ଗଳ୍ପ

ପେଷାଚକିର ଜୀବନ ସଂକଳ୍ପ

Laxmidhara Nayak's odia story Peshachakira Jeebana Sankalpa

ଏବେ ତମେ ବଂଧୁ ରୂପେ ମୋ ସହ ହାତ ମିଳାଇପାରେ କିମ୍ବା ସହମତିର ସଂସାର ଗଢିବା ପାଇଁ… ସିନ୍ଦୂର ପିନ୍ଧାଇପାର !!

ପେଷାଚକିର ଜୀବନ ସଂକଳ୍ପ

ଏଇ ଏଇ ମୁମ୍ବାଇ ଛତ୍ରପତି ଶିବାଜୀ ଟର୍ମିନାଲରୁ ଆସିଥିବା କୋଣାର୍କ ଏକ୍ସପ୍ରେସ୍ ଟ୍ରେନ, ଭୁବନେଶ୍ୱର ରେଳ ଷ୍ଟେସନର ଏକ ନମ୍ବର ପ୍ଲାଟ୍‌ଫର୍ମରେ ଲାଗିଲା ।

ଶେଷ ଡିସେମ୍ବର ପାହାନ୍ତା ପ୍ରହର … ଟ୍ରେନ୍‌ର ଲାଷ୍ଟ୍ ଷ୍ଟପେଜ୍ ହେତୁ, ପ୍ଲାଟ୍‌ଫର୍ମରେ ବିଶେଷ କୋଳାହଳ ନାହିଁ । କେବଳ ଓହ୍ଲାଇଥିବା ଯାତ୍ରୀ କେତେକ ଧୀରେ ସୁସ୍ଥେ ଷ୍ଟେସନ ବାହାରକୁ ଯିବାର ଉପକ୍ରମ କରୁଚନ୍ତି । ସକାଳ ଟ୍ରେନ୍‌କୁ ଅପେକ୍ଷା କରୁଥିବା ଯାତ୍ରୀ କେତେକ ଶୀତ-ପୋଷାକ ଢାଙ୍କି ହେଇ, ଅଳସ ଭାଙ୍ଗୁଚନ୍ତି.. କେହି ବା ଢୋଳେଇ ପଡିଚନ୍ତି-ପ୍ଲାଟ୍‌ଫର୍ମ ବେଞ୍ଚ୍‌ରେ ।

ଜିରୋ ପାୱାର ଚଷମା ପିନ୍ଧିଥିବା ବାଇଶ୍ ତେଇଶ ବର୍ଷର ଉଜ୍ଜ୍ୱଳ ଗୌରାଙ୍ଗୀ ସୁନ୍ଦରୀ ଯୁବତୀଟିଏ କମ୍ପାର୍ଟମେଣ୍ଟ୍‌ ଦ୍ୱାରା ପାଖକୁ ଆସି ସୁରିଲା ସ୍ୱରରେ ଏମିତି ଡାକିଲା- ଏ କୁଲି! ଲଗେଜ୍ ନିଅ ତ..

-ଆଜ୍ଞା ମା.. ଏଇ ପହଞ୍ଚିଲି ବୋଲି କହି, ପଚିଶ୍ ଛବିଶ୍ ବର୍ଷର ଯୁବକ କୁଲିଟିଏ ତା ମାଲ୍‌ବୁହା ଟ୍ରଲୀକୁ ଘଡଘଡ କରି, କମ୍ପାର୍ଟମେଣ୍ଟ୍‌ ସାମ୍ନାର ଅଳ୍ପ ଦୂରରେ ରଖିଲା । ଭିତରକୁ ପଶୁ ପଶୁ କହିଲା ଆପଣ ନିୟୁଜ୍ ପେପର୍‌ରେ ପଢିଥିବେ ମା … ଆମେ କଣ ଆଉ ‘କୁଲି’ ହେଇକି ଅଛୁ ?

…. ତେବେ?

-‘କୁଲି’ ରୁ ଆମକୁ ‘ଯାତ୍ରୀ ସହଯୋଗୀ’ କରିଦିଆ ଯାଇଛି । ଦେଖୁନାହାନ୍ତି- ଇଂରେଜ ଅମଳରୁ ଆମ କୁଲି ଜାତିର ପରିଚୟ ପାଇଁ ଯେଉଁ ନାଲି ରଙ୍ଗର ହାଫ୍ ସାର୍ଟ ପିନ୍ଧିବାର ନିୟମ ବନ୍ଧାହୋଇଥିଲା…. ତାକୁ ବି ଏଇ ବର୍ଷ ରେଳ-ବଜେଟେରେ ବଦଳାଇ ଦିଆଗଲା । କେହି ଆଉ ଇଂରେଜ ଅମଳର ନମ୍ବର ଲେଖା ପିତଳ, ବାଜୁ ବାହୁରେ ବାନ୍ଧୁ ନାହିଁ….କି, ସ୍ୱାଧୀନତା-କାଳର କପଡାରେ ଏମ୍ବ୍ରୋଡରୀ କରା, ବ୍ୟାଜ୍ ବି ।

ଏବେ ଆମ ବେକରେ ଝୁଲୁଚି-ନିଜର ଫୋଟୋ ଆଉ ଲାଇସେନ୍ସ ନମ୍ବର ଛପାହେଇଥିବା ପରିଚୟ ପତ୍ର । ଆମେ ଏବେ କୁଲି ନୋହୁଁ ମାଁ … ଯାତ୍ରୀ ସହଯୋଗୀ । ଆମ ପାଇଁ କମ୍ ଗର୍ବର କଥା କି ? ଛାତିରେ ଲଦାହେଇଥିବା ଗୋଟେ ଅପମାନଜନକ କୁଣ୍ଠିତ ବୋଝକୁ ଓହ୍ଲାଇ ଦିଆଗଲା ଯେମିତିକି !

ଲୋକଟା ଯୁବତୀର କ୍ୟାରୀବ୍ୟାଗ୍‌ଠୁ ଆରମ୍ଭ କରି, ଅନ୍ୟାନ୍ୟ ମାଲ୍‌ମତା ମୁଣ୍ଡରେ, କାନ୍ଧରେ, ହାତରେ ଧରିଆଣି ଟ୍ରଲୀରେ ରଖୁଥାଏ ଓ ଭିତରେ ପଶି ଅବଶିଷ୍ଟକୁ ଆଣୁ ଆଣୁ କହୁଥାଏ-

ବଡଲାଟ୍ ଲର୍ଡ କ୍ୟାନିଂ…. ଅଠରଶ ଏକାବନରେ ପରାଧୀନ ଭାରତରେ ପ୍ରଥମ ରେଳଗାଡି ଗଡେଇଥିଲେ- ବମ୍ବେରୁ ଥାନେ ପର୍ଯ୍ୟନ୍ତ । ଆଜି ଦୁଇହଜାର ଷୋହଳକୁ ଶହେ ପଞ୍ଚଷଠୀ ବର୍ଷ ହେଇଗଲା । ସେତେବେଳେ ଇଂରେଜଙ୍କର କୁଲି ହେଇଥିଲୁ ସ୍ୱାଧୀନ ଭାରତରେ ବି ସେ କୁଲି ସମ୍ବୋଧନର ହୀନମନ୍ୟତା ଆମ ଜାତିର ଦେହସୁହା ହେଇସାରିଥିଲା । ଯାହା ହେଉ…. କେହି ତ ଆମ କଥା, ରାଜନୀତିକ ସ୍ୱାର୍ଥରେ, ଆମ ଜାତିର ସମର୍ଥନ ପାଇଁ ହେଉ, କିମ୍ବା ତଳିଆ ଶ୍ରେଣୀର ଲୋକଙ୍କ ପାଇଁ ଅନୁକମ୍ପା ଯୋଗୁ…ଶହେ ପଞ୍ଚଷଠୀ ବର୍ଷ ପରେ ଭାବିବାକୁ ସମୟ ପାଇଲା ?

ଗୋଟେ ବଡ କଥା ହେଲା ମା…. ଆମ ଭାଇବିରାଦରଙ୍କ ପିଲାଙ୍କୁ କେହି ଆଉ କୁଲିର ଛୁଆ ବୋଲି କହିବେ ନାହିଁ ।

ଯୁବତୀଟି ପଚାରିଲା- ତମର କାମ ବଦଳିଗଲା କି?

କୁଲି ହୁଅ ….. କି ଯାତ୍ରି ସହଯୋଗୀ, ମୁଣ୍ଡରେ ବୁହ କି ଟ୍ରଲୀରେ…. କାମ- ପରିଶ୍ରମ ପୂର୍ବରୁ ଯାହା, ଏବେ ବି ସେୟା ନୁହେଁ କି?

ହଁ ମା! କାମ ଏକା । କୁଲିଟା ସେହି କୁଲି ! ଯାତ୍ରୀ ସହଯୋଗୀ ହେଲା ବୋଲି… ସେ ମନ୍ତ୍ରୀ ହେଇଯିବନି… କି ତା, ମାଲ୍ ବୁହା ଟ୍ରଲୀରେ ନାଲିବତୀ ଲାଗିବନି ! ଯଦି ଏମିତି ବିଲ୍ ପାଶ୍ ହୋଇଥାନ୍ତା- ପ୍ରତ୍ୟେକ ଯାତ୍ରୀ ନିଜ ମାଲ୍ ନିଜେ ବୋହିବେ, ତ …? ନା ତ ଆଉକଣ ? ଏ କୁଲି ମାନଙ୍କ ସମସ୍ୟାରେ ସରକାରଙ୍କ ମୁଣ୍ଡ ବିନ୍ଧନ୍ତା ! ତାଙ୍କୁ ଥଇଥାନ କରାଯାନ୍ତା କେଉଁ ବାଟରେ ? ସାରା ଦେଶରେ ନିଯୁକ୍ତି ଦିଗଟା ତ ସମସ୍ୟା ହେଇ ଠିଆ ହେଇଚି ! ସେଇ ପାଇଁ ବେକାରୀ ବଢୁଚି… କୁଲିମାନେ ବେକାରଙ୍କ ସଂଖ୍ୟା ଆହୁରି ବଢାନ୍ତେ !

ଯୁବତୀଟି ହାଇମାରିଲା, ରାତି ଅନିଦ୍ରା ଆଳସ୍ୟ ଯୋଗୁ ।

ଚଷମାଟିକୁ ବାଁ ହାତରେ ଧରି ପଚାରିଲା-ନିଶ୍ଚୟ ଅଧିକ ପଢାପଢି କରିଚ । ତମ କଥାରୁ ଏମିତି ଲାଗୁଚି । କୁଲି କାମ କଲ କାହିଁକି ?

-ମା! ସମର୍ଥ ମଣିଷର ବୋଝ, ଅସମର୍ଥ ମଣିଷ ବୋହିବ । ଯେମିତି ମୁହଁରେ ଭାଷା ନ ଥିବା ଗଧ ବୁହେ ତାଟ ମାଲିକର ବୋଝ । ଆମ ମୁହଁର ଭାଷାକୁ, ବଞ୍ଚିବାର ଦାୟିତ୍ୱ ଭିତରେ ମାରି ଦିଆଯାଇଚି ବୋଲି, ଯାହାକୁ ଯନ୍ତ୍ର କରନ୍ତା…. ସେପରି ଖଟଣି ମଣିଷ ଖଟୁଚି ।

ବୁଝି ହେଲାନି?

-ମା ! ନିଜ ଅଧିକାର କଥା କହିବାର ଅଧିକାର ଆମର ଅଛି । ସମ୍ବିଧାନ ଏ ଅଧିକାର ଆମକୁ ଦେଇଛି । ଆମ କହିବାର ଅଧିକାରକୁ ଆମେ ସଂଗଠିତ ଆନ୍ଦୋଳନ ଜରିଆରେ କହିଲୁ ତ.. ତାକୁ ଉପରସ୍ତରରୁ ବିଶୃଙ୍ଖଳା ନାମରେ ଚାପିଦେବାର ଅଧିକାର ମଧ୍ୟ ରହିଚି ! ଆମେ ନ୍ୟାଯ୍ୟ ଅଧିକାର କଥା କହି କହି ଥକିଯିବୁ… ଥକି ଥକି ରହିଯିବୁ.. ଏ ଚାଲବାଜି ବ୍ୟବସ୍ଥାଟା ପରାଧୀନ କାଳରୁ ଗଡିଆସୁଚି ! ଦର୍‌ଦାମ୍ ଏତେ ବଢୁଚି ଯେ.. ଆବଶ୍ୟକ ଜିନିଷ ସଂଗ୍ରହ କରିବା ପାଇଁ, କୁଲିକାମ… ପାଇଖାନା ସଫା କରିବା କାମ.. ସବୁକୁ ଏଇ ସ୍ୱାଧୀନ ଦେଶରେ, ଆର୍ଥନୀଡିକ ପରାଧୀନ ଭାବେ ବଞ୍ଚୁଥିବା ତଳ ଶ୍ରେନୀର ମଣିଷ କରିବାକୁ ବାଧ୍ୟ । ନକରି, ତା ପାଇଁ ଅନ୍ୟବାଟ କାହିଁ ?

ଏ କୁଲି କଥା, ଖୁବ୍ ଭଲ ଲାଗୁଥାଏ ଯୁବତୀଟିକୁ ! ଭାବନାକୁ ସଜାଡି ସଜାଡି, ବାଶ୍ ପ୍ରଭାବକ ବାଗରେ କହୁଚି । ଡାଡୀଙ୍କୁ କହି ତାଙ୍କ କାର୍‌ଖାନାରେ ୟାକୁ କାମଟିଏ ଦେଇହୁଅନ୍ତା !

ପଚାରିଲା- କେଯାଏ ପଢିଚ?

…ପ୍ଳଶ ଥ୍ରୀ କରିଚି ବିଜ୍ଞାନରେ । ଅଧିକ ପଢିପାରିଲି ନି!

-ଅସୁବିଧା କଣ ଥିଲା?

… ଯିଏ ବାପ ବୋଲି, ବାର ଦୁଆରୁ ଭିକ ମାଗି ମୋତେ ପଢାଉଥିଲେ, ସିଏ ଆଉ ଚାଲିବୁଲି ପାରିଲେ ନାହିଁ ! ରାସ୍ତା କଡରେ ବସି, ଫୁଟା ଫଟା ପୁରୁଣା ଅମୂଲ୍ ଟିଣାର କଏନ୍ କେତୋଟିକୁ ଖଡ ଖଡ କରି, ଦାତା ଦାତ୍ରୀଙ୍କ କରୁଣା ଭିକ୍ଷା ବି କିଛି ଦିନ କଲେ! ଆଉ ଟାଣ ଖରାରେ ବସି ପାରିଲେ ନାହଁ । ଥରେ ଦୁଇଥର ବେହୋସ୍ ହେଲେ ବି ! ମୋତେ ଗଢୁ ଗଢୁ, ପ୍ରତି ମୂହୁର୍ତ୍ତରେ ମରୁଥିଲେ- ମୋ ଗଳିତ କୁଷ୍ଠରୋଗୀ ବାପା !

ତାଙ୍କର ସେବା ପାଇଁ, ଚିକିତ୍ସା ପାଇଁ, ମୋର ଟଙ୍କାର ଅବଶ୍ୟକତା ଥିଲା ମା !ଷ୍ଟେସନ୍ ମାଷ୍ଟରଙ୍କ ଦୟାରୁ, ମୁଁ କୁଲି ଲାଇସେନ୍ସଟିଏ ପାଇଲି । ଘରଭଡା ଦେଇନପାରି, ଦିନେ ବାପପୁଅ ତଡା ଖାଇଲୁ ତ … ଗୋଟେ ସୁନ୍ଦର ମଜ୍‌ବୁତ ଘର ମାଗଣାରେ ପାଇଗଲି..

-କେଉଁଠି ତମ ଘର? କେଉଁ ଗାଁରେ, କି … ସହରର କେଉଁ ଗଳିରେ?

.. ଘର କେଉଁ ଗାଁ କି ସହରରେ ନୁହେଁ ମା । ଏଇ ଷ୍ଟେସନ ପ୍ଲାଟଫର୍ମର ପୂର୍ବ ମୁଣ୍ଡରେ, ଗୋଟେ ପରିତ୍ୟକ୍ତ ଲୁହା ରେଳଡବା ହିଁ ଆମ ବାପାପୁଅଙ୍କ ଘର… ଗାଁ । ସେହି ଆମ ଘର – ବୈକୁଣ୍ଠ, ସେହି ମୋର ମନ୍ଦିର । ସେଇଠି ମୋ ସଂସାରର ସର୍ବମୟ ଈଶ୍ୱର, ଦାରୁବ୍ରହ୍ମ ପରି ଜଗନ୍ନାଥ ସାଜି ବସିଛନ୍ତି ମୋ ବାବା ! ମୋ ଶ୍ରୀମନ୍ଦିର ମୁଁ ଏକାଳୀ ପୂଜାରୀ ! ସେଇଠି ବାବାଙ୍କ ପାଇଁ ମଙ୍ଗଳ ଆଳତି… ସକାଳ ଧୂପ… ମଧ୍ୟାହ୍ନର ବ୍ୟଂଜନ ଓ ସଂଧ୍ୟା ଆଳତି ପରେ ରାତି ମଣୋହି, ପୁଣି ପହଡ ।

-ବିବାହ କରିଚ?

