’ଣ ହେଲା, କହ, ଏତେ ବ୍ୟସ୍ତ କାହିଁକି ?”

ଶମ୍ଭୁ ଆରମ୍ଭ କଲେ- “ବୁଝିଲ ସୁରେଶବାବୁ ! ମୁଁ ଅଲେଖଧର୍ମ ନେଇଛି । କିଛି ମିଛ କହିବି ନାହିଁ । ଯେଉଁଦିନ ଗାଁର ଲୋକ ଅର୍ଥାତ୍ ରାଜୁ କକେଇ, ସାଧୁଅଜା, ରାମଭାଇ ପ୍ରଭୃତି ମୋତେ ପରିହାସ କଲେ ମୋତେ ବହୁତ କଷ୍ଟ ହେଲା । ମୁଁ ରାତିରୁ ଉଠି ଢେଙ୍କାନାଳ ପଳାଇ ଗୋଟାଏ ଠିକାଦାର ପାଖରେ କାମ କରି ବହୁତ ପଇସା ସଞ୍ଚୟ କଲି । ମୋ ଉପରେ ଠିକାଦାର ବହୁତ ଖୁସି ଥିଲା । ସେଠାରେ ବର୍ଷେ ଦେଢ଼ବର୍ଷ ଚାକିରୀ କରିବା ପରେ ଜାଣିଲି ଠିକାଦାର ମୀତା ଓ ତା’ ମା’କୁ କୋଉଠୁ ଆଣି ରଖିଥିଲା । ଠିକାଦାର ମୀତା ଓ ତା’ ମା’କୁ ରକ୍ଷିତା ଭାବେ ରଖିବାର ମନସ୍ଥ କରିଥିଲା । ଠିକାଦାରର ପରିଣତ ବୟସରେ ମୀତାର ଢଳଢ଼ଳ ଯୌବନକୁ ଉପଭୋଗ କରିବାର ମନ ବୃତ୍ତି ଦେଖି ମୀତାର ମା’ ମୋତେ ଅନୁରୋଧ କଲା ମୀତାକୁ ବିବାହ କରି ସ୍ତ୍ରୀର ସମ୍ମାନ ଦେବା ପାଇଁ । ମୁଁ ମୋର ଜାତିର ପରିଚୟ ଦେଲେ ମଧ୍ୟ ମୀତାର ମା’ ମୋତେ ବାଧ୍ୟ କରିଥିଲା ଗ୍ରହଣ କରିବାକୁ । ମୁଁ ମୀତାର ମା’ର ଅନୁରୋଧ ରକ୍ଷା କରି ମୀତାର ମତାମତ ନେଇ ମୀତାକୁ ଅଲେଖ ପୀଠରେ ବାହା ହୋଇ ଗାଁକୁ ଚାଲିଆସିଲି । ଠିକାଦାର ସେଠାକାର ପୋଲିସ୍‌କୁ ଧରାଧରି କରି ଆମ ଫାଣ୍ଡି ପୋଲିସ୍ ସହାୟତାରେ ଆମକୁ ଢେଙ୍କାନାଳ ଥାନାକୁ ନେଇଗଲେ । ଥାନାବାବୁ ମୀତାକୁ ବୟସ କେତେ ବୋଲି ପଚାରିବାରୁ ସେ କହିଲା- ବାଇଶି ବର୍ଷ । ଯେତେ ପ୍ରକାର ପଚାରିଲେ ମଧ୍ୟ ତାହାର ଗୋଟିଏ କଥା । ସେ ରାଜି ହୋଇ ମୋ ସହିତ ଯାଇଛି ଏବଂ ବିହା କରିଛି । ମୁଁ ତାକୁ ଶିଖାଇ ଆଣିନାହିଁ । ପୋଲିସ୍ ବାବୁ ଠିକାଦାରଙ୍କୁ କହିଲେ- “ମୀତା ସାବାଳିକା, ସେ ଯାହା ଚାହିଁବ ତାହା କରିପାରିବ ।” ପୋଲିସ୍ ବାବୁ ଠିକାଦାର ବାବୁଙ୍କ ସହ କ’ଣ କଥା ହେଲେ କେଜାଣି ମୀତାକୁ ଠିକାଦାରବାବୁଙ୍କ ସହ ବାହା ଦେଲେ । ମୋତେ ଜେଲ୍‌ରେ ଅଟକ ରଖିଲେ ଏବଂ ମୋ ପରି ଜଣେ ନିର୍ଦ୍ଦୋଷ ବ୍ୟକ୍ତିକୁ ତିନିଟା ଡକାୟତି ମୋକଦ୍ଦମାର ଆସାମୀ କରିଦେଲେ । ଆଉ ସେ ମୋକଦ୍ଦମାର ବିଚାର ଶେଷ ହେଲା । ମୋ ବିରୁଦ୍ଧରେ କେହି ସାକ୍ଷୀ କିଛି ନ କହିବାରୁ ବିଚାରକ ମହୋଦୟ ମୋତେ ଖଲାସ କରିଦେଲେ । ଏ ବିଚାର ପ୍ରାୟ ୨୦ ବର୍ଷ ପାଖାପାଖି ଲାଗିଲା । ସେହି ମୋକଦ୍ଦମାର ମୁଦଲାମାନଙ୍କ ମଧ୍ୟରୁ କେତେକଙ୍କ ବିଚାର ଅନ୍ୟ ଜିଲ୍ଲାମାନଙ୍କରେ ହେଉଥିବାରୁ ମୋକଦ୍ଦମା ବିଚାର ପକ୍ଷେ ବିଳମ୍ୱ ହେଲା । ଖଲାସ ହେଲା ପରେ ମୀତାକୁ ଖୋଜିଲି । ଜାଣିଲି ମୁଁ ଜେଲ୍‌ରେ ଅଟକ ଥିବା ସମୟେ ସେ ଆତ୍ମହତ୍ୟା କରିଛି, ଠିକାଦାରଙ୍କ ଦେହାନ୍ତ ପରେ ମୀତାର ଆତ୍ମହତ୍ୟା ପରେ ମୀତାର ମା’ ନିରୁଦ୍ଦିଷ୍ଟ । ତାଙ୍କ ଦୁଃଖରେ କ’ଣ କରିବି ଏହା ହିଁ ଚିନ୍ତା କରୁଥିଲି । ଏ ପରିଣତ ବୟସରେ ପୁନଶ୍ଚ ସଂସାର କରିବା ପ୍ରଶ୍ନ ଉଠିନପାରେ । ଏତିକିବେଳେ ଦେଖାହେଲେ ଜଣେ ଅଲେଖ ଧର୍ମ ବାବା ଅଲେଖାନନ୍ଦ ଦାସ । ସେ ମୋତେ ଧର୍ମ ଶିକ୍ଷା ଦେଇ ଅଲେଖ ଧର୍ମରେ ଦୀକ୍ଷିତ କରାଇ ବିଦାୟ ନେଲେ ଧର୍ମ ପ୍ରଚାର କରିବାକୁ । ମୁଁ ସେଠାରେ ୧/୨ ବର୍ଷ ରହି ଫେରିଲି ଏଠାକୁ, କିନ୍ତୁ ମୋ ଦୁଃଖର ପରିସମାପ୍ତି ନାହିଁ । ଏଠାରେ ଧର୍ମ ପ୍ରଚାର ପରିବର୍ତ୍ତେ ଚୋର ଡକାୟତରେ ଗଣ୍ୟ ହେଲି । ପ୍ରତ୍ୟେକ ଦିନ ବା ଦୁଇ/ତିନି ଦିନ ଅନ୍ତରରେ ଫାଣ୍ଡିବାବୁ, ଚୌକିଆ ରାତି ଅଧରେ କବାଟ ବାଡ଼େଇ କୁଡ଼ିଆରେ ଅଛି କି ନାହିଁ ଜାଣିବାକୁ ଚାହିଁଛନ୍ତି । ମୋର ଏହି ପରିଣତ ବୟସରେ ଏମାନେ ମତେ ଟିକେ ଧର୍ମ କାର୍ଯ୍ୟ କରିବାକୁ ଦେଲେ ନାହିଁ । ମୋର କିଛି ଦୋଷ ନ ଥିବା ସତ୍ତ୍ୱେ ମୋର ମନ ଚୋର ଓ ଡକାୟତଙ୍କ ପାଖରେ । ମୋର ଦୋଷ ମୁଁ ଅତୀତରେ ଡକାୟତି ମୋକଦ୍ଦମାର ମୁଦଲା ଥାଇ ଖଲାସ ହୋଇଛି । ଶେଷ ଜୀବନରେ ଏ ସମାଜ ମୋତେ ଶାନ୍ତିରେ ବଞ୍ଚିବାକୁ ଦେବେ ନାହିଁ । ଏ ଦୁନିଆଁର ରଙ୍ଗମଞ୍ଚରେ ମୋ ପରି ଚରିତ୍ରର ଆବଶ୍ୟକ ନାହିଁ । ଜୀବନରେ ଭଲ ମଣିଷ, ହେବାକୁ ଚେଷ୍ଟା କଲେ ମଧ୍ୟ ଏ ସମାଜର ଲୋକମାନେ ମୋତେ ଭଲ ମଣିଷ ହେବାକୁ ଦେଲେ ନାହିଁ । ସବୁଦିନେ କଷ୍ଟ ପାଇ ମରିବା ଅପେକ୍ଷା ଦିନେ କଷ୍ଟ ପାଇ ମରିବା ଭଲ । ମୁଦଲା ହେଲେ କ’ଣ ମୋ ଚରିତ୍ରରେ କୌଣସି ପରିବର୍ତ୍ତନ ହୋଇନପାରେ ।” ତମେ କହିଲ ସୁରେଶବାବୁ । ସବୁ ଶୁଣି ସାରି ପଚାରିଲି- “ଶମ୍ଭୁ ଓରଫ୍ ଶମ୍ଭୁନାଥ ବାବା କୁଆଡେ଼ ଯାଉଛ ?” ସେ କହିଲା- “ଜୋରନ୍ଦା କିମ୍ୱା ମୋ ଗୁରୁଙ୍କ ମଠକୁ ନୁହେଁ, ଯାଉଛି ବଣ, ଜଙ୍ଗଲକୁ ଶେଷ ଜୀବନ ଡକାୟତିରେ କଟାଇଦେବି ।” ମୁଁ ଏକଦମ୍ ଅବାକ୍ । ସେ ମୋ ପାଖରୁ ଉଠିଯିବାକୁ ଆରମ୍ଭ କଲା । ଶମ୍ଭୁର ଯିବା ପଥକୁ ଅନାଇ ରହିଲି । ସୂର୍ଯ୍ୟ ଉଠିଲାଣି ପୂର୍ବ ଦିଗରେ ।

ଲୋକପ୍ରିୟ ଲେଖା

To Top