… କାହିଁକି କରନ୍ତି । କାହାକୁ କରନ୍ତି? କିଏ ମୋ ବାବାଙ୍କ ପାଇଁ ମଦର୍ ଟେରେସା ହୁଅନ୍ତା ! ତାର କି ସ୍ୱାର୍ଥ ପାଇଁ ସେ ସବୁଦିନ ପୂଜ ରକ୍ତରେ ତିନ୍ତତା ? ସେହି ପାଇଁ… ସେ ଆଡକୁ ଚାହିଁ ନାହିଁ…

ଯୁବତୀଟି କଣ ଚିନ୍ତାକରି କହିଲା- ଶୁଣ.. ତାମ ବାବାଙ୍କୁ ସଂପୂର୍ଣ୍ଣ ରୋଗମୁକ୍ତ କରିବାର ଦାୟିତ୍ୱ ମୁଁ ନେଉଚି । ତମକୁ ଚାକିରିଟିଏ ବି ଆମ କାର୍‌ଖାନାରେ ମିଳିଯିବ । ରାଜି ?

କୁଲି ବିସ୍ମୟରେ ପଡି କେବଳ କହିଲା ମା !!!

-ହେ! ତମେ ପ୍ଲାଟଫର୍ମରୁ ବାହାରକୁ ଆସିଲା ଯାଏ ଖାଲି ମା ମା କଣ କହୁଚ? ମୁଁ ତମକୁ ମା ପରି ଦିଶୁଚି ? ପିନ୍ଧିଚି ଶଂଙ୍ଖା, ସିନ୍ଦୁର ? ତମେ ମୋତେ ମା ମା କହି … ମୋ ଯୌବନକୁ ବୁଢୀ କରିଦେଉଚ?

ବାହାର ଭିତର ଅନୁପମ ସୌନ୍ଦର୍ଯ୍ୟରେ ଭରା… ଏଇ ଯୁବତୀଟିକୁ ଚାହିଁରହିଲା ଏ କୁଲି, ଯେଯାଏ ତାକୁ ଏ ପ୍ରଶ୍ନ ଶୁଭୁନି- ତମେ ଯୁବା ବୟସର ନାରୀଟିକୁ ମା ବୋଲି କାହିଁକି ସମ୍ବୋଧନ କର?

କୁଲି ଅଳ୍ପ ହସି କହିଲା- ମା ବୋଲି ଡାକିଦେଲେ, ମୋ ଅଶାନ୍ତ ଛାତିକୁ ତୃପ୍ତିଟିକେ ମିଳିଯାଏ । ମା ସମ୍ବୋଧନରେ ଏମିତି ପ୍ରଭାବ ଥାଏ… ଯାହା ପାଇଁ, ସବୁ ନାରୀଙ୍କ ଛାତିରେ ଦୟାଭାବ ଚେଇଁଉଠେ । ସେମାନେ ଧାର୍ଯ୍ୟ ମଜୁରୀଠୁ କିଛି ଅଧିକା ବି ଦିଅନ୍ତି । ଏମିତି ଚାରି ଛଅଜଣ ଯାତ୍ରୀଙ୍କ କାମ ସାରିଦେଇ, ଦିନକର ମଜୁରୀ ପାଇଯାଏ ତ… ଆଉ ରହେନି ଷ୍ଟେସନ୍‌ରେ । ଚାଲିଯାଏ ବାବାଙ୍କ ପାଖକୁ । ତାଙ୍କର ଗାଧୁଆପାଧୁଆ, ଔଷଧ ଲଗା, ବ୍ୟାଣ୍ଡେଜ କରା, ଖୁଆଇ ଦେବା, ଏମିତି ଅନେକ କାମ ମୋତେ ଅପେକ୍ଷା କରିଥାଏ..

-ତମେ ତେବେ ମା ସମ୍ବୋଧନ କରି, ସରଳ ନାରୀଙ୍କୁ ଠକୁଚ ବୋଲି ମୁଁ ମନେ କରୁଚି ! ଏବେ ତମେ ଦିଦୀ ବୋଲି ସମ୍ବୋଧନ କର । ଦେଖ… ମୁଁ କେମିତି ତମକୁ ଠକୁଚି ? ଡାକ ଦିଦୀ…

… ମା?

-ପୁଣି ମା ? ମୁଁ ଦିପ୍ତିମୟୀ ନାୟକ… ଦିଦୀ ! କେବଳ ଦିଦୀ !

… ହେଉ ଦିଦି ! କହନ୍ତୁ-ମତେ କେମିତି ଠକିବେ?

-ଆରେ ହୁଣ୍ଡା! ଏତିକି ବୁଝିପାରୁନ? କେହି ଦିଦୀ ନିଜ ଭାଇ ଦ୍ୱାରା କାମ କରେଇ, ତାକୁ ମଜୁରୀ ଦିଏ କି ?

କୁଲି ମୁଣ୍ଡ ହଲେଇ ଓ ହସି ହସି କହିଲା- ଠିକ୍ କହିଛନ୍ତି ଦିଦି ! ଦୀପ୍ତି ବି ସୁରିଲା ସ୍ୱରରେ ହସି ହସି କଣ କହିବାକୁ ଯାଉଥିଲା ତ… ତା ମୋବାଇଲ୍ ଫୋନ ଅନୁପ୍ ଜଟୋଲାଙ୍କ ହନୁମାନ ଚାଲିଶା ଗାଇଲା…

-ହାଲ୍ଲୋ ମମି! ମୁଁ ବାହାରକୁ ଆସିଗଲିଣି । ଆଜି ପନ୍ଦର ମିନିଟ୍ ଫାଷ୍ଟ ଥିଲା କୋଣାର୍କ ଏକ୍ସପ୍ରେସ୍ । କେତେ ନମ୍ବର୍ ପାର୍କିଂରେ ଅଛି ଆମ କାର୍ ? ଅଠର? ଠିକ ଅଛି । ଆମେ ପହଞ୍ଚୁଛୁ । ଡାଡୀ ପ୍ଲାଟ୍‌ଫର୍ମରେ?… ହଁ, ମିଲିଟାରୀ କର୍ଣ୍ଣେଲ ! କୋଉ ସିନେମା ପୋଷ୍ଟର୍‌ରେ ସାରୁଖାଁ ମେସିନ୍ ଗନ୍‌ଟାଏ ଧରିଥିବ ତ … ଡାଡୀ ସେହିଆଡେ ଚାହିଁ ତା ବୀରତ୍ୱର ଠାଣିକୁ ନିରୀକ୍ଷଣ କରୁଥିବେ । ଆସିଯିବେ ଆସିଯିବେ । ତୁ କଣ୍ଟାକ୍ଟ କର…

ଆଗେ ଆଗେ ଦିପ୍ତି… ପଛେ ପଛେ ଟ୍ରଲି ଠେଲି ଠେଲି କୁଲି ଚାଲିଥାଏ ଅଠର ନମ୍ବର ପାର୍କିଂ ଆଡେ । ସେମାନେ କାର ପାଖରେ ପହଞ୍ଚିଲା କ୍ଷଣି, ସାମ୍ନା ସିଟରେ ବସିଥିବା ମମୀ… ଦୌଡିଲାପରି ଆସିଗଲେ ଝିଅ ପାଖକୁ । କୁଲି ଡାଲା ଟେକି, ଲଗେଜ୍ କ୍ୟାରିଅର୍‌ରେ ଜିନିଷପତ୍ର ରଖୁ ରଖୁ କଣେଇ କଣେଇ ଚାହିଁଲା-

… ମାଝିଅ ପରସ୍ପର ଜାବୁଡି ଧରିଚନ୍ତି..

…ଏବେ ସେମାନେ ପରସ୍ପରକୁ ଚୁମା ଦେଉଚନ୍ତି…

… ଓଠରେ, କପାଳରେ, ଗାଲରେ, ଆଖିରେ, ବାରମ୍ବାର ଚୁମା ଓ ଚୁମା…

ଦୀପ୍ତିଦିଦୀଙ୍କ ମୁହଁର ଦୀପ୍ତି ବଢିଯାଇଚି; କିନ୍ତୁ ତାଙ୍କ ମମୀ କୁଲିକୁ ପଛ କରିଥିବାରୁ ତାଙ୍କ ମୁହଁ ଦେଖିହେଉନାହିଁ !

ଏତିକି ବେଳେ, ମା ଝିଅଙ୍କର ସେହି ବିଭୋର ବେଳାକୁ ଚହଲାଇ ଦେଉଚି ଗୋଟେ ଓଜିନିଆ ସ୍ୱର- ଆଟେ..ଏ..ଏ..ଏନ୍ …ସନ୍…

ଫେଲ୍ଟ କ୍ୟାପ୍ଟା ଆଗକୁ ଝୁଂକାଇ, ଆଖି ଆଗରେ ଡିଜିଟାଲ୍ କ୍ୟାମେରାଟିଏ ଧରି, ଜଣେ ବୟସ୍କ ଲୋକ ସତର୍କ କରୁଚନ୍ତି- ୱାନ୍…ଟୂ..

ଦୀପ୍ତିଦିଦୀ ହାତ ହଲାଇ କହୁଚି- ରୁହ ରୁହ ଡାଡି! ଆମେ ଆଉ ଟିକେ ଚିପ୍‌କିଯାଉଁ ।

ମା ଝିଅ ବୁଲି ପଡୁଛନ୍ତି କ୍ୟାମେରା ଫୋକସ୍ ଆଡକୁ । ଦୀପ୍ତି-ଗାଲକୁ ମମୀଙ୍କ ଡାହାଣ ଗାଲରେ ସଟେଇରଖୁଚି । ଯେମିତି କି ଅନେକ ଯୁଗ ବ୍ୟବଧାନ ପରର … ମିଳନ ପର୍ବର … ମଧୂର ମଧୁର… ଅଜସ୍ର ତୃପ୍ତିର… ଅସରା ହସର …ସରୁ ସରୁ ଧାର… ସେମାନଙ୍କ ଓଠ-ଅଧରରେ!

ସେଆଡେ ଚାହିଁ, ଚମକି ପଡିଲା କୁଲି..!

ମା ଝିଅଙ୍କର ମିଳନ ଦୃଶ୍ୟ… ତା ଆଖିରୁ ଧାର ଧାର ଲୁହ ଝରାଇଲା ! ସେ ଅଥୟ ହେଲା ! ହାୟରେ.. ଏପରି ମିଳନ, ତା ଭାଗ୍ୟରେ କାହିଁ ? କି ଯେ ପ୍ରେମ ଝରିପଡୁଚି- ସେ ମାଙ୍କ ମୁହଁରୁ!

କୁଲିକୁ ଲାଗିଲା ଯେମିତି ସେ ଆଉଟିକକୁ ମୁଣ୍ଡ ବୁଲାଇ ପଡିଯିବ ତଳେ! କାର୍ ପଛ ଦେଇ ବାହାରିଗଲା ସେ.. ସେମାନଙ୍କ ସଂପୂର୍ଣ୍ଣ ଅନ୍ତରାଳକୁ । ଏବେ ଡାଡୀ, ମମୀ, ଦିପ୍ତୀ… ଏକତ୍ର ଠିଆ ହେଇଥିଲେ ଅଳ୍ପ ଦୂରରେ ! ଅଟୋମ୍ୟାଟିକ୍ ଷ୍ଟେପ୍‌ରେ କ୍ୟାମେରାଟିକୁ ସେଟ୍ କରି, କାର୍‌ର ବନେଟ୍ ଉପରେ ରଖାଯାଇଥିଲା ଓ ପନ୍ଦର ମିନିଟ୍ ଧରି କ୍ୟାମେରାରେ ସେମାନଙ୍କ ବିଭିନ୍ନ ଅଂଗଭଂଗୀରେ ଫୋଟ ଉଠିଚାଲିଥିଲା…

ଏମାନେ ଯେତେବେଳେ କାର ପାଖକୁ ଆସିଲେ, ତ … କୁଲି କୁ ନ ଦେଖି ବ୍ୟସ୍ତ ହେଲେ ! ଦୀପ୍ତିକୁ ଶୁଭିଲା ତା ନିଜ ସ୍ୱର- “କେହି ଦିଦୀ, ତା ନିଜ ଭାଇ ଦ୍ୱାରା କାମ କରେଇ, ତାକୁ ମଜୁରି ଦିଏ କି?” ଏ ସ୍ୱର ବାରମ୍ବାର…

ମୁହଁ ମଉଳିପଡିଲା ଦୀପ୍ତିର..!

ତା ଡାଡୀ ମମୀଙ୍କୁ ସେ କୁଲି ବିଷୟରେ ସବୁକଥା କହିଲା ।

ମମୀ ପ୍ରତିବାଦ କଲେ ଏହି ଆଶଂକାରେ- ସେ ତା କୁଷ୍ଠରୋଗୀ ବାବାଙ୍କର ନିକ ସଂପର୍କରେ ଆସୁଚି ମାନେ.. ତା ଦେହସାରା କୁଷ୍ଠ ରୋଗର ଜୀବାଣୁ ସାଲୁବାଲୁ ହେଉଚନ୍ତି । ତା ଦ୍ୱାରା କାରଖାନାରେ କାମ କରୁଥିବା ଲୋକେ, ସଂକ୍ରମିତ ହେବେ । ପୁଣି… ଦୀପ୍ତିର ତା ପ୍ରତି ଦରଦ ହେତୁ, ସେ ବି ତା ସହିତ ମିଶିବ! କୁଷ୍ଠରୋଗ ସୁସ୍ଥ ଲୋକ ଦେହକୁ ମାଡିଯିବାକୁ, କେତେ ବା ସମୟ ଲାଗେ? ଆଉ ବି… ସେ ତାର ଈଶ୍ୱରଦଣ୍ଡ ପାଉଚି । ଦୀପ୍ତିର କଣ ଆବଶ୍ୟକ ଯେ… ସେଇ ଅଜଣା ବୁଢାଟାର ଚିକିତ୍ସା ଦାୟିତ୍ୱ ନେବ?

କର୍ଣ୍ଣେଲ କହିଲେ- ଶୁଣ ମୌସୁମି… ମନେହୁଏ, ତମ ଭାବନାର ଈଶ୍ୱରଦଣ୍ଡର ସମୟ ସେମାନଙ୍କ ପାଇଁ ଶେଷ ହେଇଆସିଲାଣି ! ଏପରି ସମୟ ଆସିଲାଣି ବୋଲି, ଅନେକ କୁଲି ଥାଉ ଥାଉ, ସେହି କୁଲିଟାର ସାକ୍ଷାତ ହେଇଚି ଆମ ବେବୀ ସହିତ । ମୁଁ ମୋ ଝିଅ ସହିତ ସମାନ ଇଚ୍ଛା ରଖୁଚି ।

କିନ୍ତୁ.. କୁଷ୍ଠରୋଗୀକୁ ମୋର ଘୃଣା ଯେତିକି… ତା ଠୁ ଭୟ ସହସ୍ର ଗୁଣ । ସେ ମୋ ପାଇଁ ଗୋଟେ ଆତଂକ !

କର୍ଣ୍ଣେଲ କହିଲେ- ଆତଂକ ନୂଆ ସୃଜନ ପାଇଁ ବଳଦିଏ ମୌସୁମି ! ଆମେ ବି ତ ଗୋଟେ ଆତଂକିତ ଅବସ୍ଥାରୁ ବଞ୍ଚିଯାଇ.. ନୂଆ ସଂସାରଟିର ବାସ୍ନା ପାଇଚନ୍ତି ? ଭୁଲୁଗଲକି ? ଆମେ କିଏ କାହାର ? ପୁଣି, ସବୁଠୁ ନିଜର ତ ?

ଡାଡୀଙ୍କ କଥାରୁ ମନେପଡିଲା ଦୀପ୍ତିର- ଗୋଟେ ଦୂର ଅତୀତ? ସେ ଚାହୁଁ ନଥିଲା- ସେପରି ସ୍ମୃତିରେ ବୁଡିଯାଉ! ସେ କୁଲିକୁ ଖୋଜିବା ପାଇଁ ବାହାରି ଯାଉଥିଲା ତ.. କର୍ଣ୍ଣେଲ କହିଲେ ଯାହା ପ୍ରତି ତୋ ଛାତିରେ ଅନୁକମ୍ପାଟିଏ ସୃଷ୍ଟି ହେଇଚି ମା… ସେ ହୁଏତ ତାହା ଗ୍ରହଣ କରିବାକୁ ଚାହେଁ ନା । ନଚେତ୍ ଆମେ ତାକୁ ଖୋଜୁନଥାନ୍ତେ.. ସେ ଆମକୁ ଖୋଜୁଥାନ୍ତା ! ତଥାପି…ଯା । ପାଇଯାଉ ତ… ତାକୁ ମୋ ପାଖକୁ ଆଣ୍ । ଲୋକକୁ ଲୋକ ସାହାଯ୍ୟ ନ କଲେ, ପୃଥିବୀଟି ଗୋଟାଏ ଜାଗାରେ ସ୍ଥିର ହେଇଯିବ । ଯା…

ଦୀପ୍ତି ବାହାରିଗଲା ତ … କର୍ଣ୍ଣେଲ କହିଲେ-

ମୋର ମନେପଡୁଚି ସେ ଦିନ.. ସ୍ପଷ୍ଟ ଦିଶୁଚି ମୋତେ ସେ ଦୃଶ୍ୟ… ମୁଁ କାଶ୍ମୀର ଅନ୍ତର୍ଗତ ଲେହ ଘାଟିରେ କ୍ୟାମ୍ପ୍ ଅବ୍‌ଜରଭେସନ୍ ଡ୍ୟୁଟି ଶେଷ କଲି… ହେଡ୍ ଅଫିସକୁ ପ୍ରତିପକ୍ଷର ସୈନ୍ୟ ସମାବେଶ ସମ୍ପର୍କରେ ରିପୋର୍ଟିଂ କଲା ପରେ ଫେରି ଆସିଲି ଆମ ମୂଳ କ୍ୟାମ୍ପକୁ ! ମୋ ସ୍ତ୍ରୀ ଅସ୍ମିତା ଏଇ ଏକା ରହୁଥିଲା ମିଲିଟାରୀ କ୍ୱାଟର୍‌ସରେ । ଦୀପ୍ତିକୁ କେବଳ ଚାରିବର୍ଷ ବୟସ ସେତେବେଳେ । ନର୍ସିଂ ସ୍କୁଲରେ କେଜି-ଟୂରେ ପଢୁଥିଲା ।

ଇଚ୍ଛାହେଲା ଅସ୍ମିତାକୁ ନ ଜଣାଇ, ତାକୁ ସର୍‌ପ୍ରାଇଜ ଦେବି… କ୍ୱାଟର୍ସ କଲିଂବେଲ୍ ମାରି!

ପହଞ୍ଚି ଦେଖିଲି- ମୋ କ୍ୱାଟର୍ସ ଆଗରେ, କ୍ୟାପ୍‌ଟେନ୍ ଅମର୍ଜିତର୍ କାର ପାର୍କଂ କରିଛି ! ଭିତରୁ କବାଟ ବନ୍ଦ ଅଛି ! ଝର୍କା ସବୁ ବି ବନ୍ଦ ! ଅମରଜିତ୍ ଓ ଅସ୍ମିତାଙ୍କ ଅସଂଯତ କଥା ଓ ପ୍ରେମଝରା ହସ.. ବାହାରକୁ ଶୁଭୁଚି!

ମୁଁ ରାଗରେ ପାଗଳ ହେଇଗଲି ଯେମିତି!

ମିଲିଟାରୀ ବୂଟ୍ ରେ ଢୋ ଢୋ କରି ନାତ ମାରିଲି ବନ୍ଦ ହୋଇଥିବା ପ୍ୟାନେଲ୍ କବାଟକୁ! କବାଟର ତଳ ପାଖରେ ଦୁଇଟା ଆୟତାକାର ହୋଲ୍ ହୋଇଗଲା । ଆହୁରି ଲାତ୍ ମାରୁଥାଏ କବାଟକୁ ଭାଙ୍ଗିବା ପାଇଁ । ପକେଟରୁ ସର୍ଭିସ ରିଭଲ୍ଭର ବାହାର କରି ଦୃଢ ମୁଠାରେ ଧରିତାଏ । କବାଟ ଭାଙ୍ଗିଲେ ଭିତରେ ପଶି, ଦୁହେଁଙ୍କୁ ଗୁଳି କରିବି… ମୋ ଭିତରେ ଏହି ନିଷ୍ପତ୍ତି…

ଏତିକିବେଳେ ସ୍କୁଲ- ବସ୍ ଗେଟ୍ ପାଖରେ ଅଟକିଲା ଓ ସେଥିରୁ ଓହ୍ଲାଇପଡି ମୋ ଦୀପ୍ତି ମୋତେ କେତେ ଯେ ଖୁସିରେ ଡାକିଲା ଡା ଡି….!

ସେଦିନ ତା ସ୍ୱରରୁ ଯେଉଁ ଅମୃତ ଝରିଥିଲା, ମୋ ଛାତିରୁ ସବୁ ବିଷକୁ ଧୋଇ ଦେଲା । ତାକୁ ମୁଁ କୋଳକୁ ନେଉ ନେଉ ସେ କହିଲା- ଆମେ ଘରକୁ ଯିବା ଡାଡୀ ଜେଜୀ ନା… ଫୋନ କରିଥିଲା ମମୀକୁ… ଜେଜେଙ୍କ ଦେହ ଭଲ ନାହିଁ ପରା ।

ଭଙ୍ଗା କବାଟକୁ ଥରେ ଚାହିଁ… ଥୁ କରିଦେଲି ।

ବେବୀକୁ କୋଳରେ ଧରି ଏବାଉଟର୍ଣ୍ଣ କଲି । ସେଦିନ ଫ୍ଲାଇଟ୍‌ରେ ଆସିଗଲି ଦମ୍ ଦମ୍… କୋଲକାତା ସେଠୁ ଭୁବନେଶ୍ୱର ବିଜୁପଟ୍ଟନାୟକ ଏରୋଡ୍ରମ ଓ ତା ପରେ ପଞ୍ଜାବୀ ଟାକ୍ସିବାଲା ସହିତ… ଆମ ଗାଁ ଆଡେ… ପଦ୍ମପୁର ଉଦ୍ଧେଶ୍ୟରେ…

ଠିକ ମହାନଦୀ ବ୍ରିଜ ଆରମ୍ଭ ହେଉ ହେଉ ଭାବିଲି-

ଏଡେ ସାନ ଛୁଆଟିକୁ ବଡ କରିବା ଇଚ୍ଛାରେ, ସାରାଜୀବନ ସବୁ ନାରୀଙ୍କୁ ଅବିଶ୍ୱାସ କରି, ଜଳିବି କାହିଁକି ? ଆଉ ତ ବିବାହ କରିବି ନାହିଁ ! ବଞ୍ଚିବାର ଅର୍ଥ କଣ ବି ଏ ଛୁଆଟାର… ଯିଏ ଆରମ୍ଭ ଜୀବନରୁ ମାତୃ ସ୍ନେହରୁ ବଞ୍ଚିତ ରହିବ!

ଟାକ୍ସି ଅଟକାଇଲି….

ଚାହିଁଲି ମହାନଦୀ ଶଯ୍ୟାକୁ….

ଜୁନ୍ ମାସର ଭୟଂକର ବନ୍ୟାଜଳ… ଜହ୍ନ ରାତିରେ… ବିଭତ୍ସ ମାଟିଆ ରୂପରେ ମାଡି ଯାଉଥିଲା ତଳ ଅଞ୍ଚଳକୁ!

ଦୀପ୍ତି ସହିତ ତାହାରି ସୁଅରେ ହଜି୍ବାର ଇଚ୍ଛା…!!!

ମୋ ପାଖରେ ଥିବା ସବୁ ଟଙ୍କା ଡ୍ରାଇଭରକୁ ଧରାଇ ଦେଲି ।

କହିଲି ଅବ୍ ତୁହ୍ମାରି ଛୁଟ୍ଟୀ । ଡ୍ୟୁଟି ଓଭର । ଆଗେ ବଢୋ…!

ଡ୍ରାଇଭର ହାତ ଯୋଡି ଦେଇ କହିଲା- ଗଲ୍‌ତି ମତ୍ କରୋ ବାବୁଜୀ…!

ସର୍ଭିସ୍ ରିଭଲ୍ଭର ତା ମୁଣ୍ଡରେ ଲଗାଇ କହିଲି ଛୁଟେଗା.. ୟା ଗୋଲି ଖାୟେଗା ? ଜୋ ତୁହ୍ମାରୀ ମର୍ଜି! ଜଲଦି ଡିସିସନ ଲୋ… କ୍ୟା ଚାହିୟେ?

ଉତ୍ତରଟିଏ ବି ନ କରି, ଜଗତ୍‌ପୁର ଆଡେ ମାଡିଗଲା ସେହି ପଞ୍ଜାବୀ ଡ୍ରାଇଭର… ନୀରବରେ କହି ଦେଇଗଲା ଯେମିତି- ଜୀବନ ଠାରୁ ମୂଲ୍ୟବାନ ଆଉ କିଛି ବି ନାହିଁ ।

ଝିଅକୁ ଧରି ପାଣିକୁ ଡେଇଁବାକୁ ଉଥିଲି ତ… ଅଳ୍ପ ଦୂରରୁ ଦେଖିଲି- ତମେ ବି ଡେଇଁବାର ସନ୍ଧିକ୍ଷଣରେ ଥାଇ, ଫୁଟ୍‌ପାଥ୍ ରେଲିଂକୁ ଧରିଚି.. ବନ୍ୟା ଜଳକୁ ଚାହିଁଚି!!

ଦୁର୍ଗତକୁ ଉଦ୍ଧାର କରିବାର ଅଭ୍ୟାସଗତ ମିଲିଟାରୀ ଭାବନା ମୋତେ ଯେମିତି କହିଲା- ମୋର ତମ ପାଖକୁ ଯିବା ଉଚିତ୍ ।

ପଚାରିଲା- ସୁଇସାଇଡ୍ କରିବାକୁ ଆସିଚ?

କହିଲ- ତମେ ବି ତ ?

ମୁଁ କହିଲି- ହଁ ।

-ଏଡେ ସାନ ଝିଅଟାର ଅପରାଧ କଣ ? ୟାକୁ ତା ମା ପାଖରେ ଛାଡିଦେଲ ନି ? ତା ପ୍ରତି କଣ ତମର ଏକା ଅଧିକାର? ମାର ଅଧିକାର କିଛି ବି ନାହିଁ?

ତମେ ମୋତେ ସେମିତିକା ପ୍ରଶ୍ନ କରୁଥିଲା ବେଳେ, ସବୁ ପରିସ୍ଥିତିକୁ ବୁଝିପାରିଥିବା ଦୀପ୍ତି.. ହଠାତ୍ ତମ କୋଳକୁ ଡେଇଁ ପଡିଲା ମୋ କୋଳରୁ । ମୁଁ ଦେଖିଲି ମରଣ ମୁହଁକୁ ଯିବାକୁ ପ୍ରସ୍ତୁତ ମା ଜଣେ କଅଁଳ ଜୀବନଟିକୁ ଛାତିରେ ଜକି, ମାତୃତ୍ୱର ଗୋଟେ ବିମଳ ମୂର୍ତ୍ତି ହେଇ, ଠିଆ ହେଇଚି ମୋ ଆଗରେ!

ପଚାରିଲି- ତମେ ମା ହେଇପାରିବ.. ଏଝିଅର?

ଉତ୍ତର କଲ… ସମ୍ମତିର ମୁଣ୍ଡ ନୂଆଇଁ ।

କହିଲି-ମୁଁ ଦୀପ୍ତିର ବାପା; କିନ୍ତୁ ତମର ସ୍ୱାମୀ ହେଇ ପାରିବି ନାହିଁ । ରାଜି?

ସମ୍ମତି ଦେଲେ ଓ ଗୋଟେ ନୂଆ ସଂଯୋଗର ପରିବାର ଆମର ଗଢିଉଠିଲା । ତମେ ଦୀପ୍ତିର ମମୀ.. ମୁଁ ଡାଡୀ; କିନ୍ତୁ ଆମେ ସ୍ୱାମୀ-ସ୍ତ୍ରୀ ନୁହନ୍ତି ।

ଏବେ କୁହ ମୌସୁମି- ଗୋଟେ ଆତଂକିତ ସମୟରୁ କଣ ଆମେ ତିନିଜଣ ନିଜ ଇଚ୍ଛାରେ ରକ୍ଷା ପାଇଗଲେ.. ନା ଠିକ୍ ମରଣଯନ୍ତାର ମୁହଁରେ ଆମ ମାନଙ୍କର ସାକ୍ଷାତ ହେଉ ବୋଲି, ତମ ଭାବନାର ଈଶ୍ୱରଙ୍କ ଇଚ୍ଛା ଥିଲା?

ମୌସୁମୀ ନୀରବ ହେଇଗଲେ ଯଦି ଓ… ତାଙ୍କର ମନ ମାନୁନଥାଏ… କୁଷ୍ଠରୋଗୀଟିର ସନ୍ତାନ ସଂପର୍କରେ ଦୀପ୍ତି ଆସୁ!

କର୍ଣ୍ଣେଲ କହିଲେ- ତମ ମନର ଭାବନା ବୁଝୁଚି ମୌସୁମି; କିନ୍ତୁ ଏହା ହିଁ ଜୀବନ! ତା ଫର୍ଦ୍ଧରେ ଆକସ୍ମିକତାର ରଙ୍ଗ ଲାଗେ । ତାକୁ କିଏ ଧରି ରଖେ,. କିଏ ଭୁଲିଯାଏ!

ଶୁଣ ମୌସୁମି… ତମ ସହିତ ଦୀର୍ଘ ବର୍ଷ ରହିଆସିଲିଣି । ଉଣେଇଶି ବର୍ଷର ଲମ୍ବା ସମୟ କମ୍ କି ? କିନ୍ତୁ ତମର କୌଣସି ଅତୀତ କଥା ମୁଁ ଦିନେ ବି ତମକୁ ପଚାରି ନାହିଁ ! କାରଣ, ତମେ ନ ଥିଲେ ଆମେ ନଥାନ୍ତୁ । ତମେ ଯେମିତି ଈଶ୍ୱରୀ ରୂପେ ସେଦିନ ଆସିଥିଲ.. ନିଜେ ମରିବାକୁ ନୁହେଁ, ଆମକୁ ବଞ୍ଚାଇବାକୁ । ଈଶ୍ୱରୀଙ୍କ ଠିକଣା ଓ ଇତିହାସ ସଂପର୍କରେ ଜାଣିବାକୁ ଇଛା ହିଁ ଅବିଶ୍ୱାସ । ତମର ବିଶ୍ୱାସ ଆମ ବାପ ଝିଅଙ୍କର ଜୀବନ!

ଏ ଦୃଷ୍ଟିରୁ ଦୀପ୍ତିର ସବୁ ନିଷ୍ପତ୍ତି ପ୍ରତି ଆମର ଅଜସ୍ର ଓ ଅଟଳ ବିଶ୍ୱାସ ରହିବା ଉଚିତ । ଉଣେଇଶି ବର୍ଷ ଧରି, ତମ ମୋ ମଧ୍ୟରେ ଯେଉଁ ବିଶ୍ୱାସର ସଂଯମ… ତାହାର କଣ କିଛି ପ୍ରଭାବ ପଡିନାହିଁ ଦୀପ୍ତି ଉପରେ? ସେ କଣ ଜାଣେ ନାହିଁ- ତା ଡାଡୀ ମମୀ… ଏକ ବିଛଣାରେ କେବେ ବି ରହିନାହାନ୍ତି? ତମ ହାତଗଢା ଓ ମୋ ରକ୍ତର ଏ ଝିଅ ପାଖରେ ତ୍ୟାଗ ଓ ଆଦର୍ଶ ଛଡା ଆଉ କଣ ଥିବ ବୋଲି ତମେ ଭାବୁଚ ଯେ… ଆତଂକିତ ହେଇଯାଉଛ? କୁଷ୍ଠରୋଗକୁ?

ଏବେ ସକାଳ ଫର୍ଚ୍ଚା ଆଲୁଅ, ପତଳା କୁହୁଡି ଢଂକା ଷ୍ଟେସନ ଅଞ୍ଚଳକୁ ନରମ ନରମ ଛାଇ ଛାଇଆ ପ୍ରକାଶ ହେଇ, ଘୋଡେଇ ପକାଇଲାଣି । ମଝିରେ ମଝିରେ ମାଲ୍‌ଗାଡିର ସାଇରନ୍ ସାଙ୍ଗକୁ ଛାତିଦୁଲୁକା କର୍କଶ ଘଡଘଡ ଶବ୍ଦ ପାଦତଳ ଚଟାଣକୁ ଥରାଇ ଦେଉଚି ।

କର୍ଣ୍ଣେଲ ଓ ମୌସୁମୀ ପ୍ଲାଟ୍‌ଫର୍ମ ଟିକେଟ୍ କାଟି ଭିତରକୁ ଆସୁଚନ୍ତି ଓ କଫୀ କ୍ୟାଫରେ ସକାଳର କଫୀ ନେଉ ନେଉ ଚାରିଆଡକୁ ସତର୍କ ଦୃଷ୍ଟି ପକାଉଚନ୍ତି- ଦୀପ୍ତି ଗଲା କୁଆଡେ? ଷ୍ଟେସନର ପୂର୍ବଦିଗ ଟ୍ରେନ ଲାଇନ୍ ପାଖେ ପାଖେ ଯାଇ, ଗୋଟେ ପରିତ୍ୟାକ୍ତ ଢାଉଆ ରଙ୍ଗର ଡବା ପାଖରେ ଅଟକି ଯାଇଚି ଦୀପ୍ତି…! ଭିତରେ କେହି ସିନ୍ ସିନ୍ ହେଇ କାନ୍ଦୁଚି ଯେ କାନ୍ଦୁଚି ! ତାକୁ ଗୋଟେ ଗଣଗଣିଆ ସ୍ୱର ସାନ୍ତ୍ୱନା ଦେଉଚି-

…ଜଗୁ ରେ! ଯିଏ ସ୍ୱାମୀକୁ କୁଷ୍ଠରୋଗ ହେଇଗଲା ବୋଲି, ନିଜ ରକ୍ତରୁ ଜନ୍ମ ନେଇଥିବା ପାଞ୍ଚ ବର୍ଷର ପୁଅଟାକୁ ଛାଡିଦେଇ ଉଣେଇସି ବର୍ଷଧରି କୁଆଡେ ରହିପାରେ, ନୂଆ ସଂସାର ଗଢିପାରେ, ସେ କଣ ମା ? ଜନ୍ମ ଦେଇଦେଲେ କଣ ସବୁ ମା… ମା… ଅର୍ଥରେ ମା ହେଇ ପାରନ୍ତି? ତୋ ମା ମୌସୁମୀ ରାକ୍ଷସୀଟିଏ । ଯାହାର ଦେହ ସବୁଠୁ ବଡ ହୃଦୟ ବୋଲି କିଛି ନାହିଁ ! ମା କଣ ମୌସୁମି…. ମୌସୁମ ଅନୁସାରେ ଇଚ୍ଛା ବଦଳାଇବାକୁ? ସ୍ୱାର୍ଥରେ ଗଢା ତା ଜୀବନ । ଆଜି ଯଦି ତାକୁ କୁଷ୍ଠରୋଗ ହେଇଥାନ୍ତା, ମୁଁ ତାକୁ ଛାଡି ଦେଇପାରିଥାନ୍ତି ? ହାତଧରି ବିବାହ କରିଥିଲୁ ପରା…. ପରସ୍ପରର ଦାୟିତ୍ୱ ବହନ କରିବାକୁ ?

…ବାପାରେ! ତା ଫୋଟକୁ ଏତେ ବର୍ଷ ଯାଏ ସାଇତି ରଖିଲୁ । ପ୍ରତିଦିନ ତାକୁ ଫୁଲ ଚନ୍ଦନ ଦେଲୁ । ଯେତେ ପାରିଲୁ, ତା ଆଗରେ ଲୁହ ଗଡେଇଲୁ ! ଆଜି ତ ଉଣେଇସି ବର୍ଷ ପରେ ଦେଖିନେଲୁ ତାର ପ୍ରେମକୁ… ତା ଦ୍ୱିତୀୟ ସ୍ୱାମୀଠୁ ଜନ୍ମ ନେଇଥିବା ଝିଅ ସହିତ ! ସ୍ୱାମୀ ସହିତ ଫୋଟ ଉଠା ? ଆଉ କଣ ବାକି ରହିଲା ଦେଖିବାକୁ?

… ତା ଫୋଟକୁ ଚିରି ଦେ । ଫିଙ୍ଗି ଦେ । ଛେପ ଲଣ୍ଡାଏ ପକାଇ ଦେ, ସେ ଛିଣ୍ଡା ଟୁକୁଡା ଉପରକୁ । ତୋର ରା ସ୍ୱାମୀ କାର୍‌ଖାନାରେ ଚାକିରି କରିବାର ନାହିଁ…. କି, ତା ଦୟା ଛାଇ ତଳେ ରହିବାର ନାହିଁ । ମୁଁ ଚାହେଁ ତୁ ବାହା ହ ଘର ସଂସାର କର… ମୋତେ କୁଷ୍ଠ ଆଶ୍ରମରେ ଛାଡିଦେ । ଯଦି ତୋ ସ୍ତ୍ରୀ ଭଲ ପଡେ…. ତ, ମୋତେ ପାଖକୁ ନେବୁ । ମୋ କଥା ମାନ୍ ବାପା… କୋଉଠି ହେଲେ ଭଲ ଚାକିରିଟିଏ କର… ସବୁ ବଦଳିଯିବ !

ଜଗୁ ଦୃଢ ସ୍ୱରରେ କହିଲା- ଏଇ… ତମରି ଆଗରେ ଚିରି ଦେଉଚି ତା ଫୋଟକୁ । ମନରୁ ସବୁଦିନ ପାଇଁ ପୋଛି ଦେବାକୁ ଚେଷ୍ଟା କରୁଚି… ତା ସ୍ମୃତି ସବୁକୁ । ପଶୁପରି ଜନ୍ମ ଦେଇ, ମୋତେ ସେ ଭୁଲି ସାରିଚି । ମୁଁ ତାର କିଏ କି…. ତା ପାଇଁ କାନ୍ଦିକି, ମୋ ବାବାଙ୍କୁ ଦୁଃଖ ଦେବି ?

ଜଗୁ ତା ବୈକୁଣ୍ଠ ସମାନ ଘରର ଦ୍ୱାର ସାମ୍ନାରେ ଝୁଲି ଅଖା-ପାଲକୁ ଆରେଇ ଦେଇ, ଟୁକୁଡା ଟୁକୁଡା ଫୋଟୋ କାଗଜକୁ ଫିଙ୍ଗିଦେଲା ବାହାରକୁ… । ସେ ସବୁ ଫୁଲ ପରି ବିଞ୍ଚି ହେଇଗଲା- ତଳେ ଠିଆହେଇଥିବା ଦୀପ୍ତିର ମୁଣ୍ଡସାରା ! ଝର ଝର ହେଇ ଲୁହ ଝରିଲା… ବିଚାରୀ ଆଖିରୁ !

ଜଗୁ କାନ୍ଦୁଥାଏ ଉପରେ…. ତଳକୁ ମୁହଁ କରି !

ଦୀପ୍ତି କାନ୍ଦୁଥାଏ ତଳେ… ଉପରକୁ ଚାହିଁଥାଇ !

ଜଗୁର ଲୁହ ବିନ୍ଦୁ ତା ପାଟିରେ ପଡୁଥାଏ…ତ, ଦୀପ୍ତିର ପାଟି ମେଲା ହେଇ ରହିଥାଏ ! ଲାଗୁଥାଏ ଯେମିତି କି… ଜଗୁର ସବୁ ଲୁହ ପିଇଯିବାକୁ ସେ ଅପେକ୍ଷା କରିଚି !

ଏବେ ଦୀପ୍ତି କାନ୍ଦିଲା ଉଚ୍ଚ ସ୍ୱରରେ କାନ୍ଦି କାନ୍ଦି କହିଲା- ଜଗୁଭାଇ ! ତମ ଦୀପ୍ତି ତଳେ ପଡିଚି… ତାକୁ ଉପରକୁ ଉଠାଅ । ସେ ହାତ ଟେକି ଦେଉଚି ! ଧର ଜଗୁ ଭାଇ… ଧର !

ଜଗୁ ବି କାନ୍ଦିଲା ଉଚ୍ଚସ୍ୱରରେ ।

କାନ୍ଦି କାନ୍ଦି କହିଲା- ମୁଁ ନଡିଆଗଛର ବାଇଚଢେଇ ! କାନ୍ଧି କାନ୍ଧି ନଡିଆ, ପଇଡ ମୋ ଆଖି ଆଗରେ ! ତାଙ୍କୁ ବାଆ ବତାସରୁ ସୁରକ୍ଷା ଦେବାର ଶକ୍ତି ମୋର ନାହିଁ…. କି, ସେଥିରୁ ବୁନ୍ଦାଏ ମଧୁର ପାଣି… ଫୁଂଟାଏ ବି କଅଁଳ ଶସ ଖାଇବାର ସ୍ୱପ୍ନଟିଏ ଦେଖିବା, ସ୍ୱପ୍ନ ମୋ ପାଇଁ ଦୀପ୍ତି ଦିଦି ! ଦୟାକରି ତମେ ତମ ସଂସାରକୁ ଫେରିଯାଅ..

ଦୀପ୍ତି ଏବେ ଅଥୟ…

କହିଲା- ସବୁଠୁ ଭରସା ତୁଟି ସାରିଲାଣି ! ଆତୁର ହେଇ, ତମକୁ ହିଁ ଡାକୁଛି ଜଗୁଭାଇ… ମୋତେ ତୋଳିନିଅ ତମ ମନ୍ଦିରକୁ । ତମ ଈଶ୍ୱରୀଙ୍କୁ ମୋ ଈଶ୍ୱର ମାନିବି… ତାଙ୍କର ଦର୍ଶନ କରିବି.. ସେବା କରିବି…ପୂଜା କରିବି । ମାଟିର କୁଡିଆରେ ରହିପାରିବି… ସୁନାର ପ୍ରାସାଦ ମୋ ପାଇଁ ଅସହ୍ୟ !

ଗଣଗଣ ସ୍ୱରରେ ବାବା କହିଲେ-ଜଗୁରେ! ପଙ୍କରୁ ଜନ୍ମ ନେଇଥିବା ସେ ପଦ୍ମ ଫୁଲକୁ ଟିକେ ଦେଖିବାକୁ ଇଚ୍ଛା ହେଉଚି-ଯିଏ ଅଳ୍ପ ସମୟର ଦେଖାରେ, ଆମ ବିସ୍ତୃତ ଯନ୍ତ୍ରଣାକୁ ବୁଝିପାରେ ! ଯନ୍ତ୍ରଣା ସବୁକୁ ଧୋଇଦେବାକୁ ଗଙ୍ଗା ହେଇ ବହିପାରେ !

ହାତଧରି ଉପରକୁ ଉଠା ତାକୁ । ରାକ୍ଷସୀ ଗର୍ଭରୁ ଜନ୍ମ ନେଇଥିବା ସେ ସ୍ୱର୍ଗର ଦେବୀ ଦେଖିଯାଉ ଆମ ନର୍କପୁରର ଦୃଶ୍ୟ ସବୁ । ତାକୁ ମୋ ଆଗକୁ ଆଣ….

ଜଗୁ ହାତ ବଢାଇବା ପୂର୍ବରୁ ଡବାଟିର ଦୁଇ ପାଖ ରେଲିଂ ଧରି, ତାର ଠିଆ ପାହାଚରେ ଉପରକୁ ଉଠିଲା-ଦୀପ୍ତି ।

ବାବାଙ୍କୁ ପ୍ରଣାମ କଲା….

ତାଙ୍କ ଦେହ ମୁଣ୍ଡକୁ ଆଉଁଶିଦେଲା…

ଷ୍ଟୋଭ ଲଗାଇ ଉଷୁମ୍ ପାଣିକଲା…

ଗଲା ରାତିରେ ବାବାଙ୍କ ଘା’ରେ ବନ୍ଧା ହେଇଥିବା ବ୍ୟାଣ୍ଡେଜ୍ କନାକୁ ଉଷୁମ ପାଣିରେ ଭିଜାଇ… ବାହାର କଲା… ସଫା କଲା । ସେଥିରେ ମଲମ ବୋଳିଲା ଓ ନୂଆ ଗଜ୍‌କନା ବାନ୍ଧିଲା..

ଏ ଯାଏ ତଟସ୍ଥ ଥିବା ଜଗୁ ପଚାରିଲା- ଏସବୁ କଣ ହେଉଚି ଦିଦୀ ?

-ଶୁଣ, ତମ ମା ମୋ ମମୀ ନୁହନ୍ତି । ମୋ ଡାଡୀଙ୍କ ସହିତ ତାଙ୍କର ସମ୍ପର୍କ କେବଳ ଭାଗବତ ! ମୋର ଚାରିବର୍ଷ ବୟସରୁ ତମ ମା ମୋତେ ପାଳିଛନ୍ତି । କର୍ତ୍ତବ୍ୟ ଦୃଷ୍ଟିରୁ, ତମ ବାବାଙ୍କର ସେବା କରିବା, ତାଙ୍କୁ ନିରୋଗ କରିବା ତାଙ୍କର ସଂସାରକୁ ସଜାଡି ଦେବା, ମୋର ଦାୟିତ୍ୱ । ।

ଏ ଦାୟିତ୍ୱ ଏବେଠୁ ଆରମ୍ଭ କରୁଚି…

ଏବେ ତମେ ବଂଧୁ ରୂପେ ମୋ ସହ ହାତ ମିଳାଇପାରେ କିମ୍ବା ସହମତିର ସଂସାର ଗଢିବା ପାଇଁ… ସିନ୍ଦୂର ପିନ୍ଧାଇପାର !!

ଯଦି ବଂଧୁ ହେବିନି କି ସ୍ତ୍ରୀ ବି ହେବିନି…ତ, ଆମ ଦୁହିଁଙ୍କ ପରିଚୟ ହେବ- ଆମେ ଜୀବ ବିଜ୍ଞାନର ପରସ୍ପର ବିପରୀତ ଲିଙ୍ଗର- ନାରୀ ଓ ପୁରୁଷ…! କେବଳ ଏତିକି ।

ଏହା ପରେ ଆମେ ପେଷା ଓ ଚକି ପରି ଜୀବନ ବଞ୍ଚିବା ।

ମୁଁ ଚକି ତମେ ପେଷା !

ବାବାଙ୍କୁ ଆମେ ଆମ ସ୍ଥିରତାର, ବିଶ୍ୱାସର, ମଣିଖମ୍ବ ସଜାଇବା । ତାଙ୍କୁ ଆଦର୍ଶ କରି, ତାଙ୍କ ଅଭିଜ୍ଞତାକୁ ସମ୍ବଳ କରି, ଆମେ ଆମ ପୃଥିବୀର ମଙ୍ଗଳ ପାଇଁ ଘୂରିବା! ଆମ ମଝିରେ ଫାଟ ତିଆରି କରିବାକୁ ଯିଏ ଆସିବ, ଆମେ ତାକୁ ଚୂରି ଚୂରି, ଗୁଣ୍ଡ କରିଦେବା ! ଆଉ ବି…

-ଆଉ ବି? କଣ ??

… ଯିଏ ମଣିଖମ୍ବ ପରି ବାବାଙ୍କୁ ଆଶ୍ରୟ କରି ବଞ୍ଚିବାକୁ ଚାହିଁବ, ସେ ବଞ୍ଚିଯିବ- କିଛି ବିରିମୁଗ ଫାଳ ନ ହେଇ, ଗୋଟେ ରହିଗଲା ମଣିଖମ୍ବ ପାଖରେ ! କଣ ଚାହଁ ଜଗୁଭାଇ ? କୁହ ?

ବିସ୍ମୟରେ ପଡି ଜଗୁ ପଚାରିଲା କାହାକୁ କହୁଚ ବିରି..କି, ମୁଗ ? ତମ ଡାଡୀ, ନା ତମ ମମୀ ? ତାଙ୍କୁ ଲକ୍ଷ୍ୟ କରି କହୁନା ତ ?

ଦୀପ୍ତି ହସିଲା…. ନିର୍ମଳ ଓ ଦୃଢତାର ହସ !

କହିଲା- ବୁଝୁଥିବା ଲୋକ ପାଇଁ ଅଧିକ କହିବାର ଆବଶ୍ୟକତା କଣ ଜଗୁଭାଇ?

ସବୁ ଜାଣି… ମୋ ଦେହମନ ଏତେ ଜଳୁଚି ଯେ… ମୁଁ ଟିକେ ବାବାଙ୍କ କୋଳରେ ଶୋଇଯିବାକୁ ଚାହେଁ… ଶାନ୍ତିରେ ! ଏଡେବଡ ପିତୃତ୍ୱ… ମୁଁ ଆଉ କେଉଁଠୁ ପାଇବି ?

କେତେବେଳୁ ସେହି ପରିତ୍ୟକ୍ତ ଡବାକୁଲାଗି, ତଳେ ଠିଆ ହେଇଥାନ୍ତି- କର୍ଣ୍ଣେଲ୍ ଓ ମୌସୁମି ! ବର୍ଷକୀ ଶ୍ରାବଣୀ ପରି କାନ୍ଦି କାନ୍ଦି ଝୁରୁଥାନ୍ତି ମୌସୁମି…. ଅନୁତାପର ତାତିଲାଲୁହ ତାଙ୍କ ଛାତି ଓଦା କରୁଥାଏ ତ ….ଶବ୍ଦହୀନ କୋହ ଅସହ୍ୟ ଯନ୍ତ୍ରଣା ଦେଉଥାଏ ।

କର୍ଣ୍ଣେଲଙ୍କ ସ୍ୱର ଶୁଭିଲା-ମେଘର ସବୁ ବାଦଲ ଆକାଶରୁ ଘୁଞ୍ଚିଗଲା ପରେ, ପୁଣି ଏ ବର୍ଷା କିପରି? କାହିଁକି ??

ମୋ ଝିଅର ନିଷ୍ପତ୍ତିକୁ, ମୁଁ ସବୁବେଳେ ମୋର ନିଷ୍ପତ୍ତି ବୋଲି ଧରିଆସିଚି । ତା ଖୁସିରେ ମୋର ଖୁସି ।

ତମେ ସ୍ଥିରକର- ଶାଶୂ ହେବ… କି ମା ?

ଯାହା ତମର ଇଚ୍ଛା, ସେହି ମୈର୍ତ୍ତ୍ୟ- ବୈକୁଣ୍ଠକୁ ପଶିଯାଅ… ସେଇଠି ସ୍ଥିର କର । ମୋ ବିଚାରରେ…. ସମସ୍ତେ ମିଳିମିଶି ପରିଷ୍କାର ଆକାଶରେ ନୀଳିମାକୁ ଭଲପାଅ ।

କର୍ଣ୍ଣେଲ ସ୍ଥାନ ଛାଡି ଚାଲିଗଲା ପରେ, ମୌସୁମୀ କଣ କରନ୍ତେ… କେବଳ କାନ୍ଦିବା ଛଡା ? ସେ କାନ୍ଦିଲେ ଓ ଏତେ କାନ୍ଦିଲେ ଯେ… ତା ଶବ୍ଦରେ, ଯେମିତି ସେ ଲୁହାର ମନ୍ଦିରଟିର ସବୁକାନ୍ଥ ଥରିଉଠିଲେ !

ଲୋକପ୍ରିୟ ଲେଖା

To Top